ଦେବ ରଞ୍ଜନ
ଅରୁନ୍ଧତୀ ରାୟଙ୍କ ୨୦୧୯ରେ ପ୍ରକାଶିତ ଏକ
ପ୍ରବନ୍ଧ ସଙ୍କଳନର ଇଂରାଜୀ ନାମ ‘ମାଇଁ ସେଡିସିୟସ ହାର୍ଟ’ । ମୁଁ
ଏହାର ଓଡିଆ କରୁଥିଲି ‘ମୋ ଦେଶଦ୍ରୋହୀ ହୃଦୟ’ । ଅରୁନ୍ଧତୀଙ୍କ
ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ମଦର ମେରି କମ୍ସ ଟୁ ମି’ ପଢିବା ପରେ ଲାଗୁଛି ଏହାକୁ ମୁଁ ଭୁଲ ଅନୁବାଦ କରୁଥିଲି। ପ୍ରବନ୍ଧ ସଂକଳନର ଓଡିଆ ନାମ
ହେବ ‘ମୋ ବିଦ୍ରୋହୀ ଆତ୍ମା’ ଓ ‘ମଦର ମେରି କମ୍ସ ଟୁ ମି’ ଯଥାର୍ଥରେ ଜଣେ ବିଦ୍ରୋହୀ ଆତ୍ମାର
ଆତ୍ମଜୀବନୀ।
ଏହି ଆତ୍ମଜୀବନୀଟି (ଲେଖିକା ଯଦିଓ ଏହାକୁ
ଜଣେ ଝିଅ ଦ୍ଵାରା ଲିଖିତ ମା’ର ଜୀବନୀ କହୁଛନ୍ତି) ପଢିବା
ଭିତରେ ମୁଁ ଅବଶ୍ୟ ବାରମ୍ବାର ଧୋକା ଖାଉଥିଲି - ମୁଁ କୌଣସି ଉପନ୍ୟାସ ପଢୁନାହିଁ ତ! ଉପନ୍ୟାସର ଭାଷା, ଘଟଣା, ଏହା ପଛର
କାରଣ ପୁଣି ଉତ୍ସକତା ଏହାକୁ ତାଙ୍କର ପ୍ରଥମ ଉପନ୍ୟାସ (‘ଗଡ ଅଫ ସ୍ମଲ
ଥିଂସ’) ଭଳି କରିଛି। ନିଜ ସମ୍ପର୍କୀୟମାନଙ୍କ
ବର୍ଣ୍ଣନା ସମୟରେ ଆପେ ଆପେ ଆସିଯାଇଛି ପୌରାଣିକ ଚରିତ୍ରର (ବାଇବେଲ) ଅଜବ ବ୍ୟବହାର ସାଙ୍ଗକୁ ସାମଞ୍ଜସ୍ୟ
ରଖୁଥିବା ବିଶ୍ଵ ସାହିତ୍ୟର ବିଭିନ୍ନ ଚରିତ୍ର ଅଥବା ଅନେକ ବିଖ୍ୟାତ ବ୍ୟକ୍ତିଙ୍କ ଜୀବନ। ଏହିଥିରୁ ବୁଝା ପଡୁଛି ଯେ ଅରୁନ୍ଧତିଙ୍କ
ପ୍ରଥମ ଉପନ୍ୟାସ ‘ଗଡ ଅଫ ସ୍ମଲ ଥିଂସ’ର
ଅନେକ ଚରିତ୍ର ଆଦୌ କାଳ୍ପନିକ ନୁହନ୍ତି। ସେମାନେ ତାଙ୍କ ବ୍ୟକ୍ତିଗତ ଜୀବନରେ ରହିଥିବା ବିଭିନ୍ନ
ଚରିତ୍ର।
ଅରୁନ୍ଧତୀଙ୍କ ପିଲାବେଳ ଏହିପରି: ୧୯୬୨ର ଚୀନ ଯୁଦ୍ଧ
ସମୟରେ ଆସାମରୁ ଚାଲିଆସି କଲିକତାରେ ରହିଥିବା ମେରୀରାୟ ଯୁଦ୍ଧ ସରିବା ପରେ ସ୍ଵାମୀଙ୍କ ସହିତ ଆସାମ
ଫେରିବାକୁ ମନା କରିଦେଇଛନ୍ତି। ସେ କେରଳର କୋଟ୍ଟାୟମ ସହରକୁ ଫେରିଆସି ସେଠାରେ ରୋଟାରୀ କ୍ଲବର
ଅବ୍ୟବହୃତ ସ୍ଥାନରୁ ଆରମ୍ଭ କରନ୍ତି ନିଜର ସ୍କୁଲ (ଯେଉଁଠି ନିଜ ପୁଅ ଓ ଝିଅ ମଧ୍ୟ ସ୍କୁଲର
ଛାତ୍ରଛାତ୍ରୀ) ଓ ବାପାର ସମ୍ପତ୍ତି ଉପରେ ଝିଅର ସମାନ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଟ୍ରାଭନକୋର
ଖ୍ରୀଷ୍ଟିୟାନ ସକସେସନ ଆକ୍ଟ ବିରୁଦ୍ଧରେ ଆଇନଗତ ଲଢେଇ। ସୁପ୍ରିମକୋର୍ଟ ମେରି ରାୟଙ୍କ ସପକ୍ଷରେ
ରାୟ ଦିଅନ୍ତି ଯେ ଖ୍ରୀଷ୍ଟିୟାନ ପରିବାରରେ ବାପାର ସମ୍ପତ୍ତି ଉପରେ ଝିଅର ଅଧା ଅଧିକାର ରହିଛି। ଏହାପରେ ନିଜ ଭାଗର ସମ୍ପତ୍ତି
ଉପରେ ସେ ଅଧିକାର ସାବ୍ୟସ୍ତ କରିଛନ୍ତି। ମେରୀରାୟଙ୍କ ସ୍କୁଲ ଅଞ୍ଚଳରେ ଶ୍ରେଷ୍ଠ ସ୍କୁଲର
ମାନ୍ୟତା ପାଇଛି ଓ ସେ ଜଣେ ଶିକ୍ଷାବିତ ଭାବରେ କେରଳରେ ମାନ୍ୟତା ପାଇଛନ୍ତି।
ସ୍କୁଲର ସଫଳତା ମା (ମେରୀରାୟ) ଓ ଝିଅ
(ଅରୁନ୍ଧତୀ ରାୟ) ମଧ୍ୟରେ ଯୋଜନ ଯୋଜନ ଦୂରତା ବଢାଇଛି। ମା’
ଚାହୁଁଛନ୍ତି ସ୍କୁଲର କ୍ରମଶଃ ଦାୟିତ୍ଵ ଝିଅ ନେଉ (ପୁଅ ନୁହେଁ)। ତେଣୁ ସେ ବାରମ୍ବାର ଝିଅକୁ
ଚେତାଇ ଦେଉଛନ୍ତି ଯେ ତାହା ପଛରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ଏକ ଏକ “ପୁଞ୍ଜିଲଗାଣ”। ମାତ୍ର
ଝିଅ ଧରିନେଇଛି ଯେ ନିଜକୁ ମା’ରୂପୀ “ବ୍ୟାଙ୍କର” ଠାରୁ
ଯଥାଶୀଘ୍ର ମୁକ୍ତି ଆବଶ୍ୟକ।
ଏହି
“ପୁଞ୍ଜିଲଗାଣଲାରୀ ପ୍ରକଳ୍ପ” ଓ “ବ୍ୟାଙ୍କର”ର ଲଢେଇକୁ ଯଦିଓ ବାଧ୍ୟ – ଅବାଧ୍ୟ ମଧ୍ୟରେ ଏଲକେସି (ମେରୀରାୟଙ୍କ ବଡ
ପୁଅ) ନିଜକୁ “ଖାପ ଖୁଆଇ ନେଇଛନ୍ତି” କିନ୍ତୁ ମେରିରାୟଙ୍କ
ଜୀବନରୁ ସବୁଦିନ ଲାଗି “ଗେଟ ଆଉଟ” ହୋଇ ଅରୁନ୍ଧତୀ ଚାଲିଆସିଛନ୍ତି ବହୁ ଦୂରକୁ, କେରଳରୁ ଦିଲ୍ଲୀକୁ। ଶପଥ ନେଇଛନ୍ତି ନିଜ ଲାଗି ପଢା ଖର୍ଚ୍ଚ ପାଇଁ ମା’ ଉପରେ କେବେ ବି ନିର୍ଭର କରିବେ ନାହିଁ।
ଜଣେ ୧୮ ବର୍ଷର ବାଳିକା ଲାଗି ରାଜଧାନୀ ଦିଲ୍ଲୀ
ସହରରେ ଏକୁଟିଆ ବଞ୍ଚିବା ଭିତରେ ଘଟୁଥିବା ଘଟଣା ଦେଶର ସାମାଜିକ ଚିତ୍ରକୁ ବର୍ଣ୍ଣନା କରୁଛି।
ଘଟଣାର କ୍ରମ ଏହିପରି: ଆର୍କିଟେକଚର କଲେଜରେ ନାମ
ଲେଖାଇବା, କଲେଜ କ୍ୟାଣ୍ଟିନରେ ଲୁଚି ଲୁଚି ରାତି ବିତାଇବା, ପାଠ ପଢା ସହିତ ପାର୍ଟ ଟାଇମ କାମ ଖୋଜିବା, ସାମାନ୍ୟ ଅର୍ଥ
ହେବା ପରେ ଜୁମା ମସଜିଦ ପାଖରେ ଅତି ଛୋଟ ଘର ନେବା, ଅନେକ ଥର ଅନାହାର
ମଧ୍ୟରେ ରହିବା, ଯୌନ ଉତ୍ପୀଡକମାନଙ୍କୁ ପ୍ରତି ମୁହୂର୍ତ୍ତରେ ସାମ୍ନା
କରିବା, ପଢା ସାରିବାର ଠିକ ପରେ ପରେ ଏକ ଫିଲ୍ମରେ ଅଭିନୟ ଲାଗି ସୁଯୋଗ
ପାଇବା (“ମାସୀ ସାହେବ”), ପରେ ଫିଲ୍ମ ଲାଗି ସ୍କ୍ରିପ୍ଟ ଲେଖିବା, ପ୍ରେମ, ବିବାହ, ଆର୍ଥିକ ସଂଘର୍ଷ
ଭିତରେ ନିଜର ପ୍ରଥମ ଉପନ୍ୟାସ ଲେଖିବା, ଲେଖା କାରଣରୁ ରାଷ୍ଟ୍ର
ଶକ୍ତିର ଦମନକୁ ସାମ୍ନା କରିବା ଓ ସେହି ଦମନରୁ ସ୍ଵାମୀକୁ ଅଲଗା ରଖିବା ଲାଗି ବିଚ୍ଛେଦ ପାଇଁ
କୋର୍ଟରେ ଆବେଦନ କରି ଅର୍ଡର ପାଇବା । ସେ ଏକୁଟିଆ ରହିଥିବା ସମୟରେ ସମାଜକୁ ସାମ୍ନା କରିବା
ଭିତରେ ଅନେକ ସାହସ ନିଜ ମଧ୍ୟରେ ଏକାଠି କରିଛନ୍ତି ଯାହା ଆଜି ଆମେ ତାଙ୍କୁ ରାଷ୍ଟ୍ର ଓ
ସାମ୍ପ୍ରଦାୟିକ ଶକ୍ତିକୁ ସାମ୍ନା କରିବା ସମୟରେ ଦେଖୁଛୁ।
ଦୀର୍ଘ ଚାରିବର୍ଷ ପରିଶ୍ରମ କରି ପ୍ରଥମ ଉପନ୍ୟାସ ‘ଗଡ ଅଫ ସ୍ମଲ ଥିଙ୍ଗସ’ ଲେଖିବା ପରେ ସେ ସ୍ଵୀକାର କରନ୍ତି ଯେ
ତାଙ୍କ ଜୀବନରେ କିଛି ବଳକା ଅର୍ଥ ସୃଷ୍ଟି ହୋଇଥିଲା। ଏହି ଉପନ୍ୟାସ ୧୯୯୭ ମସିହାରେ ବୁକର
ପୁରସ୍କାର ପାଇଥିଲା। ବହି ରୟାଲିଟି ଆସିବା ପରେ ନିଜ ଜୀବନରେ ଅର୍ଥକୁ ନେଇ ଚାଲିଥିବା ସଂଘର୍ଷର
ପରିସମାପ୍ତି ଘଟାଇବା, ରୟାଲିଟି ଅର୍ଥ ମଧ୍ୟରୁ ନିଜ ପାଇଁ କିଛି ରଖି
ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ ଲାଗି ଅର୍ଥ ପଠାଇବା
ଅରୁନ୍ଧତୀଙ୍କ ଜୀବନର ଏକ ବଡ ଅଂଶ। କ୍ଵଚିତ
ଲେଖିକା କି ଲେଖକ ଆମେ ପାଇଛୁ ଯିଏ ଦେଶର ଅନେକ ଜନ ସଂଗଠନ ଓ ଜନ ଆନ୍ଦୋଳନମାନଙ୍କୁ ନିଜ
ପୁରସ୍କାର ରାଶି ଦେଇଛନ୍ତି।
ବୁକର ପୁରସ୍କାରର ଅର୍ଥ ଦେଶର ୨୩ ଟି
ସଂଗଠନକୁ, ୨୦୦୨ ମସିହାରେ, ଏକ କାଳୀନ ଦୁଇ ଲକ୍ଷ ଟଙ୍କାରୁ ଦଶ ଲକ୍ଷ
ଟଙ୍କା ପର୍ଯ୍ୟନ୍ତ, ସେ ସମୟରେ ଲେଖିକା ଦେଇଥିବା ମୁଁ ଜାଣିଛି। ସେହି ସଂଗଠନ ମଧ୍ୟରେ ଆଦିବାସୀ
ଅଧିକାର ସଂଗଠନ, ବିସ୍ଥାପନ ବିରୋଧୀ ସଂଗଠନ, ତଥ୍ୟ ଜାଣିବାର ଅଧିକାର ସଂଗଠନ, କୃଷକ ସଂଗଠନ ଓ ଟ୍ରେଡ
ଯୁନିଅନ ଅଛନ୍ତି ଯଦିଓ ଏ ସମ୍ପର୍କରେ ଆତ୍ମଜୀବନୀରେ ଉଲ୍ଲେଖ କରିନାହାନ୍ତି। ସେମାନଙ୍କ ମଧ୍ୟରେ
ପୁଣି ଅଛନ୍ତି ମାନବିକ ଅଧିକାର ଲାଗି କାମ କରୁଥିବା ଅନେକ ବୃତ୍ତଚିତ୍ର ନିର୍ମାତା (ମୁଁ ନିଜର ‘ଦୋ ଛକିରେ’ ଫିଲ୍ମ ଲାଗି ଆର୍ଥିକ ସହଯୋଗ ମଧ୍ୟ ପାଇଥିଲି), ଗବେଷକ, ଲେଖକ, ମ୍ୟୁଜିକ କମ୍ପୋଜର
ଇତ୍ୟାଦି। ଏହି କାର୍ଯ୍ୟ ପ୍ରାୟ ୧୦ – ୧୨ ବର୍ଷ ଚାଲିଥିଲା। ଏହାପରେ ଅର୍ଥ ସରିଯାଇଛି ଓ ଏହା
ସହିତ ସଂଗଠନ ଓ ବ୍ୟକ୍ତିବିଶେଷମାନଙ୍କୁ ସହଯୋଗ ମଧ୍ୟ ବନ୍ଦ ହୋଇଛି।
ଶେଖର କପୁରଙ୍କ ‘ବଣ୍ଡିତ କୁଇନ’ (ଫୁଲନ ଦେବୀଙ୍କ ଜୀବନୀ ଉପରେ ଆଧାରିତ)
ଫିଲ୍ମରେ ଠାକୁରମାନଙ୍କ ବାରମ୍ବାର ଯୌନ ଅତ୍ୟାଚାରର ଦୃଶ୍ୟ, ଯାହା
ସତ୍ୟତା ଠାରୁ ଅନେକ ଦୁରରେ, ଆମ ଭିତରୁ ଅନେକଙ୍କୁ କ୍ରୋଧିତ କରିଥିଲେ
ମଧ୍ୟ ସ୍ଵୀକାର କରିନେଇଥିଲୁ। କିନ୍ତୁ
ଅରୁନ୍ଧତୀଙ୍କ କ୍ରୋଧ ମଧ୍ୟରୁ ‘ଦି ଗ୍ରେଟ ଇଣ୍ଡିଆନ ରେପ ଟ୍ରିକ’ ପ୍ରବନ୍ଧ ବାହାରି ଆସିଥିଲା। ଶେଖର କପୁର ମଧ୍ୟରେ ସେ ନିଶ୍ଚିତ ପାପରିଆର ବସଷ୍ଟପର
ସେହି ପୁରୁଷମାନେ ଅଥବା ‘କୋଟ୍ଟାୟମର ସାଣ୍ଟା’ଙ୍କୁ ଦେଖିଥିବେ। ଉକ୍ତ
ପ୍ରବନ୍ଧରେ ସେ ଏକ ସ୍ଥାନରେ ଲେଖିଛନ୍ତି, - “ଶେଖର
କାପୁରଙ୍କ ଫିଲ୍ମ, ଫୁଲନ ଦେବୀଙ୍କ ଜୀବନର ମୋଡ ବଦଳାଉଥିବା ପ୍ରତ୍ୟେକ
ଘଟଣା, ସେ କେଉଁ ପରିସ୍ଥିତିରେ ଡକାୟତ ହେଲେ ସେହିଠାରୁ ଆରମ୍ଭ କରି
ପ୍ରତ୍ୟେକ ଘଟଣା ପଛରେ ଧର୍ଷଣ ବା ଧର୍ଷଣ ଲାଗି ଉଦ୍ୟମ ହିଁ କାରଣ। ଶେଖର କପୁରଙ୍କ ଗୁରୁତର ଅପରାଧ
ହେଲା ଯେ ସେ ଫୁଲନ ଦେବୀଙ୍କ ଜୀବନରେ ଧର୍ଷଣକୁ ଐଶ୍ଵରୀୟ (rape-diviner) କରିଦେଇଛନ୍ତି।“ - ‘ଦି ଗ୍ରେଟ ଇଣ୍ଡିଆନ ରେପ ଟ୍ରିକ’
ଭାରତର ଅଧିକାଂଶ ମହିଳାଙ୍କ ଭଳି ଲେଖିକା
ମଧ୍ୟ ଯୌନ ଉତ୍ପୀଡକଙ୍କୁ ସାମ୍ନା କରିଛନ୍ତି,
ସେଲେବ୍ରିଟି ଲେଖିକା ହେବା ପୂର୍ବରୁ। ଆଠ ଦର୍ଶ ବର୍ଷର ଝିଅ (ଅରୁନ୍ଧତୀ ରାୟ) ସାମୟିକ ଭାବରେ ମା’ର ଏକ ବନ୍ଧୁଙ୍କ ଘରେ ରହିଥିବା ସମୟରେ ସେହି ଘରର ଅତି ସମ୍ମାନଜନକ ବୟସ୍କ ବ୍ୟକ୍ତି, ‘କୋଟ୍ଟାୟମ ସାଣ୍ଟା’ଙ୍କ ଯୌନ କେଳେଙ୍କାରୀ
ଚରିତ୍ର ସମ୍ପର୍କରେ ଲେଖିକା ଲେଖୁଛନ୍ତି, “ଯେତେବେଳେ ସେହି ଜେଜେ
ବାପାଙ୍କୁ ସମସ୍ତେ ଅତିଭଲ ମଣିଷ ଭାବରେ ଦେଖୁଥିଲେ ସେତେବେଳେ ମୁଁ ତାଙ୍କୁ ମଣିଷ ରୂପୀ ଚଷମା
ଲଗା ଏକ ଘୁଷୁରି ଯିଏ ଖାଇବା ଟେବୁଲର ଆର ପାଖରେ ମୋ ସହିତ ବସିଛି ଭଳି ଦେଖୁଥିଲି।“ –
ଆତ୍ମଜୀବନୀ (‘ମଦର ମେରି କମ୍ସ ଟୁ ମି’)
ଜୀବନରେ ସେ ପୁଣି ଥରେ କୋଟ୍ଟାୟମ ସାଣ୍ଟାମାନଙ୍କ
ଦ୍ଵାରା ଅତ୍ୟାଚାରିତ ହେଉଛନ୍ତି ମଧ୍ୟପ୍ରଦେଶର ପାପରିୟା ବସଷ୍ଟପରେ, “ମାସି ସାହେବ” ଫିଲ୍ମର ଶୁଟିଙ୍ଗ ସ୍ଥାନକୁ ଯିବା ଲାଗି ସନ୍ଧ୍ୟା ସମୟରେ ବସକୁ
ଅପେକ୍ଷା କରିଥିବା ବେଳେ। ଆମର
ପୁରୁଷତାନ୍ତ୍ରିକ ସମାଜ ନାରୀର ଇଚ୍ଛା ବିରୁଦ୍ଧରେ ତାହାର ଶରୀର ଉପରେ ନିଜର ହକ ସାବ୍ୟସ୍ତ
କରିବାରେ ଅଧିକ ଖୁସି ପାଇଥାଏ। ଦୀର୍ଘ ବର୍ଷର ସ୍ଵାଧୀନତା ପରେ ବି ଆମ ପରିବାରରେ ପୁଅ ଛୁଆ କେଉଁଭଳି
ଜଣେ ମହିଳାଙ୍କ ପ୍ରତି ଆଚରଣ କରିବ ତାହାର ଶିକ୍ଷା ପାଇ ପାରିଲା ନାହିଁ।
ଆମର ପରିବାର ନହେଲା ନାହିଁ ଆମର ଦେଶର
ସରକାର ହେଲେ ନିଜର ନାଗରିକଙ୍କ ପ୍ରତି ଉପଯୁକ୍ତ ଆଚରଣ କରୁଥାନ୍ତେ? ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଭାରତ ସରକାର ପୋଖରାନ ଠାରେ
ଆଣବିକ ବୋମାର ପରୀକ୍ଷଣ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ, ଜାତୀୟତା ନାମରେ ପୁଣି ଯେଉଁଠି ୭୦ ଭାଗ ଲୋକ ଦାରିଦ୍ର୍ୟ ମଧ୍ୟରେ ଅଛନ୍ତି, ସେଠାରେ, ଆଣବିକ ଅସ୍ତ୍ର ପରୀକ୍ଷା କରିବା ଗଣତନ୍ତ୍ରର
ପରିଭାଷା ସହିତ ଖାପ ଖାଉନଥିଲା।
ଆଣବିକ ପରୀକ୍ଷଣର ପ୍ରତିବାଦରେ ପ୍ରବନ୍ଧ ‘ଦି ଏଣ୍ଡ ଅଫ ଇମାଜିନେସନ’ (‘କଳ୍ପନାର
ଶେଷ’) ଆଣବିକ ଅସ୍ତ୍ରର ଭୟାଭୟତା ସମ୍ପର୍କରେ ଆମକୁ ଅବଗତ କରାଇଥିଲା। ଏହି
ଠାରୁ ରାଜନୈତିକ ପ୍ରବନ୍ଧ ଲେଖିବା ସେ ଆରମ୍ଭ କରିଥିଲେ। ଏହି ଲେଖା ପରେ ବିଜେପି ଓ
ଏହାର ମିଡିଆ ଗୋଷ୍ଠୀ ପ୍ରଚାର କରିବା ଆରମ୍ଭ କରିଥିଲେ, “ଅରୁନ୍ଧତୀ
ଭାରତ ଛାଡ”। ଏହାର ପ୍ରତିବାଦରେ ଲେଖିକା ଲେଖୁଛନ୍ତି, “ଏହି ଦୋଷାରୋପ
ମୋତେ ସ୍ଵାଧୀନ କରିଦେଇଥିଲା। ମୁଁ ମୋ ଦେଶର ପାହାଡ, ଜଙ୍ଗଲ, ନଦୀ, ଗାଁ, ସୀମାନ୍ତ ସହର ଘୁରି
ବୁଲିଲି କେବଳ ମୋ ଦେଶକୁ ଅଧିକ ବୁଝିବା ଲାଗି। ମୁଁ ଯେତେ ଅଞ୍ଚଳ ଗଲି ସେତେ ଲେଖିଲି। ସେହିଠାରୁ
ହିଁ ମୋ ଭଳି ଏକ ଦେଶଦ୍ରୋହୀ, ବିଶ୍ବାସଘାତକ-ଲେଖିକାର ଅଶାନ୍ତ ଓ
ଅବାଧ୍ୟ ଜୀବନର ଆରମ୍ଭ ହେଲା। ଯାହା ମୋ ମା’ ମୋତେ ଶିଖାଇଥିଲେ। ମୁଁ
କେବଳ ସୁନାପାତ୍ରକୁ ପରିହାର କରିନଥିଲି ଏହାକୁ ବିସ୍ଫୋରିତ କରି ଛୋଟ ଛୋଟ ଟୁକୁଡା
କରିଦେଇଥିଲି।“ - ଆତ୍ମଜୀବନୀ
ନର୍ମଦା ନଦୀବନ୍ଧ ବିରୋଧୀ ଆନ୍ଦୋଳନକୁ
ସମର୍ଥନ ଜଣାଇ ‘ଗ୍ରେଟର କମନ ଗୁଡ୍ସ’
ବା ‘ବିଶାଳ ଜନକଲ୍ୟାଣ’ ନଦୀବନ୍ଧ ସମ୍ପର୍କରେ
ଆମର ବିଚାରକୁ ଶାଣିତ କରିଛି। କିଛି ବର୍ଷ ସେ ଏହି ଆନ୍ଦୋଳନ ସହିତ ଓତଃପ୍ରୋତଃ ଜଡିତ ମଧ୍ୟ
ହୋଇଥିଲେ। ସୁପ୍ରିମ କୋର୍ଟ ବନ୍ଧ ସପକ୍ଷରେ ରାୟ ଶୁଣାଇବାର ପ୍ରତିବାଦରେ ବକ୍ତବ୍ୟ ଦେବା ହେତୁ
କୋର୍ଟ ତାଙ୍କୁ ଦିନକ ଲାଗି ତିହାର ଜେଲ ପଠାଇଦେଇଥିଲେ। ସେହି ଦିନକୁ ମନେପକାଇ ସେ ଲେଖୁଛନ୍ତି, “ମୁଁ ଗୋଟିଏ ରାତି ଜେଲରେ ରହିବା ପରେ ଯେତେବେଳେ ତାହା ପର ଦିନ ସକାଳୁ ଜେଲରୁ
ବାହାରିଲି ମୋତେ ନର୍ମଦା ଅଞ୍ଚଳରୁ ଆସିଥିବା ଅନେକ ସାଥି ଜେଲ ବାହାରେ ଅପେକ୍ଷା କରିଥିଲେ। ସେମାନେ
ସମସ୍ତେ ରାତି ସାରା ଜେଲ ବାହାରେ ଥିଲେ।“- ଆତ୍ମଜୀବନୀ
କାଶ୍ମୀରର
ପରିସ୍ଥିତିକୁ ନେଇ ପ୍ରସିଦ୍ଧ ପ୍ରବନ୍ଧ ‘ଆଜାଦୀ’ ଯେଉଁଠି ସେ ଲେଖୁଛନ୍ତି, “କାଶ୍ମୀରରେ ବିଜୁଳି ଓ ପାଣିର
ଆବଶ୍ୟକତାକୁ ନେଇ ଚାଲିଥିବା ଲଢେଇ ବି ଏଠାରେ ‘ଆଜାଦୀ’ ପାଇଁ ଦାବିରେ ପରିଣତ ହୋଇଯାଉଛି, ଆଜି ତାଙ୍କର ପ୍ରତିଟି
ପ୍ରବନ୍ଧ, ଉପନ୍ୟାସ ଓ ଆତ୍ମଜୀବନୀର ଅଂଶ ହୋଇଯାଇଛି। ଏଥିଲାଗି
ଲେଖିକାଙ୍କ ଉପରେ “ଦେଶଦ୍ରୋହ” ମାମଲା କଂଗ୍ରେସ ସରକାର ସମୟରେ ରୁଜୁ ହୋଇଥିଲା। ଜଣେ
କାଶ୍ମୀରବାସୀର ପ୍ରଶ୍ନ ଯେ ଆପଣ କଣ କାଶ୍ମୀର ଉପରେ ପୁସ୍ତକ ଲେଖିବେ ସେତେବେଳେ ଲେଖିକାଙ୍କ
ଉତ୍ତର ଥିଲା, - “ମୁଁ କାଶ୍ମୀର ଉପରେ ପୁସ୍ତକ ଲେଖେ କି ନଲେଖେ
କିନ୍ତୁ ମୋର ସମସ୍ତ ପୁସ୍ତକରେ କାଶ୍ମୀରର ଲଢେଇ ନିଶ୍ଚିତ ରହିବ।“- ଆତ୍ମଜୀବନୀ
ଛତିଶଗଡରେ
ଆଦିବାସୀ ଅଞ୍ଚଳରେ ‘ମାଓବାଦୀ’ ସଂଗଠନର ବିପ୍ଳବାତ୍ମକ କାର୍ଯ୍ୟକୁ ନେଇ ‘ୱାକିଙ୍ଗ ୱୀଥ
କମ୍ରେଡ’ ବା ‘କମ୍ରେଡଙ୍କ ସହ କେଇପାଦ’ରେ ରହିଛି ବିରାଟ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ପାର୍ଟିକର୍ମୀଙ୍କ ସହିତ ଭାରତୀୟ
ରାଷ୍ଟ୍ରର ସମର ସଜ୍ଜା। ଜଙ୍ଗଲରୁ ଫେରିବା ପରେ ଅରୁନ୍ଧତୀ ଓ ଅନେକ ସାଥି ‘ଅପରେସନ ଗ୍ରୀନହଣ୍ଟ’ (ମାଓବାଦ ନିପାତ ନାମରେ ଆଦିବାସୀଙ୍କୁ
ହତ୍ୟା ଲାଗି ଭାରତ ସରକାରଙ୍କ ଯୋଜନା) ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ।
ସେମାନଙ୍କୁ ଲକ୍ଷ୍ୟ କରି ମିଡିଆରେ ବିଜେପି ସରକାର ସମସ୍ତ ପ୍ରତିବାଦୀଙ୍କୁ ବ୍ରାଣ୍ଡ କରିବା
ଆରମ୍ଭ କରିଥିଲେ ‘ଅର୍ବାନ ନକ୍ସଲ୍’।
ଭୀମାକୋରେଗାଓଁ କେସରେ ଅନେକ ଲେଖକ, ମାନବିକ ଅଧିକାର କର୍ମୀ (‘ଅର୍ବାନ ନକ୍ସଲ୍’) ଇତ୍ୟାଦିଙ୍କୁ ଗିରଫ କରାଯାଇଥିଲା। ଏହି କେସରେ ଆଜି ବି ବିଚାର ଆରମ୍ଭ ହୋଇନାହିଁ। ହେଲେ
ଲେଖିକା ଅରୁନ୍ଧତୀ କେମିତି ଗିରଫ ହୋଇନଥିଲେ? ସେ ନିଜକୁ ପ୍ରଶ୍ନ
କରୁଛନ୍ତି, - “ଯେତେବେଳେ ଅନ୍ୟ ସମସ୍ତେ ଗିରଫ ହୋଇସାରିଛନ୍ତି
ସେତେବେଳେ ମୁଁ କାହିଁକି ଗିରଫ ହୋଇନଥିଲି? କିଏ ଜାଣେ। ହୋଇପାରେ ଯେ
ମୋର ପାଠକ/ପାଠିକାମାନେ ମୋତେ ସୁରକ୍ଷା ଦେଇଛନ୍ତି। ମୋ ଚାରିପାଖରେ ଶକ୍ତ ବଳୟ ତିଆରି
କରିଛନ୍ତି।“ – ଆତ୍ମଜୀବନୀ
ଏହିଭଳି
ନିଜର ପ୍ରତ୍ଯେକ ଲେଖା ପଛରେ ନିଜର ଅନୁଭୂତିର ବର୍ଣ୍ଣନା ରହିଥିବା ବେଳେ ଆତ୍ମଜୀବନୀର କେଉଁଠାରେ
ତାଙ୍କର ଏକ ପ୍ରମୁଖ ପୁସ୍ତକ ‘ଡକ୍ଟର ଆଣ୍ଡ ସେଣ୍ଟ’ ଯାହା ଆମ୍ବେଦକର ଓ ମହାତ୍ମାଗାନ୍ଧୀଙ୍କୁ ନେଇ ଲିଖିତ ସେ ସମ୍ପର୍କରେ କିଛି ବି
ଉଲ୍ଲେଖ କରିନାହାନ୍ତି। ଏହାର କାରଣ ଲେଖିକା ନିଜେ ହିଁ କେବଳ କହିପାରିବେ।
ଅରୁନ୍ଧତୀ
ରାୟଙ୍କ ବେଶ କେତେକ ପ୍ରବନ୍ଧକୁ ଓଡିଆରେ ଅନୁବାଦ କରାଯାଇପାରିଛି। ସେ ମଧ୍ୟରୁ ନର୍ମଦା ଆନ୍ଦୋଳନ
ଉପରେ “ବିକାଶ ନାମରେ ବିନାଶ”, କାଶ୍ମୀର ଉପରେ ‘ଆଜାଦୀ’, ଆଣବିକ ବୋମା ପରୀକ୍ଷଣ ବିରୁଦ୍ଧରେ ‘କଳ୍ପନାର ଶେଷ’, ନିୟମଗିରି ଆନ୍ଦୋଳନକୁ ସମର୍ଥନ ଜଣାଇ
ଲେଖିଥିବା ‘କର୍ପୋରେଟ ଜମିହଡପ ପାଇଁ ରାଷ୍ଟ୍ରର ସମରସଜ୍ଜା’, ପୃଥିବୀର ବିଭିନ୍ନ ପ୍ରାନ୍ତରେ କର୍ପୋରେଟ – ସାମ୍ପ୍ରଦାୟିକ ଶକ୍ତି – ଆମେରିକା
ପ୍ରଶାସନ ନିର୍ଦ୍ଦେଶରେ ଚାଲିଥିବା ଗଣହତ୍ୟାକୁ ବିରୋଧ କରି ‘ପଙ୍ଗପାଳ
କଥା: ଗଣହତ୍ୟା, ପ୍ରତ୍ୟାଖ୍ୟାନ ଓ ଖୁସିପାଳନ’ ଇତ୍ୟାଦି। ଅନେକ ବର୍ଷ ତଳେ ‘ସମଦୃଷ୍ଟି’ ଓ ‘ଅନ୍ଵେଷା’ ପତ୍ରିକା ସହିତ
ଜଡିତ ବନ୍ଧୁମାନେ ବିନା ପାରିଶ୍ରମିକରେ ଏହାକୁ ଓଡିଆ କରି ପୁସ୍ତକ ଆକାରରେ ଚାପିଛନ୍ତି। କିନ୍ତୁ ଏ ଦିଗରେ କୌଣସି
ନିୟମିତ ପ୍ରକାଶକ ଅରୁନ୍ଧତୀ ରାୟଙ୍କ ଲେଖା ଛାପିବା ଲାଗି ନିଜ ଆଡୁ ଆଗ୍ରହ ଦେଖାଇ ନାହାନ୍ତି।
ଯଦିଓ
ଅରୁନ୍ଧତୀଙ୍କ ପ୍ରଥମ ଉପନ୍ୟାସ ‘ଗଡ ଅଫ ସ୍ମଲ ଥିଂସ’ ବା ‘କ୍ଷୁଦ୍ରବସ୍ତୁମାନଙ୍କ ଦେବତା’ ଭାରତର ଅନେକ ଭାଷାରେ ଅନୁବାଦିତ ହୋଇଯାଇଛି କିନ୍ତୁ ଦୀର୍ଘ ୨୮ ବର୍ଷ ପରେ ବି ଏହା
ଓଡିଆରେ ପ୍ରକାଶିତ ହୋଇନାହିଁ। ଓଡିଆ ଅନୁବାଦକମାନେ କେବେ ଏ ଦିଗରେ ଉଦ୍ୟମ କରିନାହାନ୍ତି ଓ ଓଡିଆ
ପ୍ରକାଶକମାନେ ଏ ଦିଗରେ ଅର୍ଥ ଖର୍ଚ୍ଚ କରିବା ଲାଗି ଆଗ୍ରହୀ ହୋଇନାହାନ୍ତି। ତେଣୁ ଯେଉଁଠି ‘ଗଡ ଅଫ ସ୍ମଲ ଥିଂସ’ ଭଳି ଉପନ୍ୟାସ ଓଡିଆ ହୋଇପାରିନାହିଁ
ସେଠାରେ ଦ୍ଵିତୀୟ ଉପନ୍ୟାସ ‘ଦି ମିନିଷ୍ଟ୍ରି ଅଫ ଅଟମୋଷ୍ଟ ହାପିନେସ’ ଓ ଆତ୍ମଜୀବନୀ ‘‘ମଦର ମେରି କମ୍ସ ଟୁ ମି’ ଯେ କେବେ ଓଡିଆ ହେବ ତାହା କହିବା
ମୁସ୍କିଲ।
ଅରୁନ୍ଧତୀଙ୍କ ଉପନ୍ୟାସ ଓ ପ୍ରବନ୍ଧ, ଇଂରାଜୀ ଔପନ୍ୟାସିକ ଜନ ବର୍ଜରଙ୍କ ଭାଷାରେ, ମଣିଷର ଦୁଇ
ଗୋଡ ଭଳି ସମାନ ଭାବରେ ଓ ଅତି ଆକର୍ଷଣୀୟ ଭାବରେ ପୃଥିବୀ ସାରା ବୁଲୁଥାନ୍ତି। ମୋତେ ମଧ୍ୟ ଠିକ
ତାହା ହିଁ ଅନୁଭବ ହେଉଥିଲା। ଏବେ ଆତ୍ମଜୀବନୀ ମଧ୍ୟ। ଅରୁନ୍ଧତୀ ରାୟଙ୍କ ‘ମଦର ମେରି କମ୍ସ ଟୁ ମି’ ମୋ ଦୃଷ୍ଟିରେ ଏକ ବିଦ୍ରୋହୀ –
ସଙ୍ଘର୍ଷରତ- ପ୍ରତିବାଦୀ – ନିର୍ଭୀକ - ସତ୍ୟାଳାପୀର ଜୀବନରେ ଘଟିଥିବା ଘଟଣା ଓ ତାହାକୁ ଦୃଢତାର
ସହିତ ସାମ୍ନା କରିଥିବାର ଲିଖିତ ଉପସ୍ଥାପନ।

No comments:
Post a Comment