Saturday, September 7, 2024

‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’




        ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ସାରୋଳ ନୁହଁନ୍ତି ସାରୋଳଦାସ ଓ ତାଙ୍କ ଦ୍ଵାରା ଲିଖିତ କାବ୍ଯଗ୍ରନ୍ଥ ମହାଭାରତମଧ୍ୟ ନୁହେଁ, ତାହା ମହାଭାରଥ

କେମିତି?

      ଭାରତୀୟ ଜନଜୀବନରେ ମହାଭାରତର ଚରିତ୍ରମାନଙ୍କୁ ଆଜି ବି ଆମର ଲେଖକ, କବି, ରାଜନୈତିକ ନେତା ଓ ପ୍ରବଚକ ଜୀବନ୍ତ କରିରଖିଛନ୍ତି। ସେମାନେ ଉଦାହରଣ ଛଳରେ ଏହି ମହାଭାରତର ଚରିତ୍ରମାନଙ୍କୁ ଦର୍ଶାଇ ଆଜିର ପରିସ୍ଥିତିକୁ ବର୍ଣ୍ଣନା କରିବାରେ ଅଧିକ ସହଜ ମନେକରୁଛନ୍ତି ଯେମିତି ମହାଭାରତର ଚରିତ୍ରମାନେ ଆଜି ବି ଆମ ଚାରିପାଖରେ  ବୁଲୁଛନ୍ତି। କେହି କେହି ଆଜି ବି ବିଶ୍ଵାସ କରନ୍ତି ଯେ ସଂପୂର୍ଣ୍ଣ ମହାଭାରତ ଯେମିତି ତାଙ୍କ ଅଞ୍ଚଳରେ ଘଟିଥିଲା। ସତରେ କେତେ ପ୍ରଭାବଶାଳୀ ଏହି ଗ୍ରନ୍ଥ !

      ଐତିହାସିକଙ୍କ ମତରେ ଏହି କାବ୍ଯଗ୍ରନ୍ଥର ରଚନା କାଳ ବୁଦ୍ଧଙ୍କ ଆବିର୍ଭାବ ପରେ। କେହି ଏହାକୁ ଖ୍ରୀଷ୍ଟପୂର୍ବ ପାଞ୍ଚ ଶହ କହୁଛନ୍ତି ତ କେହି ଏହାକୁ ତିନିଶହ କହୁଛନ୍ତି । ସଂସ୍କୃତ ମହାଭାରତ (ଅନ୍ୟ ନାମ ଜୟକାବ୍ୟ) ମାତ୍ର ୮୦୦୦ ଶ୍ଳୋକ ମଧ୍ୟରେ ତାଳପତ୍ର ପୋଥିରେ ଲେଖାଯାଇଥିଲା। ଏହାର ଆଦିପର୍ବରେ ସମଗ୍ର ମହାଭାରତ ରହିଛି। ପାକଳ ତାଳପତ୍ରକୁ ଶୁଖାଇ ପାଗ କରି ତାହା ଉପରେ ସଂସ୍କୃତ ଭାଷାରେ ଏହି ଗ୍ରନ୍ଥ ଲିଖିତ।  

      ଶୁଖିଲା ଲିପିବଦ୍ଧ ତାଳପତ୍ରକୁ ମଝିରେ ମଝିରେ ହଳଦୀ ପାଣିରେ ପୋଛି ଶୁଖାଇ ଯତ୍ନ ସେମାନେ ନେଉଥିଲେ। ତେଣୁ ମହାଭାରତ ହେଉ ଅଥବା କୌଣସି ପୋଥିର ସଂରକ୍ଷଣ ସମୟ ଶହେ ବା ଦେଢ ଶହ ବର୍ଷରୁ ଅଧିକ ନଥିଲା। ତେଣୁ ମହାଭାରତର ବାରମ୍ବାର ନକଲ ହେବାଭିତରେ ଅନେକ ବ୍ଯାସ ସୃଷ୍ଟି ହୋଇଛନ୍ତି ଯେଉଁମାନେ ନିଜର ଢଙ୍ଗରେ ଏହାର ଚରିତ୍ର ଓ କାହାଣୀକୁ ବଦଳାଇଚାଲିଛନ୍ତି। ଏହାକୁ ସେମାନେ ଅଠରଟି ଅଧ୍ୟାୟ କରିଛନ୍ତି।

        ମୂଳ ସଂସ୍କୃତ ମହାଭାରତ ୧୮୩୮ ଖ୍ରୀଷ୍ଟାବ୍ଦରେ ଛପା ହେବା ବେଳକୁ ଏହାର ଶ୍ଳୋକ ସଂଖ୍ୟା ୮୦୦୦ ରୁ ଯାଇ ଏକ ଲକ୍ଷରେ ପହଞ୍ଚିସାରିଥିଲା। ତେଣୁ ଶୁଦ୍ଧ ସଂସ୍କୃତ ମହାଭାରତ ବା ମହାଭାରତର କ୍ରିଟିକାଲ ଏଡିସନର ପ୍ରସ୍ତୁତିର ଦାୟିତ୍ଵ ୧୯୧୯ ମସିହାରେ ପୁନେର ଭଣ୍ଡାରକର ଇନଷ୍ଟିଚ୍ୟୁଟ ଅଫ ଓରିଏଣ୍ଟାଲ ଷ୍ଟଡ଼ିଜ ଉପରେ ପଡିଥିଲା। ୧୯୬୯ ମସିହାରେ ଏହା ଯେବେ ପ୍ରକାଶିତ ହେଉଛି ସେତେବେଳେ ଶୁଦ୍ଧ ସଂସ୍କୃତ ମହାଭାରତର ଶ୍ଳୋକ ସଂଖ୍ୟା ପହଞ୍ଚିଛି ଚଉସ୍ତରୀ ହଜାର ଆଠ ଶହରେ । ଅର୍ଥାତ ପ୍ରାୟ ଛବିଶ ହଜାର ଶ୍ଳୋକକୁ ଇନଷ୍ଟିଚ୍ୟୁଟ ବାଦ ଦେଇଛି। 

       ଏହା ପୂର୍ବରୁ କିନ୍ତୁ ସଂସ୍କୃତ ମହାଭାରତର ପୋଥିରୂପ ଭାରତ ମହାଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଛି। ଏହାର ଅନୁବାଦ ବିଭିନ୍ନ ଭାଷାରେ ଜ୍ଞାନୀମାନଙ୍କ ଦ୍ଵାରା ହୋଇଛି। ତେଲୁଗୁ ଭାଷାରେ ଏହାର ପ୍ରଥମ ଅନୁବାଦ ହୋଇଛି। ବାରଶହ ଓ ତେରଶହ ଶତାବ୍ଦୀକୁ ଆସିଲା ବେଳକୁ କନ୍ନଡ଼, ତାମିଲ, ଗୁଜୁରାଟି, ବଙ୍ଗାଳୀ ଓ ମରାଠୀ ଇତ୍ୟାଦି ଭାଷାରେ କେହି କେହି ଏହାର ଅନୁବାଦ କରିସାରିଲେଣି। ସଂସ୍କୃତ ମହାଭାରତର ଆଞ୍ଚଳିକ ଭାଷାରେ ଅନୁବାଦ କରିବା ମଧ୍ୟରେ କେବଳ ଏହାର କେତେକ ଚରିତ୍ରମାନଙ୍କ ପ୍ରାଧାନ୍ଯକୁ କେଉଁଠି ଅଧିକ ତ କେଉଁଠି ଗୌଣ କେହି କେହି କରିଛନ୍ତି।

    ନିଜ ଅଞ୍ଚଳର ଇତିହାସ, ସାମାଜିକ ଜୀବନ, ପର୍ବପର୍ବାଣି, ଦେବାଦେବୀଙ୍କ ଉପସ୍ଥିତି, ରାଜା ଶାସନ ଓ ଅର୍ଥନୀତିକୁ ନେଇ ମହାଭାରତର ଅନୁସୃଜନ କୌଣସି ଭାରତୀୟ ଭାଷାରେ ହୋଇନଥିଲା॥ ଏହା ପ୍ରଥମେ ସାରୋଳଦାସ ଓଡିଆ ମହାଭାରଥରେ କରିଛନ୍ତି। ଏହା କମ ଦୁଃସାହସ କାମ ନଥିଲା। କିଛି କମ ସୃଜନାତ୍ମକ ନୁହେଁ। ସେ ନିଜର ଗ୍ରନ୍ଥର ନାମକରଣ କେଉଁଠାରେ ବି ମହାଭାରତ ଉଲ୍ଲେଖ କରିନାହାନ୍ତି ବରଂ ସମସ୍ତ ସ୍ଥାନରେ ମହାଭାରଥ ଉଲ୍ଲେଖ କରିଛନ୍ତି। (ଗୌରାଙ୍ଗ ଦାଶ)

     ମୂଳ ସଂସ୍କୃତ ମହାଭାରତର ଯେଉଁ ଅନୁସୃଜନ ସାରୋଳଦାସଙ୍କ ଦ୍ଵାରା ହୋଇଛି ତାହାକୁ ଫକିର ମୋହନ ସେନାପତି ଆଦୌ ପସନ୍ଦ କରିନାହାନ୍ତି। ସେ ଉଭୟ ସଂସ୍କୃତ ମହାଭାରତକୁ ପଢିଛନ୍ତି । ଏହା ସହିତ ସାରୋଳଦାସଙ୍କ ଓଡିଆ ମହାଭାରଥକୁ ମଧ୍ୟ। ସେ ଏହି ଅନୁସୃଜନ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି, “ମୂଳଗ୍ରନ୍ଥ (ବ୍ଯାସ ମହାଭାରତ) ସହିତ ଏହି ଗ୍ରନ୍ଥ ଏତେ ପୃଥକ, ଆଖ୍ୟାୟିକାମାନେ ଏତେ ଅଂସଲଗ୍ନ ଓ ବିଶୃଙ୍ଖଳ ଏବଂ ଗ୍ରାମ୍ୟ ଭାଷାରେ ପରିପୂର୍ଣ୍ଣ ଯେ, ଏହାକୁ ମହାଭାରତ(ଥ) ବୋଇଲେ ମୂଳ ଭାରତକୁ ନିତାନ୍ତ ଅବମାନନା କରିବାକୁ ହୁଏ। ମୂଳ ଗ୍ରନ୍ଥରେ ଯେଉଁ ବିଷୟକ ଧର୍ମ ଓ ନୀତି ବିଷୟକ ମହାମୂଲ୍ୟ ଉପଦେଶମାନ ଅଛି, ଉତ୍କଳ ଭାରତରେ ତାହାର ଗନ୍ଧ ମାତ୍ର ନାହିଁ ବୋଇଲେ ଅତ୍ଯୁକ୍ତି ହେବ ନାହିଁ।“ (ଉସ୍ଛ: ବାଲେଶ୍ଵର ସମ୍ବାଦବାହିକା, ତା: ୨୪/୧୧/୧୮୮୫) କିନ୍ତୁ ଫକିର ମୋହନଙ୍କ ଏ ବିରକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସାରୋଳଦାସଙ୍କ ମହାଭାରଥ ଆଦୌ ବ୍ଯାସ ମହାଭାରତ ନୁହେଁ।

         ଓଡିଆ ମହାଭାରତ ଯାହାକୁ ସାରଳାଙ୍କ ନାମରେ ନାମିତ କରାଯାଇଛି ତାହା ପ୍ରଥମେ ଗୌରୀଶଙ୍କର ରାୟଙ୍କ ଦ୍ଵାରା ୧୮୯୮ ମସିହାରେ ଛପାଯାଉଛି। ଏହା ପୂର୍ବରୁ ଓଡିଆ ମହାଭାରତ କେବଳ ତାଳପତ୍ର ପୋଥିରେ ଥିଲା। ଗୌରିଶଙ୍କରଙ୍କ ପରେ ୧୯୧୭ରେ ମନମୋହନ ପୁସ୍ତକାଳୟ, ୧୯୨୭ରେ ରାଧାରମଣ ପୁସ୍ତକାଳୟ ଏବଂ ଧର୍ମଗ୍ରନ୍ଥ ଷ୍ଟୋର ଶାରଳା ଦାସଙ୍କ ନାମରେ (ଛପା ବର୍ଷ ଉଲ୍ଲେଖ ନାହିଁ) ମହାଭାରତ  ଛାପିଛନ୍ତି। (ଅସିତ ମହାନ୍ତି)  ମୁଁ ଏହାପରେ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତର କିଛି ଅଂଶ ପଢିଲି।

     କିନ୍ତୁ ପୋଥିରୁ ଛପାହୋଇ ବାହାରିଥିବା ଓଡିଆ ମହାଭାରତ ଯେ ପ୍ରକୃତ ମହାଭାରତ ନୁହେଁ ଏହା ଯେ ଅପମିଶ୍ରଣ ଏହି କଥା ମୁଁ ପ୍ରଥମେ ଔପନ୍ଯାସିକ ଗୋପୀନାଥ ମହାନ୍ତିଙ୍କ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ ପଢିବା ଭିତରେ ମୁଁ ଜାଣିପାରିଲିଏହି ସାରୋଳଦାସଙ୍କୁ ପରବର୍ତ୍ତୀ ସମୟରେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ନାମିତ କରାଯାଇଛି।

     ଗୋପୀନାଥ ମହାନ୍ତିଙ୍କ ହାତରେ ପୁରୀ ଜିଲ୍ଲା ବଲଙ୍ଗା ଅଞ୍ଚଳର ଜଣେ ପୋଥିପ୍ରେମୀଙ୍କ ପରିବାର ଠାରୁ ୧୯୫୫-୫୬ ମସିହାରେ ସାରୋଳଦାସଙ୍କ ପୋଥି ମିଳିଛି। ସେ ସେହି ପୋଥି ଧରି ଛପା ଓଡିଆ ମହାଭାରତର ତୁଳନା କରିଛନ୍ତି। ଶେଷରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ମିଳୁଥିବା ମହାଭାରତପ୍ରକୃତ ଓଡିଆ ମହାଭାରତ ନୁହେଁ। ଏହାକୁ ସେ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ଲେଖିଛନ୍ତି। ପରେ ସେହି ଲେଖାଗୁଡ଼ିକ ସଂକଳିତ ହୋଇ ପକ୍ଷୀଘର ଦ୍ଵାରା “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ ନାମରେ ୨୦୧୮ ରେ ପ୍ରକାଶ ପାଇଲା ଯାହା ମୋ ହାତରେ ଅଛି।

        ଗୋପୀନାଥ ମହାନ୍ତିଙ୍କ ପୂର୍ବରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଏକ ଲେଖା ପ୍ରକାଶ କରିଥିଲେ ଯାହା ମୁଁ ପରେ ଜାଣିଲି। ଓଡିଶା ସରକାରଙ୍କ (ସାଂସ୍କୃତିକ ବ୍ୟାପାର ବିଭାଗ) ସହଯୋଗରେ ଓଡିଆ ମହାଭାରତର ଏକ ଶୁଦ୍ଧ ସଂସ୍କରଣ ତାଙ୍କ ଉଦ୍ୟମରେ ହୋଇଥିଲା। କିନ୍ତୁ ସେ ମଧ୍ୟ ଏହାର ନାମକରଣ କରିଛନ୍ତି “ସାରଳା ମହାଭାରତ”। (ଏହାର ଡିଜିଟାଲ କପି ଓଡିଆବିଭବ ଡଟ କମରେ ଉପଲବ୍ଧ) ଏହା ମଧ୍ୟ “ତୃଟିଯୁକ୍ତ” ଓ “ଅସ୍ପଷ୍ଟ” ବୋଲି ଗୋପୀନାଥ ମହାନ୍ତି ଲେଖନ୍ତି। 

        ଯଦି ସାରୋଳଦାସ ପ୍ରକୃତ ଶାରଳା ଦାସ ନୁହନ୍ତି ତେବେ ଏହାଙ୍କ ସମୟ କାଳ କଣ? ଏହି ନୂତନ ସାରୋଳଦାସ କଣ କପିଳେନ୍ଦ୍ର ଦେବଙ୍କ ସମସାମୟିକ ନୁହନ୍ତି? ଆମେ ଯେ କପିଳେନ୍ଦ୍ରଙ୍କୁ ଓଡିଆ ଅସ୍ମିତାର ପ୍ରତୀକ କହିଲା ବେଳେ ସେ ଗଢିଥିବା ପରିବେଶ ଓ ଦେଇଥିବା ପ୍ରୋସ୍ଛାହନ ଶାରଳା ଦାସଙ୍କୁ ମହାଭାରତ ଲେଖିବା ଲାଗି ସାହାଯ୍ୟ କରିଥିବାର ଯୁକ୍ତି କରିଥାଉ?  

        ଏହି ପ୍ରଶ୍ନ ଉପରେ ପରଦା ହଟିଲା ଯେବେ ମୁଁ ଭାଷାବିତ ଡକ୍ଟର ଗୌରାଙ୍ଗ ଚରଣ ଦାଶଙ୍କ ସଂସ୍ପର୍ଶରେ ଆସିଲି। ଦିନେ ସେ ମୋତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସଭାକକ୍ଷରେ ସାରୋଳଦାସ ମହାଭାରଥର ଏକ ଉନ୍ମୋଚନ ସଭାକୁ ଡ଼ାକିଥିଲେ। ତାହା ଥିଲା ଏପ୍ରିଲ ୧୪, ୨୦୨୧ ତାରିଖ। ସାରୋଳଦାସ ମହାଭାରଥର ପ୍ରକାଶିତ ଦୁଇଖଣ୍ଡ ବହି - ଆଦିପର୍ବ ଓ କର୍ଣ୍ଣାଦିଦଶପର୍ବ (ଶେଷ ଦଶ ପର୍ବ ମିଳିତ ଭାବରେ) - କିଣି ଆଣିଥିଲି। ଏହାକୁ ସମ୍ପାଦନା କରିଛନ୍ତି ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ଭାଗ୍ୟଲିପି ମଲ୍ଲ ଓ ଫଣୀନ୍ଦ୍ର ଭୂଷଣ ନନ୍ଦ। ଏହାକୁ ସେମାନେ କ୍ରିଟିକାଲ ଏଡିସନ କହୁଛନ୍ତି।  

          ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂଗ୍ରହାଳୟ ଓ ବ୍ୟକ୍ତିଗତ ଭାବରେ ସାଇତି ରଖିଥିବା ସେହି ବ୍ୟକ୍ତିମାନଙ୍କ ଠାରୁ ପୋଥି ସଂଗ୍ରହ କରି ଏହି ସଂକଳନକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯେଉଁଠି ଗୋପୀନାଥ ମହାନ୍ତିଙ୍କ ହାତରେ ମାତ୍ର ଦୁଇଟି ଓଡିଆ ମହାଭାରତର ପୋଥି ପଡିଥିଲା ସେଠାରେ ଏମାନେ ଅଧିକ ସଂଖ୍ୟକ ପୋଥି ସଂଗ୍ରହ କରି ତାହାର ତୁଳନା କରି ସର୍ବ ପ୍ରାଚୀନ କେଉଁ ପୋଥି ହୋଇଥିବା ତାହାର ଭାଷାକୁ ଠଉରାଇ ନିଜର କ୍ରିଟିକାଲ ଏଡିସନ ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟ ଲାଗି ଅବଶ୍ୟ କେନ୍ଦ୍ର ସରକାର ଅନୁଦାନ ଯୋଗାଇଦେଇଛନ୍ତି ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟନାମକ ପ୍ରାଇଭେଟ ବିଶ୍ୱବିଦ୍ୟାଳୟ ନିଜର ଭିତ୍ତିଭୂମୀ ଯୋଗାଇଦେଇଛି।           

     ଗବେଷଣାର ଭାଷାରେ କ୍ରିଟିକାଲ ଏଡିସନର ଅର୍ଥ ହୋଇପାରେ ଶୁଦ୍ଧ ସଂସ୍କରଣ। ଆଜି କୁ ଏକ ହଜାର ବର୍ଷ ତଳେ ସାରୋଳଦାସ ନିଜେ ଯେଉଁ ପୋଥି ଲେଖିଥିଲେ ତାହାକୁ ଆଜି ମିଳିବା ଯେହେତୁ ସମ୍ଭବ ନୁହେଁ ତେଣୁ ଏହା ସଂପୂର୍ଣ୍ଣ ଶୁଦ୍ଧ କୁହାନଯାଇପାରେ ବୋଲି ସେମାନେ ସ୍ଵୀକାର ଅବଶ୍ୟ କରନ୍ତି।      

        କ୍ରମଶଃ ସ୍ପଷ୍ଟ ହେଲା ଯେ ସାରୋଳଦାସ କୌଣସି ଠାରେ ବି ମହାଭାରତ ଶବ୍ଦ ବ୍ୟବହାର କରିନାହାନ୍ତି କିମ୍ବା ନିଜର ନାମ ସେ କୌଣସି ଠାରେ ଶାରଳା ଦାସ ବା ସାରଳା ଦାସ ଲେଖିନାହାନ୍ତି। ଏହା ମଧ୍ୟ ସ୍ପଷ୍ଟ ହେଲା ଯେ ସାରୋଳଦାସ ଆଦୌ ଚତୁର୍ଦ୍ଦଶ ଶତାବ୍ଦୀର କପିଳେନ୍ଦ୍ର ଦେବଙ୍କ ସମୟର ନୁହନ୍ତି। ଏହା ସାରୋଳଦାସ ମହାଭାରଥର ଭାଷା ଓ ବର୍ଣ୍ଣନାରୁ ସ୍ପଷ୍ଟ ବୋଲି ଉଭୟ ଗୌରାଙ୍ଗ ଦାଶ ଓ ଗୋପୀନାଥ ମହାନ୍ତି ଦୃଢତାର ସହିତ ଲେଖନ୍ତି।

      ତେଣୁ ସାରୋଳଦାସ ଯେ କପିଳେନ୍ଦ୍ର ଦେବଙ୍କ ସମସାମୟିକ ଏହା ସଂପୂର୍ଣ୍ଣ ମିଥ। ଯଦି ଆମେ ଧରିବା ଯେ ଓଡିଆ ମହାଭାରଥରେ ଜାତିପ୍ରଥା ଓ ଶାସନ ବିରୁଦ୍ଧରେ ବକ୍ତବ୍ୟ ରହିଛି ତେବେ କପିଳେନ୍ଦ୍ର ଦେବ ଯେ ଏହାକୁ ପ୍ରୋସ୍ଛାହନ ଦେଇଥିବେ ଏହି ସନ୍ଦେହ ମୋ ଭିତରେ ଥିଲା। କୌଣସି ରାଜା ବା ଶାସକ କେବେ ବି ଯେ ସମାଜର ହିତ ଲାଗି କିଛି କରିନାହାନ୍ତି ଏହି ଧରାଣ ମୋର ଅଧିକ ଦୃଢ ହେଲା।

       ସାରୋଳଦାସଙ୍କ ଘର ଝଙ୍କଡ ଶାରଳା ହୋଇଥିବା ତାଙ୍କ ଲିଖିତ ମହାଭାରଥଚଣ୍ଡିପୁରାଣରୁ ପ୍ରମାଣ ମିଳୁନାହିଁ। ତେଣୁ କପିଳେନ୍ଦ୍ର ଦେବଙ୍କ ଅନେକ ପୂର୍ବରୁ ସାରୋଳଦାସ ଜନ୍ମିତ। ତାଙ୍କର ଗ୍ରାମ ସମ୍ପର୍କରେ କ୍ଵଚିତ ବର୍ଣ୍ଣନା ରହିଛି। ଅନୁମାନ ଯେ କୋଣାର୍କ ନିକଟସ୍ଥ କଣିଆଁତାଙ୍କର ଗ୍ରାମ (ଗୋପୀନାଥ ମହାନ୍ତି) ସାରଡାମଧ୍ୟ ହୋଇପାରେ। (ସାହିତ୍ଯକୋଷ) ଗ୍ରାମ ଦେବୀ ସାରୋଳ ଚଣ୍ଡୀଙ୍କ ଦାସ ବୋଲି ନିଜକୁ ବିନୀତ କରି ନିଜ ନାମ ସାରୋଳଦାସ ରଖିଥାଇପାରନ୍ତି।      

      ମୁଁ ଇତିମଧ୍ୟରେ ନୂତନ ପ୍ରକାଶିତ ସାରୋଳଦାସଙ୍କ ମହାଭାରଥର ପଦ୍ୟ ସହିତ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତ କାବ୍ୟଗ୍ରନ୍ଥର ତୁଳନା କରୁଥିଲି ଅନେକ ଅସାମଞ୍ଜସ୍ଯ ରହିଛି। କେତେକ ଉଦାହରଣ ଦେଉଛି।

୧. ସାରୋଳଦାସ ମହାଭାରଥ : ସାରୋଳଚଣ୍ଡୀ  ନାମେ ଅଟଇ ସେ ଦେବୀ / ତାହାର ପୁତ୍ର (ସେବକ) ମୁଁ ଯେ ସାରୋଳଦାସ କବି। (ସରୋଳ ଚଣ୍ଡୀ ତୁସ୍ତି ଓ କବି ପରିଚୟ/ ଆଦିପର୍ବ)

ସେହି ସମାନ ପଦକୁ ବଦଳାଇ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି :

ଶାରଳା ଚଣ୍ଡୀ ସାକ୍ଷାତେ ଅଟଇ ଭୈରବୀ / ତାହାର ପୁତ୍ର ଶାରଳା ଦାସ ମୁହିଁ କବି।

 (ଶାରଳାଙ୍କ ବନ୍ଦନା / ଆଦିପର୍ବ)

୨. ସାରୋଳଦାସ ମହାଭାରଥ : ପ୍ରସନେ ଆଗ୍ଯାଂ ମୋତେ ଦେଲେ ଶକମ୍ବରୀ / ଲାଭ ତୁ କପିଳାସ ଶ୍ରୀମହାଭାରଥ ଗ୍ରନ୍ଥକରି।

ଶାରଳା ଦାସଙ୍କ ମହାଭାରତ : ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକମ୍ବରୀ / ଲଭ ତୁ ବିଳାସ ମହାଭାରତ ବିସ୍ତାରୀ।  

୩. ସାରୋଳଦାସ ମହାଭାରଥ : ଭାରଥ ଗ୍ରଂଥ ଯହୁଂ ସେ ହୋଇଲା ମହାଭାରା  / ତହୁଂ ମହାଭାରଥ ନାମ ଦେଲେ କଶ୍ୟପ ଅଂଗିରା।

ଶାରଳା ଦାସଙ୍କ ମହାଭାରତ ଏ ସମ୍ପର୍କରେ ନୀରବ ରହିଛି।

      ନୂତନ ସାରୋଳଦାସ ମହାଭାରଥ ଏହା ପ୍ରମାଣିତ କରୁଛି ଯେ ସାରୋଳଦାସଙ୍କ ପରେ ବଳରାମ ଦାଶ, ଜଗନ୍ନାଥ ଦାଶ ଇତ୍ୟାଦିଙ୍କ ଠାରୁ ଭୀମଭୋଇଙ୍କ ପର୍ଯ୍ୟନ୍ତ ପୋଥିରେ ଲେଖୁଥିବା ପ୍ରତ୍ଯେକ କବିଙ୍କର ଏହିଭଳି ଶୁଦ୍ଧ ସଂସ୍କରଣ ଜରୁରୀ। ଯଦିଓ ପଠାଣି ସାମନ୍ତ (୧୮୭୬) ପ୍ରଥମେ ପୋଥିରେ “ସିଦ୍ଧାନ୍ତ ଦର୍ପଣ” ଲେଖିଥିଲେ କିନ୍ତୁ ତାଙ୍କରି ସମୟରେ ଏହାକୁ ପୁସ୍ତକ ଆକାରରେ ଛପା ହେବା ହେତୁ ସେ ଏହାର ପୃଫ ନିଜେ ଦେଖିପାରିଥିଲେ।

      ଏବେ ଓଡିଆ ସାହିତ୍ୟରେ ଏକ ବିରାଟ କ୍ଷେତ୍ର ସୃଷ୍ଟି ହେଲା ଯାହା ଆଗାମୀ ପୀଢିର ଗବେଷିକା/ଗବେଷକ ମାନଙ୍କୁ ବାକି ପୋଥିରେ ଲେଖିଥିବା କବିଙ୍କ କ୍ରିଟିକାଲ ଏଡିସନ ମଧ୍ୟ ସେମାନେ କରିପାରିବେ। ସେଥିପାଇଁ ଯେ ସର୍ବଦା କେନ୍ଦ୍ର ସରକାରଙ୍କ ସହଯୋଗ ରହିବ ଓ କୌଣସି ଏକ ବିଶ୍ୱବିଦ୍ୟାଳୟ ଏଥିଲାଗି ସ୍ଥାନ ଦେବ ତାହା ନୁହେଁ। ଅନାବଶ୍ୟକ ମଧ୍ୟ। ସାରୋଳଦାସଙ୍କ ବ୍ୟକ୍ତିଗତ ଆବେଗରୁ ମହାଭାରଥର ସୃଷ୍ଟି। ଆଜି ପ୍ରାଚୀନ ସାରୋଳଦାସ ମହାଭାରଥ ପ୍ରକାଶିତ ହେବା ପରେ ସେହି ଦଶମ ଓ ଏକାଦଶ ଶତାବ୍ଦୀର ଓଡିଆ ଜନଜୀବନ, ଜାତିପ୍ରଥା, ବ୍ରାହ୍ମଣର ଉପସ୍ଥିତି, ରାଜାଙ୍କ ଯୁଦ୍ଧ ଖୋର ମନୋବୃତ୍ତି ଇତ୍ୟାଦି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରୁଛି।

        ଓଡିଶାରେ ରାଜରାଜୁଡା ବ୍ରାହ୍ମଣ ଶାସନ ଓ ଜାତିପ୍ରଥା ଦଶମ ଓ ଏକାଦଶ ଶତାବ୍ଦୀରେ ପ୍ରାଥମିକ ସ୍ତରରେ ରହିଥିବା ଇତିହାସର ଗବେଷକମାନେ ଯୁକ୍ତି କରିଆସିଛନ୍ତି। ମୋର ଆଗ୍ରହ ସତରେ ଏହା କେଉଁଭଳି ଥିଲା। ଏତଦବ୍ୟତୀତ ତ୍ରିପିଟକପରେ ଜାତିପ୍ରଥା ବିରୁଦ୍ଧରେ ସାରୋଳଦାସ ମହାଭାରଥ ଏହି ଭୂଖଣ୍ଡରେ ଦ୍ଵିତୀୟ ଲିଖିତ ଗ୍ରନ୍ଥ ନୁହେଁ ତ? ଏହି ଭୂଖଣ୍ଡର ପ୍ରାଚୀନ ଗ୍ରନ୍ଥମାନଙ୍କୁ ପଢିବାର ଆଗ୍ରହ ମୋର ଏହି ଅନୁସନ୍ଧାନ ମଧ୍ୟରେ ଅଧିକ ହୋଇଛି।


ଦେବ ରଞ୍ଜନ

Email: debasar11@yahoo.co.in


No comments:

Post a Comment