ଲେଖକଙ୍କ
‘ସାମ୍ପ୍ରଦାୟିକ’ ଭାବନା (?)
ଦେବ
ରଞ୍ଜନ

ନୂଆ ବର୍ଷ ସର୍ବଦା ନୂଆ ଚିନ୍ତା ନୂଆ ଭାବନା ନୂଆ ଦିଗ
ଦେଉ ଏକଥା ନୂଆ ବର୍ଷର ଅଭିବାଦନ ସମୟରେ ଆମେ ପ୍ରକାଶ କରିଥାଉ । କିନ୍ତୁ ମଣିଷ ଏହି ନୂଆ
ଭାବନାର ଇଚ୍ଛାରେ ସେତିକି ତଳକୁ ଖସି ନଯାଉ ଯେଉଁଠୁ ତାକୁ ଉଠାଇବାର ରାସ୍ତା ବି ବନ୍ଦ ହୋଇଯାଇଥିବ।
ନୂଆ ବର୍ଷର ପ୍ରଥମ ଦିନରେ “ରାଷ୍ଟ୍ର ଓ ନାଗରିକ” ଶୀର୍ଷକ ଲେଖାଟି ମାଧ୍ୟମରେ ସ୍ତମ୍ବକାର ହର
ପ୍ରସାଦ ଦାଶ ଯେଉଁ ସାମ୍ପ୍ରଦାୟିକ ବିଭାଜନର ମଞ୍ଜି ବୁଣିଛନ୍ତି ତାହା ‘ସମ୍ବାଦ’ରେ ପ୍ରକାଶ ପାଇବା ଏକ ଆଶ୍ଚର୍ଯ୍ୟର ବିଷୟ । ଇଏ ତ
ସେହି ମାଟି ଯେଉଁଠି ଦିନେ ସନ୍ଥ କବିର ପ୍ରଚାର କରିଥିଲେ, “ଏକୈ ପବନ ଏକ ହୀ ପାନୀ, ଏକ ଜ୍ଯୋତି ସଂସାରା /
ଏକ ହୀ ଖାକ ଘଡେ ସବ ଭାଡେ, ଏକ ହି ସିରଜନହାର ।“ (ସମସ୍ତେ ଏକା ପାଣି ପବନରେ ବଞ୍ଚିଛନ୍ତି । ସମସ୍ତେ ଏକା ମାଟିରେ ଗଢା। ସମସ୍ତଙ୍କ
ଦେହରେ ଗୋଟିଏ ପ୍ରକାରର ଅସ୍ଥି ଓ ମଜ୍ଜା ରହିଛି । ଭାରତର ଧର୍ମନିରପେକ୍ଷତା ଏହି ମହାନ
ସନ୍ଥଙ୍କ ବାଣୀ ଉପରେ ଠିଆ ହୋଇଛି । ଏହାକୁ କେମିତି ଭୁଲିଯିବା ? ଅଥଚ କେନ୍ଦ୍ର ସରକାର
ଏହା ମୂଳଦୁଆକୁ ଭାଙ୍ଗିବାରେ କ୍ରମାଗତ ଭାବରେ ଯେଉଁ ଉଦ୍ୟମ କରିଚାଲିଛନ୍ତି ତାହାର ଅନ୍ୟ ଏକ
ଉଦ୍ୟମ ହେଲା ନାଗରିକ ସଂଶୋଧନ ନିୟମ, 2019 ଯାହାକୁ ଲେଖକ ଜାଣିକରି
ମଧ୍ୟ ଅଣଦେଖା କରିଛନ୍ତି । ହରପ୍ରସାଦ ଦାଶ ମହୋଦୟ ଯେଉଁ
ଯୁକ୍ତି କରିଛନ୍ତି, “ଦକ୍ଷିଣ ଏସିଆର ବିଶାଳତମ
ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତ ଚିନ୍ତିତ ତାର ପଡୋଶୀ ଭାବରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ଭଳି ଧର୍ମୀୟ ରାଷ୍ଟ୍ରମାନଙ୍କରେ କ୍ଷୟ ହୋଇଚାଲିଥିବା
ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ...ଯାହାହେତୁ ଅମାନବୀୟ
ସ୍ଥିତି ଉତ୍ପନ୍ନ।“ ଏହି ସମାନ କଥା ଯୁକ୍ତି କରାଯାଇଛି ବିଜେପି ଦ୍ଵାରା ପ୍ରକାଶିତ ସିଏଏ
ସମ୍ବନ୍ଧିତ “କମଲ ସନ୍ଦେଶ” ପ୍ରଚାର ପତ୍ରରେ । ଏଥିରେ
ଉଲ୍ଲେଖ କରାଯାଇଛି ମୁସଲମାନ ଧର୍ମୀ
ସଂଖ୍ୟାଗରିଷ୍ଠ ଦେଶରେ ହିନ୍ଦୁ ଲୋକଙ୍କୁ “ଧର୍ମପରିବର୍ତ୍ତନ,
ବଳତ୍କାର, ନରସଂହାର କରାଯାଉଛି ଓ (ସେମାନଙ୍କ)ସମ୍ପତ୍ତି ଛଡ଼ାଯାଉଛି।” ଅଥଚ ଏହି ସମାନ ବ୍ୟବହାର ଧର୍ମ ନାମରେ
ଭାରତରେ ସଂଖ୍ୟା ଗରିଷ୍ଠ ହିନ୍ଦୁ(ତ୍ଵ) ସଂପ୍ରଦାୟ ଦ୍ଵାରା ଦଳିତ, ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କୁ (କନ୍ଧମାଳ ହିଂସା 2008 ଯାହାର ଉଦାହରଣ) କରାଯାଉଛି । କିନ୍ତୁ ଭାରତ ନିଜକୁ ବିଦେଶରେ ଥିବା ଅଣମୁସଲମାନ
ସଂପ୍ରଦାୟର ସୁରକ୍ଷା ସ୍ଥାନ ଭାବରେ କେବେଠାରୁ ଘୋଷଣା କରିଛି ? ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ମୁସଲମାନଙ୍କୁ କାହିଁକି ବାଦ ଦିଆଯାଉଛି ?
ବିଜେପି
ଏହାର ପ୍ରଚାର ପତ୍ରରେ ଯୁକ୍ତି କରିଛି, ‘ଏହି ତିନି ଦେଶ ଯେହେତୁ
ମୁସଲମାନ ବହୁଳ ତେଣୁ ମୁସଲମାନଙ୍କୁ ଏ ସବୁ ଦେଶରେ ଅତ୍ୟାଚାର କରାଯାଉନାହିଁ ।‘ ଏହି ସମାନ କଥା ଦାଶ ମହୋଦୟ ମଧ୍ୟ କହିଛନ୍ତି । କିନ୍ତୁ ଉଭୟ ବିଜେପି ଓ ହରପ୍ରସାଦ ଦଶ
ମହୋଦୟ କାହିଁକି ଉଲ୍ଲେଖ କରୁନାହାନ୍ତି ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମାକୁ ‘ଆମେ ଭାରତୀୟମାନେ ଏଠାରେ ନିଷ୍ପତ୍ତି ନେଉଛୁ କି ଭାରତକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ,
ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିବୁ ଓ ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବୁ।“ ଏହି
ଘୋଷଣାନାମା ଆଧାରରେ ସୁପ୍ରିମ କୋର୍ଟ କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ କେସରେ ରାୟ (1973
ମସିହାରେ) ଦେଇଥିଲେ ଯେ ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମା ହେଲା ଧର୍ମନିରପେକ୍ଷତା ଓ
ଗଣତନ୍ତ୍ର । ଏହାକୁ କାଏମ ରଖି ସମ୍ବିଧାନର ଅନ୍ୟ ସମସ୍ତ ଧାରାର ସଂଶୋଧନ ପାର୍ଲାମେଣ୍ଟରେ
କରାଯାଇପାରେ କିନ୍ତୁ ଏହାର ମୂଳ ଚରିତ୍ରକୁ (‘basic structure of constitution’) କଦାପି ବଦଳାଯାଇନପାରେ । ଅଥଚ ମୋଦୀ ସରକାର ସମ୍ବିଧାନର ମୂଳ ଘୋଷଣାନାମା ତଥା
ସୁପ୍ରିମ କୋର୍ଟ ରାୟର ବିରୁଦ୍ଧରେ ଯାଇ ନାଗରିକ ସଂଶୋଧନ ଆଇନ 2019 ପାସ କରିଛନ୍ତି ଯାହା ଧର୍ମ
ଆଧାରରେ ନାଗରିକର ବିଭାଜନ କରୁଛି । ଏହି ହେତୁ ଆଜି ଲୋକେ ସ୍ଲୋଗାନ ଦେଉଛନ୍ତି “ତୁମେ ସାତ
ଘଣ୍ଟାରେ ମୋର ସତୁରୀ ବର୍ଷର ଜୀବନର ଫଇସଲା କରିବା ମୋତେ ମଞ୍ଜୁର ନାହିଁ” ଓ ସେମାନେ
ରାସ୍ତାକୁ ଆସିଛନ୍ତି ।

ଭାରତୀୟ ଉପମହାଦେଶର ସମସ୍ତ ସାତଟି ଦେଶରେ ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ,
ପାର୍ସି ଓ ଆଦିବାସୀ ଅଳ୍ପ ବହୁତ ଅଛନ୍ତି ଓ କୌଣସି ଏକ ଧର୍ମକୁ ବାଦ ଦେଇ ଏହି
ଉପମହାଦେଶର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ କଳ୍ପନା କରାଯାଇନପାରେ । ଦେଶ ଦେଶ ମଧ୍ୟରେ
ବିଭାଜନର ସୀମାରେଖା ଏହି 60 ରୁ 70 ବର୍ଷ
ମଧ୍ୟରେ ତିଆରି ହେଲା । ହିନ୍ଦୁ ମହାସଭା ଦ୍ଵାରା ପରିକଳ୍ପିତ ଅଖଣ୍ଡ
ଭାରତରେ ରହିଛ ଏହି ତିନି ଦେଶ (ବଙ୍ଗଳାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ) ଯାହାକୁ ଲେଖକ ଯୁକ୍ତି
କରିଛନ୍ତି, “ଏକଦା ଅବିଭକ୍ତ ଭାରତୀୟ ସଭ୍ୟତାର ଅଂଶ।“ ହେଲେ ଏହି
ଉପମହାଦେଶର ଇତିହାସ ତ କାହିଁ କେତେ ବର୍ଷର ? ଶ୍ରୀଲଙ୍କାକୁ ବାଦ ଦେଇ
ରାମାୟଣର କଳ୍ପନା କରିହେବ କି? ବର୍ମାକୁ ବାଦ ଦେଇ ଉତ୍କଳର ନୌବାଣିଜ୍ୟ
ସମ୍ପର୍କରେ କିଛି ଲେଖାଯାଇପାରିବ? ଏହି ଉପମହାଦେଶର ସଂସ୍କୃତି ତିଆରି
ହୋଇଛି ବହୁ ମହାନ ସନ୍ଥମାନଙ୍କ ଦ୍ଵାରା । ଭାରତ
ଉପମହାଦେଶରେ କବୀର, ମହିମା ଅଲେଖ, ନାରାୟଣ ଗୁରୁ, ଫୁଲେ, ମହମ୍ମଦ
ଇକବାଲ, ଫଏଜ, ଆମ୍ବେଦକର ତଥା ଗାନ୍ଧୀ ଏହି
ମାନବିକତାର କଥା କହିଛନ୍ତି ଓ ସେହି କଥା ଭିତରୁ ସମ୍ବିଧାନର ନୀତି ନିର୍ଦ୍ଦେଶନାମା ବା Directive Principles ଆସିଛି । ଲେଖକ ମହୋଦୟ କେମିତି ଏତେ କ୍ଷୁଦ୍ର
ଦୃଷ୍ଟିଭଙ୍ଗୀରେ ସଂପୂର୍ଣ୍ଣ ବିଷୟଟିକୁ ଦେଖିବାକୁ ଚେଷ୍ଟା କଲେ? ଆଜିର
ଶାସକ ମହାନ ହୋଇଯାଇଥାନ୍ତେ ଯଦି ଉକ୍ତ ତିନି ଦେଶର ମୁସଲମାନଙ୍କ ସମେତ ପଡୋଶୀ ଦେଶ ଶ୍ରୀଲଙ୍କାର
ତାମିଲ ହିନ୍ଦୁ ଓ ଖ୍ରୀଷ୍ଟିୟାନମାନଙ୍କୁ ସିଂହଳୀ ବୌଦ୍ଧମାନେ, ବର୍ମାର
ରୋହିଙ୍ଗିଆମାନଙ୍କୁ ବୌଦ୍ଧଧର୍ମାବଲମ୍ବୀମାନେ ଓ ତିବ୍ବତର ବୌଦ୍ଧ ଧର୍ମାବଲମ୍ବିମାନଙ୍କୁ ସେଠାର
କମ୍ୟୁନିଷ୍ଟ ସରକାର ଯେଉଁଭଳି ଅତ୍ୟାଚାର କରୁଛନ୍ତି ତାହାକୁ ମାନବିକ ଅଧିକାର ପ୍ରସଙ୍ଗ
କରିପାରିଥାନ୍ତେ ଓ ନାଗରିକତା ପ୍ରଦାନ କରିଥାନ୍ତେ । ଶ୍ରୀଲଙ୍କାରୁ ଆସିଥିବା ହିନ୍ଦୁ/ବୌଦ୍ଧ
ଅଥବା ତିବ୍ବତରୁ ଆସିଥିବା ବୌଦ୍ଧ ଓ ଏବେ ଉପରୋକ୍ତ ତିନିଦେଶରୁ ଆସିଥିବା ହିନ୍ଦୁ/ବୌଦ୍ଧମାନଙ୍କ
ମଧ୍ୟରେ ପାର୍ଥକ୍ଯ କଣ ? ଏତିକି ଯେ ସେମାନେ କେହି ମୁସଲମାନ
ସଂଖ୍ୟାଗରିଷ୍ଠ ଦେଶରୁ ଆସିନାହାନ୍ତି ଓ ସରକାରଙ୍କୁ “ମାନବିକ ଅଧିକାର” ନାମରେ ଏକ
ସାମ୍ପ୍ରଦାୟିକ ଖେଳ ଖେଳିବାର ଅଛି । ମାନବିକ
ଅଧିକାର ଏପରି ଏକ ସଂକୀର୍ଣ୍ଣ ପ୍ରସଙ୍ଗ ନୁହେଁ ଯେ କିଛି ଲୋକଙ୍କ ପାଇଁ ଦ୍ଵାରା ଖୋଲା ରହିବା
ବେଳେ ଅନ୍ୟମାନଙ୍କ ଲାଗି ଏହା ବନ୍ଦ ରହିଯିବ ।
ଆଜି ଯେଉଁ ବିରୋଧ ଦେଶ ସାରା ଚାଲିଛି ଏହା
କେବଳ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ନୁହେଁ । ଗୃହମନ୍ତ୍ରୀ ବାରମ୍ବାର କହିଛନ୍ତି, “ପ୍ରଥମରେ ସିଏଏ ଓ ଏହା ପରେ ଏନଆରସି (ଜାତୀୟ ନାଗରିକ ପଞ୍ଜିକା)।“ ଆସାମରେ ଏନଆରସିରେ ଯେଉଁ 19 ଲକ୍ଷ ଲୋକ
ବାଦ ପଡିଲେ ସେମାନଙ୍କ ମଧ୍ୟରୁ 14 ଲକ୍ଷ ହେଉଛନ୍ତି ବଙ୍ଗାଳୀ ହିନ୍ଦୁ । ବର୍ତମାନର ସିଏଏ
ମାଧ୍ୟମରେ ସେମାନଙ୍କୁ ଭାରତୀୟ ନାଗରିକର ଅଧିକାର ଦେବା ଲାଗି ଉଦ୍ୟମ କରାଯିବ । କିନ୍ତୁ ବାକି
ଯେଉଁ 5 ଲକ୍ଷ ମୁସଲମାନ ସେହି ତାଲିକାରୁ ବାଦ ପଡିଲେ ସେମାନେ କୁଆଡେ ଯିବେ ? ଲେଖକ ଯେବେ ପଡୋଶୀ ଦେଶର ହିନ୍ଦୁ ଓ ଅନ୍ୟ ଅଳ୍ପସଙ୍ଖ୍ୟକଙ୍କୁ ମାନବୀୟ ଆଧାରାରେ
ଦେଖିବା ଲାଗି ଅପିଲ କରୁଛନ୍ତି ସେତେବେଳେ ସେ ଏହି 5 ଲକ୍ଷ ମୁସଲମାନଙ୍କୁ କେଉଁଭଳି
ଭୁଲିଯାଉଛନ୍ତି ? ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆସାମରେ ଏହି ବାଦ
ପଡିଥିବା ତାଲିକା ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲଲି ଅହମ୍ମଦଙ୍କ
(1974-77) ପରିବାର ଓ କାର୍ଗିଲ ଯୁଦ୍ଧରେ ଭାଗନେଇଥିବା ମହମ୍ମଦ ସନା ଉଲ୍ଲହଙ୍କ ପରିବାର ମଧ୍ୟ
ଅଛନ୍ତି । ଏହି ବାଦ ପଡିଥିବା ଲୋକଙ୍କ ଲାଗି ଆସୁଛି ଅଟକ କେନ୍ଦ୍ର ବା Detention
Center । କେନ୍ଦ୍ର
ସରାକରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭଳି “ଯଥେଷ୍ଟ
ସଂଖ୍ଯାର” ଅଟକ କେନ୍ଦ୍ର ସ୍ଥାନୀୟ ଜେଲ ନିକଟରେ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
(ଗୃହମନ୍ତ୍ରଣାଳୟ ଚିଠି ତାରିଖ ସେପ୍ଟେମ୍ବର 07, 2018 )
ଏହା କେବଳ ବେଆଇନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ‘ସନ୍ଦେହଜନକ ନାଗରିକ’ଙ୍କ ଲାଗି ଉଦ୍ଦିଷ୍ଟ । ଏହି ‘ସନ୍ଦେହଜନକ ନାଗରିକ’ଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ
ଜାତୀୟ ଜନସଂଖ୍ୟା ପଞ୍ଜିକା ନା ଏନପିଆର । ଗୃହ ମନ୍ତ୍ରୀ କହିସାରିଛନ୍ତି, “ପ୍ରଥମେ ଏନପିଆର ଓ ଏହା ପରେ ଏନସିଆର”। ସିଟିଜେନଶୀପ ରୁଲ୍ସ 2003ର ଧାରା 3(4) ରେ
ଏନପିଆର ସମ୍ପର୍କରେ ଉଲ୍ଲେଖ ରହିଛି ଓ ଏହାର ରୁଲ୍ସ 4(4)ରେ ‘ସନ୍ଦେହଜନକ
ନାଗରିକ’ ସମ୍ପର୍କରେ ଉଲ୍ଲେଖ ରହିଛି । କିନ୍ତୁ ‘ସନ୍ଦେହଜନକ ନାଗରିକ’ର କୌଣସି ସଜ୍ଞା ତିଆରି ହୋଇନଥିବା ହେତୁ
ଏହା କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ‘ସନ୍ଦେହଜନକ ନାଗରିକ’ଙ୍କ ଲାଗି ଉଦ୍ଦିଷ୍ଟ । ହୁଏତ ଯିଏ ବି
ବିଜେପିକୁ ବିରୋଧ କରୁଛି ସେ ମଧ୍ୟ ‘ସନ୍ଦେହଜନକ ନାଗରିକ’ ହୋଇଯିବ ।

ଉର୍ଦ୍ଦୁ କବି ଗୁଲାଜରଙ୍କ ଏକ କବିତାର ଅର୍ଥ
ହେଲା, “ବ୍ରିଟିଶର ଗୁଲାମ ସମୟରେ ଆମେ ହିନ୍ଦୁସ୍ତାନୀ ଥିଲୁ। ଭାରତର ସ୍ଵାଧୀନତା ପରେ ଆମକୁ
ହିନ୍ଦୁ ମୁସଲମାନ ଭାବରେ ବାଣ୍ଟିଦିଆଗଲା । (ଗୁଲାମ ଥେ ତୋ ହମ ସବ ହିନ୍ଦୁସ୍ତାନୀ ଥେ / ଆଜଦୀ
ନେ ହମେଂ ହିନ୍ଦୁ ମୁସଲମାନ ବନାଦିଆ ) ଆଜିର ଶାସକବର୍ଗ ଏହାକୁ ଯଥାର୍ଥ କରୁଛନ୍ତି । ପ୍ରଧାନମନ୍ତ୍ରୀ
କହିଲେ, “ପୋଷାକରୁ ଜଣାପଡୁଛି ସିଏଏକୁ କେଉଁମାନେ ବିରୋଧ କରୁଛନ୍ତି।“
ଏହି ସାଂଘାତିକ ମନ୍ତବ୍ୟ ସତ ମଧ୍ୟ । କାରଣ କ୍ରମାଗତ ଭାବରେ ମୁସଲମାନ ସଂପ୍ରଦାୟକୁ ଭିଡାହିଂସା, ଇଉଏପିଏ, ତିନି ତଲାକରେ ପୁରୁଷଙ୍କୁ ଅପରାଧୀ
କରାଇବା(ହିନ୍ଦୁ ସ୍ଵାମୀ ଛାଡପତ୍ର ଦେଲେ କିନ୍ତୁ ଅପରାଧୀ ନୁହେଁ),
ଅଯୋଧ୍ୟାର ଉପାସନା ସ୍ଥଳ ପରିବର୍ତ୍ତନ କରିଦେବା (ଜଗନ୍ନାଥ ମନ୍ଦିରକୁ ସାଖିଗୋପାଳ ନେଇଗଲେ
ଗ୍ରହଣୀୟ ହେବ କି) ଓ କାଶ୍ମୀରର ରାଜ୍ୟପାହ୍ୟା ମଧ୍ୟ ହଟାଇଦେବା ଇତ୍ୟାଦି ଘଟଣା ମୁସଲମାନଙ୍କୁ
କ୍ରମାଗତ ଭାବରେ ଅସୁରକ୍ଷିତ କରୁଛି । କେବଳ ବୈଜ୍ଞାନିକ କାହିଁକି ଅଥବା ଅଧ୍ୟାପକ ବା
ଛାତ୍ରଛାତ୍ରୀ ଅତି ଅପତ୍ୟାଶିତ ଭାବରେ TechAgainstFascism, ନାମରେ Google, Uber,
Salesforce, Amazon, Facebook, Accenture, Microsoft, Tata Consultancy Services,
HCL, and Wipro ଇତ୍ୟାଦିରେ
କାମ କରୁଥିବା ଭାରତୀୟ କର୍ମଚାରୀମାନେ ମଧ୍ୟ ଏହି ବିରୋଧରେ ସାମିଲ ହୋଇଛନ୍ତି । ବରଂ
ଲେଖକ ଜଣେ ମାନବବାଦୀ ଭାବରେ ବରଂ ଦୁଃଖ ପ୍ରକାଶ କରିବା ଉଚିତ ଆଉଟସୋର୍ସିଙ୍ଗ ବ୍ୟବସ୍ଥାରେ ଆମରି
ଯୁବାବର୍ଗ ଯେଉଁଭଳି ଶୋଷଣର ଶିକାର ହେଉଛନ୍ତି, ଶ୍ରମ
ଆଇନ କୋହଳ ଶ୍ରମିକର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି, ସରକାର ସେହି
ଏସଇଜେଡ଼ ବ୍ୟବସ୍ଥାକୁ ଲାଗୁ କରୁଛନ୍ତି, ଏବେ ଉଚ୍ଚ ଶିକ୍ଷାରେ ସରକାରୀ
ବଜେଟରେ ଖର୍ଚ୍ଚ କମାଇଦେଲେ,
କଂଗ୍ରେସ ଭଳି ସରକାର ଶିକ୍ଷାର ଘରୋଇକରଣ , ସ୍ୱାସ୍ଥ୍ୟର
ଘରୋଇକରଣ ଓ ସରକାରୀ ଉଦ୍ଯୋଗ ବିକ୍ରି, ଶ୍ରମ ଆଇନର ଉଛେଦ ଇତ୍ୟାଦି କରିଚାଲିଛନ୍ତି ଏହା ସରକାରଙ୍କ ଲାଗି
କାହିଁକି ଦେଶଦ୍ରୋହ ନୁହେଁ ? ଦେଶର ସମ୍ବିଧାନର ମୂଳ ଭିତ୍ତିଭୂମିର
ସୁରକ୍ଷା ଲାଗି ଆନ୍ଦୋଳନ କରିବା ‘ଦେଶଦ୍ରୋହ’
କେମିତି ? ଗରିବ ମୁସଲମାନମାନଙ୍କୁ ଭିଡହିଂସା ଦ୍ଵାରା ଲକ୍ଷ୍ୟ ରଖିବା ଓ ଅନୁପ୍ରବେଶକାରୀଙ୍କ
ମଧ୍ୟରେ ଥିବା ମୁସଲମାନଙ୍କୁ ଅଟକକେନ୍ଦ୍ରକୁ ପଠାଇବା କ’ଣ ଦେଶପ୍ରେମ ? ଏହା କରିବା ଦ୍ଵାରା ବରଂ ଲେଖକଙ୍କ ନିରପେକ୍ଷତା ଅଧିକ ପ୍ରମାଣିତ ହେବ ।
Mobile: 9437762271