Tuesday, September 30, 2025

ନେପାଳରେ ଲୋକଙ୍କ ପ୍ରତିବାଦର ଧାରା

ଦେବ ରଞ୍ଜନ

 

            ସେପ୍ଟେମ୍ବର ୦୯ ତାରିଖରେ ନେପାଳରେ ଅନେକ କିଛି ଘଟଣା ଘଟିଗଲା। ସଂସଦ ଭବନକୁ ଜାଳିଦିଆଗଲା, ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଛାରଖାର କରିଦିଆଗଲା, ସୁପ୍ରିମ କୋର୍ଟର ବିଲିଡିଙ୍ଗ ମଧ୍ୟ ବାଦ ଗଲାନାହିଁ। ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଥିବା ଭିଡିଓ ଦେଖିଲେ ବୁଝିହେଉଛି ଯେ ଶାସକଙ୍କ ଉପରେ ଲୋକଙ୍କ କ୍ରୋଧ କିଛି କମନଥିଲା। ଅର୍ଥମନ୍ତ୍ରୀଙ୍କୁ ନଦୀ ମଧ୍ୟରେ ଗୋଡାଇ ଗୋଡାଇ ପିଟିବା, ପ୍ରଧାନମନ୍ତ୍ରୀଙ୍କୁ ଲୋକେ ଘେରି ରହିବା କାରଣରୁ ଉଦ୍ଧାର କରିବା ଲାଗି ହେଲିକପ୍ଟର ପହଞ୍ଚିବା ଇତ୍ୟାଦି ଲୋକଙ୍କ ଆକ୍ରୋଶକୁ କିଛି ପରିମାଣରେ ବର୍ଣ୍ଣନା କରୁଛି।

 

            ନେପାଳରେ ପୁଞ୍ଜି ଓ ରୁଣ ଖଟାଇଥିବା ଏଜେନ୍ସି ଓ କମ୍ପାନୀମାନଙ୍କ ବିରୁଦ୍ଧରେ କୌଣସି ବି ପ୍ରତିକ୍ରିୟା ଆମ ସାମ୍ନାକୁ ଆସୁନାହିଁ। କୌଣସି ଠାରେ କିନ୍ତୁ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସାମାନ୍ଯ ହୋର୍ଡିଙ୍ଗଙ୍କୁ ମଧ୍ୟ କ୍ଷତି ଘଟାଇବାର ଖବର ମିଳୁନାହିଁ। ବିଶ୍ଵବ୍ୟାଙ୍କ, ଆଇଏମଏଫ ଭଳି ସଂଗଠନ ବିରୁଦ୍ଧରେ ଶବ୍ଦଟିଏ ମଧ୍ୟ ରହୁନାହିଁ। ଏଥିରୁ ସନ୍ଦେହ ଆସୁଛି ଯେ ଯେଉଁ ତଥ୍ୟ ଆମକୁ ମିଳୁଛି ତାହା ସମ୍ପାଦିତ ତଥ୍ୟ ନୁହେଁ ତ? ବିଭିନ୍ନ କମ୍ପାନୀ ଓ ବିଶ୍ଵବ୍ୟାଙ୍କ ଏହାକୁ ନିଜ ତରଫକୁ ନେଇଯାଇନାହାନ୍ତି ତ?

           

 ୧. ଡିଜିଟାଲ ସର୍ଭିସ ଟାକ୍ସ ଓ ଆଇଏମଏଫର ନିୟନ୍ତ୍ରଣ:

 

            ୨୦୨୨ ମସିହାରେ ନେପାଳ ସରକାର ବିଶ୍ଵ ଅର୍ଥ ସଂସ୍ଥା ବା ଆଇଏମଏଫର ପ୍ରରୋଚନାରେ ଡିଜିଟାଲ ସର୍ଭିସ ଟାକ୍ସ ଲାଗୁ କରିଥିଲେ। କୁହାଯାଉଛି ଯେ ଦେଶ ମଧ୍ୟରେ ଆୟର ମାତ୍ରା ବଢାଇବା ଲାଗି ସେଭଳି କରିବା ଲାଗି ଆଇଏମଏଫ ଦ୍ଵାରା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ଅଧିକ ଯେ ନିୟନ୍ତ୍ରିତ ତାହା ସ୍ପଷ୍ଟ ଜଣାପଡୁଛି। 

 

            ଉକ୍ତ ଟାକ୍ସ ଅନୁସାରେ ସମସ୍ତ ଅଣ-ନେପାଳୀ ଡିଜିଟାଲ ପ୍ରୋଭାଇଡ଼ର ଯଦି ସେମାନଙ୍କ ଆର୍ଥିକ ଦେଣନେଣ ୩୦ ଲକ୍ଷ ନେପାଳୀ ଟଙ୍କାରୁ ଅଧିକ ହୁଏ ତେବେ ସମୁଦାୟ ଦେଣନେଣ ଉପରେ ୨ ପ୍ରତିଶତ  ଡିଜିଟାଲ ସର୍ଭିସ ଟାକ୍ସ ଦେବାକୁ ବାଧ୍ୟ। ଏହା ପରୋକ୍ଷ ଭାବରେ ଦେଉଥିବା ଭାଟ, ଅବକାରୀ ଓ କଷ୍ଟମ ଟିକସ ଠାରୁ ଭିନ୍ନ।

 

            ଏହାକୁ କିନ୍ତୁ ଗୁଗୁଲ, ଫେସବୁକ, ନେଟଫ୍ଲିକ୍ସ, ଗୁଗୁଲ ଡ୍ରାଇଭ, ଡ୍ରପବକ୍ସ, ମାଇକ୍ରୋସଫ୍ଟ, ଜୁମ ଓ ବିଭିନ୍ନ ଇ-କମର୍ଷ (ଫୋନ ପେ ଇତ୍ୟାଦି) କମ୍ପାନୀ ଆବଶ୍ୟକ ପଞ୍ଜୀକରଣ କରିବାକୁ ମନା କରି ନୀରବ ପ୍ରତିବାଦ କରିଥିଲେ। କିନ୍ତୁ ସରକାର ଧୀରେ ଧୀରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ଲକ କରିବା ଆରମ୍ଭ କରିଦେଲେ।

 

            ହୁଏତ ଏହା ଯୁବ ବର୍ଗ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କଲା। ଦେଶ ବାହାରୁ ନିୟମିତ ପଠାଯାଉଥିବା ଅର୍ଥ ନେପାଳର ପରିବାରମାନଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଏତଦବ୍ୟତୀତ, ଯୁବାବର୍ଗ ନିଜର ମତ ବ୍ୟକ୍ତ କରିବାର ସ୍ଵାଧୀନତା ହରାଇଲା। କିନ୍ତୁ ବିଦେଶରୁ ସେମାନଙ୍କ ପରିବାରର ଲୋକେ ପଠାଉଥିବା ଅର୍ଥ ଉପରେ ଉପରେ ନେପାଳର ପରିବାରମାନେ ଯେ ନିର୍ଭରଶୀଳ ଏହି ସତ୍ୟ ମଧ୍ୟ ଏଥିରେ ଉନ୍ମୋଚିତ ହେଉଛି।  

 

 

୨. ବିଦେଶୀ ରୁଣ ବୋଝ:

             

            ୧୯୫୧ ମସିହାରେ ପ୍ରଥମେ ଆମେରିକା ସରକାର ପଏଣ୍ଟ ଫୋର ପ୍ରୋଗ୍ରାମ ଅନୁସାରେ ବିଦେଶୀ ସହାୟତା ଭାବରେ ୨୦୦୦ ଆମେରିକା ଡଲାର ନେପାଳକୁ ଦେଇଥିଲେ। ଆମେରିକା ସରକାରଙ୍କ ପଏଣ୍ଟ ଫୋର ପ୍ରୋଗ୍ରାମର ଉଦ୍ଦେଶ୍ୟ ଥିଲା ବିଶ୍ବରେ କମ୍ୟୁନିଷ୍ଟ ବିଚାର ଯେପରି ବିଭିନ୍ନ ଦେଶରେ ଚେର ସୃଷ୍ଟିନକରେ ତାହାକୁ ପ୍ରତିହତ କରିବା, ଆମେରିକାର ବିଭିନ୍ନ କମ୍ପାନୀମାନଙ୍କୁ କାର୍ଯ୍ୟ କରିବା ଲାଗି କ୍ଷେତ୍ର ସୃଷ୍ଟି କରିବା, ବିଶ୍ଵ ଅର୍ଥନୀତିକୁ ଦ୍ଵିରୀୟ ବିଶ୍ଵଯୁଦ୍ଧ ପରେ ନିୟନ୍ତ୍ରିତ କରିବା ଓ  ତଥାକଥିତ ଶାନ୍ତି ପ୍ରତିଷ୍ଠା କରିବା।

 

            ନେପାଳ କେବେ ବ୍ରିଟିଶ ସରକାରଙ୍କ ସିଧାସଳଖ ଉପନିବେଶ ନଥିଲା। କିନ୍ତୁ ମହାରାଜା ରଣାଙ୍କ ବିରୁଦ୍ଧରେ ୧୯୫୦ ଦଶକରେ ପ୍ରଥମ ଆନ୍ଦୋଳନ ହିଂସାତ୍ମକ ରାସ୍ତାରେ ଆରମ୍ଭ ହୋଇଥିଲା। ଏହାର ନେତୃତ୍ଵ ନେପାଳୀ କଂଗ୍ରେସ ନେଉଥାଏ। ସେ ସମୟରେ ଭାରତରେ ମଧ୍ୟ କମ୍ୟୁନିଷ୍ଟ ଦଳର ପ୍ରଭାବ ହେତୁ କଂଗ୍ରେସ ସରକାର ଜମିଦାରୀ ଉଚ୍ଛେଦ ଓ ଜମିର ସମବଣ୍ଟନ ବ୍ୟବସ୍ଥା ଲାଗି ଆଇନ ପ୍ରଣୟନ କରୁଥାନ୍ତି। ଏହାର ପ୍ରଭାବ ନେପାଳ ଉପରେ ପଡିଥିବ। ହେଲେ ଏହି ଜନ ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ଉଭୟ ରାଜା ଓ ନେପାଳୀ କଂଗ୍ରେସର ମିଳିତ ସରକାର ନେପାଳରେ ପ୍ରତିଷ୍ଠିତ ହେଲା। ଏଥିରେ ରାଜା ଶାସନର ଉଚ୍ଛେଦ, ଜମିର ସମବଣ୍ଟନକୁ ବାଦ ଦେଇଦିଆଗଲା। କିନ୍ତୁ ବିଦେଶୀ ଅନୁଦାନ ନେବା ଆରମ୍ଭ ହୋଇଥିଲା।  

 

            ଏହି ଆର୍ଥିକ ସହଯୋଗ ୧୯୬୧ ବେଳକୁ ବିଦେଶୀ ରୁଣରେ ପରିଣତ ହେଲା। ରାଜା ମହେନ୍ଦ୍ର ନୂତନ ସମ୍ବିଧାନ ପ୍ରଣୟନ କଲେ। ଦଳ ବ୍ୟବସ୍ଥାକୁ ବାଦ ଦେଇ ପଞ୍ଚାୟତମାନଙ୍କୁ ଶକ୍ତିଶାଳୀ କଲେ ଓ ନିଜ ହାତରେ ସମସ୍ତ କ୍ଷମତା ରଖିଲେ। ପଚାଶ ଦଶକର ନେପାଳର ଆନ୍ଦୋଳନ ବ୍ୟର୍ଥ ହୋଇଗଲା, ରଜା ପୁଣି ଶକ୍ତିଶାଳୀ ହେଲେ। ସେହି ସମୟରେ ନେପାଳର ବିକାଶ ଲାଗି ଆମେରିକା ଠାରୁ ରୁଣ କରିବା ଆରମ୍ଭ କରିଥିଲେ। ଯଦି ଦେଶରେ କେବେ ରାଜାଙ୍କୁ ଉତ୍ଖାତ କରିବା ଲାଗି ଉଦ୍ୟମ ହୁଏ ତେବେ ଆମେରିକାର ସମର୍ଥନ ଯେ ଭଳି ମିଳିପାରିବ ଏହା ତାଙ୍କର ଉଦ୍ଦେଶ୍ୟ ରହିଥାଇପାରେ। ହେଲେ ସମଗ୍ର ନେପାଳ ପାଇଁ ତାହା ଥିଲା ନତମସ୍ତକର ଆଉ ଏକ ଅଧ୍ୟାୟ। ଏହାପରେ ସହଯୋଗ ବା ଏଡ ଠାରୁ ରୁଣ ରାଶି କ୍ରମାଗତ ଭାବରେ ବଢିବାରେ ଲାଗିଲା।

 

            ୧୯୬୧ ମସିହାରେ ରୁଣ ପରିମାଣ ବହୁତ କମ ଥିବ। ସେହି ଦିନ ଠାରୁ ଆଜି କୁ ଦେଖିଲେ, ୨୦୨୪- ୨୫ର ବଜେଟ ଅନୁସାରେ, ସମୁଦାୟ ବଜେଟରୁ ପ୍ରାୟ ୩୬୭ ବିଲିଅନ ନେପାଳୀ ଟଙ୍କା କେବଳ ସୁଧ ଓ ରୁଣ ଶୁଝିବାରେ ଯାଉଛି। ନେପାଳର ୨୦୨୪-୨୫ ବର୍ଷର ବଜେଟ ହେଲା ୧୮୬୦ ବିଲିଅନ ନେପାଳୀ ଟଙ୍କା। ପୁରୁଣା ରୁଣ ସୁଝିବା ଲାଗି ଗଲା ବର୍ଷ ୨୬୭ ବିଲିଅନ ବିଦେଶୀ ରୁଣ କରାଯାଇଛି। ଗଲା ବର୍ଷ ବିଦେଶୀ ସହାୟତା ମାତ୍ର ୫୨ ବିଲିଅନ ନେପାଳି ଟଙ୍କା ଆସିଛି। ଅର୍ଥାତ ବିଦେଶୀ ସହାୟତା ଠାରୁ ବିଦେଶୀ ରୁଣ ଅଧିକ ହୋଇଯାଇଛି।

 

            ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ପରିଚାଳିତ ହେବାର ଅନ୍ଯତମ ଉଦାହରଣ ହେଉଛି, ୨୦୨୪ ମସିହାରେ, ନେପାଳ ଜିଡ଼ିପିର ୪୪ ପ୍ରତିଶତ ହେଉଛି ପବ୍ଲିକ ରୁଣ। ଏବେ ନେପାଳ ଉପରେ ସମୁଦାୟ ୨.୫୨୩ ଟ୍ରିଲିୟନ ଡଲାର ରୁଣବୋଝ ରହିଛି। ସେ ମଧ୍ୟରୁ ୫୧% ହେଉଛି ବିଦେଶୀ ଦେଶମାନଙ୍କ ଠାରୁ ଆସିଥିବା ରୁଣ। ଏବେ ବିଦେଶୀ ରୁଣ ସୁଝିବା ଲାଗି ନେପାଳ ସରକାରଙ୍କୁ ନୂଆ ରୁଣ କରିବାକୁ ପଡୁଛି।

 

            ସରକାରଙ୍କ ବଜେଟର ବଡ ଭାଗ ବିଦେଶୀ ରୁଣ ଶୁଝିବାରେ ଯାଉଛି। ଡଲାର ଅନୁସାରେ ନେପାଳି ଟଙ୍କାର ମୂଲ୍ୟ ହ୍ରାସ ହେବା ଦ୍ଵାରା (ଯାହା ଆଜି ଭାରତରେ ହୋଇଛି) ଯେତିକି ରୁଣ ଆସିଥିଲା ତାହା ଠାରୁ ଅନେକ ଅଧିକ ରୁଣ ଶୁଝିବାକୁ ହେଉଛି। କ୍ରମାଗତ ଭାବରେ ଲୋକଙ୍କ ଲାଗି ଆବଶ୍ୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ଦିଗରେ ଆବଶ୍ଯକୀୟ ଖର୍ଚ୍ଚ ନହେବା କାରଣରୁ ଲୋକଙ୍କ ଅସନ୍ତୋଷ ବଢିବା ସ୍ଵାଭାବିକ। ଅନ୍ୟପଟରେ ମନ୍ତ୍ରୀ ଓ ଅମଲାତନ୍ତ୍ର ଲାଗି ଦରମା ଦେବାରେ ବଜେଟର ମୁଖ୍ୟ ଭାଗ ଖର୍ଚ୍ଚ ହୋଇଛି। ଏହା କୋଭିଡ ପରେ ଅଧିକ ଦେଖାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କ ବିଦ୍ରୋହ ବା କେମିତି ଦେଖାନଯିବ?

 

 

୩. ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ଅର୍ଥନୀତି:

 

            ନେପାଳର ସମୁଦାୟ ଜନସଂଖ୍ୟା ମାତ୍ର ୩ କୋଟି। ସେ ମଧ୍ୟରୁ ବିଦେଶରେ ଯାଇ କାମ କରିବା ଲାଗି ଗଲା ବର୍ଷ ୮୩୯୨୬୬ ଟି ଶ୍ରମ କାର୍ଡ ସରକାରଙ୍କ ତରଫରୁ ବଣ୍ଟାଯାଇଛି। ସରକାର କେବଳ ଅନୁମତି ପତ୍ର ବାଣ୍ଟିବା ଏଜେନ୍ସିରେ ପରିଣତ ହୋଇଗଲେ। ଏହା ବ୍ଯତୀତ ଅନେକ ଯୁବକ ଯୁବତୀ ବିନା କାର୍ଡରେ ଭାରତ ଓ ଚୀନରେ କାମ କରୁଛନ୍ତି। ଏପରିକି ରୁଷିଆ – ୟୁକ୍ରେନ ଯୁଦ୍ଧରେ ଭଡାଟିଆ ସୈନ୍ୟବାହିନୀ ଭାବରେ ସେମାନେ ରୁଷିଆ ଦ୍ଵାରା ନିଯୁକ୍ତ ହୋଇଛନ୍ତି। ସେମାନଙ୍କର ଯୁଦ୍ଧରେ ମୃତ୍ୟୁ ହେଉଥିବା ଖବର ପ୍ରକାଶିତ ହୋଇଛି।

 

            ନେପାଳର ଅର୍ଥନୀତି ବିଦେଶରେ କାମ କରୁଥିବା ନେପାଳୀ ଯୁବାବର୍ଗ ଠାରୁ ଆସୁଥିବା ଅର୍ଥ ଉପରେ ଅଧିକ ନିର୍ଭରଶୀଳ। ଗଲା ବର୍ଷ ସମୁଦାୟ ଜିଡ଼ିପିର ୩୩ ପ୍ରତିଶତ ଅର୍ଥ ଏହି ଭଳି ବିଦେଶରୁ ଆସିଛି। କୌଣସି ଏକ ଅର୍ଥନୀତି ଯଦି ବିଦେଶର ଏହି ଭଳି ଆସୁଥିବା ଅର୍ଥ ଓ ବିଦେଶୀ ରୁଣ ଉପରେ ନିର୍ଭର କରେ ତେବେ ତାହାର ଭବିଷ୍ୟତ କଦାପି ଭଲ ହୋଇନଥାଏ।

 

୪. ଆର୍ଥିକ ଅସମାନତା:

            ବିନୋଦ ଚୌଧୁରୀଙ୍କ ଚୌଧୁରୀ ଗୃପ ଫୋର୍ବସ ପତ୍ରିକା ଦ୍ଵାରା ପ୍ରସ୍ତୁତ ବିଶ୍ଵ ବିଲିୟୋନାୟାର ତାଲିକାରେ ୨୦୧୩ ମସିହାରେ ନେପାଳର ପ୍ରଥମ ବିଲିୟୋନାୟାର ବା ଅତି ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଉଛନ୍ତି। ଏବେ ବିନୋଦ ଚୌଧୁରୀଙ୍କ ସମୁଦାୟ ସମ୍ପତ୍ତି ୨୦୦ କୋଟି ଡଲାରରେ ପହଞ୍ଚୁଛି। ସେ ୧୯ ଟି ଦେଶରେ ସିମେଣ୍ଟ ଓ ହୋଟେଲ ଠାରୁ ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବ୍ୟବସାୟକୁ ବଢାଇଚାଲିଛନ୍ତି। ଅଥଚ ସରକାରୀ ଭାବରେ ୨୦ ପ୍ରତିଶତ ଯୁବକ ବେକାର ଅଛନ୍ତି । ଏଭଳି ଅର୍ଥନୈତିକ ବୈଷମ୍ୟ ଗୋଟିଏ ଦିନରେ ସମ୍ଭବ ହୋଇନଥାଏ।

 

            ବିଡମ୍ବନା ହେଲା ଯେ ୨୦୧୩ ମସିହାରେ ଏହା ପୂର୍ବରୁ ଲୋକଙ୍କ ସଂଗଠିତ ପ୍ରତିବାଦ ଅର୍ଥନୀତିକୁ ନେଇ ହୋଇଥିଲା। ଏହାର ପଛରେ ରାଜନୈତିକ କାରଣ ରହିଛି ବୋଲି କୁହାଗଲା। ଏହିହେତୁ ୨୦୧୫ ମସିହାରେ ସମ୍ବିଧାନ ସଂଶୋଧନ କରଯାଇଥିଲା। ନୂତନ ସଂଶୋଧନରେ ନେପାଳରେ ରାଜ୍ୟ ବ୍ୟବସ୍ଥା ବା ଫେଡେରାଲ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଗଲା। ବହୁ ଦଳୀୟ ବ୍ୟବସ୍ଥା ଲାଗୁ ହେଲା। ନାଗରିକର ମୌଳିକ ଅଧିକାର ପରିସରକୁ ବ୍ୟାପକ କରାଗଲା। ନ୍ୟାୟ ବ୍ୟବସ୍ଥାକୁ ଅଧିକ ସ୍ଵାଧୀନତା ଦିଆଗଲା। କିନ୍ତୁ ଆର୍ଥିକ ଅସମାନତାକୁ ଦୂର କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ରହିନଥିଲା।

 

            ଏପରିକି ୧୯୫୦ ମସିହାରେ ମହାରାଜା ରାଣାଙ୍କ ବିରୁଦ୍ଧରେ ପ୍ରତିବାଦ ହେଉ ବା ୧୯୯୦ ଦଶକରେ ରାଜା ମହେନ୍ଦ୍ର ବିରୋଧରେ ପ୍ରତିବାଦ ଓ ୨୦୦୮ ମସିହାରେ ସଂପୂର୍ଣ୍ଣ ରାଜପରିବାରକୁ କ୍ଷମତାଚ୍ୟୁତ କରିବାର ବିଦ୍ରୋହ ପଛରେ ଆର୍ଥିକ ଅସମାନତା ମୁଖ୍ୟ କାରଣ ରହିଆସିଛି। ପ୍ରତିଥର ଏହାକୁ ରାଜନୈତିକ କ୍ଷମତା ହସ୍ତାନ୍ତର ମଧ୍ୟରେ ସୀମିତ କରିଦିଆଯାଇଛି। 

 

            ଆଜି ନେପାଳରେ ୨୦ ପ୍ରତିଶତ ଯୁବକ ରୋଜଗାର ବିହୀନ ବୋଲି ସରକାରୀ ତଥ୍ୟ ଅନୁସାରେ ସ୍ଵୀକାର କରାଯାଉଛି। ଅଥଚ ଏହି ସମୟ ମଧ୍ୟରେ କୋଟିପତିଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଦେଶରେ ଗରିବୀ ଓ ସ୍ଥାନାନ୍ତର ବଢିବା ସହିତ ଅଳ୍ପ ଲୋକଙ୍କ ହାତରେ ସମ୍ପତ୍ତି ଠୁଳ ହେବାରେ ଲାଗିଛି। ଦେଶର ଅର୍ଥନୀତିରେ କୌଣସି ପରିବର୍ତ୍ତନ ସମ୍ପର୍କରେ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ। ଏହାର କାରଣ ବିଦେଶୀ ରୁଣ ସହିତ ଅନେକ ବିଦେଶୀ କମ୍ପାନୀଙ୍କ ପୁଞ୍ଜି ନିବେଶ ମଧ୍ୟ ରହିଛି ଯାହାକୁ ପବ୍ଲିକ ବିତର୍କ ମଧ୍ୟକୁ ଅଣାଯାଉନାହିଁ।

 

 

୫. ଖଣି କମ୍ପାନୀଙ୍କୁ କୋହଳ:      

 

            ଚୌଧୁରୀ ଗୃପ ଅଫ କମ୍ପାନୀ ସହିତ ଭାରତର ଅଦାନୀ, ଆଦିତ୍ଯ ବିରଳା କମ୍ପାନୀ ନେପାଳର ସିମେଣ୍ଟ, ହାଇଡ୍ରୋ ପାୱାର (୪୦,୦୦୦ ମେଗା ୱାଟ) ଇତ୍ୟାଦି କ୍ଷେତ୍ରରେ ପୁଞ୍ଜି ଲଗାଣ ରହିଛି। ନେପାଳର ୧୭ ଟି ମିନେରାଲରେ ୧୫୬ ଟି କମ୍ପାନୀ ନେପାଳରେ ଖଣି ଖୋଲିବାର ଲିଜି ପାଇଛନ୍ତି। ସେମାନେ କପର, ଡୋଲୋମାଇଟ, ମାର୍ବଲ, ରେଡ ଅକ୍ସାଇଡ ଓ କ୍ଵାର୍ଜ ଇତ୍ୟାଦିରେ ନିଯୁକ୍ତ। ଖଣି କମ୍ପାନୀଙ୍କ ଠାରୁ ଆସୁଥିବା ରେଭେନ୍ୟୁ ଏତେ କମ ରଖାଯାଇଛି ଯେ ଏହା ସ୍ଵତନ୍ତ୍ର ଭାବରେ ନେପାଳର ବଜେଟରେ ଦର୍ଶାଉନାହିଁ। ଏହା ବଡ ଷଡଯନ୍ତ୍ର ଯାହା ସମ୍ପର୍କରେ ସମସ୍ତେ ସଂପୂର୍ଣ୍ଣ ନୀରବ। ସବୁଠାରୁ ପୁରୁଣା ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିଲିଭରର ବହୁତ ବଡ ପୁଞ୍ଜି ନେପାଳରେ ରହିଛି। ସେମାନେ ଅନେକ କ୍ଷେତ୍ରରେ ପ୍ରାୟ ୬୦ ଦଶକରୁ ସକ୍ରିୟ। ବିରାଟ ପୁଞ୍ଜି ଅର୍ଥନୀତି ଦ୍ଵାରା ଯେ ନେପାଳର ସ୍ଥିତି ଅନେକଟା ଶୋଚନୀୟ ସେ ସମ୍ପର୍କରେ ଜାଣି ଜାଣି ଆଲୋଚନାକୁ ବନ୍ଦ କରାଯାଉଛି।

 

            ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ଵାରା ପ୍ରକୃତିକ ସମ୍ପଦ ଉପରେ କର୍ତ୍ତୁତ୍ଵ ବଢିବାରେ ଲାଗିଛିସେହିମାନଙ୍କୁ ସମର୍ଥନ କରିବା କାରଣରୁ ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ – ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ ସମସ୍ତେ ଆଜି ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

            ଅଥଚ ଆଜି ନେପାଳରେ ଚାଲିଥିବା ଦୃଢ ପ୍ରତିବାଦ ସମୟରେ ଅର୍ଥନୈତିକ ପ୍ରସଙ୍ଗରେ କୌଣସି ଆଲୋଚନା ହେଉନାହିଁ। ଫଳରେ, ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ – ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ ପୁଣି ସେମାନେ ନିର୍ବାଚନରେ ଭାଗ ନେବେ ଓ ସେହିମାନଙ୍କୁ ପୁଣି ସୁରକ୍ଷା ଦେବେ ଯେଉଁମାନଙ୍କ ଲାଗି ନେପାଳରେ ସେମାନଙ୍କୁ ଆକ୍ରମଣ କରାଗଲା। ଦେଶୀୟ ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥା ଆଡକୁ ନେବା ଲାଗି ରାଜନୈତିକ ଦଳ ମଧ୍ୟରେ ଆଲୋଚନା ନାହିଁ।

 

ଶେଷରେ:

 

            ସଂଗଠିତ ପ୍ରତିବାଦ ଓ ପ୍ରତିରୋଧ ମଣିଷର ସହଜାତ ପ୍ରବୃତ୍ତିନିଜ ଉପରେ ହେଉଥିବା ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ପ୍ରତିବାଦ ସେ କରିବ ହିଁ କରିବସେଥିରୁ ବର୍ତ୍ତିବା ଲାଗି କ୍ଷମତାଶାଳୀ ବର୍ଗ ନିଜକୁ ସଜାଡିବା ଅପେକ୍ଷା ଲୋକଙ୍କୁ ବିଭାଜିତ କରିଥାନ୍ତି ତଥାପି ପୃଥିବୀର କୌଣସି ନା କୌଣସି କୋଣରେ ଏହାର ପ୍ରତିବାଦରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥାଏ। କିନ୍ତୁ ଏହାକୁ ବ୍ୟାପକ କରିବା ପୂର୍ବରୁ ପୁଞ୍ଜିବିନିଯୋଗ କରିଥିବା ଶକ୍ତି ଏହାକୁ ବଶୀଭୂତ କରିନେଉଛନ୍ତି। ଏହା ନେପାଳରେ ଦେଖାଯାଉଛି ଓ ଏହା ଶ୍ରୀଲଙ୍କାରେ ମଧ୍ୟ ଦେଖାଗଲା। ନେପାଳ ସନ୍ଦର୍ଭରେ ଭାରତରେ ହେଉଥିବା ଆଲୋଚନା ସ୍ପଷ୍ଟ କରୁଛି ଯେ ଲୋକଙ୍କ ମଧ୍ୟରେ ରହିଥିବା କ୍ଷୋଭ, ଯନ୍ତ୍ରଣା, ଠକି ଯାଇଥିବାର ଅନୁଭବ, ଅତ୍ୟଧିକ ଅର୍ଥନୈତିକ ବୈଷମ୍ୟ, ସାମ୍ବିଧାନିକ ଅଧିକାର ବିହୀନ ଅସୁରକ୍ଷିତ ଜୀବନ ସେମାନଙ୍କୁ ଏଭଳି ଆଲୋଚନାରୁ କିଛି ଆଶା ଦେଉଛି। ଭାରତରେ ହିନ୍ଦୁ ମୌଳବାଦୀମାନେ ପୁରପଲ୍ଲୀ ଠାରୁ ଟିଭି ହାଉସ ପର୍ଯ୍ୟନ୍ତ ସବୁଠାରେ ଏଭଳି ଭାବରେ ଲୋକଙ୍କ ମଧ୍ୟରେ ବିଭାଜନ ରାଜନୀତିର ବିଷ ବୁଣିବାରେ ଲାଗିଛନ୍ତି ଯେ ସେମାନଙ୍କ ଠାରୁ ବର୍ତ୍ତିବା ଓ ଆର୍ଥିକ ପ୍ରସଙ୍ଗରେ ଲୋକଙ୍କ ପ୍ରତିବାଦ ସଂଗଠିତ ହେବ ବୋଲି ଆଶା କରିବା କଠିନ ଯଦି ସେମାନଙ୍କ ଠାରୁ ଏହି ସାମାଜକୁ ମୁକ୍ତ କରାନଯାଏ।  ତେଣୁ ନେପାଳର ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ଜରୁରୀ।  



ପ୍ରତି ପାଲେଷ୍ଟନୀଙ୍କ ଦେହରୁ ରକ୍ତ ଝରୁଛି

 

 

ଦେବ ରଞ୍ଜନ

 

* ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି।

 ** ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ।

 ***୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ନୂତନ ଇସ୍ରାଏଲ ରାଷ୍ଟ୍ର ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

**** ଇସ୍ରାଏଲର ହୟଫା ବନ୍ଦରକୁ ଆଡନୀ କିଣିବା ପରେ ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡର ଯୋଜନାରେ କମ୍ପାନୀ ଏବେ ପ୍ରମୁଖ ଭୂମିକା ନେଉଛି। କିନ୍ତୁ ପାଲେଷ୍ଟାନିଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବାକୁ ସରକାର “ଦେଶଦ୍ରୋହୀ” କାର୍ଯ୍ୟ କହୁଛନ୍ତି।

 

       କୌଣସି ଏକ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଏହାର ମୂଳନିବାସୀଙ୍କୁ ଦେଶାନ୍ତର କରାଇବା କୌଣସି ସଭ୍ୟତାର ଲକ୍ଷଣ ନୁହେଁ। ଏହା ଆଦୌ ଗଣତନ୍ତ୍ରର ମଧ୍ୟ ଲକ୍ଷଣ ନୁହେଁ। ପାଲେଷ୍ଟାଇନ ଭୂଖଣ୍ଡରେ ଆଜି ଚାଲିଥିବା ଗଣହତ୍ୟା ଓ ଦମନଲୀଳା ପଛରେ ରହିଛି ଏହି ଭୂଖଣ୍ଡକୁ ଅକ୍ତିଆର କରିବାର ଉଦ୍ଦେଶ୍ୟ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ରହିଛି ଆମେରିକା ଓ ୟୁରୋପର ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସମର୍ଥନ। ଗଣତନ୍ତ୍ର କଣ କେବଳ ନିଜ ଦେଶ ମଧ୍ୟରେ ନିର୍ବାଚନ ଭିତରେ ସୀମିତଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସାର୍ବଭୌମତ୍ଵକୁ ଧ୍ଵଂସ କରିବା କେଉଁ ଗଣତନ୍ତ୍ରର ଲକ୍ଷଣ ହୋଇପାରେ?

              ଅକ୍ଟୋବର ୦୭୨୦୨୩ରେ ହମାସ ଦ୍ଵାରା ଇସ୍ରାଏଲ ଉପରେ ଆକ୍ରମଣ ବର୍ବରତାପୂର୍ଣ୍ଣ ଥିଲା। ଏଥିରେ ୧୩୦୦ ଇସ୍ରାଏଲି ନିହତ ହୋଇଥିଲେ। କେତେକ ଇସ୍ରାଏଲିଙ୍କୁ ପଣ୍ୟବନ୍ଦୀ କରିନିଆଯାଇଥିଲା। ସେ ମଧ୍ୟରୁ ବେଶ କେତେଜଣଙ୍କୁ ଛାଡି ଦିଆଗଲାଣି। ଏବେ ବି କେତେକ ଇସ୍ରାଏଲବାସୀ ପଣ୍ୟବନ୍ଦୀ ଭାବରେ ହମାସ ଅଧୀନରେ ରହିଛନ୍ତି।

              ହମାସର ଏହିଭଳି ଆକ୍ରମଣ ଯେମିତି ଉଗ୍ରବାଦୀ ସଂଗଠନର କାର୍ଯ୍ୟ ସେହିଭଳି ଇସ୍ରାଏଲି ସରକାରୀ ସେନାବାହିନୀ ଦ୍ଵାରା ଚାଲିଥିବା ଗଣହତ୍ୟାକୁ ଇସ୍ରାଏଲି ଉଗ୍ରବାଦ କୁହାଯିବ। ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। କେହି କେହି ଏହାକୁ ୬ ଲକ୍ଷ ମଧ୍ୟ କହୁଛନ୍ତି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୧ ହଜାର ଲୋକ ଆହତ ହୋଇଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି। ଏହା କେବଳ ଗଲା ଦୁଇ ବର୍ଷର ସଂଖ୍ୟା।

             

ଇହୂଦୀଙ୍କ ସ୍ଥାନାନ୍ତର

               

              ଆଜି ଯେଉଁମାନଙ୍କୁ ଇହୁଦୀ କୁହାଯାଉଛି ସେମାନେ ୟୁରୋପରେ ଜୀଉ ଓ ଏସିଆରେ ବିଶେଷ କରି ହିନ୍ଦୀଉର୍ଦ୍ଦୁ ଓ ଆରବିକ ଭାଷାରେ ଇହୁଦୀ ଭାବରେ ପରିଚିତ। ଆଜକୁ ଦୁଇ ହଜାର ବର୍ଷ ତଳେ ପାଲେଷ୍ଟାଇନ ଅଞ୍ଚଳରେ ଏହି ଇହୁଦୀଙ୍କ ବେଶ ଅଧିକ ଥିଲା। ବାଇବେଲର ନିୟୁ ଟେଷ୍ଟାମେଣ୍ଟର କାହାଣୀ ଅନୁସାରେ ଯୀଶୁଙ୍କୁ ଶୂଳୀରେ ଚଢାଇବା ପଛରେ ଇହୁଦୀଙ୍କ ହାତ ଥିଲା ବୋଲି କାହାଣୀ ରହିଛି। ଏହାକୁ ମୌଳବାଦୀ ଖ୍ରୀଷ୍ଟିୟାନମାନେ ବିଶ୍ଵାସ କରୁଥିଲେ। ଆଜିକୁ ଦୁଇ ହଜାର ବର୍ଷ ତଳେ ଜେରୁଜେଲମ ଅଞ୍ଚଳରେ ଇହୁଦୀଙ୍କର ଗଣହତ୍ୟା ଏହି କାରଣରୁ ହୋଇଥିଲାଅନେକ ଇହୁଦୀ ସେହି ସମୟରେ ପୂର୍ବ ୟୁରୋପର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ। ଏକ ବଡ ସଂଖ୍ଯାରେ ଇହୁଦୀ ଆଜିର ରୁଷିଆ ଅଞ୍ଚଳକୁ ଯାଇଥିଲେ। ଏହା ଏକ ଶହରୁ ଦୁଇ ଶହ ଶତାବ୍ଦୀ ସମୟର କଥା।

              ଇହୁଦୀମାନେ ଏହାପରେ ବିକ୍ଷିପ୍ତ ଭାବରେ ୟୁରୋପ ଓ ଏସିଆର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନଥିଲେ କି ଇସଲାମ ଧର୍ମକୁ ମାନୁନଥିଲେ। ରୁଷିଆରେ ଦ୍ଵିତୀୟ ଜାରଙ୍କ ହତ୍ୟା (୧୮୮୧) ପରେ ଇହୂଦୀଙ୍କୁ ହତ୍ୟା କରିବା ପୁଣି ଥରେ ଆରମ୍ଭ ହୋଇଥିଲା  ଇହୁଦୀମାନେ ପୁଣି ରୁଷିଆ ଛାଡି ବିଶ୍ଵର ଅନ୍ୟ ପ୍ରାନ୍ତକୁ ଯିବାରେ ଲାଗିଲେ। ସେଥିରୁ କେତେକ ପାଲେଷ୍ଟାଇନ ଆସିଥିଲେ। ଏହିଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନ ଇହୁଦୀଙ୍କୁ ଏକାଠି କରିବା ଆରମ୍ଭ କରିଥିଲା। ହିଟଲରଙ୍କ ଗଣହତ୍ୟା ଏହାକୁ ଆହୁରି ମଜଭୁତ କରିଥିଲା। ଦୁଇ ହଜାର ବର୍ଷ ତଳେ ଛାଡି ଯାଇଥିବା ଅଞ୍ଚଳକୁ ଇହୁଦୀମାନେ ପୁଣି ଥରେ ଅକ୍ତିଆର କରିବାର ସ୍ଵପ୍ନ ଏହିଭଳି ଦେଖିବା ଓ ପାଲେଷ୍ଟାଇନ ଅଞ୍ଚଳକୁ କବଜା କରିବା ଲାଗି ଯୁଦ୍ଧର ତାଣ୍ଡବଲୀଳା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ?

 

ନାଜୀ ଆକ୍ରମଣ ଓ ଇହୁଦୀ ଗଣହତ୍ୟା

 

              ଜର୍ମାନୀରେ ୧୯୨୦ ଦଶକରେପ୍ରଥମ ବିଶ୍ଵଯୁଦ୍ଧ ପରେହିଟଲରଙ୍କ ନାଜି ପାର୍ଟିର ଗଠନ ହୋଇଥିଲା। ସେ ସମୟର ଅର୍ଥନୈତିକ ସଙ୍କଟ ବା ଗ୍ରେଟ ଡିପ୍ରେସନ ହେତୁ ସମଗ୍ର ୟୁରୋପରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ହିଟଲର ପ୍ରଚାର କରିଥିଲେ ଯେ ନାଜୀମାନଙ୍କ ଅଧିକାରକୁ ଇହୁଦୀ ବା ଜୀଉମାନେ ଛଡାଇ ନେଉଛନ୍ତି ଏହିଥିରୁ ଦେଶବ୍ୟାପୀ ଇହୁଦୀମାନଙ୍କର ବିରୁଦ୍ଧରେ ଘୃଣା ମାନସିକତା ତିଆରି ହୋଇଥିଲା ଏହାଦ୍ବାରା ହିଟଲରଙ୍କ ନାଜି ପାର୍ଟିର ବିଜୟ ୧୯୩୩ ମସିହାରେ ସମ୍ଭବ ହୋଇପାରିଲା। ଭାରତରେ ଦକ୍ଷିଣପନ୍ଥୀ ଦଳମାନଙ୍କର ଆଦର୍ଶ ହେଉଛି ହିଟଲରଙ୍କ ନାଜି ପାର୍ଟି। ଧର୍ମ ନାମରେ ଘୃଣାର ପ୍ରଚାର ସେମାନେ ହିଟଲରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ହିଟଲର ସେମାନଙ୍କ ଆଦର୍ଶ।  

              ସେ ଯାହାହେଉଇହୁଦୀ ବିରୋଧୀ ଘୃଣା ମାନସିକତା ନାଜି ସମୟରେ ପୂର୍ବ ୟୁରୋପରେ ସମ୍ପ୍ରସାରିତ ହୋଇଥିଲା। ପାଖାପାଖି ୬୦ ଲକ୍ଷ ଇହୂଦୀଙ୍କୁ ନାଜି ପାର୍ଟି ଦ୍ଵାରା ହତ୍ୟା କରାଯାଇଥିଲା। ଏହାକୁ ଇତିହାସରେ ହୋଲୋକଷ୍ଟ (ସଂପୂର୍ଣ୍ଣ ନିଶ୍ଚିହ୍ନ) କୁହାଯାଉଛି। ତାହା ଥିଲା ବିଶ୍ଵ ଇତିହାସର ସବୁଠାରୁ ଦୀର୍ଘ ଓ ସଂଖ୍ୟା ଦ୍ରୁଷ୍ଟିରୁ ସର୍ବାଧିକ ଗଣହତ୍ୟା। ଏହି ଗଣହତ୍ୟା ଜର୍ମାନୀପୋଲାଣ୍ଡ ଓ ରୁଷିଆରେ ଚାଲିଥିଲା। ବିଶ୍ଵବାସୀଙ୍କୁ ଏହା ସ୍ତମ୍ବିଭୂତ କରିଥିଲା।

       ଇହୁଦୀମାନଙ୍କ ଗଣହତ୍ୟା ଚାଲିଥିବା ସମୟ ଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ (୧୯୩୯ – ୧୯୪୫) । ଏହି ସମୟ ମଧ୍ୟ ଥିଲା ଏସୀୟ ମହାଦେଶରେ ଉପନିବେଶବାଦର ସମୟ। ପାଲେଷ୍ଟାଇନ ଅଞ୍ଚଳ ଇଂଲଣ୍ଡର ଉପନିବେଶ ଥିଲା ଓ ଏହାର ପଡୋଶୀ ଦେଶ ଲେବାନନସିରିଆ ଇତ୍ୟାଦି ଫ୍ରାନ୍ସର ଉପନିବେଶ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡ ସରକାର ଜାହାଜରେ ୟୁରୋପରୁ ଅନେକ ଇହୁଦୀଙ୍କୁ ଆଣି ପାଲେଷ୍ଟାଇନ ଅଞ୍ଚଳରେ ଛାଡିଥିଲା। ଧନୀ ଇହୁଦୀମାନେ କିନ୍ତୁ ଆମେରିକା ଚାଲିଯାଇଥିଲେ। ସେ ସମୟରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନକୁ ସାକାର କରିବା ଲାଗି ଇହୁଦୀମାନେ ତତ୍ପର ହୋଇଉଠିଥିଲେ। ହୁଏତ ନାଜୀ ହଲୋକଷ୍ଟ ଇତିହାସରେ ହୋଇନଥିଲେ ପାଲେଷ୍ଟାଇନ ବିବାଦ ଉଠିନଥାନ୍ତା। ପ୍ରବାସୀ ଇହୁଦୀମାନେ ଏହାପରେ ପାଲେଷ୍ଟାଇନ ଭୂଖଣ୍ଡରେ ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଥିଲେ।           

 

ପାଲେଷ୍ଟାଇନ ପ୍ରତି ଧୋକ୍କାବାଜୀ

 

              ୧୯୩୦ ଦଶକରେ ପାଲେଷ୍ଟାଇନ ଭୂଖଣ୍ଡରେ ବସବାସ କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ମୁସଲମାନ ଥିଲେ। ସେମାନଙ୍କ ଭାଷା ଥିଲା ଆରବିକ ଓ ବୃତ୍ତି ଥିଲା କୃଷି ଓ ବ୍ୟବସାୟ। ସେହି ସମୟରେ ମାତ୍ର ଏକ ପ୍ରତିଶତ ଇହୁଦୀ ଥିଲେ। ସେମାନଙ୍କ ଧର୍ମ ଥିଲା ଜୁଡାଇଜିମ। ଭାଷା ଥିଲା ହିବୃ। ବାକି ଖ୍ରୀଷ୍ଟିୟାନ ଥିଲେ। ସେତେବେଳେ ଇସ୍ରାଏଲ ରାଷ୍ଟ୍ର ଗଠନ ହୋଇନଥିଲା। ପାଲେଷ୍ଟାଇନ କହିଲେ ତେଲ ଆଭିଭଗାଜାୱେଷ୍ଟ ବ୍ଯାଙ୍କଜେରୁଜେଲମ ଓ ରାମଲ୍ଲାଃ ଇତ୍ୟାଦି ଅଞ୍ଚଳକୁ ବୁଝାଉଥିଲା।

              ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ୧୯୪୮ ବେଳକୁ ସମୁଦାୟ ଇହୁଦୀଙ୍କ ସଂଖ୍ୟା ୧୯୩୦ରେ ଯେଉଁଠି ଏକ ପ୍ରତିଶତ ଥିଲା ତାହା ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଯାଇଥିଲା। ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ପ୍ରବେଶକୁ ସମଗ୍ର ଆରବ ଦେଶମାନେ ପ୍ରତିବାଦ କରିଥିଲେ। କିନ୍ତୁ ନୂତନ ଗଠିତ ଜାତିସଂଘ ଏହାକୁ ଅସ୍ଵୀକାର କରିଥିଲା। ୧୯୪୮ ମସିହାରେ ଜାତିସଂଘ ତରଫରୁ ଅତି ତରବାରିଆ ଭାବରେ ନୁତନ ଇସ୍ରାଏଲ ରାଷ୍ଟ୍ରକୁ ସ୍ଵାଧୀନ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଇଥିଲା। ସେହି ବର୍ଷ ଜାତିସଂଘ ତରଫରୁ ପାଲେଷ୍ଟାଇନ ବିଭାଜନ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଦିଆଯାଇଥିଲା।

              ଇହୂଦୀଙ୍କୁ ଯେପରି ଆନ୍ତର୍ଜାତିକ ସମର୍ଥନ ମିଳିପାରିବ ସେଥିଲାଗି  ସମଗ୍ର ପାଲେଷ୍ଟାଇନକୁ ଦୁଇ ଭାଗରେଇହୁଦୀ ରାଷ୍ଟ୍ର ଓ ଆରବିକ ରାଷ୍ଟ୍ରବିଭାଜନ କରି ନୂତନ ମ୍ୟାପ ୧୯୪୮ ରେ ପ୍ରସ୍ତୁତ ହୋଇଥିଲା। ଅଥଚ ଆଜି ବି ମୂଳ ପାଲେଷ୍ଟାଇନକୁ ସଂପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ଜାତିସଂଘ ତରଫରୁ ଦିଆଯାଉନାହିଁ।

              ୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ଏଥିରେ ସମୁଦାୟ ଇହୁଦୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତ ଥିଲା। କିନ୍ତୁ ୧୯୪୮ ମସିହାର ବିଭାଜନ ପରେ ପାଲେଷ୍ଟାଇନର ଭୂଭାଗ ୨୭୦୦୦ ବର୍ଗ କିଲୋମିଟରରୁ ଖସି ଆସି ୧୫୦୦୦ ବର୍ଗ କିଲୋମିଟରରେ ପହଞ୍ଚିଥିଲା। ବାକି ୧୨୦୦୦ ବର୍ଗ କିଲୋମିଟରରେ ଇସ୍ରାଏଲ ରାଷ୍ଟ୍ର ତିଆରି ହୋଇଥିଲା। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନର ଅନେକ ଭାଗକୁ ଇସ୍ରାଏଲ ଅକ୍ତିଆର କରିସାରିଲାଣି। ଏବେ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ଇସ୍ରାଏଲ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

              ଇସ୍ରାଏଲ ଏବେ ଗାଜାକୁ ସଂପୂର୍ଣ୍ଣ ଅଧିକାର କରିବା ଜାରି ରଖିଛି। ପୂର୍ବରୁ ଜେରୁଜେଲମ ଅକ୍ତିଆର କରିସାରିଥିଲା। ଏବେ ୱେଷ୍ଟ ବ୍ଯାଙ୍କ ଅଞ୍ଚଳରେ ରହିଥିବା ପାଲେଷ୍ଟାଇନଙ୍କୁ ପଡୋଶୀ ଲେବାନନ ଓ ଶିରିଆ ଅଞ୍ଚଳକୁ ଚାଲିଯିବା ଲାଗି ବାଧ୍ୟ କରାଯାଉଛି। ଇହୁଦୀଙ୍କ ପ୍ରତି ନାଜିଙ୍କର ବ୍ୟବହାର ଯାହା ରହିଥିଲା ତାହାର ପୁନରାବୃତ୍ତି ଇହୁଦୀଙ୍କ ଦ୍ଵାରା ପାଲେଷ୍ଟାଇନବାସୀଙ୍କ  ଉପରେ କରାଯାଉଛି।

 

ପାଲେଷ୍ଟନୀଙ୍କ ବିରୋଧ

 

              ଜାତିସଂଘର ବିଭାଜନ ମ୍ୟାପକୁ ପାଲେଷ୍ଟାଇନବାସୀ ସେ ସମୟରେ ବି ବିରୋଧ କରିଥିଲେ , ଆଜି ବି କରୁଛନ୍ତି। ଏହି ବିରୋଧ ମଧ୍ୟରୁ ଷାଠିଏ ଦଶକରେ ‘ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ’ ବା ପିଏଲଓ ସୃଷ୍ଟି ହୋଇଥିଲା। ପାଲେଷ୍ଟାଇନ ଭୂମିରୁ ଇସ୍ରାଏଲିମାନଙ୍କୁ ସଂପୂର୍ଣ୍ଣ ବହିଷ୍କାର କରିବାର ସ୍ଲୋଗାନ ଷାଠିଏ ଦଶକରେ ପିଏଲଓ ଦ୍ଵାରା ଦିଆଯାଇଥିଲା। ୧୯୬୭ ମସିହା ପରଠାରୁ ପିଏଲଓର ପ୍ରତିବାଦଯୁଦ୍ଧ ଓ ଆକ୍ରମଣ ତଥା ଇସ୍ରାଏଲ ସରକାରଙ୍କ ସେନାବାହିନୀ ଦ୍ଵାରା ଦମନ ଚାଲିଆସିଛି।  

              କିଛି ବର୍ଷ ଲାଗି ଆମେରିକା ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ସମୟରେ (୧୯୯୩) ପିଏଲଓ ଓ ଇସ୍ରାଏଲ ଶାନ୍ତି ଚୁକ୍ତି କରାଯାଇଥିଲା। ଇସ୍ରାଏଲକୁ କିଛି ଭୂଖଣ୍ଡ ଦେବା ଲାଗି ପାଲେଷ୍ଟାଇନର ପିଏଲଓ କର୍ମକର୍ତ୍ତା ରାଜିହୋଇଥିଲେ। କିନ୍ତୁ ଏହା ସମସ୍ତ ପାଲେଷ୍ଟାଇନବାସୀଙ୍କୁ ଗ୍ରହଣ ହୋଇନଥିଲା। ପାଲେଷ୍ଟାଇନବାସୀଙ୍କୁ ପିଏଲଓ ଧୋକକା ଦେଇଛି ବୋଲି ଅଭିଯୋଗ ଆଣି ନବେ ଦଶକରେ ହମାସ ପାର୍ଟି ପାଲେଷ୍ଟାଇନରେ ସକ୍ରିୟ ହେବାରେ ଲାଗିଲା। ସେମାନେ ଇସ୍ରାଏଲକୁ ଇଞ୍ଚେ ବି ଜମି ଦେବେ ନାହିଁ ବୋଲି ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିରେ କ୍ରମଶଃ ପିଏଲଓ ଦୁର୍ବଳ ହେବାରେ ଲାଗିଲା ଓ ହାମାସର ଉତ୍ଥାନ ହେବାରେ ଲାଗିଥିଲା।  

              ୨୦୦୬ ମସିହାରେ ପାଲେଷ୍ଟାଇନ ବିଧାନସଭା କାଉନସିଲ ନିର୍ବାଚନରେ ପିଏଲଓ ସମର୍ଥିତ ଫତାହ ପାର୍ଟିକୁ ପରାସ୍ତ କରି ହମାସ କ୍ଷମତାକୁ ଆସିଥିଲା। ଗାଜା ଅଞ୍ଚଳରୁ ହମାସ ଅଧିକ ସିଟ ଦଖଲ କରିଥିଲା। ହମାସ ନିଜର ଇସ୍ରାଏଲି ବିରୋଧୀ ଉଗ୍ରମତ ପାଇଁ ପ୍ରସିଦ୍ଧ ହମାସ ଦ୍ଵାରା ନିର୍ବାଚନରେ ଜିତିବା ଇସ୍ରାଏଲ ସରକାରଙ୍କ ଲାଗି ଚିନ୍ତାର ବିଷୟ ଥିଲା। ସେହିଦିନ ଠାରୁ ଇସ୍ରାଏଲ ସରକାର ଗାଜାର ଆଭ୍ଯନ୍ତରୀଣ ବ୍ୟାପାରରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ। ଆଦୌ ହମାସକୁ କାର୍ଯ୍ୟ କରିବାର ସୁଯୋଗ ଦେଲେ ନାହିଁ। ହମାସର ଅନେକ ନିଷ୍ପତ୍ତି (କୃଷିବ୍ୟବସାୟ ଓ ସୁରକ୍ଷା ସମ୍ବନ୍ଧିତ)କୁ ଇସ୍ରାଏଲ ବିରୋଧ କରିଆସିଛି।

              ହମାସକୁ ଗାଜାରୁ ବହିଷ୍କାର କରିବା ଲାଗି ୨୦୧୪ ରେ ଇସ୍ରାଏଲ ସରକାରଙ୍କ ନିର୍ଦ୍ଦେଶରେ ଏହାର ସେନା ସମଗ୍ର ଗାଜାକୁ ଘେରାଓ କରିରଖିଥିଲା। ଏହାର ବାସିନ୍ଦାଙ୍କୁ ୱେଷ୍ଟବ୍ଯାଙ୍କ ଓ ଜେରୁଜେଲମ ଯିବାକୁ ବାରଣ କରାଯାଉଥିଲା। ଏହି ଅଞ୍ଚଳକୁ ଦୀର୍ଘ ଦିନ ପାଣିଔଷଦ ଓ ଖାଦ୍ଯ ବନ୍ଦ କରିଦେଇଥିଲା। ଏହି ଅମାନବିକ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଲାଗି ହମାସ ପାଲେଷ୍ଟାଇନ ଯୁବକମାନଙ୍କୁ ଏକାଠି କରିବାରେ ଲାଗିଥିଲା। ହମାସ ଭଳି ଏକ ରାଜନୈତିକ ଦଳ ପରେ ଏକ ଅସ୍ତ୍ରଧାରୀ ସଂଗଠନରେ ପରିଣତ ହୋଇଥିଲା। ଇସ୍ରାଏଲ ସରକାରଙ୍କ ଅମାନବୀୟ ଅବରୋଧ ଓ ପାଲେଷ୍ଟାଇନର ସାର୍ବଭୌମତ୍ଵ ଉପରେ ବାରମ୍ବାର ହସ୍ତକ୍ଷେପର ପ୍ରତିବାଦରେ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଅଞ୍ଚଳରେ ଅତର୍କିତ ଆକ୍ରମଣ ହମାସ ଦ୍ଵାରା ହୋଇଥିଲା।

              ହୁଏତ ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ସେମାନଙ୍କ ପ୍ରତି ସମଗ୍ର ବିଶ୍ବରେ ସହାନୁଭୁତି ପ୍ରକାଶ ପାଇଥିଲା। ମାତ୍ର ଚାଳିଶ କି ପଚାଶ ବର୍ଷ ମଧ୍ୟରେ ଇହୁଦୀମାନେ ସମ୍ପୂର୍ଣ ଭାବରେ ନିଜର ଇତିହାସକୁ ଭୁଲିଗଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ଆମେରିକାୟୁରୋପର କିଛି ଦେଶ ରହିଛନ୍ତି। ସେମାନେ ଇସଲାମକୁ ଘୃଣା କରନ୍ତି। ଇସ୍ରାଏଲ ପ୍ରତି ଭାରତ ସରକାରଙ୍କ ସମର୍ଥନର ଏହା ମଧ୍ୟ କାରଣ। ଏତଦବ୍ଯତୀତଇସ୍ରାଏଲରେ ଆଦାନୀ କମ୍ପାନୀର ପୁଞ୍ଜିନିବେଶ ବିଶେଷକରି ହାଇଫା ବନ୍ଦରର ଟେଣ୍ଡର ଅକ୍ତିଆର କରିବା ପରେ ଏହାକୁ ସୁରକ୍ଷା ଦେବା ଅନ୍ଯତମ କାରଣ। ଇସ୍ରାଏଲର ହାଇଫା ବନ୍ଦରକୁ ଆଦାନୀ କମ୍ପାନୀ ୩୬ ପ୍ରତିଶତ ଅଧିକ ମୂଲ୍ୟରେ (ଇସ୍ରାଏଲ ସରକାର ଯେତିକି ଆଶା କରିଥିଲେ ତାହାଠାରୁ ଅଧିକ) ଟେଣ୍ଡର ନେବା ପଛରେ ହୁଏତ ବିରାଟ ବ୍ଯବସାୟିକ ସ୍ଵାର୍ଥ ରହିଛି।

 

ପାଲେଷ୍ଟାଇନ ଭୂଖଣ୍ଡରେ ଇସ୍ରାଏଲର ଦମନଲୀଳା

        

              ବିଗତ ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନାର ଡ୍ରୋନ ଓ ମିସାଇଲ ଆକ୍ରମଣ ହେତୁ ୭୦ ପ୍ରତିଶତ କୋଠାଘର ଭାଙ୍ଗି ଚୁରମାର ହୋଇଯାଇଛି। ଏବେ ଆକ୍ରମଣ ହସ୍ପିଟାଲସ୍କୁଲଆମ୍ବୁଲାନ୍ସ ଓ ଶରଣାର୍ଥୀ ଶିବିର ଉପରେ ହେଉଛି। ଗଲା କିଛି ଦିନ ତଳେ ଏକ ଡ୍ରୋନ ଆକ୍ରମଣରେ ତିନି ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲା। ସେମାନଙ୍କ ଭୁଲ ଥିଲା ଯେ ସେମାନେ ଦୁନିଆକୁ ଇସ୍ରାଏଲି ସେନାର ନରସଂହାର ସମ୍ପର୍କରେ ଜଣାଉଥିଲେ। ସମଗ୍ର ପାଲେଷ୍ଟାଇନ ଭୂଖଣ୍ଡରୁ ପାଲେଷ୍ଟାଇନମାନଙ୍କୁ ବିତାଡିତ କରି ବିଦେଶ ରାଷ୍ଟ୍ରକୁ ପଠାଇଦେବା ଲାଗି ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ର ଉଦ୍ୟମ ଜାରି ରଖିଛନ୍ତି।

              ଆଜିର ଦିନରେ ଗାଜାକୁ ଘେରାବନ୍ଦୀ କରିବା ହେତୁ ୫ ଲକ୍ଷ ଶିଶୁ ମୃତ୍ୟୁର ନିକଟବର୍ତ୍ତୀ୧୧ ଲକ୍ଷ ଲୋକ ଦିନକୁ ଥରେ ବି ଖାଦ୍ଯ ପାଉନାହାନ୍ତି। ଗାଜାକୁ ସଂଯୋଗ କରୁଥିବା ରାସ୍ତା ଓ ପାଣିକୁ ବନ୍ଦ କରିଦିଆଯାଇଛି। ଏବେ ବହୁ କଷ୍ଟରେ ଯେତିକି ଟ୍ରକ ପହଞ୍ଚିପାରୁଛି ସେଥିରୁ ଖାଦ୍ୟ ନେବା ଲାଗି ଦଳାଚକଟା ସୃଷ୍ଟି ହୋଇଯାଉଛି। ପିଲାମାନେ ଟ୍ରକର ଡାଲାକୁ ଚାଟି ନିଜର ଖାଦ୍ଯ ଅଭାବ ମେଣ୍ଟାଇବାର ଚେଷ୍ଟା କରୁଛନ୍ତି

              ଜଣେ ପ୍ରତ୍ଯକ୍ଷଦର୍ଶୀ ସ୍ଥିତିକୁ ବର୍ଣ୍ଣନା କରି ଲେଖିଛନ୍ତି“ଟ୍ରକ ଗୋଟେ ଚାଲିଗଲାସେଟା ଖାଲି ଥିଲା । ଟ୍ରକ ଡାଲାରେ ପଡ଼ିଥିଲା ପତଳା ଅଟା ଗୁଣ୍ତର ଏକ ଆସ୍ତରଣ ଖାଲି ଗୁଣ୍ତ । ସେମାନେ ଥିଲେ ପଞ୍ଝାଏ ପିଲା । ସେମାନେ ଧାଇଁଲେ ଓ ଟ୍ରକ ଉପରକୁ ଚଢ଼ିଗଲେ ଟ୍ରକ ଡାଲାରେ ପିଲାମାନେ ଆଣ୍ଠେଇ ପଡ଼ିଲେସତେ ଯେମିତି କେଉଁ ବଳିବେଦୀ ସାମନାରେ ଏବଂ ରାମ୍ପିବା ଆରମ୍ଭ କରିଦେଲେ । ଜଣକ ପାଖରେ ଥିଲା ଖଣ୍ତେ ଭଙ୍ଗା ଢାଙ୍କୁଣୀ ଆଉ ଜଣକ ପାଖରେ ଖଣ୍ତେ କାର୍ଡ଼ବୋର୍ଡ଼  କିନ୍ତୁ ବାକିତକବାକିତକ ନିଜ ହାତରେ ରାମ୍ପିଲେ କିଏ ବା ଜିଭରେ ସେମାନେ ଚାଟି ଚାଲିଲେ“ (ଗାଜାରେ ଶୁକ୍ରବାର’ କବିତାକବି: ଡ. ଏଜ୍ଜିଦୀନ)

 

ଇସ୍ରାଏଲ – ଆଡନୀ – ବିଜେପି ସମ୍ବନ୍ଧ:

            ପାଲେଷ୍ଟାଇନ ସଙ୍କ୍ରାନ୍ତରେ ଭାରତ ସରକାର ଅନେକ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲକୁ ବିରୋଧ କରୁନଥିଲେ ମଧ୍ୟ ପାଲେଷ୍ଟାଇନର ସ୍ଵତନ୍ତ୍ର ରାଷ୍ଟ୍ରର ଦାବିକୁ ଯଥାର୍ଥ କହିଆସୁଥିଲା। ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାର ଇସ୍ରାଏଲକୁ ସଂପୂର୍ଣ୍ଣ ସମର୍ଥନ ଦେବା ଆରମ୍ଭ କରିଦେଲେ। କିଛି ବର୍ଷ କାଳ ମୋତେ ଲାଗୁଥିଲା ଯେ ଏହା ଇସଲାମକୁ ଘୃଣା କରିବା ବା ଇସଲାମଫୋବିଆ କାରଣରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି। ବିଜେପିର ଇସଲାମକୁ ଘୃଣା କରିବା ଆମେରିକାର ଟ୍ରମ୍ଫ ଓ ଇସ୍ରାଏଲର ନେତ୍ଯାନ୍ୟୁହଙ୍କ ଦ୍ଵାରା କରାଯାଉଥିବା ଘୃଣା ଭଳି ସମାନ। ଦୀର୍ଘ ବର୍ଷ ପରେ ସ୍ପଷ୍ଟ ହେଉଛୁ ଯେ ଏହା ବ୍ଯବସାୟିକ ମଧ୍ୟ। ଭାରତର ପ୍ରମୁଖ କମ୍ପାନୀ ଅଦାନୀ ଗୃପ ଇସ୍ରାଏଲର ହୟଫା ବନ୍ଦର ଇସ୍ରାଏଲି କମ୍ପାନୀ ଗୋଡୋଟ ସହିତ ମିଳିତ ଉଦ୍ଯୋଗରେ କିଣିଛି ଯେଉଁଥିରେ ଆଡନୀର ୭୦ ପ୍ରତିଶତ ସେୟାର ରହିଛି। (https://www.adaniports.com/newsroom/media-releases/adani-and-gadot-win-tender-to-privatise-israels-haifa-port) ବ୍ଯବସାୟିକ ସ୍ଵାର୍ଥ କେବଳ ଏତିକିରେ ସୀମିତ ନୁହେଁ। ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡରର ଯୋଜନା (India – Middle East – Europe Corridor) ଆଡନୀର ମୁନ୍ଦ୍ରା (ଗୁଜୁରାଟ) ବନ୍ଦରରୁ ଆରମ୍ଭ ହୋଇ ଇସ୍ରାଏଲର ହୟଫା ବନ୍ଦର ସହିତ ଗ୍ରୀସର ଏକ ବନ୍ଦରକୁ ଛୁଉଁଛି। (https://www.nationalheraldindia.com/international/it-is-official-economic-corridor-with-adani-as-major-player-on-the-table-for-modi-trump-talk )

            ନିଜର ବ୍ଯବସାୟିକ ସ୍ଵାର୍ଥର ସୁରକ୍ଷା ଲାଗି କୌଣସି ଗଣହତ୍ୟାକୁ ସମର୍ଥନ କରିବା ନିଜେ ଗଣହତ୍ୟାରେ ସାମିଲ ହେବା ସହିତ ସମାନ। ଇସ୍ରାଏଲର ଡ୍ରୋନ ଓ ଯୁଦ୍ଧାସ୍ତ୍ର (ଟ୍ରେନିଂ ମଧ୍ୟ) ଆଜି ମଧ୍ୟ ଭାରତରେ ଆଦିବାସୀଙ୍କୁ ଦମନ କରିବା ଲାଗି ଭାରତ ସରକାର ବ୍ୟବହାର କରୁଛନ୍ତି। ଏହା କି ପ୍ରକାରର ଜାତୀୟତା? ଏବେ ସେହି ସମସ୍ତ ଅଞ୍ଚଳରେ ହଜାର ହଜାର ଗଛ କାଟିଦିଆଯାଉଛି। ସେହି ସମସ୍ତ ଜଙ୍ଗଲ ଜମିକୁ ଆଡନୀ କମ୍ପାନୀକୁ ଦିଆଯିବା ଲାଗି ସ୍ଥିର ହୋଇଛି। ମହାରାଷ୍ଟ୍ରର ଗଡଚିରୋଲି ଅଞ୍ଚଳରେ ଆଡନୀର ପ୍ରବେଶରୁ ଏହା ସ୍ପଷ୍ଟ ହୋଇଛି। ଇସ୍ରାଏଲ – ଆଡନୀ – ବିଜେପି – ଟ୍ରମ୍ଫ ଏକ ଅଦ୍ଭୁତ ଯୋଗସୂତ୍ରରେ ଯୋଡି ହୋଇଯାଇଛନ୍ତି। ଭାରତର ଅନେକ ଭୂଖଣ୍ଡକୁ ଏବେ ଏକର ପିଛା ମାତ୍ର ଏକ ଟଙ୍କା ବିନିମୟରେ ଆଡନୀକୁ ଦିଆଯାଉଛି। କିନ୍ତୁ ପାଲେଷ୍ଟାଇନ ଚାଲିଥିବା ନରସଂହାର, ଖାଦ୍ୟ ସଙ୍କଟ, ଧ୍ଵଂସର ଲୀଳାକୁ ବିରୋଧ କରିବା ଭାରତ ସରକାରଙ୍କ ଦ୍ରୁଷ୍ଟିରେ “ଦେଶଦ୍ରୋହ” କାର୍ଯ୍ୟ ହୋଇଯାଇଛି। ପାଲେଷ୍ଟାଇନ ସପକ୍ଷ ରାଲିକୁ ପୋଲିସ ଦ୍ଵାରା ବନ୍ଦ କରାଯାଉଛି, ଆକ୍ରମଣ କରାଯାଉଛି।     

              ପାଲେଷ୍ଟାଇନ ଉପରେ ଚାଲିଥିବା ଦମନଲୀଳା ଅତି ଘୃଣ୍ୟ ଓ ଅମାନବୀୟ ସ୍ତରକୁ ପହଞ୍ଚିସାରିଛି। ଲକ୍ଷ ଲକ୍ଷ ଶିଶୁଙ୍କୁ ଭୋକିଲା ଛାଡିବା, ଘର ଗୁଡିକୁ ବୋମାରେ ଧ୍ଵଂସ କରିଦେବା, ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ବାସସ୍ଥାନ ଛାଡି ଯିବା ଲାଗି ବାଧ୍ୟ କରିବା ଇତ୍ୟାଦି ଘଟଣା କଦାପି ସଭ୍ୟ ମଣିଷର ଚିନ୍ତାଧାରା ନୁହେଁ। ଏହି ନରସଂହାରରୁ ମୁକ୍ତି ପାଲେଷ୍ଟାନିୟଙ୍କ ପାଇଁ ଜରୁରୀ।

 

 

 

Thursday, September 25, 2025

ଧାର୍ମିକ ମୌଳବାଦୀଙ୍କ ହାତରେ ଦେଶବାସୀଙ୍କ ବାକ-ସ୍ଵାଧୀନତା

 

ଦେବ ରଞ୍ଜନ

 

            ଜାଭେଦ ଅଖତାର ଭାରତୀୟ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ଲାଗି ଅତି ପରିଚିତ ନାମସେ ଉର୍ଦ୍ଦୁ ଭାଷାର କବି ମଧ୍ୟକିନ୍ତୁ ଯେଉଁ ଅଳ୍ପ କେତେକ ସେଲେବ୍ରିଟି ନିଜକୁ ମୁକ୍ତ ଭାବରେ “ନାସ୍ତିକ” ଏ ଦେଶରେ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରୁ ସେ ଜଣେ। ତାଙ୍କର ଏହି ପରିଚୟ ମୋତେ କିଛି ପରିମାଣରେ ଭଲ ଲାଗେ ଯଦିଓ ମୁଁ ନାସ୍ତିକ ନୁହେଁ।

 

            ଜାଭେଦ ଅଖତାରଙ୍କ ବିଭିନ୍ନ ଭାଷଣ ଓ ପୋଡକାଷ୍ଟରୁ ମୁଁ ଯେତିକି ଜାଣିଛି ସେ କହୁଛନ୍ତି, “ଯଦି ଏ ଦୁନିଆର ସମସ୍ତ ମଣିଷ ଆଲ୍ଲାଙ୍କ ସନ୍ତାନ ତେବେ ତାଙ୍କର ସନ୍ତାନମାନେ ଦାରିଦ୍ର୍ଯ ଓ କ୍ଷୁଧାରେ ମୃତ୍ୟୁବରଣ କରୁଥିବା ବେଳେ, ଯୁଦ୍ଧରେ ପ୍ରାଣ ଦେଉଥିବା ବେଳେ, ଆତ୍ମହତ୍ୟା କରୁଥିବା ବେଳେ କି ଧର୍ଷିତ ହେଉଥିବା ବେଳେ ଆଲ୍ଲା ସବୁ ଦେଖି ମଧ୍ୟ ନୀରବ କେଉଁଭଳି ରହୁଛନ୍ତି?” ସେଥିଲାଗି ସେ ଯୁକ୍ତି କରନ୍ତି ଆଲ୍ଲା ବା ଭଗବାନଙ୍କର କୌଣସି ଅସ୍ତିତ୍ଵ ନାହିଁ। କେବଳ କିଛି ଚାଲାକ ଲୋକ ବିଭିନ୍ନ ଧର୍ମରେ ଅଛନ୍ତି ଯେଉଁମାନେ   ଲୋକଙ୍କ ମଧ୍ୟରେ ଭୟ ଓ ଲୋଭ ସୃଷ୍ଟି କରିବା ଲାଗି ଏଭଳି ଅଦୃଶ୍ୟ ଶକ୍ତି ତିଆରି କରିଛନ୍ତି।

 

            ଜାଭେଦଙ୍କ ଦ୍ରୁଷ୍ଟିରେ ଧର୍ମ ଅନୁଷ୍ଠାନ ହେଉଛି ଲୋଭ ଓ ଭୟ ବାଣ୍ଟଥିବା ସ୍ଥାନ। ଚାହେଁ ପୂଜକ ହେଉ କି ମୁଲ୍ଲା ଅଥବା ଚର୍ଚ୍ଚର ଫାଦର ସମସ୍ତେ କୁହନ୍ତି ପାପ କଲେ ପୋକମାଛିର ଜୀବନ ପାଇବ। ଯଦି ମୁଁ (ଜାଭେଦ) ପାପ କଲି (ଯାହାକୁ ସେମାନେ ପାପ କାମ କହୁଛନ୍ତି) ଓ ଆସନ୍ତା ଜନ୍ମରେ ମନେକର ଅସରପା ହେଲି ତେବେ ଅସରପାରୁ ପୁଣି ମଣିଷ ହେବାର ରାସ୍ତା କଣ ହୋଇପାରେ ସେ ସମ୍ବନ୍ଧରେ କେଉଁ ଧର୍ମଗ୍ରନ୍ଥରେ କିଛି ଉଲ୍ଲେଖ ରହୁନାହିଁ ବା ଧର୍ମମୂଖ୍ୟମାନେ କିଛି କହୁଅନାହାନ୍ତିସେ ନାସ୍ତିକ ଭାବରେ ଯେଉଁ ପ୍ରଶ୍ନ ଧର୍ମ ଅନୁଷ୍ଠାନର ମୁଖ୍ୟମାନଙ୍କୁ କରୁଛନ୍ତି ସେଥିରେ ସେମାନେ କ୍ଷୁବ୍ଧ ହେବା ସ୍ଵାଭାବିକ। ଏଭଳି ସାହସ କ୍ଵଚିତ ଭାରତର ସେଲିବ୍ରିଟିମାନଙ୍କ ମଧ୍ୟରେ ଦେଖାଯାଉଛି।

 

            କିନ୍ତୁ ଜାଭେଦ ଅଖତାର ଆଜି ପର୍ଯ୍ୟନ୍ତ ହିନ୍ଦୀ ଫିଲ୍ମ ସହିତ ନିଜକୁ ସମ୍ପୃକ୍ତ ରଖିଛନ୍ତି। ସେ ସକ୍ରିୟ ରହିଥିବା ଅବସ୍ଥାରେ ହିନ୍ଦୀ ଫିଲ୍ମ କଳା ବା ସୃଜନଶୀଳକୁ କେବେଠାରୁ ହରାଇସରିଲାଣି। ଏହାର ସଂପୂର୍ଣ୍ଣ ବ୍ୟବସାୟିକରଣ  ହୋଇଯାଇଛି। ଏହା ବିରାଟ ଶିଳ୍ପରେ ପରିଣତ ହୋଇଛି କିନ୍ତୁ କେତେ ଲୋକଙ୍କୁ ନିଯୁକ୍ତ ଦେଇଛି ତାହାର କୌଣସି ତଥ୍ୟ ନାହିଁ ଅର୍ଥାତ ଏହାର ଶ୍ରମିକମାନେ ଆଦୌ ସଂଗଠିତ ନୁହନ୍ତି। ଏପରିକି ଜାଭେଦ ଅଖତାର ନିଜେ ନା ଫିଲ୍ମରେ ପ୍ରତିବାଦର ସ୍ଵର ଦେଖାଉଛନ୍ତି ନା ଆମ ସମାଜର ଦାରିଦ୍ର୍ଯ, ଶୋଷଣ ଓ ବ୍ୟଭିଚାର ବିରୁଦ୍ଧରେ ତାଙ୍କର ପ୍ରତିବାଦର ସ୍ଵର ଅନ୍ୟତ୍ର କେଉଁଠାରେ ଦେଖିବାକୁ ମିଳୁଛି।

 

            ଏହା ସ୍ଵାଭାବିକ ଯେ କେତେକ ଇସଲାମିକ ସଂଗଠନକୁ ଜାଭେଦଙ୍କ ବିଚାର ପସନ୍ଦ ହୋଇନାହିଁ। କିନ୍ତୁ ସେମାନେ ସଂଗଠିତ ଭାବରେ କଲିକତା କାର୍ଯ୍ୟକ୍ରମକୁ ବିରୋଧ କରିବା ଓ ଜାଭେଦଙ୍କ ଉପସ୍ଥିତିକୁ ପ୍ରଶ୍ନ କରିବା ଆଶ୍ଚର୍ଯ୍ୟର ବିଷୟ। ତାହାଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ପଶ୍ଚିମ ବଂଗର ତୃଣମୂଳ କଂଗ୍ରେସ ସରକାର ନିଜର ଆୟୋଜିତ ଉର୍ଦ୍ଦୁ ଏକାଡେମି ଉତ୍ସବକୁ ମୌଳବାଦୀଙ୍କ ବିରୋଧ କାରଣରୁ କୌଣସି କାରଣ ନଦର୍ଶାଇ ବାତିଲ କରିଦେବା। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଯେଉଁ ବ୍ୟକ୍ତିମାନେ ଖୋଲା “ଧମକ” ଦେଉଥିଲେ ସେମାନଙ୍କୁ ସରକାର ନୋଟିସ କରିବା ବଦଳରେ ଉର୍ଦ୍ଦୁ ପାଠକମାନଙ୍କୁ ଏକ ଭଲ କାର୍ଯ୍ୟକ୍ରମରୁ ବଞ୍ଚିତ କରିବା ଦ୍ଵାରା ସମାଜରେ ମୌଳବାଦୀ ଶକ୍ତିଙ୍କ ଗ୍ରହଣୀୟତା ବଢିଲା। ସେମାନେ ଦାବି କରୁଥିଲେ ଯେ ପ୍ରଥମେ ଜାଭେଦ ଅଖତାର କଲିକତାରେ ସେମାନଙ୍କ ସହିତ ଆଲ୍ଲାଙ୍କ ଅସ୍ତିତ୍ଵକୁ ନେଇ ବିତର୍କ କରନ୍ତୁ ପୁଣି କାର୍ଯ୍ୟକ୍ରମକୁ ଯାନ୍ତୁ। ମୌଳବାଦୀ ଶକ୍ତିମାନେ ସମ୍ବିଧାନର ବିରୁଦ୍ଧରେ କାର୍ଯ୍ୟ କରି ମଧ୍ୟ ନିଜକୁ ଏହାଦ୍ବାରା ଶକ୍ତିଶାଳୀ ମନେକରିବା ସ୍ଵାଭାବିକ

 

            ରାଜନୈତିକ ଦଳ ଲାଗି ଗଣତନ୍ତ୍ର କେବଳ ଭୋଟ ଜିତିବା ଲାଗି ଏକ ବ୍ୟବସ୍ଥା ଭାବରେ ରହିଯାଉଛିନିର୍ବାଚିତ ଶାସକ ଦଳର ସଦସ୍ୟମାନେ ଗଣତନ୍ତ୍ରକୁ ନିଜର ଘରର କଣ୍ଢେଇ କରିଦେଇଛନ୍ତି, ଯେତେବେଳେ ଚାହିଁଲେ ଯେଉଁଭଳି ଚାହିଁଲେ ଚାବି ମୋଡିଲେ ଫଳାଫଳ ଦେଉଛି। ସେମାନଙ୍କ ଏତାଦୃଶ ନିଷ୍ପତ୍ତି ଯେ ସମାଜରେ କଣ ପ୍ରଭାବ ସୃଷ୍ଟି କରୁଛି ବା କରିବ ସେଥିଲାଗି ସେମାନେ ଆଦୌ ଚିନ୍ତିତ ନୁହନ୍ତି। କେବଳ ନିର୍ବାଚନରେ କେଉଁଭଳି ଜିତିବେ ତାହାର ଗଣିତ ସେମାନେ ଅଧିକ ସମୟ କଷିଥାନ୍ତି। ସେହି କଲିକତାରେ ଆଜି କୁ ଅନେକ ବର୍ଷ ତଳେ ତସଲିମା ନସରିନଙ୍କ ଉପରେ ଇସଲାମୀ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ଶାରୀରିକ ଆକ୍ରମଣ (୨୦୦୭) ହୋଇଥିଲା। ତତ୍କାଳୀନ ସରକାର ମୁସଲମାନ ଭୋଟ ହରାଇବା ଭୟରେ ତାଙ୍କୁ କଲିକତା ଛାଡିବା ଲାଗି ବାଧ୍ୟ କରିଥିଲେ। 

 

            ଜାଭେଦ ଅଖତାର ଓ ତସଲିମାଙ୍କ କ୍ଷେତ୍ରରେ ଯାହା ହୋଇଥିଲା ହିନ୍ଦୁ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ଭାରତର ଅନେକ ପ୍ରାନ୍ତରେ ଲେଖକ, କବି, ହେତୁବାଦୀ ଓ ସାମ୍ବାଦିକଙ୍କ କ୍ଷେତ୍ରରେ ଅନେକ ଥର ସେହିଭଳି ଘଟଣା ହୋଇଛି

 

            ମହାରାଷ୍ଟ୍ରର ପୁନେ ସହରରେ ନରେନ୍ଦ୍ର ଦାଭୋଲକର “ଅନ୍ଧଶ୍ରଦ୍ଧା ନିର୍ମୋଳନ ସମିତି” ପ୍ରତିଷ୍ଠା କରି ଅନ୍ଧବିଶ୍ଵାସ ବିରୁଦ୍ଧରେ ନିୟମିତ କାର୍ଯ୍ୟକ୍ରମ ନେଉଥିଲେ। ଯେତେବେଳେ ସମାଜରେ ଗୁଣିଗାରେଡି, ପୂଜାପାଠ, ଓଷାବ୍ରତ ଓ ମନ୍ଦିରର ରାଜନୀତି ଅଧିକ ଚାଲୁଅଛି, ସମାଜକୁ ଏଥିରୁ ଚେତିତ କରିବା ଆବଶ୍ୟକ ହେଉଛି ସେହି ସମୟରେ ହିନ୍ଦୁ ମୌଳବାଦୀ ସଂଗଠନର କେତେକ ସଦସ୍ୟ ତାଙ୍କୁ ହତ୍ୟା (ଅଗଷ୍ଟ ୨୦, ୨୦୧୩ ଦିନ) କରୁଛନ୍ତି। ଏହାଦ୍ବାରା ସେମାନେ ସମାଜକୁ ସୂଚୀତ କରୁଛନ୍ତି ଯେ ଧର୍ମ ନାମରେ ଚାଲିଥିବା ଗୁଣିଗାରେଡି, ଅନ୍ଧବିଶ୍ଵାସ ମାଧ୍ୟମରେ ସେମାନଙ୍କ ବ୍ୟବସାୟରେ ଯଦି ବାଧା ଆସେ ତେବେ ସେମାନେ ତାହାକୁ ମୃତ୍ୟୁଦଣ୍ଡ ଦେବେ। ଆଜିର ସମୟରେ ମାତ୍ର ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ତିନି ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ କରିଛନ୍ତି।

 

            ମହାରାଷ୍ଟ୍ରରେ ହିନ୍ଦୁ ମୌଳବାଦୀ ଶକ୍ତିମାନେ ଶିବାଜୀଙ୍କୁ ନେଇ ଯେଉଁ ମିଥ୍ୟା ତଥ୍ୟ ପ୍ରକାଶ କରୁଥିଲେ ଯେ ସେ ସଂପୂର୍ଣ୍ଣ ମୁସଲମାନ ବିରୋଧୀ ଥିଲେ ତାହାକୁ ବିରୋଧ କରି ଗୋବିନ୍ଦ ପାନେସର, ପୁରୁଣା କମ୍ୟୁନିଷ୍ଟ କର୍ମୀ (ସିପିଆଇ ସଦସ୍ୟ) ତଥା ଲେଖକ, ତଥ୍ୟ ପୂର୍ଣ୍ଣ ପୁସ୍ତକ ପ୍ରକାଶ କରିବା କାରଣରୁ (କୋନ ହୋତା ଶିବାଜୀ’) କୋହ୍ଲାପୁର ସହରରେ ସେମାନେ ହତ୍ୟା (ଫେବୃଆରୀ ୨୦, ୨୦୧୫ ଦିନ )କରିଥିଲେ। ଗିରଫ ଛଅ ଜଣଙ୍କ ବିଚାର ଏବେ ବି ଚାଲିଛି। ସମସ୍ତେ ଜାମିନରେ ଅଛନ୍ତି। ଏହାକୁ କଣ କୁହାଯିବ ନିରପେକ୍ଷ ବିଚାର?

 

            କର୍ଣ୍ଣାଟକର ପ୍ରଫେସର କଲବୁର୍ଗୀଙ୍କ ଯୁକ୍ତି ଥିଲା ଯେ ଦ୍ଵାଦଶ ଶତାବ୍ଦୀର ବସବନ୍ନା ସଂପୂର୍ଣ୍ଣ ମୂର୍ତ୍ତିପୂଜା ଓ ଜାତିବାଦ ବିରୋଧୀ ଥିଲେ। ଅଥଚ ତାଙ୍କୁ ଅଗଷ୍ଟ ୩୦, ୨୦୧୫ ଦିନ ଘର ମଧ୍ୟରେ ପଶି ହତ୍ୟା କରାଯାଇଥିଲା। କର୍ଣ୍ଣାଟକର ସାମ୍ବାଦିକ ଗୌରି ଲଙ୍କେଶ ନିଜର ଲଙ୍କେଶ ପତ୍ରିକାରେ ମୌଳବାଦୀ ସଂଗଠନର କାର୍ଯ୍ୟ କଳାପକୁ ବିରୋଧ କରି ଲେଖୁଥିବା ହେତୁ ତାଙ୍କ ଘର ସାମ୍ନାରେ ତାଙ୍କୁ ଗୁଳି (ସେପ୍ଟେମ୍ବର ୦୫, ୨୦୧୭) କରାଯାଇଥିଲା। ଉଭୟ କାଲବୁର୍ଗୀ ଓ ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାରେ ୧୮ ଜଣ ଗିରଫ ହୋଇଛନ୍ତି। ସେ ମଧ୍ୟରୁ ସାତ ଜଣ ଉଭୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ପୋଲିସ ଦର୍ଶାଇଛିସମସ୍ତ ୧୮ ଜଣ ଏବେ ଜାମିନରେ ଅଛନ୍ତି।  ବିଚାର ଦୀର୍ଘ ଦଶ ବର୍ଷ ହେଲା ଚାଲିଛି।

 

            ଏହା କେବଳ କିଛି ହତ୍ୟା ଘଟଣା। କାର୍ଯ୍ୟକ୍ରମ କରାଇନଦେବା ବା ପୁସ୍ତକ ପ୍ରକାଶ କରାଇନଦେବାର ଘଟଣା ମଧ୍ୟ ରହିଛି। ୨୦୦୯ ମସିହାରେ ଆମେରିକାର ଗବେଷିକା ପ୍ରଫେସର ୱେଣ୍ଡି ଡୋନିଜର ମହାଭାରତ ଓ ରାମାୟଣକୁ ମହିଳା ଓ ଦଳିତଙ୍କ ଦ୍ରୁଷ୍ଟିରେ ଦେଖିବାକୁ ତାଙ୍କର ପୁସ୍ତକ (Hinduism : An alternative history) ପୁସ୍ତକ ଚେଷ୍ଟାକରିଛନ୍ତି। କିନ୍ତୁ ହିନ୍ଦୁ ମୌଳବାଦୀ ସଂଗଠନ ତରଫରୁ ଚାପ ଏଭଳି ହେଲା ଯେ ଏହାର ପ୍ରକାଶକ ପେଙ୍ଗୁଇନ ବଜାରରୁ ସମସ୍ତ କପି ୨୦୧୪ ମସିହାରେ ଫେରାଇନେଇଥିଲେ। ଏହା ଲେଖକର ବାକ ସ୍ଵାଧୀନତା କ୍ଷେତ୍ରରେ ବିରାଟ ଆକ୍ରମଣ ଥିଲା। କିନ୍ତୁ ବିଜେପି ସରକାର ଲେଖିକାଙ୍କୁ କୌଣସି ସୁରକ୍ଷା ଦେଲେନାହିଁ।

 

            ଭାରତର ମୋଗଲ ଶାସନ ସମ୍ବନ୍ଧରେ ଗବେଷଣା କରୁଥିବା ଆମେରିକାର ଗବେଷିକା ପ୍ରଫେସର ଅଡ୍ରେ (Audrey Truschke) ନିଜର ପୁସ୍ତକ (Aurangzeb : The man and the myth) ଲାଗି ହିନ୍ଦୁ ମୌଳବାଦୀଙ୍କ ଦ୍ଵାରା ଆକ୍ରମଣ ଶିକାର ହୋଇଥିଲେ। ସେ ତାଙ୍କ ପୁସ୍ତକରେ ଆଉରଙ୍ଗଜେବ ସମ୍ପର୍କରେ ପ୍ରଚାର କରାଯାଉଥିବା ଅନେକ ତଥ୍ୟ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି।

 

            କିନ୍ତୁ ୨୦୧୮ ମସିହାରେ ପ୍ରଫେସର ଅଡ୍ରେଙ୍କ ହାଇଦ୍ରାବାଦ କାର୍ଯ୍ୟକ୍ରମକୁ ହାଇଦ୍ରାବାଦ ପୋଲିସ ଅନେକ ବ୍ୟକ୍ତି କାର୍ଯ୍ୟକ୍ରମ ବିରୁଦ୍ଧରେ ଚିଠି ଲେଖିଥିବା କାରଣରୁ” ଆୟୋଜକଙ୍କ ଉପରେ ଚାପ ସୃଷ୍ଟି କରି ବାତିଲ କରାଇଥିଲେଯେଉଁ ଆଇନ ଶୃଙ୍ଖଳା ଲାଗି ପୁଲିସ ସେହି ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ନେବା କଥା ତାହା ନନେଇ କାର୍ଯ୍ୟକ୍ରମକୁ ବାତିଲ କରିବା ଅପରାଧୀଙ୍କୁ ପ୍ରଶ୍ରୟ ଦେବା ସହିତ ସମାନ। (ସେହି ସମାନ କଥା ପଶ୍ଚିମବଙ୍ଗରେ ହୋଇଥିଲା) ଲେଖିକା ପରେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଉଲ୍ଲେଖ କରନ୍ତି, “ମୁଁ ଜାଣିନି କେତେଲୋକ ପୋଲିସକୁ ଚିଠି ଲେଖିଥିଲେ।  ମୋ ପାଖରେ କିନ୍ତୁ ହସ୍ତଗତ ହୋଇଥିବା ଚିଠିର ପ୍ରେରକ ଜଣେ ବିଜେପି ଓ ଆରଏସଏସର ସଦସ୍ୟ ବୋଲି ତାଙ୍କ ପ୍ରୋଫାଇଲରୁ ଜଣାପଡୁଛି।“

 

            ସେହି ସମାନ ଘଟଣା ୨୦୨୪ ମସିହାରେ ସମ୍ବଲପୁର ସ୍ଥିତ ଜିଏମ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିଲା। ପ୍ରଫେସର ନିବେଦିତା ମେନନଙ୍କୁ କାଶ୍ମୀର ପ୍ରସଙ୍ଗରେ ତାଙ୍କର ମନ୍ତବ୍ୟକୁ ବିରୋଧ କରିବାକୁ ଯାଇ ଏବିଭିପିର ଅଳ୍ପ କେତେକ ସଦସ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ହଙ୍ଗାମା ସୃଷ୍ଟି କରିଥିଲେ। କିନ୍ତୁ ସେମାନଙ୍କୁ ସେଥିରୁ ନିବୃତ୍ତ କରିବାର ଅନ୍ୟ କିଛି ଉଦ୍ୟମ କରିବା ବଦଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମ ନାରୀବାଦ ସମ୍ବନ୍ଧରେ ଏକ କାର୍ମଶାଳା ଥିଲା। ନିବେଦିତାଙ୍କ ନାରୀବାଦ ସମ୍ପର୍କରେ ଯୁକ୍ତି ବେଶ ତୀକ୍ଷଣ। ତାଙ୍କର ଯୁକ୍ତି ହେଉଛି ଯେ ଆଜିର ସମାଜ ଯେଉଁ ପୁରୁଷତନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଦେଇ ଯାଉଛି ଏଥିରେ ଉଭୟ ପୁରୁଷ ଓ ନାରୀ ଯନ୍ତ୍ରଣାଦାୟକ ଜୀବନ ବିତାଉଛନ୍ତି। ଫରକ ହେଉଛି ଯେ ଶେଷରେ ପୁରୁଷକୁ ଭଲ ସନ୍ତାନ ଭାବରେ କିଛି ପୁରସ୍କାର ମିଳୁଛି ଅଥଚ ନାରୀକୁ ତାହା ମଧ୍ୟ ମିଳୁନାହିଁ। କିନ୍ତୁ ତାଙ୍କର କାର୍ଯ୍ୟକ୍ରମ ବାତିଲ ହେବା ହେତୁ ଛାତ୍ରଛାତ୍ରୀମାନେ ଏକ ଭଲ ଆଲୋଚନାର ସୁଯୋଗକୁ ହରାଇଲେ।

 

            ଗଲା ଦଶ ବର୍ଷ ମଧ୍ୟରେ ଘଟିଥିବା ଏହିଭଳି ଅନେକ ଘଟଣା ରହିଛି ଯାହା ସରକାରଙ୍କ ପ୍ରତ୍ଯକ୍ଷ ସହଯୋଗ ନଥିଲେ ଘଟିନଥାନ୍ତା। ସରକାର ଯେହେତୁ ନାଗରିକର ବାକ ସ୍ଵାଧୀନତ୍ତା ଓ ଗବେଷଣା କାର୍ଯ୍ୟ ଦ୍ଵାରା ନିଜ ପ୍ରତି ବିପଦ ମନେକରୁଛନ୍ତି ସେଥିଲାଗି ସେମାନେ ମୌଳବାଦକୁ ବଞ୍ଚାଇ ରଖୁଛନ୍ତି। ହିନ୍ଦୁ ମୌଳବାଦ କ୍ଷେତ୍ରରେ ଉଭୟ ଶାସକ ଓ ଆକ୍ରାମଣକାରୀ ସମାନ। ସରକାର ଯାହା ଆଇନ ଦ୍ଵାରା କରିବାରେ ଅସୁବିଧା ଭାବୁଛନ୍ତି ତାହାକୁ ସେ ମୌଳବାଦୀ ଶକ୍ତି ଦ୍ଵାରା କରାଉଛନ୍ତି। ଏହା ସତ୍ୟ

 

            ଏହା ସତ୍ୟ ଯେ ଆକ୍ରମଣ ଅଥବା ହତ୍ୟାର ଶିକାର ହୋଇଥିବା ସମସ୍ତ ଲେଖକ, ସାମ୍ବାଦିକ ଓ ସଂଗଠକ ଧର୍ମକୁ ବ୍ୟକ୍ତିଗତ ବ୍ୟାପାର ମନେକରନ୍ତି। ସାମ୍ପ୍ରଦାୟିକ ବିଚାରର ସମସ୍ତେ ବିରୋଧୀ। ସେମାନେ ସମ୍ବିଧାନରେ ଯାହା ଦର୍ଶାଯାଇଛି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତାହାକୁ ସେମାନେ ସରକାରଙ୍କୁ ଅନୁପାଳନ କରିବା ଲାଗି ବାରମ୍ବାର ଚାପ ସୃଷ୍ଟି କରିଆସିଛନ୍ତି। ଏପରିକି ଆମେରିକାର ଗବେଷିକା ଦ୍ୱୟଙ୍କ ପୁସ୍ତକ ମଧ୍ୟ ସେହି ଆଧାରରେ ଲିଖିତ। ଅଥଚ ସେମାନଙ୍କର ଏଭଳି ଭାବନାକୁ ଧର୍ମରେ ରହିଥିବା ତଥାକଥିତ ମୁଖ୍ୟମାନେ ବିରୋଧ କରିଆସିଛନ୍ତି।

 

            ଆମ ଲାଗି ଚେତାବନୀର ବିଷୟ ହେଉଛି ଯେ ଗୋଟିଏ ଧର୍ମର ମୌଳବାଦୀଙ୍କ ଆକ୍ରମଣକୁ ବିରୋଧ କରିବାକୁ ଯାଇ ଯେଉଁମାନଙ୍କ ବାକ ସ୍ଵାଧୀନତାର ସୁରକ୍ଷାର ଆବଶ୍ୟକତା ରହିଥିବାର ଯୁକ୍ତି ଆମେ କରିଥାଉ ପୁଣି ସେହିମାନେ ନିଜେ ଧର୍ମ ନାମରେ ଆଉ କାହାର ବାକ ସ୍ଵାଧୀନତାକୁ ହରଣ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନାହାନ୍ତି। ଧାର୍ମିକ ମୌଳବାଦୀ ଶକ୍ତି ପଛରେ ସରକାର ରହିଥିବା ହେତୁ ଏହା ସମ୍ଭବ ହେଉଛି। ନିଜର ଆସନ ବଞ୍ଚାଇବା ଲାଗି ସେମାନେ ମୌଳବାଦୀ ଶକ୍ତିର ଆଶ୍ରୟ ନେଉଛନ୍ତି।

 

            ମୌଳବାଦୀମାନେ ବି ସରକାରୀ ସମର୍ଥନ ବିନା ଯେ ପଙ୍ଗୁ ତାହା ସେମାନେ ଉପଲବ୍ଧ କରିଛନ୍ତି। କାରଣ ସେମାନଙ୍କ ନିକଟରେ ଜନସମର୍ଥନ ନାହିଁ। ପୁଣି ସରକାରୀ ଅର୍ଥରେ ସେମାନଙ୍କ କାର୍ଯ୍ୟ ଚାଲେ। (ସରକାରୀ ଟିକସ ସମସ୍ତ ଧର୍ମର ଲୋକଙ୍କ ଠାରୁ ଆସୁଥିଲେ ବି ତାଙ୍କୁ ସେଥିରେ ଅସୁବିଧା ହୁଏନାହିଁ!) ଆଜି ଯାହାଙ୍କୁ ଆମେ ହିନ୍ଦୁ ଅଥବା ଇସଲାମ ଧର୍ମର ସୁରକ୍ଷା ଲାଗି ଉଦ୍ଦିଷ୍ଟ ସଂଗଠନର ସଦସ୍ୟ ଭାବରେ ଦେଖୁଛୁ ସେମାନେ ହିଂସାର ରାସ୍ତାରେ ସମାଜରେ ବିଭାଜନ କାର୍ଯ୍ୟରେ ଲାଗିଛନ୍ତିଏହା ଦ୍ଵାରା ସେମାନେ ଆଉ କାହାର ରାଜନୈତିକ ମହତ୍ଵାକାଁକ୍ଷା ପୂରଣ କରୁଛନ୍ତି। ପ୍ରକୃତରେ ସେମାନେ ଧର୍ମର ସୁରକ୍ଷା ଲାଗି କିଛି କରୁନାହାନ୍ତି। ଯେତେଶୀଘ୍ର ଆମେ ଏହି ଅନ୍ଧ ଓ ହିଂସ୍ର ମଣିଷମାନଙ୍କୁ ସେଭଳି କାର୍ଯ୍ୟରୁ ନିବୃତ୍ତ କରିପାରିବା ସେତେ ଶୀଘ୍ର ଆମେ ସୁସ୍ଥ ଓ ଶାନ୍ତ ସମାଜ ଆଶା କରିପାରିବା। ଆମକୁ ସମସ୍ତ ମୌଳବାଦ ଓ ମୌଳବାଦୀ ଶକ୍ତିଙ୍କ ଠାରୁ ମୁକ୍ତି ଆବଶ୍ୟକ।

 

Tuesday, September 23, 2025

ସେମାନେ ଯେବେ ହେତୁବାଦୀଙ୍କ ବିରୁଦ୍ଧରେ ଆସନ୍ତି....

 


              ଦେବ ରଞ୍ଜନ

              ସୂର୍ଯ୍ୟ ପରାଗ ଏକ ମହାଜାଗତିକ ଘଟଣା। ଆମର ସମାଜ ଏହାକୁ ହାଣ୍ଡିଛାଡ ଭାବରେ ଜାଣିଛି। କିନ୍ତୁ ପୃଥିବୀର ଅନେକ ବୈଜ୍ଞାନିକ ଯଦି ଏହି ଅନ୍ଧବିଶ୍ଵାସ ମଧ୍ୟରେ ଫସିରହିଥାନ୍ତେ ତେବେ ଅନେକ ବିଶେଷ ଘଟଣାକୁ ସେମାନେ ଆମ ସାମ୍ନାରେ ଉନ୍ମୋଚନ କରିପାରିନଥାନ୍ତେ। ଯେଉଁଭଳି ପ୍ରତି ପୂର୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇନଥାଏ ସେହିଭଳି ପ୍ରତି ଅମାବାସ୍ୟାରେ ସୂର୍ଯ୍ୟପରାଗ ହୋଇନଥାଏ। ଚନ୍ଦ୍ର ୫ ଡିଗ୍ରୀ କୋଣରେ ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ହେତୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏହା ସର୍ବଦା ଆସିନଥାଏ। କେତେବେଳେ ପୃଥିବୀର ତଳକୁ ରହିଯାଏ ତ ପୁଣି କେତେବେଳେ ଉପରକୁ। ଚନ୍ଦ୍ର ପୃଥିବୀର ସେତିକି ପାଖକୁ ମଧ୍ୟ ଆସିବା ଆବଶ୍ୟକ ଯାହା ଦ୍ଵାରା ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମିକୁ ଢାଙ୍କିବା ସମୟରେ ପୃଥିବୀରେ ଅନ୍ଧାର ହେବ।  

                        ସୂର୍ଯ୍ୟଙ୍କୁ ସିଧାସଳଖ ଚାହିଁ କୌଣସି ଗବେଷଣା କରିବା କଷ୍ଟ। ତେଣୁ ପଦାର୍ଥ ବିଜ୍ଞାନୀ ଓ ଜ୍ୟୋତିବିର୍ଜ୍ଞାନୀମାନେ ଏହି ସୂର୍ଯ୍ୟ ପରାଗ ସମୟକୁ ଅପେକ୍ଷା କରିଥାନ୍ତି। ପୃଥିବୀର ସବୁ ଅଞ୍ଚଳରେ ସୂର୍ଯ୍ୟ ପରାଗ ଏକା ସମୟରେ ଦ୍ରୁଶ୍ଯ ହୋଇନଥାଏ। ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ବିଜ୍ଞାନୀମାନେ ଦ୍ରୁଶ୍ଯ ହେଉଥିବା ଅଞ୍ଚଳକୁ ଯାଇ ଏହି ବିରଳ ଘଟଣାକୁ ଅନୁଧ୍ୟାନ କରିଥାନ୍ତି ଓ ଲୋକଙ୍କୁ ଏହାର ଫଳାଫଳ ଜଣାଇଥାନ୍ତି।

                        ମୋର ସ୍କୁଲ ସମୟରେ ଓ ପରେ ଅର୍ଥାତ ୧୯୯୦ ପର୍ଯ୍ୟନ୍ତ ଆମର ସ୍କୁଲ ପାଠ୍ୟପୁସ୍ତକରେ ସୌର ପରିବାର ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ୧୯୧୯ ମସିହାର ସୂର୍ଯ୍ୟ ପରାଗ ସମୟରେ ପାଇଥିବା ତଥ୍ୟ ୧୯୯୦ ପର୍ଯ୍ୟନ୍ତ ଆମର ପାଠ୍ୟ ପୁସ୍ତକକୁ ଆସିନଥିଲା। ଆମକୁ ପଢାଯାଉଥିଲା ଯେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ହେତୁ ଏକ ଅଣ୍ଡାକୃତି ପଥରେ ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟ ଚାରିପାଖରେ ଘୂରୁଛନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ।  

                        ମେ ୨୯, ୧୯୧୯  ଓ ଫେବୃଆରୀ ୧୬ , ୧୯୮୦ ମସିହାରେ ହୋଇଥିବା ସଂପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପୃଥିବୀର କେତେକ ଅଂଶକୁ ସୂର୍ଯ୍ୟ ଦୀର୍ଘ ସମୟ ଦେଖାଯାଇନଥିଲେ। ଏହି ସମୟରେ ଅନେକ ଜ୍ୟୋତିର୍ବିଜ୍ଞାନୀ ଅନେକ ନୂତନ ତଥ୍ୟକୁ ଆବିଷ୍କାର କରିଥିଲେ ଓ ପୁରୁଣା ଅବଧାରଣାରେ ପରିବର୍ତ୍ତନ ଆଣିଥିଲେ। ସେଗୁଡିକ ସମ୍ପର୍କରେ ନିମ୍ନରେ ଲେଖୁଛି।

                        ପ୍ରଥମରେ, ସ୍କୁଲରେ ଆମେ ଜାଣିଥିଲୁ ଯେ ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ହେତୁ ଗ୍ରହମାନେ ସୂର୍ଯ୍ୟ ଚାରିପାଖରେ ଘୁରୁଛନ୍ତି। ୧୯୧୯ର ସୂର୍ଯ୍ୟ ପରାଗ ସମୟରେ ଜ୍ୟୋତିର୍ବିଜ୍ଞାନୀମାନେ ପ୍ରଥମ ଥର ଲାଗି ଉପଲବ୍ଧି କଲେ ଯେ ସମଗ୍ର ମହାକାଶର ରୂପ ଚେପେଟା ଠିକ ବିରାଟ କଡେଇ ଭଳି। ସମସ୍ତ ମହାଜଗତିକ ବସ୍ତୁ ଆପେ ଆପେ ଏକ ନିର୍ଦ୍ଦିଷ୍ଟ ବେଗରେ ସରଳରେଖାରେ ଗତିକରୁଥିଲେ ମଧ୍ୟ ଯେହେତୁ ବିରାଟ ମହାକାଶ ଚେପେଟା ତେଣୁ ଆମକୁ ଏମାନଙ୍କର ପଥ ବକ୍ରାକାର ଦେଖାଯାଉଛି।  ଆଶ୍ଚର୍ଯ୍ୟର ବିଷୟ ଯେ ସୂର୍ଯ୍ୟ ମଧ୍ୟ ଏହି ସମସ୍ତ ଗ୍ରହମାନଙ୍କ ସହିତ ସରଳରେଖାରେ ଗତି କରୁଛି। ଏହାର ବେଗ ଘଣ୍ଟା ପ୍ରତି ୮,୨୮,୦୦୦ କିମି ବା ପ୍ରତି ସେକେଣ୍ଡରେ ୨୩୦ କିମି।

                        ଦ୍ଵିତୀୟରେ, ସୂର୍ଯ୍ୟ ଠାରୁ ଦୂରରେ ରହିଥିବା ଅନେକ ନକ୍ଷତ୍ରକୁ ଆମେ ଦେଖିପାରୁ କାରଣ ସୂର୍ଯ୍ୟ ଭଳି ସେମାନଙ୍କର ନିଜସ୍ଵ ଆଲୋକ ରହିଛି। ହେଲେ ପୃଥିବୀରୁ ଥାଇ ଆମେ ଯେଉଁଠାରେ ଦେଖିଥାଉ ପ୍ରକୃତରେ ସେହି ନକ୍ଷତ୍ର ସେହି ସ୍ଥାନରେ ନଥାନ୍ତି। ସେମାନଙ୍କ ଠାରୁ ଆସୁଥିବା ଆଲୋକ ସୂର୍ଯ୍ୟ ନିକଟରେ ୧.୭୫ ଆର୍କସେକେଣ୍ଡର (ଏକ ଡିଗ୍ରୀର ୩୬୦୦ ଭାଗରୁ ଭାଗେ) ବକ୍ର ତିଆରି କରିଥାଏ ବା ବଙ୍କା ହୋଇଯାଇଥାଏ। ଯଦିଓ ନ୍ୟୁଟନ ଏହାକୁ ୦.୮୭ ଆର୍କସେକେଣ୍ଡ ବୋଲି କହିଥିଲେ ଓ ଏହା ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ହେତୁ ହୋଇଛି ବୋଲି କହିଥିଲେ କିନ୍ତୁ ଆଇନଷ୍ଟାଇନ ଏହାକୁ ଭୁଲ ପ୍ରମାଣିତ କରିଥିଲେ। ୨୯ ମାର୍ଚ୍ଚ ୧୯୧୯ ରେ ହୋଇଥିବା ସୂର୍ଯ୍ୟ ପରାଗ ସମୟରେ ଜ୍ୟୋତିର୍ବିଜ୍ଞାନୀମାନେ ଆଇନଷ୍ଟାଇନଙ୍କ ତଥ୍ୟକୁ ସଠିକ ଉପଲବ୍ଧି କରିଥିଲେ।

                        ତୃତୀୟରେ, ଆମର ମହାକାଶ କୌଣସି ଥାଳି ଭଳି ସମତଳ ନୁହେଁ। ଏହା କଡେଇ ଭଳି ଚେପଟା। ବିରାଟ ମହାକାଶ କଡେଇ ଭଳି ଚେପଟା ହୋଇଥିବା ହେତୁ ସୂର୍ଯ୍ୟଙ୍କ ଭଳି କୌଣସି ବିଶାଳ ମହାଜାଗତିକ ବସ୍ତୁ ପାଖ ଦେଇ ଯିବା ସମୟରେ ଆଲୋକର ଗତି ସାମାନ୍ୟ ବଙ୍କା ହୋଇଥାଏ। ଏହି ହେତୁ ବିଜ୍ଞାନୀମାନେ ଜାଣିଲେ ଯେ ଆଲୋକରେ କୌଣସି ପଦାର୍ଥ ବା ପାର୍ଟିକିଲ୍ସ ନାହିଁ ଯାହାକୁ ସୂର୍ଯ୍ୟ ନିଜ ଆଡକୁ ଟାଣିବ। ଏହା ସଂପୂର୍ଣ୍ଣ ଏନର୍ଜି ବା ଶକ୍ତି। ହେଲେ ମହାକାଶ ଚେପେଟା ହେତୁ ସେହି ଆଲୋକ ବିରାଟ ସୂର୍ଯ୍ୟ ପାଖ ଦେଇଆସିଲା ବେଳେ ବଙ୍କା ହୋଇଯାଉଛି। ଏହାର ଅର୍ଥ ଗାଲେକ୍ସି ଓ ବ୍ଲାକହୋଲ ଦେଇ ଆସୁଥିବା ଆଲୋକ ମଧ୍ୟ ସାମାନ୍ୟ ବଙ୍କା ହୋଇଯିବ।

                        ଚତୁର୍ଥରେ, ସୂର୍ଯ୍ୟର ତାପମାତ୍ରା ମାପିବା ସମ୍ଭବ ହୋଇପାରୁନଥିଲା। ୧୯୮୦ ର ସୂର୍ଯ୍ୟ ପରାଗରେ ସୂର୍ଯ୍ୟଙ୍କ ଚାରିପାଖର ବଳୟ କରୋନାର ତାପମାତ୍ରା ମାପିବା ଲାଗି ପ୍ରଥମେ ଚେଷ୍ଟା କରାଗଲା। କରୋନାର ତାପମାତ୍ରା ୨ ରୁ ୪ ନିୟୁତ କେଲଭିନ। (ଏକ କେଲଭିନ = ୨୭୨ ଡିଗ୍ରୀ ସେଣ୍ଟିଗ୍ରେଡ) ଏଥିରୁ ଅନୁମାନ କରିହେବ ସୂର୍ଯ୍ୟର କେନ୍ଦ୍ର କେତେ ଉତ୍ତପ୍ତ ହୋଇନଥିବ।

                        ପଞ୍ଚମରେ, ଯେହେତୁ ସଂପୂର୍ଣ୍ଣ ମହାକାଶ ଚେପେଟା ତେଣୁ ସୂର୍ଯ୍ୟ ଓ ଏହାର ପରିବାର ପୁଣି ନିଜର କକ୍ଷ ପଥକୁ ଫେରିଆସିବା କଥା। ଯେହେତୁ ସେମାନଙ୍କ ଗତିପଥ ସଳଖ ତେଣୁ ସେମାନେ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ପଥକୁ ଫେରିଆସୁନାହାନ୍ତି। ଅନୁମାନ କରାଯାଉଛି ଯେ ପ୍ରତି ୧୮ ବର୍ଷ ୧୧ ଦିନ ୮ ଘଣ୍ଟାରେ ସେମାନଙ୍କ ପଥ ଆପାତତଃ ସମାନ ରହୁଛି। ସେମାନେ ସେହି ୧୮ ବର୍ଷ ୧୧ ଦିନ ୮ ଘଣ୍ଟା ତଳେ ଛାଡି ଆସିଥିବା ପଥର ପାଖାପାଖି ହେଉଛନ୍ତିତେଣୁ ଆଜିର ସୂର୍ଯ୍ୟ ପରାଗ ଯେଉଁ ସମୟ ଓ ଯେଉଁ ସ୍ଥାନରେ ଦ୍ରୁଶ୍ଯ ହେଉଛି ୧୮ ବର୍ଷରେ ୧୧ ଦିନ ୮ ଘଣ୍ଟା ପରେ ସେହି ସମୟ ଓ ସେହି ସ୍ଥାନରେ ପରାଗ ହେବ ବୋଲି ଅନୁମାନ କରାଗଲା। ତଥାପି ଏହାକୁ ନେଇ ଗବେଷଣା ଚାଲିଛି।  

                        ଏବେ ଆସିବା ଏ ସମ୍ପର୍କରେ ରହିଥିବା ଭ୍ରାନ୍ତ ଧାରଣା। ୧୯୮୦ ମସିହାର ସୂର୍ଯ୍ୟ ପରାଗ ସମୟରେ ପ୍ରଚାର କରାଗଲା ଯେ ଏହି ସମୟରେ ପୃଥିବୀର ବାୟୁମଣ୍ଡଳରେ ଅନେକ ଏକ୍ସ ଓ ଗାମା ରଶ୍ମି ବିକିରଣ ହେଉଥିବା ହେତୁ ଗର୍ଭବତୀ ମହିଳାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବଏହା ସଂପୂର୍ଣ୍ଣ ଭୁଲ ଧାରଣା। ହଁ, ଏହା ହେବ ଯଦି ରକ୍ତହୀନ ମହିଳା ଖାଦ୍ୟ ଛାଡିଦେବେ ଅଥବା ଏଭଳି ଭୁଲ ପ୍ରଚାରର ବଶବର୍ତ୍ତୀ ହୋଇ କିଛି ଭୁଲ ପଦକ୍ଷେପ ନେବେ। ମଣିଷ ଉପରେ ଅନ୍ଧବିଶ୍ଵାସ ପ୍ରଭାବ କିଛି କମ ରହି ନାହିଁ। ଅନେକ ସମୟରେ ତାହା ମୃତ୍ୟୁର କାରଣ ହୋଇଛି।

                        ଭାରତରେ ବିଶେଷକରି ଓଡିଶାରେ ହେତୁବାଦୀଙ୍କ ଉପରେ ହିନ୍ଦୁ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ପାକତ୍ୟାଗ ଭଳି ଅନ୍ଧବିଶ୍ଵାସକୁ ବିରୋଧ କରିବା କାରଣରୁ ସେମାନଙ୍କ ବିରୁଦ୍ଧରେ କଦର୍ଯ୍ୟ ଶବ୍ଧ ବ୍ୟବହାର କରାଯାଉଛି ଓ କେତେକ ସ୍ଥାନରେ ଆକ୍ରମଣ କରାଯାଉଛିଆମ ସମାଜରେ ରହିଥିବା ନିର୍ଦ୍ଦିଷ୍ଟ ହିନ୍ଦୁ ବିଚାରପନ୍ଥୀର ବ୍ୟକ୍ତି କୌଣସି ବି ଧାର୍ମିକ ଅସହମତିକୁ ଗ୍ରହଣ କରିବାକୁ ନାରାଜ। ସେମାନଙ୍କ କ୍ରୋଧ ଓ ଘୃଣାକୁ ଦେଖିଲେ ଲାଗୁଛି ଯେମିତି ସେମାନେ ହୁଏତ କାହାକୁ ହତ୍ୟା ମଧ୍ୟ କରିଦେଇପାରନ୍ତି।

                        ଧର୍ମ ମଧ୍ୟରେ ରହିଥିବା ସାମ୍ପ୍ରଦାୟିକ ମନୋଭାବ, ନାରୀ ବିରୋଧୀ ଆଚରଣ ଓ ଅବୈଜ୍ଞାନିକ ଚିନ୍ତାଧାରାକୁ ପ୍ରଶ୍ନ କରିବା ହେତୁ ବଙ୍ଗଳାଦେଶର ମୁସଲମାନ ମୌଳବାଦୀଙ୍କ ଦ୍ଵାରା ୨୦୧୫ ମସିହାରେ ସେଠାର ଚାରିଜଣ ମାନବିକ ଅଧିକାର କର୍ମୀଙ୍କୁ (ନିଳୟ ନୀଲ, ୱାଶିକୁର ରହମାନ ଇତ୍ୟାଦି) “ଇସ୍ଲାମିକ ମିଲିଟାଣ୍ଟ” ଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ବିବିସିର ରିପୋର୍ଟ ଅନୁସାରେ ସେହି ଚାରିଜଣ ନିଜ ଲେଖା ମାଧ୍ୟମରେ ମହିଳାଙ୍କ ଅଧିକାର, ଧର୍ମନିରପେକ୍ଷତା, ବୈଜ୍ଞାନିକ ମନୋଭାବର ବିକାଶ ସପକ୍ଷରେ ବଙ୍ଗଳାଦେଶ ସମାଜରେ ଯୁକ୍ତି ରଖୁଥିଲେ। ସେମାନଙ୍କ ହତ୍ୟା ଦ୍ଵାରା ସମାଜର ବଡ କ୍ଷତି ହେଲା ନାହିଁ କି? ପଡୋଶୀ ପାକିସ୍ତାନ ସମାଜରେ ଏହି “ଇସ୍ଲାମିକ ମିଲିଟାଣ୍ଟମାନେ” ଧର୍ମନିରପେକ୍ଷତା, ମହିଳାଙ୍କ ସ୍ଵାଧୀନତା, ମାନବିକ ଅଧିକାର ସପକ୍ଷରେ ଯୁକ୍ତି କରୁଥିବା କାରଣରୁ ସାମାଜିକ କର୍ମୀ ଶବୀନା ମେହମୁଦଙ୍କୁ ହତ୍ୟା କରିଥିଲେ। ଉଭୟ ଦେଶର ସରକାର ଏ ସବୁକୁ ପ୍ରଶ୍ରୟ ଦେଉନଥିଲେ ଏଭଳି ଘଟଣା କଦାପି ଘଟିନଥାନ୍ତା। ଭାରତରେ ୨୦୧୫ ମସିହାରେ ହେତୁବାଦୀ ପାନେସର, କଲବୁର୍ଗୀ, ଗୌରୀ ଲଙ୍କେଶ ଓ ଦାଭୋଲକରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ଦାଭୋଲକରଙ୍କୁ ବାଦ ଦେଲେ ଅନ୍ୟ ଘଟଣାର ବିଚାର ଏବେ ବି ଚାଲିଛି। କଲବୁର୍ଗୀଙ୍କ ହତ୍ୟାକାରୀ ଏବେ ବି “ଫେରାର” ଅଛି।  

                        ଭାରତରେ ଏକ ହିନ୍ଦୁ ମୌଳବାଦୀ ସଂଗଠନ ସରକାରୀ ଅନୁଷ୍ଠାନମାନଙ୍କୁ ବ୍ୟବହାର କରି ଅସମ୍ଭବ ଭାବରେ ଶକ୍ତିଶାଳୀ ହୋଇଉଠିଛି। ଦେଶର ଦାରିଦ୍ର୍ଯ, ବେକାରୀ, ଦୁର୍ନୀତି, ପରିବେଶର ଅବକ୍ଷୟ, ଯୌତୁକ ଜନୀତ ହତ୍ୟା, ଆତ୍ମହତ୍ୟା, ନାରୀ ଉପରେ ହେଉଥିବା ଅତ୍ୟାଚାର ଇତ୍ୟାଦି କେଉଁଭଳି ବନ୍ଦ ହେବ ବା ଦୂର ହେବ ସେଦିଗରେ କୌଣସି ପଦକ୍ଷେପ ନେବା ବା ସାମାଜିକ ଆନ୍ଦୋଳନରେ ଭାଗ ନେବା କେବେ ଦେଖାଯାଇନାହିଁ। କିନ୍ତୁ ସମାଜରେ ପଡୋଶୀ ଦେଶ ଓ ମୁସଲମାନ ବିରୋଧୀ ଘୃଣା ତିଆରି କରିବା କାର୍ଯ୍ୟରେ ସେମାନେ ସମ୍ପୃକ୍ତ ଅଛନ୍ତି। ହିନ୍ଦୁ ମୌଳବାଦୀ ସଂଗଠନ ମଧ୍ୟରୁ ଉତ୍ତୀର୍ଣ୍ଣ ବ୍ୟକ୍ତିଙ୍କୁ ଦେଶର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ପରେ ଆମ ସମାଜରେ କେବଳ ଘୃଣା ଓ ଘୃଣା ହିଁ ଶାସନ କରୁଛି।

                        ମୁଁ ହେତୁବାଦୀ ନୁହେଁ। ମୁଁ ନାସ୍ତିକ ନୁହେଁ କି କମ୍ୟୁନିଷ୍ଟ ମଧ୍ୟ ନୁହେଁ। ମୁଁ କୌଣସି ଆନୁଷ୍ଠାନିକ ଧର୍ମର ବିଶ୍ବାସ କରେନାହିଁ। ମୋର ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ପ୍ରବେଶ ମାତ୍ର ୧୦ ବର୍ଷର, ସାମନ୍ତ ଚନ୍ଦଶେଖରଙ୍କ ଉପରେ କରିଥିବା ବୃତ୍ତଚିତ୍ର ଠାରୁ। ସେହି ଦିନ ଠାରୁ ମୁଁ ଏ ସମ୍ପର୍କରେ ଖବର ରଖିଆସିଛି। ମଣିଷ ମଣିଷକୁ ଭଲପାଇବା, ଅପୋଷ ବୁଝାମଣା ମଧ୍ୟରେ ସମାଜ ଚାଲିବା ଉପରେ ମୁଁ ବିଶ୍ବାସ କରେ। ମୋ ସ୍ଵପ୍ନର ସମାଜରେ ପ୍ରତ୍ଯେକ ବ୍ଯକ୍ତିର ଅନ୍ୟ ପ୍ରତି ସମ୍ମାନ, ତାହାର କଥା କହିବା, ସ୍ଵାଧୀନ ଭାବରେ ଚିନ୍ତାକରିବା ଓ କାର୍ଯ୍ୟ କରିବାର ଅଧିକାର ରହିବଆଜି ହେତୁବାଦୀଙ୍କ ଉପରେ ହେଉଥିବା ଆକ୍ରମଣ ସମଗ୍ର ମାନବିକତା ଉପରେ ଆକ୍ରମଣମଣିଷ ସମାଜକୁ ସେମାନେ ଭଲ ପାଉଥିବା କାରଣରୁ ପାକତ୍ୟାଗ ସମୟରେ ନିଜେ ଖାଦ୍ୟ ଖାଇ ସେମାନେ ଦର୍ଶାଉଛନ୍ତି ଯେ ଯଦି କିଛି ଅସୁବିଧା ହେବାର ଥାଏ ତେବେ ସେମାନେ ତାହାକୁ ଭୋଗିବାକୁ ପ୍ରସ୍ତୁତ। ତାଙ୍କର ଏଭଳି ଭାବନା ଦ୍ଵାରା ସମାଜରେ କିଛି କ୍ଷତି ହେଉନାହିଁ । ତେବେ ହେତୁବାଦୀଙ୍କ ବିରୁଦ୍ଧରେ କୃର ପ୍ରତିକ୍ରିୟା କାହିଁକି? ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ ସରକାରୀ ଶକ୍ତିର ସମ୍ପୃକ୍ତି ଓ ସମର୍ଥନ ରହୁଛି। ଆମକୁ ଧର୍ମ ନାମରେ ସମାଜରେ ପ୍ରସାର ପ୍ରଚାର ହେଉଥିବା ଅହଙ୍କାର ଓ ଘୃଣା ଠାରୁ ମୁକ୍ତି ଆବଶ୍ୟକ।