ସାକ୍ଷାତକାର : ପି ସାଇନାଥ,
ବିଷୟ : କୃଷି ବିଲ
(ବିଜେପି ସରକାରଙ୍କ
ନୂତନ କୃଷିବିଲ (ରାଷ୍ଟ୍ରପତ୍ତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି) ସମ୍ପର୍କରେ ପି ସାଇନାଥଙ୍କ ସହିତ ଇଣ୍ଡିଆ ଟୁଡେର ରାଜାଦୀପ ସରଦେସାଇଙ୍କର ଏକ
ସାକ୍ଷାତକର ପ୍ରସାରିତ ହୋଇଥିଲା । ଏହାର ତୁରନ୍ତ ଓଡିଆ ଅନୁବାଦ କରିଦେଇଛି । ଓଡିଆ ଅନୁବାଦକୁ ପ୍ରକାଶ କରିବା ଲାଗି ଉଭୟ ରାଜାଦୀପ
ସରଦେସାଇ ଓ ପି ସାଇନାଥ ନିଜର ଅନୁମତି ଦେଇସାରିଛନ୍ତି । ଆଶା କରୁଛି ଏହା ଦ୍ଵାରା ବିଲର ପରିଣାମ
ସମ୍ପର୍କରେ କିଛି ନୂତନ କଥା ଆପଣମାନେ ଜାଣିପାରିବେ । )
ମୁଖ୍ୟ ଅଂଶ
·
ଏହାର କାରଣ ହେଲା ନିର୍ବାଚିତ
ସରକାରମାନେ ବାରମ୍ବାର ଏହାକୁ କ୍ଷତି ପୂର୍ଣ୍ଣ କରିବା ଲାଗି ଉଦ୍ୟମ କରିଚାଲିଛନ୍ତି ।
·
କର୍ପୋରେଟ ସେକ୍ଟର କଦାପି ମଦର
ଟେରେସା ନୁହେଁ । ଏହା କଦାପି ଗରିବ ଲୋକଙ୍କ ଉପକାର କିଛି କରିବ ନାହିଁ ।
·
କୃଷି କ୍ଷେତ୍ରକୁ କୃଷକଙ୍କ
ହାତରୁ ନେଇ କମ୍ପାନୀମାନଙ୍କ ହାତକୁ ଦେଇଦିଆଯିବ । ଏହା ଆଉ ଲୁଚାଛାପା ଭାବରେ ହେଉ ନାହିଁ ।
ରାଜଦୀପ: କୃଷିବିଲକୁ
ନେଇ ଦୁଇ ପ୍ରକାରର ମତ ଆସୁଛି । କେତେକ ଏହାକୁ ବିରୋଧ କରୁଥିଲା ବେଳେ ଅନ୍ୟ କେତେକ ଏହାକୁ
ସମର୍ଥନ କରୁଛନ୍ତି । ଏହାର ମଧ୍ୟମ ମାର୍ଗ କ’ଣ ? ଆପଣ ଏହି ବିଲକୁ ନେଇ କଣ ମତ ରଖୁଛନ୍ତି ?
ସାଇନାଥ: ମୁଁ ଭାବୁଛି
ଏହାର କୌଣସି ମଧ୍ୟମ ମାର୍ଗ ନାହିଁ । ବରଂ ଏହାକୁ ବିରାଟ ପ୍ରେକ୍ଷାପଟରେ ଦେଖିବାର ଅଛି । ଏହି ତିନ ବିଲ କଦାପି ହଠାତ ଆସିନାହିଁ । ଏହାକୁ ଆମେ ୧୯୯୧ର
ଆର୍ଥିକ ସଂସ୍କାରର ଯେଉଁ ପ୍ରକ୍ରିୟା ଚାଲିଥିଲା ତାହାର ଏକ ଅଂଶ ଭାବରେ ଦେଖିପାରିବା । ଏ ଭଳି
ସମୟରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ (ଏମଏସପି) ନେଇ ବିତର୍କ ମଧ୍ୟ ଉଠାଉଛନ୍ତି । ଏବେ
ଦେଖିବା ଯେ ଏହି ସରକାର ପ୍ରକୃତରେ ଏମଏସପି ଉପରେ କ’ଣ କହୁଛନ୍ତି
। ପ୍ରଥମରେ, ୨୦୧୪ ମସିହା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ
ନେତୃତ୍ଵାଧୀନ ବିଜେପି – ଏନଡ଼ିଏ ସରକାର ଲୋକଙ୍କ ପାଖରେ ପ୍ରତିଜ୍ଞା
କରିଥିଲେ ଯେ ସେମାନେ ସ୍ବାମୀନାଥନ କମିଶନ ରିପୋର୍ଟର ପ୍ରସ୍ତାବକୁ କ୍ଷମତାକୁ ଆସିବାର ମାତ୍ର 12
ମାସ ମଧ୍ୟରେ ପୂରଣ କରିବେ । ଏହି କମିଶନର ପ୍ରସ୍ତାବ ଅନୁସାରେ କୃଷକର କ୍ଵିଣ୍ଟାଲ ପିଛା ସମୁଦାୟ
ଉତ୍ପାଦନ ଖର୍ଚ୍ଚ ସହିତ ଖର୍ଚ୍ଚର 50ପ୍ରତିଶତ ଅଧିକ ରାଶି ମିଶାଇ କେନ୍ଦ୍ର ସରକାର ସର୍ବନିମ୍ନ
ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ । ବିଜେପିର ଏଭଳି ପ୍ରତିଶୃତି ହେତୁ କୋଟି କୋଟି
ଚାଷୀ ଏହି ଦଳକୁ ଭୋଟ ଦେଇଥିଲେ । କ୍ଷମତାକୁ ଆସିବାର ୧୨ ମାସ ମଧ୍ୟରେ ସେମାନେ ସୁପ୍ରିମ
କୋର୍ଟଙ୍କୁ ଏକ ଆଫିଡେବିଟ ମାଧ୍ୟମରେ ଜଣାଇଲେ ଯେ ସ୍ବାମୀନାଥନ କମିଶନ ରିପୋର୍ଟର ପ୍ରସ୍ତାବକୁ
ମାନିବା କଦାପି ସମ୍ଭବ ନୁହେଁ କାରଣ ଏହା ଖାଦ୍ଯ ବଜାରରେ ସମସ୍ଯା ସୃଷ୍ଟି କରିବ ଓ ଏହା
ସେମାନଙ୍କ ଏଜେଣ୍ଡାରେ ନଥିଲା ।
ପ୍ରଶ୍ନ: କୃଷି
ଉତ୍ପାଦନର ବଜାର ବ୍ୟବସ୍ଥା ବହୁତଟା ସରକାରୀ ସଂସ୍ଥା ଅଧୀନରେ ରହିବା ଓ ମଣ୍ଡିଗୁଡିକର ଏକ ଚାଟିଆ
ଅଧିକାର ରହୁଥିବା ହେତୁ ଏଜେଣ୍ଟ ମାନେ ଲାଭବାନ ହେଉଥିଲା ବେଳେ ଚାଷୀମାନେ କୌଣସି ସୁବିଧା
ପାଉନଥିଲେ । ଏବେ କୁହାଯାଉଛି ଯେ କମ୍ପାନୀମାନେ ଏହାପରେ ପୁଞ୍ଜି ଖଟାଇବେ ଓ ଚାଷୀକୁ ସ୍ଵାଧୀନତା
ମିଳିବ । ଏଥିରେ ଅସୁବିଧା କଣ? ପୁଣି ଏଭଳି ପ୍ରତିବାଦ କେବେଳ
ପଞ୍ଜାବ ଓ ହରିୟାନାରେ ଦେଖାଯାଉଛି ଓ ଦେଶର ଅନ୍ୟ ଭାଗରେ କିଛି ପ୍ରତିବାଦ ନାହିଁ କାହିଁକି?
ଉତ୍ତର: ମୁଁ ଏଥିରେ
ସହମତ ନୁହେଁ । ଏହି ପ୍ରକାରର ଯୁକ୍ତି ପଛରେ ଏକ ମସ୍ତବଡ ଭୁଲ ରହିଛି । କୃଷି ଉତ୍ପାଦନ ଦ୍ରବ୍ଯର
ଏକ ବିରାଟ ଭାଗ ବିନା ମଣ୍ଡିରେ ବିକ୍ରିବଟା ହୁଏ । ପୁଣି ଦେଶର ବହୁତ ବଡ ଭାଗ ଚାଷୀ ଏଜେଣ୍ଟ ମାଧ୍ୟମରେ ନିଜର ଦ୍ରବ୍ଯ
ବିକ୍ରି କରିଥାନ୍ତି । ପ୍ରକୃତ ମଣ୍ଡିକୁ ଆସୁଥିବା ଚାଷୀଙ୍କ ସଂଖ୍ୟା ବହୁତ କମ । ଏଭଳି ଏକ
ମିଥ୍ୟା ତଥ୍ୟ ପ୍ରସାର କର ନାହିଁ ଯେ ସବୁ ଚାଷୀ ମଣ୍ଡିର ଅଧୀନରେ ଥିଲେ ଓ ସରକାର ନୂଆ ବିଲ
ଦ୍ଵାରା ଚାଷୀକୁ ମଣ୍ଡି ମୁକ୍ତ କରିବା ପରେ ସେମାନେ ଏଥର ସ୍ଵାଧୀନ ହୋଇଗଲେ । ଏହି ଭଳି ଉଦାହରଣ
ମହାରାଷ୍ଟ୍ରରେ ପ୍ରଥମେ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ମଣ୍ଡି ମୁକ୍ତ କରିବା ପରେ ବି କୌଣସି
କମ୍ପାନୀ ପୁଞ୍ଜି ଖଟାଇବା ଲାଗି ଆସିଲେ ନାହିଁ । ଏହା ସତ ଯେ ପଞ୍ଜାବ ଓ ହରିୟାନାରେ ଏହାକୁ ନେଇ
ଅଧିକ ପ୍ରତିବାଦ ହେଉଛି । ମାତ୍ର ଏହା ନୁହେଁ ଯେ ଦେଶର ଅନ୍ୟ ଭାଗର ଚାଷୀ ମଣ୍ଡିବ୍ୟବସ୍ଥା
ଚାହୁଁନାହାନ୍ତି । ତେଣୁ ଏହା ଏକ ଭ୍ରାନ୍ତ ଧାରଣା ଯେ ସମସ୍ତ କୃଷି ଜାତ ଦ୍ରବ୍ଯ ଏବେ
ମଣ୍ଡିମୁକ୍ତ ହୋଇଗଲା ଓ ଏହା ପରେ ଚାଷୀ ପୁରା ସ୍ଵାଧୀନ ହୋଇଗଲେ ।
ପ୍ରଶ୍ନ: କିନ୍ତୁ
ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଏମପିଏସ ବ୍ୟବସ୍ଥା ଉଠାଇ ଦିଆଯିବନାହିଁ । ଏମଏସପି ରହିବ ଓ ଚାଷୀ
ଯଦି ତାହା ଠାରୁ ଅଧିକ ଦର ପାଇଲା ତେବେ ସେ ପ୍ରାଇଭେଟ କମ୍ପାନୀ ପାଖକୁ ନିଜ ଦ୍ରବ୍ଯକୁ ବିକିବା
ପାଇଁ ଯିବ । ତେଣୁ
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଏବେ ପ୍ରାଇଭେଟ କମ୍ପାନୀମାନେ ନିଜର ଶୀତଳ ଭଣ୍ଡାର ତିଆରି
କରିବେ । ସେମାନଙ୍କର ଚାଷୀ ସହିତ ସିଧା ସମ୍ପର୍କ କୃଷି ବ୍ୟବସାୟରେ ଉନ୍ନତି ଆଣିବ ନାହିଁ କି?
ଉତ୍ତର : ପ୍ରଥମରେ, ଏପିଏମସିର (APMC) କୌଣସି ଏକଚାଟିଆ ଅଧିକାର ନାହିଁ ।
ଦ୍ବିତୀୟରେ, ଏପରି ଢୋଙ୍ଗ କରନାହିଁ ଯେ ତୁମେ ସରକାରୀ ଅନୁଷ୍ଠାନକୁ
ଭାଙ୍ଗିଦେଲ । ଏହି ନୂତନ ବିଲ ମାଧ୍ୟମରେ ତୁମେ ପ୍ରକୃତରେ ବେସରକାରୀ କ୍ଷୁଦ୍ର ବ୍ୟବସାୟୀଙ୍କ
ବ୍ୟବସ୍ଥାକୁ ଭାଙ୍ଗି ଦେଇ ବୃହତ କମ୍ପାନୀମାନଙ୍କୁ ବ୍ୟବସାୟ କରିବା ପାଇଁ ଡାକିଲ । ଯେତେବେଳେ
ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଯେ କୃଷି ବିଲ ବିପକ୍ଷରେ ମିଥ୍ୟା ପ୍ରଚାର କରାଯାଉଛି ସେତେବେଳେ
ମୁଁ କହିବି ତାଙ୍କରି ମନ୍ତିମଣ୍ଡଳର ଜଣେ ମନ୍ତ୍ରୀ (ପଞ୍ଜାବର) ନିକଟରେ ଇସ୍ତଫା ଦେଲେ । ତେଣୁ ପ୍ରଧାନମନ୍ତ୍ରୀଙ୍କ
ଏହି ବକ୍ତବ୍ୟର ସତ୍ୟତାକୁ ଓ ନିଷ୍ଠାକୁ ଯଦି ଆମେ ପରଖିବା ତେବେ ଦେଖିବା ଯେ ସେ ୨୦୧୪ ମସିହା
ପୂର୍ବରୁ କ’ଣ କହିଥିଲେ ଓ ପରେ ସେ କିପରି ସ୍ବାମୀନାଥନ କମିଶନ
ରିପୋର୍ଟକୁ ପୁରା ଅସମ୍ଭବ ବୋଲି କହିଦେଲେ ।
ଯେତେବେଳେ ପ୍ରଧାନମତ୍ରୀ କହୁଛନ୍ତି ଯେ
ଏମଏସପି ବ୍ୟବସ୍ଥା ରହିବ ସେତେବେଲେ ସେ କିନ୍ତୁ କୃଷକର ସମୁଦାୟ ଖର୍ଚ୍ଚ ସହିତ 50 ପ୍ରତିଶତ ଅର୍ଥ
ମିଶାଇ ଏମଏସପି ସ୍ଥିର କରିବା କଥା କହୁନାହାନ୍ତି । ଅରୁଣ ଜେଟଲି ଜୀବିତ ଥିଲା ବେଳେ କେନ୍ଦ୍ର
ସରକାର କୃଷକର ପ୍ରକୃତ ଖର୍ଚ୍ଚକୁ ଯେଉଁଭଳି ହିସାବ କରିଥିଲେ ତାହା ସ୍ଵାମିନାଥନ କମିଶନଙ୍କ ପ୍ରସ୍ତାବ
ଠାରୁ ମଧ୍ୟ ସଂପୂର୍ଣ୍ଣ ଭିନ୍ନ ଓ କମିଶନଙ୍କ ପ୍ରସ୍ତାବ ଅନୁସାରେ କ୍ଵିଣ୍ଟାଲ ପିଛା ଦର ଠାରୁ ବହୁତ
କମ ଥିଲା । ତୁମେ ଯେବେ କହୁଛ ଯେ କୃଷକ ଏହା ଦ୍ଵାରା ମୁକ୍ତ ହୋଇଗଲେ, ତେବେ ବୁଝିବାର କଥା ଯେ କନ୍ୟାକୁମାରୀର (ତାମିଲନାଡୁ) କୃଷକ ମନେକରାଯାଉ ନିଜ ବଳଦ
ଗାଡିରେ ବସି ମଧ୍ୟ ପ୍ରଦେଶରେ ଯେହେତୁ ଉଚିତ ମୂଲ୍ୟ ମିଳୁଛି (2000 କିମି ଦୂରରେ) ତେଣୁ ସେଠାରେ
ଯାଇ ପହଞ୍ଚି ଯାଇପାରିବ କି ? ଗୁଜୁରାଟରେ ଗଲା ବର୍ଷ ଆଖୁ ଓ ତୁଳା ପଡି ରହିବା ପରେ
କିଛି ମାସ ପରେ ସରକାରୀ ସ୍ତରରେ ଅଧିକ ଦରରେ ତାହାକୁ କିଣିବା ଆରମ୍ଭ ହେଲା । ଫଳରେ ଚାଷୀ ଅଧିକ ଦର ପାଇଲେ। ଏବର୍ଷ
ଚାଷୀ ଆଖୁ ଓ ତୁଳାକୁ ଅଧିକ ଜମିରେ କରିଛନ୍ତି । ଅତି କମ ଜମିରେ ଖାଦ୍ଯ ଦ୍ରବ୍ଯର ଚାଷ ଚାଷୀ
କରିଛନ୍ତି । ଏଥର
ପରିବା ଚାଷ ଲାଗି ରାଜ୍ୟ ସରକାର କିଛି ସହଯୋଗ କଲେ କି ?
କେନ୍ଦ୍ର ସରକାର ଯେବେ କହୁଛନ୍ତି ଆଗାମୀ ଦୁଇ ବର୍ଷ ମଧ୍ୟରେ, ୨୦୨୨
ସୁଦ୍ଧା, କୃଷକର ଆୟ ଦ୍ଵିଗୁଣା
ହୋଇଯିବ, ତେବେ ୨୦୨୦ ମସିହାର ଶେଷ ଆଡରେ ଗଲା ଦୁଇ ମାସ ମଧ୍ୟରେ କୃଷକର
ଆୟରେ ମିଶାଇଲା ଭଳି କିଛି ସରକାରୀ ସହଯୋଗ ସରକାର କଲେ କି? ସରକାର ଏବେ
ପିଏମ କିଷାନ ଫଣ୍ଡର କିସ୍ତି ଦେଉଛନ୍ତି ତାହା କରୋନା ପୂର୍ବରୁ ହୋଇଥିବା ଘୋଷଣାର ଅଂଶ । ତେଣୁ
ସରକାର କ’ଣ କୃଷି ଶ୍ରମିକ ଓ ଚାଷୀଙ୍କୁ ସହଯୋଗ କଲେ କି? ହଠାତ ଏହି କୃଷକ ବିଲ ଆଣିବା ଓ କୃଷିକ୍ଷେତ୍ରରେ ଏହା ଦ୍ଵାରା ବିପ୍ଲବ ଆସିବା ଭଳି କଥା
କହିବା ଉଚିତ ନୁହେଁ ।
ପ୍ରଶ୍ନ:
ତୁମର ସମସ୍ଯା କେଉଁଠି ବିଲର ଉଦ୍ଦେଶ୍ୟକୁ ନେଇ ନା ବିଲରେ ଯାହା ଅଛି ତାହାକୁ
ନେଇ? ତୁମର ମୁଖ୍ୟ ବିରୋଧ କେଉଁଠି ?
ଉତ୍ତର: ମୋର ଅନୁରୋଧ
ଯେ ଗଲା ୨୫ ବର୍ଷ ହେଲା ଯେଉଁ ଭଳି କୃଷି କ୍ଷେତ୍ରକୁ କର୍ପୋରେଟମାନଙ୍କୁ ଟେକିଦେବାର ପ୍ରୟାସ
କରାଯାଉଛି ତାହାକୁ ଅଣଦେଖା କରାନଯାଉ । ୨୦୧୩ ମସିହାରେ କଂଗ୍ରେସ ନେତୃତ୍ଵାଧୀନ ଇଉପିଏ ସରକାର
ମିଲିୟନ୍ସ ଫାର୍ମର୍ଷ ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ସରକାର କମ୍ପାନୀମାନଙ୍କୁ 3500
କୋଟି ଟଙ୍କାର ଗ୍ରାଣ୍ଟ ଦେଇଥିଲେ । ସେତେବେଳେ କୃଷକଙ୍କୁ ବିଭିନ୍ନ କମ୍ପାନୀର କୃଷକ ଭାବରେ ଅର୍ଥାତ
ଏହି ଭଳି ଆଇଟିସି କୃଷକ, ଟାଟା କୃଷକ ଓ ଅମ୍ବନୀ କୃଷକ
ଭାବରେ ଭାଗଭାଗ କରିଦିଆଗଲା । ଇଉପିଏ ସରକାରଙ୍କ ପ୍ରସ୍ତାବ କୌଣସି କାମ ଦେଲାନି । ତେଣୁ ଏ ପ୍ରକାର ଉଦ୍ଦେଶ୍ୟ ଯାହା
ହୋଇଥାଉନା କାହିଁକି ମାତ୍ର ଏହାର ଫଳାଫଳ ସର୍ବଦା ଗଣ୍ଡଗୋଳିଆ । ଏ ପ୍ରକାରର ଫଳାଫଳ ସେମାନେ
ହୁଏତ ଆଶା କରିନଥିବେ । ମାତ୍ର ଶେଷ ପରିଣାମ ଯାହା ହେଉ ନା କାହିଁକି ସରକାରମାନଙ୍କର ଲଗାତର ଚେଷ୍ଟା
ଚାଲିଛି କିପରି କୃଷି କ୍ଷେତ୍ରକୁ କୃଷକଙ୍କ ହାତରୁ ନେଇ କମ୍ପାନୀମାନଙ୍କ ହାତକୁ ଦେଇଦିଆଯିବ । ଏହା
ଆଉ ଲୁଚାଛାପା ଭାବରେ ହେଉ ନାହିଁ । କଂଗ୍ରେସ ଓ ଇଉପିଏ ଏହାକୁ ମିଲ୍ଲେନିୟମ ପ୍ରୋଗ୍ରାମ
ମାଧ୍ୟମରେ କରିବାକୁ ଯାଉଥିଲେ । ଇଉପିଏ ପାଖରେ ସେତିକି ଶକ୍ତି ନଥିଲା ଏନଡ଼ିଏ ପାଖରେ ଏବେ
ସେତିକି ଶକ୍ତି ଅଛି । ଏତିକି ପାର୍ଥକ୍ଯ ।
ପ୍ରଶ୍ନ: ଆପଣ
ଜାଣନ୍ତି ଯେ କ୍ଷୁଦ୍ର ଚାଷୀଙ୍କ ଲାଗି ଚାଷ ଆଦୌ ଲାଭଜନକ ହେଉନଥିଲା । ତେଣୁ ସରକାର ହୁଏତ ଏହାକୁ
ଲାଭଜନକ କରିବା ଲାଗି ଚେଷ୍ଟା କରୁଥାଇପାରନ୍ତି । ଯଦି ଅତୀତରେ ହୋଇନାହିଁ ତେବେ ବର୍ତ୍ତମାନ ଚେଷ୍ଟା କରାଯାଇପାରେ ? କଣ୍ଟ୍ରାକ୍ଟ ଫାର୍ମିଙ୍ଗ ହୁଏତ ସେଭଳି ଦିଗରେ ଏକ ଉତ୍ତମ ପଦକ୍ଷେପ । ଏହି ବିଲ ହୁଏତ
ତାହାକୁ ଆଗକୁ ନେଇପାରେ । ହୁଏତ କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଅଧିକରୁ ଅଧିକ ହୋଇପାରେ ?
ଉତ୍ତର: ମୁକ୍ତ ବଜାରକୁ
ନେଇ ଥିବା ସମସ୍ତ ଦାର୍ଶନିକ ଓ ରାଜନୈତିକ ଅବଧାରଣା ଯେ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅଯଥା ତାହା ଗଲା ଛଅ ମାସର ଲକଡାଉନ ଦର୍ଶାଇସାରିଛି । ଆମେ
ଏବେ ବି ସେହି ୧୯୯୧ ମସିହାର ଆର୍ଥିକ ସଂସ୍କାରର ଦର୍ଶନକୁ ମନେପକାଉଛୁ ଯେ ମୁକ୍ତ ବଜାରର ଅର୍ଥ
ହେଲା ସ୍ଵାଧୀନତା, ଯେମିତି କି ସରକାରୀ ସମର୍ଥନରେ ଦାସପ୍ରଥା
ଚାଲିଥିଲା ଓ ଆମେ ସ୍ଵାଧୀନ ହୋଇଗଲୁ । ଏ କଥା ଆମେ ଧ୍ୟାନରେ ଆଣିବା ଆବଶ୍ୟକ ଯେ ବିଶ୍ଵର
ସବୁଠାରୁ ଶିଳ୍ପରେ ବିକାଶ ଲାଭ କରିଥିବା ଧନୀ ଦେଶ ଆମେରିକା ଓ ଇଉରୋପ ୟୁନିୟନ କୃଷି କ୍ଷେତ୍ରରେ
ସବୁଠାରୁ ଅଧିକ ସବସିଡ ଦେଇଥାନ୍ତି, ଯାହା କି ଅନ୍ଯାନ୍ଯ କ୍ଷେତ୍ରରେ ଦିଆଯାଉଥିବା
ସବସିଡ ଠାରୁ ମଧ୍ୟ ଯଥେଷ୍ଟ ଅଧିକ ।
ଦ୍ବିତୀୟରେ, ଏହା ପୂର୍ବରୁ ପ୍ରବାସୀ ଶ୍ରମିକ ଗାଁକୁ ଫେରୁଥିବା ସମୟରେ ସରକାରଙ୍କ ବ୍ୟବହାରକୁ ନେଇ
ଆମେ କ୍ଷୁବ୍ଧ ଥିଲେ । ସେତେବେଳେ ବି ମୁଁ କହିଥିଲେ ଯେ ସେମାନେ କାହିଁକି ଗାଁ ଛାଡିଲେ ତାହାକୁ
କେବେ କାହିଁକି ପ୍ରଶ୍ନ କରୁନାହେଁ ? ମଣିଷ ତିଆରି କୃଷି ସଙ୍କଟ ହେତୁ
ସେମାନେ ଗାଁ ଛାଡିବାକୁ ବାଧ୍ୟ ହେଲେ ଯାହା କୋଟି କୋଟି ଲୋକଙ୍କ ଜୀବିକାକୁ ମଧ୍ୟ ନଷ୍ଟ କରିଦେଲା
। ଆମେ କେବେ ପ୍ରଶ୍ନ କରିନାହୁଁ ଯେ କାହିଁକି ୧୯୯୧ରୁ ୨୦୧୧ ମସିହା ମଧ୍ୟରେ କୃଷି ଜନଗଣନା ଅନୁସାରେ
ପ୍ରକୃତ ଚାଷୀର (ଯିଏ ବର୍ଷରେ ଅତି କମରେ ଛଅ ମାସ କୃଷିକ୍ଷେତ୍ରରେ ଜଡିତ ରହିଥାଏ ) ସଂଖ୍ୟା ୧. ୫
କୋଟି କମିବା ପଛରେ କାରଣ କ’ଣ ? ୨୦୧୧ ରୁ ୨୦୨୦
ମସିହା ମଧ୍ୟରେ ଏହି ସଂଖ୍ୟା କେତେରେ ପହଞ୍ଚିଛି ତାହା ଆମକୁ ଜଣା ନାହିଁ । ଆଜି କୃଷି ଲାଭଜନକ
ହେଉ ନାହିଁ । ଏହାର
କାରଣ ହେଲା ନିର୍ବାଚିତ ସରକାରମାନେ ବାରମ୍ବାର ଏହାକୁ କ୍ଷତି ପୂର୍ଣ୍ଣ କରିବା ଲାଗି ଉଦ୍ୟମ
କରିଚାଲିଛନ୍ତି ।
ପ୍ରଶ୍ନ : ତେବେ ଏହାର
ସମାଧାନର ରାସ୍ତା କ’ଣ, ଯାହାଦ୍ୱାରା
କୃଷକ ପାଇଁ କୃଷି ଲାଭଜନକ ହେବ?
ଉତ୍ତର : ଆମେ ଏ
ବିଷୟରେ ଅନେକ ବାର ଆଲୋଚନା କରିଛେ । ତେବେ ଆଜି ଆଉ ଦୁଇଟି ପ୍ରସ୍ତାବ ଏହା ସହିତ ମୁଁ ଯୋଡୁଛି ।
ପ୍ରଥମ ହେଲା ଏହି ମହାମାରୀ ସମୟରେ କୃଷକମାନଙ୍କ ଲାଗି ଆର୍ଥିକ ଅନୁଦାନ ଜରୁରୀ, ବିଶେଷ କରି କୃଷି ଶ୍ରମିକ, ନାମକୁ ମାତ୍ର ଚାଷୀ ଓ କ୍ଷୁଦ୍ର
ଚାଷୀ । ପ୍ରତିମାସରେ
୭୦୦୦ ଟଙ୍କା ଏହି ମହାମାରୀର ପ୍ରକୋପ ନଯିବା ପର୍ଯ୍ୟନ୍ତ ଦାବି କରିଥିଲୁ ଓ ଆଜି ବି ଜଣାଉଛୁ। ବିଶ୍ଵରେ ଇଂଲଣ୍ଡ ସମେତ ଅନେକ ରାଷ୍ଟ୍ର
କୃଷକଙ୍କୁ ନିଜ ନିୟମିତ ଆୟର 80% ଅର୍ଥ ଅନୁଦାନ ଆକାରରେ ଭରଣା କରିଛନ୍ତି । । ବିଶ୍ଵ ଶ୍ରମ ସଂଗଠନର କହିବା
ଅନୁସାରେ ବିଶ୍ଵର ଶ୍ରମିକମାନେ ନିଜ ଆୟର ୬୦% ଆୟ ଲକଡାଉନ ସମୟରେ ହରାଇଛନ୍ତି । ଏହା ଗରିବ ଦେଶରେ ଓ ବିଶେଷକରି
ଗ୍ରାମାଞ୍ଚଳରେ ବହୁତ ଅଧିକ ହେବ । ଦ୍ବିତୀୟରେ, କୃଷିରେ ଅର୍ଥକାରୀ ଫସଲରୁ ଦୂରେଇ ଚାଷୀ ଯେପରି ଖାଦ୍ଯ ଉତ୍ପାଦନ ଆଡକୁ ଯିବା ଲାଗି ଚାହିଁବେ
ସେଥିଲାଗି ସରକାରୀ ସହାୟତା ଜରୁରୀ। ତୃତୀୟରେ, ଯଦି ଏହି ସରକାର ସତେରେ ଏତେ ଶ୍ରମିକ ଓ ଚାଷୀ ପାଇଁ ବ୍ୟସ୍ତ ତେବେ କେଉଁଭଳି ସେମାନେ
ଖାଦ୍ଯ ନିଗମରେ ନିୟୁତ ନିୟୁତ ଟନ ଖାଦ୍ଯ ଶସ୍ଯ ମହଜୁଦ କରିରଖିଛନ୍ତି ?
ଏବେ ସରକାର ମାସକୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ ବଣ୍ଟନ କରୁଛନ୍ତି । ଶାରୀରିକ ପରିଶ୍ରମ
କରୁଥିବା ମଣିଷର ଆବଶ୍ୟକତା ଅନୁସାରେ ତାହା କେତେ କମ ତାହା ସେହି ଲୋକ ଜାଣିଛି । ସେପଟେ ଖାଦ୍ଯ
ନିଗମରେ ସରକାର ନିୟୁତ ନିୟୁତ ଟନ ଖାଦ୍ଯଶସ୍ଯ କାହିଁକି ରଖିଛନ୍ତି ? ତାହା
କେବଳ ରପ୍ତାନୀ ପାଇଁ ରଖିଛନ୍ତି !
ଏହି କୋଭିଡ ସମୟ ମଧ୍ୟରେ କ୍ଯାବିନେଟ
ମନ୍ତ୍ରୀମଣ୍ଡଳ ଏହି ବିଲ ପୂର୍ବରୁ କୃଷି ସମ୍ବନ୍ଧରେ ଏକ ମାତ୍ର ଅତି ବଢିଆ ନିଷ୍ପତ୍ତି ନେଇଥିଲେ
। ଯେତେବେଳେ ଲୋକ ଖାଦ୍ଯ ଅଭାବରୁ ମରୁଥିଲେ ସେତେବେଳେ କ୍ୟାବିନେଟ ଚାଉଳରେ ଥିବା ଇଥାନଲରୁ ସାନିଟାଇଜର
ପ୍ରସ୍ତୁତି ଲାଗି ଟନ ଟନ ଚାଉଳ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ୨୦୦୨ ମସିହାରେ ବାଜପେଯୀ
ସରକାରଙ୍କ ସମୟରେ ୬୩ ମିଲିୟନ ଟନ ଖାଦ୍ଯଶସ୍ଯ
ଯେତେବେଳେ ନଷ୍ଟ ହେବାକୁ ଯାଉଥିଲା ସେତେବେଳେ କ୍ରେନ କ୍ରେନ ଖାଦ୍ଯ ବିଦେଶକୁ ଗାଈ ଗୋରୁଙ୍କ ଖାଦ୍ଯ
ଲାଗି ଯଥେଷ୍ଟ କମ ମୂଲ୍ୟରେ ରପ୍ତାନି କରାଯାଇଥିଲା । ଏଠାରେ ସେତେବେଳେ ଖାଦ୍ଯ ଶସ୍ଯର ସଙ୍କଟ
ଚାଲିଥାଏ । ସମୁଦାୟ କୃଷକଙ୍କ ମଧ୍ୟରୁ ୭୦ % ଭାଗ କୃଷକ ନିଜର ଆବଶ୍ୟକ ଥିବା ଖାଦ୍ଯ ଶସ୍ଯ ସେହି
ମୁକ୍ତ ବଜାରରୁ କିଣିଥା’ନ୍ତି । ବଜାରରେ ଏବେ ଖାଦ୍ଯ
ଶସ୍ଯର ଅଧିକ ଦର ଉଭୟ ପେଟ ଓ ପିଠିକୁ ଆଘାତ ଦେଉଛି । ସରକାର କାହିଁକି ସେଠାରେ କିଛି
କରୁନାହାନ୍ତି ?
ପ୍ରଶ୍ନ : ତେବେ ବର୍ତ୍ତମାନର
ସ୍ଥିତିକୁ କାଏମ ରଖିବା କଣ ସମାଧାନର ରାସ୍ତା ?
ଉତ୍ତର: କୋଭିଡ 19 ଏକ
ଭଲ ଉଦାହରଣ, ଯାହା ଆମକୁ ଆମ ଅର୍ଥନୀତିର ହାତ। ଗୋଡ, ରକ୍ତ ମାଂସ, ବୃକକ ଇତ୍ୟାଦି ସମଗ୍ର ଶରୀରକୁ ଗୋଟି ଗୋଟି କରି ଟେବୁଲ
ଉପରେ ରଖିଦେଇଛି । ଏହା ପରେ କଣ ଆମେ ବର୍ତ୍ତମାନର ସ୍ଥିତିକୁ କାଏମ ରଖିବା ସପକ୍ଷରେ ଥିବା ଯୁକ୍ତିକୁ
ସମର୍ଥନ କରିବା? ଆମେ ଏହାର ପରିବର୍ତ୍ତନ ଚାହୁଁଛୁ । ଆୟରଲାଣ୍ଡ ଓ
ସ୍ପେନ ଭଳି ପୁଞ୍ଜିବାଦ ରାଷ୍ଟ୍ର ଲକଡାଉନର ପ୍ରଥମ ସପ୍ତାହରେ ନିଜ ନିଜ ଦେଶର ସମସ୍ତ ସ୍ୱାସ୍ଥ୍ୟ
ଅନୁଷ୍ଠାନକୁ ସରକାରଙ୍କ ଅଧିନକୁ ନେଇଗଲେ । ଆମେ କଣ କଲୁ? ଦିଲ୍ଲୀ
ସରକାର ପ୍ରାଇଭେଟ ହସ୍ପିଟାଲମାନଙ୍କୁ ୫୦ % ବେଡ ଭିକ୍ଷା ମାଗିଲେ । ମହାରାଷ୍ଟ୍ର ସରକାର ୮୦%
ବେଡ ଭିକ୍ଷା ମାଗିଲେ । କର୍ପୋରେଟ ସେକ୍ଟର କଦାପି ମଦର ଟେରେସା ନୁହେଁ । ଏହା କଦାପି ଗରିବ
ଲୋକଙ୍କ ଉପକାର ପାଇଁ କିଛି କରିବ ନାହିଁ । ସରକାର ସ୍ୱାସ୍ଥ୍ୟକ୍ଷେତ୍ରକୁ କମ୍ପାନୀମାନଙ୍କୁ
ଦେଇସାରିଛନ୍ତି ଓ କଣ ଯେ କ୍ଷତି ହେଉଛି ତାହା ଦେଖୁଛେ । ଏବେ ସରକାର କୃଷିକୁ ପୂରାପୂରି କମ୍ପାନୀମାନଙ୍କୁ
ଦେଇ ଦେବାକୁ ବସିଛନ୍ତି ।
ଆଜି ଆମେ ଜାଣିଛେ ଯେ ଗ୍ରାମାଞ୍ଚଳର କୃଷକ ରୁଣଗ୍ରସ୍ତ ହେବାର ପ୍ରଥମ କାରଣ ହେଲା ନିଜର
ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇ ନପାରିବା । ଏବେ କୃଷି କ୍ଷେତ୍ରରେ ତାହା ହିଁ ହେବାକୁ ଯାଉଛି । ଏହି
ହେତୁ ଯେଉଁ ସର୍ବନାଶ ହେବାକୁ ଯାଉଛି ତାହାକୁ କଳନା କରିବା ମଧ୍ୟ କଷ୍ଟ । ଚାଷୀ ସଂଗଠନମାନେ କ’ଣ ଦାବି କରୁଛନ୍ତି ତାହାକୁ ସରକାର ଶୁଣନ୍ତୁ ଓ ଜାଣନ୍ତୁ ।
ଅନୁବାଦକ : ଦେବ ରଞ୍ଜନ
Contact:
debasar11@yahoo.co.in