ଦେବ ରଞ୍ଜନ
ଆଜି କାଲି ଯୁକ୍ତି କରାଯାଉଛି ଯେ ଜାତିଭେଦ ଚାଲିଗଲାଣି। ସତରେ ରାଜ୍ୟରେ ଯଦି ଜାତିଭେଦ ଚାଲିଯାଇଥାନ୍ତା ତେବେ ମନ୍ଦିର ପ୍ରବେଶ କାରଣରୁ କାହାରିକୁ ଜୀବନ ଦେବାକୁ ପଡିନଥାନ୍ତା। କେହି ହୁଏତ କହିପାରନ୍ତି ଯେ ମଣିଷକୁ ଇଶ୍ଵର ତିଆରି କରିଛନ୍ତି। ବାସ୍ତବ ହେଲା ଯେ ମଣିଷ ତିଆରି କରିଛି ଈଶ୍ଵରଙ୍କୁ। ଇଶ୍ଵରଙ୍କ ଉପରେ କିଛି ଜାତିର ସ୍ଵତନ୍ତ୍ର ଅଧିକାର ରହିଛି। ସେଥିଲାଗି ହିଁ ପୁରୀ ଜିଲ୍ଲାର ବୋଲଗଡ ଅଞ୍ଚଳର ବୃଦ୍ଧଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା କାରଣରୁ ଜୀବନ ଦେବାକୁ ପଡିଲା। ଏଭଳି ଘୃଣା ଓ କ୍ରୋଧଜନିତ କାଣ୍ଡ କେବଳ ପୁରୀ ଜିଲ୍ଲାରେ ନୁହେଁ ଓଡିଶାର ଅନେକ ପ୍ରାନ୍ତରେ ଘଟୁଛି। ଏହାପରେ କୁହାଯାଇ ନପାରେ ଯେ ଏ ରାଜ୍ୟରୁ ଜାତିଭେଦ ଚାଲିଯାଇଛି।
ଜାତିଭେଦ ଭୋଗୁଥିବା ମଣିଷ ଜାଣିଛି ଉଚ୍ଚ ଜାତିର ଘୃଣା ଓ ଅସମ୍ମାନପୂର୍ଣ୍ଣ ବାର୍ତ୍ତାଳାପ କେତେ ଯନ୍ତ୍ରଣାଦାୟକ। ଉଚ୍ଚ ଜାତିର ମଣିଷ ପୀଢି ପୀଢିର ଅଧିକାର ଭାବି ଜାତିଭେଦର ଘଟଣାଟିଏ ଘଟାଇଦିଏ। ସେ ଅତି ସହଜରେ ତାହା କରିଦିଏ କାରଣ ସେ ନୃଶଂସ ଓ ଅମଣିଷ ପାଲଟି ଯାଇଥାଏ। କିନ୍ତୁ ଏହାକୁ ଭୋଗିଥିବା ମଣିଷ ସାରା ଜୀବନ ସେହି ଘଟଣାକୁ ମନେରଖେ। ସେହି ଯନ୍ତ୍ରଣାକୁ ନିଜ ଭିତରେ ଚାପି ରଖିଥାଏ। କିଏ ହୁଏତ ପ୍ରତିବାଦ କରେ ତ ପୁଣି କିଏ ପ୍ରତିବାଦର ପରିଣାମକୁ ଭାବି ଚୁପ ରହେ। ଏହା ନୁହେଁ ଯେ ସେ ଅଛୁଆଁ ପ୍ରଥାକୁ ମାନିନିଏ।
କେହି ହୁଏତ ଯୁକ୍ତି କରିପାରନ୍ତି ଯେ ଜାତିଭେଦ କେବଳ ଗ୍ରାମାଞ୍ଚଳରେ ଅଛି ସହରରେ ନାହିଁ। କିଛି ଦିନ ତଳେ ଏକ ମିଟିଂରେ ମହିଳା ଜଣକ କୋହ ଭରା ସ୍ଵରରେ ଭୁବନେଶ୍ବରରେ ଘର ମିଳିବାରେ ହୋଇଥିବା ଅସୁବିଧା ସମ୍ପର୍କରେ କହୁଥିଲେ। ଚାକିରିଆ ସେ। ନିଜର ଦୁଇ ସାନ ଭାଇଙ୍କୁ ନେଇ ସହରରେ ରହିବା ଲାଗି ଘର ଖୋଜୁଥିଲେ। ତାଙ୍କର ନାମରୁ ତାଙ୍କର ଜାତି ଜାଣିପାରି ଗୃହ ମାଲିକ ତୁରନ୍ତ ଭଡା ଦୁଇ ଗୁଣ ଶୁଣାଇଦେଲେ। ଯଦି ବି ସେ ଅଭିଯୋଗ କରିବେ ତେବେ ବି ତାହାର କୌଣସି ଅନୁସନ୍ଧାନ ହେବ ନାହିଁ।
ଜାତିଭେଦର ଅନେକ ଘଟଣା ଓଡିଶାର ବିଭିନ୍ନ ପ୍ରାନ୍ତରେ ଘଟୁଛି। ପଶ୍ଚିମ ଓଡିଶାରେ ଦଳିତ ବର୍ଗ ଉପରେ ହେଉଥିବା ଭେଦଭାବର ଉଦାହରଣ ଦେଉଛି। ଗାଁର ହୋଟେଲବାଲା “ଅଛୁଆଁ” ମଣିଷଙ୍କୁ ପତ୍ରରେ ସିଙ୍ଗଡା କି ବରା ଦେବା ସମୟରେ ଉପରୁ ଫିଙ୍ଗିକରି ଦେଉଛନ୍ତି। ଏହା ମୁଁ ଭୀମଭୋଇଙ୍କ ଆଶ୍ରମ ସନ୍ନିକଟ ଗ୍ରାମମାନଙ୍କରେ ରହୁଥିବା ଦଳିତ ପରିବାରମାନଙ୍କ ଠାରୁ ଶୁଣିଛି। ସେହିଠାରେ ଉପସ୍ଥିତ ଅନ୍ୟ ମଣିଷମାନେ ଏହାର ପ୍ରତିବାଦ କରୁନାହାନ୍ତି।
ବୌଦ୍ଧ ଓ ସୋନପୁର ଅଞ୍ଚଳର ଦଳିତ ପରିବାରମାନେ ଜାତିଭେଦର ପ୍ରତିବାଦ କରୁଛନ୍ତି। କିନ୍ତୁ ସେମାନେ ସଂଖ୍ଯାରେ କମ। ପୁଲିସର ସହଯୋଗ ଉଚ୍ଚ ଜାତି ପ୍ରତି ରହୁଥିବା କାରଣରୁ ସେମାନେ ନୀରବ ରହିବା ଲାଗି ବାଧ୍ୟ ହେଉଛନ୍ତି। ଦଳିତ ଯୁବକଙ୍କର ବି ଇଚ୍ଛା ଯେ ଭଲ ରୋଜଗାର ଲାଗି ସେମାନେ ବି ହୋଟେଲ ଖୋଲନ୍ତେ। କିନ୍ତୁ ସେମାନେ ନିଶ୍ଚିତ ଯେ ସେମାନଙ୍କ ହୋଟେଲକୁ କେହି ଖାଇବାକୁ ଆସିବେ ନାହିଁ। ଏହା ଜାତିଗତ ଘୃଣା ନୁହେଁ ତ ଆଉ କଣ? ଏହା ପଶ୍ଚିମ ଓଡିଶାର ସ୍ଥିତି।
ଦକ୍ଷିଣ ଓଡିଶାରେ ଜାତିଭେଦ ବେଶ ସ୍ପଷ୍ଟ। ଗ୍ରାମାଞ୍ଚଳରେ ଦଳିତ ପରିବାରର ସଦସ୍ୟ କାହାର ଘରକୁ ଉଠିଗଲେ ଏଠାରେ ସେ ଫେରିଆସିବା ପରେ ସେହି ଘରକୁ ଧୋଇଦିଆଯାଉଛି। ଦଳିତ ପିଲାଟିଏ ମହିଳାଙ୍କୁ ଛୁଇଁ ଦେବା ହେତୁ ସେ ଗାଁର ପୋଖରୀ ପର୍ଯ୍ୟନ୍ତ ଚାଲିଯାଉଛନ୍ତି। ପିଲାଟି କଦାପି ଭୁଲିପାରିବ କି ଏହି ବ୍ୟଥାକୁ? ଦଳିତ ମହିଳାଙ୍କୁ ନେଇ ଅତି ନିମ୍ନମାନର ପରିହାସ ଗାଁର ଯାତ୍ରାରେ କରାଯାଉଛି। ଏହି ସବୁ ଘଟଣାକୁ ଭୋଗୁଥିବା ପରିବାର କଦାପି ଭୁଲିପାରିବ ନାହିଁ। ଦେହରେ ବାଜିଗଲେ ସେ ଗାଳି ଦେଇ ଦେଇ ଗାଁର ପୋଖରୀରେ ଯାଇ ଗାଧୋଇଥାନ୍ତି।
ପୁରୀ ଜିଲ୍ଲାର ଜାତିଭେଦ କିଛି କମ ନାହିଁ। ଗାଁରେ ବାହାଘର ହେଉଛି। କେଉଁଠି ବରଯାତ୍ରୀର ଗୋଡ ଧୋଇବା ହେଉ କି ଲାଇଟ ଧରି ଚାଲିବା ହେଉ ଏହି କାମ କରିବା ଲାଗି ଏଠି ଜାତି ଅନୁସାରେ ବାଧ୍ୟ କରାଯାଉଛି। ଏଠାରେ ବୟସର ତାରତମ୍ୟକୁ ନଦେଖି ଦଶ ବର୍ଷର ଉଚ୍ଚ ଜାତିର ବାଳକଟିଏ ଷାଠିଏ ବର୍ଷର ବୃଦ୍ଧ ବା ବୃଦ୍ଧା ବ୍ୟକ୍ତିଙ୍କୁ ନାମ ଧରି ଡାକୁଛି। ପାରମ୍ପରିକ କାର୍ଯ୍ୟରେ ଯୋଗଦେବାର ହୁକୁମନାମାଟି ସେ ପରିବାରର ମୁଖ୍ୟଙ୍କ ତରଫରୁ ଦଳିତ ବର୍ଗର ମଣିଷକୁ ଶୁଣାଇଦେଉଛି ଯେ କାର୍ଯ୍ୟରେ ତାହାକୁ ତୁରନ୍ତ ଯାଇ ହାଜର ହେବାର ଅଛି।
ମନେକରାଯାଉ ଯେ ଆପଣ ସେହି ବୃଦ୍ଧ ବା ବୃଦ୍ଧାଙ୍କ ପରିବାରର ହୋଇଥିବେ। ତେବେ ଆପଣଙ୍କ ଭିତରେ କଣ ଚାଲୁଥିବ! ଏ ସବୁକୁ ବିରୋଧ କଲେ ଆପଣଙ୍କ ଘର ଜାଳିଦେବା ପର୍ଯ୍ୟନ୍ତ କଥା ଯେଉଁଠି ଯାଉଛି ସେହି ଗାଁକୁ ଆପଣ ନିଜର ଗାଁ ବୋଲି କହି ଗର୍ବ କରିପାରିବେ ନା ପ୍ରତି ମୁହୂର୍ତ୍ତରେ ଗାଁ ଛାଡିଦେଇ ସହରକୁ କାମ ଖୋଜିବାରେ ଚାଲିଯିବେ?
ଉପକୂଳ ଜିଲ୍ଲାମାନଙ୍କରେ ଆମେ ଦେଖିବା, କୌଣସି ଏକ ହିନ୍ଦୁ ପର୍ବପର୍ବାଣିର ଦିନ (ସମସ୍ତ ଗାଁ ନୁହେଁ) ଗାଁ ମନ୍ଦିର ବାହାରେ ଝିଅଟିଏ ପୂଜା ଥାଳି ଧରି ଠିଆ ହୋଇଥିବ। ଧୀରେ ଧୀରେ ଏପରି ଠିଆ ହୋଇଥିବା ମଳିମାନଙ୍କ ସଂଖ୍ୟା ବଢୁଥିବ। ସେମାନେ ଅପେକ୍ଷା କରିଥିବେ ଯେ ବ୍ରାହ୍ମଣ କେତେବେଳେ ଫୁରସତ ହେଲେ ବାହାରକୁ ଆସି ସେମାନଙ୍କ ଠାରୁ, ଛୁଇଁ କରି ନୁହେଁ ବରଂ ଚଟାଣ ଉପରେ ଥୁଆ ହୋଇଥିବା ପୂଜାଥାଳିକୁ ନେବ। ପୁଣି କେତେ ସମୟ ବିତିଯିବ। ପୁଣି ବ୍ରାହ୍ମଣ ଜଣକ ପୂଜାଥାଳିକୁ ଫେରାଇବା ସହିତ ତଳେ ଥୁଆ ହୋଇଥିବା ଦକ୍ଷିଣାକୁ ଉଠାଇ ନେବ। ଯଦି ବ୍ରାହ୍ମଣ ପୂଜକ ସାମାନ୍ଯ ବିବେକୀ ତେବେ ଏହା ଶୀଘ୍ର ହୁଏ ନଚେତ ଦୀର୍ଘ ସମୟ ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡେ। ଭାବନ୍ତୁ, ଏହା କେତେ ପରିମାଣର ଅପମାନ ହୋଇନପାରେ! ଏହାପରେ ସେହି ଯୁବତୀ ପ୍ରତି ଗାଁର ଉଚ୍ଚଜାତିର ଯୁବକମାନଙ୍କ ବ୍ୟବହାର କଣ ହେଉନଥିବ! ଏହି ଦ୍ରୁଶ୍ଯ ଦେଖୁଥିବା ସେହି ଗାଁର କେତେଜଣ ବ୍ୟକ୍ତି ଏହାର ପ୍ରତିବାଦରେ ମନ୍ଦିର ଯିବା ବନ୍ଦ କରିଦେଇଛନ୍ତି?
ଏପରିକି ଗାଁକୁ ନେଇ କବିତା ଲେଖୁଥିବା କବି ଗାଁର ମନ୍ଦିରକୁ ମନ୍ଦିର ସଂଲଗ୍ନ ପୋଖରୀକୁ ନେଇ ବିରାଟ କବିତା ଲେଖିଛନ୍ତି। ସେମାନେ କିନ୍ତୁ କବିତା ମଧ୍ୟରେ କ୍ଵଚିତ ଏହି ଦ୍ରୁଶ୍ୟ ନିଜ କବିତାରେ ସ୍ଥାନିତ କରିଥାନ୍ତି। ତାହାଙ୍କ ଲାଗି ଗାଁର ମନ୍ଦିର, ରାସ୍ତା, ପୋଖରୀ, ପାହାଡ ଅତି ସୁନ୍ଦର ଦେଖାଯାଏ। ଭଗବାନ ରାଗିବେ କି କଣ ତାଙ୍କ କବିତାରେ ଜାତି ଭେଦଭାବର ମର୍ମନ୍ତୁଦ ଦ୍ରୁଶ୍ୟ ଲୁଚିଯାଏ।
ଭଗବାନ ମଣିଷ ତିଆରି କରିଥିବା ବାଣୀଟି ଅସତ୍ୟ। ଏଠି ମଣିଷ ହିଁ ତିଆରି କରିଛି ଭଗବାନଙ୍କୁ। ମଣିଷ ମୂର୍ତ୍ତି ଗଢୁଛି ସେ ମନ୍ଦିର ତିଆରି କରୁଛି। ତେଣୁ ପୀଢି ପୀଢି ଧରି କିଛି ମଣିଷଙ୍କର ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ଅଧିକାର ରହିଛି। ମନ୍ଦିରରେ ଉପଯୁକ୍ତ ସମ୍ମାନ ନପାଇବା ହେତୁ ଦଳିତ ସାହିରେ ବିଭିନ୍ନ ମନ୍ଦିର ତିଆରି ହେଉଛି। ସେଥିଲାଗି ନିଜ ମଜୁରୀର ବଡ ଭାଗ ସେମାନେ ମନ୍ଦିର ତିଆରି କରିବା ଲାଗି ଦେଉଛନ୍ତି। ଏହା ବହୁତ ଦୁଃଖଦ ସ୍ଥିତି ସୃଷ୍ଟି କରୁଛି। ଏହାକୁ ଭୁଲ କହିବା ବି କଷ୍ଟକର କଥା।
ଆଜିକାଲି ଦଳିତ ସାହିରେ ମଧ୍ୟ ଅନେକ ମନ୍ଦିର ତିଆରି ହୋଇଗଲାଣି। ଉଚ୍ଚ ଜାତିର ମନ୍ଦିର ବାହାରେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ। କିନ୍ତୁ ସେଠାରେ ପୂଜା କରୁଥିବା ମଣିଷ ଟି ନିଶ୍ଚିତ ବ୍ରାହ୍ମଣ। ସେ ମନ୍ଦିରକୁ କିନ୍ତୁ ଉଚ୍ଚ ଜାତିର ଲୋକେ ଆସୁନାହାନ୍ତି। ମନ୍ଦିର ଏଭଳି ଧାର୍ମିକ ଅନୁଷ୍ଠାନ ଯାହା ସର୍ବଦା ଜାତିବାଦକୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଆସିଛି।
ଜାତି ବିହୀନ ଆରେଞ୍ଜଡ ମ୍ୟାରେଜ କେଉଁଠାରେ ହେଉଥିବା ଜାଣିଛନ୍ତି କି? ପ୍ରେମ ବିବାହ ହେଉଛି। ଏହା ଆମର ପ୍ରଗତିଶୀଳ କମ୍ୟୁନିଷ୍ଟ ପରିବାର ମଧ୍ୟରେ ମଧ୍ୟ ବିରଳ। ପ୍ରାୟତଃ ସମସ୍ତେ ମଧ୍ୟସ୍ଥି ଅଥବା matrimony sites ରେ ନିଜ ଜାତି ମଧ୍ୟରେ ବିବାହ ଖୋଜିଥାନ୍ତି। ସେଭଳି ବିବାହ କାର୍ଯ୍ୟକ୍ରମରେ ସାମ୍ବିଧାନିକ ଅନୁଷ୍ଠାନର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ଠାରୁ ପ୍ରଗତିଶୀଳ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ଵିଧାରେ ଯୋଗ ଦେଇଥାନ୍ତି। କ୍ଵଚିତ ଏହାର ପ୍ରତିବାଦ କରିଥାନ୍ତି।
କୌଣସି ମଣିଷକୁ ତାହାର ଜାତି ପାଇଁ “ଅଛୁଆଁ” ମନେକରିବା ଆଇନ ଦ୍ରୁଷ୍ଟିରେ ଅପରାଧ। କିନ୍ତୁ ସାମାଜ ଏହାକୁ ଏବେ ବି ଅପରାଧ ବୋଲି ଗ୍ରହଣ କରିନାହିଁ। ଏହି ହେତୁ ଜାତି ଭେଦଭାବ କରୁଥିବା ଅପରାଧୀ ଏଠାରେ ଛାତି ଫୁଲାଇ ଚାଲୁଅଛି। ଯଦି ଅସମ୍ମାନିତ ମଣିଷ ପ୍ରତିବାଦ କରୁଛି ତେବେ ଅପରାଧୀ ଚାହିଁଲେ ଆଉ ପାଞ୍ଚ ଜଣଙ୍କୁ ନେଇ ଦଳିତ ବର୍ଗ ଉପରେ ଆକ୍ରମଣ ମଧ୍ୟ କରିଦେଉଛି। ଏହାକୁ ପୋଲିସ, ପ୍ରଶାସନ ଓ ରାଜନୈତିକ ଦଳ ପରୋକ୍ଷ ସମର୍ଥନ ମଧ୍ୟ ଜଣାଉଛି।
ଗାଁ ଗାଁରେ ତଥାପି ପ୍ରତିବାଦର ରାସ୍ତା ବଦଳୁଛି।
ଗାଁର ଦଳିତ ଯୁବକ କି ଯୁବତୀ ଯଦି ସହରରେ ଅଧ୍ୟାପକ/ ଅଧ୍ୟାପିକା, ବ୍ଯାଙ୍କ କର୍ମଚାରୀ, ପୋଲିସ ଇତ୍ୟାଦି ବିଭାଗରେ ନିଯୁକ୍ତ ତେବେ ତାଙ୍କ ସ୍ଥାୟୀ ଡାକ ଠିକଣାରେ ଆସୁଥିବା ରେଜିଷ୍ଟ୍ରି ପୋଷ୍ଟ ଉପରେ ଉଚ୍ଚ ଜାତିର ପୋଷ୍ଟ ମାଷ୍ଟର ନଜର। ସେ ନିଶୟ କିଛି ଭୁଲ ଅର୍ଥ ବାହାର କରୁଥିବ ଓ ଏହାକୁ ଘରେ ପହଞ୍ଚାଇବାରେ ବିଳମ୍ବ ନିଶ୍ଚିତ କରିବ। ଦଳିତ ବସ୍ତିକୁ ଅନଲାଇନ କୋରିୟର ନେଇ ଯାଇଥିବା ଯୁବକକୁ ଗାଁ ଛକରେ ପଚରା ଯାଉଛି ଯେ ପ୍ଯାକେଟରେ କଣ ଥିଲା। ଏହା ପଛରେ ରହିଛି ଦଳିତ ବର୍ଗର ଉତ୍ଥାନ ପ୍ରତି ଅସହିଷ୍ଣୁତା।
କିନ୍ତୁ ଦଳିତ ବର୍ଗର ପ୍ରତିବାଦକୁ ଉପକୂଳ ଓଡିଶାରେ ଠିକ ଭାବରେ ଏବେ ବି ନିଆଯାଉ ନାହିଁ। ଯଦି ଶିକ୍ଷିତ ଓ ଚାକିରିଆ ଦଳିତ ବର୍ଗର ଯୁବକ/ଯୁବତୀ ପ୍ରତିବାଦ କରୁଛନ୍ତି ତେବେ ତାହାର ପରିବାର ପ୍ରତି ପୁଣି ଆରମ୍ଭ ହେଉଛି ଭିନ୍ନ ପ୍ରକାରର ମାନସିକ ଅତ୍ୟାଚାର। ଯୁବକର ବିବାହରେ ବରଯାତ୍ରୀକୁ ଗାଁ ଦାଣ୍ଡରେ ବାଜା କି ବାଣ ଫୁଟାଇ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯିବ। ଘରକୁ ଆସୁଥିବା କୁଣିଆଙ୍କୁ ଜାତି ପଚାରି ଅସମ୍ମାନିତ କରାଯିବ। ନୂଆ ମଟର ସାଇକେଲକୁ ରାସ୍ତାରେ ଯିବା ଲାଗି ପ୍ରତିବନ୍ଧକ ସୃଷ୍ଟି କରାଯିବ। ବାହାଘରକୁ ଆସିଥିବା ଝିଅର ସାଙ୍ଗମାନଙ୍କୁ ଟାହିଟାପରା କରାଯିବ। ଇତ୍ୟାଦି। ବେଳେ ବେଳେ ଏହି ଅସଦବ୍ୟବହାର ପୁଣି ଯୁକ୍ତିତର୍କ, ଆକ୍ରମଣ ଓ ହିଂସାକାଣ୍ଡର ରୂପ ନେଉଛି।
ଏଭଳି ବ୍ୟବହାର କମ ଅସମ୍ମାନଜନକ ନୁହେଁ। ଉଚ୍ଚ ଜାତିର ବ୍ଯକ୍ତିର ପରିବାର ପ୍ରତି ଯଦି ସେହିଭଳି କୁବ୍ୟବହାର କେହି କରେ ତେବେ ସେମାନେ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ତାହା କେତେ କଷ୍ଟଦାୟକ। ଦଳିତ ଶିକ୍ଷିତ ଯୁବକ ଯୁବତୀ ଯଦି ପ୍ରତିବାଦ କରିନପାରୁଛନ୍ତି ତେବେ ଏହା ପଛରେ ରହିଛି ପୀଢି ପୀଢିର ଅତ୍ୟାଚାର ଓ ଆକ୍ରମଣ ଭୟର ଅନେକ ଉଦାହରଣ। ତେଣୁ ଦଳିତ ପରିବାର ଏହାର ସହଜ ରାସ୍ତା ନେଉଛି। ଶିକ୍ଷିତ ଦଳିତ ଯୁବକ ଯୁବତୀ ନିଜର ଗାଁ ସହିତ କ୍ଵଚିତ ସମ୍ବନ୍ଧ ରଖୁଛନ୍ତି।
ଏହି ଘୃଣ୍ୟ ଜାତିଭେଦ ବିରୁଦ୍ଧରେ ଓଡିଶାରେ କିଛି ଉଦ୍ୟମ ଗଲା ଶତାବ୍ଦୀମାନଙ୍କରେ ହୋଇଛି। ବଳରାମ ଦାଶ, ସରୋଳ ଦାସ ବା ସାରଳା ଦାସ, ଭୀମଭୋଇ ଇତ୍ୟାଦି ଜାତିଭେଦକୁ ଦୂର କରିବା ଲାଗି ଉଦ୍ୟମ କରିଥିଲେ। ଭୀମଭୋଇ ନିଜର ଭକ୍ତମାନଙ୍କୁ ଜାତିଭେଦ ତ୍ୟାଗ କରିବା, ମନ୍ଦିର ନଯିବା, ତୀର୍ଥ ନଯିବା ଲାଗି ପ୍ରବର୍ତ୍ତାଉଥିଲେ। ସ୍ଵାଧୀନତା ସଂଗ୍ରାମ କାଳରେ ଗାନ୍ଧୀବାଦୀ ସଂଗଠନମାନେ ଜାତି ଓ ଯୌତୁକ ବିହୀନ ବିବାହ, ନିଶା ନିବାରଣ, ଭୁଦାନ ଓ ସାହୁକାର ରୁଣ ପ୍ରତ୍ୟାଖ୍ୟାନ ଆନ୍ଦୋଳନ ମାଧ୍ୟମରେ ଜାତିଭେଦକୁ ଦୂର କରିବା ଦିଗରେ ଉଦ୍ୟମ କରୁଥିଲେ।
ପରେ ପଚାଶ ଦଶକରୁ ବିଭିନ୍ନ କମ୍ୟୁନିଷ୍ଟ ସଂଗଠନମାନେ “ଲଙ୍ଗଳ ଯାହାର ଜମି ତାହାର” ସ୍ଲୋଗାନ ଦେଇ ଦଳିତ ଭୂମିହୀନଙ୍କୁ ଜମି ଦେବା ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ସାହୁକାରର ଜମି ହଡପ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର କରିଛନ୍ତି। ସେମାନଙ୍କ ଉଦ୍ୟମ ହେତୁ ଦେଶରେ ଜମିଦାରୀ ପ୍ରଥା ଓ ଗଡଜାତ ରାଜାମାନଙ୍କ ପ୍ରାଦୁର୍ଭାବରେ ବିରାମ ଆସିପାରିଲା। ଉଭୟ ସର୍ବୋଦାୟୀ ଓ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ନିଜର ଉଦ୍ୟମ ଏବେ ବି ଜାରି ରଖିଛନ୍ତି।
କିନ୍ତୁ ଗଲା କିଛି ବର୍ଷ ହେଲା ଦକ୍ଷିଣପନ୍ଥୀ ବିଚାର ଓଡିଶାରେ ପ୍ରାଧାନ୍ଯ ବିସ୍ତାର କରିବା ପରେ ଦଳିତଙ୍କ ଉପରେ ଆକ୍ରମଣ ପୁଣି ବଢିବାରେ ଲାଗିଛି। ଗୋମାଂସ ଭକ୍ଷଣ, ମନ୍ଦିର ପ୍ରବେଶ, ଦଳିତ ଯୁବକ ଉଚ୍ଚ ଜାତିର ଝିଅ ବାହା ହେବା ଏପରିକି ଧର୍ମାନ୍ତରୀକରଣ ଅଭିଯୋଗରେ ଦଳିତ ବର୍ଗ ଉପରେ ଆକ୍ରମଣ ବଢୁଛି। ଧର୍ମର ସରାଂକ୍ଷଣ ନାମରେ ଉକ୍ତ ସଂଗଠନମାନେ ଯୁବକଙ୍କ ହାତରେ ଖଣ୍ଡା, ତଲବାର, ଲାଠି ଧରାଇ ଜାତିହିଂସାର ବାତାବରଣ ପୁଣିଥରେ ସୃଷ୍ଟି କରିବାରେ ଲାଗିଛନ୍ତି।
ଖୁସିର କଥା ଯେ ଆଜି ଓଡିଶାରେ ଆମ୍ବେଦକରବାଦୀମାନେ କିଛି ଦଶନ୍ଧି ହେଲା ଜାତିଭେଦ ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦକ୍ଷିଣପନ୍ଥୀ ବିଚାରକୁ ସେମାନେ ବିରୋଧ କରୁଛନ୍ତି। ଉଚ୍ଚ ଜାତି ଦ୍ଵାରା ଦଳିତ ବର୍ଗ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଧାରଣା, ରାସ୍ତାରୋକ ଓ ବିକ୍ଷୋଭ ମାଧ୍ୟମରେ ସେମାନେ କରୁଛନ୍ତି। ଦୋଷୀକୁ ଦଣ୍ଡ ଦେବା, ଏସସି ଓ ଏସଟି ଅତ୍ୟାଚାର ନିରୋଧ ଆଇନକୁ ଲାଗୁ କରିବା, ସରକାରୀ ଶିକ୍ଷା ଅନୁଷ୍ଠାନରେ ଉନ୍ନତି ଆଣିବା, କୁସଂସ୍କାରକୁ ବିରୋଧ କରିବା, ଜମିହୀନଙ୍କୁ ଜମି ଦେବା ଇତ୍ୟାଦି ଦାବି ସରକାରଙ୍କ ସାମ୍ନାରେ ସେମାନେ ରଖୁଛନ୍ତି। ଏବେ ସେମାନେ ଓଡିଶାର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହେବାରେ ଲାଗିଛନ୍ତି। ଏହାର ନେତୃତ୍ଵ ଦଳିତ ବର୍ଗ ନେଉଛନ୍ତି। ହୁଏତ ସେମାନେ ସଫଳ ହେବେ। ହୁଏତ ସେମାନଙ୍କ ନେତୃତ୍ବରେ ସମାଜରୁ ସଂପୂର୍ଣ୍ଣ ଭାବରେ ଜାତିଭେଦ ଲୋପ ପାଇଯିବ।
No comments:
Post a Comment