Tuesday, October 9, 2018

ଇନ୍ଦ୍ରଧନୁର ରଙ୍ଗ



          ଆମ ସମାଜର ଏକ ବଦ୍ଧମୂଳକ ଧାରଣା ରହି ଆସିଛି ଯେ ନାରୀ ଓ ପୁରୁଷ ମଧ୍ୟରେ ପ୍ରେମ ହେଲେ ବିବାହ କରିନେବା ଜରୁରୀ ଓ ବିବାହ ହୋଇଗଲା ପରେ ନିଜର ଉତ୍ତରାଧିକାରୀ ଭାବରେ ସନ୍ତାନ ଜନ୍ମଦେବା ନିହାତି ଜରୁରୀ ଏହି ପ୍ରେମ-ବିବାହ-ସନ୍ତାନଉତ୍ପତ୍ତି ଭଳି ପିଢୀ ପିଢୀର ରୂଢିବାଦୀ ପରମ୍ପରା ମଧ୍ୟରେ ଅଧିକାଂଶ ମଣିଷ ଏତେ ବେଶି ଦ୍ରବିଭୂତ ଯେ ଏହାର ବାହାରେ ଅନ୍ୟ କୌଣସି ବି ସମ୍ବନ୍ଧକୁ ସେମାନେ ଗ୍ରହଣ କରିବାକୁ ନାରାଜ ସୁପ୍ରିମ କୋର୍ଟଙ୍କ ଭାରତୀୟ ଦଣ୍ଡ ବିଧି ଆଇନର ଧାରା 377 ର ଉଚ୍ଛେଦକୁ ସମାଲୋଚନା କରାଯିବା ଆମ ସମୟର ବରଂ ଏହି ରୂଢିବାଦୀ ମାନସିକତାର ପରିଚୟ ସେହି ସମାଲୋଚକଙ୍କ ମଧ୍ୟରେ ଉଭୟ କମ୍ୟୁନିଷ୍ଟ ଓ ଦକ୍ଷିଣପନ୍ଥୀ ବିଚାରର ଲୋକେ ମଧ୍ୟ ଅଛନ୍ତି ସମସ୍ତଙ୍କୁ ଭୟ ମାଡି ବସିଛି ଯେ ଯଦି ସମଲିଙ୍ଗି ସମ୍ପର୍କକୁ ବହୁ ଲୋକ ଆବୋରି ନିଅନ୍ତି ତେବେ ମଣିଷ ସଭ୍ୟତା ଧ୍ଵଂସ ପାଇଯିବ
          ଯୁକ୍ତି କରାଯାଏ ଯେ ପ୍ରକୃତି ମଣିଷ ରୂପରେ ଦୁଇଟି ଜୀବ, ପୁରୁଷ ଓ ନାରୀ, ସୃଷ୍ଟି କରିଛି ଯାହାଦ୍ୱାରା ସନ୍ତାନ ଉତ୍ପତ୍ତିର କ୍ରମଧାରା ବଜାୟ ରହିପାରିବ (ଜାତି ପ୍ରଥାର କଥା ଆସିଲେ ଏହାର ସମର୍ଥନରେ ସେମାନେ ପୁଣି ଭିନ୍ନ ଯୁକ୍ତି କରିଥାନ୍ତି ) ଓ ଏହା ଦ୍ଵାରା ମଣିଷ ସଭ୍ୟତା ଆଉ ଲୋପ ନପାଇଯାଇ ଯୁଗ ଯୁଗ ଧରି ବଞ୍ଚି ରହିପାରିବ ତେଣୁ ଏଭଳି ଯୁକ୍ତି କରୁଥିବା ବ୍ୟକ୍ତି ମନେକରେ ଯେ ଯଦି ଦୁଇ ଜଣ ନାରୀ ଅଥବା ଦୁଇ ଜଣ ପୁରୁଷ ଏପରିକି କେହି ତୃତୀୟ ଲିଙ୍ଗୀ ନିଜର ଯୌନ ଆକାଂକ୍ଷା ପୂରଣ ଲାଗି ନିଜ ନିଜର ପସନ୍ଦର ସାଥି ବାଛିଥାନ୍ତି ତେବେ ସେଭଳି ସମ୍ବନ୍ଧରୁ ଯେହେତୁ କୌଣସି ସନ୍ତାନ ଉତ୍ପତ୍ତି ହୋଇପାରିବ ନାହିଁ ତେଣୁ ଏହା ଅପ୍ରାକୃତିକ ଓ ଅଯୌକ୍ତିକ ଯେହେତୁ ସମାଜର ଏକ ବଡ ଭାଗ ଏହାକୁ ଅପ୍ରାକୃତିକ ମନେକରୁଥିଲା ତେଣୁ ଭାରତୀୟ ଆଇନର ଧାରା 377 ଅନୁସାରେ ଏହାକୁ ଏକ ଦଣ୍ଡନୀୟ ଅପରାଧ ଭାବରେ ଗଣା ଯାଇ 10 ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଥିଲା ଏହା ଏକ ଔପନିବେଶିକ ଆଇନ ଓ ଏହି ଧାରାର ପ୍ରତ୍ୟାହାର ଲାଗି ବହୁ ପୂର୍ବରୁ ଦାବୀ ହୋଇଆସୁଥିଲେ ମଧ୍ୟ ରୂଢିବାଦୀ ମାନସିକତାର ପ୍ରାବଲ୍ୟ ଉଭୟ ସମାଜରେ ଓ ପାର୍ଲ୍ୟାମେଣ୍ଟ ମଧ୍ୟରେ ରହିଥିବା ହେତୁ ସ୍ଵାଧୀନତା ପରେ ମଧ୍ୟ ଉକ୍ତ ଆଇନକୁ କାଏମ ରଖାଯାଇଥିଲା ଏହି ଆଇନ ହେତୁ ସର୍ବାଧିକ ଭାବରେ କ୍ଷତିଗ୍ରସ୍ତ ହୋଇଆସୁଥିଲେ ଆମ ସମାଜର ତୃତୀୟ ଲିଙ୍ଗୀ ସମୁଦାୟ ଯାହାଙ୍କୁ ବିଭିନ୍ନ ନାମରେ ବିଭିନ୍ନ ସ୍ଥାନରେ ବହୁ ନିଚ୍ଚ ଶବ୍ଦରେ ଆକ୍ଷେପ କରାଯାଇଆସୁଛି ଏପରିକି ପୁଲିସ ମଧ୍ୟ ଏହି ଆଇନ ବଳରେ ସେମାନଙ୍କୁ ଗିରଫ କରିବାର ବହୁ ଦୃଷ୍ଟାନ୍ତ ବିଭିନ୍ନ ସହରମାନଙ୍କରେ ଦେଖାଯାଏ ତୃତୀୟ ଲିଙ୍ଗୀମାନଙ୍କର ଯେ ଯୌନ ଇଚ୍ଛା ରହିପାରେ ସେକଥାକୁ କିନ୍ତୁ ସମାଜ ସ୍ଵୀକାର କରିବାକୁ ନାରାଜ ସେହି ଭଳି ହୁଏତ କୌଣସି ନାରୀର ଅନ୍ୟ ଏକ ନାରୀ ପ୍ରତି ଅଥବା ପୁରୁଷର ପୁରଷପ୍ରତି ସ୍ଵାଭାବିକ ପ୍ରେମ ଘଟିପାରେ କିନ୍ତୁ ଆମ ସମାଜ ଏହାକୁ ଅପ୍ରାକୃତିକ ଭାବରେ ଦେଖିବାକୁ ଲାଗିଲା ବୋଧ ହୁଏ ଏଥିଲାଗି ଅରୁନ୍ଧତୀ ରାୟ ନିଜର ନୂତନ ଉପନ୍ୟାସ The Ministry of Utmost Happiness ତୃତୀୟ ଲିଙ୍ଗୀ ଅଞ୍ଜୁମ ମାଧ୍ୟମରେ ତାର ପ୍ରେମ, ବ୍ୟର୍ଥତା, ଆତ୍ମହତ୍ୟା ଉଦ୍ୟମ ସାଙ୍ଗକୁ ତାର ଲିଙ୍ଗଭେଦ କିପରି ତାର ରାଜନୈତିକ ମତ୍ତାଦର୍ଶ ତିଆରି କରିଛି ତାହାକୁ ଦର୍ଶାଇଛନ୍ତି
          କେତେକ ମଣିଷର ନିଜସ୍ଵ ଇଚ୍ଛା ଉପରେ ସର୍ବଦା ସମାଜ ଅଯଥା ହସ୍ତକ୍ଷେପ କରିଆସିଛି ଯେଉଁଥିପାଇଁ ବେଶ କେତେକଙ୍କୁ ଜୀବନ ମଧ୍ୟ ଦେବାକୁ ପଡିଛି ସମଲିଙ୍ଗି ସମ୍ପର୍କ ଏଥିରୁ ବାଦ ଯାଇନାହିଁ ମୁଁ ମୋର ଏକ ଅନୁଭୂତିର କଥା ଏଠାରେ ଉଲ୍ଲେଖ କରିବା ଉଚିତ ମନେକରୁଛି 1998-99 ମସିହାର ଏକ ଘଟଣା କଟକ ଜିଲ୍ଲା କିଶନ ନଗର ଅଞ୍ଚଳରେ ପରିବାର ଲୋକେ ପ୍ରାପ୍ତ ବୟସ୍କା ବବିତା (ଛଦ୍ମନାମ) ଓ ମମତା (ଛଦ୍ମନାମ)ଙ୍କ ସମ୍ପର୍କକୁ  ସନ୍ଦେହ କରିବା ହେତୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ବାଦ ଖବରକାଗଜରେ ପ୍ରକାଶିତ ହୁଏ ମୁଁ ମୋର ଜଣେ ସାଥିଙ୍କ ସହିତ ଉକ୍ତ ଅଞ୍ଚଳ ଯାଇ ଉଭୟଙ୍କ ପରିବାର ସଦସ୍ୟ, ସ୍ଥାନୀୟ ଶିକ୍ଷକ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଭେଟିଥିଲି ଆମେ ଯିବା ଭିତରେ ମମତାର ମୃତ୍ୟୁ ଘଟିଥାଏ ଓ ବବିତା ଚିକିସ୍ଛିତ ହେଉଥାନ୍ତି ଉଭୟ ପରିବାର ଓ ସାହି ପଡିଶା ଉଭୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରିନେଇଥିଲେ ମଧ୍ୟ ମମତାର ଜେଜେ ବାପା ଏହାକୁ ସ୍ତ୍ରୀ-ସମଲିଙ୍ଗି ସମ୍ପର୍କ କହି ଉଭୟଙ୍କୁ ଅଲଗା କରିବା ପାଇଁ ବବିତାର ପରିବାର ଉପରେ ଚାପ ପକାଇଥିଲେ ଯେଉଁଥିପାଇଁ କଥା ପୁଲିସ ପର୍ଯ୍ୟନ୍ତ ଯାଇଥିଲା ନିଜକୁ ଅଲଗା କରାଯାଉଥିବା ଜାଣିବା ପରେ ଉଭୟ ବବିତା (ଯିଏ କଟକରେ ଏକ ଚାକିରି ମଧ୍ୟ କରିଥିଲେ) ଓ ମମତା ଅକ୍ଟୋବର 1998ରେ ନିଜେ ଏକ ପାର୍ଟନରସିପ ଚୁକ୍ତି ନିକଟସ୍ଥ ନୋଟାରି ପାଖରେ କରିନେଇଥିଲେ ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ଉଭୟ ଜୀବନ ସାରା ସାଥି ହୋଇ ରହିବେ ଏବଂ ବିଧବା, ଦୁଃଖୀ ମହିଳାମାନଙ୍କୁ ସହଯୋଗ କରିବେ ତା ପରେ ବି ଯେବେ ମମତାକୁ ତାର ପରିବାର ଲୋକେ ଅଲଗା କରିବା ଲାଗି ଉଦ୍ୟମ କଲେ ସେତେବେଳେ ଉଭୟ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିଥିଲେ ବବିତାର କୋଠରିରେ ଉଭୟେ ଦିନେ ଏକ ବ୍ଲେଡରେ ନିଜ ହାତର କଚଟି ନିଜେ ନିଜେ କାଟି ଦେଇଥିବା ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେତୁ ମମତାର ମୃତ୍ୟୁ ଘଟିଥିଲା ଓ ବବିତାର ଚିକିସ୍ଛା ଚାଲିଥିଲା ଆମ ସମାଜର ରକ୍ଷଣଶୀଳ ମନୋଭାବ କେବଳ ଜଣେ ନାରୀକୁ ଅଯଥା କାରଣରୁ ହରାଇଲା ତାହା ନୁହେଁ ଉଭୟଙ୍କ ମିଳିତ ଉଦ୍ୟମରେ ହୁଏତ କିଛି ସାମାଜିକ କାର୍ଯ୍ୟ ହୋଇପାରିଥାନ୍ତା ଓ ବେଶ କିଛି ଲୋକ ହୁଏତ ଯେଉଁ ଉପକାର ପାଇପାରିଥାନ୍ତେ ତାହା ମଧ୍ୟ ହୋଇପାରିଲା ନାହିଁ ଆମ ସମାଜର ଏହି ରକ୍ଷଣଶୀଳ ରୂଢିବାଦୀ ମନୋଭାବ ପୋଷଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମମତାର ଆତ୍ମହତ୍ୟା ପାଇଁ ଦାୟୀ ଯାହାକୁ ସେମାନେ କେହି ହୁଏତ ସ୍ଵୀକାର କରିନପାରନ୍ତି ଯଦି ଆଜିର ସ୍ଥିତି ହୋଇଥାନ୍ତା ଅଥବା ସୁପ୍ରିମ କୋର୍ଟ 20 ବର୍ଷ ତଳେ ଏପରି ରାୟ ଯଦି ଶୁଣାଇଥାନ୍ତେ ତେବେ ହୁଏତ ଉଭୟ ଏକ ନିଶ୍ଚିତ ଜୀବନ ବିତାଇପାରିଥାନ୍ତେ
          ଯଦି ଆମର ଲୋକକଥା, ପୌରାଣିକ ଗ୍ରନ୍ଥ ଓ ମନ୍ଦିରର କାରୁକାର୍ଯ୍ୟକୁ ଦେଖିବା ତେବେ ଭାରତୀୟ ସମାଜ ଏହି ପ୍ରେମ ସଂପର୍କକୁ ଏକ ସ୍ଵାଭାବିକ କ୍ରିୟା ଭାବରେ ଗ୍ରହଣ କରିଆସିଛି ଯଦି ଏହାକୁ ଅପ୍ରାକୃତିକ ଭାବରେ ନିଆଯାଇଥାନ୍ତା ତେବେ ବାସ୍ଛାୟନଙ୍କ “କାମସୂତ୍ର” ହେଉ ଅଥବା ଚରକ ମୁନୀଙ୍କ ରଚିତ “ଚରକ ସଂହିତା”ରେ ସକାରାତ୍ମକ ଭାବରେ ଏ ସମ୍ପର୍କରେ ଉଲ୍ଲେଖ  ରହିନଥାନ୍ତା ଏପରିକି ମନ୍ଦିର କାରୁକାର୍ଯ୍ୟରେ  ଆମ୍ଭେମାନେ ଠାଏ ଠାଏ ସ୍ତ୍ରୀ-ସମଲିଙ୍ଗି ସମ୍ପର୍କର ଯୌନଚିତ୍ର ଦେଖିବାକୁ ପାଇଥାଉ ରାଜାମାନଙ୍କ ଦ୍ଵାରା ତିଆରି ହୋଇଥିବା ଏହି ମନ୍ଦିର ସେହି ସବୁ ଚିତ୍ର ଆମକୁ ସୂଚାଉନାହିଁ କି ଯେ ସେ ସମୟର ସମାଜ ସତରେ ସମଲିଙ୍ଗି ସମ୍ପର୍କ ପ୍ରତି ଏତେ ବିରୋଧ ପ୍ରକାଶ କରୁନଥିଲା ଯାହା ବରଂ ବର୍ତ୍ତମାନର ତଥାକଥିତ ଗଣତାନ୍ତ୍ରିକ ସମାଜ କରୁଛି ! ମଣିଷ ସମାଜ ବୋଧହୁଏ ଅଧିକରୁ ଅଧିକ ରୂଢିବାଦୀ ଚିନ୍ତାଧାରା ଆଡକୁ ମୁହାଁଉଛି
          ସମ୍ବିଧାନର ଧାରା 15 (1) ଓ (2)ରେ ଉଲ୍ଲେଖ ରହିଛି ଯେ ରାଷ୍ଟ କୌଣସି ନାଗରିକକୁ ତାର ଧର୍ମ, ଜାତି ଓ ଲିଙ୍ଗ ଇତ୍ୟାଦି ଆଧାରରେ ଭେଦଭାବ କରିପାରିବ ନାହିଁ ସୁପ୍ରିମ କୋର୍ଟ ସମ୍ବିଧାନର ଏହି ଧାରା 15କୁ ବ୍ୟାଖ୍ୟା କରି ଧାରା 377 ପରିସରକୁ ସଙ୍କୁଚିତ କରିଦେଲେ ସୁପ୍ରିମ କୋର୍ଟ ଏହା ଦର୍ଶାଇଲେ ଯେ ସମଲିଙ୍ଗି, ବିଷମଲିଙ୍ଗି ଅଥବା ଉଭୟଲିଙ୍ଗି ସମ୍ପର୍କ ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାକୁ ମଣିଷ ନିଜେ ଜାଣିକରି ସ୍ଥିର କରିନଥାଏ ମୁଁ ଯାହା ସେୟା ହିଁ ମୁଁ ଓ ମୁଁ ଯାହା ଅଛି ତାହାକୁ ହିଁ ସେହିପରି ଗ୍ରହଣ କରିନିଆଯାଉ”, ସୁପ୍ରିମ କୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ନିଜ ରାୟରେ ସେକ୍ସପିୟରଙ୍କ ରୋମୀୟ ଜୁଲିଏଟ ଡ୍ରାମାର ଏହି ପ୍ରସିଦ୍ଧ ଡାଇଲାଗକୁ ଉଦୃତ କରି ନିଜ ରାୟରେ ପୁନଶ୍ଚ ଲେଖନ୍ତି, “କୌଣସି ବି ବ୍ୟକ୍ତିର ତାର ବ୍ୟକ୍ତିସତ୍ତା ଲାଗି ତା ନିଜର ପ୍ରାକୃତିକ ପରିଚୟ ସୁରକ୍ଷିତ ରହିବା ନିତାନ୍ତ ଆବଶ୍ୟକ ... ବ୍ୟକ୍ତିର ସେହି ପ୍ରାକୃତିକ ପରିଚୟକୁ ଏଥିଲାଗି ସମ୍ମାନିତ କରାଯିବା ଆବଶ୍ୟକ ନା କୌଣସି ପ୍ରକାରରେ ଅସମ୍ମାନିତ କରାଯିବ ନା ନିଚ୍ଚ କରିଦେଖାଯିବ ” ସୁପ୍ରିମ କୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ଉକ୍ତ ମଣିଷର ମୌଳିକ ଅଧିକାରର ଖିଲାପ କରୁଥିବା ହେତୁ ଧାରା 377କୁ ଏକ “କଳ୍ପନା ପ୍ରସ୍ତୁତ”, “ଅଣ ପ୍ରତିରକ୍ଷାତ୍ମକ” ଓ “ମନମୁଖୀ” ଆଇନ ଦର୍ଶାଇ ଏହାକୁ ସୀମିତ କରିଦେଇଛନ୍ତି କୋର୍ଟଙ୍କ ଦୃଷ୍ଟିରେ ଏଣିକି ଛୋଟ ପିଲା ଅଥବା ପଶୁ ସହିତ ସଂପର୍କକୁ କେବଳ ଅପ୍ରାକୃତିକ ଧରାଯାଇ ଦଣ୍ଡିତ କରାଯିବ ନୋଚେତ, କୌଣସି ପ୍ରାପ୍ତ ବୟସ୍କ ଦୁଇ ବ୍ୟକ୍ତି ନିଜର ସହମତିରେ ଯଦି ସେମାନେ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ତେବେ ସେମାନଙ୍କ ବେଡରୁମରେ ସେମାନେ କଣ କରୁଛନ୍ତି ସେଥିରେ ରାଷ୍ଟ୍ରର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ଏଠାରେ କୋର୍ଟ ଗଲା ବର୍ଷ ନାଗରିକର ନିଜସ୍ଵ ଅଧିକାରକୁ (Right to privacy) ଏଠାରେ ମଧ୍ୟ ଦୋହରାଇଛନ୍ତି
          ପ୍ରତ୍ୟେକ ମଣିଷର ଭୋକ, ନିଦ୍ରା ଓ ଶୋଷ ଭଳି ଯୌନଇଚ୍ଛା ଏକ ସ୍ଵାଭାବିକ ଇଛା ଏହାକୁ ଧାର୍ମିକ ସଂଗଠନମାନେ ଓ ଧାର୍ମିକବ୍ୟକ୍ତି ବିଶେଷ କେବେ ବ୍ରହ୍ମଚର୍ଯ୍ୟ ତ ପୁଣି କେବେ ସନ୍ତାନ ଉତ୍ପତ୍ତି ହିଁ ବିବାହର ଉଦ୍ଦେଶ୍ୟ ଦର୍ଶାଇ ମଣିଷର ଏହି ସ୍ଵାଭାବିକ ଇଚ୍ଛାକୁ କଦର୍ଥ କରିଚାଲିଛନ୍ତି ଆଜି ଧାରା 377ର ଉଛେଦ ପାଇଁ କୋର୍ଟଙ୍କ ରାୟ ବିପକ୍ଷରେ ଯୁକ୍ତି କରାଯାଉଛି ଯେ ସମସ୍ତେ ଯଦି ସମଲିଙ୍ଗି ସମ୍ପର୍କ ଆଡକୁ ଯିବେ ତେବେ ମଣିଷ ସଭ୍ୟତା ନଷ୍ଟ ହୋଇଯିବ ମାତ୍ର ସମସ୍ତେ ଯିବେ କି ନାହିଁ ତାହା ଘଟିବା ଆଗରୁ ଆଜିର ଅଧିକାଂଶ ଶିକ୍ଷିତ ବିବାହିତ ଯୁବପୀଢି ପରସ୍ପରର ଦ୍ଵନ୍ଦ, ଯୁକ୍ତି ଓ ଅଶାନ୍ତି ମଧ୍ୟରେ ଏକ ମାତ୍ର ସନ୍ତାନ ଜନ୍ମ ଦେଉଛନ୍ତି (ଓ ତାହା ପୁଣି ପୁଅଟିଏ ହେଲେ ଭଲ) ଓ ଛୁଆ ନହେବା ଲାଗି ଅସ୍ତ୍ରୋପ୍ରଚାର କରିନେଉଛନ୍ତି ନୂଆ ପୀଢିର ଏହି ପିତା ମାତାଙ୍କ କହିବା ହେଲା ଛୁଆ ଜନ୍ମ କରିବା ଏକ ଖର୍ଚ୍ଚ ବହୁଳ ବ୍ୟାପାର ସେହିପରି ଛୁଆକୁ ଉପଯୁକ୍ତ ଶିକ୍ଷା ଦେବା ଅର୍ଥ ନିଜେ ନିଃସ୍ଵ ହୋଇଯିବା ସହିତ ସମାନ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ ପରିବାରର ଭବିଷ୍ୟତ ଲାଗି ଶଙ୍କା ଓ ଭୟ ଆଣିସାରିଛି କିଛି ବର୍ଷ ପରେ ଜନସଂଖ୍ୟାର ବୃଦ୍ଧି ବଦଳରେ ହ୍ରାସ ହୁଏତ ଘଟିପାରେ ଏହା ଆଜି ଏକ ଧ୍ଵଂସର ରାସ୍ତାରେ ସମାଜକୁ ଆପେ ଆପେ ପହଞ୍ଚାଇ ସାରିଲାଣି ତାହାକୁ କେମିତି ଆଲୋଚକମାନେ ଅଣଦେଖା କରିପାରୁଛନ୍ତି ?
ଯେଉଁ ସମାଜ ଯେତେ ମୁକ୍ତ ବିଚାର ଆଧାରିତ ହେବ ଓ ବ୍ୟକ୍ତିଗତ ସମ୍ବନ୍ଧକୁ ଯେତେ କମ ଗୁରୁତ୍ଵ ଦେବ ସେହି ସମାଜ ସେତେ ବେଶୀ ସର୍ଜନଶୀଳ ବ୍ୟକ୍ତି ବିଶେଷ ତିଆରି କରିପାରିବ ନିଜ ପ୍ରେମ ସଂପର୍କକୁ ନେଇ ସର୍ବଦା ଏକ ଶଙ୍କା ଓ ଭୟ ମଧ୍ୟରେ ରହୁଥିବା ବ୍ୟକ୍ତି କ୍ଵଚିତ ସର୍ଜନଶୀଳ ହୋଇପାରିବ ସେଭଳି ସମାଜ କଦାପି ନୂତନ ବିଚାରକୁ ଜନ୍ମ ଦେଇ ପାରିବ ନାହିଁ ଆଜିର ସାହିତ୍ୟ ସେହି ଭଞ୍ଜୀୟ ପ୍ରେମରେ ଉବୁଟୁବୁ ହୋଇ ପ୍ରେମ କବିତା ଓ ଗଳ୍ପ ରଚନା କରିପାରିଲା ଭଳି ଯଦି ଆମ ସମାଜ ମୁକ୍ତ ବିଚାରଯୁକ୍ତ ହୁଏ ତେବେ ଆସନ୍ତାକାଲି ଆମର ସମାଜ ହୁଏତ ସେହି କଳାତ୍ମକ ଢଙ୍ଗରେ ସମଲିଙ୍ଗି ସାହିତ୍ୟ ଅଥବା ଅନେକ କିଛି ନୂଆ ସାହିତ୍ୟ ତିଆରି କରିପାରିବ ସମଲିଙ୍ଗି ବ୍ୟକ୍ତିବିଶେଷ ଓ ତୃତୀୟ ଲିଙ୍ଗୀ ବ୍ୟକ୍ତି ଅଯଥା ନିଜର ଯୌନଇଚ୍ଛାକୁ ନେଇ ଏକ ଅପରାଧୀର ଜୀବନ ବିତାଇବା ବଦଳରେ ଅନ୍ୟମାନଙ୍କ ଭଳି ଯଦି ଏକ ସ୍ଵାଧୀନ ଜୀବନ ବିତାଇପାରନ୍ତି ତେବେ ହୁଏତ ସେମାନେ ନିଜର ଜ୍ଞାନ କୌଶଳ ଦ୍ଵାରା ସାହିତ୍ୟ, କ୍ରୀଡା, ବିଜ୍ଞାନ, ଫିଲ୍ମ ଓ ମନୋରଞ୍ଜନ ଇତ୍ୟାଦି କ୍ଷେତ୍ରରେ ଅନେକ କିଛି ଏହି ସମାଜକୁ ଦାନ କରିପାରନ୍ତି  ସେଭଳି ଏକ ପରିବେଶ ସୃଷ୍ଟି କରିବା ଲାଗି ସମସ୍ତଙ୍କୁ ରୂଢିବାଦୀ ମାନସିକତାରୁ ଉଠି ଏହାକୁ ଗ୍ରହଣ କରିନେବା ଆବଶ୍ୟକ ଓ ଏଥିରେ ହିଁ ସମାଜର ମଙ୍ଗଳ ରହିଛି ତେବେ ଯାଇ ଆମ ସମାଜରେ ଯେ ପ୍ରତ୍ୟେକ ବ୍ୟକ୍ତିର ମାନବିକ ଅଧିକାର ସୁରକ୍ଷିତ ରହିଛି ତାହା ଆମେ ଦୃଢତାର ସହିତ କହିପାରିବା
---
ଦେବ ରଞ୍ଜନ 
ସାଧାରଣ ସମ୍ପାଦକ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା
ଇମେଲ : gassbhubaneswara@gmail.com     
         

Thursday, September 13, 2018

ରାଜ୍ୟର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ କାର୍ପଣ୍ୟ


ରାଜ୍ୟର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ କାର୍ପଣ୍ୟ 
ଦେବ ରଞ୍ଜନ
ସରକାର ଓ ପ୍ରାଇଭେଟ କମ୍ପାନୀମାନଙ୍କ ମଧ୍ୟରେ ଥିବା ଗୋପନ ବୁଝାମଣାର ଅନ୍ୟ ଏକ ଉଦାହରଣ ହେଉଛି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ଅର୍ଥନୀତିର ସାଧାରଣ ସୂତ୍ର ଅନୁସାରେ ଶ୍ରମିକର ନିମ୍ନ ହାରରେ ମଜୁରୀ ମାଲିକଙ୍କୁ ଅଧିକ ହାରରେ ଲାଭ ଦେଇଥାଏ ସରକାରୀ ନୀତି ଯଦି ନିମ୍ନହାରର ମଜୁରୀକୁ ଆଇନ ସମ୍ମତ କରିଦିଏ ତେବେ ତାହା ମାଲିକ ଲାଗି ଅଧିକ ସହଜ ହୋଇଥାଏ ଓଡିଶା ରାଜ୍ୟର ସର୍ବନିମ୍ନ ମଜୁରୀ ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ କମ ରହିବା ଓ ପ୍ରତି 4 ବର୍ଷରେ ଥରେ ଏହାର ବୃଦ୍ଧି ଘଟିବା ଆମର ଧାରଣାକୁ ଦୃଢ କରୁଛି ଭାରତ ସରକାରଙ୍କ ସର୍ବନିମ୍ନ ମଜୁରୀ ନିୟମ, 1948 ଅନୁସାରେ ଯେତେବେଳେ ସରକାର ଚାହିଁବେ ସର୍ବନିମ୍ନ ମଜୁରୀ ପୁନଃ ନିର୍ଦ୍ଧାରଣ କରିପାରିବେ ଅର୍ଥାତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଜ୍ୟ ଅର୍ଥନୀତିର ମୁଦ୍ରା ସ୍ଫୀତି ଅନୁସାରେ ବଢୁଥିଲା ବେଳେ ଅସଂଗଠିତ କ୍ଷେତ୍ରରେ ଥିବା ଶ୍ରମିକଙ୍କ ମଜୁରୀରେ ଦୀର୍ଘ ବର୍ଷ ସ୍ଥିର ରହିବା ଓ କୌଣସି ଆଖିଦୃଶିଆ ପରିବର୍ତ୍ତନ ନଘଟିବା ପଛରେ ଏକ ନ୍ୟସ୍ତ ସ୍ଵାର୍ଥ ନିଶ୍ଚିତ ରହିଛି  ଏହା ଶ୍ରମିକକୁ ଅଧିକରୁ ଅଧିକ ଦରିଦ୍ର କରିଦେଉଛି ଏହାର ପରିଣାମ ଆଜି ଧାନ ମିଲ, ଯାନବାହାନ ଚାଳକ, ନିର୍ମାଣ ଶିଲ୍ପ, ହୋଟେଲରେ କାମ କରୁଥିବା ଶ୍ରମିକ ତଥା ଅଙ୍ଗନୱାଡ଼ି ଶ୍ରମିକ, ଶିକ୍ଷା କର୍ମୀ, ଗାଁ ସାଥୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦୈନଦିନ ଜୀବନ ଉପରେ ସିଧାସଳଖ ପଡୁଛି
            ଶେଷଥର ପାଇଁ ଗଲା 2015 ମସିହା ମେ ମାସରେ ରାଜ୍ୟସରକାର ସର୍ବନିମ୍ନ ମଜୁରୀ କାର୍ଯ୍ୟକାରୀ କରିଥିଲେ । ଏହା ପୂର୍ବରୁ 2011 ମସିହାରେ ଘୋଷଣା କରାଯାଇଥିଲା ନୂତନ ମଜୁରୀ ଏବେ ଅଗଷ୍ଟ 2018 ମସିହାରେ ସ୍ଥିର ହୋଇଥିଲେ ମଧ୍ୟ ସରକାରୀ ଘୋଷଣାନାମା ଆସିବାକୁ ବାକି ଅଛି ଏବେ ଶ୍ରମିକ 2015 ମସିହାର ଘୋଷଣା ଅନୁସାରେ ସେହି ବର୍ଷଠାରୁ ଅଗଷ୍ଟ 2018 ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ଦୈନିକ 210 ଟଙ୍କା ପାଇଆସୁଛି ଅଥଚ ଖାଦ୍ୟ, ଗୃହ, ପେଟ୍ରୋଲ ତଥା ବସ୍ତ୍ରର ଦରଦାମ ବର୍ଷକୁ 6.67 % ହାରରେ ଗଲା ଚାରି ବର୍ଷ ମଧ୍ୟରେ ବୃଦ୍ଧି ଘଟିଛି ଯେଉଁ ଶ୍ରମିକ 210 ଟଙ୍କାରେ ଯେତିକି ଜିନିଷ 2015ରେ କିଣୁଥିଲା 2018ରେ ତାହାଠାରୁ ଯଥେଷ୍ଟ କମ ଖାଦ୍ୟ ଓ ବସ୍ତ୍ର କିଣୁଥିବ ଏହା ଶ୍ରମିକକୁ ଗରିବରୁ ଅଧିକ ଗରିବ କରୁନାହିଁ କି? ଏହି ହେତୁ ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁ ଗ୍ରାମରେ ଯୁବ ମଡକ ପଡିଯାଇଛି । ଯୁବ ଶ୍ରମିକ ବର୍ଗ ପାଇଁ ଆଜି ପଡୋଶୀ ରାଜ୍ୟ ଅଧିକ ସୁରକ୍ଷିତ ସ୍ଥାନ ପାଲଟିଛି ମାତ୍ର ସ୍ଥିତିକୁ ନବୁଝି ମଧ୍ୟବିତ୍ତ ବୁଦ୍ଧିଜୀବୀମାନେ ଶ୍ରମିକର ଆଉ ଶ୍ରମ କରିବାର ଆଗ୍ରହ ନଥିବା କଥା କହି ଶ୍ରମିକକୁ ଦୋଷ ଦେଇଚାଲିଛନ୍ତି
            ଦୈନିକ ମଜୁରୀରେ କ୍ରମାଗତ ବୃଦ୍ଧି ନଘଟିବା ପ୍ରକୃତରେ ରାଜ୍ୟର ଛୋଟ ବଡ କାରଖାନା, ଧାନମିଲ, ସିକ୍ୟୁରିଟି ସଂସ୍ଥା, ନିର୍ମାଣ ସଂସ୍ଥା, ହୋଟେଲ ଇତ୍ୟାଦି ଶିଳ୍ପସଂସ୍ଥାକୁ ସାହାଯ୍ୟ କରୁଛି ରାଜ୍ୟରେ ବର୍ତ୍ତମାନ ଥିବା ଏମିତି କୌଣସି ବହୁରାଷ୍ଟ୍ରୀୟ ଉଦ୍ୟୋଗ ନାହିଁ ଯିଏ ଠିକା ଶ୍ରମିକ ନିଯୁକ୍ତ କରୁନାହାନ୍ତି ସେମାନେ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ହିଁ ନିଜର ନିର୍ମାଣ ସମୟରେ ଓ ଉତ୍ପାଦନ କ୍ଷେତ୍ରରେ ସ୍ଥାନୀୟ ଶ୍ରମିକକୁ ଦେଉଛନ୍ତି ସମସ୍ତେ ଚର୍ଚ୍ଚା କରିଥାନ୍ତି ରାଜ୍ୟର ଅଭିବୃଦ୍ଧି ହାରରେ (ଜିଡ଼ିପି) ଉନ୍ନତି ଆଣିବା ସମ୍ପର୍କରେ । ରାଜ୍ୟରେ କୃଷି କ୍ଷେତ୍ରରେ ବର୍ଷକୁ 2 ରୁ 3 % ବୃଦ୍ଧି ଘଟିଲେ, ଶିଲ୍ପ କ୍ଷେତ୍ରରେ ତାଠାରୁ ଅଧିକ ଅର୍ଥାତ 5.72% ଓ ସର୍ଭିସେସ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି (10.7%) ରାଜ୍ୟର ହାରାହାରି ଅଭିବୃଦ୍ଧି ହାର 623% ହୋଇଛି ବୋଲି ବିଭିନ୍ନ ପରିସଙ୍ଖ୍ୟାନରେ କୁହାଯାଉଛି ମାତ୍ର ଆମ ଅର୍ଥନୀତିର ବିଡମ୍ବନା ହେଲା ଯେ ଏହି ଅଭିବୃଦ୍ଧିର ଶ୍ରେୟ କଦାପି ଶ୍ରମିକକୁ ଦିଆ ଯାଇନଥାଏ ଯିଏ କି ପ୍ରାଥମିକ ଭାବରେ ଦାୟୀ । ବାକି କଞ୍ଚାମାଲ ଯୋଗାଣ ଓ ଟିକସର ତାରତମ୍ୟ ଏହାର କାରଣ ହୋଇପାରେ ଯଦି ରାଜ୍ୟ ସରକାରଙ୍କ ଏହି ଶ୍ରେୟ ଦେବାର ମାନସିକତା ରହିଥାନ୍ତା ତେବେ ସେହି ଅନୁପାତରେ ମଜୁରୀରେ ନିଶ୍ଚେ ବୃଦ୍ଧି କ୍ରମାଗତ ଭାବରେ ମହଙ୍ଗା ଭତ୍ତା ସଦୃଶ ବଢିଥାନ୍ତା ଅବଶ୍ୟ ସରକାରଙ୍କ ଏହି ଅମନଯୋଗୀତା ପଛରେ ଶ୍ରମିକ ସଂଗଠନ ଓ ବାମପନ୍ଥୀ ରାଜନୈତିକ ଦଳର ସମର୍ଥନ ରହିଛି ନିଜର ରାଜନୈତିକ ମହାତ୍ତ୍ଵାକାଂକ୍ଷା ପାଇଁ ଶ୍ରମିକର ସ୍ଵାର୍ଥ ବଳି ପଡୁଛି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ବୋର୍ଡରେ ଥିବା ଟ୍ରେଡ ଯୁନିଅନର ନେତୃବର୍ଗ ଏ ଦିଗରେ ନିଶ୍ଚିତ ରୂପେ ଦାୟୀ ।
            ଅବଶ୍ୟ ମଜୁରୀ ବଢିବା ପୁଞ୍ଜିବାଦୀ ଅର୍ଥନୀତିର ଏକ ସ୍ଵାଭାବିକ ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ସମୟରେ ଯେଉଁଠି ଅତ୍ୟାଧୁନିକ ଆଧୁନିକ ଯନ୍ତ୍ରପାତୀ ବ୍ୟବହ୍ରୁତ ହେଉଛି ସେଭଳି କାରଖାନା ବା କାର୍ଯ୍ୟକ୍ଷେତ୍ରରେ ଅତି କୁଶଳୀ ଶ୍ରମିକଙ୍କ ଚାହିଦା ଅଧିକ କାରଣ ଆବଶ୍ୟକତା ଅନୁସାରେ ଅର୍ଥାତ ଯନ୍ତ୍ରର ଆଧୁନିକରଣ ଓ ବ୍ୟବହାରର ଚାହିଦା ଅନୁସାରେ ଅତି କୁଶଳୀ ଶ୍ରମିକ ସର୍ବଦା  ତିଆରି ହୋଇପାରିନଥାନ୍ତି ମାତ୍ର ସମୁଦାୟ ଜନସଂଖ୍ୟାର ସେମାନେ ଅତି କ୍ଷୁଦ୍ର ଅଂଶ । ଯନ୍ତ୍ରର ଆଧୁନିକରଣ ଯେଉଁ ବେଗରେ ହେଉଛି ତାହା ଆମ ଜନସଂଖ୍ୟା ଠାରୁ ଅଧିକ ଦ୍ରୁତ ବିଡମ୍ବନା ଯେ ଆମ ବିକାଶ ପଦ୍ଧତିରେ ଯନ୍ତ୍ରପାତି ଏକ ପ୍ରମୁଖ ଭୂମିକା ନେଇସାରିଲାଣି ଏଠାରେ ଯେଉଁ ଯୁକ୍ତି କରାଯାଉଛି ଯେ ବେକାରୀ ଯୁବକ ଓ ଯୁବତୀଙ୍କ ନିଯୁକ୍ତି ଲାଗି ଅଧିକ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରାଯିବା ଜରୁରୀ ତାହା କେବଳ ଏକ ବାହାନ ମାତ୍ର ନା ସେଭଳି କେବେ ଅତୀତରେ ହୋଇଛି ନା ଭବିଷ୍ୟତରେ କେବେ ହୋଇପାରିବ ସମୟ ଅନୁସାରେ ତାହା ଆହୁରି ଅସମ୍ଭବ ଜଣାପଡୁଛି ହାତ ଗଣତି କେତେକ ଶ୍ରମିକ ଯେମିତି କିଲୋମିଟର କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରିଦେଉଛନ୍ତି ଓ ଆକାଶ ଛୁଆଁ ଆପାର୍ଟମେଣ୍ଟ ତିଆରି କରୁଛନ୍ତି ସେଥିରୁ ଏକଥା ସ୍ପଷ୍ଟ ଯେ ଉଦ୍ଯୋଗପତିମାନେ ଆବଶ୍ୟକ କରୁଥିବା ଶ୍ରମିକ ଠାରୁ ଅଧିକ ଶ୍ରମିକ ଆମ ସମାଜରେ ଅଛନ୍ତି ତେଣୁ ଉଦ୍ୟୋଗପତି ନିଜେ ଶ୍ରମିକର ମଜୁରୀ କେତେ ହେବ ତାହା ସେ ନିଜେ ଠିକ କରୁଛି ଓ ସେ କେତେ ଘଣ୍ଟା କାମ କରିବ ତାହା ମଧ୍ୟ ସେ ଠିକ କରୁଛି । ବାମପନ୍ଥୀ ଟ୍ରେଡ ଯୁନିଅନମାନଙ୍କୁ ପୁଞ୍ଜିବାଦର ଏହି ସ୍ଵାଭାବିକ ଚରିତ୍ରକୁ ବୁଝିବାକୁ ବହୁତ ସମୟ ଲାଗିଗଲା ଯେଉଁଥି ପାଇଁ କି ଜନସଂଖ୍ୟା ବୃଦ୍ଧିକୁ ବହୁ ବୁଦ୍ଧିଜୀବୀ ଦୋଷ ଦେବାର ସୁଯୋଗ ପାଇଲେ ଏଠାରେ ଜନସଂଖ୍ୟା ବୃଦ୍ଧିକୁ ଦାୟୀ କରିବା ନିଜ ଆଖିରେ ନିଜେ ଲଙ୍କାଗୁଣ୍ଡା ଦେଇ ଆଖି ପୋଡୁଛି ବୋଲି ଚିତ୍କାର କରିବା ସଦୃଶ ।  
            ଭାରତ ସରକାରଙ୍କ ସର୍ବନିମ୍ନ ମଜୁରୀ ଆଇନ, 1948ରେ ଏକଥା ପ୍ରାବଧାନ ରହିଛି ଯେ ରାଜ୍ୟ ସରକାର ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ବଦଳରେ ନ୍ୟାୟ ସଙ୍ଗତ ମଜୁରୀ ଅଥବା ଉନ୍ନତ ମଜୁରୀ ବା ‘fair wages’  ଦେଇ ପାରିବେ ଯାହା ଦ୍ଵାରା ଶ୍ରମିକ ଯେ କେବଳ ବଞ୍ଚି ରହିବା ପାଇଁ ମଜୁରୀ ପାଇବ ତା ନୁହେଁ ତା ସହିତ ସେ ନିଜର ଓ ନିଜ ପରିବାରର ଉତ୍ତମ ଭରଣ ପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ କରିପାରିବ ଯଦି ରାଜ୍ୟ ସରକାର ମୂଳରୁ ଏହି ପଦକ୍ଷେପ ନେଇଥାନ୍ତେ ତେବେ ଅତି ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଅପେକ୍ଷା ଆମର ଅର୍ଥନୀତି ଶ୍ରମ ଓ ଶ୍ରମିକ ଆଧାରିତ ହୋଇପାରିଥାନ୍ତା ଯାହା ପରୋକ୍ଷରେ ଦାରିଦ୍ର ଦୂରୀକରଣ ଲାଗି ରାସ୍ତା ଫିଟାଇଥାନ୍ତା । ଏକ ତୁଳନାତ୍ମକ ଭାବରେ ଦେଖିବାକୁ ଗଲେ ଯେଉଁ ରାଜ୍ୟରେ ସର୍ବନିମ୍ନ ମଜୁରୀର ଅନୁପାତ ଯେତେ ଅଧିକ ସେହି ରାଜ୍ୟ କ୍ଷୁଧା ତାଲିକାରେ ନିମ୍ନ ରହିଛି ଉଦାହରଣ ଭାବରେ କ୍ଷୁଧା ତାଲିକାରେ (Hunger Index) ନିମ୍ନରେ ଥିବା ରାଜ୍ୟ ମଧ୍ୟରେ କେରଳ (ସର୍ବନିମ୍ନ ମଜୁରୀ ଦୈନିକ 600 ଟଙ୍କା), କର୍ଣାଟକ (ଦୈନିକ 471 ଟଙ୍କା), ଦିଲ୍ଲୀ (ମାସକୁ 13584 ଟଙ୍କା),  ଆନ୍ଧ୍ର ପ୍ରଦେଶ (ମାସକୁ 8411 ଟଙ୍କା) ଥିଲା ବେଳେ ଓ କ୍ଷୁଧା ତାଲିକାରେ ପ୍ରଥମରେ ଥିବା ରାଜ୍ୟ ମଧ୍ୟରେ ବିହାର (237 ଟଙ୍କା), ଛତିଶଗଡ (230 ଟଙ୍କା ), ଓଡିଶା (210 ଟଙ୍କା), ମଧ୍ୟ ପ୍ରଦେଶ (ମାସକୁ 6500 ଟଙ୍କା)  ଓ ଝାଡଖଣ୍ଡ (ମାସକୁ 5460 ଟଙ୍କା ଅର୍ଥାତ ଦୈନିକ 200 ଟଙ୍କାରୁ କମ) ଆସୁଛି ବିଭିନ୍ନ ପରିସଙ୍ଖ୍ୟାନ ଓ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି ଯେ ସର୍ବନିମ୍ନ ମଜୁରୀ ଅଧିକ ହେବା ଗୋଟେ ରାଜ୍ୟର ଦାରିଦ୍ରକୁ ପ୍ରାୟେ 7% ରୁ 10% ପର୍ଯ୍ୟନ୍ତ ସିଧାସଳଖ କମାଇଥାଏ ।
            ନିମ୍ନ ମଜୁରୀ ହାର କେବଳ ଯେ ଦାରିଦ୍ର ସୃଷ୍ଟି କରିଥାଏ ତା ନୁହେଁ ଏହା ଅଳ୍ପ ଲୋକଙ୍କ ହାତରେ ଅଧିକ ସପତ୍ତି ଠୁଳ କରାଇଥାଏ । ଗଲା ବର୍ଷ ଅକ୍ସଫାମ ଦ୍ଵାରା ପ୍ରକାଶିତ ଆର୍ଥିକ ଅସମାନତା ରିପୋର୍ଟ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ଦ୍ଵାରା ପ୍ରକାଶିତ World Employment and Social Outlook ରିପୋର୍ଟ (2018) ସହିତ ବିଶ୍ଵ କ୍ଷୁଧା ରିପୋର୍ଟ, 2017 (World Hunger Report)କୁ ତୁଳନା କରି ଦେଖାଯିବ ତେବେ ଏହା ଅଧିକ ସ୍ପଷ୍ଟ ହୋଇଯିବ ଭାରତରେ 1% ଧନୀଙ୍କ ହାତରେ ଗଲା ବର୍ଷରେ (2017)ସମୁଦାୟ ସୃଷ୍ଟ ସମ୍ପତ୍ତିର 73% ଭାଗ ରହିଛି ଓ ସେମାନେ ଦେଶର ସମୁଦାୟ 58% ସମ୍ପତ୍ତିର ମାଲିକ ଅଟନ୍ତି ଠିକ ସେହି ସମାନ ସମୟରେ  ଆନ୍ତର୍ଜାତିକ ଶ୍ରମ ସଂଗଠନ ନିଜ ରିପୋର୍ଟରେ କୁହେ ଯେ ଭାରତର 77% ଶ୍ରମିକ ବା ଶ୍ରମଶକ୍ତି 2019 ମସିହା ବେଳକୁ ଅତ୍ୟନ୍ତ ଖରାପ ସ୍ଥିତିରେ ଓ କମ ମଜୁରୀରେ କାମ କରିବା ଲାଗି ବାଧ୍ୟ ହେବେ ଯଦି ଆର୍ଥିକ ଅଭିବୃଦ୍ଧି ହାରରେ ଉନ୍ନତି ଆସିଲେ ପରିସ୍ଥିତିରେ ପରିବର୍ତ୍ତନ ହେଉଥାନ୍ତା ଯାହାକି ନେହେରୁ ଅର୍ଥନୀତିର ଅଂଶ ତେବେ ଭାରତ ବିଶ୍ଵର 181 ଦେଶ ମଧ୍ୟରୁ ଉତ୍ପାଦନ କ୍ଷେତ୍ରରେ ବା ଜିଡ଼ିପି ଅଭିବୃଦ୍ଧିରେ ତୃତୀୟ ସର୍ବବୃହତ୍ତମ ଦେଶ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ରିପୋର୍ଟ 2017-18) ହୋଇମଧ୍ୟ ବିଶ୍ଵ କ୍ଷୁଧା ସୂଚୀରେ 97ତମ ସ୍ଥାନ, ସର୍ବନିମ୍ନ ମଜୁରୀ ହାରରେ 117ତମ ସ୍ଥାନ ଓ ବିଶ୍ଵ ସନ୍ତୋଷ ସୂଚୀରେ (World Happiness Report) 133ତମ ସ୍ଥାନ ରହିନଥାନ୍ତା । ଦେଶର ଅଭିବୃଦ୍ଧି ହାର ଅଧିକ ହେଲେ ଏହା ଧନିକ ଗୋଷ୍ଠୀକୁ ଅଳ୍ପ ସମୟରେ ଅଧିକ ଧନୀ କରିବା ସହିତ ସମାଜରେ ଆର୍ଥିକ ତାରତମ୍ୟ ନିଶ୍ଚିତ ବଢାଇବଏହି ସମାନ କଥା ଓଡିଶା କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ଓଡିଶା ଉତ୍ପାଦନ ସୂଚୀରେ ଅନ୍ୟ ରାଜ୍ୟ ତୁଳନାରେ 30ଟି ରାଜ୍ୟ ମଧ୍ୟରୁ 16ତମ ସ୍ଥାନ (GDP growth Index) ଥାଇ ମଧ୍ୟ ଦାରିଦ୍ର ସୂଚୀରେ ଏହା 24ତମ ସ୍ଥାନରେ ରହିଛି ନିମ୍ନ ମଜୁରୀ ହାର, ପରିବେଶ ଆଇନରେ କୋହଳ ଓ କମ ଟିକସ ହାର ଭଳି କେତେକ ମାନବୀୟ କାରଣ ହେତୁ ଓଡିଶା ଉତ୍ପାଦନ ହାରରେ ଶୀର୍ଷରେ ଥାଇ ମଧ୍ୟ ଗରିବ ରାଜ୍ୟ ଭାବରେ ଗଣା ଯାଉଛି ଏଥିରେ ପ୍ରାକୃତିକ ସମ୍ପଦର ଲୁଟ ହେବା ସାର ହେଉଛି ମାତ୍ର ତାହା ଗରିବୀ ଦୂର କରୁନାହିଁ
ଓଡିଶା ସରକାର ନିମ୍ନ ମଜୁରୀ ହାରରେ ଯଥେଷ୍ଟ ବୃଦ୍ଧି କରିବା ସହିତ ଉନ୍ନତ ମଜୁରୀ ବା ଫେୟାର ୱେଜେସ ସମ୍ପର୍କରେ ଚିନ୍ତା କରିବା ଜରୁରୀ ଏଥିପାଇଁ ନିସ୍ଵାର୍ଥପର ଭାବରେ ଶ୍ରମିକ ଆନ୍ଦୋଳନର ନେତୃବର୍ଗ ଚେଷ୍ଟା କରିପାରିଲେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ନିଶ୍ଚିତ ପରିବର୍ତ୍ତନ ଆସିପାରିବ

Wednesday, August 8, 2018

କନ୍ଧମାଳ ହିଂସାକୁ ଦଶ ବର୍ଷ


କନ୍ଧମାଳ ହିଂସାକୁ ଦଶ ବର୍ଷ
(ଗଲା ଜୁନ ମାସରେ ମୁଁ କନ୍ଧମାଳ ଯାଇଥିଲି ଦଶ ବର୍ଷ ତଳେ ବିଭିନ୍ନ ତଥ୍ୟାନୁସନ୍ଧାନ ଦଳରେ ତଥା ମୋର ବୃତ୍ତଚିତ୍ର ନିର୍ମାଣ ସମୟରେ ସାକ୍ଷାତ କରିଥିବା ସେହି ବ୍ୟକ୍ତିମାନଙ୍କୁ ପୁଣି ଭେଟିବା ଥିଲା ମୋର ଉଦ୍ଦେଶ୍ୟ ସେହି କ୍ରମର ଏହା ପ୍ରଥମ ଲେଖା )
            ଆମ ସମାଜରେ ଯେଉଁଠି ଧର୍ମାନ୍ଧମାନେ ନିଜର ସଂଖ୍ୟା ଗରିଷ୍ଠତା ସତ୍ଵେ ନିଜକୁ “ବିପନ୍ନ” ମନେ କରି ନିଜର କ୍ଷୋଭକୁ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତିରେ ମୁକ୍ତ ଭାବରେ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି ସେଠାର ସମାଜ ସାମ୍ପ୍ରଦାୟିକ ଶକ୍ତି ଦ୍ଵାରା ଯେ ପ୍ରଭାବିତ ସେଥିରେ ସନ୍ଦେହ ନାହିଁ ଏହି ଧର୍ମାନ୍ଧଙ୍କ ଉପସ୍ଥିତି ଆମ ସମୟରେ ବଢୁଥିବା ଅସହିଷ୍ଣୁତା ଓ ଅକାରଣ ବିପନ୍ନବୋଧ ଆମ ସମାଜର ମାନବିକତା ଓ ସତ୍ୟାସତ୍ୟ ଖୋଜିବାର ମାନସିକତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି କନ୍ଧମାଳ ହିଂସାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ପରିବାର ଗୁଡିକ ସତେରେ ପୁଣି ନିଜ ଗ୍ରାମକୁ ଫେରି ପାରିଲେ କି ନାହିଁ, ସେମାନଙ୍କ ପୀଢି ପୀଢିର ସଞ୍ଚୟଟିକକୁ ଧର୍ମାନ୍ଧ ହିନ୍ଦୁମାନେ ନଷ୍ଟ କରିଦେବା ପରେ ସେମାନେ ବଞ୍ଚିଛନ୍ତି କେମିତି, ସେମାନଙ୍କ ନିକଟ ସମ୍ପର୍କୀୟ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଏ ଦେଶର ଆଇନ ଦ୍ଵାରା ଦଣ୍ଡିତ ହେଲା କି ନାହିଁ ଇତ୍ୟାଦି ପ୍ରଶ୍ନ ଯଦି ସମାଜକୁ କବଳିତ କରୁନାହିଁ ତେବେ ଜଣେ ସାଧାରଣ ନାଗରିକ ଭାବରେ ଆମ ସମସ୍ତଙ୍କ ମାନବିକ ଅଧିକାର ସେହି ଧର୍ମାନ୍ଧଙ୍କ ହେତୁ ଯେ ବିପନ୍ନ ଏଥିରେ କୌଣସି ଶଙ୍କା ନାହିଁ  
            କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନିକଟସ୍ଥ ଜଳେଶପେଟା ଆଶ୍ରମ ପରିସର ମଧ୍ୟରେ  ମାଓବାଦୀ ସଂଗଠନର ବେଶ କିଛି ସଦସ୍ୟ ଲକ୍ଷ୍ମଣାନନ୍ଦଙ୍କୁ 23 ଅଗଷ୍ଟ 2008ରେ ହତ୍ୟା କରିଥିଲେ ଏହାର ଠିକ ପରଦିନ ବିଶ୍ଵ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡିଆ ତୁରନ୍ତ ଜିଲ୍ଲାରେ ପହଞ୍ଚି ନିଜ ନେତୃତ୍ବରେ ଲକ୍ଷ୍ମଣାନନ୍ଦଙ୍କ ମୃତ ଶରୀରକୁ ନେଇ ଶବ ଶୋଭାଯାତ୍ରା ଆରମ୍ଭ କରିଥିଲେ ତାହାର ପରିଣାମରେ ହତ୍ୟାର ପରଦିନ ଅର୍ଥାତ 24 ତାରିଖ ସନ୍ଧ୍ୟାରୁ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଯାଇଥିଲା ଯାହା ଅନୁମାନ କରାଯାଏ ଯେ ସେ ଏହି ହିଂସାକୁ ପ୍ରୋଶ୍ଛାହିତ କରିଥିଲେ ଓ ତାଙ୍କ ପଛରେ ସରକାରୀ କଳର ସହଯୋଗ ରହିଥିଲା ସେ ସମୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ବିଭିନ୍ନ ମନ୍ତ୍ରୀ ନିଜର ବୟାନରେ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିୟାନଙ୍କ କାର୍ଯ୍ୟ ଉଲ୍ଲେଖ କରିବା ଓ ଏ ସମସ୍ତ ହିଂସା ଘଟଣା ଘଟୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିବା ଜିଲ୍ଲାରେ ଖ୍ରୀଷ୍ଟିୟାନ ବିରୋଧୀ ହିଂସାକୁ ଦୀର୍ଘ ସ୍ଥାୟୀ କରିଦେଇଥିଲା କନ୍ଧମାଳ ହିଂସାର 10 ବର୍ଷ ମଧ୍ୟରେ ନା କେବେ ପ୍ରବୀଣ ତୋଗାଡିଆଙ୍କ ଏହି ସମ୍ବିଧାନ ବିରୋଧୀ ଭୂମିକା ତଥା ବିଜେପି ମନ୍ତ୍ରୀମାନଙ୍କ ଅପରିଣାମଦର୍ଶୀ ବୟାନ ସମ୍ପର୍କରେ କେଉଁ ବିଚାର ବିଭାଗୀୟ କମିଶନରେ ପ୍ରଶ୍ନ କରାଯାଇ ପାରିଲା ନା କୌଣସି ଫାଷ୍ଟଟ୍ରାକ କୋର୍ଟରେ ଏହା ପୂର୍ଣ୍ଣ ବିଚାର ହୋଇପାରିଲା ଏହି ନହୋଇପାରିବା ଦେଶର ଧର୍ମନୀରପେକ୍ଷତା ପ୍ରତି ଉପହାସ  


            ଜି ଉଦୟଗିରୀ ବ୍ଲକ ଅନ୍ତର୍ଗତ ଟିଆଙ୍ଗିଆ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ମୃତ ବ୍ୟକ୍ତିମାନଙ୍କ ନାମଥିବା ସ୍ତମ୍ବଟି ସାହାସର ସହିତ ଅନେକ କିଛି ବଖାଣି ଦେଉଛି ଏହା ସତ୍ୟ ଯେ ଟିଆଙ୍ଗିଆ ପଞ୍ଚାୟତର ପରୀକ୍ଷିତ ନାୟକ, ବିକ୍ରମ ନାୟକ ଓ ଫାଦର ବେର୍ନ୍ନାଡୋ ଦିଗାଲଙ୍କ ସମେତ ସାତ ଜଣଙ୍କୁ ହତ୍ୟା କରାଯାଇଥିଲା ହତ୍ୟାର 10 ବର୍ଷ ପରେ ପରୀକ୍ଷିତଙ୍କ ବଡ ଭାଇ ସୁରେଶ ନାୟକଙ୍କ କୋହ ଭରା ବକ୍ତବ୍ୟ ସମସ୍ତ ଘଟଣାକୁ ପୁଣି ଯେମିତି ସତେଜ କରିଦେଉଥିଲା “ମୋର ଭାଇକୁ ହାଣିଲା ପରେ ସେମାନେ ମୋତେ ଖୋଜୁଥିଲେ ମୁଁ ଥାନାରେ ସୂଚନା ଦେଇ ଠିକ ଫେରୁଥାଏ 20 ରୁ 30 ଜଣ ଆମରି ଗାଁ ଲୋକେ ମୋତେ ଘେରିଗଲେ ମୁଁ କିଛି କହିବା ପୂର୍ବରୁ ମୋ ମୁଣ୍ଡରେ ଗୋଟେ ଚୋଟ ପକାଇଦେଲେ ଏହା ପରେ ମୁଁ ଦଉଡିବାକୁ ଲାଗିଲି ମୋ ପରିବାର କୁଆଡେ ଗଲେ ମୁଁ କିଛି ଜାଣିନି 3 ଦିନ ପରେ ମୁଁ ସେମାନଙ୍କୁ ଗଜପତି ଜିଲ୍ଲାରେ ପାଇଲି ମୋ ଭାଇର ହତ୍ୟାକାରୀମାନେ ଏବେ ବି ଘର ସାମ୍ନାରେ ବୁଲୁଥିଲା ବେଳେ ଆମକୁ ଯେ କେମିତି ଲାଗୁଥିବ ସେକଥା ଆପଣ ଅନୁମାନ କରନ୍ତୁ?” ଏବେ ସେ ନିଜେ କନ୍ଧମାଳରୁ ଉଠିଯାଇ ବାହାରେ ବ୍ୟବସାୟ କରି ଚାଲୁଛନ୍ତିମୁଁ ବିକ୍ରମର ମାଙ୍କୁ ଖୋଜିଲି 10 ବର୍ଷ ତଳେ ମୋର ବୃତ୍ତଚିତ୍ରରେ ବିବାଦ : କାହାର କ୍ଷତି କାହାର ଲାଭ (କନ୍ଧମାଳ ଓ କାଶୀପୁରର ସ୍ଥିତିକୁ ନେଇ ନିର୍ମିତ) ସେ ନିଜ ପୁଅର ହତ୍ୟା ବିଷୟରେ ବର୍ଣ୍ଣନା କରିଥିଲେ ଏବେ ସେ ଗାଁରେ ନରହି ନିଜ ବଡ ପୁଅ ପାଖରେ ବାହାରେ ରହୁଛନ୍ତି  
            ସରକାରୀ ତଥ୍ୟକୁ ଉଦୃତ କରି ପିୟୁସିଲ ନିଜର ରିପୋର୍ଟରେ କୁହେ ଯେ କନ୍ଧମାଳ ହିଂସାରେ 38 ମୃତ, 3 ନିଖୋଜ, 415 ଗାଁ ପ୍ରଭାବିତ, 3262 ଘର ନଷ୍ଟ , 195 ଚର୍ଚ୍ଚ ଓ ପ୍ରାଥନା ଗୃହ ଭଙ୍ଗାରୁଜା, 25122 ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ (କନ୍ଧମାଳ ହିଂସାରେ ପ୍ରକାଶିତ ତଥ୍ୟ)ସୁପ୍ରିମ କୋର୍ଟ ଓକିଲ ବୃନ୍ଦା ଗ୍ରୋଭରଙ୍କ ଦ୍ଵାରା ଲିଖିତ ପୁସ୍ତକ ଅନୁସାରେ 600 ଗ୍ରାମ କ୍ଷତିଗ୍ରସ୍ତ, 5600 ଗୃହ ନଷ୍ଟ, ପ୍ରାୟେ 56000 ଲୋକ ଗୃହ ଶୂନ୍ୟ ଓ ପ୍ରାୟେ 2000 ଖ୍ରୀଷ୍ଟିୟାନ ଧର୍ମୀଙ୍କୁ ଜବରଦସ୍ତି ଧର୍ମାନ୍ତିକରଣ କରାଯାଇଛି(Kandhamal Introspection of Initiative for Justice 2007 – 2015). କନ୍ଧମାଳ ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ 3232ଟି ଅଭିଯୋଗ 11,000 ଦଙ୍ଗାକାରୀଙ୍କ ବିରୁଦ୍ଧରେ ଦାଏର ହୋଇଥିଲେ ମଧ୍ୟ 827ଟି କେସକୁ ପୁଲିସ ପଞ୍ଜୀକୃତ କରିଥିଲା ସେ ମଧ୍ୟରୁ ଆବଶ୍ୟକୀୟ ପ୍ରମାଣ ଅଭାବ ଦର୍ଶାଇ 315ଟି କେସର ଫାଇନାଲ ରିପୋର୍ଟ ଦେଇ ପୁଲିସ କେସକୁ ବନ୍ଦ କରିଦେଇଥିଲା 2017 ମସିହା ଶେଷ ବେଳକୁ 362 କେସର ବିଚାର ହୋଇ ସେଥିରୁ ମାତ୍ର 78 ଟି କେସରେ ସଜ୍ଜା ଶୁଣା ଯାଇଥିଲା ପାଖାପାଖି 30ଟି ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲେ ମଧ୍ୟ 2017 ମସିହା ଶେଷ ବେଳକୁ ମାତ୍ର ଦୁଇଟି କେସରେ ସଜ୍ଜା ଶୁଣା ଯାଇଥିଲା ସେଥି ମଧ୍ୟରୁ ଟିଆଙ୍ଗିଆର ପରୀକ୍ଷିତ ନାୟକଙ୍କ ହତ୍ୟା ଅପରାଧରେ ବିଜେପି ଏମଏଲଏ ମନୋଜ ପ୍ରଧାନ (2009 ମସିହା ନିର୍ବାଚନରେ ସେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଜେପି ଟିକେଟରେ ଜି ଉଦୟଗିରୀ ଆସନରୁ ଏମଏଲଏ ଭାବରେ ନିର୍ବାଚିତ ହୋଇଥିଲେ) ଅଭିଯୁକ୍ତ ଥିଲେ ହିଂସାକାଣ୍ଡ ଆରମ୍ଭ ହୋଇଯିବା ଦେଖି ପରୀକ୍ଷିତ ନିଜ ସାଇକେଲରେ ନିଜ ଦୁଇ ଝିଅ (ସେ ସମୟରେ 6 ବର୍ଷ ଓ 3 ବର୍ଷ) ଓ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଚାଲିଯାଉଥିବା ସମୟରେ ମନୋଜ ନାୟକ ଓ ବେଶ କିଛି ଲୋକ ତାଙ୍କୁ ଘେରି ଯାଇ ହତ୍ୟା କରିଥିଲେକୋର୍ଟରେ ସ୍ତ୍ରୀ ଓ ନାବାଳିକା ଝିଅ ସାହାସର ସହିତ ନିଜ ବାପାଙ୍କୁ ଯେଉଁ ଭଳି ସେମାନଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା ତାହାର ସଂପୂର୍ଣ୍ଣ ବର୍ଣ୍ଣନା କରିବା ସତ୍ବେ ମନୋଜ ପ୍ରଧାନଙ୍କୁ ହତ୍ୟା ମକଦ୍ଦମାରେ ଅଭିଯୁକ୍ତ ନକରି କେବଳ ମିଳିତ ଭାବରେ ଏକା ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିବା ଅପରାଧରେ (ଧାରା 34/ଆଇପିସି) ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ 7 ବର୍ଷ ଜେଲ ଶୁଣାଇଲେ ମନୋଜ ଏବେ ହାଇକୋର୍ଟରୁ ଜାମିନ ପାଇ ନିଜ ଗ୍ରାମରେ ଅଛନ୍ତି ପୁଲିସ ବନ୍ଦ କରିଦେଇଥିବା 315 କେସକୁ ପୁଣି ଥରେ ତଦନ୍ତ କରି ବିଚାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ମାନ୍ୟବର ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ଅଗଷ୍ଟ 2016ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟଙ୍କ ଯୁକ୍ତି ଥିଲା ଏ ଦେଶରେ ସଂଖ୍ୟାଧିକଙ୍କ ଭଳି ସଙ୍ଖ୍ଯାନ୍ୟୁନମାନେ ମଧ୍ୟ ନାଗରିକ ଓ ସେମାନଙ୍କର ନ୍ୟାୟ ପାଇବାର ହକ ରହିଛି ହେଲେ ସେହି 315 କେସର ବିଚାର ପୁଣି ଆରମ୍ଭ ହୋଇପାରିନଥିବା ବା ସେ ଦିଗରେ କୌଣସି ଅଗ୍ରଗତି ହୋଇନଥିବା ଫୁଲବାଣୀ କୋର୍ଟର ଓକିଲ ନିଜ ନାମ ନନେଇ କୁହନ୍ତି  

            ଏ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟେ ଗୃହ ତିଆରି ହୋଇଯାଇଥିବା କଥା ସୂଚନା ମିଳେସରକାର ଏ ଦିଗରେ ଆଂଶିକ ଭାଙ୍ଗି ଥିବା ଗୃହକୁ 20,000 ଟଙ୍କା ଓ ସଂପୂର୍ଣ୍ଣ ଭାଙ୍ଗିଥିବା ଗୃହକୁ 50,000 ଟଙ୍କା ଦେଇଥିଲେ ମୃତକଙ୍କ ପରିବାର ସଦସ୍ୟଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସରକାର ଘୋଷଣା କରିଥିଲେଏଥିରେ ସୁପ୍ରିମ କୋର୍ଟ ପୁଣି ହସ୍ତକ୍ଷେପ କରି କ୍ଷତିପୂରଣ ରାଶି ଭାଙ୍ଗିଥିବା ଗୃହର ମାଲିକଙ୍କୁ ଦୁଇ ଗୁଣା ବୃଦ୍ଧି କରାଇବା ସହିତ ମୃତକଙ୍କ ପରିବାରକୁ ଅଧିକ 3 ଲକ୍ଷ ଟଙ୍କା ଓ ଆଘାତ ପାଇଥିବା ଲୋକଙ୍କୁ 10,000 ରୁ 30,000 ଟଙ୍କା ସହାୟତା ରାଶି ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ଏବେ ବି ବେଶ କିଛି ଲୋକ ଜିଲ୍ଲା ବାହାରେ ରହିଯାଇଛନ୍ତି  ସେହିପରି ନିଜ ଜିଲ୍ଲାରେ ନିଜେ ଶରଣାର୍ଥୀର ଜୀବନ ବିତାଉଛନ୍ତି ବେଟିକୋଲା, କିଲାକିଆ ଓ ଝିମାଙ୍ଗିଆ ଗ୍ରାମର 72 ପରିବାର ସମସ୍ତେ ଜି ଉଦୟଗିରୀ ନିକଟସ୍ଥ ଶାନ୍ତି ନଗର ନାମରେ ସରକାରୀ ଜାଗାରେ ନୂତନ କଲୋନୀ ପ୍ରତିଷ୍ଠା କରି ରହିଛନ୍ତି

            ଜାତିସଂଘର ସଜ୍ଞା ଅନୁସାରେ କୌଣସି ବ୍ୟକ୍ତି ଯଦି ଦେଶ ମଧ୍ୟରେ ବିଭିନ୍ନ କାରଣ ଯଥା ସଶସ୍ତ୍ର ଯୁଦ୍ଧ, କ୍ରମାଗତ ହିଂସାକାଣ୍ଡ, କ୍ରମାଗତ ମାନବିକ ଅଧିକାର ଉଲ୍ଲଂଘନ ଅଥବା ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ବାସସ୍ଥାନ ଛାଡି ଦେଇଥାଏ ଓ ଭୟ ହେତୁ ଫେରି ପାରୁନଥାଏ ସେହି ବ୍ୟକ୍ତିର ସେହି ସ୍ଥିତିକୁ ଆଭ୍ଯନ୍ତରୀଣ ବିସ୍ଥାପନ କୁହାଯିବ ସେମାନେ ଆନ୍ତର୍ଜାତିକ ନୀୟମ ଅନୁସାରେ ଓ ସେହି ଦେଶର ନିୟମ ଅନୁସାରେ ସମସ୍ତ ଅଧିକାର (ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଇତ୍ୟାଦି) ପାଇପାରିବେ ଓ ପ୍ରଶାସନର ସହଯୋଗରେ ନିଜର ପୂର୍ବ ସ୍ଥାନକୁ ଫେରିଆସିପାରିବେ ହେଲେ ଶାନ୍ତିନଗରର ବାସିନ୍ଦା ସୁନିଲ ମଲ୍ଲିକଙ୍କ ମତ ହେଲା ଯେ ସେମାନେ ବାଟିକୋଲା 2008 ମସିହାରେ ଛାଡିଲା ପରେ ବିଭିନ୍ନ କ୍ୟାମ୍ପରେ ରହି ପୁଣି ବିସ୍ଥାପିତ କଲୋନୀକୁ ଆସିଛନ୍ତି  ସେମାନେ ପରେ ଯାଇ ନିଜ ନିଜ ଗ୍ରାମରେ ଚାଷ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ହିନ୍ଦୁ ପରିବାର ଲୋକେ ନିଜ ଗାଈ ଗୋରୁ ସେଥିରେ ଚରାଇଦେଲେସୁନିଲ ନିଜେ ଜଣେ ଆଦିବାସୀ ଓ ସେ ଦେଇଥିବା ଏଫଆଇଆରକୁ ପୋଲିସ “ତଥ୍ୟ ଅଭାବ” ଦର୍ଶାଇ ବନ୍ଦ କରିଦେଇଛି ତାଙ୍କ କହିବା ହେଲା ଯେ ଲକ୍ଷ୍ମଣାନନ୍ଦ ବଞ୍ଚିଥିଲା ବେଳେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସର୍ବଦା ବିବାଦ ଚାଲିଥିଲା ବହୁ ବାର ହିନ୍ଦୁ ଲୋକେ ଆମକୁ ଓ ଆମର ପାଷ୍ଟର ଙ୍କୁ ଆକ୍ରମଣ କରିଛନ୍ତି ଏବେ ଗାଁକୁ ଆଉ ଫେରି ନପାରି ଜମିଥିବା ଶାନ୍ତି ନଗରର ବହୁ ଲୋକ ଦୀନ ମଜୁରୀଆ ପାଲଟିଛନ୍ତି  ଅନ୍ୟ ଲୋକର ଚାଷଜମିରେ ଓ ସରକାରୀ କାମରେ ମୂଳ ଲାଗି ନିଜ ପରିବାର ଚଳଉଛନ୍ତିସମ୍ବିଧାନର ଉଲ୍ଲେଖିତ ଧର୍ମନିରପେଖତାକୁ ବଜାୟ ରଖିବାକୁ ହେଲେ ଆମର ନାଗରିକ ସମାଜ ଏ ସମସ୍ତ ଦିଗରେ ଚିନ୍ତା କରିବା ଆବଶ୍ୟକସଂଖ୍ୟା ଲଘୁ ଲୋକେ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉ, ଭାରତ ଭଳି ଏକ ଧ୍ରମନିରପେକ୍ଷ ରାଷ୍ଟ୍ରରେ ସରକାର ସୁରକ୍ଷା ଦେଇନପାରିବା ସରକାରଙ୍କ ଏହା ବିଫଳତା ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ସମସ୍ତ ସଦସ୍ୟ ଯେପରି ସାମାଜିକ ସୁରକ୍ଷା ଯୋଜନାରେ ପ୍ରାଥମିକତା ପାଇବେ ସେଥିଲାଗି ସରକାରଙ୍କ ନିକଟରେ ଦାବୀ କରାଯିବା ଜରୁରୀ  

-          ଦେବ ରଞ୍ଜନ