ଲେଖା ସଂଖ୍ୟା – ୩
ଆଜିର ଜାତୀୟ ଓ
ଆଞ୍ଚଳିକ ଟିଭି ଚ୍ଯାନେଲରେ ଚାଷୀ,
ଶ୍ରମିକ, ଆଦିବାସୀ, ଦଳିତ ପ୍ରସଙ୍ଗରେ
ଯେଉଁଠି ଖବର ବା ଆଲୋଚନା ପ୍ରାୟତଃ ହୁଏ ନାହିଁ ସେଠାରେ କିନ୍ତୁ ଘଣ୍ଟା ଘଣ୍ଟା ଇସଲାମ ବିରୋଧୀ
ଆଲୋଚନା ଲଗାତର ହେଉଛି। କେହି କ’ଣ ଏଥିଲାଗି ଅର୍ଥ ବିନିଯୋଗ କରୁନଥିଲେ
ଏହା ହେଉଥାନ୍ତା?
ସାମାଜିକ ଗଣମାଧ୍ୟମ ନାମରେ ଅନେକ ଫେସବୁକ ଆକାଉଣ୍ଟ, ଇନଷ୍ଟାଗ୍ରାମ, ଟ୍ବିଟର
ବା ଏକ୍ସ , ଗୁଗୁଲ ବ୍ଲଗ, ମିଥ୍ୟା ରିସର୍ଚ୍ଚ
ରିପୋର୍ଟ ଅର୍ଥ ଦେଇ ତିଆରି ହେଉଛି। ପ୍ରତି ପୋଷ୍ଟିଂ ଲାଗି ଅର୍ଥ ଦିଆଯାଉଛି। ଶିଳ୍ପପତିଙ୍କୁ ପୁଞ୍ଜି
ବୃଦ୍ଧିରେ ଇସଲାମୋଫୋବିଆ ସାହାଯ୍ୟ କରୁନଥିଲେ ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମରେ ଏହା ଏତେ
ବେଶୀ ସ୍ଥାନ ପାଇନଥାନ୍ତା।
ଚିନ୍ତାର ବିଷୟ ଯେ ଗଣମାଧ୍ୟମ ଦ୍ଵାରା ଧାର୍ମିକ
ଘୃଣାକୁ ପ୍ରସାରିତ କରାଯିବା ଦ୍ଵାରା ଆମେ ଦେଶରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ବିବାଦ, ହିଂସା, ଅପହରଣ ଓ ହତ୍ୟା ଭଳି ଘଟଣା ଅଧିକ ଘଟୁଛି।
୨୦୧୫ ମସିହା ସେପ୍ଟେମ୍ବର ୨୮
ତାରିଖ। ଏହି ଦିନ ଉତ୍ତର ପ୍ରଦେଶର ନୋଏଡା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ ରୁ ଉର୍ଦ୍ଧ ନିଜ ଗ୍ରାମବାସୀ
ମହମ୍ମଦ ଅଖଲାକଙ୍କ ଘରକୁ ପଶିଯାଇଥିଲେ। ସେମାନେ ଘରର ଫ୍ରିଜ ମଧ୍ୟରେ ଗୋମାଂସ ରହିଥିବା
ଅଭିଯୋଗରେ ମହମ୍ମଦ ଅଖଲାକଙ୍କୁ ନିଜର ପୁଅ ଝିଅଙ୍କ ସାମ୍ନାରେ ପିଟିପିଟି ମାରିଦେଲେ। ପରେ ଉତ୍ତର
ପ୍ରଦେଶ ସରକାରଙ୍କ ପଶୁ ଚିକିସ୍ଛା ବିଭାଗ ଟେଷ୍ଟ ରିପୋର୍ଟରେ ପ୍ରକାଶ କରିଥିଲେ ଯେ ଅଖଲାକଙ୍କ
ଘରୁ ମିଳିଥିବା ମାଂସ ଗୋମାଂସ ନୁହେଁ ବରଂ ଛେଳି ମାଂସ ଥିଲା। ମହମ୍ମଦ ଅଖଲାକ ସାଧାରଣ ଜଣେ କମାର
ଥିଲେ। ତାଙ୍କ ବଡ ପୁଅ ସେନାବାହିନୀରେ ଚାକିରି କରିଛନ୍ତି। ଆକ୍ରମଣକାରୀମାନେ ସମସ୍ତେ ତାଙ୍କର
ନିଜର ଗ୍ରାମବାସୀ ଥିଲେ। ଘର ମଧ୍ୟରେ ଜବରଦସ୍ତି ପଶି ଆସି ମିଥ୍ୟା ଆରୋପରେ କାହାରିକୁ ହତ୍ୟା
କରିବା ପଛରେ ଧର୍ମକୁ ନେଇ ଘୃଣା ସ୍ପଷ୍ଟ। ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ତିଆରି କରାଯାଉଛି।
୨୮ ମଇ
୨୦୧୨ ତାରିଖ। ବର୍ମାର ରଖାଇନ ରାଜ୍ୟ (Rakhine) ରେ ଗୁଜବ ହୋଇଥିଲା ଯେ ଜଣେ ବୌଦ୍ଧଧର୍ମୀ ମହିଳାଙ୍କୁ ତିନି ଜଣ
ରୋହିଙ୍ଗିଆ ଯୁବକ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି। ଏହାର ସତ୍ୟତାକୁ ନବୁଝି ବୌଦ୍ଧଧର୍ମୀ
ସନ୍ୟାସୀ,
ବୌଦ୍ଧଧର୍ମୀ ଗ୍ରାମବାସୀ ତଥା ସେନାବାହିନୀର ଯବାନ ରୋହିଙ୍ଗିଆଙ୍କୁ ହତ୍ୟା କରିବା ସହିତ
ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଅଗଷ୍ଟ ୨୦୧୨ ସୁଦ୍ଧା ଏହିପରି ୨୫୦୦ ଘରେ ନିଆଁ
ଲଗାଇଦିଆଯାଇଥିଲା ଓ ଅନ୍ୟୁନ୍ୟ ୧୫୦୦ ରୋହିଙ୍ଗିୟାଙ୍କୁ ହତ୍ୟା କରାଯାଇଥିଲା। ପରେ ଜଣା ପଡିଥିଲା ଯେ ମହିଳାଙ୍କ
ଦୁଷ୍କର୍ମ ଗୁଜବ ଥିଲା। (ଉସ୍ଛ: Radical violence against Rohingya people, documentary
film)
ରୋହିଙ୍ଗିଆଙ୍କ ଉପରେ ଆକ୍ରମଣ ପୂର୍ବରୁ ହୋଇଛି। କିନ୍ତୁ ବୌଦ୍ଧ ସନ୍ୟାସୀମାନେ ଇସଲାମକୁ ଘୃଣା
କରିବାକୁ ଯାଇ ରୋହିଙ୍ଗିୟାଙ୍କୁ ହତ୍ୟା କରିବା ଓ ଘର ଜାଳିଦେବା ଘଟଣା ପୂର୍ବରୁ ଦେଖାଯାଉନଥିଲା।
୨୦୧୫
ମସିହା ଫେବୃଆରୀର ଘଟଣା। ଆମେରିକାର ଉତ୍ତର କାରୋଲିନା ସହରର ଫିଯଲି ଫରେଷ୍ଟ ଆପାର୍ଟମେଣ୍ଟରେ
ରୁହନ୍ତି କ୍ରେଗ ହିକ୍ସ। ସେହି
ଆପାର୍ଟମେଣ୍ଟରେ ପୁଣି ଉତ୍ତର କାରୋଲିନା ସରକାରୀ ବିଶ୍ୱବିଦ୍ୟାଳୟର ପିଏଚଡ଼ି ଛାତ୍ର ବରାକଟ ଆସି
ରହିଲେ। ସେ ସିରିୟା ଦେଶର ଓ ମୁସଲିମ ଧର୍ମର ଥିଲେ। ଦିନେ ଗାଡି ପାର୍କିଂକୁ ନେଇ କ୍ରେଗ ହିକ୍ସ ଓ
ବରାକଟଙ୍କ ମଧ୍ୟରେ କିଛି ବିବାଦ ହୋଇଥିଲା।
ସେହିଦିନ ରାତିରେ କ୍ରେଗ ହିକ୍ସ ନିଜର ବନ୍ଧୁକ ସହିତ ବରାକଟଙ୍କ ଫ୍ଲାଟ ମଧ୍ୟରେ ପ୍ରବେଶ କଲେ ଓ
ଆଠ ରାଉଣ୍ଡ ଗୁଳି ଚଳାଇଲେ। ଏଥିରେ ବରାକଟ, ତାଙ୍କ ପତ୍ନୀ ଆବୁସାଲ୍ହା ଓ ଆବୁସାଲ୍ହାଙ୍କ ଭଉଣୀ ରଜାନଙ୍କର
ମୃତ୍ୟୁ ହେଲା। ଆମେରିକା କୋର୍ଟ କ୍ରେଗ ହିକ୍ସଙ୍କୁ ବିନା ପାରୋଲରେ ଆଜୀବନ କାରାଦଣ୍ଡ ଦେଲେ। (Source: The Islamophobia
Industry by Nathan Lean)
ଇଉରୋପରେ
ବିଭିନ୍ନ ଦେଶ ଯଥା ଫିନଲାଣ୍ଡ, ଡେନମାର୍କ, ଇଂଲଣ୍ଡ, ଫ୍ରାନ୍ସ ଇତ୍ୟାଦି ଦେଶରେ ଏହିଭଳି
ଘଟଣା ଘଟିବାରେ ଲାଗିଲା। ସେ ସବୁର ସମୟ ଥିଲା ପ୍ରାୟ ୨୦୧୦ ଓ ଏହା ପରବର୍ତ୍ତୀ ସମୟ।
ଖ୍ରୀଷ୍ଟିୟାନ
– ମୁସଲମାନ, ହିନ୍ଦୁ –
ମୁସଲମାନ, ବୌଦ୍ଧ –
ମୁସଲମାନ ବିବାଦ ଏହି ଦେଶରେ ନୂଆ ନୁହେଁ, କି ବିଶ୍ବରେ ନୂଆ ନୁହେଁ। ଏହି ବିବାଦ ବାରମ୍ବାର ହିଂସାର ରୂପ ନେଇଛି। କିନ୍ତୁ ଅପରିଚିତ
ବ୍ଯକ୍ତିର ଚେହେରା ଦେଖି ତାକୁ ଅତର୍କିତ ଆକ୍ରମଣ କରିବା, ଘର ଜାଳିଦେବା, ହତ୍ୟା କରିବା ମାନସିକତା ଧାର୍ମିକ ଘୃଣା
ମଧ୍ୟରୁ ଆସିଥାଏ। ଏହା ୨୦୦୦ ମସିହା ପରଠାରୁ ବଢିବାରେ ଲାଗିଛି।
ଆମ ସମୟରେ କୃଷକ, ଛାତ୍ରଛାତ୍ରୀ ଯେ କାହିଁକି ଆତ୍ମହତ୍ୟା
କରୁଛନ୍ତି, ଆଦିବାସୀ
କାହିଁକି ନିଜ ସ୍ଥାନରେ ଅନାହାରରେ ମରୁଛନ୍ତି, କାହିଁକି ଆମର ଦେଶରେ ଜଳବାୟୁ ପରିବର୍ତ୍ତନ ହେଉଛି, କାହିଁକି ମହିଳାଙ୍କ ଉପରେ ଯୌନ ଶୋଷଣ
ବଢିବାରେ ଲାଗିଛି ଭଳି ସମସ୍ଯା ସମ୍ପର୍କରେ ସେଭଳି ଚିନ୍ତା ଶାସକମାନେ ପ୍ରକଟ କରୁନାହାନ୍ତି
ଯେତେ ସେମାନେ ନିଜ ଧର୍ମକୁ ସବୁଠାରୁ ବଡ ପ୍ରମାଣିତ କରିବା ଲାଗି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ
କରିବାରେ ସମୟ ଦେଉଛନ୍ତି।
ଆମେ ଧୀରେ ଧୀରେ ଅତି ସଙ୍କୁଚିତ ଘୃଣା
ପୂର୍ଣ୍ଣ ପୃଥିବୀ ମଧ୍ୟରେ ବାସ କରିବା ଲାଗି ବାଧ୍ୟ ହେଉଛୁ। ଆମ ଭିତରେ ରହିଥିବା ମାନବିକତାକୁ
ମାରି ଦିଆଯାଉଛି। ତାହା ବଦଳରେ ଅଜଣା ବ୍ୟକ୍ତିକୁ ଧର୍ମ ନାମରେ ଘୃଣା କରିବା ଲାଗି
ପ୍ରବର୍ତ୍ତାଯାଉଛି। ଦେଶରେ ଦକ୍ଷିଣପନ୍ଥୀ ଶାସକ ଦୀର୍ଘ ଦିନ ଶାସନ କରିବା ଲାଗି ଏପରି
କରାଯାଉଛି।
ଦେବ ରଞ୍ଜନ
No comments:
Post a Comment