Sunday, November 3, 2024

ଆମେରିକା ରାଷ୍ଟ୍ରପତି ବୁଶଙ୍କ ମନଷ୍ଟର ଓ ଇସଲାମ-ଆଡୁ-ଭୟ

 ଲେଖାସଂଖ୍ୟା - ୧


ଓଡିଶାର ବିଜେପି ଶାସନକୁ ଆସିବା ମାତ୍ରେ ହଠାତ ମୁସଲମାନ ବିରୋଧୀ ହିଂସାର ବିଭିନ୍ନ ଘଟଣା ଉପକୂଳ ଓଡିଶାରେ ଘଟିଥିଲା। ବାଲେଶ୍ଵର, ଭଦ୍ରକ ଓ ପୁରୀ ଇତ୍ୟାଦି ସ୍ଥାନରେ ମସଜିଦ ଉପରେ ଆକ୍ରମଣ, ଫେସବୁକ ପୋଷ୍ଟିଂ, ପଶ୍ଚିମ ବଙ୍ଗର ଶ୍ରମିକଙ୍କ ଉପରେ ଆକ୍ରମଣ ଘଟଣା ଅନ୍ଯତମ ଥିଲା।

ଏଭଳି ଆକ୍ରମଣ ଦେଶର ଅନ୍ୟ ପ୍ରାନ୍ତରେ ନୂଆ ନଥିଲା। କିନ୍ତୁ ଏଭଳି ଘଟଣା ପଛରେ  ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟର ବିଭିନ୍ନ ଦିଗ ସମ୍ପର୍କରେ ଅଧିକ ଜାଣିବା ଲାଗି ମନସ୍ଥ କରିଥିଲି।

ବିଭିନ୍ନ ଦେଶର ସରକାର ନିଜର ସଂଖ୍ୟାଗରିଷ୍ଠ ଧର୍ମ ଉପରେ ଆଧାରିତ ମୌଳବାଦୀ ସଂଗଠନମାନଙ୍କୁ ପ୍ରୋସ୍ଛାହିତ କରିଥିବା କାରଣରୁ ସମଗ୍ର ବିଶ୍ବରେ ସାମ୍ପ୍ରଦାୟିକ ଦଙ୍ଗା, ହିଂସା ଓ ମାନବିକ ଅଧିକାରର ଉଲ୍ଲଂଘନର ଘଟଣା ଗଲା କୋଡିଏ ବର୍ଷ ମଧ୍ୟରେ ବଢିବାରେ ଲାଗିଛି।

ସେ ସମ୍ପର୍କରେ କ୍ରମାଗତ ଭାବରେ ଛୋଟ ଛୋଟ ଲେଖା ଲେଖିବି ବୋଲି ମନସ୍ଥ କରିଛି। ପ୍ରାୟ ୨୦ ରୁ ୨୫ ଟି ଲେଖାର ଯୋଜନା ରହିଛି। ଏହା ପ୍ରଥମ ଲେଖା।

---

ଧାର୍ମିକ ଅସହିଷ୍ଣତା କହିଲେ ନିଜ ଧର୍ମକୁ ଶ୍ରେଷ୍ଠ ମନେକରିବା, ଅନ୍ୟର ଧର୍ମର ଦେବତାଙ୍କୁ ବିକୃତ କରିବା ଓ ଭିନ୍ନ ଧର୍ମର ଧର୍ମାବଲମ୍ବୀଙ୍କୁ ଆକ୍ରମଣ କରିବାକୁ ବୁଝାଏ। ଧାର୍ମିକ ବିଦ୍ଵେଷ ଅଥବା ଅସହିଷ୍ଣତା ଆଜି ସମସ୍ତ ଆନୁଷ୍ଠାନିକ ଧର୍ମ ମଧ୍ୟରେ ଅଳ୍ପ ବହୁତ ପ୍ରବେଶ କରିସାରିଛି।

ଆଫଗାନିସ୍ତାନର କାବୁଲ ସହର ଠାରୁ ୧୩୦ କିମି ଦୂରରେ ଅବସ୍ଥିତ ବେମିୟାନ ଉପତ୍ୟକାରେ ୬୦୦ ଖ୍ରୀଷ୍ଟାବ୍ଦରେ ବୁଦ୍ଧଙ୍କର ଦୁଇଟି ବିଶାଳ ମୂର୍ତ୍ତି (୩୮ ମିଟର ଓ ୫୫ ମିଟର) ହୁନ ବଂଶର ରାଜାଙ୍କ ଦ୍ଵାରା ତିଆରି ହୋଇଥିଲା। ଆଫଗାନିସ୍ତାନର ଶାସନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିବା  ସତ୍ବେ ଦୀର୍ଘ ୧୪୦୦ ବର୍ଷ ମଧ୍ୟରେ କୌଣସି ରାଜା ବା ଶାସକ ଏହାର କୌଣସି କ୍ଷତି ଘଟାଇନଥିଲେ।

୨୦୦୧ ମସିହାରେ ଇସଲାମ ମୌଳବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ନିଜ ହାତକୁ ନେଇଥିଲାସେମାନଙ୍କୁ ବେମିୟାନ ଉପତ୍ୟକାର ସେହି ବୁଦ୍ଧ ମୂର୍ତ୍ତିକୁ ଦେଖିବାକୁ ଅସହ୍ୟ ହେଲା। ଇସଲାମରେ ମୂର୍ତ୍ତି ପୂଜାକୁ ବିରୋଧ କରାଯାଇଛି। ହେଲେ ଏହା ନିଜ ଧର୍ମାବଲମ୍ବୀମାନଙ୍କ ଲାଗି। ନିଜକୁ ଆଲ୍ଲାଙ୍କ ସଚ୍ଚା ସେବକ ପ୍ରମାଣିତ କରିବାକୁ ଯାଇ ତାଲିବାନମାନେ ସେହି ଦୁଇ ବୁଦ୍ଧ ମୂର୍ତ୍ତିକୁ ମାର୍ଚ୍ଚ ୨୦୦୧ ରେ ଧ୍ଵଂସ କରିଦେଲେ। ଯଦିଓ ଅନେକ ଦେଶ ସେପରି ନକରିବା ଲାଗି ଅନୁରୋଧ ଓ ଚାପ ତାଲିବାନ ଉପରେ ପକାଇଥିଲେ କିନ୍ତୁ ତାହା କିଛି ଫଳ ଦେଲା ନାହିଁ।

ଧାର୍ମିକ ବିଦ୍ଵେଷ ଏଭଳି ଅହଂକାର ତିଆରି କରେ ଯେ ନିଜର କାର୍ଯ୍ୟର ପରିଣାମ ସମ୍ପର୍କରେ ମଧ୍ୟ ଏହା ଚିନ୍ତା କରିବାକୁ ସୁଯୋଗ ଦିଏନାହିଁ।  

ତାଲିବାନମାନଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତି ଧ୍ଵଂସ ଅନେକଙ୍କୁ ବ୍ୟଥିତ କରିଥିଲା। ଆଫଗାନିସ୍ତାନ ସରକାରକୁ ସ୍ବୀକୃତି ନଦେବା ଲାଗି ବିଭିନ୍ନ ଦେଶ ଚାପ ପକାଇଥିଲେ। ଏପରିକି ଭାରତ ଭଳି କେତେକେ ଦେଶ ଆଫଗାନିସ୍ତାନରୁ ସେହି ଭଗ୍ନାବଶେଷକୁ ନିଜ ଦେଶକୁ ଆଣିବା ଓ ନିଜ ନିଜ ଦେଶରେ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ସ୍ଥାପନର ପ୍ରସ୍ତାବ ଦେଇଥିଲେ।

କିନ୍ତୁ କୌଣସି ଦେଶ ତାଲିବାନଙ୍କ କାର୍ଯ୍ୟ ଲାଗି ସମଗ୍ର ମୁସଲମାନ ସମାଜକୁ ଏଥିଲାଗି ଦାୟୀ କରିନଥିଲେ କି ଏଥିଲାଗି କୌଣସି ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇନଥିଲା। ହଁ, ତାଲିବାନୀ ଶାସନ ବୋଲି ଏକ ଶବ୍ଦ ତିଆରି ହୋଇଥିଲା ଯାହାର ଅର୍ଥ ଥିଲା ଶାସକର ଯଥେଚ୍ଚାଚାର।

ସେହି ୨୦୦୧ ମସିହାରେ ପୁଣି ଏକ ଅତି ଦୁଃଖଦ ଘଟଣା ଘଟିଥିଲା।   

ସେପ୍ଟେମ୍ବର ୧୧ ତାରିଖରେ (୯/୧୧ ଭାବରେ ଖ୍ୟାତ) ଆଲ-କାଏଦା ଉଗ୍ରବାଦୀ ସଂଗଠନର ୧୯ ଜଣ ସଦସ୍ୟ ତିନୋଟି ଏରୋପ୍ଳେନକୁ ହରଣଚାଳ କରି ତାହା ଦ୍ଵାରା ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନ ଉପରେ ଆକ୍ରମଣ କରିଥିଲେ। ଆଲ-କାଏଦାର ଆକ୍ରମଣ ହେତୁ ୨୯୯୬ ଜଣ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା।

ଉକ୍ତ ୯/୧୧ ଘଟଣା ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ “ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ” ବା ୱାର ଅନ ଟେରର ଘୋଷଣା କରିବା ମାରାତ୍ମକ ଥିଲାତାହାଠାରୁ ଅଧିକ ମାରାତ୍ମକ ଥିଲା ଗଣମାଧ୍ୟମକୁ ତାଙ୍କର ବକ୍ତବ୍ୟ, “ମନଷ୍ଟର ଅନ୍ଧାରରେ ଲୁଚି ରହିଛି

ସେ ବାଇବେଲର ମନଷ୍ଟର (ରାକ୍ଷସ) ଚରିତ୍ରକୁ ଏଠାରେ ଉଦୃତ କରିଥିଲେ। ଆମେରିକା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଥିଲା। ଏହାର ରାଷ୍ଟ୍ରପତି ବାଇବେଲର ଚରିତ୍ରକୁ ଆଣି ଉଗ୍ରବାଦ ସହିତ ତୁଳନା କରିବା ପରେ ହଠାତ ଖ୍ରୀଷ୍ଟିୟାନ ଚେତନା ଦେଶ ମଧ୍ୟରେ ଜାଗ୍ରତ ହୋଇଥିଲା।

ଏହା ଆମେ ଭାରତରେ ମଧ୍ୟ ଦେଖୁଛୁ ବିଶେଷକରି ଯେତେବେଳେ ହିନ୍ଦୁ ମୌଳବାଦୀ ନେତାମାନେ ଆଜିର ସମୟକୁ ଉପସ୍ଥାପିତ କରିବା ସମୟରେ ମହାଭାରତ ଓ ରାମାୟଣର ଚରିତ୍ରମାନଙ୍କୁ ଆଣିବା ଦ୍ଵାରା ସମଗ୍ର ଦେଶରେ ତାହାର କି ଭଳି ପ୍ରଭାବ ପଡୁଛି।  

 ବୁଶଙ୍କ ମନଷ୍ଟରକୁ ବକ୍ତବ୍ୟ ପରେ ଆମେରିକା ଗଣମାଧ୍ୟମ, ଇଣ୍ଟରନେଟ, ନେତାଙ୍କ ବକ୍ତବ୍ୟ, ହଲିଉଡ ଫିଲ୍ମ ସମସ୍ତେ “ରାକ୍ଷସ” ବା “ମନଷ୍ଟର” ସନ୍ଧାନ ନାମରେ ଅଳ୍ପସଂଖ୍ୟକ ମୁସଲମାନଙ୍କୁ ପରୋକ୍ଷରେ ଆକ୍ରମଣର କେନ୍ଦ୍ର କରିଥିଲେ। ଅନେକ ସିରିଏଲ, ଫିଲ୍ମ, ରିପୋର୍ଟ ଓ ଗୃପ ଇସଲାମ ବିରୁଦ୍ଧରେ ତିଆରି ହୋଇଗଲା। (ଉସ୍ଛ: ଇସଲାମୋଫୋବିଆ ଇଣ୍ଡଷ୍ଟ୍ରି, ଲେଖକ: ନାଥାନ ଲୀନ)

ବିଶ୍ବରେ ବୁଶଙ୍କର ଏହି ମନ୍ତବ୍ୟ ପରେ ସମାଜଶାସ୍ତ୍ରୀମାନଙ୍କ ଦ୍ଵାରା ଇସଲାମୋଫୋବିଆ ଶବ୍ଦର ପ୍ରଚାଳନ ହେଲା। ଫୋବିଆର ଅର୍ଥ ଭୟ। କେତେକ ବନ୍ଧୁଙ୍କ ସହିତ ଆଲୋଚନା ପରେ ମୁଁ ଇସଲାମୋଫୋବିଆର ଅର୍ଥ ଇସଲାମ-ଆଡୁ-ଭୟ ରଖିଛି। ଓଡିଆରେ ପ୍ରଚଳିତ ଶବ୍ଦ ନୁହେଁ।

ଆମେରିକା ସରକାର ଆମେରିକାବାସୀଙ୍କ ମଧ୍ୟରେ ଇସଲାମ-ଆଡୁ-ଭୟ ରହିଥିବାର ଅବାସ୍ତବ ଭୟ ସୃଷ୍ଟି କରାଇଲେ। ଏହାପରେ ଆମେରିକାର ଛୋଟ ବଡ ସହରର ଗଳିକନ୍ଦିରେ ମୁସଲମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଲା। (ପରବର୍ତ୍ତୀ ଲେଖାରେ ବିସ୍ତୃତ ଆଲୋଚନା କରିଛି)

ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ବୌଦ୍ଧ ଧର୍ମାବଲମ୍ବୀ ମାନସିକତାକୁ ଆଘାତ ଦେଇଥିଲା। କିନ୍ତୁ ନିରସ୍ତ୍ର ମୁସଲମାନଙ୍କୁ ଏଥିଲାଗି ଦାୟୀ କରି କୌଣସି ଘଟଣା ଘଟିନଥିଲା। କିନ୍ତୁ ଜର୍ଜବୁଶଙ୍କ ଇସଲାମ ବିରୋଧୀ ମନଷ୍ଟର ଭାରତ, ଶ୍ରୀଲଙ୍କା, ବର୍ମା, ଜାପାନ ଇତ୍ୟାଦି ଦେଶରେ ମୁସଲମାନ ବିରୋଧୀ ହିଂସା, ଦଙ୍ଗା, ସାମ୍ପ୍ରଦାୟିକ ଆକ୍ରମଣ ଭଳି ଘଟଣା ସୃଷ୍ଟି କରିଥିଲା।


Email: debasar11@yahoo.co.in

No comments:

Post a Comment