Friday, October 31, 2025

ସମ୍ବିଧାନର ସମାନ୍ତରାଳରେ ଅନ୍ୟ ଏକ ସମ୍ବିଧାନ

 


ଦେବ ରଞ୍ଜନ

                        ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗବଇଙ୍କ ଉପରକୁ ସୁପ୍ରମି କୋର୍ଟ ବାର ଆସୋସିଏଆସନର ସଦସ୍ୟ ଓକିଲ ରାକେଶ କିଶୋର ଚପଲ ଫୋପାଡିବା ଲାଗି ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀମାନେ ତାହାଙ୍କୁ ଯଦିଓ ଧରିନେଲେ କିନ୍ତୁ ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ନା ଦିଲ୍ଲୀ ନା କେନ୍ଦ୍ର ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ ରୁଜ୍ଜୁ କରାଗଲା। ପ୍ରଧାନମନ୍ତ୍ରୀ କେବଳ ଏହାକୁ ଏକ “ଗୁରୁତ୍ତର ଘଟଣା” କହି ନୀରବ ରହିଲେ। ଟିଭିର କୌଣସି ଆଙ୍କର ଏ ସମ୍ପର୍କରେ ଚିତ୍କାର କରିବା ଛାଡ କୌଣସି ଆଲୋଚନା ମଧ୍ୟ ରଖିଲେ ନାହିଁ। ଦେଶର ସମ୍ମାନ କହି କ୍ୟାଣ୍ଡେଲ ଯାତ୍ରା କରୁଥିବା କୌଣସି ହିନ୍ଦୁତ୍ଵ ସଂଗଠନ ଏହାର ପ୍ରତିବାଦ କଲେ ନାହିଁ। ନୀରବତା ବି ଏକ ସମର୍ଥନସମସ୍ତେ ରାକେଶ କିଶୋରଙ୍କ ସମର୍ଥନରେ ଲାଗିଗଲେ। ଯାହା ସେ କଲେ ତାହା ତାଙ୍କର ନିଜସ୍ଵ ଥିଲା ନା ଏହା ଏକ ପ୍ରୋତ୍ସାହିତ ଓ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟ ଥିଲା?

                        ମନେକରାଯାଉ ଯେ ଏହି ଘଟଣା କିଛି ବର୍ଷ ପୂର୍ବରୁ ହୋଇଥାନ୍ତା, ଠିକ ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ଥିବା ସମୟରେ। ସେ ସମୟରେ ଓକିଲ ଜଣକ ହିନ୍ଦୁ ନହୋଇ ମନେକରାଯାଉ ମୁସଲମାନ ଧର୍ମ ବିଶ୍ଵାସୀ ହୋଇଥାନ୍ତେ। ମନେକରାଯାଉ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାବରୀ ମସଜିଦ ଉପରେ ଦେଇଥିବା ରାୟ ବିରୁଦ୍ଧରେ (ସାଧାରଣ ମନ୍ତବ୍ୟ ନୁହେଁ) ନିଜର ବିରୋଧ ପ୍ରକାଶ କରି ସେହିଭଳି କିଛି ଘଟଣା ଘଟିଥାନ୍ତା। ତେବେ କଣ ସରକାର ଓ ମିଡିଆର ପ୍ରତିକ୍ରିୟା ଏହିଭଳି ଶିଥିଳ ହୋଇଥାନ୍ତା? ଅସମ୍ଭବ। ସୁପ୍ରିମ କୋର୍ଟ ବାର କାଉନସିଲ ଯେଉଁ ନିଷ୍ପତ୍ତି ନେଲା, ରାକେଶ କିଶୋରଙ୍କ ସଦସ୍ଯତାକୁ ରବ୍ଦ କରିଦେଲା, ତାହା ବାର କାଉନସିଲର ନିଷ୍ପତ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଭୂମିକାରେ ଶିଥିଳତା କାହିଁକି?

                        ମନେକରାଯାଉ ପରମାତ୍ମା” ମୋ ଦେହରେ ବିରାଜମାନ କଲେ। (ଓକିଲ ରାକେଶ କିଶୋରଙ୍କ କହିବା ହେଲା ଯେ ପରମାତ୍ମା ତାଙ୍କୁ ସେ ଭଳି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ)। ପରମାତ୍ମା ତାଙ୍କ ସୃଷ୍ଟ ସୁନ୍ଦର ନଦୀ, ପାହାଡ, ଜଙ୍ଗଲ ଆଜି ଧ୍ଵଂସ ହୋଇଯାଉଥିବା ଦେଖି ସେ କଦାପି ଖୁସି ନଥିବେ। ମନେକରାଯାଉ ତାଙ୍କର ସୁନ୍ଦର ପୃଥିବୀକୁ ଧ୍ଵଂସ କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ଏହି ଭଳି ଚପଲ ଫିଙ୍ଗି ପ୍ରତିବାଦ କରିବା ଲାଗି ସେ ମୋତେ ମୋ ଭିତରେ ନିର୍ଦ୍ଦେଶ ଦେଲେ ଓ ତାହାକୁ ମୁଁ କାର୍ଯ୍ୟକାରୀ କରିଦେଲି। ଏହାପରେ କଣ ସରକାରମାନେ ନୀରବ ରହିବେ ଯେମିତି ସେମାନେ ଆଜି ରହିଛନ୍ତି? ସମ୍ବିଧାନ ବିରୁଦ୍ଧରେ କାର୍ଯ୍ୟରେ ଲିପ୍ତ ରହୁଥିବା ଶାସକଙ୍କୁ ଚପଲ ଫିଙ୍ଗିବା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ଆଇନରେ ଉଲ୍ଲେଖ ସରକାର ଏଭଳି କ୍ଷେତ୍ରରେ ରଖିବେ ନା ଚପଲ ଫିଙ୍ଗାଳୀଙ୍କୁ  “ଦେଶଦ୍ରୋହ” ମାମଲାରେ ଦୀର୍ଘ ବର୍ଷ ଜେଲ ମଧ୍ୟକୁ ପଠାଇଦେବେ?

                        ଯଦି ଶାସକଙ୍କୁ ଚପଲ ଫିଙ୍ଗି ପ୍ରତିବାଦ କରିବା ଭିନ୍ନମତ ଜାହିର କରିବାର ରାସ୍ତା ହୁଏ (ଠିକ ଅନଶନ ଓ ରାଲି ଭଳି) ତେବେ ଏ ଦେଶର ଜେଲମାନଙ୍କରେ ଚପଲ ଫିଙ୍ଗି ଗିରଫ ହେବା ଲୋକଙ୍କ ସଂଖ୍ୟା ଅନ୍ୟ ସମସ୍ତ ଅପରାଧୀଙ୍କ ଠାରୁ ଯଥେଷ୍ଟ ଅଧିକ ହୋଇଯିବ। କିନ୍ତୁ ଜଷ୍ଟିସ ଗବଇଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ନୀରବ ରହିଆସିଛନ୍ତି। ରାକେଶ କିଶୋର ଏ କ୍ଷେତରେ ହୁଏତ ଜେଲରେ ରହିବା କଥା ନଚେତ ସରକାରଙ୍କୁ ସମାଲୋଚନା କରିଥିବା ସମସ୍ତ ଲେଖକ, କର୍ମୀ ଇତ୍ୟାଦି ଜେଲରୁ ତୁରନ୍ତ ଖଲାସ ହେବା କଥା।

                        ଓକିଲ ରାକେଶ କିଶୋରଙ୍କୁ ଜଷ୍ଟିସ ଗବଇଙ୍କ ମନ୍ତବ୍ୟ ଅସହ୍ୟ ହୋଇଥିଲା ବୋଲି କହୁଛନ୍ତି। ଜଷ୍ଟିସ ଗବଇ କିଛି ସପ୍ତାହ ପୂର୍ବେ ଖଜୁରାଓ (ମଧ୍ୟପ୍ରଦେଶ) ଠାରେ ବିଷ୍ଣୁ ମୂର୍ତ୍ତି ସ୍ଥାପନ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ମନ୍ତବ୍ୟ ଦେଇ ମାମଲା ଦାଏରକାରୀଙ୍କୁ କହିଥିଲେ, “ତୁମେ ନିଜକୁ ଯଦି ବିଷ୍ଣୁଙ୍କ ଭକ୍ତ କହୁଛ ତେବେ ତାଙ୍କୁ ଯାଅ ପ୍ରାର୍ଥନା କର।“ ସେ ଆବେଦନକୁ ଖାରଜ କରିଦେଇଥିଲେ।

                        ମୁଖ୍ୟ ବିଚାରପତିଙ୍କ ଏଭଳି ମନ୍ତବ୍ୟ ରାକେଶ କିଶୋରଙ୍କୁ ହୁଏତ ବ୍ୟଥିତ କରିଥାଇପାରେ ଯଦିଓ ସେଭଳି ବ୍ୟଥିତ ହେବାର କୌଣସି ଯଥାର୍ଥାତା ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କୁ ଏହା ବ୍ୟଥିତ କାହିଁକି କରିଛି? ସମ୍ବିଧାନରେ ଏହା କୌଣସି ଠାରେ ଉଲ୍ଲେଖ ନାହିଁ ଯେ ବିଷ୍ଣୁ ଦେବତାଙ୍କ ସୁରକ୍ଷା ସୁପ୍ରିମକୋର୍ଟଙ୍କ ଦାୟିତ୍ଵ। ରହିଛି କି?

                        କେନ୍ଦ୍ର ସରକାର ଏଥିରେ ନୀରବ ରହିବା ଦ୍ଵାରା ଆମେ ନିଶ୍ଚତି ଯେ କୌଣସି ବି ସାମ୍ବିଧାନିକ ପଦବୀରେ କୌଣସି ଦଳିତ ବର୍ଗର ବ୍ୟକ୍ତି ଅଧିଷ୍ଠିତ ହେବା ହିନ୍ଦୁତ୍ଵ ଶକ୍ତି ଲାଗି ଗ୍ରହଣୀୟ ହେଉନାହିଁ। ଯଦି ବି ହୁଅନ୍ତି ତେବେ ସେ ଶାସକ ମୁଖ୍ୟଙ୍କ ପ୍ରତି କୃତଜ୍ଞ ରହିବା ଲାଗି ବାଧ୍ୟ, ନହେଲେ, ଚପଲ ଭଳି କିଛି ଦୁର୍ଦ୍ଦାନ୍ତ ଘଟଣା ଘଟିପାରେ।  

                        ସରକାର ନୀରବ ରହିବାର ଅନ୍ୟ ଏକ ଘଟଣା ହେଲା ଏହିପରି। ଆଲ୍ଲାହବାଦ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ ଶେଖର ଯାଦବଙ୍କ ଦ୍ଵାରା ବିଶ୍ଵ ହିନ୍ଦୁ ପରିଷଦର ସଭାରେ (ଡିସେମ୍ବର ୦୮ ତାରିଖରେ) ଦିଆଯାଇଥିବା ମୁସଲମାନ ବିରୋଧୀ ମନ୍ତବ୍ୟ (“ତୁମର ଗୀତା ଓ ଆମର କୋରାନ” ଓ “କାଠମୁଲ୍ଲାହ”) ଅତ୍ୟନ୍ତ ଆପତ୍ତିଜନକ ଥିଲା। ଏହା ବିପକ୍ଷରେ ସୁପ୍ରିମ କୋର୍ଟ ମଧ୍ୟ ଜଷ୍ଟିସ ଯାଦବଙ୍କୁ ଭୁଲ ସ୍ଵୀକାର କରିବା ଲାଗି କହିଥିଲେ ମଧ୍ୟ ଜଷ୍ଟିସ ଯାଦବ ତାହାକୁ ସ୍ଵୀକାର କରିନଥିଲେ ।

                        ବିରୋଧୀ ଦଳ ସଦସ୍ୟମାନେ ବିଚାରପତି ଯାଦବଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ (ଇମ୍ପିଚିମେଣ୍ଟ ମୋଶନ) ଲାଗି ପ୍ରସ୍ତାବ ଆଣିଥିଲେ ବି ସଂଖ୍ୟା ଗରିଷ୍ଠ ସଦସ୍ୟ ଅଭାବରୁ କାର୍ଯ୍ୟକାରୀ ହୋଇପାରିନଥିଲା।  ସୁପ୍ରିମ କୋର୍ଟ ନିଜର ଅନୁସନ୍ଧାନ ରିପୋର୍ଟ କେନ୍ଦ୍ର ସରକାରଙ୍କ ଦେଇ କାର୍ଯ୍ୟନୁଷ୍ଠାନ ଲାଗି ପ୍ରସ୍ତାବ ମଧ୍ୟ ଦେଇଥିଲା। କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଲେ ଯେ କେବଳ ସଂସଦର ହିଁ କୌଣସି ବିଚାରପତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନର କ୍ଷମତା ରହିଛି। କିନ୍ତୁ ସଂସଦରେ ସଂଖ୍ୟା ଗରିଷ୍ଠ ରହି ମଧ୍ୟ କେନ୍ଦ୍ର ସରକାର ନୀରବ ରହିଲେ। ଆଜି ବି ଜଷ୍ଟିସ ଯାଦବ ନିଜ ପଦବୀରେ ରହିଛନ୍ତି ଓ କାର୍ଯ୍ୟ କରୁଛନ୍ତିଏହା ବିଚାରବିଭାଗରେ ସାମ୍ପ୍ରଦାୟିକତାକୁ ଉଚିତ ଠଉରାଉଛି 

                        ଜଷ୍ଟିସ ଗବଇଙ୍କୁ ଜୋତା ଫୋପାଡିବା ଲାଗି ଉଦ୍ୟମ କରିବା ଅଥଚ କୌଣସି କାର୍ଯ୍ୟନୁଷ୍ଠାନ କେନ୍ଦ୍ର ସରକାର ନନେବା ଯେମିତି ଦଳିତ ବିରୋଧୀ ମାନସିକତା ସେହିଭଳି ବିଚାରପତି ଶେଖର ଯାଦବ ମୁସଲମାନ ବିରୋଧୀ ମନ୍ତବ୍ୟ ଦେବା କେନ୍ଦ୍ର ସରକାରଙ୍କର ଇସଲାମ ବିରୋଧୀ ମାନସିକତା। ଏହି ମାନସିକତା ସମ୍ବିଧାନ ବିରୋଧୀ। କିନ୍ତୁ ସମାନ୍ତରାଳ ଭାବରେ ସରକାର ଏହି ମାନସିକତାକୁ ଆପଣାର କରିଚାଲିଛନ୍ତି।

                        ଆମ୍ବେଦକରଙ୍କ ନେତୃତ୍ଵରେ ଲିଖିତ ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇପାରେ ସମ୍ବିଧାନ ଅନୁସାରେ ହୁଏତ ପ୍ରତ୍ଯେକ ଭୋଟର ସମାନ ଅଧିକାର ରହିପାରେ।  ଯେ କୌଣସି ବ୍ୟକ୍ତି ସାମ୍ବିଧାନିକ ପଦବୀର ଅଧିଷ୍ଠିତ ହୋଇପାରେ, କାହାର ଜନ୍ମ ଅନୁସାରେ କାହାରିକୁ ଏଥିରୁ ବାରଣ କରାଯାଇନପାରେ। କିନ୍ତୁ ଭାରତୀୟ ସମ୍ବିଧାନର ଏଭଳି ପ୍ରାବଧାନକୁ ହିନ୍ଦୁତ୍ଵ ଶକ୍ତି ଗ୍ରହଣ କରିବା ଲାଗି ଅନାଗ୍ରହୀ

                        ଯଦିଓ ସମ୍ବିଧାନର ଧାରା ୫୧ (କ) ଅନୁସାରେ ପ୍ରତ୍ଯେକ ନାଗରିକ ଦେଶର ସାର୍ବଭୌମତ୍ଵ ଓ ସମ୍ବିଧାନକୁ ସମ୍ମାନ ଦେବା ତାହାର କର୍ତ୍ତବ୍ୟ ବୋଲି ଉଲ୍ଲେଖ ରହିଛି କିନ୍ତୁ ଏହାକୁ ସରକାର ସ୍ଵୀକାର କରିବାକୁ ଚାହୁଁନାହାନ୍ତି। ଯଦିଓ ଆଜିର ସରକାର ଦେଶର ସମ୍ବିଧାନ ଦ୍ଵାରା ନିର୍ବାଚିତ ହୋଇ କ୍ଷମତାକୁ ଆସିଛନ୍ତି କିନ୍ତୁ ଭିନ୍ନ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହା କେବଳ ଶଠତା ନୁହେଁ ଏହା ସମାଜ ଲାଗି ମାରାତ୍ମକ ମଧ୍ୟ। ଏଭଳି ଆଚରଣ ଦଳିତ, ମହିଳା, ଆଦିବାସୀ, ଅଣହିନ୍ଦୁ ଓ ହିନ୍ଦୁ ଧର୍ମାବଲମ୍ବିଙ୍କୁ ଅଣନିଶ୍ଵାସୀ କରିଦେଉଛି। ରାକେଶ କିଶୋରଙ୍କ ପ୍ରତିବାଦ ବି ଯଦି ଗଣତନ୍ତ୍ରର ଏକ ଅଂଶ ବୋଲି ସରକାର ମନେକରୁଥାନ୍ତି ତେବେ ତାଙ୍କୁ ସମାଲୋଚନା କରିବା କାରଣରୁ ବିଭିନ୍ନ ମାମଲାରେ ଜେଲରେ ରହିଥିବା ଅନେକ ମାନବିକ ଅଧିକାର କର୍ମୀ, ଦଳିତ ନେତା, ଛାତ୍ରନେତା, ଲେଖକ, ପ୍ରଫେସର ଇତ୍ୟାଦିଙ୍କୁ ସରକାର ତୁରନ୍ତ ଜେଲରୁ ମୁକ୍ତ କରିଦିଅନ୍ତୁ।    

ନିମ୍ନରେ ନିଜର ମତାମତ ଲେଖିପାରିବେ। ଏହାକୁ share ଓ ପତ୍ରିକାରେ print ମଧ୍ୟ କରିପାରିବେ। କୌଣସି କପିରାଇଟ୍ସ ନାହିଁ। 

Sunday, October 26, 2025

ଜଣେ ବିଦ୍ରୋହୀ ଆତ୍ମାର ‘ଆତ୍ମଜୀବନୀ’

 ଦେବ ରଞ୍ଜନ

              ଅରୁନ୍ଧତୀ ରାୟଙ୍କ ୨୦୧୯ରେ ପ୍ରକାଶିତ ଏକ ପ୍ରବନ୍ଧ ସଙ୍କଳନର ଇଂରାଜୀ ନାମ ମାଇଁ ସେଡିସିୟସ ହାର୍ଟ ମୁଁ ଏହାର ଓଡିଆ କରୁଥିଲି ମୋ ଦେଶଦ୍ରୋହୀ ହୃଦୟ ଅରୁନ୍ଧତୀଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ମଦର ମେରି କମ୍ସ ଟୁ ମି ପଢିବା ପରେ ଲାଗୁଛି ଏହାକୁ ମୁଁ ଭୁଲ ଅନୁବାଦ କରୁଥିଲି। ପ୍ରବନ୍ଧ ସଂକଳନର ଓଡିଆ ନାମ ହେବ ମୋ ବିଦ୍ରୋହୀ ଆତ୍ମାମଦର ମେରି କମ୍ସ ଟୁ ମି ଯଥାର୍ଥରେ ଜଣେ ବିଦ୍ରୋହୀ ଆତ୍ମାର ଆତ୍ମଜୀବନୀ   

              ଏହି ଆତ୍ମଜୀବନୀଟି (ଲେଖିକା ଯଦିଓ ଏହାକୁ ଜଣେ ଝିଅ ଦ୍ଵାରା ଲିଖିତ ମାର ଜୀବନୀ କହୁଛନ୍ତି) ପଢିବା ଭିତରେ ମୁଁ ଅବଶ୍ୟ ବାରମ୍ବାର ଧୋକା ଖାଉଥିଲି - ମୁଁ କୌଣସି ଉପନ୍ୟାସ ପଢୁନାହିଁ ତ! ଉପନ୍ୟାସର ଭାଷା, ଘଟଣା, ଏହା ପଛର କାରଣ ପୁଣି ଉତ୍ସକତା ଏହାକୁ ତାଙ୍କର ପ୍ରଥମ ଉପନ୍ୟାସ (ଗଡ ଅଫ ସ୍ମଲ ଥିଂସ’) ଭଳି କରିଛିନିଜ ସମ୍ପର୍କୀୟମାନଙ୍କ ବର୍ଣ୍ଣନା ସମୟରେ ଆପେ ଆପେ ଆସିଯାଇଛି ପୌରାଣିକ ଚରିତ୍ରର (ବାଇବେଲ) ଅଜବ ବ୍ୟବହାର ସାଙ୍ଗକୁ ସାମଞ୍ଜସ୍ୟ ରଖୁଥିବା ବିଶ୍ଵ ସାହିତ୍ୟର ବିଭିନ୍ନ ଚରିତ୍ର ଅଥବା ଅନେକ ବିଖ୍ୟାତ ବ୍ୟକ୍ତିଙ୍କ ଜୀବନଏହିଥିରୁ ବୁଝା ପଡୁଛି ଯେ ଅରୁନ୍ଧତିଙ୍କ ପ୍ରଥମ ଉପନ୍ୟାସ ଗଡ ଅଫ ସ୍ମଲ ଥିଂସର ଅନେକ ଚରିତ୍ର ଆଦୌ କାଳ୍ପନିକ ନୁହନ୍ତି। ସେମାନେ ତାଙ୍କ ବ୍ୟକ୍ତିଗତ ଜୀବନରେ ରହିଥିବା ବିଭିନ୍ନ ଚରିତ୍ର।   

              ଅରୁନ୍ଧତୀଙ୍କ ପିଲାବେଳ ଏହିପରି: ୧୯୬୨ର ଚୀନ ଯୁଦ୍ଧ ସମୟରେ ଆସାମରୁ ଚାଲିଆସି କଲିକତାରେ ରହିଥିବା ମେରୀରାୟ ଯୁଦ୍ଧ ସରିବା ପରେ ସ୍ଵାମୀଙ୍କ ସହିତ ଆସାମ ଫେରିବାକୁ ମନା କରିଦେଇଛନ୍ତି। ସେ କେରଳର କୋଟ୍ଟାୟମ ସହରକୁ ଫେରିଆସି ସେଠାରେ ରୋଟାରୀ କ୍ଲବର ଅବ୍ୟବହୃତ ସ୍ଥାନରୁ ଆରମ୍ଭ କରନ୍ତି ନିଜର ସ୍କୁଲ (ଯେଉଁଠି ନିଜ ପୁଅ ଓ ଝିଅ ମଧ୍ୟ ସ୍କୁଲର ଛାତ୍ରଛାତ୍ରୀ) ଓ ବାପାର ସମ୍ପତ୍ତି ଉପରେ ଝିଅର ସମାନ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଟ୍ରାଭନକୋର ଖ୍ରୀଷ୍ଟିୟାନ ସକସେସନ ଆକ୍ଟ ବିରୁଦ୍ଧରେ ଆଇନଗତ ଲଢେଇ। ସୁପ୍ରିମକୋର୍ଟ ମେରି ରାୟଙ୍କ ସପକ୍ଷରେ ରାୟ ଦିଅନ୍ତି ଯେ ଖ୍ରୀଷ୍ଟିୟାନ ପରିବାରରେ ବାପାର ସମ୍ପତ୍ତି ଉପରେ ଝିଅର ଅଧା ଅଧିକାର ରହିଛିଏହାପରେ ନିଜ ଭାଗର ସମ୍ପତ୍ତି ଉପରେ ସେ ଅଧିକାର ସାବ୍ୟସ୍ତ କରିଛନ୍ତି। ମେରୀରାୟଙ୍କ ସ୍କୁଲ ଅଞ୍ଚଳରେ ଶ୍ରେଷ୍ଠ ସ୍କୁଲର ମାନ୍ୟତା ପାଇଛି ଓ ସେ ଜଣେ ଶିକ୍ଷାବିତ ଭାବରେ କେରଳରେ ମାନ୍ୟତା ପାଇଛନ୍ତି।  

              ସ୍କୁଲର ସଫଳତା ମା (ମେରୀରାୟ) ଓ ଝିଅ (ଅରୁନ୍ଧତୀ ରାୟ) ମଧ୍ୟରେ ଯୋଜନ ଯୋଜନ ଦୂରତା ବଢାଇଛି। ମା ଚାହୁଁଛନ୍ତି ସ୍କୁଲର କ୍ରମଶଃ ଦାୟିତ୍ଵ ଝିଅ ନେଉ (ପୁଅ ନୁହେଁ)ତେଣୁ ସେ ବାରମ୍ବାର ଝିଅକୁ ଚେତାଇ ଦେଉଛନ୍ତି ଯେ ତାହା ପଛରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ଏକ ଏକ “ପୁଞ୍ଜିଲଗାଣ”। ମାତ୍ର ଝିଅ ଧରିନେଇଛି ଯେ ନିଜକୁ ମାରୂପୀ “ବ୍ୟାଙ୍କର” ଠାରୁ ଯଥାଶୀଘ୍ର ମୁକ୍ତି ଆବଶ୍ୟକ ଏହି “ପୁଞ୍ଜିଲଗାଣଲାରୀ ପ୍ରକଳ୍ପ” ଓ “ବ୍ୟାଙ୍କର”ର ଲଢେଇକୁ ଯଦିଓ  ବାଧ୍ୟ – ଅବାଧ୍ୟ ମଧ୍ୟରେ ଏଲକେସି (ମେରୀରାୟଙ୍କ ବଡ ପୁଅ) ନିଜକୁ ଖାପ ଖୁଆଇ ନେଇଛନ୍ତି” କିନ୍ତୁ ମେରିରାୟଙ୍କ ଜୀବନରୁ ସବୁଦିନ ଲାଗି “ଗେଟ ଆଉଟ” ହୋଇ ଅରୁନ୍ଧତୀ ଚାଲିଆସିଛନ୍ତି ବହୁ ଦୂରକୁ, କେରଳରୁ ଦିଲ୍ଲୀକୁ। ଶପଥ ନେଇଛନ୍ତି ନିଜ ଲାଗି ପଢା ଖର୍ଚ୍ଚ ପାଇଁ ମା ଉପରେ କେବେ ବି ନିର୍ଭର କରିବେ ନାହିଁ। 

              ଜଣେ ୧୮ ବର୍ଷର ବାଳିକା ଲାଗି ରାଜଧାନୀ ଦିଲ୍ଲୀ ସହରରେ ଏକୁଟିଆ ବଞ୍ଚିବା ଭିତରେ ଘଟୁଥିବା ଘଟଣା ଦେଶର ସାମାଜିକ ଚିତ୍ରକୁ ବର୍ଣ୍ଣନା କରୁଛି। ଘଟଣାର କ୍ରମ ଏହିପରି:  ଆର୍କିଟେକଚର କଲେଜରେ ନାମ ଲେଖାଇବା, କଲେଜ କ୍ୟାଣ୍ଟିନରେ ଲୁଚି ଲୁଚି ରାତି ବିତାଇବା, ପାଠ ପଢା ସହିତ ପାର୍ଟ ଟାଇମ କାମ ଖୋଜିବା, ସାମାନ୍ୟ ଅର୍ଥ ହେବା ପରେ ଜୁମା ମସଜିଦ ପାଖରେ ଅତି ଛୋଟ ଘର ନେବା, ଅନେକ ଥର ଅନାହାର ମଧ୍ୟରେ ରହିବା, ଯୌନ ଉତ୍ପୀଡକମାନଙ୍କୁ ପ୍ରତି ମୁହୂର୍ତ୍ତରେ ସାମ୍ନା କରିବା, ପଢା ସାରିବାର ଠିକ ପରେ ପରେ ଏକ ଫିଲ୍ମରେ ଅଭିନୟ ଲାଗି ସୁଯୋଗ ପାଇବା (“ମାସୀ ସାହେବ”), ପରେ ଫିଲ୍ମ ଲାଗି ସ୍କ୍ରିପ୍ଟ ଲେଖିବା, ପ୍ରେମ, ବିବାହ, ଆର୍ଥିକ ସଂଘର୍ଷ ଭିତରେ ନିଜର ପ୍ରଥମ ଉପନ୍ୟାସ ଲେଖିବା, ଲେଖା କାରଣରୁ ରାଷ୍ଟ୍ର ଶକ୍ତିର ଦମନକୁ ସାମ୍ନା କରିବା ଓ ସେହି ଦମନରୁ ସ୍ଵାମୀକୁ ଅଲଗା ରଖିବା ଲାଗି ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରି ଅର୍ଡର ପାଇବା । ସେ ଏକୁଟିଆ ରହିଥିବା ସମୟରେ ସମାଜକୁ ସାମ୍ନା କରିବା ଭିତରେ ଅନେକ ସାହସ ନିଜ ମଧ୍ୟରେ ଏକାଠି କରିଛନ୍ତି ଯାହା ଆଜି ଆମେ ତାଙ୍କୁ ରାଷ୍ଟ୍ର ଓ ସାମ୍ପ୍ରଦାୟିକ ଶକ୍ତିକୁ ସାମ୍ନା କରିବା ସମୟରେ ଦେଖୁଛୁ। 

              ଦୀର୍ଘ ଚାରିବର୍ଷ ପରିଶ୍ରମ କରି ପ୍ରଥମ ଉପନ୍ୟାସ ଗଡ ଅଫ ସ୍ମଲ ଥିଙ୍ଗସ ଲେଖିବା ପରେ ସେ ସ୍ଵୀକାର କରନ୍ତି ଯେ ତାଙ୍କ ଜୀବନରେ କିଛି ବଳକା ଅର୍ଥ ସୃଷ୍ଟି ହୋଇଥିଲା। ଏହି ଉପନ୍ୟାସ ୧୯୯୭ ମସିହାରେ ବୁକର ପୁରସ୍କାର ପାଇଥିଲା। ବହି ରୟାଲିଟି ଆସିବା ପରେ ନିଜ ଜୀବନରେ ଅର୍ଥକୁ ନେଇ ଚାଲିଥିବା ସଂଘର୍ଷର ପରିସମାପ୍ତି ଘଟାଇବା, ରୟାଲିଟି ଅର୍ଥ ମଧ୍ୟରୁ ନିଜ ପାଇଁ କିଛି ରଖି ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ ଲାଗି ଅର୍ଥ ପଠାଇବା ଅରୁନ୍ଧତୀଙ୍କ ଜୀବନର ଏକ ବଡ ଅଂଶକ୍ଵଚିତ ଲେଖିକା କି ଲେଖକ ଆମେ ପାଇଛୁ ଯିଏ ଦେଶର ଅନେକ ଜନ ସଂଗଠନ ଓ ଜନ ଆନ୍ଦୋଳନମାନଙ୍କୁ ନିଜ ପୁରସ୍କାର ରାଶି ଦେଇଛନ୍ତି।

              ବୁକର ପୁରସ୍କାରର ଅର୍ଥ ଦେଶର ୨୩ ଟି ସଂଗଠନକୁ, ୨୦୦୨ ମସିହାରେ, ଏକ କାଳୀନ ଦୁଇ ଲକ୍ଷ ଟଙ୍କାରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେ ସମୟରେ ଲେଖିକା ଦେଇଥିବା ମୁଁ ଜାଣିଛି ସେହି ସଂଗଠନ ମଧ୍ୟରେ ଆଦିବାସୀ ଅଧିକାର ସଂଗଠନ, ବିସ୍ଥାପନ ବିରୋଧୀ ସଂଗଠନ, ତଥ୍ୟ ଜାଣିବାର ଅଧିକାର ସଂଗଠନ, କୃଷକ ସଂଗଠନ ଓ ଟ୍ରେଡ ଯୁନିଅନ ଅଛନ୍ତି ଯଦିଓ ଏ ସମ୍ପର୍କରେ ଆତ୍ମଜୀବନୀରେ ଉଲ୍ଲେଖ କରିନାହାନ୍ତି। ସେମାନଙ୍କ ମଧ୍ୟରେ ପୁଣି ଅଛନ୍ତି ମାନବିକ ଅଧିକାର ଲାଗି କାମ କରୁଥିବା ଅନେକ ବୃତ୍ତଚିତ୍ର ନିର୍ମାତା (ମୁଁ ନିଜର ଦୋ ଛକିରେ ଫିଲ୍ମ ଲାଗି ଆର୍ଥିକ ସହଯୋଗ ମଧ୍ୟ ପାଇଥିଲି), ଗବେଷକ, ଲେଖକ, ମ୍ୟୁଜିକ କମ୍ପୋଜର ଇତ୍ୟାଦି। ଏହି କାର୍ଯ୍ୟ ପ୍ରାୟ ୧୦ – ୧୨ ବର୍ଷ ଚାଲିଥିଲା। ଏହାପରେ ଅର୍ଥ ସରିଯାଇଛି ଓ ଏହା ସହିତ ସଂଗଠନ ଓ ବ୍ୟକ୍ତିବିଶେଷମାନଙ୍କୁ ସହଯୋଗ ମଧ୍ୟ ବନ୍ଦ ହୋଇଛି।

              ଶେଖର କପୁରଙ୍କ ବଣ୍ଡିତ କୁଇନ (ଫୁଲନ ଦେବୀଙ୍କ ଜୀବନୀ ଉପରେ ଆଧାରିତ) ଫିଲ୍ମରେ ଠାକୁରମାନଙ୍କ ବାରମ୍ବାର ଯୌନ ଅତ୍ୟାଚାରର ଦୃଶ୍ୟ, ଯାହା ସତ୍ୟତା ଠାରୁ ଅନେକ ଦୁରରେ, ଆମ ଭିତରୁ ଅନେକଙ୍କୁ କ୍ରୋଧିତ କରିଥିଲେ ମଧ୍ୟ ସ୍ଵୀକାର କରିନେଇଥିଲୁକିନ୍ତୁ ଅରୁନ୍ଧତୀଙ୍କ କ୍ରୋଧ ମଧ୍ୟରୁ ଦି ଗ୍ରେଟ ଇଣ୍ଡିଆନ ରେପ ଟ୍ରିକ ପ୍ରବନ୍ଧ ବାହାରି ଆସିଥିଲା। ଶେଖର କପୁର ମଧ୍ୟରେ ସେ ନିଶ୍ଚିତ ପାପରିଆର ବସଷ୍ଟପର ସେହି ପୁରୁଷମାନେ ଅଥବା କୋଟ୍ଟାୟମର ସାଣ୍ଟାଙ୍କୁ ଦେଖିଥିବେଉକ୍ତ ପ୍ରବନ୍ଧରେ ସେ ଏକ ସ୍ଥାନରେ ଲେଖିଛନ୍ତି, - “ଶେଖର କାପୁରଙ୍କ ଫିଲ୍ମ, ଫୁଲନ ଦେବୀଙ୍କ ଜୀବନର ମୋଡ ବଦଳାଉଥିବା ପ୍ରତ୍ୟେକ ଘଟଣା, ସେ କେଉଁ ପରିସ୍ଥିତିରେ ଡକାୟତ ହେଲେ ସେହିଠାରୁ ଆରମ୍ଭ କରି ପ୍ରତ୍ୟେକ ଘଟଣା ପଛରେ ଧର୍ଷଣ ବା ଧର୍ଷଣ ଲାଗି ଉଦ୍ୟମ ହିଁ କାରଣଶେଖର କପୁରଙ୍କ ଗୁରୁତର ଅପରାଧ ହେଲା ଯେ ସେ ଫୁଲନ ଦେବୀଙ୍କ ଜୀବନରେ ଧର୍ଷଣକୁ ଐଶ୍ଵରୀୟ (rape-diviner) କରିଦେଇଛନ୍ତି।“ - ଦି ଗ୍ରେଟ ଇଣ୍ଡିଆନ ରେପ ଟ୍ରିକ

              ଭାରତର ଅଧିକାଂଶ ମହିଳାଙ୍କ ଭଳି ଲେଖିକା ମଧ୍ୟ ଯୌନ ଉତ୍ପୀଡକଙ୍କୁ ସାମ୍ନା କରିଛନ୍ତି, ସେଲେବ୍ରିଟି ଲେଖିକା ହେବା ପୂର୍ବରୁ। ଆଠ ଦର୍ଶ ବର୍ଷର ଝିଅ (ଅରୁନ୍ଧତୀ ରାୟ) ସାମୟିକ ଭାବରେ ମାର ଏକ ବନ୍ଧୁଙ୍କ ଘରେ ରହିଥିବା ସମୟରେ ସେହି ଘରର ଅତି ସମ୍ମାନଜନକ ବୟସ୍କ ବ୍ୟକ୍ତି, କୋଟ୍ଟାୟମ ସାଣ୍ଟାଙ୍କ ଯୌନ କେଳେଙ୍କାରୀ ଚରିତ୍ର ସମ୍ପର୍କରେ ଲେଖିକା ଲେଖୁଛନ୍ତି, “ଯେତେବେଳେ ସେହି ଜେଜେ ବାପାଙ୍କୁ ସମସ୍ତେ ଅତିଭଲ ମଣିଷ ଭାବରେ ଦେଖୁଥିଲେ ସେତେବେଳେ ମୁଁ ତାଙ୍କୁ ମଣିଷ ରୂପୀ ଚଷମା ଲଗା ଏକ ଘୁଷୁରି ଯିଏ ଖାଇବା ଟେବୁଲର ଆର ପାଖରେ ମୋ ସହିତ ବସିଛି ଭଳି ଦେଖୁଥିଲି।“ – ଆତ୍ମଜୀବନୀ (ମଦର ମେରି କମ୍ସ ଟୁ ମି’)

              ଜୀବନରେ ସେ ପୁଣି ଥରେ କୋଟ୍ଟାୟମ ସାଣ୍ଟାମାନଙ୍କ ଦ୍ଵାରା ଅତ୍ୟାଚାରିତ ହେଉଛନ୍ତି ମଧ୍ୟପ୍ରଦେଶର ପାପରିୟା ବସଷ୍ଟପରେ, “ମାସି ସାହେବ” ଫିଲ୍ମର ଶୁଟିଙ୍ଗ ସ୍ଥାନକୁ ଯିବା ଲାଗି ସନ୍ଧ୍ୟା ସମୟରେ ବସକୁ ଅପେକ୍ଷା କରିଥିବା ବେଳେଆମର ପୁରୁଷତାନ୍ତ୍ରିକ ସମାଜ ନାରୀର ଇଚ୍ଛା ବିରୁଦ୍ଧରେ ତାହାର ଶରୀର ଉପରେ ନିଜର ହକ ସାବ୍ୟସ୍ତ କରିବାରେ ଅଧିକ ଖୁସି ପାଇଥାଏ। ଦୀର୍ଘ ବର୍ଷର ସ୍ଵାଧୀନତା ପରେ ବି ଆମ ପରିବାରରେ ପୁଅ ଛୁଆ କେଉଁଭଳି ଜଣେ ମହିଳାଙ୍କ ପ୍ରତି ଆଚରଣ କରିବ ତାହାର ଶିକ୍ଷା ପାଇ ପାରିଲା ନାହିଁ

              ଆମର ପରିବାର ନହେଲା ନାହିଁ ଆମର ଦେଶର ସରକାର ହେଲେ ନିଜର ନାଗରିକଙ୍କ ପ୍ରତି ଉପଯୁକ୍ତ ଆଚରଣ କରୁଥାନ୍ତେ? ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଭାରତ ସରକାର ପୋଖରାନ ଠାରେ ଆଣବିକ ବୋମାର ପରୀକ୍ଷଣ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ, ଜାତୀୟତା ନାମରେ ପୁଣି ଯେଉଁଠି ୭୦ ଭାଗ ଲୋକ ଦାରିଦ୍ର୍ୟ ମଧ୍ୟରେ ଅଛନ୍ତି, ସେଠାରେ, ଆଣବିକ ଅସ୍ତ୍ର ପରୀକ୍ଷା କରିବା ଗଣତନ୍ତ୍ରର ପରିଭାଷା ସହିତ ଖାପ ଖାଉନଥିଲା।

              ଆଣବିକ ପରୀକ୍ଷଣର ପ୍ରତିବାଦରେ ପ୍ରବନ୍ଧ ଦି ଏଣ୍ଡ ଅଫ ଇମାଜିନେସନ (କଳ୍ପନାର ଶେଷ’) ଆଣବିକ ଅସ୍ତ୍ରର ଭୟାଭୟତା ସମ୍ପର୍କରେ ଆମକୁ ଅବଗତ କରାଇଥିଲା। ଏହି ଠାରୁ ରାଜନୈତିକ ପ୍ରବନ୍ଧ ଲେଖିବା ସେ ଆରମ୍ଭ କରିଥିଲେଏହି ଲେଖା ପରେ ବିଜେପି ଓ ଏହାର ମିଡିଆ ଗୋଷ୍ଠୀ ପ୍ରଚାର କରିବା ଆରମ୍ଭ କରିଥିଲେ, “ଅରୁନ୍ଧତୀ ଭାରତ ଛାଡ”। ଏହାର ପ୍ରତିବାଦରେ ଲେଖିକା ଲେଖୁଛନ୍ତି, “ଏହି ଦୋଷାରୋପ ମୋତେ ସ୍ଵାଧୀନ କରିଦେଇଥିଲା। ମୁଁ ମୋ ଦେଶର ପାହାଡ, ଜଙ୍ଗଲ, ନଦୀ, ଗାଁ, ସୀମାନ୍ତ ସହର ଘୁରି ବୁଲିଲି କେବଳ ମୋ ଦେଶକୁ ଅଧିକ ବୁଝିବା ଲାଗି। ମୁଁ ଯେତେ ଅଞ୍ଚଳ ଗଲି ସେତେ ଲେଖିଲି। ସେହିଠାରୁ ହିଁ ମୋ ଭଳି ଏକ ଦେଶଦ୍ରୋହୀ, ବିଶ୍ବାସଘାତକ-ଲେଖିକାର ଅଶାନ୍ତ ଓ ଅବାଧ୍ୟ ଜୀବନର ଆରମ୍ଭ ହେଲା। ଯାହା ମୋ ମା ମୋତେ ଶିଖାଇଥିଲେ। ମୁଁ କେବଳ ସୁନାପାତ୍ରକୁ ପରିହାର କରିନଥିଲି ଏହାକୁ ବିସ୍ଫୋରିତ କରି ଛୋଟ ଛୋଟ ଟୁକୁଡା କରିଦେଇଥିଲି।“  - ଆତ୍ମଜୀବନୀ

              ନର୍ମଦା ନଦୀବନ୍ଧ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଗ୍ରେଟର କମନ ଗୁଡ୍ସ ବା ବିଶାଳ ଜନକଲ୍ୟାଣ ନଦୀବନ୍ଧ ସମ୍ପର୍କରେ ଆମର ବିଚାରକୁ ଶାଣିତ କରିଛି। କିଛି ବର୍ଷ ସେ ଏହି ଆନ୍ଦୋଳନ ସହିତ ଓତଃପ୍ରୋତଃ ଜଡିତ ମଧ୍ୟ ହୋଇଥିଲେ। ସୁପ୍ରିମ କୋର୍ଟ ବନ୍ଧ ସପକ୍ଷରେ ରାୟ ଶୁଣାଇବାର ପ୍ରତିବାଦରେ ବକ୍ତବ୍ୟ ଦେବା ହେତୁ କୋର୍ଟ ତାଙ୍କୁ ଦିନକ ଲାଗି ତିହାର ଜେଲ ପଠାଇଦେଇଥିଲେ। ସେହି ଦିନକୁ ମନେପକାଇ ସେ ଲେଖୁଛନ୍ତି, “ମୁଁ ଗୋଟିଏ ରାତି ଜେଲରେ ରହିବା ପରେ ଯେତେବେଳେ ତାହା ପର ଦିନ ସକାଳୁ ଜେଲରୁ ବାହାରିଲି ମୋତେ ନର୍ମଦା ଅଞ୍ଚଳରୁ ଆସିଥିବା ଅନେକ ସାଥି ଜେଲ ବାହାରେ ଅପେକ୍ଷା କରିଥିଲେ। ସେମାନେ ସମସ୍ତେ ରାତି ସାରା ଜେଲ ବାହାରେ ଥିଲେ।“- ଆତ୍ମଜୀବନୀ

              କାଶ୍ମୀରର ପରିସ୍ଥିତିକୁ ନେଇ ପ୍ରସିଦ୍ଧ ପ୍ରବନ୍ଧ ଆଜାଦୀ ଯେଉଁଠି ସେ ଲେଖୁଛନ୍ତି, “କାଶ୍ମୀରରେ ବିଜୁଳି ଓ ପାଣିର ଆବଶ୍ୟକତାକୁ ନେଇ ଚାଲିଥିବା ଲଢେଇ ବି ଏଠାରେ ଆଜାଦୀ ପାଇଁ ଦାବିରେ ପରିଣତ ହୋଇଯାଉଛି, ଆଜି ତାଙ୍କର ପ୍ରତିଟି ପ୍ରବନ୍ଧ, ଉପନ୍ୟାସ ଓ ଆତ୍ମଜୀବନୀର ଅଂଶ ହୋଇଯାଇଛି। ଏଥିଲାଗି ଲେଖିକାଙ୍କ ଉପରେ “ଦେଶଦ୍ରୋହ” ମାମଲା କଂଗ୍ରେସ ସରକାର ସମୟରେ ରୁଜୁ ହୋଇଥିଲା। ଜଣେ କାଶ୍ମୀରବାସୀର ପ୍ରଶ୍ନ ଯେ ଆପଣ କଣ କାଶ୍ମୀର ଉପରେ ପୁସ୍ତକ ଲେଖିବେ ସେତେବେଳେ ଲେଖିକାଙ୍କ ଉତ୍ତର ଥିଲା, - “ମୁଁ କାଶ୍ମୀର ଉପରେ ପୁସ୍ତକ ଲେଖେ କି ନଲେଖେ କିନ୍ତୁ ମୋର ସମସ୍ତ ପୁସ୍ତକରେ କାଶ୍ମୀରର ଲଢେଇ ନିଶ୍ଚିତ ରହିବ।“- ଆତ୍ମଜୀବନୀ

              ଛତିଶଗଡରେ ଆଦିବାସୀ ଅଞ୍ଚଳରେ ମାଓବାଦୀ ସଂଗଠନର ବିପ୍ଳବାତ୍ମକ କାର୍ଯ୍ୟକୁ ନେଇ ୱାକିଙ୍ଗ ୱୀଥ କମ୍ରେଡ ବା କମ୍ରେଡଙ୍କ ସହ କେଇପାଦରେ ରହିଛି ବିରାଟ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ପାର୍ଟିକର୍ମୀଙ୍କ ସହିତ ଭାରତୀୟ ରାଷ୍ଟ୍ରର ସମର ସଜ୍ଜା। ଜଙ୍ଗଲରୁ ଫେରିବା ପରେ ଅରୁନ୍ଧତୀ ଓ ଅନେକ ସାଥି ଅପରେସନ ଗ୍ରୀନହଣ୍ଟ (ମାଓବାଦ ନିପାତ ନାମରେ ଆଦିବାସୀଙ୍କୁ ହତ୍ୟା ଲାଗି ଭାରତ ସରକାରଙ୍କ ଯୋଜନା) ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ। ସେମାନଙ୍କୁ ଲକ୍ଷ୍ୟ କରି ମିଡିଆରେ ବିଜେପି ସରକାର ସମସ୍ତ ପ୍ରତିବାଦୀଙ୍କୁ ବ୍ରାଣ୍ଡ କରିବା ଆରମ୍ଭ କରିଥିଲେ ଅର୍ବାନ ନକ୍ସଲ୍

              ଭୀମାକୋରେଗାଓଁ କେସରେ ଅନେକ ଲେଖକ, ମାନବିକ ଅଧିକାର କର୍ମୀ (ଅର୍ବାନ ନକ୍ସଲ୍) ଇତ୍ୟାଦିଙ୍କୁ ଗିରଫ କରାଯାଇଥିଲା। ଏହି କେସରେ ଆଜି ବି ବିଚାର ଆରମ୍ଭ ହୋଇନାହିଁ। ହେଲେ ଲେଖିକା ଅରୁନ୍ଧତୀ କେମିତି ଗିରଫ ହୋଇନଥିଲେ? ସେ ନିଜକୁ ପ୍ରଶ୍ନ କରୁଛନ୍ତି, - “ଯେତେବେଳେ ଅନ୍ୟ ସମସ୍ତେ ଗିରଫ ହୋଇସାରିଛନ୍ତି ସେତେବେଳେ ମୁଁ କାହିଁକି ଗିରଫ ହୋଇନଥିଲି? କିଏ ଜାଣେ। ହୋଇପାରେ ଯେ ମୋର ପାଠକ/ପାଠିକାମାନେ ମୋତେ ସୁରକ୍ଷା ଦେଇଛନ୍ତି। ମୋ ଚାରିପାଖରେ ଶକ୍ତ ବଳୟ ତିଆରି କରିଛନ୍ତି।“ – ଆତ୍ମଜୀବନୀ  

              ଏହିଭଳି ନିଜର ପ୍ରତ୍ଯେକ ଲେଖା ପଛରେ ନିଜର ଅନୁଭୂତିର ବର୍ଣ୍ଣନା ରହିଥିବା ବେଳେ ଆତ୍ମଜୀବନୀର କେଉଁଠାରେ ତାଙ୍କର ଏକ ପ୍ରମୁଖ ପୁସ୍ତକ ଡକ୍ଟର ଆଣ୍ଡ ସେଣ୍ଟ ଯାହା ଆମ୍ବେଦକର ଓ ମହାତ୍ମାଗାନ୍ଧୀଙ୍କୁ ନେଇ ଲିଖିତ ସେ ସମ୍ପର୍କରେ କିଛି ବି ଉଲ୍ଲେଖ କରିନାହାନ୍ତି। ଏହାର କାରଣ ଲେଖିକା ନିଜେ ହିଁ କେବଳ କହିପାରିବେ।

              ଅରୁନ୍ଧତୀ ରାୟଙ୍କ ବେଶ କେତେକ ପ୍ରବନ୍ଧକୁ ଓଡିଆରେ ଅନୁବାଦ କରାଯାଇପାରିଛି। ସେ ମଧ୍ୟରୁ ନର୍ମଦା ଆନ୍ଦୋଳନ ଉପରେ “ବିକାଶ ନାମରେ ବିନାଶ”, କାଶ୍ମୀର ଉପରେ ଆଜାଦୀ’, ଆଣବିକ ବୋମା ପରୀକ୍ଷଣ ବିରୁଦ୍ଧରେ କଳ୍ପନାର ଶେଷ’, ନିୟମଗିରି ଆନ୍ଦୋଳନକୁ ସମର୍ଥନ ଜଣାଇ ଲେଖିଥିବା କର୍ପୋରେଟ ଜମିହଡପ ପାଇଁ ରାଷ୍ଟ୍ରର ସମରସଜ୍ଜା’, ପୃଥିବୀର ବିଭିନ୍ନ ପ୍ରାନ୍ତରେ କର୍ପୋରେଟ – ସାମ୍ପ୍ରଦାୟିକ ଶକ୍ତି – ଆମେରିକା ପ୍ରଶାସନ ନିର୍ଦ୍ଦେଶରେ ଚାଲିଥିବା ଗଣହତ୍ୟାକୁ ବିରୋଧ କରି ପଙ୍ଗପାଳ କଥା: ଗଣହତ୍ୟା, ପ୍ରତ୍ୟାଖ୍ୟାନ ଓ ଖୁସିପାଳନ ଇତ୍ୟାଦି। ଅନେକ ବର୍ଷ ତଳେ ସମଦୃଷ୍ଟିଅନ୍ଵେଷା ପତ୍ରିକା ସହିତ ଜଡିତ ବନ୍ଧୁମାନେ ବିନା ପାରିଶ୍ରମିକରେ ଏହାକୁ ଓଡିଆ କରି  ପୁସ୍ତକ ଆକାରରେ ଚାପିଛନ୍ତି। କିନ୍ତୁ ଏ ଦିଗରେ କୌଣସି ନିୟମିତ ପ୍ରକାଶକ ଅରୁନ୍ଧତୀ ରାୟଙ୍କ ଲେଖା ଛାପିବା ଲାଗି ନିଜ ଆଡୁ ଆଗ୍ରହ ଦେଖାଇ ନାହାନ୍ତି।

              ଯଦିଓ ଅରୁନ୍ଧତୀଙ୍କ ପ୍ରଥମ ଉପନ୍ୟାସ ଗଡ ଅଫ ସ୍ମଲ ଥିଂସ ବା କ୍ଷୁଦ୍ରବସ୍ତୁମାନଙ୍କ ଦେବତା ଭାରତର ଅନେକ ଭାଷାରେ ଅନୁବାଦିତ ହୋଇଯାଇଛି କିନ୍ତୁ ଦୀର୍ଘ ୨୮ ବର୍ଷ ପରେ ବି ଏହା ଓଡିଆରେ ପ୍ରକାଶିତ ହୋଇନାହିଁ। ଓଡିଆ ଅନୁବାଦକମାନେ କେବେ ଏ ଦିଗରେ ଉଦ୍ୟମ କରିନାହାନ୍ତି ଓ ଓଡିଆ ପ୍ରକାଶକମାନେ ଏ ଦିଗରେ ଅର୍ଥ ଖର୍ଚ୍ଚ କରିବା ଲାଗି ଆଗ୍ରହୀ ହୋଇନାହାନ୍ତି। ତେଣୁ ଯେଉଁଠି ଗଡ ଅଫ ସ୍ମଲ ଥିଂସ ଭଳି ଉପନ୍ୟାସ ଓଡିଆ ହୋଇପାରିନାହିଁ ସେଠାରେ ଦ୍ଵିତୀୟ ଉପନ୍ୟାସ ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଟ ହାପିନେସ  ଆତ୍ମଜୀବନୀ ‘‘ମଦର ମେରି କମ୍ସ ଟୁ ମି ଯେ କେବେ ଓଡିଆ ହେବ ତାହା କହିବା ମୁସ୍କିଲ।  

              ଅରୁନ୍ଧତୀଙ୍କ ଉପନ୍ୟାସ ଓ ପ୍ରବନ୍ଧ, ଇଂରାଜୀ ଔପନ୍ୟାସିକ ଜନ ବର୍ଜରଙ୍କ ଭାଷାରେ, ମଣିଷର ଦୁଇ ଗୋଡ ଭଳି ସମାନ ଭାବରେ ଓ ଅତି ଆକର୍ଷଣୀୟ ଭାବରେ ପୃଥିବୀ ସାରା ବୁଲୁଥାନ୍ତି। ମୋତେ ମଧ୍ୟ ଠିକ ତାହା ହିଁ ଅନୁଭବ ହେଉଥିଲା। ଏବେ ଆତ୍ମଜୀବନୀ ମଧ୍ୟ। ଅରୁନ୍ଧତୀ ରାୟଙ୍କ ମଦର ମେରି କମ୍ସ ଟୁ ମି ମୋ ଦୃଷ୍ଟିରେ ଏକ ବିଦ୍ରୋହୀ – ସଙ୍ଘର୍ଷରତ- ପ୍ରତିବାଦୀ – ନିର୍ଭୀକ - ସତ୍ୟାଳାପୀର ଜୀବନରେ ଘଟିଥିବା ଘଟଣା ଓ ତାହାକୁ ଦୃଢତାର ସହିତ ସାମ୍ନା କରିଥିବାର ଲିଖିତ ଉପସ୍ଥାପନ

 


 

 

 

 

 

 

 

 

 

 

        

Thursday, October 23, 2025

ଓଡିଆ ପାଠକଙ୍କ ମରୁଡି

 





ଦେବ ରଞ୍ଜନ

            ଭୁବନେଶ୍ଵରରେ ଆନୁମାନିକ ଜନସଂଖ୍ୟା ହେବେ ୧୩ ଲକ୍ଷ। ଏଥିରୁ ଧରିନିଅନ୍ତୁ ଓଡିଆ ପଢିପାରୁଥିବା ଲୋକଙ୍କ ସଂଖ୍ୟା ହେବ ଅତିକମରେ ୮ ଲକ୍ଷ, ବହି ପଢିପାରୁଥିବା ଲୋକଙ୍କ ସଂଖ୍ୟା ନିଶ୍ଚିତ ଭାବରେ ଏକ ଲକ୍ଷ ହେବେ। ଏହି ଏକ ଲକ୍ଷ ଲୋକଙ୍କ ପଢିବା ଓ ଜାଣିବାର କ୍ଷୁଧାକୁ ମେଣ୍ଟାଇବା ଲାଗି ଭୁବନେଶ୍ଵର ସହର ମଧ୍ୟରେ ରହିଛି କେତେ ଗୋଟି ପୁସ୍ତକ ଦୋକାନ? ମାତ୍ର ଗୋଟିଏ।

 

            ଭୁବନେଶ୍ବରରେ ଉତ୍ତମ ଖାଦ୍ଯର ଲାଳସା ମେଣ୍ଟାଇବା ଲାଗି ରହିଛି କେତେ ଗୋଟି ଦୋକାନ ଓ ରେଷ୍ଟରାଣ୍ଟ ? ଅସଂଖ୍ଯ।

 

            ବହି କିଣି ପଢିବା ଲାଗି ରହିଥିବା ଦୋକାନ ଓ ଲାଳସା ପୂରଣ ପାଇଁ ରହିଥିବା ରେଷ୍ଟରାଣ୍ଟ ମଧ୍ୟରେ ରହିଥିବା ସଂଖ୍ଯାରେ ପାର୍ଥକ୍ଯ ଠିକ ନଗଡାର ଆଦିବାସୀ ଓ ଗୌତମ ଆଦାନୀର ସାମ୍ରାଜ୍ୟ ମଧ୍ୟରେ ରହିଥିବା ପାର୍ଥକ୍ଯ ଭଳି ଅସୀମ।

  

            ଏଠାରେ ଆମେ ପାଠ୍ୟପୁସ୍ତକ ମିଳୁଥିବା ପୁସ୍ତକ ଦୋକାନ ସମ୍ପର୍କରେ ଆଲୋଚନା କରୁନାହେଁ। ପାଠ୍ୟପୁସ୍ତକ ଦୋକାନ ପ୍ରତ୍ଯେକ ସ୍କୁଲ ଓ କଲେଜ ନିକଟରେ ରହିଛି। ଏଥିରେ ଖାତା, ପେନ, ପେନସିଲ, ସ୍କୁଲ ଓ କଲେଜ ପାଠ୍ୟ ପୁସ୍ତକ ଓ ସ୍କୁଲ ଦ୍ଵାରା ବରାଦ ହେଉଥିବା ଅନେକ ଜିନିଷ ମିଳିଥାଏ। କିନ୍ତୁ ସାହିତ୍ୟ ବହି ମିଳିନଥାଏ। ସେଭଳି ଦୋକାନ ଲାଗି ପ୍ରକାଶିତ ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ, ଭ୍ରମଣକାହାଣୀ ଓ ଆତ୍ମଜୀବନୀ ପୁସ୍ତକ ହେଲା “ଆଜୁରୁ ବାଜୁରୁ ବହି” (ଯାହା ମୋତେ ଜଣେ ଦୋକାନୀ କହିଥିଲେ) ଯାହା ସେମାନେ ରଖିନଥାନ୍ତି।

 

            ଗଳ୍ପ, କବିତା, ନାଟକ, ଉପନ୍ୟାସ ଇତ୍ୟାଦି ପୁସ୍ତକ ମିଳୁଥିବା ଦୋକାନର ସଂଖ୍ୟା ଭୁବନେଶ୍ଵରରେ ଆଜି ଗୋଟିଏ, ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଜୀବିତ ରହିଛି। ଅର୍ଥାତ ଭୁବନେଶ୍ଵରର ୮ ଲକ୍ଷ ଓଡିଆ ପାଠକ ଅଥବା ଏକ ଲକ୍ଷ ଉତ୍ତମ ପାଠକଙ୍କ ଆବଶ୍ୟକତାକୁ କେବଳ ଏକମାତ୍ର ପୁସ୍ତକ ଦୋକାନ ପୂରଣ କରୁଛି ଠିକ ଯେମିତି ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା - ଶହେ ରୋଗୀଙ୍କ ସ୍ଥାନରେ ଜଣେ କି ଦୁଇ ଜଣଙ୍କୁ ମିଳୁଛି ସ୍ୱାସ୍ଥ୍ୟବୀମାର ସୁବିଧା।  

 

            ମୋ ଜାଣିବାରେ ଭୁବନେଶ୍ଵର ସହରରେ ନବେ ଦଶକରେ ବାଣୀ ବିହାର ଭିତରେ, ବାଣୀବିହାର ଛକରେ, ମାଷ୍ଟର କାଣ୍ଟିନ ଛକରେ, ପୁରୁଣା ବସ ଷ୍ଟାଣ୍ଡ ଓ ପୁରୁଣା ଭୁବନେଶ୍ଵର ଅଞ୍ଚଳରେ ଗଳ୍ପ କବିତା ଉପନ୍ୟାସ ତଥା ଓଡିଆ ପତ୍ରପତ୍ରିକା ମିଳୁଥିବା ଦୋକାନ ଥିଲା। ଏତଦବ୍ୟତୀତ, ଭୁବନେଶ୍ଵର ଷ୍ଟେସନର ପ୍ରବେଶ ଦ୍ଵାରା ନିକଟରେ ମଧ୍ୟ ଏକ ଦୋକାନ ଥିଲା। ଆଜି  ପୁରୁଣା ବସ ଷ୍ଟାଣ୍ଡ ଦୋକାନକୁ ବାଦ ଦେଲେ ବାକି ସମସ୍ତ ଦୋକାନ ବନ୍ଦ ହୋଇଯାଇଛି। ବହି କିଣି ପଢୁଥିବା ପାଠକଙ୍କ ଅଭାବ ହେତୁ ଅନେକ ବଢି ଦୋକାନ ବନ୍ଦ ହୋଇଗଲା।

 

            ଭୁବନେଶ୍ଵର ସହରରେ ଏକ ପୁସ୍ତକ ଆନ୍ଦୋଳନ ନାମରେ ଭ୍ରାମ୍ୟମାଣ ପୁସ୍ତକ ଭଣ୍ଡାର ଥିଲା। ସହରର ବିଭିନ୍ନ ସ୍ଥାନରେ ସେମାନେ ବିଭିନ୍ନ ଭାଷାର ପୁସ୍ତକର ପ୍ରଦର୍ଶନୀ ଓ ବିକ୍ରି କରୁଥିଲେ। ତାହା ମଧ୍ୟ ପାଠକ ଅଭାବରୁ ବନ୍ଦ ହୋଇଗଲାଣି।

 

            ପୁସ୍ତକ ଆମକୁ ଆମର ଅଜଣା ଲେଖକ/ଲେଖିକାଙ୍କ ଭାବନା ସହିତ ପରିଚୟ ସୃଷ୍ଟି କରେ। ପୁସ୍ତକ ଆମକୁ କଳ୍ପନା କରିବାରେ ସାହାଯ୍ୟ କରେଏହା ଅତୀତ ସହିତ ଆମକୁ ଯୋଡିଥାଏ। ପୃଥିବୀ ତଥା ପୃଥିବୀ ବାହାରର ବିଷୟ ସହିତ ପରିଚିତ କରାଏ। ପୁସ୍ତକ କଣ ନଦିଏ ଏହା କହିବା କଷ୍ଟ। ଏଥିଲାଗି ଆବଶ୍ୟକ ହୁଏ ଯେ ଆମେ ଆମର ଆଖି ଓ କାନ ଖୋଲା ରଖିଥିବା ଆବଶ୍ୟକ।

 

            ମଣିଷ ନିଜକୁ ନିଜର ଭୌଗଳିକ କ୍ଷେତ୍ର ଓ ପରମ୍ପରା ମଧ୍ୟରେ ସଙ୍କୁଚିତ ନୁହେଁ ବ୍ୟାପକ କରିପାରିଲେ ନିଜ ମଧ୍ୟରେ ରହିଥିବା ଅନ୍ଧତ୍ଵ ଦୂର କରିପାରିବ। କୌଣସି ବିଚାରର ଅଥବା କୌଣସି ସଂଘ, ସଂସ୍ଥା, ନେତା କି ଧାର୍ମିକ ବାବାଙ୍କ ଅନ୍ଧ ଭକ୍ତ ନହୋଇ ସେମାନଙ୍କୁ ନିଜ ଦୃଷ୍ଟିଭଙ୍ଗୀରେ ବିଶ୍ଳେଷଣ କରିବ। ବିଶ୍ଳେଷଣର ଆଗ୍ରହ ରଖିବ। ନିଜେ ଅନେକ ବିଷୟରେ ଚିନ୍ତା କରିପାରିବ। ନିଜ ମଧ୍ୟରେ ରହିଥିବା ଶିଥିଳତାକୁ ଭାଙ୍ଗିବ। ଏହା ସେ କରିପାରିବ ଯେ ଯଦି ସେ ନିୟମିତ ପାଠକ ହୋଇପାରିବ।

 

            ଦୁଃଖର କଥା ଯେ ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ମଧ୍ୟରେ ପଢିବାର ଆଗ୍ରହ କମିବା ସହିତ ସାମ୍ପ୍ରଦାୟିକ ହେବା, ଅନ୍ୟକୁ ଘୃଣା କରିବା ଓ ଧର୍ମର ଆଚାର ବ୍ୟବହାରକୁ ଅନ୍ଧ ଭଳି ବିଶ୍ଵାସ କରିବାର ମାତ୍ରା ବଢିବାରେ ଲାଗିଛି। ଯାହା ଶୁଣୁଛି ତାହାକୁ ସେ ବିଶ୍ଵାସ କରୁଛି।

 

            ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ମଧ୍ୟରେ ପଢିବାର ଆଗ୍ରହ କମିବା ହେତୁ ପୁସ୍ତକ ଦୋକାନ ବନ୍ଦ ହେଉଛି। ଏହି ଅଭାବ କେବଳ ଭୁବନେଶ୍ଵରରେ ଦେଖାଯାଉନାହିଁ।

 

            କଟକ ହେଉଛି ଓଡିଆ ପୁସ୍ତକ ପ୍ରକାଶକ ଓ ବ୍ୟବସାୟୀଙ୍କ ସ୍ଥାନ। ଏଠାରେ କିନ୍ତୁ ନିଜ ପ୍ରକାଶନ ବ୍ଯତୀତ ଅନ୍ୟ ପ୍ରକାଶକଙ୍କ ପୁସ୍ତକ ସେମାନଙ୍କ ଦୋକାନରେ ନଥାଏ – ସତେ ଯେମିତି ଅଛୁଆଁ।  

 

            ପୂର୍ବରୁ କଟକ ସହରର ବାଦାମବାଡି ମଧ୍ୟରେ ଓ ଏଲଆଇସି ଅଫିସ ନିକଟରେ ଏକ ଏକ ପୁସ୍ତକ ଦୋକାନ ଥିଲା। ଏଠାରେ କଟକର ସମସ୍ତ ପ୍ରକାଶକଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ଅନ୍ତତଃ ଗୋଟିଏ ସ୍ଥାନରେ ମିଳୁଥିଲା। ସେଠାରେ ମଧ୍ୟ ପାଠକ ମରୁଡି କାରଣରୁ ଦୋକାନ ବନ୍ଦ ହୋଇଗଲା।

 

            ମୋର କାର୍ଯ୍ୟ ପାଇଁ ଓଡିଶାର ଅନେକ ସହର ମୁଁ ନବେ ଦଶକରୁ ଯାଉଛି। ଅନେକ ସହରରେ ମୁଁ ସେହି ପରିସ୍ଥିତି ଦେଖୁଛି।

 

            ମୋ ଦେଖିବାରେ ବରଗଡ ସହରର ସରକାରୀ ବସ ଷ୍ଟାଣ୍ଡ ମଧ୍ୟରେ ଏକ ବିରାଟ ପୁସ୍ତକ ଦୋକାନ ଥିଲା ଯାହା ଆଜି ବନ୍ଦ ହୋଇଯାଇଛି

 

             ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଗଙ୍ଗାଧର ମେହେର କଲେଜ (ଏବେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି) ସାମ୍ନା ଏକ କ୍ୟାବିନରେ ଓଡିଶାର ଅନେକ ପତ୍ରପତ୍ରିକା, ସାହିତ୍ଯ ପୁସ୍ତକ ମିଳୁଥିଲା। ଏହିଠାରେ ମୋତେ କୁମାର ହସନଙ୍କ ଅନୁବାଦ ପୁସ୍ତକ ଓ କବିତା ବହି ମିଳିଥିଲା। କିନ୍ତୁ ଗଲା ବର୍ଷ ଦେଖିଲି ଯେ ସେ ଦୋକାନ ଆଉ ସେଠାରେ ନାହିଁ।

 

            ବାଲେଶ୍ଵର ସହରର ଫକିର ମୋହନ କଲେଜ ସାମ୍ନାରେ ଏକ ପୁସ୍ତକ ଦୋକାନ ଥିଲା ଯେଉଁଠି ଫକିର ମୋହନଙ୍କ ଠାରୁ କବି ବ୍ରଜନାଥ ରଥଙ୍କ କବିତା ନିଶ୍ଚିତ ମିଳୁଥିଲା। ଲେଖକ ଓ ପ୍ରକାଶକ ଏଠାରେ ନିଜ ପୁସ୍ତକ ରଖି ସେଥିରେ ୩୦ ପ୍ରତିଶତ ଲାଭ  ପାଇଥାନ୍ତି। ଏହି ଦୋକାନ ମଧ୍ୟ ଏବେ କେବଳ ପାଠ୍ୟ ପୁସ୍ତକ ରଖୁଛି। ସୀମିତ ସ୍ଥାନ ହେତୁ ଅନ୍ୟ ପୁସ୍ତକ ରଖିବା ବନ୍ଦ କରିଦେଇଛନ୍ତି।

 

            ଏହି ପାଠକ ଅଭାବରୁ ମୋ ଦେଖିବାରେ ପୁରୀର ଷ୍ଟେସନ ଭିତରେ ଓ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଚାଲିଥିବା ପୁସ୍ତକ ଦୋକାନ ଆଜି ବନ୍ଦ ହୋଇଯାଇଛିଅଥଚ ଏଠାରେ ଦିନେ ପୂଜା ସଂଖ୍ଯାରେ ବାହାରୁଥିବା ସାହିତ୍ଯ ପତ୍ରିକା ସନ୍ଧ୍ୟାରେ ଆସି ପହଞ୍ଚିଲେ ତା ପରଦିନ ସରିଯାଉଥିଲା।

 

            ଜୟପୁର ବସ ଷ୍ଟାଣ୍ଡ ମଧ୍ୟରେ ଥିବା ଦୋକାନରେ ଏବେ କେବଳ ଖବରକାଗଜ ଓ କାଁ ଭାଁ ପତ୍ରିକା ମିଳୁଛି। କୋରାପୁଟ ଗୋଲେଇ ଛକର ପୁସ୍ତକ ଦୋକାନର ସେହି ଅବସ୍ଥା।

 

            ବ୍ରହ୍ମପୁର ସରକାରୀ ବସ ଷ୍ଟାଣ୍ଡ ନିକଟରେ ଅନେକ ନୂଆ ଓ ପୁରୁଣା ବହି ଦୋକାନ ଥିଲା। ସେଠାରୁ ମୁଁ ଶ୍ରମିକ ଆନ୍ଦୋଳନର କିଛି ବହି ପାଇଥିଲି। ଆଜି ସେ ସବୁ ଦୋକାନ ହୋଟେଲ ଅଥବା ଷ୍ଟେସନାରୀ ଦୋକାନରେ ପରିଣତ ହୋଇଛି।

 

            ମୁଁ ଯେତିକି ଜାଣିଲି ଭୁବନେଶ୍ବରର ପୁରୁଣା ବସଷ୍ଟାଣ୍ଡ ବହି ଦୋକାନ ଚାରି କୋଟି ଓଡିଆଙ୍କୁ ଅଣପାଠ୍ୟ ପୁସ୍ତକ ଯୋଗାଇବାରେ ଏକ ମାତ୍ର ଦୋକାନ ହୋଇ ଏବେ ବଞ୍ଚିରହିଛି। ଅନେକ ବନ୍ଧୁ କୁହନ୍ତି ଯେ ତାଙ୍କର ବହି ଆବଶ୍ୟକ ହେଲେ ସେ ଭୁବନେଶ୍ବର ଆସିବା ସମୟରେ ସେହିଠାରୁ କିଣିଥାନ୍ତି। ସେହି ଦୋକାନ ବନ୍ଦ ହୋଇଗଲେ ଆମକୁ କେବଳ ବର୍ଷକୁ ଥରେ ପୁସ୍ତକ ମେଳା ଉପରେ ବହି କିଣି ପଢିବା ଲାଗି ନିର୍ଭର କରିବାକୁ ପଡିବ।

 

            ସମଗ୍ର ଓଡିଶାରେ ଆଜି ଓଡିଆ ପାଠକ ସଂଖ୍ଯାରେ ବିରାଟ ମରୁଡି ଦେଖାଯାଇଛି। ହୁଏତ ଏହାକୁ ଦୁର୍ଭିକ୍ଷ ମଧ୍ୟ କୁହାଯିବ। କେଉଁ ସ୍ତରରେ ପୁସ୍ତକ ପ୍ରତି ଆଗ୍ରହ ନାହିଁ। କାଁ ଭାଁ ଇଂରାଜୀ ପୁସ୍ତକ କିଣି ପଢିବାର ଅଭ୍ଯାସ କେତେକଙ୍କର ରହିଛି। ଓଡିଆ ପୁସ୍ତକ କିଣି ପଢିବାର ସଂସ୍କୃତି ଆଜି ଓଡିଆ ଭାଷାର ଲୋକେ ସଂପୂର୍ଣ୍ଣ ଭୁଲିଯାଇଛନ୍ତି।

            ପ୍ରତି ବର୍ଷ ଓଡିଆ ଭାଷାରେ ଏକ ହଜାର ପୁସ୍ତକ ପ୍ରକାଶ ପାଉଛି ବୋଲି ଲେଖକ ସରଳ ଦାସ ଏକ ସର୍ଭେ କରି ପାଇଛନ୍ତି। ତେବେ ସେହି ସମସ୍ତ ପୁସ୍ତକ ମଧ୍ୟ ବର୍ଷର ସବୁ ସମୟରେ ମିଳିନଥାଏ।

 

                        ମୋର ଅନୁମାନ ହେଲା ଯେ ଓଡିଆ ପୁସ୍ତକର ଲେଖକ/ଲେଖିକାଙ୍କ ମଧ୍ୟରୁ ଅଧିକାଂଶ ଚାକିରିଆ ଅଥବା ପେନସନ ପ୍ରାପ୍ତ ବୟସ୍କ ବ୍ୟକ୍ତି। ସେମାନେ ପ୍ରକାଶକଙ୍କୁ ଅର୍ଥ ଦେଇ ପୁସ୍ତକ ପ୍ରକାଶ କରୁଛନ୍ତି। କେହି କହୁଛନ୍ତି ଯେ ୨୦୦ ପୁସ୍ତକ ଛାପିବେ କହି ଅର୍ଥ ନେଉଛନ୍ତି ମାତ୍ର ପ୍ରକାଶକ ୨୦ ଟି ପୁସ୍ତକ ଛାପୁଛନ୍ତି। ପୁସ୍ତକର ଉନ୍ମୋଚନ ସମୟରେ, ମାଗଣା ବାଣ୍ଟିବା ଭିତରେ ଅଧିକାଂଶ ପୁସ୍ତକ ସରିଯାଉଛି। ଉନ୍ମୋଚନ ପରେ ପୁସ୍ତକ ଆଉ ବଜାରରେ ମିଳୁନାହିଁ।

 

                        ଏହି ହେତୁ ଲେଖାକୁ ଜୀବିକା କରି କେହି ଓଡିଆ ଲେଖକ/ଲେଖିକା ବଞ୍ଚୁଥିବା ମୋର ନଜରକୁ ଆସୁନାହିଁ। ଏଥିଲାଗି ଆବଶ୍ୟକ ପାଠକର ସମର୍ଥନ ଓ ସହଯୋଗ। ଏହାଦ୍ବାରା ପାଠକ ଅନେକ ନିର୍ଭୀକ ମତ ପାଇପାରନ୍ତା। ଓଡିଆ ପାଠକର ଅଭାବ ହେତୁ ସ୍ଵାଧୀନ ଲେଖକର ଅଭାବ ମଧ୍ୟ ଓଡିଆ ସାହିତ୍ଯରେ ରହିଛି। ପୁସ୍ତକ ଲେଖିବା ଯେ ଏକ କାମ ଓ ଏହାର ବି କିଛି ମୂଲ୍ୟ ରହିଛି ତାହା ଆମର ସମାଜ ଏବେ ବି ସ୍ଵୀକାର କରିନାହିଁ। ଲେଖିବା ଯେମିତି ଅଣମାନ୍ୟତାପ୍ରାପ୍ତ, ମୂଲ୍ୟହୀନ, ଅବସର ବିନୋଦନ କାର୍ଯ୍ୟ । ଏହାକୁ ନା ପାଠକ ବୁଝୁଛନ୍ତି ନା ପ୍ରକାଶକ ବା ବିତରକ।

 

                        ଓଡିଆ ପାଠକ କମିବା ପଛରେ ଆଜିର ଟିଭି ସିରିଏଲ, ମୋବାଇଲ ଫୋନ ଓ ରିଲ ଦାୟୀ ବୋଲି ଯାହା କୁହାଯାଉଛି ତାହା ସଂପୂର୍ଣ୍ଣ ସତ ନୁହେଁ। ସେଥିରୁ ଆମକୁ ଅନେକ ଭୁଲ କଥା ମିଳୁଥିବା ପାଠକ ଜାଣୁଛି।

 

            ଏହା ସ୍ଵୀକାର କରିବାକୁ ହେବ ଯେ ଓଡିଆ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ମଧ୍ୟରେ ଅନୁସନ୍ଧିତ୍ସା କମିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ହୋଟେଲ ଓ ପର୍ଯ୍ୟଟନ ସଂସ୍କୃତି ବଢିଛି। ସେଲେବ୍ରିଟି ହେବାର ଆଗ୍ରହ ବଢିଛି। ଜାଣିବାର ଆଗ୍ରହ କମିଯାଉଛି। ଜାଣିନଥିବା ମଣିଷ ସମ୍ପର୍କରେ ଜାଣିବା ଓ ତାହା ସହିତ ସମ୍ପର୍କ ସ୍ଥାପନର ଆଗ୍ରହ କମିଯାଉଛି। ଏହିଭଳି କିଛି କାରଣ ହେତୁ ସ୍ଵାଧୀନ ଲେଖକ/ଲେଖିକା ଓଡିଆ ଭାଷାରେ ତିଆରି ହେଉନାହାନ୍ତି।

 

            ଓଡିଆ ସାହିତ୍ୟରେ ଏବେ ଆସିଥିବା ମରୁଡି ପଛରେ ରହିଥିବା କାରଣ ସମ୍ପର୍କରେ ଆମେ ସମସ୍ତେ ଭାବିବା ଆବଶ୍ୟକ। ଏହାକୁ ଦୂର କରିବା ଜରୁରୀ। ପଢିବା ଓ ପୁସ୍ତକର ସମୀକ୍ଷା କରିବା ଦ୍ଵାରା ପୁଣି ସେହି ସ୍ଥିତି ଆସିପାରିବ ଯାହାକୁ ଆମେ ଛାଡିଆସିଛେ।


Sunday, October 19, 2025

ପାଞ୍ଚଟି ବହି ପଚିଶ ପ୍ରଶ୍ନ

 



ଦେବ ରଞ୍ଜନ

        ପୁସ୍ତକ କେବଳ କିଛି ଅକ୍ଷର ଓ ପୃଷ୍ଠାର ସମାହାର ନୁହେଁଏହା ମାଧ୍ୟମରେ ଲେଖକ ନିଜର ଅନୁଭୂତି ଓ ସୃଜନକୁ ଅନ୍ୟମାନଙ୍କ ସହିତ ବାଣ୍ଟିଥାଏପାଠକ ମଧ୍ୟ ନିଜ ଭିତରେ ଆସୁଥିବା ପ୍ରଶ୍ନଗୁଡିକର ଉତ୍ତର ଏହି ଭିତରୁ ପାଇଥାଏ। ଉତ୍ତର କେତେବେଳେ ସିଧାସଳଖ ଥାଏ ତ ପୁଣି କେତେବେଳେ ପାଠକକୁ ହୃଦବୋଧ ହୁଏ।

            ମୁଁ ଏଠାରେ ପାଠ୍ୟ ପୁସ୍ତକ, ଧର୍ମ ପୁସ୍ତକ, ବେସରକାରୀ କି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପୁସ୍ତକ କଥା କହୁନାହିଁ। ମୁଁ ଏଠାରେ ସେହି ପୁସ୍ତକର କଥା କହୁଛି ଯାହା ମାଧ୍ୟମରେ ପ୍ରାବନ୍ଧିକ ବା କବି ଅଥବା ନାଟ୍ଯକାର କି ଔପନ୍ୟାସିକ ନିଜର ମନର କଥା ସମାଜରେ ବାଣ୍ଟିଥାଏ।

 

            ଆଜି ଶିଳ୍ପ ସଭ୍ୟତା ଓ ବଜାରର ଉପସ୍ଥିତି କାରଣରୁ ମଣିଷ ତାହାର ଗୋଷ୍ଠୀ ଜୀବନକୁ ହରାଉଛି। ଏହି କାରଣରୁ ପ୍ରକୃତି ମଧ୍ୟ ନିଜର ପ୍ରକୋପ ଦେଖାଉଛି। ରାଷ୍ଟ୍ର ବ୍ୟବସ୍ଥା ଦିନକୁ ଦିନ ସାଧାରଣ ମଣିଷ ଲାଗି କଠୋର ହୋଇଚାଲିଛି। କେତେବେଳେ ଏହା ସାଧାରଣ ଲୋକଙ୍କ ପ୍ରତି ଦୟାଳୁ ହେଉଛି ତ ପୁଣି କେତେବେଳେ ସେହିମାନଙ୍କୁ ବିସ୍ଥାପିତ କରୁଛି ଅଥବା ହତ୍ୟା କରୁଛି ଯାହାର କୌଣସି ବିଚାର ମଧ୍ୟ ହେଉନାହିଁ। ଏପରି କିଛି ଉପଲବ୍ଧି ଲୋକଙ୍କ ଭିତରୁ ମିଳିଛି ତ କିଛି ପୁସ୍ତକ ମଧ୍ୟରୁ। ଏହା ସହିତ ପୁସ୍ତକ ମଧ୍ୟ ଆଣିଛି ଅନେକ ପ୍ରଶ୍ନ।

 

            ଗଲା ବର୍ଷ ମୁଁ ପଢିଥିବା ପୁସ୍ତକମାନେ ମୋ ମଧ୍ୟରେ ପୂର୍ବରୁ ଆସିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ତ ପୁଣି କିଛି ପ୍ରଶ୍ନ ତିଆରି କରିଛନ୍ତି। ସେହିଭଳି ନିର୍ବାଚିତ ପୁସ୍ତକମାନଙ୍କ ସମ୍ପର୍କରେ କିଛି ବର୍ଣ୍ଣନା ନିମ୍ନରେ ଦେଉଛି। ଏହା ପୁସ୍ତକର ସମୀକ୍ଷା ନୁହେଁ, କେବଳ ପୁସ୍ତକଟିକୁ ନେଇ କିଛି ବିଚାର, କିଛି ପ୍ରଶ୍ନ ଓ କିଛି ଉତ୍ତର।

 

 ୧. ଭାବରୁପ:

                        କବି ପବିତ୍ର ମୋହନ ଦାଶ ଭାବରୁପ ପୁସ୍ତକରେ କବିତାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଆକାରରେ ପ୍ରକାଶ କରିଛନ୍ତିପ୍ରକାଶକ ଅଦିତି, କଟକସାଂପ୍ରତିକ ସମୟରେ ବୈଚାରିକ ଆଲୋଡନ ଲାଗି କବିତା ଏକ ସମର୍ଥ ମାଧ୍ୟମ କି ନୁହେଁ? ଯଦି ସମର୍ଥ ମାଧ୍ୟମ ବୋଲି ସ୍ଵୀକାର କରିବା ତେବେ ଓଡିଆ କବିତାରେ କନ୍ଧମାଳ ହିଂସା, କଳିଙ୍ଗ ନଗର ହତ୍ୟାକାଣ୍ଡ, ନଗଡାର ଦାରିଦ୍ର୍ଯ, ଆଦିବାସୀଙ୍କୁ ଏନକାଉଣ୍ଟର ହତ୍ୟା, ଦଳିତ ଯୁବକଙ୍କ ହାଜତରେ ମୃତ୍ୟୁ ଭଳି ରାଷ୍ଟ୍ରର ବର୍ବରତାର ପ୍ରତିବାଦରେ ଓଡିଆ କବିତା ନୀରବ। ଏପରିକି ଅନେକ ଦୁର୍ବିପାକ ଯଦିଓ ଓଡିଆ ମଣିଷ ଭୋଗିସରିଲାଣି କିନ୍ତୁ ଏହାକୁ ନେଇ ପ୍ରଭାଶାଳୀ କବିତା ନାହିଁ।

                        ଯଦି ବୈଚାରିକ ଆଲୋଡନ ଲାଗି ଓଡିଆ କବିତା ଏକ ସମର୍ଥ ମାଧ୍ୟମ ନୁହେଁ ତେବେ ଭୀମଭୋଇଙ୍କ “ରୂପ ରେଖ ନାହିଁ ହେ ଶୂନ୍ୟଦେହୀ”, ମନମୋହନ ମିଶ୍ରଙ୍କ “ତୋର ମୂକତିର ସୂର୍ଯ୍ୟ ପରା ଉଇଁଲା ଆଖି ତୋର କିଆଁ ଛଳ ଛଳ” ଇତ୍ୟାଦିକୁ କଣ କବିତା କୁହାଯିବ ନାହିଁ? କବିତା ଉଭୟ ସୃଜନଶୀଳ ଓ ସାଧାରଣ ପାଠକ ସାମ୍ନାରେ “ପରିବେଷଣକାରୀ” ହେବା ଆବଶ୍ୟକ। ଏହି କଥା ଭୀମଭୋଇ କରୁଥିଲେ ଓ ଏହି କଥା ମନମୋହନ ମିଶ୍ର କରୁଥିଲେ।

                        ସାଧାରଣ ମଣିଷ ଭଳି କବିର ଜୀବନରେ ମଧ୍ୟ ରହିଛି ଦାରିଦ୍ର୍ଯ, ଦୁଃଖ, ସ୍ବଗୃହରୁ ବିତଡନ, ପ୍ରେମରେ ବିଫଳତା ଓ ରାଷ୍ଟ୍ର ନିପୀଡନ (ସମସ୍ତେ ନୁହନ୍ତି)। ଏହିଠାରୁ କବି ପ୍ରତିବାଦ ଶିଖେ। କବିର ସେହି ଦୁଃସ୍ଥିତି କବିତାରେ ପ୍ରତିଫଳିତ ହେବା କଥାକବି କେବେ ନିଜର ଅସହ୍ୟପଣକୁ ନେଇ କବିତା ଲେଖିଥାଏ ତ ପୁଣି କେବେ ବାସ୍ତବ ଦୁଃସ୍ଥିତିକୁ ଚାଲାକିରେ ଆଡେଇଦିଏ।

                        ସମଗ୍ର ବହିଟି ପଢିବା ଭିତରେ ମୋ ଭିତରେ ସ୍ଵାଭାବିକ ପ୍ରଶ୍ନ ଆସିଲା, ଆଜି ଅଧିକ ସଂଖ୍ଯାରେ ଦିଆଯାଉଥିବା ପୁରସ୍କାର, କର୍ପୋରେଟ ସମର୍ଥିତ ସାହିତ୍ଯ ଫେଶ୍ଟିଭାଲ, ଆର୍ଥିକ ପ୍ରୋତ୍ସାହନ, ସାହିତ୍ଯ ଟୁର ଓଡିଆ କବିତାକୁ ଦୃଢ କରିଛି କି ତଳକୁ ନେଇଯାଉଛି? ଏକ ବିଂଶ ଶତାବ୍ଦୀର ଓଡିଆ କବିତା ପଞ୍ଚ ତାରକା ହୋଟେଲର ବାଙ୍କ୍ଵେଟ ହଲ ଭିତରେ ସୀମିତ ହୋଇଯାଉନାହିଁ ତ?  

 

୨. ଦେବେନ୍ଦ୍ର ଦ୍ରୁଷ୍ଟି:

                        ଓଡିଆ ସାହିତ୍ୟର ପ୍ରଖ୍ୟାତ ପ୍ରାବନ୍ଧିକ, ସମାଲୋଚକ ଓ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ଲେଖା ସମଗ୍ର ମଧ୍ୟରୁ ଗାନ୍ଧୀ, ମଧୁସୂଦନ ଦାସ, ଗୋପବନ୍ଧୁ ଦାଶ ଓ ଉତ୍କଳ ସମ୍ମିଳନୀ ସମ୍ବନ୍ଧିତ ଲେଖାକୁ ସଂଗ୍ରହ କରି ଗୌରାଙ୍ଗ ଚରଣ ଦାଶ ଓ ନଗେନ କୁମାର ଦାସ ଦେବେନ୍ଦ୍ର ଦ୍ରୁଷ୍ଟି ପୁସ୍ତକ ପ୍ରକାଶ କରିଛନ୍ତି। ପ୍ରକାଶକ ବିଦ୍ୟାପୁରୀ, କଟକ

                        ଦେବେନ୍ଦ୍ର ସାର ଗାନ୍ଧୀଙ୍କ ସମ୍ପର୍କରେ ବେଶ ସଂକ୍ଷେପରେ ଲେଖୁଛନ୍ତି,“ଜିନ୍ନାଙ୍କ ଦ୍ରୁଷ୍ଟିରେ ଗାନ୍ଧୀ କେବଳ ହିନ୍ଦୁମାନଙ୍କର ନେତା, କମ୍ୟୁନିଷ୍ଟମାନଙ୍କ ଦ୍ରୁଷ୍ଟିରେ ସେ ଶିଳ୍ପପତି ଓ ପୁଞ୍ଜିପତିମାନଙ୍କର ମୁଖପାତ୍ର, ବିନାୟକ ଦାମୋଦର ସଭରକର ପ୍ରମୁଖ ହିନ୍ଦୁତ୍ଵବାଦୀମାନଙ୍କ ଦ୍ରୁଷ୍ଟିରେ ସେ ମୁସଲମାନଙ୍କ ସ୍ଵାର୍ଥର ସଂରକ୍ଷକ ଓ ହିନ୍ଦୁ ଧର୍ମର ଘୋର ଅନିଷ୍ଟକାରୀ, ଭୀମରାଓ ଆମ୍ବେଦକରଙ୍କ ଦ୍ରୁଷ୍ଟିରେ ସେ ସବର୍ଣ୍ଣ ହିନ୍ଦୁମାନଙ୍କର ସ୍ଵାର୍ଥ ସଂରକ୍ଷକ। ବାସ୍ତବତଃ ସେ କୌଣସିଟି ନୁହନ୍ତି।“

                        ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ ଏବେ ବି ସେହି ପ୍ରଶ୍ନ ମୋ ଭିତରେ ରହିଛି ଯେ ସେ ପ୍ରକୃତରେ କଣ? ଅନ୍ଧଙ୍କ ହାତୀର ବର୍ଣ୍ଣନା ଭଳି ମହାତ୍ମା ଗାନ୍ଧୀ ଏବେ ବି ବିଭିନ୍ନ ଭାବରେ ବର୍ଣିତ ହୋଇ ରହିଛନ୍ତି। ମଧୁସୂଦନ ଦାସଙ୍କ ଉତ୍କଳ ଟେନାରୀ ଶିଳ୍ପକୁ ବଞ୍ଚାଇବା ଲାଗି ମହାତ୍ମା ଗାନ୍ଧୀ ଏହାର ମାଲିକାନା ନିଜ ହାତକୁ ନେଇ ଏହାକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ କରିଥିଲେ। ଅବଶ୍ୟ ମଧୁସୂଦନ ଦାସ ଗାନ୍ଧୀଙ୍କୁ ଏହା ହସ୍ତାନ୍ତର କରିବା ଲାଗି ଆଗ୍ରହୀ ହୋଇନାହାନ୍ତି। ବ୍ୟବସାୟ ଓ ଭାବପ୍ରବଣତା କଦାପି ଏକା ସାଥିରେ ଚାଲିନପାରେ। ଉତ୍କଳ ଟେନାରୀ ଶେଷରେ ନିଲାମ ହୋଇଯାଇଛି।

 

୩. ପ୍ରସଙ୍ଗରେ ନେତାଜୀ:

                        ବିରେନ୍ଦ୍ର ନାୟକଙ୍କ ଦ୍ଵାରା ଲିଖିତ “ପ୍ରସଙ୍ଗରେ ନେତାଜୀ” ପୁସ୍ତକ ଗଲା ବର୍ଷ ପ୍ରକାଶିତ ହୋଇଛି ଭାରତର ସ୍ଵାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା, ନେତାଜୀଙ୍କର ଜାତୀୟ କଂଗ୍ରେସର ଦ୍ଵିତୀୟ ଥର ସଭାପତି ହେବା, ମହାତ୍ମା ଗାନ୍ଧୀଙ୍କ ସହିତ ମତ ପାର୍ଥକ୍ଯ, ଫରୱାର୍ଡ ବ୍ଲକ ଗଠନ ଓ କଂଗ୍ରେସ ସଭାପତି ପଦ ତ୍ୟାଗ, କଲିକତାର ଏକ ବିକ୍ଷୋଭରେ ଭାଗନେବା ସମୟରେ ଗିରଫ, ଲୁଚିକରି ବିଦେଶ ପଳାୟନ ଇତ୍ୟାଦି ପ୍ରସଙ୍ଗରେ ଲେଖକ ଅନେକ ତଥ୍ୟକୁ ସ୍ଥାନ ଦେଇଛନ୍ତି।

                        ସତରେ ସୁଭାଷ ବୋଷଙ୍କ ବିଚାର କଣ ଥିଲା? ସେ କେବଳ ଯୁଦ୍ଧର ଜଣେ ସେନାପତି ହିଁ ଥିଲେ ନା ସ୍ଵାଧୀନ ଭାରତର ରୂପରେଖ ସମ୍ପର୍କରେ କିଛି ବିଚାର ଥିଲା ଏହା ଜାଣିବା ମୋର ଇଚ୍ଛା ଥିଲା। ସୁଭାଷ ବୋଷ ୧୯୪୦ ମସିହାରେ ପ୍ରେସିଡେନ୍ସି ଜେଲରେ ଥିବା ସମୟରେ ବ୍ରିଟିଶ ସରକାରଙ୍କୁ ଚିଠି ଲେଖି ଜଣାଉଛନ୍ତି, “ସାମ୍ପ୍ରଦାୟିକତା ଓ ଅନ୍ୟାୟ ପଥରେ ତୁମେ (ବ୍ରିଟିଶମାନେ) ଯେପରି ପାଗଳଙ୍କ ଭଳି ମାଡୁଛ ତାହା ବନ୍ଦ କର।“

                        ହିନ୍ଦୁ ମୁସଲମାନ ଭାଗ ଭାଗ କରିବାର କୌଶଳ ବ୍ରିଟିଶ ସେ ସମୟରେ ଆରମ୍ଭ କରିସାରିଥିଲା। ଦେଶ ସ୍ଵାଧୀନତା ହେବା ପରେ ଦେଶର ସମ୍ବିଧାନରେ ଧର୍ମନିରପେକ୍ଷତା ଶବ୍ଦ ଯୋଡା ଯିବା ପଛରେ ସୁଭାଷ ବୋଷଙ୍କ ବିଚାର ରହିଛି ବୋଲି ଏଠାରେ ଲେଖକ ଯୁକ୍ତି କରୁଛନ୍ତି। ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ମଧ୍ୟରେ ସୁଭାଷ ବୋଷଙ୍କ ବିଚାର ନୀହିତ

 

୪. ସମୟ ସୁଅରେ ବାଣିଦା’:

                        ପ୍ରତ୍ଯେକ ମଣିଷ, ପ୍ରତ୍ଯେକ ଘଟଣା ଓ ପ୍ରତ୍ଯେକ ଅଞ୍ଚଳର ଇତିହାସ ରହିଛି। ମଣିଷର ଆଚାର ବିଚାର, ଧର୍ମ ବିଶ୍ଵାସ, କୌଣସି ଅଞ୍ଚଳର ସମାଜିକ ସ୍ଥିତି ଇତ୍ୟାଦି ଉକ୍ତ ଇତିହାସ ମଧ୍ୟରେ ଆସୁଛି। ଡକ୍ଟର ନିତ୍ଯାନନ୍ଦ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ସମୟ ସୁଅରେ ବାଣିଦା ପୁସ୍ତକ ପ୍ରକୃତରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିକଟସ୍ଥ ବାଣିଦା ଗ୍ରାମର ଗଲା ୨୦୦ କି ୩୦୦ ବର୍ଷର ଇତିହାସକୁ ବର୍ଣ୍ଣନା କରୁଛି। ପୁସ୍ତକର ପ୍ରକାଶକ ସ୍ବାବଲମ୍ବନ, କଟକ।

                        ପୁସ୍ତକରେ ବିଭିନ୍ନ ଲେଖକ ଆଞ୍ଚଳିକ ଇତିହାସ ସମ୍ପର୍କରେ ଆଲୋଚନା କରିବା ସମୟରେ ମୋତେ ଯେଉଁ ସବୁ ତଥ୍ୟ ଦେଉଛନ୍ତି ତାହା ହେଲା, “ବାଣିଦା ଅଞ୍ଚଳରେ ଭୂୟାଁ ବଂଶର ରାଜୁତି ଥିଲା ଓ ଏଠାରେ ଭୂୟାଁ ଗଡ ଥିଲା”, “ଭୂୟାଁ ବଂଶର ଅଷ୍ଟମ ପୁରୁଷର ଦ୍ରାବିଡ ବ୍ରାହ୍ମଣ ସର୍ବେଶ୍ଵର ଭଟ୍ଟ ଔରଙ୍ଗଜେବଙ୍କ ପ୍ରରୋଚନାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ”, “ସୁବର୍ଣ୍ଣରେଖା ନଦୀରେ ବନ୍ୟାର ପ୍ରକୋପ ଅଧିକ ଥିଲା”, “ତିରିଶ ଦଶକ ପର୍ଯ୍ୟନ୍ତ ବାଲ୍ୟ ବିବାହର ପ୍ରଚଳନ ଥିଲା”, “ଅନେକ ଲୋକ କଲେରା ହେତୁ ମାରୁଥିଲେ ଓ ଅନେକ ବାଳିକା ବାଲ୍ୟ ବିଧବା ହେବା କାରଣରୁ ଅତି ଦୟନୀୟ ଜୀବନ ବିତାଉଥିଲେ”, “୧୯୩୫ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ପ୍ରାଥମିକ ସ୍କୁଲ ସ୍ଥାପନ ହୋଇଥିଲା”, “ଶ୍ରୀଚୈତନ୍ୟ ଏହି ରାସ୍ତା ଦେଇ ପୁରୀ ଗସ୍ତ କରିଥିଲେ” ଇତ୍ୟାଦି।

                        ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଲା ବିପ୍ଳବୀ କମ୍ୟୁନିଷ୍ଟ ନେତା ଗଣନାଥ ପାତ୍ର (ଜିପି) ବାଣିଦା ଗ୍ରାମର। ପୁସ୍ତକରେ ତାଙ୍କ ପତ୍ନୀ ଶେଫାଳୀ ଉପାଧ୍ୟାୟ ଲେଖାର ଶୀର୍ଷକ “ଅଗଣା ଫୁଲର ଅଜଣା କାହାଣୀ”ରେ ଦେଶର ଜରୁରୀକାଳୀନ ସ୍ଥିତିକୁ ବର୍ଣ୍ଣନା କରିଛନ୍ତି। ଜିପିଙ୍କ ଗିରଫକୁ ଆଡେଇବା ଲାଗି ସ୍ଵାମୀ ସ୍ତ୍ରୀ ଯେଉଁ କଷ୍ଟ ସ୍ଵୀକାର କରି ଆଶ୍ରୟ ଟିକିଏ ଲାଗି ଓଡିଶା, ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗ ବୁଲିଛନ୍ତି ତାହାକୁ ପଢିଲେ ହିଁ କେବଳ ବୁଝିହେବମୋ ଲାଗି ଏଭଳି ବର୍ଣ୍ଣନା ନୂତନ ଥିଲା।

 

୫. ସୃଜନର ସିଂହନାଦ’:

                        ଓଡିଆ ଭାଷାରେ ପୂର୍ବରୁ ପ୍ରକାଶିତ “ଜହ୍ନମାମୁଁ”ର ମାଲିକ ପରବର୍ତ୍ତୀ ସମୟରେ ଓଡିଆ ଫିଚର ପତ୍ରିକା “ସଚିତ୍ର ବିଜୟା” ପ୍ରକାଶ କରୁଥିଲେ। ଏହାର ପ୍ରଥମ ସମ୍ପାଦକ ଭାବରେ ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିକୁ ପାଇଥିଲେ। ସେ ଥିଲେ ଅଭୟ ସିଂ। ତାଙ୍କର ଉପସ୍ଥାପନ ଶୈଳୀ “ସଚିତ୍ର ବିଜୟା”କୁ ଅନେକ ଶୀର୍ଷକୁ ନେଇଥିଲା। ଆମ ଲାଗି ଏହା ନବେ ଦଶକରେ ଅତି ଆଗ୍ରହର ପତ୍ରିକା ଥିଲା। ବ୍ୟକ୍ତିଗତ ଭାବରେ ତେଣୁ ଅଭୟ ସିଂଙ୍କୁ ମୁଁ ମଧ୍ୟ ଜାଣିଥିଲି। ତାଙ୍କର ବିଚାର ମୂଳତଃ ଥିଲା ପ୍ରକୃତିର ସୁରକ୍ଷା ଓ ପୁରୁଣା ଐତିହ୍ୟର ସ୍ମରଣ। ଏ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଯାଇଛି।

                        “ସଚିତ୍ର ବିଜୟା” ପତ୍ରିକା ଅନେକ ଦିନ ହେଲା ବନ୍ଦ ହୋଇଯାଇଛିଆଶିଷ ରଞ୍ଜନ ମହାପାତ୍ର ଓ ସୁଧୀର କୁମାର ସାହୁଙ୍କ ସମ୍ପାଦନାରେ ଅଭୟ ସିଂଙ୍କ ଅନେକ ସମ୍ପାଦକୀୟ ଓ ଫିଚର ଲେଖାକୁ ସଂଗ୍ରହ କରି ସୃଜନର ସିଂହନାଦ ପୁସ୍ତକରେ ପ୍ରକାଶ କରିଛନ୍ତି। ଏହା ଦ୍ଵାରା ସେମାନେ ଅଭୟ ସିଂଙ୍କୁ ପୁଣି ଆମ ଭିତରେ ଜାଗ୍ରତ କରିଦେଇଛନ୍ତି। ପ୍ରକୃତି ପ୍ରେମୀ ଅଭୟ ସିଂଙ୍କ ମନରେ ଅବକ୍ଷୟମାନ ପୃଥିବୀକୁ ନେଇ ଚିନ୍ତା ଥିଲା। ତାହାର ଉଦାହରଣ ହେଲା, “ଆକାଶକୁ ଦୁଇ ମାଇଲ ପବନ, ସମୁଦ୍ରରେ ଦୁଇ ମାଇଲ ପାଣି, ସ୍ଥଳ ଭାଗରେ ଦାଶ ଇଞ୍ଚ ଉର୍ବର ମାଟିକୁ ନେଇ ଆମର ଏ ବସୁନ୍ଧରା ସମଗ୍ର ଅନ୍ତରୀକ୍ଷରେ ଏକମାତ୍ର ଜୀବନ ସୃଷ୍ଟିକାରୀ ଶ୍ୟାମଳ ସମ୍ଭାବନା- ଶେଷକୁ ଏହାର ସର୍ବୋତ୍ତମ ସଚେତନ ପ୍ରାଣୀ ହାତରେ ଶେଷ ହୋଇଯିବ।“ (‘ପ୍ରଳୟ ପ୍ରୟୋଧୀ ଜଳେ’)

 

 ଏହି ପାଞ୍ଚଟି ପୁସ୍ତକ ଗଲା ୨୦୨୩ ଓ ୨୦୨୪ ବର୍ଷରେ ପ୍ରକାଶ ପାଇଛି।

                        ସୃଜନଶୀଳତା କୌଣସି ସରକାରୀ କାର୍ଯ୍ୟକ୍ରମରୁ ଆସେନାହିଁ। ଏହା କୌଣସି ବ୍ଯବସାୟିକ କାର୍ଯ୍ୟ ମଧ୍ୟରୁ ଆସେ ନାହିଁ। ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମୀ ହେଉଛି ସମାଜ ଓ ପ୍ରକୃତି। ଓଡିଆ ଭାଷାରେ ବର୍ଷକୁ ଏକ ହଜାର ପାଖାପାଖି ପୁସ୍ତକ ପ୍ରକାଶ ପାଉଛି। ଗଲା ବର୍ଷ ମୁଁ ଏହାଠାରୁ ଅଧିକ କିଛି ବହି ପଢିଥିଲେ ବି ମୋର ଚିନ୍ତାକୁ ପ୍ରଭାବିତ କରିଥିବା ଏହି ପାଞ୍ଚଟି ପୁସ୍ତକକୁ ପାଠକଙ୍କ ଲାଗି ବାଛିଲି। ପୁସ୍ତକ ଲେଖିବା, ପ୍ରକାଶ କରିବା ଓ ପାଠକ ନିକଟରେ ପହଞ୍ଚାଇବା ସାମୁହିକ କାର୍ଯ୍ୟ। ଏହି ଉପସ୍ଥାପନା ସେହି ଦିଗରେ ଅନ୍ୟ ଏକ ଉଦ୍ୟମ।