Friday, December 20, 2019

ପୁଣି ଜିନ୍ଦଲ ?



ଆଜି କାହିଁକି ଓଡିଶାରେ ପ୍ରତି ଦୁଇବର୍ଷରେ ଥରେ ନିଶ୍ଚିତ ରୂପେ ମରୁଡି ହେଉଛି ? କାହିଁକି ବର୍ଷକରେ ତିନି ଥର ବାତ୍ୟା ହେଉଛି ? କାହିଁକି ବର୍ଷା ଠିକରେ ହେଉନାହିଁ ଯେଉଁଥି ଲାଗି ଆମ ଜମିରେ ଧାନ ସବୁ ଶୀଘ୍ର ପାଚିଯାଉଛି ? କାହିଁକି ଆମ୍ବ କି ନଡିଆ ଗଛରେ ସମୟ ଅନୁସାରେ ଫଳ ଧରୁନାହିଁ ? ଏମିତି ଅନେକ ପ୍ରଶ୍ନ ଆମର ଚାରିପାଖର ଜଳବାୟୁକୁ ନେଇଆସୁଛି । ଆଜି ଓଡିଶାର 19ଟି ନଦୀ ପ୍ରଦ୍ଯୁଷଣ ହୋଇସାରିଥିବା ହେତୁ ନା ମାଛ ରହୁଛନ୍ତି ନା ନଦୀଜଳ ଚାଷ ଜମିରେ ମାଡିପାରୁଛି । ଏହା ପରେ ବି ଆଜି ଯଦି ଅଧିକ ଜଙ୍ଗଲ କାଟି ପୂର୍ବଭଳି ଡ୍ୟାମ, କାରଖାନା, ବନ୍ଦର ସବୁ କରାଯାଏ ତେବେ ସେଥିରୁ ନିର୍ଗତ ଧୂଆଁ ଓ ମଇଳା ହେତୁ ଆମର ପରିବେଶ ସୁଧୁରିବ ନା ଆହୁରି କ୍ଷତି ହେବ ? ଏହାପରେ ବର୍ଷକୁ ଥରେ ବାତ୍ୟା ହେବ ନା ଚାରିଥର ହେବ ? ଏହାପରେ ପ୍ରତି ବର୍ଷ ରାଜ୍ୟରେ ମରୁଡି ହେବ ନାହିଁ ତ?

            ଢିଙ୍କିଆ ଚାରିଦେଶରୁ ପୋସ୍କୋ ହଟିଗଲା ପରେ ଏବେ ଜିନ୍ଦଲ ନାମକ ଆଉ ଏକ ବିପତ୍ତି ମାଡିଆସିଛି । ଯେଉଁଠି ପୋସ୍କୋ ହେତୁ ଏକ ଲକ୍ଷ ସତୁରୀ ହଜାର ଗଛ କାଟିଦିଆଯାଇଥିଲା ସେହି ଜାଗାରେ ପୁଣିଥରେ ଜଙ୍ଗଲ କରିବା ବଦଳରେ ସରକାର ଜିନ୍ଦଲ ମାଧ୍ୟମରେ ଅଧିକ ଧୂଆଁ ଛାଡୁଥିବା ଷ୍ଟିଲ ପ୍ଳାଣ୍ଟ, ସିମେଣ୍ଟ ପ୍ଳାଣ୍ଟ, କୋଇଲା ପାୱାର ପ୍ଳାଣ୍ଟ ଓ ବନ୍ଦର କରିବାକୁ ଯାଉଛନ୍ତି । ଆଇନ ଅନୁସାରେ କମ୍ପାନୀକୁ ପରିବେଶ ଅନୁମତି ମିଳିବା ଆଗରୁ ଜନଶୁଣାଣୀ ଜରୁରୀ ।

ଜନଶୁଣାଣୀ କ?

ପରିବେଶ ମନ୍ତ୍ରଣାଳୟ ଆଇନ 2006 ଅନୁସାରେ ପ୍ରତ୍ଯେକ ବୃହତ୍ତ ପ୍ରକଳ୍ପ (ଯଥା ଖଣି, କାରଖାନା ଓ ବନ୍ଦର ଇତ୍ୟାଦି) ଲାଗି ପ୍ରକଳ୍ପ ଅଞ୍ଚଳରେ ଜନଶୁଣାଣୀ ଜରୁରୀ । ଏହା ପୂର୍ବରୁ ଲୋକେ ପ୍ରକଳ୍ପ ସମ୍ପର୍କରେ ସମସ୍ତ ତଥ୍ୟ ନିଜ ମାତୃଭାଷାରେ ଜାଣିଲା ପରେ ସେହିଦିନ ନିଜର ମନ୍ତବ୍ୟ ଦେବେ ଓ କମ୍ପାନୀ ସେହିସବୁ ମତକୁ ନେଇ ପୁଣିଥରେ ପରିବେଶ ପ୍ରଭାବଜନିତ ରିପୋର୍ଟ ତିଆରି କରିବା କଥା । କିନ୍ତୁ କ୍ରମଶଃ ଜନଶୁଣାଣୀ ଏକ ଫାର୍ଶରେ ପରିଣତ ହୋଇଗଲାଣି । ଏଥିରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ଜନଶୁଣାଣୀ ସଫଳ ହୋଇଗଲା ବୋଲି କଲେକ୍ଟର ବିବୃତ୍ତି ଦେବାପରେ ତୁରନ୍ତ ପରିବେଶ ଅନୁମତି କମ୍ପାନୀକୁ ମିଳିଯାଉଛି । ମଝିରେ ମଝିରେ ପରିବେଶ ବୋର୍ଡ କମ୍ପାନୀ ଠିକରେ କାମ କରୁଛି କି ନାହିଁ ତାହା ଦେଖିବା କଥା । କିନ୍ତୁ ସେମାନେ ଲାଞ୍ଚ ନେଇ ନିଜ କାମ କରୁନାହାନ୍ତି ଏହି ହେତୁ ଆଜି ରାଜ୍ୟର 19ଟି ନଦୀ ପ୍ରଦ୍ଯୁଷିତ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡକୁ ତାଗିଦ କରିସାରିଛନ୍ତି । ଏହି ହେତୁ ପାରାଦ୍ଵୀପ ଆଜି ସବୁଠାରୁ ଅଧିକ ପ୍ରଦ୍ଯୁଷିତ ଅଞ୍ଚଳ ଭାବରେ ଜଣାଶୁଣା । ଏହା ପରେ ଆମେ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡର ସାଧୁତା ଉପରେ ସନ୍ଦେହ ଆସୁନାହିଁ କି? ଆମେ ବୋର୍ଡ ଉପରେ ଭରସା କରିପାରିବା ତ? ଏହି ଭରସା ନକରିପରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା (ଆଦାନୀ ପାୱାର ପ୍ଳାଣ୍ଟ ଲାଗି), ସମ୍ବଲପୁର ଜିଲ୍ଲାର କୁଚିଣ୍ଡା (ଡ୍ୟାମ) ଓ ରାୟଗଡାର ବାସଙ୍ଗମାଳୀ (ଆଲୁମିନା ପ୍ଳାଣ୍ଟ) ଅଞ୍ଚଳର ଲୋକେ ଜନଶୁଣାଣୀ କରେଇନଦେବା ହେତୁ ସେହିସବୁ ଅଞ୍ଚଳରେ ପ୍ରକଳ୍ପ ବନ୍ଦହୋଇଗଲା ।

ଜିନ୍ଦଲ କାହିଁକି ତଥ୍ୟ ଦେଉନାହିଁ

କ) ଆଇନ ଅନୁସାରେ ଜନଶୁଣାଣୀ ପୂର୍ବରୁ ପ୍ରକଳ୍ପ ସମ୍ବନ୍ଧରେ ସଂପୂର୍ଣ୍ଣ ରିପୋର୍ଟ ଓ ଏହାର ପରିବେଶ ଉପରେ କଣ ପ୍ରଭାବ ପଡିବ ସେ ସମ୍ପର୍କରେ ଅଞ୍ଚଳରେ ଓଡିଆ ଭାଷାରେ ପୁସ୍ତିକା ଘରେ ଘରେ ପହଞ୍ଚିବା କଥା । ଏଭଳି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଜୀବନ ଓ ମୃତ୍ୟୁର କଥା ହୋଇଥିବା ହେତୁ ସେମାନେ ସବୁ କଥା ଜାଣି ଜନଶୁଣାଣୀକୁ ଯିବା କଥା । କିନ୍ତୁ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଜିନ୍ଦଲ କମ୍ପାନୀ ପ୍ରକଳ୍ପ ସମ୍ବନ୍ଧରେ ତଥ୍ୟ ଦେଉନାହାନ୍ତି, କାହିଁକି ?

ଖ) ଆମେ ଖବରକାଗଜରୁ ଜାଣୁଛୁ ଯେ ଜିନ୍ଦଲ କମ୍ପାନୀ ଢିଙ୍କିଆ ଚାରିଦେଶରେ ଏକ 13.2 ମିଲିୟନ ଟନର ଷ୍ଟିଲ କାରଖାନା କରିବ ଯାହା କି ପୋସ୍କୋ ଠାରୁ ମଧ୍ୟ ବଡ । ଏଥିଲାଗି 900 ମେଗାୱାଟର ଏକ କୋଇଲା ଶକ୍ତି ଉତ୍ପାଦନ ପ୍ଳାଣ୍ଟ ମଧ୍ୟ ବସିବ । ଏହା ଏକ ଜଣାଶୁଣା କଥା ଯେ ସାରା ଭାରତରେ ସବୁଠାରୁ ଅଧିକ ବାୟୁ ପ୍ରଦ୍ଯୁଷଣ କାରଖାନା ଭାବରେ କୋଇଲା ପ୍ଳାଣ୍ଟ ନିଆଯାଏ । ଏବେ ପାରାଦ୍ଵୀପ ସବୁଠାରୁ ଅଧିକ ପ୍ରଦ୍ଯୁଷିତ ଅଞ୍ଚଳ ଭାବରେ ଗଣାଯାଉଛି । ଏହା ପାଖରେ କୋଇଲା ପ୍ଳାଣ୍ଟ ହେଲେ କୁଜଙ୍ଗରୁ ପାରାଦ୍ଵୀପ ମଧ୍ୟରେ ଥିବା ହଜାର ହଜାର ଲୋକ ରହିପାରିବେ ତ ?

ଗ) ପୋସ୍କୋ ଥିବା ସମୟରେ ବହୁ ବିଶେଷଜ୍ଞ ମତ ଦେଇଥିଲେ ଯେ ଜଟାଧାର ନଦୀରେ ଯଦି ବନ୍ଦର ହୁଏ ତେବେ ଏହାର ଉପର ମୁଣ୍ଡରେ ବନ୍ୟା ହେବା ହେତୁ ଜଗତସିଙ୍ଗପୁର ଜିଲ୍ଲାର ଅନେକ ଗାଁର ଚାଷଜମି ଜଳମଗ୍ନ ରହିବ। ସେହିଭଳି ଦୁଇଟି ବନ୍ଦର ହେତୁ ବାଲିଚର ମାଡିଯାଇ ଲୁଣା ଜଙ୍ଗଲ ନଷ୍ଟ ହେବ ଓ ଅଞ୍ଚଳ ଅଧିକ ବାତ୍ୟାପ୍ରବଣ ହୋଇଯିବ । ପାରାଦ୍ଵୀପ ନିକଟରେ ଅନ୍ୟ ଏକ ବନ୍ଦର ଜଟାଧାର ନଦୀର ଉପର ମୁଣ୍ଡରେ ବନ୍ୟା ତ ସୃଷ୍ଟି କରିବ, ନୋଳିଆସାହିର 250 ପରିବାରଙ୍କୁ ମଧ୍ୟ ଉଦବାସ୍ତୁ କରିଦେବ । ସରକାର ଏହା ଉପରେ ଧ୍ୟାନ ନଦେଇ ଜିନ୍ଦଲକୁ ପୁଣି ବନ୍ଦର ନିର୍ମାଣ ଲାଗି ଅନୁମତି ଦେବା କେତେ ଦୂର ଯୁକ୍ତିଯୁକ୍ତ ?

ଘ) ଢିଙ୍କିଆ ଚାରିଦେଶରେ ପୂର୍ବରୁ ହରିଣଙ୍କ ଆତଯାତ ଥିଲେ ମଧ୍ୟ ଏବେ ଦେଖାଯାଉନଥିଲା । କିନ୍ତୁ ପୋସ୍କୋ ଗହଳି କମିଯିବା ପରେ ଏବେ ଅଞ୍ଚଳରେ ପୁଣି ହରିଣ ଓ ଅନ୍ୟ ଜୀବଜନ୍ତୁ ଦେଖାଗଲେଣି ।
ଚ) ଆଜି କାର୍ବନ ଡାଇକ୍ସାଇଡର ପରିମାଣ ଆମର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ ବଢାଇଦେଉଥିବା ହେତୁ ଆମର ଦିନରେ ଅଧିକ ଗରମ ହେବାରେ ଲାଗିଛି । ଏହି ହେତୁ ବରଫ ଅଧିକ ତରଳି ସମୁଦ୍ର ପାଣି ବାଢୁଛି ଓ ଗାଁ ମଧ୍ୟକୁ ପଶିଯାଉଛି । ଏହି ହେତୁ ସାତଭାୟା ଆଜି ସମୁଦ୍ରରେ ପଶିଗଲା । ପଶ୍ଚିମ ବଙ୍ଗ, ଝାଡଖଣ୍ଡ ଓ ଓଡିଶାରେ ସବୁଠାରୁ ଅଧିକ ଷ୍ଟିଲ ପ୍ଳାଣ୍ଟ ରହିଛି ଓ ସରକାରୀ ତଥ୍ୟ ଅନୁସାରେ ଷ୍ଟିଲ କାରଖାନା ହେତୁ ଏହି ସବୁ ରାଜ୍ୟରେ ଦିନର ଉତ୍ତାପ ଅଧିକ ବେଗରେ ବଢୁଛି । ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଓ ଲୁହାଖଣି ହେତୁ ଓଡିଶାରେ ସୁନ୍ଦରଗଡ ଜିଲ୍ଲାର ସବୁଠାରୁ ଅଧିକ କାର୍ବନ ଡାଇଆକ୍ସାଇଡ ବାୟୁମଣ୍ଡଳକୁ ଯାଉଛି ଓ ଏଠାର ତାପମାତ୍ରା ଗଲା କୋଡିଏ ବର୍ଷ ମଧ୍ୟରେ ଅଧିକ ବଢିଛି ।

ସରକାର କଣ କରିବା ଆବଶ୍ୟକ

କ) ଜଙ୍ଗଲ ଅଧିକାର ଆଇନ, 2006ର ଧାରା 4 (5)  ଅନୁସାରେ ଜଙ୍ଗଲ ଜମିରୁ କୌଣସି ଆଦିବାସୀ ଅଥବା ଅଣଆଦିବାସୀକୁ ହଟାଇଦିଆଯାଇପାରିବ ନାହିଁ । ଇଡକୋ ଦ୍ଵାରା ଅଧିକୃତ ସ୍ଥାନୀୟ 2958 ଏକର ଜଙ୍ଗଲ ଜମିରେ ସ୍ଥାନୀୟ ଲୋକେ ପାନ ବରଜ କରିଥିବା କଥା ସରକାର ସ୍ଵୀକାର କରିଛନ୍ତି । ବେଶ କିଛି ଜମିରେ ଥିବା ଜଙ୍ଗଲକୁ ମଧ୍ୟ ସେତେବେଳେ କାଟିଦିଆଯାଇଥିଲା । ଏଥିରେ ଗାଁର ଓ ଗ୍ରାମବାସୀଙ୍କର ପ୍ରାଥମିକ ଅଧିକାର ରହୁଛି । ସରକାର ଏହାକୁ ଅଣଦେଖା କରି ଉକ୍ତ ଜମିକୁ ଲ୍ୟାଣ୍ଡ ବ୍ଯାଙ୍କକୁ ହସ୍ତାନ୍ତର କରିବା ଅସମ୍ବିଧାନିକ । ସେହି ସବୁ ଜଙ୍ଗଲ ଜମିର ପଟ୍ଟା ଏହାର ପ୍ରକୃତ ମାଲିକକୁ ଦିଆଯାଉ ।

ଖ) ପୋସ୍କୋ ପାଇଁ ଅଧିକୃତ ନିଜସ୍ଵ ଜମିକୁ ପାଞ୍ଚ ବର୍ଷ ହେଲା ପ୍ରକଳ୍ପ ଲାଗି ବ୍ୟବହାର ନହେବା ହେତୁ ଜମି ଅଧିଗ୍ରହଣ ଆଇନ 2013 ଅନୁସାରେ ମୂଳ ଜମି ମାଲିକକୁ ଫେରାଇ ଦେବା ବଦଳରେ ଲ୍ୟାଣ୍ଡ ବ୍ଯାଙ୍କକୁ ହସ୍ତାନ୍ତର କରିବା ମୂଳ ଆଇନ ଓ ସୁପ୍ରିମ କୋର୍ଟଙ୍କ ଶିଙ୍ଗୁର ରାୟର ବିରୁଦ୍ଧାଚରଣ କରୁଛି । ଏ ସମ୍ପର୍କରେ ଗଲା 6/12/2017 ତାରିଖରେ ଗୋବିନ୍ଦପୁର ପଲ୍ଲୀସଭାରେ ସମସ୍ତ ସଦସ୍ୟ ରାଜ୍ୟସରାକରଙ୍କୁ ନିଜର ଦାବିକୁ ଅବଗତ କରାଇଛନ୍ତି । ସରକାର ଆଇନକୁ ସମ୍ମାନ ଦେଇ ସେହି ସବୁ ଜମିକୁ ମୂଳ ମାଲିକକୁ ଫେରାଇଦିଅନ୍ତୁ ।

ଗ) ପରିବେଶର ଉନ୍ନତି ଲାଗି ସରକାର ଅଧିକ ଜଙ୍ଗଲ ଏହି ଅଞ୍ଚଳରେ ତିଆରି କରନ୍ତୁ  

ଘ) ନିଜର ପୋସ୍କୋ ବିରୋଧୀ ସ୍ଵର ହେତୁ କମ୍ପାନୀ, ରାଜ୍ୟ ସରକାର ଓ ପୋସ୍କୋ ସମର୍ଥକଙ୍କ ଦ୍ଵାରା ଅନେକ କେସ ଅଞ୍ଚଳବାସୀଙ୍କ ଉପରେ ଲଦିଦିଆଯାଇଛି । ଏବେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଖର୍ଚ୍ଚରେ ବାରମ୍ବାର କୋର୍ଟର ଦ୍ଵାରସ୍ଥ ହୋଇଆସୁଛନ୍ତି । ଏହାକୁ କଣ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଶାନ୍ତିପୂର୍ଣ୍ଣ ବିକାଶ କୁହାଯିବ ? ସେହି ସବୁ କେସ ପ୍ରତ୍ୟାହାର କରାଯିବ ଜରୁରୀ ।



ନାଗରିକ ଅଧିକାରର ହରଣ ?


ନାଗରିକ ଅଧିକାରର ହରଣ ?
ସିଏଏ + ଏନଆରସି + ଏନପିଆର
ସାରା ଦେଶରେ ସିଏଏ ଓ ଏନଆରସିକୁ ନେଇ ବିରୋଧ ବ୍ୟାପକ ରୂପନେଉଛି । କିନ୍ତୁ ଓଡିଶାରେ ଏହାର ବିପକ୍ଷରେ ପ୍ରତିକ୍ରିୟା ଅତି ଗୌଣ । ଏହି ଧାରଣାମାନଙ୍କରେ ସ୍ଵତଃସ୍ଫୁର୍ତ୍ତତା କମ ରହିବା ଓଡିଶାରେ ମାନବିକ ଅଧିକାର ଆନ୍ଦୋଳନର ଦୁର୍ବଳତାକୁ ଦର୍ଶାଉଛି କି?  ବାମପନ୍ଥୀ ଆନ୍ଦୋଳନ ମଧ୍ୟ ?
ଏହା କଣ ସତ କଥା ଯେ ଓଡିଶାର ଖବରକାଗଜମାନେ ସରକାରୀ ଗଣମାଧ୍ୟମ ହୋଇଯାଇଛନ୍ତି ? ଏବେ ବି ସିଏଏ ଓ ଏନଆରସିର ପ୍ରଭାବ ସମ୍ପର୍କରେ ସେମାନେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଭରସା କରୁଛନ୍ତି ?
ବାରମ୍ବାର ଗୃହମନ୍ତ୍ରୀ କହିସାରିଛନ୍ତି ଯେ ଆଗ ସିଏବି (ଏବେ ଆଇନ ହୋଇଗଲାଣି ) ଆସିବ ଓ ପରେ ଦେଶ ବ୍ୟାପୀ ଏନଆରସି କରାଯିବ । ଏହାର ଯଥାର୍ଥାତା କଣ ?
ନୂତନ ନାଗରିକ ଆଇନ ଆଜି ପର୍ଯ୍ୟନ୍ତ ଚାଲିଆସିଥିବା ପାସପୋର୍ଟ ଆଇନ 1920 ଓ ଫରେନର୍ସ ଆକ୍ଟ 1946ରେ ବାଦ ପଡିଥିବା “ବିଦେଶୀ ନାଗରିକଙ୍କୁ” ଗଲା 2015 ଓ 2016 ମସିହାରେ ନୋଟିଫିକେସନରେ ସେମାନଙ୍କୁ ନାଗରିକତା ପ୍ରଦାନ ଲାଗି ଅନୁମତି ଦେଇଥିଲେ । ତେଣୁ ବର୍ତ୍ତମାନ ଏହି ନୂତନ ନାଗରିକ ଆଇନ 2019 କଣ ଆବଶ୍ୟକତା ଥିଲା ?
ପୁଣି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ସେଠାର ସଂଖ୍ୟାଲଘୁ ଯେ ଧାର୍ମିକ ହିଂସାର ଶିକାର ହୋଇ ଭାରତ ଆସିଛନ୍ତି ସେକଥା ସରକାର ଜାଣିବେ କେମିତି ? ପଡୋଶୀ ଦେଶର ସହିତ ଏହାର ଅନୁସନ୍ଧାନ ଲାଗି କୌଣସି ବୁଝାମଣା ତ ହୋଇନାହିଁ ?

ନାଗରିକ ବିଲ ସମ୍ପର୍କିତ ଆଲୋଚନା ସମୟରେ ପାର୍ଲାମେଣ୍ଟରେ ଗୃହମନ୍ତ୍ରୀ ଦୁଇଟି କଥାକୁ ସ୍ଵୀକାର କରୁଛନ୍ତି
ପ୍ରଥମରେ, ସରକାରଙ୍କ ପାଖରେ ପ୍ରକୃତରେ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ 2014 ମସିହା ମଧ୍ୟରେ କେତେ ଲୋକ ଆସିଛନ୍ତି ସେ ତଥ୍ୟ ନାହିଁ ସରକାର ଏମିତି ଦିନେ ବିମୁଦ୍ରାକରଣ କ୍ଷେତ୍ରରେ ଭୁଲ କରିଥିଲେ । ସରକାର ଜାଣିନଥିଲେ ଯେ ପ୍ରକୃତରେ କେତେ ଜଲନୋଟ ଦେଶରେ ରହିଥିଲା । ଅଥଚ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଲେ । କେତେ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ
ଦ୍ଵିତୀୟରେ ସରକାର ଏହା ସ୍ଵୀକାର କରୁଛନ୍ତି ଯେ ଦେଶର ସମସ୍ତ ଲୋକଙ୍କୁ ନିଜକୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ ଭାରତୀୟ । ତେବେ ଯାଇ ଅନୁପ୍ରବେଶକାରୀଙ୍କୁ ଧରାଯାଇପାରିବ ବୋଲି ସରକାର ଯୁକ୍ତି କରିଛନ୍ତି ।
କିନ୍ତୁ କିଏ ଅନୁପ୍ରବେଶକାରୀ ତାହା ସରକାର ନଜାଣି ସମସ୍ତ ନାଗରିକର ନାଗରିକତ୍ଵକୁ ଛଡାଇ ନେବାର ପ୍ରାୟାସ କରିବା ହିଁ ଏନଆରସି । ଏହି ହେତୁ ଏନଆରସି ସରକାରଙ୍କ ପାଇଁ ଜରୁରୀ ।

ଏହା ସହିତ ଆମେ ଭୁଲିଯିବାନି କବୀରଙ୍କ ସେହି ଦୋହେ ଯାହାର ସମ୍ବିଧାନ ସହିତ ସିଧା ସମ୍ପର୍କ ରହିଛି ।
ଏକୈ ପବନ ଏକ ହୀ ପାନୀ, ଏକ ଜ୍ଯୋତି            ସଂସାରା
ଏକ ହୀ ଖାକ ଘଡେ ସବ ଭାଡେ, ଏକ ହି ସିରଜନହାର ।
(ସମସ୍ତେ ଏକା ପାଣି ପବନରେ ବଞ୍ଚିଛନ୍ତି । ସମସ୍ତେ ଏକା ମାଟିରେ ଗଢା। ସମସ୍ତଙ୍କ ଦେହରେ ଗୋଟିଏ ପ୍ରକାରର ଅସ୍ଥି ଓ ମଜ୍ଜା ରହିଛି )
Article 14 of India Constitution. : The State shall not deny to any person equality before the law or the equal protection of the laws within the territory of India."
କବିର, ନାନକ, ସୁର ଦାଶ ଓ ଭକ୍ତି ଆନ୍ଦୋଳନର ଅନେକ ସନ୍ଥଙ୍କ ପ୍ରଭାବ ଭାରତୀୟ ସମ୍ବିଧାନରେ ପଡିଛି । ଭାରତୀୟତା ସେହି ପ୍ରଭାବ ମଧ୍ୟରୁ ତିଆରି ହୋଇଛି । ଆମେ ହୁଏତ ଚେଷ୍ଟା କରିଥିଲେ ରବୀନ୍ଦ୍ର ନାଥ ଠାକୁରଙ୍କ ବିଶ୍ଵ ମାନବତା ଆଡକୁ ଯାଇପାରିଥାନ୍ତେ । କିନ୍ତୁ ଶାସକଙ୍କ ଶଙ୍କିର୍ଣ୍ଣତା ଆମକୁ ବିଭାଜିତ କରୁଛି । ଆଜି ଗୋଲୱାଲେକରଙ୍କ ଶିଷ୍ୟମାନେ ବିଭାଜନରେ ଲାଗିଛନ୍ତି ।  

ଏବେ ନାଗରିକ ସଂଶୋଧନ ଆଇନ ବଳରେ ସରକାର କାହାକୁ ନାଗରିକର ଅଧିକାର ପ୍ରଦାନ କରିବେ ତାହା ସରକାର ସ୍ଥିର କରିବେ । ନାଗରିକତ୍ଵ କଦାପି ଏକ ଦୟା ନୁହେଁ ଏକ ଅଧିକାର । ଭାରତୀୟ ସମ୍ବିଧାନ ଠାରୁ ଜାତିସଂଘ ପର୍ଯ୍ୟନ୍ତ ଏହାକୁ ସ୍ଵୀକାର କରାଯାଇଛି ଯେ ଦେଶର ସୀମା ମଧ୍ୟରେ ଜନ୍ମ ହୋଇଥିବା ମଣିଷ ସେହି ଦେଶର ନାଗରିକ । କିନ୍ତୁ ଏହାକୁ ମଧ୍ୟ ଏବେ ସରକାର ଅସ୍ଵୀକାର କରୁଛନ୍ତି।
ନାଗରିକ ସଂଶୋଧନ ଆଇନ, 2019 ବା ସିଏଏ ଲାଗୁ କରିବା ଲାଗି ଏନଆରସି ଜରୁରୀ । ଗୋଟେକୁ ଛାଡି ଅନ୍ୟକୁ ଆପଣାଇବା ସମ୍ଭବ ନୁହେଁ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଯେ ସିଏଏ ଗ୍ରହଣୀୟ ଅଥଚ ଏନଆରସି ନୁହେଁ, ଏହା ଅସମ୍ଭବ । ମୁଖ୍ୟମନ୍ତ୍ରୀ ଆମକୁ ମିଛ କହୁଛନ୍ତି ।    
ଦେଶସାର ଏନଆରସି କରାଗଲେ ଗୋଟେ ଦିନ କେନ୍ଦ୍ରସରକାର ହଠାତ ଘୋଷଣା କରିବେ ଯେ ଦେଶର ସମସ୍ତ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଭାରତୀୟ ହେବାର ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହାର ଅର୍ଥ ସେହି ଦିନ ପର୍ଯ୍ୟନ୍ତ 130 କୋଟି ଭାରତୀୟ ପ୍ରକୃତରେ ରାଷ୍ଟ୍ରହୀନ ହୋଇଯିବେ । ସେମାନେ ଭାରତରେ ଜନ୍ମ ହେବା ଯଥେଷ୍ଟ ହେବ ନାହିଁ ଯାହାକୁ ଡୋମିସାଇଲ କୁହାଯାଏ ।
ଏହା ଆସାମରେ ହୋଇସାରିଛି
Indian Citizenship Act, 2003 says, "14A. Issue of national identity cards.-(1) The Central Government may compulsorily register every citizen of India and issue national identity card to him. (2) The Central Government may maintain a National Register of Indian Citizens and for that purpose establish a National Registration Authority.
ଏହା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପାସ ହୋଇଥିଲା ।
 ଯେତେବେଳେ ଯାଏଁ ସମସ୍ତ ଲୋକ, ଚାହେଁ ହିନ୍ଦୁ ଅଥବା ମୁସଲମାନ, ନିଜକୁ ଭାରତୀୟ ହେବାର ପ୍ରମାଣ ଦେଇପାରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ସରକାରୀ କାମରେ ଭାଗ ନେଇପାରିବେ ନାହିଁ । ପ୍ରଥମରେ ସେମାନଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ ଏହି ଦେଶର ନାଗରକ ।
ଏହି ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା ଲାଗି ଏନପିଆର ବା ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ହେଲା ।
ସରକାରୀ ୱେବସାଇଟ My Identity My prideରେ କୁହାଯାଉଛି ଯେ The creation of National Population Registrar (NPR) is the first step towards the preparation of NRIC (National Registration of Indian Citizen) ବା ସର୍ବଭାରତୀୟ ଏନଆରସି।
ଏହି ଏନପିଆର ଲାଗି ଏକକାଳୀନ ସମସ୍ତ ପରିଚୟ ପତ୍ର ଯଥା ଡ଼ିଏଲ, ଭୋଟର କାର୍ଡ, ଆଧାର, ବ୍ଯାଙ୍କ ପାସବୁକ ଇତ୍ୟାଦିରେ ବ୍ଯକ୍ତିର ନାମ, ପିତାଙ୍କ ନାମ ଓ ଗାଁର ନାମ ସମାନ ରହିଥିବା ଜରୁରୀ ଓ ସେ ସବୁଥିରେ ବନାନ ମଧ୍ୟ ସମାନ ରହିଥିବା ଜରୁରୀଦେଶରେ କେତେ ଲୋକ ଏଭଳି ଥିବେ ଯେଉଁମାନେ ସମସ୍ତ ପରିଚୟ ପତ୍ରରେ ନିଜର ନାମ, ବାପାଙ୍କ ନାମ ଓ ଗାଁର ନାମ ଠିକ ଲେଖିଥିବେ ?
ଏହାପରେ ସମଗ୍ର ଦେଶବାସୀ ଲାଗି ପଡିବେ ଭାରତୀୟ ହେବାର ପ୍ରମାଣପତ୍ର ଯୋଗାଡ କରିବାରେ । ଏଥିପାଇଁ ବହୁତ ଏଜନ୍ସି ଖୋଲିଯିବ ଓ ଲୋକେ ଖର୍ଚ୍ଚାନ୍ତ ହେବେ । ଲୋକେ ସରକାରଙ୍କ ଏଭଳି ଅଯଥା ଉଦ୍ୟମ ପ୍ରତି ବିରକ୍ତି ପ୍ରକାଶ ନକରି ମୁସଲମାନ ବିରୁଦ୍ଧରେ ବିଶୋଦଗାର କରିବେ । ସରକାର ଏହା ଚାହାନ୍ତି ।
ଏହି ଭାରତ ଭୂଖଣ୍ଡରେ ଥିବା ସାତଟି ଦେଶରେ ଥିବା ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ, ପାର୍ସି ଓ ଆଦିବାସୀଙ୍କ ମଧ୍ୟରୁ କାହାରିକି ବାଦ ଦେଇ ଏହି ଭୂଖଣ୍ଡର ଭବିଷ୍ୟତ କଳ୍ପନା କରାଯାଇନପାରେ ।
 
କିନ୍ତୁ ଏନପିଆରରେ ନିଜର ପରିଚୟ ପତ୍ର ଯଥେଷ୍ଟ ନୁହେଁ । ବ୍ୟକ୍ତିକୁ ଡ଼ିଏଲ, ଆଧାର ଇତ୍ୟାଦି ପରେ ପ୍ରମାଣ ଦେବାକୁ ହେବ ଯେ ସେ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ବାପା କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ଓ ଘରର ତିନି ପୀଢିର ଲୋକଙ୍କ ଜନ୍ମ ତାରିଖ କଣ ଥିଲା । ଏହାକୁ ଏନପିଆର ରେ କୁହାଯାଉଛି ଲିଗାଲ ଡକ୍ୟୁମେଣ୍ଟ ।
ଏହି ଲିଗାଲ ଡକ୍ୟୁମେଣ୍ଟ ସବୁ ଦେବା ପାଇଁ ଜାତୀୟ ଜନସଂଖ୍ୟା ପଞ୍ଜିକା ବା ଏନପିଆର ପ୍ରକ୍ରିୟା ଆସିଛିଏନପିଆର ଏକ ଗୃହ ମନ୍ତ୍ରଣାଲୟ କାର୍ଯ୍ୟକ୍ରମ ଯେଉଁଠି 130 କୋଟି ଲୋକଙ୍କ ସମସ୍ତ ତଥ୍ୟ (ଭୋଟର କାର୍ଡ ନମ୍ବର, ଡ଼ିଏଲ ନମ୍ବର, ଆଧାର ନମ୍ବର, ପିତା ଓ ମାତା, ଜନ୍ମ ତାରିଖ ଓ ସ୍ଥାନ ଇତ୍ୟାଦି ) ସଂଗ୍ରହ କରାଯିବ ଏ ସମସ୍ତ ତଥ୍ୟ ସରକାର ନିଜ ୱେବସାଇଟରେ ମହଜୁଦ ରଖିବେ ।
ଯିଏ ନିଜର ଜନ୍ମ ସ୍ଥାନ ପ୍ରମାଣ କରିନପାରିଲା ତେବେ ଏନପିଆର ଅନୁସାରେ ସେ Doubtful Citizen ବା ସନ୍ଦେହୀ ନାଗରିକ ତାଲିକାରେ ରହିବେ । ଏହା ପରେ ସେ ସରକାରୀ ଅନୁଷ୍ଠାନକୁ ଯାଇ ପ୍ରମାଣିତ କରିବେ ସେ ସନ୍ଦେହୀ ନାଗରିକ ନୁହନ୍ତି ।
ଏଥିଲାଗି ନିଜର  ପଡୋଶୀ ବା ରାଜ୍ୟର କେହି ବି ଯଦି ଅଭିଯୋଗ କରେ ଯେ ସେହି ବ୍ୟକ୍ତିର ଜନ୍ମ ସ୍ଥାନ ସନ୍ଦେହଜନକ ତେବେ ଆପଣଙ୍କୁ ବିଦେଶୀ ନାଗରିକ କୋର୍ଟରେ (Foreigners’ Tribunal)  ଦିନ ଦିନ ଧରି ଧାଡିରେ ଠିଆ ହୋଇ ବିଚାରର ସାମ୍ନା କରିବାକୁ ହେବ ଓ ପ୍ରମାଣିତ କରିବାକୁ ହେବ ଯେ ଆପଣ ଏହି ଦେଶର ନାଗରିକ ।
ଏହି ହେତୁ ସିଏଏ, ଏନଆରସି ଓ ଏନପିଆର ପରସ୍ପର ଜଡିତ ।
 ଏବେ ନାଗରିକ ହେବାର ଅଧିକାର କିଏ ହରାଇବ?
ପ୍ରଥମରେ ପ୍ରମାଣପତ୍ର ରେ ଅମେଳ ରହିଲେ ତାଲିକାରୁ ବାଦ ଦିଆଯିବ ।
ଦ୍ବିତୀୟରେ ଯେଉଁମାନେ ନିଜର ଜନ୍ମିତ ଗାଁରେ ନିଜର କିଛି ଜମି ନିଜର ନାମ ବା ବାପାଙ୍କ ନାମରେ ରଖିଥିବେ ଓ ସେମାନଙ୍କ ପ୍ରକୃତ ନାମର ବନାନ ସମାନ ଥିବା ତେବେ କୋର୍ଟରେ ତଥ୍ୟ ଦାଖଲ କରିବା ପରେ ସେମାନେ ତାଲିକାରେ ରହିବେ ନଚେତ ପଞ୍ଜିକାରୁ ବାଦ ପଡିବେ।
ତୃତୀୟରେ ଯେଉଁମାନେ କୌଣସି ବୃହତ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ହୋଇଛନ୍ତି (ଡ୍ୟାମ, ଖଣି ଓ କମ୍ପାନୀ ଦ୍ଵାରା) ଅଥବା ଗାଁ ଛାଡିଦେଇ ସହର ବସ୍ତିରେ ଅନେକ ପୀଢି ହେଲା ରହିଯାଇଛନ୍ତି ସେମାନେ ନିଜର ଜମି ପଟ୍ଟା କେଉଁଠାରୁ ପାଇବେ ଯେ ପ୍ରମାଣ କରିବେ ସେମାନେ ଭାରତୀୟ ?
ମାଲକାନଗିରିରେ ବାଲିମେଲା ଓ ଚିତ୍ରକୋଣ୍ଡା ଡ୍ୟାମ ଏପରିକି ସମ୍ବଲପୁର ହୀରାକୁଦ ବିସ୍ଥାପିତ ଯେଉଁମାନଙ୍କ ହାତରେ ଏବେବି କୌଣସି ପଟ୍ଟା ନାହିଁ ସେମାନେ ଯେ ବିଦେଶୀ ନପାଲଟିଯିବେ କିଏ କହିବ?
ଏପରିକି ନିଜ ମୂଳ ଗାଁ ଛାଡିଦେଇ ଚାଷବାସ ଲାଗି ଦୁଇ ପୀଢି ତିନି ପୀଢି ହେଲା ଆସି ରହିଥିବା ଗ୍ରାମବାସୀ ତାଙ୍କ ମୂଳ ଗାଁ ସହିତ ବା କି ସମ୍ପର୍କ ଥିବ ଯେ ସେଠାରୁ ସେମାନେ ନିଜ ଜନ୍ମ ପରିଚୟ ପାତ୍ର ଆଣିବେ ?
ଏହା କହିବା ମୁସ୍କିଲ ମାଲକାନଗିରି ବଙ୍ଗାଳୀ ପରିବାର ଓ କେନ୍ଦ୍ରାପଡାର ବଙ୍ଗାଳୀ ପରିବାରଙ୍କ ଭବିଷ୍ୟତ କଣ ହେବ ?
ଚତୁର୍ଥରେ ଦେଶରେ ଅନେକ ଭୂମିହୀନ ପରିବାର ଗ୍ରାମାଞ୍ଚଳରେ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ । ବହୁ ଆଦିବାସୀ ନିଜର ପୁରୁଣା ପୀଢିର ପଟ୍ଟାକୁ ଧରି ଏବେବି ଚାଷ କରି ଜୀବନ ବିତାଉଛନ୍ତି ସେମାନେ ହୁଏତ ଏନପିଆର ଓ ଏନଆରସିରେ ବାଦ ପଡିବେ । ନଚେତ ସେମାନଙ୍କୁ ନିଜ ଅର୍ଥ ଖର୍ଚ୍ଚ କରି ଲିଗାଲ ଡକ୍ୟୁମେଣ୍ଟ ତିଆରି କରିବାକୁ ହେବ ।
ପଞ୍ଚମରେ ରେ ପଡୋଶୀ ଦେଶରୁ ଚାଲିଆସିଥିବା ହିନ୍ଦୁ ଅଥବା ଅଣ-ମୁସଲମାନ ପରିବାର ଯେଉଁମାନଙ୍କ ଛୁଆ ଏହି ଦେଶରେ ଜନ୍ମ ହୋଇଛନ୍ତି ସେମାନେ ମଧ୍ୟ କେଉଁପରି ନିଜ ମୂଳ ଦେଶର ପ୍ରମାଣପତ୍ର ଯୋଗାଡ କରିବେ ?
ଏହା ସହିତ ହୁଏତ ଅଳ୍ପ କେତେକ ମୁସଲମାନ ବାଦ ପଡିବେ ।
ଆସାମରେ ତାଲିକାରୁ ବାଦ ପାଡିଥିବା ସମୁଦାୟ 19 ଲକ୍ଷ ଲୋକଙ୍କ ମଧ୍ୟରୁ 13 ଲକ୍ଷ ହିନ୍ଦୁ ବଙ୍ଗାଳୀ । ସେଥିରେ ପୁଣି 1, 50,000 କେବଳ ହିନ୍ଦୁ ବିବାହିତା ମହିଳା ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ବିହାର ଓ ପଶ୍ଚିମ ବଙ୍ଗରୁ ବିବାହ ପରେ ଆସିଯାଇଛନ୍ତି କିନ୍ତୁ ନିଜର ଜନ୍ମସ୍ଥାନର ପ୍ରମାଣ ପତ୍ର ଦେଇପାରିନାହାନ୍ତି ।
ଏହି ଭଳି କିଛି ଅଳ୍ପ ସଂଖ୍ୟକ ମୁସଲମାନଙ୍କ ବ୍ଯତୀତ ଅନେକ ଦଳିତ, ଆଦିବାସୀ, ବସ୍ତି ବାସିନ୍ଦା ଓ ଛାତ୍ର ମଧ୍ୟ ଉଭୟ ଏନପିଆର ଓ ଏନଆରସିରୁ ବାଦ ପଡ଼ିପାରନ୍ତି ।
ଯଦି ବି ଅନୁପ୍ରେବେଶକାରୀ ଚିହ୍ନଟ ହେଲେ ତେବେ ସେମାନେ ଯିବେ କୁଆଡେ ?
ପୁଣି ଏକ ଦେଶରେ ଯେତେବେଳେ ନାଗରିକ ସୁରକ୍ଷିତ ରହିବା ସେତେବେଳେ ସେ କଳା, ସାହିତ୍ଯ, ଖେଳ, ଅଭିନୟ, ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଗୁଣର ବିକାଶ ଘଟାଇପାରିବ । ସମାଜ ଓ ରାଷ୍ଟ୍ରର ଦାୟିତ୍ଵ ବ୍ୟକ୍ତିକୁ ସେ ଚାହୁଁଥିବା ସୁରକ୍ଷା ତାକୁ ଦେବା । କିନ୍ତୁ ହାଏ , ଏ କଣ ହେଉଛି ?
ଆସାମରେ 50,000 ସରକାରୀ କର୍ମଚାରୀ ରାତି ଦିନ ତିନି ବର୍ଷ କାଳ ଲାଗି ଯେଉଁ ଏନଆରସି ଲାଗୁ କଲେ ଓ ସରକାରୀ ଭାବରେ 1400 କୋଟି ଟଙ୍କା କିନ୍ତୁ ଅଣସରକାରୀ ଭାବରେ 4000 କୋଟି ଟଙ୍କା ଖର୍ଚ୍ଚ କଲା ସେଥିରେ 930 ଜଣ ଅନୁପ୍ରବେଶକାରୀଙ୍କୁ ବର୍ତ୍ତମାନ ରାଜ୍ୟ ସରକାର କ୍ୟାମ୍ପରେ ରଖିଛନ୍ତି। ତାହା ମଧ୍ୟ ଆମେ ଅମାନବୀୟ କହିବୁ। ସେମାନେ ମୁସଲମାନ ହୋଇଥିବା ହେତୁ ହିଁ ଆଜି କ୍ୟାମ୍ପରେ ଅଛନ୍ତି । ଏତେ ବର୍ଷ ପରେ ସେମାନେ ଯିବେ କୁଆଡେ?
ଆସାମରେ ଯେଉଁ 19 ଲକ୍ଷ ଲୋକ ପଞ୍ଜିକାରୁ ବାଦ ପଡିଲେ ସେଥିରେ 13 ଲକ୍ଷ ଲୋକ ହିନ୍ଦୁ ଜାଣିବା ପରେ ଏବେ ସରକାର ଆସାମରେ ଏନଆରସିକୁ ବାଦ ଦେଇ ସାରା ଭାରତରେ ଏନଆରସି ଲାଗୁହେବା କଥା କହୁଛନ୍ତି । ଆସାମରେ ଯଦି ଏହା ଏକ ସମସ୍ଯା ଥିଲା ତେବେ ଏନଆରସି ପରେ ତାହା ସରିଗଲା । ପୁଣି ସାରା ଦେଶକୁ ଏଥିପାଇଁ ଜାଳିବା କଣ ଦରକାର ? ତେବେ ଏନଆରସି ବ୍ୟଥୀତ ମଧ୍ୟ ଆସମରେ ସମସ୍ୟାର ସମାଧାନ ହୋଇଥାନ୍ତା । କିନ୍ତୁ ସେ ଦିଗରେ ଧ୍ୟାନ ଦିଆଗଲା ନାହିଁ ।
ସାରା ଦେଶରେ ପ୍ରଥମେ ଏନପିଆର ଓ ପରେ ଏନଆରସି କରାଗଲେ କୁହାଯାଉଛି ଏଥିଲାଗି 130 କୋଟି ଲୋକ ନିଜ ପକେଟରୁ ପ୍ରାୟ 4 ଲକ୍ଷ କୋଟି ଟଙ୍କା କେବଳ କାଗଜ ପତ୍ର ଲାଗି ଠିକ କରିବା ଲାଗି ଖର୍ଚ୍ଚ କରିବ? ତାପରେ ସେମାନେ ପାଇବେ କଣ?
ଧର୍ମ ଧର୍ମ ମଧ୍ୟରେ ବିବାଦ ଓ ଗୃହଯୁଦ୍ଧ ? ଏକ ସାମ୍ପ୍ରଦାୟିକ ସରକାର ସ୍ଥାୟି ପାଲଟିଯିବା ?
ମୁଁ ଜଣେ ଏହି ଦେଶର ନାଗରିକ । ଯଦି ମୋର ନାଗରିକ ହେବା ମୋ ଲାଗି ଭୟ ହୁଏ ତେବେ ସରକାର ତ ମହାନ ହୋଇଯିବେ ? ମୁଁ ତ ମନେକରିବି ଯେ ସରକାର ତାଙ୍କ ନିଜ ଦେଶରେ ଅନ୍ତତଃ ମୋତେ ସ୍ଥାନ ଦେଲେ ରହିବାକୁ !  
ଏହା ପରେ ଗଣତନ୍ତ୍ର ରହିବ ନା ତାହା ରାଜତନ୍ତ୍ରରେ ପରିଣତ ହୋଇଯିବ? ଆମେ ଏହା ପରେ ନିଜର ମଜୁରୀ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ସରକାରଙ୍କ ଠାରୁ ଦାବି କରିପାରିବ ତ?
ଏହା କଦାପି କେବଳ ମୁସଲମାନ ପ୍ରସଙ୍ଗ ନୁହେଁ । ଏହା ଆମ ସମସ୍ତଙ୍କ ପ୍ରସଙ୍ଗ ।
****
ଦେବ ରଞ୍ଜନ
debasar11@yahoo.co.in