ଆମ ସମାଜର
ଏକ ବଦ୍ଧମୂଳକ ଧାରଣା ରହି ଆସିଛି ଯେ ନାରୀ ଓ ପୁରୁଷ ମଧ୍ୟରେ ପ୍ରେମ ହେଲେ ବିବାହ କରିନେବା
ଜରୁରୀ ଓ ବିବାହ ହୋଇଗଲା ପରେ ନିଜର ଉତ୍ତରାଧିକାରୀ ଭାବରେ ସନ୍ତାନ ଜନ୍ମଦେବା ନିହାତି ଜରୁରୀ । ଏହି ପ୍ରେମ-ବିବାହ-ସନ୍ତାନଉତ୍ପତ୍ତି ଭଳି ପିଢୀ ପିଢୀର ରୂଢିବାଦୀ ପରମ୍ପରା ମଧ୍ୟରେ
ଅଧିକାଂଶ ମଣିଷ ଏତେ ବେଶି ଦ୍ରବିଭୂତ ଯେ ଏହାର ବାହାରେ ଅନ୍ୟ କୌଣସି ବି ସମ୍ବନ୍ଧକୁ ସେମାନେ
ଗ୍ରହଣ କରିବାକୁ ନାରାଜ । ସୁପ୍ରିମ କୋର୍ଟଙ୍କ
ଭାରତୀୟ ଦଣ୍ଡ ବିଧି ଆଇନର ଧାରା 377 ର ଉଚ୍ଛେଦକୁ ସମାଲୋଚନା କରାଯିବା ଆମ ସମୟର ବରଂ ଏହି
ରୂଢିବାଦୀ ମାନସିକତାର ପରିଚୟ । ସେହି ସମାଲୋଚକଙ୍କ ମଧ୍ୟରେ
ଉଭୟ କମ୍ୟୁନିଷ୍ଟ ଓ ଦକ୍ଷିଣପନ୍ଥୀ ବିଚାରର ଲୋକେ ମଧ୍ୟ ଅଛନ୍ତି । ସମସ୍ତଙ୍କୁ ଭୟ ମାଡି ବସିଛି ଯେ ଯଦି ସମଲିଙ୍ଗି ସମ୍ପର୍କକୁ ବହୁ ଲୋକ ଆବୋରି ନିଅନ୍ତି
ତେବେ ମଣିଷ ସଭ୍ୟତା ଧ୍ଵଂସ ପାଇଯିବ ।
ଯୁକ୍ତି
କରାଯାଏ ଯେ ପ୍ରକୃତି ମଣିଷ ରୂପରେ ଦୁଇଟି ଜୀବ, ପୁରୁଷ
ଓ ନାରୀ, ସୃଷ୍ଟି କରିଛି ଯାହାଦ୍ୱାରା ସନ୍ତାନ ଉତ୍ପତ୍ତିର କ୍ରମଧାରା
ବଜାୟ ରହିପାରିବ (ଜାତି ପ୍ରଥାର କଥା ଆସିଲେ ଏହାର ସମର୍ଥନରେ ସେମାନେ ପୁଣି ଭିନ୍ନ ଯୁକ୍ତି କରିଥାନ୍ତି
) ଓ ଏହା ଦ୍ଵାରା ମଣିଷ ସଭ୍ୟତା ଆଉ ଲୋପ ନପାଇଯାଇ ଯୁଗ ଯୁଗ ଧରି ବଞ୍ଚି ରହିପାରିବ । ତେଣୁ ଏଭଳି ଯୁକ୍ତି କରୁଥିବା ବ୍ୟକ୍ତି ମନେକରେ ଯେ ଯଦି ଦୁଇ ଜଣ ନାରୀ ଅଥବା ଦୁଇ ଜଣ
ପୁରୁଷ ଏପରିକି କେହି ତୃତୀୟ ଲିଙ୍ଗୀ ନିଜର ଯୌନ ଆକାଂକ୍ଷା ପୂରଣ ଲାଗି ନିଜ ନିଜର ପସନ୍ଦର ସାଥି
ବାଛିଥାନ୍ତି ତେବେ ସେଭଳି ସମ୍ବନ୍ଧରୁ ଯେହେତୁ କୌଣସି ସନ୍ତାନ ଉତ୍ପତ୍ତି ହୋଇପାରିବ ନାହିଁ
ତେଣୁ ଏହା ଅପ୍ରାକୃତିକ ଓ ଅଯୌକ୍ତିକ । ଯେହେତୁ ସମାଜର ଏକ ବଡ ଭାଗ
ଏହାକୁ ଅପ୍ରାକୃତିକ ମନେକରୁଥିଲା ତେଣୁ ଭାରତୀୟ ଆଇନର ଧାରା 377 ଅନୁସାରେ ଏହାକୁ ଏକ ଦଣ୍ଡନୀୟ
ଅପରାଧ ଭାବରେ ଗଣା ଯାଇ 10 ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଥିଲା । ଏହା ଏକ ଔପନିବେଶିକ ଆଇନ ଓ ଏହି ଧାରାର ପ୍ରତ୍ୟାହାର ଲାଗି ବହୁ ପୂର୍ବରୁ ଦାବୀ
ହୋଇଆସୁଥିଲେ ମଧ୍ୟ ରୂଢିବାଦୀ ମାନସିକତାର ପ୍ରାବଲ୍ୟ ଉଭୟ ସମାଜରେ ଓ ପାର୍ଲ୍ୟାମେଣ୍ଟ ମଧ୍ୟରେ ରହିଥିବା
ହେତୁ ସ୍ଵାଧୀନତା ପରେ ମଧ୍ୟ ଉକ୍ତ ଆଇନକୁ କାଏମ ରଖାଯାଇଥିଲା । ଏହି ଆଇନ ହେତୁ ସର୍ବାଧିକ ଭାବରେ କ୍ଷତିଗ୍ରସ୍ତ ହୋଇଆସୁଥିଲେ ଆମ ସମାଜର ତୃତୀୟ ଲିଙ୍ଗୀ ସମୁଦାୟ
ଯାହାଙ୍କୁ ବିଭିନ୍ନ ନାମରେ ବିଭିନ୍ନ ସ୍ଥାନରେ ବହୁ ନିଚ୍ଚ ଶବ୍ଦରେ ଆକ୍ଷେପ କରାଯାଇଆସୁଛି । ଏପରିକି ପୁଲିସ ମଧ୍ୟ ଏହି ଆଇନ ବଳରେ ସେମାନଙ୍କୁ ଗିରଫ କରିବାର ବହୁ ଦୃଷ୍ଟାନ୍ତ ବିଭିନ୍ନ
ସହରମାନଙ୍କରେ ଦେଖାଯାଏ । ତୃତୀୟ ଲିଙ୍ଗୀମାନଙ୍କର ଯେ
ଯୌନ ଇଚ୍ଛା ରହିପାରେ ସେକଥାକୁ କିନ୍ତୁ ସମାଜ ସ୍ଵୀକାର କରିବାକୁ ନାରାଜ । ସେହି ଭଳି ହୁଏତ କୌଣସି ନାରୀର ଅନ୍ୟ ଏକ ନାରୀ ପ୍ରତି ଅଥବା ପୁରୁଷର ପୁରଷପ୍ରତି ସ୍ଵାଭାବିକ
ପ୍ରେମ ଘଟିପାରେ । କିନ୍ତୁ ଆମ ସମାଜ ଏହାକୁ ଅପ୍ରାକୃତିକ ଭାବରେ ଦେଖିବାକୁ ଲାଗିଲା । ବୋଧ ହୁଏ ଏଥିଲାଗି ଅରୁନ୍ଧତୀ ରାୟ ନିଜର ନୂତନ ଉପନ୍ୟାସ The Ministry of Utmost Happiness ତୃତୀୟ ଲିଙ୍ଗୀ ଅଞ୍ଜୁମ ମାଧ୍ୟମରେ
ତା’ର ପ୍ରେମ, ବ୍ୟର୍ଥତା, ଆତ୍ମହତ୍ୟା ଉଦ୍ୟମ ସାଙ୍ଗକୁ ତା’ର ଲିଙ୍ଗଭେଦ କିପରି ତା’ର ରାଜନୈତିକ ମତ୍ତାଦର୍ଶ ତିଆରି କରିଛି ତାହାକୁ ଦର୍ଶାଇଛନ୍ତି ।
କେତେକ
ମଣିଷର ନିଜସ୍ଵ ଇଚ୍ଛା ଉପରେ ସର୍ବଦା ସମାଜ ଅଯଥା ହସ୍ତକ୍ଷେପ କରିଆସିଛି ଯେଉଁଥିପାଇଁ ବେଶ
କେତେକଙ୍କୁ ଜୀବନ ମଧ୍ୟ ଦେବାକୁ ପଡିଛି । ସମଲିଙ୍ଗି ସମ୍ପର୍କ ଏଥିରୁ
ବାଦ ଯାଇନାହିଁ । ମୁଁ ମୋର ଏକ ଅନୁଭୂତିର କଥା ଏଠାରେ ଉଲ୍ଲେଖ କରିବା ଉଚିତ ମନେକରୁଛି । 1998-99 ମସିହାର ଏକ ଘଟଣା । କଟକ ଜିଲ୍ଲା କିଶନ ନଗର
ଅଞ୍ଚଳରେ ପରିବାର ଲୋକେ ପ୍ରାପ୍ତ ବୟସ୍କା ବବିତା (ଛଦ୍ମନାମ) ଓ ମମତା (ଛଦ୍ମନାମ)ଙ୍କ
ସମ୍ପର୍କକୁ ସନ୍ଦେହ କରିବା ହେତୁ ଆତ୍ମହତ୍ୟା
ଉଦ୍ୟମ କରିଥିବା ସମ୍ବାଦ ଖବରକାଗଜରେ ପ୍ରକାଶିତ ହୁଏ । ମୁଁ ମୋର ଜଣେ ସାଥିଙ୍କ ସହିତ ଉକ୍ତ ଅଞ୍ଚଳ ଯାଇ ଉଭୟଙ୍କ ପରିବାର ସଦସ୍ୟ, ସ୍ଥାନୀୟ ଶିକ୍ଷକ ଓ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଭେଟିଥିଲି । ଆମେ ଯିବା ଭିତରେ ମମତାର ମୃତ୍ୟୁ ଘଟିଥାଏ ଓ ବବିତା ଚିକିସ୍ଛିତ ହେଉଥାନ୍ତି । ଉଭୟ ପରିବାର ଓ ସାହି ପଡିଶା ଉଭୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରିନେଇଥିଲେ ମଧ୍ୟ
ମମତାର ଜେଜେ ବାପା ଏହାକୁ ସ୍ତ୍ରୀ-ସମଲିଙ୍ଗି ସମ୍ପର୍କ କହି ଉଭୟଙ୍କୁ ଅଲଗା କରିବା ପାଇଁ
ବବିତାର ପରିବାର ଉପରେ ଚାପ ପକାଇଥିଲେ ଯେଉଁଥିପାଇଁ କଥା ପୁଲିସ ପର୍ଯ୍ୟନ୍ତ ଯାଇଥିଲା । ନିଜକୁ ଅଲଗା କରାଯାଉଥିବା ଜାଣିବା ପରେ ଉଭୟ ବବିତା (ଯିଏ କଟକରେ ଏକ ଚାକିରି ମଧ୍ୟ
କରିଥିଲେ) ଓ ମମତା ଅକ୍ଟୋବର 1998ରେ ନିଜେ ଏକ ପାର୍ଟନରସିପ ଚୁକ୍ତି ନିକଟସ୍ଥ ନୋଟାରି ପାଖରେ
କରିନେଇଥିଲେ । ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ଉଭୟ ଜୀବନ ସାରା ସାଥି ହୋଇ ରହିବେ ଏବଂ ବିଧବା, ଦୁଃଖୀ ମହିଳାମାନଙ୍କୁ ସହଯୋଗ କରିବେ । ତା’ ପରେ ବି ଯେବେ ମମତାକୁ ତାର ପରିବାର ଲୋକେ ଅଲଗା
କରିବା ଲାଗି ଉଦ୍ୟମ କଲେ ସେତେବେଳେ ଉଭୟ ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିଥିଲେ । ବବିତାର କୋଠରିରେ ଉଭୟେ ଦିନେ ଏକ ବ୍ଲେଡରେ ନିଜ ହାତର କଚଟି ନିଜେ ନିଜେ କାଟି ଦେଇଥିବା ଯୋଗୁଁ
ଅତ୍ୟଧିକ ରକ୍ତସ୍ରାବ ହେତୁ ମମତାର ମୃତ୍ୟୁ ଘଟିଥିଲା ଓ ବବିତାର ଚିକିସ୍ଛା ଚାଲିଥିଲା । ଆମ ସମାଜର ରକ୍ଷଣଶୀଳ ମନୋଭାବ କେବଳ ଜଣେ ନାରୀକୁ ଅଯଥା କାରଣରୁ ହରାଇଲା ତାହା ନୁହେଁ
ଉଭୟଙ୍କ ମିଳିତ ଉଦ୍ୟମରେ ହୁଏତ କିଛି ସାମାଜିକ କାର୍ଯ୍ୟ ହୋଇପାରିଥାନ୍ତା ଓ ବେଶ କିଛି ଲୋକ ହୁଏତ
ଯେଉଁ ଉପକାର ପାଇପାରିଥାନ୍ତେ ତାହା ମଧ୍ୟ ହୋଇପାରିଲା ନାହିଁ । ଆମ ସମାଜର ଏହି ରକ୍ଷଣଶୀଳ ରୂଢିବାଦୀ ମନୋଭାବ ପୋଷଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମମତାର
ଆତ୍ମହତ୍ୟା ପାଇଁ ଦାୟୀ ଯାହାକୁ ସେମାନେ କେହି ହୁଏତ ସ୍ଵୀକାର କରିନପାରନ୍ତି । ଯଦି ଆଜିର ସ୍ଥିତି ହୋଇଥାନ୍ତା ଅଥବା ସୁପ୍ରିମ କୋର୍ଟ 20 ବର୍ଷ ତଳେ ଏପରି ରାୟ ଯଦି ଶୁଣାଇଥା’ନ୍ତେ ତେବେ ହୁଏତ ଉଭୟ ଏକ ନିଶ୍ଚିତ ଜୀବନ ବିତାଇପାରିଥା’ନ୍ତେ ।
ଯଦି ଆମର
ଲୋକକଥା, ପୌରାଣିକ ଗ୍ରନ୍ଥ ଓ ମନ୍ଦିରର କାରୁକାର୍ଯ୍ୟକୁ ଦେଖିବା
ତେବେ ଭାରତୀୟ ସମାଜ ଏହି ପ୍ରେମ ସଂପର୍କକୁ ଏକ ସ୍ଵାଭାବିକ କ୍ରିୟା ଭାବରେ ଗ୍ରହଣ କରିଆସିଛି । ଯଦି ଏହାକୁ ‘ଅପ୍ରାକୃତିକ’ ଭାବରେ
ନିଆଯାଇଥାନ୍ତା ତେବେ ବାସ୍ଛାୟନଙ୍କ “କାମସୂତ୍ର” ହେଉ ଅଥବା ଚରକ ମୁନୀଙ୍କ ରଚିତ “ଚରକ ସଂହିତା”ରେ
ସକାରାତ୍ମକ ଭାବରେ ଏ ସମ୍ପର୍କରେ ଉଲ୍ଲେଖ ରହିନଥାନ୍ତା
। ଏପରିକି ମନ୍ଦିର କାରୁକାର୍ଯ୍ୟରେ ଆମ୍ଭେମାନେ
ଠାଏ ଠାଏ ସ୍ତ୍ରୀ-ସମଲିଙ୍ଗି ସମ୍ପର୍କର ଯୌନଚିତ୍ର ଦେଖିବାକୁ ପାଇଥାଉ । ରାଜାମାନଙ୍କ ଦ୍ଵାରା ତିଆରି ହୋଇଥିବା ଏହି ମନ୍ଦିର ସେହି ସବୁ ଚିତ୍ର ଆମକୁ ସୂଚାଉନାହିଁ କି
ଯେ ସେ ସମୟର ସମାଜ ସତରେ ସମଲିଙ୍ଗି ସମ୍ପର୍କ ପ୍ରତି ଏତେ ବିରୋଧ ପ୍ରକାଶ କରୁନଥିଲା ଯାହା ବରଂ ବର୍ତ୍ତମାନର
ତଥାକଥିତ ଗଣତାନ୍ତ୍ରିକ ସମାଜ କରୁଛି ! ମଣିଷ ସମାଜ ବୋଧହୁଏ ଅଧିକରୁ ଅଧିକ ରୂଢିବାଦୀ
ଚିନ୍ତାଧାରା ଆଡକୁ ମୁହାଁଉଛି ।
ସମ୍ବିଧାନର
ଧାରା 15 (1) ଓ (2)ରେ ଉଲ୍ଲେଖ ରହିଛି ଯେ ରାଷ୍ଟ କୌଣସି ନାଗରିକକୁ ତା’ର ଧର୍ମ, ଜାତି ଓ ଲିଙ୍ଗ ଇତ୍ୟାଦି ଆଧାରରେ
ଭେଦଭାବ କରିପାରିବ ନାହିଁ । ସୁପ୍ରିମ କୋର୍ଟ ସମ୍ବିଧାନର
ଏହି ଧାରା 15କୁ ବ୍ୟାଖ୍ୟା କରି ଧାରା 377 ପରିସରକୁ ସଙ୍କୁଚିତ କରିଦେଲେ । ସୁପ୍ରିମ କୋର୍ଟ ଏହା ଦର୍ଶାଇଲେ ଯେ ସମଲିଙ୍ଗି, ବିଷମଲିଙ୍ଗି
ଅଥବା ଉଭୟଲିଙ୍ଗି ସମ୍ପର୍କ ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାକୁ ମଣିଷ ନିଜେ ଜାଣିକରି ସ୍ଥିର
କରିନଥାଏ । “ମୁଁ ଯାହା ସେୟା ହିଁ ମୁଁ ଓ ମୁଁ ଯାହା ଅଛି ତାହାକୁ ହିଁ ସେହିପରି
ଗ୍ରହଣ କରିନିଆଯାଉ”, ସୁପ୍ରିମ କୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି
ଦୀପକ ମିଶ୍ର ନିଜ ରାୟରେ ସେକ୍ସପିୟରଙ୍କ ରୋମୀୟ ଜୁଲିଏଟ ଡ୍ରାମାର ଏହି ପ୍ରସିଦ୍ଧ ଡାଇଲାଗକୁ
ଉଦୃତ କରି ନିଜ ରାୟରେ ପୁନଶ୍ଚ ଲେଖନ୍ତି, “କୌଣସି ବି ବ୍ୟକ୍ତିର ତା’ର ବ୍ୟକ୍ତିସତ୍ତା ଲାଗି ତା’ ନିଜର ପ୍ରାକୃତିକ ପରିଚୟ
ସୁରକ୍ଷିତ ରହିବା ନିତାନ୍ତ ଆବଶ୍ୟକ । ... ବ୍ୟକ୍ତିର ସେହି ପ୍ରାକୃତିକ
ପରିଚୟକୁ ଏଥିଲାଗି ସମ୍ମାନିତ କରାଯିବା ଆବଶ୍ୟକ ନା କୌଣସି ପ୍ରକାରରେ ଅସମ୍ମାନିତ କରାଯିବ ନା
ନିଚ୍ଚ କରିଦେଖାଯିବ ।” ସୁପ୍ରିମ କୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ଉକ୍ତ ମଣିଷର ମୌଳିକ ଅଧିକାରର
ଖିଲାପ କରୁଥିବା ହେତୁ ଧାରା 377କୁ ଏକ “କଳ୍ପନା ପ୍ରସ୍ତୁତ”, “ଅଣ ପ୍ରତିରକ୍ଷାତ୍ମକ” ଓ “ମନମୁଖୀ” ଆଇନ ଦର୍ଶାଇ ଏହାକୁ ସୀମିତ
କରିଦେଇଛନ୍ତି । କୋର୍ଟଙ୍କ ଦୃଷ୍ଟିରେ
ଏଣିକି ଛୋଟ ପିଲା ଅଥବା ପଶୁ ସହିତ ସଂପର୍କକୁ କେବଳ ‘ଅପ୍ରାକୃତିକ’ ଧରାଯାଇ ଦଣ୍ଡିତ କରାଯିବ । ନୋଚେତ, କୌଣସି ପ୍ରାପ୍ତ ବୟସ୍କ ଦୁଇ ବ୍ୟକ୍ତି ନିଜର ସହମତିରେ ଯଦି ସେମାନେ
ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ତେବେ ସେମାନଙ୍କ ବେଡରୁମରେ ସେମାନେ କ’ଣ କରୁଛନ୍ତି ସେଥିରେ ରାଷ୍ଟ୍ରର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଏଠାରେ କୋର୍ଟ ଗଲା ବର୍ଷ ନାଗରିକର ନିଜସ୍ଵ ଅଧିକାରକୁ (Right to privacy) ଏଠାରେ ମଧ୍ୟ ଦୋହରାଇଛନ୍ତି ।
ପ୍ରତ୍ୟେକ ମଣିଷର
ଭୋକ, ନିଦ୍ରା ଓ ଶୋଷ ଭଳି ଯୌନଇଚ୍ଛା ଏକ ସ୍ଵାଭାବିକ
ଇଛା । ଏହାକୁ ଧାର୍ମିକ ସଂଗଠନମାନେ ଓ ଧାର୍ମିକବ୍ୟକ୍ତି ବିଶେଷ କେବେ ବ୍ରହ୍ମଚର୍ଯ୍ୟ ତ ପୁଣି କେବେ
ସନ୍ତାନ ଉତ୍ପତ୍ତି ହିଁ ବିବାହର ଉଦ୍ଦେଶ୍ୟ ଦର୍ଶାଇ ମଣିଷର ଏହି ସ୍ଵାଭାବିକ ଇଚ୍ଛାକୁ କଦର୍ଥ
କରିଚାଲିଛନ୍ତି । ଆଜି ଧାରା 377ର ଉଛେଦ ପାଇଁ କୋର୍ଟଙ୍କ ରାୟ ବିପକ୍ଷରେ ଯୁକ୍ତି କରାଯାଉଛି ଯେ ସମସ୍ତେ ଯଦି
ସମଲିଙ୍ଗି ସମ୍ପର୍କ ଆଡକୁ ଯିବେ ତେବେ ମଣିଷ ସଭ୍ୟତା ନଷ୍ଟ ହୋଇଯିବ । ମାତ୍ର ସମସ୍ତେ ଯିବେ କି ନାହିଁ ତାହା ଘଟିବା ଆଗରୁ ଆଜିର ଅଧିକାଂଶ ଶିକ୍ଷିତ ବିବାହିତ ଯୁବପୀଢି
ପରସ୍ପରର ଦ୍ଵନ୍ଦ, ଯୁକ୍ତି ଓ ଅଶାନ୍ତି ମଧ୍ୟରେ ଏକ ମାତ୍ର ସନ୍ତାନ
ଜନ୍ମ ଦେଉଛନ୍ତି (ଓ ତାହା ପୁଣି ପୁଅଟିଏ ହେଲେ ଭଲ) ଓ ଛୁଆ ନହେବା ଲାଗି ଅସ୍ତ୍ରୋପ୍ରଚାର
କରିନେଉଛନ୍ତି । ନୂଆ ପୀଢିର ଏହି ପିତା
ମାତାଙ୍କ କହିବା ହେଲା ଛୁଆ ଜନ୍ମ କରିବା ଏକ ଖର୍ଚ୍ଚ ବହୁଳ ବ୍ୟାପାର । ସେହିପରି ଛୁଆକୁ ଉପଯୁକ୍ତ ଶିକ୍ଷା ଦେବା ଅର୍ଥ ନିଜେ ନିଃସ୍ଵ ହୋଇଯିବା ସହିତ ସମାନ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ ପରିବାରର ଭବିଷ୍ୟତ ଲାଗି ଶଙ୍କା ଓ ଭୟ
ଆଣିସାରିଛି । କିଛି ବର୍ଷ ପରେ ଜନସଂଖ୍ୟାର ବୃଦ୍ଧି ବଦଳରେ ହ୍ରାସ ହୁଏତ ଘଟିପାରେ । ଏହା ଆଜି ଏକ ଧ୍ଵଂସର ରାସ୍ତାରେ ସମାଜକୁ ଆପେ ଆପେ ପହଞ୍ଚାଇ ସାରିଲାଣି । ତାହାକୁ କେମିତି ଆଲୋଚକମାନେ ଅଣଦେଖା କରିପାରୁଛନ୍ତି ?
ଯେଉଁ ସମାଜ ଯେତେ ମୁକ୍ତ ବିଚାର ଆଧାରିତ
ହେବ ଓ ବ୍ୟକ୍ତିଗତ ସମ୍ବନ୍ଧକୁ ଯେତେ କମ ଗୁରୁତ୍ଵ ଦେବ ସେହି ସମାଜ ସେତେ ବେଶୀ ସର୍ଜନଶୀଳ
ବ୍ୟକ୍ତି ବିଶେଷ ତିଆରି କରିପାରିବ । ନିଜ ପ୍ରେମ ସଂପର୍କକୁ ନେଇ
ସର୍ବଦା ଏକ ଶଙ୍କା ଓ ଭୟ ମଧ୍ୟରେ ରହୁଥିବା ବ୍ୟକ୍ତି କ୍ଵଚିତ ସର୍ଜନଶୀଳ ହୋଇପାରିବ । ସେଭଳି ସମାଜ କଦାପି ନୂତନ ବିଚାରକୁ ଜନ୍ମ ଦେଇ ପାରିବ ନାହିଁ । ଆଜିର ସାହିତ୍ୟ ସେହି ଭଞ୍ଜୀୟ ପ୍ରେମରେ ଉବୁଟୁବୁ ହୋଇ ପ୍ରେମ କବିତା ଓ ଗଳ୍ପ ରଚନା
କରିପାରିଲା ଭଳି ଯଦି ଆମ ସମାଜ ମୁକ୍ତ ବିଚାରଯୁକ୍ତ ହୁଏ ତେବେ ଆସନ୍ତାକାଲି ଆମର ସମାଜ ହୁଏତ
ସେହି କଳାତ୍ମକ ଢଙ୍ଗରେ ସମଲିଙ୍ଗି ସାହିତ୍ୟ ଅଥବା ଅନେକ କିଛି ନୂଆ ସାହିତ୍ୟ ତିଆରି କରିପାରିବ । ସମଲିଙ୍ଗି ବ୍ୟକ୍ତିବିଶେଷ ଓ ତୃତୀୟ ଲିଙ୍ଗୀ ବ୍ୟକ୍ତି ଅଯଥା ନିଜର ଯୌନଇଚ୍ଛାକୁ ନେଇ ଏକ
ଅପରାଧୀର ଜୀବନ ବିତାଇବା ବଦଳରେ ଅନ୍ୟମାନଙ୍କ ଭଳି ଯଦି ଏକ ସ୍ଵାଧୀନ ଜୀବନ ବିତାଇପାରନ୍ତି ତେବେ
ହୁଏତ ସେମାନେ ନିଜର ଜ୍ଞାନ କୌଶଳ ଦ୍ଵାରା ସାହିତ୍ୟ, କ୍ରୀଡା, ବିଜ୍ଞାନ, ଫିଲ୍ମ ଓ ମନୋରଞ୍ଜନ ଇତ୍ୟାଦି କ୍ଷେତ୍ରରେ ଅନେକ
କିଛି ଏହି ସମାଜକୁ ଦାନ କରିପାରନ୍ତି । ସେଭଳି ଏକ ପରିବେଶ ସୃଷ୍ଟି କରିବା ଲାଗି ସମସ୍ତଙ୍କୁ ରୂଢିବାଦୀ
ମାନସିକତାରୁ ଉଠି ଏହାକୁ ଗ୍ରହଣ କରିନେବା ଆବଶ୍ୟକ ଓ ଏଥିରେ ହିଁ ସମାଜର ମଙ୍ଗଳ ରହିଛି । ତେବେ ଯାଇ ଆମ ସମାଜରେ ଯେ ପ୍ରତ୍ୟେକ ବ୍ୟକ୍ତିର ମାନବିକ ଅଧିକାର ସୁରକ୍ଷିତ ରହିଛି ତାହା
ଆମେ ଦୃଢତାର ସହିତ କହିପାରିବା ।
---
ଦେବ ରଞ୍ଜନ
ସାଧାରଣ ସମ୍ପାଦକ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା
No comments:
Post a Comment