Sunday, August 25, 2024

ଖବରକାଗଜ ଆମକୁ କ’ଣ କହୁଛି ଓ ନକହୁଛି

 


ଆମେ ଯେ ଏକା ସମୟରେ ଯେ ଏକ ସହସ୍ର ବର୍ଷର ସମାଜ ମଧ୍ୟରେ ବଞ୍ଚୁଛେ ଏ କଥା ପ୍ରତିଦିନ ପଢୁଥିବା ଖବରକାଗଜ ଆମକୁ ଏହା ବୁଝାଇଥାଏ। ଯେମତି ପୁଅ ଛୁଆ ଜନ୍ମ ନଦେବା କାରଣରୁ ସ୍ବାମୀର ନିଜ ସ୍ତ୍ରୀକୁ ହତ୍ୟା ତ ପୁଣି ପଢୁ ଚରିତ୍ର ସନ୍ଦେହରେ ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଇହତ୍ୟା ତ ପୁଣି ଦଳିତ ନାବାଳିକାର ଗଣଧର୍ଷଣ ଓ ହତ୍ୟା ଆମକୁ ଅତି କମରେ ଆଜକୁ ଦୁଇ ବା ତିନି ଶହ ବର୍ଷ ତଳର ପୁରୁଷ ମାନସିକତାର ସ୍ଥିତିକୁ ନେଇଯାଏ।

ଏହା ଅନୁଭବ କରୁ ଯେତେବେଳେ ପୁଣି ସେହି ଖବରକାଗଜରେ ପଢୁ ଯେ ମହିଳା ମହାକାଶଚାରୀଙ୍କ ଚନ୍ଦ୍ର ପୃଷ୍ଠ ଯିବା ଲାଗି ପ୍ରସ୍ତୁତ ତ ପୁଣି ପଢୁ ଅଲମ୍ପିକରେ ମେଡାଲ ଜିତିଛନ୍ତ ମହିଳା କୁସ୍ତି ଯୋଦ୍ଧାଦେଶ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ପାଇଛି ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଯେଉଁଠି ବ୍ୟକ୍ତି ସ୍ଵାଧୀନତା ଏକ ଶ୍ରେଷ୍ଠ ଅଧିକାର, ଯେଉଁଠି ଦେଶ ଏକ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ପାଉଛି ସେହି ଦେଶରେ ପୁରୁଣା ମାନସିକତା କାରଣରୁ ଝିଅ ଜନ୍ମ ହେବା ମାତ୍ରେ ତାକୁ ମାରିଦିଆଯାଉଛି। ଏହି ଦୁଇ ପ୍ରକାରର ଘଟଣା ମଧ୍ୟରେ ସମୟର ବ୍ଯବଧାନ କେତେ ହେବ? ଶହେ? ଦୁଇ ଶହ? ହୁଏତ ଏହାଠାରୁ ଅଧିକ।

ଏହିପରି ପ୍ରତିଦିନ ଖବରକାଗଜ ଆମକୁ ବିସଙ୍ଗତି ଆଡକୁ ନେଇଯାଇଥାଏ।

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା, ମହିଳାଙ୍କ ରାମ୍ପ ଶୋ, ବିଶ୍ବସୁନ୍ଦରୀ ପ୍ରତିଯୋଗିତା, ପାନୀୟ ଜଳ ନପାଇ ଗ୍ରାମବାସୀ ହନ୍ତସନ୍ତ, ଭାରତ ଗଲା ବର୍ଷ ଠାରୁ ଏହି ବର୍ଷ ପ୍ରତିରକ୍ଷା ବଜେଟରେ ବୃଦ୍ଧି, ଦେଶରେ ସମୁଦାୟ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ମଧ୍ୟରୁ ଅପପୁଷ୍ଟିରେ ଅଧିକ ଶିଶୁ ମୃତ, ଝାଡାବାନ୍ତିରେ ୧୫ ଆଦିବାସୀ ଛୁଆଙ୍କ ମୃତ୍ୟୁ ଓ ଦେଶର ଏକ ନମ୍ବର ବିଲିୟୋନାୟାରଙ୍କ ପୁତ୍ର ବିବାହ ଭୋଜିରେ ଦେଶର ଅଧିକାଂଶ ଫିଲ୍ମ କଳାକାର, କ୍ରିକେଟିୟର, ରାଜନୀତିଜ୍ଞ, ବିଶିଷ୍ଟ ଶିଳ୍ପପତିଙ୍କ (ବିଲିୟୋନାୟର) ଯୋଗଦାନ ସମ୍ପର୍କିତ ଖବର ଏହି ଖବରକାଗଜମାନଙ୍କରେ ବଡ ଅକ୍ଷରରେ ପ୍ରକାଶିତ ହୁଏ।

ଖବର ପଢିଲେ ଲାଗେ ଗୋଟିଏ ଖବର ସହିତ ଅନ୍ୟ ଗୋଟିଏ ଖବରର କୌଣସି ସମ୍ବନ୍ଧ ନାହିଁ। ଏହି ଖବରମାନେ ମଧ୍ୟ ନିଜ ଭିତରେ କୌଣସି ଦ୍ଵନ୍ଦ ନା ଲଜ୍ଜା ନା ବିରୋଧ ବା ବିରକ୍ତି କିଛି ଅନୁଭବ କରୁନାହାନ୍ତି। ନା ବିଲିୟୋନାୟାର ନିଜର ଦେଶରେ ଯେଉଁଠି ଅପପୁଷ୍ଟିରେ ଏତେ ଶିଶୁ ମରୁଛନ୍ତି ସେଠାରେ ୫୦୦୦ କୋଟି ଟଙ୍କାର ବ୍ୟୟରେ ବିବାହ ଆୟୋଜନ କରିବାର ଲଜ୍ଜା ପାଏ ନା ଅପପୁଷ୍ଟିରେ ମାରୁଥିବା କାରଣରୁ ନିର୍ବାଚିତ ଶାସକ ଦଳର ଜନପ୍ରତିନିଧୀ ନିଜେ ଲଜ୍ଜା ଅନୁଭବ କରନ୍ତି। କିନ୍ତୁ ଏହି ସମସ୍ତ ଘଟଣାକୁ ଆମେ ନିଜ ଭିତରେ ବିଶ୍ଳେଷଣ କଲେ ଜାଣୁ ଯେ ଖବରକାଗଜର ଏହି ଚିତ୍ର ଆମ ଦେଶର ଇତିହାସ, ଅର୍ଥନୈତିକ ସ୍ଥିତି, ସାମାଜିକ ସମ୍ବନ୍ଧ ଓ ଗଣତନ୍ତ୍ରର ବାସ୍ତବତା ସମ୍ପର୍କରେ ଧାରଣା ଦେଉଛି।   

କିନ୍ତୁ ଖବରକାଗଜ ଅନେକ ତଥ୍ୟ ମଧ୍ୟ ଲୁଚାଇଥାଏ।

ସବୁ ଦିନ ଖବରକାଗଜରେ ପ୍ରକାଶ ପାଉଛି ପୁରୁଣା ନାଳ ବା ସହରର ଡ୍ରେନ ସଫା କରିବାକୁ ଯାଇ ଶ୍ବାସ ରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ, ରୁଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା, ଦାଦନ ଖଟିବାକୁ ଯାଇ ଯୁବକ ଶବ ହୋଇଗଲେ ଓ ମୃତ ଯୁବକଙ୍କ ପରିବାର ମୃତ ଶରୀରକୁ ଫେରାଇ ଆଣିବା ଲାଗି ପ୍ରଶାସନର ଦ୍ଵାରସ୍ଥ ଇତ୍ୟାଦିସତରେ ସେହି ଘଟଣାରେ ପ୍ରଶାସନର ଦ୍ଵାରସ୍ଥ ହୋଇଥିବା ପୀଡିତ/ପୀଡ଼ିତା ପ୍ରଶାସନର ସୁବିଧା ପାଇଲେ କି? ମନ ଆମର ଜାଣିବା ଲାଗି ଆଗ୍ରହୀ ଥାଏ। କିନ୍ତୁ ସେ ତଥ୍ୟ ଆମକୁ ଖବରକାଗଜରୁ ମିଳେନାହିଁ।

ଏହା ନୁହେଁ ଯେ ଖବରକାଗଜ ତଥ୍ୟ ରଖେନାହିଁ। ରୋଚକ ଢଙ୍ଗରେ କୌଣସି ସେଲେବ୍ରିଟିଙ୍କ ବିବାହ ବିଚ୍ଛେଦର ଟିକି ନିଖି ଖବର କିନ୍ତୁ ପ୍ରତିଦିନ ପ୍ରକାଶିତ ହୁଏ ଯେମିତି ରାଜ୍ୟରେ ଆଦୌ ବିବାହ ବିଚ୍ଛେଦ ହେଉନାହିଁ। ନହେଲେ, ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏବେ ଏସିଆରେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଘୋଷିତ ହେବା ଓ ତାଙ୍କ ସାମ୍ନାରେ ଆଉ କିଏ ରହିଲେ ଗଣତନ୍ତ୍ର ଦେଶରେ ତାହାର ନିଲ୍ଲଜ ଉପସ୍ଥାପନ ଖବରକାଗଜ କରିଥାଏ।

କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଉପସ୍ଥାପନ ସମୟରେ ଯେଉଁ ରୋଚକ ସାହିତ୍ୟ ଖବର ମଧ୍ୟରେ ରହିଥାଏ କୌଣସି ଦଳିତ ନାବାଳିକା ଉପରେ ହୋଇଥିବା ଅତ୍ୟାଚାରର ଖବରରେ ଦୁଃଖଭରା ଶବ୍ଦ ନଥାଏ – ବୋଧେ ଖବରକାଗଜର ଶବ୍ଦ ଉତ୍ତେଜନାରେ ଆସିଥାଏ ଲଜ୍ଜା ଓ ମାନବିକତା ପ୍ରସଙ୍ଗରେ ନୁହେଁ।

ଖବରକାଗଜ ମଧ୍ୟରେ ଏକ ଛୋଟ ଦେଶଟିଏ ରହିଛି। ସେହି ପୃଷ୍ଠା ଭିତରେ ଦେଶର ଛୋଟ ସମାଜଟିଏ ରହିଛି। ସେହି ସମାଜରେ ଧନୀ ଗରିବ ସମସ୍ତେ ଅଛନ୍ତି। ସେହି ଭିତରେ ନେତାଙ୍କ ଭାଷଣ ଭାରତ ହେଉଛି ଗଣତନ୍ତ୍ରର ମା’’, ଆମେ ଆମ ଗଣତନ୍ତ୍ରକୁ ନେଇ ଗର୍ଭ କରିବା ଆବଶ୍ୟକ ଭଳି ଶୀର୍ଷକରେ ଖବର ପ୍ରକାଶିତ ହୁଏ। ସେହି ସମାନ ପୃଷ୍ଠାରେ ପୁଣି ପ୍ରକାଶିତ ହୋଇଥାଏ  ଛୋଟ ପିଲାମାନେ ବର୍ଷା ଦିନେ ନଦୀ ମଧ୍ୟରେ ପଶି ସ୍କୁଲକୁ ଯିବା, ରାସ୍ତା ଅଭାବରୁ ଗର୍ଭବତୀ ମହିଳା ଖଟିଆରେ ବୁହାହେବାର ଖବର। ଗର୍ବ କାହାକୁ ନେଇ ଯେ କରିବା ସେ ଉତ୍ତର କେଉଁଠାରେ ନଥାଏ।

ରାଜ୍ୟର ଦୁଇ ଲେନ ରାସ୍ତାକୁ ଚାରିଲେନ ଓ ଚାରି ଲେନ ରାସ୍ତାକୁ ଛଅ ଲେନ ହେବା ଲାଗି କେତେ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଚୁକ୍ତିପତ୍ର ସହିତ ହସ ହସ ମୁହଁ ଭରା ମନ୍ତ୍ରୀ ଓ ସଚୀବଙ୍କ ଫୋଟୋ ଦେଖିଲେ ଇଚ୍ଛା ହୁଏ ପଚାରିବାକୁ ଯେ ଗୋଟିଏ ଦେଶରେ ଯେଉଁଠି ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛି କି ପିଲାମାନେ ନଦୀରେ ପଶି ସ୍କୁଲ ଯାଉଛନ୍ତି ସେଠାରେ ଛଅ ଲେନର କି ଆବଶ୍ୟକତା ରହିଛି ଏ ପ୍ରଶ୍ନ ସାମ୍ବାଦିକ କେବେ ମନ୍ତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ପଚାରିନାହାନ୍ତି। ତେଣୁ ଖବରକାଗଜରେ ନାହିଁ।

ଖବରକାଗଜର ମାଲିକମାନେ ବେଶ କିଛି ବର୍ଷ ହେଲା  ନିଜକୁ ଏକ ବ୍ଯବସାୟିକ ସଂସ୍ଥା ଭାବରେ ଗ୍ରହଣ କରିନେଇ ପୁଞ୍ଜିଲଗାଣକୁ ଗୁରୁତ୍ଵ ଦେଇଛନ୍ତି। ତେଣୁ ସେମାନେ ନିଜ ସ୍ଵାର୍ଥର ସୁରକ୍ଷା ଲାଗି “ପ୍ରକଳ୍ପ ସପକ୍ଷବାଦୀ” ଓ “ପ୍ରକଳ୍ପ ବିରୋଧୀ” ଏହିଭଳି ଦୁଇ ଭାଗରେ ଅଞ୍ଚଳକୁ ବିଭାଜିତ କରିଛନ୍ତି। ଏହି ସପକ୍ଷବାଦୀବିରୋଧୀ ବିଭାଜନ ଖବରକାଗଜର ସୃଷ୍ଟି। ଦେଶର ବିକାଶରେ ବିସ୍ଥାପିତ ଜନତାଙ୍କର ମଧ୍ୟ ସମାନ ଅଧିକାର ରହିଛି, ଜମି ଓ ଜଙ୍ଗଲ ଉପରେ ନାଗରିକର ପୀଢି ପୀଢିର ଅଧିକାର ରହିଛି। ଏହକୁ ନିଜ ସ୍ଵାର୍ଥ ଲାଗି ସପକ୍ଷବାଦୀ ଓ ବିରୋଧୀ ଭାବରେ ଲୋକଙ୍କୁ ଦୁଇଭାଗ କେଉଁଭଳି କରାଯିବ? କୌଣସି ପ୍ରକଳ୍ପକୁ ଲୋକଙ୍କ ଦ୍ଵାରା ବିରୋଧ କରାଗଲା ଖବରକାଗଜ ତା ନିଜ ଆଡୁ ବିଚାର କରିବା ଆରମ୍ଭ କରିଦିଏ। ପ୍ରକଳ୍ପ ବିରୋଧୀ ସ୍ଵରକୁ କ୍ଵଚିତ ପ୍ରକାଶ କରେ।  

ନିଜ ଉପରେ ସରକାରୀ ଆକ୍ରମଣ ହେଲେ “ବାକ ସ୍ଵାଧୀନତାର କଣ୍ଠରୋଧ” କରୁଛି କିନ୍ତୁ ନିଜେ ଆଉ କାହାରର କଣ୍ଠରୋଧର ଭୂମିକା ନେଉଛି। ବୃହତ କମ୍ପାନୀଙ୍କ ଦ୍ଵାରା ଦିଆଯାଉଥିବା ବିଜ୍ଞାପନକୁ ଅଧିକ ଭାବରେ ହାତେଇବାକୁ ଯାଇ ବିସ୍ଥାପିତଙ୍କ ଦୁଃଖ, ଶ୍ରମିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ବସ୍ତିକୁ ବୁଲଡ୍ରୋଜର ଦେଇ ଭାଙ୍ଗିବା, ପ୍ରଦୂଷଣଜନୀତ ଯାବତୀୟ ବେମାରୀ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର  ସମସ୍ଯାର କାରଣ ଆଡକୁ ଖବରକାଗଜ ମୁହଁ ବୁଲାଇ ଦେଉଛି।

ଖବରକାଗଜ ମାଲିକମାନେ ବହୁ ପୂର୍ବରୁ ନିଜକୁ କୌଣସି ନା କୌଣସି ରାଜନୈତିକ ଦଳ ସହିତ ଜଡିତ କରିଥିଲେ।

ଆଜିକାଲି ଖବରକାଗଜର ମାଲିକମାନେ ଧର୍ମକୁ ଆଧାର କରି ସମାଜରେ ବିଭାଜନ କରିବା ଆରମ୍ଭ କରିଦେଇଛନ୍ତି। ଗୋ ଚାଳଣକାରୀଙ୍କ ଉପରେ ଆକ୍ରମଣ (ଆକ୍ରାମଣକାରୀ ନିଜେ ପୁଲିସ ସାଜି ମରଣାନ୍ତକ ଆକ୍ରମଣ କରିବାକୁ ଉପସ୍ଥିତ ପୁଲିସ କି ସାମ୍ବାଦିକ ପ୍ରଶ୍ନ କରିନଥାନ୍ତି), ଗୋମାଂସ ଫ୍ରିଜରୁ ଉଦ୍ଧାର’, ଜୟ ଶ୍ରୀରାମରେ ପ୍ରକମ୍ପିତ ମନ୍ତ୍ରୀଙ୍କ ସଭାସ୍ଥଳ’, ସଙ୍କୀର୍ତ୍ତନରେ ଝୁଲିଲେ ଭକ୍ତ’, ମନ୍ତ୍ରୀଙ୍କ ଅଫିସ ପ୍ରବେଶ ସମୟରେ ହନୁମାନ ଚାଳିଶା ପାଠ’, ଧର୍ମାନ୍ତରୀକରଣଅନୁପ୍ରବେଶ ଭଳି ପ୍ରସଙ୍ଗକୁ ଦେଶ ବିଦେଶ ପୃଷ୍ଠାରେ (କୌଣସି ସଂଖ୍ୟା ମଧ୍ୟ ନଥାଇ) ଦେବା ଆରମ୍ଭ କରିଛନ୍ତି। ସେମାନେ ଏହାକୁ ଜାଣି ଜାଣି ଜାତୀୟ ସମସ୍ଯା କରିଦେଇଛନ୍ତି।

କେଉଁ ରାଜ୍ୟର ଅନାମଧେୟ କୌଣସି (ଦଙ୍ଗାକାରୀ) ନେତାଙ୍କ ଅଳ୍ପ ସଂଖ୍ୟକ ବିରୋଧୀ ମନ୍ତବ୍ୟ ଦେଶ ବିଦେଶ ପୃଷ୍ଠାରେ ସ୍ଥାନ ପାଉଛି।

ଖବରକାଗଜ ଏକ ନୂଆ ଅବତାରରେ ଆଜି ସାମ୍ପ୍ରଦାୟିକ ବାର୍ତ୍ତା ଦେଇ ଏହାକୁ ଆଗାମୀ ଦିନର ସାମ୍ପ୍ରଦାୟିକ ହିଂସାର କର୍ତ୍ତା ହେବା ଲାଗି ପ୍ରସ୍ତୁତ କରୁଛନ୍ତି। ସଂକ୍ଷେପରେ କହିଲେ, ସେମାନେ ଦଙ୍ଗାକାରୀ ସୃଷ୍ଟି କରିବାରେ ଲାଗିପଡିଛନ୍ତି। ପ୍ରେସ କାଉନସିଲ ଓ ଅନ୍ଯାନ୍ଯ ସାମ୍ବିଧାନିକ ଅନୁଷ୍ଠାନ ଦେଶରେ ରହିଥିବା କଥା ଜଣାପଡୁନାହାନ୍ତି। ଏହି ଅନୁଷ୍ଠାନ କ୍ରିୟାଶୀଳ ହେଲେ ଖବରକାଗଜ ମାଲିକମାନେ ହୁଏତ ନିଜର ପୁଞ୍ଜିକୁ ଖଣି ବା ସଟ୍ଟା ବଜାରରେ ଲଗାଇଦେବେ ଓ କହିବେ, ବାକ ସ୍ଵାଧୀନତାର କଣ୍ଠରୋଧ ହେଲା। 

ଖବରକାଗଜ ଚତୁର୍ଥ ସ୍ତମ୍ବ ନୁହେଁ ସ୍ତମ୍ବହୀନ ପରାଙ୍ଗପୁଷ୍ଟ ଲତାଟିଏ ଆମ ସମାଜରେ ପୁଞ୍ଜି ଓ ଧର୍ମକୁ ସାହାରା କରି ବଢୁଛି। ଏଥିଲାଗି ଖବରକାଗଜ ନିଜର ଗୁରୁତ୍ଵ କ୍ରମାଗତ ହରାଉଛି।

(*ଅନେକ ଦିନରୁ ଟିଭିରୁ ଖବର ଜାଣିବାର ଅଭ୍ଯାସ ଛାଡିଦେଇଛି। କେତେକ ନିର୍ଦ୍ଦିଷ୍ଟ ୱେବ ଛାଡିଦେଲେ ବାକି ଅନେକ ମିଥ୍ୟା ଖବର ଦେଉଛନ୍ତି। ତେଣୁ ମୁଁ ନିୟମିତ ଖବରକାଗଜ ପଢେ ଓ ଏହି ଅନୁଧ୍ୟାନ ଖବରକାଗଜ ଉପରେ ପର୍ଯ୍ୟବେଶିତ।)

 ଦେବ ରଞ୍ଜନ 

 

 

 

No comments:

Post a Comment