Monday, April 6, 2026

Dhurandhar: Cinema Stops Reflecting. Sells Violence


There was a time when cinema held up a mirror to society. It observed. It reflected. It made us uncomfortable enough to think.

Films like Dhurandhar do not just tell stories. They edit reality, distort it, and at times weaponize it. Violence in storytelling is not new. From Deewar to Satya, cinema has explored anger, crime, and rebellion. But those films carried weight. They left behind discomfort. They forced reflection.

Dhurandhar does something else.

It packages violence as spectacle and sells it as pride.

What are we really watching?

Throats being slit in the background. Bodies thrown into boiling oil. Men tied, dragged behind motorcycles, hung, and tortured with chilling precision. These are not fleeting images. They are prolonged and detailed, almost instructional.

We are no longer just watching violence.

We are absorbing it. We are rehearsing it.

And what we rehearse often enough, we begin to normalize.

This is not storytelling. This is demonstration of hate, of inhumanity, of killing in the name of nationalism. The convenient defense follows. It is fiction.

But fiction does not erase intent.

When narratives are repeatedly designed to dull sensitivity, distort history, and make cruelty appear justified, the impact is not imaginary. It is psychological.

Why I am saying this

Many critics have already reviewed Dhurandhar. They have discussed its performances, scale, and craft. That is not my concern.

My concern lies beyond cinema.

When violence becomes so stylized and acceptable that it no longer unsettles us, something deeper shifts. When hatred is framed as justification and cruelty as strength, we must ask whether we are still watching stories or slowly internalizing them.

Some may call it nationalism. Some may call it propaganda. Some may defend it as entertainment.

But as a viewer and as a human being, I cannot ignore the possibility that something in our moral fabric is being altered.

When Cinema Enters Society

This concern is not abstract.

I witnessed a real incident near my surroundings. A young man was brutally tortured by a group of boys in the name of cow protection. He begged for water for hours. Instead, he was humiliated further. He died.

He left behind a family. A wife, young children, and a paralysed father.

This was not just a crime. It was learned cruelty.

Where does such calculated brutality come from? What replaces empathy so completely? We grew up with ideas like Aham Brahmasmi, the belief that the divine exists in every being. What happens when those values fade?

More disturbing than the act itself was the silence around it.

People watched. No one intervened.

There were no weapons. No real threat. Only indifference.

Because somewhere, the act had already been justified.

Labels were ready. Muslim. Outsider. Enemy. Once a human being is reduced to a label, cruelty becomes easier. And once it becomes easier, it begins to feel justified.

A Thought That Should Disturb You

Imagine this.

You are in an unfamiliar place. A misunderstanding occurs. Someone labels you wrongly as the other.

What happens next?

This is not fear. This is possibility.

Humanity does not disappear overnight. It is edited out, scene by scene.

Narratives like Dhurandhar may be contributing to that process.

 

Violence as a Market

If brutality sells, it will be produced.

That is the new grammar of cinema.

We have seen traces of it before. It grew louder with films like Gangs of Wasseypur and Haider. It intensified with Animal. With Dhurandhar, it feels systematized.

I could not watch Animal fully. Even Dhurandhar required pauses.

Because this is not just entertainment.

Drugs damage the body. This kind of cinema engineers the mind.

It normalizes dehumanization, something history has shown us before.

Nationalism, Rewritten

Earlier films like Border built nationalism on sacrifice and collective courage.

But Dhurandhar rewrites that idea.

Here, violence becomes duty. Criminality becomes patriotism. Nationalism is no longer rooted in one’s own land. It is performed in the enemy’s territory, through a world of arms dealers, drugs, and lawlessness.

Such portrayals do not exist in isolation.

If other nations adopt the same logic and depict India through distortion under the label of fiction, the cycle will repeat. Hatred will not remain one-sided. It will multiply.

This is not accidental. This is design.

Last Word

Dhurandhar is not just a film.

It is a signal.

A signal of what we are willing to watch.
A signal of what we are willing to accept.

And perhaps of what we are becoming.

Because the most dangerous change is not what shocks us.

It is what stops shocking us.

And that is what should disturb us the most.

 Deba Ranjan

Email: debasar11@yahoo.co.in

Thursday, March 26, 2026

ସମ୍ମାନିତ ଅପରାଧୀ ଓ ମାନବାଧିକାରର ଅଭିନୟ

 


(Credit: Google Images)

                                                         

               ଯେତେବେଳେ ଦେଶର ସର୍ବଶ୍ରେଷ୍ଠ ଅରବପତି ମାନବିକତାର ପୁରସ୍କାର ପାଇବା ଲାଗି ହକଦାର ହେଉଛନ୍ତି ସେତେବେଳେ କଣ ଦେଶର ଆଦିବାସୀମାନେ ନିଜ ଶ୍ମଶାନ ଭୁଇଁରେ ନୀରବ ହୋଇ ପଡିରହିବା ଶିଖିବା ଆବଶ୍ୟକ? ଯେଉଁ ପ୍ରଦେଶରେ ଆଦିବାସୀଙ୍କ ହାତରୁ ପିଢି ପିଢିର ଜମି, ଜଙ୍ଗଲ, ସଂସ୍କୃତି ଓ ଇତିହାସ ନେଇଯିବା ଲାଗି ଲଗାତର ଉଦ୍ୟମ କରାଯାଉଛି ସେଠାରେ ଶ୍ରୀମତୀ ନିତୁ ଆମ୍ବାନୀଙ୍କୁ ୨୦୨୬ ବର୍ଷର ଶ୍ରେଷ୍ଠ “ମାନବିକତା” ପୁରସ୍କାର ଦିଆଯିବା (ମାର୍ଚ୍ଚ ୧୩ ତାରିଖ) କେବଳ ପୁରସ୍କାର ନୁହେଁ ନୂତନ ଷଡଯନ୍ତ୍ରକୁ ଉନ୍ମୋଚିତ କରୁଛି। ସେହି ଷଡଯନ୍ତ୍ର ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅର୍ଥରେ ପରିଚାଳିତ ଅର୍ଦ୍ଧ-ସରକାରୀ ସଂସ୍ଥା କିସ (Kalinga Institute of Social Science) ଦ୍ଵାରା ଯେତେବେଳେ କରାଯାଉଛି ବୁଝିବାକୁ ହେବ ଯେ ସଂପୂର୍ଣ୍ଣ ବ୍ୟବସ୍ଥା ଏହାର ପଛରେ ରହିଛି।

                   ମାନବିକତା ସହିତ ଆସୁଛି ମାନବିକ ଅଧିକାର ସୁରକ୍ଷାର ପ୍ରସଙ୍ଗ। ତାହା ପୁଣି ଭୁବନେଶ୍ଵରର ଏକ ପଞ୍ଚ ତାରକା ହୋଟେଲରେହ୍ୟୁମାନ ରାଇଟ୍ସ ଫ୍ରଣ୍ଟ (Human Rights Front) ଦ୍ଵାରା ହିଣ୍ଡାଲକୋ – ଆଦିତ୍ୟ ବିରଳା କମ୍ପାନୀର ବଦାନ୍ୟତାରେ (ମାର୍ଚ୍ଚ ୧୬)ଏହି କମ୍ପାନୀର ବକ୍ସାଇଟ ଖଣି ଓ ଆଲୁମିନା ପ୍ଳାଣ୍ଟ ସ୍ଥାପନାକୁ ବିରୋଧ କରିବା କାରଣରୁ ପୁଲିସ ଗୁଳିକାଣ୍ଡରେ ତିନି ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ଓ ଅନେକ ଆହତ ହୋଇଥିଲେମୃତକଙ୍କ ସମାଧି ଆଜି ବି ମାଇକଞ୍ଚର ପାହାଡ ଉପରେ ଠିଆ ହୋଇଛିହତ୍ୟାକାରୀ ଯେତେ ମାନବିକ ଅଧିକାରର କଥା କହୁ ନା କାହିଁକି ଇତିହାସ କେବେ ନୀରବ ରହିନାହିଁ

                   ଆଜି ବି ସୁନ୍ଦରଗଡର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଡାଲମିଆ ସିମେଣ୍ଟ କମ୍ପାନୀ ଲାଗି ଫସଲରେ ଭରପୁର ୨୭ ଏକର ଜମିକୁ ବୁଲଡୋଜର ଲଗାଇ ଧ୍ଵଂସ କରିଦିଆଗଲାକାଶୀପୁରର ବକ୍ସାଇଟ ପାହାଡକୁ ବଳପ୍ରୟୋଗ କରି ବେଦାନ୍ତ କମ୍ପାନୀ ଦ୍ଵାରା ନେବାର ଉଦ୍ୟମ କରାଯାଉଛି ଆଦିତ୍ୟ ବିରଳାର ଦୋରାଗୁଡା ପ୍ଳାଣ୍ଟର ପ୍ରଦୂଷଣକୁ ବିରୋଧ କରି କମ୍ପାନୀ ଗେଟ ସାମ୍ନାରେ ଅସ୍ତବ୍ୟସ୍ତ ଲୋକେ ଧାରଣା ଚଳାଇ ରଖିଛନ୍ତିସମ୍ବଲପୁରର ହିଣ୍ଡାଲକୋ ପ୍ଳାଣ୍ଟ ପାଉଁଶ ପୋଖରୀର କେମିକାଲ ଆବର୍ଜନା ଚାଷୀଙ୍କ ଜମିରେ ମାଡିଯିବାର ଦ୍ରୁଶ୍ୟ ଭୁଲିହେବ ନାହିଁ। 

ଆଜି ବିଶ୍ୱିକରଣ ଓ କର୍ପୋରେଟକରଣ ଦ୍ରୁତ ଗତିରେ ଚାଲିଛି। ସମୟରେ ମାନବିକ ଅଧିକାର ସୁରକ୍ଷା ନାମରେ ଆୟୋଜକ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ (HRF) ଓ ଏହାର ଅଧ୍ୟକ୍ଷ ମନୋଜ ଜେନାଙ୍କ ଦ୍ଵାରା ହିଣ୍ଡାଲକୋର ଆର୍ଥିକ ସହଯୋଗରେ ଅଧିକାର ଭିତ୍ତିକ ବିକାଶର ପ୍ରତିଶୃତି ସେମାନଙ୍କ ଦ୍ଵାରା କରାଯାଉଥିବା ଅନ୍ୟାୟ ପୂର୍ଣ୍ଣ କାର୍ଯ୍ୟକୁ ନ୍ୟାୟର ରୂପ ଦେବାର ଉଦ୍ୟମ। ଯେଉଁମାନଙ୍କୁ ମାନବିକ ଅଧିକାରର ଉଲ୍ଲଂଘନ ସମ୍ବନ୍ଧରେ ପ୍ରଶ୍ନ କରିବା କଥା, ଯେଉଁମାନଙ୍କୁ ଦେଇଛନ୍ତି ନୁହେଁ କେତେ ନେଇଛନ୍ତି ତାହାର ହିସାବ ମାଗିବାର କଥା ସେମାନଙ୍କ ଠାରୁ ଆର୍ଥିକ ସହଯୋଗ ନେଇ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ମାନବିକ ଅଧିକାରର ନୂତନ ପରିଭାଷା ସୃଷ୍ଟି କରୁଛି। ସେହି ପରିଭାଷା ହେଲା:

                   ଆଦିବାସୀଙ୍କୁ ବାଦ ଦେଇ ଦେଶରେ ମାନବିକ ଅଧିକାରର ସୁରକ୍ଷା କରାଯାଇପାରିବ

                   ଗୁଳି କରି ହତ୍ୟା କରିବାକୁ ଅପରାଧ ତାଲିକାରୁ ବାଦ ଦିଆଯାଇପାରିବ

                  ଯେଉଁମାନେ ଏଭଳି ଗୁଳିକାଣ୍ଡରୁ ଫାଇଦା ନେଇଛନ୍ତି ସେମାନଙ୍କୁ ନେଇ ମାନବିକ                          ଅଧିକାରର ସୁରକ୍ଷା କରାଯାଇପାରିବ

 

          ନିତୁ ଆମ୍ବାନୀଙ୍କ ବଦାନ୍ୟତା ସମ୍ପର୍କରେ ବର୍ଣନା କରିବା ପୂର୍ବରୁ କିସର (KISS) ମୁଖ୍ୟ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ  ପ୍ରଶ୍ନ କରିବା ଆବଶ୍ୟକ ଯେ ରିଲାଏନ୍ସ କମ୍ପାନୀ ଓ ଏହାର ମୁଖ୍ୟ ମୁକେଶ ଅମ୍ବନୀଙ୍କୁ ବାଦ ଦେଲେ ନିତୁ ଆମ୍ବାନୀ କେଉଁଠି? ଇଣ୍ଡିଆନ ପ୍ରିମିୟର ଲିଗର ଅନ୍ୟତମ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ? ମୁମ୍ବାଇରେ ୨୭ ମହଲା ବିଶିଷ୍ଟ “ଅଣ୍ଟେଲିଆ”ର ପ୍ରାସାଦ ମଧ୍ୟରେ ? ଗୁଜୁରାଟରେ ୩୫୦୦ ଏକର ଜମିରେ ପ୍ରସ୍ତୁତ ବନଜାରାର ବ୍ୟକ୍ତିଗତ ଅଭୟାରଣ୍ୟରେ? ଆଇପିଏଲ ମ୍ୟାଚ ସମୟରେ ମୁମ୍ବାଇ ଷ୍ଟାଡିୟମରେ ଚଉକା ଓ ଛକାରେ ନିତୁ ଆମ୍ବାନୀ ନାଚୁ ଥିବା ବେଳେ ନିକଟସ୍ଥ ଧରାବୀ ବସ୍ତିରେ ଦୂଷିତ ଜଳ ପିଇ ଜଣକ ପରେ ଜଣେ ଶିଶୁ ମୃତ୍ୟୁବରଣ କରିଚାଲିଥିଲେ। ନିତୁ ଆମ୍ବାନୀ ଏ ସବୁ ଲାଗି କେବେ ସାମାନ୍ୟ ଦୁଃଖ ପ୍ରକାଶ କରିନାହାନ୍ତି। ନିଜ ସହରରେ ସମସ୍ତଙ୍କ ଲାଗି ସ୍ଵଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯିବା କଣ କର୍ପୋରେଟର ସାମାଜିକ ଦାୟିତ୍ଵବୋଧରେ ଆସୁ ନାହିଁ?

          ପ୍ରତ୍ୟେକ ବଦାନ୍ୟତା ପଛରେ ରହିଥିବା ମାନବିୟ କାହାଣୀ ଗୁଡିକୁ ଯଦି ଖୋଜାନଯିବ ତେବେ ଦୁନିଆର ସର୍ବଶ୍ରେଷ୍ଠ ଗଣହତ୍ୟାକାରୀ ବି ମାନବିକତାର ପୁରସ୍କାର ପାଇବା ଲାଗି ହକଦାର ହୋଇପାରିବ  ୨୦୧୬ ମସିହାରେ ନଗଡା ଠାରେ ୨୯ ଜଣ ଆଦିବାସୀ ଶିଶୁ ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲେ ଏହାର କାରଣ ଥିଲା ନଗଡାର ଚାରିପାଖରେ ରହିଥିବା ୧୩ଟି କ୍ରୋମାଇଟ ଓ ଲୁହାଖଣି କମ୍ପାନୀ ସେମାନଙ୍କ ଅନେକ ଜଙ୍ଗଲ ଜମିକୁ ଅକ୍ତିଆର କରିନେଇଥିଲେକେବଳ ଓଡିଶା ନୁହେଁ ମହାରାଷ୍ଟ୍ର ଓ କେରଳରେ ମଧ୍ୟ ସେହି ବର୍ଷ ପୁଷ୍ଟିହୀନତା ହେତୁ ଏକାଥରେ ବେଶ କେତେକ ଶିଶୁ ମରିଯାଇଥିଲେଶିଶୁମାନଙ୍କର ମୃତ୍ୟୁ କୌଣସି ଅବହେଳା ଲାଗି ହୋଇନଥିଲା। ରାଷ୍ଟ୍ରର ସମ୍ପତ୍ତି ଅଳ୍ପ କେତେକଙ୍କ ଦ୍ଵାରା ହଡ଼ପ ହେଉଥିବା ହେତୁ ସରକାରଙ୍କ ଖର୍ଚ୍ଚ କମିବା ଏଭଳି ମୃତ୍ୟୁର କାରଣ। ଏଭଳି ମୃତ୍ୟୁ କଦାପି ମୃତ୍ୟୁ ନୁହେଁ, ବରଂ ହତ୍ୟା 

          ସେହି ୨୦୧୬ ବର୍ଷ, ଯେଉଁ ବର୍ଷ କଳାହାଣ୍ଡିର ଦାନା ମାଝୀ ମୃତ ସ୍ତ୍ରୀଙ୍କ ଶବକୁ କାନ୍ଧେଇ ଚାଲିଥିଲେ ସେହି ବର୍ଷ ମୁକେଶ ଆମ୍ବାନୀ ୨୧ ଲକ୍ଷ କୋଟି ଟଙ୍କାର ମାଲିକ ହୋଇ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିଲେସେହି ବର୍ଷ ଅତି ଧନୀ ବ୍ୟକ୍ତି ଭାବରେ ନିତୁ ଆମ୍ବାନୀ ମଧ୍ୟ ଫର୍ବସ ତାଲିକାରେ ସ୍ଥାନ ପାଇଥିଲେ।

          ହୋଇପାରେ ଯେ ଦେଶର ସମ୍ବିଧାନରେ ସମାଜବାଦ’, ଗଣତନ୍ତ୍ର ଉଲ୍ଲେଖ ରହିଛି, କିନ୍ତୁ, ରିଲାଏନ୍ସ ଭଳି କମ୍ପାନୀମାନେ ତାହାକୁ ଲିଭାଇବାରେ ଲାଗିଛନ୍ତି। ରିଲାଏନ୍ସ ଓ କିସ ଶ୍ରେଷ୍ଠ ମାନବିକତାର ପୁରସ୍କାର ନେବା ଓ ଦେବା ମଧ୍ୟରେ ମାନବିକତାର ନୂତନ ପରିଭାଷା ସୃଷ୍ଟି କରୁଛନ୍ତିସେହି ଚମତ୍କାର ପରିଭାଷାଟି ଏହିଭଳି:

          ମାନବିକତାର ଅଧିଗ୍ରହଣ ହିଁ କର୍ପୋରେଟ ସଭ୍ୟତା

          ଏହି ସଭ୍ୟତାର ଅର୍ଥ ଅପରାଧକୁ ନୂଆ ଅତର ଭିତରେ ଭର୍ତ୍ତି କରି ବଜାର ଚଳାଇବା।

          ବଜାରର ଅର୍ଥ ଆଦିବାସୀଙ୍କ ଘର ଓ ପିଢି ପିଢିର ଜମିକୁ ନିଶ୍ଚିହ୍ନ କରିଦେଇ ଖୋଲା ଦେହରେ ରାସ୍ତା     କଡ଼ରେ କାହାର ଦୟା ଓ ବାଦାନ୍ୟତା ପ୍ରଦର୍ଶନ ଲାଗି ଛାଡ଼ିଦେବା

          ଏଠାରେ ବଦାନ୍ୟତାର ପ୍ରଦର୍ଶନ ବିରାଟ ଅନ୍ୟାୟକୁ ଜାରି ରଖିବା ଓ ଆଦିବାସୀଙ୍କ ଜମି ଓ ଜଙ୍ଗଲକୁ     ନେଇଯିବାର କୌଶଳ, ସେମାନଙ୍କୁ ନୀରବ ରଖିବାର ଯୋଜନା।    

 

          ଖୋଦ ମାନବିକ ଅଧିକାର ଉଲ୍ଲଂଘନକାରୀ ଯେବେ ମାନବିକ ଅଧିକାର ସୁରକ୍ଷାର କଥା କହେ ତାହା ନିଛକ ସୁରକ୍ଷା ନୁହେଁ ତାହା ଅସ୍ଵୀକାର କରିବା ଓ ସତକୁ ଲୁଚାଇବାର ଅଭ୍ୟାସସତ ହେଉଛି ଯେ ଆଜି ବି ଆଦିବାସୀ ଗୋଷ୍ଠୀ ଠାରୁ ଜମି ଓ ଜଙ୍ଗଲ ନେଇଯିବା ଲାଗି ମିଥ୍ୟା କେସରେ ଶତ ଶତ ସଂଖ୍ୟାରେ ଆଦିବାସୀଙ୍କୁ ଗିରଫ, ଏନକାଉଣ୍ଟର ହତ୍ୟା ଓ ଗୁଳିକାଣ୍ଡ କରାଯାଉଛି ରାଷ୍ଟ୍ରର ଏହି ଦମନ ପଛରେ ରହିଛି ମାନବିକତାର ମୁଖା ଲଗାଇଥିବା ବ୍ୟକ୍ତିବିଶେଷ ଓ ସେମାନଙ୍କ ବ୍ୟବସ୍ଥା। 

ଆଦିବାସୀ ଉପରେ ହୋଇଚାଲିଥିବା ଦମନ ବିରୁଦ୍ଧରେ ଏଭଳି ମାନବିକତାବାଦୀ ଓ କର୍ପୋରେଟ ଅର୍ଥରେ ମାନବିକ ସୁରକ୍ଷା ଲାଗି କାର୍ମଶାଳା ଆୟୋଜନରେ ନିୟୋଜିତ ବ୍ୟକ୍ତି ବକ୍ତବ୍ୟ ରଖନ୍ତି ନାହିଁ। କିସର ସେହି ୪୦୦୦୦ ଛାତ୍ରଛାତ୍ରୀ ନିଶ୍ଚିତ ରୂପେ ନିଜ ଅଞ୍ଚଳର ଲଢେଇର ଇତିହାସକୁ କଦାପି ଭୁଲିଯିବେ ନାହିଁ ସେମାନେ ମାନବିକତାର ବୃକ୍ଷଟିଏ ଆଂକିବା ବେଳେ ଅରବପତି ଓ ତାଙ୍କର ସହଯୋଗୀଙ୍କୁ ଚେର କାଟୁଥିବା କଟାଳିର ରୂପରେ ରଖିବେ ସେମାନେ ସେମାନଙ୍କ ଗୋଷ୍ଠୀ ପ୍ରତି ଦେଖାଯାଉଥିବା ଦୟା ଓ ବଦାନ୍ୟତାକୁ ଅଗ୍ରାହ୍ୟ କରିବେ ଓ ଇତିହାସକୁ ନିଜ ଢଙ୍ଗରେ ଲେଖିବେ

ଦେବ ରଞ୍ଜନ

୯୪୩୭୭୬୨୨୭୨

 

Sunday, March 22, 2026

ନ୍ଯୁଜ ହେଡଲାଇନ : କ୍ରିକେଟ ବାଉଣ୍ଡରୀ ଆଜି ଆନ୍ତର୍ଜାତିକ ସୀମାରେଖାରେ ବିଲୀନ

 


                 ଗଲା ଫେବୃଆରୀ ୧୫ ତାରିଖରେ ଭାରତୀୟ କ୍ରିକେଟ ଦଳ ଟି୨୦ର ଯୋଗ୍ୟତା ମ୍ଯାଚ ପାକିସ୍ତାନ ବିପକ୍ଷରେ ଖେଳି ବିଜୟ ଲାଭ କରିଥିଲା। ଏହି ବିଜୟର ବାର୍ତ୍ତା ଦେବା ଲାଗି ଫେବୃଆରୀ ୧୬ ତାରିଖରେ ପ୍ରମେୟ ଖବରକାଗଜର ଶୀର୍ଷକ ଥିଲା, “ପାକ ଅଣ୍ଟା ଭାଙ୍ଗିଲେ ସୂର୍ଯ୍ୟ (କ୍ଯାପଟେନ) ସେନା”। ଫେବୃଆରୀ ୧୬ ତାରିଖରେ ସମ୍ବାଦ ଖବରକାଗଜର ଶୀର୍ଷକ ଥିଲା, “ଧୂଳି ଚାଟିଲା ପାକିସ୍ତାନ”। ସମାଜ ଖବରକାଗଜର ଶୀର୍ଷକ ଥିଲା, “ମାଟି କାମୁଡିଲା ପାକିସ୍ତାନ”। କେବଳ ଧରିତ୍ରୀ ଖବରକାଗଜ ଏକ ବ୍ୟତିକ୍ରମ ଥିଲା। ଏହାର ଶୀର୍ଷକ ଥିଲା, “ପାକିସ୍ତାନକୁ ହରାଇ ସୁପର – ୮ରେ ଭାରତ”। ଏହା ପୂର୍ବରୁ ବର୍ମିଙ୍ଗହାମରେ ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ଯାଚରେ ପ୍ରମେୟର ଶୀର୍ଷକ ଥିଲା, “ପାକିସ୍ତାନକୁ ଦଳିଦେଲା”।

       ଭାରତ – ପାକିସ୍ତାନ କ୍ରିକେଟ ମ୍ଯାଚ ଅନେକ କାରଣ ଲାଗି ଗୁରୁତ୍ଵ ବହନ କରିଥାଏ। ଦେଶର ରାଜନୈତିକ ବାତାବରଣ ଏହାକୁ ବିନା ଗୁଳି ବିନିମୟରେ ଯୁଦ୍ଧ ଭଳି ଧରିନେଇଛନ୍ତି। ସାମ୍ପ୍ରଦାୟିକ ଶକ୍ତି କ୍ରିକେଟର ବାଉଣ୍ଡରୀକୁ ଆନ୍ତର୍ଜାତିକ ସୀମାରେଖାରେ ପରିଣତ କରିଦେଇଛନ୍ତି। ଚଉକା ଓ ଛକାକୁ ମିସାଇଲ ଓ ରକେଟ ବୋଲି ଭାବୁଛନ୍ତି। କିନ୍ତୁ ସାମ୍ବାଦିକ ନିଜର ବିଚାର ବୁଦ୍ଧିକୁ ଭୁଲିଯାଇ ଯଦି ଖବରର ଶୀର୍ଷକରେ ଘୃଣାକୁ ଗୁରୁତ୍ଵ ଦିଏ ତେବେ ସେ ସମାଜ ଲାଗି ଏକ କ୍ୟାନସର ହୋଇଯାଏ। ଖବରର ଅର୍ଥ  ଘଟଣାର ସୂଚନା ଦେବା। ଏହାକୁ ବଜାରର ଦ୍ରବ୍ଯ ବା ସାମ୍ପ୍ରଦାୟିକ ଶକ୍ତିଙ୍କ ଲାଗି ବିଷ ଭାବରେ ବ୍ୟବହାର କରିବା ନୁହେଁ।

       ଭାରତୀୟ କ୍ରିକେଟ ଦଳ ଗଲା ଦୁଇ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏହାର ଅର୍ଥ ନୁହେଁ ଯେ ସମଗ୍ର ଭାରତ ଦେଶ ଧୂଳି ଚଟିଲା ବା ମାଟି କାମୁଡିଲା। କୌଣସି ଦେଶର କୌଣସି ଦଳ ହାରିଲେ ଧୂଳି ଚାଟିବା’, ମାଟି କାମୁଡିବାଦଳିଦେବା କଦାପି ସାମ୍ବାଦିକର ଭାଷା ନୁହେଁ। ସୁଖର କଥା ଯେ ଆମେ ଭାରତ – ପାକିସ୍ତାନ ବିପକ୍ଷ ମ୍ଯାଚର ଅସମ୍ଭ୍ରମତା ଗଲା ଭାରତ – ଇଂଲଣ୍ଡ କ୍ରିକେଟ ମ୍ଯାଚର ଶୀର୍ଷକରେ ଓଡିଆ ଖବରକାଗଜମାନଙ୍କର ଦେଖିଲୁ ନାହିଁ। ବେଶ ସଂଭ୍ରମ ଢଙ୍ଗରେ ସେମାନେ ଶୀର୍ଷକ ରଖିଥିଲେ। ମାର୍ଚ୍ଚ ୦୬ରେ ପ୍ରମେୟର ଶୀର୍ଷକ ଥିଲା, “ଫାଇନାଲରେ ଭାରତ, ଇଂଲଣ୍ଡକୁ ୭ ରନରେ ହରାଇଲା”। ସମ୍ବାଦସମାଜର ଶୀର୍ଷକ ଥିଲା “ଫାଇନାଲରେ ଭାରତ”। ଆଉ ପାଦେ ଆଗକୁ ଯାଇ ଧରିତ୍ରୀର ଶୀର୍ଷକ ଥିଲା, “ଭାରତ – ନ୍ୟୁଜିଲାଣ୍ଡ ଫାଇନାଲ”।

       ଶୀର୍ଷକ ଦେବା ସମୟରେ କୌଣସି ଖବରକାଗଜ ତ ୨୦୦ ବର୍ଷର ଇଂଲଣ୍ଡର ଉପନିବେଶ କଥା ମନେପକାଇଲେ ନାହିଁ ! ଦେଶର ଜାତୀୟତାକୁ ଯଦି ପ୍ରସଙ୍ଗ ଦିଆଯିବ ତେବେ ଇଂଲଣ୍ଡ ବିରୋଧୀ ସ୍ଵାଧୀନତା ସଂଗ୍ରାମରେ ଯେଉଁ ହଜାର ହଜାର ଲୋକଙ୍କୁ ହତ୍ୟା କରାଗଲା, କଳାପାଣି ପଠାଗଲା, ରାଜଦ୍ରୋହ ମାମଲାରେ ବର୍ଷ ବର୍ଷ ଇଂଲଣ୍ଡ ସରକାରଙ୍କ ଦ୍ଵାରା ଗିରଫ କରି ରଖାଗଲା ତାହା ତ କାହିଁ ଆମେ ଭାରତ – ଇଂଲଣ୍ଡ କ୍ରିକେଟ ମ୍ଯାଚର ଶୀର୍ଷକରେ ଦେଖିଲୁ ନାହିଁ? ଦେଶର ଜାତୀୟତା ଚେତନା ତ ଏହି ଉପନିବେଶ ବିରୋଧୀ ଆନ୍ଦୋଳନ ମଧ୍ୟରେ ହିଁ ଏହି ଦେଶରେ ଜନ୍ମ ହୋଇଛି। ଏହା ପୂର୍ବରୁ ଭାରତର ଜାତୀୟତା କହିଲେ ସେଭଳି କିଛି ଭାବନା ନଥିଲା। ଅନେକ ରାଜା ଥିଲେ। ସେମାନେ ଶାସନ କରୁଥିଲେ। ତେବେ ଦେଶ କଣ ସତରେ ୨୦୧୪ ମସିହାରେ ସ୍ଵାଧୀନ ହେଲା?

       ଖବରକାଗଜମାନେ ଯେଉଁ ସାମ୍ପ୍ରଦାୟିକ ବିଷ ସମାଜରେ ବୁଣୁଛନ୍ତି ଏହାକୁ ବିରୋଧ କରି ଯଦି ଏହାର ମାଲିକଙ୍କୁ କିଏ ପଚାରେ ତେବେ ତୁରନ୍ତ ଉତ୍ତର ଆସିବ, “ପାଠକ ଚାହୁଁଛନ୍ତି”। ଏହା ଠିକ ନଗ୍ନତା ବିରୁଦ୍ଧରେ ଯାତ୍ରାପାଟିର ମାଲିକ କି ସିନେମାର ପ୍ରଯୋଜକଙ୍କୁ ପଚାରିଲେ ସେ ଯେମିତି ଉତ୍ତର ଦିଅନ୍ତି ସେହିଭଳି ଉତ୍ତର। ଏଥିରେ ମାଲିକ ନିଜେ କେଉଁଭଳି ସମାଜ ଚାହୁଁଛନ୍ତି - ଶାନ୍ତ ପାରସ୍ପରିକ ସଦଭାବ ରଖୁଥିବା ଏକ ସମାଜ ନା ସାମ୍ପ୍ରଦାୟିକ, ଯୌନ ବ୍ୟବିଚାରୀ ସମାଜ ସେକଥା ଏହି ମାଲିକମାନେ ଆଦୌ ଗୁରୁତ୍ଵ ଦିଅନ୍ତି ନାହିଁ।

       ଭାରତୀୟ ସମାଜ ବିଭିନ୍ନ ଭାବରେ ବିଭକ୍ତ। ଏଠାରେ ପାଠକ ବା ଦର୍ଶକ ଆଦୌ ସମଜାତୀୟ ନୁହନ୍ତି। ଯେହେତୁ ଆମର ସମାଜ ଜାତି, ଧର୍ମ, ଲିଙ୍ଗ, ଆଞ୍ଚଳିକ ଓ ଧନୀ – ଗରିବ ମଧ୍ୟରେ ବିଭାଜିତ ତେଣୁ ପାଠକ ଓ ଦର୍ଶକମାନଙ୍କ ମାନସିକତା ସେହି ଅନୁସାରେ ବିଭାଜିତ। ପୁରୁଷତାନ୍ତ୍ରିକ ସମାଜରେ ବସ୍ତ୍ରହରଣ ର ସ୍ଵତନ୍ତ୍ର ଚାହିଦା ରହିଛି। ପୁଣି ଧର୍ମ ଓ ଜାତି ଅନୁସାରେ କାହାରିକୁ କଷ୍ଟ ଦେଇ ଆନନ୍ଦ ପାଇବାକୁ ପୁରୁଷପଣିଆ କୁହାଯାଏ। ଏହି ସମାଜ ମଧ୍ୟରୁ ପାଠକ’, ଦର୍ଶକ’, ମାଲିକ’, ଖେଳାଳି ଜନ୍ମ ହେଉଛନ୍ତି। ସେମାନେ ଆଦୌ କ୍ଷୁଦ୍ର ମାନସିକତାରୁ ମୁକ୍ତ ନୁହନ୍ତି। ସେମାନେ ବି ଏହି ବିଭାଜିତ ସମାଜରେ ବିଭାଜିତ ଚାହେଁ ସେମାନେ ଛାତ୍ରଛାତ୍ରୀଙ୍କ ସଭାରେ ନୈତିକତା ସପକ୍ଷରେ କେତେ ବି ଭାଷଣ ଓ ଉପଦେଶ ଦିଅନ୍ତୁ ନା କାହିଁକି।

       ଆଜିକାଲି କ୍ରିକେଟରମାନେ ମଧ୍ୟ ସାମ୍ପ୍ରଦାୟିକ ବିଚାରକୁ ଗୁରୁତ୍ଵ ଦେଲେଣି। ନିଜର ପୁରୁଣା ଖେଳାଳିଙ୍କ ଖେଳୁଆଡ ମନୋବୃତ୍ତିର ରହିଥିବା ଉଦାହରଣକୁ ସେମାନେ ଭୁଲିଯାଉଛନ୍ତି।

       ୧୯୬୫ ମସିହାର ଭାରତ – ପାକିସ୍ତାନ ଯୁଦ୍ଧ ସମୟରେ ଭାରତର କ୍ରିକେଟ କ୍ଯାପଟେନ ମନସୁର ଅଲି ଖାନ ପଟୌଦି ଓ ପାକିସ୍ତାନ କ୍ଯାପଟେନ ହାନିଫ ମହମ୍ମଦ ଉଭୟ ବିଶ୍ଵ ଏକାଦଶ ତରଫରୁ କ୍ରିକେଟ ମ୍ଯାଚ ଇଂଲଣ୍ଡରେ ଖେଳୁଥାନ୍ତି। ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ବିପକ୍ଷରେ ସେମାନେ ମିଳିତ ମେସେଜ ନିଜ ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ସେଥିରେ ଉଲ୍ଲେଖ ଥିଲା, “ଆମେ କ୍ରିକେଟ ଫିଲ୍ଡରେ ଆମର ଏକତାକୁ ବଜାୟ ରଖିଛୁ। ଆମେ ଆମର ଉଦ୍ଦେଶ୍ୟକୁ ଭୁଲିଯାଇନାହୁଁ। ଆମେ ଆଶା କରୁଛୁ ଯେ ଉଭୟ ଦେଶ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ବାହାର କରିବେ।“ (ସୋର୍ସ: ‘Cricket and Nationhood in the twenty-first century’)

       ୧୯୭୧ ମସିହାର ଭାରତ – ପାକିସ୍ତାନ ଯୁଦ୍ଧର ସମୟରେ, ପୂର୍ବ ପାକିସ୍ତାନ ଅଞ୍ଚଳ ବିଚ୍ଛିନ୍ନ ହୋଇ ନୂତନ ବଙ୍ଗଳାଦେଶ ସୃଷ୍ଟି ହେଲା। ଏହି ଯୁଦ୍ଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଦେଲା। କିନ୍ତୁ ଅଷ୍ଟ୍ରେଲିଆରେ ବିଶ୍ଵ ଏକାଦଶ ତରଫରୁ ସୁନୀଲ ଗାଭାସ୍କର ଓ ଜହୀର ଆବ୍ବାସ (ପାକିସ୍ତାନ କ୍ଯାପଟେନ) ଖେଳୁଥିବା ସମୟରେ ସେମାନେ ଗୋଟିଏ ରୁମରେ ରହି ଶାନ୍ତିର ବାର୍ତ୍ତା ଦେଇଥିଲେ। କାର୍ଗିଲ ଯୁଦ୍ଧ ଓ ପେହେଲଗାମ ଆକ୍ରମଣ ଭଳି ଘଟଣା ଅତୀତରେ ହୋଇଛି। କିନ୍ତୁ କ୍ରିକେଟରମାନେ ଦର୍ଶକଙ୍କ ଦାବି ଅନୁସାରେ ନୁହେଁ ଖେଳୁଆଡ ମନୋବୃତ୍ତି ନେଇ ଖେଳକୁ ଦେଖିଛନ୍ତି।

       ଗଲା ୨୦୧୦ ମସିହା ପରଠାରୁ କ୍ରିକେଟ ମଧ୍ୟକୁ ସାମ୍ପ୍ରଦାୟିକତା ପ୍ରବେଶ କରିଛି। ଗୌତମ ଗମ୍ଭୀର (ଆଜିର କୋଚ), ହରଭାଜନ ସିଂହ ଓ ଯୁବରାଜ ସିଂହ ପଡିଆ ବାହାରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ଯାହା କି କ୍ରିକେଟ ସମ୍ବନ୍ଧିତ ନଥିଲା। ତଥାପି ଧୋନୀ ସମେତ ଅନେକ ଖେଳାଳି ଏଥିରୁ ଦୂରେଇ ରହିଛନ୍ତି। ଅଥଚ ୨୦୨୫ ମସିହାରେ, ପାକିସ୍ତାନ ବିପକ୍ଷର ମ୍ଯାଚ ଶେଖର ଧାବନ ଖେଳିବା ଲାଗି ମନା କରିଦେଲେ ଓ ସେହି ବର୍ଷ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ରିକେଟରଙ୍କ ସହିତ ହାତ ମେଳାଇବା ଲାଗି ମନାକରିଦେଲେ। କ୍ରିକେଟ ଫିଲ୍ଡ ମଧ୍ୟରେ ଶେଖର ଧାବନ ଓ ସୂର୍ଯ୍ୟକୁମାରଙ୍କ ଖେଳାଳିଙ୍କ ଅଣଖେଳୁଆଡ ଆଚରଣ ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ କରି ଦେଖାଗଲା। ଅତୀତରେ ବିସିସିଆଇର କୌଣସି ନିର୍ଦ୍ଦେଶକୁ କେବେ ବି ଏହି ଖେଳାଳି ଦ୍ୱୟ ପ୍ରଶ୍ନ କରିନାହାନ୍ତି। ତେଣୁ ମନେହୁଏ ଯେ ଏମାନଙ୍କ ପଛରେ ବିସିସିଆଇର ସଂପୂର୍ଣ୍ଣ ସହମତି ରହିଛି। ବିଶେଷକରି, ବୋର୍ଡର ମୁଖ୍ୟ ନିଜେ ଏକ ସାମ୍ପ୍ରଦାୟିକ ବିଚାରର ବ୍ୟକ୍ତି   

       ହୁଏତ କେତେକ ଖେଳାଳି ନିଜର ଖେଳୁଆଡ ମନୋବୃତ୍ତିକୁ ପାଶୋରି ଯାଇପାରନ୍ତି। ହୁଏତ ବୋର୍ଡ ଏକ ସାମ୍ପ୍ରଦାୟିକ ସଂଗଠନ ହୋଇଯାଇପାରେ। କିନ୍ତୁ ଓଡିଆ ଖବରକାଗଜମାନେ ସମ୍ବାଦିକତାର ନୈତିକତା ଓ ସାମାଜିକଦାୟିତ୍ଵ ବୋଧକୁ ଭୁଲିଯାଉଛନ୍ତିକ୍ରିକେଟ ମ୍ଯାଚର ରିପୋର୍ଟିଂର ଭାଷା ଶତ୍ରୁତାର ଭାଷା ହୋଇଯାଉଛି। କାରଣ ଏହାକୁ ନେଇ ସାମାଜରେ ଆଲୋଚନା, ସମାଲୋଚନା, ପ୍ରତିବାଦ ଓ ଭିନ୍ନମତ ରହୁନାହିଁ। ଯିଏ ଯାହାର ସୁବିଧାରେ ଚାଲିବା ହେତୁ ସମାଜରେ ଅନେକ ବିଚ୍ୟୁତି ଭଳି ଆମ ସମାଜରେ ଏହି ଘୃଣ୍ୟ ବିଚ୍ୟୁତି ମଧ୍ୟ ଦେଖାଯାଉଛି। ସମାଜକୁ ଏହା ଅଧିକ ବିପଦଶଙ୍କୁଳ କରିଦେଉଛି।

ଦେବ ରଞ୍ଜନ, ମୋବାଇଲ : ୯୪୩୭୭୬୨୨୭୨ 

Friday, March 20, 2026

ରାସ୍ତାର ପ୍ରଶସ୍ତିକରଣ, ଗଣତନ୍ତ୍ରର ସଂକୀର୍ଣ୍ଣକରଣ

 


ଦେବ ରଞ୍ଜନ

 

କେନ୍ଦ୍ର ସରକାର ଗଲା ସେପ୍ଟେମ୍ବର ୨୨, ୨୦୨୫ ରେ କାରମାନଙ୍କ ଉପରେ ଜିଏସଟି କମାଇବା ପରେ କାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଥିଲା। ଦେଶର ବିଭିନ୍ନ ସହରମାନଙ୍କରେ କାର ବିକ୍ରି ଏହାପରେ ଆଶ୍ଚର୍ଯ୍ୟଜନକ ଭାବରେ ବଢିବାରେ ଲାଗିଗଲା। 

କେବଳ ଅକ୍ଟୋବର, ୨୦୨୫ ମସିହାରେ ସମୁଦାୟ ୫.୫୭,୩୭୩ କାର ବିକ୍ରି ହୋଇଥିଲା ଯାହା ସେପ୍ଟେମ୍ବର ମାସର ବିକ୍ରିର ଦୁଇଗୁଣା ଥିଲା। ଏହି ଧାରା ପରବର୍ତ୍ତୀ ମାସମାନଙ୍କରେ ବଜାୟ ରହି ଜାନୁଆରୀ ମାସରେ ସମୁଦାୟ ନୂଆ କାର ବିକ୍ରିର ସଂଖ୍ୟା ଥିଲା ୫,୧୩,୪୭୫। ଅର୍ଥାତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଦେଶର ରାସ୍ତା ଉପରକୁ ଅଚାନକ ୨୦ ଲକ୍ଷ କାର ଆସିଯାଇଥିଲା। ସରକାରଙ୍କ ଜିଏସଟି ନିଷ୍ପତ୍ତିକୁ ଟାଟା ମୋଟର୍ସ ତରଫରୁ “ପ୍ରଗତିଶୀଳ ନିଷ୍ପତ୍ତି” କୁହାଗଲା। କାରଣ ଏହାର ପ୍ଳାଣ୍ଟରେ ଏତେ ସଂଖ୍ୟାରେ କାର ବିକ୍ରି ନହୋଇ ରହିଥିଲା ଯେ କମ୍ପାନୀ କାର ଉତ୍ପାଦନ ସାମୟିକ ଭାବରେ ବନ୍ଦ ରଖିଥିଲା। 


ସମଗ୍ର ଆକାଶ ଧୂଆଁମୟ


ସେହି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଶୀତ ମାସରେ ଭାରତର ୧୭୭୩ ରୁ ୨୦୦୦ ନଗର ଓ ସହର ଶ୍ଵାସରୁଦ୍ଧ ହୋଇଯାଇଥିଲା। ଏହା କେବଳ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସୀମିତ ନଥିଲା। ତଥ୍ୟ ଅନୁସାରେ ଦେଶର ୧୭୩ ସହରର ବାସିନ୍ଦା ସଂପୂର୍ଣ୍ଣ ଅଣନିଶ୍ଵାସୀ ହୋଇଯାଇଥିଲେ। ଦୂଷିତ ରହିଥିବା ସହରର ବାୟୁ ପ୍ରଦୂଷଣ ମାତ୍ରା ହଠାତ ଆହୁରି ବଢିଯାଇଥିଲା।  ଓଡିଶାର ତିନି ସହର ଯଥା ଭୁବନେଶ୍ଵର, ବାରିପଦା ଓ ବାଲେଶ୍ଵରର ବାୟୁମଣ୍ଡଳ ଦେଶରେ ସେହି ସମୟରେ ସର୍ବାଧିକ ଦୂଷିତ ବୋଲି ପ୍ରକାଶିତ ହେଲା। ଅଥଚ ଏହି ତିନି ସହରର ପାଖାପାଖିରେ ନା ଥର୍ମାଲ ପାୱାର ପ୍ଳାଣ୍ଟ ଅଛି ନା ଅନ୍ୟ କୌଣସି ବିରାଟ କାରଖାନା ଅଛି।  

ତେବେ ସମଗ୍ର ଦେଶ ଧୂଆଁରେ ଘୋଡ଼ାଇ ହୋଇ ରହିବାର ପ୍ରମୁଖ କାରଣ କଣ ଥିଲା? 

ସେ ସମୟରେ ରାସ୍ତା ଉପରକୁ ଆସିଯାଇଥିବା ଅତ୍ୟଧିକ ସଂଖ୍ଯାର ଗାଡିର ଧୂଆଁ ସମଗ୍ର ଭାରତର ନାକକୁ ରୁଦ୍ଧ କରିଦେଇଥିଲା। କାଶ୍ମୀର ଠାରୁ  କେରଳ ସମଗ୍ର ଦେଶ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ସ୍ଥିରୀକୃତ ବାୟୁ ଗୁଣବତ୍ତା ସୂଚକାଙ୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ଵରେ ଥିଲା। ଯଦିଓ ଏହା ପୂର୍ବରୁ ଗାଡ଼ିର ସଂଖ୍ୟା ରାସ୍ତାର ଓସାର ଅନୁସାରେ ଅଧିକ ଥିଲା। ହେଲେ ଅକ୍ଟୋବର ପରଠାରୁ ଅତ୍ୟଧିକ ସଂଖ୍ଯାର କାରମାନଙ୍କର ରାସ୍ତାରେ ଉପସ୍ଥିତି କେବଳ ସମଗ୍ର ଭାରତକୁ ଅଣନିଶ୍ଵାସୀ କରିଦେଇନଥିଲା ଏହାର ରାସ୍ତାମାନଙ୍କୁ ମଧ୍ୟ ଅଣଓସାରିଆ କରିଦେଲା।

ଭୁବନେଶ୍ଵରର ରୋଡ ଟ୍ରାନ୍ସପୋର୍ଟ ଅଫିସରୁ ସଙ୍ଗୃହୀତ ତଥ୍ୟକୁ ନେଇ ମିଡିଆ ପ୍ରକାଶ କରୁଛି ଯେ ଗଲା ଅକ୍ଟୋବର ଠାରୁ ପ୍ରତିମାସରେ ୧୨୦୦୦ ନୂଆ ଗାଡି ରାସ୍ତାକୁ ଆସିବାରେ ଲାଗିଛି। ମାତ୍ର ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଲାଗି ଏହି ସଂଖ୍ୟା କିଛି କମ ନୁହେଁ। ସେଥିପାଇଁ କୌଣସି ଶିକ୍ପ ନଥାଇ ବି ଭୁବନେଶ୍ବର ସହର ବି ଗଲା ଶୀତ ମାସରେ ଅଣନିଶ୍ଵାସୀ ହୋଇଯାଇଥିଲା। ବାୟ ପ୍ରଦୂଷଣ ତୁରନ୍ତ କମାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ମାଣ କମ୍ପାନୀମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରିତ କରିବାକୁ ପଡିଲା। ସେମାନଙ୍କୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କରିବା ଲାଗି ଅନୁମତି ଦିଆଗଲା। ସ୍କୁଲମାନଙ୍କୁ କିଛି ଦିନ ବନ୍ଦ ରଖିବାକୁ ପଡିଲା। ବୟସ୍କ ଲୋକଙ୍କୁ ଘର ବାହାରକୁ ନଆସିବା ଲାଗି ବାରଣ କରାଗଲା। 

ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଚିନ୍ତା କଲେ ନାହିଁ ଯେ ଏତେ ସଂଖ୍ଯାରେ ଗାଡି ଏକକାଳୀନ ଯଦି ରାସ୍ତା ଉପରକୁ ଆସିଯାଏ ତେବେ ଆମର ରାସ୍ତା ଓ ଆମର ପରିବେଶ ତାହାକୁ ସହଜରେ ଗ୍ରହଣ କରିବା ଲାଗି ସମର୍ଥ ତ? ରୋଡ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ଏ ଦିଗରେ ଆଦୌ ଗୁରୁତ୍ଵ ଦେଲେ ନାହିଁ। କାରଣ କାର କମ୍ପାନୀମାନଙ୍କ ପ୍ଳାଣ୍ଟରୁ କାର ନିଷ୍କାସନ ସରକାରଙ୍କ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସହରର ସ୍ଥିତି ଓ ରାସ୍ତାର ଚଉଡା ଦେଖି କାର ଡିଲରମାନଙ୍କ ପାଖରେ ପ୍ରତି ମାସରେ କେତେ କାର ବିକ୍ରି କରାଯିବ ତାହାର ସିଲିଙ୍ଗ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରିପାରିଥାନ୍ତେ। କିନ୍ତୁ ତାହା କରାଗଲା ନାହିଁ। ଏହି କାରଣରୁ ଦେଶବାସୀଙ୍କୁ ଅଣନିଶ୍ଵାସୀ ହୋଇ ବଞ୍ଚିବାକୁ ହେଲା। ଦେଶର ଜିଡିପିରେ ବୃଦ୍ଧି ହେଲା। ଏହା ସହିତ ଗ୍ରସ ଡେଷ୍ଟ୍ରକ୍ସନ ପ୍ରଡକ୍ଟ ବା ଧ୍ବଂସକାରୀ ଉତ୍ପାଦରେ ମଧ୍ୟ। ଆଜି ବାୟୁ ପ୍ରଦୂଷଣ ହେତୁ ଯେଉଁଠି ପ୍ରତି ବର୍ଷ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ଏବେ ତାହା ୨୦ ଲକ୍ଷ ବା ତାହାଠାରୁ ଅଧିକ ହୋଇଯିବ। 


ଜିଏସଟି ପଛରେ ଗାଡି କମ୍ପାନୀ 


ଭାରତରେ ସବୁଠାରୁ ନାମୀଦାମୀ କାର କମ୍ପାନୀମାନେ ହେଲେ ମାରୁତି, ଟାଟା, ମହିନ୍ଦ୍ରା ଓ ହ୍ୟୁଣ୍ଡାଇ କମ୍ପାନୀ। ବିଜେପିକୁ ଇଲେକ୍ଟରାଲ ଟ୍ରଷ୍ଟ ମାଧ୍ୟମରେ ଅର୍ଥ ଦେଇଥିବା କମ୍ପାନୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଂଶ ଆସିଛି (ଡିସେମ୍ବର 2025 ପର୍ଯ୍ୟନ୍ତ) ଉକ୍ତ କାର କମ୍ପାନୀମାନଙ୍କ ଠାରୁ। ପ୍ରୋଗ୍ରେସିଭ ଇଲେକ୍ଟରାଲ ଟ୍ରଷ୍ଟ (ନାମ ବି ବଢିଆ ‘ପ୍ରଗତିଶୀଳ’) ମାଧ୍ୟମରେ ଟାଟା କମ୍ପାନୀ ୭୫୭ କୋଟି ଟଙ୍କା ଓ ନ୍ୟୁ ଡେମୋକ୍ରାଟିକ ଟ୍ରଷ୍ଟ ମାଧ୍ୟମରେ ମହିନ୍ଦ୍ରା କମ୍ପାନୀ ଦେଇଛି ୧୫୦ କୋଟି ଟଙ୍କା। 

କମ୍ପାନୀମାନେ ଦେଶର ପ୍ରଗତି ଲାଗି ବିଜେପିକୁ ଏତେ ଅର୍ଥ ଦେଇନାହାନ୍ତି। ଜିଏସଟି କମିଯିବା ପରେ, ଯେଉଁଠି କାର ବିକ୍ରି ନହୋଇ ଫାକ୍ତ୍ରିରେ ପଡିରହିଥିଲା ଆଜି ବୁକିଙ୍ଗ କଲେ ଗାଡି ମାସେ କି ଦୁଇ ମାସ ପରେ ମିଳୁଛି। ନୂତନ ଜିଏସଟି ପରେ କମ୍ପାନୀଙ୍କ ସମସ୍ତ ଷ୍ଟକ ସରିଗଲା ଓ ଏକକାଳୀନ ଅନେକ ଗାଡି ଭାରତର ରାସ୍ତା ଉପରକୁ ଆସିଗଲା। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା। ଲୋକେ ପ୍ରଦୂଷଣରେ ଆଉଟୁ ପାଉଟୁ ହେଲେ। ସେଥିରୁ ମୁକ୍ତି ଲାଗି ସହରର ରାସ୍ତାକୁ ସରକାର ଚଉଡା କରିବାରେ ଲାଗିଛନ୍ତି। ଏଥିରେ ଆହୁରି ଅଧିକ ଗାଡି ବିକ୍ରି ହେବାର ସୁବିଧା ସୃଷ୍ଟି କରାଯାଉଛି। 


ସ୍କୁଲ ଓ ହସ୍ପିଟାଲ ପଛରେ, ରାଜପଥ ଆଗରେ 


ରାଜ୍ୟ ସରକାର ଏହା ଜାଣନ୍ତି ଯେ କନ୍ଧମାଳ, କୋରାପୁଟ, ସୁନ୍ଦରଗଡ ଭଳି ଅନେକ ଜିଲ୍ଲାରେ ରାସ୍ତା ନଥିବା କାରଣରୁ ସରକାରୀ ଆମ୍ବୁଲାନ୍ସ ସେହି ଅଞ୍ଚଳକୁ ଯାଇପାରୁନାହିଁ। ରାସ୍ତା ଯଦି ପ୍ରକୃତରେ ବିକାଶର ମାପକାଠି ତେବେ ସେହି ଜିଲ୍ଲାମାନଙ୍କରେ ପ୍ରାଥମିକ ଭାବରେ ରାସ୍ତା ନିର୍ମାଣ ହେବା କଥା। କିନ୍ତୁ ତାହା ପୂର୍ବରୁ ହେଉନଥିଲା, ଏବେ ମଧ୍ୟ ହେଉନାହିଁ। ଭୁବନେଶ୍ବର ସହରର ଅନ୍ଯତମ ଯାନବାହାନ ଅଧିକ ଚଳାଚଳ କରୁଥିବା ଜୟଦେବ ବିହାର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଓସାରିଆ ରାସ୍ତା ବେଶ କିଛି ବର୍ଷ ଅଣଓସାରିଆ ହୋଇଯାଇଛି। ରାସ୍ତାର ପ୍ରଶସ୍ତିକରଣ ଓ ସମାନ୍ତରାଳ ରାସ୍ତା ନିର୍ମାଣ ଲାଗି ଗଲା ମାସରେ ୯୩୨ କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

ଖୋର୍ଦ୍ଧା ଜିଲ୍ଲାର ଅନେକ ଗାଁ ଏବେ ବି ଅଛି, ଯେଉଁଠି ସବୁ ଦିନିଆ ରାସ୍ତା ନଥିବାରୁ ରୋଗୀ ସାଇକେଲ ବା କାନ୍ଧରେ ବୁହା ହୋଇ କିଛି ବାଟ ଆସୁଛନ୍ତି। ମିଡିଆରେ ଏହାର ଚିତ୍ର ପ୍ରକାଶ ପାଉଛି। ସରକାରଙ୍କୁ ଏହା ଲଜ୍ଜାଜନକ ମନେ ହେଉନାହିଁ। ସ୍ଥାନୀୟ ବିଧାୟକ ମଧ୍ୟ ପାଟିରେ ତାଲା ପକାଇ ବସିଛନ୍ତି। 

ବଜେଟରେ ଅର୍ଥ ନଥିବା କାରଣରୁ ଗଲା ପାଞ୍ଚ ବର୍ଷ ମଧ୍ୟରେ ୫୬୦୦ ସ୍କୁଲ ବନ୍ଦ ହେବା କଥା ଗଣଶିକ୍ଷା ମନ୍ତ୍ରୀ ୨୦୨୫ ମସିହାରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଗଲା ଦଶ ବର୍ଷ ମଧ୍ୟରେ ସ୍କୁଲ ବନ୍ଦ ହେବାର ସଂଖ୍ୟା ୧୦୦୦୦। ଅଥଚ ୯୩୨ କୋଟି ଟଙ୍କା ଏକ ରାସ୍ତା ରହିଥିବା ଅଞ୍ଚଳରେ ପୁଣି ରାସ୍ତା ଲାଗି ଖର୍ଚ୍ଚ ହେଉଛି। 

କେବଳ ଓଡିଶା କାହିଁକି କେନ୍ଦ୍ର ସରକାର ମଧ୍ୟ ଏହି ଅଭିମୁଖ୍ୟରେ ପଛରେ ନାହାନ୍ତି। ନିକଟରେ ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଦୋହରୀକରଣ ଲାଗି ୪୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଭଳି ଦେଶର ଅନେକ ଜାତୀୟ ରାଜପଥ ଓ ଭାରତମାଳା ପ୍ରୋଜେକ୍ଟ ଲାଗି ସରକାର ଅଧିକ ଅର୍ଥ ବରାଦ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଜାଣନ୍ତି ଯେ ତାଙ୍କରି ସମୟରେ ଅର୍ଥ ଅଭାବ ହେତୁ ୯୩ ହଜାର ସ୍କୁଲ ବନ୍ଦ ହୋଇଯାଇଛି, ୧୧୦୦୦ ଲୋକଙ୍କ ଲାଗି ମାତ୍ର ଜଣେ ଡାକ୍ତର ଓ ହସ୍ପିଟାଲରେ ପ୍ରତି ୮୮୦୦ ଲୋକଙ୍କ ଲାଗି ଗୋଟିଏ ବେଡ ରହିଛି। ବଜେଟର ସିଂହ ଭାଗ ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଖର୍ଚ୍ଚ ହେବା ଆବଶ୍ୟକ ସେତେବେଳେ ଖର୍ଚ୍ଚ ହେଉଛି ରାସ୍ତାର ଦୋହରୀକରଣ ଓ ଆଧୂନିକୀକରଣରେ। 


ନୂଆ ଜିଏସଟି ଲାଗୁ ହେବା ମାତ୍ରେ କାର ଡିଲରମାନଙ୍କ ପାଖରେ ଭିଡ଼ ଦେଖିବା ଯୋଗ୍ୟ। କିଏ ବ୍ଯାଙ୍କ ଲୋନରେ ତ ପୁଣି କିଏ ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇ ଗୋଟିଏ ଗୋଟିଏ କାର କିଣିନେଲେ। ଏବେ ବେଶ କେତେକ ମଧ୍ୟବିତ୍ତ ବର୍ଗଙ୍କ ଘରେ କାର ଘୋଡଣୀ ମଧ୍ୟରେ ରହିଛି। ପେଟ୍ରୋଲ ଖର୍ଚ୍ଚ ଅଧିକ ହେବା ହେତୁ ସେମାନେ ଦୁଇ ଚକିଆ ବାଇକକୁ ଫେରିଛନ୍ତି। କିନ୍ତୁ ଘରର ପ୍ରାଚୁର୍ଯ୍ୟକୁ ଦେଖାଇବା ଲାଗି କାର ଯେମିତି ଜରୁରୀ ଥିଲା। ସରକାର ମଧ୍ୟ ସାମାଜିକ ଖର୍ଚ୍ଚ (ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ ଇତ୍ୟାଦି) କାଟ କରି ରାସ୍ତାର ଦୋହରୀକରଣରେ ଲାଗିଛନ୍ତି। ଏବେ ଆମେ ସମସ୍ତେ ଏହାଦ୍ବାରା ଉଭୟ ପଟରୁ (ବାୟୁ ପ୍ରଦୂଷଣ ଓ ସାମାଜିକ ଖର୍ଚ୍ଚ କାଟ) ହଇରାଣ ହେବାରେ ଲାଗିଛେ।  

ଆର୍ଥିକ ବୈଷମ୍ୟ ଆମ ସମାଜରେ ଆଜି ଏତେ ବଢିଯାଇଛି ଯେ ଏଥିରେ ପଛକୁ ଫେରି ଚାହିଁବାକୁ ବି ଭୟ ଲାଗୁଛି। କାହାର ଘରେ ଦୁଇ ବା ଅଧିକ କାର ରହିଛି ତ ସେହି ପାଖରେ ଦୂଷିତ ପାଣି ପିଇ ପିଲାଙ୍କ ଜୀବନ ଚାଲିଯାଉଛି। ଏହା ଦେଖିବାକୁ ଆଉ ରାଜଧାନୀର ଦୂରକୁ ଯିବା ଦରକାର ନାହିଁ। ଆଜି ଅରବପତି ଯେଉଁଠି ଅନାହାର ସେହି ଠାରେ ଅଛି। ଆମର ସରକାରୀ ପ୍ରତିଷ୍ଠାନ ଗୁଡ଼ିକ କିନ୍ତୁ ଅରବପତିଙ୍କ ପଟକୁ ଢଳି ରହୁଛନ୍ତି। ନିର୍ବାଚନ ଆସିଲେ ଲୋକେ ସରକାରରେ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଏହାଦ୍ବାରା ହେଉନାହିଁ।  

ମୋବାଇଲ : ୯୪୩୭୭୬୨୨୭୨

Saturday, February 21, 2026

କଲିକତାରୁ ବାଲେଶ୍ଵର ନଅ ବର୍ଷ ଏକ ମାସ ଏଗାର ଦିନ


                                                                                ଦେବ ରଞ୍ଜନ

ସୁରୁ ବିନ୍ଧାଣିଙ୍କୁ କଲିକତା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧ ମାସ ୧୧ ଦିନ। ଅଥଚ ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟର। ସୁରୁଙ୍କ ପରିବାର ସଦସ୍ୟଙ୍କ ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ସମସ୍ତ ଉଦ୍ୟମ ସତ୍ବେ ଯଦି ତାଙ୍କୁ ନିଜର ଘର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ଯୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁନଥିବା ଅନ୍ୟ ଅନ୍ତେବାସୀଙ୍କ ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉନଥିବା! ହୁଏତ ସେମାନେ ଆଜୀବନ ସେହି ସୁଧାର ଗୃହରେ ରହିଯାଇଥାଇପାରନ୍ତି। 

ସୁରୁ ୨୦୧୬ ମସିହା ଜାନୁଆରୀ ମାସରେ ହାଓଡା ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ ସହିତ ପହଞ୍ଚିଥିଲେ। ଏହା ସେହି ବର୍ଷ ଯେଉଁଥର ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ ଓ ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଏହାପରେ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଲୋକଙ୍କ ଆୟରେ ଉନ୍ନତି ଘଟିବ।

ଦିନେ ସ୍ବାମୀଙ୍କ ସହିତ କିଛି ମନାନ୍ତର ହେବା ହେତୁ ସୁରୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଚାଲିଯାଇଥିଲେ ଯେ ଏହାପରେ କାମ କରୁଥିବା ଜାଗାକୁ ଫେରିପାରିଲେ ନାହିଁ। ମୁଖ୍ୟ ସମସ୍ଯା ଥିଲା ଭାଷା । ସେ ସମୟରେ ତାଙ୍କର ବୟସ ଥିଲା ୨୫ ବର୍ଷ। ହାୱଡା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। (ହାଓଡ଼ା  ହୁଗୁଳି ଜିଲ୍ଲାରେ ଆସୁଛି) ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ – ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ “ସୁଧାର ଗୃହ”କୁ ପଠାଇଦେଇଥିଲେ। ମାଜିଷ୍ଟ୍ରେଟ ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା) ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା।

ସୁରୁଙ୍କ ଲାଗି ସବୁ କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା, କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା ସୁରୁଙ୍କ ଲାଗି ସେହି ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଇଥିଲା। ସୁରୁଙ୍କୁ ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା ହିଁ ବ୍ୟବସ୍ଥା ଥିଲା।

ପ୍ରତ୍ଯେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ଯେକ ରାଜ୍ୟ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ବୋଲି ସୁପ୍ରିମ କୋର୍ଟ ୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟ ଏହାର ଅନ୍ତେବାସୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ଘରକୁ ପଠାଇ ଦିଆଯିବାକୁ ନେଇ କୌଣସି ନିର୍ଦ୍ଦେଶାବାଳୀ ଦେଇନଥିଲେ। 

ସୁଧାର ଗୃହର ସରକାରୀ ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ଯେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। ଏହି ଅର୍ଥ ହିଁ ମୁଖ୍ୟ ଆକର୍ଷଣ ପାଲଟିଯାଏ। ଅନ୍ତେବାସୀଙ୍କ ସଂଖ୍ୟା ଯେତେ ଅଧିକ ହୁଏ ସେତେ ଅର୍ଥ ସଂସ୍ଥାକୁ ଆସିଥାଏ। ଏଠାରେ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଥାଏ ଠିକ ଜେଲ ଭଳି। ଯେ କେହି ନା ତାଙ୍କୁ ଦେଖାକରିପାରିବ ନା ସେ ସେହି ସ୍ଥାନ ଛାଡି କିଛି ସମୟ ଲାଗି ମଧ୍ୟ ଯାଇପାରିବ।  

୨୦୧୮ ମସିହାରେ ମୋର ଜଣେ କଲିକତା ନିବାସୀ ବନ୍ଧୁ, ଯେ କି ଉକ୍ତ ସୁଧାର ଗୃହରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ ଫୋନ କରି ସୁରୁଙ୍କ ସମ୍ପର୍କରେ ମୋତେ କହିଲେ। ତାଙ୍କର ଠିକଣା ସଂପୂର୍ଣ୍ଣ ନଥିଲା। ମୁଁ ଓ ମୋର ଅନ୍ୟ ଜଣେ ବାଲେଶ୍ଵର ନିବାସୀ ବନ୍ଧୁଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର ପରିବାର ଭୂମିହୀନ ଶ୍ରମିକ। ସରକାରୀ ଜାଗା ଉପରେ ଚାଳ ଘର କରି ରହୁଛନ୍ତି। ସୁରୁ ନିରୁଦ୍ଦିଷ୍ଟ ହେବା ପରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ତାଙ୍କର ସ୍ଵାମୀ ମଧ୍ୟ ପ୍ରାୟ କାମକୁ ଯାଉନାହାନ୍ତି। ଛୋଟ ଛୋଟ ପିଲାମାନେ ଶ୍ରମିକ ପାଲଟିଯାଇଛନ୍ତି। ଆମର ଆଲୋଚନା ପରେ ଅଞ୍ଚଳର ସରପଞ୍ଚ ଏକ ଚିଠି ଲେଖି ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଶୀଘ୍ର ଫେରାଇ ଦିଆଯାଉ। ମୋର ବନ୍ଧୁ ତାହା କରିବା ଲାଗି କହିଥିଲେ।  

ବଇଶିଙ୍ଗା ସରପଞ୍ଚଙ୍କ ଚିଠି ଓ ପରିଚୟ ପତ୍ର ଉକ୍ତ ସୁଧାର ଗୃହର ଠିକଣାରେ ଆମେ ପଠାଇଦେଇଥିଲୁ। ହେଲେ ତାହା ଆଦୌ ଯଥେଷ୍ଟ ହେଲା ନାହିଁ। ଯଦିଓ ପଶ୍ଚିମ ବଙ୍ଗ ସରକାର ଏଥର ଜାଣିଲେ ଯେ ସୁରୁ କେଉଁ ଅଞ୍ଚଳର ବାସିନ୍ଦା ତଥାପି ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନଥିଲା।

ସରକାର ଆୟକର ସୀମା ଧାର୍ଯ୍ୟ କରିବା ଭଳି ସରକାରୀ ପ୍ରଶାସକମାନେ ମଧ୍ୟ ତାଙ୍କ ଅଫିସକୁ ଆସୁଥିବା ବେସରକାରୀ ବ୍ୟକ୍ତିଙ୍କ ସମ୍ପତ୍ତିକୁ ନେଇ ସୀମା ତିଆରି କରିଛି ଯେ ସେ କେତେ ସମ୍ପତ୍ତିର ବ୍ୟକ୍ତିଙ୍କୁ ଗୁରୁତ୍ଵ ଦେବେ। ସେହି ସୀମା ମଧ୍ୟରେ ସୁରୁ ଆସୁନଥିଲେ। ସେମାନଙ୍କ ଲାଗି ସୁରୁ ଆୟର ପନ୍ଥା ହୋଇସାରିଥିଲେ। ଆମର ରିପୋର୍ଟ, ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ ପଶ୍ଚିମ ବଙ୍ଗରୁ ଓଡିଶା ଆଣିବା ଯଥେଷ୍ଟ ହେଲା ନାହିଁ।  

ଏହାପରେ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ହାଓଡ଼ା ସହରକୁ ଯାଇ ମା’ଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡ଼ିଏମଙ୍କୁ ଭେଟିଥିଲେ (ସେହି ବନ୍ଧୁଙ୍କ ସହଯୋଗରେ) ଓ ମା’ଙ୍କୁ ନିଜେ ନେବା ଲାଗି ଆସିଥିବା କଥା ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ “ସୁରୁ ଅସୁସ୍ଥ” କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଏକୁଟିଆ ପଶ୍ଚିମ ବଙ୍ଗ ପ୍ରଶାସନ ଦ୍ଵାରା ଫେରାଇ ଦିଆଯାଉଥିଲା।

କଲିକତାରେ ଅବସ୍ଥିତ ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ହୁଗୁଳି ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସରକାଏରୀ ଅଧିକାରୀମାନେ ସେମାନଙ୍କୁ କହିଥିଲେ ଯେ ଓଡିଶାର ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚୀବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ଏହା ପୁଣି ଏକ ଚକ୍ରାନ୍ତ ଥିଲା। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ।

ପଶ୍ଚିମ ବଙ୍ଗ ସରକାରଙ୍କ ଏତାଦୃଶ ମନୋଭାବ ଦେଖି ସୁରୁଙ୍କ ପୁଅ ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ‘ଗାସ’ର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ ବାଲେଶ୍ଵର ସହରରେ ଭେଟିଥିଲେ। ମାମଲା ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ସେ ସମୟରେ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ ରହୁଥିଲେ) ସେହି ଜିଲ୍ଲା ମଙ୍ଗଳ ଅଧିକାରୀ ଆଉ କୌଣସି ଫୋନ କଲ ଗ୍ରହଣ କରିନଥିଲେ।

ଓଡିଆ ଖବରକାଗଜରେ ଏହି ଖବର ପ୍ରକାଶିତ ହେଲାମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ।

ଏହି ଲେଖକ ଏହାପରେ ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ।

ଲେଖକ ପୁଣି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା। ତାହାର ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ।

ଏଠି ସାଧାରଣ ପ୍ରଶାସନ ଓ ନିର୍ବାଚିତ ସରକାର ସମସ୍ତେ ଅପହଞ୍ଚ ଦୂରତାରେ ରହିବାକୁ ହିଁ ଗଣତନ୍ତ୍ର ମନେକରିନେଇଛନ୍ତି। ଏଭଳି ବ୍ୟବସ୍ଥାରେ ଉତ୍ତରଦାୟିତ୍ଵ ବୋଧ ଶୂନ। ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡିଶାର ମଧ୍ୟ । ଏହା ସମଗ୍ର ଦେଶର ସ୍ଥିତି। ଏହା ହିଁ ବ୍ୟବସ୍ଥା।

ହର୍ଷ ମନ୍ଦରଙ୍କ ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦୀତ “କେହି ଶୁଣିନାହାନ୍ତି” ପୁସ୍ତକରେ ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ଯାକୁ ନେଇ ତାଙ୍କର ରହିଥିବା ପ୍ରତ୍ଯକ୍ଷ ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଏହିଭଳି ଅନେକ ଉଦାହରଣ ମଧ୍ୟ ସେଥିରେ ରହିଛି। 

ସୁରୁଙ୍କ କ୍ଷେତ୍ରରେ ଉଭୟ ହୁଗୁଳି ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନର ଅସହଯୋଗ କାରଣରୁ ଏହି ଲେଖକ ବିଳମ୍ବରେ ହେଲେ ବି ଜାତୀୟ ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଉକ୍ତ ପ୍ରସଙ୍ଗ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲି।  ଦୀର୍ଘ ଦିନ ପରେ ଏନଏଚଆରସି ମାମଲାକୁ ପଞ୍ଜୀକୃତ କରି ହୁଗୁଳି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚୀବଙ୍କୁ ନୋଟିସ କଲେ। କମିଶନ ଉତ୍ତର ଲାଗି ଏକ ସମୟ ସୀମା ମଧ୍ୟ ରଖିଥିଲେ।  ସେହି ଚିଠିର କପି ମୋ ପାଖକୁ ପଠାଇଥିଲେ।

ଫେବୃଆରୀ ୦୬, ୨୦୧୬ ରୁ ହାଓଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ ରେ ପହଞ୍ଚିଥିଲେ, ଏନଏଚଆରସି  ଦେଇଥିବା ସମୟ ସୀମାର ମାତ୍ର କିଛି ଦିନ ପୂର୍ବରୁ। ଉଭୟ ତାରିଖ ମଧ୍ୟରେ ବ୍ଯବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ। ସୁରୁ କୌଣସି ବି ଅପରାଧ କରିନଥିଲେ। କିନ୍ତୁ ବିଚାରାଧୀନ କଏଦୀର ସଜ୍ଜା ସେଠାରେ ସେ ଏହି ଦୀର୍ଘ କାଳ ପାଇଚାଲିଥିଲେ। ୨୦୧୮ ମସିହାରେ ସରପଞ୍ଚଙ୍କ ଚିଠି ମିଳିବା ମାତ୍ରେ ପଶ୍ଚିମ ବଙ୍ଗ ପ୍ରଶାସନ ସେହି କାମ କରିପାରିଥାନ୍ତା ଯାହା ସେମାନେ ୨୦୨୫ ମସିହାରେ କଲେ। କାହିଁକି କଲେନାହିଁ ତାହାର ଉତ୍ତର କୌଣସି ଠାରୁ ମିଳିଲା ନାହିଁ।

ଭୁବନେଶ୍ବର, ବାଲେଶ୍ଵର ଓ କଲିକତା ସହର ମଧ୍ୟରେ ୧୫ରୁ ୧୭ ଜଣ ବନ୍ଧୁଙ୍କ କ୍ରମାଗତ ଉଦ୍ୟମ ଗଲା ୯ ବର୍ଷ ହେଲା ଜାରି ରଖିବା କାରଣରୁ ସୁରୁ ବାଲେଶ୍ଵରରେ ତାଙ୍କ ଘରେ ପହଞ୍ଚିପାରିଲେ। ନଚେତ ସେ ଆଜୀବନ ସେହି ଅନୁଷ୍ଠାନରେ ଅଘୋଷିତ ବନ୍ଦୀ ଭାବରେ ରହିଯାଇଥାନ୍ତେ।

ଏହି ପ୍ରକ୍ରିୟା ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲେ ମୋର ସେହି ବନ୍ଧୁ ଯେ ପ୍ରଥମେ ସୂଚନା ଦେଇଥିଲେ। ତାଙ୍କୁ ଉକ୍ତ ଅନୁଷ୍ଠାନ ଚାକିରିରୁ ବହିଷ୍କାର କରିଦେଲା। ବହିଷ୍କୃତ ହେବା ସତ୍ତ୍ୱେ ଉଦ୍ୟମ ଜାରି ରଖିବା କାରଣରୁ ତାଙ୍କ ଜୀବନକୁ ନେଇ ବିପଦ ମଧ୍ୟ ଦେଖାଦେଇଥିଲା। ସେ ବେଶ କିଛି ଦିନ ଭୟରେ ରହିଲେ। 

ଆମର ସରକାରୀ ବ୍ୟବସ୍ଥା ନିଜେ ଏତେ ନିର୍ଦ୍ଦୟ ଓ ଅମାନବୀୟ ହୋଇଯାଇଛି ଯେ ଏଥିରେ ଦୁର୍ନୀତି ଓ ଶୋଷଣ କରୁଥିବା ଅଧିକାରୀମାନେ ଖୁସିରେ ତିଷ୍ଠି ପାରୁଛନ୍ତି। ସେମାନଙ୍କ କାର୍ଯ୍ୟରେ ବାଧା ଦେବାର କୌଣସି ପ୍ରକ୍ରିୟା ବା ପଦକ୍ଷେପ କେବେ ବି ନିଆଯାଉନାହିଁ। ଏଥିରେ ଯେ ପରିବର୍ତ୍ତନ ଆସିବ ସେଭଳି ଆଶା ମଧ୍ୟ ଦେଖାଯାଉନାହିଁ।   

ଫୋନ : ୯୪୩୭୭୬୨୨୭୨

ଇମେଲ : debasar11@yahoo.co.in


Saturday, January 31, 2026

‘ପ୍ରେମ’, ‘ପ୍ରତିବାଦ’ ଓ ଜୟନ୍ତ ମହାପାତ୍ରଙ୍କୁ ନେଇ ବୃତ୍ତଚିତ୍ର

 



 

ଦେବ ରଞ୍ଜନ

              କୌଣସି କବିଙ୍କ ଉପରେ ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବା ଏତେ ସହଜ କଥା ନୁହେଁ। ପୁଣି ଜୟନ୍ତ ମହାପାତ୍ର ଯାହାଙ୍କର କବିତାରେ ଭୋକ, ଦୁର୍ଭିକ୍ଷ, ଦାରିଦ୍ର୍ଯ, ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ଓଡିଶାର ସଂସ୍କୃତି, ମଣିଷର ଇତିହାସ, ପ୍ରେମ, ଭୟ, ସ୍ଵାଧୀନତା ଓ ପ୍ରତିବାଦ ରହିଛି ତାହାଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ ତ ଆହୁରି କଷ୍ଟ।

              ବୃତ୍ତଚିତ୍ର ନିର୍ମାତା ବିଶ୍ଵେଶ୍ଵର ଦାଶ ଅତି ସାହସିକ ପଦକ୍ଷେପ ନେଇଛନ୍ତି। ତାଙ୍କର ଫିଲ୍ମ A Tale to Begin With (ଏକ କାହାଣୀରୁ ଆରମ୍ଭ) ଦେଖିବାର ସୁଯୋଗ ମିଳିଲା ବିକଳ୍ପ ଅନଲାଇନ ଫିଲ୍ମ ଫେଷ୍ଟିଭାଲ ମାଧ୍ୟମରେ। ଏହି ୮୨ – ମିନିଟର ଫିଲ୍ମରେ ରହିଛି ଜୟନ୍ତ ମହାପାତ୍ରଙ୍କ ସହିତ କିଛି ଆଳାପ, ତାଙ୍କର ସାହିତ୍ଯ ଫେଷ୍ଟିଭାଲମାନଙ୍କରେ ଯୋଗଦାନ, ତାଙ୍କ କବିତାର କିଛି ଅଂଶ, ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର

              ଫିଲ୍ମର ଆରମ୍ଭରେ ଜୟନ୍ତ ମହାପାତ୍ରଙ୍କ ସ୍ଵର ଶୁଣି ମୁଁ କିଛି ସମୟ ଲାଗି ସ୍ତମ୍ବିଭୂତ ହୋଇଗଲି। ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ଵର ଶୁଣିବା ତାହା ମୋର ପ୍ରଥମ ଥିଲା। ଲାଗିଲା ଯେମିତି ସେ ଆମ ଚାରିପାଖରେ ଅଛନ୍ତି ଓ କିଛି କହୁଛନ୍ତି। ସେ କହୁଛନ୍ତି,

              “ଜୟନ୍ତ ମହାପାତ୍ର ସେଭଳି କିଛି ମୂଲ୍ଯବାନ କାମ କରିନାହିଁ। ଆଜିର ଯୁବାପୀଢି ତା ବିଷୟରେ ଅଜ୍ଞ। ଯେଉଁ ଅଳ୍ପ କେତେକ ତାକୁ ଜାଣିଥିଲେ ସେମାନଙ୍କର ମୃତ୍ୟୁ ହୋଇସାରିଲାଣି। ସେ ସତ କହିବା ଲାଗି ଅତି ଖରାପ ମଣିଷ ବି ହୋଇଯାଇଛି। ସେ ତା ନିଜ କର୍ମର ନିଆଁରେ ଜଳୁଥାଏ। ଲୋକେ କେବଳ ଝୁଲ ଓ ଧୂଆଁ ହିଁ ଦେଖିପାରନ୍ତି ଯାହା ଝିଲିଝିଲିଆ ଓ ଅସ୍ପଷ୍ଟ।“  

              କଟକ ସହରର ଅଳ୍ପ ଦୂରରେ ନରାଜ ବ୍ରିଜ ଅବସ୍ଥିତ। ଏହିଠାରେ ମହାନାଦୀରୁ କାଠଯୋଡି ନଦୀର ସୃଷ୍ଟି। ସେହି ନାରାଜ ଛକର ପକୁଡି ଓ ଗୁଗୁନି ଦୋକାନ ଭିତରେ ଜୟନ୍ତ ମହାପାତ୍ର ପକୁଡି ଖାଉଥିବା ବେଳେ କବିତା ସମ୍ପର୍କରେ ଆଲୋଚନା ଆରମ୍ଭ କରୁଛନ୍ତି। ବେଶ ନୋଷ୍ଟାଲଜିକ ଯେ କେହି ହୋଇଯିବ। କବି ମଧ୍ୟ ବେଶ ଭାବୁକ ହୋଇଯାଇଛନ୍ତି। କହୁଛନ୍ତି, “ସ୍ମୃତିକୁ ନେଇ ଜୀବନ। ଜୀବନରୁ ସ୍ମୃତିକୁ କାଟିଦିଅ, ଜୀବନରେ କଣ ରହିଲା? ଜୀବନତା ସ୍ମୃତିମୟ।  ମୁଁ ଯଦି ମୋ ସ୍ମୃତିକୁ କାଟି ଦେବି ତେବେ ବଞ୍ଚିବି କେମିତି? ମୁଁ କଣ ମୋ ସ୍ମୃତିକୁ ବାଦ ଦେଇ ବଞ୍ଚିପାରିବି! କେବେ ନୁହେଁ। ହଁ, ସେହି ସ୍ମୃତି ଦୁଇ ପ୍ରକାରର, କିଛି ସ୍ମୃତି ଯନ୍ତ୍ରଣା ଦିଏ ଓ କିଛି କିଛି ଆନନ୍ଦ ମଧ୍ୟ। ସ୍ମୃତି ପୁଣି କେବେ ଏକ ଯନ୍ତା ହୋଇଯାଏ, ବା ଫାଶଟିଏସେତେବେଳେ ମଣିଷ ସେହି ଯନ୍ତାରୁ ବାହାରିବା କଷ୍ଟ ହୋଇଯାଏ। ମଣିଷ ସେହି ଯନ୍ତା ଭିତରେ ରହିଯାଏ।“

              ମଣିଷ ପୁଣି ଯନ୍ତା ଭିତରୁ ବାହାରି ଆସିବା ଲାଗି ନିଜ ସହିତ ସଂଘର୍ଷ କରେ। ଯେ ବାହାରି ଆସିପାରେ ସେ ପୁଣି ପୃଥିବୀକୁ ନୂଆ ଭାବରେ ଦେଖିପାରେ, ଭଲପାଏ। ସେହି ଭିତରେ ପୁଣି କେହି କେହି ନିଜର ସେହି ସ୍ମୃତିକୁ ନେଇ କବିତା ମଧ୍ୟ ଲେଖିଥାନ୍ତି। ଜୟନ୍ତ ମହାପାତ୍ର ସେହିଭଳି ତାଙ୍କର ସ୍ମୃତିକୁ ନେଇ ରାତିଦିନ କଷ୍ଟ ପାଇଛନ୍ତି। କିନ୍ତୁ ସେହିଠାରେ ଅଟକି ଯାଇନାହାନ୍ତି। ତାଙ୍କ କବିତାରେ ତାହାର ପରିପ୍ରକାଶ ଘଟିଛି।

              ଜୟନ୍ତ ମହାପାତ୍ର ନିଜ କବିତା, ଲେଖା ଓ ସାକ୍ଷାତକରରେ କେବେ ତାଙ୍କ ଜେଜେବାପାଙ୍କୁ ଭୁଲନ୍ତି ନାହିଁ, ବିଶେଷକରି ଜେଜେବାପା ଭୋଗିଥିବା ଦୁର୍ଭିକ୍ଷ (୧୮୬୪ – ୬୫)ର ସମୟଫିଲ୍ମରେ ମଧ୍ୟ ତାହାର କିଛି ତଥ୍ୟ ରହିଛି, ଯଦିଓ ବେଶ ସଂକ୍ଷିପ୍ତ। ଜୟନ୍ତ ସାର ନିଜର ଚେର ଖୋଜିଛନ୍ତି। କିନ୍ତୁ ଜେଜେବାପା ନିଜର ପିଲା ସମୟରେ ଦୁର୍ଭିକ୍ଷରୁ ରକ୍ଷା ପାଇବା ଲାଗି କଟକ ଚାଲିଆସିବା କାରଣରୁ ଓ ଘରର ବାକି ସଦସ୍ୟ ମରିଯିବା କାରଣରୁ ସେ ନିଜର ପରିବାରର ଇତିହାସକୁ ଖୋଜି ପାଇପାରିନାହାନ୍ତି। ଏହା ତାଙ୍କର ଗଭୀର ଯନ୍ତ୍ରଣା।  ଫିଲ୍ମରେ ସେ କହୁଛନ୍ତି, “କବିତା ଅତି ଛୋଟ ଛୋଟ କଥାରେ ଆସିଯାଏ। ମୋ ଲାଗି ତାହା ହିଁ କବିତା। ମୋ ପିଲାଦିନ ଆଦୌ ଖୁସିରେ ବିତିନାହିଁ। ମୋ ପିଲାଦିନ ମୋ କବିତାରେ ବାରମ୍ବାର ଆସିଥାଏ। ମୋ ଜେଜେବାପା ଦୁର୍ଭିକ୍ଷରେ ମରିଛନ୍ତି। ତାହା ମଧ୍ୟ ବାରମ୍ବାର ମୋ କବିତାରେ ଆସିଛି। ଏହା ମୋ କବିତାର ବାରମ୍ବାରତା ବି କୁହାଯାଇପାରିବ।“ କେବଳ କବିତା ନୁହେଁ ଜୟନ୍ତ ସାର ଆତ୍ମଜୀବନୀ ପାହିନି ରାତି ରେ ମଧ୍ୟ ଜେଜେବାପା ଓ ଜେଜେମାଆଙ୍କ ସମୟର ନଅଙ୍କ ଦୁର୍ଭିକ୍ଷକୁ ବର୍ଣ୍ଣନା କରିଛନ୍ତି।

              କବିତା ଲେଖିବା ସହଜ କଥା ନୁହେଁ। ଲେଖିବାର ପ୍ରକ୍ରିୟା ଯନ୍ତ୍ରଣାଦାୟକ। ଏହାର ଶବ୍ଦ ଗୁଡିକ ଏମିତି ଝଟ କରି ଆସିନଥାଏ। ସେହି ନିର୍ଦ୍ଦିଷ୍ଟ ଶବ୍ଦ ପାଖରେ ପହଞ୍ଚିବାକୁ ବର୍ଷ ବର୍ଷ ବି ଲାଗିଯାଇପାରେ। ଜୟନ୍ତ ମହାପାତ୍ର ନିଜ ଜୀବନର ଅନେକ ସ୍ମୃତି ଓ ଚାରିପାଖର ଘଟଣାକୁ ନେଇ କବିତା ରଚନା କରିଛନ୍ତି। ସେ ଏକ ଝରଣା, ବେଶ ଶାନ୍ତ ଭାବରେ ବୋହିଥାନ୍ତି ନିଜ କବିତାରେ। ଓଡିଶାର ନଦୀ, ପାହାଡ, ଅନେକ କୀର୍ତ୍ତିରାଜୀ, ଆଦିବାସୀ ଜୀବନ ତାଙ୍କ କବିତାରେ ଛାଇ ହୋଇରହିଛି। ତାଙ୍କ କିଛି କବିତାରେ ପ୍ରେମ ଓ ଯନ୍ତ୍ରଣା ରହିଛି। ତାହାକୁ ପ୍ରକାଶ କରିବା ଲାଗି ସେ ଅନେକ ମେଟାଫୋର ବା ରୂପକ ମଧ୍ୟ ବ୍ୟବହାର କରିଛନ୍ତି। ତାଙ୍କର ମେଟାଫୋର ଗୁଡିକ ସର୍ବଦା ଓଡିଶାର ସଂସ୍କୃତି, ସ୍ଥାପତ୍ୟ, ପୁରୀର ବେଳାଭୂମୀ, କଟକର ଜୀବନ, ଚନ୍ଦ୍ରଭାଗା, କୋଣାର୍କ ଇତ୍ୟାଦି।

              ଜୟନ୍ତ ମହାପାତ୍ରଙ୍କ ପ୍ରେମରେ ବ୍ୟକ୍ତିଗତ ବ୍ୟାପାର ବହୁତ କମ ରହିଛି। ସେ ରୋମାଣ୍ଟିକ କବି ନଥିଲେ। ରୋମାଣ୍ଟିକ ପ୍ରେମ କହିଲେ ମଣିଷ ବୁଝେ ନାରୀ – ପୁରୁଷର ଉଲ୍ଲାସ, ପାଖାପାଖି ହେବାର ଜିଜ୍ଞାସା, ରୂପ ବର୍ଣ୍ଣନା ଓ ଯୌନ ଆକର୍ଷଣକିନ୍ତୁ ଜୟନ୍ତ ମହାପାତ୍ର ପ୍ରେମକୁ ଆହୁରି ବ୍ୟାପକ ଅର୍ଥରେ ଦେଖିଛନ୍ତି। ପ୍ରେମ ନିବେଦନ ଭିତରେ ନାରୀ ଉପରେ ପୁରୁଷତନ୍ତ୍ରର ପ୍ରଭାବ, ନାରୀକୁ ପୁରୁଷ ଯୌନକ୍ରିଡନକ ଭାବେ ବ୍ୟବହାର କରିବା, ବେଶ୍ୟାବୃତ୍ତି, ବିଧବା ପ୍ରଥା, ଛୋଟ ବାଳିକା ପ୍ରତି ଯୌନ ନିର୍ଯାତନା ଇତ୍ଯାଦିର ପ୍ରତିବାଦ ତାଙ୍କ କବିତାରେ ରହିଛି।

              ତାଙ୍କର କବିତା ‘Hunger’, ‘The Whorehouse in a Calcutta street’ ‘Man of his Night’ ଇତ୍ୟାଦିରେ ଏହା ସ୍ପଷ୍ଟ। ‘Hunger’ କବିତାରେ ମତ୍ସଜୀବୀ ନିଜର ୧୫ ବର୍ଷର ଝିଅକୁ ବେଶ୍ୟାବୃତ୍ତିରେ ଲଗାଇବା ଓ ଅଫିସର ତାହାକୁ ଗ୍ରହଣ କରିବା ମାଧ୍ୟମରେ ସେ ପୁରୁଷ ଭିତରର ଅମାନବିୟ, ନିଷ୍ଠୁର ଓ ବର୍ବର ପଣକୁ ଦର୍ଶାଇଛନ୍ତି। କିନ୍ତୁ ପ୍ରେମକୁ ନେଇ ଜୟନ୍ତ ମହାପାତ୍ରଙ୍କର ରହିଥିବା ବ୍ୟାପକତାକୁ ଫିଲ୍ମରେ ଦେଖାଯାଇପାରିଲାନି।  

              ଜଣେ କବିଙ୍କ ଉପରେ ଫିଲ୍ମ କରିବା ବେଳେ ଅନେକ ବିଷୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ଭାରତରେ ବିଭିନ୍ନ ଭାଷାର କବିଙ୍କ ଉପରେ କେହି କେହି ବୃତ୍ତଚିତ୍ର କରିଛନ୍ତି। ଗୁଜୁରାଟୀ ଭାଷାର କବି କବିକାନ୍ଥଙ୍କ ଉପରେ ଫିଲ୍ମ ନିର୍ଦ୍ଦେଶକ ଜୟ ଏକ ଫିଲ୍ମ ଗଲା ବର୍ଷ କରିଛନ୍ତି। ସେଥିରେ ସେ ତାଙ୍କର ସମସ୍ତ ବିଷୟକୁ ଉପସ୍ଥାପନ କରିବାକୁ ଯାଇ ଫିଲ୍ମକୁ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ଭଳି କରିଦେଇଛନ୍ତି। କିନ୍ତୁ ଶାବନମ ଭିର୍ମାନୀ କବୀରଙ୍କ ଦୋହା ଉପରେ ପ୍ରାୟ ଚାରି ଘଣ୍ଟାର ଫିଲ୍ମ ତିଆରି କରିଛନ୍ତି। ସେ ଏହାକୁ ତିନୋଟି ଭାଗରେ ବିଭକ୍ତ କରିଛନ୍ତି। ତଥାପି ସେ କବୀରଙ୍କ ସମସାମୟିକ ପ୍ରତିବାଦୀମାନଙ୍କୁ ଛାଡି ଦେଇଛନ୍ତି। ଚାରି ଘଣ୍ଟାର ଫିଲ୍ମରେ ତାହା ଆସିପାରିଥାନ୍ତା।

              ଉତ୍ତର ଭାରତର ଲୋକଗୀତର ଗାୟିକା ରସୁଲ ବାଈଙ୍କ ଉପରେ ସବା ଦିବାନଙ୍କ ଫିଲ୍ମ ଦି ଅଦର ସଙ୍ଗ (The Other Song) ଏ ସମସ୍ତ ଉପସ୍ଥାପନ ମଧ୍ୟରେ ସର୍ବଶ୍ରେଷ୍ଠ। ସବା ଦିବାନ ଗବେଷଣାକୁ ଅଧିକ ଗୁରୁତ୍ଵ ଦେବା କାରଣରୁ ଫିଲ୍ମଟି ଉନ୍ନତ ମାନର ହୋଇଛି। ବିଶ୍ଵେଶ୍ଵର ଦାଶ ‘A Tale to Begin With’ ରେ ଫିଲ୍ମର କଥାବସ୍ତୁକୁ ଅତି କାବ୍ଯିକ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସେ ଫିଲ୍ମର ଶୁଟିଙ୍ଗ ଜୟନ୍ତ ସାରଙ୍କ ଶେଷ ସମୟରେ, ପ୍ରାୟ ୨୦୨୨ ମସିହାରେ ଆରମ୍ଭ କରିଛନ୍ତି ଓ ତାଙ୍କର ମୃତ୍ୟୁ ପରେ ଫିଲ୍ମର ସମାପ୍ତି ଘଟୁଛି। ତେଣୁ ଫିଲ୍ମଟି ଜୟନ୍ତ ସାରଙ୍କ ଅନ୍ତିମ ସମୟର ମନୋଭାବକୁ ପ୍ରକାଶ କରିଛି। ଉପସ୍ଥାପନ ଶୈଳୀ ବି ଉତ୍ତମ ହୋଇଛି।   

              ଜୀବନରେ ଛୋଟ ଛୋଟ କଥାରେ ଯେତିକି ଆନନ୍ଦ ମିଳେ, ମନୁ, ବଡ ବଡ କଥାରେ କେବେ ମିଳେନି”, ଜୟନ୍ତ ସାରଙ୍କ ଏହି ଗୋଟିଏ ଧାଡିର ବକ୍ତବ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବା ଲାଗି ଯଥେଷ୍ଟ।

              ଜୟନ୍ତ ମହାପାତ୍ରଙ୍କ ନିକଟରେ ବିନମ୍ରତା ଥିଲା । ଯଦିଓ ତାଙ୍କର କବିତା ତାଙ୍କୁ ପୃଥିବୀର ଅନେକ ଦେଶକୁ ନେଇଯାଇଛି, ଅନେକ ବିଖ୍ୟାତ ଲୋକଙ୍କୁ ପରିଚିତ କରାଇଛି, ପୃଥିବୀରେ ଇଂରାଜୀ ଭାଷା ପ୍ରଚଳନ ଥିବା ଅନେକ ଦେଶର ପାଠ୍ୟକ୍ରମରେ ତାଙ୍କର କବିତା ପଢାଯାଉଛି, ଅନେକ ଇଂରାଜୀ ପତ୍ରିକାରେ ତାଙ୍କର କବିତା ନିୟମିତ ପ୍ରକାଶ ପାଇଛି, ତଥାପି, ତାଙ୍କୁ ଅହଂକାର ଆଦୌ ଛୁଇଁପାରିନଥିଲାତାଙ୍କର ବିନମ୍ରତା ଆମ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଫିଲ୍ମରେ ତାହାକୁ ନିର୍ଦ୍ଦେଶକ ଭଲ ଭାବରେ ଦେଖାଇଛନ୍ତି। ସେ ପକୋଡା ଦୋକାନ ହେଉ ଅଥବା ବରଗଛ ତଳେ ହେଉ ଏହି ବିନମ୍ର ମଣିଷଟି ସେହିଠାରେ ଜୀବନର ଅଡୁଆ ସୂତା ସମ୍ପର୍କରେ ଓ କବିତା ସମ୍ପର୍କରେ ଅତି ଭାବଗମ୍ଭୀର ଆଲୋଚନା କରିବାର ସାମର୍ଥ୍ୟ ରଖୁଛି।

              ଫିଲ୍ମରେ ଜୟନ୍ତ ସାର ନିର୍ଦ୍ଦେଶକଙ୍କୁ କହୁଛନ୍ତି, “ଜଣେ କବି ଲାଗି ତିନୋଟି ବିଷୟ ଜରୁରୀ। ଟିକିଏ ସୂର୍ଯ୍ୟର ଆଲୋକ, ଛୋଟିଆ ଫୁଲଟିଏ ଓ ସ୍ଵାଧୀନତା। ଲେଖିବାର ସ୍ଵାଧୀନତା ନଥିଲେ କବି କଣ ଲେଖିବ? କବିତା ହେଉଛି ଜୀବନର ପ୍ରକାଶ। ଏଥିଲାଗି ସ୍ଵାଧୀନତା ଜରୁରୀ।“

              ରାଷ୍ଟ୍ରର ପ୍ରଭୁତ୍ଵବାଦ ବିରୁଦ୍ଧରେ ତାଙ୍କର ପ୍ରତିକ୍ରିୟା ରହିଛି। କଳିଙ୍ଗ ନଗର ଗୁଳିକାଣ୍ଡର ପ୍ରତିବାଦରେ ତାଙ୍କର ଓଡିଆ କବିତା ରହିଛି। “ଥରେ ଥରେ ବହୁତ ଇଚ୍ଛା ହୁଏ ସେ ବାଟ ଦେଇ ଚାଲିଯିବାକୁ / ଯୋଉଠି ଚିତା ଜଳିଥିଲା ସେଦିନ / ଗୋଟେ ଗୋଟେ କରି ବାରଟି / ଆଉ ଆମର ଅସହାୟ ମାଟି / ଜୁଇର ସୌନ୍ଦର୍ଯ୍ୟରେ / ଅବାକ ହେଉ ରହିଯାଇଥିଲା କିଛି କ୍ଷଣ ପାଇଁ।“ (କବିତା ବୁଲିବାର ଇଚ୍ଛା)

              ନିୟମଗିରି ଓ କାଶୀପୁର ଠାରେ ଚାଲିଥିବା ଖଣି ବିରୋଧୀ ଆଦିବାସୀ ଆନ୍ଦୋଳନ ମଧ୍ୟ ତାଙ୍କର କବିତାର ବିଷୟ ବସ୍ତୁ। ସେ ଲେଖିଛନ୍ତି, “ବୁଝିପାରୁନି କାହିଁକି ଏଇ ମାଟି ପାଇଁ ମୁଁ ଅନ୍ଧ / ଏଇ ନାଲି ମଇଳା ମାଟି ପାଇଁ। ଯୋଉ ମାଟିରୁ କେବେ କେବେ କବି କହେ ନିଅ ନାଇଁ କିଛି / ପାଣି ବା ସାର ବା ହୃଦୟର ହାଲୁକା ପଣ/ ଯୋଉ ମାଟିରୁ ନେତା କହେ କାଢିନିଅ ସବୁ ଲୁହାପଥର, ବକ୍ସାଇଟ, ଓ ଯୁଗ ଯୁଗ ଧରି / ଭିତରେ ଶୋଇଥିବା ଇଶ୍ଵର।“(କବିତା ମାଟି’) ପୁଣି ସେ ଲେଖିଛନ୍ତି, “ଆଦିବାସୀଙ୍କ ଉପରେ ଅତ୍ୟାଚାରର ପବନ / ବହିଯାଉ ଥାଏ ଯେବେ ମୋ ମୁହଁ ଦେଇ”। (କବିତା ଭାଗ୍ୟ – ୨’)

              ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ପୁରସ୍କାର ୨୦୦୯ ରେ ପାଇଥିଲେ। ୨୦୧୪-୧୫ ରେ ଦେଶର ଯେଉଁଭଳି ଅସହିଷ୍ଣୁତାର ବାତାବରଣ ବଢିଥିଲା ତାହାର ପ୍ରତିବାଦରେ ଅନେକ ଲେଖକ କବି ଓ ନାଟ୍ଯକାର ଇତ୍ଯାଦ ବିଭିନ୍ନ ସରକାରୀ ପୁରସ୍କାରକୁ ଫେରାଉଥିଲେ । ଜୟନ୍ତ ମହାପାତ୍ର ୨୦୧୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ଫେରାଇଦେଇଥିଲେ। ଏଥିଲାଗି ତାଙ୍କୁ ଦକ୍ଷିଣପନ୍ଥୀଙ୍କ ଠାରୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା।

              କବିର ସ୍ଵାଧୀନତା ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନାକୁ ବାଦ ଦେଲେ ସମଗ୍ର ଫିଲ୍ମରେ ତାଙ୍କର ସରକାରଙ୍କ ପ୍ରଭୁତ୍ଵବାଦ ବିରୋଧୀ କବିତା ସମ୍ପର୍କରେ ବିଶେଷ କିଛି ଉପସ୍ଥାପନ ହୋଇପାରିନାହିଁ । ନିର୍ଦ୍ଦେଶକ ବିଶ୍ଵେଶ୍ଵର ଦାଶ ଏହାର ଦ୍ଵିତୀୟ ଭାଗ ଲାଗି ଉଦ୍ୟମ କରିବା ଆବଶ୍ୟକ। ହୁଏତ ଏହାର ଦ୍ଵିତୀୟ ଭାଗରେ ସେ ଉପରୋକ୍ତ ବିଷୟକୁ ଉପସ୍ଥାପନ କରିପାରିବେ।

              ଜୟନ୍ତ ମହାପାତ୍ରଙ୍କ ଉପରେ ଏକ ଭଲ ବୃତ୍ତଚିତ୍ର ଆମକୁ ଉପହାର ଦେଇଥିବାରୁ ଏହାର ନିର୍ଦ୍ଦେଶକ ବିଶ୍ଵେଶ୍ଵର ଦାଶ ଓ ତାଙ୍କର ସମସ୍ତ ସାଥିଙ୍କୁ ଧନ୍ୟବାଦ।

ମୋବାଇଲ: ୯୪୩୭୭୬୨୨୭୨