ଦେବ
ରଞ୍ଜନ
ଭୁବନେଶ୍ଵରରେ ଆନୁମାନିକ ଜନସଂଖ୍ୟା ହେବେ
୧୩ ଲକ୍ଷ। ଏଥିରୁ ଧରିନିଅନ୍ତୁ ଓଡିଆ ପଢିପାରୁଥିବା ଲୋକଙ୍କ ସଂଖ୍ୟା ହେବ ଅତିକମରେ ୮ ଲକ୍ଷ, ବହି ପଢିପାରୁଥିବା ଲୋକଙ୍କ ସଂଖ୍ୟା ନିଶ୍ଚିତ ଭାବରେ ଏକ ଲକ୍ଷ ହେବେ। ଏହି ଏକ ଲକ୍ଷ
ଲୋକଙ୍କ ପଢିବା ଓ ଜାଣିବାର କ୍ଷୁଧାକୁ ମେଣ୍ଟାଇବା ଲାଗି ଭୁବନେଶ୍ଵର ସହର ମଧ୍ୟରେ ରହିଛି କେତେ
ଗୋଟି ପୁସ୍ତକ ଦୋକାନ? ମାତ୍ର ଗୋଟିଏ।
ଭୁବନେଶ୍ବରରେ ଉତ୍ତମ ଖାଦ୍ଯର ଲାଳସା
ମେଣ୍ଟାଇବା ଲାଗି ରହିଛି କେତେ ଗୋଟି ଦୋକାନ ଓ ରେଷ୍ଟରାଣ୍ଟ ? ଅସଂଖ୍ଯ।
ବହି କିଣି ପଢିବା ଲାଗି ରହିଥିବା ଦୋକାନ ଓ ଲାଳସା ପୂରଣ ପାଇଁ ରହିଥିବା ରେଷ୍ଟରାଣ୍ଟ ମଧ୍ୟରେ ରହିଥିବା ସଂଖ୍ଯାରେ ପାର୍ଥକ୍ଯ ଠିକ ନଗଡାର ଆଦିବାସୀ ଓ ଗୌତମ ଆଦାନୀର ସାମ୍ରାଜ୍ୟ ମଧ୍ୟରେ ରହିଥିବା ପାର୍ଥକ୍ଯ ଭଳି ଅସୀମ।
ଏଠାରେ ଆମେ ପାଠ୍ୟପୁସ୍ତକ ମିଳୁଥିବା
ପୁସ୍ତକ ଦୋକାନ ସମ୍ପର୍କରେ ଆଲୋଚନା କରୁନାହେଁ। ପାଠ୍ୟପୁସ୍ତକ ଦୋକାନ ପ୍ରତ୍ଯେକ ସ୍କୁଲ ଓ କଲେଜ
ନିକଟରେ ରହିଛି। ଏଥିରେ ଖାତା, ପେନ,
ପେନସିଲ, ସ୍କୁଲ ଓ କଲେଜ ପାଠ୍ୟ ପୁସ୍ତକ ଓ ସ୍କୁଲ ଦ୍ଵାରା ବରାଦ
ହେଉଥିବା ଅନେକ ଜିନିଷ ମିଳିଥାଏ। କିନ୍ତୁ ସାହିତ୍ୟ ବହି ମିଳିନଥାଏ। ସେଭଳି ଦୋକାନ ଲାଗି ପ୍ରକାଶିତ
ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ,
ଭ୍ରମଣକାହାଣୀ ଓ ଆତ୍ମଜୀବନୀ ପୁସ୍ତକ ହେଲା “ଆଜୁରୁ ବାଜୁରୁ ବହି” (ଯାହା ମୋତେ ଜଣେ ଦୋକାନୀ
କହିଥିଲେ) ଯାହା ସେମାନେ ରଖିନଥାନ୍ତି।
ଗଳ୍ପ,
କବିତା, ନାଟକ, ଉପନ୍ୟାସ ଇତ୍ୟାଦି ପୁସ୍ତକ
ମିଳୁଥିବା ଦୋକାନର ସଂଖ୍ୟା ଭୁବନେଶ୍ଵରରେ ଆଜି ଗୋଟିଏ, ପୁରୁଣା ବସ
ଷ୍ଟାଣ୍ଡ ନିକଟରେ ଜୀବିତ ରହିଛି। ଅର୍ଥାତ ଭୁବନେଶ୍ଵରର ୮ ଲକ୍ଷ ଓଡିଆ ପାଠକ ଅଥବା ଏକ ଲକ୍ଷ
ଉତ୍ତମ ପାଠକଙ୍କ ଆବଶ୍ୟକତାକୁ କେବଳ ଏକମାତ୍ର ପୁସ୍ତକ ଦୋକାନ ପୂରଣ କରୁଛି ଠିକ ଯେମିତି ସରକାରଙ୍କ
ସ୍ୱାସ୍ଥ୍ୟ ଯୋଜନା - ଶହେ ରୋଗୀଙ୍କ ସ୍ଥାନରେ ଜଣେ କି ଦୁଇ ଜଣଙ୍କୁ ମିଳୁଛି ସ୍ୱାସ୍ଥ୍ୟବୀମାର
ସୁବିଧା।
ମୋ ଜାଣିବାରେ ଭୁବନେଶ୍ଵର ସହରରେ ନବେ
ଦଶକରେ ବାଣୀ ବିହାର ଭିତରେ, ବାଣୀବିହାର ଛକରେ, ମାଷ୍ଟର କାଣ୍ଟିନ ଛକରେ, ପୁରୁଣା ବସ ଷ୍ଟାଣ୍ଡ ଓ ପୁରୁଣା
ଭୁବନେଶ୍ଵର ଅଞ୍ଚଳରେ ଗଳ୍ପ କବିତା ଉପନ୍ୟାସ ତଥା ଓଡିଆ ପତ୍ରପତ୍ରିକା ମିଳୁଥିବା ଦୋକାନ ଥିଲା।
ଏତଦବ୍ୟତୀତ, ଭୁବନେଶ୍ଵର ଷ୍ଟେସନର ପ୍ରବେଶ ଦ୍ଵାରା ନିକଟରେ ମଧ୍ୟ ଏକ
ଦୋକାନ ଥିଲା। ଆଜି ପୁରୁଣା ବସ ଷ୍ଟାଣ୍ଡ
ଦୋକାନକୁ ବାଦ ଦେଲେ ବାକି ସମସ୍ତ ଦୋକାନ ବନ୍ଦ ହୋଇଯାଇଛି। ବହି କିଣି ପଢୁଥିବା ପାଠକଙ୍କ ଅଭାବ
ହେତୁ ଅନେକ ବଢି ଦୋକାନ ବନ୍ଦ ହୋଇଗଲା।
ଭୁବନେଶ୍ଵର ସହରରେ ଏକ ‘ପୁସ୍ତକ ଆନ୍ଦୋଳନ’ ନାମରେ ଭ୍ରାମ୍ୟମାଣ ପୁସ୍ତକ ଭଣ୍ଡାର
ଥିଲା। ସହରର ବିଭିନ୍ନ ସ୍ଥାନରେ ସେମାନେ ବିଭିନ୍ନ ଭାଷାର ପୁସ୍ତକର ପ୍ରଦର୍ଶନୀ ଓ ବିକ୍ରି
କରୁଥିଲେ। ତାହା ମଧ୍ୟ ପାଠକ ଅଭାବରୁ ବନ୍ଦ ହୋଇଗଲାଣି।
ପୁସ୍ତକ ଆମକୁ ଆମର ଅଜଣା ଲେଖକ/ଲେଖିକାଙ୍କ
ଭାବନା ସହିତ ପରିଚୟ ସୃଷ୍ଟି କରେ। ପୁସ୍ତକ ଆମକୁ କଳ୍ପନା କରିବାରେ ସାହାଯ୍ୟ କରେ। ଏହା ଅତୀତ ସହିତ ଆମକୁ
ଯୋଡିଥାଏ। ପୃଥିବୀ ତଥା ପୃଥିବୀ ବାହାରର ବିଷୟ ସହିତ ପରିଚିତ କରାଏ। ପୁସ୍ତକ କଣ ନଦିଏ ଏହା
କହିବା କଷ୍ଟ। ଏଥିଲାଗି ଆବଶ୍ୟକ ହୁଏ ଯେ ଆମେ ଆମର ଆଖି ଓ କାନ ଖୋଲା ରଖିଥିବା ଆବଶ୍ୟକ।
ମଣିଷ ନିଜକୁ ନିଜର ଭୌଗଳିକ କ୍ଷେତ୍ର ଓ
ପରମ୍ପରା ମଧ୍ୟରେ ସଙ୍କୁଚିତ ନୁହେଁ ବ୍ୟାପକ କରିପାରିଲେ ନିଜ ମଧ୍ୟରେ ରହିଥିବା ଅନ୍ଧତ୍ଵ ଦୂର କରିପାରିବ।
କୌଣସି ବିଚାରର ଅଥବା କୌଣସି ସଂଘ, ସଂସ୍ଥା, ନେତା କି ଧାର୍ମିକ ବାବାଙ୍କ ଅନ୍ଧ ଭକ୍ତ ନହୋଇ ସେମାନଙ୍କୁ ନିଜ ଦୃଷ୍ଟିଭଙ୍ଗୀରେ
ବିଶ୍ଳେଷଣ କରିବ। ବିଶ୍ଳେଷଣର ଆଗ୍ରହ ରଖିବ। ନିଜେ ଅନେକ ବିଷୟରେ ଚିନ୍ତା କରିପାରିବ। ନିଜ
ମଧ୍ୟରେ ରହିଥିବା ଶିଥିଳତାକୁ ଭାଙ୍ଗିବ। ଏହା ସେ କରିପାରିବ ଯେ ଯଦି ସେ ନିୟମିତ ପାଠକ
ହୋଇପାରିବ।
ଦୁଃଖର କଥା ଯେ ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ
ମଧ୍ୟରେ ପଢିବାର ଆଗ୍ରହ କମିବା ସହିତ ସାମ୍ପ୍ରଦାୟିକ ହେବା, ଅନ୍ୟକୁ
ଘୃଣା କରିବା ଓ ଧର୍ମର ଆଚାର ବ୍ୟବହାରକୁ ଅନ୍ଧ ଭଳି ବିଶ୍ଵାସ କରିବାର ମାତ୍ରା ବଢିବାରେ ଲାଗିଛି।
ଯାହା ଶୁଣୁଛି ତାହାକୁ ସେ ବିଶ୍ଵାସ କରୁଛି।
ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ମଧ୍ୟରେ ପଢିବାର
ଆଗ୍ରହ କମିବା ହେତୁ ପୁସ୍ତକ ଦୋକାନ ବନ୍ଦ ହେଉଛି। ଏହି ଅଭାବ କେବଳ ଭୁବନେଶ୍ଵରରେ ଦେଖାଯାଉନାହିଁ।
କଟକ ହେଉଛି ଓଡିଆ ପୁସ୍ତକ ପ୍ରକାଶକ ଓ
ବ୍ୟବସାୟୀଙ୍କ ସ୍ଥାନ। ଏଠାରେ କିନ୍ତୁ ନିଜ ପ୍ରକାଶନ ବ୍ଯତୀତ ଅନ୍ୟ ପ୍ରକାଶକଙ୍କ ପୁସ୍ତକ
ସେମାନଙ୍କ ଦୋକାନରେ ନଥାଏ – ସତେ ଯେମିତି ଅଛୁଆଁ।
ପୂର୍ବରୁ କଟକ ସହରର ବାଦାମବାଡି ମଧ୍ୟରେ ଓ
ଏଲଆଇସି ଅଫିସ ନିକଟରେ ଏକ ଏକ ପୁସ୍ତକ ଦୋକାନ ଥିଲା। ଏଠାରେ କଟକର ସମସ୍ତ ପ୍ରକାଶକଙ୍କ ଦ୍ଵାରା
ପ୍ରକାଶିତ ପୁସ୍ତକ ଅନ୍ତତଃ ଗୋଟିଏ ସ୍ଥାନରେ ମିଳୁଥିଲା। ସେଠାରେ ମଧ୍ୟ ପାଠକ ମରୁଡି କାରଣରୁ
ଦୋକାନ ବନ୍ଦ ହୋଇଗଲା।
ମୋର କାର୍ଯ୍ୟ ପାଇଁ ଓଡିଶାର ଅନେକ ସହର ମୁଁ
ନବେ ଦଶକରୁ ଯାଉଛି। ଅନେକ ସହରରେ ମୁଁ ସେହି ପରିସ୍ଥିତି ଦେଖୁଛି।
ମୋ ଦେଖିବାରେ ବରଗଡ ସହରର ସରକାରୀ ବସ
ଷ୍ଟାଣ୍ଡ ମଧ୍ୟରେ ଏକ ବିରାଟ ପୁସ୍ତକ ଦୋକାନ ଥିଲା ଯାହା ଆଜି ବନ୍ଦ ହୋଇଯାଇଛି।
ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଗଙ୍ଗାଧର ମେହେର କଲେଜ
(ଏବେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି) ସାମ୍ନା ଏକ କ୍ୟାବିନରେ ଓଡିଶାର ଅନେକ ପତ୍ରପତ୍ରିକା, ସାହିତ୍ଯ ପୁସ୍ତକ ମିଳୁଥିଲା। ଏହିଠାରେ ମୋତେ କୁମାର ହସନଙ୍କ ଅନୁବାଦ ପୁସ୍ତକ ଓ
କବିତା ବହି ମିଳିଥିଲା। କିନ୍ତୁ ଗଲା ବର୍ଷ ଦେଖିଲି ଯେ ସେ ଦୋକାନ ଆଉ ସେଠାରେ ନାହିଁ।
ବାଲେଶ୍ଵର ସହରର ଫକିର ମୋହନ କଲେଜ
ସାମ୍ନାରେ ଏକ ପୁସ୍ତକ ଦୋକାନ ଥିଲା ଯେଉଁଠି ଫକିର ମୋହନଙ୍କ ଠାରୁ କବି ବ୍ରଜନାଥ ରଥଙ୍କ କବିତା
ନିଶ୍ଚିତ ମିଳୁଥିଲା। ଲେଖକ ଓ ପ୍ରକାଶକ ଏଠାରେ ନିଜ ପୁସ୍ତକ ରଖି ସେଥିରେ ୩୦ ପ୍ରତିଶତ
ଲାଭ ପାଇଥାନ୍ତି। ଏହି ଦୋକାନ ମଧ୍ୟ ଏବେ କେବଳ
ପାଠ୍ୟ ପୁସ୍ତକ ରଖୁଛି। ସୀମିତ ସ୍ଥାନ ହେତୁ ଅନ୍ୟ ପୁସ୍ତକ ରଖିବା ବନ୍ଦ କରିଦେଇଛନ୍ତି।
ଏହି ପାଠକ ଅଭାବରୁ ମୋ ଦେଖିବାରେ ପୁରୀର
ଷ୍ଟେସନ ଭିତରେ ଓ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଚାଲିଥିବା ପୁସ୍ତକ ଦୋକାନ ଆଜି ବନ୍ଦ ହୋଇଯାଇଛି। ଅଥଚ ଏଠାରେ ଦିନେ ପୂଜା
ସଂଖ୍ଯାରେ ବାହାରୁଥିବା ସାହିତ୍ଯ ପତ୍ରିକା ସନ୍ଧ୍ୟାରେ ଆସି ପହଞ୍ଚିଲେ ତା’ ପରଦିନ ସରିଯାଉଥିଲା।
ଜୟପୁର ବସ ଷ୍ଟାଣ୍ଡ ମଧ୍ୟରେ ଥିବା ଦୋକାନରେ
ଏବେ କେବଳ ଖବରକାଗଜ ଓ କାଁ ଭାଁ ପତ୍ରିକା ମିଳୁଛି। କୋରାପୁଟ ଗୋଲେଇ ଛକର ପୁସ୍ତକ ଦୋକାନର ସେହି
ଅବସ୍ଥା।
ବ୍ରହ୍ମପୁର ସରକାରୀ ବସ ଷ୍ଟାଣ୍ଡ ନିକଟରେ
ଅନେକ ନୂଆ ଓ ପୁରୁଣା ବହି ଦୋକାନ ଥିଲା। ସେଠାରୁ ମୁଁ ଶ୍ରମିକ ଆନ୍ଦୋଳନର କିଛି ବହି ପାଇଥିଲି।
ଆଜି ସେ ସବୁ ଦୋକାନ ହୋଟେଲ ଅଥବା ଷ୍ଟେସନାରୀ ଦୋକାନରେ ପରିଣତ ହୋଇଛି।
ମୁଁ ଯେତିକି ଜାଣିଲି ଭୁବନେଶ୍ବରର ପୁରୁଣା ବସଷ୍ଟାଣ୍ଡ
ବହି ଦୋକାନ ଚାରି କୋଟି ଓଡିଆଙ୍କୁ ଅଣପାଠ୍ୟ ପୁସ୍ତକ ଯୋଗାଇବାରେ ଏକ ମାତ୍ର ଦୋକାନ ହୋଇ ଏବେ ବଞ୍ଚିରହିଛି।
ଅନେକ ବନ୍ଧୁ କୁହନ୍ତି ଯେ ତାଙ୍କର ବହି ଆବଶ୍ୟକ ହେଲେ ସେ ଭୁବନେଶ୍ବର ଆସିବା ସମୟରେ ସେହିଠାରୁ କିଣିଥାନ୍ତି।
ସେହି ଦୋକାନ ବନ୍ଦ ହୋଇଗଲେ ଆମକୁ କେବଳ ବର୍ଷକୁ ଥରେ ପୁସ୍ତକ ମେଳା ଉପରେ ବହି କିଣି ପଢିବା ଲାଗି
ନିର୍ଭର କରିବାକୁ ପଡିବ।
ସମଗ୍ର ଓଡିଶାରେ ଆଜି ଓଡିଆ ପାଠକ ସଂଖ୍ଯାରେ
ବିରାଟ ମରୁଡି ଦେଖାଯାଇଛି। ହୁଏତ ଏହାକୁ ଦୁର୍ଭିକ୍ଷ ମଧ୍ୟ କୁହାଯିବ। କେଉଁ ସ୍ତରରେ ପୁସ୍ତକ
ପ୍ରତି ଆଗ୍ରହ ନାହିଁ। କାଁ ଭାଁ ଇଂରାଜୀ ପୁସ୍ତକ କିଣି ପଢିବାର ଅଭ୍ଯାସ କେତେକଙ୍କର ରହିଛି।
ଓଡିଆ ପୁସ୍ତକ କିଣି ପଢିବାର ସଂସ୍କୃତି ଆଜି ଓଡିଆ ଭାଷାର ଲୋକେ ସଂପୂର୍ଣ୍ଣ ଭୁଲିଯାଇଛନ୍ତି।
ପ୍ରତି ବର୍ଷ ଓଡିଆ ଭାଷାରେ ଏକ ହଜାର
ପୁସ୍ତକ ପ୍ରକାଶ ପାଉଛି ବୋଲି ଲେଖକ ସରଳ ଦାସ ଏକ ସର୍ଭେ କରି ପାଇଛନ୍ତି। ତେବେ ସେହି ସମସ୍ତ
ପୁସ୍ତକ ମଧ୍ୟ ବର୍ଷର ସବୁ ସମୟରେ ମିଳିନଥାଏ।
ମୋର
ଅନୁମାନ ହେଲା ଯେ ଓଡିଆ ପୁସ୍ତକର ଲେଖକ/ଲେଖିକାଙ୍କ ମଧ୍ୟରୁ ଅଧିକାଂଶ ଚାକିରିଆ ଅଥବା ପେନସନ
ପ୍ରାପ୍ତ ବୟସ୍କ ବ୍ୟକ୍ତି। ସେମାନେ ପ୍ରକାଶକଙ୍କୁ ଅର୍ଥ ଦେଇ ପୁସ୍ତକ ପ୍ରକାଶ କରୁଛନ୍ତି। କେହି
କହୁଛନ୍ତି ଯେ ୨୦୦ ପୁସ୍ତକ ଛାପିବେ କହି ଅର୍ଥ ନେଉଛନ୍ତି ମାତ୍ର ପ୍ରକାଶକ ୨୦ ଟି ପୁସ୍ତକ ଛାପୁଛନ୍ତି।
ପୁସ୍ତକର ଉନ୍ମୋଚନ ସମୟରେ, ମାଗଣା ବାଣ୍ଟିବା ଭିତରେ ଅଧିକାଂଶ
ପୁସ୍ତକ ସରିଯାଉଛି। ଉନ୍ମୋଚନ ପରେ ପୁସ୍ତକ ଆଉ ବଜାରରେ ମିଳୁନାହିଁ।
ଏହି ହେତୁ ଲେଖାକୁ ଜୀବିକା
କରି କେହି ଓଡିଆ ଲେଖକ/ଲେଖିକା ବଞ୍ଚୁଥିବା ମୋର ନଜରକୁ ଆସୁନାହିଁ। ଏଥିଲାଗି ଆବଶ୍ୟକ ପାଠକର
ସମର୍ଥନ ଓ ସହଯୋଗ। ଏହାଦ୍ବାରା ପାଠକ ଅନେକ ନିର୍ଭୀକ ମତ ପାଇପାରନ୍ତା। ଓଡିଆ ପାଠକର ଅଭାବ ହେତୁ
ସ୍ଵାଧୀନ ଲେଖକର ଅଭାବ ମଧ୍ୟ ଓଡିଆ ସାହିତ୍ଯରେ ରହିଛି। ପୁସ୍ତକ ଲେଖିବା ଯେ ଏକ କାମ ଓ ଏହାର ବି
କିଛି ମୂଲ୍ୟ ରହିଛି ତାହା ଆମର ସମାଜ ଏବେ ବି ସ୍ଵୀକାର କରିନାହିଁ। ଲେଖିବା ଯେମିତି ଅଣମାନ୍ୟତାପ୍ରାପ୍ତ, ମୂଲ୍ୟହୀନ, ଅବସର ବିନୋଦନ କାର୍ଯ୍ୟ । ଏହାକୁ ନା ପାଠକ ବୁଝୁଛନ୍ତି
ନା ପ୍ରକାଶକ ବା ବିତରକ।
ଓଡିଆ ପାଠକ କମିବା ପଛରେ ଆଜିର ଟିଭି ସିରିଏଲ, ମୋବାଇଲ ଫୋନ ଓ ରିଲ ଦାୟୀ ବୋଲି ଯାହା କୁହାଯାଉଛି ତାହା ସଂପୂର୍ଣ୍ଣ ସତ ନୁହେଁ। ସେଥିରୁ
ଆମକୁ ଅନେକ ଭୁଲ କଥା ମିଳୁଥିବା ପାଠକ ଜାଣୁଛି।
ଏହା ସ୍ଵୀକାର କରିବାକୁ ହେବ ଯେ ଓଡିଆ
ଶିକ୍ଷିତ ମଧ୍ୟବିତ୍ତ ବର୍ଗ ମଧ୍ୟରେ ଅନୁସନ୍ଧିତ୍ସା କମିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ହୋଟେଲ
ଓ ପର୍ଯ୍ୟଟନ ସଂସ୍କୃତି ବଢିଛି। ସେଲେବ୍ରିଟି ହେବାର ଆଗ୍ରହ ବଢିଛି। ଜାଣିବାର ଆଗ୍ରହ କମିଯାଉଛି।
ଜାଣିନଥିବା ମଣିଷ ସମ୍ପର୍କରେ ଜାଣିବା ଓ ତାହା ସହିତ ସମ୍ପର୍କ ସ୍ଥାପନର ଆଗ୍ରହ କମିଯାଉଛି।
ଏହିଭଳି କିଛି କାରଣ ହେତୁ ସ୍ଵାଧୀନ ଲେଖକ/ଲେଖିକା ଓଡିଆ ଭାଷାରେ ତିଆରି ହେଉନାହାନ୍ତି।
ଓଡିଆ ସାହିତ୍ୟରେ ଏବେ ଆସିଥିବା ମରୁଡି ପଛରେ ରହିଥିବା କାରଣ ସମ୍ପର୍କରେ ଆମେ ସମସ୍ତେ ଭାବିବା ଆବଶ୍ୟକ। ଏହାକୁ ଦୂର କରିବା ଜରୁରୀ। ପଢିବା ଓ ପୁସ୍ତକର ସମୀକ୍ଷା କରିବା ଦ୍ଵାରା ପୁଣି ସେହି ସ୍ଥିତି ଆସିପାରିବ ଯାହାକୁ ଆମେ ଛାଡିଆସିଛେ।

No comments:
Post a Comment