Friday, August 16, 2024

ଅପାରଗତାକୁ ଲୁଚାଇବା ଲାଗି ଆକ୍ରମଣ

ରାଜ୍ୟ – ରାଜ୍ୟ ମଧ୍ୟରେ କୌଣସି ବିବାଦ ଉପୁଜିଲେ ଏହାର ସମାଧାନ ଲାଗି ଏବେ କୌଣସି ଅନୁଷ୍ଠାନ ନାହିଁ। ଏପରିକି କେନ୍ଦ୍ର ସରକାର ମଧ୍ୟ ମଧ୍ୟସ୍ଥିର ଭୂମିକା ନେବାର ସ୍ଥିତିରେ ନାହାନ୍ତି। ଗଣମାଧ୍ୟମ ଗୁଡିକ ଦଳୀୟ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ହେତୁ ସେମାନେ ସମାଧାନର ରାସ୍ତା ଖୋଜିବା ବଦଳରେ ଏହାକୁ ଅଧିକ ଗମ୍ଭୀର କରିଦେବାରେ ଲାଗିଛନ୍ତି। ହଁ, ଆମେ ଆଲୋଚନା କରୁଛେ ଓଡିଶାରେ ଗଲା କିଛି ସପ୍ତାହ ହେଲା ଉପୁଜିଥିବା ଆଳୁ ସମସ୍ଯା ଓ ଆଳୁକୁ ନେଇ ଉଠିଥିବା ସାମ୍ପ୍ରଦାୟିକ ଆକ୍ରମଣ ସମ୍ପର୍କରେ।   

ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ଆବଶ୍ୟକ ହେଉଥିବା ଆଳୁ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ଆଳୁ ରାଜ୍ୟ ମଧ୍ୟରେ ଉତ୍ପାଦିତ ହୋଇଥାଏ। ତେଣୁ ପଡୋଶୀ ପଶ୍ଚିମ ବଙ୍ଗ ଉପରେ ଏହା ଅତ୍ୟଧିକ ନିର୍ଭରଶୀଳ। ଏଥିରେ ଅସୁବିଧା କିଛି ନାହିଁ। ଓଡିଶାର ଚାଷୀ ତ ପୁଣି ଧାନ, ମାଣ୍ଡିଆ, ଅଳସୀ ଓ ଲେମନ ଗ୍ରାସ ଇତ୍ୟାଦି ରପ୍ତାନୀ କରୁଛନ୍ତି। ପଶ୍ଚିମ ବଙ୍ଗ ଏକ ଆଳୁ ଅଧିକ ଉତ୍ପାଦନକାରୀ ରାଜ୍ୟ, ଦେଶର ୨୦ ପ୍ରତିଶତ ଆଳୁ ଏହିଠାରୁ ଉତ୍ପାଦିତ ହୋଇଥାଏ। ତେଣୁ ପଶ୍ଚିମ ବଙ୍ଗର ଚାଷୀ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିଲେ ହିଁ ଉପଯୁକ୍ତ ମୂଲ୍ୟ ପାଇପାରିବେ।  

ଏ ବର୍ଷ ଅନିୟମିତ ବର୍ଷା କାରଣରୁ ରାଜ୍ୟରେ ଆଳୁର ହୁଏତ ନିଅଣ୍ଟ ପଡିପାରେ ତେଣୁ ପଶ୍ଚିମ ବଙ୍ଗ ସରକାର ଏହାର ରପ୍ତାନୀ ବନ୍ଦ କରିଦେଲେ। କୌଣସି ବି ରାଜ୍ୟ ସେଭଳି ନିଷ୍ପତ୍ତି ନେବା ପୂର୍ବରୁ ପଡୋଶୀ ରାଜ୍ୟ ଉପରେ ଏହାର ଯେପରି ପ୍ରଭାବ ନପଡେ ସେଥିଲାଗି ଧ୍ୟାନ ଦେବା ଆବଶ୍ୟକ। କାରଣ ଯଦି ଆସନ୍ତା କାଲି ପଶ୍ଚିମ ବଙ୍ଗରେ ଚାଉଳର ଆବଶ୍ୟକ ପଡିପାରେ ଓ ଦୁର୍ଭିକ୍ଷ ଦେଖାଦିଏ ତେବେ ଓଡିଶାରେ ରହିଥିବା ଚାଉଳକୁ ରପ୍ତାନୀ ବନ୍ଦ କରିଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟ ମିଳିତ ଭାବରେ ଏକ ଦେଶର ପ୍ରତିନିଧିତ୍ଵ କରୁଛନ୍ତି ଓ ସେମାନେ ସମାନ ମାନବିକ ମୂଲ୍ଯବୋଧ ନେଇ କାର୍ଯ୍ୟରତ। ସେମାନେ ଏକ ସମ୍ବିଧାନକୁ ବିଶ୍ଵାସ ରଖୁଛନ୍ତି। କିନ୍ତୁ ଏ ବିଷୟ ଟି ଆଜି କହିବ କିଏ?

          ଭାରତୀୟ ଜନତା ପାର୍ଟି ଶାସନକୁ ଆସିବା ପରଠାରୁ ରାଜ୍ୟ – ରାଜ୍ୟ ଓ ରାଜ୍ୟ – କେନ୍ଦ୍ର ମଧ୍ୟରେ ସମସ୍ତ ପ୍ରକାରର ଆଲୋଚନା ଓ ସମସ୍ଯା ସମାଧାନର ରାସ୍ତା ବନ୍ଦ ହୋଇଯାଇଛି। ସମସ୍ତ କ୍ଷେତ୍ରରେ କେନ୍ଦ୍ର ନିଜକୁ ଅଧିକ ଶକ୍ତିଶାଳୀ କରିବା କାରଣରୁ କ୍ଷମତାର ବିକେନ୍ଦ୍ରୀକରଣର ଆଲୋଚନା ଆଉ ହେଉନାହିଁ। ରାଜ୍ୟ – ରାଜ୍ୟ ଓ ରାଜ୍ୟ – କେନ୍ଦ୍ର ମଧ୍ୟରେ ଉଠୁଥିବା ବିବାଦର ସମାଧାନ ଲାଗି ଆନ୍ତଃ-ରାଜ୍ୟ କାଉନସିଲର ମିଟିଂ ୨୦୧୭ ମସିହା ପରଠାରୁ ବସୁନାହିଁ।

            ଉକ୍ତ ଆନ୍ତଃ-ରାଜ୍ୟ କାଉନସିଲର ଗଠନ ସରକାରିଆ କମିଶନର ପ୍ରସ୍ତାବ କ୍ରମେ ୧୯୯୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି କାଉନସିଲର ଅଧ୍ୟକ୍ଷ ଭାବରେ ପ୍ରଧାନ ମନ୍ତ୍ରୀ ରହିଛନ୍ତି ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ। ଏଭଳି ମିଟିଂର ନିଜସ୍ଵ ଗୁରୁତ୍ଵ ରହିଛି। ଯଦି ଏହା ନିୟମିତ ହେଉଥାନ୍ତା ତେବେ ଓଡିଶାର ସମସ୍ଯା ଓ ପଶ୍ଚିମ ବଂଗର ସମସ୍ଯା ସମ୍ପର୍କରେ ଆଲୋଚନା ହୋଇ ସମାଧାନର ରାସ୍ତା ନିଶ୍ଚିତ ପ୍ରସ୍ତୁତ ହୋଇପାରିଥାନ୍ତା। ହୁଏତ ଆଳୁ ଚାଷୀଙ୍କୁ ହେଉଥିବା କ୍ଷତିର ପୂରଣ ଲାଗି କେନ୍ଦ୍ର ସରକାର ନିଜ ଆଡୁ ଇଂସୁରାନ୍ସ  ଅଥବା ଆଗାମୀ ଚାଷ ଲାଗି ସବସିଡ ଯୋଗାଇ ସମସ୍ୟାର ସମାଧାନ କରିପାରିଥାନ୍ତେ। ଆଜି ଏହି ଆଳୁ ସମସ୍ଯାର ସମାଧାନ ନହେବା ହେତୁ ଓଡିଶାର ଉପଭୋକ୍ତା ଓ ପଶ୍ଚିମ ବଂଗର ଚାଷୀ ସମସ୍ତେ ଅସୁବିଧାର ସାମ୍ନା କଲେ।

            ସଂପୂର୍ଣ୍ଣ ଦେଶରେ ବି ଯଦି ଡବଲ ଇଞ୍ଜିନ ବା ଟ୍ରିପଲ ଇଞ୍ଜିନର ସରକାର ହୁଏ ତେବେ ବି ରାଜ୍ୟ – ରାଜ୍ୟ ମଧ୍ୟରେ ସମସ୍ୟାର ସମାଧାନର ରାସ୍ତା କ୍ଷୀଣ ଯାହା ଆମେ ମହାନଦୀ ପ୍ରସଙ୍ଗରେ ଦେଖୁଛୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗ ଛତିଶଗଡ ସରକାରଙ୍କ ସହିତ ଆଲୋଚନା ନହୋଇପାରିବା କାରଣରୁ କେନ୍ଦ୍ର ସରକାରଙ୍କ ଜଳ ମନ୍ତ୍ରଣାଳୟ ଅଧୀନରେ ରହିଥିବା ଜଳ ଟ୍ରିବ୍ୟୁନାଲରେ ପହଞ୍ଚିଛି। ମହାନଦୀର ଜଳ ଉପରେ ଉଭୟ ଛତିଶଗଡ ଓ ଓଡିଶାର ଚାଷୀଙ୍କ ଅଧିକାର ରହିଛି। ଆଜି ଛତିଶଗଡ, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ଓଡିଶାର ବିଜେପି ଦଳ ଯଦି ପଶ୍ଚିମ ବଂଗର ତୃଣମୂଳ କଂଗ୍ରେସକୁ ସମସ୍ଯା ବଢାଉଥିବା ଲାଗି ଦାୟୀ କରୁଥାନ୍ତି ତେବେ ସେମାନେ ମହାନଦୀ ଜଳ ସମସ୍ୟାର ସମାଧାନ କାହିଁକି କରିପାରୁନାହାନ୍ତି 

       ଓଡିଶାରେ କୋରାପୁଟ ଜିଲ୍ଲାର କୁଟିଆ ଅଞ୍ଚଳର ସୀମାକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡିଶା ମଧ୍ୟରେ ବିବାଦ ଦେଖାଦେଇଥିଲା। ଏ ପ୍ରସଙ୍ଗରେ କିନ୍ତୁ କାଉନସିଲ ସ୍ତରରେ ଆଲୋଚନା ନହୋଇପାରିବା କାରଣରୁ ଓ ଉପଯୁକ୍ତ ଆଲୋଚନା ଅଭାବରୁ ବିଷୟ ସୁପ୍ରିମ କୋର୍ଟକୁ ଗଲା। ଏହାର ରାୟ କେବେ ଆସିବ ଜଣାନାହିଁ। ବିଭିନ୍ନ ରାଜ୍ୟ – ରାଜ୍ୟ ମଧ୍ୟରେ ଏହିଭଳି ବଢୁଥିବା ସମସ୍ୟାର ତାଲିକା ଲମ୍ବା।

ବିଜେପି ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଏହାକୁ ସାମ୍ପ୍ରଦାୟିକତାର ରୂପ ଦେଇଛି।

             ଆଜି ଦେଶ ୭୮ ତମ ସ୍ଵାଧୀନତା ପାଳୁଛି। ଅଥଚ ଆଜି ଓଡିଶାର ବିଭିନ୍ନ ପ୍ରାନ୍ତରୁ – ସମ୍ବଲପୁର, ବରଗଡ, ବଲାଙ୍ଗୀର, ଢେଙ୍କାନାଳ, ପୁରୀ, ଯାଜପୁର ଇତ୍ୟାଦି – ସୂଚନା ଆସୁଛି ଯେ ହିନ୍ଦୁତ୍ଵ ସଂଘର ସଦସ୍ୟମାନେ ଏବେ ପଶ୍ଚିମବଂଗର ମୁସଲମାନ ଶ୍ରମିକଙ୍କୁ ଆଧାର ଓ ପରିଚୟ ପତ୍ର ମାଗୁଛନ୍ତି। ସେମାନଙ୍କୁ ରାଜ୍ୟ ଛାଡି ଚାଲିଯିବା ଲାଗି ଧମକ ଦେଉଛନ୍ତି। କେଉଁଠି କେଉଁଠି ସେମାନଙ୍କୁ ଆକ୍ରମଣ କରିବାର ଧମକ ଦେଉଛନ୍ତି ତ କେଉଁଠି ଆକ୍ରମଣ କରିଛନ୍ତି ମଧ୍ୟ। ଫଳରେ, ବିଭିନ୍ନ ଷ୍ଟେଶନରେ ଶହ ଶହ ଶ୍ରମିକ ରାଜ୍ୟ ଛାଡି ଚାଲିଯିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ୨୦ ରୁ ୨୨ ବର୍ଷ ହେଲା ଏ ରାଜ୍ୟରେ ରହିଥିବା ଲୋକେ ବି ଅଛନ୍ତି।

            ଏବେ ସୁଗ୍ରୀବ ସେନା’, ବଜରଙ୍ଗ ଦଳ’, ହିନ୍ଦୁ ସୁରକ୍ଷା ବାହିନୀ’, ଓଡିଆ ଅସ୍ମିତା ସେନା ନାମରେ ଅନେକ ଗୃପ କାମ କରୁଛନ୍ତି। ସେମାନଙ୍କ ଦ୍ଵାରା ଆଜି ମୁସଲମାନଙ୍କ ଉପରେ ଆକ୍ରମଣ ହେଉଛି। ଆଜି ବିଭିନ୍ନ ଜିଲ୍ଲାର ଏସପି କହୁଛନ୍ତି ପରିସ୍ଥିତି ଶାନ୍ତ ଅଛି। (ସମ୍ବଲପୁରରୁ ମିଳିଥିବା ସୂଚନା ଅନୁସାରେ) କିନ୍ତୁ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ଶ୍ରମିକଙ୍କୁ କହୁଛନ୍ତି, ତୁମେ ରାଜ୍ୟ ଛାଡି ଏବେ ଚାଲିଯାଅ। ସେ ଭାବିପାରୁନାହାନ୍ତି ଯେ ପଶ୍ଚିମ ବଙ୍ଗରେ ଏହାର ପ୍ରତିକ୍ରିୟା କଣ ହେବ। ସେଠାରେ ଅନେକ ଓଡିଆ ବାସ କରୁଛନ୍ତି। ସମଗ୍ର ସରକାରୀ କଳ ଏହାର ପରିଣାମ ସମ୍ପର୍କରେ ଭାବୁନାହାନ୍ତି।

            ପଶ୍ଚିମ ବଂଗର ଶ୍ରମିକମାନେ, ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶ୍ରମିକମାନେ, ଅନ୍ୟ ରାଜ୍ୟ ଓଡିଶାରେ ନିଜେ ଆସି ପୁଲିସକୁ ଏଫଆଇଆର ଦେବା ଲାଗି ସମର୍ଥ ହେଉନାହାନ୍ତି। ସେମାନେ ଭୟ କରୁଛନ୍ତି। ପୁଲିସକୁ ଉକ୍ତ ଆକ୍ରମଣ ସମ୍ବନ୍ଧରେ ସୂଚନା ଦେବା ସତ୍ବେ ନିଜ ପଟରୁ, Suo Moto, ଏଫଆଇଆର ପୁଲିସ କରୁନାହିଁ। ଏହା ସାକ୍ଷୀଗୋପାଳ ଅଞ୍ଚଳରେ ଘଟିଛି। ଏହା ସମ୍ବଲପୁରରେ ଘଟିଛି। ପ୍ରଶାସନ ଓ ପୁଲିସକୁ ଗଣତାନ୍ତ୍ରିକ ଅଧିକାର କର୍ମୀ ସୂଚନା ଦେବା ସତ୍ବେ ଏହାର ତଦନ୍ତ ହେଉନାହିଁ, କାର୍ଯ୍ୟନୁଷ୍ଠାନ ତ ଅନେକ ଦୂରର କଥା। ପୁଲିସରେ ଏଫଆଇଆର ନହେବାର ଆଳରେ ଗଣମାଧ୍ୟମ ନୀରବ ରହୁଛି।

            ସମଗ୍ର ରାଜ୍ୟରେ ପୁଲିସ ଥାନା ଅଧିକାରୀ ଏକା ଭଳି ବ୍ୟବହାର କରିବା କାରଣରୁ ପୁଲିସ ବିଭାଗୀୟ ମୁଖ୍ୟଙ୍କ ଭୂମିକା ପ୍ରତି ସନ୍ଦେହ ଆସୁଛି। ପୁଲିସ ଏକ ଦଳୀୟ ଅନୁଷ୍ଠାନ ହୋଇଯାଇଛି। ତେଣୁ ପୁଲିସ ପୂର୍ବତନ ଡ଼ିଜିଙ୍କ ଏଭଳି ଭୂମିକା ପଛରେ ଯେ ସରକାରୀ ଦଳର ବିଶେଷକରି ଆଇନ ବିଭାଗର ଭୂମିକା ନଥିବ ନୁହେଁ। ଟିଭି ବା ଖବରକାଗଜ କିନ୍ତୁ ଏବେବି ଏ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଆସନ୍ତା କାଲି ଖ୍ରୀଷ୍ଟିୟାନ, ଏହା ପରେ ଦଳିତ, ଆଦିବାସୀଙ୍କ ଉପରେ ଆକ୍ରମଣ ସାଙ୍ଗକୁ ଭିନ୍ନ ମତ ରଖୁଥିବ କାରଣରୁ ସର୍ବୋଦାୟୀ, କମ୍ୟୁନିଷ୍ଟ ଓ ଗଣତାନ୍ତ୍ରିକ ଅଧିକାର ତଥା ପ୍ରଗତିଶୀଳ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ବଢିବ।

            ଆଜି ଆମେ ଯେଉଁଠି ପ୍ରକୃତିର ସୁରକ୍ଷା ଲାଗି ମନୋନିବେଶ କରିଥାନ୍ତେ, ଏହି ଗ୍ରହକୁ ଅଧିକ ଦିନ ବଞ୍ଚାଇବା ଲାଗି ଉଦ୍ୟମ କରିଥାନ୍ତେ ସେଠାରେ ଆମକୁ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢେଇ କରିବାକୁ ପଡୁଛି। ଆଜି ଆମ ସମାଜରେ ଯେଉଁଠି ଆତ୍ମହତ୍ୟାର ପ୍ରବଣତା ବଢୁଛି ତାହାର ବିରୁଦ୍ଧରେ, ବେକାରୀ ଓ ଦାରିଦ୍ର୍ଯ ବିରୁଦ୍ଧରେ ତଥା ଆର୍ଥିକ ଅସମାନତା ବିରୁଦ୍ଧରେ ଲଢେଇ କରିଥାନ୍ତେ ସେଠାରେ ଆମକୁ ସୀମିତ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଏକାଠି ହେବାକୁ ହେଉଛି। ଏହି ସମାଜ ନିଜେ ବଞ୍ଚିଲେ ତ ଏହାର ଭବିଷ୍ୟତ ଲାଗି ଆମେ କିଛି ଉଦ୍ୟମ କରିବା?

            ଆସନ୍ତୁ ଏ ଦିଗରେ କିଛି ଆଲୋଚନା କରିବା, ଏହାର ପ୍ରତିବାଦ କରିବା। ରାଜ୍ୟ ଓ ଦେଶକୁ ସାମ୍ପ୍ରଦାୟିକ ଶକ୍ତିର କବ୍ଜାରୁ ବଞ୍ଚାଇବା। ମାନବିକତା ଏକ ବିରାଟ ପ୍ରସଙ୍ଗ। ଏହାକୁ ଧର୍ମ, ଜାତି, ଲିଙ୍ଗ ଓ ଅଞ୍ଚଳରେ ବାଣ୍ଟିଦେବା ଓ ଲଢେଇ କରାଇବାରେ ସମ୍ପ୍ରଦାୟିକ ଶକ୍ତି ସଫଳ ହେଉଛି। ପୁଲିସ ଅଧିକାରୀଙ୍କ ଭୂମିକାକୁ ବିରୋଧ କରିବା। ବିଭିନ୍ନ ଜିଲ୍ଲାର କର୍ମୀମାନେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଦାବିପତ୍ର ତୁରନ୍ତ ଦେଇପାରିଲେ ଭଲ ହେବ। ଆସନ୍ତୁ, ଏ ଦିଗରେ ନିଜର ବିମର୍ଶ ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା

ଦେବ ରଞ୍ଜନ

No comments:

Post a Comment