ଭାରତୀୟ ଗଣତନ୍ତ୍ରରେ ଗଣ ସର୍ବଦା ତନ୍ତ୍ରର ଊର୍ଦ୍ଧ୍ଵରେ ରହିବା କଥା ଅର୍ଥାତ ଦେଶର ନାଗରିକ
ସରକାରଙ୍କ ଉର୍ଦ୍ଧ୍ଵରେ ରହିବା କଥା। ଏହାକୁ ସ୍ଵୀକାର କରିବା ଶାସକର ବିନମ୍ରତା। ଏହି ବିନମ୍ରତା
ଯଦି ନାହିଁ ତେବେ ଶାସକ ଅଗଣତାନ୍ତ୍ରିକ ଓ ସ୍ଵେଚ୍ଛାଚାରୀ ହେବା ନିଶ୍ଚିତ। ପୂର୍ବରୁ ପ୍ରତ୍ୟେକ ଶାସକ
ଲୋକଙ୍କ ଶକ୍ତିକୁ ଭାଙ୍ଗିବାରେ କାମ କରିଛନ୍ତି ।
ସେଥିଲାଗି
ସେମାନେ ସାଧାରଣ ଲୋକଙ୍କୁ ଦଣ୍ଡ ଦେବା, ହତ୍ୟା କରିବା, ଘର ଭାଙ୍ଗିଦେବା, ମାନସିକ ଅତ୍ୟାଚାର କରିବାର ଅନେକ ଆଇନ ପ୍ରଣୟନ କରିଛନ୍ତି। ସାଧାରଣ ଲୋକେ ଅତ୍ୟାଚାରୀ
ଶାସକକୁ ଶାସନରୁ ତୁରନ୍ତ ହଟାଇବାର ଅଧିକାର ଯେପରି ପାଇବେ ସେଥିଲାଗି କୌଣସି ଦଳ ବା ଶାସନରେ
ଥିବା ବ୍ୟକ୍ତି କେବେ ଚିନ୍ତା ମଧ୍ୟ କରିନାହାନ୍ତି।
ତେଣୁ
ଦେଶର ଗଣତନ୍ତ୍ର ସଂପୂର୍ଣ୍ଣ ଶାସକର ତନ୍ତ୍ର ଓ ଲୋକେ ସେମାନଙ୍କ ଗୁଲାମରେ ପରିଣତ ହେଉଛନ୍ତି।
ଏହି ପ୍ରକ୍ରିୟା ଗଲା ବେଶ କିଛି ବର୍ଷ ହେଲା ଜୋରରେ ଚାଲିଛି। ଏହାର କାରଣ ହେଲା ଶାସକର ତୀବ୍ର ଅହଂକାର।
ହୁଏତ
ଆକାଉଣ୍ଟକୁ ପନ୍ଦର ଲକ୍ଷ ଟଙ୍କା ଆସିବା ଜୁମ୍ଳା ଥିଲା ଯାହା ଗୃହମନ୍ତ୍ରୀ ଅମିତ ଶାହା ସ୍ଵୀକାର
କରିଥିଲେ। କିନ୍ତୁ ଧାରା 370ର ସଂଶୋଧନ, ନାଗରିକ ସଂଶୋଧନ ଆଇନ ପ୍ରଣୟନ, ସମାନ ନାଗରିକ ସଂହିତା, ବିମୁଦ୍ରାକରଣ, ରାମ ମନ୍ଦିର ନିର୍ମାଣ, ନୂଆ ୟୁଏପିଏ ଆଇନ ଇତ୍ୟାଦି ଆଦୌ ଜୁମ୍ଳା ନଥିଲା।
ନିଜକୁ
ସୁହାଇବା ଭଳି ନିଷ୍ପତ୍ତି ହେଲା ଦଳୀୟ ମାନିଫେଷ୍ଟୋ ଓ ଲୋକଙ୍କ ହିତ ଲାଗି କରିଥିବା ଘୋଷଣା ହେଲା
“ଜୁମ୍ଳା”। ଗଣ ଓ ତନ୍ତ୍ର
ମଧ୍ୟରେ ଦୂରତା ଆଜି ଚନ୍ଦ୍ର ଓ ପୃଥିବୀର ଦୂରତା ହୋଇଯାଇଛି। ତେଣୁ କେଉଁଟି ଜୁମ୍ଳା ଓ କେଉଁଟି
ନିଶ୍ଚିତ ସେ ପ୍ରଶ୍ନ କରିବା ମଧ୍ୟ ଅପରାଧ।
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ
ହେବାକୁ ହେଲେ ପ୍ରଥମେ ନିଜ ଦଳ ନିର୍ବାଚନରେ ଲଢିବା ଲାଗି ଟିକଟ ଦେବା ଆବଶ୍ୟକ, ପୁଣି ଲୋକେ ସାଂସଦ ଭାବରେ ନିର୍ବାଚିତ କରିବା (ପ୍ରଧାନମନ୍ତ୍ରୀ ହେବାର ଅଥବା ଛଅ ମାସ ମଧ୍ୟରେ ନିର୍ବାଚିତ କରିବା) ଓ ପୁଣି ନିର୍ବାଚିତ
ସଦସ୍ୟମାନେ ପ୍ରଧାନମନ୍ତ୍ରୀ ବାଛିବା ହେଲା ଏଠାର ବ୍ୟବସ୍ଥା। କିନ୍ତୁ ଜଣେ ଶାସକ ଯଦି ନିର୍ବାଚନ
ପୂର୍ବରୁ ନିଜର ପିତୃଦତ୍ତ ସାଙ୍ଗିଆରେ ଦେଶବାସୀଙ୍କୁ ଗ୍ୟାରେଣ୍ଟି ଦିଏ ତେବେ ଏହା ନିଶ୍ଚିତ ଯେ
ଦଳ ମଧ୍ୟରେ କୌଣସି ଗଣତନ୍ତ୍ର ନାହିଁ ।
ଏହାକୁ
ଦଳର ସଦସ୍ୟମାନେ ଗ୍ରହଣ କରିନେଇପାରିଥାନ୍ତି। କିନ୍ତୁ ଦେଶବାସୀଙ୍କୁ ଏମାନେ ଭାବନ୍ତି କିଛି ହାଡ
ମାଂସର ମଣିଷ ଯାହାଙ୍କୁ ନିର୍ବାଚନ ଆସିଲେ ନିଜ ଲାଗି ଆବଶ୍ୟକ ଓ ପୁଣି ନିର୍ବାଚନ ସରିଗଲେ ଦେଶ
ଲାଗି ବୋଝ।
କୋଭିଡରେ
ମରିଯାଇଥିବା ପରିବାରର ସଦସ୍ୟ, ଦାଦନ ଯାଇଥିବା ଶ୍ରମିକର ସ୍ତ୍ରୀ ଓ ପିଲା, ବୁଲଡ୍ରୋଜର ଲଗାଇ ଭାଙ୍ଗିଦେଇଥିବା ଘରର ମାଲିକ, ଆକ୍ରମଣ କରିଥିବା ମୁସଲମାନ ଯୁବକର ପତ୍ନୀ, ବିନା କାରଣରେ ଆକ୍ରମଣର ଶିକାର ହେଉଥିବା ଖ୍ରୀଷ୍ଟିୟାନ
ପରିବାର, ଦିନକୁ ଷୋହଳ ଘଣ୍ଟା ପରିଶ୍ରମ କରୁଥିବା ଗିଗ ଶ୍ରମିକ, ଠିକା ଶ୍ରମିକ, ଆତ୍ମହତ୍ୟା କରୁଥିବା ଚାଷୀ ଓ ବେକାରୀ ଯୁବକ, ରାସ୍ତା କଡର ଦୋକାନ ବାରମ୍ବାର ଭାଙ୍ଗିଦେଉଥିବା ଦୋକାନୀର
ପରିବାରକୁ ଆଜି ଏମାନେ କଣ ଗ୍ୟାରେଣ୍ଟି ଦେଉଛନ୍ତି? ଭାରତରେ ଗଲା କିଛି ବର୍ଷ ଯାହା ଚାଲିଛି ଆଗାମୀ ଦିନରେ ଦ୍ରୁତ
ଗତିରେ ତାହା ଚଳିବାର ଗ୍ୟାରେଣ୍ଟି ଆଜିକାଲି ଟିଭି ଓ ଗଣମାଧ୍ୟମରେ ଦିଆଯାଉଛି।
ଦେଶରେ ଗଲା କିଛି ବର୍ଷ ହେଲା ଅନେକ ମନ୍ଦିର
ତିଆରି ହୋଇଛି। ସରକାରୀ ସହଯୋଗ ପାଇ ମନ୍ଦିର ଗୁଡିକ ଅଧିକ ସୁନ୍ଦର ଦେଖାଯାଉଛି, ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢୁଛି, ସରକାରଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢୁଛି ଓ ଏହା
ସହିତ ସମାନ୍ତରାଳ ଭାବରେ ଦେଶରେ ଧର୍ଷଣ, ହତ୍ୟା, ହିଂସା, ଡକାୟତି ଓ ସରକାରୀ ଦୁର୍ନୀତି ମଧ୍ୟ ବଢୁଛି। ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢିବା
ସହିତ ସେହି ଭକ୍ତମାନଙ୍କ ମଧ୍ୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ହିଂସା, ଦ୍ଵେଷ, ଅତ୍ୟାଚାରୀଙ୍କ ସଂଖ୍ୟା ବଢୁଥିବା ହେତୁ (ନଚେତ ଏତେ ସଂଖ୍ୟକ ଲୋକ ଆସିବେ କେଉଁଠୁ) ଲୋକେ
ହୁଏତ କେବେ ଠାରୁ ଭଗବାନ ସତରେ ଅଛନ୍ତି କି
ନାହାନ୍ତି ଏହାକୁ ନେଇ ପ୍ରଶ୍ନ କରିଥାନ୍ତେ।
ଲୋକେ
ଭାବିଥାନ୍ତେ ଯେ ଭଗବାନ ବି ପ୍ରଭାବହୀନ ନିଷ୍କ୍ରିୟ ହୋଇଗଲେଣି। କିନ୍ତୁ ସେଭଳି ହେଉନାହିଁ। ଦେଶରେ
ନୂତନ ଭଗବାନଙ୍କ ଆବିର୍ଭାବ ହେବା କଥା ମିଡିଆରେ ପ୍ରଚାର ହେଉଛି। ବାକି ପ୍ରମୁଖ ରାଜନୈତିକ ଦଳ
“ଧର୍ମନିରପେକ୍ଷତା” କୁ ଭୁଲିଗଲେଣି। ଏହି କାରଣରୁ ଲୋକଙ୍କର ସରକାରୀ ଦଳ ପ୍ରତି ଆନୁଗତ୍ୟ
ବଢୁଛି।
ଏହି
ଗ୍ୟାରେଣ୍ଟି ହେତୁ ଲୋକେ ବିଜ୍ଞାନକୁ ଭୁଲ କହୁଛନ୍ତି, ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ କରୁଛନ୍ତି, ପ୍ରକୃତ ଇତିହାସକୁ ଭୁଲିଯାଇ ନୂଆ ଇତିହାସକୁ ବିଶ୍ଵାସ
କରୁଛନ୍ତି, ସରକାରଙ୍କୁ ନିଜର ପ୍ରଭୁ ମନେକରୁଛନ୍ତି ଓ ନିଜ ଲୋକଙ୍କୁ ‘ଦେଶଦ୍ରୋହୀ’ କହି ଉଭୟ ଉଭୟ ବାକ୍ୟ ଓ ଅସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି।
ଅବୈଜ୍ଞାନିକ
ଚିନ୍ତାଧାରା ସମାଜରେ ପ୍ରଚାର କରିବା ଅସମ୍ବିଧାନିକ। କିନ୍ତୁ ସମ୍ବିଧାନର ମୂଳ ଘୋଷଣାନାମାକୁ
ବଦଳାଇ ନୂତନ ଘୋଷଣାନାମା ଲେଖିବାର ପ୍ରୟାସ ଚାଲିଛି। ସେଥିଲାଗି ଦେଶରେ ପରିବେଶ ସୃଷ୍ଟି
କରାଯାଉଛି। ଏବେ ହିନ୍ଦୁଧର୍ମର ନୂଆ ପୁରାଣ ଲେଖା
ହେଉଛି।
ମୋଦୀ ଗ୍ୟାରେଣ୍ଟିର ଅନ୍ୟ ଏକ ରୂପ ହେଲା ନିଜ ବିଚାରକୁ ସୁହାଇବା ବ୍ୟକ୍ତିଙ୍କୁ ‘ଦେଶପ୍ରେମୀ’ ଓ ଅସହମତି ରଖୁଥିବା ବ୍ୟକ୍ତିଙ୍କୁ ‘ଦେଶଦ୍ରୋହୀ’ ବାଛିବା।
ଦେଶର ଦଙ୍ଗାକାରୀଙ୍କୁ ‘ଭାରତରତ୍ନ’ ଉପାଧୀ ଦେବା ଓ ଅଲମ୍ପିକ ବିଜେତାଙ୍କୁ ପୁଲିସ ଲଗାଇ ଆକ୍ରମଣ କରିବା, ଜଷ୍ଟିସ ଲୋୟାଙ୍କ ହତ୍ୟାକାରୀ ସମ୍ପର୍କରେ କୌଣସି ଅନୁସନ୍ଧାନ ନକରିବା କିନ୍ତୁ ଦିଲ୍ଲୀ ଦଙ୍ଗାର ମିଥ୍ୟା ଆରୋପରେ ସାମାଜିକ କର୍ମୀଙ୍କୁ ଜେଲରେ ରଖିବା, ଭୀମାକୋରେଗାଓଁ କେସରେ ପ୍ରକୃତ ଦଙ୍ଗାକାରୀଙ୍କୁ ବାଦ ଦେବା କିନ୍ତୁ ଘଟଣା ଦିନ ଆଦୌ ଉପସ୍ଥିତ ନଥିବା ମାନବିକ ଅଧିକାର କର୍ମୀଙ୍କୁ ଗିରଫ କରିବା, ଗାଈ ମାଂସ ମିଳିବାର ମିଥ୍ୟା ପ୍ରଚାର କରି ଅଳ୍ପ ସଂଖ୍ୟକଙ୍କୁ ହତ୍ୟା କରିବା କିନ୍ତୁ ଗୁଜୁରାଟ ଦଙ୍ଗାରେ ନ୍ୟାୟାଳୟ ଦ୍ଵାରା ଦୋଷୀ ସାବ୍ୟସ୍ତ ହତ୍ୟାକାରୀ ଓ ଧର୍ଷଣକାରୀଙ୍କୁ ଜେଲରୁ ମୁକ୍ତ ଦେବା ଭଳି ‘ଦେଶଦ୍ରୋହୀ’ ଓ ‘ଦେଶପ୍ରେମୀ’ଙ୍କ ଅନେକ ଉଦାହରଣ ରହିଛି। “ଆର୍ଟିକିଲ ୧୪”
ମିଡିଆ ଗୃପ ଦ୍ଵାରା
ପ୍ରସ୍ତୁତ ତାଲିକା ଅନୁସାରେ, ୨୦୧୧ ରୁ ୨୦୨୧
ମସିହା ମଧ୍ୟରେ ୧୩୦୦୦ ଭାରତୀୟଙ୍କ ବିରୋଧରେ ‘ରାଜଦ୍ରୋହ’ ମାମଲା ରୁଜୁ ହୋଇଛି । ସେଥି ମଧ୍ୟରୁ ୬୫% ମାମଲା ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରରେ ଆସିବା
ପରଠାରୁ ରୁଜୁ ହୋଇଛି।
ମାମଲା ରୁଜୁ ହୋଇଥିବା
ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ସାମ୍ବାଦିକ, ଲେଖକ ଓ ବିରୋଧୀ ରାଜନୈତିକ
ଦଳର ସଦସ୍ୟ । ରାଜଦ୍ରୋହ ମାମଲାରେ ଗିରଫ
ଅଭିଯୁକ୍ତଙ୍କୁ ୫୦ ରୁ ୨୦୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଛି ଓ ୧୦,୦୦୦
ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାମିନ ଲାଗି ଖର୍ଚ୍ଚ କରିବାକୁ ପଡିଛି।
ଆଇପିସିର ଧାରା ୧୨୪ (କ) ବଦଳରେ ନୂତନ ନ୍ୟାୟ ସଂହିତାର ଧାରା ୧୫୨ରେ ତାହା ଠାରୁ ଅଧିକ କଠୋର ପ୍ରସ୍ତାବ ଉଲ୍ଲେଖ କରି ଗଣମାଧ୍ୟାମରେ ‘ରାଜଦ୍ରୋହ’ ଧାରା ବାଦ ପଡିଛି କହିବା ଆଶ୍ଚର୍ଯ୍ୟ କରୁଛି।
ରାଜନୈତିକ ଯୁମ୍ଳାବାଜୀ ଓ ବିରୁଦ୍ଧରେ ପ୍ରତିବାଦ ତୀବ୍ର କରିବା ଆବଶ୍ୟକ। ଏହାଦ୍ୱାରା ଅନ୍ତତଃ ଗଣତନ୍ତ୍ର ବଞ୍ଚିପାରିବ ।
ଦେବ ରଞ୍ଜନ (9437762272 / debasar11@yahoo.co.in)
(‘ସମଦୃଷ୍ଟି’ ପତ୍ରିକାର ୧୬ –
୨୯ ଫେବୃଆରୀ – ମାର୍ଚ୍ଚ ୧ – ୧୬ ସଂଖ୍ୟାରେ ପ୍ରକାଶିତ)