ଓଡିଆ ବର୍ଣ୍ଣବୋଧ ପୋଡାଯିବା ଘଟଣା ସତେରେ କେତେ ଦୁଃଖଦ କି କେତେ ସୁଖକର ତାହା ଜାଣିବା ପାଇଁ ମୁଁ ଅନୁରୋଧ କରିବି ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ପଢିବେ । ହୁଏତ ତା’ପରେ ଆପଣ ଟେକାଟିଏ ପକାଇପାରନ୍ତି ।
ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’, ଓଡିଆ ମାଧ୍ୟମରେ ପଢିଥିବା ପ୍ରତ୍ୟେକ ଛାତ୍ର ଓ ଛାତ୍ରୀପାଇଁ ମୂଳ ପୁସ୍ତିକା । ଏହା ସହିତ ଆପଣ ଅନ୍ୟାନ ଭାବପ୍ରବଣ ପୂର୍ଣ୍ଣ ଶବ୍ଦକୁ ଯୋଡି ପାରନ୍ତି । ଏହା ମୋ କ୍ଷେତ୍ରରେ ମଧ୍ୟ ଘଟିଛି ।
କିନ୍ତୁ ମୁଁ ଯେବେ ପଶ୍ଚିମ ଓଡିଶାର କୌଣସି ବି ଆଲୋଚନାରେ ବସିଛି ପ୍ରାୟତଃ ଅଣଆନୁଷ୍ଠାନିକ, ସବୁଠି ଆଲୋଚନା ଆରମ୍ଭ ହୁଏ ଅଥବା ସମାପ୍ତି ହୁଏ ଏହି ବର୍ଣ୍ଣବୋଧ ନିକଟରେ । ଏଥିରେ ବର୍ଣ୍ଣିତ ପୋଖରୀ ଅଥବା ସରୋବରକୁ ପଶ୍ଚିମ ଓଡିଶାରେ ବନ୍ଧ କୁହାଯାଏ । ଏହିପରି ଅନେକ ଶବ୍ଦ ଅଛି ଯାହା ଦୁଇ ଭୌଗଳିକ ସୀମାରେ ଥିବା ଶବ୍ଦର ଅର୍ଥ ଭିନ୍ନ ହୋଇଥାଏ । ପଶ୍ଚିମ ଓଡିଶାରେ ଳର ପ୍ରଚଳନ ନାହିଁ ଯାହା ଉପକୂଳ ଓଡିଶାରେ ରହିଛି । ନା’ ବା ନାହିଁ ଶବ୍ଦ ଆମର ପଛରେ ଆସିଲେ ସେଠାରେ ଆଗରେ ଆସେ ।
ଦୁଃଖର କଥା ଯେ ପଶ୍ଚିମ ଓଡିଶାର ବେଶ କିଛି ଛାତ୍ର ଛାତ୍ରୀ ଅଧିକ ସଂଖ୍ୟାରେ ଏହି ଓଡିଆ ଭାଷାରେ ଫେଲ ହୋଇଥାନ୍ତି । ସେମାନେ ଏହାକୁ ତେଣୁ ଏକ ଉପକୂଳିୟ ଷଡଯନ୍ତ୍ର ବୋଲି ମନେକରନ୍ତି । ସେମାନେ ଭାବନ୍ତି ଯେ ପଶ୍ଚିମ ଓଡିଶାରେ ଉପକୂଳ ଓଡିଶାର ଶବ୍ଦକୁ ଲଦିବାକୁ ଦିଆଯାଇଛି । କାରଣ ଗଣିତ, ବିଜ୍ଞାନ, ଇଂରାଜୀରେ ଭଲ କରିଥିବା ଛାତ୍ର/ଛାତ୍ରୀ ପୁଣି ଓଡିଆ ଫେଲ ହେବା କଦାପି ଅସମର୍ଥତା ନୁହେଁ, ସେମାନେ ସେକଥା ଭାବନ୍ତି ଓ ସତ ମଧ୍ୟ ।
ଏହି ସମସ୍ୟା ଦକ୍ଷିଣ ଓଡିଶାରେ ଅଧିକ । ଦକ୍ଷିଣ ଓଡିଶାର ଅନେକ ଆଦିବାସୀ ଭାଷା ସହିତ ଉପକୂଳିୟ ଓଡିଆ ଭାଷା ଓ ବର୍ଣ୍ଣବୋଧ ସହିତ କୌଣସି ସମ୍ବନ୍ଧ ନାହିଁ । ତାଙ୍କ ପାଇଁ ଓଡିଆ ଆମକୁ ଇଂରାଜୀ ଭାଷା ଶିଖିବା ପରି ।
ତେଣୁ ଦକ୍ଷିଣ ଓଡିଶାର ଆହୁରି ଅଧିକ ଛାତ୍ର ଛାତ୍ରୀ ଓଡିଆ ଭାଷାରେ ଫେଲ ହେବା ମୋର ନିଜସ୍ଵ ଅନୁଭୂତି
ରହିଛି ।
ଉଦାହରଣ ଦେଉଛି । କାଶୀପୁରର ଝୋଡିଆ ଭାଷାରେ ‘ପାଣି’ କୁ ‘ହାଣି’ କହିଥାନ୍ତି । ପାଣି ଭଳି ଜୀବନ ରଖିବା ଶବ୍ଦ ବଦଳରେ ଭୁଲରେ ବି ଝୋଡିଆ ପିଲାଟିଏ ଯଦି ହାଣି ଲେଖିଦେଇଥାଏ ତେବେ କେବଳ ଏକ ମାର୍କ ଊଣାହବ ତାହା ନୁହେଁ ଶିକ୍ଷକ ପୁରା ଖାତାରେ ବି ଶୁନ ଦେଇପାରେ । ଏହା କାହିଁକି ନହେଉଥିବ ?
ଯେମିତି ଆପଣ ଜାଣି ନାହାନ୍ତି ‘ଗୁସା’ ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ କ୍ରୋଧ । କିନ୍ତୁ କାଶ୍ମିରୀ ଭାଷାରେ ‘ଗୁସ’ ଶବ୍ଦର ଅର୍ଥ ଗୁହ ଅଥବା ଝାଡା । ଥରେ କିଛି କାଶ୍ମିରୀ ଯୁବକଙ୍କୁ ଗିରଫ କରିଆଣିବା ପରେ ସେମାନଙ୍କ ମଧ୍ୟରୁ ଜଣେ ‘ଗୁସ’ ଯିବା ପାଇଁ କହିବାପରେ ଯବାନ ତାହାକୁ ‘ଗୁସା’ ହେଉଛି ବୋଲି ବୁଝିଲା । ଏହାପରସ୍ଥିତି କଣ ହୋଇଥିବ?
ଆମେ କେହି ପ୍ରତିବାଦ କରୁନାହୁଁ ଯେ କାଶୀପୁରର 50,000
ଝୋଡିଆ ଆଦିବାସୀଙ୍କୁ ରାଜ୍ୟ ସରକାର କାହିଁକି ଆଦିବାସୀ ତାଲିକାରୁ ବାଦ ଦେଇ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିଦେଲେ । କାରଣ ଆମେ ସେମାନଙ୍କୁ ଓଡିଆ ବୋଲି ଗଣୁନାହିଁ ।
ସେମିତି ସ୍ଥିତି ହେଉ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ଛାତ୍ର ଛାତ୍ରୀଙ୍କ ସହିତ । ସେମାନଙ୍କ ଭବିଷ୍ୟତ ସହିତ ଆମର ଶିକ୍ଷକମାନେ ବେଶ ଖେଳ ଖେଳିପାରନ୍ତି । ପଶ୍ଚିମ ଓଡିଶାରେ ‘ଳ’ର ପ୍ରଚାଳନ ନଥିବା ହେତୁ ଫଳକୁ ଫଲ, କଳକୁ କଲ କହିଥାନ୍ତି ଓ ଏହି ହେତୁ ଶିକ୍ଷକ ମାର୍କ ଊଣା କରିବା ସ୍ଵାଭାବିକ ।
କାରଣ ଆମର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସରକାରଙ୍କ ଦାୟିତ୍ଵବାନ କର୍ମଚାରୀ
ହେତୁ ସରକାରୀ
ନିର୍ଦ୍ଦେଶକୁ ମାନିଥାନ୍ତି
ଓ ଏହି ଭାଷାଗତ ଅସୁବିଧାକୁ
ଓଡିଆ ଶିକ୍ଷକମାନେ କେବେ ଜାଣିବାକୁ ଚେଷ୍ଟା କରିନଥା’ନ୍ତି । ଓଡିଶା ସରକାର ମଧ୍ୟ ନିଜ ଆଡୁ ଏକ ନିର୍ଦ୍ଦେଶନାମା ଦେବା ଯେ ଏପରି ଅଞ୍ଚଳରେ ପରୀକ୍ଷକମାନେ ସଂବେଦନଶୀଳ ହେବେ ଓ ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେବେ ତାହା ମଧ୍ୟ ହୋଇପାରିନାହିଁ । କାରଣ ଆମର ପ୍ରାଶସକ ଓ ସଚୀବମାନେ ଅଷ୍ଟାଦଶ ଶତାବ୍ଦୀର ବ୍ରାହ୍ମଣଭଳି ଅତ୍ୟନ୍ତ ରୁଢିବାଦୀ, ନିଷ୍ଠୁର ଓ ପରମ୍ପରାଯୁକ୍ତ । ଆମର ନିର୍ବାଚିତ ମନ୍ତ୍ରୀମାନେ ଅତ୍ୟନ୍ତ ପରାଙ୍ଗପୁଷ୍ଟ, ରାଜନୈତିକ ଇଚ୍ଛାଶକ୍ତି ଶୂନ୍ୟ କେବଳ କାଠ ପିତୁଳା । ତେଣୁ ଏହି ସମସ୍ୟା କେବେ ସମାଧାନ ହୋଇପାରି ନାହିଁ ।
ଏପରିକି ଭାଷା ଆନ୍ଦୋଳନରେ ସମ୍ପୃକ୍ତ ନେତୃବର୍ଗ ହୁଅନ୍ତୁ ଅଥବା ଉପକୂଳର ଲେଖକ, କବି ଓ ଓଡିଆ ଅସ୍ମିତାକୁ ନେଇ ସ୍ତମ୍ବ ଲେଖୁଥିବା ବିଶେଷ ନାଗରିକମାନେ ଏପରି ଅସୁବିଧା ସମ୍ପର୍କରେ ହୁଏତ ଅବଗତ ନୁହନ୍ତି ନଚେତ ନିଜର ସୁବିଧା ସ୍ଥିତି ହେତୁ ନା ଆଲୋଚନା କରିଛନ୍ତି ନା କେବେ ସରକାରଙ୍କ ଉପରେ ଚାପ ପକାଇବାଲାଗି ଚେଷ୍ଟା କରିଛନ୍ତି । ସେମାନେ କେବେ ସମ୍ବେଦନ ହୋଇ ଏହାକୁ ବିଚାରକୁ ମଧ୍ୟ ନେଇନାହାନ୍ତି ।
ଏହି ହେତୁ ଆକ୍ରମଣର ବିମ୍ବ ହେଲା ବର୍ଣ୍ଣବୋଧ ଓ ଏହାର ଉପରେ ବିରକ୍ତି କୋଶଳ ଅଞ୍ଚଳରେ ବଢିବା ସ୍ଵାଭାବିକ ।
‘ବର୍ଣ୍ଣବୋଧ’କୁ ପୋଡିବା କଦାପି ପ୍ରତିକ୍ରିୟା ପ୍ରକାଶ କରିବାର ରାସ୍ତା ନୁହେଁ । ଅନ୍ୟର ଯେ ଏଥିପ୍ରତି ଭାବନା ରହିଛି ତାହାକୁ ଆଘାତ ଦେବା ଯେ ଅନୁଚିତ ଏ କଥାକୁ କିନ୍ତୁ ପୋଡିବା କାର୍ଯ୍ୟକରିଥିବା ବ୍ୟକ୍ତିମାନେ ବୁଝିନାହାନ୍ତି ବା ଆଘାତ ଦେବାଲାଗି ଜାଣିକରିକରିଛନ୍ତି । ଯଦି ଜାଣିକରି କରିଛନ୍ତି ତେବେ ଅପରାଧ ତ କହିବିନି । କହିବି ଏହା ଏକ ମାନସିକ ବିକୃତି ଓ ଏହାକୁ ଭୁଲିଯିବା ପାଇଁ ଅନୁରୋଧ କରିବି ।
ଯଦି ମୁଁ ଅପରାଧୀ କୁହେ ତେବେ ମୁଁ ତ କହିବି ଯେ ଏହି ପୋଡିବା ଓ ଏହି ମାଧ୍ୟମରେ ଅନ୍ୟକୁ ଆଘାତ ଦେବାର ପ୍ରକ୍ରିୟା ଏହି ଦେଶରେ ଦକ୍ଷିଣପନ୍ଥୀମାନେ ଆରମ୍ଭ କରିଥିଲେ । ସେମାନେ ଏହିଭଳି ସଙ୍ଖ୍ୟାଲଘୁଙ୍କ ଧର୍ମଗ୍ରନ୍ଥ କୋରାନ ଓ ବାଇବେଲ ପୋଡି ସଂଖ୍ୟାଲଘୁଙ୍କୁ ଆଘାତ ଦେଇଛନ୍ତି । ଏହିଭଳି ପ୍ରତିବାଦ କରିବାର ରାସ୍ତା କେବେ ବାମପନ୍ଥୀ ବିଚାରରେ ନାହିଁ ।
ଦକ୍ଷିଣପନ୍ଥୀଙ୍କ ଏଭଳି କାର୍ଯ୍ୟକୁ କିନ୍ତୁ ଅପରାଧଭୁକ୍ତ ହୋଇଥିଲେ ମଧ୍ୟ କେବେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବାର ଉଦାହରଣ ନାହିଁ । କନ୍ଧମାଳ ହିଂସାରେ ତ ଆମେ ଅନେକ ଉଦାହରଣ ପାଇଲେ ଯେଉଁଠି ଖ୍ରୀଷ୍ଟିୟାନ ଲୋକେ ଭାବନାତ୍ମକ ଭାବରେ ବର୍ଣ୍ଣନା କଲେ, ‘ସେମାନେ ଆମ ବାଇବେଲ ପୋଡିଦେଲେ, ଯୀଶୁଙ୍କ ଫଟୋକୁ ଚିରିଦେଲେ ଇତ୍ୟାଦି’ । କିନ୍ତୁ କେହି ଦଣ୍ଡିତ ହେଲେ ନାହିଁ ।
ବର୍ଣ୍ଣବୋଧ ପୋଡିବାକୁ ଅପରାଧ ଭୁକ୍ତ କରିବା ଭାଷାକ୍ଷେତ୍ରରେ ବୋଝ ଭାବୁଥିବା ଅନେକ ପଶ୍ଚିମ ଓଡିଶାର ସାଥୀଙ୍କୁ ପୁଣି ସନ୍ଦେହୀ ଓ ସମ୍ଭାବ୍ୟ ଅପରାଧୀ ତାଲିକା ଭୁକ୍ତ କରିଦେବା ଓ ସେମାନଙ୍କ ସ୍ଥିତିକୁ ବୁଝିବାର ରାସ୍ତାକୁ ବନ୍ଦ କରିଦେବା ସହିତ ସମାନ ହେବ ।
ଭାରତୀୟ ଆଇନ ବ୍ୟବସ୍ଥା ସମସ୍ତଙ୍କ ସମାନ ନହୋଇ ବରଂ ସଂଖ୍ୟାଗରିଷ୍ଠ ପାଇଁ ଭିନ୍ନ ଓ ଦୁର୍ବଳଙ୍କ ପାଇଁ ଭିନ୍ନ ହୋଇଆସିଛି ।
ଏ କ୍ଷେତ୍ରରେ ଉପକୂଳ ଅଞ୍ଚଳର ଲେଖକ/ଲେଖିକା, କବି ଓ ସ୍ତମ୍ବକରମାନଙ୍କର ନୈତିକ ଦାୟିତ୍ଵ ହେଉଛି
ସରକାରଙ୍କ ଉପରେ
ଚାପ ସୃଷ୍ଟି
କରିବା ଓ ଓଡିଆ ଭାଷକୋଷକୁ
ଆହୁରି ବ୍ୟାପକ
କରିବା ଯାହାଦ୍ୱାରା ଉପରୋକ୍ତ ପ୍ରତିକ୍ରିୟା ପୁଣି ଆଗ୍ରହ ଓ ପ୍ରେମରେ ବଦଳିପାରିବ । ସେମାନେ ପୁଣି ଓଡିଆ ଅସ୍ମିତା ସହିତ ସାମିଲ ହୋଇଯିବେ । ଓଡିଆ ଭାଷା ଅନେକ ପାଠକ ଓ ପାଠିକା ଏହାଦ୍ବାରା ପାଇପାରିବ ।
ମୁଁ ମୁଖ୍ଯତଃ ଓଡିଆ ଭାଷାରେ ସ୍ତମ୍ବ ଲେଖେ, ଗଳ୍ପ ଲେଖେ ଓ ଉପକୂଳିୟ ଓଡିଆରେ ସ୍ଵପ୍ନ ଦେଖେ
। ଏବେ ଆପଣ ଚିନ୍ତା କରନ୍ତୁ ମୋ ସହିତ ଆପଣ ଯିବେ ନା ମୋତେ ଆଘାତ ଦେବେ ।
ଦେବ ରଞ୍ଜନ
debasar11@yahoo.co.in,
cell: 9437762272
No comments:
Post a Comment