ଏହା କଣ ସତ୍ୟ ଯେ ଉର୍ଦ୍ଦୁ ଭାଷା କେବଳ ମୁସଲମାନ ଧର୍ମାବଲମ୍ବୀମାନେ ବ୍ୟବହାର କରିଥାନ୍ତି? ତାହାହେଲେ ଆମେ ଏହା ମଧ୍ୟ ବିଶ୍ଵାସ କରିବା କି ଯେ ଇଂରାଜୀ ଭାଷା ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କର? ସଂସ୍କୃତ ଭାଷା ହିନ୍ଦୁ ଧର୍ମର? କିନ୍ତୁ ଏ ମଧ୍ୟରୁ କୌଣସି ଟି ସତ୍ୟ ନୁହେଁ। ଉର୍ଦ୍ଦୁ ଭାଷାର ଅନେକ ଶାୟରୀ ରହିଛି ଯାହା ଧର୍ମରୂପୀ ଅନୁଷ୍ଠାନକୁ ପ୍ରଶ୍ନ କରୁଛି। ସେ ମଧ୍ୟରୁ ମିର୍ଜା ଗାଲିବଙ୍କ (୧୭୯୭ – ୧୮୬୯) ପ୍ରସିଦ୍ଧ ଶାୟରୀ, “ଶରାବ ପିନେ ଦେ ମସଜିଦ ମେଂ ବୈଠ କର ୟା ଓଃ ଜଗା ବତା ଜାହାଁ ଖୁଦା ନେହିଂ” (ଏଭଳି କେଉଁ ଜାଗା ଅଛି ଯେଉଁଠି ଭଗବାନ ନାହାନ୍ତି) ଅନ୍ଯତମ।
ଆଜି
ଉର୍ଦ୍ଦୁ ଭାଷାକୁ ମୁସଲମାନ ଧର୍ମ ସହିତ ଯୋଡି ଦେଶବ୍ୟାପୀ ନ୍ୟୁନମାନସିକତା ସୃଷ୍ଟି କରାଯାଉଛି।
ଏହା ଆମକୁ ଭାଷାକୁ ନେଇ ଚାଲିଥିବା ରାଜନୀତିର ଏକ ପକ୍ଷଧର କରିଦେଇଛି। ଉର୍ଦ୍ଦୁ ପ୍ରତି ଏଭଳି ମନୋଭାବ ଆମମାନଙ୍କ ମନରେ ସ୍ଵାଭାବିକ
ଇଚ୍ଛା ଜାଗ୍ରତ କରୁଛି ଯେ କୌଣସି ଭାଷାକୁ ନେଇ ଏଭଳି ଘୃଣା ଭାବ ସୃଷ୍ଟି କରିବାର କାରଣ କ’ଣ, ତାହା ଜାଣିବା।
କେନ୍ଦ୍ର ସରକାର ଗଲା ବର୍ଷ
ନାସିନାଲ କାଉନସିଲ ଫର ପ୍ରମୋଶନ ଅଫ ଉର୍ଦ୍ଦୁ ଲାଙ୍ଗୁଏଜ (ଶିକ୍ଷା ମନ୍ତ୍ରଣାଳୟ ଅଧୀନ) କୁ
ମିଳୁଥିବା ଅର୍ଥ ପରିମାଣକୁ କୌଣସି କାରଣ ନଦର୍ଶାଇ କମାଇଦେଇଛନ୍ତି। ଯଦିଓ ଉର୍ଦ୍ଦୁ ଭାଷୀ ଲୋକ
ଅଧିକ ଉତ୍ତର ପ୍ରଦେଶରେ ଅଛନ୍ତି କିନ୍ତୁ ଏଠାର ସରକାର ଉର୍ଦ୍ଦୁ ମିଡିୟମ ସ୍କୁଲ ଖୋଲିବା ଲାଗି
ଅନୁମତି ଦେଉନାହାନ୍ତି। କେବଳ ସରକାରୀ ଆକ୍ରୋଶ ନୁହେଁ ସାଧାରଣରେ ଭାବନା ମଧ୍ୟ ସୃଷ୍ଟି ହୋଇଛି
ଯେ ଉର୍ଦ୍ଦୁ ଏକ ବିଦେଶୀ ଭାଷା ଓ ଏହା କେବଳ ମୁସଲମାନ ଧର୍ମୀଙ୍କ ଭାଷା। ଓଡିଶାରେ ବୁଦ୍ଧିଜୀବୀ
ଏ ସମ୍ପର୍କରେ ଆଲୋଚନା କରିବାକୁ ମଧ୍ୟ ଚାହାନ୍ତି ନାହିଁ।, କାହିଁକି?
ମୁସଲମାନ ବହୁଳ ଦେଶ କେବଳ ଏସିଆ ମହାଦେଶରେ ହେଉଛି ଇରାନ, ଇରାକ, ତୁର୍କୀ, ବଙ୍ଗଳାଦେଶ, ଇଣ୍ଡୋନେସିଆ, ସାଉଦି ଆରବ ଓ ପାକିସ୍ତାନ
ଇତ୍ୟାଦି ଦେଶ। ଏ ମଧ୍ୟରୁ ପାକିସ୍ତାନକୁ ଛାଡିଦେଲେ ବାକି କୌଣସି ବି ଦେଶର
ସରକାରୀ ଭାଷା ଉର୍ଦ୍ଦୁ ନୁହେଁ। ଇରାନ ଓ ଇରାକର ଭାଷା ପର୍ସିଆନ ହେଲେ ଇଣ୍ଡୋନେସିଆର ଭାଷା
ବାହାସ। ଉର୍ଦ୍ଦୁକୁ ନିଜର ସରକାରୀ ଭାଷା ନକରିବା ଲାଗି ପୂର୍ବ ପାକିସ୍ତାନ ୧୯୭୧ ମସିହାରେ ପଶ୍ଚିମ
ପାକିସ୍ତାନ ଠାରୁ ଅଲଗା ହୋଇ ଏକ ସ୍ଵାଧୀନ ଦେଶ ଭାବରେ ମାନ୍ୟତା ପାଇଛି ଯାହାର ନାମ ବଙ୍ଗଳାଦେଶ। ଏହାର ସରକାରୀ ଭାଷା ବଙ୍ଗାଳୀ। ଠିକ ପଶ୍ଚିମ ବଙ୍ଗ ଭଳି। ତେବେ ଭାଷାକୁ ଧର୍ମ ସହିତ
ଯୋଡିବାର ଆବଶ୍ୟକତା କଣ?
ଭାଷା କେବେ କୌଣସି ଧର୍ମର ହୋଇରହିନାହିଁ।
ଭାଷା ସର୍ବଦା ସେହି ଅଞ୍ଚଳ ସହିତ ପରିଚିତ ଯେମିତି ଓଡିଶାର ଓଡିଆ, ଗୁଜୁରାଟର ଗୁଜୁରାଟି, ପଞ୍ଜାବର ପଞ୍ଜାବୀ ଓ ଆନ୍ଧ୍ର
ପ୍ରଦେଶର ତେଲେଗୁ ଇତ୍ୟାଦି । ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଇତ୍ୟାଦି
ରାଜ୍ୟରେ ବସତି ସ୍ଥାପନ କରୁଥିବା ମୁସଲମାନଙ୍କ ଭାଷା ଉର୍ଦ୍ଦୁ ନୁହେଁ। ସେମାନଙ୍କ ପ୍ରାଦେଶିକ
ଭାଷା ହିଁ ସେମାନଙ୍କ ମାତୃଭାଷା।
ଯେବେ ଯୋଗାଯୋଗର ଆବଶ୍ୟକତା
ହୋଇଛି ସେତେବେଳେ ଭାଷା ସୃଷ୍ଟି ହୋଇଛି। କୌଣସି ଅଞ୍ଚଳରେ ଭାଷା ତିଆରି ହୁଏ ସେହି ଅଞ୍ଚଳର ଅନେକ
ଲୋକଙ୍କ ଉଦ୍ୟମରେ। ଆଦିବାସୀ ଅଞ୍ଚଳର କୌଣସି ବି ସାପ୍ତାହିକୀ ହାଟକୁ ଗଲେ ହାଟ
ମଧ୍ୟରେ ମିଶ୍ରିତ ଭାଷା ଆପଣ ପାଇବେ। ଦକ୍ଷିଣ ଓଡିଶାର ହାଟ ମଧ୍ୟରେ ଆପଣ ସ୍ଥାନୀୟ ଆଦିବାସୀ
(କନ୍ଧ ଅଥବା ସଉରା ବା ବଣ୍ଡା ଇତ୍ୟାଦି ଅଞ୍ଚଳର ସେମାନଙ୍କ ଭାଷା) ସହିତ ଓଡିଆ ଓ ହିନ୍ଦୀ
ମିଶ୍ରିତ ଭାଷା ପାଇବେ।
ପର୍ସିୟାନ ଭାଷାଭାଷୀ
ବ୍ୟବସାୟୀମାନେ ଭାରତକୁ ବ୍ୟବସାୟ କରିବା ଲାଗି ଆସୁଥିଲେ। ପର୍ସିୟାନ ଭାଷାରେ ରହିଥିବା
ବ୍ଯାକରଣଗତ ଜଟିଳତା ଉତ୍ତର ଭାରତୀୟ ଜନସାଧାରଣଙ୍କୁ ସୁହାଇଲା ନାହିଁ। ହୋଇପାରେ ଏହା ଉର୍ଦ୍ଦୁ
ଭାଷାର ଜନ୍ମର କାରଣ। ଉର୍ଦ୍ଦୁ ବିଶେଷଜ୍ଞମାନଙ୍କ ମତରେ ଆଜକୁ ଆଠ ଶହ ବର୍ଷ ତଳେ ଉର୍ଦ୍ଦୁ ଭାଷାର
ସୃଷ୍ଟି, ତାହା ପୁଣି ଉତ୍ତର ଭାରତରେ। ତେଣୁ ତ
ଉର୍ଦ୍ଦୁ ଭାଷାର ମୂଳନାମ ହିନ୍ଦୁୱି କାରଣ ହିନ୍ଦୁସ୍ତାନରୁ ସୃଷ୍ଟି। କେହି କେହି ଏହାକୁ ରେଖତା ମଧ୍ୟ କହିଥାନ୍ତି। ରେଖତାର ଅର୍ଥ କୌଣସି ଦୁଇଟି ବା ଅଧିକ ବିଷୟର
ସମଷ୍ଟିରୁ ତୃତୀୟ ଜିନିଷ ଉତ୍ପନ୍ନ ହେବା। ହିନ୍ଦୀ, ପାର୍ସୀ ଓ ଆରବୀ ଭାଷାର
ସମଷ୍ଟିରେ ଉର୍ଦ୍ଦୁ ଭାଷାର ସୃଷ୍ଟି। ସେଥିଲାଗି ଉର୍ଦ୍ଦୁକୁ କେହି କେହି ଉରଦ୍ଦୋଂ (ଉର୍ଦ୍ଦୁର
ବହୁବଚନ) ମଧ୍ୟ କହିଥାନ୍ତି। ଉର୍ଦ୍ଦୁ ବିଶେଷକରି ଲକ୍ଷ୍ନୌ ଉର୍ଦ୍ଦୁ ଓ ହାଇଦ୍ରାବାଦୀ ଉର୍ଦ୍ଦୁ
ଭାବରେ ବିଭକ୍ତ। (କୋଷଳୀ ଓଡିଆ ଓ ଉପକୂଳ ଓଡିଆ ଭଳି)
ଉର୍ଦ୍ଦୁ ଓ ହିନ୍ଦୀ ଭାଷାର
ଉତ୍ପତ୍ତି ସମାନ ସ୍ଥାନ କାରଣରୁ ଅନେକ ଉର୍ଦ୍ଦୁ ଶବ୍ଦ ହିନ୍ଦୀ ଭାଷା ମଧ୍ୟରେ ସ୍ଥାନିତ। ଫରକ
ହେଲା ଯେ କୌଣସି ହିନ୍ଦୀ ବା ଉର୍ଦ୍ଦୁ ବାକ୍ୟକୁ ଡାହାଣରୁ ବାମକୁ ଲେଖିଲେ ଲାଗିବ ଉର୍ଦ୍ଦୁ ଓ
ବାମରୁ ଡାହାଣକୁ ଲେଖିଲେ ଲାଗିବ ହିନ୍ଦୀ। ଯେହେତୁ ଉର୍ଦ୍ଦୁ ଠିକ ପର୍ସିୟାନ ଭାଷା ଭଳି ଡାହାଣରୁ
ବାମ ଲେଖାଯାଏ ତେଣୁ ଅନେକ ପର୍ସିୟାନ ଶବ୍ଦ ଉର୍ଦ୍ଦୁ ଭାଷାକୁ ଚାଲିଆସିଛି। ମାତ୍ର ଏହାର ଅନେକ
ସାମଞ୍ଜସ୍ଯ ହିନ୍ଦୀ ଭାଷା ସହିତ ରହିଛି। ହିନ୍ଦୀ ଠାରୁ ଉର୍ଦ୍ଦୁକୁ ଅଲଗା କରିବାର ଅର୍ଥ
ପ୍ରେମଚାନ୍ଦଙ୍କ ଉପନ୍ୟାସ ଅଥବା ମଣ୍ଟୋଙ୍କ ଗଳ୍ପର ଅସ୍ତିତ୍ଵ ନରହିବା ଭଳି କଥା। ଏପରିକି ଅନେକ
ହିନ୍ଦୀ ଫିଲ୍ମର ଗୀତ ଓ ଡାଇଲାଗକୁ ଲିଭାଇଦେବା ସହିତ ଏହା ସମାନ। ଉର୍ଦ୍ଦୁ ଭାଷାକୁ ବାଦ ଦେଲେ
ପ୍ରେମଚାନ୍ଦ, ମଣ୍ଟୋ, କିଷାନ ଚନ୍ଦ୍ର ଇତ୍ୟାଦିଙ୍କ ସାହିତ୍ୟକୃତୀର କୌଣସି ମାନ୍ୟତା ରହିବ ନାହିଁ।
ହିନ୍ଦୀ ଫିଲ୍ମ ତ ନିଜର କଳା
ହରାଇବ ଯଦି ଉର୍ଦ୍ଦୁକୁ ବାଦ ଦେଇ କେବଳ ହିନ୍ଦୀ ଉପରେ ଏହାର ଡାଇଲାଗ ଓ ଗୀତ ଲେଖାଯାଏ।
ଗୁଲଜାରଙ୍କ କବିତା, “ମେରା କୁଛ ସାମାନ ତୁହ୍ମାରେ ପାଶ ପଡ଼ା ହେ” (ଫିଲ୍ମ:
ଇଜାଜତ), “ତୁମ ଆଗୟେ ହୋ ନୂର (ଆଲୋକ) ଆ ଗୟା ହେ” (ଫିଲ୍ମ: ଆନ୍ଧି) କେବଳ ଏକ ଉଦାହରଣ। ଡନ ଫିଲ୍ମରେ ଅମିତାଭ ବଚନଙ୍କ ଡାଇଲାଗ, “ଏକ ବାତ ସମଝ ଲୋ ଡନ କୋ
ପକଡ଼ନା ମୁଷ୍କିଲ ହି ନହି, ନମୁକିନ ହେ”ରୁ ଉର୍ଦ୍ଦୁ ଶବ୍ଦ ‘ସମଝ’, ‘ମୁଷ୍କିଲ’, ‘ନମୁକିନ’ କୁ ବାଦ ଦେଇଦିଆଯାଉ। ଏହାପରେ
ଏହି ଡାଇଲାଗର ଅସ୍ତିତ୍ଵ କ’ଣ ବା ରହିବ? ଏଠାରେ ହିନ୍ଦୀ ବ୍ଯବସାୟିକ ଫିଲ୍ମର ତରଫଦାରୀ କରିବା ଏହି
ଲେଖକର ଉଦ୍ଦେଶ୍ୟ ନୁହେଁ। ବରଂ ଓଡିଆ ପାଠକ ମଧ୍ୟରେ ଉର୍ଦ୍ଦୁକୁ ନେଇ ରହିଥିବା ଗଲତଫେମୀକୁ ଦୁର
କରିବା ଏହି ଲେଖକର ଉଦ୍ଦେଶ୍ୟ। ଏମିତି ତ ପିଲା ସମୟରୁ
ମୁଁ ଶୈଳେନ୍ଦ୍ରଙ୍କ ରଚିତ ହିନ୍ଦୀ
ଫିଲ୍ମ ଗୀତ “ଖୋୟା ଖୋୟା ଚାନ୍ଦ”, “ସଜନରେ ଝୁଟ ମତ ବୋଲୋ”, “ଦୁନିଆ ବନାନେ ବାଲେ” ଗୀତକୁ
ଗୁଣଗୁଣେଇ ନିଜକୁ ଆମୋଦିତ କରିଆସିଛି।
ପୃଥିବୀର କୌଣସି ଭାଷା
ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦକୁ ନନେଇ ତିଆରି ହୋଇନାହିଁ। ଭାରତ ଭୂଖଣ୍ଡରେ ପ୍ରାଚୀନ ଭାଷା
କହିଲେ ତାମିଲ, ପାଲି ଓ ସଂସ୍କୃତ। ଏହିଥିରୁ
ଆଜିର ଓଡିଆ, ବଙ୍ଗଳା, ତେଲେଗୁ, ପଞ୍ଜାବୀ, ମରାଠୀ ଇତ୍ୟାଦି ଭାଷା ସୃଷ୍ଟି ହୋଇଛି। (ପ୍ରଫେସର ଗଣେଶ ଡେଭିଙ୍କ ଦ୍ଵାରା ଲିଖିତ ପୁସ୍ତକ ଦି’ କ୍ରାଇସିସ ୱିଦିନ’ରୁ) ସଂସ୍କୃତ ଭାଷାବିତମାନେ ସଂସ୍କୃତର ବ୍ଯାକରଣକୁ ଶୁଦ୍ଧତାକୁ
ଜାବୁଡି ଧରିରଖିବା କାରଣରୁ ଏହା ଗ୍ରାମୀଣ ଭାଷା ହୋଇପାରିଲା ନାହିଁ ଓ ଏହା ହିନ୍ଦୀ ଭାଷାକୁ
ଜନ୍ମ ଦେଲା। ସେହିଭଳି ପର୍ସିଆନ ଭାଷାବିତମାନେ ହିନ୍ଦୁସ୍ତାନ ମଧ୍ୟରେ ଏହାର ବ୍ଯାକରଣ ଓ
ଶୁଦ୍ଧତାକୁ ପ୍ରାଥମିକତା ଦେବା କାରଣରୁ ଉର୍ଦ୍ଦୁ ଭାଷାର ସୃଷ୍ଟି। ଉର୍ଦ୍ଦୁ ଓ ହିନ୍ଦୀ ଭାଷାର
ବ୍ଯାକରଣ ସମାନ। ଉର୍ଦ୍ଦୁ ପାର୍ସି ଲିପିକୁ ନେଇଛି ଓ ହିନ୍ଦୀ ଭାଷା ଦେବନାଗରୀ ଲିପିକୁ ନେଇଛି। କିନ୍ତୁ
ଭାରତରେ ଉର୍ଦ୍ଦୁ ଭାଷା ଶିଖୁଥିବା ଅଣ-ମୁସଲମାନ ବ୍ୟକ୍ତି ପ୍ରାୟତଃ ଦେବନଗରୀ ଲିପିରେ ହିଁ
ଉର୍ଦ୍ଦୁ ପଢିବା ଲାଗି ଅଧିକ ପସନ୍ଦ କରିଥାନ୍ତି। ମୁଁ ତାହା ହିଁ କରୁଛି।
ମୋର ଉର୍ଦ୍ଦୁ ଶିଖିବା ଭିତରେ
ଅନେକ ଓଡିଆ ଶବ୍ଦ ପାଇଲି ଯାହା ଉର୍ଦ୍ଦୁ ସହିତ ସାମଞ୍ଜସ୍ଯ ରଖୁଛି। ମାମୁଁ, ଦାଦା (ଜେଜେ ବାପା), ଶଶର (ଶ୍ଵଶୁର), ମା, ପାନି (ପାଣି), ପସନ୍ଦ, ହିସାବ ଓ ଜମା (ଯୋଗ କରିବା
ବା ମିଶାଇବା) ଇତ୍ୟାଦି ଅନେକ ଶବ୍ଦ ଏଭଳି ରହିଛି। ଓଡିଶାର ବିଚାରାଳୟ ବା କୋର୍ଟର ଅନେକ ଶବ୍ଦ
ଉର୍ଦ୍ଦୁ ଅଥବା ପାର୍ସି ଭାଷାରୁ ଆସିଛି। ହିନ୍ଦୀ ଭାଷାରେ ତ ଏହାର ସଂଖ୍ୟା ଅନେକ ଅଧିକ। କୌଣସି
ଭାଷା କେବେ ଶତ ପ୍ରତିଶତ ସ୍ଵତନ୍ତ୍ର ହୋଇନପାରେ। ଏହା ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦ ନେଇ ନିଜର
ଅବିଧାନକୁ ସମୃଦ୍ଧ କରିଥାଏ।
୨୦୧୯ ମସିହାର ନିର୍ବାଚନର ଠିକ
ଠିକ ପରେ ବିଜେପି ସରକାର ନାଗରିକ ସଂଶୋଧନ ଆଇନ ଆଣିଥିଲେ। ଏହାର ପ୍ରତିବାଦରେ ଫଏଜ ଅହମ୍ମଦ
ଫଏଜଙ୍କ କବିତା (ନଜମ) ଆମ ଦେଶର କୋଣ ଅନୁକୋଣରେ ଶୁଣିବାକୁ ମିଳିଲା। “ହମ ଦେଖେଙ୍ଗେ” ର ସେହି
କିଛି ନଗ୍ମେ “ଲାଜିମ ହେ କେ ହମ ଭି ଦେଖେଙ୍ଗେ, ୱ ଦିନ ଜିସକା ବାଦା ହେ” (ଏହା ନିଶ୍ଚିତ ଯେ ଆମେ ସେହି ଦିନ
ଦେଖିବୁ ଯେଉଁ ଦିନ ଦେଖିବା ଲାଗି ଆମେ ଶପଥ କରିଛୁ) ସିଏଏ-ଏନଆରସି ବିରୋଧୀ ଆନ୍ଦୋଳନକୁ ଅନେକ ବଳ
ଯୋଗାଇଥିଲା। ଫଏଜ ଏହି ନଜମ ୧୯୭୯ ମସିହାରେ ପାକିସ୍ତାନର ଜିଆ ଉଲ ହକର ଅତ୍ୟାଚାରୀ ଶାସନର
ବିରୋଧରେ ଲେଖିଥିଲେ। କିନ୍ତୁ ଭାରତରେ ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନର ବିପ୍ଳବୀ ଗୀତ
ହୋଇଥିଲା। ଭାରତରେ ଦଶରୁ ଅଧିକ ପ୍ରାଦେଶିକ ଭାଷାରେ ଏହା ଅନୁବାଦିତ ହୋଇଛି।
ଉର୍ଦ୍ଦୁର ବ୍ୟବହାର ହିନ୍ଦୀ ଫିଲ୍ମ, ହିନ୍ଦୀ ସାହିତ୍ଯ ଅଥବା
ପ୍ରଦେଶିକ ସାହିତ୍ଯରେ ଏହାକୁ ଅଧିକ ବଜାରୀକରଣ କରିବା ଲାଗି ଅନୁମତି ଜାରି ରହିଛି। ଅଥଚ
ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଉର୍ଦ୍ଦୁ ଭାଷାଭାଷୀ, ବିଶେଷକରି, ମୁସଲମାନଙ୍କ ବିରୁଦ୍ଧରେ
ଘୃଣା ସୃଷ୍ଟି ଲାଗି ଉଦ୍ୟମ କରାଯିବାର କାରଣ ହେଲା ଯେ ସେମାନେ ଉର୍ଦ୍ଦୁ କହୁଛନ୍ତି । ଏହା ସମାଜରେ ସାମ୍ପ୍ରଦାୟିକ ଭାବନାକୁ ବଳିଷ୍ଠ କରିବାର ପ୍ରଚେଷ୍ଟା। ଉର୍ଦ୍ଦୁଭାଷୀଙ୍କୁ
ଧର୍ମ ନାମରେ ନ୍ୟୁନ କରିବା ସୁସ୍ଥ ମାନସିକତାର ପରିଚୟ ନୁହେଁ। ଉର୍ଦ୍ଦୁ ଭାଷା ବା କୌଣସି ବି
ଭାଷାର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ।
ଦୂଷ୍ୟନ୍ତ କୁମାରଙ୍କ ପ୍ରସିଦ୍ଧ
ସାୟେରୀର ଦୁଇ ଧାଡିରେ ଲେଖା ସମାପ୍ତ କରୁଛି। “ମେରେ ସୀନେ ମେଂ ନହିଁ ତୋ ତେରେ ସୀନେ ମେଂ ସହୀ / ହୋ କାହିଁ ଭି ଆଗ ଲେକିନ ଆଗ
ଜଲନୀ ଚାହିଏ।“ (ମୋ ଚ୍ଛାତି ରେ ନହେଲ ନାଇଁ ତୋ ଛାତିରେ ହେଉ ପଛେ / ସେ
ଯେଉଁଠି ବି ନିଆଁ ହେଉନା କାହିଁକି କିନ୍ତୁ ନିଆଁ ଜଳିବା ଆବଶ୍ୟକ।) ମଣିଷକୁ ନିଜର
ଶଙ୍କିର୍ଣ୍ଣତାରୁ ଉର୍ଦ୍ଧ୍ଵକୁ ଏକ ସାମ୍ୟ ଓ ନ୍ୟାୟପୂର୍ଣ୍ଣ ସମାଜର ଭାବନା ଆଡକୁ ନିଜକୁ
ନେଇଯିବାକୁ ହେବ।
ମୋବାଇଲ: ଦେବ ରଞ୍ଜନ ୯୪୩୭୭୬୨୨୭୨
Well weaved. Thank you for sharing 🙏🏼🌷
ReplyDeleteବହୁତ ଭଲ ଲେଖା । ସମସ୍ତଙ୍କୁ ଏହା ଜାଣିବା ଦରକାର । ଏବେ ବି ଉତ୍ତର ଭାରତରେ ବହୁ ସଂଖ୍ୟାରେ ହୀନ୍ଦୁ,ଶିଖ ଓ ଖ୍ରୀଷ୍ଟିଆନ ଭାଇମାନେ ଉର୍ଦ୍ଦୁ ଭାଷା ପଢିବା ଓ ଲେଖିବା ଜାଣନ୍ତି । ଉତ୍ତର ଭାରତରେ ପ୍ରସିଦ୍ଧ ଦୈନିକ ଖବର କାଗଜ ହୀନ୍ଦ ସମାଚାର ଉର୍ଦ୍ଦୁରେ ପ୍ରକାଶିତ ହେଉଛି । ଏହାର ଅଧିକାଂଶ ପାଠକ ଅଣ ମୁସଲିମ । ଏବଂ ଏହାର ମଖ୍ୟ ସମ୍ପାଦକ ବି ଅଣମୁସଲମାନ ।
ReplyDeleteଧନ୍ୟବାଦ
Delete