Thursday, December 11, 2025

ହାୱଡାରୁ ବାଲେଶ୍ଵର ପହଞ୍ଚିବାକୁ ଲାଗିଗଲା ନଅ ବର୍ଷ ଏକ ମାସ ଏଗାର ଦିନ

ଦେବ ରଞ୍ଜନ

ସୁରୁ ବିନ୍ଧାଣିଙ୍କୁ ହାୱଡା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧ ମାସ ୧୧ ଦିନଅଥଚ ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟରସୁରୁଙ୍କ ପରିବାରର ସଦସ୍ୟଙ୍କ ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ଭୂମିକା ସତ୍ବେ ଯଦି ଜଣେ ମହିଳାଙ୍କୁ ନିଜର ଘର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ଯୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁନଥିବା ଅନ୍ତେବାସୀଙ୍କ ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉନଥିବା! ହୁଏତ ସେ ପହଞ୍ଚୁ ନଥାଇ ପାରନ୍ତି ମଧ୍ୟ।

ସୁରୁ ୨୦୧୬ ମସିହା ଜାନୁଆରୀ ମାସରେ ହାୱଡା ସହରରେ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ ସହିତ ପହଞ୍ଚିଥିଲେ। ଏହା ସେହି ବର୍ଷ ଯେଉଁଥର ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ ଓ ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଏହାପରେ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଲୋକଙ୍କ ଆୟରେ ଉନ୍ନତି ଘଟିବ।

ସ୍ବାମୀଙ୍କ ସହିତ କିଛି ମନାନ୍ତର ହେବା ହେତୁ ସୁରୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଯେ ସେ ଚାଲିଯାଇଥିଲେ ଏହାପରେ ନିଜ ଜାଗାକୁ ଫେରିପାରିଲେ ନାହିଁ। ଭାଷା ମୁଖ୍ୟ ଅସୁବିଧା ଥିଲା। ସେ ସମୟରେ ତାଙ୍କର ବୟସ ଥିଲା ୨୫ ବର୍ଷ। ହାୱଡା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ – ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ “ସୁଧାର ଗୃହ”କୁ ପଠାଇଦେଇଥିଲେମାଜିଷ୍ଟ୍ରେଟ ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା) ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା

ସୁରୁଙ୍କ ଲାଗି ସବୁ କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା, କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା କୌଣସି ମହିଳାଙ୍କ ଲାଗି ସେହି ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଏ ଯାହା ସୁରୁଙ୍କ ଲାଗି ହୋଇଯାଇଥିଲା। ସୁରୁଙ୍କୁ ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା ହିଁ ବ୍ୟବସ୍ଥା ଥିଲା।

ପ୍ରତ୍ଯେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ଯେକ ରାଜ୍ୟ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ସୁପ୍ରିମ କୋର୍ଟ ୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟ ଏହାର ଅନ୍ତେବାସୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ଘରକୁ ପଠାଇଦିଆଯିବାକୁ ନେଇ କୌଣସି ନିର୍ଦ୍ଦେଶାବାଳୀ ଦେଇନଥିଲେ।  

ସୁଧାର ଗୃହର ସରକାରୀ ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ଯେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। କିନ୍ତୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଏଥିରେ ରହିଥାଏ ଠିକ ଜେଲ ଭଳି। 

୨୦୧୮ ମସିହାରେ ମୋର ଜଣେ କଲିକତା ନିବାସୀ ବନ୍ଧୁ, ଯେ କି ଉକ୍ତ ସୁଧାର ଗୃହରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ ଫୋନ କରି ସୁରୁଙ୍କ ସମ୍ପର୍କରେ ମୋତେ କହିଥିଲେ। ସେ ନିଜର ମାନବିକତା ଦେଖାଇଥିଲେ। ଆମେ ଦୁଇ ଜଣ ବନ୍ଧୁ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର ପରିବାର ଭୂମିହୀନ ଶ୍ରମିକ। ସରକାରୀ ଜାଗା ଉପରେ ଚାଳ ଘର କରି ରହୁଛନ୍ତି। ସୁରୁ ନିରୁଦ୍ଦିଷ୍ଟ ହେବା ପରେ ତିନୋଟି ପିଲା ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଛୋଟ ଛୋଟ ପିଲାମାନେ ଶ୍ରମିକ ପାଲଟିଯାଇଛନ୍ତି। ଅଞ୍ଚଳର ସରପଞ୍ଚ ଏକ ଚିଠି ଲେଖି ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଶୀଘ୍ର ଫେରାଇ ଦିଆଯାଉ।

ଦେଶର ଆଇନ କୌଣସି ମାନବିକତା ରଖେ ନାହିଁ। ଏହା କେବଳ ଏକ ନିର୍ଦ୍ଦେଶ ଭାବରେ ଉଚ୍ଚ ଅଧିକାରୀଙ୍କ ନିକଟରୁ ନିମ୍ନ ଓ ତାଙ୍କ ଠାରୁ ଆହୁରି ନିମ୍ନକୁ ପାଣି ଭଳି ବୋହିଚାଲେ। ଏଥିରେ ଉତ୍ତରଦାୟିତ୍ଵ ବୋଧ କହିଲେ କେବଳ ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ପ୍ରଶ୍ନ ବ୍ଯତୀତ (କାରଣ ସେ ସିସିଆର ଲେଖିବେ) ଆଉ କିଛି ନଥାଏ। ଯଦିଓ କୋର୍ଟଙ୍କର ସେହି କ୍ଷମତା ରହିଛି ଯେ ସେ ପ୍ରଶ୍ନ କରିପାରିବେ କିନ୍ତୁ ସମସ୍ତଙ୍କ ଲାଗି କୋର୍ଟକୁ ଯିବା ମଧ୍ୟ ସହଜ ହୁଏ ନାହିଁ

ସରକାର ଆୟକର ସୀମା ଧାର୍ଯ୍ୟ କରିବା ଭଳି ସରକାରୀ ପ୍ରଶାସନ ମଧ୍ୟ ବ୍ୟକ୍ତିମାନଙ୍କ ଆୟକୁ ନେଇ ସୀମା ତିଆରି କରିଛି ଯେ ସେ କେଉଁ ଆୟର ବ୍ୟକ୍ତିଙ୍କୁ କେତେ ପରିମାଣରେ ଗୁରୁତ୍ଵ ଦେବ, ତାହା ଠାରୁ ନିମ୍ନରେ ଥିବା ମଣିଷ ଯେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରଖୁଛି ତାହାକୁ ସେ ନିଜ ବ୍ୟବହାରରେ ସ୍ଵୀକାର କରିବ ନାହିଁ। ଆମର ରିପୋର୍ଟ, ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ ପଶ୍ଚିମ ବଙ୍ଗରୁ ଓଡିଶା ଆଣିବା ଯଥେଷ୍ଟ ହେଲା ନାହିଁ।   

ବଇଶିଙ୍ଗା ସରପଞ୍ଚଙ୍କ ଚିଠି ଓ ପରିଚୟ ପତ୍ର ଯଥେଷ୍ଟ ନହେବା ହେତୁ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ଯାଇ ମାଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡ଼ିଏମଙ୍କୁ ଭେଟିଥିଲେ (ସେହି ବନ୍ଧୁଙ୍କ ସହଯୋଗରେ) ଓ ମାଙ୍କୁ ନିଜେ ନେବା ଲାଗି ଆସିଥିବା କଥା ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ “ସୁରୁ ଅସୁସ୍ଥ” କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଫେରାଇ ଦିଆଯାଉଥିଲା।

ଏହାପରେ ସୁଧାର ଗୃହର ମାଲିକ ମୋର ବନ୍ଧୁଙ୍କୁ ସୁରୁଙ୍କ ପ୍ରସଙ୍ଗରେ ଅଧିକ ଉତ୍ସାହ ଦେଖି ଚାକିରିରୁ ବହିଷ୍କାର କରିଦେଲେ।

କଲିକତାରେ ଅବସ୍ଥିତ ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ହୁଗୁଳି ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସେମାନଙ୍କୁ କୁହାଗଲା ଯେ ଓଡିଶାର ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚୀବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ।

ସୁରୁଙ୍କ ପୁଅ ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ଗାସର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ ବାଲେଶ୍ଵର ସହରରେ ଭେଟିଥିଲେମାମଲା ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ଦୀର୍ଘ ବର୍ଷ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ ରହୁଛନ୍ତି।)

ଓଡିଆ ଖବରକାଗଜରେ ଏହି ଖବର ପ୍ରକାଶିତ ହେଲା ମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ।

ଏହି ଲେଖକ ଏହାପରେ ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ।

ଏହି ଲେଖକ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା। ହୁଏତ ଗହଳି ଭିତରେ ତାହା ମଧ୍ୟ କୌଣସି ଉତ୍ତର ଆଣିଲା ନାହିଁ।

ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡିଶାର ମଧ୍ୟ ସ୍ଥିତି। ଏହା ସମଗ୍ର ଦେଶର ସ୍ଥିତି। ଏହା ହିଁ ବ୍ୟବସ୍ଥା।

ସାଧାରଣ ମଣିଷ ଲାଗି ସରକାର ଓ ସରକାରୀ ବ୍ୟବସ୍ଥାର ଉତ୍ତରଦାୟିତ୍ଵ ବୋଧ ଶୂନ।

ହର୍ଷ ମନ୍ଦରଙ୍କ ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦୀତ “କେହି ଶୁଣିନାହାନ୍ତି” ପୁସ୍ତକରେ ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ଯାକୁ ନେଇ ତାଙ୍କର ରହିଥିବା ପ୍ରତ୍ଯକ୍ଷ ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଛତିଶଗଡରେ

ଆଦିବାସୀ ଯୁବକ ଜଗତ ଗଣ୍ଡର ଜମି ବାବୁଲାଲ ଯୋଶୀ ଅକ୍ତିଆର କରିବା ହେତୁ ତାହାର ଜମି ଫେରି ପାଇବାର ଲଢେଇ ହେଉ ଅଥବା ରାଜସ୍ଥାନର ବନୱାରୀଙ୍କର ବାଳିକା ବିବାହକୁ ବିରୋଧ କରିବା ହେତୁ ଧର୍ଷଣର ଶିକାର ହେବା ପରେ ନ୍ୟାୟ ପାଇଁ ଲଢେଇ ହେଉ ଅଥବା ଦିଲ୍ଲୀରେ ସବୀରର ଅନୁଭୂତି ହେଉ ସବୁ କିଛି ବର୍ଣ୍ଣନା କରୁଛି ପ୍ରଶାସନର ନିର୍ଦ୍ଦୟ ପଣକୁ।

ଏହି ଲେଖକ ବିଳମ୍ବରେ ଜାତୀୟ ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲି ଏନଏଚଆରସି ମାମଲାକୁ ପଞ୍ଜୀକୃତ କରି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚୀବଙ୍କୁ ନୋଟିସ କଲେ। ସେ ଏହାର ଉତ୍ତର ଲାଗି ଏକ ସମୟ ସୀମା ରଖିଥିଲେ ଯାହା ସମସ୍ତ ମାମଲା ହୋଇଥାଏ।  

ଫେବୃଆରୀ ୦୬, ୨୦୧୬ ରୁ ହାୱଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ ରେ ପହଞ୍ଚିଥିଲେ। ଉଭୟ ତାରିଖ ମଧ୍ୟରେ ବ୍ଯବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ। ଏହା ସ୍ଵତଃ ଘଟିନଥିଲା ଯାହା ଘଟିବା ଆବଶ୍ୟକ ଥିଲା।

ନିରୁଦ୍ଦିଷ୍ଟ ମଣିଷ ପୁଣି ମିଳିବା ପରେ ସୁଧାର ଗୃହରେ ରହିବା ଏକ ଉତ୍ତମ ପଦକ୍ଷେପ। କିନ୍ତୁ ତାହାର ପରିବାରକୁ ସୂଚନା ଦେବା ଓ ଯଦି ପରିବାର ସଦସ୍ୟ ଆଗ୍ରହୀ ତେବେ ତୁରନ୍ତ “ପ୍ରତ୍ୟର୍ପଣ” କରିବା ମଧ୍ୟ ସରକାରୀ ଅଧିକାରୀଙ୍କ ଦାୟିତ୍ଵ। ଏହା ମାନବିକତାର ପ୍ରସଙ୍ଗ। ସବୁ ବିଷୟରେ ସରକାରୀ ନିର୍ଦ୍ଦେଶାବଳୀର ଆବଶ୍ୟକତା ନାହିଁ।

କିନ୍ତୁ ପ୍ରଶାସନର ମାନସିକତାରେ ପରିବର୍ତ୍ତନ ହେଉ ନାହିଁ। ଏହି ପରିବର୍ତ୍ତନ ନହେବା ହିଁ ସରକାରୀ ବ୍ୟବସ୍ଥା। ଏହି ବ୍ୟବସ୍ଥା ହିଁ ଦୁଇଟି ଶ୍ରେଣୀରେ ବିଭାଜିତ କରୁଛି: ପ୍ରଭାବଶାଳୀ ଓ ପ୍ରଭାବବିହୀନ ଗୋଷ୍ଠୀ। ଏହା ରାଜନୈତିକ ପ୍ରଭାବ ରଖୁଥିବା ଓ ଅର୍ଥବଳ ରଖୁଥିବା ବ୍ୟକ୍ତିଙ୍କୁ ଆଇନରେ ଉର୍ଦ୍ଧ୍ଵରେ ଯାଇ ସୁବିଧା ପାଇବାର ସୁଯୋଗ ରଖୁଛି। ଅନ୍ୟପଟରେ, ଅନେକ ସୁରୁ, ସବୀର, ଜଗତ ଗଣ୍ଡ ଏ ଦେଶରେ ପ୍ରଶାସନିକ ନିର୍ଦ୍ଦୟପଣର ଶିକାର ହେଉଛନ୍ତି।

ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହେଉନାହିଁ। ନିଜର ମାନବିକତା ଦର୍ଶାଇବା ହେତୁ ମୋର ବନ୍ଧୁ ଏହି କାରଣରୁ ବଳି ପଡିଗଲେ। ସୁରୁ ନିଜ ପରିବାର ପାଖରେ ଅନ୍ତତଃ ପହଞ୍ଚିପାରିଲେ କିନ୍ତୁ ସେ ଚାକିରି ପାଇଲେ ନାହିଁ।  ସରକାର ଅର୍ଥ ଦେଇ ବେସରକାରୀ ଅନୁଷ୍ଠାନ ସାହାଯ୍ୟରେ ନିଜର କାର୍ଯ୍ୟ କରିଥାନ୍ତି। କିନ୍ତୁ ସେହି କାର୍ଯ୍ୟ କରୁଥିବା କର୍ମଚାରୀର ସାମାଜିକ ଓ ଆର୍ଥିକ ସୁରକ୍ଷା ଦେଖିବା ସରକାରୀ ଦାୟିତ୍ଵ ହେଉନାହିଁ। ଏହା ମଧ୍ୟ ସରକାରଙ୍କ ନିଷ୍ଠାକୁ ବର୍ଣ୍ଣନା କରୁଛି।  


Saturday, December 6, 2025

ଘର, ସମ୍ବନ୍ଧ ଓ ମୂଲ୍ୟବୋଧ: ଏକ ନିରବ ମଣିଷର ଯାତ୍ରା


                                                 

                                                                                         ଦେବ ରଞ୍ଜନ

ତାମିଲନାଡୁର କୁମ୍ଭକୋନମ ନାମରେ ଏକ ସହର ରହିଛି। ଏହି ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର। କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସହିତ ସାମଞ୍ଜସ୍ଯ ରହିଥିବା ମନେହୁଏ। ଉଭୟଙ୍କ ଗଢାଣ ସମୟ ମଧ୍ୟ ସମାନ – ଦ୍ଵାଦଶ ଶତାବ୍ଦୀ। ଐରାବତେଶ୍ଵର ମନ୍ଦିର ରାଜା ଦ୍ଵିତୀୟ ଚୋଳଙ୍କ ଦ୍ଵାରା ତିଆରି । ୟୁନେସ୍କୋ ହେରିଟେଜ ତାଲିକାରେ ଏହା ଆସୁଛି। ଏକଦା ଏହି ଅଞ୍ଚଳରେ କିନ୍ତୁ ଅନେକ ବୌଦ୍ଧସ୍ତୂପ ଥିବା ଇତିହାସ କହୁଛି। ଗଲା ବର୍ଷ ସେହି ମନ୍ଦିରର  କାରୁକାର୍ଯ୍ୟ ଦେଖି ମୁଁ ଫେରିଆସିଥିଲି ବସଷ୍ଟାଣ୍ଡ, ମୋତେ ପୁଣି ଅନ୍ୟ ଏକ ସ୍ଥାନ ଯିବାର ଥିଲା।

ବସଷ୍ଟାଣ୍ଡ ଭିତରର ଏକ ହୋଟେଲର ପ୍ରଥମ ମହଲାରେ ଉଠି ମୁଁ ଖାଦ୍ଯ ବିଷୟରେ ପଚାରିଥିଲି ଅବଶ୍ୟ ହିନ୍ଦୀ ଭାଷାରେ। ଏହାର ମାଲିକ ମୋତେ ବସିବା ଲାଗି ଇସାରା ଦେଲେ। ମୁଁ ବସିବା ପରେ ଜଣେ ବ୍ୟକ୍ତି ସ୍ପଷ୍ଟ ହିନ୍ଦୀରେ ମୋତେ ମୋର ଖାଇବାର ଆଗ୍ରହ ସମ୍ପର୍କରେ ପଚାରିଲେ। ମୁଁ କିଛି କହିବା ପୂର୍ବରୁ ତାଙ୍କର ସ୍ପଷ୍ଟ ବହି ପଢା ହିନ୍ଦୀ ଉଚ୍ଚାରଣ ମୋତେ କିଛିଟା ସ୍ତମ୍ବିଭୂତ କରିଥିଲା କାରଣ ମୁଁ ତାମିଲନାଡୁରେ ଥିଲି।

ସ୍ଵାଭାବିକ ଯେ ଦକ୍ଷିଣ ଭାରତର ଲୋକେ ହିନ୍ଦୀ କମ ଜାଣିଥାନ୍ତି, ଓ ତାମିଲନାଡୁରେ ଏହା ଆହୁରି କମ। ହିନ୍ଦୀ ଫିଲ୍ମର ଧର୍ମେନ୍ଦ୍ର, ଅମିତାଭ ବଚନ ବା ଶାହାରୁଖ ଖାନ ଯାହାଙ୍କ ଡାଇଲାଗ ଆମେ କେହି କେହି ମଜାରେ କହିଥାଉ ସେମାନଙ୍କୁ ତାମିଲନାଡୁର ସହରର ଲୋକେ ଚିହ୍ନନ୍ତି ନାହିଁ। ଏହାର କାରଣ ହୋଇପାରେ ଯେ ବଲିଉଡ ବାହାରେ ଏହି କଳାକାରମାନଙ୍କ କୌଣସି ସମ୍ପୃକ୍ତି ନାହିଁ ଓ ଦ୍ବିତୀୟରେ ନିଜକୁ ଖୁସି କରିବା ଲାଗି ତାମିଲ ଫିଲ୍ମର ଅଭାବ ମଧ୍ୟ ନାହିଁ।

ସେହି ହୋଟେଲର ସେହି ମଣିଷର ନାମ ଯାହା ମୋତେ ସେ ସେତେବେଳେ କହିଥିଲେ ତାହା ଯେ ସତ ହୋଇଥିବ ମୋର ବିଶ୍ଵାସ ହେଉନାହିଁ। ମନେକରାଯାଉ ତାଙ୍କର ନାମ ସୋମେଷ। ସୋମେଷଙ୍କୁ ନିଜର ଖାଦ୍ୟ ଅର୍ଡର ଦେବା ସହିତ ପଚାରିଥିଲି ଯେ ସେ ଏତେ ସୁନ୍ଦର ହିନ୍ଦୀ କେଉଁଠାରୁ ଶିଖିଲେ। ସେ କିଛି ଏହାର ଉତ୍ତର କହିବା ଆଗରୁ ମୋର ଘର କେଉଁ ରାଜ୍ୟରେ ବୋଲି ପ୍ରଥମେ ପଚାରିଦେଇଥିଲେ। ମୁଁ ମୋର ପ୍ରଦେଶ ଓଡିଶା କହିବାର ଠିକ ପରେ ପରେ ସେ ନିଜକୁ ନାଗପୁର ବାସିନ୍ଦା କହିଦେଲେ। କୁମ୍ଭକୋନମ ସହରର ସୌନ୍ଦର୍ଯ୍ୟ, ହୋଟେଲର ସ୍ଵାଦ ସମ୍ପର୍କରେ ବେଶ ପେଷାଦାର ମାର୍କେଟିଂଗ ବ୍ୟକ୍ତି ଭାବରେ ବର୍ଣ୍ଣନା କରୁଥିଲେ।

ସୋମେଷଙ୍କ ଅନୁମାନ ବୟସ ସେ ସମୟରେ ୫୫ ବର୍ଷ ହେବ। ମୁଣ୍ଡର ବାଳ ସାମାନ୍ଯ କହରା। ସେ ସ୍ଵୀକାର କଲେ ଯେ ସେ ରଙ୍ଗ ଦେଇଛନ୍ତି। ଆଦୌ ମୋଟା ନୁହନ୍ତି କିନ୍ତୁ ପତଳା ନୁହନ୍ତି। ମୁଣ୍ଡରେ ସାମାନ୍ୟ ତିଳକ ମାରିଥାନ୍ତି। ସୂତା କପଡାର ସାର୍ଟ ପ୍ଯାଣ୍ଟ ପିନ୍ଧିଛନ୍ତି। ଉଚ୍ଚତା ସେହି ପାଞ୍ଚ ଫୁଟରୁ କିଛି ଅଧିକ ହେବ

କଥାବାର୍ତ୍ତା ଭିତରେ ଓଡିଶା, ତାମିଲନାଡୁ ଓ ଦେଖିଆସିଥିବା ଐରାବତେଶ୍ଵର ମନ୍ଦିରର ବର୍ଣ୍ଣନା, ତାମିଲଙ୍କ ପାରମ୍ପରିକ ଖାଦ୍ଯର ବର୍ଣ୍ଣନା ଭିତରେ ଆତ୍ମୀୟତା ସୃଷ୍ଟି ହୋଇଯାଇଥିଲା।  “କେତେ ବର୍ଷ ହେଲା ଏଠାକୁ ଆସିଲେଣି? ପୁଣି ଏହି କୁମ୍ଭକୋନମ ସହରକୁ କେମିତି ଆସିଲେ?

ସେ ମୋ ପାଖରେ ବସିପଡିଲେ। ସାମାନ୍ୟ ଗମ୍ଭୀର ହେଲେ। ଏ ପର୍ଯ୍ୟନ୍ତ ହସଖୁସିରେ ମାର୍କେଟିଂଗ ଢଙ୍ଗରେ କଥା ହେଉଥିବା ମଣିଷ ଏଥର ଗମ୍ଭୀର ସ୍ଵରରେ ହିନ୍ଦୀରେ କହିଲେ ଯାହାର ଓଡିଆ ହେଲା, “ମୁଁ ଘର ଛାଡିବା ପ୍ରାୟ ୪୦ ବର୍ଷରୁ ଅଧିକ ହୋଇଗଲେଣି। ଏବେ ମୋତେ ଗାଁର ଲୋକେ ଆଉ କେହି ଚିହ୍ନିପରିବେନି।“

ସେ ଯେଉଁ ବର୍ଣନା ଏହାପରେ ଦେଲେ ତାହା ଏହିପରି: ତାଙ୍କର ବାପା ଜଣେ ବଣିଆ ଲୋକ ଥିଲେ। ସେ ଜାଣନ୍ତି ଯେ ତାଙ୍କ ବାପା ଆଉ ନାହାନ୍ତି। ତାଙ୍କୁ ଯେତେବେଳେ ୧୫ / ୧୬ ବର୍ଷ ସେ ଘର ଛାଡି ଦେଇଥିଲେ ଯେ ଆଉ ଘରକୁ ଫେରିନାହାନ୍ତି। ସେ ଘର ଛାଡିବା ବେଳେ ବାପାଙ୍କୁ କହିଥିଲେ ଯେ ତାଙ୍କର ବଣିଆ କାମ ପ୍ରତି ଆଗ୍ରହ ନାହିଁ। ସେ କିନ୍ତୁ ପାଠ ପଢିବେ। ଘରେ କିନ୍ତୁ ବାପା କୁଳ ବ୍ୟବସାୟକୁ ସମ୍ଭାଳିବା ପାଇଁ ବାଧ୍ୟ କରିଥିଲେ। ହେଲେ, ସୋମେଷ ଘର ଲୋକଙ୍କୁ ଚାଲେଞ୍ଜ ଦେଇଥିଲେ ଯେ ସେ ପଢିବେ ଓ ଭଲ ଚାକିରି କରିଫେରିବେ।

ସୋମେଷ କିନ୍ତୁ ପ୍ରଥମେ ମାଡ୍ରାସ (ଆଜିର ଚେନାଇ) ଓ ସେଠାରୁ କାଞ୍ଜିପୁରମ ଚାଲିଗଲେ। ଏକୁଟିଆ ନିଜ ଜୀବନ ଚାଲିଥିବା ବେଳେ କିଛି ଦୁର୍ଘଟଣା ହେଲା ଯାହା ସେ କହିନାହାନ୍ତି। କିନ୍ତୁ ନିଜର ଲକ୍ଷ୍ୟ ଏହି ହେତୁ ପୂରଣ କରିପାରିଲେ ନାହିଁ ବୋଲି କହୁଥିଲେ

ସେହିଠାର ଜଣେ ବ୍ୟକ୍ତି ତାଙ୍କୁ କୁମ୍ଭକୋନମ ସହରରେ ପହଞ୍ଚାଇଦେଇଥିଲା ଠିକ ଏହି ହୋଟେଲରେ ଯେଉଁଠି ମୁଁ ଖାଉଥିଲି। ଏହି ହୋଟେଲର ପୂର୍ବର ମାଲିକଙ୍କର ଏ ଭିତରେ ଦେହାନ୍ତ ହୋଇଯାଇଛି। ତାଙ୍କର ଦୁଇ ପୁଅ ଥିଲେ।  ଦୁଇ ପୁଅଙ୍କ ଭିତରେ ସମ୍ପତ୍ତିର ଭାଗବଣ୍ଟାରେ ସାନ ପୁଅ ଭାଗରେ ଏହି ହୋଟେଲ ପଡିଲା। ଦୁଇ ପୁଅଙ୍କ ମଧ୍ୟରେ ଏହା ମଧ୍ୟ ବୁଝାମଣା ହୋଇଥିଲା ଯେ ହୋଟେଲ ଯାହାର ଭାଗରେ ପଡିବ ସେ ସୋମେଷ ମାମାର ଦାୟିତ୍ଵ ନେବ। ଏହା ସେମାନଙ୍କ ବାପାଙ୍କର ଇଚ୍ଛା ମଧ୍ୟ। ସେହି ଦିନୁ ପ୍ରାୟ ତିରିଶ ବର୍ଷ ହେବ ସୋମେଷ ସେହି ହୋଟେଲରେ ରହିଯାଇଛନ୍ତି  

“କିନ୍ତୁ ଆପଣ ନିଜ ଗାଁ ଏହି ଚାଳିଶ ବର୍ଷ ଭିତରେ ଥରେ ହେଲେ ଯାଇଥିଲେ କି ନାହିଁ?” ମୁଁ ପଚାରିଥିଲି। “ଯାଇଥିଲି। କିନ୍ତୁ ଗାଁ ପାଖରୁ ଫେରି ଆସିଲି। ମୋର ବାପା ଆମର ବନ୍ଧୁବାନ୍ଧବଙ୍କୁ ମିଛ କଥା ସାରିଥିଲେ। ମୋର ଅଧିକ ଦିନ ହେଲା ଗାଁକୁ ନଫେରିବା ଦେଖି ସେ କହିଥିଲେ, ପୁଅ (ମାନେ ସୋମେଷ) ତାଙ୍କର ବହୁତ ଧନୀ ହୋଇଯାଇଛି। ଅନେକ ଟଙ୍କା କମାଉଛି। ତାକୁ ଫୁରସତ ହେଉନାହିଁ। ମାତ୍ର ଯୋଗାଯୋଗରେ ଅଛି। ସତ ହେଲା ଯେ କାହା ପାଇଁ ମିଠା ନେବା ଭଳି ଟଙ୍କା ମଧ୍ୟ ମୋ ପାଖରେ ନଥିଲା। ବାପାଙ୍କର ଏହି କଥା କାହା କାହା ଠାରୁ ଶୁଣିବା ପରେ ଗାଁକୁ ନଯାଇ ଫେରିଆସିଲି।“

“ନାଗପୁରର କେଉଁ ଅଞ୍ଚଳରେ ଆପଣଙ୍କ ଘର?” ମୁଁ ପଚାରିବାରୁ ସେ ମୋତେ ପଚାରିଲେ, “ଆପଣଙ୍କର ନାଗପୁରରେ କେହି ଅଛନ୍ତି କି?”ମୁଁ ହଁ କହିବା ପରେ ସେ ଦୂରକୁ ସେ ଦିନ ଚାଲିଯାଇଥିଲେ। 

ଅନେକ ଦିନ ତଳେ ପଢିଥିବା ଫରାସୀ ଗାଳ୍ପିକ ମୋପାସାଙ୍କ ଏକ ଗପ ମୋର ମନେପଡିଲା। ଗଳ୍ପର ନାମ ମନେ ପଡୁନାହିଁ। ସେହି ଗପରେ ଚରିତ୍ର ଜଣକ ଜୀବନରେ ଅନେକ କିଛି କରିବାର ସ୍ଵପ୍ନ ନେଇ ଘର ଛାଡିଥିଲା। ଦୀର୍ଘ ବର୍ଷ ପରେ ଶୂନ୍ୟ ହସ୍ତରେ ତା ନିଜ ସହରକୁ ଫେରିଛି। ଫେରିଥିବା ଜାହାଜରେ ସେ ଅନ୍ୟମାନଙ୍କର ଯୋତା ପଲିସ କରୁଛି। ଘର ଲୋକେ କିନ୍ତୁ ଜାଣିଛନ୍ତି ଯେ ସେ ଅନେକ ବର୍ଷ ହେଲା ଚାଲିଗଲାଣି। ବାହାରେ କେଉଁଠାରେ ଅନେକ ଅର୍ଥ ରୋଜଗାର କରୁଛିତାଙ୍କର ସେହି ମଣିଷ ଜଣକ ଯେ ଜାହାଜରେ ଜୋତା ପାଳିଶ କରୁଥିବ ତାହାକୁ ପରିବାର ଲୋକେ ଗ୍ରହଣ କରିନାହାନ୍ତି। ପରିବାରର ସଦସ୍ୟ ସେହି ଜାହାଜ ମଧ୍ୟ ଦେଇ ଯାଉଛନ୍ତି କିନ୍ତୁ ଚିହ୍ନିନାହାନ୍ତି। ମୋପାସା ବ୍ୟକ୍ତିଗତ ଜୀବନର ଉଠାପକା ଓ ପରିବାର ମଧ୍ୟରେ ରହିଥିବା ଶଠତା ସମ୍ପର୍କରେ ଗଳ୍ପ ଲେଖିବାରେ ସିଦ୍ଧ ହସ୍ତ। ସେ ଏଠାରେ ପରିବାରର ବାସ୍ତବ ଚିତ୍ରକୁ ଦେଖାଇଛନ୍ତି - ସମସ୍ତେ କେମିତି ସ୍ଵାର୍ଥ ପାଇଁ ସମ୍ବନ୍ଧ ରଖୁଛନ୍ତି।

କୁମ୍ଭକୋନମର ସେହି ହୋଟେଲରେ ସେଦିନ ମିଲର ଟଙ୍କା ଦେବା ଭିତରେ ମୁଁ କିଛି ସମୟ ମାଲିକଙ୍କ ସହିତ କଥା ହେଲି। ଜଣେ କଲେଜ ଯୁବକଙ୍କୁ ଅନୁରୋଧ କଲି ଯେ ସେ ମୋର ଇଂରାଜୀ ଭାଷାକୁ ତାମିଲରେ ଅନୁବାଦ କରି ତାଙ୍କୁ କହିବେ ଓ ତାଙ୍କର ତାମିଲରେ ଦେଉଥିବା ଉତ୍ତରକୁ ସେ ଇଂରାଜୀରେ କହିବେ।

“ସୋମେଷ କଣ ଆଉ କେବେ ତାଙ୍କ ଘରକୁ ଫେରିବାକୁ ଚାହିଁନାହାନ୍ତି?

ହୋଟେଲର ମାଲିକ କହିଲେ, “ସେ କେବେ ତାଙ୍କ ଘରକୁ ଯିବା କଥା ଆମକୁ କହିନାହାନ୍ତି। କହିଲେ ଆମେ ପହଞ୍ଚାଇଦେବୁ। କିନ୍ତୁ ଆମ ବାପା ମରିବା ସମୟରେ କହିଛନ୍ତି ଯେ ଏ ତୁମର ଆଉ ଜଣେ ଭାଇ ବୋଲି ଭାବିବ। ମୋର ପିଲାମାନେ ମଧ୍ୟ ତାଙ୍କୁ ବହୁତ ଭଲପାନ୍ତି। ସେ ବାହା ହେବାକୁ କହିଥିଲେ ବି ଆମେ ବାହାଘର କରାଇଥାନ୍ତୁ। ସେ ଅସୁସ୍ଥ ହେଲେ ବି ଆମେ ଦେଖିବୁ। ମଲେ ବି ଆମେ ତାଙ୍କର କ୍ରିୟାକର୍ମ କରିବୁ। ସେ ଆମ ସହିତ ରହିଯାଇଛନ୍ତି। ରହିବେ ବି

ଅନ୍ତତଃ ସୋମେଷ ଏକ ଭଲ ପରିବେଶ ପାଇଛନ୍ତି ସେ କଥା ଜାଣିଲିସମାଜର ପରସ୍ପରିକତା ରହିଛି। ଭାଇମାନେ ହୁଏତ ସମ୍ପତ୍ତିର କିଛି ଅଂଶ ତାଙ୍କୁ ଦେଇନାହାନ୍ତି କିନ୍ତୁ ତାଙ୍କର ଦାୟିତ୍ଵ ନେଇଛନ୍ତି।

ହୋଟେଲର ତଳକୁ ମୁଁ ଓହ୍ଲାଇ ଆସିଲି। ତଳ ମହଲାରେ ଏକ ଷ୍ଟେସନାରୀ ଦୋକାନ ଅଛି। ସେଠାରେ ମୁଁ କିଛି ଚକଲେଟ କିଣିଲି। ହୋଟେଲର ପାରମ୍ପରିକ ଖାଦ୍ୟର ପ୍ରଶଂସା କରିବା ଛଳରେ ଦୋକାନୀକୁ ପଚାରିଲି, “ହୋଟେଲର ସେହି ହିନ୍ଦୀ ଲୋକ ସୋମେଷ ବିଷୟରେ ଜାଣିଥିବସେ ନାଗପୁର ଫେରିଲେ ନାହିଁ, ତାହା ହେଲେ।“ ମୋର କଥା ଶୁଣି ଦୋକାନ ଭିତରୁ ଆଉ ଜଣେ ବ୍ୟକ୍ତି ବାହାରି ଆସିଲେ। “ଆପଣଙ୍କୁ ସେ ନିଜର ଘର ନାଗପୁର କହିଲେ?“ହଁ” – ମୁଁ ଉତ୍ତର ଦେଲି, “କାହିଁ କଣ ହେଲା କି”?

“ସେ ବହୁ ଜାଗାରେ ନିଜର ଘର ବୋଲି ବହୁ ଲୋକଙ୍କୁ କହୁଛନ୍ତି। ମୁଁ ଜାଣିଛି ତାଙ୍କ ଘର ଓଡିଶାରେ। ସେ ତ ଆମ ଘର ପାଖାପାଖି ଲୋକ ବୋଲି ମୁଁ ଜାଣିଛି। ଆମ ଘର ପଲାସା (ଆନ୍ଧ୍ର ପ୍ରଦେଶ)। ସେ କିନ୍ତୁ ଓଡିଶାର କେଉଁଠି ବୋଲି କେବେ ମୋତେ କହିନାହାନ୍ତି।“

“ତୁମେ ତୁମ ଘରକୁ ଯାଉଛ କି ନାହିଁ?” ମୋର ପିଲାଳିଆ ପ୍ରଶ୍ନରେ ସେ ଜୋରରେ ହସିଲେ ଓ କହିଲେ, “ପ୍ରତି ବର୍ଷ ଯାଉଛି”।

ମୋର ଇଚ୍ଛା ହେଉଥିଲା ପୁଣି ଫେରିଯାଇ ସୋମେଷଙ୍କୁ ତାଙ୍କ ଘର ଠିକଣା ପଚାରିବା ଲାଗି। ପୁଣି ଚାଲିଆସିଲି। ସେ ନିଜେ ଯଦି ଚାହୁଁନାହାନ୍ତି ନିଜ ଘରକୁ ଫେରିବାକୁ ତେବେ ମୁଁ ବା କାହିଁକି ଉଦ୍ୟମ କରିବି।

ଆସିଲା ବେଳେ ଭାବିଲି କେତେ ସ୍ଵାଭାବିକ ଏହି ପାରିବାରିକ ସମ୍ବନ୍ଧ। ସେମାନେ ଏକ ନିର୍ଦ୍ଦିଷ୍ଟ ଚେହେରାରେ ପରିବାରର ପ୍ରତ୍ଯେକ ସଦସ୍ୟକୁ ଦେଖିବାକୁ ଚାହାଁନ୍ତି। ସେଥିରେ ବିଚ୍ୟୁତିର ଅର୍ଥ ପରିବାର ମଧ୍ୟରୁ ବହିଷ୍କୃତ ହେବା ଭଳି କଥା। ଅଥଚ ମଣିଷ ଏହି ପରିବାର ଲାଗି ସମାଜକୁ ଭୁଲିଯାଉଛି। ସମ୍ପତ୍ତି ଠୁଳ କରିଚାଲିଛିନିଜ ପରିବାରକୁ ନେଇ ଅହଂକାରରେ ଫାଟିପଡୁଛି ସେ। 

ତାମିଲନାଡୁ କୁମ୍ଭକୋନମ ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ମୋତେ ଯେତେ ପ୍ରଭାବିତ କରିନଥିଲା ତାହା ଠାରୁ ଯଥେଷ୍ଟ ଅଧିକ ପ୍ରଭାବିତ କରିଥିଲା ସୋମେଷଙ୍କ ଜୀବନ। ସତରେ, ଜଣେ ମଣିଷ କେତେ ନିରବରେ  ଜୀବନକୁ ଧରି ରଖିପାରେ, ଏବଂ କେମିତି ସେ ଗୋପନ କରିପାରେ ନିଜର ସମସ୍ତ ଯନ୍ତ୍ରଣା !

 

 

 

Sunday, November 16, 2025

ଘୃଣା ଓ ଭାବାବେଗକୁ ନ୍ୟୁୟର୍କବାସୀଙ୍କ ପ୍ରତ୍ୟାଖ୍ୟାନ ଏକ ଶୁଭସଙ୍କେତ

 



 

ଦେବ ରଞ୍ଜନ

ସମୟ ସମୟରେ ଆମ ଅନୁମାନ ବାହାରେ କିଛି ଘଟଣା ଘଟିଯାଏ ଯାହା ଆମକୁ ଅନେକ ପରିମାଣରେ ଚକିତ କରିଦିଏ। କାରଣ ଆମେ ଭାବିନଥାଉ ଯେ ସେଭଳି କିଛି ସତରେ ଘଟିବ।  

ନ୍ୟୁୟର୍କର ମେୟର ଭାବରେ ମମଦାନୀଙ୍କ ଜିତିବାରେ ମୁଁ ବହୁତ ପରିମାଣରେ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଲାଗି ଆଶ୍ଚର୍ଯ୍ୟର ବିଷୟ ଥିଲେ ନ୍ୟୁୟର୍କବାସୀ

ଟ୍ରମ୍ଫଙ୍କ ସମସ୍ତ ଧମକ ସତ୍ବେ (“ଯଦି ମମଦାନୀ ନିର୍ବାଚିତ ହୁଅନ୍ତି ତେବେ ସମସ୍ତ ଫଣ୍ଡ ବନ୍ଦ କରିଦେବି”) ନିୟୁର୍କବାସୀ ମମଦାନୀଙ୍କ ଭଳି ଏକ ମୁସଲମାନ ଯୁବକଙ୍କ ଉପରେ ଭରସା ରଖି ତାଙ୍କୁ ନିର୍ବାଚିତ କଲେ (୧୦ ଲକ୍ଷରୁ ଅଧିକ ଭୋଟର ଅର୍ଥାତ ୫୦.୪% ଭୋଟ) ଓ ଘୃଣାକୁ ଭରସାରେ ବଦଳାଇବାକୁ ଚେଷ୍ଟା କଲେ ଏହା ପ୍ରଥମ ଆଶ୍ଚର୍ଯ୍ୟର ବିଷୟ।

ଏହା ଜଣାଶୁଣା କଥା ଯେ ମମଦାନୀଙ୍କ ପିତା ଗୁଜୁରାତି ମୁସଲିମ, ମା ମୀରା ନାୟାର (ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ନିର୍ମାତା) ଜଣେ ପଞ୍ଜାବୀମମଦାନୀଙ୍କ ଜନ୍ମ ପୂର୍ବ ଆଫ୍ରିକା ଦେଶ ଉଗାଣ୍ଡାରେ। ତାଙ୍କୁ ଯେତେବେଳେ ସାତ ବର୍ଷ ସେ ଆମେରିକା ଆସିଛନ୍ତି। ତେଣୁ ସେ ଜନ୍ମରୁ ଆମେରିକୀୟ ନୁହନ୍ତି।

ଟ୍ରମ୍ଫ ଆମେରିକାରୁ ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ବାହାର କରିବା ଲାଗି ଘୃଣାର ମାହଲ ସୃଷ୍ଟି କରୁଥିବା ବେଳେ ମମଦାନୀଙ୍କ ଭଳି ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ନିୟୁର୍କବାସୀ ନିର୍ବାଚିତ କରିବା ମୋ ପାଇଁ ଦ୍ଵିତୀୟ ଆଶ୍ଚର୍ଯ୍ୟର ବିଷୟ।     

ମମଦାନୀଙ୍କ ଡେମୋକ୍ରାଟିକ – ସୋସିଆଲିଷ୍ଟ ଅଫ ଆମେରିକା ଏକ କମ୍ୟୁନିଷ୍ଟ ପାର୍ଟିଏଠାରେ ଜଣେ ଅରବପତିଙ୍କ ଭାଷାରେ ଝାଡା ଗଲେ ଫ୍ଲଶ କରିବା ଲାଗି ବି କର୍ପୋରେଟର ସହଯୋଗ ଆବଶ୍ୟକ। ଏଭଳି ଏକ ସହରର ବାସିନ୍ଦା କମ୍ୟୁନିଷ୍ଟ ବିଚାରର ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ତୃତୀୟ ଆଶ୍ଚର୍ଯ୍ୟର ବିଷୟ।

ଆମେରିକାରେ ଇସଲାମ ଭୟ ଆରମ୍ଭ ହୁଏ ୯/୧୧ ଘଟଣାରୁ। ଅପହରଣକାରୀ ୧୯ ଜଣଙ୍କ ସମେତ ୩୦୦୦ ଆମେରିକୀୟ ବିଶ୍ଵ ବାଣିଜ୍ୟ କେନ୍ଦ୍ର ବିଲିଡିଙ୍ଗ ଧ୍ଵଂସ ହେତୁ ମୃତ୍ୟୁ ବରଣକରିଥିଲେ। ଆଲକାଏଦା ଓ ଲାଡେନ ଏହାକୁ ପାଲେଷ୍ଟାଇନରେ ଚାଲିଥିବା ନରସଂହାରର ପ୍ରତିଶୋଧ ବୋଲି ଭିଡିଓ ବାର୍ତ୍ତାରେ କହିଥିଲେ।  

୯/୧୧ ଘଟଣା ପରେ ରାଷ୍ଟ୍ରପତି ବୁଶ ଆଫଗାନିସ୍ତାନକୁ ପ୍ରଥମ ଲକ୍ଷ୍ୟ କରିନଥିଲେ, ବରଂ, କରିଥିଲେ ଇରାକକୁ ଓ ହତ୍ୟା କରିଥିଲେ ସଦାମ ହୁସେନଙ୍କୁ କାରଣ ସେଠାରୁ ଅଶୋଧିତ ତୈଳ ଲୁଟିବା ତାଙ୍କର କମ୍ପାନୀମାନଙ୍କ ଲକ୍ଷ୍ୟ ଥିଲା।

ଆମେରିକାର ତତ୍କାଳୀନ ବୁଶ ସରକାର ଏହାକୁ ସମଗ୍ର ମୁସଲମାନ ସମାଜର ଷଡଜନ୍ତ ବୋଲି ଚିତ୍ରିତ କରି ଶବମାନଙ୍କୁ ନେଇ ଭାବପ୍ରବଣ ରାଜନୀତି ଓ ଶୋଷଣର ଅର୍ଥନୀତି ଆରମ୍ଭ କରିଦେଲେ। ବୁଶଙ୍କ “ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା” ପ୍ରକୃତରେ ଇସଲାମ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଥିଲା।

ପରିବେଶ ଏତେ ପରିମାଣରେ ଘୃଣାରେ ଭରିଯାଇଥିଲା ଯେ ଅନେକ ଆମେରିକୀୟ ମୁସଲମାନ ଯାହାର ଟୋପି ଓ ଦାଢି ଅଛି ସେ ମଧ୍ୟ ସାଧାରଣ ଖ୍ରୀଷ୍ଟୀୟ ଆମେରିକୀୟଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଥିଲା।

ଆମେରିକାରେ ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ଅନେକ ଗୁଜବ ମଧ୍ୟ ପ୍ରସ୍ତୁତ କରିଛନ୍ତିସେଗୁଡିକ ହେଲା; ଆମେ ଖ୍ରୀଷ୍ଟିୟାନ ବିଶ୍ଵରେ ସବୁଠାରୁ ଶ୍ରେଷ୍ଠ,  ଯଦି ମୁସଲମାନ ଆମ ଦେଶରେ ରୁହନ୍ତି ତେବେ ଆମ ଦେଶରେ ଆମେ ସଂଖ୍ୟା ନ୍ୟୁନ ହୋଇଯିବା’, ସେମାନେ ଆମ ଦେଶକୁ ଅକ୍ତିଆର କରିଦେବେ’, ମୁସଲମାନମାନେ ବହୁ ନୃଶଂସ’, ସେମାନେ ନାରୀକୁ ଅସମ୍ମାନ କରିଥାନ୍ତି ଇତ୍ୟାଦି।

ଆମେରିକାର ତିନୋଟି ପ୍ରତାରଣାପୂର୍ଣ୍ଣ ବ୍ୟାଖ୍ୟାନ ଆଜି ବି ସମଗ୍ର ବିଶ୍ଵର ଅର୍ଥନୀତି ଓ ରାଜନୀତିକୁ ପ୍ରଭାବିତ କରିରଖିଛି।

ପ୍ରଥମରେ, କର୍ପୋରେଟଙ୍କ ବିନା ଦେଶର ବିକାଶ ଅସମ୍ଭବ;

ଦ୍ଵିତୀୟରେ, ସମସ୍ତ ଉଗ୍ରପନ୍ଥୀ” ମୁସଲମାନ ନହୋଇପାରନ୍ତି ମାତ୍ର ସମସ୍ତ ମୁସଲମାନ ନିଶ୍ଚିତ “ଉଗ୍ରପନ୍ଥୀ” ଓ

ତୃତୀୟରେ, ଯୁଦ୍ଧର ଅନ୍ୟ ନାମ ହେଲା ଶାନ୍ତି।

ଏହା ଦ୍ଵାରା ଆମେରିକାର ଅର୍ଥନୀତି ବଳିଷ୍ଠ ହୋଇଛି। ଏହି ତିନି ବ୍ୟାଖ୍ୟାନର ପ୍ରଭାବ ଏସିଆ ଓ ଆଫ୍ରିକାର ଅନେକ ଦେଶରେ ଶୁଣିବାକୁ ମିଳେ।

ଯଦି  ଆମେରିକାର ଶାସନ ବ୍ୟବସ୍ଥା ଏହି ତିନି ଉପାଖ୍ୟାନକୁ ବାଦ ଦେଇଦେବ ତେବେ କୌଣସି ଆଫ୍ରିକୀୟ ବା ଏସିୟ ଦେଶ ଠାରୁ ବି ଏହି ଦେଶ ଦୁର୍ବଳ ଓ ଗୌଣ ହୋଇଯିବ।  

ଗୋଟିଏ ଧର୍ମ ବିରୁଦ୍ଧରେ ଆମେରିକୀୟ ରାଷ୍ଟ୍ର ଶକ୍ତି ଠିଆ ହୋଇଥିଲା। ଏଥିରେ ବଳି ପଡିଲେ ସେହି ଧର୍ମକୁ ବିଶ୍ଵାସ କରୁଥିବା ଅନେକ ସରଳ ଓ ନିରୀହ ପୁରୁଷ ଓ ନାରୀ। ସେହି ଦେଶରେ ନ୍ୟୁୟର୍କବାସୀ ପୁଣି ମାମଦାନୀଙ୍କୁ ନିର୍ବାଚିତ କରିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ।

ଆମେ ଭାରତରେ ମଧ୍ୟ ଇସଲାମ-ଭୟର ପ୍ରଭାବ ଦେଖୁଛୁ। ଭାରତରେ ୨୦୦୨ ମସିହାରେ ଗୁଜୁରାଟରେ ମୁସଲିମ ଗଣହତ୍ୟା ହୋଇଥିଲା। ପ୍ରାୟ ୧୦୦୦୦ ମୁସଲମାନଙ୍କୁ ଗୁଜୁରାଟର ବିଭିନ୍ନ ସହରରେ ହତ୍ୟା କରାଯାଇଥିଲା ଅନେକଙ୍କ ଗୃହକୁ ଜାଳି ଦିଆଯାଇଥିଲା, ଅନେକ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିଲା।

 

୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖରେ ଉତ୍ତର ପ୍ରଦେଶର ନୋଏଡା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ ରୁ ଉର୍ଦ୍ଧ ନିଜ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କୁ ତାଙ୍କ ଘରେ ଗୋମାଂସ ରଖିଥିବା ଅଭିଯୋଗରେ ପିଟିପିଟି ମାରିଦେଲେ।  

 

ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସର ତଥ୍ୟ ଅନୁସାରେ କାହାର ଘର ମଧ୍ୟରେ ଜବରଦସ୍ତି ପଶି ଗୋମାଂସ ରଖିବା ଆଳରେ କାହାରିକୁ ହତ୍ୟା କରିବା ଦେଶ ମଧ୍ୟରେ ତାହା ଥିଲା ପ୍ରଥମ ଘଟଣା। ମହମ୍ମଦ ଅଖଲାକ ଜଣେ ଗରିବ କମାର ଥିଲେ। ତାଙ୍କ ହତ୍ୟାକାରୀମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ।

 

ଏହି ଠାରୁ ଗୋମାଂସ ନାମରେ ଆକ୍ରମଣ ଜାଣନ୍ତୁ ଭାରତରେ ଆରମ୍ଭ ହେଲା। ହରିୟାନାର ପେହେଲୁ ଖାଁଙ୍କୁ ୨୦୧୭ ମସିହାରେ ଗୋରକ୍ଷକମାନେ ରାଜସ୍ଥାନର ଅଲୱାର ଠାରେ ହତ୍ୟାକରିଥିଲେବିଡମ୍ବନା ଯେ ନିକଟରେ ଅଲୱାର କୋର୍ଟ ଛଅ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି 

 

ପୁନେର ଇଞ୍ଜିନିୟର ମହସିନ ସାଦିକଙ୍କୁ ୨୦୧୪ ମସିହାରେ ମସଜିଦରୁ ବାହାରୁଥିବା ବେଳେ ହିନ୍ଦୁ ରାଷ୍ଟ୍ର ସେନାର କର୍ମୀଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ପରେ ପୁନେ କୋର୍ଟ ସମସ୍ତ ୨୦ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିଥିଲେ।

ଅତି ବିଭାତ୍ସ ଥିଲା ଝାଡଖଣ୍ଡର ତବ୍ରେଜ ଅନଶରୀର ହତ୍ୟା। ସେ ଅନାଥାଶ୍ରମର ବାସିନ୍ଦା ଥିଲେ। ତାଙ୍କର ବିବାହର ପରଦିନ ତାହାଙ୍କୁ “ଜୟ ଶ୍ରୀରାମ” “ଜୟ ହନୁମାନ” କହିବାକୁ ବାଧ୍ୟ କରିବା ଓ କହିବା ସତ୍ବେ ତାହାକୁ ପିଟି ପିଟି ସଂଘ ପରିବାରର ସଦସ୍ୟମାନେ ହତ୍ୟା କରିବା ବିଭତ୍ସ ମାନସିକତାର ଉଦାହରଣ।

ମହମ୍ମଦ ଅଖଲାକ, ତବ୍ରେଜ ଅନଶରୀ, ପେହେଲୁ ଖାଁ ଓ ମହସିନ ସାଦିକଙ୍କ ହତ୍ୟା ଯେତିକି ଘୃଣ୍ୟ ଥିଲା ଏହି ସମସ୍ତ ଅପରାଧରେ ଅପରାଧୀମାନେ ଖଲାସ ହୋଇଯିବା ମଧ୍ୟ ସେତିକି ଦୁଃଖର ବିଷୟ ଥିଲା।

ଏଭଳି ଏକ ଘୃଣାର ପରିବେଶ ଭିତରେ ସମାନତା ଓ ନ୍ୟାୟ ପାଇଁ ଆମର ଲଢେଇ ଜାରି ରଖିବା ଆମର ମାନବିକତାକୁ ବଞ୍ଚାଇ ରଖିବା ସହିତ ସମାନ। ଆଶା କରିବା ଯେ ଭାରତରେ ମଧ୍ୟ ଅନେକ ଲୋକ ଇସଲାମ-ଭୟରୁ ନିଜକୁ ମୁକ୍ତ କରିବେ ଓ ଘୃଣାକୁ ବିରୋଧ କରିବେ।

କିନ୍ତୁ ଏହା ସହଜ ନୁହେଁ। ଆମେରିକା ଲାଗି ସକାରାତ୍ମକ ସ୍ଥିତି ହେଲା ଯେ ସେଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଭଳି ସଂଗଠନ ନାହିଁ। ଭାରତରେ ଧର୍ମ ନାମରେ ଘୃଣାର ରାଜନୀତି ଏହି ସଂଘ ଅଧିକ ପ୍ରଚାର କରୁଛି। ସଂଘ ଲାଗି ଭାରତୀୟତା ଆଦୌ ପ୍ରସଙ୍ଗ ନୁହେଁ ବରଂ ହିନ୍ଦୁ-ଭାରତୀୟ ଏହାର ପ୍ରସଙ୍ଗ।

ଆଦାନୀ ଓ ଆମ୍ବାନୀଙ୍କ ପାଖରେ ଧନ ଠୁଳ ହେବା, ପରିବେଶ ଧ୍ଵଂସ ହେବା, ଉତ୍ତରାଖଣ୍ଡରେ ଭୁସ୍ଖଳନ, ଅନାହାର ମୃତ୍ୟୁ, ବେରୋଜଗାରେ ହେତୁ ଭାରତୀୟ ଯୁବକ ଆତ୍ମହତ୍ୟା ଇତ୍ୟାଦି ସଂଘ ଲାଗି ଚିନ୍ତାର ବିଷୟ ନୁହେଁ।

କିନ୍ତୁ ମହମ୍ମଦ ଅଖଲାକ ଓ ତବ୍ରେଜ ଅନଶରୀଙ୍କ ଭଳି ଗରିବ ମୁସଲମାନ ଗୋମାଂସ ଖାଇବା ସଂଘ ଲାଗି ବହୁତ ବଡ ପ୍ରସଙ୍ଗ। ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ସମସ୍ତ ସହଯୋଗ ସଂଘ ସହିତ ରହିଛି। ତେଣୁ ଭାରତରେ ଏତେ ଶୀଘ୍ର ପରିବର୍ତ୍ତନ ଯେ ଆସିବ ସେ ସମ୍ଭାବନା ଦେଖାଯାଉନାହିଁ।

ମମଦାନୀଙ୍କ ନିର୍ବାଚନ ପ୍ରତିଶୃତି ରହିଛି ଯେ ସେ ନିଜର କାର୍ଯ୍ୟକାଳ ମଧ୍ୟର ସମସ୍ତ ନିୟୁର୍କବାସୀଙ୍କ ଲାଗି ଗୃହ, ସମସ୍ତଙ୍କ ପାଇଁ ସୁରକ୍ଷିତ ଜୀବନ ଆଣିବେ। ତାଙ୍କର ପ୍ରତିଶୃତି ଯେ ଏଣିକି ଘରମାଲିକମାନେ ମନଇଛା ଭଡା ବୃଦ୍ଧି କରିପାରିବେ ନାହିଁ।

ସେ ବସଯାତ୍ରୀ ଭଡା ଛାଡ କରିବେ ଓ ଛଅ ସପ୍ତାହରୁ ପାଞ୍ଚ ବର୍ଷର ପିଲାଙ୍କୁ ଚିକିତ୍ସା ମାଗଣାରେ ଉପଲବ୍ଧ କରାଇବେ। ଏହା ଯେ କେତେଦୂର ସମ୍ଭବ ହେବ ତାହା ମମଦାନୀ ଓ ଆମେରିକାର ଅର୍ଥବ୍ୟବସ୍ଥା ଉପରେ ନିର୍ଭର କରୁଛି। 

ମାତ୍ର ଆମ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସାଧାରଣ ଆମେରିକାବାସୀ କର୍ପୋରେଟ ଅର୍ଥନୀତିର ଶ୍ରେଷ୍ଠରେ ଥାଇ ବି ଦାରିଦ୍ର୍ୟ, ବାସସ୍ଥାନ ଓ ସ୍ୱାସ୍ଥ୍ୟ ଇତ୍ୟାଦି ସମସ୍ଯା ଭୋଗୁଛନ୍ତି।

ଆମେରିକା ସମ୍ପର୍କରେ ଯେଉଁ ସୁନା ଚାମୁଚର ଚିତ୍ର ପଶ୍ଚିମ ଗଣମାଧ୍ୟମମାନେ ଆମକୁ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ। ଏହା ମମଦାନୀଙ୍କ ପ୍ରତିଶୃତିରୁ ବେଶ ସ୍ପଷ୍ଟ।

କର୍ପୋରେଟ ଅର୍ଥନୀତି ହେଲା ଜନସାଧାରଣଙ୍କ ସଞ୍ଚିତ ଅର୍ଥରେ ଜଣେ ଦୁଇ ଜଣ ବିଲିୟୋନାୟାର ଓ ଅନେକ ସଂଖ୍ୟକ ବାସହୀନ ମଣିଷ ସୃଷ୍ଟି କରିବା – ମାମଦାନୀଙ୍କ ନିର୍ବାଚନ ପ୍ରତିଶୃତି ଠାରୁ ଏହାର ଆଉ କଣ ବଡ ପ୍ରମାଣ ରହିଛି!

Friday, November 14, 2025

କିଏ କହୁଛି ଜାତିଭେଦ ଚାଲିଗଲାଣି

  



ଦେବ ରଞ୍ଜନ

              ଆଜି କାଲି ଯୁକ୍ତି କରାଯାଉଛି ଯେ ଜାତିଭେଦ ଚାଲିଗଲାଣି। ସତରେ ରାଜ୍ୟରେ ଯଦି ଜାତିଭେଦ ଚାଲିଯାଇଥାନ୍ତା ତେବେ ମନ୍ଦିର ପ୍ରବେଶ କାରଣରୁ କାହାରିକୁ ଜୀବନ ଦେବାକୁ ପଡିନଥାନ୍ତା। କେହି ହୁଏତ କହିପାରନ୍ତି ଯେ ମଣିଷକୁ  ଇଶ୍ଵର ତିଆରି କରିଛନ୍ତି। ବାସ୍ତବ ହେଲା ଯେ ମଣିଷ ତିଆରି କରିଛି ଈଶ୍ଵରଙ୍କୁ। ଇଶ୍ଵରଙ୍କ ଉପରେ କିଛି ଜାତିର ସ୍ଵତନ୍ତ୍ର ଅଧିକାର ରହିଛି। ସେଥିଲାଗି ହିଁ ପୁରୀ ଜିଲ୍ଲାର ବୋଲଗଡ ଅଞ୍ଚଳର ବୃଦ୍ଧଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା କାରଣରୁ ଜୀବନ ଦେବାକୁ ପଡିଲା। ଏଭଳି ଘୃଣା ଓ କ୍ରୋଧଜନିତ କାଣ୍ଡ କେବଳ ପୁରୀ ଜିଲ୍ଲାରେ ନୁହେଁ ଓଡିଶାର ଅନେକ ପ୍ରାନ୍ତରେ ଘଟୁଛି। ଏହାପରେ କୁହାଯାଇ ନପାରେ ଯେ ଏ ରାଜ୍ୟରୁ ଜାତିଭେଦ ଚାଲିଯାଇଛି।   

 

              ଜାତିଭେଦ ଭୋଗୁଥିବା ମଣିଷ ଜାଣିଛି ଉଚ୍ଚ ଜାତିର ଘୃଣା ଓ ଅସମ୍ମାନପୂର୍ଣ୍ଣ ବାର୍ତ୍ତାଳାପ କେତେ ଯନ୍ତ୍ରଣାଦାୟକ। ଉଚ୍ଚ ଜାତିର ମଣିଷ ପୀଢି ପୀଢିର ଅଧିକାର ଭାବି ଜାତିଭେଦର ଘଟଣାଟିଏ ଘଟାଇଦିଏ। ସେ ଅତି ସହଜରେ ତାହା କରିଦିଏ କାରଣ ସେ ନୃଶଂସ ଓ ଅମଣିଷ ପାଲଟି ଯାଇଥାଏ। କିନ୍ତୁ ଏହାକୁ ଭୋଗିଥିବା ମଣିଷ ସାରା ଜୀବନ ସେହି ଘଟଣାକୁ ମନେରଖେ। ସେହି ଯନ୍ତ୍ରଣାକୁ ନିଜ ଭିତରେ ଚାପି ରଖିଥାଏ। କିଏ ହୁଏତ ପ୍ରତିବାଦ କରେ ତ ପୁଣି କିଏ ପ୍ରତିବାଦର ପରିଣାମକୁ ଭାବି ଚୁପ ରହେ। ଏହା ନୁହେଁ ଯେ ସେ ଅଛୁଆଁ ପ୍ରଥାକୁ ମାନିନିଏ।  

 

              କେହି ହୁଏତ ଯୁକ୍ତି କରିପାରନ୍ତି ଯେ ଜାତିଭେଦ କେବଳ ଗ୍ରାମାଞ୍ଚଳରେ ଅଛି ସହରରେ ନାହିଁ। କିଛି ଦିନ ତଳେ ଏକ ମିଟିଂରେ ମହିଳା ଜଣକ କୋହ ଭରା ସ୍ଵରରେ ଭୁବନେଶ୍ବରରେ ଘର ମିଳିବାରେ ହୋଇଥିବା ଅସୁବିଧା ସମ୍ପର୍କରେ କହୁଥିଲେ। ଚାକିରିଆ ସେ। ନିଜର ଦୁଇ ସାନ ଭାଇଙ୍କୁ ନେଇ ସହରରେ ରହିବା ଲାଗି ଘର ଖୋଜୁଥିଲେ। ତାଙ୍କର ନାମରୁ ତାଙ୍କର ଜାତି ଜାଣିପାରି ଗୃହ ମାଲିକ ତୁରନ୍ତ ଭଡା ଦୁଇ ଗୁଣ ଶୁଣାଇଦେଲେ। ଯଦି ବି ସେ ଅଭିଯୋଗ କରିବେ ତେବେ ବି ତାହାର କୌଣସି ଅନୁସନ୍ଧାନ ହେବ ନାହିଁ।    

              ଜାତିଭେଦର ଅନେକ ଘଟଣା ଓଡିଶାର ବିଭିନ୍ନ ପ୍ରାନ୍ତରେ ଘଟୁଛି। ପଶ୍ଚିମ ଓଡିଶାରେ ଦଳିତ ବର୍ଗ ଉପରେ ହେଉଥିବା ଭେଦଭାବର ଉଦାହରଣ ଦେଉଛି। ଗାଁର ହୋଟେଲବାଲା “ଅଛୁଆଁ” ମଣିଷଙ୍କୁ ପତ୍ରରେ ସିଙ୍ଗଡା କି ବରା ଦେବା ସମୟରେ ଉପରୁ ଫିଙ୍ଗିକରି ଦେଉଛନ୍ତି। ଏହା ମୁଁ ଭୀମଭୋଇଙ୍କ ଆଶ୍ରମ ସନ୍ନିକଟ ଗ୍ରାମମାନଙ୍କରେ ରହୁଥିବା ଦଳିତ ପରିବାରମାନଙ୍କ ଠାରୁ ଶୁଣିଛି। ସେହିଠାରେ ଉପସ୍ଥିତ ଅନ୍ୟ ମଣିଷମାନେ ଏହାର ପ୍ରତିବାଦ କରୁନାହାନ୍ତି।

 

       ବୌଦ୍ଧ ଓ ସୋନପୁର ଅଞ୍ଚଳର ଦଳିତ ପରିବାରମାନେ ଜାତିଭେଦର ପ୍ରତିବାଦ କରୁଛନ୍ତି। କିନ୍ତୁ ସେମାନେ ସଂଖ୍ଯାରେ କମ। ପୁଲିସର ସହଯୋଗ ଉଚ୍ଚ ଜାତି ପ୍ରତି ରହୁଥିବା କାରଣରୁ ସେମାନେ ନୀରବ ରହିବା ଲାଗି ବାଧ୍ୟ ହେଉଛନ୍ତି। ଦଳିତ ଯୁବକଙ୍କର ବି ଇଚ୍ଛା ଯେ ଭଲ ରୋଜଗାର ଲାଗି ସେମାନେ ବି ହୋଟେଲ ଖୋଲନ୍ତେ। କିନ୍ତୁ ସେମାନେ ନିଶ୍ଚିତ ଯେ ସେମାନଙ୍କ ହୋଟେଲକୁ କେହି ଖାଇବାକୁ ଆସିବେ ନାହିଁ। ଏହା ଜାତିଗତ ଘୃଣା ନୁହେଁ ତ ଆଉ କଣ? ଏହା ପଶ୍ଚିମ ଓଡିଶାର ସ୍ଥିତି। 

 

              ଦକ୍ଷିଣ ଓଡିଶାରେ ଜାତିଭେଦ ବେଶ ସ୍ପଷ୍ଟ। ଗ୍ରାମାଞ୍ଚଳରେ ଦଳିତ ପରିବାରର ସଦସ୍ୟ କାହାର ଘରକୁ ଉଠିଗଲେ ଏଠାରେ ସେ ଫେରିଆସିବା ପରେ ସେହି ଘରକୁ ଧୋଇଦିଆଯାଉଛି। ଦଳିତ ପିଲାଟିଏ ମହିଳାଙ୍କୁ ଛୁଇଁ ଦେବା ହେତୁ ସେ ଗାଁର ପୋଖରୀ ପର୍ଯ୍ୟନ୍ତ ଚାଲିଯାଉଛନ୍ତି। ପିଲାଟି କଦାପି ଭୁଲିପାରିବ କି ଏହି ବ୍ୟଥାକୁଦଳିତ ମହିଳାଙ୍କୁ ନେଇ ଅତି ନିମ୍ନମାନର ପରିହାସ ଗାଁର ଯାତ୍ରାରେ କରାଯାଉଛି। ଏହି ସବୁ ଘଟଣାକୁ ଭୋଗୁଥିବା ପରିବାର କଦାପି ଭୁଲିପାରିବ ନାହିଁ।  ଦେହରେ ବାଜିଗଲେ ସେ ଗାଳି ଦେଇ ଦେଇ ଗାଁର ପୋଖରୀରେ ଯାଇ ଗାଧୋଇଥାନ୍ତି।  

 

              ପୁରୀ ଜିଲ୍ଲାର ଜାତିଭେଦ କିଛି କମ ନାହିଁ। ଗାଁରେ ବାହାଘର ହେଉଛି। କେଉଁଠି ବରଯାତ୍ରୀର ଗୋଡ ଧୋଇବା ହେଉ କି ଲାଇଟ ଧରି ଚାଲିବା ହେଉ ଏହି କାମ କରିବା ଲାଗି ଏଠି ଜାତି ଅନୁସାରେ ବାଧ୍ୟ କରାଯାଉଛି। ଏଠାରେ ବୟସର ତାରତମ୍ୟକୁ ନଦେଖି ଦଶ ବର୍ଷର ଉଚ୍ଚ ଜାତିର ବାଳକଟିଏ ଷାଠିଏ ବର୍ଷର ବୃଦ୍ଧ ବା ବୃଦ୍ଧା ବ୍ୟକ୍ତିଙ୍କୁ ନାମ ଧରି ଡାକୁଛିପାରମ୍ପରିକ କାର୍ଯ୍ୟରେ ଯୋଗଦେବାର ହୁକୁମନାମାଟି ସେ ପରିବାରର ମୁଖ୍ୟଙ୍କ ତରଫରୁ ଦଳିତ ବର୍ଗର ମଣିଷକୁ ଶୁଣାଇଦେଉଛି ଯେ କାର୍ଯ୍ୟରେ ତାହାକୁ ତୁରନ୍ତ ଯାଇ ହାଜର ହେବାର ଅଛି। 

 

              ମନେକରାଯାଉ ଯେ ଆପଣ ସେହି ବୃଦ୍ଧ ବା ବୃଦ୍ଧାଙ୍କ ପରିବାରର ହୋଇଥିବେ। ତେବେ ଆପଣଙ୍କ ଭିତରେ କଣ ଚାଲୁଥିବ! ଏ ସବୁକୁ ବିରୋଧ କଲେ ଆପଣଙ୍କ ଘର ଜାଳିଦେବା ପର୍ଯ୍ୟନ୍ତ କଥା ଯେଉଁଠି ଯାଉଛି ସେହି ଗାଁକୁ ଆପଣ ନିଜର ଗାଁ ବୋଲି କହି ଗର୍ବ କରିପାରିବେ ନା ପ୍ରତି ମୁହୂର୍ତ୍ତରେ ଗାଁ ଛାଡିଦେଇ ସହରକୁ କାମ ଖୋଜିବାରେ ଚାଲିଯିବେ?


ଉପକୂଳ ଜିଲ୍ଲାମାନଙ୍କରେ ଆମେ ଦେଖିବା, କୌଣସି ଏକ ହିନ୍ଦୁ ପର୍ବପର୍ବାଣିର ଦିନ (ସମସ୍ତ ଗାଁ ନୁହେଁ) ଗାଁ ମନ୍ଦିର ବାହାରେ ଝିଅଟିଏ ପୂଜା ଥାଳି ଧରି ଠିଆ ହୋଇଥିବ। ଧୀରେ ଧୀରେ ଏପରି ଠିଆ ହୋଇଥିବା ମଳିମାନଙ୍କ ସଂଖ୍ୟା ବଢୁଥିବ। ସେମାନେ ଅପେକ୍ଷା କରିଥିବେ ଯେ ବ୍ରାହ୍ମଣ କେତେବେଳେ ଫୁରସତ ହେଲେ ବାହାରକୁ ଆସି ସେମାନଙ୍କ ଠାରୁ, ଛୁଇଁ କରି ନୁହେଁ ବରଂ ଚଟାଣ ଉପରେ ଥୁଆ ହୋଇଥିବା ପୂଜାଥାଳିକୁ ନେବ। ପୁଣି କେତେ ସମୟ ବିତିଯିବ। ପୁଣି ବ୍ରାହ୍ମଣ ଜଣକ ପୂଜାଥାଳିକୁ ଫେରାଇବା ସହିତ ତଳେ ଥୁଆ ହୋଇଥିବା ଦକ୍ଷିଣାକୁ ଉଠାଇ ନେବ। ଯଦି ବ୍ରାହ୍ମଣ ପୂଜକ ସାମାନ୍ଯ ବିବେକୀ ତେବେ ଏହା ଶୀଘ୍ର ହୁଏ ନଚେତ ଦୀର୍ଘ ସମୟ ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡେ। ଭାବନ୍ତୁ, ଏହା କେତେ ପରିମାଣର ଅପମାନ ହୋଇନପାରେ! ଏହାପରେ ସେହି ଯୁବତୀ ପ୍ରତି ଗାଁର ଉଚ୍ଚଜାତିର ଯୁବକମାନଙ୍କ ବ୍ୟବହାର କଣ ହେଉନଥିବ! ଏହି ଦ୍ରୁଶ୍ଯ ଦେଖୁଥିବା ସେହି ଗାଁର କେତେଜଣ ବ୍ୟକ୍ତି ଏହାର ପ୍ରତିବାଦରେ ମନ୍ଦିର ଯିବା ବନ୍ଦ କରିଦେଇଛନ୍ତି?

ଏପରିକି ଗାଁକୁ ନେଇ କବିତା ଲେଖୁଥିବା କବି ଗାଁର ମନ୍ଦିରକୁ ମନ୍ଦିର ସଂଲଗ୍ନ ପୋଖରୀକୁ ନେଇ ବିରାଟ କବିତା ଲେଖିଛନ୍ତି। ସେମାନେ କିନ୍ତୁ କବିତା ମଧ୍ୟରେ କ୍ଵଚିତ ଏହି ଦ୍ରୁଶ୍ୟ ନିଜ କବିତାରେ ସ୍ଥାନିତ କରିଥାନ୍ତି। ତାହାଙ୍କ ଲାଗି ଗାଁର ମନ୍ଦିର, ରାସ୍ତା, ପୋଖରୀ, ପାହାଡ ଅତି ସୁନ୍ଦର ଦେଖାଯାଏ। ଭଗବାନ ରାଗିବେ କି କଣ ତାଙ୍କ କବିତାରେ ଜାତି ଭେଦଭାବର ମର୍ମନ୍ତୁଦ ଦ୍ରୁଶ୍ୟ ଲୁଚିଯାଏ। 

ଭଗବାନ ମଣିଷ ତିଆରି କରିଥିବା ବାଣୀଟି ଅସତ୍ୟ। ଏଠି ମଣିଷ ହିଁ ତିଆରି କରିଛି ଭଗବାନଙ୍କୁ। ମଣିଷ ମୂର୍ତ୍ତି ଗଢୁଛି ସେ ମନ୍ଦିର ତିଆରି କରୁଛି। ତେଣୁ ପୀଢି ପୀଢି ଧରି କିଛି ମଣିଷଙ୍କର ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ଅଧିକାର ରହିଛି। ମନ୍ଦିରରେ ଉପଯୁକ୍ତ ସମ୍ମାନ ନପାଇବା ହେତୁ ଦଳିତ ସାହିରେ ବିଭିନ୍ନ ମନ୍ଦିର ତିଆରି ହେଉଛି। ସେଥିଲାଗି ନିଜ ମଜୁରୀର ବଡ ଭାଗ ସେମାନେ ମନ୍ଦିର ତିଆରି କରିବା ଲାଗି ଦେଉଛନ୍ତି। ଏହା ବହୁତ ଦୁଃଖଦ ସ୍ଥିତି ସୃଷ୍ଟି କରୁଛି। ଏହାକୁ ଭୁଲ କହିବା ବି କଷ୍ଟକର କଥା। 

ଆଜିକାଲି ଦଳିତ ସାହିରେ ମଧ୍ୟ ଅନେକ ମନ୍ଦିର ତିଆରି ହୋଇଗଲାଣି। ଉଚ୍ଚ ଜାତିର ମନ୍ଦିର ବାହାରେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ। କିନ୍ତୁ ସେଠାରେ ପୂଜା କରୁଥିବା ମଣିଷ ଟି ନିଶ୍ଚିତ ବ୍ରାହ୍ମଣ। ସେ ମନ୍ଦିରକୁ କିନ୍ତୁ ଉଚ୍ଚ ଜାତିର ଲୋକେ ଆସୁନାହାନ୍ତି। ମନ୍ଦିର ଏଭଳି ଧାର୍ମିକ ଅନୁଷ୍ଠାନ ଯାହା ସର୍ବଦା ଜାତିବାଦକୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଆସିଛି।

 

ଜାତି ବିହୀନ ଆରେଞ୍ଜଡ ମ୍ୟାରେଜ କେଉଁଠାରେ ହେଉଥିବା ଜାଣିଛନ୍ତି କି? ପ୍ରେମ ବିବାହ ହେଉଛି। ଏହା ଆମର ପ୍ରଗତିଶୀଳ କମ୍ୟୁନିଷ୍ଟ ପରିବାର ମଧ୍ୟରେ ମଧ୍ୟ ବିରଳ। ପ୍ରାୟତଃ ସମସ୍ତେ ମଧ୍ୟସ୍ଥି ଅଥବା matrimony sites ରେ ନିଜ ଜାତି ମଧ୍ୟରେ ବିବାହ ଖୋଜିଥାନ୍ତି। ସେଭଳି ବିବାହ କାର୍ଯ୍ୟକ୍ରମରେ ସାମ୍ବିଧାନିକ ଅନୁଷ୍ଠାନର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ଠାରୁ ପ୍ରଗତିଶୀଳ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ଵିଧାରେ ଯୋଗ ଦେଇଥାନ୍ତି। କ୍ଵଚିତ ଏହାର ପ୍ରତିବାଦ କରିଥାନ୍ତି।

 

              କୌଣସି ମଣିଷକୁ ତାହାର ଜାତି ପାଇଁ “ଅଛୁଆଁ” ମନେକରିବା ଆଇନ ଦ୍ରୁଷ୍ଟିରେ ଅପରାଧ। କିନ୍ତୁ ସାମାଜ ଏହାକୁ ଏବେ ବି ଅପରାଧ ବୋଲି ଗ୍ରହଣ କରିନାହିଁ। ଏହି ହେତୁ ଜାତି ଭେଦଭାବ କରୁଥିବା ଅପରାଧୀ ଏଠାରେ ଛାତି ଫୁଲାଇ ଚାଲୁଅଛି। ଯଦି ଅସମ୍ମାନିତ ମଣିଷ ପ୍ରତିବାଦ କରୁଛି ତେବେ ଅପରାଧୀ ଚାହିଁଲେ ଆଉ ପାଞ୍ଚ ଜଣଙ୍କୁ ନେଇ ଦଳିତ ବର୍ଗ ଉପରେ ଆକ୍ରମଣ ମଧ୍ୟ କରିଦେଉଛି। ଏହାକୁ ପୋଲିସ, ପ୍ରଶାସନ ଓ ରାଜନୈତିକ ଦଳ ପରୋକ୍ଷ ସମର୍ଥନ ମଧ୍ୟ ଜଣାଉଛି।

   ଗାଁ ଗାଁରେ ତଥାପି ପ୍ରତିବାଦର ରାସ୍ତା ବଦଳୁଛି। 

              ଗାଁର ଦଳିତ ଯୁବକ କି ଯୁବତୀ ଯଦି ସହରରେ ଅଧ୍ୟାପକ/ ଅଧ୍ୟାପିକା, ବ୍ଯାଙ୍କ କର୍ମଚାରୀ, ପୋଲିସ ଇତ୍ୟାଦି ବିଭାଗରେ ନିଯୁକ୍ତ ତେବେ ତାଙ୍କ ସ୍ଥାୟୀ ଡାକ ଠିକଣାରେ ଆସୁଥିବା ରେଜିଷ୍ଟ୍ରି ପୋଷ୍ଟ ଉପରେ ଉଚ୍ଚ ଜାତିର ପୋଷ୍ଟ ମାଷ୍ଟର ନଜର। ସେ ନିଶୟ କିଛି ଭୁଲ ଅର୍ଥ ବାହାର କରୁଥିବ ଓ ଏହାକୁ ଘରେ ପହଞ୍ଚାଇବାରେ ବିଳମ୍ବ ନିଶ୍ଚିତ କରିବ। ଦଳିତ ବସ୍ତିକୁ ଅନଲାଇନ କୋରିୟର ନେଇ ଯାଇଥିବା ଯୁବକକୁ ଗାଁ ଛକରେ ପଚରା ଯାଉଛି ଯେ ପ୍ଯାକେଟରେ କଣ ଥିଲା। ଏହା ପଛରେ ରହିଛି ଦଳିତ ବର୍ଗର ଉତ୍ଥାନ ପ୍ରତି ଅସହିଷ୍ଣୁତା। 

 

              କିନ୍ତୁ ଦଳିତ ବର୍ଗର ପ୍ରତିବାଦକୁ ଉପକୂଳ ଓଡିଶାରେ ଠିକ ଭାବରେ ଏବେ ବି ନିଆଯାଉ ନାହିଁ। ଯଦି ଶିକ୍ଷିତ ଓ ଚାକିରିଆ ଦଳିତ ବର୍ଗର ଯୁବକ/ଯୁବତୀ ପ୍ରତିବାଦ କରୁଛନ୍ତି ତେବେ ତାହାର ପରିବାର ପ୍ରତି ପୁଣି ଆରମ୍ଭ ହେଉଛି ଭିନ୍ନ ପ୍ରକାରର ମାନସିକ ଅତ୍ୟାଚାର। ଯୁବକର ବିବାହରେ ବରଯାତ୍ରୀକୁ ଗାଁ ଦାଣ୍ଡରେ ବାଜା କି ବାଣ ଫୁଟାଇ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯିବ। ଘରକୁ ଆସୁଥିବା କୁଣିଆଙ୍କୁ ଜାତି ପଚାରି ଅସମ୍ମାନିତ କରାଯିବ। ନୂଆ ମଟର ସାଇକେଲକୁ ରାସ୍ତାରେ ଯିବା ଲାଗି ପ୍ରତିବନ୍ଧକ ସୃଷ୍ଟି କରାଯିବ। ବାହାଘରକୁ ଆସିଥିବା ଝିଅର ସାଙ୍ଗମାନଙ୍କୁ ଟାହିଟାପରା କରାଯିବ। ଇତ୍ୟାଦି। ବେଳେ ବେଳେ ଏହି ଅସଦବ୍ୟବହାର ପୁଣି ଯୁକ୍ତିତର୍କ, ଆକ୍ରମଣ ଓ ହିଂସାକାଣ୍ଡର ରୂପ ନେଉଛି।

 

              ଏଭଳି ବ୍ୟବହାର କମ ଅସମ୍ମାନଜନକ ନୁହେଁ। ଉଚ୍ଚ ଜାତିର ବ୍ଯକ୍ତିର ପରିବାର ପ୍ରତି ଯଦି ସେହିଭଳି କୁବ୍ୟବହାର କେହି କରେ ତେବେ ସେମାନେ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ତାହା କେତେ କଷ୍ଟଦାୟକ। ଦଳିତ ଶିକ୍ଷିତ ଯୁବକ ଯୁବତୀ ଯଦି ପ୍ରତିବାଦ କରିନପାରୁଛନ୍ତି ତେବେ ଏହା ପଛରେ ରହିଛି ପୀଢି ପୀଢିର ଅତ୍ୟାଚାର ଓ ଆକ୍ରମଣ ଭୟର ଅନେକ ଉଦାହରଣ। ତେଣୁ ଦଳିତ ପରିବାର ଏହାର ସହଜ ରାସ୍ତା ନେଉଛି। ଶିକ୍ଷିତ ଦଳିତ ଯୁବକ ଯୁବତୀ ନିଜର ଗାଁ ସହିତ କ୍ଵଚିତ ସମ୍ବନ୍ଧ ରଖୁଛନ୍ତି। 

 

              ଏହି ଘୃଣ୍ୟ ଜାତିଭେଦ ବିରୁଦ୍ଧରେ ଓଡିଶାରେ କିଛି ଉଦ୍ୟମ ଗଲା ଶତାବ୍ଦୀମାନଙ୍କରେ ହୋଇଛି। ବଳରାମ ଦାଶ, ସରୋଳ ଦାସ ବା ସାରଳା ଦାସ, ଭୀମଭୋଇ ଇତ୍ୟାଦି ଜାତିଭେଦକୁ ଦୂର କରିବା ଲାଗି ଉଦ୍ୟମ କରିଥିଲେ। ଭୀମଭୋଇ ନିଜର ଭକ୍ତମାନଙ୍କୁ ଜାତିଭେଦ ତ୍ୟାଗ କରିବା, ମନ୍ଦିର ନଯିବା, ତୀର୍ଥ ନଯିବା ଲାଗି ପ୍ରବର୍ତ୍ତାଉଥିଲେ।  ସ୍ଵାଧୀନତା ସଂଗ୍ରାମ କାଳରେ ଗାନ୍ଧୀବାଦୀ ସଂଗଠନମାନେ ଜାତି ଓ ଯୌତୁକ ବିହୀନ ବିବାହ, ନିଶା ନିବାରଣ, ଭୁଦାନ ଓ ସାହୁକାର ରୁଣ ପ୍ରତ୍ୟାଖ୍ୟାନ ଆନ୍ଦୋଳନ ମାଧ୍ୟମରେ ଜାତିଭେଦକୁ ଦୂର କରିବା ଦିଗରେ ଉଦ୍ୟମ କରୁଥିଲେ।

 

              ପରେ ପଚାଶ ଦଶକରୁ ବିଭିନ୍ନ କମ୍ୟୁନିଷ୍ଟ ସଂଗଠନମାନେ “ଲଙ୍ଗଳ ଯାହାର ଜମି ତାହାର” ସ୍ଲୋଗାନ ଦେଇ ଦଳିତ ଭୂମିହୀନଙ୍କୁ ଜମି ଦେବା ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ସାହୁକାରର ଜମି ହଡପ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର କରିଛନ୍ତି। ସେମାନଙ୍କ ଉଦ୍ୟମ ହେତୁ ଦେଶରେ ଜମିଦାରୀ ପ୍ରଥା ଓ ଗଡଜାତ ରାଜାମାନଙ୍କ ପ୍ରାଦୁର୍ଭାବରେ ବିରାମ ଆସିପାରିଲା। ଉଭୟ ସର୍ବୋଦାୟୀ ଓ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ନିଜର ଉଦ୍ୟମ ଏବେ ବି ଜାରି ରଖିଛନ୍ତି।

 

              କିନ୍ତୁ ଗଲା କିଛି ବର୍ଷ ହେଲା ଦକ୍ଷିଣପନ୍ଥୀ ବିଚାର ଓଡିଶାରେ ପ୍ରାଧାନ୍ଯ ବିସ୍ତାର କରିବା ପରେ ଦଳିତଙ୍କ ଉପରେ ଆକ୍ରମଣ ପୁଣି ବଢିବାରେ ଲାଗିଛି। ଗୋମାଂସ ଭକ୍ଷଣ, ମନ୍ଦିର ପ୍ରବେଶ, ଦଳିତ ଯୁବକ ଉଚ୍ଚ ଜାତିର ଝିଅ ବାହା ହେବା ଏପରିକି ଧର୍ମାନ୍ତରୀକରଣ ଅଭିଯୋଗରେ ଦଳିତ ବର୍ଗ ଉପରେ ଆକ୍ରମଣ ବଢୁଛି। ଧର୍ମର ସରାଂକ୍ଷଣ  ନାମରେ ଉକ୍ତ ସଂଗଠନମାନେ ଯୁବକଙ୍କ ହାତରେ ଖଣ୍ଡା, ତଲବାର, ଲାଠି ଧରାଇ ଜାତିହିଂସାର ବାତାବରଣ ପୁଣିଥରେ ସୃଷ୍ଟି କରିବାରେ ଲାଗିଛନ୍ତି। 

 

              ଖୁସିର କଥା ଯେ ଆଜି ଓଡିଶାରେ ଆମ୍ବେଦକରବାଦୀମାନେ କିଛି ଦଶନ୍ଧି ହେଲା ଜାତିଭେଦ ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦକ୍ଷିଣପନ୍ଥୀ ବିଚାରକୁ ସେମାନେ ବିରୋଧ କରୁଛନ୍ତି। ଉଚ୍ଚ ଜାତି ଦ୍ଵାରା ଦଳିତ ବର୍ଗ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଧାରଣା, ରାସ୍ତାରୋକ ଓ ବିକ୍ଷୋଭ ମାଧ୍ୟମରେ ସେମାନେ କରୁଛନ୍ତି। ଦୋଷୀକୁ ଦଣ୍ଡ ଦେବା, ଏସସି ଓ ଏସଟି ଅତ୍ୟାଚାର ନିରୋଧ ଆଇନକୁ ଲାଗୁ କରିବା, ସରକାରୀ ଶିକ୍ଷା ଅନୁଷ୍ଠାନରେ ଉନ୍ନତି ଆଣିବା, କୁସଂସ୍କାରକୁ ବିରୋଧ କରିବା, ଜମିହୀନଙ୍କୁ ଜମି ଦେବା ଇତ୍ୟାଦି ଦାବି ସରକାରଙ୍କ ସାମ୍ନାରେ ସେମାନେ ରଖୁଛନ୍ତି। ଏବେ ସେମାନେ ଓଡିଶାର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହେବାରେ ଲାଗିଛନ୍ତି। ଏହାର ନେତୃତ୍ଵ ଦଳିତ ବର୍ଗ ନେଉଛନ୍ତି। ହୁଏତ ସେମାନେ ସଫଳ ହେବେ। ହୁଏତ ସେମାନଙ୍କ ନେତୃତ୍ବରେ ସମାଜରୁ ସଂପୂର୍ଣ୍ଣ ଭାବରେ ଜାତିଭେଦ ଲୋପ ପାଇଯିବ।