କଲିକତାର ୩୧ ବର୍ଷିୟା ଡାକ୍ତରୀ ଛାତ୍ରୀଙ୍କ ଶରୀରର ୧୦୦ଟି ସ୍ଥାନରେ କ୍ଷତ ହୋଇଥିବା ଦେଖାଯାଇଥିଲା। କାନ୍ଧ ହାଡ ଓ ଛାତି ହାଡ ଭାଙ୍ଗିଯାଇଥିଲା। ଆଖିରୁ ଓ ନାକରୁ ରକ୍ତ ବାହାରୁଥିଲା। ଆମ ଚାରିପାଖରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଏହା ନଥିଲା। ହସ୍ପିଟାଲରେ ଘଟୁଥିବା ଅତି ଅମାନବୀୟ ଘଟଣାର ପ୍ରମାଣ ନଷ୍ଟ କରିବାର ଏହା ଯୋଜନା ମଧ୍ୟ ଥିଲା। ସେଥିଲାଗି ତ କଲିକତାର ଏତେ “ଦାୟିତ୍ଵପୂର୍ଣ୍ଣ ଅଧିକାରୀମାନେ” ଏହି ଘଟଣା ପଛରେ ସମ୍ପୃକ୍ତ ରହିଥିଲେ।
ଡାକ୍ତରମାନେ ନିଶ୍ଚିତ ରୂପେ ସାହସପୂର୍ଣ୍ଣ ପଦକ୍ଷେପ ନେଲେ। ସେମାନଙ୍କ ସହିତ କଲିକତାବାସୀ ଅଦ୍ଭୁତପୂର୍ବ ସମର୍ଥ ଦେଲେ। କେହି ଜଣେ ଲେଖିଥିଲେ, “କଲିକତାରେ ବିରାଟ ବିପ୍ଲବ ଘଟିଛି। ଏଭଳି କୌଣସି ଘର ନାହିଁ ଯେଉଁଠାରୁ ଲୋକେ ଆସି “ମିଛିଲ” ବା ଶୋଭାଯାତ୍ରାରେ ସାମିଲ ହେଉନାହାନ୍ତି।“
ସମସ୍ତ ରାଜ୍ୟର ସରକାରୀ ବ୍ୟବସ୍ଥା ଓ ଆମର ସମାଜ ଏଥିପ୍ରତି ତଥାପି ସଜାଗ ହେଉନାହାନ୍ତି। ଯେମିତି କି;
ମହିଳା କମିଶନ
କଲିକତା ମୃତ ଛାତ୍ରୀ ଘଟଣାରେ ପଶ୍ଚିମ ବଙ୍ଗ ମହିଳା କମିଶନ ଆଜି ବି ନୀରବ। ରାଜ୍ୟ ସରକାର ଅପରାଧୀକୁ ଘୋଡାଇବାରେ ଲାଗିବାରୁ କମିଶନ ମଧ୍ୟ କିଛି ପଦକ୍ଷେପ ନେଲେନାହିଁ। ପଶ୍ଚିମ ବଙ୍ଗରେ ମହିଳା କମିଶନ ଯଦି ରାଜନୈତିକ ପ୍ରଭାବ ମୁକ୍ତ ହୋଇଥାନ୍ତେ ତେବେ କ’ଣ ଏଭଳି ସାଂଘାତିକ ଘଟଣା ଘଟିଥା’ନ୍ତା?
୧୯୯୨ ମସିହାରୁ ମହିଳା କମିଶନ ପ୍ରତ୍ଯେକ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହା ନ୍ୟାସିନାଲ କମିଶନ ଫର ୱିମେନ ଆକ୍ଟ (୧୯୯୦) ଅନୁସାରେ ବାଧ୍ୟତାମୂଳକ ଅଟେ। କେବଳ ମହିଳା କମିଶନ ନୁହେଁ ମାନବିକ ଅଧିକାର ଓ ଏସସି ଆଣ୍ଡ ଏସଟି କମିଶନ ମଧ୍ୟ କାର୍ଯ୍ୟକାରୀ ହେଉଛି।
କ୍ରମଶଃ ପ୍ରତ୍ଯେକ ସରକାର, ବିଜେପି ହେଉ ଅଥବା ଅଣ ବିଜେପି ବା କଂଗ୍ରେସ ସରକାର ହେଉ, ଆଇନ ଅନୁସାରେ କମିଶନ ଗଠନ କରିଦେଲେ କିନ୍ତୁ ଏହାର ମୁଖ୍ୟ ନିଶ୍ଚିତ ରୂପେ ନିଜ ରାଜନୈତିକ ଦଳୀୟ କର୍ମୀଙ୍କୁ ଦାୟିତ୍ଵ ଦେଲେ। ସରକାରଙ୍କ ବିରୁଦ୍ଧରେ ଉଠୁଥିବା ପ୍ରଶ୍ନକୁ ଚୁପ କରିବା ହେଲା କମିଶନରେ ନିଯୁକ୍ତ କମିଶନ ମୁଖ୍ୟଙ୍କ ଦାୟିତ୍ଵ। ଏଥିରେ କମିଶନ ନିଜର ଗୁରୁତ୍ଵ ହରାଇଲେ। ଅଫିସ ବା ଅନୁଷ୍ଠାନରେ ମହିଳାଙ୍କ ଲାଗି ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ବନ୍ଦ ହୋଇଗଲା। ଫଳରେ, କଲିକତାର ଛାତ୍ରୀଙ୍କ ଭଳି ଦେଶରେ ଅନେକ ନିର୍ଭୟା ନିଜର ଜୀବନ ଦେଲେ।
ଓଡିଶାରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମାମଲାରେ ରାଜ୍ୟ ମହିଳା କମିଶନ କ’ଣ କରିଥିଲେ? ରାୟଗଡା ଜିଲ୍ଲା ଟିକିରିର ସ୍କୁଲ ମଧ୍ୟରେ ରାତିରେ ଶୋଇଥିବା ବେଳେ ତାଙ୍କୁ ପେଟ୍ରୋଲ ଢାଳି ହତ୍ୟା କରଯାଇଥିଲା (୨୦୧୩)। ନିଜ ଜୀବନ ପ୍ରତି ବିପଦ ଥିବା ଓ ଏହାର ପ୍ରତିକାର ଲାଗି ସେ ଜିଲ୍ଲାପାଳ, ପୁଲିସ ଏସପି, ଜିଲ୍ଲା ଶିକ୍ଷା ଅଧିକାରୀ, ଏପରିକି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। କିନ୍ତୁ କ’ଣ ହେଲା? ସେହି ସମାନ ପ୍ରଶ୍ନ ପିପିଲିର ବେବିନା ଓ ବଲାଙ୍ଗୀରର ସ୍ନେହଲତା ଚ୍ଛତ୍ରିଆଙ୍କ ଘଟଣାରେ ମଧ୍ୟ ପଚରାଯାଇପାରେ।
ମହିଳା ମୁଖ୍ୟମନ୍ତ୍ରୀ
ପଶ୍ଚିମ ବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଡାକ୍ତରୀ ଛାତ୍ରୀଙ୍କ ଗଣଧର୍ଷଣ ହେବା କ୍ଷମତାରେ ଚାହେଁ ମହିଳା ରୁହନ୍ତୁ ଅଥବା ପୁରୁଷ ଏଥିରେ କୌଣସି ଫରକ ଆସୁନାହିଁ। ରାଜ୍ୟ ପୁଲିସ ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେବା ଲାଗି ଉଦ୍ୟମ କରିବା, ପ୍ରମାଣକୁ ନିଜେ ପୁଲିସ ନଷ୍ଟ କରିବା ଲାଗି ସୁଯୋଗ ଦେବା, ଏଫଆଇଆର କରିବାରେ ବିଳମ୍ବ କରିବା ଅଥଚ ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପୁଲିସ ବିଭାଗର କାର୍ଯ୍ୟ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେବା ଦ୍ଵାରା ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାର ନିଜେ ଦୋଷୀକୁ ସୁରକ୍ଷା ଦେବା ଲାଗି ପ୍ରଥମରୁ ଉଦ୍ୟମ କରୁଥିଲେ। ଏହାକୁ କୁହାଯାଏ ସରକାରୀ ବ୍ୟବସ୍ଥା ନିଜେ ଉଚ୍ଚ ଜାତିର ପୁରୁଷ ଭଳି ବ୍ୟବହାର କରୁଛି। ଏଥିରେ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ବି କିଛି ଫରକ ନାହିଁ।
ଆଜି ପ୍ରଧାନ ମନ୍ତ୍ରୀ କଲିକତା ଘଟଣାକୁ ବିରୋଧ କରି “ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଏବଂ ଯେକୌଣସି ସ୍ତରରେ ଅବହେଳାକୁ ନିନ୍ଦା କରାଯିବା ଆବଶ୍ୟକ” କହିଛନ୍ତି। ଏହିଭଳି ଘଟଣା ମଣିପୁରରେ ହୋଇଥିଲା। ସଂସଦ ଭିତରେ ଓ ବାହାରେ ଅତି ଉଚ୍ଚ ସ୍ଵରରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କିଛି କୁହନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ନୀରବ ରହିଲେ। ଉତ୍ତରପ୍ରଦେଶର ହଥ୍ରାସ ହେଉ କି ଜାମ୍ମର କଠୁଆ ଘଟଣା ହେଉ ସବୁଠାରେ ପ୍ରଧାନମନ୍ତ୍ରୀ ନୀରବ ରହିଆସିଛନ୍ତି। ଗଣତନ୍ତ୍ରରେ ସରକାରୀ ପ୍ରଶାସନର ମଧ୍ୟ ରାଜନୈତିକ ରଙ୍ଗ ରହିଛି। ରଙ୍ଗ ଦେଖି ଏହା ତତ୍ପର ହୋଇଥାଏ।
ପୁଲିସ ଡାଏଲ ନମ୍ବର ଓ ସିସିଟିଭି କ୍ୟାମେରା
ମହିଳାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରମାନେ ପୁଲିସ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଯେଉଁ ଗତିରେ ପଦକ୍ଷେପ ନିଆଯାଏ - ପୁଲିସ କଣ୍ଟ୍ରୋଲ ରୁମକୁ କଲ କରିବା ଲାଗି ୧୦୦/୧୧୨ ନମ୍ବର ପ୍ରଚଳନ, ମହିଳା ସାଥି ଆପ ଭଳି ମୋବାଇଲ ଆପ ପ୍ରସ୍ତୁତି, ଚାରିଆଡେ ସିସିଟିଭି କ୍ୟାମେରା ଲଗାଇବା, ମହିଳା ଥାନା ସ୍ଥାପନ, ମହିଳା ଡେସ୍କ ସ୍ଥାପନ, ମହିଳା ସାଥି ନିଯୁକ୍ତି ଓ ଓଡିଶାରେ ପିଂକ ଅଟୋ ପ୍ରଚଳନ ଇତ୍ୟାଦି ଅନେକ ପଦକ୍ଷେପ – ସେହି ଗତିରେ ତାହା ସୁରକ୍ଷା ଦେଇପାରେନାହିଁ। କଲିକତାରେ ନା ମହିଳା ପୁଲିସ, ପୁଲିସ ଡାଏଲ ନମ୍ବର, ମହିଳା ସାଥି, ସିସିଟିଭି ଇତ୍ୟାଦି କିଛି ବି କମ ଥିବ କି? ଏ ସମସ୍ତ କିନ୍ତୁ ଆବଶ୍ୟକ ସମୟରେ କେଉଁଭଳି ଅକାମୀ ହୋଇଗଲା? ଏହି ପଦକ୍ଷେପ ଉପରେ ନିର୍ଭର କରି କ’ଣ ସତରେ କହିପାରିବା ଯେ ମହିଳାମାନେ ସୁରକ୍ଷିତ?
ବିଶାଖା କମିଟି
ଏହିଭଳି ୧୯୯୭ ମସିହାରେ ଏକ ବିବସ୍ଛ କାଣ୍ଡ ଘଟିଥିଲା। ବାଳିକା ବିବାହ ପ୍ରଥାକୁ ବିରୋଧ କରିବା ଯାଇ ରାଜସ୍ଥାନ ସରକାରଙ୍କ ଅସ୍ଥାୟୀ କର୍ମଚାରୀ ଭଂବରୀ ଦେବୀ ଗ୍ରାମର ଜମିଦାର ପରିବାର ଦ୍ଵାରା ଗଣଧର୍ଷିତ ହୋଇଥିଲେ। ଏହି ମାମଲାରେ ମହିଳା କର୍ମଚାରୀଙ୍କ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଲାଗି “ବିଶାଖା କମିଟି” ସ୍ଥାପନ କରିବା ଲାଗି ନିର୍ଦ୍ଦେଶାବଳୀ ସୁପ୍ରିମ କୋର୍ଟ ଜାରି କରିଥିଲେ। ରାଜ୍ୟ ସରକାର ତୁରନ୍ତ କମିଟି ଗଠନ କରି ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଓ ଅନ୍ୟ କାର୍ଯ୍ୟଳୟରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସମ୍ପର୍କରେ କୌଣସି ଅନୁଧ୍ୟାନ ଏହି ଘଟଣା ପରେ ମଧ୍ୟ କରୁନାହାନ୍ତି।
ମହିଳାଙ୍କୁ ଗଣଧର୍ଷଣ, ହତ୍ୟା ଓ ବା ହିଂସାତ୍ମକ ଘଟଣା ଅଫିସ ମଧ୍ୟରେ ଅଥବା ବାହାରେ ଘଟିଲେ ଓ ତାହା ଗଣମାଧ୍ୟମରେ ଚର୍ଚ୍ଚିତ ହେଲେ ତାହାର ପ୍ରତିକାର ଲାଗି ତୁରନ୍ତ କିଛି ପଦକ୍ଷେପ ସେହି ସମୟର ସରକାର ନେଇଥାନ୍ତି। ପରବର୍ତ୍ତୀ ସମୟରେ ପୁଣି ସରକାର ଓ ସରକାରୀ ଅନୁଷ୍ଠାନ ତାହାକୁ ପାଳନ କରିନଥାନ୍ତି। ସେହି ପାଳନ ନକରିବା କାରଣରୁ ପୁଣି କୌଣସି ନା କୌଣସି ମହିଳାଙ୍କୁ ଯୌନ ଶୋଷଣର ସାମ୍ନା କରିବାକୁ ପଡିଥାଏ।
ମିଡିଆ ଟ୍ରାଏଲ
ସର୍ବଦା ସହରୀ ଶିକ୍ଷିତ ମହିଳାଙ୍କ ଉପରେ କୌଣସି ଜଘନ୍ୟ କାଣ୍ଡ ହେଲେ ଗଣମାଧ୍ୟମ ଯେତେ ଚିତ୍କାର କରେ (ଯଦି ସେଥିରେ ରାଜନୈତିକ ଅଭିସନ୍ଧି ମିଶ୍ରଣ ହୁଏ ତେବେ ତାହା ଅଧିକ କର୍କଶ ହୋଇଉଠେ) ସେପରି ଚିତ୍କାର କୌଣସି ଦଳିତ, ଆଦିବାସୀ, ଅଳ୍ପ ସଂଖ୍ୟକ ମହିଳାଙ୍କ କ୍ଷେତ୍ରରେ ହୋଇନଥାଏ। ଏହି କାରଣରୁ ହାଇଦ୍ରାବାଦ ଘଟଣାରେ ଏନକାଉଣ୍ଟର ମଧ୍ୟ ହୋଇଗଲା। କଲିକତା ଘଟଣାରେ ମିଡିଆର ରାଜନୈତିକ ଅଭିସନ୍ଧି ବେଶ ସ୍ପଷ୍ଟ। ମିଡିଆ କର୍ମଚାରୀଙ୍କ ଅସୁରକ୍ଷାର କାରଣ ଖୋଜିବା, ବିଶାଖା କମିଟି ଓ ମହିଳା କମିଶନ, ପୁଲିସର ଡାଏଲ ନମ୍ବର ଇତ୍ୟାଦି ସମ୍ପର୍କରେ ପ୍ରଶ୍ନ କରିବା ବଦଳରେ ଏହାକୁ ରାଜ୍ୟ ସରକାର ବନାମ ଛାତ୍ରୀଙ୍କ ହତ୍ୟାର ରୂପ ଦେବାରେ ଲାଗିଛି। କଣ ବିଜେପି ଶାସିତ ରାଜ୍ୟରେ ଧର୍ଷଣ ଓ ହତ୍ୟା ହେଉନାହିଁ? ଗଣମାଧ୍ୟମ ସୈନ୍ୟ ବାହିନୀ ବିରୁଦ୍ଧରେ ସେଭଳି ଅଭିଯୋଗ ଆସିଲେ ତାହାର ସୂଚନା ମଧ୍ୟ ଗଣମାଧ୍ୟମ ଦେଇନଥାଏ।
ଦଳିତ ବା ଆଦିବାସୀ ବର୍ଗର ମହିଳା ହୋଇଥିଲେ
ଜାତୀୟ ଅପରାଧ ରେକର୍ଡ ବ୍ଯୁରୋ ତଥ୍ୟ ଅନୁସାରେ ପ୍ରତି ଦିନ ୧୦ ଜଣ ଦଳିତ ମହିଳା ଏ ଦେଶରେ ଦୁଷ୍କର୍ମର ଶିକାର ହେଉଛନ୍ତି। ଅଥଚ ଦଳିତ ମହିଳାଙ୍କ କ୍ଷେତ୍ରରେ ଦୋଷୀ ଦଣ୍ଡିତ ହେବା ହାର ମାତ୍ର ୫.୩।
ରାଜନୈତିକ ଦଳ କେବେ ଏହି ସମାଜରୁ ଜାତିବାଦର ଉଚ୍ଛେଦ, ଦଳିତଙ୍କ ପ୍ରତି ସମାଜର ଦ୍ରୁଷ୍ଟିଭାଙ୍ଗି ବଦଳିବା ଲାଗି ପଦକ୍ଷେପ, ସରକାରୀ ପାଠ୍ୟକ୍ରମରେ ପରିବର୍ତ୍ତନ, ଦଳିତ ମହିଳାଙ୍କୁ ଦୃଢ କରିବା ଲାଗି ଅଲଗା ସରକାରୀ ଯୋଜନା, ପୀଡ଼ିତା ମହିଳାଙ୍କୁ କୋର୍ଟରେ ଲଢିବା ଲାଗି ସୁରକ୍ଷା ଓ ଅର୍ଥର ସହଯୋଗ (ଏସସି ଆଣ୍ଡ ଏସଟି ଫଣ୍ଡରୁ ଅର୍ଥ ବହୁ କଷ୍ଟରେ ମିଳିଥାଏ ଓ ଥରେ ମିଳିଲା ପରେ କେସ ଦୀର୍ଘ କାଳ ଚାଲିଲେ ମଧ୍ୟ ଅର୍ଥ ସହଯୋଗ ପୁଣି ମିଳେ ନାହିଁ।) ଭଳି ପଦକ୍ଷେପ ନେବା ମୁଁ କେବେ ଦେଖିନାହିଁ। କିନ୍ତୁ ଦୁଷ୍କର୍ମକାରୀଙ୍କୁ ଖସାଇବା ଲାଗି ରାଜନୈତିକ ଦଳ ଓ ପୁଲିସ ଅନେକ ଉଦ୍ୟମ ମିଳିତ ଭାବରେ କରିଥାନ୍ତି।
ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ଚକ୍ରବ୍ୟୁହ
ଚାରିପାଖରେ ଅବସ୍ଥିତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଯେ ପୁରୁଷତାନ୍ତ୍ରିକ ବ୍ୟବସ୍ଥା କାଏମ ରହିଛି। ସେଥିଲାଗି ଜଣେ ପରେ ଜଣେ ମହିଳାଙ୍କୁ ଜୀବନ ଦେବାକୁ ପଡୁଛି।
ଆମର ପୁରୁଷତାନ୍ତ୍ରିକ ସମାଜ ମଧ୍ୟରୁ ଆଜିର ନେତା, ମନ୍ତ୍ରୀ, ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଆସୁଛନ୍ତି ଯେଉଁମାନେ ମହିଳା ବିରୋଧୀ ମାନସିକତା ନେଇ ସରକାରରେ ଯୋଗଦେଉଛନ୍ତି। ସେମାନେ ସରକାରୀ ଅର୍ଥ, ବଳ ଓ ଆଇନକୁ ପୁଣି ମହିଳାଙ୍କ ଉପରେ ହେଉଥିବା ହିଂସାକୁ ଲୁଚାଇବା ଲାଗି ବ୍ୟବହାର କରୁଛନ୍ତି। ଏହା ଏଭଳି ଚକ୍ରବ୍ୟୁହ ଯାହା ବନ୍ଦ ହେବାର କୌଣସି ନାମ ନେଉନାହିଁ।
ସମାଜର ଦ୍ରୁଷ୍ଟିଭଙ୍ଗି ବଦଳିବା ଆବଶ୍ୟକ
ମହିଳା କର୍ମଚାରୀ ଯୌନ ଉତ୍ପୀଡନାର ସାମ୍ନା କରୁଥିବା ହେତୁ ଅନେକ ସମୟରେ ମହିଳାମାନେ ନିଜସ୍ଵ ଦକ୍ଷତା, ପାରଙ୍ଗମାତା ଓ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଜ ପସନ୍ଦର କାର୍ଯ୍ୟ କରିବା ଲାଗି ପଛାଇଥାନ୍ତି। ଏହା ସମଗ୍ର ମହିଳା ସମାଜ ଉପରେ ହିଂସା ଯାହା ଆଧୁନିକ ଭାରତ ଦଶନ୍ଧି ଦଶନ୍ଧି ଧରି କରିଚାଲିଛି।
କୌଣସି ଡାକ୍ତର ଓ ନର୍ସଙ୍କ ଉପସ୍ଥିତି ନଥାଇ ହସ୍ପିଟାଲ ଚାଲିପାରିବ କି? ଯେମିତି କୌଣସି ଶିକ୍ଷାନୁଷ୍ଠାନ ବିନା ଶିକ୍ଷକ/ ଶିକ୍ଷୟିତ୍ରୀରେ ଚାଲିପାରିବ? ମହିଳାଙ୍କ ପ୍ରତି ଅଧିକାରୀଙ୍କର ଦ୍ରୁଷ୍ଟିଭଙ୍ଗି ବଦଳିବା ଆବଶ୍ୟକ।
ଦେଶରେ ଅନେକ ମହିଳା ନିଜ ପରିବାର ମଧ୍ୟରେ ସଂଘର୍ଷ କରି ନିଜର ଶିକ୍ଷା, ନିଜର ଆଗ୍ରହ ଓ ନିଜର କର୍ମ ସନ୍ଧାନ କରିପାରୁଛନ୍ତି। ସମାଜରେ ପ୍ରତି ସମୟରେ ବିଭିନ୍ନ ପ୍ରକାରର ଯୌନ ହିଂସାକୁ ସାମ୍ନା କରି ସେମାନେ କର୍ମକ୍ଷେତ୍ରରେ ସକ୍ରିୟ ହୋଇପାରିଛନ୍ତି। ଏହା ହିଁ ନାରୀ ଆନ୍ଦୋଳନର ଅଂଶ, ନିଜ ଅଧିକାର ଲାଗି ଲଢେଇ।
ଦେବ ରଞ୍ଜନ
Monday, September 16, 2024
କ୍ଷମତାର ଅହଂକାର ଭାଙ୍ଗିବ କେବେ ?
Saturday, September 7, 2024
‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’
ଏକ ପୁସ୍ତକ ମେଳାରେ ହଠାତ ମୋତେ
ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ”। ଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ
କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ
ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର
କରିଥିଲି ଯେ ସେ ‘ସାରୋଳ’ ନୁହଁନ୍ତି ‘ସାରୋଳଦାସ’ ଓ ତାଙ୍କ ଦ୍ଵାରା ଲିଖିତ କାବ୍ଯଗ୍ରନ୍ଥ
‘ମହାଭାରତ’ ମଧ୍ୟ ନୁହେଁ, ତାହା ‘ମହାଭାରଥ’।
କେମିତି?
ଭାରତୀୟ
ଜନଜୀବନରେ ‘ମହାଭାରତ’ ର ଚରିତ୍ରମାନଙ୍କୁ ଆଜି ବି ଆମର ଲେଖକ, କବି, ରାଜନୈତିକ ନେତା ଓ ପ୍ରବଚକ ଜୀବନ୍ତ
କରିରଖିଛନ୍ତି। ସେମାନେ ଉଦାହରଣ ଛଳରେ ଏହି ମହାଭାରତର ଚରିତ୍ରମାନଙ୍କୁ ଦର୍ଶାଇ ଆଜିର
ପରିସ୍ଥିତିକୁ ବର୍ଣ୍ଣନା କରିବାରେ ଅଧିକ ସହଜ ମନେକରୁଛନ୍ତି ଯେମିତି ମହାଭାରତର ଚରିତ୍ରମାନେ
ଆଜି ବି ଆମ ଚାରିପାଖରେ ବୁଲୁଛନ୍ତି। କେହି କେହି
ଆଜି ବି ବିଶ୍ଵାସ କରନ୍ତି ଯେ ସଂପୂର୍ଣ୍ଣ ମହାଭାରତ ଯେମିତି ତାଙ୍କ ଅଞ୍ଚଳରେ ଘଟିଥିଲା। ସତରେ
କେତେ ପ୍ରଭାବଶାଳୀ ଏହି ଗ୍ରନ୍ଥ !
ଐତିହାସିକଙ୍କ
ମତରେ ଏହି କାବ୍ଯଗ୍ରନ୍ଥର ରଚନା କାଳ ବୁଦ୍ଧଙ୍କ ଆବିର୍ଭାବ ପରେ। କେହି ଏହାକୁ ଖ୍ରୀଷ୍ଟପୂର୍ବ
ପାଞ୍ଚ ଶହ କହୁଛନ୍ତି ତ କେହି ଏହାକୁ ତିନିଶହ କହୁଛନ୍ତି । ସଂସ୍କୃତ ମହାଭାରତ (ଅନ୍ୟ ନାମ ‘ଜୟକାବ୍ୟ’) ମାତ୍ର ୮୦୦୦ ଶ୍ଳୋକ ମଧ୍ୟରେ ତାଳପତ୍ର
ପୋଥିରେ ଲେଖାଯାଇଥିଲା। ଏହାର ‘ଆଦିପର୍ବ’ରେ ସମଗ୍ର
ମହାଭାରତ ରହିଛି। ପାକଳ ତାଳପତ୍ରକୁ ଶୁଖାଇ ପାଗ କରି ତାହା ଉପରେ ସଂସ୍କୃତ ଭାଷାରେ ଏହି ଗ୍ରନ୍ଥ
ଲିଖିତ।
ଶୁଖିଲା
ଲିପିବଦ୍ଧ ତାଳପତ୍ରକୁ ମଝିରେ ମଝିରେ ହଳଦୀ ପାଣିରେ ପୋଛି ଶୁଖାଇ ଯତ୍ନ ସେମାନେ ନେଉଥିଲେ। ତେଣୁ
ମହାଭାରତ ହେଉ ଅଥବା କୌଣସି ପୋଥିର ସଂରକ୍ଷଣ ସମୟ ଶହେ ବା ଦେଢ ଶହ ବର୍ଷରୁ ଅଧିକ ନଥିଲା। ତେଣୁ ‘ମହାଭାରତ’ର ବାରମ୍ବାର ନକଲ ହେବାଭିତରେ ଅନେକ
ବ୍ଯାସ ସୃଷ୍ଟି ହୋଇଛନ୍ତି ଯେଉଁମାନେ ନିଜର ଢଙ୍ଗରେ ଏହାର ଚରିତ୍ର ଓ କାହାଣୀକୁ
ବଦଳାଇଚାଲିଛନ୍ତି। ଏହାକୁ ସେମାନେ ଅଠରଟି ଅଧ୍ୟାୟ କରିଛନ୍ତି।
ମୂଳ
ସଂସ୍କୃତ ମହାଭାରତ ୧୮୩୮ ଖ୍ରୀଷ୍ଟାବ୍ଦରେ ଛପା ହେବା ବେଳକୁ ଏହାର ଶ୍ଳୋକ ସଂଖ୍ୟା ୮୦୦୦ ରୁ ଯାଇ
ଏକ ଲକ୍ଷରେ ପହଞ୍ଚିସାରିଥିଲା। ତେଣୁ ଶୁଦ୍ଧ ସଂସ୍କୃତ ମହାଭାରତ ବା ମହାଭାରତର କ୍ରିଟିକାଲ
ଏଡିସନର ପ୍ରସ୍ତୁତିର ଦାୟିତ୍ଵ ୧୯୧୯ ମସିହାରେ ପୁନେର ଭଣ୍ଡାରକର ଇନଷ୍ଟିଚ୍ୟୁଟ ଅଫ ଓରିଏଣ୍ଟାଲ
ଷ୍ଟଡ଼ିଜ ଉପରେ ପଡିଥିଲା। ୧୯୬୯ ମସିହାରେ ଏହା ଯେବେ ପ୍ରକାଶିତ ହେଉଛି ସେତେବେଳେ ଶୁଦ୍ଧ
ସଂସ୍କୃତ ମହାଭାରତର ଶ୍ଳୋକ ସଂଖ୍ୟା ପହଞ୍ଚିଛି ଚଉସ୍ତରୀ ହଜାର ଆଠ ଶହରେ । ଅର୍ଥାତ ପ୍ରାୟ ଛବିଶ
ହଜାର ଶ୍ଳୋକକୁ ଇନଷ୍ଟିଚ୍ୟୁଟ ବାଦ ଦେଇଛି।
ଏହା
ପୂର୍ବରୁ କିନ୍ତୁ ସଂସ୍କୃତ ମହାଭାରତର ପୋଥିରୂପ ଭାରତ ମହାଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଛି। ଏହାର
ଅନୁବାଦ ବିଭିନ୍ନ ଭାଷାରେ ଜ୍ଞାନୀମାନଙ୍କ ଦ୍ଵାରା ହୋଇଛି। ତେଲୁଗୁ ଭାଷାରେ ଏହାର ପ୍ରଥମ
ଅନୁବାଦ ହୋଇଛି। ବାରଶହ ଓ ତେରଶହ ଶତାବ୍ଦୀକୁ ଆସିଲା ବେଳକୁ କନ୍ନଡ଼, ତାମିଲ, ଗୁଜୁରାଟି, ବଙ୍ଗାଳୀ ଓ ମରାଠୀ ଇତ୍ୟାଦି ଭାଷାରେ କେହି
କେହି ଏହାର ଅନୁବାଦ କରିସାରିଲେଣି। ସଂସ୍କୃତ ମହାଭାରତର ଆଞ୍ଚଳିକ ଭାଷାରେ ଅନୁବାଦ କରିବା ମଧ୍ୟରେ
କେବଳ ଏହାର କେତେକ ଚରିତ୍ରମାନଙ୍କ ପ୍ରାଧାନ୍ଯକୁ କେଉଁଠି ଅଧିକ ତ କେଉଁଠି ଗୌଣ କେହି କେହି କରିଛନ୍ତି।
ନିଜ
ଅଞ୍ଚଳର ଇତିହାସ, ସାମାଜିକ
ଜୀବନ,
ପର୍ବପର୍ବାଣି,
ଦେବାଦେବୀଙ୍କ ଉପସ୍ଥିତି, ରାଜା ଶାସନ
ଓ ଅର୍ଥନୀତିକୁ ନେଇ ମହାଭାରତର ଅନୁସୃଜନ କୌଣସି ଭାରତୀୟ ଭାଷାରେ ହୋଇନଥିଲା॥ ଏହା ପ୍ରଥମେ
ସାରୋଳଦାସ ଓଡିଆ ମହାଭାରଥରେ କରିଛନ୍ତି। ଏହା କମ ଦୁଃସାହସ କାମ ନଥିଲା। କିଛି କମ ସୃଜନାତ୍ମକ ନୁହେଁ।
ସେ ନିଜର ଗ୍ରନ୍ଥର ନାମକରଣ କେଉଁଠାରେ ବି ‘ମହାଭାରତ’ ଉଲ୍ଲେଖ କରିନାହାନ୍ତି ବରଂ ସମସ୍ତ ସ୍ଥାନରେ ‘ମହାଭାରଥ’ ଉଲ୍ଲେଖ କରିଛନ୍ତି। (ଗୌରାଙ୍ଗ ଦାଶ)
ମୂଳ
ସଂସ୍କୃତ ମହାଭାରତର ଯେଉଁ ଅନୁସୃଜନ ସାରୋଳଦାସଙ୍କ ଦ୍ଵାରା ହୋଇଛି ତାହାକୁ ଫକିର ମୋହନ ସେନାପତି
ଆଦୌ ପସନ୍ଦ କରିନାହାନ୍ତି। ସେ ଉଭୟ ସଂସ୍କୃତ ମହାଭାରତକୁ ପଢିଛନ୍ତି । ଏହା ସହିତ ସାରୋଳଦାସଙ୍କ
ଓଡିଆ ମହାଭାରଥକୁ ମଧ୍ୟ। ସେ ଏହି ଅନୁସୃଜନ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି, “ମୂଳଗ୍ରନ୍ଥ (ବ୍ଯାସ ମହାଭାରତ) ସହିତ
ଏହି ଗ୍ରନ୍ଥ ଏତେ ପୃଥକ,
ଆଖ୍ୟାୟିକାମାନେ ଏତେ ଅଂସଲଗ୍ନ ଓ ବିଶୃଙ୍ଖଳ ଏବଂ ଗ୍ରାମ୍ୟ ଭାଷାରେ ପରିପୂର୍ଣ୍ଣ ଯେ, ଏହାକୁ ମହାଭାରତ(ଥ) ବୋଇଲେ ମୂଳ
ଭାରତକୁ ନିତାନ୍ତ ଅବମାନନା କରିବାକୁ ହୁଏ। ମୂଳ ଗ୍ରନ୍ଥରେ ଯେଉଁ ବିଷୟକ ଧର୍ମ ଓ ନୀତି ବିଷୟକ
ମହାମୂଲ୍ୟ ଉପଦେଶମାନ ଅଛି, ଉତ୍କଳ ଭାରତରେ ତାହାର ଗନ୍ଧ ମାତ୍ର ନାହିଁ ବୋଇଲେ ଅତ୍ଯୁକ୍ତି ହେବ ନାହିଁ।“ (ଉସ୍ଛ:
ବାଲେଶ୍ଵର ସମ୍ବାଦବାହିକା, ତା:
୨୪/୧୧/୧୮୮୫) କିନ୍ତୁ ଫକିର ମୋହନଙ୍କ ଏ ବିରକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ
ସାରୋଳଦାସଙ୍କ ମହାଭାରଥ ଆଦୌ ବ୍ଯାସ ମହାଭାରତ ନୁହେଁ।
ଓଡିଆ
ମହାଭାରତ ଯାହାକୁ ସାରଳାଙ୍କ ନାମରେ ନାମିତ କରାଯାଇଛି ତାହା ପ୍ରଥମେ ଗୌରୀଶଙ୍କର ରାୟଙ୍କ
ଦ୍ଵାରା ୧୮୯୮ ମସିହାରେ ଛପାଯାଉଛି। ଏହା ପୂର୍ବରୁ ଓଡିଆ ମହାଭାରତ କେବଳ ତାଳପତ୍ର ପୋଥିରେ
ଥିଲା। ଗୌରିଶଙ୍କରଙ୍କ ପରେ ୧୯୧୭ରେ ମନମୋହନ ପୁସ୍ତକାଳୟ, ୧୯୨୭ରେ ରାଧାରମଣ ପୁସ୍ତକାଳୟ ଏବଂ
ଧର୍ମଗ୍ରନ୍ଥ ଷ୍ଟୋର ଶାରଳା ଦାସଙ୍କ ନାମରେ (ଛପା ବର୍ଷ ଉଲ୍ଲେଖ ନାହିଁ) ‘ମହାଭାରତ’
ଛାପିଛନ୍ତି। (ଅସିତ ମହାନ୍ତି) ମୁଁ ଏହାପରେ
ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତର କିଛି ଅଂଶ ପଢିଲି।
କିନ୍ତୁ
ପୋଥିରୁ ଛପାହୋଇ ବାହାରିଥିବା ଓଡିଆ ମହାଭାରତ ଯେ ପ୍ରକୃତ ମହାଭାରତ ନୁହେଁ ଏହା ଯେ ଅପମିଶ୍ରଣ
ଏହି କଥା ମୁଁ ପ୍ରଥମେ ଔପନ୍ଯାସିକ ଗୋପୀନାଥ ମହାନ୍ତିଙ୍କ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ
ମହାଭାରତ” ପଢିବା
ଭିତରେ ମୁଁ ଜାଣିପାରିଲି। ଏହି ସାରୋଳଦାସଙ୍କୁ
ପରବର୍ତ୍ତୀ ସମୟରେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ନାମିତ କରାଯାଇଛି।
ଗୋପୀନାଥ ମହାନ୍ତିଙ୍କ ହାତରେ ପୁରୀ
ଜିଲ୍ଲା ବଲଙ୍ଗା ଅଞ୍ଚଳର ଜଣେ ପୋଥିପ୍ରେମୀଙ୍କ ପରିବାର ଠାରୁ ୧୯୫୫-୫୬ ମସିହାରେ ସାରୋଳଦାସଙ୍କ ପୋଥି
ମିଳିଛି। ସେ ସେହି ପୋଥି ଧରି ଛପା ଓଡିଆ ମହାଭାରତର ତୁଳନା କରିଛନ୍ତି। ଶେଷରେ ଏହି ନିଷ୍କର୍ଷରେ
ପହଞ୍ଚିଛନ୍ତି ଯେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ମିଳୁଥିବା ‘ମହାଭାରତ’ ପ୍ରକୃତ ଓଡିଆ ମହାଭାରତ ନୁହେଁ। ଏହାକୁ
ସେ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ଲେଖିଛନ୍ତି। ପରେ ସେହି ଲେଖାଗୁଡ଼ିକ ସଂକଳିତ ହୋଇ
ପକ୍ଷୀଘର ଦ୍ଵାରା “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ” ନାମରେ ୨୦୧୮ ରେ ପ୍ରକାଶ ପାଇଲା ଯାହା
ମୋ ହାତରେ ଅଛି।
ଗୋପୀନାଥ
ମହାନ୍ତିଙ୍କ ପୂର୍ବରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଏକ ଲେଖା ପ୍ରକାଶ କରିଥିଲେ ଯାହା ମୁଁ ପରେ
ଜାଣିଲି। ଓଡିଶା ସରକାରଙ୍କ (ସାଂସ୍କୃତିକ ବ୍ୟାପାର ବିଭାଗ) ସହଯୋଗରେ ଓଡିଆ ମହାଭାରତର ଏକ
ଶୁଦ୍ଧ ସଂସ୍କରଣ ତାଙ୍କ ଉଦ୍ୟମରେ ହୋଇଥିଲା। କିନ୍ତୁ ସେ ମଧ୍ୟ ଏହାର ନାମକରଣ କରିଛନ୍ତି “ସାରଳା
ମହାଭାରତ”। (ଏହାର ଡିଜିଟାଲ କପି ଓଡିଆବିଭବ ଡଟ କମରେ ଉପଲବ୍ଧ) ଏହା ମଧ୍ୟ “ତୃଟିଯୁକ୍ତ” ଓ
“ଅସ୍ପଷ୍ଟ” ବୋଲି ଗୋପୀନାଥ ମହାନ୍ତି ଲେଖନ୍ତି।
ଯଦି
ସାରୋଳଦାସ ପ୍ରକୃତ ଶାରଳା ଦାସ ନୁହନ୍ତି ତେବେ ଏହାଙ୍କ ସମୟ କାଳ କଣ? ଏହି ନୂତନ ସାରୋଳଦାସ କଣ କପିଳେନ୍ଦ୍ର
ଦେବଙ୍କ ସମସାମୟିକ ନୁହନ୍ତି? ଆମେ ଯେ କପିଳେନ୍ଦ୍ରଙ୍କୁ ଓଡିଆ ଅସ୍ମିତାର ପ୍ରତୀକ କହିଲା ବେଳେ ସେ ଗଢିଥିବା
ପରିବେଶ ଓ ଦେଇଥିବା ପ୍ରୋସ୍ଛାହନ ଶାରଳା ଦାସଙ୍କୁ ମହାଭାରତ ଲେଖିବା ଲାଗି ସାହାଯ୍ୟ କରିଥିବାର ଯୁକ୍ତି
କରିଥାଉ?
ଏହି
ପ୍ରଶ୍ନ ଉପରେ ପରଦା ହଟିଲା ଯେବେ ମୁଁ ଭାଷାବିତ ଡକ୍ଟର ଗୌରାଙ୍ଗ ଚରଣ ଦାଶଙ୍କ ସଂସ୍ପର୍ଶରେ
ଆସିଲି। ଦିନେ ସେ ମୋତେ ‘ଶିକ୍ଷା ଓ
ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ର ସଭାକକ୍ଷରେ ‘ସାରୋଳଦାସ
ମହାଭାରଥ’ର ଏକ
ଉନ୍ମୋଚନ ସଭାକୁ ଡ଼ାକିଥିଲେ। ତାହା ଥିଲା ଏପ୍ରିଲ ୧୪, ୨୦୨୧ ତାରିଖ। ସାରୋଳଦାସ ମହାଭାରଥର ପ୍ରକାଶିତ
ଦୁଇଖଣ୍ଡ ବହି - ‘ଆଦିପର୍ବ’ ଓ କର୍ଣ୍ଣାଦିଦଶପର୍ବ (ଶେଷ ଦଶ ପର୍ବ
ମିଳିତ ଭାବରେ) - କିଣି ଆଣିଥିଲି। ଏହାକୁ ସମ୍ପାଦନା କରିଛନ୍ତି ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ଭାଗ୍ୟଲିପି ମଲ୍ଲ ଓ ଫଣୀନ୍ଦ୍ର ଭୂଷଣ
ନନ୍ଦ। ଏହାକୁ ସେମାନେ କ୍ରିଟିକାଲ ଏଡିସନ କହୁଛନ୍ତି।
ରାଜ୍ୟ
ସରକାର ଓ କେନ୍ଦ୍ର ସରକାରଙ୍କ ସଂଗ୍ରହାଳୟ ଓ ବ୍ୟକ୍ତିଗତ ଭାବରେ ସାଇତି ରଖିଥିବା ସେହି
ବ୍ୟକ୍ତିମାନଙ୍କ ଠାରୁ ପୋଥି ସଂଗ୍ରହ କରି ଏହି ସଂକଳନକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯେଉଁଠି
ଗୋପୀନାଥ ମହାନ୍ତିଙ୍କ ହାତରେ ମାତ୍ର ଦୁଇଟି ଓଡିଆ ମହାଭାରତର ପୋଥି ପଡିଥିଲା ସେଠାରେ ଏମାନେ ଅଧିକ
ସଂଖ୍ୟକ ପୋଥି ସଂଗ୍ରହ କରି ତାହାର ତୁଳନା କରି ସର୍ବ ପ୍ରାଚୀନ କେଉଁ ପୋଥି ହୋଇଥିବା ତାହାର ଭାଷାକୁ
ଠଉରାଇ ନିଜର କ୍ରିଟିକାଲ ଏଡିସନ ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟ ଲାଗି ଅବଶ୍ୟ କେନ୍ଦ୍ର
ସରକାର ଅନୁଦାନ ଯୋଗାଇଦେଇଛନ୍ତି ଓ ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ ନାମକ ପ୍ରାଇଭେଟ ବିଶ୍ୱବିଦ୍ୟାଳୟ ନିଜର ଭିତ୍ତିଭୂମୀ ଯୋଗାଇଦେଇଛି।
ଗବେଷଣାର
ଭାଷାରେ ‘କ୍ରିଟିକାଲ
ଏଡିସନ’ ର ଅର୍ଥ
ହୋଇପାରେ ଶୁଦ୍ଧ ସଂସ୍କରଣ। ଆଜି କୁ ଏକ ହଜାର ବର୍ଷ ତଳେ ସାରୋଳଦାସ ନିଜେ ଯେଉଁ ପୋଥି ଲେଖିଥିଲେ
ତାହାକୁ ଆଜି ମିଳିବା ଯେହେତୁ ସମ୍ଭବ ନୁହେଁ ତେଣୁ ଏହା ସଂପୂର୍ଣ୍ଣ ଶୁଦ୍ଧ କୁହାନଯାଇପାରେ ବୋଲି
ସେମାନେ ସ୍ଵୀକାର ଅବଶ୍ୟ କରନ୍ତି।
କ୍ରମଶଃ
ସ୍ପଷ୍ଟ ହେଲା ଯେ ସାରୋଳଦାସ କୌଣସି ଠାରେ ବି ମହାଭାରତ ଶବ୍ଦ ବ୍ୟବହାର କରିନାହାନ୍ତି କିମ୍ବା
ନିଜର ନାମ ସେ କୌଣସି ଠାରେ ଶାରଳା ଦାସ ବା ସାରଳା ଦାସ ଲେଖିନାହାନ୍ତି। ଏହା ମଧ୍ୟ ସ୍ପଷ୍ଟ
ହେଲା ଯେ ସାରୋଳଦାସ ଆଦୌ ଚତୁର୍ଦ୍ଦଶ ଶତାବ୍ଦୀର କପିଳେନ୍ଦ୍ର ଦେବଙ୍କ ସମୟର ନୁହନ୍ତି। ଏହା ସାରୋଳଦାସ
ମହାଭାରଥର ଭାଷା ଓ ବର୍ଣ୍ଣନାରୁ ସ୍ପଷ୍ଟ ବୋଲି ଉଭୟ ଗୌରାଙ୍ଗ ଦାଶ ଓ ଗୋପୀନାଥ ମହାନ୍ତି ଦୃଢତାର
ସହିତ ଲେଖନ୍ତି।
ତେଣୁ
ସାରୋଳଦାସ ଯେ କପିଳେନ୍ଦ୍ର ଦେବଙ୍କ ସମସାମୟିକ ଏହା ସଂପୂର୍ଣ୍ଣ ମିଥ। ଯଦି ଆମେ ଧରିବା ଯେ ଓଡିଆ
ମହାଭାରଥରେ ଜାତିପ୍ରଥା ଓ ଶାସନ ବିରୁଦ୍ଧରେ ବକ୍ତବ୍ୟ ରହିଛି ତେବେ କପିଳେନ୍ଦ୍ର ଦେବ ଯେ ଏହାକୁ
ପ୍ରୋସ୍ଛାହନ ଦେଇଥିବେ ଏହି ସନ୍ଦେହ ମୋ ଭିତରେ ଥିଲା। କୌଣସି ରାଜା ବା ଶାସକ କେବେ ବି ଯେ ସମାଜର
ହିତ ଲାଗି କିଛି କରିନାହାନ୍ତି ଏହି ଧରାଣ ମୋର ଅଧିକ ଦୃଢ ହେଲା।
ସାରୋଳଦାସଙ୍କ
ଘର ଝଙ୍କଡ ଶାରଳା ହୋଇଥିବା ତାଙ୍କ ଲିଖିତ ‘ମହାଭାରଥ’ ଓ ‘ଚଣ୍ଡିପୁରାଣ’ରୁ ପ୍ରମାଣ ମିଳୁନାହିଁ। ତେଣୁ
କପିଳେନ୍ଦ୍ର ଦେବଙ୍କ ଅନେକ ପୂର୍ବରୁ ସାରୋଳଦାସ ଜନ୍ମିତ। ତାଙ୍କର ଗ୍ରାମ ସମ୍ପର୍କରେ କ୍ଵଚିତ
ବର୍ଣ୍ଣନା ରହିଛି। ଅନୁମାନ ଯେ କୋଣାର୍କ ନିକଟସ୍ଥ ‘କଣିଆଁ’ ତାଙ୍କର ଗ୍ରାମ (ଗୋପୀନାଥ ମହାନ୍ତି) । ‘ସାରଡା’ ମଧ୍ୟ ହୋଇପାରେ। (ସାହିତ୍ଯକୋଷ) ଗ୍ରାମ ଦେବୀ
ସାରୋଳ ଚଣ୍ଡୀଙ୍କ ଦାସ ବୋଲି ନିଜକୁ ବିନୀତ କରି ନିଜ ନାମ ସାରୋଳଦାସ ରଖିଥାଇପାରନ୍ତି।
ମୁଁ
ଇତିମଧ୍ୟରେ ନୂତନ ପ୍ରକାଶିତ ‘ସାରୋଳଦାସଙ୍କ ମହାଭାରଥ’ର ପଦ୍ୟ ସହିତ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ‘ଶାରଳା ଦାସଙ୍କ ମହାଭାରତ’ କାବ୍ୟଗ୍ରନ୍ଥର ତୁଳନା କରୁଥିଲି । ଅନେକ ଅସାମଞ୍ଜସ୍ଯ ରହିଛି। କେତେକ
ଉଦାହରଣ ଦେଉଛି।
୧. ସାରୋଳଦାସ ମହାଭାରଥ : “ସାରୋଳଚଣ୍ଡୀ ନାମେ ଅଟଇ ସେ ଦେବୀ / ତାହାର ପୁତ୍ର (ସେବକ) ମୁଁ ଯେ
ସାରୋଳଦାସ କବି। (ସରୋଳ ଚଣ୍ଡୀ ତୁସ୍ତି ଓ କବି ପରିଚୟ/ ଆଦିପର୍ବ)
ସେହି ସମାନ ପଦକୁ ବଦଳାଇ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି :
ଶାରଳା ଚଣ୍ଡୀ ସାକ୍ଷାତେ ଅଟଇ ଭୈରବୀ / ତାହାର ପୁତ୍ର ଶାରଳା ଦାସ ମୁହିଁ କବି।
(ଶାରଳାଙ୍କ ବନ୍ଦନା / ଆଦିପର୍ବ)
୨. ସାରୋଳଦାସ ମହାଭାରଥ : ପ୍ରସନେ
ଆଗ୍ଯାଂ ମୋତେ ଦେଲେ ଶକମ୍ବରୀ / ଲାଭ ତୁ କପିଳାସ ଶ୍ରୀମହାଭାରଥ ଗ୍ରନ୍ଥକରି।
ଶାରଳା ଦାସଙ୍କ ମହାଭାରତ : ସୁପ୍ରସନ୍ନେ
ଆଜ୍ଞା ମୋତେ ଦେଲେ ଶାକମ୍ବରୀ / ଲଭ ତୁ ବିଳାସ ମହାଭାରତ ବିସ୍ତାରୀ।
୩. ସାରୋଳଦାସ ମହାଭାରଥ : ଭାରଥ ଗ୍ରଂଥ
ଯହୁଂ ସେ ହୋଇଲା ମହାଭାରା / ତହୁଂ ମହାଭାରଥ ନାମ
ଦେଲେ କଶ୍ୟପ ଅଂଗିରା।
ଶାରଳା ଦାସଙ୍କ ମହାଭାରତ ଏ ସମ୍ପର୍କରେ ନୀରବ
ରହିଛି।
ନୂତନ
ସାରୋଳଦାସ ମହାଭାରଥ ଏହା ପ୍ରମାଣିତ କରୁଛି ଯେ ସାରୋଳଦାସଙ୍କ ପରେ ବଳରାମ ଦାଶ, ଜଗନ୍ନାଥ ଦାଶ ଇତ୍ୟାଦିଙ୍କ ଠାରୁ
ଭୀମଭୋଇଙ୍କ ପର୍ଯ୍ୟନ୍ତ ପୋଥିରେ ଲେଖୁଥିବା ପ୍ରତ୍ଯେକ କବିଙ୍କର ଏହିଭଳି ଶୁଦ୍ଧ ସଂସ୍କରଣ
ଜରୁରୀ। ଯଦିଓ ପଠାଣି ସାମନ୍ତ (୧୮୭୬) ପ୍ରଥମେ ପୋଥିରେ “ସିଦ୍ଧାନ୍ତ ଦର୍ପଣ” ଲେଖିଥିଲେ କିନ୍ତୁ
ତାଙ୍କରି ସମୟରେ ଏହାକୁ ପୁସ୍ତକ ଆକାରରେ ଛପା ହେବା ହେତୁ ସେ ଏହାର ପୃଫ ନିଜେ ଦେଖିପାରିଥିଲେ।
ଏବେ ଓଡିଆ ସାହିତ୍ୟରେ ଏକ ବିରାଟ କ୍ଷେତ୍ର ସୃଷ୍ଟି ହେଲା ଯାହା ଆଗାମୀ ପୀଢିର ଗବେଷିକା/ଗବେଷକ ମାନଙ୍କୁ ବାକି ପୋଥିରେ ଲେଖିଥିବା କବିଙ୍କ କ୍ରିଟିକାଲ ଏଡିସନ ମଧ୍ୟ ସେମାନେ କରିପାରିବେ। ସେଥିପାଇଁ ଯେ ସର୍ବଦା କେନ୍ଦ୍ର ସରକାରଙ୍କ ସହଯୋଗ ରହିବ ଓ କୌଣସି ଏକ ବିଶ୍ୱବିଦ୍ୟାଳୟ ଏଥିଲାଗି ସ୍ଥାନ ଦେବ ତାହା ନୁହେଁ। ଅନାବଶ୍ୟକ ମଧ୍ୟ। ସାରୋଳଦାସଙ୍କ ବ୍ୟକ୍ତିଗତ ଆବେଗରୁ ମହାଭାରଥର ସୃଷ୍ଟି। ଆଜି ପ୍ରାଚୀନ ସାରୋଳଦାସ ମହାଭାରଥ ପ୍ରକାଶିତ ହେବା ପରେ ସେହି ଦଶମ ଓ ଏକାଦଶ ଶତାବ୍ଦୀର ଓଡିଆ ଜନଜୀବନ, ଜାତିପ୍ରଥା, ବ୍ରାହ୍ମଣର ଉପସ୍ଥିତି, ରାଜାଙ୍କ ଯୁଦ୍ଧ ଖୋର ମନୋବୃତ୍ତି ଇତ୍ୟାଦି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରୁଛି।
ଓଡିଶାରେ
ରାଜରାଜୁଡା – ବ୍ରାହ୍ମଣ ଶାସନ
ଓ ଜାତିପ୍ରଥା ଦଶମ ଓ ଏକାଦଶ ଶତାବ୍ଦୀରେ ପ୍ରାଥମିକ ସ୍ତରରେ ରହିଥିବା ଇତିହାସର ଗବେଷକମାନେ ଯୁକ୍ତି
କରିଆସିଛନ୍ତି। ମୋର ଆଗ୍ରହ ସତରେ ଏହା କେଉଁଭଳି ଥିଲା। ଏତଦବ୍ୟତୀତ ‘ତ୍ରିପିଟକ’ ପରେ ଜାତିପ୍ରଥା ବିରୁଦ୍ଧରେ ସାରୋଳଦାସ
ମହାଭାରଥ ଏହି ଭୂଖଣ୍ଡରେ ଦ୍ଵିତୀୟ ଲିଖିତ ଗ୍ରନ୍ଥ ନୁହେଁ ତ? ଏହି ଭୂଖଣ୍ଡର ପ୍ରାଚୀନ ଗ୍ରନ୍ଥମାନଙ୍କୁ
ପଢିବାର ଆଗ୍ରହ ମୋର ଏହି ଅନୁସନ୍ଧାନ ମଧ୍ୟରେ ଅଧିକ ହୋଇଛି।
ଦେବ ରଞ୍ଜନ
Email: debasar11@yahoo.co.in