ଦେବ ରଞ୍ଜନ
ସମୟ ସମୟରେ ଆମ ଅନୁମାନ ବାହାରେ କିଛି ଘଟଣା ଘଟିଯାଏ ଯାହା
ଆମକୁ ଅନେକ ପରିମାଣରେ ଚକିତ କରିଦିଏ। କାରଣ ଆମେ ଭାବିନଥାଉ ଯେ ସେଭଳି କିଛି ସତରେ ଘଟିବ।
ନ୍ୟୁୟର୍କର ମେୟର ଭାବରେ ମମଦାନୀଙ୍କ ଜିତିବାରେ ମୁଁ ବହୁତ
ପରିମାଣରେ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଲାଗି ଆଶ୍ଚର୍ଯ୍ୟର ବିଷୟ ଥିଲେ ନ୍ୟୁୟର୍କବାସୀ।
ଟ୍ରମ୍ଫଙ୍କ ସମସ୍ତ ଧମକ ସତ୍ବେ (“ଯଦି ମମଦାନୀ ନିର୍ବାଚିତ
ହୁଅନ୍ତି ତେବେ ସମସ୍ତ ଫଣ୍ଡ ବନ୍ଦ କରିଦେବି”) ନିୟୁର୍କବାସୀ ମମଦାନୀଙ୍କ ଭଳି ଏକ ମୁସଲମାନ
ଯୁବକଙ୍କ ଉପରେ ଭରସା ରଖି ତାଙ୍କୁ ନିର୍ବାଚିତ କଲେ (୧୦ ଲକ୍ଷରୁ ଅଧିକ ଭୋଟର ଅର୍ଥାତ ୫୦.୪% ଭୋଟ) ଓ ଘୃଣାକୁ ଭରସାରେ ବଦଳାଇବାକୁ ଚେଷ୍ଟା
କଲେ । ଏହା ପ୍ରଥମ ଆଶ୍ଚର୍ଯ୍ୟର ବିଷୟ।
ଏହା ଜଣାଶୁଣା କଥା ଯେ ମମଦାନୀଙ୍କ ପିତା ଗୁଜୁରାତି ମୁସଲିମ, ମା’ ମୀରା ନାୟାର (ପ୍ରସିଦ୍ଧ ହିନ୍ଦୀ
ଫିଲ୍ମ ନିର୍ମାତା) ଜଣେ ପଞ୍ଜାବୀ। ମମଦାନୀଙ୍କ ଜନ୍ମ ପୂର୍ବ ଆଫ୍ରିକା ଦେଶ ଉଗାଣ୍ଡାରେ। ତାଙ୍କୁ
ଯେତେବେଳେ ସାତ ବର୍ଷ ସେ ଆମେରିକା ଆସିଛନ୍ତି। ତେଣୁ ସେ ଜନ୍ମରୁ ଆମେରିକୀୟ ନୁହନ୍ତି।
ଟ୍ରମ୍ଫ ଆମେରିକାରୁ ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ବାହାର କରିବା ଲାଗି ଘୃଣାର ମାହଲ
ସୃଷ୍ଟି କରୁଥିବା ବେଳେ ମମଦାନୀଙ୍କ ଭଳି ବିଦେଶାଗତ ବା
ଇମିଗ୍ରାଣ୍ଟଙ୍କୁ ନିୟୁର୍କବାସୀ ନିର୍ବାଚିତ କରିବା ମୋ ପାଇଁ ଦ୍ଵିତୀୟ ଆଶ୍ଚର୍ଯ୍ୟର ବିଷୟ।
ମମଦାନୀଙ୍କ ଡେମୋକ୍ରାଟିକ – ସୋସିଆଲିଷ୍ଟ ଅଫ ଆମେରିକା ଏକ କମ୍ୟୁନିଷ୍ଟ ପାର୍ଟି। ଏଠାରେ ଜଣେ ଅରବପତିଙ୍କ ଭାଷାରେ ଝାଡା ଗଲେ ଫ୍ଲଶ କରିବା ଲାଗି ବି
କର୍ପୋରେଟର ସହଯୋଗ ଆବଶ୍ୟକ। ଏଭଳି ଏକ ସହରର ବାସିନ୍ଦା କମ୍ୟୁନିଷ୍ଟ ବିଚାରର ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ତୃତୀୟ
ଆଶ୍ଚର୍ଯ୍ୟର ବିଷୟ।
ଆମେରିକାରେ ଇସଲାମ ଭୟ ଆରମ୍ଭ ହୁଏ ୯/୧୧ ଘଟଣାରୁ। ଅପହରଣକାରୀ
୧୯ ଜଣଙ୍କ ସମେତ ୩୦୦୦ ଆମେରିକୀୟ ବିଶ୍ଵ ବାଣିଜ୍ୟ କେନ୍ଦ୍ର ବିଲିଡିଙ୍ଗ ଧ୍ଵଂସ ହେତୁ ମୃତ୍ୟୁ ବରଣକରିଥିଲେ।
ଆଲକାଏଦା ଓ ଲାଡେନ ଏହାକୁ ପାଲେଷ୍ଟାଇନରେ ଚାଲିଥିବା ନରସଂହାରର ପ୍ରତିଶୋଧ ବୋଲି ଭିଡିଓ
ବାର୍ତ୍ତାରେ କହିଥିଲେ।
୯/୧୧ ଘଟଣା ପରେ ରାଷ୍ଟ୍ରପତି ବୁଶ ଆଫଗାନିସ୍ତାନକୁ ପ୍ରଥମ
ଲକ୍ଷ୍ୟ କରିନଥିଲେ, ବରଂ, କରିଥିଲେ ଇରାକକୁ ଓ ହତ୍ୟା କରିଥିଲେ
ସଦାମ ହୁସେନଙ୍କୁ କାରଣ ସେଠାରୁ ଅଶୋଧିତ ତୈଳ ଲୁଟିବା ତାଙ୍କର କମ୍ପାନୀମାନଙ୍କ ଲକ୍ଷ୍ୟ ଥିଲା।
ଆମେରିକାର ତତ୍କାଳୀନ ବୁଶ ସରକାର ଏହାକୁ ସମଗ୍ର ମୁସଲମାନ ସମାଜର
ଷଡଜନ୍ତ ବୋଲି ଚିତ୍ରିତ କରି ଶବମାନଙ୍କୁ ନେଇ ଭାବପ୍ରବଣ ରାଜନୀତି ଓ ଶୋଷଣର ଅର୍ଥନୀତି ଆରମ୍ଭ
କରିଦେଲେ। ବୁଶଙ୍କ “ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା” ପ୍ରକୃତରେ ଇସଲାମ ବିରୁଦ୍ଧରେ ଯୁଦ୍ଧ
ଘୋଷଣା ଥିଲା।
ପରିବେଶ ଏତେ ପରିମାଣରେ ଘୃଣାରେ ଭରିଯାଇଥିଲା ଯେ ଅନେକ
ଆମେରିକୀୟ ମୁସଲମାନ ଯାହାର ଟୋପି ଓ ଦାଢି ଅଛି ସେ ମଧ୍ୟ ସାଧାରଣ ଖ୍ରୀଷ୍ଟୀୟ ଆମେରିକୀୟଙ୍କ
ଦ୍ଵାରା ଆକ୍ରମଣର ଶିକାର ହେଉଥିଲା।
ଆମେରିକାରେ ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ଅନେକ ଗୁଜବ
ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେଗୁଡିକ
ହେଲା; ‘ଆମେ ଖ୍ରୀଷ୍ଟିୟାନ ବିଶ୍ଵରେ ସବୁଠାରୁ ଶ୍ରେଷ୍ଠ’, ‘ଯଦି ମୁସଲମାନ ଆମ ଦେଶରେ ରୁହନ୍ତି ତେବେ ଆମ
ଦେଶରେ ଆମେ ସଂଖ୍ୟା ନ୍ୟୁନ ହୋଇଯିବା’, ‘ସେମାନେ ଆମ ଦେଶକୁ ଅକ୍ତିଆର କରିଦେବେ’, ‘ମୁସଲମାନମାନେ
ବହୁ ନୃଶଂସ’, ‘ସେମାନେ ନାରୀକୁ ଅସମ୍ମାନ କରିଥାନ୍ତି’ ଇତ୍ୟାଦି।
ଆମେରିକାର ତିନୋଟି ପ୍ରତାରଣାପୂର୍ଣ୍ଣ ବ୍ୟାଖ୍ୟାନ ଆଜି ବି ସମଗ୍ର ବିଶ୍ଵର ଅର୍ଥନୀତି ଓ ରାଜନୀତିକୁ
ପ୍ରଭାବିତ କରିରଖିଛି।
ପ୍ରଥମରେ, କର୍ପୋରେଟଙ୍କ ବିନା ଦେଶର ବିକାଶ ଅସମ୍ଭବ;
ଦ୍ଵିତୀୟରେ, ସମସ୍ତ “ଉଗ୍ରପନ୍ଥୀ” ମୁସଲମାନ ନହୋଇପାରନ୍ତି ମାତ୍ର ସମସ୍ତ ମୁସଲମାନ ନିଶ୍ଚିତ “ଉଗ୍ରପନ୍ଥୀ” ଓ
ତୃତୀୟରେ, ଯୁଦ୍ଧର ଅନ୍ୟ ନାମ ହେଲା ଶାନ୍ତି।
ଏହା ଦ୍ଵାରା ଆମେରିକାର ଅର୍ଥନୀତି ବଳିଷ୍ଠ ହୋଇଛି। ଏହି ତିନି
ବ୍ୟାଖ୍ୟାନର ପ୍ରଭାବ ଏସିଆ ଓ ଆଫ୍ରିକାର ଅନେକ ଦେଶରେ ଶୁଣିବାକୁ ମିଳେ।
ଯଦି ଆମେରିକାର
ଶାସନ ବ୍ୟବସ୍ଥା ଏହି ତିନି ଉପାଖ୍ୟାନକୁ ବାଦ ଦେଇଦେବ ତେବେ କୌଣସି ଆଫ୍ରିକୀୟ ବା ଏସିୟ ଦେଶ
ଠାରୁ ବି ଏହି ଦେଶ ଦୁର୍ବଳ ଓ ଗୌଣ ହୋଇଯିବ।
ଗୋଟିଏ ଧର୍ମ ବିରୁଦ୍ଧରେ ଆମେରିକୀୟ ରାଷ୍ଟ୍ର ଶକ୍ତି ଠିଆ
ହୋଇଥିଲା। ଏଥିରେ ବଳି ପଡିଲେ ସେହି ଧର୍ମକୁ ବିଶ୍ଵାସ କରୁଥିବା ଅନେକ ସରଳ ଓ ନିରୀହ ପୁରୁଷ ଓ
ନାରୀ। ସେହି ଦେଶରେ ନ୍ୟୁୟର୍କବାସୀ ପୁଣି
ମାମଦାନୀଙ୍କୁ ନିର୍ବାଚିତ କରିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ।
ଆମେ ଭାରତରେ ମଧ୍ୟ ଇସଲାମ-ଭୟର ପ୍ରଭାବ ଦେଖୁଛୁ। ଭାରତରେ
୨୦୦୨ ମସିହାରେ ଗୁଜୁରାଟରେ ମୁସଲିମ ଗଣହତ୍ୟା ହୋଇଥିଲା। ପ୍ରାୟ ୧୦୦୦୦ ମୁସଲମାନଙ୍କୁ ଗୁଜୁରାଟର
ବିଭିନ୍ନ ସହରରେ ହତ୍ୟା କରାଯାଇଥିଲା ଅନେକଙ୍କ ଗୃହକୁ ଜାଳି ଦିଆଯାଇଥିଲା, ଅନେକ ମହିଳାଙ୍କ ପ୍ରତି ଦୁଷ୍କର୍ମ
କରାଯାଇଥିଲା।
୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖରେ ଉତ୍ତର ପ୍ରଦେଶର ନୋଏଡା
ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦
ରୁ ଉର୍ଦ୍ଧ ନିଜ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କୁ ତାଙ୍କ ଘରେ ଗୋମାଂସ ରଖିଥିବା ଅଭିଯୋଗରେ
ପିଟିପିଟି ମାରିଦେଲେ।
‘ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସ’ର ତଥ୍ୟ ଅନୁସାରେ କାହାର ଘର ମଧ୍ୟରେ ଜବରଦସ୍ତି ପଶି ଗୋମାଂସ
ରଖିବା ଆଳରେ କାହାରିକୁ ହତ୍ୟା କରିବା ଦେଶ ମଧ୍ୟରେ ତାହା ଥିଲା ପ୍ରଥମ ଘଟଣା। ମହମ୍ମଦ ଅଖଲାକ
ଜଣେ ଗରିବ କମାର ଥିଲେ। ତାଙ୍କ ହତ୍ୟାକାରୀମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ।
ଏହି ଠାରୁ ଗୋମାଂସ ନାମରେ ଆକ୍ରମଣ
ଜାଣନ୍ତୁ ଭାରତରେ ଆରମ୍ଭ ହେଲା। ହରିୟାନାର ପେହେଲୁ ଖାଁଙ୍କୁ ୨୦୧୭ ମସିହାରେ ଗୋରକ୍ଷକମାନେ
ରାଜସ୍ଥାନର ଅଲୱାର ଠାରେ ହତ୍ୟାକରିଥିଲେ। ବିଡମ୍ବନା ଯେ ନିକଟରେ ଅଲୱାର କୋର୍ଟ ଛଅ
ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି।
ପୁନେର ଇଞ୍ଜିନିୟର ମହସିନ ସାଦିକଙ୍କୁ
୨୦୧୪ ମସିହାରେ ମସଜିଦରୁ ବାହାରୁଥିବା ବେଳେ ହିନ୍ଦୁ ରାଷ୍ଟ୍ର ସେନାର କର୍ମୀଙ୍କ ଦ୍ଵାରା ହତ୍ୟା
କରାଯାଇଥିଲା। ପରେ ପୁନେ କୋର୍ଟ ସମସ୍ତ ୨୦ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିଥିଲେ।
ଅତି ବିଭାତ୍ସ ଥିଲା ଝାଡଖଣ୍ଡର ତବ୍ରେଜ
ଅନଶରୀର ହତ୍ୟା। ସେ ଅନାଥାଶ୍ରମର ବାସିନ୍ଦା ଥିଲେ। ତାଙ୍କର ବିବାହର ପରଦିନ ତାହାଙ୍କୁ “ଜୟ
ଶ୍ରୀରାମ” “ଜୟ ହନୁମାନ” କହିବାକୁ ବାଧ୍ୟ କରିବା ଓ କହିବା ସତ୍ବେ ତାହାକୁ ପିଟି ପିଟି ସଂଘ
ପରିବାରର ସଦସ୍ୟମାନେ ହତ୍ୟା କରିବା ବିଭତ୍ସ ମାନସିକତାର ଉଦାହରଣ।
ମହମ୍ମଦ ଅଖଲାକ, ତବ୍ରେଜ ଅନଶରୀ, ପେହେଲୁ ଖାଁ ଓ ମହସିନ ସାଦିକଙ୍କ ହତ୍ୟା ଯେତିକି ଘୃଣ୍ୟ ଥିଲା ଏହି ସମସ୍ତ ଅପରାଧରେ
ଅପରାଧୀମାନେ ଖଲାସ ହୋଇଯିବା ମଧ୍ୟ ସେତିକି ଦୁଃଖର ବିଷୟ ଥିଲା।
ଏଭଳି ଏକ ଘୃଣାର ପରିବେଶ ଭିତରେ ସମାନତା
ଓ ନ୍ୟାୟ ପାଇଁ ଆମର ଲଢେଇ ଜାରି ରଖିବା ଆମର ମାନବିକତାକୁ ବଞ୍ଚାଇ ରଖିବା ସହିତ ସମାନ। ଆଶା
କରିବା ଯେ ଭାରତରେ ମଧ୍ୟ ଅନେକ ଲୋକ ଇସଲାମ-ଭୟରୁ ନିଜକୁ ମୁକ୍ତ କରିବେ ଓ ଘୃଣାକୁ ବିରୋଧ
କରିବେ।
କିନ୍ତୁ ଏହା ସହଜ ନୁହେଁ। ଆମେରିକା ଲାଗି
ସକାରାତ୍ମକ ସ୍ଥିତି ହେଲା ଯେ ସେଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଭଳି ସଂଗଠନ ନାହିଁ।
ଭାରତରେ ଧର୍ମ ନାମରେ ଘୃଣାର ରାଜନୀତି ଏହି ସଂଘ ଅଧିକ ପ୍ରଚାର କରୁଛି। ସଂଘ ଲାଗି ଭାରତୀୟତା
ଆଦୌ ପ୍ରସଙ୍ଗ ନୁହେଁ ବରଂ ହିନ୍ଦୁ-ଭାରତୀୟ ଏହାର ପ୍ରସଙ୍ଗ।
ଆଦାନୀ ଓ ଆମ୍ବାନୀଙ୍କ ପାଖରେ ଧନ ଠୁଳ
ହେବା, ପରିବେଶ ଧ୍ଵଂସ ହେବା, ଉତ୍ତରାଖଣ୍ଡରେ ଭୁସ୍ଖଳନ, ଅନାହାର ମୃତ୍ୟୁ, ବେରୋଜଗାରେ ହେତୁ ଭାରତୀୟ ଯୁବକ ଆତ୍ମହତ୍ୟା ଇତ୍ୟାଦି ସଂଘ
ଲାଗି ଚିନ୍ତାର ବିଷୟ ନୁହେଁ।
କିନ୍ତୁ ମହମ୍ମଦ ଅଖଲାକ ଓ ତବ୍ରେଜ
ଅନଶରୀଙ୍କ ଭଳି ଗରିବ ମୁସଲମାନ ଗୋମାଂସ ଖାଇବା ସଂଘ ଲାଗି ବହୁତ ବଡ ପ୍ରସଙ୍ଗ। ଭାରତୀୟ ରାଷ୍ଟ୍ର
ବ୍ୟବସ୍ଥାର ସମସ୍ତ ସହଯୋଗ ସଂଘ ସହିତ ରହିଛି। ତେଣୁ ଭାରତରେ ଏତେ ଶୀଘ୍ର ପରିବର୍ତ୍ତନ ଯେ ଆସିବ
ସେ ସମ୍ଭାବନା ଦେଖାଯାଉନାହିଁ।
ମମଦାନୀଙ୍କ ନିର୍ବାଚନ ପ୍ରତିଶୃତି ରହିଛି ଯେ ସେ ନିଜର
କାର୍ଯ୍ୟକାଳ ମଧ୍ୟର ସମସ୍ତ ନିୟୁର୍କବାସୀଙ୍କ ଲାଗି ଗୃହ, ସମସ୍ତଙ୍କ ପାଇଁ ସୁରକ୍ଷିତ ଜୀବନ
ଆଣିବେ। ତାଙ୍କର ପ୍ରତିଶୃତି ଯେ ଏଣିକି ଘରମାଲିକମାନେ ମନଇଛା ଭଡା ବୃଦ୍ଧି କରିପାରିବେ ନାହିଁ।
ସେ ବସଯାତ୍ରୀ ଭଡା ଛାଡ କରିବେ ଓ ଛଅ ସପ୍ତାହରୁ ପାଞ୍ଚ ବର୍ଷର
ପିଲାଙ୍କୁ ଚିକିତ୍ସା ମାଗଣାରେ ଉପଲବ୍ଧ କରାଇବେ। ଏହା ଯେ କେତେଦୂର ସମ୍ଭବ ହେବ ତାହା ମମଦାନୀ ଓ
ଆମେରିକାର ଅର୍ଥବ୍ୟବସ୍ଥା ଉପରେ ନିର୍ଭର କରୁଛି।
ମାତ୍ର ଆମ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସାଧାରଣ
ଆମେରିକାବାସୀ କର୍ପୋରେଟ ଅର୍ଥନୀତିର ଶ୍ରେଷ୍ଠରେ ଥାଇ ବି ଦାରିଦ୍ର୍ୟ, ବାସସ୍ଥାନ ଓ ସ୍ୱାସ୍ଥ୍ୟ ଇତ୍ୟାଦି
ସମସ୍ଯା ଭୋଗୁଛନ୍ତି।
ଆମେରିକା ସମ୍ପର୍କରେ ଯେଉଁ ସୁନା ଚାମୁଚର ଚିତ୍ର ପଶ୍ଚିମ
ଗଣମାଧ୍ୟମମାନେ ଆମକୁ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ। ଏହା ମମଦାନୀଙ୍କ ପ୍ରତିଶୃତିରୁ ବେଶ ସ୍ପଷ୍ଟ।
କର୍ପୋରେଟ ଅର୍ଥନୀତି ହେଲା ଜନସାଧାରଣଙ୍କ ସଞ୍ଚିତ ଅର୍ଥରେ
ଜଣେ ଦୁଇ ଜଣ ବିଲିୟୋନାୟାର ଓ ଅନେକ ସଂଖ୍ୟକ ବାସହୀନ ମଣିଷ ସୃଷ୍ଟି କରିବା – ମାମଦାନୀଙ୍କ ନିର୍ବାଚନ
ପ୍ରତିଶୃତି ଠାରୁ ଏହାର ଆଉ କଣ ବଡ ପ୍ରମାଣ ରହିଛି!

No comments:
Post a Comment