Monday, September 16, 2024

କ୍ଷମତାର ଅହଂକାର ଭାଙ୍ଗିବ କେବେ ?



କଲିକତାର ୩୧ ବର୍ଷିୟା ଡାକ୍ତରୀ ଛାତ୍ରୀଙ୍କ ଶରୀରର ୧୦୦ଟି ସ୍ଥାନରେ କ୍ଷତ ହୋଇଥିବା ଦେଖାଯାଇଥିଲାକାନ୍ଧ ହାଡ ଓ ଛାତି ହାଡ ଭାଙ୍ଗିଯାଇଥିଲା। ଆଖିରୁ ଓ ନାକରୁ ରକ୍ତ ବାହାରୁଥିଲା। ଆମ ଚାରିପାଖରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଏହା ନଥିଲା। ହସ୍ପିଟାଲରେ ଘଟୁଥିବା ଅତି ଅମାନବୀୟ ଘଟଣାର ପ୍ରମାଣ ନଷ୍ଟ କରିବାର ଏହା ଯୋଜନା ମଧ୍ୟ ଥିଲା। ସେଥିଲାଗି ତ କଲିକତାର ଏତେ “ଦାୟିତ୍ଵପୂର୍ଣ୍ଣ ଅଧିକାରୀମାନେ” ଏହି ଘଟଣା ପଛରେ ସମ୍ପୃକ୍ତ ରହିଥିଲେ।


ଡାକ୍ତରମାନେ ନିଶ୍ଚିତ ରୂପେ ସାହସପୂର୍ଣ୍ଣ ପଦକ୍ଷେପ ନେଲେ। ସେମାନଙ୍କ ସହିତ କଲିକତାବାସୀ ଅଦ୍ଭୁତପୂର୍ବ ସମର୍ଥ ଦେଲେ। କେହି ଜଣେ ଲେଖିଥିଲେ, “କଲିକତାରେ ବିରାଟ ବିପ୍ଲବ ଘଟିଛି। ଏଭଳି କୌଣସି ଘର ନାହିଁ ଯେଉଁଠାରୁ ଲୋକେ ଆସି “ମିଛିଲ” ବା ଶୋଭାଯାତ୍ରାରେ ସାମିଲ ହେଉନାହାନ୍ତି।“

ସମସ୍ତ ରାଜ୍ୟର ସରକାରୀ ବ୍ୟବସ୍ଥା ଓ ଆମର ସମାଜ ଏଥିପ୍ରତି ତଥାପି ସଜାଗ ହେଉନାହାନ୍ତି। ଯେମିତି କି;  

ମହିଳା କମିଶନ

କଲିକତା ମୃତ ଛାତ୍ରୀ ଘଟଣାରେ ପଶ୍ଚିମ ବଙ୍ଗ ମହିଳା କମିଶନ ଆଜି ବି ନୀରବ। ରାଜ୍ୟ ସରକାର ଅପରାଧୀକୁ ଘୋଡାଇବାରେ ଲାଗିବାରୁ କମିଶନ ମଧ୍ୟ କିଛି ପଦକ୍ଷେପ ନେଲେନାହିଁ। ପଶ୍ଚିମ ବଙ୍ଗରେ ମହିଳା କମିଶନ ଯଦି ରାଜନୈତିକ ପ୍ରଭାବ ମୁକ୍ତ ହୋଇଥାନ୍ତେ ତେବେ କଣ ଏଭଳି ସାଂଘାତିକ ଘଟଣା ଘଟିଥାନ୍ତା?

୧୯୯୨ ମସିହାରୁ ମହିଳା କମିଶନ ପ୍ରତ୍ଯେକ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହା ନ୍ୟାସିନାଲ କମିଶନ ଫର ୱିମେନ ଆକ୍ଟ (୧୯୯୦) ଅନୁସାରେ ବାଧ୍ୟତାମୂଳକ ଅଟେ। କେବଳ ମହିଳା କମିଶନ ନୁହେଁ ମାନବିକ ଅଧିକାର ଓ ଏସସି ଆଣ୍ଡ ଏସଟି କମିଶନ ମଧ୍ୟ କାର୍ଯ୍ୟକାରୀ ହେଉଛି।

କ୍ରମଶଃ ପ୍ରତ୍ଯେକ ସରକାର, ବିଜେପି ହେଉ ଅଥବା ଅଣ ବିଜେପି ବା କଂଗ୍ରେସ ସରକାର ହେଉ, ଆଇନ ଅନୁସାରେ କମିଶନ ଗଠନ କରିଦେଲେ କିନ୍ତୁ ଏହାର ମୁଖ୍ୟ ନିଶ୍ଚିତ ରୂପେ ନିଜ ରାଜନୈତିକ ଦଳୀୟ କର୍ମୀଙ୍କୁ ଦାୟିତ୍ଵ ଦେଲେ। ସରକାରଙ୍କ ବିରୁଦ୍ଧରେ ଉଠୁଥିବା ପ୍ରଶ୍ନକୁ ଚୁପ କରିବା ହେଲା କମିଶନରେ ନିଯୁକ୍ତ କମିଶନ ମୁଖ୍ୟଙ୍କ ଦାୟିତ୍ଵ। ଏଥିରେ କମିଶନ ନିଜର ଗୁରୁତ୍ଵ ହରାଇଲେ। ଅଫିସ ବା ଅନୁଷ୍ଠାନରେ ମହିଳାଙ୍କ ଲାଗି ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ବନ୍ଦ ହୋଇଗଲା। ଫଳରେ, କଲିକତାର ଛାତ୍ରୀଙ୍କ ଭଳି ଦେଶରେ ଅନେକ ନିର୍ଭୟା ନିଜର ଜୀବନ ଦେଲେ।

ଓଡିଶାରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ମାମଲାରେ ରାଜ୍ୟ ମହିଳା କମିଶନ କଣ କରିଥିଲେ? ରାୟଗଡା ଜିଲ୍ଲା ଟିକିରିର ସ୍କୁଲ ମଧ୍ୟରେ ରାତିରେ ଶୋଇଥିବା ବେଳେ ତାଙ୍କୁ ପେଟ୍ରୋଲ ଢାଳି ହତ୍ୟା କରଯାଇଥିଲା (୨୦୧୩)ନିଜ ଜୀବନ ପ୍ରତି ବିପଦ ଥିବା ଓ ଏହାର ପ୍ରତିକାର ଲାଗି ସେ ଜିଲ୍ଲାପାଳ, ପୁଲିସ ଏସପି, ଜିଲ୍ଲା ଶିକ୍ଷା ଅଧିକାରୀ, ଏପରିକି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ। କିନ୍ତୁ କଣ ହେଲା? ସେହି ସମାନ ପ୍ରଶ୍ନ ପିପିଲିର ବେବିନା ଓ ବଲାଙ୍ଗୀରର ସ୍ନେହଲତା ଚ୍ଛତ୍ରିଆଙ୍କ ଘଟଣାରେ ମଧ୍ୟ ପଚରାଯାଇପାରେ।

ମହିଳା ମୁଖ୍ୟମନ୍ତ୍ରୀ

ପଶ୍ଚିମ ବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଡାକ୍ତରୀ ଛାତ୍ରୀଙ୍କ ଗଣଧର୍ଷଣ ହେବା କ୍ଷମତାରେ ଚାହେଁ ମହିଳା ରୁହନ୍ତୁ ଅଥବା ପୁରୁଷ ଏଥିରେ କୌଣସି ଫରକ ଆସୁନାହିଁ। ରାଜ୍ୟ ପୁଲିସ ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେବା ଲାଗି ଉଦ୍ୟମ କରିବା, ପ୍ରମାଣକୁ ନିଜେ ପୁଲିସ ନଷ୍ଟ କରିବା ଲାଗି ସୁଯୋଗ ଦେବା, ଏଫଆଇଆର କରିବାରେ ବିଳମ୍ବ କରିବା ଅଥଚ ମହିଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପୁଲିସ ବିଭାଗର କାର୍ଯ୍ୟ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେବା ଦ୍ଵାରା ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାର ନିଜେ ଦୋଷୀକୁ ସୁରକ୍ଷା ଦେବା ଲାଗି ପ୍ରଥମରୁ ଉଦ୍ୟମ କରୁଥିଲେ। ଏହାକୁ କୁହାଯାଏ ସରକାରୀ ବ୍ୟବସ୍ଥା ନିଜେ ଉଚ୍ଚ ଜାତିର ପୁରୁଷ ଭଳି ବ୍ୟବହାର କରୁଛି। ଏଥିରେ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ବି କିଛି ଫରକ ନାହିଁ।

ଆଜି ପ୍ରଧାନ ମନ୍ତ୍ରୀ କଲିକତା ଘଟଣାକୁ ବିରୋଧ କରି “ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଏବଂ ଯେକୌଣସି ସ୍ତରରେ ଅବହେଳାକୁ ନିନ୍ଦା କରାଯିବା ଆବଶ୍ୟକ” କହିଛନ୍ତି। ଏହିଭଳି ଘଟଣା ମଣିପୁରରେ ହୋଇଥିଲା। ସଂସଦ ଭିତରେ ଓ ବାହାରେ ଅତି ଉଚ୍ଚ ସ୍ଵରରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କିଛି କୁହନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ନୀରବ ରହିଲେ। ଉତ୍ତରପ୍ରଦେଶର ହଥ୍ରାସ ହେଉ କି ଜାମ୍ମର କଠୁଆ ଘଟଣା ହେଉ ସବୁଠାରେ ପ୍ରଧାନମନ୍ତ୍ରୀ ନୀରବ ରହିଆସିଛନ୍ତି। ଗଣତନ୍ତ୍ରରେ ସରକାରୀ ପ୍ରଶାସନର ମଧ୍ୟ ରାଜନୈତିକ ରଙ୍ଗ ରହିଛି। ରଙ୍ଗ ଦେଖି ଏହା ତତ୍ପର ହୋଇଥାଏ।  

ପୁଲିସ ଡାଏଲ ନମ୍ବର ଓ ସିସିଟିଭି କ୍ୟାମେରା

ମହିଳାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରମାନେ ପୁଲିସ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଯେଉଁ ଗତିରେ ପଦକ୍ଷେପ ନିଆଯାଏ - ପୁଲିସ କଣ୍ଟ୍ରୋଲ ରୁମକୁ କଲ କରିବା ଲାଗି ୧୦୦/୧୧୨ ନମ୍ବର ପ୍ରଚଳନ, ମହିଳା ସାଥି ଆପ ଭଳି ମୋବାଇଲ ଆପ ପ୍ରସ୍ତୁତି, ଚାରିଆଡେ ସିସିଟିଭି କ୍ୟାମେରା ଲଗାଇବା, ମହିଳା ଥାନା ସ୍ଥାପନ, ମହିଳା ଡେସ୍କ ସ୍ଥାପନ, ମହିଳା ସାଥି ନିଯୁକ୍ତି ଓ ଓଡିଶାରେ ପିଂକ ଅଟୋ ପ୍ରଚଳନ ଇତ୍ୟାଦି ଅନେକ ପଦକ୍ଷେପ – ସେହି ଗତିରେ ତାହା ସୁରକ୍ଷା ଦେଇପାରେନାହିଁ। କଲିକତାରେ ନା ମହିଳା ପୁଲିସ, ପୁଲିସ ଡାଏଲ ନମ୍ବର, ମହିଳା ସାଥି, ସିସିଟିଭି ଇତ୍ୟାଦି କିଛି ବି କମ ଥିବ କି? ଏ ସମସ୍ତ କିନ୍ତୁ ଆବଶ୍ୟକ ସମୟରେ କେଉଁଭଳି ଅକାମୀ ହୋଇଗଲା? ଏହି ପଦକ୍ଷେପ ଉପରେ ନିର୍ଭର କରି କଣ ସତରେ କହିପାରିବା ଯେ ମହିଳାମାନେ ସୁରକ୍ଷିତ?

ବିଶାଖା କମିଟି

ଏହିଭଳି ୧୯୯୭ ମସିହାରେ ଏକ ବିବସ୍ଛ କାଣ୍ଡ ଘଟିଥିଲା। ବାଳିକା ବିବାହ ପ୍ରଥାକୁ ବିରୋଧ କରିବା ଯାଇ ରାଜସ୍ଥାନ ସରକାରଙ୍କ ଅସ୍ଥାୟୀ କର୍ମଚାରୀ ଭଂବରୀ ଦେବୀ ଗ୍ରାମର ଜମିଦାର ପରିବାର ଦ୍ଵାରା ଗଣଧର୍ଷିତ ହୋଇଥିଲେ। ଏହି ମାମଲାରେ ମହିଳା କର୍ମଚାରୀଙ୍କ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଲାଗି “ବିଶାଖା କମିଟି” ସ୍ଥାପନ କରିବା ଲାଗି ନିର୍ଦ୍ଦେଶାବଳୀ ସୁପ୍ରିମ କୋର୍ଟ ଜାରି କରିଥିଲେ। ରାଜ୍ୟ ସରକାର ତୁରନ୍ତ କମିଟି ଗଠନ କରି ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଓ ଅନ୍ୟ କାର୍ଯ୍ୟଳୟରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସମ୍ପର୍କରେ କୌଣସି ଅନୁଧ୍ୟାନ ଏହି ଘଟଣା ପରେ ମଧ୍ୟ କରୁନାହାନ୍ତି।

ମହିଳାଙ୍କୁ ଗଣଧର୍ଷଣ, ହତ୍ୟା ଓ ବା ହିଂସାତ୍ମକ ଘଟଣା ଅଫିସ ମଧ୍ୟରେ ଅଥବା ବାହାରେ ଘଟିଲେ ଓ ତାହା ଗଣମାଧ୍ୟମରେ ଚର୍ଚ୍ଚିତ ହେଲେ ତାହାର ପ୍ରତିକାର ଲାଗି ତୁରନ୍ତ କିଛି ପଦକ୍ଷେପ ସେହି ସମୟର ସରକାର ନେଇଥାନ୍ତି। ପରବର୍ତ୍ତୀ ସମୟରେ ପୁଣି ସରକାର ଓ ସରକାରୀ ଅନୁଷ୍ଠାନ ତାହାକୁ ପାଳନ କରିନଥାନ୍ତି। ସେହି ପାଳନ ନକରିବା କାରଣରୁ ପୁଣି କୌଣସି ନା କୌଣସି ମହିଳାଙ୍କୁ ଯୌନ ଶୋଷଣର ସାମ୍ନା କରିବାକୁ ପଡିଥାଏ।  

ମିଡିଆ ଟ୍ରାଏଲ

ସର୍ବଦା ସହରୀ ଶିକ୍ଷିତ ମହିଳାଙ୍କ ଉପରେ କୌଣସି ଜଘନ୍ୟ କାଣ୍ଡ ହେଲେ ଗଣମାଧ୍ୟମ ଯେତେ ଚିତ୍କାର କରେ (ଯଦି ସେଥିରେ ରାଜନୈତିକ ଅଭିସନ୍ଧି ମିଶ୍ରଣ ହୁଏ ତେବେ ତାହା ଅଧିକ କର୍କଶ ହୋଇଉଠେ) ସେପରି ଚିତ୍କାର କୌଣସି ଦଳିତ, ଆଦିବାସୀ, ଅଳ୍ପ ସଂଖ୍ୟକ ମହିଳାଙ୍କ କ୍ଷେତ୍ରରେ ହୋଇନଥାଏ। ଏହି କାରଣରୁ ହାଇଦ୍ରାବାଦ ଘଟଣାରେ ଏନକାଉଣ୍ଟର ମଧ୍ୟ ହୋଇଗଲାକଲିକତା ଘଟଣାରେ ମିଡିଆର ରାଜନୈତିକ ଅଭିସନ୍ଧି ବେଶ ସ୍ପଷ୍ଟ। ମିଡିଆ କର୍ମଚାରୀଙ୍କ ଅସୁରକ୍ଷାର କାରଣ ଖୋଜିବା, ବିଶାଖା କମିଟି ଓ ମହିଳା କମିଶନ, ପୁଲିସର ଡାଏଲ ନମ୍ବର ଇତ୍ୟାଦି ସମ୍ପର୍କରେ ପ୍ରଶ୍ନ କରିବା ବଦଳରେ ଏହାକୁ ରାଜ୍ୟ ସରକାର ବନାମ ଛାତ୍ରୀଙ୍କ ହତ୍ୟାର ରୂପ ଦେବାରେ ଲାଗିଛି। କଣ ବିଜେପି ଶାସିତ ରାଜ୍ୟରେ ଧର୍ଷଣ ଓ ହତ୍ୟା ହେଉନାହିଁ? ଗଣମାଧ୍ୟମ ସୈନ୍ୟ ବାହିନୀ ବିରୁଦ୍ଧରେ ସେଭଳି ଅଭିଯୋଗ ଆସିଲେ ତାହାର ସୂଚନା ମଧ୍ୟ ଗଣମାଧ୍ୟମ ଦେଇନଥାଏ।

ଦଳିତ ବା ଆଦିବାସୀ ବର୍ଗର ମହିଳା ହୋଇଥିଲେ  

ଜାତୀୟ ଅପରାଧ ରେକର୍ଡ ବ୍ଯୁରୋ ତଥ୍ୟ ଅନୁସାରେ ପ୍ରତି ଦିନ ୧୦ ଜଣ ଦଳିତ ମହିଳା ଏ ଦେଶରେ ଦୁଷ୍କର୍ମର ଶିକାର ହେଉଛନ୍ତି। ଅଥଚ ଦଳିତ ମହିଳାଙ୍କ କ୍ଷେତ୍ରରେ ଦୋଷୀ ଦଣ୍ଡିତ ହେବା ହାର ମାତ୍ର ୫.୩।

ରାଜନୈତିକ ଦଳ କେବେ ଏହି ସମାଜରୁ ଜାତିବାଦର ଉଚ୍ଛେଦ, ଦଳିତଙ୍କ ପ୍ରତି ସମାଜର ଦ୍ରୁଷ୍ଟିଭାଙ୍ଗି ବଦଳିବା ଲାଗି ପଦକ୍ଷେପ, ସରକାରୀ ପାଠ୍ୟକ୍ରମରେ ପରିବର୍ତ୍ତନ, ଦଳିତ ମହିଳାଙ୍କୁ ଦୃଢ କରିବା ଲାଗି ଅଲଗା ସରକାରୀ ଯୋଜନା, ପୀଡ଼ିତା ମହିଳାଙ୍କୁ କୋର୍ଟରେ ଲଢିବା ଲାଗି ସୁରକ୍ଷା ଓ ଅର୍ଥର ସହଯୋଗ (ଏସସି ଆଣ୍ଡ ଏସଟି ଫଣ୍ଡରୁ ଅର୍ଥ ବହୁ କଷ୍ଟରେ ମିଳିଥାଏ ଓ ଥରେ ମିଳିଲା ପରେ କେସ ଦୀର୍ଘ କାଳ ଚାଲିଲେ ମଧ୍ୟ ଅର୍ଥ ସହଯୋଗ ପୁଣି ମିଳେ ନାହିଁ।) ଭଳି ପଦକ୍ଷେପ ନେବା ମୁଁ କେବେ ଦେଖିନାହିଁ। କିନ୍ତୁ ଦୁଷ୍କର୍ମକାରୀଙ୍କୁ ଖସାଇବା ଲାଗି ରାଜନୈତିକ ଦଳ ଓ ପୁଲିସ ଅନେକ ଉଦ୍ୟମ ମିଳିତ ଭାବରେ କରିଥାନ୍ତି।

ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ଚକ୍ରବ୍ୟୁହ

ଚାରିପାଖରେ ଅବସ୍ଥିତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଯେ ପୁରୁଷତାନ୍ତ୍ରିକ ବ୍ୟବସ୍ଥା କାଏମ ରହିଛି। ସେଥିଲାଗି ଜଣେ ପରେ ଜଣେ ମହିଳାଙ୍କୁ ଜୀବନ ଦେବାକୁ ପଡୁଛି।

ଆମର ପୁରୁଷତାନ୍ତ୍ରିକ ସମାଜ ମଧ୍ୟରୁ ଆଜିର ନେତା, ମନ୍ତ୍ରୀ, ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଆସୁଛନ୍ତି ଯେଉଁମାନେ ମହିଳା ବିରୋଧୀ ମାନସିକତା ନେଇ ସରକାରରେ ଯୋଗଦେଉଛନ୍ତି। ସେମାନେ ସରକାରୀ ଅର୍ଥ, ବଳ ଓ ଆଇନକୁ ପୁଣି ମହିଳାଙ୍କ ଉପରେ ହେଉଥିବା ହିଂସାକୁ ଲୁଚାଇବା ଲାଗି ବ୍ୟବହାର କରୁଛନ୍ତି। ଏହା ଏଭଳି ଚକ୍ରବ୍ୟୁହ ଯାହା ବନ୍ଦ ହେବାର କୌଣସି ନାମ ନେଉନାହିଁ।

ସମାଜର ଦ୍ରୁଷ୍ଟିଭଙ୍ଗି ବଦଳିବା ଆବଶ୍ୟକ

ମହିଳା କର୍ମଚାରୀ ଯୌନ ଉତ୍ପୀଡନାର ସାମ୍ନା କରୁଥିବା ହେତୁ ଅନେକ ସମୟରେ ମହିଳାମାନେ ନିଜସ୍ଵ ଦକ୍ଷତା, ପାରଙ୍ଗମାତା ଓ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଜ ପସନ୍ଦର କାର୍ଯ୍ୟ କରିବା ଲାଗି ପଛାଇଥାନ୍ତି। ଏହା ସମଗ୍ର ମହିଳା ସମାଜ ଉପରେ ହିଂସା ଯାହା ଆଧୁନିକ ଭାରତ ଦଶନ୍ଧି ଦଶନ୍ଧି ଧରି କରିଚାଲିଛି।

କୌଣସି ଡାକ୍ତର ଓ ନର୍ସଙ୍କ ଉପସ୍ଥିତି ନଥାଇ ହସ୍ପିଟାଲ ଚାଲିପାରିବ କି? ଯେମିତି କୌଣସି ଶିକ୍ଷାନୁଷ୍ଠାନ ବିନା ଶିକ୍ଷକ/ ଶିକ୍ଷୟିତ୍ରୀରେ ଚାଲିପାରିବ? ମହିଳାଙ୍କ ପ୍ରତି ଅଧିକାରୀଙ୍କର ଦ୍ରୁଷ୍ଟିଭଙ୍ଗି ବଦଳିବା ଆବଶ୍ୟକ।

ଦେଶରେ ଅନେକ ମହିଳା ନିଜ ପରିବାର ମଧ୍ୟରେ ସଂଘର୍ଷ କରି ନିଜର ଶିକ୍ଷା, ନିଜର ଆଗ୍ରହ ଓ ନିଜର କର୍ମ ସନ୍ଧାନ କରିପାରୁଛନ୍ତି। ସମାଜରେ ପ୍ରତି ସମୟରେ ବିଭିନ୍ନ ପ୍ରକାରର ଯୌନ ହିଂସାକୁ ସାମ୍ନା କରି ସେମାନେ କର୍ମକ୍ଷେତ୍ରରେ ସକ୍ରିୟ ହୋଇପାରିଛନ୍ତି। ଏହା ହିଁ ନାରୀ ଆନ୍ଦୋଳନର ଅଂଶ, ନିଜ ଅଧିକାର ଲାଗି ଲଢେଇ।

 

ଦେବ ରଞ୍ଜନ

 

 

No comments:

Post a Comment