Monday, February 3, 2020

ଆମେ ସମସ୍ତେ ଚାହୁଁ ଆଜାଦୀ

'ହମ ଚାହାତେ ହେଁ ଆଜାଦୀ' ଜାନୁଆରୀ 30 ତାରିଖର ଭୁବନେଶ୍ଵର ଠାରେ ଅନୁଷ୍ଠିତ ବିରାଟ ରାଲ୍ଲୀ(photo: Deba Ranjan) 



          ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ ଏକ ବିଡମ୍ବନା ଏହା ବାସ୍ତବ, ଏହା ସତ୍ୟ ମଧ୍ୟ ଜାନୁଆରୀ 30 ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲ୍ଲି ଏହି ଆଜାଦୀର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ ଚାହୁଞ୍ଚନ୍ତି ଆଜାଦୀସେହି ରାଲ୍ଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ ଆଜାଦୀ ।
            ମନୁବାଦସେ ଆଜାଦୀ’, ଜାତିବାଦସେ ଆଜାଦୀ’, ଭୁଖମରିସେ ଆଜାଦୀ’, ବେରୋଜଗାରିସେ ଆଜାଦୀ ରାଲ୍ଲୀ ଭିତରେ ଶିହରଣ ଖେଳାଇଦେଉଥିଲା । ରାଲ୍ଲୀରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ ମୁହଁ ଲାଜରେ ପୋଡିଯାଉନାହିଁ କାହିଁକି? ଏହା କଣ ସେମାନଙ୍କ ବିଫଳତା ନୁହେଁ ? କିନ୍ତ ସେଭଳି କିଛି ହେବାର ନଥିଲା । କାରଣ ସେହିମାନେ ହିଁ ଥିଲେ ଏହି ରାଲ୍ଲୀର କାରଣ । ଏନଆରସିସେ ଆଜାଦୀ’, ଏନପିଆରସେ ଆଜାଦୀ’, ‘ସିଏଏସେ ଆଜାଦୀ ପ୍ରତ୍ଯେକ ପଦଚାରୀ ଜୋରରେ ଚିତ୍କାର କରୁଥିଲେ ।
            ବିଗତ ଦିନରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ସେହି ଛାତ୍ର ଆନ୍ଦୋଳନ ମଧ୍ୟରୁ ଆସିଥିବା ଏହି ଆଜାଦୀର ସ୍ଲୋଗାନ ଦେଶର ସମସ୍ତ ଅଧିକାର ଆଂଦୋଳନର କଣ୍ଠସ୍ଵର ପାଳଟିଯାଇଛି । “ଆମ୍ଭେ ଭାରତୀୟ”ର ଜାତୀୟତା ଭାବନା ମଧ୍ୟରେ ଛୋଟ ବଡ ଅସ୍ମିତାର ସ୍ଥାନ ନାହିଁ । କିନ୍ତୁ ସଂଖ୍ୟା ଗରିଷ୍ଠ ହିନ୍ଦୁର ଅହମିକାକୁ ଆଧାର କରି ସ୍ଥାୟୀ ଭାବରେ ଏହି ଦେଶରେ ଶାସନ କରିବାର ଇଚ୍ଛା ରଖୁଥିବା ହିନ୍ଦୁ ମୌଳବାଦୀମାନେ ଅସହିଷ୍ଣ ପଲଟିଯାଇଛନ୍ତି ସେମାନେ JNU ବିରୁଦ୍ଧରେ (ଓ ଅନ୍ୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ମଧ୍ୟ) ଯୁଦ୍ଧମ ଦେହି ଡାକରା ଦେଇଛନ୍ତି । 


            ଏହି ହେତୁ ଆଜି JNU ଓ ଏହାର ବାହାରେ ସମାନତାର ଆହ୍ଵାନ ବନାମ ଜାତିବାଦ ଓ ଲିଙ୍ଗଭେଦ କାଏମ ରଖିବାକୁ ଚାହୁଁଥିବା ବିଚାର ମଧ୍ୟରେ ଲଢେଇ ଦେଖୁଛୁ । ଏହି ବିଚାରର ଲଢେଇ କ୍ରମଶଃ ଶାସକଦଳ ଦ୍ଵାରା ଆକ୍ରମଣ ଓ ରାଷ୍ଟ୍ରହିଂସାରେ କେବେଠୁ ପରିଣତ ହୋଇସାରିଲାଣି । ଆମ ମଧ୍ୟରୁ ବେଶ କିଛି ଅଛନ୍ତି ଯେଉଁମାନଙ୍କୁ ଏହି ସମାନତାର ଆହ୍ଵାନ ବେଶ ଖଟା ଲାଗୁଛି । ସେମାନେ ଗଣତନ୍ତ୍ରକୁ ଭୁଲିଯାଇ ହିନ୍ଦୁ ମୌଳବାଦୀଙ୍କ କ୍ୟାମ୍ପରେ ପହଞ୍ଚିଯାଉଛନ୍ତି । ଏହି ବର୍ଗର ଶାସକ ଓ ତାଙ୍କ ସମର୍ଥକଙ୍କ ଲାଗି ମୂଳ ସମସ୍ଯା ହେଲା ଧାର୍ମିକ ଅସହିଷ୍ଣତା, ହେତୁବାଦୀଙ୍କ ଦ୍ଵାରା ଦିଆଯାଉଥିବା ବୈଜ୍ଞାନିକ ବିଚାରର ପ୍ରସାର, ଦଳିତ ସଂଗଠନ ଦ୍ଵାରା ଦାବି ରହିଥିବା ସରଙ୍ଖ୍ୟଣ ବ୍ୟବସ୍ଥାର ସ୍ଥାୟିତ୍ଵ ଓ କମ୍ୟୁନିଷ୍ଟଶକ୍ତିଙ୍କ ଦ୍ଵାରା ଦିଆଯାଉଥିବା ଆର୍ଥିକ ସମାନତାର ଆହ୍ଵାନ ।
            ଦେଶ ଅଧିକ ଧନିକ ବର୍ଗ ତିଆରି କରିପାରିଥିବା ଓ ଆମେରିକାର ଶାସକଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରୁଥିବାକୁ ନେଇ ଆଜିର ଶାସକବର୍ଗ ବେଶ ଗର୍ବ କରୁଛନ୍ତି । ସେମାନେ ପୁଷ୍ଟିହୀନତା ହେତୁ ହେଉ ଅଥବା ବେକାରୀ ହେତୁ ହେଉ ଶିଶୁ ମୃତ୍ୟୁବରଣ କରୁଥିବା ଅଥବା ଯୁବକ ଆତ୍ମହତ୍ୟା କରୁଥିବା ଆଜି ଆଉ ଲଜ୍ଜାର ବିଷୟ ହେଉନାହିଁ । ଆଜିର ଶାସକମାନେ ନିଜର ଭୋଟବ୍ୟାଙ୍କ କିଏ ତାହାକୁ ସ୍ଥିର କରିଦେବା ପରେ ସେମାନଙ୍କ ପାଇଁ ବାକି ସମସ୍ତେ ସରକାରବିରୋଧୀ”, ଦେଶଦ୍ରୋହୀ” , “ଅବାଞ୍ଛିତ” ଅଥବା “ଅଣଭାରତୀୟ”। 
            ଏହା ଉଲ୍ଲେଖନୀୟ ଯେ ରାଲ୍ଲିରେ ମୁସଲମାନ ସଂପ୍ରଦାୟର ଯୋଗଦାନ ଅଧିକ ଥିଲା ଦେଶର ସମ୍ବିଧାନର ବିରୋଧରେ ଯାଇ ବିଜେପି ନାଗରିକତା ତାଲିକାରେ ପ୍ରଥମ କରି ଧର୍ମକୁ ଏକ ବିଷୟ କରିବା ଓ ସେଥିରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାଦଦେବା ହେତୁ ଏଭଳି ପ୍ରତିବାଦ ରାଲ୍ଲୀର ବେଶ ଆବଶ୍ୟକତା ଥିଲା । ସେହି ମୁସଲମାନ ଯୁବକ ଓ ପୌଢଙ୍କ ମଧ୍ୟରେ ଭୟ ଥିଲା ନରେନ୍ଦ୍ର ମୋଦୀ – ଅମିତ ଶାହା ସେମାନଙ୍କୁ ତାଙ୍କ ନିଜ ଦେଶରୁ ବହିସ୍କାର କରିଦେବେ, ଭୋଟର ତାଲିକାରେ ନାମ କାଟିଦେବେ, ସେମାନଙ୍କୁ ହୁଏତ ଦେଶରୁ ତଡିଦେବେ ଅଟୋ ଚାଳକ, ଦୋକାନୀ, ଦରଜୀ, ଫେରିବାଲା, ଡ୍ରାଇଭର, ଖୁଚୁରା ବେପାରୀ, ଛାତ୍ର ସମସ୍ତେ ଏଥିରେ ସାମିଲ ଥିଲେ । ଏକ ସ୍ଥିର ଆୟ ଅଥବା ସୁରକ୍ଷିତ ଭବିଷ୍ୟତ ସେମାନଙ୍କ ଦାବି ନଥିଲା । ବରଂ ଯାହା ବି ଟିକେ ଅଛି ସେତକ ଚାଲିନଯାଉ ତାହା ଥିଲା ସେମାନଙ୍କ ଲାଗି ଭୟ । ନିଜର ନାଗରିକତାକୁ ହରାଇବାର ଭୟ ରାଲ୍ଲିରେ ତ ବେଶ ଜଣାପଢୁଥିଲା ।


            ବ୍ୟସ୍ତ ବିବ୍ରତ ମନ, ମୁହଁରେ କ୍ରୋଧ, ଚାଲିରେ ଗମ୍ଭୀରତା ଥିବା ପଦଚାରୀଙ୍କ ମଧ୍ୟରେ, “ଗାନ୍ଧିନେ ଭଗାୟା ଥା ଗୋରୋଙ୍କୋ ହମ ଭଗାଏଙ୍ଗେ ଚୋରୋଙ୍କ”, “ମୋଦୀ – ସାହା ଦେଶ ଛୋଡ” ସ୍ଲୋଗାନ ସମଗ୍ର ରାଲ୍ଲୀର ମନୋଭାବକୁ ବୁଝାଉଥିଲା । ରାଲ୍ଲୀ ପରବର୍ତ୍ତୀ  ଭାଷଣରେ ନେତାଙ୍କ ଭିତରେ “ହିନ୍ଦୁ ମୁସଲମାନ ଭାଇ ଭାଇ”, “କୋରାନ ହମକୋ ହିନ୍ଦୁ ମୁସଲମାନ ଏକ କଟୋରି ମେଂ ପାନି ପିନା ଶିଖାୟା” ମୋତେ ସ୍କୁଲ ଜୀବନରେ ବାରମ୍ବାର ଘୋଷିଥିବା ଇକବାଲଙ୍କ ଦ୍ଵାରା ଲିଖିତ ସାରେ ଜାହାଁ ସେ ଆଛାର କବିତାର ପଂକ୍ତି “ମଝବ ନେହିଂ ଶିଖାତା ଆପସମେ ବୈର ରଖନା” ମନେପଡୁଥିଲା ପଚାଶ ଦଶକର ସେହି ସର୍ବଧର୍ମ ସମଭାବ ଓ ଧର୍ମନିରପେକ୍ଷତାକୁ ପୁଣି ଦୋହରାଯାଉଥିଲା । ଆମେ କଣ ଏହା ଦ୍ଵାରା ପଛକୁ ଫେରୁଛେ ? ପୁଣି ପଚାଶ ଦଶକର ସେହି ବିଭାଜନ ଜନିତ ଘା ଏବେ ସତେଜ ହେବାକୁ ଯାଉନାହିଁ ତ ?
             ସରକାର ଯେବେ  ଜାତୀୟ ଜନସଂଖ୍ୟା ପଞ୍ଜିକା କରିବା ଆରମ୍ଭ କରିବେ ସେତେବେଳେ କେବଳ ମୁସଲମାନ ନୁହନ୍ତି, ରାଜ୍ୟର ବସ୍ତିବାସିନ୍ଦା, ଭୂମିହୀନ ଦଳିତ ଓ ଆଦିବାସୀ ବର୍ଗ, କିନ୍ନର, ଅନାଥ ଛୁଆମାନେ, ବେଶ ସଂଖ୍ୟକ ବିବାହିତା ମହିଳା ଓ ଅନେକ ଅନେକ ସେହି ସନ୍ଦିଗ୍ଧ ନାଗରିକ (Doubtful Citizen) ତାଲିକାରେ ଆସିଯିବେ ।  (Citizenship (Registration of Citizens and Issue of National Identity Cards) Rules, 2003, Section 4(4)) କିନ୍ତୁ ଦୁଃଖର କଥା ଯେ ରାଲ୍ଲିରେ ସେମାନଙ୍କ ସଂଖ୍ୟା ବେଶ କମ ଥିଲା । ହୁଏତ ଏହା ସାଙ୍ଗଠନିକ ଦୁର୍ବଳତା । ସେମାନଙ୍କ ପାଖରେ ହୁଏତ ଏହି ବାର୍ତ୍ତାଟି ଠିକରେ ପହଞ୍ଚିପାରି ନାହିଁ । ପୁଣି ସନ୍ଦିଗ୍ଧ ତାଲିକାରେ କମ୍ୟୁନିଷ୍ଟମାନେ ବାଦ ଯିବେ ନାହିଁ ଓ ସେମାନେ ଥିଲେ ଏହି ରାଲ୍ଲିର ମୁଖ୍ୟ ଆୟୋଜକ ।
            ସରକାର ହୁଏତ କହୁଥାଇପାରନ୍ତି, “ସିଏଏ ନାଗରିକତା ଲେନେ କେ ଲିୟେ ନେହିଂ ଦେନେକେ ଲିୟେ।“ କିନ୍ତୁ କାହାକୁ? କାହିଁକି ଏ ସମ୍ବିଧାନ ବିରୋଧୀ ପଦକ୍ଷେପ? କାହିଁକି ସିଏଏ ସହିତ ଏକ କାଳୀନ ଏନଆରସି ଓ ଏନପିଆର ଲାଗୁହେଉଛି? ଆସାମର ବିଗତ ଦିନର ଘଟଣାବଳୀ ଆମକୁ କଣ ସୂଚନା ଦେଉଛି? ହାଏ! ଏ ଦେଶର ଶାସକଙ୍କ ପାଖକୁ ଯାଇ ସେତିକି ପଚାରିବାର ସୁଯୋଗ ରହିଥାନ୍ତା କି? ଅନେକ ଅନେକ ଦୂରରୁ ଥାଇ ସାମାନ୍ଯ ପଚାରିବା ମଧ୍ୟ ଏ ଦେଶରେ ଦେଶଦ୍ରୋହ ଅପରାଧ!   


            ମୋ ପାଇଁ ଏଭଳି ଜନ ସମାଗମ ଓ ଏଭଳି ଏକ ରାଲ୍ଲିରେ ଯୋଗଦାନ ଥିଲା ପ୍ରଥମ । ମୁଁ ସେହି ମୁସଲମାନ ଯୁବକଙ୍କ ପାଦରେ ପାଦ ମିଶାଇ ଚାଲୁତ ଥିଲି, ବହୁତ କଥା ପଚାରୁ ଥିଲି କିନ୍ତୁ ଅନୁଭବ କରୁଥିଲି ଯେ ମୁଁ ଏହି ପଦଚାରୀଙ୍କ ସହିତ ଏକ ନିର୍ଦ୍ଦିଷ୍ଟ ସୀମାରେଖା ପରେ ଅନ୍ୟ କିଛି ଆଲୋଚନା କରିପାରିବି ନାହିଁ । ସେମାନେ ବାରମ୍ବାର ମଝବର କଥା କହୁଥିଲେ ଓ ମୁଁ ଜଣେ ନାସ୍ତିକ ତଥା ଗଣତନ୍ତ୍ରବାଦୀ ଭାବରେ ଧର୍ମର ଅନୁଷ୍ଠାନପଣ, ଅବୈଜ୍ଞାନିକ ଚିନ୍ତାଧାରା ଓ ଅଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଆଲୋଚନା କରିପାରୁନଥିଲି କିଛି ସମୟ ପାଇଁ ଲାଗିଲା ମୁଁ ହୁଏତ ସେହି ତିଳକଧାରୀଙ୍କ ମଧ୍ୟରେ ଅଛି ଓ ଏହି ରାଲ୍ଲି ପାକିସ୍ତାନ ଅଥବା ବଙ୍ଗଳାଦେଶର କୌଣସି ପ୍ରଦେଶରେ ଚାଲିଛି । ଆମ ଭିତରେ ବିଶ୍ଵମାନବବାଦର ସ୍ଵପ୍ନ ଧିରେ ଧିରେ ମରିଯାଉଛି ।
            ସତେରେ ଆମର ଶାସକମାନେ ଆମକୁ ଶିଖାଉଥିବା ଜାତୀୟତା ହେଲା ଆମର ପଡୋଶୀ ଦେଶକୁ ଅଧିକରୁ ଅଧିକ ଘୃଣା କରିବା ଓ ପଡୋଶୀ ଦେଶର ସମସ୍ତ ଆଚରଣକୁ ନିଜେ କପି କରିବା । ଅଦ୍ଭୁତ ଏ ଜାତୀୟତା । ଆମକୁ ସତେରେ ଏଥିରୁ ଆଜାଦୀ ଜରୁରୀ ।
ଦେବ ରଞ୍ଜନ

No comments:

Post a Comment