ଲେଖାସଂଖ୍ୟା – ୦୨
ପୂର୍ବ ଲେଖାରେ ମୁଁ ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ସହିତ
ବୁଶଙ୍କ ଇସଲାମ-ଆଡୁ-ଭୟର ପ୍ରଚାର
ମଧ୍ୟରେ ତୁଳନା କରିଥିଲି। ସମସ୍ତେ ସ୍ଵେଚ୍ଛାଚାରୀତାକୁ ଦର୍ଶାଇବା ଲାଗି ତାଲିବାନୀ ଶାସନ
କହିଥାନ୍ତି। କେହି ଯୁଦ୍ଧଖୋର ମନୋବୃତ୍ତି, ଘୃଣା ଓ ଦମନର ଅନ୍ୟ ନାମ ବୁଶ
ଶାସନ ବୋଲି କହିନଥାନ୍ତି। ଦେଶର ଶାସକ ନିଜକୁ ସୁହାଇବା ଭଳି ନୂଆ ଶବ୍ଦ ଓ ତାହାର ବ୍ୟାଖ୍ୟା ଭାଷା
ମଧ୍ୟରେ ଯୋଡିଥାଏ। ଯାହା ତାହାର ବିରୁଦ୍ଧରେ ଯାଏ ସେହି ଶବ୍ଦ କ୍ରମଶଃ ଲୋପପାଇଯାଏ।
ଏ ଭିତରେ ଟ୍ରମ୍ଫ
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଏହା ଆଗରୁ ୨୦୧୭ ରୁ ୨୦୨୧
ମଧ୍ୟରେ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ସେ ପ୍ରଥମ ଉଦ୍ୟମ ୨୦୧୨ ମସିହାରେ
ଉଦ୍ୟମ କରିଥିଲେ। ବିରୋଧୀ ଦଳର ମୁସଲମାନଙ୍କ ପ୍ରତି ନରମ ରହିଥିବା ଦର୍ଶାଇବା ଅନେକ ମିଥ୍ୟାର ଆଶ୍ରୟ
ସେ ନେଇଛନ୍ତି। ୨୦୦୧ରେ ଯେତେବେଳେ ଅଟ୍ଟାଳିକା ଉପରେ ଆକ୍ରମଣ ହେଉଥିଲା “ସେ ସମୟରେ ଆମେରିକାର ମୁସଲମାନମାନେ
ଖୁସିରେ ନାଚିଥିବା ମୁଁ ଦେଖିଛି” ତାଙ୍କର
ଏକ ନମ୍ବର ମିଥ୍ୟା ଉକ୍ତି।
ତତ୍କାଳୀନ ରାଷ୍ଟ୍ରପତି
ବାରକ ହୁସେନ ଓବାମାଙ୍କ ନାମରେ “ହୁସେନ”
ରହିବା କାରଣରୁ ଓବାମାଙ୍କର “ମୁସଲମାନ ସମ୍ବନ୍ଧ ରହିଛି”, ହିଲାରୀ କ୍ଲିଣ୍ଟନଙ୍କ ପ୍ରଶାସନ ମୁଖ୍ୟ ଜଣେ
ମୁସଲମାନ ହୋଇଥିବା କାରଣରୁ “ତାଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ” ଇତ୍ୟାଦି ମନ୍ତବ୍ୟ ଦେବା କାରଣରୁ
ରିପବ୍ଲିକାନ ପାର୍ଟି ୨୦୧୫ ରେ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ଚିନ୍ତା କରିଥିଲା।
କିନ୍ତୁ
୨୦୧୬ ରେ ଏକ ଉଗ୍ରପନ୍ଥୀ ଆକ୍ରମଣ ପରେ ଟ୍ରମ୍ଫଙ୍କ ମନ୍ତବ୍ୟ “ଆମେରିକା ମଧ୍ୟକୁ ଆସୁଥିବା ସମସ୍ତ ମୁସଲମାନ
ଧର୍ମାବଲମ୍ବୀଙ୍କୁ ନିଷେଧ କରାଯାଉ। ସେମାନଙ୍କୁ ଆମେରିକା ମଧ୍ୟରେ ପ୍ରବେଶ କରିବାକୁ ଦିଆନଯାଉ
ଏବଂ ଆମ ନିର୍ବାଚିତ ପ୍ରତିନିଧିମାନେ ଉତ୍ତର ଦିଅନ୍ତୁ ଯେ ଏ କଣ ସବୁ ଚାଲିଛି” ରିପବ୍ଲିକାନ ଦଳର
ପସନ୍ଦ ଯୋଗ୍ୟ ପ୍ରାର୍ଥୀ କରିଥିଲା।
ଅଳ୍ପ କିଛି
ବ୍ୟକ୍ତିଙ୍କ ଅପରାଧ ଲାଗି ସମଗ୍ର ଧର୍ମାବଲମ୍ବୀଙ୍କୁ ଏଥିଲାଗି ଦୋଷୀ କରିବା କେବଳ ଏକ ଫାଶିବାଦୀ
ମାନସିକଧାରୀ ବ୍ୟକ୍ତିର କାର୍ଯ୍ୟ ହୋଇପାରେ। ଉଗ୍ରପନ୍ଥୀ ଆକ୍ରମଣର ସୁଯୋଗରେ ଟ୍ରମ୍ଫ ନିଜର ମୁସଲମାନ
ବିରୋଧୀ ଆଭିମୁଖ୍ଯକୁ ଅଧିକ ସ୍ପଷ୍ଟ କରିଥିଲେ। ରିପବ୍ଲିକାନ ପାର୍ଟି ୨୦୧୭ ରେ ଟ୍ରମ୍ଫଙ୍କୁ ନିଜର
ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ଓ ସେ ସେହି ବର୍ଷ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।
ଟ୍ରମ୍ଫଙ୍କ ଘୋଷିତ ମୁସଲମାନଙ୍କୁ ଟ୍ରାଭେଲ ବ୍ୟାନ:
ଟ୍ରମ୍ଫଙ୍କ
ସମୟରେ ଇସଲାମଆଡୁଭୟ ବା ଇସଲାମୋଫୋବିଆ ଆମେରିକା ପ୍ରଶାସନକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା
ଯେ ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ ଦେଶରୁ କୌଣସି ନାଗରିକ ଆମେରିକା ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରତିବନ୍ଧକ
ବା ଟ୍ରାଭେଲ ବ୍ୟାନ ଲାଗୁ ହୋଇଥିଲା। ଏହା ଟ୍ରମ୍ଫ ଟ୍ରାଭେଲ ବ୍ୟାନ ନାମରେ ଅଖ୍ୟାତ।
ଟ୍ରମ୍ଫ ଆମେରିକୀୟ-
ମୁସଲମାନଙ୍କ ବିରୁଦ୍ଧରେ ଆମେରିକାବାସୀଙ୍କୁ ଉସୁକାଇବା ପଛରେ ତିନୋଟି କାରଣ ସ୍ପଷ୍ଟ ଥିଲା। ସେ ଗୁଡିକ
ହେଲା – ମୁସଲମାନମାନେ ଉଗ୍ରବାଦର ପ୍ରଚାରକ ଓ ହିଂସ୍ର, ସେମାନେ ଦେଶର ସୁରକ୍ଷା ଲାଗି ବିପଦ ଓ ସେମାନେ ପଛୁଆ, ଅଶିକ୍ଷିତ
ଓ ଆଧୁନିକତା ବିମୁଖ। ଏହା ଦ୍ଵାରା ଟ୍ରମ୍ଫ ପ୍ରମାଣିତ କରିବା ଲାଗି ଚାହିଁଥିଲେ – ଆମେରିକାର ସମ୍ପଦ ଓ ଅଧିକାର କ୍ଷେତ୍ରରେ କେବଳ ମୂଳ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ଅଧିକାର
ରହିଛି, ଆମେରିକାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ କରାଯିବ ଯାହାର
ସୁଫଳ ସମସ୍ତ ଖ୍ରୀଷ୍ଟିୟାନ ଆମେରିକୀୟ ପାଇବେ ଓ ଦେଶର ବିକାଶର ଶତ୍ରୁ କମ୍ୟୁନିଷ୍ଟ ଓ ମୁସଲମାନ।
ଏ କଥା ମଧ୍ୟ
ସତ୍ୟ ଯେ ଟ୍ରମ୍ଫଙ୍କ ସମୟରେ ଯାତାୟାତ ପ୍ରତିବନ୍ଧକ ଲାଗି ଥିବା ଏହି ସମସ୍ତ ଦେଶ ଯଥା ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ
ୟେମେନର କୌଣସି ନାଗରିକ କେବେ କୌଣସି ଆମେରିକୀୟଙ୍କୁ ଆମେରିକାରେ ଆକ୍ରମଣ କରିନାହାନ୍ତି। (source: American Islamophobia in
the age of Trump, the global war on Terror continued? ଲେଖକ: Tanner Mirrlees)
ତେଣୁ ସ୍ଵାଭାବିକ
ଭାବରେ ମୋ ଭିତରେ ପ୍ରଶ୍ନ ଆସିଲା ଯେ ଟ୍ରମ୍ଫ ଏହି ସମସ୍ତ ଦେଶରୁ କୌଣସି ନାଗରିକଙ୍କୁ ଆମେରିକା
ମଧ୍ୟରେ ପ୍ରବେଶ ଲାଗି ବାରଣ କରିଥିଲେ କାହିଁକି? ମୁଁ ଏହାପରେ ଆମନେନଷ୍ଟି ଇଣ୍ଟରନ୍ୟାସିନାଲ, ହ୍ୟୁମାନ
ରାଇଟ୍ସ ୱାଚ ଓ ଜାତିସଂଘର ରିପୋର୍ଟକୁ କିଛି କିଛି ଖୋଜିଲି। ଉଦ୍ଦେଶ୍ୟ ଥିଲା ଏହି ସମସ୍ତ ଦେଶ
ସହିତ ଆମେରିକାର କେବେ ଯୁଦ୍ଧ ହୋଇନାହିଁ ବା ସେଠାର କୌଣସି ବିଦ୍ରୋହୀ ଗୋଷ୍ଠୀଙ୍କୁ ସେହି ସରକାରଙ୍କ
ବିରୁଦ୍ଧରେ ଆମେରିକା ପ୍ରଶାସନ ସହଯୋଗ କରିନାହିଁ ତ? ମୋର ଅନୁମାନ ସତ
ଥିଲା। ନିମ୍ନ ତଥ୍ୟ ମୁଁ ଏହାପରେ ଏକାଠି କରିପାରିଥିଲି।
୧. ଇରାକ ସହିତ ଯୁଦ୍ଧ: (୨୦୦୩ – ୨୦୧୧)
ରାଷ୍ଟ୍ରପତି ସଦ୍ଦାମ
ହୁସେନଙ୍କୁ ଆମେରିକା ସେନା ଦ୍ଵାରା ହତ୍ୟା (ଡିସେମ୍ବର ୩୦, ୨୦୦୬)
ହତ୍ୟା ପରବର୍ତ୍ତୀ ଯୁଦ୍ଧ
ସାଧାରଣ ଇରାକୀ ନାଗରିକଙ୍କ ମୃତ୍ୟୁ: ୧,୩୪.୦୦ ରୁ ୧,୭୫,୦୦୦
ଆମେରିକା ସୈନ୍ୟଙ୍କ ମୃତ୍ୟୁ:
୪୪୯୬
ଇରାକୀ ସୈନ୍ୟଙ୍କ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦
୨. ଲିବିଆରେ ମିଲିଟାରୀ ହସ୍ତକ୍ଷେପ: (୨୦୧୧)
ପୂର୍ବ ରାଷ୍ଟ୍ରପତି ମୁଆମ୍ମାର
ଗଦ୍ଦାଫିଙ୍କୁ ଆମେରିକା ସମର୍ଥିତ ନାଟୋ ବାହିନୀ ଦ୍ଵାରା ହତ୍ୟା (ଅକ୍ଟୋବର ୨୦, ୨୦୧୧)
ଏହାପରେ ଯୁଦ୍ଧରେ ସାଧାରଣ ଲିବିଆବାସୀଙ୍କ ମୃତ୍ୟୁ: ୨୦,୦୦୦ରୁ ୫୦,୦୦୦
୩. ସୋମାଲିଆରେ ବିବାଦ ଓ ଆମେରିକା ସୈନ୍ୟବାହିନୀର ଯୁଦ୍ଧ
(୨୦୦୭ ରୁ ଆଜି ପର୍ଯ୍ୟନ୍ତ)
ସାଧାରଣ
ସୋମାଲିଆ ବାସୀଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦
ଆମେରିକା
ସୈନ୍ୟ ଓ ସରକାରୀ ସୈନ୍ୟଙ୍କ ମୃତ୍ୟୁ: ୧୦୦୦ ରୁ ୫୦୦୦
୪. ଯେମେନରେ ବିବାଦ: (୨୦୧୫ ରୁ ଆଜି
ପର୍ଯ୍ୟନ୍ତ)
ସମୁଦାୟ
ଯେମେନବାସୀଙ୍କ ମୃତ୍ୟୁ: ୨,୩୩,୦୦ ରୁ ୩,୭୭,୦୦୦
ସରକାରୀ
ସୈନ୍ୟ ଓ ଆମେରିକୀୟ ସୈନ୍ୟ ମୃତ୍ୟୁ: ୧୦୦୦ ରୁ ୫୦୦୦
୫. ସିରିଆ ବିବାଦ: (୨୦୧୧ ରୁ ଆଜି
ପର୍ଯ୍ୟନ୍ତ)
ସାଧାରଣ ସିରିୟାବାସୀଙ୍କ ମୃତ୍ୟୁ: ୬.୦୬.୦୦୦ ରୁ ୧୦,୦୦,୦୦୦୦
ସିରିୟା ସୈନ୍ୟଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦
ISIS ମିଲିଟାଣ୍ଟ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦
ଏହା ସହଜରେ ଅନୁମେୟ ଯେ ଟ୍ରମ୍ଫଙ୍କ ମୁସଲମାନ ବ୍ୟାନ
ଆମେରିକୀୟଙ୍କ ସୁରକ୍ଷା ଲାଗି ଥିଲା। କିନ୍ତୁ ମୁସଲମାନ ଉଗ୍ରପନ୍ଥୀ ଆକ୍ରମଣରୁ ନୁହେଁ । ବରଂ
ଆମେରିକା ଯେଉଁ ହସ୍ତକ୍ଷେପ ଏହି ସମସ୍ତ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ କେବଳ ତେଲ ଓ ଡ୍ରଗ୍ସ
ଲାଗି କରୁଛି ସେଥିରୁ ଉତ୍ତେଜିତ ହୋଇ କୌଣସି ବିପ୍ଳବୀ ଗୃପ କାଳେ ଆମେରିକା ଉପରେ ଆକ୍ରମଣ
କରନ୍ତି (ଯେମିତି ଆଲକାଏଦା କରିଥିଲା) ସେଥିଲାଗି ଏହି ବ୍ୟାନ ଥିଲା।
ଇସଲାମୋଫୋବିଆ ମଜଭୁତ ହେଲା:
ବୁଶଙ୍କୁ ଠାରୁ ଆରମ୍ଭ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ଟ୍ରମ୍ଫଙ୍କ
ସମୟରେ ଆମେରିକାରେ ଓ ବାହାରେ ଅଧିକ ମଜଭୁତ ହେଲା। ଏହି ଇସଲାମୋଫୋବିଆ ଏବେ ସମଗ୍ର ବିଶ୍ଵରେ
ଅଧିକରୁ ଅଧିକ ମାରାତ୍ମକ ଭାବରେ ସାଧାରଣ ମୁସଲମାନଙ୍କ ବିରୁଦ୍ଧରେ ବ୍ୟବହାର ହେଉଛି। ଏହି ଭୟ
ଭାରତ,
ଶ୍ରୀଲଙ୍କା, ବର୍ମା, ଜାପାନ, ଇଉରୋପର ଅନେକ ଦେଶ ଉପରେ ପଡିଛି। ମୁସଲମାନ ନାଗରିକଙ୍କୁ ନିଜ ଦେଶରୁ ବିତାଡିତ କରିବା, ସେମାନଙ୍କ ନାଗରିକ ପରିଚୟ ଛଡାଇ ନେବା, ସେମାନଙ୍କୁ ନାଗରିକ ଶୂନ୍ୟ କରିବାର ସ୍ଥିତିକୁ
ନେଇଆସିଛି।
ଶ୍ରୀଲଙ୍କାରେ ୨୦୧୪ ଓ ୨୦୧୮ରେ ମୁସଲମାନ ବିରୋଧୀ ହିଂସା ଭୀଷଣ
ରୂପ ନେଇଥିଲା। ୨୦୧୭ରେ ବର୍ମାରେ ୨୫୦୦୦ ରୋହିଙ୍ଗିଆ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା।
ଅଷ୍ଟ୍ରେଲିଆରେ ୨୦୦୫ ଓ ୨୦୧୯ ରେ ଦୁଇ ଥର ସାମ୍ପ୍ରଦାୟିକ ହିଂସା ସଂଗଠିତ ହୋଇଥିଲା। ଜାପାନ ଓ
ଚୀନ ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଦେଶ କାରଣରୁ ମୁସଲମାନବିରୋଧୀ କାର୍ଯ୍ୟକଳାପ ବଢିଥିଲା।
ଭାରତରେ ୨୦୦୦ ମସିହାରେ ପରେ ବିଶେଷକରି ଗୁଜୁରାଟ ଦଙ୍ଗା ପରେ
ସାଧାରଣ ମୁସଲମାନଙ୍କୁ ଗୋମାଂସ, ଲଭ ଜିହାଦ,
ବାଙ୍ଗଲାଦେଶୀ,
ରୋହିଙ୍ଗିଆ ନାମରେ ଘରେ ପଶି, ଟ୍ରେନରେ ବଜାରରେ, ପାର୍କରେ, ଗାଡିରେ, ପବ୍ଲିକ ସ୍ଥାନରେ ଆକ୍ରମଣ ଓ ହତ୍ୟା
ବଢିବାରେ ଲାଗିଛି। ସରକାର ମଧ୍ୟ ଦେଶଦ୍ରୋହ ଆଇନ ପ୍ରୟୋଗ କରି ବର୍ଷ ବର୍ଷ ଧରି ସେମାନଙ୍କୁ
ଜେଲରେ ରଖିଦେଉଛନ୍ତି।
ଦେବ ରଞ୍ଜନ
ନିଜର ମତାମତ ନିମ୍ନରେ ଥିବା କମେଣ୍ଟ ବାକ୍ସରେ ଲେଖିବା ପାଇଁ ଅନୁରୋଧ।