Wednesday, April 22, 2020

କରୋନା ସମୟରେ ସାମ୍ପ୍ରଦାୟିକ ଭୂତାଣୁର ସଂକ୍ରମଣ



କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା: ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର ନୁହନ୍ତି) ଚିହ୍ନିତ କରିବା ଓ ମୁଖ୍ୟଧାରର ଅଧିକାଂଶ ଟିଭି ମିଡିଆ ଏହାକୁ ପୁନରାବୃତ୍ତି କରିବା ଏହି ସନ୍ଦେହକୁ ନିଶ୍ଚିତ ଭାବରେ ବଳିଷ୍ଠ କରିଦେଉଛି ଯେ ଯାହା କରାଯାଉଛି ତାହା କେବଳ ଏକ ସାମ୍ପ୍ରଦାୟିକ ପରିବେଶ ପାଇଁ ନୁହେଁ ତ?

            ବିଦେଶରୁ ଆସିଥିବା ଏହି ଭାଇରସକୁ କେବେ ଏନଆରଆଇ ଲିଙ୍କ ଅଥବା ପାସପୋର୍ଟ ଲିଙ୍କ ଭାବରେ ଆଖ୍ଯିତ କରାଯାଇନାହିଁ (ବା ସେଭଳି କରିବା ଉଚିତ ମଧ୍ୟ ନୁହେଁ) ଯଦିଓ ଏହା ପ୍ରାୟତଃ ସେହି ଧନିକ ବର୍ଗ ହିଁ ଏ ଦେଶକୁ ଆଣିଛନ୍ତି । କିନ୍ତୁ ମିଡିଆ ତବଲିଗ ଜମାତ ଘଟଣା ପରଠାରୁ ହଠାତ ମୁସଲମାନଙ୍କୁ ଲକ୍ଷ୍ୟ କରିବା ଆରମ୍ଭ କରିଦେଲେ । ଗଣମାଧ୍ୟମର ଭୂମିକାକୁ ସମୀକ୍ଷା କରିବା ସମୟରେ ଉଦାହରଣ ଭାବରେ ଉତ୍ତର ଭାରତର ବହୁଳ ପ୍ରସାରିତ ଦୈନିକ ଜାଗରଣ ଖବରକାଗଜକୁ ନିଆଯାଇପାରେ ।

             ଦୈନିକ ଜାଗରଣର ଦିଲ୍ଲୀ ସଂସ୍କରଣରେ ପନ୍ଦର ଦିନ ମଧ୍ୟରେ (ମାର୍ଚ୍ଚ 28 ରୁ ଏପ୍ରିଲ 11) ତବଲିଗ ଜମାତ ସମ୍ପର୍କିତ ଖବରର ଏକ ସମୀକ୍ଷା ଦିଲ୍ଲୀର ଶୋଏବ ଡାନିଏଲ କରିଥିଲେ । ସେହି ପନ୍ଦର ଦିନର  ଦୈନିକ ଜାଗରଣରେ 171ଟି ଷ୍ଟୋରି, ଆଠଟି ସମ୍ପାଦକୀୟ, ପାଞ୍ଚଟି କାର୍ଟୁନ ଓ ଗୋଟିଏ ସଂପୂର୍ଣ୍ଣ ପୃଷ୍ଠାର ଲେଖା ପ୍ରକାଶ ପାଇଥିଲା । ଏ ସମସ୍ତ ଲେଖାର ଭାଷା ଥିଲା ଅତ୍ୟନ୍ତ ସମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ । ଦୈନିକ ଜାଗରଣ  ଖବରକାଗଜ ହିନ୍ଦୀ ଭାଷୀ ଅଞ୍ଚଳରେ ସର୍ବାଧିକ ପାଠକ ଥିବା ଦାବି କରେ । ଏହି ସମୀକ୍ଷା ଦି ପ୍ରିଣ୍ଟ ଓ କାଉଣ୍ଟର କରେଣ୍ଟସରେ ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରେସ କାଉନସିଲ ଓ ଇଣ୍ଡିଆ, ସଂଖ୍ୟାନ୍ୟୁନ କମିଶନ, ମାନବିକ ଅଧିକାର କମିଶନ ଓ ଦିଲ୍ଲୀ ପୁଲିସ ଏହି ଖବରକାଗଜକୁ ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ ଅଭିଯୋଗରେ କୌଣସି ପଦକ୍ଷେପ ନେଇନାହାନ୍ତି କିନ୍ତୁ ସରକାରଙ୍କ ଦ୍ଵାରା ସାମ୍ପ୍ରଦାୟିକ ଭାବନାର ପ୍ରଚାର କରାଯାଉଥିବାକୁ ବିରୋଧ କରିବା ହେତୁ ଉତ୍ତର ପ୍ରଦେଶ ସରକାର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରିବା ଓ ଅନେକଙ୍କୁ ନୋଟିସ କରିବା ଆରମ୍ଭ କରିଛନ୍ତି ତାହା ପୁଣି ଏହି ଲକ ଡାଉନର ସମୟରେ । 

            ଓଡିଶାର ପ୍ରକାଶିତ ଖବରକାଗଜ ଓ କେତେକ ଟିଭି ଚ୍ଯାନେଲ “ନିଜାମୁଦ୍ଦିନ ଲିଙ୍କ” ସମ୍ବନ୍ଧରେ ସେହି ସମ୍ପ୍ରଦାୟିକ ଭାବନା ଉଦ୍ରେକକାରୀ ଭାଷା ଏଭଳି ବ୍ୟବହାର କରୁଥିଲେ ଯଦି କେହି ତାହାର ମଧ୍ୟ ସମୀକ୍ଷା କରିଥାନ୍ତା ତେବେ ସେହି ସମାନ ତଥ୍ୟ ହୁଏତ ପାଇଥାନ୍ତା ।

            କେନ୍ଦ୍ର ସରକାରଙ୍କ ନିୟମିତ “ନିଜାମୁଦ୍ଦିନ ଲିଙ୍କ”ର ଠାବ ଓ ଗଣମାଧ୍ୟମର ଭାଷା ସାଧାରଣ ଜନମାନସକୁ ମଧ୍ୟ ପ୍ରଭାବିତ କରିଦେଲା । ବିଜେପିର କେତେକ ଏମଏଲଏ ଏହାକୁ କରୋନା ଜେହାଦୀ କହିବା ସତ୍ବେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବିରୋଧ କରାଯାଇନଥିଲା । (ଏବେ ମହାରାଷ୍ଟ୍ର ଓ ଗୁଜୁରାଟରେ ସଂକ୍ରମଣଙ୍କ ସଂଖ୍ୟା ବଢିବା ପରେ ଏହାକୁ କଣ କହିବେ?) ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁସଲମାନ ବ୍ୟକ୍ତିଙ୍କୁ ଲୋକେ ସନ୍ଦେହ କଲେ, ଆବଶ୍ୟକୀୟ ପଦାର୍ଥ ସେମାନଙ୍କ ହାତରୁ ନେବା ଲାଗି ମନା କରିଦେଲେ ଓ   କେଉଁଠି କେଉଁଠି ଆକ୍ରମଣ ମଧ୍ୟ କରିଦେଲେ ।
            ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ଓ ବହୁଳ ପ୍ରସାରିତ ଗଣମାଧ୍ୟମ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ ସମ୍ବନ୍ଧଟିଏ ବହୁ ସମୟରେ ଦେଖିବାକୁ ମିଳିଥାଏ । ଏହା ଭାରତୀୟ ଗଣତାନ୍ତ୍ରିକ ସମାଜ ଲାଗି ଆଦୌ ଶୁଭ ସୂଚନା ନୁହେଁ । ନା ତବଲିଗ ଜମାତ ସମୁଦାୟ ମୁସଲମାନଙ୍କ ପ୍ରତିନିଧିତ୍ଵ କରୁଛି ନା ଯାହା ଜମାତରେ ହେଲା ତାହା ପଛରେ ସାଧାରଣ ମୁସଲମାନ ବ୍ଯକ୍ତିର କୌଣସି ଭୂମିକା ରହିଛି ।  ଜମାତର ନିଷ୍ପତ୍ତି ପଛରେ ଏହାର କର୍ମକର୍ତ୍ତା ଯେମିତି ଦାୟୀ ସେହିପରିମାଣରେ ଦିଲ୍ଲୀ ରାଜ୍ୟସରକାର ଓ କେନ୍ଦ୍ର ସରକାର ମଧ୍ୟ ଦାୟୀ।

             କରୋନା ଦ୍ଵାରା ସବୁଠାରୁ ଅଧିକ ଆକ୍ରାନ୍ତ ଚୀନ ଓ ଇରାନର ସୀମା ସହିତ ଜଡିତ ଥିବା ହେତୁ ଉଭୟ ବଙ୍ଗଳାଦେଶ ଓ ପାକିସ୍ତାନ ଅଧିକ ସଂବେଦନଶୀଳ ଦେଶ । ଉଭୟ ଦେଶ ଆଜି ସଂପୂର୍ଣ୍ଣ ଲକ ଡାଉନ ସ୍ଥିତିରେ । ଆଜି ଭାରତୀୟ ମିଡିଆ ଯେଉଁ ତବଲିଗ ଜମାତକୁ ଦୋଷୀ କରୁଛି ସେହି ଜମାତ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡରର ସ୍ଥାନ ନେଇଛି । ଏହି ଜମାତ କରାଚିରେ ମାର୍ଚ୍ଚ ମାସରେ ଏକ ବିରାଟ ସମ୍ମିଳନୀ କରିଥିଲେ ଓ ଏହି କରାଚି ଅନ୍ତର୍ଗତ ପଞ୍ଜାବ ପ୍ରଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଦେଖାଯାଉଛନ୍ତିଏବେ ବଙ୍ଗଳାଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଏସିଆରେ ସର୍ବାଧିକ ଗତିରେ ବଢୁଛି ।  ଭାରତୀୟ ମିଡିଆରେ ସେସମ୍ପର୍କରେ କେବେ କେଉଁଠି ଆଲୋଚନା ହେଉନାହିଁ । କିନ୍ତୁ ଆପଣଙ୍କ ମନେଥିବା ଭାରତୀୟ ହିନ୍ଦୀ ଓ ଇଂରାଜୀ ଟିଭି ଚ୍ୟାନେଲେ କେଉଁଭଳି ପାକିସ୍ତାନର କେଉଁ ପ୍ରାନ୍ତର ଛୋଟ ଘଟଣାଟିକୁ ବି ଏକ ମୁସଲମାନ ବିରୋଧୀ ରଙ୍ଗ ଦେଇ ପ୍ରତିଦିନ ଘଣ୍ଟାଘଣ୍ଟା ସମୟ ପ୍ରସାରିତ କରୁଥିଲେ

            ଗଲା ଏପ୍ରିଲ 12 ତାରିଖରେ ପ୍ରକାଶିତ ବିଶ୍ଵ ବ୍ୟାପୀ କରୋନା ବିପକ୍ଷରେ ସୁରକ୍ଷିତ ପ୍ରଥମ ଚାଳିଶଟି ଦେଶମାନଙ୍କ ତାଲିକାରେ  ଭାରତ ନା ପାକିସ୍ତାନ ନା ଶ୍ରୀଲଙ୍କା ନା ବଙ୍ଗଳାଦେଶ କେହିନାହାନ୍ତି (ଯଦିଓ ଜର୍ମାନୀ ଓ ଏସିଆ ଦେଶ ମଧ୍ୟରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ୟୁନିଟେଡ ଆରବ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଅଛନ୍ତି।) ଏହା ଆମର ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ବା ପବ୍ଲିକ ହେଲ୍ଥ  ସିଷ୍ଟମର ଦୁର୍ବଳତାକୁ ଦର୍ଶାଉଛି ।

କରୋନା ଆତଙ୍କ ସତେରେ ମୁସଲମାନ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଏହି ଦେଶରେ କରାଯାଇଛି କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ କହିବ କିନ୍ତୁ ଏହି ସମୟରେ ସାମ୍ପ୍ରଦାୟିକ ବାତାବରଣ ତିଆରି କରିବାକୁ ଯେତେ ଦୃଢ ଭାବରେ ନିନ୍ଦା କଲେ ବି କମ ପଡିବ । ଆଜି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଉପଯୁକ୍ତ ଉପକରଣର ଅଭାବ, ଅସୁରକ୍ଷିତ ଭବିଷ୍ୟତ ସତ୍ବେ ଏ ଦେଶର ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ (ଡାକ୍ତରଙ୍କ ଠାରୁ ଆଶକର୍ମୀଙ୍କ ପର୍ଯ୍ୟନ୍ତ) ଯେଉଁ ମାନବିକତା ନେଇ ଆମର ସମଗ୍ର ସମାଜକୁ ବଞ୍ଚାଇବାରେ ଲାଗିଛନ୍ତି ତାହାକୁ ପ୍ରଶଂସା ନକରି ରହିହେବନି । ସେହି ମାନବିକତା ଓ ସାମାଜିକ ଭାବନା ବ୍ଯକ୍ତିର ଶୈଶବାରୁ ଆସିଥାଏ ଓ ସେଥିଲାଗି ସେମାନଙ୍କ ପିତାମାତା ଓ ସମାଜ ନିଶ୍ଚେ ପ୍ରଶଂସିତ ହେବା ଉଚିତ । କୌଣସି ବ୍ଯକ୍ତିର ନେତୃତ୍ଵ ନୁହେଁ ବରଂ ସେହି ସଂବେଦନଶୀଳ ସମାଜ କିପରି ବଞ୍ଚିରହିବ ଦେଶବାସୀ ବରଂ ସେ ଦିଗରେ ସଚେତନ ହେବା ଜରୁରୀ ।

ଦେବ ରଞ୍ଜନ

ବିପତ୍ତିର ଅନ୍ତରାଳେ ଏକି ଅହଂକାର



ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା । କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ । 

ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ । ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ । ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା । କିନ୍ତୁ ଧନିକଗୋଷ୍ଠୀର ରାଜନୈତିକ ପ୍ରଭାବ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ।

ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ ଜାହାଜର କ୍ଯାପଟେନ ନିଜର ଜିନିଷ କେବଳ ଜାହାଜରୁ ଓହ୍ଲାଇ ଦେଇଥିଲେ ଓ ସେହିଥିରେ ଥିବା ସଂକ୍ରମିତ ମୂଷା ଇଉରୋପର ଅଧା ଜନସଂଖ୍ୟାକୁ ନଷ୍ଟ କରିଦେଇଥିଲା । ଶାସକ କ୍ଵଚିତ ନିଜର ଭୁଲ ସ୍ଵୀକାର କରିଥାନ୍ତି । କେବଳ ବିତିଯାଇଥିବା ଦିନର କଥା ନୁହେଁ, ଆମେରିକା ଅଥବା ଇଉରୋପରେ ଅଟକି ଥିବା ଧନୀ ରାଜନୈତିକ ପ୍ରଭାବଶାଳୀ ବର୍ଗ ଆସନ୍ତା କାଲି ଯେବେ ରାଜ୍ୟର ରାଜଧାନୀମାନଙ୍କୁ ଫେରିବେ ସେତେବେଳେ ପୁଣି ସ୍ଥିତି କଣ ହେବ ? ବ୍ୟକ୍ତିଗତ ସମ୍ବନ୍ଧ ଆଗରେ ଆଜିର ଦେଶପ୍ରେମ ଫିକା ପଡିଯିବନି ତ? ଜାତୀୟ ସ୍ତରର ପ୍ରତିଶତ ହାରରେ ଓଡିଶା ଆଜି କମ ଦେଖାଯାଉଥାଇପାରେ ମାତ୍ର ଏହା ସ୍ଥିର ନୁହେଁ ।  

ବିଶ୍ଵରେ କ୍ଵଚିତ ଦେଶ ଅଛନ୍ତି ଯେଉଁମାନେ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି । ହୁଏତ ଇଟାଲୀ ଓ ସ୍ପେନକୁ ବାଦ ଦେଲେ ଇଉରୋପର ଅନ୍ୟ କୌଣସି ଦେଶ ସଂପୂର୍ଣ୍ଣ ଲକ ଡାଉନ କରିନାହାନ୍ତି । ଦକ୍ଷିଣ କୋରିଆ ଲକ ଡାଉନ ବଦଳରେ କେବଳ ଅଧିକ ସଂଖ୍ଯାରେ ଟେଷ୍ଟିଙ୍ଗକୁ ଆପଣାଇନଥିଲେ ସଫଳତା ପାଇନଥାନ୍ତା କି ଉତ୍ତର କୋରିଆ ନିଜର ଚୀନ ସୀମାକୁ ସିଲ କରିନଥିଲେ ଓ ସମସ୍ତ ଦେଶଫେରନ୍ତାଙ୍କୁ ସଙ୍ଗରୋଧ ଗୃହକୁ ନେଇଯାଇନଥିଲେ ଏଥିରେ ସଫଳତା ପାଇନଥାନ୍ତେ । ଭାରତ ମାତ୍ର ଚାରିଘଣ୍ଟାରେ ଲକ ଡାଉନ ଘୋଷଣା କରି 33 ଲକ୍ଷ ବର୍ଗ କିଲୋମିଟରର ଏକ ଦେଶକୁ “ଦେଶର ହିତ ଲାଗି” ଏକ ଅଦୃଶ୍ୟ ଜେଲରେ ପରିଣତ କରିଦେଲା ଓ ସଂପୂର୍ଣ୍ଣ ଦେଶକୁ ଆଇନ ଶୃଙ୍ଖଳାରେ ବ୍ଯାହତ ହେବା ଆଶଙ୍କରେ ପୁଲିସବାହିନୀ ହାତକୁ ଟେକିଦିଆଗଲା । ଏ ସବୁ କେବଳ ଏକ ଯୁଦ୍ଧ ଲଢିବା ଲାଗି କରିଦିଆଗଲା ।

ସବୁ ରାଜ୍ୟ ଭଳି ଓଡିଶାରେ ମଧ୍ୟ ପ୍ରଶାସକମାନେ (ହୁଏତ ଦିଲ୍ଲୀ ଓ କେରଳ କିଛିତ ବ୍ୟତିକ୍ରମ) କାରୋନା ବିରୋଧୀ ଯୁଦ୍ଧର ମଙ୍ଗ ଧରିନେଲେ । ହୁଏତ ଆଜି ସାମୟିକ ଭାବରେ ଆମେ ଏହାର ସଂକ୍ରମଣକୁ ରୋକିପାରିଛୁ ଓ ଏହାର ଶ୍ରେୟ ତ ସେମାନଙ୍କୁ ନିଶ୍ଚିତ ଯିବ । କିନ୍ତୁ ସେମାନେ କ୍ଵଚିତ ମଣିଷକୁ ଦେଖଥାନ୍ତି । ସେମାନେ କାଗଜ ଓ ଅକ୍ଷର ଉପରେ ଗୁରୁତ୍ଵ ଦେଉଥିବା ଏକ ବର୍ଗ ଯେଉଁମାନେ ପୁଲିସର ଲାଠି ଓ ଗୁଳିକୁ ମଧ୍ୟ ନିଜ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ନେଇଥାନ୍ତି । ସେମାନଙ୍କ ପାଇଁ ରାଜ୍ୟବାସୀ କେବଳ ପରିସଙ୍ଖ୍ୟାନ ମାତ୍ରକାରୋନାର ସଂକ୍ରମଣକୁ ରୋକିବା ଏକ ଆହ୍ଵାନ ସତ । ଏହା ସହିତ ସମାଜର ଦୁର୍ବଳ, ଅତି ଦୁର୍ବଳ ବର୍ଗ ଏପରିକି ସ୍ଵାଧୀନ ଅର୍ଥନୀତି ବର୍ଗ (ସରକାରୀ ଚାକିରିଆ ନୁହନ୍ତି) ମଧ୍ୟ ଯେ କେଉଁଭଳି ଅସୁବିଧାରେ ନରହନ୍ତି ତାହାକୁ ମଣିଷଭାବରେ ଅନୁଭବ କରିବା ଓ ସେଥିଲାଗି ବ୍ୟବସ୍ଥାଗତ ସଂଶୋଧନ ତୁରନ୍ତ କରିବା ସମାନ ସମୟରେ ଜରୁରୀ ଥିଲା ।

ଲକ ଡାଉନ ଯେଉଁ ଦୟନୀୟ ସ୍ଥିତି ତିଆରି କଲା ତାହାର କାରଣ ମଧ୍ୟ ସେହି ପ୍ରଶାସକମାନେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ । ଏ ସମସ୍ତ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ଵହୀନ କରିଦେବା ସମାଜର ସମସ୍ଯାକୁ ଆହୁରି ବଢାଇଦେଇଛି । ଆମେ ଦେଖିବାରେ ଲକ ଡାଉନର ବେଶ କିଛି ସପ୍ତାହ ପରେ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟ ସରକାରଙ୍କୁ କିଛି ଲେଖିବା ପରେ ହୁଏତ କିଛି ଉଦ୍ୟମ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଛି ଯେମିତିକି ଛୋଟ ବ୍ୟବସାୟୀଙ୍କ ଲାଗି ଯାନବାହନ ବ୍ୟବହାରରେ କୋହଳ, ମନନେରଗାରେ କାର୍ଯ୍ୟ ଆରମ୍ଭ, ଚାଷ କାମ ଓ ମାଛ ଧରିବାକୁ ଅନୁମତି ଦେବା, ଜଙ୍ଗଲ ଜାତ ଦ୍ରବ୍ଯ ଲାଗି ଆଦିବାସୀଙ୍କ ସୁବିଧା ଲାଗି ବହୁତ ବିଳମ୍ଭରେ ପଦକ୍ଷେପ ନେବା ଇତ୍ୟାଦି । ବିଭିନ୍ନ ସହରରେ ଦୋକାନ ସବୁ ବନ୍ଦ ହେବା ହେତୁ ଛୋଟ ବ୍ୟବସାୟୀଙ୍କ ଅବସ୍ଥା, ଖଣି ଠାରୁ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ  ସବୁଠି କାର୍ଯ୍ୟରତ ଠିକା ଶ୍ରମିକ, ବିଭିନ୍ନ ପ୍ରାଇଭେଟ ଅନୁଷ୍ଠାନ ଓ ପ୍ରାଇଭେଟ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ, ଆଉଟ ସୋର୍ସିଙ୍ଗ କର୍ମଚାରୀ, ପରିବା ଓ ଫଳ ଚାଷୀଙ୍କ ଜିନିଷର ବଜାର ସୃଷ୍ଟି, ଗାଡି ଚାଳକଙ୍କ ଇତ୍ଯାଦିଙ୍କ ସମସ୍ଯା ସମ୍ପର୍କରେ ଏବେ ବି ସରକାର ନୀରବ ।

ଏଭଳି ଦୁର୍ଦ୍ଦିନରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯେଉଁମାନଙ୍କର ଅନ୍ତତଃ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହିତ କିଛି ସମ୍ବନ୍ଧ ରହିଛି ସଂପୂର୍ଣ୍ଣ ଅଣଦେଖା କରାଯିବା ହେତୁ, ସରକାର ଓ ଲୋକଙ୍କ ମଧ୍ୟରେ ପ୍ରାଚୀର ଆହୁରି ବିଶାଳ ହେବାରେ ଲାଗିଛି ସେହିଭଳି ବିଭିନ୍ନ ସାମାଜିକ ସଂଗଠନ, ଟ୍ରେଡ ଯୁନିଅନ ଓ ବ୍ୟକ୍ତି ବିଶେଷଙ୍କ ଯେଉଁ ସମ୍ପର୍କ ଲୋକଙ୍କ ସହିତ ରହିଛି ତାହାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସକମାନେ ଏକ ବାଧକ ଭାବରେ ଧରିନେଲେ । ତେବେ ଏତେ ସବୁ କାର୍ଯ୍ୟ କାହା ପାଇଁ ?

ଆଜି ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ଜନସଙ୍ଗଠନର ନେତୃବର୍ଗଙ୍କ ଦ୍ଵାରା ଲକ ଡାଉନ ସ୍ଥିତିରେ ବି ସରକାର ଏକ ସମନ୍ଵୟ ରକ୍ଷା କରିପାରିଥିଲେ କ) ଏହାଦ୍ବାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଲୋକେ ନିଜ ଏମଏଲଏ ମାଧ୍ୟମରେ ନିଜର ସୁବିଧା ଅସୁବିଧା ଗୁଡିକୁ ସରକାରଙ୍କ ଦ୍ରୁଷ୍ଟିକୁ ଆଣିପାରିଥାନ୍ତେ । ଖ) ଟ୍ରେଡ ଯୁନିଅନ ଓ ଚାଷୀ ସଂଗଠନ ମାଧ୍ୟମରେ ଲୋକେ ସରକାରଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଶୀଘ୍ର ଅବଗତ କରାଇପାରିଥାନ୍ତା ଓ ଯାହା ଦୀର୍ଘ ଦିନ ପରେ ସରକାର କୋହଳ କଲେ ତାହା ହୁଏତ ଆଗରୁ କରିପାରିଥାନ୍ତେ । ଗ) ହୁଏତ ସେହିଭଳି ଦାୟିତ୍ଵ ହେତୁ ଅଞ୍ଚଳର ବିଧାୟକ ନିଜ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଠାବ କରିବାରେ ଓ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାର ଦାୟିତ୍ଵ ନେଇପାରିଥାନ୍ତେ । ଘ) ଏହା ଦ୍ଵାରା ଲୋକେ ଅନୁଭବ କରିବେ ନାହିଁ ଯେ ସେମାନେ ଏକୁଟିଆ ପଡିଗଲେ ବା ତାଙ୍କ କଥା ଶୁଣିବା ଲାଗି କେହି ନାହାନ୍ତି ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟ ଅନୁସାରେ ଗଲା 100 ଦିନ ମଧ୍ୟରେ ସମଗ୍ର ବିଶ୍ବରେ ଏକ ବିରାଟ ପରିବର୍ତ୍ତନ ଆସିଲାଣି । ଏହି ବିଶ୍ୱବ୍ୟାପି ମହାମାରୀ ସମଗ୍ର ବିଶ୍ଵକୁ ବ୍ୟାପୀସାରିଲାଣି । ମାନବ ସମାଜର ଅନ୍ୟ କୌଣସି ବର୍ଗ ଏବେ ଏଥିରୁ ମୁକ୍ତ ରହିଥିବା ଜଣାପଡୁ ନାହିଁ। ମ୍ଭେମାନେ ଭୁଲିଯିବାନି ଯେ ଆମର କାହାରି ପାଖରେ ଏଭଳି ଏକ ବିପତ୍ତିକୁ ସାମ୍ନା କରିବାର ଅନୁଭୂତି ନାହିଁ ।  ସରକାରଙ୍କ ଅହଂକାର ସମାଜ ପାଇଁ ଅଧିକ ବିପତ୍ତି ଆଣିନଦେଉ ।
ଦେବ ରଞ୍ଜନ