ଗଣତାନ୍ତ୍ରିକ ବିଚାର
ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ନିଜେ ଟେକା ମାରିବା
ସଦୃଶ କଥା । ସେ ବନ୍ଧୁ ହେଉ
କି ପରିବାର ସମସ୍ତେ ବୁଝିନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ଵାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ । ‘ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତ ତୁମେ ଯଦି ବିଜେପି ସରକାରଙ୍କ
ସହିତ ନାହଁ ତେବେ ତୁମେ ପାକିସ୍ତାନୀ ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା
କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି । କାଶ୍ମୀର ସହିତ
ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ । ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ । ଗାଁରେ ଥିଲେ
କୁହେ, “ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି ନହେଲେ ଏନକାଉଣ୍ଟର
କରିଦେଉଛନ୍ତି । ସମସ୍ତେ କଣ ମାଓବାଦୀ ହୋଇଛନ୍ତି ନା ଚୋର?” ପୁଣି କାଶ୍ମୀର କଥା ପଡିଲେ କୁହେ, “ଟ୍ରିଗର ଉପରେ ଆଙ୍ଗୁଳି ରଖିଲେ ଯାଇ ମତେ ଶାନ୍ତି ଲାଗେ। କେତେବେଳେ କୁଆଡୁ
ଉଗ୍ରପନ୍ଥୀ ଆସିଯିବେ କିଏ ଜାଣେ?“ ଗଲା ବର୍ଷ ତା’ର ହିସାବରେ ପ୍ରାୟେ 5 ଲକ୍ଷ ଯବାନ ଜଗିଥିଲେ ସମଗ୍ର କାଶ୍ମୀରକୁ । ଏବେ ତାହା ସତ
ଲକ୍ଷ ଅର୍ଥାତ ପ୍ରତି ସାତ କି ଆଠ କାଶ୍ମିରୀବାସୀଙ୍କ ବିପକ୍ଷରେ ଜଣେ ଆଧୁନିକ ଅସ୍ତ୍ରଧାରୀ ଜବାନ । ଉଭୟ
କାଶ୍ମୀରୀବାସୀ ଓ ନିଯୁକ୍ତ ଯବାନ ସମସ୍ତେ ଅଜଣା ଆତଙ୍କ ମଧ୍ୟରେ । ଧାରା 370ର
ଉଚ୍ଛେଦ କେବଳ ହେଲା ନାହିଁ ତାସହିତ କାଶ୍ମୀର ନିଜର ରାଜ୍ୟମାନ୍ୟତା ମଧ୍ୟ ହରାଇଛି । ଆଗକୁ ହୁଏତ
କୌଣସି ବି ରାଜ୍ୟ ଏପରିକି ଆଦିବାସୀ ବହୁଳ ପଞ୍ଚମ ଅନୁଛେଦ ଅଞ୍ଚଳ ମଧ୍ୟ ନିଜର ସ୍ଵତନ୍ତ୍ର
କ୍ଷମତା ଟିକକ ହରାଇପାରେ । ସେତେବେଳେ ହୁଏତ ସ୍ଲୋଗାନ ରହିବ ‘ଗୋଟେ ଦେଶ ଗୋଟେ ଆଇନ’ - ବିଧାନସଭା ହେଉ କି ଗ୍ରାମସଭା
କାହାରି ସ୍ଵତନ୍ତ୍ର କ୍ଷମତା ରହିବା ଉଚିତ ନୁହେଁ । ଧାରା 370 ଉଚ୍ଛେଦ ପରଠାରୁ ବନ୍ଧୁପତ୍ନୀ ଜଣକ ନା ଟିଭି ସାମ୍ନାକୁ ଆସୁଛି
ନା କାଶ୍ମୀରରୁ କିଛି ଫୋନ ଆସୁଛି । ଦେଶର ଆଜି ସାତ ଲକ୍ଷ ଯବାନଙ୍କ ପରିବାର ମଧ୍ୟ ସେହି ଅନିଶ୍ଚିତତା ମଧ୍ୟରେ ଥିବେ ଠିକ ମୁଁ, ମୋର ବନ୍ଧୁପତ୍ନୀ ଓ ତା’ ପରିବାର ଲୋକଙ୍କ ପରି । ପ୍ରେମ ଓ ଜାତୀୟତା ମଧ୍ୟରେ ଦୂରତା ଅନେକ, ହୁଏତ ମିଶ୍ରଣ ଅସମ୍ଭବ ।
ଏଥର
ନିଜ ଦେଶର ନିଜ ଲୋକଙ୍କ
ବିପକ୍ଷରେ ନିଜେ ବନ୍ଧୁକ ଧରିଲା ବେଳେ ମୋର ବନ୍ଧୁଟି ସତେରେ କ’ଣ ଭାବୁଥିବ? ଏହି କଥା ଗଲା ପାଞ୍ଚ ତାରିଖ ଠାରୁ ମୁଁ
ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି । ହଁ, ସେ ମୋର ପ୍ରଧାନମନ୍ତ୍ରୀ । ହୁଏତ ମୁଁ
ତାଙ୍କର ଅନେକ କଥାରେ ଅସହମତ ହୋଇପାରୁଥାଏ । ପଚାରିବାକୁ ଇଛା କରିଛି କ’ଣ ସତେରେ ଏହା ପରେ ମୋର ବନ୍ଧୁ ଜଣକ ଟ୍ରିଗର ଉପରୁ ଆଙ୍ଗୁଳି ଉଠାଇ ନିଶ୍ଚିନ୍ତରେ ଟିକେ
ଶୋଇପାରିବ? ସେ ଆଉ ନିଜ ଦେଶର ସେହି କାଶ୍ମୀର ଲୋକକୁ ଏନକାଉଣ୍ଟର
କରିବନି, ହରଣଚାଳ କରିବନି, ପେଲେଟ ଗନରେ ମାରିବନି, ରାତି ଅଧରେ ଉଠାଇବନି ତ ଯଦି ତୁମ କଥା ସତ ହୋଇଥାଏ ଯେ କାଶ୍ମୀରରେ ସଂପୂର୍ଣ୍ଣ
ଶାନ୍ତି ଚାଲିଆସିଛି? ସତେରେ କ’ଣ ଏହାପରେ
କାଶ୍ମୀରୀବାସୀ ମୋର ବନ୍ଧୁଙ୍କୁ ହସି ହସି ବିଦା ଦେବେ ଓ ଉଗ୍ରପନ୍ଥୀମାନଙ୍କୁ ନିପାତ
କରିପାରିଥିବା ହେତୁ ଧନ୍ୟବାଦ ଜଣାଇବେ ? ବହୁ ବର୍ଷ ତଳେ ଏମିତି ଏକ
ଛବି ଟିଭି ପରଦାରେ ଆଫଗାନିସ୍ତାନରେ ଦେଖିଥିଲି। ଛୋଟ ଝିଅଟିଏ ରୁଷ
ସଶସ୍ତ୍ର ବାହିନୀର ଟ୍ୟାଙ୍କ ଫେରିଯାଉଥିଲା ବେଳେ ଯବାନଟିକୁ ଫୁଲଟିଏ ଆଣି ଦେଉଥିଲା । ବହୁତ ବର୍ଷ ପରେ
ଜାଣିଲି ତାହା ସ୍ଵତଃ ସ୍ଫର୍ତ୍ତ ନଥିଲା, ଛବିଟିକୁ ଟିଭି ପାଇଁ
ତିଆରିକରାଯାଇଥିଲା । ଠିକ ଅଛି ଯେ କାଶ୍ମୀରବାସୀ
ମୋର ବନ୍ଧୁଙ୍କୁ ଏହାପରେ ହସି ହସି ବିଦାୟ ନଦେଇପାରନ୍ତି । କାରଣ ପ୍ରତିବାଦ
ଓ ପ୍ରତିଶୋଧ ମଧ୍ୟରେ ଅନେକ ଅନେକ ଦୂରତା ରହିଛି । ଆମେ ଅଳ୍ପ କିଛି
ଜନଗଣ ଆଜି ସରକାରଙ୍କୁ କେବଳ ନିଜର ପ୍ରତିବାଦ ଜଣାଉଛୁ । ସେମାନେ କିନ୍ତୁ
ପ୍ରତିଶୋଧ ଓ ପ୍ରତିହିଂସାର ଅଗ୍ନିରେ ଜଳୁଛନ୍ତି, ଠିକ ଆଫଗାନିସ୍ତାନ, ପାଲେଷ୍ଟାଇନ ଓ ସିରିୟା ଭଳି । ମହାତ୍ମା
ଗାନ୍ଧୀଙ୍କର ସେହି କଥା ଯେ ତୁମେ ଯଦି ଆଖି ବଦଳରେ ଆଖି ନେବାକୁ ଚାହିଁବ ତେବେ ବିଶ୍ଵ ଅନ୍ଧ ପାଳଟିଯାଇଥିବା
ଜାଣିବ । ଏହା
ଶାସକଙ୍କ ପାଇଁ ଅଧିକ ପ୍ରଚୁର୍ଜ୍ୟ । ସମଗ୍ର
ରାଜ୍ୟବାସୀଙ୍କୁ ବିଜେପି ସରକାର ଜଣେ ଜଣେ ଉଗ୍ରପନ୍ଥୀ ଅଥବା ସମ୍ଭାବ୍ୟ ଉଗ୍ରପନ୍ଥ ଭାବରେ
ଦେଖିବା ଓ ରାଜ୍ୟକୁ ସଙ୍ଘିୟ ସ୍ଥିତିରୁ ଉଚ୍ଛେଦ କରି କେନ୍ଦ୍ରର ଅଧୀନକୁ ନେଇ ଆସିବା ସଂପୂର୍ଣ୍ଣ
ଅଗଣତାନ୍ତ୍ରିକ । ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାତିକ
ଭିତରେ ହଜାର ହଜାର ଯବାନଙ୍କୁ ଗୋଟେ ଛୋଟ ସ୍ଥାନକୁ ପଠାଇ ସେମାନନଙ୍କୁ ଘେରାବନ୍ଦୀ କରିଦେଲେ ! ଏଭଳି
ଅଗଣତାନ୍ତ୍ରିକ ପଦକ୍ଷେପ କିପରି ଏକ ମହାନ ଜାତୀୟତାବାଦୀ କାର୍ଯ୍ୟ ହୋଇଗଲା କିନ୍ତୁ ଏକ ରାଜ୍ୟ
ଉପରେ କେନ୍ଦ୍ର ସରକାର ଲଗାତର ଭାବରେ ସୈନ୍ୟ ପଠାଇ ଅତ୍ୟାଚାର କରିଚାଲିବା ଆମ ଆଲୋଚନାର
କେନ୍ଦ୍ରବିନ୍ଦୁ କେବେ ବି ହୋଇପାରିଲା ନାହିଁ ? ଦୁଃଖର କଥା ଯେ ଆମର ଜାତୀୟତା ଆମର
ମାନବିକତାକୁ ଢାଙ୍କିଦେଇଛି ଓ ଏହା ଆମକୁ ଅନେକ ବିଷୟରେ ଅନ୍ଧ କରିଦେଉଛି ।
ଧାରା
370 ଉଚ୍ଛେଦ ଦ୍ଵାରା କାଶ୍ମୀରବାସୀ ଉପକାର ପାଇବେ କି ନାହିଁ ତାହା ମୁଁ କହିପାରୁନି । ଏବେ ତ ବିଭିନ୍ନ ତୁଳନାତ୍ମକ ରିପୋର୍ଟ
ଆସିଲାଣି ଯେ କାଶ୍ମୀରର ଶିକ୍ଷା, ଅପପୁଷ୍ଟି, ଶିଶୁ ମୃତ୍ୟୁ ହାର
ଇତ୍ୟାଦି କ୍ଷେତ୍ରରେ ଜାତୀୟ ହାର ଏପରିକି ଗୁଜୁରାଟ ଠାରୁ ଜାମୁ ଓ କାଶ୍ମୀରର ସ୍ଥିତି ବେଶ
ଉନ୍ନତ । ତଥ୍ୟ ଜାଣିବାର ଅଧିକାର 2004 ମସିହାରୁ ସେଠାରେ ଲାଗୁ ହୋଇଥିଲା । ବର୍ତ୍ତମାନ
ସରକାରଙ୍କ ଜିଏସଟି କୁ ଜାମ୍ମୁ କାଶ୍ମୀର ସରକାର ବିଧାନସଭାରେ ପାସ କରିଥିଲେ । ଦ୍ଵେତ ନାଗରିକ
ବ୍ୟବସ୍ଥା କେବଳ ମିଥ୍ୟା ପ୍ରଚାର । ଯେ କୌଣସି ଭାରତୀୟ ଭିସା ଓ ପାସପୋର୍ଟ ସାହାଯ୍ୟରେ ଯେମିତି
ଅନ୍ୟ ଦେଶକୁ ଯାଇପାରିବ ସେମିତି ପାକିସ୍ତାନୀ ଜଣେ ଆସିପାରିବ । କିନ୍ତୁ ସେ
କାଶ୍ମୀରରେ ସ୍ଥାୟୀ ବାସିନ୍ଦା ହୋଇପାରିବ ନାହିଁ । କାଶ୍ମୀରର
ସମ୍ବିଧାନରେ ଜଣେ ଭାରତୀୟ “ସ୍ଥାୟୀ ବାସିନ୍ଦା” ଓ ସେ କାମ ଅନ୍ଵେଷଣରେ କାଶ୍ମୀର ଯାଇପାରିବ
। କେବଳ କାଶ୍ମୀରରେ କାହିଁକି ନାଗାଲ୍ୟାଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ
ନିକୋବରରେ ଅନ୍ୟ ପ୍ରଦେଶର ଲୋକେ ଜାଗା
କିଣିପାରିବେ ନାହିଁ । ବିବାହିତା କାଶ୍ମିରୀ ଝିଅ ବିବାହ ପରେ ନିଜ ଜମିର
ଅଧିକାର ନିଜ ରାଜ୍ୟରେ ହରାଇବାର ଯେଉଁ ପ୍ରସ୍ତାବ ଥିଲା ତାହାକୁ ସେଠାର ହାଇକୋର୍ଟ 2001
ମସିହାରୁ ଉଚ୍ଛେଦ କରିସାରିଛି । ଏହାପରେ ବି କ’ଣ ଆମ୍ଭେମାନେ କାଶ୍ମୀର ଚାଲିଥିବା
ମାନବିକ ଅଧିକାର ଉଲ୍ଲଂଘନ ବିପକ୍ଷରେ କୌଣସି ସ୍ଵର ଉଠାଇବା ନାହିଁ ? ଆଜି
ସାଧାରଣ କାଶ୍ମୀର ନାଗରିକ କେତେବେଳେ ଭାରତୀୟ ଯବାନ ତ ପୁଣି କେତେବେଳେ ସ୍ଥାନୀୟ ଉଗ୍ରପନ୍ଥୀ
ପୁଣି ସୀମାରେ ପାକିସ୍ଥାନୀ ସୈନ୍ୟର ଗୁଳିରେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ଧାରା 370 ଉଚ୍ଛେଦ ପରେ ବିଜେପିର
ରାଜ୍ୟ ମୁଖ୍ୟ ମାନେ ଯେଉଁ ଭଳି ବୟାନ ଦେଉଛନ୍ତି ସେଥିରୁ ଜଣାପଡୁଛି ଯେ ଆମେ କେଉଁ ଅଷ୍ଟାଦଶ ଶତାବ୍ଦୀର
ରାଜାଙ୍କ ଯୁଦ୍ଧ ଜୟର କାହାଣୀ ଲେଖୁଛୁ । ସେତେବେଳେ ରାଜାମାନେ ଯୁଦ୍ଧ ଲଢୁଥିଲେ
ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଓ ଅକ୍ତିଆର କରିବା ପରେ ଶତ୍ରୁ ରାଜ୍ୟର ଯୁବକମାନଙ୍କୁ ହତ୍ୟା
କରୁଥିଲେ, ନାରୀକୁ ଉପଭୋଗ କରୁଥିଲେ ଓ ଜମିକୁ ନିଜ କବଜାକୁ ଆଣୁଥିଲେ । ହୁଏତ କେହି
ସାଧାରଣ ମଣିଷ ଜମି କିଣୁ କି ନକିଣୁ ଏବେ ରିଲାଏନ୍ସ କମ୍ପାନୀ ଘୋଷଣା କରିଛି ସ୍ଵତନ୍ତ୍ର ପ୍ୟାକେଜ
ଦେଇ ସେ କାଶ୍ମୀରରେ ଜମି ଅଧିଗ୍ରହଣ କରିବ ଓ ସେଠାର ‘ବିକାଶ’
କରିବ । ଗଣତନ୍ତ୍ର ଓ ଗଣ-କର୍ପୋରେଟତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଆଉ କିଛି ନାହିଁ । କଂଗ୍ରେସ ପାର୍ଟି
ଯେଉଁ ଆର୍ଥିକ କ୍ଷେତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମାନ ପ୍ରକ୍ରିୟାକୁ
ବିଜେପି ଦ୍ରୁତ ଗତିରେ ଅପଣାଇଚାଲିଛି ।
ଗଣତନ୍ତ୍ରକୁ
ମୁଁ ମୋର ସ୍କୁଲ ବହିରେ ଯାହା ପଢିଛି ଆଜି ତାହା ଗଣତନ୍ତ୍ର ନୁହେଁ ଓ ଆଜି ଗଣତନ୍ତ୍ର କହିଲେ
ଯାହା ବୁଝାପଡେ ତାହା କିନ୍ତୁ ସ୍କୁଲ ବହିରେ କେବେ ଲେଖାହୋଇନଥିଲା । ମୁଁ ସ୍ଵପ୍ନ ଦେଖୁଥିଲି 70 ବର୍ଷର
ସ୍ଵାଧୀନତା ଭିତରେ ମୋର ଦେଶ ଏତେ ଉପରକୁ ଉଠିଯାଇଥିବ ଯେ ସାରା ବିଶ୍ଵକୁ ସେ କହୁଥିବ ଗଣତନ୍ତ୍ର
ମଧ୍ୟରେ ନା ରଙ୍ଗ ନା ଜାତି ନା ଅର୍ଥ (ଆର୍ଥିକ) ନା ଧର୍ମର କୌଣସି ପ୍ରଭେଦ ରହିଛି । ସମସ୍ତେ ଶାନ୍ତି ଓ ସୁଖରେ ଅବସ୍ଥାନ
କରିବାର ପଦ୍ଧତି ହେଲା ଏହି ଗଣତନ୍ତ୍ର । କିନ୍ତୁ ବାସ୍ତବତା ହେଲା ଦେଶ ସତେରେ ବହୁତ ଉଚ୍ଚକୁ
ଚାଲିଯାଇଥିବା ଲାଗୁଛି କାରଣ ଏଥିରେ ଅନେକ ଆଜି ଆଣ୍ଠେଇ ପଡିଛନ୍ତି । ଦେଶ ଯଦି କିଛି ଦେଉଛି
ତେବେ ତାହା ଖଜୁରୀ ଗଛର କୋଳି, ନିଶୁଣି ଥିବା ଲୋକ ହିଁ ନେଇପାରୁଛି । ଏବେ ଗାନ୍ଧୀଙ୍କ 150ତମ ଜନ୍ମ ତିଥି ପାଳନ କରୁଛେ । କିନ୍ତୁ
ଗଣତନ୍ତ୍ରକୁ ସୁଧାରିବାର ପ୍ରୟାସ ଆମେ କରୁନାହୁଁ କାରଣ ଏ ଭଳି ଗଣତନ୍ତ୍ରକୁ ନେଇ ଭାବପ୍ରବଣ
ସାଜିବାର ଅନେକ କାରଣ ରହୁଛି । @@@