ଆଫ୍ରିକୀୟ ଦେଶ ନାଇଜେରିଆର ପ୍ରସିଦ୍ଧ ଔପନ୍ଯାସିକ ଚିନୁଆ ଆଚେବେ (Chinua Achebe)ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅଛି ଯେ କୌଣସି ଗୋଷ୍ଠୀର ବୃଦ୍ଧ ଲୋକଟିଏ ଯେବେ ମରିଯାଏ ସେତେବେଳେ ତା ସହିତ ଏକ ବିରାଟ ଲାଇବ୍ରେରୀ ମଧ୍ୟ ଜଳିଯାଏ ।
ମୋର ଅନ୍ତରଙ୍ଗ ବନ୍ଧୁ ଶ୍ରୀମନ୍ତ ମହାନ୍ତି ନିଜର ଫେସବୁକ ପୋଷ୍ଟରେ (30/07/2021) ଲେଖିଛନ୍ତି ଯେ ଆଜିର ଯୁବ ପୀଢି ସବୁ ବିଷୟରେ ‘ରେଡିମେଡ ସଲ୍ଯୁସନ’ ଚହୁଁଛନ୍ତି । ଚିନୁଆ ଆଚେବେ ଆଜିର ପୀଢିର ହୋଇଥିଲେ ତାଙ୍କୁ ବୃଦ୍ଧ ଲୋକମାନେ କଦାପି ଲାଇବ୍ରେରୀ ଭଳି ଲାଗିନଥାନ୍ତେ । ବରଂ ତାଙ୍କୁ Google, Wikipedia ବା Youtube ଭଳି internet media ଏକ ଏକ ଲାଇବ୍ରେରୀ ଭଳି ଲାଗିଥାନ୍ତେ । ନୁହେଁ କି?
ନିକଟରେ ମୋର ଜଣେ ସମ୍ପର୍କୀୟା ଇଂରାଜୀ ବିଭାଗର ଛାତ୍ରୀଙ୍କୁ ଆତ୍ମଜୀବନୀ ବା autobiographyକୁ ସାହିତ୍ୟର ଏକ ବିଭାଗ କରାଯାଇଛି କି ବୋଲି ପଚାରିଥିଲି । ଯେମିତି କବିତା, କ୍ଷୁଦ୍ରଗଳ୍ପ, ଉପନ୍ୟାସର critical study ହେଉଛି ସେହିଭଳି ଆତ୍ମଜୀବନୀ ମାନଙ୍କର ହେବା ଉଚିତ ଯଦି ଏହାକୁ ସାହିତ୍ଯ କୁହାଯାଉଛି । କିନ୍ତୁ ସେ ମୋତେ wikipediaରୁ autobiography link ପଠାଇଦେଇ ନୀରବ ରହିଗଲେ । ସେତକ ମୋ ଭଳି ଏକ computer ଶିକ୍ଷିତ ବ୍ୟକ୍ତି କ'ଣ ପାଇନଥାନ୍ତା?
ଏହି ନୂଆ ବିଷୟଟି ଉପରେ ଆମେ ଦୁଇ ଜଣ କିଛି ଗବେଷଣା କରିବାର ସୁଯୋଗ ମଧ୍ୟ ଆଉ ରହିଲା ନାହିଁ।
ବନ୍ଧୁ ଶ୍ରୀମନ୍ତ ଆମର ଶିକ୍ଷା ବ୍ୟବସ୍ଥାକୁ ଦୋଷ ଦେଇ ଲେଖିଛନ୍ତି ଯେ ଏହା ତରୁଣ ତରୁଣୀଙ୍କ ମଧ୍ୟରେ ଜିଜ୍ଞାସା, ସୃଜନଶୀଳତା ଓ ପ୍ରଶ୍ନ କରିବାର ପ୍ରବଣତାକୁ ଧ୍ଵଂସ କରିଦେଉଛି । ଏହା ସହିତ ସେ ଛାଡିଦେଲେ ଯେ ଇତିହାସକୁ ମନେପକାଇବା ଓ ଇତିହାସକୁ ଲିପିବଦ୍ଧ କରିବାର ପ୍ରବଣତାକୁ ଜାଣି ଜାଣି ଲୋପ କରିଦିଆଯାଉଛି । ଯେମିତି କଥା ଅଛି ଯେ ନା ରହେଗୀ ବଂଶୀ ନା ବାଜେଗୀ ବାଁସୁରୀ ।
ବନ୍ଧୁ ଅଜିତ କୁମାର ଭୋଇ କଳାହାଣ୍ଡିର ଗୁଡହାଣ୍ଡି ସଭ୍ୟତାକୁ ଗବେଷକମାନେ ଭୁଲ ଉପସ୍ଥାପନ କରୁଥିବା ଦେଖି ସେ ବ୍ୟସ୍ତହୋଇ ଏକ ଅତି ମହତ ବାକ୍ୟଟିଏ ଲେଖିଛନ୍ତି ଯେ ଯଦି କୌଣସି ସମୁଦାୟକୁ ନଷ୍ଟ କରିବାର ଅଛି ତେବେ ତାହାର ଇତିହାସକୁ ପ୍ରଥମେ ନଷ୍ଟ କରିଦିଅ ।
ଏଠି ମୁଁ କଳାହାଣ୍ଡି ବଦଳରେ କନ୍ଧମାଳର ଉଦାହରଣ ଦେଉଛି । ଗଲା ୩୦ ଅଗଷ୍ଟରେ ଜନ୍ମାଷ୍ଟମୀରେ ପ୍ରାୟ ସମସ୍ତ ଓଡିଆ ଖବରକାଗଜ ଲକ୍ଷ୍ମଣନନ୍ଦଙ୍କ ଶ୍ରାଦ୍ଧଦିବସ ପାଳିତ ହେବା ଖବର ଦେଇଛନ୍ତି । କୌଣସି ଖବରକାଗଜ ଅଗଷ୍ଟ ୨୫ (ଦଙ୍ଗା ଆରମ୍ଭ ଦିନ) ବା ଅଗଷ୍ଟ ୩୦ ଦିନ କନ୍ଧମାଳ ଧାର୍ମିକ ହିଂସା ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି । ସତେରେ କେତେ ଚାଲାକିରେ ଏତେ ବଡ ଘଟଣାକୁ ଯେମିତି ମିଛ କରିଦିଆଗଲା!
ବନ୍ଧୁ ଶ୍ରୀମନ୍ତ ଜାଣିଥିବା ତରୁଣ ଓ ତରୁଣୀମାନଙ୍କ ୨୦୦୮ ମସିହାରେ ବୟସ ହୁଏତ ୭/୮ ବର୍ଷ ହେବ । ଆଜି ୨୦/୨୨ ବର୍ଷ ବୟସରେ ସେ ଏହି କଥା ଜାଣିଲେ ଯେ ଲକ୍ଷ୍ମଣାନନ୍ଦ କନ୍ଧମାଳର ଏକ ବିରାଟ ସମୁଦାୟ ଠାରୁ ବି ଅଧିକ ଶକ୍ତିଶାଳୀ କେହି ଜଣେ ଥିଲେ ଯାହାଙ୍କର ହତ୍ୟା ହୋଇଥିଲା । ଲକ୍ଷ୍ମଣାନନ୍ଦଙ୍କ ପ୍ରତି ଯୁବପୀଢିକୁ ଆକର୍ଷିତ କରିବା ଲାଗି ତ ଖବରକାଗଜମାନେ ଦଙ୍ଗା ଭଳି ଏକ ସାମାଜିକ ଓ ସାମ୍ବିଧାନିକ ଅପରାଧକୁ ମଧ୍ୟ ଲୁଚାଇଦେଲେ?
୨୦୦୮ ମସିହାର ଅଗଷ୍ଟ ୨୫ ତାରିଖରେ ଏହି ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇ (ତାହାର ପୂର୍ବ ଦିନ ଜନ୍ମାଷ୍ଟମୀ ଥିଲା ଯେଉଁଦିନ ଲକ୍ଷ୍ମଣନନ୍ଦଙ୍କ ହତ୍ୟା ହୋଇଥିଲା) ଦୁଇ ମାସ ପର୍ଯ୍ୟନ୍ତ ଚାଲିଥିଲା । ଓଡିଶା ସରକାରଙ୍କ ତଥ୍ୟ ଅନୁସାରେ ଏହି ଦଙ୍ଗାରେ ସମୁଦାୟ ୩୮ ଜଣଙ୍କର ମୃତ୍ୟୁ ହୋଇଛି, ୪୧୫ ଗାଁ କ୍ଷତିଗ୍ରସ୍ତ ହୋଇଛି, ୩୨୨୬ ଗୃହ ଧ୍ଵଂସ କରାଯାଇଛି, ୧୯୫ ଚର୍ଚ୍ଚ ଭାଙ୍ଗିଦିଆଯାଇଛି, ୨୫୧୧୨ ଜଣ ରିଲିଫ କ୍ୟାମ୍ପକୁ ଆସିଛନ୍ତି । ଜିଲ୍ଲା ଛାଡି ବାହାର ରାଜ୍ୟକୁ ଯାଇଥିବା ଦଳିତ ଓ ଆଦିବାସୀ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଏକ ଲକ୍ଷରୁ କମ ନୁହେଁ । ସେମାନଙ୍କ ଭିତରୁ ଅନେକ ଆଜି ବି ଜିଲ୍ଲାକୁ ଫେରିନାହାନ୍ତି ।
ଏହି କ୍ଷତିଗ୍ରସ୍ତ ଦଳିତ ଓ ଆଦିବାସୀ ସମୁଦାୟ ଆଜିର ଖବରକାଗଜରେ ଏକ ସୂଚନା ଭାବରେ ସ୍ଥାନିତ ହେଲେ କି? ଅଥଚ ଏହି ଖବରକାଗଜମାନେ ଓଡିଶାର ସ୍ଵର, ଓଡିଆ ସ୍ଵାଭିମାନ, ଆମ ଓଡିଶା ଇତ୍ୟାଦି ଦାବି କରିଥାନ୍ତି ।
ଏହି ଗଣମାଧ୍ୟମ ଲାଗି ସ୍ଵାମୀ ଲକ୍ଷ୍ମଣାନନ୍ଦ କନ୍ଧମାଳର ଲକ୍ଷ ଲକ୍ଷ ଦଳିତ ଓ ଆଦିବାସୀଙ୍କ ଠାରୁ ବି ବହୁତ ଅଧିକ ଶକ୍ତିଶାଳୀ ନୁହନ୍ତି କି?
ଏ ସମ୍ପର୍କରେ ଅନ୍ୟ ଏକ ଉଦାହରଣ ଦେଉଛି ।
ଗଲା ୧ ଅଗଷ୍ଟ ୨୦୨୧ରେ ଦିଲ୍ଲୀ ଠାରେ ଏକ ୯ ବର୍ଷର ଆଦିବାସୀ ବାଳିକାକୁ ଧର୍ଷଣ କରି ହତ୍ୟା କରାଗଲା ଓ ନୀରବରେ ପୋଡିଦିଆଗଲା ମଧ୍ୟ । ଏହା ପ୍ରତିବାଦ ଜାତୀୟ ସ୍ତରରେ ହୋଇପାରିଲା । ମୁଁ ଏ ସମ୍ପର୍କରେ ଓଡିଆ ଖବରକାଗଜରେ କଣ ପ୍ରକାଶିତ ହୋଇଛି ଜାଣିବାଲାଗି ଚେଷ୍ଟା କଲି । ଚାରି ପ୍ରମୁଖ ଖବରକାଗଜରେ ଏ ଭଳି ଏକ ଦୁଃଖଦ ଘଟଣାର କୌଣସି ସୂଚନା ନଥିଲା ।
କିନ୍ତୁ ସୁଶାନ୍ତ ସିଂହ, ଆଦିତ୍ଯ
ଦାସ ଓ ସୌମ୍ଯରଞ୍ଜନ ମହାପାତ୍ରଙ୍କ ଆତ୍ମହତ୍ୟାର କାରଣ ଖୋଜିବା ଲାଗି ଖବରକାଗଜମାନେ ଯେଉଁ “ମିଡିଆ
ଟ୍ରାୟଲ” ଆରମ୍ଭ କରିଥିଲେ ତାହା ସେହି ଆରମ୍ଭ ଦିନ ଠାରୁ ଆଉ ପାଦେ ଆଗକୁ ଯାଇଛି କି?
ଏହି ଗଣମାଧ୍ୟମର ଏହି ବିଶେଷ ଭୂମିକାକୁ ନେଇ ଅନେକ ସମୟରେ ବନ୍ଧୁ କେଦାର ବିଭିନ୍ନ ଭାବରେ ନିଜର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି । ସେ ବେଶ ଗବେଷଣାତ୍ମକ ଢଙ୍ଗରେ ନିଜର କଥା କୁହନ୍ତି । ସେ କହୁଛନ୍ତି କଲେଜୀୟାମ ମାଧ୍ୟମରେ ଛଅ ବର୍ଷ ପରେ ୨୦୨୭ ମସିହାରେ ମାତ୍ର ୩୬ ଦିନ ଲାଗି ଆମେ ସୁପ୍ରିମ କୋର୍ଟର ଜଣେ ମହିଳା ମୁଖ୍ୟ ବିଚାରପତି ପାଇବା । କିନ୍ତୁ ତାହାକୁ ଗଣମାଧ୍ୟମ ଯେଉଁଭଳି ପ୍ରକାଶ କରୁଛି ଯେମିତି ଏହି ନିକଟରେ ସେ ଅଧିଷ୍ଠିତ ହେବେ ।
‘ରାଗ କେଦାର’ ଭିଡିଓ ରିପୋର୍ଟରେ ସେ ପ୍ରଶ୍ନ କରୁଛନ୍ତି ଯେ କେନ୍ଦ୍ର ସରକାର ଆକିଲ କୁରେଶୀଙ୍କୁ ଜାଣି ଜାଣି ଅଣଦେଖା କାହିଁକି କଲେ ? ଏହା ପୂର୍ବରୁ ବରିଷ୍ଠ ଓକିଲ ଅମିତେଶ ବାନାର୍ଜୀଙ୍କୁ ହାଇକୋର୍ଟ ବିଚାରପତି ଭାବରେ ନିଯୁକ୍ତି ନଦେବାକୁ ଗଣମାଧ୍ୟମ ପ୍ରଶ୍ନ କରୁନାହିଁ । ଏହିକଥା କେଦାର କହୁଛନ୍ତି ।
ଏକ ସାକ୍ଷାତକାରରେ ପରଞ୍ଜୋୟ ଗୂହା ଠାକୁର କହୁଥିଲେ ଆମ ଦେଶର ଗଣମାଧ୍ୟମ ଗଣତନ୍ତ୍ରର ପ୍ରଥମ ସ୍ତମ୍ବ ହୋଇଗଲାଣି । ସରକାର ଓ ଗଣମାଧ୍ୟମ ମଧ୍ୟରେ ପାର୍ଥକ୍ଯ ବାରି ହେଉନାହିଁ ।
ସେ ଯାହା ହେଉ ବନ୍ଧୁ ଶ୍ରୀମନ୍ତ, ଅଜିତ, କେଦାର, ମୁଁ ଓ ଅନେକ ଆମ୍ଭେମାନେ ସତ୍ୟକୁ ବିଭିନ୍ନ ଭାବରେ ଆପଣମାନଙ୍କ ସାମ୍ନାରେ ଆଣିବାକୁ ଚେଷ୍ଟା କରୁଛୁ ।
ଯେତେଦିନ ପର୍ଯ୍ୟନ୍ତ ସିଂହ ନିଜ ଭିତରୁ ନିଜର ଇତିହାସ ଲେଖକଟିଏ ସୃଷ୍ଟି କରିନପାରିଛି ସେତେ ଦିନ ପର୍ଯ୍ୟନ୍ତ ଶିକାରୀର ଶିକାର ହିଁ ଇତିହାସରେ ପ୍ରଶଂସିତ ହେବ । (ଚିନୁଆ ଆଚେବେ) ଆମର ଉଦ୍ୟମ ଆମର ନିଜ ଇତିହାସବିତଟିଏ ସୃଷ୍ଟି କରିବା ଓ ନିଜର ଲୋକମାଧ୍ୟମ ସୃଷ୍ଟି କରିବା ।
ଲେଖୁ ଲେଖୁ କିଛି ବନ୍ଧୁଙ୍କ ନାମ ନେଇ ଲେଖିଦେଲି । ସକାରାତ୍ମକ ଦ୍ରୁଷ୍ଟିରେ ନେବାକୁ ଅନୁରୋଧ ।