କନ୍ଧମାଳ ହିଂସାକୁ ଦଶ
ବର୍ଷ
(ଗଲା ଜୁନ ମାସରେ ମୁଁ କନ୍ଧମାଳ ଯାଇଥିଲି । ଦଶ ବର୍ଷ ତଳେ ବିଭିନ୍ନ ତଥ୍ୟାନୁସନ୍ଧାନ ଦଳରେ ତଥା ମୋର ବୃତ୍ତଚିତ୍ର ନିର୍ମାଣ ସମୟରେ ସାକ୍ଷାତ
କରିଥିବା ସେହି ବ୍ୟକ୍ତିମାନଙ୍କୁ ପୁଣି ଭେଟିବା ଥିଲା ମୋର ଉଦ୍ଦେଶ୍ୟ । ସେହି କ୍ରମର ଏହା ପ୍ରଥମ ଲେଖା )
ଆମ
ସମାଜରେ ଯେଉଁଠି ଧର୍ମାନ୍ଧମାନେ ନିଜର ସଂଖ୍ୟା ଗରିଷ୍ଠତା ସତ୍ଵେ ନିଜକୁ “ବିପନ୍ନ” ମନେ କରି
ନିଜର କ୍ଷୋଭକୁ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତିରେ ମୁକ୍ତ ଭାବରେ ପ୍ରକାଶ କରିବାର
ସୁଯୋଗ ପାଇଥାନ୍ତି ସେଠାର ସମାଜ ସାମ୍ପ୍ରଦାୟିକ ଶକ୍ତି ଦ୍ଵାରା ଯେ ପ୍ରଭାବିତ ସେଥିରେ ସନ୍ଦେହ
ନାହିଁ । ଏହି
ଧର୍ମାନ୍ଧଙ୍କ ଉପସ୍ଥିତି ଆମ ସମୟରେ ବଢୁଥିବା ଅସହିଷ୍ଣୁତା ଓ ଅକାରଣ ବିପନ୍ନବୋଧ ଆମ ସମାଜର ମାନବିକତା
ଓ ସତ୍ୟାସତ୍ୟ ଖୋଜିବାର ମାନସିକତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି । କନ୍ଧମାଳ ହିଂସାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ପରିବାର ଗୁଡିକ ସତେରେ
ପୁଣି ନିଜ ଗ୍ରାମକୁ ଫେରି ପାରିଲେ କି ନାହିଁ, ସେମାନଙ୍କ ପୀଢି ପୀଢିର ସଞ୍ଚୟଟିକକୁ ଧର୍ମାନ୍ଧ
ହିନ୍ଦୁମାନେ ନଷ୍ଟ କରିଦେବା ପରେ ସେମାନେ ବଞ୍ଚିଛନ୍ତି କେମିତି,
ସେମାନଙ୍କ ନିକଟ ସମ୍ପର୍କୀୟ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଏ ଦେଶର ଆଇନ ଦ୍ଵାରା ଦଣ୍ଡିତ
ହେଲା କି ନାହିଁ ଇତ୍ୟାଦି ପ୍ରଶ୍ନ ଯଦି ସମାଜକୁ କବଳିତ କରୁନାହିଁ ତେବେ ଜଣେ ସାଧାରଣ ନାଗରିକ
ଭାବରେ ଆମ ସମସ୍ତଙ୍କ ମାନବିକ ଅଧିକାର ସେହି ଧର୍ମାନ୍ଧଙ୍କ ହେତୁ ଯେ ବିପନ୍ନ ଏଥିରେ କୌଣସି
ଶଙ୍କା ନାହିଁ ।
କନ୍ଧମାଳ
ଜିଲ୍ଲା ତୁମୁଡିବନ୍ଧ ନିକଟସ୍ଥ ଜଳେଶପେଟା ଆଶ୍ରମ ପରିସର ମଧ୍ୟରେ ମାଓବାଦୀ ସଂଗଠନର ବେଶ କିଛି ସଦସ୍ୟ
ଲକ୍ଷ୍ମଣାନନ୍ଦଙ୍କୁ 23 ଅଗଷ୍ଟ 2008ରେ ହତ୍ୟା କରିଥିଲେ । ଏହାର ଠିକ ପରଦିନ ବିଶ୍ଵ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି
ପ୍ରବୀଣ ତୋଗାଡିଆ ତୁରନ୍ତ ଜିଲ୍ଲାରେ ପହଞ୍ଚି ନିଜ ନେତୃତ୍ବରେ ଲକ୍ଷ୍ମଣାନନ୍ଦଙ୍କ ମୃତ ଶରୀରକୁ
ନେଇ ଶବ ଶୋଭାଯାତ୍ରା ଆରମ୍ଭ କରିଥିଲେ । ତାହାର
ପରିଣାମରେ ହତ୍ୟାର ପରଦିନ ଅର୍ଥାତ 24 ତାରିଖ ସନ୍ଧ୍ୟାରୁ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା
ଆରମ୍ଭ ହୋଇଯାଇଥିଲା । ଯାହା
ଅନୁମାନ କରାଯାଏ ଯେ ସେ ଏହି ହିଂସାକୁ ପ୍ରୋଶ୍ଛାହିତ କରିଥିଲେ ଓ ତାଙ୍କ ପଛରେ ସରକାରୀ କଳର
ସହଯୋଗ ରହିଥିଲା । ସେ
ସମୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ବିଭିନ୍ନ ମନ୍ତ୍ରୀ ନିଜର ବୟାନରେ ‘ଏହା
ସଂଖ୍ୟାଲଘୁ ଖ୍ରୀଷ୍ଟିୟାନଙ୍କ କାର୍ଯ୍ୟ’ ଉଲ୍ଲେଖ କରିବା ଓ ଏ ସମସ୍ତ ହିଂସା
ଘଟଣା ଘଟୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିବା ଜିଲ୍ଲାରେ
ଖ୍ରୀଷ୍ଟିୟାନ ବିରୋଧୀ ହିଂସାକୁ ଦୀର୍ଘ ସ୍ଥାୟୀ କରିଦେଇଥିଲା । କନ୍ଧମାଳ ହିଂସାର 10 ବର୍ଷ ମଧ୍ୟରେ ନା କେବେ ପ୍ରବୀଣ ତୋଗାଡିଆଙ୍କ
ଏହି ସମ୍ବିଧାନ ବିରୋଧୀ ଭୂମିକା ତଥା ବିଜେପି ମନ୍ତ୍ରୀମାନଙ୍କ ଅପରିଣାମଦର୍ଶୀ ବୟାନ ସମ୍ପର୍କରେ
କେଉଁ ବିଚାର ବିଭାଗୀୟ କମିଶନରେ ପ୍ରଶ୍ନ କରାଯାଇ ପାରିଲା ନା କୌଣସି ଫାଷ୍ଟଟ୍ରାକ କୋର୍ଟରେ ଏହା
ପୂର୍ଣ୍ଣ ବିଚାର ହୋଇପାରିଲା । ଏହି
ନହୋଇପାରିବା ଦେଶର ଧର୍ମନୀରପେକ୍ଷତା ପ୍ରତି ଉପହାସ ।
ସରକାରୀ ତଥ୍ୟକୁ
ଉଦୃତ କରି ପିୟୁସିଲ ନିଜର ରିପୋର୍ଟରେ କୁହେ ଯେ କନ୍ଧମାଳ ହିଂସାରେ 38 ମୃତ,
3 ନିଖୋଜ, 415 ଗାଁ ପ୍ରଭାବିତ, 3262 ଘର
ନଷ୍ଟ , 195 ଚର୍ଚ୍ଚ ଓ ପ୍ରାଥନା ଗୃହ ଭଙ୍ଗାରୁଜା, 25122 ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ (‘କନ୍ଧମାଳ
ହିଂସା’ରେ ପ୍ରକାଶିତ ତଥ୍ୟ)। ସୁପ୍ରିମ କୋର୍ଟ ଓକିଲ ବୃନ୍ଦା ଗ୍ରୋଭରଙ୍କ ଦ୍ଵାରା ଲିଖିତ ପୁସ୍ତକ
ଅନୁସାରେ 600 ଗ୍ରାମ କ୍ଷତିଗ୍ରସ୍ତ, 5600 ଗୃହ ନଷ୍ଟ,
ପ୍ରାୟେ 56000 ଲୋକ ଗୃହ ଶୂନ୍ୟ ଓ ପ୍ରାୟେ 2000 ଖ୍ରୀଷ୍ଟିୟାନ ଧର୍ମୀଙ୍କୁ ଜବରଦସ୍ତି
ଧର୍ମାନ୍ତିକରଣ କରାଯାଇଛି। (Kandhamal Introspection of Initiative for Justice 2007 –
2015). କନ୍ଧମାଳ ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ
3232ଟି ଅଭିଯୋଗ 11,000 ଦଙ୍ଗାକାରୀଙ୍କ ବିରୁଦ୍ଧରେ ଦାଏର ହୋଇଥିଲେ
ମଧ୍ୟ 827ଟି କେସକୁ ପୁଲିସ ପଞ୍ଜୀକୃତ କରିଥିଲା । ସେ ମଧ୍ୟରୁ ‘ଆବଶ୍ୟକୀୟ ପ୍ରମାଣ ଅଭାବ’
ଦର୍ଶାଇ 315ଟି କେସର ଫାଇନାଲ ରିପୋର୍ଟ ଦେଇ ପୁଲିସ କେସକୁ ବନ୍ଦ କରିଦେଇଥିଲା । 2017 ମସିହା ଶେଷ ବେଳକୁ 362 କେସର ବିଚାର ହୋଇ ସେଥିରୁ ମାତ୍ର 78 ଟି କେସରେ ସଜ୍ଜା ଶୁଣା
ଯାଇଥିଲା । ପାଖାପାଖି
30ଟି ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲେ ମଧ୍ୟ 2017 ମସିହା ଶେଷ ବେଳକୁ ମାତ୍ର ଦୁଇଟି କେସରେ
ସଜ୍ଜା ଶୁଣା ଯାଇଥିଲା । ସେଥି
ମଧ୍ୟରୁ ଟିଆଙ୍ଗିଆର ପରୀକ୍ଷିତ ନାୟକଙ୍କ ହତ୍ୟା ଅପରାଧରେ ବିଜେପି ଏମଏଲଏ ମନୋଜ ପ୍ରଧାନ (2009
ମସିହା ନିର୍ବାଚନରେ ସେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଜେପି ଟିକେଟରେ ଜି ଉଦୟଗିରୀ ଆସନରୁ
ଏମଏଲଏ ଭାବରେ ନିର୍ବାଚିତ ହୋଇଥିଲେ) ଅଭିଯୁକ୍ତ ଥିଲେ । ହିଂସାକାଣ୍ଡ ଆରମ୍ଭ ହୋଇଯିବା ଦେଖି ପରୀକ୍ଷିତ ନିଜ ସାଇକେଲରେ ନିଜ
ଦୁଇ ଝିଅ (ସେ ସମୟରେ 6 ବର୍ଷ ଓ 3 ବର୍ଷ) ଓ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଚାଲିଯାଉଥିବା ସମୟରେ
ମନୋଜ ନାୟକ ଓ ବେଶ କିଛି ଲୋକ ତାଙ୍କୁ ଘେରି ଯାଇ ହତ୍ୟା କରିଥିଲେ। କୋର୍ଟରେ ସ୍ତ୍ରୀ ଓ ନାବାଳିକା ଝିଅ ସାହାସର ସହିତ ନିଜ ବାପାଙ୍କୁ
ଯେଉଁ ଭଳି ସେମାନଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା ତାହାର ସଂପୂର୍ଣ୍ଣ ବର୍ଣ୍ଣନା କରିବା
ସତ୍ବେ ମନୋଜ ପ୍ରଧାନଙ୍କୁ ହତ୍ୟା ମକଦ୍ଦମାରେ ଅଭିଯୁକ୍ତ ନକରି କେବଳ ମିଳିତ ଭାବରେ ଏକା
ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିବା ଅପରାଧରେ (ଧାରା 34/ଆଇପିସି) ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ 7
ବର୍ଷ ଜେଲ ଶୁଣାଇଲେ । ମନୋଜ
ଏବେ ହାଇକୋର୍ଟରୁ ଜାମିନ ପାଇ ନିଜ ଗ୍ରାମରେ ଅଛନ୍ତି । ପୁଲିସ ବନ୍ଦ କରିଦେଇଥିବା 315 କେସକୁ ପୁଣି ଥରେ ତଦନ୍ତ କରି ବିଚାର
ପ୍ରକ୍ରିୟା ଆରମ୍ଭ କରିବା ଲାଗି ମାନ୍ୟବର ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ଅଗଷ୍ଟ 2016ରେ
ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ
କୋର୍ଟଙ୍କ ଯୁକ୍ତି ଥିଲା ଏ ଦେଶରେ ‘ସଂଖ୍ୟାଧିକଙ୍କ ଭଳି ସଙ୍ଖ୍ଯାନ୍ୟୁନମାନେ ମଧ୍ୟ
ନାଗରିକ’ ଓ ସେମାନଙ୍କର ନ୍ୟାୟ ପାଇବାର ହକ ରହିଛି । ହେଲେ ସେହି 315
କେସର ବିଚାର ପୁଣି ଆରମ୍ଭ ହୋଇପାରିନଥିବା ବା ସେ ଦିଗରେ କୌଣସି ଅଗ୍ରଗତି ହୋଇନଥିବା ଫୁଲବାଣୀ
କୋର୍ଟର ଓକିଲ ନିଜ ନାମ ନନେଇ କୁହନ୍ତି ।
ଏ ଭିତରେ
କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟେ ଗୃହ ତିଆରି ହୋଇଯାଇଥିବା କଥା ସୂଚନା ମିଳେ। ସରକାର ଏ ଦିଗରେ
ଆଂଶିକ ଭାଙ୍ଗି ଥିବା ଗୃହକୁ 20,000 ଟଙ୍କା ଓ ସଂପୂର୍ଣ୍ଣ ଭାଙ୍ଗିଥିବା ଗୃହକୁ 50,000
ଟଙ୍କା ଦେଇଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ
ସରକାର ଘୋଷଣା କରିଥିଲେ। ଏଥିରେ
ସୁପ୍ରିମ କୋର୍ଟ ପୁଣି ହସ୍ତକ୍ଷେପ କରି କ୍ଷତିପୂରଣ ରାଶି ଭାଙ୍ଗିଥିବା ଗୃହର ମାଲିକଙ୍କୁ ଦୁଇ
ଗୁଣା ବୃଦ୍ଧି କରାଇବା ସହିତ ମୃତକଙ୍କ ପରିବାରକୁ ଅଧିକ 3 ଲକ୍ଷ ଟଙ୍କା ଓ ଆଘାତ ପାଇଥିବା
ଲୋକଙ୍କୁ 10,000 ରୁ 30,000 ଟଙ୍କା ସହାୟତା ରାଶି ଦେବା
ଲାଗି ନିର୍ଦ୍ଦେଶ ଦେଇଥିଲେ । ଏବେ ବି
ବେଶ କିଛି ଲୋକ ଜିଲ୍ଲା ବାହାରେ ରହିଯାଇଛନ୍ତି । ସେହିପରି ନିଜ
ଜିଲ୍ଲାରେ ନିଜେ ଶରଣାର୍ଥୀର ଜୀବନ ବିତାଉଛନ୍ତି ବେଟିକୋଲା, କିଲାକିଆ ଓ
ଝିମାଙ୍ଗିଆ ଗ୍ରାମର 72 ପରିବାର । ସମସ୍ତେ
ଜି ଉଦୟଗିରୀ ନିକଟସ୍ଥ ଶାନ୍ତି ନଗର ନାମରେ ସରକାରୀ ଜାଗାରେ ନୂତନ କଲୋନୀ ପ୍ରତିଷ୍ଠା କରି
ରହିଛନ୍ତି ।
ଜାତିସଂଘର
ସଜ୍ଞା ଅନୁସାରେ କୌଣସି ବ୍ୟକ୍ତି ଯଦି ଦେଶ ମଧ୍ୟରେ ବିଭିନ୍ନ କାରଣ ଯଥା ସଶସ୍ତ୍ର ଯୁଦ୍ଧ,
କ୍ରମାଗତ ହିଂସାକାଣ୍ଡ, କ୍ରମାଗତ ମାନବିକ ଅଧିକାର ଉଲ୍ଲଂଘନ ଅଥବା
ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ବାସସ୍ଥାନ ଛାଡି ଦେଇଥାଏ ଓ ଭୟ ହେତୁ ଫେରି ପାରୁନଥାଏ ସେହି
ବ୍ୟକ୍ତିର ସେହି ସ୍ଥିତିକୁ ଆଭ୍ଯନ୍ତରୀଣ ବିସ୍ଥାପନ କୁହାଯିବ । ସେମାନେ ଆନ୍ତର୍ଜାତିକ ନୀୟମ ଅନୁସାରେ ଓ ସେହି ଦେଶର ନିୟମ ଅନୁସାରେ
ସମସ୍ତ ଅଧିକାର (ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଇତ୍ୟାଦି) ପାଇପାରିବେ ଓ
ପ୍ରଶାସନର ସହଯୋଗରେ ନିଜର ପୂର୍ବ ସ୍ଥାନକୁ ଫେରିଆସିପାରିବେ । ହେଲେ ଶାନ୍ତିନଗରର ବାସିନ୍ଦା ସୁନିଲ ମଲ୍ଲିକଙ୍କ ମତ ହେଲା ଯେ
ସେମାନେ ବାଟିକୋଲା 2008 ମସିହାରେ ଛାଡିଲା ପରେ ବିଭିନ୍ନ କ୍ୟାମ୍ପରେ ରହି ପୁଣି ବିସ୍ଥାପିତ
କଲୋନୀକୁ ଆସିଛନ୍ତି । ସେମାନେ ପରେ ଯାଇ ନିଜ ନିଜ ଗ୍ରାମରେ ଚାଷ କରିବା ପାଇଁ
ଚେଷ୍ଟା କରିଥିଲେ । ମାତ୍ର
ହିନ୍ଦୁ ପରିବାର ଲୋକେ ନିଜ ଗାଈ ଗୋରୁ ସେଥିରେ ଚରାଇଦେଲେ। ସୁନିଲ ନିଜେ ଜଣେ ଆଦିବାସୀ ଓ ସେ ଦେଇଥିବା ଏଫଆଇଆରକୁ ପୋଲିସ “ତଥ୍ୟ
ଅଭାବ” ଦର୍ଶାଇ ବନ୍ଦ କରିଦେଇଛି । ତାଙ୍କ କହିବା ହେଲା
ଯେ ଲକ୍ଷ୍ମଣାନନ୍ଦ ବଞ୍ଚିଥିଲା ବେଳେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସର୍ବଦା ବିବାଦ ଚାଲିଥିଲା । “ବହୁ ବାର ହିନ୍ଦୁ ଲୋକେ ଆମକୁ ଓ ଆମର ପାଷ୍ଟର ଙ୍କୁ ଆକ୍ରମଣ
କରିଛନ୍ତି । ଏବେ
ଗାଁକୁ ଆଉ ଫେରି ନପାରି ଜମିଥିବା ଶାନ୍ତି ନଗରର ବହୁ ଲୋକ ଦୀନ ମଜୁରୀଆ ପାଲଟିଛନ୍ତି । ଅନ୍ୟ ଲୋକର ଚାଷଜମିରେ ଓ ସରକାରୀ କାମରେ ମୂଳ ଲାଗି ନିଜ ପରିବାର
ଚଳଉଛନ୍ତି। ” ସମ୍ବିଧାନର
ଉଲ୍ଲେଖିତ ଧର୍ମନିରପେଖତାକୁ ବଜାୟ ରଖିବାକୁ ହେଲେ ଆମର ନାଗରିକ ସମାଜ ଏ ସମସ୍ତ ଦିଗରେ ଚିନ୍ତା
କରିବା ଆବଶ୍ୟକ। ସଂଖ୍ୟା
ଲଘୁ ଲୋକେ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉ,
ଭାରତ ଭଳି ଏକ ଧ୍ରମନିରପେକ୍ଷ ରାଷ୍ଟ୍ରରେ ସରକାର ସୁରକ୍ଷା ଦେଇନପାରିବା ସରକାରଙ୍କ ଏହା ବିଫଳତା
। ସାମ୍ପ୍ରଦାୟିକ
ହିଂସାରେ କ୍ଷତିଗ୍ରସ୍ତ ସମସ୍ତ ସଦସ୍ୟ ଯେପରି ‘ସାମାଜିକ ସୁରକ୍ଷା ଯୋଜନା’ରେ ପ୍ରାଥମିକତା ପାଇବେ ସେଥିଲାଗି ସରକାରଙ୍କ ନିକଟରେ ଦାବୀ କରାଯିବା ଜରୁରୀ ।
-
ଦେବ ରଞ୍ଜନ