“ଆଧାର”
ଓ ଆମର ମାନବିକ ଅଧିକାର ?
ଦେବ
ରଞ୍ଜନ
ମୁଁ
ମୋର ସାଥିମାନଙ୍କ ଭିତରେ ଶେଷତମ ବ୍ୟକ୍ତି ଯିଏ ଆଜି ପର୍ଯ୍ୟନ୍ତ ନିଜର ଆଧାର କାର୍ଡ କରିନାହିଁ । ମୁଁ
ଆଉ କାହାରିକୁ “ଆଧାର”
କାର୍ଡ ନଥିବା ଦେଖୁନାହିଁ । “ଆଧାର”
ସରକାରଙ୍କ Unique Identification ବ୍ୟବସ୍ଥା ବା ବହୁ ଦେଶରେ ଚାଲିଥିବା National
Identification Number ବ୍ୟବସ୍ଥାର ଅଂଶବିଶେଷ । ତେବେ ମୋର ଏକ ସନ୍ଦେହ ଯାହା ଆଜି ପର୍ଯ୍ୟନ୍ତ ମୋତେ “ଆଧାର”
କେନ୍ଦ୍ରକୁ ନେବାରେ ବିରୋଧ କରୁଥିଲା ତାହା କ୍ରମଶଃ ସତ୍ୟ ହେଉଛି । ଆଜି
ଆଧାର ନମ୍ବର ସହିତ ଡେବିଟ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାନ କାର୍ଡ, ମୋବାଇଲ ସିମ କାର୍ଡ,
ବିମାନ ଯାତ୍ରା ଇତ୍ୟାଦି ଯୋଡି ହେବା ଦ୍ଵାରା (ରେଳ ଟିକେଟ ଯୋଡିବାର
ପ୍ରସ୍ତାବ ରହିଛି ) ଆମ ଦୈନନ୍ଦିନ କାର୍ଯ୍ୟର ସମସ୍ତ ବିବରଣୀ, ଉଭୟ
ଆର୍ଥିକ ଓ ସାମାଜିକ କାର୍ଯ୍ୟବଳୀ, ସେହି ଆଧାର ନମ୍ବର ସଂଯୁକ୍ତ
ଏକାଉଣ୍ଟରେ ଲିପିବଦ୍ଧ ହୋଇରହିଲା । ଭାରତର
କେଉଁ କେଉଁ ସହର ରେଳରେ ଅଥବା ବିମାନରେ ଯାଇଥିଲେ, କେଉଁଠି
ରହିଥିଲେ, କାହା କାହା ସହିତ କଣ କଣ ମୋବାଇଲରେ କଥା ହୋଇଥିଲେ, ଇଣ୍ଟରେଟରେ କଣ ପଢିଥିଲେ ଓ କଣ ଡାଉନଲୋଡ କରିଥିଲେ, ନିଜ
ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥରେ କଣ କଣ କିଣିଛେ, କେତେ ଥର ଚାକିରି
ବଦଳାଇଲେଣି, ଏପରିକି
ଘରକୁ କେତେ ବୋତଲ ଫିନାଇଲ ଅଥବା ପିଲାଙ୍କ ନାପକିନ ଆଣିଛେ (କ୍ୟାସଲେସ ହେତୁ) ଏ ସମସ୍ତ
ହିସାବ ସେହି ଆଧାର ଆକାଉଣ୍ଟରେ ଲିପିବଦ୍ଧ ହୋଇରହିଲା । ଏହାକୁ ଭାରତର ନିର୍ବାଚିତ କୌଣସି ଦଳୀୟ ସରକାର ତଥା କୌଣସି ବହୁରାଷ୍ଟ୍ରୀୟ
କମ୍ପାନୀ କେବେବି କେଉଁଭଳି ବି ବ୍ୟବହାର କରିପାରେ ଯାହା ଏବେଠାରୁ ଅନୁମାନ କରିବା ମଧ୍ୟ କଷ୍ଟ । “ଆଧାର” ଏପରି ଏକ ସିସିଟିଭି କ୍ୟାମେରା ଯାହାର ଆଖି ଓ କାନ
ମଧ୍ୟ ରହିଛି ଓ ଏହା ସର୍ବଦା ଆମର ପିଛା କରୁଛି । ଏହା
ନାଗରିକର ସ୍ଵାଧୀନ ଭାବରେ ନିଜର କାର୍ଯ୍ୟ କରିବାର ଅଧିକାରକୁ କ୍ଷୁଣ୍ଣ କରୁଛି । ଏବେ ସମସ୍ତଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତିମ ରାଏକୁ ଅପେକ୍ଷା କରିବାକୁ
ପଡୁଛି ।
ଆଜି
ଏପରି କୌଣସି ସରକାରୀ ବ୍ୟବସ୍ଥା ନାହିଁ ଯାହା ସହିତ “ଆଧାର”
ସମ୍ପୃକ୍ତ ହୋଇ ରହି ନାହିଁ । ପ୍ରଥମେ
ଏଲପିଜି ଗ୍ୟାସ ଓ ପିଡ଼ିଏସ ବ୍ୟବସ୍ଥା ସହିତ ସମ୍ପୃକ୍ତ କରାଗଲା । ସେତେବେଳେ
ମଧ୍ୟ ଏହାକୁ ଦୁର୍ନିତୀ ବିରୁଦ୍ଧରେ ଯୁଦ୍ଧ ବୋଲି କୁହାଗଲା । ମାତ୍ର
ଛତିଶଗଡ, ତାମିଲନାଡୁ ଓ ବିହାର ସରକାର ପିଡ଼ିଏସ ଯୋଗାଣରେ କଡାକଡି ନୀୟମ କରିବା ଓ ମୋବାଇଲ
ଫୋନରେ ପାସୱାର୍ଡ ସହିତ ପିଡ଼ିଏସ ଉଠାଣ ସଂଯୋଗ କରିଏହି ଦୁର୍ନିତୀକୁ କମାଇଦେବାରେ ସମର୍ଥ ହେବା
ହେତୁ “ଆଧାର” ସପକ୍ଷରେ ଯୁକ୍ତି ଫିକା ପଡିଆସୁଥିଲା । ପରେ
ଏହାକୁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ରର ଡୁପ୍ଳିକେଟ ରୋକିବାରେ ସମର୍ଥ ହେବ ବୋଲି “ଆଧାର” କାର୍ଡର ଦାୟିତ୍ଵରେ ଥିବା ନନ୍ଦନ ନିଲେକାନି କହିବା ଆରମ୍ଭ କଲେ । ଏ
ଦେଶର ସମସ୍ତ ଜନସାଧାରଣଙ୍କୁ ଏହାଦ୍ଵାରା ସମ୍ଭାବ୍ୟ
ଅପରାଧୀ (କେହି ବି ମିଛ ଲାଇସେନ୍ସ କରିପାରେ ଯୁକ୍ତିରେ ଓ ଏହିହେତୁ ‘ଆମ ଲୋକ ତ ଠିକ ନାହାନ୍ତି’ ବୋଲି ଅଧିକାଂଶ ସମୟରେ ଆମର ଲୋକେ
ଯୁକ୍ତି କରିଥାନ୍ତି) ତାଲିକାରେ ରଖିଦେଇ ଦେଶବାସୀଙ୍କ ନିଜସ୍ଵ ଟିକସ ଅର୍ଥରେ “ଆଧାର” କାର୍ଡ ପ୍ରସ୍ତୁତିରେ ଲାଗିଛନ୍ତି । ସରକାର
କେବେ କିନ୍ତୁ ବାରମ୍ବାର ଯୌନ ନିର୍ଯାତନା ଅଥବା ଜାତିଗତ ହିଂସାରେ ଲିପ୍ତ ଥିବା ଅଥବା ଅନ୍ୟ
କୌଣସି ଦୋଷାବହ କାର୍ଯ୍ୟ କରୁଥିବା ବ୍ୟକ୍ତି ଠାରୁ ସମାଜକୁ ମୁକ୍ତ ରଖିବା ପାଇଁ ଏତେ ବେଶୀ
ତତ୍ପର ହୋଇନାହାନ୍ତି ଯାହା ସେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ରର ଡୁପ୍ଳିକେଟ
ରୋକିବା ଦିଗରେ ତତ୍ପର ହେଉଛନ୍ତି ।
“ଆଧାର”
କାର୍ଯ୍ୟକ୍ରମ ପ୍ରତି ସନ୍ଦେହ ଦୃଢ ହେଲା ଯେତେବେଳେ ନୂତନ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ
କରିବାରେ ଲାଗିଲେ । “ଆଧାର” ଏପରି ଏକ କାର୍ଯ୍ୟକ୍ରମ
ଯାହାକୁ କଂଗ୍ରେସ ଯେତିକି ଗୁରୁତ୍ଵ ଦେଇଥିଲା
ନିର୍ବାଚନ ପରେ ବିଜେପି ଦଳ ସମାନ ଗୁରୁତ୍ଵ ଦେଇ ଆପଣାଇଛନ୍ତି । ହୋଇଥାଇପାରେ ଯେ ଏହା
କଂଗ୍ରେସର ମନମୋହନ ସିଂହ ସରକାରଙ୍କ ସମୟରେ 2009 ମସିହାରେ ଆରମ୍ଭ ହୋଇଥିଲା । ସେତେବେଳେ
ଇନଫୋସିସର ନିର୍ଦେଶକ ପଦବୀରେ ଥିବା ନନ୍ଦନ ନିଲେକାନିଙ୍କୁ ବିନା ପାର୍ଲାମେଣ୍ଟ ସଦସ୍ୟ ହୋଇ
ମଧ୍ୟ କେବଳ “ଆଧାର” କାର୍ଯ୍ୟକ୍ରମ ଚଳାଇରଖିବା ପାଇଁ କ୍ୟାବିନେଟ ମନ୍ତ୍ରୀର ମର୍ଯ୍ୟାଦା ଓ
ସୁବିଧା ଦିଆଯାଇଥିଲା । ସେତେବେଳେ କିନ୍ତୁ ବିଜେପି ଦଳର ଆଭିମୁଖ୍ୟ ସମ୍ପୂର୍ଣ
ବିପରୀତ ଥିଲା । କଂଗ୍ରେସ ସରକାରଙ୍କ ଦ୍ଵାରା 2013 ମସିହାରେ “ଆଧାର”
ପ୍ରସ୍ତୁତି ପାଇଁ ଦିଆଯାଇଥିବା 2620 କୋଟି ଟଙ୍କାରେ ସମ୍ଭବତଃ
ଦୁର୍ନିତୀର ଆଭାଷ ପାଇଥିବା ହେତୁ ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ
“ଆଧାର” ବିପକ୍ଷରେ ଭାଷଣ ଦେଇ କହିଥିଲେ, “ ଗୁଜୁରାଟ
ଏପରି ଏକ ସୀମାବର୍ତୀ ରାଜ୍ୟ ଯେଉଁଠି ପଡୋଶୀ ଦେଶର ଲୋକ ଆଧାର କାର୍ଡ ମାଧ୍ୟମରେ ରାଜ୍ୟର
ନାଗରିକଙ୍କ ସମସ୍ତ ସୁବିଧା ହଡପ କରିବେ । ..... ଆଧାର କାର୍ଡ
ରୂପୀ ଗମ୍ଭୀର ସଙ୍କଟକୁ ପ୍ରଧାନ ମନ୍ତ୍ରୀ (ମନୋହନ ସିଂହ)
ଅଣଦେଖା କରୁଛନ୍ତି”। 2014 ମସିହାରେ
ନରେନ୍ଦ୍ର ମୋଦୀ, ଅରୁଣ ଜେଟଲି ଓ ଅନନ୍ତ କୁମାର “ଆଧାର”
ବିପକ୍ଷରେ
ପ୍ରଚାର କରିଥିଲେ । ବିଜେପିର ପ୍ରତିବାଦ
ପରେ ଯେଉଁ ପାର୍ଲାମେଣ୍ଟାରୀ ଦଳ ତିଆରି ହୋଇଥିଲା ତାହାର ଅଧ୍ୟକ୍ଷ ଥିଲେ ଆଜିର ବାଚସ୍ପତି
ସୁମିତ୍ରା ମହାଜନ । ରାଜନାଥ ସିଂହ 2014 ମସିହାର ନିର୍ବାଚନ ସମୟରେ ବିଜେପି କ୍ଷମତାକୁ ଆସିଲେ “ଆଧାର”
ବ୍ୟବସ୍ଥା ବନ୍ଦ
କରିବାର କଥା କହିଥିଲେ । ଅଥଚ କ୍ଷମତାକୁ ଆସିବା ପରେ ବିଜେପି ଦଳ ନିଜର
ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲା । କ୍ଷମତାକୁ ଆସିବାପରେ କଣ ହେଲା ଯେ ସେମାନେ ବଦଳି ଗଲେ? ଏବେ ନରେନ୍ଦ୍ର ମୋଦୀଙ୍କ
ଡିଜିଟାଲ ଇଣ୍ଡିଆ ଯୋଜନାର ମୁଖ୍ୟ ଡିଜିଟାଲ ପରମର୍ଶଦାତା ଭାବରେ ପୁଣି ସେହି ନନ୍ଦନ ନିଲେକାନୀଙ୍କୁ
ନିଯୁକ୍ତ କରାଯାଇଛି । ସେ ବର୍ତମାନ ବିମୁଦ୍ରାକରଣ ପରବର୍ତ୍ତୀ କ୍ୟାସଲେସ ଅର୍ଥବ୍ୟବସ୍ଥାକୁ
ତଦାରଖ କରୁଛନ୍ତି । ତେଣୁ “ଆଧାର” କ୍ଷେତ୍ରରେ ଉଭୟ କଂଗ୍ରେସ
ଓ ବିଜେପିର ରଙ୍ଗ ସମାନ ହୋଇଯିବା ଆଶ୍ଚର୍ଯ୍ୟର
ବିଷୟ ନୁହେଁ ବରଂ ଏହା ପଛରେ ଥିବା ଉଦ୍ଦେଶ୍ୟ ପ୍ରତି ଆମର ସନ୍ଦେହକୁ ବଳିଷ୍ଠ କରୁଛି ।
“ଆଧାର”
କାର୍ଡର ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ନାଗରିକର ଆଙ୍ଗୁଠି ଟିପର ଚିହ୍ନ ଓ ଆଖିପତାର ଫୋଟୋ
ନିଆଯିବ । ଭାରତର ଆଇଡେଣ୍ଟିଫିକେସନ ଅଫ ପ୍ରିଜନର ଆକ୍ଟ, 1920 ଯାହା ସ୍ଵାଧୀନ
ଭାରତରେ ମଧ୍ୟ ଲାଗୁ ହେଉଛି ଏହି ଆଇନ ଅନୁସାରେ ପ୍ରାତ୍ୟେକ କଏଦୀର ଆଙ୍ଗୁଠି ଛାପ, ପାଦ ଛାପ ଓ ମୁହଁର ଫଟୋ ନିଆଯିବା ନିଶ୍ଚିତ କରେ । ଏବେ ସରକାର ଏହି ବ୍ୟବସ୍ଥାକୁ ଜେଲର ବାହାରେ
ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗୁକରିଦେଲେ ।
ବିଭିନ୍ନ ଗବେଷଣାତ୍ମକ ପ୍ରବନ୍ଧ କୁହେ ଯେ ବୟସ
ବଢିବା ସହିତ ଆଙ୍ଗୁଠିର ଛାପ ଓ ଆଖିପତାର ଆକାର ବଦଳି ଥାଏ । ସେଏପରିକି ଅତ୍ୟଧିକ ଶାରିରୀକ ପରିଶ୍ରମ କରୁଥିବା ଲୋକର ଟିପଚିହ୍ନ
ଶୀଘ୍ର ବଦଳିଥାଏ । ଯେହେତୁ “ଆଧାର” ନୂଆ ନୂଆ ଲାଗୁହୋଇଛି ତେଣୁ ଏହା ଦୁଇଟି ବ୍ୟକ୍ତିର ସମାନ ଚିହ୍ନ ହେବା ଭଳି
ଅସୁବିଧା ହୋଇନାହିଁ । ମାତ୍ର
ଭବିଷ୍ୟତରେ ଏହା ସମାନ ହେଲେ ସରକାର ପୁଣି କଣ ବ୍ୟବସ୍ଥା କରିବେ ? ସତେରେ କଣ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମ ଆମସ୍ତଙ୍କ ଡ଼ିଏନଏ ଟେଷ୍ଟ କରି
ତାହାର ରିପୋର୍ଟ ସହିତ “ଆଧାର”କୁ ସମ୍ପୃକ୍ତ କରିବେ?
ତେବେ
“ଆଧାର”କୁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ରରେ ନୂତନ ସରକାର ଆଧାର ଆଇନ 2016 ପାସ
କରିଛନ୍ତି ଯାହା ଏହାର ପ୍ରଚଳ ସମୟରେ ଆଲୋଚିତ ହୋଇନଥିଲା । ଏହାପରେ ସରକାର ନିଜେ ଦେଉଥିବା ସମସ୍ତ ସବସିଡ ଓ ସହଯୋଗ
ରାଶି ସହିତ ଆଧାରକୁ ସଂଯୋଗ କରିଦେଲେ । ସରକାରଙ୍କ କଲ୍ୟାଣମୂଳକ ଯୋଜନା ଓ ଛତ୍ରବୃତ୍ତି ଇତ୍ୟାଦି ଯେ ନାଗରିକର ଅଧିକାରର
ପ୍ରସଙ୍ଗ ଓ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହାକୁ ପାଇବ ତାହାକୁ ସରକାର ଅସ୍ଵୀକାର କରି ତାହାକୁ
ଏହାଦ୍ଵାରା ସର୍ତ୍ତମୂଳକ କରିଦେଲେ । ଏବେବି ଏହା ବିବାଦୀୟ ହୋଇରହିଛି ଯେ ଆଧାର ନିୟମ
ଯାହା ଅର୍ଥ ନିୟମ, 2016 ଭାବରେ ଜଣାଶୁଣା ତାହା ପଛରେ ସତେରେ କଣ ସାମ୍ବିଧାନିକ ସ୍ଵିକୃତି ଅଛି କି ? ବର୍ତ୍ତମାନର ବିଜେପି ସରକାର ସମ୍ବିଧାନର ଧାରା 110କୁ ବ୍ୟାଖ୍ୟା କରି ସେହି ବଳରେ
ଉକ୍ତ ଅର୍ଥ ଆଇନ ପାସ କରିଛନ୍ତି । ଏପରି କରିବାର ଉଦ୍ଦେଶ୍ୟ ହେଲା ଧାରା 110 ଅନୁସାରେ ଏ
ସମ୍ବନ୍ଧିତ ବିଲ ରାଜ୍ୟସଭାରେ ପାସ ହେବା ଜରୁରୀ ହେଲା ନାହିଁ । କେବଳ ଲୋକସଭାରେ ପାସ ହୋଇ
ଆଇନରେ ପରିଣତ ହୋଇଗଲା । ପୁଣି ଧାରା 110 ଅନୁସାରେ ଲୋକସଭାର
ବାଚସ୍ପତ୍ତିଙ୍କର ଭେଟୋ ପ୍ରୟୋଗର କ୍ଷମତା ରହିଛି । ବିଜେପି ସରକାର ଜାଣନ୍ତି ଯେ ରାଜ୍ୟସଭାରେ
ତାଙ୍କର ବହୁମତ ଏବେବି ନାହିଁ । ବିରୋଧୀ ଦଳ ଯୁକ୍ତି କରନ୍ତି ଯେ ସମ୍ବିଧାନର ଧାରା 110 କେବଳ
ଆର୍ଥିକ ଦେଣନେଣ, ଟିକସ ସମ୍ବନ୍ଧିତ ଥିବା ବେଳେ ଆଧାର କେବଳ ଡାଟା ଷ୍ଟୋରେଜ ସମ୍ପର୍କିତ ବ୍ୟବସ୍ଥା ।
ଆଧାର ନମ୍ବରକୁ କେବଳ ଆର୍ଥିକ ଦେଣନେଣ ନୁହେଁ ବରଂ ଏକ ପରିଚୟ ପାତ୍ର ଭାବରେ ବ୍ୟବହାର କରାଯାଉଛି
। ସେଇଥିପାଇଁ ତ ଏହାକୁ ରେଳଯାତ୍ରା, ମୋବାଇଲ ସିମ ବ୍ୟବହାର ଓ ଡ୍ରାଇବିଙ୍ଗ ଲାଇସେନ୍ସ ପାଇଁ ବ୍ୟବହାର କରାଜୁଛି । ତେଣୁ
ଏହା ସମ୍ବିଧାନର ଧାରା 110 ପର୍ଜୟାଭୁକ୍ତ ନୁହେଁ ବୋଲି ବିରୋଧୀ ଦଳ ଯୁକ୍ତି କରିଥାନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ
ସୁପ୍ରିମ କୋର୍ଟରେ ଦାୟର କରିଥିବା ଏ ସମ୍ବନ୍ଧିତ କେସର ଏବେ ବି ଶୁଣାଣି ଚାଲିଛି । ଏହା ସହିତ
ଆଧାର ବିପକ୍ଷରେ ଆଉଏକ ଯୁକ୍ତି ହେଲା ଯେ ଆଧାର ଆଇନ 2016ରେ (ଧାରା 28 ଓ 29) ପ୍ରତିଶ୍ରୁତି
ଦିଆଯାଉଛି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗ ହେଉ ଅଥବା କୋର୍ଟର ଅର୍ଡର ହେଊ କୌଣସି ବି ପରିସ୍ଥିତିରେ
କାହାରିକୁ ବି “ଆଧାର” ତଥ୍ୟ ଦିଆଯିବ
ନାହିଁ । ଯଦି ତାହା ହୋଇଥାଏ ତେବେ ରିଲାଏନ୍ସ, ଆଇଡିଆ , ଟାଟା ଦୋକୋମୋ ଇତ୍ୟାଦି ମୋବାଇଲ
କମ୍ପାନୀ ହେଉ ଅଥବା ଏଚଏସବିସି, ଆଇସିଆଇସିଆଇ ଭଳି ପ୍ରାଇଭେଟ ବ୍ୟାଙ୍କ ଇତ୍ୟାଦି ପ୍ରତ୍ୟେକ ନିଜ ଗ୍ରାହକର “ଆଧାର”
ନମ୍ବର ନେଇ ଏହାର ସତ୍ୟାସତ୍ୟ କିପରି ପରଖୁଛନ୍ତି ?
ଆଜି “ଆଧାର” କାର୍ଡରେ ରହୁଥିବା ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ତିନି ଆମେରିକୀୟ କମ୍ପାନୀ
ମଙ୍ଗୋଡ଼ିବି, ଏର୍ନେଷ୍ଟ ଆଣ୍ଡ ୟଙ୍ଗ ଓ ଆକସେଞ୍ଚର କମ୍ପାନୀର ଡାଟା
ବ୍ୟାଙ୍କର ସାହାଯ୍ୟ ନିଆଯାଇଛି । ନାଗରିକର ଏହି
ସମସ୍ତ ତଥ୍ୟ (ନିଜସ୍ଵ
ବ୍ୟାଙ୍କ ଆକାଉଣ୍ଟ ଠାରୁ ମୋବାଇଲ ଓ ଇନ୍ଟାରନେଟ ବ୍ୟବହାର ପର୍ଯ୍ୟନ୍ତ) ଏହାକୁ
କେବଳ ଏହି ତିନି କମ୍ପାନୀ ଓ ଭାରତ ସରକାର ଦେଖିପାରିବେ । ଭାରତ ସରକାରଙ୍କର
ପ୍ରତ୍ୟେକ ନାଗରିକାକୁ “ଆଧାର” ଅନ୍ତର୍ଭୁକ୍ତ
କରିବା ପଛରେ ହୁଏତ
ଏହି ବ୍ୟବସ୍ଥା ମୁଖ୍ୟ କାରଣ ହୋଇଥାଇପାରେ
। ନନ୍ଦନ ନିଲେକାନୀ ଇନଫୋସିସ ଛାଡି “ଆଧାର”ର ଦାୟିତ୍ଵ ନେବା ସମୟରେ ଡାଟା ଷ୍ଟୋରେଜ ପାଇଁ ପ୍ରଥମ
ଚୁକ୍ତି ସିଏ ଆମେରିକୀୟ କମ୍ପାନୀ ଆକସେଞ୍ଚର ସହିତ କରିଥିଲେ । 2009 ମସିହାରେ ପ୍ରଥମେ 10 କୋଟି ଲୋକଙ୍କ ଆଧାର ନମ୍ବର ତିଆରି
କରିବା ପାଇଁ ଚୁକ୍ତି ହୋଇଥିଲା । ପରେ 20 କୋଟି ଓ ତଦୁର୍ଦ୍ଧ ହେବା ହେତୁ 2013 ମସିହାରେ
ଆଉ ଦୁଇଟି ଆମେରିକୀୟ କମ୍ପାନୀ ଅର୍ଥାତ ସର୍ବମୋଟ ତିନୋଟି କମ୍ପାନୀ ସହିତ ଡାଟା ଷ୍ଟୋରେଜ ପାଇଁ
ଚୁକ୍ତି କରାଯାଇଥିଲା । ସେଥର ଚୁକ୍ତି ହୋଇଥିବା ଦ୍ଵିତୀୟ
କମ୍ପାନୀ ହେଲା ମୋଙ୍ଗୋଡ଼ିବି କମ୍ପାନୀ
ଯାହାକୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଅସ୍ତ୍ର କାରାବାର
ପାଇଁ ଅର୍ଥ ଦେଇଥିବା କଥା ଇକୋନୋମିକ୍ ଟାଇମସ (http://economictimes.indiatimes.com/news/politics-and-nation/mongodb-startup-hired-by-aadhaar-got-funds-from-cia-vc-arm/articleshow/26755706.cms)ରେ ପ୍ରକାଶିତ ହୋଇଥିଲା । ସେହିପରି ତୃତୀୟ କମ୍ପାନୀ ଏର୍ନେଷ୍ଟ ଆଣ୍ଡ
ୟଙ୍ଗ ହେଉଛି ‘ଆର୍ଥର ଆଣ୍ଡରସନ’
କମ୍ପାନୀର ନୂତନ ନାମ । ଏହି ‘ଆର୍ଥର ଆଣ୍ଡରସନ’
କମ୍ପାନୀ ହିଁ ଆମେରିକୀୟ କମ୍ପାନୀ ‘ଏନରନ’ର 2001 ମସିହାରେ ଘଟିତ ସମସ୍ତ ପୁଞ୍ଜିବାଜାରର ଧୋକା
ବାଜୀ ପଛରେ ମୁଖ୍ୟ ପରାମର୍ଶଦାତା ଥିଲା । ଏ ସମସ୍ତ ତଥ୍ୟ ଆଜି ଇନ୍ଟରନେଟରେ ମିଳୁଛି ଓ ଯେ କେହି ଏହାକୁ ପରୀକ୍ଷା କରିପାରେ । ତେବେ ଏହିପରି ତିନି ଅବିଶ୍ଵାସୀ କମ୍ପାନୀ
ହାତରେ ଭାରତୀୟ “ଆଧାର” ତଥ୍ୟ ରହିବାକୁ ବହୁ ମହଲରେ ଅବିଶ୍ଵାସ ସୃଷ୍ଟି କରିଛି ।
ଏବେ ନୂତନ ସରକାର “ଆଧାର” ତଥ୍ୟର
‘ସୁରକ୍ଷା’ ପାଇଁ ଏବେ ଆମେରିକା ସରକାରଙ୍କ ସହିତ ଫାକଟା ଚୁକ୍ତିରେ (Fair and Accurate Credit Transactions
Act) ସାମିଲ ହୋଇଛନ୍ତି (ସମ୍ବାଦ
13/04/2017) । ଏହି ଫାକଟା ଚୁକ୍ତି ଆମେରିକା ସରକାର 2003 ମସିହାରେ
ପାସ କରିଥିଲେ ଯାହାଦ୍ୱାରା କୌଣସି ନାଗରିକର ଅର୍ଥ ଦେଣନେଣ ସମ୍ବନ୍ଧିତ ତଥ୍ୟର ଚୋରୀ, ଅପବ୍ୟବହାର ଇତ୍ୟାଦି ହୋଇପାରିବ ନାହିଁ ଅର୍ଥାତ ତଥ୍ୟର ସୁରକ୍ଷା ସେଠାର ସରକାରଙ୍କ ଦାୟିତ୍ଵ । ତେବେ ଭାରତ ସରକାର ଏହି ଫାକଟା ଚୁକ୍ତିରେ
ସାମିଲ ହେବା ଦ୍ଵାରା ଆମେ ସମସ୍ତେ ଏବେ କାର୍ଯ୍ୟତଃ ଆମେରିକାର ନାଗରିକ । ଏହା ଏକ ବିତର୍କର
ବିଷୟ ଯାହା ସମ୍ବନ୍ଧରେ ଅନ୍ୟତ୍ର ଆଲୋଚନା କରାଯାଇପାରେ । ହେଲେ ଏକଥା ସତ୍ୟ
ଯେ ଏବେ ନିଜର “ଆଧାର” ତଥ୍ୟର ସୁରକ୍ଷା ପାଇଁ ବିଜେପି ସରକାର ଆମେରିକା
ସରକାରଙ୍କ ଉପରେ ନିର୍ଭରଶୀଳ । ଏଠାରେଏହା କହିବା କଠିନ ଯେ 2009 ମସିହା ପରଠାରୁ ଯାହା ହୋଇଚାଲିଛି ବା ଆଜି ଯାହା ଆମେ
ଦେଖୁଛେ ତାହା ଯୋଜନା
ବଦ୍ଧ ଭାବରେ କାରାଗଲା ନା କ୍ରମଶଃ ହୋଇଗଲା । ମାତ୍ର ଯଦି ଏହା ଯୋଜନା ବଦ୍ଧ ଭାବରେ
କରାଯାଇଥାଏ ତେବେ ଏଥିରୁ ଏକଥା ସ୍ପଷ୍ଟ ହେଉଛି ଯେ ଆମେରିକୀୟ କମ୍ପାନୀମାନେ ନିଜର ପୁଞ୍ଜି
ବିନିଯୋଗ ଭାରତରେ କରିବା ପୂର୍ବରୁ ଏଠାର ପ୍ରତ୍ୟେକ ନାଗରିକକୁ ନିଜ ହାତମୁଠାରେ ରଖିବା ପାଇଁ
ଚାହିଁଲେ ଓ “ଆଧାର” ଏହାର ଏକ ମାଧ୍ୟମ ହୋଇରହିଲା । କାରଣ
ସେମାନେ ଦେଶର ନେତୃବର୍ଗକୁ ମଧ୍ୟ ବିଶ୍ଵାସକୁ ନେଲେ ନାହିଁ ।
ଏବେ ଆଧାରା ଆଇନ, 2016 ଏ କଥାର ଭରସା ଦେଉଛି
ଯେ କୌଣସି ବି ପରିସ୍ଥିତିରେ “ଆଧାର” ତଥ୍ୟ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ଦିଆଯିବ ନାହିଁ । ଆଧାରା ଆଇନ, 2016ର ଧାରା 29 ଆମକୁ ବିଶ୍ଵାସ ଦିଏ
ଯେ ବ୍ୟକ୍ତିର ଆଧାର ନମ୍ବର କଦାପି ଅନ୍ୟ କୌଣସି ପାଇଁ ବ୍ୟବହାର ହେବ ନାହିଁ ଓ ଅନ୍ୟ କାହାରିକୁ
ଦିଆଯିବ ନାହିଁ । ଏହି ଆଇନକୁ ସାମାନ୍ୟ ପରିବର୍ତ୍ତନ କରି ସରକାର ଏକ
ସଂଶୋଧନ ଯଦି ଆଣିଲେ ଯେ ଯେତେବେଳେ ଚାହିଁବେ ସେ କାହାର ବି “ଆଧାର” ତଥ୍ୟ ଓ ଏହା ସହିତ ସଞ୍ଜୋଜିତ ହୋଇଥିବା ସମସ୍ତ ବ୍ୟବସ୍ଥାକୁ ବ୍ୟାଜାପ୍ତ କରିପାରିବେ
ତେବେ? ଆଜି ପ୍ରତ୍ୟେକ କ୍ଷେତ୍ରରେ
“ଦେଶଦ୍ରୋହ” ର ଅଭିଯୋଗ ଲାଗୁଛି । ସେନାବାହିନୀ ଯବାନ ଭଲ ଖାଦ୍ୟପାଇଁ କହିଲେ, ଛାତ୍ରମାନେ ବିଶ୍ଵବିଦ୍ୟାଳୟର ଫିସ ବଢିବାକୁ ପ୍ରତିବାଦ କଲେ, ଛାତ୍ର ଓ ଛାତ୍ରୀମାନେ କୁଳପତି ନିଯୁକ୍ତିକୁ ବିରୋଧ କଲେ,
ଚାଷୀ ଆତ୍ମହତ୍ୟାର ପ୍ରତିବାଦ କଲେ, ଆଣବିକ ଶକ୍ତି ବ୍ୟବହାରର ପ୍ରତିବାଦ କଲେ, ଆଦିବାସୀର ଅଧିକାର ପ୍ରସଙ୍ଗରେ କହିଲେ, ସଂଖ୍ୟାନ୍ୟୁନ
ସଂପ୍ରଦାୟର ଅଧିକାର କଥା କହିଲେ ଓ ଦଙ୍ଗାକୁ ବିରୋଧ କଲେ, ଗାଈ
ପ୍ରସଙ୍ଗରେ କହିଲେ କି ଦଳିତର ଅଧିକାର କଥା କହିଲେ, ଯୁଦ୍ଧକୁ ବିରୋଧ କଲେ
କିମ୍ବା ସରକାରଙ୍କ ନୀତିକୁ ସମାଲୋଚନା କଲେ ସବୁଠି “ଦେଶଦ୍ରୋହ” ଦଫା ଲାଗୁଛି । ଶ୍ରମିକ
ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ,
ଆଦିବାସୀର ଅଧିକାର ଓ ପରିବେଶ ସୁରକ୍ଷା ଆନ୍ଦୋଳନ ଇତ୍ୟାଦି ଯାହା ସିଧା ସିଧା ପୁଞ୍ଜିବିନିଯୋଗକୁ
ପ୍ରଭାବିତ କରିଥାଏ ତାହାକୁ ତ କେବେଠାରୁ ସରକାର ଓ କମ୍ପାନୀମାନେ ନିଜର ଆକ୍ରମଣର ଲକ୍ଷ
କରିସାରିଛନ୍ତି ।
ବିଡମ୍ବନା ଯେ ଭାରତୀୟ ବିଚାର ବ୍ୟବସ୍ଥା
ମଧ୍ୟରେ ଅଭିଯୋଗକାରୀ ଅପେକ୍ଷା ଯାହା ବିପକ୍ଷରେ ଅଭିଯୋଗ ହୋଇଛି ସେହି ବ୍ୟକ୍ତି ହିଁ ପ୍ରମାଣିତ
କରିବା ଯେ ସେ ନିର୍ଦ୍ଦୋଷ । ଆଜିର କୋର୍ଟ ପ୍ରକ୍ରିୟାରେ ତାହା ହେବା ପାଇଁ ତିନି ରୁ ଚାରିବର୍ଷ ତା’ ଠାରୁ ଅଧିକ ସମୟ ଲାଗିଯିବ । ତେବେ ସେହି ସମୟ ପର୍ଯ୍ୟନ୍ତ ଯଦି “ଦେଶଦ୍ରୋହ”
ଅପରାଧ ଥିବା ବ୍ୟକ୍ତିର “ଆଧାର” ତଥ୍ୟ ବ୍ୟାଜାପ୍ତ ହୁଏ ଓ କୋର୍ଟ ନିର୍ଦୋଷ ଘୋଷଣା କରିବା
ପର୍ଯ୍ୟନ୍ତ ତାହା ବଳବତ୍ତର ରହେ (କାରଣ ଏହି ସବୁ ଅଭିଯୋଗ ମିଥ୍ୟା ତଥ୍ୟ ଆଧାରିତ ହୋଇଥିବା ହେତୁ
ଉପର କୋର୍ଟରେ ବେଶୀ ସମୟ ଚାଲିପାରେନାହିଁ ତେବେ ଆଜିର ନାଗରିକ ଆସନ୍ତା କାଲି ସରକାରଙ୍କ କୌଣସି ଅଗଣତାନ୍ତ୍ରିକ
ଭୂମିକାର ପ୍ରତିବାଦ ଲମ୍ବା ସମୟ କରିପାରିବ ତ ? ଏହା ପରେ ଆମ ସମାଜର ସ୍ଥିତି କଣ ହେବ ? ଦୁଃଖର କଥା ଯେ ଯେଉଁଭଳି ପ୍ରତିବାଦ ଏହା ବିପକ୍ଷରେ ହେବା ଜରୁରୀ ଥିଲା ତାହା
ହୋଇପାରିଲାନାହିଁ । ଦୁର୍ନିତୀର
ବାହାନାରେ ସରକାର ଏହାକୁ କାର୍ଯ୍ୟକାରୀ କରିନେଲେ । ଏହି ଜାତୀୟ ପରିଚୟ ପତ୍ର ଯାହା ଭାରତରେ “ଆଧାର”
ନାମରେ ଖ୍ୟାତ ତାହା ଆଜି ବିଭିନ୍ନ ନାମରେ ପାକିସ୍ତାନ, ଶ୍ରୀଲଙ୍କା, ଚୀନ, ଆମେରିକା, କାନାଡା, ଆର୍ଜେଣ୍ଟିନା ଇତ୍ୟାଦି ଦେଶରେ ଏହାର ନାଗରିକଙ୍କୁ ସରକାର ପିଛା କରିବା ପାଇଁ
ଲାଗୁକରିଛନ୍ତି । ଏହା ଦ୍ଵାରା କଣ ଏହି ସମସ୍ତ ଦେଶରେ ଦୁର୍ନିତୀ ହେଉ ନାହିଁ ? ଆଜି ଆମ ସମସ୍ତଙ୍କୁ ସୁପ୍ରିମକୋର୍ଟର ରାୟକୁ
ଅପେକ୍ଷା କରିବାକୁ ପଡୁଛି ।
ମୁଁ
ଆଜି ବି ନିଜର “ଆଧାର”
ନମ୍ବର ସୃଷ୍ଟି ନକରି ସେହି ରାୟକୁ ବାଧ୍ୟ ହୋଇ ଅପେକ୍ଷା କରିଛି ।