ରାଜ୍ୟର
ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ କାର୍ପଣ୍ୟ
ଦେବ
ରଞ୍ଜନ
ସରକାର
ଓ ପ୍ରାଇଭେଟ କମ୍ପାନୀମାନଙ୍କ ମଧ୍ୟରେ ଥିବା ଗୋପନ ବୁଝାମଣାର ଅନ୍ୟ ଏକ ଉଦାହରଣ ହେଉଛି
ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ । ଅର୍ଥନୀତିର ସାଧାରଣ ସୂତ୍ର
ଅନୁସାରେ ଶ୍ରମିକର ନିମ୍ନ ହାରରେ ମଜୁରୀ ମାଲିକଙ୍କୁ ଅଧିକ ହାରରେ ଲାଭ ଦେଇଥାଏ । ସରକାରୀ
ନୀତି ଯଦି ନିମ୍ନହାରର ମଜୁରୀକୁ ଆଇନ ସମ୍ମତ କରିଦିଏ ତେବେ ତାହା ମାଲିକ ଲାଗି ଅଧିକ ସହଜ
ହୋଇଥାଏ । ଓଡିଶା ରାଜ୍ୟର ସର୍ବନିମ୍ନ
ମଜୁରୀ ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ କମ ରହିବା ଓ ପ୍ରତି 4 ବର୍ଷରେ ଥରେ ଏହାର ବୃଦ୍ଧି ଘଟିବା ଆମର
ଧାରଣାକୁ ଦୃଢ କରୁଛି । ଭାରତ ସରକାରଙ୍କ ସର୍ବନିମ୍ନ
ମଜୁରୀ ନିୟମ, 1948 ଅନୁସାରେ
ଯେତେବେଳେ ସରକାର ଚାହିଁବେ ସର୍ବନିମ୍ନ ମଜୁରୀ ପୁନଃ ନିର୍ଦ୍ଧାରଣ କରିପାରିବେ । ଅର୍ଥାତ
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଜ୍ୟ ଅର୍ଥନୀତିର ମୁଦ୍ରା ସ୍ଫୀତି ଅନୁସାରେ ବଢୁଥିଲା
ବେଳେ ଅସଂଗଠିତ କ୍ଷେତ୍ରରେ ଥିବା ଶ୍ରମିକଙ୍କ ମଜୁରୀରେ ଦୀର୍ଘ ବର୍ଷ ସ୍ଥିର ରହିବା ଓ କୌଣସି
ଆଖିଦୃଶିଆ ପରିବର୍ତ୍ତନ ନଘଟିବା ପଛରେ ଏକ ନ୍ୟସ୍ତ ସ୍ଵାର୍ଥ ନିଶ୍ଚିତ ରହିଛି । ଏହା ଶ୍ରମିକକୁ ଅଧିକରୁ ଅଧିକ
ଦରିଦ୍ର କରିଦେଉଛି । ଏହାର ପରିଣାମ ଆଜି ଧାନ ମିଲ, ଯାନବାହାନ ଚାଳକ, ନିର୍ମାଣ ଶିଲ୍ପ, ହୋଟେଲରେ କାମ
କରୁଥିବା ଶ୍ରମିକ ତଥା ଅଙ୍ଗନୱାଡ଼ି ଶ୍ରମିକ, ଶିକ୍ଷା କର୍ମୀ, ଗାଁ ସାଥୀ ଓ
ସ୍ୱାସ୍ଥ୍ୟ କର୍ମୀଙ୍କ ଦୈନଦିନ ଜୀବନ ଉପରେ ସିଧାସଳଖ ପଡୁଛି ।
ଶେଷଥର
ପାଇଁ ଗଲା 2015 ମସିହା ମେ’ ମାସରେ
ରାଜ୍ୟସରକାର ସର୍ବନିମ୍ନ ମଜୁରୀ କାର୍ଯ୍ୟକାରୀ କରିଥିଲେ । ଏହା ପୂର୍ବରୁ
2011 ମସିହାରେ ଘୋଷଣା କରାଯାଇଥିଲା । ନୂତନ ମଜୁରୀ ଏବେ ଅଗଷ୍ଟ 2018 ମସିହାରେ ସ୍ଥିର
ହୋଇଥିଲେ ମଧ୍ୟ ସରକାରୀ ଘୋଷଣାନାମା ଆସିବାକୁ ବାକି ଅଛି । ଏବେ ଶ୍ରମିକ
2015 ମସିହାର ଘୋଷଣା ଅନୁସାରେ ସେହି ବର୍ଷଠାରୁ ଅଗଷ୍ଟ 2018 ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ଦୈନିକ
210 ଟଙ୍କା ପାଇଆସୁଛି । ଅଥଚ ଖାଦ୍ୟ, ଗୃହ, ପେଟ୍ରୋଲ ତଥା
ବସ୍ତ୍ରର ଦରଦାମ ବର୍ଷକୁ 6.67 % ହାରରେ ଗଲା ଚାରି ବର୍ଷ ମଧ୍ୟରେ ବୃଦ୍ଧି ଘଟିଛି । ଯେଉଁ ଶ୍ରମିକ
210 ଟଙ୍କାରେ ଯେତିକି ଜିନିଷ 2015ରେ କିଣୁଥିଲା 2018ରେ ତାହାଠାରୁ ଯଥେଷ୍ଟ କମ ଖାଦ୍ୟ ଓ
ବସ୍ତ୍ର କିଣୁଥିବ। ଏହା ଶ୍ରମିକକୁ ଗରିବରୁ ଅଧିକ ଗରିବ କରୁନାହିଁ କି? ଏହି ହେତୁ ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ସବୁ
ଗ୍ରାମରେ ଯୁବ ମଡକ ପଡିଯାଇଛି । ଯୁବ ଶ୍ରମିକ ବର୍ଗ ପାଇଁ ଆଜି ପଡୋଶୀ ରାଜ୍ୟ ଅଧିକ
ସୁରକ୍ଷିତ ସ୍ଥାନ ପାଲଟିଛି । ମାତ୍ର ସ୍ଥିତିକୁ ନବୁଝି ମଧ୍ୟବିତ୍ତ ବୁଦ୍ଧିଜୀବୀମାନେ ଶ୍ରମିକର
ଆଉ ଶ୍ରମ କରିବାର ଆଗ୍ରହ ନଥିବା କଥା କହି ଶ୍ରମିକକୁ ଦୋଷ ଦେଇଚାଲିଛନ୍ତି ।
ଦୈନିକ ମଜୁରୀରେ କ୍ରମାଗତ ବୃଦ୍ଧି ନଘଟିବା
ପ୍ରକୃତରେ ରାଜ୍ୟର ଛୋଟ ବଡ କାରଖାନା,
ଧାନମିଲ, ସିକ୍ୟୁରିଟି ସଂସ୍ଥା,
ନିର୍ମାଣ ସଂସ୍ଥା, ହୋଟେଲ ଇତ୍ୟାଦି
ଶିଳ୍ପସଂସ୍ଥାକୁ ସାହାଯ୍ୟ କରୁଛି । ରାଜ୍ୟରେ ବର୍ତ୍ତମାନ ଥିବା
ଏମିତି କୌଣସି ବହୁରାଷ୍ଟ୍ରୀୟ ଉଦ୍ୟୋଗ ନାହିଁ ଯିଏ ଠିକା ଶ୍ରମିକ ନିଯୁକ୍ତ କରୁନାହାନ୍ତି । ସେମାନେ ରାଜ୍ୟ ସରକାରଙ୍କ
ସର୍ବନିମ୍ନ ମଜୁରୀ ହିଁ ନିଜର ନିର୍ମାଣ ସମୟରେ ଓ ଉତ୍ପାଦନ କ୍ଷେତ୍ରରେ ସ୍ଥାନୀୟ ଶ୍ରମିକକୁ
ଦେଉଛନ୍ତି । ସମସ୍ତେ
ଚର୍ଚ୍ଚା କରିଥାନ୍ତି ରାଜ୍ୟର ଅଭିବୃଦ୍ଧି ହାରରେ (ଜିଡ଼ିପି) ଉନ୍ନତି ଆଣିବା ସମ୍ପର୍କରେ । ରାଜ୍ୟରେ କୃଷି
କ୍ଷେତ୍ରରେ ବର୍ଷକୁ 2 ରୁ 3 % ବୃଦ୍ଧି ଘଟିଲେ, ଶିଲ୍ପ
କ୍ଷେତ୍ରରେ ତା’ଠାରୁ ଅଧିକ ଅର୍ଥାତ 5.72% ଓ ସର୍ଭିସେସ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି (10.7%)
ରାଜ୍ୟର ହାରାହାରି ଅଭିବୃଦ୍ଧି ହାର 623% ହୋଇଛି ବୋଲି ବିଭିନ୍ନ ପରିସଙ୍ଖ୍ୟାନରେ କୁହାଯାଉଛି । ମାତ୍ର ଆମ
ଅର୍ଥନୀତିର ବିଡମ୍ବନା ହେଲା ଯେ ଏହି ଅଭିବୃଦ୍ଧିର ଶ୍ରେୟ କଦାପି ଶ୍ରମିକକୁ ଦିଆ ଯାଇନଥାଏ ଯିଏ କି ପ୍ରାଥମିକ ଭାବରେ ଦାୟୀ । ବାକି କଞ୍ଚାମାଲ ଯୋଗାଣ
ଓ ଟିକସର ତାରତମ୍ୟ ଏହାର କାରଣ ହୋଇପାରେ । ଯଦି ରାଜ୍ୟ ସରକାରଙ୍କ ଏହି ଶ୍ରେୟ ଦେବାର ମାନସିକତା
ରହିଥାନ୍ତା ତେବେ ସେହି ଅନୁପାତରେ ମଜୁରୀରେ ନିଶ୍ଚେ ବୃଦ୍ଧି କ୍ରମାଗତ ଭାବରେ ମହଙ୍ଗା ଭତ୍ତା
ସଦୃଶ ବଢିଥାନ୍ତା । ଅବଶ୍ୟ ସରକାରଙ୍କ ଏହି ଅମନଯୋଗୀତା ପଛରେ ଶ୍ରମିକ ସଂଗଠନ
ଓ ବାମପନ୍ଥୀ ରାଜନୈତିକ ଦଳର ସମର୍ଥନ ରହିଛି । ନିଜର ରାଜନୈତିକ ମହାତ୍ତ୍ଵାକାଂକ୍ଷା ପାଇଁ ଶ୍ରମିକର
ସ୍ଵାର୍ଥ ବଳି ପଡୁଛି । ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ବୋର୍ଡରେ ଥିବା ଟ୍ରେଡ
ଯୁନିଅନର ନେତୃବର୍ଗ
ଏ ଦିଗରେ ନିଶ୍ଚିତ ରୂପେ ଦାୟୀ ।
ଅବଶ୍ୟ
ମଜୁରୀ ବଢିବା ପୁଞ୍ଜିବାଦୀ ଅର୍ଥନୀତିର ଏକ ସ୍ଵାଭାବିକ ପ୍ରକ୍ରିୟା ମଧ୍ୟ । ବର୍ତ୍ତମାନ
ସମୟରେ ଯେଉଁଠି ଅତ୍ୟାଧୁନିକ ଆଧୁନିକ ଯନ୍ତ୍ରପାତୀ ବ୍ୟବହ୍ରୁତ ହେଉଛି ସେଭଳି କାରଖାନା ବା
କାର୍ଯ୍ୟକ୍ଷେତ୍ରରେ ଅତି କୁଶଳୀ ଶ୍ରମିକଙ୍କ ଚାହିଦା ଅଧିକ କାରଣ ଆବଶ୍ୟକତା ଅନୁସାରେ ଅର୍ଥାତ
ଯନ୍ତ୍ରର ଆଧୁନିକରଣ ଓ ବ୍ୟବହାରର ଚାହିଦା ଅନୁସାରେ ଅତି କୁଶଳୀ ଶ୍ରମିକ ସର୍ବଦା ତିଆରି ହୋଇପାରିନଥାନ୍ତି । ମାତ୍ର ସମୁଦାୟ ଜନସଂଖ୍ୟାର ସେମାନେ ଅତି
କ୍ଷୁଦ୍ର ଅଂଶ । ଯନ୍ତ୍ରର ଆଧୁନିକରଣ ଯେଉଁ ବେଗରେ ହେଉଛି ତାହା ଆମ ଜନସଂଖ୍ୟା ଠାରୁ ଅଧିକ ଦ୍ରୁତ । ବିଡମ୍ବନା ଯେ ଆମ
ବିକାଶ ପଦ୍ଧତିରେ ଯନ୍ତ୍ରପାତି ଏକ ପ୍ରମୁଖ ଭୂମିକା ନେଇସାରିଲାଣି । ଏଠାରେ ଯେଉଁ
ଯୁକ୍ତି କରାଯାଉଛି ଯେ ବେକାରୀ ଯୁବକ ଓ ଯୁବତୀଙ୍କ ନିଯୁକ୍ତି ଲାଗି ଅଧିକ କାର୍ଯ୍ୟକ୍ଷେତ୍ର
ସୃଷ୍ଟି କରାଯିବା ଜରୁରୀ ତାହା କେବଳ ଏକ ବାହାନ ମାତ୍ର । ନା ସେଭଳି କେବେ
ଅତୀତରେ ହୋଇଛି ନା ଭବିଷ୍ୟତରେ କେବେ ହୋଇପାରିବ । ସମୟ ଅନୁସାରେ ତାହା ଆହୁରି ଅସମ୍ଭବ ଜଣାପଡୁଛି । ହାତ ଗଣତି କେତେକ
ଶ୍ରମିକ ଯେମିତି କିଲୋମିଟର କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କରିଦେଉଛନ୍ତି ଓ ଆକାଶ ଛୁଆଁ ଆପାର୍ଟମେଣ୍ଟ
ତିଆରି କରୁଛନ୍ତି ସେଥିରୁ ଏକଥା ସ୍ପଷ୍ଟ ଯେ ଉଦ୍ଯୋଗପତିମାନେ ଆବଶ୍ୟକ କରୁଥିବା ଶ୍ରମିକ ଠାରୁ
ଅଧିକ ଶ୍ରମିକ ଆମ ସମାଜରେ ଅଛନ୍ତି । ତେଣୁ ଉଦ୍ୟୋଗପତି ନିଜେ ଶ୍ରମିକର ମଜୁରୀ କେତେ ହେବ
ତାହା ସେ ନିଜେ ଠିକ କରୁଛି ଓ ସେ କେତେ ଘଣ୍ଟା କାମ କରିବ ତାହା ମଧ୍ୟ ସେ ଠିକ କରୁଛି । ବାମପନ୍ଥୀ ଟ୍ରେଡ
ଯୁନିଅନମାନଙ୍କୁ ପୁଞ୍ଜିବାଦର ଏହି ସ୍ଵାଭାବିକ ଚରିତ୍ରକୁ ବୁଝିବାକୁ ବହୁତ ସମୟ ଲାଗିଗଲା
ଯେଉଁଥି ପାଇଁ କି ଜନସଂଖ୍ୟା ବୃଦ୍ଧିକୁ ବହୁ ବୁଦ୍ଧିଜୀବୀ ଦୋଷ ଦେବାର ସୁଯୋଗ ପାଇଲେ । ଏଠାରେ ଜନସଂଖ୍ୟା ବୃଦ୍ଧିକୁ ଦାୟୀ କରିବା ନିଜ
ଆଖିରେ ନିଜେ ଲଙ୍କାଗୁଣ୍ଡା ଦେଇ ଆଖି ପୋଡୁଛି ବୋଲି ଚିତ୍କାର କରିବା ସଦୃଶ ।
ଭାରତ
ସରକାରଙ୍କ ସର୍ବନିମ୍ନ ମଜୁରୀ ଆଇନ, 1948ରେ ଏକଥା ପ୍ରାବଧାନ ରହିଛି ଯେ ରାଜ୍ୟ ସରକାର
ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ବଦଳରେ ନ୍ୟାୟ ସଙ୍ଗତ ମଜୁରୀ ଅଥବା ଉନ୍ନତ ମଜୁରୀ ବା ‘fair wages’ ଦେଇ ପାରିବେ ଯାହା ଦ୍ଵାରା ଶ୍ରମିକ ଯେ କେବଳ ବଞ୍ଚି
ରହିବା ପାଇଁ ମଜୁରୀ ପାଇବ ତା’ ନୁହେଁ ତା’ ସହିତ ସେ ନିଜର
ଓ ନିଜ ପରିବାରର ଉତ୍ତମ ଭରଣ ପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ କରିପାରିବ । ଯଦି ରାଜ୍ୟ ସରକାର ମୂଳରୁ ଏହି ପଦକ୍ଷେପ ନେଇଥାନ୍ତେ
ତେବେ ଅତି ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଅପେକ୍ଷା ଆମର ଅର୍ଥନୀତି ଶ୍ରମ ଓ ଶ୍ରମିକ
ଆଧାରିତ ହୋଇପାରିଥାନ୍ତା ଯାହା ପରୋକ୍ଷରେ ଦାରିଦ୍ର ଦୂରୀକରଣ ଲାଗି ରାସ୍ତା ଫିଟାଇଥାନ୍ତା । ଏକ ତୁଳନାତ୍ମକ
ଭାବରେ ଦେଖିବାକୁ ଗଲେ ଯେଉଁ ରାଜ୍ୟରେ ସର୍ବନିମ୍ନ ମଜୁରୀର ଅନୁପାତ ଯେତେ ଅଧିକ ସେହି ରାଜ୍ୟ
କ୍ଷୁଧା ତାଲିକାରେ ନିମ୍ନ ରହିଛି । ଉଦାହରଣ ଭାବରେ କ୍ଷୁଧା ତାଲିକାରେ (Hunger Index) ନିମ୍ନରେ ଥିବା ରାଜ୍ୟ
ମଧ୍ୟରେ କେରଳ (ସର୍ବନିମ୍ନ ମଜୁରୀ ଦୈନିକ 600 ଟଙ୍କା), କର୍ଣାଟକ (ଦୈନିକ
471 ଟଙ୍କା), ଦିଲ୍ଲୀ (ମାସକୁ 13584 ଟଙ୍କା), ଆନ୍ଧ୍ର ପ୍ରଦେଶ (ମାସକୁ 8411 ଟଙ୍କା) ଥିଲା ବେଳେ ଓ କ୍ଷୁଧା
ତାଲିକାରେ ପ୍ରଥମରେ ଥିବା ରାଜ୍ୟ ମଧ୍ୟରେ ବିହାର (237 ଟଙ୍କା), ଛତିଶଗଡ (230
ଟଙ୍କା ), ଓଡିଶା (210 ଟଙ୍କା), ମଧ୍ୟ ପ୍ରଦେଶ (ମାସକୁ 6500 ଟଙ୍କା) ଓ ଝାଡଖଣ୍ଡ (ମାସକୁ 5460 ଟଙ୍କା ଅର୍ଥାତ ଦୈନିକ 200
ଟଙ୍କାରୁ କମ) ଆସୁଛି । ବିଭିନ୍ନ ପରିସଙ୍ଖ୍ୟାନ ଓ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି ଯେ
ସର୍ବନିମ୍ନ ମଜୁରୀ ଅଧିକ ହେବା ଗୋଟେ ରାଜ୍ୟର ଦାରିଦ୍ରକୁ ପ୍ରାୟେ 7% ରୁ 10% ପର୍ଯ୍ୟନ୍ତ
ସିଧାସଳଖ କମାଇଥାଏ ।
ନିମ୍ନ
ମଜୁରୀ ହାର କେବଳ ଯେ ଦାରିଦ୍ର ସୃଷ୍ଟି କରିଥାଏ ତା’ ନୁହେଁ ଏହା ଅଳ୍ପ ଲୋକଙ୍କ ହାତରେ ଅଧିକ ସପତ୍ତି ଠୁଳ
କରାଇଥାଏ । ଗଲା ବର୍ଷ ଅକ୍ସଫାମ ଦ୍ଵାରା ପ୍ରକାଶିତ ଆର୍ଥିକ ଅସମାନତା ରିପୋର୍ଟ ଓ
ଆନ୍ତର୍ଜାତିକ ଶ୍ରମ ସଂଗଠନ ଦ୍ଵାରା ପ୍ରକାଶିତ World
Employment and Social Outlook ରିପୋର୍ଟ (2018) ସହିତ ବିଶ୍ଵ କ୍ଷୁଧା ରିପୋର୍ଟ, 2017 (World Hunger
Report)କୁ ତୁଳନା କରି ଦେଖାଯିବ ତେବେ ଏହା ଅଧିକ ସ୍ପଷ୍ଟ ହୋଇଯିବ । ଭାରତରେ 1%
ଧନୀଙ୍କ ହାତରେ ଗଲା ବର୍ଷରେ (2017)ସମୁଦାୟ ସୃଷ୍ଟ ସମ୍ପତ୍ତିର 73% ଭାଗ ରହିଛି ଓ ସେମାନେ
ଦେଶର ସମୁଦାୟ 58% ସମ୍ପତ୍ତିର ମାଲିକ ଅଟନ୍ତି । ଠିକ ସେହି ସମାନ ସମୟରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ନିଜ ରିପୋର୍ଟରେ କୁହେ ଯେ
ଭାରତର 77% ଶ୍ରମିକ ବା ଶ୍ରମଶକ୍ତି 2019 ମସିହା ବେଳକୁ ଅତ୍ୟନ୍ତ ଖରାପ ସ୍ଥିତିରେ ଓ କମ
ମଜୁରୀରେ କାମ କରିବା ଲାଗି ବାଧ୍ୟ ହେବେ । ଯଦି ଆର୍ଥିକ ଅଭିବୃଦ୍ଧି ହାରରେ ଉନ୍ନତି ଆସିଲେ
ପରିସ୍ଥିତିରେ ପରିବର୍ତ୍ତନ ହେଉଥାନ୍ତା ଯାହାକି ନେହେରୁ ଅର୍ଥନୀତିର ଅଂଶ ତେବେ ଭାରତ ବିଶ୍ଵର 181 ଦେଶ ମଧ୍ୟରୁ ଉତ୍ପାଦନ କ୍ଷେତ୍ରରେ ବା
ଜିଡ଼ିପି ଅଭିବୃଦ୍ଧିରେ ତୃତୀୟ ସର୍ବବୃହତ୍ତମ ଦେଶ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ରିପୋର୍ଟ
2017-18) ହୋଇମଧ୍ୟ ବିଶ୍ଵ କ୍ଷୁଧା ସୂଚୀରେ 97ତମ ସ୍ଥାନ, ସର୍ବନିମ୍ନ ମଜୁରୀ ହାରରେ 117ତମ ସ୍ଥାନ ଓ
ବିଶ୍ଵ ସନ୍ତୋଷ ସୂଚୀରେ (World Happiness Report) 133ତମ ସ୍ଥାନ ରହିନଥାନ୍ତା । ଦେଶର ଅଭିବୃଦ୍ଧି
ହାର ଅଧିକ ହେଲେ ଏହା ଧନିକ ଗୋଷ୍ଠୀକୁ ଅଳ୍ପ ସମୟରେ ଅଧିକ ଧନୀ କରିବା ସହିତ ସମାଜରେ ଆର୍ଥିକ
ତାରତମ୍ୟ ନିଶ୍ଚିତ ବଢାଇବ। ଏହି ସମାନ କଥା ଓଡିଶା କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ଓଡିଶା ଉତ୍ପାଦନ
ସୂଚୀରେ ଅନ୍ୟ ରାଜ୍ୟ ତୁଳନାରେ 30ଟି ରାଜ୍ୟ ମଧ୍ୟରୁ 16ତମ ସ୍ଥାନ (GDP growth
Index) ଥାଇ ମଧ୍ୟ ଦାରିଦ୍ର ସୂଚୀରେ ଏହା 24ତମ ସ୍ଥାନରେ ରହିଛି । ନିମ୍ନ ମଜୁରୀ
ହାର, ପରିବେଶ ଆଇନରେ କୋହଳ ଓ କମ ଟିକସ ହାର ଭଳି କେତେକ ମାନବୀୟ କାରଣ ହେତୁ ଓଡିଶା
ଉତ୍ପାଦନ ହାରରେ ଶୀର୍ଷରେ ଥାଇ ମଧ୍ୟ ଗରିବ ରାଜ୍ୟ ଭାବରେ ଗଣା ଯାଉଛି । ଏଥିରେ
ପ୍ରାକୃତିକ ସମ୍ପଦର ଲୁଟ ହେବା ସାର ହେଉଛି ମାତ୍ର ତାହା ଗରିବୀ ଦୂର କରୁନାହିଁ ।
ଓଡିଶା ସରକାର ନିମ୍ନ
ମଜୁରୀ ହାରରେ ଯଥେଷ୍ଟ ବୃଦ୍ଧି କରିବା ସହିତ ଉନ୍ନତ ମଜୁରୀ ବା ଫେୟାର ୱେଜେସ ସମ୍ପର୍କରେ
ଚିନ୍ତା କରିବା ଜରୁରୀ । ଏଥିପାଇଁ ନିସ୍ଵାର୍ଥପର ଭାବରେ
ଶ୍ରମିକ ଆନ୍ଦୋଳନର ନେତୃବର୍ଗ ଚେଷ୍ଟା କରିପାରିଲେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ନିଶ୍ଚିତ
ପରିବର୍ତ୍ତନ ଆସିପାରିବ ।
No comments:
Post a Comment