“କିନ୍ତୁ
ଯେଉଁ ମୁହୂର୍ତ୍ତରେ / ତୁମେ ଆରମ୍ଭ କରିବ ପ୍ରତିବାଦ / କିମ୍ବା ଡାକରା ଦେବ ଏକ ବିଦ୍ରୋହର / ସବୁକିଛି
ଯେପରି ଭୁଲ ହୋଇଯିବ...”
“ଶେଷରେ
ତୁମର କବିତା / ଘୋଷିତ ହେବ ଏକ ବିପଜ୍ଜନକ ଉଚ୍ଚାରଣ / ଓ ତୁମେ ନିଜେ ହୋଇଯିବ / ତଥାକଥିତ
ବେଶଦ୍ରୋହର କାରଣ ।“ ( ଆଶୁତୋଷ ପରିଡ଼ାଙ୍କ କବିତା ‘ଅପ୍ରସ୍ତୁତ ମୃତ୍ୟୁ’ର କିଛି ଧାଡ଼ି)
ଲେଖକ ଅଥବା ଲେଖିକାର ସୀମା କିଏ ସ୍ଥିର କରିବ? ତା’ ନିଜର ବିବେକ ? ନା ସରକାରଙ୍କ ଆକ୍ରୋଶ?
ଦିଲ୍ଲୀର
ରାଜ୍ୟପାଳ ଆକ୍ରୋଶମୂଳକ ଭାବନା ନେଇ ଜୁନ ୧୪, ୨୦୨୪ରେ ଅରୁନ୍ଧତୀ ରାୟ ଓ ପ୍ରଫେସର ଶୌକତ ହୁସେନଙ୍କ ବିରୁଦ୍ଧରେ
“ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଛନ୍ତି । ଉଭୟ ଏବେ ଗିରଫ ହେଲେ କି ନାହିଁ
ତାହା କୋର୍ଟର ପରିସର ହୋଇଛି। ଏହା ବହୁତ ବଡ ଖବର। ଲେଖକୀୟ ସ୍ଵାଧୀନତାକୁ ନଷ୍ଟ କରିବା ଓ ସମାଜକୁ
ନିଜ ନିର୍ଦ୍ଦିଷ୍ଟ ରାସ୍ତାରେ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଏହା ଅତି ନିନ୍ଦନୀୟ ଉଦ୍ୟମ।
ଏପରିକି
ଅରୁନ୍ଧତୀ ରାୟଙ୍କୁ ମିଳୁଥିବା ପେନ ପିଣ୍ଟର ପୁରସ୍କାର ଠାରୁ ବଡ଼ ଖବର ହେଉଛି ଯେ ଜାତିସଂଘର
ମାନବିକ ଅଧିକାର କାଉନସିଲ ଲେଖିକାଙ୍କ ଉପରୁ ‘ଦେଶଦ୍ରୋହ’ ଅଭିଯୋଗ ପ୍ରତ୍ୟାହାର କରିବା ଲାଗି ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା। ପୁରସ୍କାର
ଲେଖିକାଙ୍କୁ ଉସ୍ଛାହିତ କରିପାରେ। ମାତ୍ର ଜାତିସଂଘ କାଉନସିଲର ବାର୍ତ୍ତା ୧୪୦ କୋଟି ଦେଶବାସୀଙ୍କ ଏହି ଦେଶର
ମାନବିକ ଅଧିକାରର ସୁରକ୍ଷା ଓ ବାକ ସ୍ଵାଧୀନତାର ସ୍ଥିତିକୁ ଦର୍ଶାଇଦେଉଛି। ବିଶ୍ଵରେ ୧୮୦ ଦେଶ
ମଧ୍ୟରୁ ପ୍ରେସ ସ୍ଵାଧୀନତା ବା ବାକ ସ୍ଵାଧୀନତା ତାଲିକାରେ ଭାରତ ଯେଉଁଠି ବିଜେପି ଶାସନକୁ
ଆସିବା ବର୍ଷ, ୨୦୧୪ ମସିହାରେ, ୧୪୦ ତମ ସ୍ଥାନରେ ରହିଥିଲା ୨୦୨୪ ମସିହା
ବେଳକୁ ତାହା ଖସି ଆସି ୧୬୧ ତମ ସ୍ଥାନରେ ପହଞ୍ଚିଛି। ଅରୁନ୍ଧତୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ଯ
ଏହାର ଉଦାହରଣ।
ଲେଖକ
ସମାଜକୁ ଭଲପାଉଥିବା କାରଣରୁ ଲେଖେ। ସମାଜ ଯେଉଁଠି ତିଳ ତିଳ ହୋଇ ମରୁଥାଏ ସେଠାରେ ଲେଖକ ନିଜେ
କଦାପି ଏକ ଜୀବନ୍ତ ଶବ ହୋଇ ପଡିରହେ ନାହିଁ କି ସେଠାରୁ ମୁହଁ ବୁଲାଇ ଏକ ସ୍ଵାର୍ଥୀ ମଣିଷ ହୋଇଯାଇପାରେ
ନାହିଁ। ସେ ନିଶ୍ଚୟ ନିଶାଣ କରେ ସମାଜକୁ ମାରିଦେଉଥିବା ଶକ୍ତିମାନଙ୍କୁ। ସେହି ନିଶାଣ ମଧ୍ୟରେ ଆସିଥାନ୍ତି
ସରକାର ଓ ତାଙ୍କର ସମସ୍ତ ଅନୁଷ୍ଠାନ।
୨୦୧୦
ମସିହାରେ ଦିଲ୍ଲୀରେ କାଶ୍ମୀର ସଂକ୍ରାନ୍ତ ଆୟୋଜିତ ଏକ ମିଟିଂରେ “କାଶ୍ମୀରର ଆଜାଦି ସପକ୍ଷରେ” ଦେଇଥିବା
ଭାଷଣର ଅଭିଯୋଗ ଆଧାରରେ ୨୦୨୩ ମସିହାରେ ପ୍ରଥମେ “ରାଜଦ୍ରୋହ” ଓ ପରେ “ଦେଶଦ୍ରୋହ” ମାମଲା ରୁଜୁ ବାକ
ସ୍ଵାଧୀନତାକୁ ତାଲା ପକାଇ ରଖିବା ଭଳି କଥା ନୁହେଁ କି?
କାଶ୍ମୀର
ଅଞ୍ଚଳ ବୁଲିଆସିବା ପରେ ଅରୁନ୍ଧତୀ ଲେଖିଛନ୍ତି, “ଆଜକୁ ପ୍ରାୟ ୨୦ ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଯୁଦ୍ଧ ଚାଲିଛି।
ଯୁଦ୍ଧରେ ୭୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି। ହଜାର ହଜାର ନିର୍ଯାତିତ, ଆଉ କେତେ ହଜାର ‘ନିଖୋଜ’। ହଜାର ହଜାର ସ୍ତ୍ରୀ ବିଧବା ହୋଇଛନ୍ତି, ଆଉ କେତେକ ଧର୍ଷିତା। ଇରାକ ଦଖଲ ସମୟରେ
୧,୬୫,୦୦୦ ଜଣ ଆମେରିକୀୟ ସୈନିକ ମୁତୟନ ହୋଇଥିଲେ। ପାଞ୍ଚ ଲକ୍ଷ ଭାରତୀୟ ସୈନ୍ୟ କାଶ୍ମୀର ଉପତ୍ୟକାର ଗଳିକନ୍ଦି, ପାହାଡ ଝରଣା, ଜନବସତି ଶୂନ୍ୟସ୍ଥାନ ସବୁଠି ମୁତୟନ।...ନିଜକୁ
ଗଣତାନ୍ତ୍ରିକ ବୋଲି ଦାବି କରୁଥିବା ଏକ ସରକାର (କଂଗ୍ରେସ ନେତୃତ୍ଵାଧୀନ ୟୁପିଏ) ସାମରିକ ଦଖଲର ଯଥାର୍ଥତା
ସାବ୍ୟସ୍ତ କରୁଛି ଓ ଏହାକୁ ହିଁ କହୁଛି ବିଜୟ।“ ୨୦୦୯ ମସିହାରେ ଅରୁନ୍ଧତୀ ନିଜର ଲେଖା
“ଡେମୋକ୍ରାସିଜ ଫେଲିଙ୍ଗ ଲାଇଟ” (ଗଣତନ୍ତ୍ରର ଲିଭିଆସୁଥିବା ଔଜଲ୍ୟ) ରେ କାଶ୍ମୀରର ସ୍ଥିତି
ସମ୍ପର୍କରେ ଉପରୋକ୍ତ ଲେଖା ଲେଖୁଛନ୍ତି। କିନ୍ତୁ ସେ ସମୟରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ
ସରକାର ଲେଖିକାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇନଥିଲେ।
ବିଜେପି
ସରକାର ଭିନ୍ନମତ ପ୍ରତି ତୁଳନାତ୍ମକ ଭାବରେ ଅଧିକ ଅସହିଷ୍ଣୁ। ତାଙ୍କର ହିନ୍ଦୁରାଷ୍ଟ୍ର ଗଠନର
ଜଲଦିବାଜି ରହିଛି। ଏହା ସହିତ ସଂବେଦନଶୀଳ ସମାଜ ଗଠନ ଅପେକ୍ଷା ଏକ ଦୃଢ ରାଷ୍ଟ୍ର ଗଠନ
ଦକ୍ଷିଣପନ୍ଥୀ ବିଚାରର ଲକ୍ଷ୍ୟ। ଜାମ୍ମର ସୁଶୀଲ ପଣ୍ଡିତଙ୍କ ଅଭିଯୋଗ (ଏଫଆଇଆର) ଉପରେ ଦିଲ୍ଲୀର ଲେଫ୍ଟନାଣ୍ଟ
ଗଭର୍ଣ୍ଣର ସେହି ୨୦୧୦ ମସିହାର ମିଟିଂ ଲାଗି ୨୦୨୩ ମସିହାରେ ଲେଖିକା ଓ ଅନ୍ୟ ତିନି ଜଣଙ୍କ
ବିରୁଦ୍ଧରେ ‘ରାଜଦ୍ରୋହ’ ବା ସେଡିସନ ମାମଲା ରୁଜୁ କରିବା ଲାଗି
ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମ କୋର୍ଟ ଏହାର ବର୍ଷକ ପୂର୍ବରୁ, ୨୦୨୨ ମସିହାରେ, ‘ରାଜଦ୍ରୋହ’ ମାମଲା ଉପରେ ରୋକ ଲଗାଇଥିବା କାରଣରୁ ଏ
ସଙ୍କ୍ରାନ୍ତରେ ପୁଲିସ ତତ୍ପର ନଥିଲା।
ଅନ୍ୟ
ତିନି ଜଣ ‘ରାଜଦ୍ରୋହ’ ବା ସେଡିସନ ଅଭିଯୁକ୍ତ ହେଲେ ହୁରିୟାତ
ନେତା ଏସଏଆର ଗିଲାନୀ, ଯାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସଏଦ ଗିଲାନୀ ଓ ପ୍ରଫେସର
ଶୌକତ ହୁସେନ। ଇତି ମଧ୍ୟରେ ଏସଏଆର ଗିଲାନୀ ଓ ପ୍ରଫେସର ସଏଦ ଗିଲାନୀ ମୃତ୍ୟୁବରଣ
କରିସାରିଛନ୍ତି। ‘ରାଜଦ୍ରୋହ’ ମାମଲାରେ ବିଫଳ ହେବା ପରେ ଦିଲ୍ଲୀ ରାଜ୍ୟପାଳ
“ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଲେ।
“ଭାରତର ଗଣତନ୍ତ୍ରକୁ ଆଜି ଅତି ଯୋଜନାବଦ୍ଧ ଭାବରେ ଖଣ୍ଡ
ଖଣ୍ଡ କରିଦିଆଯାଇଛି। ଗଣତନ୍ତ୍ର କେବଳ ପରମ୍ପରା ନାମରେ କିଛିଟା ବଞ୍ଚିରହିଛି। ଅର୍ଥ, ତଥ୍ୟ, ସୁରକ୍ଷା, ମିଡିଆ, ଇଲେକ୍ସନ ପରିଚାଳନା, ସୁରକ୍ଷା ସଂସ୍ଥା ସବୁକୁ ସରକାର ନିଜ କର୍ତ୍ତୁତ୍ଵକୁ ନେବା ପରେ ଏବେ ଭାରତ ଏକ “ନିର୍ବାଚନ
ସ୍ଵେଚ୍ଛାଚାରୀ” ଦେଶ ଭାବରେ ବଞ୍ଚିରହିଛି।“ (ଆପ୍ରୋଚିଙ୍ଗ ଗ୍ରୀଡଲକ/ ଅରୁନ୍ଧତୀ ରାୟ/ ୨୦୨୩) ଲେଖିକା
ନିଜେ ମୋଦୀଙ୍କ ଏହି ବିଘଟିତ ଗଣତନ୍ତ୍ର ଓ ସ୍ଵେଚ୍ଛାଚାରୀ ଶାସନର ଶିକାର ହୋଇଛନ୍ତି।
ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୋଟିଏପଟରେ ଏହି କଥା ଦୋହରାଉଛନ୍ତି, “କାଶ୍ମୀରରେ ଏବେ ସାଧାରଣ ସ୍ଥିତି ରହିଛି ଓ ସାଧାରଣ ଅବସ୍ଥା
ଫେରିଆସିଛି।“ ଅନ୍ୟପଟରେ, କାଶ୍ମୀର ସଂକ୍ରାନ୍ତରେ ଲେଖାକୀୟ ଅଭିବ୍ୟକ୍ତିରେ ରୋକ ଲଗାଇବା
ଲାଗି ଦିଲ୍ଲୀ ରାଜ୍ୟପାଳ “ଦେଶଦ୍ରୋହ”ରେ ମାମଲା ରୁଜୁ କରୁଛନ୍ତି। ଏହା ଲେଖିକାଙ୍କୁ କାଶ୍ମୀର
ସମେତ ଅନ୍ୟ ସମସ୍ତ ପ୍ରସଙ୍ଗରେ ମୁହଁ ବନ୍ଦ ରଖିବାର ଧମକ।
ନରେନ୍ଦ୍ର
ମୋଦିଙ୍କ ଦ୍ଵିତୀୟ ପାଳିରେ ଅର୍ଥାତ ଅଗଷ୍ଟ ୦୮, ୨୦୧୯ରେ ଉକ୍ତ ୟୁଏପିଏ (୧୯୬୭) ର ବିରାଟ
ସଂଶୋଧନ ହୋଇଥିଲା। ଉକ୍ତ ସଂଶୋଧନ ଅନୁସାରେ, ଏଣିକି କେନ୍ଦ୍ର ସରକାର “ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଥବା ନିଜର ବକ୍ତବ୍ୟ
ବା କାର୍ଯ୍ୟ ଦ୍ଵାରା ଏହାକୁ ବଢାଉଥିବା ଅଭିଯୋଗରେ କୌଣସି ବ୍ୟକ୍ତିକୁ ମଧ୍ୟ କେନ୍ଦ୍ର ସରକାର ‘ଆତଙ୍କବାଦୀ’ ଘୋଷଣା କରିପାରିବେ।“ ଏଥିଲାଗି ସେ କୌଣସି ‘ଆତଙ୍କବାଦୀ ସଂଗଠନ’ର ସଦସ୍ୟ ହୋଇଥିବା ଜରୁରୀ ନୁହେଁ। ଭୀମାକୋରେଗାଓଁ ଘଟଣାରେ ଦେଶର ପ୍ରମୁଖ ୧୬ ଜଣ ମାନବିକ ଅଧିକାର
କର୍ମୀ ମିଥ୍ୟା ଆରୋପରେ ୪ ରୁ ୬ ବର୍ଷ ହେଲା ଜେଲରେ ଅଛନ୍ତି। ସେଥିରୁ କେତେଜଣ ଜାମିନରେ ଏବେ ଆସିଛନ୍ତି।
କିନ୍ତୁ ବିଚାର ଦୀର୍ଘ ଦିନ ପରେ ବି ଆରମ୍ଭ ହୋଇନାହିଁ।
ଦମନ କେବଳ
ସରକାରୀ କାର୍ଯ୍ୟକ୍ରମ ନୁହେଁ ଏହା ଏକ ରାଜନୈତିକ ବିଚାର ମଧ୍ୟ। ପୂର୍ବର କଂଗ୍ରେସ ସରକାର
ଆଦିବାସୀ ଅଞ୍ଚଳରେ ବିଭିନ୍ନ କମ୍ପାନୀର ପ୍ରକଳ୍ପର ପଥ ସୁଗମ ଲାଗି ଅଧିକ ସଂଖ୍ୟକ ଆଦିବାସୀ ଓ ସେହି
ଆଂଦୋଳନର ଦୃଢ ସମର୍ଥକଙ୍କୁ “ଦେଶଦ୍ରୋହ” ଆଖ୍ୟା ଦେଇ ଗିରଫ କରୁଥିଲେ। ସେମାନଙ୍କ ଜମି ଜଙ୍ଗଲ ଓ
ସଂସ୍କୃତିର ସୁରକ୍ଷା ଲାଗି ଉଦ୍ୟମକୁ ଦେଶର “ସାର୍ବଭୌମତ୍ଵ”, “ଅଖଣ୍ଡତା”, “ଆର୍ଥିକ ପ୍ରଗତିରେ ବାଧା” ଓ “ସର୍ବସାଧାରଣ
ଶୃଙ୍ଖଳା”ରେ ବାଧା ଆଣୁଥିବା କୁହାଯାଉଥିଲା।
୨୦୧୪ ମସିହାରେ
ବିଜେପି ସରକାର ଆସିଲା। ନିଜର “ହିନ୍ଦୁରାଷ୍ଟ୍ର ଗଠନ”ର ଆଭିମୁଖ୍ଯ ଲାଗି ଧାର୍ମିକ ଅଳ୍ପସଂଖ୍ୟକ
ବିଶେଷକରି ମୁସଲମାନ ସଂଗଠନ, ବ୍ୟକ୍ତିବିଶେଷ ଓ ସେମାନଙ୍କ ଦାବିକୁ ସମର୍ଥନ
ଜଣାଉଥିବା ବ୍ୟକ୍ତି “ଦେଶଦ୍ରୋହ” ରେ ଅଧିକ ସଂଖ୍ଯାରେ ଆରୋପିତ ହେଲେ। “କାଶ୍ମୀର”, “ଗୋମାଂସ” ଓ “ଲଭ ଜିହାଦ” ଇତ୍ୟାଦି ଏହି ଅଭିଯୋଗର ଅଂଶ। କହିବାକୁ
ଗଲେ ଆଦିବାସୀଙ୍କ ସହିତ ଧାର୍ମିକ ଅଳ୍ପ ସଂଖ୍ୟକ ଓ ଦଳିତ ବର୍ଗ ଯୋଡ଼ିହୋଇଗଲେ।
୨୦୧୪ରୁ
୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା “ଦେଶଦ୍ରୋହ” ଆରୋପୀଙ୍କ ସଂଖ୍ୟା ହେଲା ୧୦,୫୫୨। ସେହି ସମୟ ମଧ୍ୟରେ ଦୋଷୀ ପ୍ରମାଣିତ ହୋଇଥିବା ବ୍ୟକ୍ତି ହେଲେ
ମାତ୍ର ୨୫୩ ଜଣ ଅର୍ଥାତ ୨.୪ ପ୍ରତିଶତ। କିନ୍ତୁ “ଦେଶଦ୍ରୋହ” ଅଭିଯୋଗରେ ଛନ୍ଦି ହୋଇ ଦଶନ୍ଧି
ଦଶନ୍ଧି ଜେଲ ଭିତରେ ସଢୁଥିବା ଗୋଷ୍ଠୀ ହେଲେ ଦେଶର ସଂଖ୍ୟାଲଘୁ ମୁସଲମାନ, ଦଳିତ, ଆଦିବାସୀ, ସାମାଜିକ କର୍ମୀ, ରାଜନୈତିକ କର୍ମୀ , ସାମ୍ବାଦିକ,
ଅଧ୍ୟାପକ, ମାନବିକ ଅଧିକାର କର୍ମୀ ଓ ଛାତ୍ରଛାତ୍ରୀ। (ପିୟୁସିଏଲ
ରିପୋର୍ଟ, ୨୦୨୨) ଭୀମାକୋରେଗାଓଁ ପରେ ଏବେ ଲେଖିକା ଅରୁନ୍ଧତୀ ଓ ପ୍ରଫେସର
ସୌକତଙ୍କ ବିରୁଦ୍ଧରେ “ଦେଶଦ୍ରୋହ” ମାମଲା ରୁଜୁ ହୋଇଛି।
ଯାହା ବିଭିନ୍ନ ସରକାରୀ ଉତ୍ସବରେ କୁହାଯାଇଥାଏ ଯେ ସାହିତ୍ଯ
ହିଁ ସମାଜର ସମ୍ପଦ, ସାହିତ୍ଯ ହିଁ ସମାଜର ପ୍ରତିବିମ୍ବ ଓ ସାହିତ୍ୟିକ ହିଁ ସମାଜର
ପଥପ୍ରଦର୍ଶକ ତାହା ସେତିକି ବାଟ ପର୍ଯ୍ୟନ୍ତ ଯେତେବାଟ ପର୍ଯ୍ୟନ୍ତ ସାହିତ୍ଯ ପ୍ରତିବାଦର ରାସ୍ତା
ନନେଇଛି। ଯେଉଁ ମୁହୂର୍ତ୍ତରେ ସାହିତ୍ଯ ପ୍ରତିବାଦଧର୍ମୀ ହୁଏ ସେତେବେଳେ ସେ ସାହିତ୍ୟିକ
ଦେଶଦ୍ରୋହୀର ଆଖ୍ୟା ପାଇଥାଏ। ସମାଜ ନିକଟରେ
ଶାସକକୁ ଉତ୍ତରଦାୟିତ୍ଵହୀନ କରିବା ଲାଗି ‘ଦେଶଦ୍ରୋହ’ ର ଅଭିଯୋଗ ସରକାରଙ୍କ ଏକ ବଡ଼ ଆୟୁଧ। ଅରୁନ୍ଧତୀ ଏହାର ସଦ୍ୟତମ ଶିକାର। ସରକାର ନିଜକୁ
ନିରଙ୍କୁଶ କରିବା ଲାଗି ନିଜର ଚେଷ୍ଟା ଜାରିରଖିଛନ୍ତି।
ମୋବାଇଲ: ୯୪୩୭୭୬୨୨୭୨
No comments:
Post a Comment