ଦେବ
ରଞ୍ଜନ
ସୁରୁ ବିନ୍ଧାଣିଙ୍କୁ
ହାୱଡା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧
ମାସ ୧୧ ଦିନ। ଅଥଚ
ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟର। ସୁରୁଙ୍କ ପରିବାରର ସଦସ୍ୟଙ୍କ
ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ଭୂମିକା ସତ୍ବେ ଯଦି ଜଣେ ମହିଳାଙ୍କୁ ନିଜର ଘର
ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ଯୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁନଥିବା ଅନ୍ତେବାସୀଙ୍କ
ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉନଥିବା! ହୁଏତ ସେ ପହଞ୍ଚୁ ନଥାଇ ପାରନ୍ତି
ମଧ୍ୟ।
ସୁରୁ ୨୦୧୬ ମସିହା
ଜାନୁଆରୀ ମାସରେ ହାୱଡା ସହରରେ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ
ସହିତ ପହଞ୍ଚିଥିଲେ। ଏହା ସେହି ବର୍ଷ ଯେଉଁଥର ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ ଓ
ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଏହାପରେ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଲୋକଙ୍କ ଆୟରେ
ଉନ୍ନତି ଘଟିବ।
ସ୍ବାମୀଙ୍କ ସହିତ
କିଛି ମନାନ୍ତର ହେବା ହେତୁ ସୁରୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଯେ ସେ ଚାଲିଯାଇଥିଲେ
ଏହାପରେ ନିଜ ଜାଗାକୁ ଫେରିପାରିଲେ ନାହିଁ। ଭାଷା ମୁଖ୍ୟ ଅସୁବିଧା ଥିଲା। ସେ ସମୟରେ ତାଙ୍କର
ବୟସ ଥିଲା ୨୫ ବର୍ଷ। ହାୱଡା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ
ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର
କରାଇଥିଲେ। ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ – ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ “ସୁଧାର
ଗୃହ”କୁ ପଠାଇଦେଇଥିଲେ। ମାଜିଷ୍ଟ୍ରେଟ
ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା)
ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା।
ସୁରୁଙ୍କ ଲାଗି ସବୁ
କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା, କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା କୌଣସି ମହିଳାଙ୍କ ଲାଗି ସେହି
ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଏ ଯାହା ସୁରୁଙ୍କ ଲାଗି ହୋଇଯାଇଥିଲା। ସୁରୁଙ୍କୁ
ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା
ହିଁ ବ୍ୟବସ୍ଥା ଥିଲା।
ପ୍ରତ୍ଯେକ ମଣିଷର
ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ଯେକ ରାଜ୍ୟ ପ୍ରତି ଏକ
ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି
ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ସୁପ୍ରିମ କୋର୍ଟ
୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟ
ଏହାର ଅନ୍ତେବାସୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ଘରକୁ ପଠାଇଦିଆଯିବାକୁ ନେଇ କୌଣସି
ନିର୍ଦ୍ଦେଶାବାଳୀ ଦେଇନଥିଲେ।
ସୁଧାର ଗୃହର ସରକାରୀ
ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ଯେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା
ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ
ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। କିନ୍ତୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଏଥିରେ
ରହିଥାଏ ଠିକ ଜେଲ ଭଳି।
୨୦୧୮ ମସିହାରେ ମୋର
ଜଣେ କଲିକତା ନିବାସୀ ବନ୍ଧୁ, ଯେ କି ଉକ୍ତ ସୁଧାର ଗୃହରେ ଅସ୍ଥାୟୀ
କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ ଫୋନ କରି ସୁରୁଙ୍କ ସମ୍ପର୍କରେ ମୋତେ କହିଥିଲେ। ସେ ନିଜର
ମାନବିକତା ଦେଖାଇଥିଲେ। ଆମେ ଦୁଇ ଜଣ ବନ୍ଧୁ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା
ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର
ପରିବାର ଭୂମିହୀନ ଶ୍ରମିକ। ସରକାରୀ ଜାଗା ଉପରେ ଚାଳ ଘର କରି ରହୁଛନ୍ତି। ସୁରୁ ନିରୁଦ୍ଦିଷ୍ଟ ହେବା
ପରେ ତିନୋଟି ପିଲା ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଛୋଟ ଛୋଟ ପିଲାମାନେ ଶ୍ରମିକ ପାଲଟିଯାଇଛନ୍ତି।
ଅଞ୍ଚଳର ସରପଞ୍ଚ ଏକ ଚିଠି ଲେଖି ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଶୀଘ୍ର ଫେରାଇ
ଦିଆଯାଉ।
ଦେଶର ଆଇନ କୌଣସି
ମାନବିକତା ରଖେ ନାହିଁ। ଏହା କେବଳ ଏକ ନିର୍ଦ୍ଦେଶ ଭାବରେ ଉଚ୍ଚ ଅଧିକାରୀଙ୍କ ନିକଟରୁ ନିମ୍ନ ଓ
ତାଙ୍କ ଠାରୁ ଆହୁରି ନିମ୍ନକୁ ପାଣି ଭଳି ବୋହିଚାଲେ। ଏଥିରେ ଉତ୍ତରଦାୟିତ୍ଵ ବୋଧ କହିଲେ କେବଳ
ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ପ୍ରଶ୍ନ ବ୍ଯତୀତ (କାରଣ ସେ ସିସିଆର ଲେଖିବେ) ଆଉ କିଛି ନଥାଏ।
ଯଦିଓ କୋର୍ଟଙ୍କର ସେହି କ୍ଷମତା ରହିଛି ଯେ ସେ ପ୍ରଶ୍ନ କରିପାରିବେ କିନ୍ତୁ ସମସ୍ତଙ୍କ ଲାଗି
କୋର୍ଟକୁ ଯିବା ମଧ୍ୟ ସହଜ ହୁଏ ନାହିଁ।
ସରକାର ଆୟକର ସୀମା
ଧାର୍ଯ୍ୟ କରିବା ଭଳି ସରକାରୀ ପ୍ରଶାସନ ମଧ୍ୟ ବ୍ୟକ୍ତିମାନଙ୍କ ଆୟକୁ ନେଇ ସୀମା ତିଆରି କରିଛି
ଯେ ସେ କେଉଁ ଆୟର ବ୍ୟକ୍ତିଙ୍କୁ କେତେ ପରିମାଣରେ ଗୁରୁତ୍ଵ ଦେବ, ତାହା ଠାରୁ ନିମ୍ନରେ ଥିବା ମଣିଷ ଯେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରଖୁଛି
ତାହାକୁ ସେ ନିଜ ବ୍ୟବହାରରେ ସ୍ଵୀକାର କରିବ ନାହିଁ। ଆମର ରିପୋର୍ଟ,
ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ
ପଶ୍ଚିମ ବଙ୍ଗରୁ ଓଡିଶା ଆଣିବା ଯଥେଷ୍ଟ ହେଲା ନାହିଁ।
ବଇଶିଙ୍ଗା ସରପଞ୍ଚଙ୍କ
ଚିଠି ଓ ପରିଚୟ ପତ୍ର ଯଥେଷ୍ଟ ନହେବା ହେତୁ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ଯାଇ ମା’ଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡ଼ିଏମଙ୍କୁ ଭେଟିଥିଲେ (ସେହି
ବନ୍ଧୁଙ୍କ ସହଯୋଗରେ) ଓ ମା’ଙ୍କୁ ନିଜେ ନେବା ଲାଗି ଆସିଥିବା କଥା
ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ “ସୁରୁ ଅସୁସ୍ଥ”
କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଫେରାଇ ଦିଆଯାଉଥିଲା।
ଏହାପରେ ସୁଧାର ଗୃହର
ମାଲିକ ମୋର ବନ୍ଧୁଙ୍କୁ ସୁରୁଙ୍କ ପ୍ରସଙ୍ଗରେ ଅଧିକ ଉତ୍ସାହ ଦେଖି ଚାକିରିରୁ ବହିଷ୍କାର
କରିଦେଲେ।
କଲିକତାରେ ଅବସ୍ଥିତ
ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ହୁଗୁଳି ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସେମାନଙ୍କୁ କୁହାଗଲା ଯେ ଓଡିଶାର
ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚୀବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା
ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ।
ସୁରୁଙ୍କ ପୁଅ
ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ‘ଗାସ’ର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ
ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ
ବାଲେଶ୍ଵର ସହରରେ ଭେଟିଥିଲେ। ମାମଲା
ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ଦୀର୍ଘ ବର୍ଷ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ
ରହୁଛନ୍ତି।)
ଓଡିଆ ଖବରକାଗଜରେ ଏହି
ଖବର ପ୍ରକାଶିତ ହେଲା ମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ।
ଏହି ଲେଖକ ଏହାପରେ
ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ।
ଏହି ଲେଖକ ପୁଣି ମୁଖ୍ୟମନ୍ତ୍ରୀଙ୍କୁ
ଚିଠି ଲେଖିଲା। ହୁଏତ ଗହଳି ଭିତରେ ତାହା ମଧ୍ୟ କୌଣସି ଉତ୍ତର ଆଣିଲା ନାହିଁ।
ଏହା କେବଳ ପଶ୍ଚିମ
ବଙ୍ଗର ସ୍ଥିତି ନୁହେଁ। ଏହା ଓଡିଶାର ମଧ୍ୟ ସ୍ଥିତି। ଏହା ସମଗ୍ର ଦେଶର ସ୍ଥିତି। ଏହା ହିଁ ବ୍ୟବସ୍ଥା।
ସାଧାରଣ ମଣିଷ ଲାଗି
ସରକାର ଓ ସରକାରୀ ବ୍ୟବସ୍ଥାର ଉତ୍ତରଦାୟିତ୍ଵ ବୋଧ ଶୂନ।
ହର୍ଷ ମନ୍ଦରଙ୍କ
ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦୀତ “କେହି ଶୁଣିନାହାନ୍ତି” ପୁସ୍ତକରେ
ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ଯାକୁ ନେଇ ତାଙ୍କର ରହିଥିବା ପ୍ରତ୍ଯକ୍ଷ
ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଛତିଶଗଡରେ
ଆଦିବାସୀ ଯୁବକ ଜଗତ
ଗଣ୍ଡର ଜମି ବାବୁଲାଲ ଯୋଶୀ ଅକ୍ତିଆର କରିବା ହେତୁ ତାହାର ଜମି ଫେରି ପାଇବାର ଲଢେଇ ହେଉ ଅଥବା
ରାଜସ୍ଥାନର ବନୱାରୀଙ୍କର ବାଳିକା ବିବାହକୁ ବିରୋଧ କରିବା ହେତୁ ଧର୍ଷଣର ଶିକାର ହେବା ପରେ
ନ୍ୟାୟ ପାଇଁ ଲଢେଇ ହେଉ ଅଥବା ଦିଲ୍ଲୀରେ ସବୀରର ଅନୁଭୂତି ହେଉ ସବୁ କିଛି ବର୍ଣ୍ଣନା କରୁଛି
ପ୍ରଶାସନର ନିର୍ଦ୍ଦୟ ପଣକୁ।
ଏହି ଲେଖକ ବିଳମ୍ବରେ ଜାତୀୟ
ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ
ମଧ୍ୟ ପକ୍ଷଭୁକ୍ତ କରିଥିଲି। ଏନଏଚଆରସି ମାମଲାକୁ ପଞ୍ଜୀକୃତ
କରି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚୀବଙ୍କୁ ନୋଟିସ କଲେ। ସେ ଏହାର ଉତ୍ତର ଲାଗି ଏକ
ସମୟ ସୀମା ରଖିଥିଲେ ଯାହା ସମସ୍ତ ମାମଲା ହୋଇଥାଏ।
ଫେବୃଆରୀ ୦୬, ୨୦୧୬ ରୁ ହାୱଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର
ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ ରେ ପହଞ୍ଚିଥିଲେ। ଉଭୟ ତାରିଖ
ମଧ୍ୟରେ ବ୍ଯବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ। ଏହା ସ୍ଵତଃ ଘଟିନଥିଲା ଯାହା ଘଟିବା ଆବଶ୍ୟକ ଥିଲା।
ନିରୁଦ୍ଦିଷ୍ଟ ମଣିଷ ପୁଣି
ମିଳିବା ପରେ ସୁଧାର ଗୃହରେ ରହିବା ଏକ ଉତ୍ତମ ପଦକ୍ଷେପ। କିନ୍ତୁ ତାହାର ପରିବାରକୁ ସୂଚନା ଦେବା
ଓ ଯଦି ପରିବାର ସଦସ୍ୟ ଆଗ୍ରହୀ ତେବେ ତୁରନ୍ତ “ପ୍ରତ୍ୟର୍ପଣ” କରିବା ମଧ୍ୟ ସରକାରୀ ଅଧିକାରୀଙ୍କ
ଦାୟିତ୍ଵ। ଏହା ମାନବିକତାର ପ୍ରସଙ୍ଗ। ସବୁ ବିଷୟରେ ସରକାରୀ ନିର୍ଦ୍ଦେଶାବଳୀର ଆବଶ୍ୟକତା ନାହିଁ।
କିନ୍ତୁ ପ୍ରଶାସନର ମାନସିକତାରେ
ପରିବର୍ତ୍ତନ ହେଉ ନାହିଁ। ଏହି ପରିବର୍ତ୍ତନ ନହେବା ହିଁ ସରକାରୀ ବ୍ୟବସ୍ଥା। ଏହି ବ୍ୟବସ୍ଥା ହିଁ
ଦୁଇଟି ଶ୍ରେଣୀରେ ବିଭାଜିତ କରୁଛି: ପ୍ରଭାବଶାଳୀ ଓ ପ୍ରଭାବବିହୀନ ଗୋଷ୍ଠୀ। ଏହା ରାଜନୈତିକ
ପ୍ରଭାବ ରଖୁଥିବା ଓ ଅର୍ଥବଳ ରଖୁଥିବା ବ୍ୟକ୍ତିଙ୍କୁ ଆଇନରେ ଉର୍ଦ୍ଧ୍ଵରେ ଯାଇ ସୁବିଧା ପାଇବାର ସୁଯୋଗ
ରଖୁଛି। ଅନ୍ୟପଟରେ, ଅନେକ ସୁରୁ, ସବୀର, ଜଗତ ଗଣ୍ଡ ଏ ଦେଶରେ ପ୍ରଶାସନିକ ନିର୍ଦ୍ଦୟପଣର ଶିକାର
ହେଉଛନ୍ତି।
ବ୍ୟବସ୍ଥାର କୌଣସି ପରିବର୍ତ୍ତନ
ହେଉନାହିଁ। ନିଜର ମାନବିକତା ଦର୍ଶାଇବା ହେତୁ ମୋର ବନ୍ଧୁ ଏହି କାରଣରୁ ବଳି ପଡିଗଲେ। ସୁରୁ ନିଜ
ପରିବାର ପାଖରେ ଅନ୍ତତଃ ପହଞ୍ଚିପାରିଲେ କିନ୍ତୁ ସେ ଚାକିରି ପାଇଲେ ନାହିଁ। ସରକାର ଅର୍ଥ ଦେଇ ବେସରକାରୀ ଅନୁଷ୍ଠାନ ସାହାଯ୍ୟରେ ନିଜର
କାର୍ଯ୍ୟ କରିଥାନ୍ତି। କିନ୍ତୁ ସେହି କାର୍ଯ୍ୟ କରୁଥିବା କର୍ମଚାରୀର ସାମାଜିକ ଓ ଆର୍ଥିକ ସୁରକ୍ଷା
ଦେଖିବା ସରକାରୀ ଦାୟିତ୍ଵ ହେଉନାହିଁ। ଏହା ମଧ୍ୟ ସରକାରଙ୍କ ନିଷ୍ଠାକୁ ବର୍ଣ୍ଣନା କରୁଛି।
