ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳଲା। ସେ ଦିନର ‘ମୃଗୟା’ ଚଳଚ୍ଚିତ୍ରର ନାୟକ ମିଥୁନ ଚକ୍ରବର୍ତ୍ତୀ ଆଜି
ଦାଦା ସାହେବ ଫାଲକେ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୀର୍ଘ ପଚାଶ ବର୍ଷ
ହିନ୍ଦୀ, ଓଡିଆ (‘ସହର ଜଳୁଛି’,
‘ଏ ଯୁଗର କୃଷ୍ଣ ସୁଦାମା’ ଇତ୍ୟାଦି), ତେଲେଗୁ ଓ ନିଜର ବଙ୍ଗାଳୀ ଭାଷାର ବିଭିନ୍ନ ଫିଲ୍ମରେ ଅଭିନୟ କରିଆସୁଥିବା ମିଥୁନ
ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଭାରତୀୟ ଫିଲ୍ମ
ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି।
୧୯୭୬ ମସିହାରେ ପ୍ରସିଦ୍ଧ ନିର୍ଦ୍ଦେଶକ ମୃଣାଳ
ସେନ ଭଗବତୀ ପାଣିଗ୍ରାହୀଙ୍କ ଲିଖିତ ଓଡିଆ ଗଳ୍ପ “ଶିକାର” କୁ ଫିଲ୍ମ ରୂପାନ୍ତର କରିବା ଲାଗି
(ଯାହାର ନାମ ସେ ‘ମୃଗୟା’ ରଖିଥିଲେ) ଅଧିକ ଉଚ୍ଚତା ବିଶିଷ୍ଟ, ଶ୍ଯାମଳ ବର୍ଣ୍ଣ ଓ ମଜଭୁତ
ଦେଖାଯାଉଥିବା ଜଣେ କଳାକାରଙ୍କ ଆବଶ୍ୟକତା ଅନୁଭବ କରୁଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଛାତ୍ର
ଥିବା ସମୟରେ “ମୃଗୟା” ଲାଗି ଚୁକ୍ତି କରିଥିବା ସେହି ଦୀର୍ଘକାୟ ଯୁବକ ମିଥୁନ
ଚକ୍ରବର୍ତ୍ତୀ, ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା ଦାଦା ସାହେବ
ଫାଲକେ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି।
ଏହି ୨୦୨୪ ମସିହାର କିଛି ଦିନ ଆଗରୁ ସେ କେନ୍ଦ୍ର ସରକାରଙ୍କ ଦ୍ଵାରା ପଦ୍ମଭୂଷଣ
ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଥିଲେ। ଗୋଟିଏ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଦୁଇ
ବୃହତ ପୁରସ୍କାର ଦ୍ଵାରା ଏହି ଭଳି ସମ୍ମାନିତ ହେବା ପଛରେ କାରଣ କ’ଣ
ହୋଇପାରେ?
ସାଧାରଣତଃ ମିଥୁନ ଚକ୍ରବର୍ତ୍ତୀ ନିଜର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ସଦସ୍ୟଙ୍କ
ଭଳି କ୍ଵଚିତ ସାମାଜିକ ସମସ୍ଯା ଉପରେ ନିଜର ବକ୍ତବ୍ୟ ରଖିଥାନ୍ତି। କିନ୍ତୁ କଲିକତାର ଆର.ଜି. କର
ମେଡିକାଲ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଦୋଷୀଙ୍କୁ
ଗିରଫ କରିବାରେ ଟାଳଟୁଳ ନୀତି ଆପଣାଇବା କାରଣରୁ ମିଥୁନ ଚକ୍ରବର୍ତ୍ତୀ ବ୍ୟସ୍ତ ହୋଇ ମନ୍ତବ୍ୟ
ଦେଇଥିଲେ, “ରାଜ୍ୟ ସରକାରଙ୍କ ଏତାଦୃଶ ମନୋବୃତ୍ତି ହେତୁ ମୁଁ
ଜଣେ ବଙ୍ଗାଳୀ ଭାବରେ ମୁଣ୍ଡ ଉଠାଇ ଚାଲିପାରୁନାହିଁ।“ କିନ୍ତୁ ସେ ମଣିପୁର ମହିଳାଙ୍କ ଗଣ
ଦୁଷ୍କର୍ମ ମାମଲାରେ ସଂପୂର୍ଣ୍ଣ ନୀରବ ରହିଥିଲେ। (ଯୁକ୍ତି ଅନୁସାରେ ଏହା ପଶ୍ଚିମବଙ୍ଗ ମଧ୍ୟରେ
ଘଟିନଥିଲା!!!)
ଏଠାରେ ଉଲ୍ଲେଖ ଯୋଗ୍ୟ କଥା ହେଲା ଯେ ୨୦୧୧ ମସିହାରେ ମିଥୁନ ଚକ୍ରବର୍ତ୍ତୀ ତୃଣମୂଳ
କଂଗ୍ରେସରେ ଯୋଗଦେଇଥିଲେ ଓ ୨୦୧୪ ମସିହାରେ ସେ ଏହି ଦଳ ତରଫରୁ ରାଜ୍ୟ ସଭା ସଦସ୍ୟ
ହୋଇପାରିଥିଲେ। କିନ୍ତୁ ୨୦୧୬ ମସିହାରେ ‘ସାରଦା ଚିଟ ଫଣ୍ଡ
ସ୍କାମ’ ରେ ତାଙ୍କର ସମ୍ପୃକ୍ତି ଥିବା ମନେକରି ତାଙ୍କର ଘର ଚଢାଉ
ହୋଇଥିଲା। ସେ କେତେକ ଅର୍ଥରାଶି ଦଣ୍ଡ ସ୍ୱରୂପ ପଇଠ କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା
ଓ ଏଥିଲାଗି ସେ ୨୦୧୬ ମସିହାରେ ତୃଣମୂଳ କଂଗ୍ରେସ ପାର୍ଟି ଛାଡିଥିଲେ।
ଦୀର୍ଘ ବର୍ଷ ପରେ ତାଙ୍କ ଅଭିନୀତି ଦୁଇଟି ଫିଲ୍ମ ଲାଗି ସେ ଚର୍ଚ୍ଚିତ ହୋଇଥିଲେ। ୨୦୧୯
ମସିହାରେ ‘ଦି ତାସକେନ୍ଟ ଫାଇଲ୍ସ’ ରିଲିଜ ହୋଇଥିଲା ଠିକ ଜାତୀୟ ନିର୍ବାଚନ ପୂର୍ବରୁ। ଲାଲ ବାହାଦୁର ଶାସ୍ତ୍ରୀଙ୍କ
ଦେହାନ୍ତ ଉପରେ ରହିଥିବା ଦ୍ଵନ୍ଦକୁ ନେଇ ଏହି ଫିଲ୍ମ ନିର୍ମିତ। ଏହି ଫିଲ୍ମ ମୁଁ ଦେଖିନାହିଁ।
ଏହାର ସମୀକ୍ଷା ପଢିଛି । ଜାତୀୟ ନିର୍ବାଚନ ପୂର୍ବରୁ ଏହି ଫିଲ୍ମ ରିଲିଜ ହେବା ପଛରେ ରାଜନୈତିକ
କାରଣ ସ୍ପଷ୍ଟ ଥିଲା। ଏହାପରେ ମିଥୁନ ଚକ୍ରବର୍ତ୍ତୀ ୨୦୨୧ ମସିହାରେ ସେ ବିଜେପିରେ ଯୋଗ
ଦେଇଥିଲେ।
୨୦୨୩ ରେ ସେ ଅତି ଚର୍ଚ୍ଚିତ ଫିଲ୍ମ ‘ଦି କାଶ୍ମୀର
ଫାଇଲ୍ସ’ରେ ଅଭିନୟ କରିଥିଲେ। ‘ଦି
ତାସକେନ୍ଟ ଫାଇଲ୍ସ’ ର ନିର୍ମାତା ନିର୍ଦ୍ଦେଶକ ଓ ଅଭିନେତା ପୁଣି
ଥରେ କେନ୍ଦ୍ର ସରକାରଙ୍କ ବିଚାରକୁ ଅବିକଳ ନକଲ କରି ‘ଦି
କାଶ୍ମୀର ଫାଇଲ୍ସ’ ତିଆରି କରିଥିଲେ। ଏହାର କିଛି ଅଂଶ ମୁଁ
ଦେଖିଛି। ମାନବିକତାକୁ ଯେ କେତେ କଦର୍ଯ୍ୟ ଭାବରେ ଖଣ୍ଡ ଖଣ୍ଡ କରିଦିଆଯାଏ ଓ ଗୋଟେ ଭାଗ ଦେଖିଲେ
ଅନ୍ୟ ଭାଗକୁ ଲୁଚାଇ ରଖାଯାଏ ତାହାର ନମୁନା ହେଲା ଏହି ଫିଲ୍ମ।
ଦୀର୍ଘ ବର୍ଷ ହେଲା ଦାଦା ସାହେବ ଫାଲକେ ପୁରସ୍କାର କେନ୍ଦ୍ର ସରକାରଙ୍କ ପ୍ରତି
ଆନୁଗତ୍ୟ ରହିଥିବା କଳାକାରଙ୍କୁ ମିଳିବାର ଧାରା ସୃଷ୍ଟି ହୋଇଯାଇଛି। ଉଦାହରଣ ଭାବରେ ନେଲେ
ଅମିତାଭ ବଚ୍ଚନ କଂଗ୍ରେସ ସରକାର ଶାସନ ସମୟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇନଥିଲେ। ଯଦିଓ
ସେ ୧୯୮୪ ରେ କଂଗ୍ରେସ ପାର୍ଟିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଓ ଆଲ୍ଲାହାବାଦ ସିଟରୁ
ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ବଫର୍ସ ସ୍କାମ ପରେ ଉଭୟ କଂଗ୍ରେସ ଓ ବଚନଙ୍କ
ମଧ୍ୟରେ ଦୂରତା ବଢିଥିଲା। ୨୦୦୬ ମସିହାରେ ଅମିତାଭ ବନଚଙ୍କ କମ୍ପାନୀକୁ ଆୟକର ବିଭାଗ ତରଫରୁ
ନୋଟିସ ଆସିବା ସମୟରେ ସେ ଏହାକୁ କଂଗ୍ରେସ ପାର୍ଟିର ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ କରିଥିଲେ।
ଦୀର୍ଘ ବର୍ଷ ହେଲା ଅମିତାଭ ବଚନ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଉତ୍ତମ ସମ୍ପର୍କ
ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଓ ଅମିତାଭ ବଚନଙ୍କ ମଧ୍ୟରେ ଟ୍ବିଟର ଓ ଏକ୍ସ ର ଆଳାପରୁ ଏହା ବେଶ
ଜଣାପଡେ। ଏଥିଲାଗି ଅମିତାଭ କେବେ ଲୋକଙ୍କ ସାମାଜିକ, ଆର୍ଥିକ ଓ
ରାଜନୈତିକ ସମସ୍ଯା ଉପରେ କୌଣସି ମନ୍ତବ୍ୟ ଗଲା ବର୍ଷ ମାନଙ୍କରେ ଦେଇନାହାନ୍ତି। ତେଣୁ ଏହା
ସ୍ଵାଭାବିକ ଯେ ଅମିତାଭ ବଚ୍ଚନ ବିଜେପିର ଶାସନ ସମୟରେ ୨୦୧୮ ମସିହାରେ ଦାଦା ସାହେବ ଫାଲକେ
ପୁରସ୍କାର ପାଇଥିଲେ। ସେହିଭଳି ଦେବାନନ୍ଦ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ଦୃଢ ପ୍ରଶଂସକ ଥିଲେ
ଓ ତାଙ୍କୁ ୨୦୦୨ ମସିହାରେ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦାଦା ସାହେବ ଫାଲକେ
ପୁରସ୍କାର ମିଳିପାରିଥିଲା।
ଦାଦା ସାହେବ ଫାଲକେ ପୁରସ୍କାର ସମ୍ପର୍କରେ ଅନ୍ୟ ଏକ ବିରୋଧ ମନ୍ତବ୍ୟ ଆସେ ଯେ ଏଥିରେ
ମହିଳା କଳାକାର, ନିର୍ଦ୍ଦେଶିକା, ଗାୟୀକା ବା କଥାବସ୍ତୁ ଲେଖିକା କ୍ଵଚିତ ଉକ୍ତ ପୁରସ୍କାର ପାଇଥାନ୍ତି। ୧୯୬୯ ରେ ଯେବେ
ଏହା ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମ ପୁରସ୍କାର ଅଭିନେତ୍ରୀ ଦେବିକା ରାଣୀଙ୍କୁ (ଭାରତୀୟ
ସିନେମାର ପ୍ରଥମ ମହିଳା) ମିଳିଥିଲା। ଅଥଚ ସମଗ୍ର ପୁରସ୍କାର ତାଲିକାରେ ମହିଳାଙ୍କ ସଂଖ୍ୟା
ପୁରୁଷଙ୍କ ତୁଳନାରେ ଅନେକ କମ।
ଉଦାହରଣ ଭାବରେ, ଫିଲ୍ମ କ୍ଷେତ୍ରକୁ ଜୀବନ ବ୍ୟାପୀ
ଅବଦାନ ଲାଗି ୨୦୦୦ ମସିହା ଠାରୁ ୨୦୨୪ ମସିହା ମଧ୍ୟରେ କେବଳ ଆଶା ଭୋସଲେ (୨୦୦୦), ଆଶା ପାରେଖ (୨୦୨୨) ଓ ୱାହୀଦା ରେହମାନ (୨୦୨୩) ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମହିଳା
କଳାକାର ଏହି ସର୍ବୋଚ୍ଚ ସମ୍ମାନ ପାଇନାହାନ୍ତି। ମଧୁବାଲା, ଶର୍ମୀଲା
ଟାଗୋରେ, ନିର୍ଦ୍ଦେଶିକା ଦୀପା ମେହେଟା (‘ଫାୟାର’ ପ୍ରସିଦ୍ଧ), ଅପର୍ଣ୍ଣା
ସେନ, ଗାୟୀକା ଏସ ଜାନକୀ (ମୃତ), କୋରିୟଗ୍ରାଫର ସରୋଜ ଖାନ (ମୃତ) ଇତ୍ୟାଦି ପାଇନାହାନ୍ତି। ଯେଉଁ ସଂଖ୍ଯାରେ ପୁରୁଷ
ଅଭିନେତା, ନିର୍ଦ୍ଦେଶକ, ଗାୟକ
ଇତ୍ଯାଦିଙ୍କୁ ମିଳିଛି ସେ ତୁଳନାରେ ମହିଳାଙ୍କୁ ମିଳିନାହିଁ।
ଫାଲକେ ପୁରସ୍କାର ତାଲିକାରେ ବହୁତ ବଡ ବ୍ୟତିକ୍ରମ କିନ୍ତୁ ହେଉଛନ୍ତି ହିନ୍ଦୀ ଫିଲ୍ମର
ଗୀତିକାର ଓ ନିର୍ଦ୍ଦେଶକ ଗୁଲାଜାର। ତାଙ୍କୁ ୨୦୧୩ ମସିହାରେ କଂଗ୍ରେସ ପାର୍ଟିର ଶାସନ ସମୟରେ
ଉକ୍ତ ପୁରସ୍କାର ମିଳିପାରିଥିଲା। ଅଥଚ ତାଙ୍କରି ଫିଲ୍ମ ‘ଆନ୍ଧି’ ସତୁରୀ ଦଶକରେ ନିର୍ମିତ ହୋଇଥିଲା ଓ ଏହାର କାହାଣୀ ୧୯୭୫ ମସିହାରେ ତତ୍କାଳୀନ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଘୋଷିତ ଜରୁରୀକାଳୀନ ପରିସ୍ଥିତି ଉପରେ
ପର୍ଯ୍ୟବେଶିତ ଥିଲା । ପରେ ଜନସଙ୍ଘ – ଜନତା ମିଳିତ ସରକାର
୧୯୭୮ ମସିହାରେ ଆସିବା ପରେ ଓ ଏଲକେ ଆଡବାଣୀ ପ୍ରସାରଣ ମନ୍ତ୍ରୀ ଥିବା ସମୟରେ ଏହାର ରିଲିଜ ଲାଗି
ଅନୁମତି ଦିଆଯାଇଥିଲା।
ଗୁଲାଜାରଙ୍କ ଅନ୍ୟତମ ପ୍ରସିଦ୍ଧ
ଫିଲ୍ମ ‘ମାଚ୍ଚିସ’ ପଞ୍ଜାବରେ ‘ଅପରେସନ ବ୍ଲୂଷ୍ଟାର’ ସମୟରେ ହେଉଥିବା ପୁଲିସର
ଅତ୍ୟାଚାର ଓ ଏନକାଉଣ୍ଟର ହତ୍ୟା ଉପରେ ପର୍ଯ୍ୟବେଶିତ। ସମାଜରେ କେଉଁଭଳି ପ୍ରଭାବ ଉକ୍ତ ଅପରେଶନ
ପକାଉଛି ତାହା ଉପରେ ଫିଲ୍ମର କଥାବସ୍ତୁ ଥିଲା। ସରକାରଙ୍କ ପଦକ୍ଷେପକୁ ସର୍ବଦା ସମାଲୋଚନା
କରିଆସିଥିବା ଗୁଲାଜାରଙ୍କୁ ୨୦୧୩ ମସିହାରେ ଫାଲକେ ପୁରସ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ
କରିଥିଲା।
ଆଜି ପୁରସ୍କାରର ଯେଉଁଭଳି
ରାଜନୀତିକରଣ ହୋଇଛି ଆଗାମୀ ଦିନରେ କମଳା ହସନ, ନସିରୁଦ୍ଦିନ ଶାହା, ଓମପୁରୀ, ଜାଭେଦ ଅଖତାର ଓ ଶାବନା ଆଜମୀ ଇତ୍ଯାଦିଙ୍କୁ ଉକ୍ତ ପୁରସ୍କାର ମିଳିବା ଅସମ୍ଭବ।
ଭାରତୀୟ
ବୃତ୍ତଚିତ୍ର ନିର୍ମାଣ ଇତିହାସରେ ଆନନ୍ଦ ପଟ୍ଟବର୍ଦ୍ଧନ ଜଣେ ଜୀବନ୍ତ କିମ୍ବଦନ୍ତୀ। ଦେଶ ତାଙ୍କର ସାହସ ଓ ଉସ୍ଛର୍ଗୀକୃତ
ମନୋଭାବର ଉଦାହରଣ ପାଇଥିଲା ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ଘୋଷଣା ସମୟରେ। ଲୋକଙ୍କ
ଉପରେ ଯେଉଁ ଦମନ ହେଉଥିଲା ତାହାକୁ ଲୁଚିଛପି ରେକର୍ଡ କରିବା, ଲୋକଙ୍କ
ସାକ୍ଷାତକର ନେବା ଓ ସମ୍ପାଦନା ବିଦେଶରେ କରି ‘ଜମୀର କେ ବନ୍ଦୀ’ ଫିଲ୍ମ ରିଲିଜ କରିବା (୧୯୭୮) ଦର୍ଶାଉଛି ନିର୍ମାତାଙ୍କ ପ୍ରସ୍ତୁତି। ତାହା ଥିଲା
କଂଗ୍ରେସ ପାର୍ଟି ବିରୁଦ୍ଧରେ କାର୍ଯ୍ୟ। ସେହିଭଳି ‘ରାମ କେ ନାମ’ (୧୯୯୨) ଠାରୁ ‘ବିବେକ’ (୨୦୧୮) ବିଜେପି ର ହିନ୍ଦୁତ୍ଵ ବିରୁଦ୍ଧରେ ଦୃଢ ସ୍ଵର। ସମାଜରେ ପୁରୁଷତାନ୍ତ୍ରିକ
ମନୋଭାବ ବିରୁଦ୍ଧରେ ନିର୍ମିତ ‘ପିତା ପୁତ୍ର ଓ ଧର୍ମଯୁଦ୍ଧ
(୧୯୯୫) , ବାଜପେୟିଙ୍କ ସମୟର ପରମାଣୁ ବୋମା ପରୀକ୍ଷଣକୁ
ବିରୋଧ କରି ନିର୍ମିତ ‘ଯୁଦ୍ଧ ଓ ଶାନ୍ତି’ (୨୦୦୨) ଓ ଦଳିତ ଆନ୍ଦୋଳନ ଉପରେ ନିର୍ମିତ ‘ଜୟ ଭୀମ
କମ୍ରେଡ’ (୨୦୧୧) ଫିଲ୍ମ ଲାଗି ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର
ମିଳିଥିଲା। ଆନନ୍ଦ ପଟ୍ଟବର୍ଦ୍ଧନଙ୍କ ନାମ କେବେ ଦାଦା ସାହେବ
ଫାଲକେ ପୁରସ୍କାର ଲାଗି ପ୍ରସ୍ତାବ ମଧ୍ୟ ହୋଇନାହିଁ।
କ୍ଷମତା ରାଜନୀତି ଆଜି ସମସ୍ତ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରୁଛି। ଫିଲ୍ମ କ୍ଷେତ୍ରରେ ଏହା ଅଧିକ ରହିଛି। ଏଥିରେ ସମାଜ ଅନେକ କିଛି ହରାଉଛି। କ୍ଷମତା ରାଜନୀତି ଆଜି ସମସ୍ତ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରୁଛି। ଫିଲ୍ମ କ୍ଷେତ୍ରରେ ଏହା ଅଧିକ ରହିଛି। ଏଠାରେ ସରକାର ହିଁ ପୁରସ୍କାର ଦେଉଛନ୍ତି ସରକାରଙ୍କୁ। କଳାକାର ଏଠାରେ କେବଳ ଏକ ଯନ୍ତ୍ର।
Email: debasar11@yahoo.co.in