Saturday, February 21, 2026

କଲିକତାରୁ ବାଲେଶ୍ଵର ନଅ ବର୍ଷ ଏକ ମାସ ଏଗାର ଦିନ


                                                                                ଦେବ ରଞ୍ଜନ

ସୁରୁ ବିନ୍ଧାଣିଙ୍କୁ କଲିକତା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧ ମାସ ୧୧ ଦିନ। ଅଥଚ ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟର। ସୁରୁଙ୍କ ପରିବାର ସଦସ୍ୟଙ୍କ ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ସମସ୍ତ ଉଦ୍ୟମ ସତ୍ବେ ଯଦି ତାଙ୍କୁ ନିଜର ଘର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ଯୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁନଥିବା ଅନ୍ୟ ଅନ୍ତେବାସୀଙ୍କ ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉନଥିବା! ହୁଏତ ସେମାନେ ଆଜୀବନ ସେହି ସୁଧାର ଗୃହରେ ରହିଯାଇଥାଇପାରନ୍ତି। 

ସୁରୁ ୨୦୧୬ ମସିହା ଜାନୁଆରୀ ମାସରେ ହାଓଡା ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ ସହିତ ପହଞ୍ଚିଥିଲେ। ଏହା ସେହି ବର୍ଷ ଯେଉଁଥର ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ ଓ ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଏହାପରେ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଲୋକଙ୍କ ଆୟରେ ଉନ୍ନତି ଘଟିବ।

ଦିନେ ସ୍ବାମୀଙ୍କ ସହିତ କିଛି ମନାନ୍ତର ହେବା ହେତୁ ସୁରୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଚାଲିଯାଇଥିଲେ ଯେ ଏହାପରେ କାମ କରୁଥିବା ଜାଗାକୁ ଫେରିପାରିଲେ ନାହିଁ। ମୁଖ୍ୟ ସମସ୍ଯା ଥିଲା ଭାଷା । ସେ ସମୟରେ ତାଙ୍କର ବୟସ ଥିଲା ୨୫ ବର୍ଷ। ହାୱଡା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। (ହାଓଡ଼ା  ହୁଗୁଳି ଜିଲ୍ଲାରେ ଆସୁଛି) ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ – ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ “ସୁଧାର ଗୃହ”କୁ ପଠାଇଦେଇଥିଲେ। ମାଜିଷ୍ଟ୍ରେଟ ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା) ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା।

ସୁରୁଙ୍କ ଲାଗି ସବୁ କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା, କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା ସୁରୁଙ୍କ ଲାଗି ସେହି ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଇଥିଲା। ସୁରୁଙ୍କୁ ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା ହିଁ ବ୍ୟବସ୍ଥା ଥିଲା।

ପ୍ରତ୍ଯେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ଯେକ ରାଜ୍ୟ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ବୋଲି ସୁପ୍ରିମ କୋର୍ଟ ୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟ ଏହାର ଅନ୍ତେବାସୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ଘରକୁ ପଠାଇ ଦିଆଯିବାକୁ ନେଇ କୌଣସି ନିର୍ଦ୍ଦେଶାବାଳୀ ଦେଇନଥିଲେ। 

ସୁଧାର ଗୃହର ସରକାରୀ ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ଯେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। ଏହି ଅର୍ଥ ହିଁ ମୁଖ୍ୟ ଆକର୍ଷଣ ପାଲଟିଯାଏ। ଅନ୍ତେବାସୀଙ୍କ ସଂଖ୍ୟା ଯେତେ ଅଧିକ ହୁଏ ସେତେ ଅର୍ଥ ସଂସ୍ଥାକୁ ଆସିଥାଏ। ଏଠାରେ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଥାଏ ଠିକ ଜେଲ ଭଳି। ଯେ କେହି ନା ତାଙ୍କୁ ଦେଖାକରିପାରିବ ନା ସେ ସେହି ସ୍ଥାନ ଛାଡି କିଛି ସମୟ ଲାଗି ମଧ୍ୟ ଯାଇପାରିବ।  

୨୦୧୮ ମସିହାରେ ମୋର ଜଣେ କଲିକତା ନିବାସୀ ବନ୍ଧୁ, ଯେ କି ଉକ୍ତ ସୁଧାର ଗୃହରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ ଫୋନ କରି ସୁରୁଙ୍କ ସମ୍ପର୍କରେ ମୋତେ କହିଲେ। ତାଙ୍କର ଠିକଣା ସଂପୂର୍ଣ୍ଣ ନଥିଲା। ମୁଁ ଓ ମୋର ଅନ୍ୟ ଜଣେ ବାଲେଶ୍ଵର ନିବାସୀ ବନ୍ଧୁଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର ପରିବାର ଭୂମିହୀନ ଶ୍ରମିକ। ସରକାରୀ ଜାଗା ଉପରେ ଚାଳ ଘର କରି ରହୁଛନ୍ତି। ସୁରୁ ନିରୁଦ୍ଦିଷ୍ଟ ହେବା ପରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ତାଙ୍କର ସ୍ଵାମୀ ମଧ୍ୟ ପ୍ରାୟ କାମକୁ ଯାଉନାହାନ୍ତି। ଛୋଟ ଛୋଟ ପିଲାମାନେ ଶ୍ରମିକ ପାଲଟିଯାଇଛନ୍ତି। ଆମର ଆଲୋଚନା ପରେ ଅଞ୍ଚଳର ସରପଞ୍ଚ ଏକ ଚିଠି ଲେଖି ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଶୀଘ୍ର ଫେରାଇ ଦିଆଯାଉ। ମୋର ବନ୍ଧୁ ତାହା କରିବା ଲାଗି କହିଥିଲେ।  

ବଇଶିଙ୍ଗା ସରପଞ୍ଚଙ୍କ ଚିଠି ଓ ପରିଚୟ ପତ୍ର ଉକ୍ତ ସୁଧାର ଗୃହର ଠିକଣାରେ ଆମେ ପଠାଇଦେଇଥିଲୁ। ହେଲେ ତାହା ଆଦୌ ଯଥେଷ୍ଟ ହେଲା ନାହିଁ। ଯଦିଓ ପଶ୍ଚିମ ବଙ୍ଗ ସରକାର ଏଥର ଜାଣିଲେ ଯେ ସୁରୁ କେଉଁ ଅଞ୍ଚଳର ବାସିନ୍ଦା ତଥାପି ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନଥିଲା।

ସରକାର ଆୟକର ସୀମା ଧାର୍ଯ୍ୟ କରିବା ଭଳି ସରକାରୀ ପ୍ରଶାସକମାନେ ମଧ୍ୟ ତାଙ୍କ ଅଫିସକୁ ଆସୁଥିବା ବେସରକାରୀ ବ୍ୟକ୍ତିଙ୍କ ସମ୍ପତ୍ତିକୁ ନେଇ ସୀମା ତିଆରି କରିଛି ଯେ ସେ କେତେ ସମ୍ପତ୍ତିର ବ୍ୟକ୍ତିଙ୍କୁ ଗୁରୁତ୍ଵ ଦେବେ। ସେହି ସୀମା ମଧ୍ୟରେ ସୁରୁ ଆସୁନଥିଲେ। ସେମାନଙ୍କ ଲାଗି ସୁରୁ ଆୟର ପନ୍ଥା ହୋଇସାରିଥିଲେ। ଆମର ରିପୋର୍ଟ, ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ ପଶ୍ଚିମ ବଙ୍ଗରୁ ଓଡିଶା ଆଣିବା ଯଥେଷ୍ଟ ହେଲା ନାହିଁ।  

ଏହାପରେ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ହାଓଡ଼ା ସହରକୁ ଯାଇ ମା’ଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡ଼ିଏମଙ୍କୁ ଭେଟିଥିଲେ (ସେହି ବନ୍ଧୁଙ୍କ ସହଯୋଗରେ) ଓ ମା’ଙ୍କୁ ନିଜେ ନେବା ଲାଗି ଆସିଥିବା କଥା ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ “ସୁରୁ ଅସୁସ୍ଥ” କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଏକୁଟିଆ ପଶ୍ଚିମ ବଙ୍ଗ ପ୍ରଶାସନ ଦ୍ଵାରା ଫେରାଇ ଦିଆଯାଉଥିଲା।

କଲିକତାରେ ଅବସ୍ଥିତ ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ହୁଗୁଳି ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସରକାଏରୀ ଅଧିକାରୀମାନେ ସେମାନଙ୍କୁ କହିଥିଲେ ଯେ ଓଡିଶାର ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚୀବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ଏହା ପୁଣି ଏକ ଚକ୍ରାନ୍ତ ଥିଲା। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ।

ପଶ୍ଚିମ ବଙ୍ଗ ସରକାରଙ୍କ ଏତାଦୃଶ ମନୋଭାବ ଦେଖି ସୁରୁଙ୍କ ପୁଅ ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ‘ଗାସ’ର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ ବାଲେଶ୍ଵର ସହରରେ ଭେଟିଥିଲେ। ମାମଲା ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ସେ ସମୟରେ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ ରହୁଥିଲେ) ସେହି ଜିଲ୍ଲା ମଙ୍ଗଳ ଅଧିକାରୀ ଆଉ କୌଣସି ଫୋନ କଲ ଗ୍ରହଣ କରିନଥିଲେ।

ଓଡିଆ ଖବରକାଗଜରେ ଏହି ଖବର ପ୍ରକାଶିତ ହେଲାମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ।

ଏହି ଲେଖକ ଏହାପରେ ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ।

ଲେଖକ ପୁଣି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା। ତାହାର ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ।

ଏଠି ସାଧାରଣ ପ୍ରଶାସନ ଓ ନିର୍ବାଚିତ ସରକାର ସମସ୍ତେ ଅପହଞ୍ଚ ଦୂରତାରେ ରହିବାକୁ ହିଁ ଗଣତନ୍ତ୍ର ମନେକରିନେଇଛନ୍ତି। ଏଭଳି ବ୍ୟବସ୍ଥାରେ ଉତ୍ତରଦାୟିତ୍ଵ ବୋଧ ଶୂନ। ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡିଶାର ମଧ୍ୟ । ଏହା ସମଗ୍ର ଦେଶର ସ୍ଥିତି। ଏହା ହିଁ ବ୍ୟବସ୍ଥା।

ହର୍ଷ ମନ୍ଦରଙ୍କ ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦୀତ “କେହି ଶୁଣିନାହାନ୍ତି” ପୁସ୍ତକରେ ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ଯାକୁ ନେଇ ତାଙ୍କର ରହିଥିବା ପ୍ରତ୍ଯକ୍ଷ ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଏହିଭଳି ଅନେକ ଉଦାହରଣ ମଧ୍ୟ ସେଥିରେ ରହିଛି। 

ସୁରୁଙ୍କ କ୍ଷେତ୍ରରେ ଉଭୟ ହୁଗୁଳି ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନର ଅସହଯୋଗ କାରଣରୁ ଏହି ଲେଖକ ବିଳମ୍ବରେ ହେଲେ ବି ଜାତୀୟ ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଉକ୍ତ ପ୍ରସଙ୍ଗ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲି।  ଦୀର୍ଘ ଦିନ ପରେ ଏନଏଚଆରସି ମାମଲାକୁ ପଞ୍ଜୀକୃତ କରି ହୁଗୁଳି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚୀବଙ୍କୁ ନୋଟିସ କଲେ। କମିଶନ ଉତ୍ତର ଲାଗି ଏକ ସମୟ ସୀମା ମଧ୍ୟ ରଖିଥିଲେ।  ସେହି ଚିଠିର କପି ମୋ ପାଖକୁ ପଠାଇଥିଲେ।

ଫେବୃଆରୀ ୦୬, ୨୦୧୬ ରୁ ହାଓଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ ରେ ପହଞ୍ଚିଥିଲେ, ଏନଏଚଆରସି  ଦେଇଥିବା ସମୟ ସୀମାର ମାତ୍ର କିଛି ଦିନ ପୂର୍ବରୁ। ଉଭୟ ତାରିଖ ମଧ୍ୟରେ ବ୍ଯବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ। ସୁରୁ କୌଣସି ବି ଅପରାଧ କରିନଥିଲେ। କିନ୍ତୁ ବିଚାରାଧୀନ କଏଦୀର ସଜ୍ଜା ସେଠାରେ ସେ ଏହି ଦୀର୍ଘ କାଳ ପାଇଚାଲିଥିଲେ। ୨୦୧୮ ମସିହାରେ ସରପଞ୍ଚଙ୍କ ଚିଠି ମିଳିବା ମାତ୍ରେ ପଶ୍ଚିମ ବଙ୍ଗ ପ୍ରଶାସନ ସେହି କାମ କରିପାରିଥାନ୍ତା ଯାହା ସେମାନେ ୨୦୨୫ ମସିହାରେ କଲେ। କାହିଁକି କଲେନାହିଁ ତାହାର ଉତ୍ତର କୌଣସି ଠାରୁ ମିଳିଲା ନାହିଁ।

ଭୁବନେଶ୍ବର, ବାଲେଶ୍ଵର ଓ କଲିକତା ସହର ମଧ୍ୟରେ ୧୫ରୁ ୧୭ ଜଣ ବନ୍ଧୁଙ୍କ କ୍ରମାଗତ ଉଦ୍ୟମ ଗଲା ୯ ବର୍ଷ ହେଲା ଜାରି ରଖିବା କାରଣରୁ ସୁରୁ ବାଲେଶ୍ଵରରେ ତାଙ୍କ ଘରେ ପହଞ୍ଚିପାରିଲେ। ନଚେତ ସେ ଆଜୀବନ ସେହି ଅନୁଷ୍ଠାନରେ ଅଘୋଷିତ ବନ୍ଦୀ ଭାବରେ ରହିଯାଇଥାନ୍ତେ।

ଏହି ପ୍ରକ୍ରିୟା ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲେ ମୋର ସେହି ବନ୍ଧୁ ଯେ ପ୍ରଥମେ ସୂଚନା ଦେଇଥିଲେ। ତାଙ୍କୁ ଉକ୍ତ ଅନୁଷ୍ଠାନ ଚାକିରିରୁ ବହିଷ୍କାର କରିଦେଲା। ବହିଷ୍କୃତ ହେବା ସତ୍ତ୍ୱେ ଉଦ୍ୟମ ଜାରି ରଖିବା କାରଣରୁ ତାଙ୍କ ଜୀବନକୁ ନେଇ ବିପଦ ମଧ୍ୟ ଦେଖାଦେଇଥିଲା। ସେ ବେଶ କିଛି ଦିନ ଭୟରେ ରହିଲେ। 

ଆମର ସରକାରୀ ବ୍ୟବସ୍ଥା ନିଜେ ଏତେ ନିର୍ଦ୍ଦୟ ଓ ଅମାନବୀୟ ହୋଇଯାଇଛି ଯେ ଏଥିରେ ଦୁର୍ନୀତି ଓ ଶୋଷଣ କରୁଥିବା ଅଧିକାରୀମାନେ ଖୁସିରେ ତିଷ୍ଠି ପାରୁଛନ୍ତି। ସେମାନଙ୍କ କାର୍ଯ୍ୟରେ ବାଧା ଦେବାର କୌଣସି ପ୍ରକ୍ରିୟା ବା ପଦକ୍ଷେପ କେବେ ବି ନିଆଯାଉନାହିଁ। ଏଥିରେ ଯେ ପରିବର୍ତ୍ତନ ଆସିବ ସେଭଳି ଆଶା ମଧ୍ୟ ଦେଖାଯାଉନାହିଁ।   

ଫୋନ : ୯୪୩୭୭୬୨୨୭୨

ଇମେଲ : debasar11@yahoo.co.in