ଦେବ ରଞ୍ଜନ
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି
ଜଷ୍ଟିସ ବି. ଆର. ଗବଇଙ୍କ ଉପରକୁ ସୁପ୍ରମି କୋର୍ଟ ବାର ଆସୋସିଏଆସନର ସଦସ୍ୟ ଓକିଲ ରାକେଶ କିଶୋର
ଚପଲ ଫୋପାଡିବା ଲାଗି ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀମାନେ ତାହାଙ୍କୁ ଯଦିଓ ଧରିନେଲେ କିନ୍ତୁ
ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ନା ଦିଲ୍ଲୀ ନା କେନ୍ଦ୍ର ସରକାରଙ୍କ ତରଫରୁ ଆଜି
ପର୍ଯ୍ୟନ୍ତ ରୁଜ୍ଜୁ କରାଗଲା। ପ୍ରଧାନମନ୍ତ୍ରୀ କେବଳ ଏହାକୁ ଏକ “ଗୁରୁତ୍ତର ଘଟଣା” କହି ନୀରବ
ରହିଲେ। ଟିଭିର କୌଣସି ଆଙ୍କର ଏ ସମ୍ପର୍କରେ ଚିତ୍କାର କରିବା ଛାଡ କୌଣସି ଆଲୋଚନା ମଧ୍ୟ ରଖିଲେ
ନାହିଁ। ଦେଶର ସମ୍ମାନ କହି କ୍ୟାଣ୍ଡେଲ ଯାତ୍ରା କରୁଥିବା କୌଣସି ହିନ୍ଦୁତ୍ଵ ସଂଗଠନ ଏହାର
ପ୍ରତିବାଦ କଲେ ନାହିଁ। ନୀରବତା ବି ଏକ ସମର୍ଥନ। ସମସ୍ତେ ରାକେଶ କିଶୋରଙ୍କ ସମର୍ଥନରେ ଲାଗିଗଲେ। ଯାହା ସେ କଲେ
ତାହା ତାଙ୍କର ନିଜସ୍ଵ ଥିଲା ନା ଏହା ଏକ ପ୍ରୋତ୍ସାହିତ ଓ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟ ଥିଲା?
ମନେକରାଯାଉ ଯେ ଏହି ଘଟଣା
କିଛି ବର୍ଷ ପୂର୍ବରୁ ହୋଇଥାନ୍ତା, ଠିକ ଜଷ୍ଟିସ ଚନ୍ଦ୍ରଚୂଡ
ପ୍ରଧାନ ବିଚାରପତି ଥିବା ସମୟରେ। ସେ ସମୟରେ ଓକିଲ ଜଣକ ହିନ୍ଦୁ ନହୋଇ ମନେକରାଯାଉ ମୁସଲମାନ
ଧର୍ମ ବିଶ୍ଵାସୀ ହୋଇଥାନ୍ତେ। ମନେକରାଯାଉ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାବରୀ ମସଜିଦ ଉପରେ ଦେଇଥିବା
ରାୟ ବିରୁଦ୍ଧରେ (ସାଧାରଣ ମନ୍ତବ୍ୟ ନୁହେଁ) ନିଜର ବିରୋଧ ପ୍ରକାଶ କରି ସେହିଭଳି କିଛି ଘଟଣା ଘଟିଥାନ୍ତା।
ତେବେ କଣ ସରକାର ଓ ମିଡିଆର ପ୍ରତିକ୍ରିୟା ଏହିଭଳି ଶିଥିଳ ହୋଇଥାନ୍ତା?
ଅସମ୍ଭବ। ସୁପ୍ରିମ କୋର୍ଟ ବାର କାଉନସିଲ ଯେଉଁ ନିଷ୍ପତ୍ତି ନେଲା,
ରାକେଶ କିଶୋରଙ୍କ ସଦସ୍ଯତାକୁ ରବ୍ଦ କରିଦେଲା, ତାହା ବାର କାଉନସିଲର
ନିଷ୍ପତ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଭୂମିକାରେ ଶିଥିଳତା କାହିଁକି?
ମନେକରାଯାଉ “ପରମାତ୍ମା” ମୋ ଦେହରେ ବିରାଜମାନ କଲେ। (ଓକିଲ ରାକେଶ କିଶୋରଙ୍କ କହିବା ହେଲା ଯେ
ପରମାତ୍ମା ତାଙ୍କୁ ସେ ଭଳି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ)। ପରମାତ୍ମା ତାଙ୍କ ସୃଷ୍ଟ
ସୁନ୍ଦର ନଦୀ, ପାହାଡ, ଜଙ୍ଗଲ ଆଜି ଧ୍ଵଂସ
ହୋଇଯାଉଥିବା ଦେଖି ସେ କଦାପି ଖୁସି ନଥିବେ। ମନେକରାଯାଉ ତାଙ୍କର ସୁନ୍ଦର ପୃଥିବୀକୁ ଧ୍ଵଂସ
କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ଏହି ଭଳି ଚପଲ ଫିଙ୍ଗି ପ୍ରତିବାଦ କରିବା ଲାଗି ସେ ମୋତେ ମୋ
ଭିତରେ ନିର୍ଦ୍ଦେଶ ଦେଲେ ଓ ତାହାକୁ ମୁଁ କାର୍ଯ୍ୟକାରୀ କରିଦେଲି। ଏହାପରେ କଣ ସରକାରମାନେ ନୀରବ
ରହିବେ ଯେମିତି ସେମାନେ ଆଜି ରହିଛନ୍ତି? ସମ୍ବିଧାନ ବିରୁଦ୍ଧରେ
କାର୍ଯ୍ୟରେ ଲିପ୍ତ ରହୁଥିବା ଶାସକଙ୍କୁ ଚପଲ ଫିଙ୍ଗିବା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି
ଆଇନରେ ଉଲ୍ଲେଖ ସରକାର ଏଭଳି କ୍ଷେତ୍ରରେ ରଖିବେ ନା ଚପଲ ଫିଙ୍ଗାଳୀଙ୍କୁ “ଦେଶଦ୍ରୋହ” ମାମଲାରେ ଦୀର୍ଘ ବର୍ଷ ଜେଲ ମଧ୍ୟକୁ
ପଠାଇଦେବେ?
ଯଦି ଶାସକଙ୍କୁ ଚପଲ ଫିଙ୍ଗି
ପ୍ରତିବାଦ କରିବା ଭିନ୍ନମତ ଜାହିର କରିବାର ରାସ୍ତା ହୁଏ (ଠିକ ଅନଶନ ଓ ରାଲି ଭଳି) ତେବେ ଏ ଦେଶର
ଜେଲମାନଙ୍କରେ ଚପଲ ଫିଙ୍ଗି ଗିରଫ ହେବା ଲୋକଙ୍କ ସଂଖ୍ୟା ଅନ୍ୟ ସମସ୍ତ ଅପରାଧୀଙ୍କ ଠାରୁ ଯଥେଷ୍ଟ
ଅଧିକ ହୋଇଯିବ। କିନ୍ତୁ ଜଷ୍ଟିସ ଗବଇଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ନୀରବ ରହିଆସିଛନ୍ତି।
ରାକେଶ କିଶୋର ଏ କ୍ଷେତରେ ହୁଏତ ଜେଲରେ ରହିବା କଥା ନଚେତ ସରକାରଙ୍କୁ ସମାଲୋଚନା କରିଥିବା
ସମସ୍ତ ଲେଖକ, କର୍ମୀ ଇତ୍ୟାଦି ଜେଲରୁ ତୁରନ୍ତ ଖଲାସ ହେବା
କଥା।
ଓକିଲ
ରାକେଶ କିଶୋରଙ୍କୁ ଜଷ୍ଟିସ ଗବଇଙ୍କ ମନ୍ତବ୍ୟ ଅସହ୍ୟ ହୋଇଥିଲା ବୋଲି କହୁଛନ୍ତି। ଜଷ୍ଟିସ ଗବଇ
କିଛି ସପ୍ତାହ ପୂର୍ବେ ଖଜୁରାଓ (ମଧ୍ୟପ୍ରଦେଶ) ଠାରେ ବିଷ୍ଣୁ ମୂର୍ତ୍ତି ସ୍ଥାପନ ସମ୍ପର୍କିତ ଏକ
ଜନସ୍ବାର୍ଥ ମାମଲାରେ ମନ୍ତବ୍ୟ ଦେଇ ମାମଲା ଦାଏରକାରୀଙ୍କୁ କହିଥିଲେ, “ତୁମେ ନିଜକୁ ଯଦି ବିଷ୍ଣୁଙ୍କ ଭକ୍ତ କହୁଛ ତେବେ ତାଙ୍କୁ ଯାଅ ପ୍ରାର୍ଥନା କର।“ ସେ
ଆବେଦନକୁ ଖାରଜ କରିଦେଇଥିଲେ।
ମୁଖ୍ୟ ବିଚାରପତିଙ୍କ ଏଭଳି ମନ୍ତବ୍ୟ
ରାକେଶ କିଶୋରଙ୍କୁ ହୁଏତ ବ୍ୟଥିତ କରିଥାଇପାରେ ଯଦିଓ ସେଭଳି ବ୍ୟଥିତ ହେବାର କୌଣସି ଯଥାର୍ଥାତା
ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କୁ ଏହା ବ୍ୟଥିତ କାହିଁକି କରିଛି? ସମ୍ବିଧାନରେ ଏହା କୌଣସି ଠାରେ ଉଲ୍ଲେଖ ନାହିଁ ଯେ ବିଷ୍ଣୁ ଦେବତାଙ୍କ ସୁରକ୍ଷା
ସୁପ୍ରିମକୋର୍ଟଙ୍କ ଦାୟିତ୍ଵ। ରହିଛି କି?
କେନ୍ଦ୍ର ସରକାର ଏଥିରେ ନୀରବ
ରହିବା ଦ୍ଵାରା ଆମେ ନିଶ୍ଚତି ଯେ କୌଣସି ବି ସାମ୍ବିଧାନିକ ପଦବୀରେ କୌଣସି ଦଳିତ ବର୍ଗର
ବ୍ୟକ୍ତି ଅଧିଷ୍ଠିତ ହେବା ହିନ୍ଦୁତ୍ଵ ଶକ୍ତି ଲାଗି ଗ୍ରହଣୀୟ ହେଉନାହିଁ। ଯଦି ବି ହୁଅନ୍ତି
ତେବେ ସେ ଶାସକ ମୁଖ୍ୟଙ୍କ ପ୍ରତି କୃତଜ୍ଞ ରହିବା ଲାଗି ବାଧ୍ୟ, ନହେଲେ, ‘ଚପଲ’ ଭଳି କିଛି ଦୁର୍ଦ୍ଦାନ୍ତ ଘଟଣା ଘଟିପାରେ।
ସରକାର
ନୀରବ ରହିବାର ଅନ୍ୟ ଏକ ଘଟଣା ହେଲା ଏହିପରି। ଆଲ୍ଲାହବାଦ ହାଇକୋର୍ଟର ବିଚାରପତି ଶ୍ରୀଯୁକ୍ତ
ଶେଖର ଯାଦବଙ୍କ ଦ୍ଵାରା ବିଶ୍ଵ ହିନ୍ଦୁ ପରିଷଦର ସଭାରେ (ଡିସେମ୍ବର ୦୮ ତାରିଖରେ) ଦିଆଯାଇଥିବା
ମୁସଲମାନ ବିରୋଧୀ ମନ୍ତବ୍ୟ (“ତୁମର ଗୀତା ଓ ଆମର କୋରାନ” ଓ
“କାଠମୁଲ୍ଲାହ”) ଅତ୍ୟନ୍ତ ଆପତ୍ତିଜନକ ଥିଲା। ଏହା ବିପକ୍ଷରେ ସୁପ୍ରିମ
କୋର୍ଟ ମଧ୍ୟ ଜଷ୍ଟିସ ଯାଦବଙ୍କୁ ଭୁଲ ସ୍ଵୀକାର କରିବା ଲାଗି କହିଥିଲେ ମଧ୍ୟ ଜଷ୍ଟିସ ଯାଦବ
ତାହାକୁ ସ୍ଵୀକାର କରିନଥିଲେ ।
ବିରୋଧୀ ଦଳ ସଦସ୍ୟମାନେ
ବିଚାରପତି ଯାଦବଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ (ଇମ୍ପିଚିମେଣ୍ଟ ମୋଶନ) ଲାଗି ପ୍ରସ୍ତାବ
ଆଣିଥିଲେ ବି ସଂଖ୍ୟା ଗରିଷ୍ଠ ସଦସ୍ୟ ଅଭାବରୁ କାର୍ଯ୍ୟକାରୀ ହୋଇପାରିନଥିଲା। ସୁପ୍ରିମ କୋର୍ଟ ନିଜର ଅନୁସନ୍ଧାନ ରିପୋର୍ଟ କେନ୍ଦ୍ର
ସରକାରଙ୍କ ଦେଇ କାର୍ଯ୍ୟନୁଷ୍ଠାନ ଲାଗି ପ୍ରସ୍ତାବ ମଧ୍ୟ ଦେଇଥିଲା। କେନ୍ଦ୍ର ସରକାର ସୁପ୍ରିମ
କୋର୍ଟଙ୍କୁ ଜଣାଇଲେ ଯେ କେବଳ ସଂସଦର ହିଁ କୌଣସି ବିଚାରପତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନର କ୍ଷମତା
ରହିଛି। କିନ୍ତୁ ସଂସଦରେ ସଂଖ୍ୟା ଗରିଷ୍ଠ ରହି ମଧ୍ୟ କେନ୍ଦ୍ର ସରକାର ନୀରବ ରହିଲେ। ଆଜି ବି
ଜଷ୍ଟିସ ଯାଦବ ନିଜ ପଦବୀରେ ରହିଛନ୍ତି ଓ କାର୍ଯ୍ୟ କରୁଛନ୍ତି। ଏହା ବିଚାରବିଭାଗରେ ସାମ୍ପ୍ରଦାୟିକତାକୁ
ଉଚିତ ଠଉରାଉଛି।
ଜଷ୍ଟିସ
ଗବଇଙ୍କୁ ଜୋତା ଫୋପାଡିବା ଲାଗି ଉଦ୍ୟମ କରିବା ଅଥଚ କୌଣସି କାର୍ଯ୍ୟନୁଷ୍ଠାନ କେନ୍ଦ୍ର ସରକାର
ନନେବା ଯେମିତି ଦଳିତ ବିରୋଧୀ ମାନସିକତା ସେହିଭଳି ବିଚାରପତି ଶେଖର ଯାଦବ ମୁସଲମାନ ବିରୋଧୀ
ମନ୍ତବ୍ୟ ଦେବା କେନ୍ଦ୍ର ସରକାରଙ୍କର ଇସଲାମ ବିରୋଧୀ ମାନସିକତା। ଏହି ମାନସିକତା ସମ୍ବିଧାନ
ବିରୋଧୀ। କିନ୍ତୁ ସମାନ୍ତରାଳ ଭାବରେ ସରକାର ଏହି ମାନସିକତାକୁ ଆପଣାର କରିଚାଲିଛନ୍ତି।
ଆମ୍ବେଦକରଙ୍କ
ନେତୃତ୍ଵରେ ଲିଖିତ ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇପାରେ। ସମ୍ବିଧାନ
ଅନୁସାରେ ହୁଏତ ପ୍ରତ୍ଯେକ ଭୋଟର ସମାନ ଅଧିକାର ରହିପାରେ।
ଯେ କୌଣସି ବ୍ୟକ୍ତି ସାମ୍ବିଧାନିକ ପଦବୀର ଅଧିଷ୍ଠିତ ହୋଇପାରେ, କାହାର ଜନ୍ମ ଅନୁସାରେ କାହାରିକୁ ଏଥିରୁ ବାରଣ କରାଯାଇନପାରେ। କିନ୍ତୁ ଭାରତୀୟ
ସମ୍ବିଧାନର ଏଭଳି ପ୍ରାବଧାନକୁ ହିନ୍ଦୁତ୍ଵ ଶକ୍ତି ଗ୍ରହଣ କରିବା ଲାଗି ଅନାଗ୍ରହୀ।
ଯଦିଓ ସମ୍ବିଧାନର ଧାରା ୫୧
(କ) ଅନୁସାରେ ପ୍ରତ୍ଯେକ ନାଗରିକ ଦେଶର ସାର୍ବଭୌମତ୍ଵ ଓ ସମ୍ବିଧାନକୁ ସମ୍ମାନ ଦେବା ତାହାର
କର୍ତ୍ତବ୍ୟ ବୋଲି ଉଲ୍ଲେଖ ରହିଛି କିନ୍ତୁ ଏହାକୁ ସରକାର ସ୍ଵୀକାର କରିବାକୁ ଚାହୁଁନାହାନ୍ତି। ଯଦିଓ
ଆଜିର ସରକାର ଦେଶର ସମ୍ବିଧାନ ଦ୍ଵାରା ନିର୍ବାଚିତ ହୋଇ କ୍ଷମତାକୁ ଆସିଛନ୍ତି କିନ୍ତୁ ଭିନ୍ନ ଏକ
ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହା କେବଳ ଶଠତା
ନୁହେଁ ଏହା ସମାଜ ଲାଗି ମାରାତ୍ମକ ମଧ୍ୟ। ଏଭଳି ଆଚରଣ ଦଳିତ,
ମହିଳା, ଆଦିବାସୀ, ଅଣହିନ୍ଦୁ ଓ ହିନ୍ଦୁ
ଧର୍ମାବଲମ୍ବିଙ୍କୁ ଅଣନିଶ୍ଵାସୀ କରିଦେଉଛି। ରାକେଶ କିଶୋରଙ୍କ ପ୍ରତିବାଦ ବି ଯଦି ଗଣତନ୍ତ୍ରର
ଏକ ଅଂଶ ବୋଲି ସରକାର ମନେକରୁଥାନ୍ତି ତେବେ ତାଙ୍କୁ ସମାଲୋଚନା କରିବା କାରଣରୁ ବିଭିନ୍ନ
ମାମଲାରେ ଜେଲରେ ରହିଥିବା ଅନେକ ମାନବିକ ଅଧିକାର କର୍ମୀ, ଦଳିତ ନେତା, ଛାତ୍ରନେତା, ଲେଖକ, ପ୍ରଫେସର ଇତ୍ୟାଦିଙ୍କୁ
ସରକାର ତୁରନ୍ତ ଜେଲରୁ ମୁକ୍ତ କରିଦିଅନ୍ତୁ।
ନିମ୍ନରେ ନିଜର ମତାମତ ଲେଖିପାରିବେ। ଏହାକୁ share ଓ ପତ୍ରିକାରେ print ମଧ୍ୟ କରିପାରିବେ। କୌଣସି କପିରାଇଟ୍ସ ନାହିଁ।

No comments:
Post a Comment