ରାଜ୍ୟରେ ଏହି ନୂଆ ମୋଟରଜାନ ଆଇନ ଜନିତ ଆତଙ୍କର ମୂଳ କାରଣ ହେଲେ ମୁଖ୍ୟମନ୍ତ୍ରୀ ନିଜେ । ବିଜେପିରେ ଅନ୍ଧ ଭକ୍ତଙ୍କ ଭଳି ଶାସକ ବିଜୁ ଜନତା ଦଳର ସଦସ୍ୟମାନେ ମଧ୍ୟ ଅନ୍ଧ ଭକ୍ତ ହୋଇଗଲେଣି ଓ ଏହାର ସପକ୍ଷରେ ଯୁକ୍ତି କରୁଛନ୍ତି । ଯେତେବେଳେ ଅନ୍ୟ ବହୁ ରାଜ୍ୟ ଉକ୍ତ ଆଇନର ସଂଶୋଧନ
ପାଇଁ ପ୍ରସ୍ତାବ ଦେଇଛନ୍ତି (ମଧ୍ୟ ପ୍ରଦେଶ ଓ ପଶ୍ଚିମ ବଙ୍ଗ ଇତ୍ୟାଦି ) ସେତେବେଳେ ଓଡିଶା
ସରକାର ଏହାକୁ ପୂର୍ଣ୍ଣାଙ୍ଗ ଭାବରେ ମାନିନେବା କଣ ଆବଶ୍ୟକ ଥିଲା କି? ସରକାର
ପ୍ରକୃତରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଭୁଲିଯାଇଛନ୍ତି କାରଣ ସେ ଗଲା ନିର୍ବାଚନରେ
217 କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଛନ୍ତି । ଲୋକଙ୍କ ସ୍ଥିତିକୁ ଆଦୌ
ବୁଝିନଥିବା ସରକାର ଲୋକଙ୍କ ପ୍ରତିବାଦ ପରେ ତିନି ମାସର ସମୟ ଦେଇଛନ୍ତି । କିନ୍ତୁ ଏହାର ସଂଶୋଧନ
ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଲେ ନାହିଁ । ଏହା ଘରେ ନିଆଁ ଲଗେଇ ଦେଇ ପୁଣି ଦମକଳ ଡାକି ନିଆଁ
ଲିଭାଇବା ପାଇଁ ଉଦ୍ୟମ କରିବା ଭଳି କଥା ।
ନୂଆ ମୋଟରଜାନ ଆଇନ ବିରୁଦ୍ଧରେ ଲୋକଙ୍କ ପ୍ରତିକ୍ରିୟାକୁ ଦମନ କରିବାକୁ ଯାଇ ଗଲା 7 ତାରିଖ ଦିନ (ସେପ୍ଟେମ୍ବର) ଭୁବନେଶ୍ବରର ରାଜମହଲ ଛକରେ ପୁଲିସର ଲାଠିଚାର୍ଜ ହୋଇଥିଲା । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର “ସରକାରଙ୍କୁ ଭୟ କର ଓ ଚୁପ ରୁହ” ନିତୀର ଅଂଶବିଶେଷ । ପୁଲିସ ଏଭଳି ଏକ ବାହିନୀ ଏହା ସଦା ସର୍ବଦା ନିଜକୁ ହିଁ ସରକାର ଭାବିନିଏ । ପୁଲିସ କେବଳ ସରକାରୀ ନିର୍ଦ୍ଦେଶକୁ ମାନିବା ଲାଗି ନିଯୁକ୍ତ ହୋଇଛନ୍ତି । ସେମାନେ ଆଇନ ତିଆରି କରିନାହାନ୍ତି । ଲୋକଙ୍କ ସହିତ ଆଲୋଚନା କରିବା ଓ ସରକାରୀ ଗାଡିଗୁଡ଼ିକର ଯେ ଉପଯୁକ୍ତ କାଗଜ ନାହିଁ ଏକଥାକୁ ସ୍ଵୀକାର କରିଯିବାରେ ଅସୁବିଧା କେଉଁଠି ଥିଲା ? ଏହା ତ ଗଣତନ୍ତ୍ରର ଦେଶ ନା ଏହା ପଟ୍ଟନାୟକ ବଂଶ କି ମୋଦୀ ବଂଶର ଶାସନର ସମୟ ?
କାହିଁକି ରାସ୍ତାରେ ଖାଲ ଅଛି, କାହିଁକି ପାଣି ଜମିଛି, ନଦୀରୁ ବାଲି ଉଠାଉଥିବା କି ଖଣିରୁ ମାଲ ବୋହୁଥିବା ଟ୍ରକକୁ ଛୋଟ ରାସ୍ତାରେ ଗଡିବାର ଅନୁମତି ଦେବା କେତେ ଉଚିତ, ରାତିରେ ଯାଉଥିବା ଦୂରଗାମୀ ବସର ବେଗ କେତେ ରହିବା ଉଚିତ, ଲୋକଙ୍କୁ ନେଇ ଯାଉଥିବା ବସର ଚାଳକ ସତେରେ ଯଥେଷ୍ଟ ବିଶ୍ରାମ ନେଇଛି ତ ସେ କଥାକୁ ଲୋକେ ପଚାରିବା ଲାଗି କୌଣସି ବ୍ୟବସ୍ଥା ନାହିଁ କି ସରକାର ସେଥିଲାଗି ଉତ୍ତରଦାୟୀ ନୁହଁନ୍ତି । ରାସ୍ତାରେ ଲୋକ ମଲେ ବିଭାଗୀୟ ଇନକ୍ଵାରି ଓ କିଛି କ୍ଷତିପୂରଣ ପରେ ସବୁ ଶେଷ ହୋଇଯାଏ ।
ନୂତନ ମୋଟରଜାନ ଆଇନ 2019 ଅନୁସାରେ ଜଣେ ଲୁନା ଚାଳକ ନିଜ ଲୁନାର ପ୍ରଦ୍ଯୁଷଣ ଚେକିଙ୍ଗ ସାର୍ଟିଫିକେଟ ନଥିଲେ 10,000
ଟଙ୍କା ଜୋରିମାନା ଦେଉଛି
। ରାଜ୍ୟରେ 4000 କୋଟି ଟଙ୍କାର ଷ୍ଟିଲ ପ୍ଳାଣ୍ଟ
ଦ୍ଵାରା ଶିଳ୍ପ ପ୍ରଦ୍ଯୁଷଣ ହେଲେ
10,000 ଟଙ୍କା ଜୋରିମାନା ଦେଉଛି । କୌଣସି ଷ୍ଟିଲ ପ୍ଳାଣ୍ଟ ଯେତିକି ବାୟୁ ପ୍ରଦ୍ୟୁଷଣ
କରୁଛି ଜଣେ ଲୁନା ଚାଳକ ସେତିକି କରୁଛି କି? କିନ୍ତୁ ସରକାରଙ୍କ ନୂତନ ଆଇନ
ଅନୁସାରେ ଉଭୟ ସମାନ । (See
section 39 of THE AIR (PREVENTION AND CONTROL OF POLLUTION) ACT, 1981) ଆମ୍ଭେମାନେ ଦାବି କରିବା ସତ୍ବେ ପ୍ରଦ୍ଯୁଷଣ କରୁଥିବା କୌଣସି କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ । ଏହାର ଧାରା 40ରେ ଉଲ୍ଲେଖ ରହିଲା ଯେ ପ୍ରଦ୍ଯୁଶଣ ପାଇଁ କମ୍ପାନୀର ମାଲିକ
ଦାୟୀ ନୁହନ୍ତି । କିନ୍ତୁ ଗାଡି ଯଦି ନିୟମର ଅନୁସାରେ କାଗଜ ନଦେଖାଇଲା ତେବେ ଏହାର ଚାଳକ ଓ ମାଲିକ
ଉଭୟ ଦାୟୀ । ଓଡିଶା ରାଜ୍ୟ ପ୍ରଦ୍ଯୁଷଣ ଉପଶମ ବୋର୍ଡର ତଥ୍ୟ ଅନୁସାରେ 1980 ମସିହା ଠାରୁ ଆଜି ପର୍ଯ୍ୟନ୍ତ କୌଣସି କମ୍ପାନୀ ଜଳ ପ୍ରଦ୍ଯୁଷଣ ହେଉ ଅଥବା ବାୟୁ ପ୍ରଦ୍ଯୁଷଣ ଲାଗି ଦଣ୍ଡିତ ହୋଇନାହାନ୍ତି । ଆମେ ଜାଣିଛୁ ବ୍ରାହ୍ମଣୀ ସବୁଠାରୁ ଅଧିକ ଦୂଷିତ ନଦୀ ଓ ତାଳଚେର, ସୁକିନ୍ଦା ଓ ଅନୁଗୁଳ ସହର ସବୁଠାରୁ ଅଧିକ ଅସ୍ଵାସ୍ଥ୍ୟକର ସ୍ଥାନ । ରାଜ୍ୟ ସରକାର ନିଜର କମ୍ପାନୀମାନଙ୍କୁ ଖୋଲା
ଛାଡିଦେଲା ବେଳେ ସାଧାରଣ ଗାଡ଼ି ଚାଳକ ସରକାରଙ୍କ ଦୃଷ୍ଟିରେ ବଡ ଦୋଷୀ । ଓଡିଶା
ଏବେ ନୂତନ ଆଇନ ଅନୁସାରେ ସବୁଠୁ ଅଧିକ ଜୋରିମାନା ଆଦାଯ କରିଥିବା ରାଜ୍ୟ ।
ସରକାର, ଚାହେଁ କେନ୍ଦ୍ର ହେଉ ଅଥବା ରାଜ୍ୟ, ଏହି ସମାନ ନିତୀ ଆଦିବାସୀ ଅଞ୍ଚଳରେ ହେଉ କି କାଶ୍ମୀର ଅଞ୍ଚଳରେ, କୃଷକ ହେଉ କି ଦଳିତ ଅଥବା ଅଳ୍ପ ସଂଖ୍ୟକ, ସମସ୍ତଙ୍କ ବିରୁଦ୍ଧରେ ସେହି ସମାନ ନିତୀ ଆପଣାଉଛନ୍ତି । ରାସ୍ତାରେ ଦୁର୍ଘଟଣା ହେଲେ ଚାଳକ କେବଳ ଦାୟୀ ତେଣୁ ସେ ଅପରାଧୀ । ଆଦିବାସୀ ଅଞ୍ଚଳରେ ଯଦି ଜଙ୍ଗଲ କଟୁଛି କି ଖଣି ଲୁଟ ହେଉଛି କି ସ୍କୁଲ ଓ ସ୍ୱାସ୍ଥ୍ୟ ସୁବିଧା ମିଳୁନି ତେବେ ଏଥିପାଇଁ ଆଦିବାସୀ ଦାୟୀ ତେଣୁ ସେ ‘ମାଓବାଦୀ’ । କାଶ୍ମୀରର ଲୋକେ ଯଦି ସ୍ୱାୟତତ୍ତାର ଅଧିକାର ପାଇଁ ଦାବି କଲେ ତେବେ ସେମାନେ ‘ଦେଶଦ୍ରୋହୀ’ ।
କେନ୍ଦ୍ର
ସରକାରଙ୍କ ଏହି ନୂତନ ଆଇନର ସଜ୍ଞା ଅନୁସାରେ ରାସ୍ତାରେ ଘଟୁଥିବା ସମସ୍ତ ଦୁର୍ଘଟଣା ପାଇଁ ଗାଡ଼ି
ଚାଳକ ହିଁ କେବଳ ଦାୟୀ ଯେମିତି ଆଦିବାସୀ ଅଞ୍ଚଳରେ ହେଉଥିବା ସମସ୍ତ ଅବ୍ୟବସ୍ଥା ଲାଗି ଆଦିବାସୀ ହିଁ
ଦାୟୀ । ଆମେ ଆମର ଗଣତାନ୍ତ୍ରିକ ଚେତନାକୁ ସରକାରୀ ବିଜ୍ଞାପନ, ମିଡିଆ ଅଭିଯାନ
ଓ ଶାସକ ଦଳର କାର୍ଯ୍ୟକ୍ରମ ମଧ୍ୟରେ ଏଭଳି ହରାଇସାରିଲୁଣି ଯେ ସରକାର ଯାହାକୁ ‘ସାଧାରଣ ଅପରାଧି’ କିମ୍ବା ‘ଦେଶଦ୍ରୋହୀ’ କହିଲେ ଆମେ ତାହାକୁ ମଧ୍ୟ ଅପରାଧୀ ଅଥବା ଦେଶଦ୍ରୋହୀ କହିଦେଉଛୁ । ସରକାର ଭାବୁଛନ୍ତି
ଯେ ଦମନ ଦ୍ଵାରା ଶାନ୍ତି ଓ ଶୃଙ୍ଖଳା ଆସିପାରିବ । ତେଣୁ ଗାଡ଼ି ଚାଳକକୁ ଅଧିକ ଦଣ୍ଡ ଦେବା
ଦ୍ଵାରା ଦୁର୍ଘଟଣା ରୋକାଯାଇପାରିବ, ଏକଥା ସରକାର ଭାବୁଛନ୍ତି । ଯଦି
ସେହି ଯୁକ୍ତି ଠିକ ତେବେ ଭାରତର ପ୍ରତ୍ଯେକ ସହର ଓ ନଦୀ ଆଜି ଯେଉଁ ଭଳି ଦୂଷିତ ସେହି ହେତୁ
ସମସ୍ତ ବୃହତ ଶିଳ୍ପ ଓ ଖଣି କମ୍ପାନୀମାନଙ୍କୁ କୋଟି କୋଟି ଟଙ୍କାର ଜୋରିମାନା କରାଯାଇପାରିଲେ
ନଦୀମାନେ ସ୍ବଚ୍ଛରେ ଅନ୍ତତଃ ପ୍ରବାହିତ ହୋଇପାରନ୍ତେ, ଜଙ୍ଗଲ ଗୁଡିକ
ଆପେ ତିଆରି ହୋଇପାରନ୍ତା ଓ ବର୍ଷା ମଧ୍ୟ ଠିକରେ ହୁଅନ୍ତା ? କିନ୍ତୁ ତାହା ହେଉ ନାହିଁ । ସରକାର ନିର୍ଦ୍ଦିଷ୍ଟ ବର୍ଗ
ଉପରେ “ଦମନ କର ଓ ଶାସନ କର” ନିତୀ ଆପଣାଇବା ଦ୍ଵାରା ସମାଜରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାଦ୍ବାରା ହୁଏତ ପ୍ରକୃତ ସମସ୍ୟାକୁ ଟାଳିଦେବାରେ ସରକାର ଆଉ କିଛି ସମୟ ପାଇଥାନ୍ତି ।
ଦେବ ରଞ୍ଜନ
No comments:
Post a Comment