Sunday, November 16, 2025

ଘୃଣା ଓ ଭାବାବେଗକୁ ନ୍ୟୁୟର୍କବାସୀଙ୍କ ପ୍ରତ୍ୟାଖ୍ୟାନ ଏକ ଶୁଭସଙ୍କେତ

 



 

ଦେବ ରଞ୍ଜନ

ସମୟ ସମୟରେ ଆମ ଅନୁମାନ ବାହାରେ କିଛି ଘଟଣା ଘଟିଯାଏ ଯାହା ଆମକୁ ଅନେକ ପରିମାଣରେ ଚକିତ କରିଦିଏ। କାରଣ ଆମେ ଭାବିନଥାଉ ଯେ ସେଭଳି କିଛି ସତରେ ଘଟିବ।  

ନ୍ୟୁୟର୍କର ମେୟର ଭାବରେ ମମଦାନୀଙ୍କ ଜିତିବାରେ ମୁଁ ବହୁତ ପରିମାଣରେ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଲାଗି ଆଶ୍ଚର୍ଯ୍ୟର ବିଷୟ ଥିଲେ ନ୍ୟୁୟର୍କବାସୀ

ଟ୍ରମ୍ଫଙ୍କ ସମସ୍ତ ଧମକ ସତ୍ବେ (“ଯଦି ମମଦାନୀ ନିର୍ବାଚିତ ହୁଅନ୍ତି ତେବେ ସମସ୍ତ ଫଣ୍ଡ ବନ୍ଦ କରିଦେବି”) ନିୟୁର୍କବାସୀ ମମଦାନୀଙ୍କ ଭଳି ଏକ ମୁସଲମାନ ଯୁବକଙ୍କ ଉପରେ ଭରସା ରଖି ତାଙ୍କୁ ନିର୍ବାଚିତ କଲେ (୧୦ ଲକ୍ଷରୁ ଅଧିକ ଭୋଟର ଅର୍ଥାତ ୫୦.୪% ଭୋଟ) ଓ ଘୃଣାକୁ ଭରସାରେ ବଦଳାଇବାକୁ ଚେଷ୍ଟା କଲେ ଏହା ପ୍ରଥମ ଆଶ୍ଚର୍ଯ୍ୟର ବିଷୟ।

ଏହା ଜଣାଶୁଣା କଥା ଯେ ମମଦାନୀଙ୍କ ପିତା ଗୁଜୁରାତି ମୁସଲିମ, ମା ମୀରା ନାୟାର (ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ନିର୍ମାତା) ଜଣେ ପଞ୍ଜାବୀମମଦାନୀଙ୍କ ଜନ୍ମ ପୂର୍ବ ଆଫ୍ରିକା ଦେଶ ଉଗାଣ୍ଡାରେ। ତାଙ୍କୁ ଯେତେବେଳେ ସାତ ବର୍ଷ ସେ ଆମେରିକା ଆସିଛନ୍ତି। ତେଣୁ ସେ ଜନ୍ମରୁ ଆମେରିକୀୟ ନୁହନ୍ତି।

ଟ୍ରମ୍ଫ ଆମେରିକାରୁ ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ବାହାର କରିବା ଲାଗି ଘୃଣାର ମାହଲ ସୃଷ୍ଟି କରୁଥିବା ବେଳେ ମମଦାନୀଙ୍କ ଭଳି ବିଦେଶାଗତ ବା ଇମିଗ୍ରାଣ୍ଟଙ୍କୁ ନିୟୁର୍କବାସୀ ନିର୍ବାଚିତ କରିବା ମୋ ପାଇଁ ଦ୍ଵିତୀୟ ଆଶ୍ଚର୍ଯ୍ୟର ବିଷୟ।     

ମମଦାନୀଙ୍କ ଡେମୋକ୍ରାଟିକ – ସୋସିଆଲିଷ୍ଟ ଅଫ ଆମେରିକା ଏକ କମ୍ୟୁନିଷ୍ଟ ପାର୍ଟିଏଠାରେ ଜଣେ ଅରବପତିଙ୍କ ଭାଷାରେ ଝାଡା ଗଲେ ଫ୍ଲଶ କରିବା ଲାଗି ବି କର୍ପୋରେଟର ସହଯୋଗ ଆବଶ୍ୟକ। ଏଭଳି ଏକ ସହରର ବାସିନ୍ଦା କମ୍ୟୁନିଷ୍ଟ ବିଚାରର ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ତୃତୀୟ ଆଶ୍ଚର୍ଯ୍ୟର ବିଷୟ।

ଆମେରିକାରେ ଇସଲାମ ଭୟ ଆରମ୍ଭ ହୁଏ ୯/୧୧ ଘଟଣାରୁ। ଅପହରଣକାରୀ ୧୯ ଜଣଙ୍କ ସମେତ ୩୦୦୦ ଆମେରିକୀୟ ବିଶ୍ଵ ବାଣିଜ୍ୟ କେନ୍ଦ୍ର ବିଲିଡିଙ୍ଗ ଧ୍ଵଂସ ହେତୁ ମୃତ୍ୟୁ ବରଣକରିଥିଲେ। ଆଲକାଏଦା ଓ ଲାଡେନ ଏହାକୁ ପାଲେଷ୍ଟାଇନରେ ଚାଲିଥିବା ନରସଂହାରର ପ୍ରତିଶୋଧ ବୋଲି ଭିଡିଓ ବାର୍ତ୍ତାରେ କହିଥିଲେ।  

୯/୧୧ ଘଟଣା ପରେ ରାଷ୍ଟ୍ରପତି ବୁଶ ଆଫଗାନିସ୍ତାନକୁ ପ୍ରଥମ ଲକ୍ଷ୍ୟ କରିନଥିଲେ, ବରଂ, କରିଥିଲେ ଇରାକକୁ ଓ ହତ୍ୟା କରିଥିଲେ ସଦାମ ହୁସେନଙ୍କୁ କାରଣ ସେଠାରୁ ଅଶୋଧିତ ତୈଳ ଲୁଟିବା ତାଙ୍କର କମ୍ପାନୀମାନଙ୍କ ଲକ୍ଷ୍ୟ ଥିଲା।

ଆମେରିକାର ତତ୍କାଳୀନ ବୁଶ ସରକାର ଏହାକୁ ସମଗ୍ର ମୁସଲମାନ ସମାଜର ଷଡଜନ୍ତ ବୋଲି ଚିତ୍ରିତ କରି ଶବମାନଙ୍କୁ ନେଇ ଭାବପ୍ରବଣ ରାଜନୀତି ଓ ଶୋଷଣର ଅର୍ଥନୀତି ଆରମ୍ଭ କରିଦେଲେ। ବୁଶଙ୍କ “ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା” ପ୍ରକୃତରେ ଇସଲାମ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଥିଲା।

ପରିବେଶ ଏତେ ପରିମାଣରେ ଘୃଣାରେ ଭରିଯାଇଥିଲା ଯେ ଅନେକ ଆମେରିକୀୟ ମୁସଲମାନ ଯାହାର ଟୋପି ଓ ଦାଢି ଅଛି ସେ ମଧ୍ୟ ସାଧାରଣ ଖ୍ରୀଷ୍ଟୀୟ ଆମେରିକୀୟଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଥିଲା।

ଆମେରିକାରେ ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ଅନେକ ଗୁଜବ ମଧ୍ୟ ପ୍ରସ୍ତୁତ କରିଛନ୍ତିସେଗୁଡିକ ହେଲା; ଆମେ ଖ୍ରୀଷ୍ଟିୟାନ ବିଶ୍ଵରେ ସବୁଠାରୁ ଶ୍ରେଷ୍ଠ,  ଯଦି ମୁସଲମାନ ଆମ ଦେଶରେ ରୁହନ୍ତି ତେବେ ଆମ ଦେଶରେ ଆମେ ସଂଖ୍ୟା ନ୍ୟୁନ ହୋଇଯିବା’, ସେମାନେ ଆମ ଦେଶକୁ ଅକ୍ତିଆର କରିଦେବେ’, ମୁସଲମାନମାନେ ବହୁ ନୃଶଂସ’, ସେମାନେ ନାରୀକୁ ଅସମ୍ମାନ କରିଥାନ୍ତି ଇତ୍ୟାଦି।

ଆମେରିକାର ତିନୋଟି ପ୍ରତାରଣାପୂର୍ଣ୍ଣ ବ୍ୟାଖ୍ୟାନ ଆଜି ବି ସମଗ୍ର ବିଶ୍ଵର ଅର୍ଥନୀତି ଓ ରାଜନୀତିକୁ ପ୍ରଭାବିତ କରିରଖିଛି।

ପ୍ରଥମରେ, କର୍ପୋରେଟଙ୍କ ବିନା ଦେଶର ବିକାଶ ଅସମ୍ଭବ;

ଦ୍ଵିତୀୟରେ, ସମସ୍ତ ଉଗ୍ରପନ୍ଥୀ” ମୁସଲମାନ ନହୋଇପାରନ୍ତି ମାତ୍ର ସମସ୍ତ ମୁସଲମାନ ନିଶ୍ଚିତ “ଉଗ୍ରପନ୍ଥୀ” ଓ

ତୃତୀୟରେ, ଯୁଦ୍ଧର ଅନ୍ୟ ନାମ ହେଲା ଶାନ୍ତି।

ଏହା ଦ୍ଵାରା ଆମେରିକାର ଅର୍ଥନୀତି ବଳିଷ୍ଠ ହୋଇଛି। ଏହି ତିନି ବ୍ୟାଖ୍ୟାନର ପ୍ରଭାବ ଏସିଆ ଓ ଆଫ୍ରିକାର ଅନେକ ଦେଶରେ ଶୁଣିବାକୁ ମିଳେ।

ଯଦି  ଆମେରିକାର ଶାସନ ବ୍ୟବସ୍ଥା ଏହି ତିନି ଉପାଖ୍ୟାନକୁ ବାଦ ଦେଇଦେବ ତେବେ କୌଣସି ଆଫ୍ରିକୀୟ ବା ଏସିୟ ଦେଶ ଠାରୁ ବି ଏହି ଦେଶ ଦୁର୍ବଳ ଓ ଗୌଣ ହୋଇଯିବ।  

ଗୋଟିଏ ଧର୍ମ ବିରୁଦ୍ଧରେ ଆମେରିକୀୟ ରାଷ୍ଟ୍ର ଶକ୍ତି ଠିଆ ହୋଇଥିଲା। ଏଥିରେ ବଳି ପଡିଲେ ସେହି ଧର୍ମକୁ ବିଶ୍ଵାସ କରୁଥିବା ଅନେକ ସରଳ ଓ ନିରୀହ ପୁରୁଷ ଓ ନାରୀ। ସେହି ଦେଶରେ ନ୍ୟୁୟର୍କବାସୀ ପୁଣି ମାମଦାନୀଙ୍କୁ ନିର୍ବାଚିତ କରିବା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟର ବିଷୟ।

ଆମେ ଭାରତରେ ମଧ୍ୟ ଇସଲାମ-ଭୟର ପ୍ରଭାବ ଦେଖୁଛୁ। ଭାରତରେ ୨୦୦୨ ମସିହାରେ ଗୁଜୁରାଟରେ ମୁସଲିମ ଗଣହତ୍ୟା ହୋଇଥିଲା। ପ୍ରାୟ ୧୦୦୦୦ ମୁସଲମାନଙ୍କୁ ଗୁଜୁରାଟର ବିଭିନ୍ନ ସହରରେ ହତ୍ୟା କରାଯାଇଥିଲା ଅନେକଙ୍କ ଗୃହକୁ ଜାଳି ଦିଆଯାଇଥିଲା, ଅନେକ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିଲା।

 

୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖରେ ଉତ୍ତର ପ୍ରଦେଶର ନୋଏଡା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ ରୁ ଉର୍ଦ୍ଧ ନିଜ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କୁ ତାଙ୍କ ଘରେ ଗୋମାଂସ ରଖିଥିବା ଅଭିଯୋଗରେ ପିଟିପିଟି ମାରିଦେଲେ।  

 

ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସର ତଥ୍ୟ ଅନୁସାରେ କାହାର ଘର ମଧ୍ୟରେ ଜବରଦସ୍ତି ପଶି ଗୋମାଂସ ରଖିବା ଆଳରେ କାହାରିକୁ ହତ୍ୟା କରିବା ଦେଶ ମଧ୍ୟରେ ତାହା ଥିଲା ପ୍ରଥମ ଘଟଣା। ମହମ୍ମଦ ଅଖଲାକ ଜଣେ ଗରିବ କମାର ଥିଲେ। ତାଙ୍କ ହତ୍ୟାକାରୀମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ।

 

ଏହି ଠାରୁ ଗୋମାଂସ ନାମରେ ଆକ୍ରମଣ ଜାଣନ୍ତୁ ଭାରତରେ ଆରମ୍ଭ ହେଲା। ହରିୟାନାର ପେହେଲୁ ଖାଁଙ୍କୁ ୨୦୧୭ ମସିହାରେ ଗୋରକ୍ଷକମାନେ ରାଜସ୍ଥାନର ଅଲୱାର ଠାରେ ହତ୍ୟାକରିଥିଲେବିଡମ୍ବନା ଯେ ନିକଟରେ ଅଲୱାର କୋର୍ଟ ଛଅ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି 

 

ପୁନେର ଇଞ୍ଜିନିୟର ମହସିନ ସାଦିକଙ୍କୁ ୨୦୧୪ ମସିହାରେ ମସଜିଦରୁ ବାହାରୁଥିବା ବେଳେ ହିନ୍ଦୁ ରାଷ୍ଟ୍ର ସେନାର କର୍ମୀଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ପରେ ପୁନେ କୋର୍ଟ ସମସ୍ତ ୨୦ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିଥିଲେ।

ଅତି ବିଭାତ୍ସ ଥିଲା ଝାଡଖଣ୍ଡର ତବ୍ରେଜ ଅନଶରୀର ହତ୍ୟା। ସେ ଅନାଥାଶ୍ରମର ବାସିନ୍ଦା ଥିଲେ। ତାଙ୍କର ବିବାହର ପରଦିନ ତାହାଙ୍କୁ “ଜୟ ଶ୍ରୀରାମ” “ଜୟ ହନୁମାନ” କହିବାକୁ ବାଧ୍ୟ କରିବା ଓ କହିବା ସତ୍ବେ ତାହାକୁ ପିଟି ପିଟି ସଂଘ ପରିବାରର ସଦସ୍ୟମାନେ ହତ୍ୟା କରିବା ବିଭତ୍ସ ମାନସିକତାର ଉଦାହରଣ।

ମହମ୍ମଦ ଅଖଲାକ, ତବ୍ରେଜ ଅନଶରୀ, ପେହେଲୁ ଖାଁ ଓ ମହସିନ ସାଦିକଙ୍କ ହତ୍ୟା ଯେତିକି ଘୃଣ୍ୟ ଥିଲା ଏହି ସମସ୍ତ ଅପରାଧରେ ଅପରାଧୀମାନେ ଖଲାସ ହୋଇଯିବା ମଧ୍ୟ ସେତିକି ଦୁଃଖର ବିଷୟ ଥିଲା।

ଏଭଳି ଏକ ଘୃଣାର ପରିବେଶ ଭିତରେ ସମାନତା ଓ ନ୍ୟାୟ ପାଇଁ ଆମର ଲଢେଇ ଜାରି ରଖିବା ଆମର ମାନବିକତାକୁ ବଞ୍ଚାଇ ରଖିବା ସହିତ ସମାନ। ଆଶା କରିବା ଯେ ଭାରତରେ ମଧ୍ୟ ଅନେକ ଲୋକ ଇସଲାମ-ଭୟରୁ ନିଜକୁ ମୁକ୍ତ କରିବେ ଓ ଘୃଣାକୁ ବିରୋଧ କରିବେ।

କିନ୍ତୁ ଏହା ସହଜ ନୁହେଁ। ଆମେରିକା ଲାଗି ସକାରାତ୍ମକ ସ୍ଥିତି ହେଲା ଯେ ସେଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଭଳି ସଂଗଠନ ନାହିଁ। ଭାରତରେ ଧର୍ମ ନାମରେ ଘୃଣାର ରାଜନୀତି ଏହି ସଂଘ ଅଧିକ ପ୍ରଚାର କରୁଛି। ସଂଘ ଲାଗି ଭାରତୀୟତା ଆଦୌ ପ୍ରସଙ୍ଗ ନୁହେଁ ବରଂ ହିନ୍ଦୁ-ଭାରତୀୟ ଏହାର ପ୍ରସଙ୍ଗ।

ଆଦାନୀ ଓ ଆମ୍ବାନୀଙ୍କ ପାଖରେ ଧନ ଠୁଳ ହେବା, ପରିବେଶ ଧ୍ଵଂସ ହେବା, ଉତ୍ତରାଖଣ୍ଡରେ ଭୁସ୍ଖଳନ, ଅନାହାର ମୃତ୍ୟୁ, ବେରୋଜଗାରେ ହେତୁ ଭାରତୀୟ ଯୁବକ ଆତ୍ମହତ୍ୟା ଇତ୍ୟାଦି ସଂଘ ଲାଗି ଚିନ୍ତାର ବିଷୟ ନୁହେଁ।

କିନ୍ତୁ ମହମ୍ମଦ ଅଖଲାକ ଓ ତବ୍ରେଜ ଅନଶରୀଙ୍କ ଭଳି ଗରିବ ମୁସଲମାନ ଗୋମାଂସ ଖାଇବା ସଂଘ ଲାଗି ବହୁତ ବଡ ପ୍ରସଙ୍ଗ। ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ସମସ୍ତ ସହଯୋଗ ସଂଘ ସହିତ ରହିଛି। ତେଣୁ ଭାରତରେ ଏତେ ଶୀଘ୍ର ପରିବର୍ତ୍ତନ ଯେ ଆସିବ ସେ ସମ୍ଭାବନା ଦେଖାଯାଉନାହିଁ।

ମମଦାନୀଙ୍କ ନିର୍ବାଚନ ପ୍ରତିଶୃତି ରହିଛି ଯେ ସେ ନିଜର କାର୍ଯ୍ୟକାଳ ମଧ୍ୟର ସମସ୍ତ ନିୟୁର୍କବାସୀଙ୍କ ଲାଗି ଗୃହ, ସମସ୍ତଙ୍କ ପାଇଁ ସୁରକ୍ଷିତ ଜୀବନ ଆଣିବେ। ତାଙ୍କର ପ୍ରତିଶୃତି ଯେ ଏଣିକି ଘରମାଲିକମାନେ ମନଇଛା ଭଡା ବୃଦ୍ଧି କରିପାରିବେ ନାହିଁ।

ସେ ବସଯାତ୍ରୀ ଭଡା ଛାଡ କରିବେ ଓ ଛଅ ସପ୍ତାହରୁ ପାଞ୍ଚ ବର୍ଷର ପିଲାଙ୍କୁ ଚିକିତ୍ସା ମାଗଣାରେ ଉପଲବ୍ଧ କରାଇବେ। ଏହା ଯେ କେତେଦୂର ସମ୍ଭବ ହେବ ତାହା ମମଦାନୀ ଓ ଆମେରିକାର ଅର୍ଥବ୍ୟବସ୍ଥା ଉପରେ ନିର୍ଭର କରୁଛି। 

ମାତ୍ର ଆମ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସାଧାରଣ ଆମେରିକାବାସୀ କର୍ପୋରେଟ ଅର୍ଥନୀତିର ଶ୍ରେଷ୍ଠରେ ଥାଇ ବି ଦାରିଦ୍ର୍ୟ, ବାସସ୍ଥାନ ଓ ସ୍ୱାସ୍ଥ୍ୟ ଇତ୍ୟାଦି ସମସ୍ଯା ଭୋଗୁଛନ୍ତି।

ଆମେରିକା ସମ୍ପର୍କରେ ଯେଉଁ ସୁନା ଚାମୁଚର ଚିତ୍ର ପଶ୍ଚିମ ଗଣମାଧ୍ୟମମାନେ ଆମକୁ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ। ଏହା ମମଦାନୀଙ୍କ ପ୍ରତିଶୃତିରୁ ବେଶ ସ୍ପଷ୍ଟ।

କର୍ପୋରେଟ ଅର୍ଥନୀତି ହେଲା ଜନସାଧାରଣଙ୍କ ସଞ୍ଚିତ ଅର୍ଥରେ ଜଣେ ଦୁଇ ଜଣ ବିଲିୟୋନାୟାର ଓ ଅନେକ ସଂଖ୍ୟକ ବାସହୀନ ମଣିଷ ସୃଷ୍ଟି କରିବା – ମାମଦାନୀଙ୍କ ନିର୍ବାଚନ ପ୍ରତିଶୃତି ଠାରୁ ଏହାର ଆଉ କଣ ବଡ ପ୍ରମାଣ ରହିଛି!

Friday, November 14, 2025

କିଏ କହୁଛି ଜାତିଭେଦ ଚାଲିଗଲାଣି

  



ଦେବ ରଞ୍ଜନ

              ଆଜି କାଲି ଯୁକ୍ତି କରାଯାଉଛି ଯେ ଜାତିଭେଦ ଚାଲିଗଲାଣି। ସତରେ ରାଜ୍ୟରେ ଯଦି ଜାତିଭେଦ ଚାଲିଯାଇଥାନ୍ତା ତେବେ ମନ୍ଦିର ପ୍ରବେଶ କାରଣରୁ କାହାରିକୁ ଜୀବନ ଦେବାକୁ ପଡିନଥାନ୍ତା। କେହି ହୁଏତ କହିପାରନ୍ତି ଯେ ମଣିଷକୁ  ଇଶ୍ଵର ତିଆରି କରିଛନ୍ତି। ବାସ୍ତବ ହେଲା ଯେ ମଣିଷ ତିଆରି କରିଛି ଈଶ୍ଵରଙ୍କୁ। ଇଶ୍ଵରଙ୍କ ଉପରେ କିଛି ଜାତିର ସ୍ଵତନ୍ତ୍ର ଅଧିକାର ରହିଛି। ସେଥିଲାଗି ହିଁ ପୁରୀ ଜିଲ୍ଲାର ବୋଲଗଡ ଅଞ୍ଚଳର ବୃଦ୍ଧଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା କାରଣରୁ ଜୀବନ ଦେବାକୁ ପଡିଲା। ଏଭଳି ଘୃଣା ଓ କ୍ରୋଧଜନିତ କାଣ୍ଡ କେବଳ ପୁରୀ ଜିଲ୍ଲାରେ ନୁହେଁ ଓଡିଶାର ଅନେକ ପ୍ରାନ୍ତରେ ଘଟୁଛି। ଏହାପରେ କୁହାଯାଇ ନପାରେ ଯେ ଏ ରାଜ୍ୟରୁ ଜାତିଭେଦ ଚାଲିଯାଇଛି।   

 

              ଜାତିଭେଦ ଭୋଗୁଥିବା ମଣିଷ ଜାଣିଛି ଉଚ୍ଚ ଜାତିର ଘୃଣା ଓ ଅସମ୍ମାନପୂର୍ଣ୍ଣ ବାର୍ତ୍ତାଳାପ କେତେ ଯନ୍ତ୍ରଣାଦାୟକ। ଉଚ୍ଚ ଜାତିର ମଣିଷ ପୀଢି ପୀଢିର ଅଧିକାର ଭାବି ଜାତିଭେଦର ଘଟଣାଟିଏ ଘଟାଇଦିଏ। ସେ ଅତି ସହଜରେ ତାହା କରିଦିଏ କାରଣ ସେ ନୃଶଂସ ଓ ଅମଣିଷ ପାଲଟି ଯାଇଥାଏ। କିନ୍ତୁ ଏହାକୁ ଭୋଗିଥିବା ମଣିଷ ସାରା ଜୀବନ ସେହି ଘଟଣାକୁ ମନେରଖେ। ସେହି ଯନ୍ତ୍ରଣାକୁ ନିଜ ଭିତରେ ଚାପି ରଖିଥାଏ। କିଏ ହୁଏତ ପ୍ରତିବାଦ କରେ ତ ପୁଣି କିଏ ପ୍ରତିବାଦର ପରିଣାମକୁ ଭାବି ଚୁପ ରହେ। ଏହା ନୁହେଁ ଯେ ସେ ଅଛୁଆଁ ପ୍ରଥାକୁ ମାନିନିଏ।  

 

              କେହି ହୁଏତ ଯୁକ୍ତି କରିପାରନ୍ତି ଯେ ଜାତିଭେଦ କେବଳ ଗ୍ରାମାଞ୍ଚଳରେ ଅଛି ସହରରେ ନାହିଁ। କିଛି ଦିନ ତଳେ ଏକ ମିଟିଂରେ ମହିଳା ଜଣକ କୋହ ଭରା ସ୍ଵରରେ ଭୁବନେଶ୍ବରରେ ଘର ମିଳିବାରେ ହୋଇଥିବା ଅସୁବିଧା ସମ୍ପର୍କରେ କହୁଥିଲେ। ଚାକିରିଆ ସେ। ନିଜର ଦୁଇ ସାନ ଭାଇଙ୍କୁ ନେଇ ସହରରେ ରହିବା ଲାଗି ଘର ଖୋଜୁଥିଲେ। ତାଙ୍କର ନାମରୁ ତାଙ୍କର ଜାତି ଜାଣିପାରି ଗୃହ ମାଲିକ ତୁରନ୍ତ ଭଡା ଦୁଇ ଗୁଣ ଶୁଣାଇଦେଲେ। ଯଦି ବି ସେ ଅଭିଯୋଗ କରିବେ ତେବେ ବି ତାହାର କୌଣସି ଅନୁସନ୍ଧାନ ହେବ ନାହିଁ।    

              ଜାତିଭେଦର ଅନେକ ଘଟଣା ଓଡିଶାର ବିଭିନ୍ନ ପ୍ରାନ୍ତରେ ଘଟୁଛି। ପଶ୍ଚିମ ଓଡିଶାରେ ଦଳିତ ବର୍ଗ ଉପରେ ହେଉଥିବା ଭେଦଭାବର ଉଦାହରଣ ଦେଉଛି। ଗାଁର ହୋଟେଲବାଲା “ଅଛୁଆଁ” ମଣିଷଙ୍କୁ ପତ୍ରରେ ସିଙ୍ଗଡା କି ବରା ଦେବା ସମୟରେ ଉପରୁ ଫିଙ୍ଗିକରି ଦେଉଛନ୍ତି। ଏହା ମୁଁ ଭୀମଭୋଇଙ୍କ ଆଶ୍ରମ ସନ୍ନିକଟ ଗ୍ରାମମାନଙ୍କରେ ରହୁଥିବା ଦଳିତ ପରିବାରମାନଙ୍କ ଠାରୁ ଶୁଣିଛି। ସେହିଠାରେ ଉପସ୍ଥିତ ଅନ୍ୟ ମଣିଷମାନେ ଏହାର ପ୍ରତିବାଦ କରୁନାହାନ୍ତି।

 

       ବୌଦ୍ଧ ଓ ସୋନପୁର ଅଞ୍ଚଳର ଦଳିତ ପରିବାରମାନେ ଜାତିଭେଦର ପ୍ରତିବାଦ କରୁଛନ୍ତି। କିନ୍ତୁ ସେମାନେ ସଂଖ୍ଯାରେ କମ। ପୁଲିସର ସହଯୋଗ ଉଚ୍ଚ ଜାତି ପ୍ରତି ରହୁଥିବା କାରଣରୁ ସେମାନେ ନୀରବ ରହିବା ଲାଗି ବାଧ୍ୟ ହେଉଛନ୍ତି। ଦଳିତ ଯୁବକଙ୍କର ବି ଇଚ୍ଛା ଯେ ଭଲ ରୋଜଗାର ଲାଗି ସେମାନେ ବି ହୋଟେଲ ଖୋଲନ୍ତେ। କିନ୍ତୁ ସେମାନେ ନିଶ୍ଚିତ ଯେ ସେମାନଙ୍କ ହୋଟେଲକୁ କେହି ଖାଇବାକୁ ଆସିବେ ନାହିଁ। ଏହା ଜାତିଗତ ଘୃଣା ନୁହେଁ ତ ଆଉ କଣ? ଏହା ପଶ୍ଚିମ ଓଡିଶାର ସ୍ଥିତି। 

 

              ଦକ୍ଷିଣ ଓଡିଶାରେ ଜାତିଭେଦ ବେଶ ସ୍ପଷ୍ଟ। ଗ୍ରାମାଞ୍ଚଳରେ ଦଳିତ ପରିବାରର ସଦସ୍ୟ କାହାର ଘରକୁ ଉଠିଗଲେ ଏଠାରେ ସେ ଫେରିଆସିବା ପରେ ସେହି ଘରକୁ ଧୋଇଦିଆଯାଉଛି। ଦଳିତ ପିଲାଟିଏ ମହିଳାଙ୍କୁ ଛୁଇଁ ଦେବା ହେତୁ ସେ ଗାଁର ପୋଖରୀ ପର୍ଯ୍ୟନ୍ତ ଚାଲିଯାଉଛନ୍ତି। ପିଲାଟି କଦାପି ଭୁଲିପାରିବ କି ଏହି ବ୍ୟଥାକୁଦଳିତ ମହିଳାଙ୍କୁ ନେଇ ଅତି ନିମ୍ନମାନର ପରିହାସ ଗାଁର ଯାତ୍ରାରେ କରାଯାଉଛି। ଏହି ସବୁ ଘଟଣାକୁ ଭୋଗୁଥିବା ପରିବାର କଦାପି ଭୁଲିପାରିବ ନାହିଁ।  ଦେହରେ ବାଜିଗଲେ ସେ ଗାଳି ଦେଇ ଦେଇ ଗାଁର ପୋଖରୀରେ ଯାଇ ଗାଧୋଇଥାନ୍ତି।  

 

              ପୁରୀ ଜିଲ୍ଲାର ଜାତିଭେଦ କିଛି କମ ନାହିଁ। ଗାଁରେ ବାହାଘର ହେଉଛି। କେଉଁଠି ବରଯାତ୍ରୀର ଗୋଡ ଧୋଇବା ହେଉ କି ଲାଇଟ ଧରି ଚାଲିବା ହେଉ ଏହି କାମ କରିବା ଲାଗି ଏଠି ଜାତି ଅନୁସାରେ ବାଧ୍ୟ କରାଯାଉଛି। ଏଠାରେ ବୟସର ତାରତମ୍ୟକୁ ନଦେଖି ଦଶ ବର୍ଷର ଉଚ୍ଚ ଜାତିର ବାଳକଟିଏ ଷାଠିଏ ବର୍ଷର ବୃଦ୍ଧ ବା ବୃଦ୍ଧା ବ୍ୟକ୍ତିଙ୍କୁ ନାମ ଧରି ଡାକୁଛିପାରମ୍ପରିକ କାର୍ଯ୍ୟରେ ଯୋଗଦେବାର ହୁକୁମନାମାଟି ସେ ପରିବାରର ମୁଖ୍ୟଙ୍କ ତରଫରୁ ଦଳିତ ବର୍ଗର ମଣିଷକୁ ଶୁଣାଇଦେଉଛି ଯେ କାର୍ଯ୍ୟରେ ତାହାକୁ ତୁରନ୍ତ ଯାଇ ହାଜର ହେବାର ଅଛି। 

 

              ମନେକରାଯାଉ ଯେ ଆପଣ ସେହି ବୃଦ୍ଧ ବା ବୃଦ୍ଧାଙ୍କ ପରିବାରର ହୋଇଥିବେ। ତେବେ ଆପଣଙ୍କ ଭିତରେ କଣ ଚାଲୁଥିବ! ଏ ସବୁକୁ ବିରୋଧ କଲେ ଆପଣଙ୍କ ଘର ଜାଳିଦେବା ପର୍ଯ୍ୟନ୍ତ କଥା ଯେଉଁଠି ଯାଉଛି ସେହି ଗାଁକୁ ଆପଣ ନିଜର ଗାଁ ବୋଲି କହି ଗର୍ବ କରିପାରିବେ ନା ପ୍ରତି ମୁହୂର୍ତ୍ତରେ ଗାଁ ଛାଡିଦେଇ ସହରକୁ କାମ ଖୋଜିବାରେ ଚାଲିଯିବେ?


ଉପକୂଳ ଜିଲ୍ଲାମାନଙ୍କରେ ଆମେ ଦେଖିବା, କୌଣସି ଏକ ହିନ୍ଦୁ ପର୍ବପର୍ବାଣିର ଦିନ (ସମସ୍ତ ଗାଁ ନୁହେଁ) ଗାଁ ମନ୍ଦିର ବାହାରେ ଝିଅଟିଏ ପୂଜା ଥାଳି ଧରି ଠିଆ ହୋଇଥିବ। ଧୀରେ ଧୀରେ ଏପରି ଠିଆ ହୋଇଥିବା ମଳିମାନଙ୍କ ସଂଖ୍ୟା ବଢୁଥିବ। ସେମାନେ ଅପେକ୍ଷା କରିଥିବେ ଯେ ବ୍ରାହ୍ମଣ କେତେବେଳେ ଫୁରସତ ହେଲେ ବାହାରକୁ ଆସି ସେମାନଙ୍କ ଠାରୁ, ଛୁଇଁ କରି ନୁହେଁ ବରଂ ଚଟାଣ ଉପରେ ଥୁଆ ହୋଇଥିବା ପୂଜାଥାଳିକୁ ନେବ। ପୁଣି କେତେ ସମୟ ବିତିଯିବ। ପୁଣି ବ୍ରାହ୍ମଣ ଜଣକ ପୂଜାଥାଳିକୁ ଫେରାଇବା ସହିତ ତଳେ ଥୁଆ ହୋଇଥିବା ଦକ୍ଷିଣାକୁ ଉଠାଇ ନେବ। ଯଦି ବ୍ରାହ୍ମଣ ପୂଜକ ସାମାନ୍ଯ ବିବେକୀ ତେବେ ଏହା ଶୀଘ୍ର ହୁଏ ନଚେତ ଦୀର୍ଘ ସମୟ ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡେ। ଭାବନ୍ତୁ, ଏହା କେତେ ପରିମାଣର ଅପମାନ ହୋଇନପାରେ! ଏହାପରେ ସେହି ଯୁବତୀ ପ୍ରତି ଗାଁର ଉଚ୍ଚଜାତିର ଯୁବକମାନଙ୍କ ବ୍ୟବହାର କଣ ହେଉନଥିବ! ଏହି ଦ୍ରୁଶ୍ଯ ଦେଖୁଥିବା ସେହି ଗାଁର କେତେଜଣ ବ୍ୟକ୍ତି ଏହାର ପ୍ରତିବାଦରେ ମନ୍ଦିର ଯିବା ବନ୍ଦ କରିଦେଇଛନ୍ତି?

ଏପରିକି ଗାଁକୁ ନେଇ କବିତା ଲେଖୁଥିବା କବି ଗାଁର ମନ୍ଦିରକୁ ମନ୍ଦିର ସଂଲଗ୍ନ ପୋଖରୀକୁ ନେଇ ବିରାଟ କବିତା ଲେଖିଛନ୍ତି। ସେମାନେ କିନ୍ତୁ କବିତା ମଧ୍ୟରେ କ୍ଵଚିତ ଏହି ଦ୍ରୁଶ୍ୟ ନିଜ କବିତାରେ ସ୍ଥାନିତ କରିଥାନ୍ତି। ତାହାଙ୍କ ଲାଗି ଗାଁର ମନ୍ଦିର, ରାସ୍ତା, ପୋଖରୀ, ପାହାଡ ଅତି ସୁନ୍ଦର ଦେଖାଯାଏ। ଭଗବାନ ରାଗିବେ କି କଣ ତାଙ୍କ କବିତାରେ ଜାତି ଭେଦଭାବର ମର୍ମନ୍ତୁଦ ଦ୍ରୁଶ୍ୟ ଲୁଚିଯାଏ। 

ଭଗବାନ ମଣିଷ ତିଆରି କରିଥିବା ବାଣୀଟି ଅସତ୍ୟ। ଏଠି ମଣିଷ ହିଁ ତିଆରି କରିଛି ଭଗବାନଙ୍କୁ। ମଣିଷ ମୂର୍ତ୍ତି ଗଢୁଛି ସେ ମନ୍ଦିର ତିଆରି କରୁଛି। ତେଣୁ ପୀଢି ପୀଢି ଧରି କିଛି ମଣିଷଙ୍କର ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ଅଧିକାର ରହିଛି। ମନ୍ଦିରରେ ଉପଯୁକ୍ତ ସମ୍ମାନ ନପାଇବା ହେତୁ ଦଳିତ ସାହିରେ ବିଭିନ୍ନ ମନ୍ଦିର ତିଆରି ହେଉଛି। ସେଥିଲାଗି ନିଜ ମଜୁରୀର ବଡ ଭାଗ ସେମାନେ ମନ୍ଦିର ତିଆରି କରିବା ଲାଗି ଦେଉଛନ୍ତି। ଏହା ବହୁତ ଦୁଃଖଦ ସ୍ଥିତି ସୃଷ୍ଟି କରୁଛି। ଏହାକୁ ଭୁଲ କହିବା ବି କଷ୍ଟକର କଥା। 

ଆଜିକାଲି ଦଳିତ ସାହିରେ ମଧ୍ୟ ଅନେକ ମନ୍ଦିର ତିଆରି ହୋଇଗଲାଣି। ଉଚ୍ଚ ଜାତିର ମନ୍ଦିର ବାହାରେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ। କିନ୍ତୁ ସେଠାରେ ପୂଜା କରୁଥିବା ମଣିଷ ଟି ନିଶ୍ଚିତ ବ୍ରାହ୍ମଣ। ସେ ମନ୍ଦିରକୁ କିନ୍ତୁ ଉଚ୍ଚ ଜାତିର ଲୋକେ ଆସୁନାହାନ୍ତି। ମନ୍ଦିର ଏଭଳି ଧାର୍ମିକ ଅନୁଷ୍ଠାନ ଯାହା ସର୍ବଦା ଜାତିବାଦକୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଆସିଛି।

 

ଜାତି ବିହୀନ ଆରେଞ୍ଜଡ ମ୍ୟାରେଜ କେଉଁଠାରେ ହେଉଥିବା ଜାଣିଛନ୍ତି କି? ପ୍ରେମ ବିବାହ ହେଉଛି। ଏହା ଆମର ପ୍ରଗତିଶୀଳ କମ୍ୟୁନିଷ୍ଟ ପରିବାର ମଧ୍ୟରେ ମଧ୍ୟ ବିରଳ। ପ୍ରାୟତଃ ସମସ୍ତେ ମଧ୍ୟସ୍ଥି ଅଥବା matrimony sites ରେ ନିଜ ଜାତି ମଧ୍ୟରେ ବିବାହ ଖୋଜିଥାନ୍ତି। ସେଭଳି ବିବାହ କାର୍ଯ୍ୟକ୍ରମରେ ସାମ୍ବିଧାନିକ ଅନୁଷ୍ଠାନର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ଠାରୁ ପ୍ରଗତିଶୀଳ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ଵିଧାରେ ଯୋଗ ଦେଇଥାନ୍ତି। କ୍ଵଚିତ ଏହାର ପ୍ରତିବାଦ କରିଥାନ୍ତି।

 

              କୌଣସି ମଣିଷକୁ ତାହାର ଜାତି ପାଇଁ “ଅଛୁଆଁ” ମନେକରିବା ଆଇନ ଦ୍ରୁଷ୍ଟିରେ ଅପରାଧ। କିନ୍ତୁ ସାମାଜ ଏହାକୁ ଏବେ ବି ଅପରାଧ ବୋଲି ଗ୍ରହଣ କରିନାହିଁ। ଏହି ହେତୁ ଜାତି ଭେଦଭାବ କରୁଥିବା ଅପରାଧୀ ଏଠାରେ ଛାତି ଫୁଲାଇ ଚାଲୁଅଛି। ଯଦି ଅସମ୍ମାନିତ ମଣିଷ ପ୍ରତିବାଦ କରୁଛି ତେବେ ଅପରାଧୀ ଚାହିଁଲେ ଆଉ ପାଞ୍ଚ ଜଣଙ୍କୁ ନେଇ ଦଳିତ ବର୍ଗ ଉପରେ ଆକ୍ରମଣ ମଧ୍ୟ କରିଦେଉଛି। ଏହାକୁ ପୋଲିସ, ପ୍ରଶାସନ ଓ ରାଜନୈତିକ ଦଳ ପରୋକ୍ଷ ସମର୍ଥନ ମଧ୍ୟ ଜଣାଉଛି।

   ଗାଁ ଗାଁରେ ତଥାପି ପ୍ରତିବାଦର ରାସ୍ତା ବଦଳୁଛି। 

              ଗାଁର ଦଳିତ ଯୁବକ କି ଯୁବତୀ ଯଦି ସହରରେ ଅଧ୍ୟାପକ/ ଅଧ୍ୟାପିକା, ବ୍ଯାଙ୍କ କର୍ମଚାରୀ, ପୋଲିସ ଇତ୍ୟାଦି ବିଭାଗରେ ନିଯୁକ୍ତ ତେବେ ତାଙ୍କ ସ୍ଥାୟୀ ଡାକ ଠିକଣାରେ ଆସୁଥିବା ରେଜିଷ୍ଟ୍ରି ପୋଷ୍ଟ ଉପରେ ଉଚ୍ଚ ଜାତିର ପୋଷ୍ଟ ମାଷ୍ଟର ନଜର। ସେ ନିଶୟ କିଛି ଭୁଲ ଅର୍ଥ ବାହାର କରୁଥିବ ଓ ଏହାକୁ ଘରେ ପହଞ୍ଚାଇବାରେ ବିଳମ୍ବ ନିଶ୍ଚିତ କରିବ। ଦଳିତ ବସ୍ତିକୁ ଅନଲାଇନ କୋରିୟର ନେଇ ଯାଇଥିବା ଯୁବକକୁ ଗାଁ ଛକରେ ପଚରା ଯାଉଛି ଯେ ପ୍ଯାକେଟରେ କଣ ଥିଲା। ଏହା ପଛରେ ରହିଛି ଦଳିତ ବର୍ଗର ଉତ୍ଥାନ ପ୍ରତି ଅସହିଷ୍ଣୁତା। 

 

              କିନ୍ତୁ ଦଳିତ ବର୍ଗର ପ୍ରତିବାଦକୁ ଉପକୂଳ ଓଡିଶାରେ ଠିକ ଭାବରେ ଏବେ ବି ନିଆଯାଉ ନାହିଁ। ଯଦି ଶିକ୍ଷିତ ଓ ଚାକିରିଆ ଦଳିତ ବର୍ଗର ଯୁବକ/ଯୁବତୀ ପ୍ରତିବାଦ କରୁଛନ୍ତି ତେବେ ତାହାର ପରିବାର ପ୍ରତି ପୁଣି ଆରମ୍ଭ ହେଉଛି ଭିନ୍ନ ପ୍ରକାରର ମାନସିକ ଅତ୍ୟାଚାର। ଯୁବକର ବିବାହରେ ବରଯାତ୍ରୀକୁ ଗାଁ ଦାଣ୍ଡରେ ବାଜା କି ବାଣ ଫୁଟାଇ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯିବ। ଘରକୁ ଆସୁଥିବା କୁଣିଆଙ୍କୁ ଜାତି ପଚାରି ଅସମ୍ମାନିତ କରାଯିବ। ନୂଆ ମଟର ସାଇକେଲକୁ ରାସ୍ତାରେ ଯିବା ଲାଗି ପ୍ରତିବନ୍ଧକ ସୃଷ୍ଟି କରାଯିବ। ବାହାଘରକୁ ଆସିଥିବା ଝିଅର ସାଙ୍ଗମାନଙ୍କୁ ଟାହିଟାପରା କରାଯିବ। ଇତ୍ୟାଦି। ବେଳେ ବେଳେ ଏହି ଅସଦବ୍ୟବହାର ପୁଣି ଯୁକ୍ତିତର୍କ, ଆକ୍ରମଣ ଓ ହିଂସାକାଣ୍ଡର ରୂପ ନେଉଛି।

 

              ଏଭଳି ବ୍ୟବହାର କମ ଅସମ୍ମାନଜନକ ନୁହେଁ। ଉଚ୍ଚ ଜାତିର ବ୍ଯକ୍ତିର ପରିବାର ପ୍ରତି ଯଦି ସେହିଭଳି କୁବ୍ୟବହାର କେହି କରେ ତେବେ ସେମାନେ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ତାହା କେତେ କଷ୍ଟଦାୟକ। ଦଳିତ ଶିକ୍ଷିତ ଯୁବକ ଯୁବତୀ ଯଦି ପ୍ରତିବାଦ କରିନପାରୁଛନ୍ତି ତେବେ ଏହା ପଛରେ ରହିଛି ପୀଢି ପୀଢିର ଅତ୍ୟାଚାର ଓ ଆକ୍ରମଣ ଭୟର ଅନେକ ଉଦାହରଣ। ତେଣୁ ଦଳିତ ପରିବାର ଏହାର ସହଜ ରାସ୍ତା ନେଉଛି। ଶିକ୍ଷିତ ଦଳିତ ଯୁବକ ଯୁବତୀ ନିଜର ଗାଁ ସହିତ କ୍ଵଚିତ ସମ୍ବନ୍ଧ ରଖୁଛନ୍ତି। 

 

              ଏହି ଘୃଣ୍ୟ ଜାତିଭେଦ ବିରୁଦ୍ଧରେ ଓଡିଶାରେ କିଛି ଉଦ୍ୟମ ଗଲା ଶତାବ୍ଦୀମାନଙ୍କରେ ହୋଇଛି। ବଳରାମ ଦାଶ, ସରୋଳ ଦାସ ବା ସାରଳା ଦାସ, ଭୀମଭୋଇ ଇତ୍ୟାଦି ଜାତିଭେଦକୁ ଦୂର କରିବା ଲାଗି ଉଦ୍ୟମ କରିଥିଲେ। ଭୀମଭୋଇ ନିଜର ଭକ୍ତମାନଙ୍କୁ ଜାତିଭେଦ ତ୍ୟାଗ କରିବା, ମନ୍ଦିର ନଯିବା, ତୀର୍ଥ ନଯିବା ଲାଗି ପ୍ରବର୍ତ୍ତାଉଥିଲେ।  ସ୍ଵାଧୀନତା ସଂଗ୍ରାମ କାଳରେ ଗାନ୍ଧୀବାଦୀ ସଂଗଠନମାନେ ଜାତି ଓ ଯୌତୁକ ବିହୀନ ବିବାହ, ନିଶା ନିବାରଣ, ଭୁଦାନ ଓ ସାହୁକାର ରୁଣ ପ୍ରତ୍ୟାଖ୍ୟାନ ଆନ୍ଦୋଳନ ମାଧ୍ୟମରେ ଜାତିଭେଦକୁ ଦୂର କରିବା ଦିଗରେ ଉଦ୍ୟମ କରୁଥିଲେ।

 

              ପରେ ପଚାଶ ଦଶକରୁ ବିଭିନ୍ନ କମ୍ୟୁନିଷ୍ଟ ସଂଗଠନମାନେ “ଲଙ୍ଗଳ ଯାହାର ଜମି ତାହାର” ସ୍ଲୋଗାନ ଦେଇ ଦଳିତ ଭୂମିହୀନଙ୍କୁ ଜମି ଦେବା ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ସାହୁକାରର ଜମି ହଡପ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର କରିଛନ୍ତି। ସେମାନଙ୍କ ଉଦ୍ୟମ ହେତୁ ଦେଶରେ ଜମିଦାରୀ ପ୍ରଥା ଓ ଗଡଜାତ ରାଜାମାନଙ୍କ ପ୍ରାଦୁର୍ଭାବରେ ବିରାମ ଆସିପାରିଲା। ଉଭୟ ସର୍ବୋଦାୟୀ ଓ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ନିଜର ଉଦ୍ୟମ ଏବେ ବି ଜାରି ରଖିଛନ୍ତି।

 

              କିନ୍ତୁ ଗଲା କିଛି ବର୍ଷ ହେଲା ଦକ୍ଷିଣପନ୍ଥୀ ବିଚାର ଓଡିଶାରେ ପ୍ରାଧାନ୍ଯ ବିସ୍ତାର କରିବା ପରେ ଦଳିତଙ୍କ ଉପରେ ଆକ୍ରମଣ ପୁଣି ବଢିବାରେ ଲାଗିଛି। ଗୋମାଂସ ଭକ୍ଷଣ, ମନ୍ଦିର ପ୍ରବେଶ, ଦଳିତ ଯୁବକ ଉଚ୍ଚ ଜାତିର ଝିଅ ବାହା ହେବା ଏପରିକି ଧର୍ମାନ୍ତରୀକରଣ ଅଭିଯୋଗରେ ଦଳିତ ବର୍ଗ ଉପରେ ଆକ୍ରମଣ ବଢୁଛି। ଧର୍ମର ସରାଂକ୍ଷଣ  ନାମରେ ଉକ୍ତ ସଂଗଠନମାନେ ଯୁବକଙ୍କ ହାତରେ ଖଣ୍ଡା, ତଲବାର, ଲାଠି ଧରାଇ ଜାତିହିଂସାର ବାତାବରଣ ପୁଣିଥରେ ସୃଷ୍ଟି କରିବାରେ ଲାଗିଛନ୍ତି। 

 

              ଖୁସିର କଥା ଯେ ଆଜି ଓଡିଶାରେ ଆମ୍ବେଦକରବାଦୀମାନେ କିଛି ଦଶନ୍ଧି ହେଲା ଜାତିଭେଦ ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦକ୍ଷିଣପନ୍ଥୀ ବିଚାରକୁ ସେମାନେ ବିରୋଧ କରୁଛନ୍ତି। ଉଚ୍ଚ ଜାତି ଦ୍ଵାରା ଦଳିତ ବର୍ଗ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଧାରଣା, ରାସ୍ତାରୋକ ଓ ବିକ୍ଷୋଭ ମାଧ୍ୟମରେ ସେମାନେ କରୁଛନ୍ତି। ଦୋଷୀକୁ ଦଣ୍ଡ ଦେବା, ଏସସି ଓ ଏସଟି ଅତ୍ୟାଚାର ନିରୋଧ ଆଇନକୁ ଲାଗୁ କରିବା, ସରକାରୀ ଶିକ୍ଷା ଅନୁଷ୍ଠାନରେ ଉନ୍ନତି ଆଣିବା, କୁସଂସ୍କାରକୁ ବିରୋଧ କରିବା, ଜମିହୀନଙ୍କୁ ଜମି ଦେବା ଇତ୍ୟାଦି ଦାବି ସରକାରଙ୍କ ସାମ୍ନାରେ ସେମାନେ ରଖୁଛନ୍ତି। ଏବେ ସେମାନେ ଓଡିଶାର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହେବାରେ ଲାଗିଛନ୍ତି। ଏହାର ନେତୃତ୍ଵ ଦଳିତ ବର୍ଗ ନେଉଛନ୍ତି। ହୁଏତ ସେମାନେ ସଫଳ ହେବେ। ହୁଏତ ସେମାନଙ୍କ ନେତୃତ୍ବରେ ସମାଜରୁ ସଂପୂର୍ଣ୍ଣ ଭାବରେ ଜାତିଭେଦ ଲୋପ ପାଇଯିବ।  

 

             

 

 

କ୍ଷମତାର ଗର୍ଜନରେ କି ସାହିତ୍ୟ ନିରବୀ ଯାଉଛି ?

 





ଦେବ ରଞ୍ଜନ

      

ସାହିତ୍ୟ କଣ ସତରେ ସମାଜର ଦର୍ପଣ? ତେବେ ସମାଜରେ ସାହିତ୍ଯର ସ୍ଥାନ କେଉଁଠି? ସତରେ ସମାଜରେ ସାହିତ୍ଯ କିଛି ଗୁରୁତ୍ଵ ପାଉଛି? ଏହା କଣ ସାହିତ୍ୟିକର ବିଫଳତା ଯେ ସେ ସମାଜର ବାସ୍ତବକୁ ସାହିତ୍ୟରେ ଦ୍ରୁଶ୍ଯ କରାଇପାରୁନାହିଁ? କେଉଁ ପ୍ରକାରର ସମାଜକୁ ସାହିତ୍ୟିକ ନିଜର ଲେଖାରେ ତେବେ ସୃଷ୍ଟି କରୁଛି?

          ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ, ସଚ୍ଚୀ ରାଉତରାୟ ଓ ଭଗବତୀ ଚରଣଙ୍କ ଗଳ୍ପ, ମନମୋହନ ମିଶ୍ରଙ୍କ କବିତାରୁ ଆମେ ଯଦି କ୍ଷମତାକୁ ପ୍ରଶ୍ନ କରିବା ଶିଖିଲୁ ତେବେ ଆଜିର ସାହିତ୍ଯ ସେ ଦିଗରେ ବ୍ୟର୍ଥ ହେଉଛି କାହିଁକି? ହୁଏତ କାହାକୁ ଏଭଳି ପ୍ରଶ୍ନ ଅବାନ୍ତର ଲାଗିପାରେ। କିନ୍ତୁ ସମାଜରେ ପରିବର୍ତ୍ତନ ପାଇଁ ଲେଖୁଥିବା ସାହିତ୍ୟିକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଆସିବା ସ୍ଵାଭାବିକ। 

        ସାହିତ୍ଯର ଅମାପ କ୍ଷମତା ରହିଛି ବୋଲି ତ ସେହି ବିଶ୍ଵାସରେ ସାହିତ୍ୟିକ ସାହିତ୍ୟ କ୍ଷେତ୍ରରେ ସମ୍ପୃକ୍ତ ରହିଛି। ମୁଁ ଗଳ୍ପ ଲେଖେ ଓ ପ୍ରବନ୍ଧ ମଧ୍ୟ। ମୋ ଭିତରେ ପ୍ରଶ୍ନ ଯେ ଗଲା କିଛି ଦଶନ୍ଧି ହେଲା ସାହିତ୍ଯ କାହିଁକି ସମାଜ ଲାଗି ମୁଖ୍ୟ ବିଷୟ ହୋଇରହିନାହିଁ। ସମାଜ ଲାଗି ଖବରକାଗଜ ମୁଖ୍ୟ ପ୍ରସଙ୍ଗ ହୋଇଛି, ରାଜନୀତି ହୋଇଛି, କମ୍ପାନୀ ହୋଇଛି ଅଥଚ ସାହିତ୍ଯ ହୋଇପାରିନାହିଁ। କେହି ସାହିତ୍ୟିକର ସାହିତ୍ଯ ଲୋକଙ୍କ ଭିତରେ ଆଲୋଚନାକୁ ଆସୁନାହିଁ, କାହିଁକି?

          ସମାଜରେ ଏଭଳି କୌଣସି ସମସ୍ଯା ନାହିଁ ଯାହା ଲାଗି ସରକାର ଓ ଏହାକୁ ସମର୍ଥନ ଦେଉଥିବା କ୍ଷମତାଶାଳୀ ବର୍ଗ ସିଧାସିଧା ଦାୟୀ ନୁହନ୍ତି! ସାହିତ୍ୟ ଯଦି ସମାଜ ମଧ୍ୟକୁ ପ୍ରବେଶ କରିପାରୁଥାନ୍ତା ତେବେ ସମାଜର ସାଧାରଣବର୍ଗ କ୍ଷମତାବର୍ଗଙ୍କୁ ଅନେକ ପ୍ରଶ୍ନ ପଚାରିପାରନ୍ତା। ଭୋଟ ଅଧିକାର ତ ସମସ୍ତଙ୍କର! କ୍ଷମତାବର୍ଗଙ୍କୁ ଏହା ପଚାରିଥାନ୍ତା ଯେ ସାରେ ଜାହାଁ ସେ ଆଚ୍ଛାଏ ଦେଶରେ ଧର୍ମ, ଭାଷା ଓ ଜାତିକୁ ନେଇ ହିଂସାର ଯୋଜନା ସେମାନେ କରୁଛନ୍ତି କେମିତି?

        ଓଡିଶା ଭଳି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ସରକାର, ପ୍ରଶାସନ, କୋର୍ଟ ଇତ୍ୟାଦି ହତ୍ୟା କରିଥିବା ସଶସ୍ତ୍ର ପୋଲିସ ଓ ଅର୍ଦ୍ଧସାମରିକ ଯବାନଙ୍କୁ ଦଣ୍ଡପ୍ରାପ୍ତିରୁ ଅବ୍ଯାହତି ଦେଉଛନ୍ତି। ଏହିଥିରୁ ଯେ କେହି କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟ ଓ ଆମର ପଡୋଶୀ ରାଜ୍ୟ ଛତିଶଗଡରେ ଚାଲିଥିବା ଅପରେସନ କାଗାରର ସ୍ଥିତିକୁ ଅନୁମାନ କରିପାରିବ। ହତ୍ୟା କଣ ସରକାରଙ୍କ କାର୍ଯ୍ୟ? 

ଏହିଭଳି ଅନେକ ପ୍ରଶ୍ନ।  

          ଗଲା କୋଡିଏ ବର୍ଷ ମଧ୍ୟରେ ଓଡିଶାରେ ଏତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଯାହା କେବେ ହୋଇନଥିଲାଏତେ ସଂଖ୍ଯାରେ ଆଦିବାସୀଙ୍କୁ ଏନକାଉଣ୍ଟର ଓ ପୁଲିସ ଗୁଳିରେ ହତ୍ୟା କରାଯାଇଛି ତାହା ପୂର୍ବରୁ ହୋଇନଥିଲାସବୁଠାରୁ ଅଧିକ ଦଳିତ ବର୍ଗ ହାଜତ ମୃତ୍ୟୁର ଶିକାର ହୋଇଛନ୍ତି। ଛାତ୍ରୀଙ୍କ ଠାରୁ ଚାକିରିଆ ଝିଅଙ୍କ ପର୍ଯ୍ୟନ୍ତ ଯୌନଶିକାର ହୋଇଛନ୍ତି। ଅଥଚ ଓଡିଆ ସାହିତ୍ୟରେ ଗଲା କୋଡିଏ ବର୍ଷ ମଧ୍ୟରେ ଏଭଳି କୌଣସି ପୁସ୍ତକ ଆସିପାରିଲା ନାହିଁ ଯାହା ଜନସାଧାରଣଙ୍କ ହାତରେ ପ୍ରଶ୍ନ କରିବାର ଅସ୍ତ୍ର ଧରାଇପାରିବ। ଯାହା କ୍ଷମତାଶାଳୀ ବର୍ଗଙ୍କୁ ବ୍ୟସ୍ତ ଓ ବିବ୍ରତ କରିବ। 

ଏହାର ଅର୍ଥ ସମାଜ ମଧ୍ୟକୁ ସାହିତ୍ଯ ପ୍ରବେଶ କରିପାରିନାହିଁ! ଶିକ୍ଷାର ହାର ସମାଜରେ ବଢିବା ସତ୍ବେ ସାହିତ୍ଯ ଯଦି ନିଜର ଗୁରୁତ୍ଵ ସମାଜରେ ପାଉନାହିଁ ତେବେ କେଉଁଠି ନା କେଉଁଠି ଆମ ସାହିତ୍ୟରେ ଦୁର୍ବଳତା ରହିଛି। ଆମ ଗଳ୍ପ, କବିତା, ଉପନ୍ୟାସ ଓ ପ୍ରବନ୍ଧରେ ଦୁର୍ବଳତା ରହିଛି। ସମାଜରେ ଯାହା ଘଟୁଛି ତାହାକୁ ନେଇ ଆମେ ଚିନ୍ତିତ, କିନ୍ତୁ, ଆମର ସାହିତ୍ଯକୁ ନେଇ ସମାଜର ଆଗ୍ରହ ନାହିଁ। ଏହି ଦୂରତା ଅତ୍ୟନ୍ତ ଚିନ୍ତାଜନକ।  

          ଛାତ୍ରଛାତ୍ରୀ ଦାରିଦ୍ର୍ଯ ଓ ଅନିଶ୍ଚିତତା ଲାଗି ଆତ୍ମହତ୍ୟା କରୁଛନ୍ତି କିନ୍ତୁ ରାଜନେତା ଶିଳ୍ପପତିଙ୍କ ପୁଅଙ୍କ ବିବାହରେ ଖୁସି ମନାଉଛନ୍ତି। ଗାଁରୁ ଜୀବିକା ନଷ୍ଟ ହୋଇଯିବା ହେତୁ ଚାଷୀର ପିଲା ଦୂର ଦୂର ସହରକୁ ଯାଉଛନ୍ତି ଓ ଜୀବିତ ନହେଲେ ମୃତ ହୋଇଫେରୁଛନ୍ତି। କିନ୍ତୁ ସରକାର କୋଟି କୋଟି ଟଙ୍କାର ଗ୍ୟାରେଣ୍ଟର ହୋଇ ଶିଳ୍ପପତିଙ୍କୁ ରୁଣ ଯୋଗାଇଦେଉଛନ୍ତି। ସେମାନେ ତାହାକୁ ନେଇ ବିଦେଶ ଚାଲିଯାଉଛନ୍ତି କିନ୍ତୁ ସରକାର ତାହାକୁ ଆଦାୟ କରୁନାହାନ୍ତି।

          ଲୋକେ ସରକାରୀ ମେଡିକାଲରେ ବେଡ ନପାଇ କରିଡରରେ ଶୋଉଛନ୍ତିମନ୍ତ୍ରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ବିଦେଶ ଯାଉଛନ୍ତି। 

ମାଣ୍ଡିପଙ୍କାରେ ଅନାହାର କାରଣରୁ ଆମ୍ବ ଟାକୁଆ ଖାଇ ଯେଉଁ ଦେଶରେ ଲୋକେ ମରୁଛନ୍ତି ସେହି ଦେଶରେ ପୁଣି ଆମ୍ବାନୀଙ୍କ ପୁଅର ୨୦ ହଜାର କୋଟି ଟଙ୍କା ବ୍ୟୟର ବିବାହ ଉତ୍ସବ ପାଳନ କରାଯାଉଛି। 

କ୍ଷମତାଶାଳୀ ବର୍ଗ ଏହାକୁ ନେଇ ନିଜ ଭିତରେ ଲଜ୍ଜିତ ହେଉନାହାନ୍ତି। ସାହିତ୍ଯ କୌଣସି ନା କୌଣସି ପ୍ରକାରରେ ଦୃଢ ଭାବରେ ଏ ସବୁର ବିରୋଧରେ ଦଣ୍ଡାୟମାନ ହୋଇପାରନ୍ତାକିନ୍ତୁ ହେଉନାହିଁ। ତାହା ହୁଏତ କାରଣ ଯେ ସମାଜ ସାହିତ୍ଯକୁ ଭୁଲିଯାଇଛି। ସାହିତ୍ଯ ଯଦି ସତରେ ସମାଜର ଦର୍ପଣ ତେବେ ଦର୍ପଣ ମଧ୍ୟରେ ସ୍ବଚ୍ଛତା କାହିଁକି ନାହିଁ?  

          ସମାଜକୁ ଛାଡି ସାହିତ୍ଯ ନାହିଁ। ପ୍ରତିବାଦ ଯଦି ସାହିତ୍ଯରେ ନରହିବ ତେବେ ତାହା ସମାଜରେ ଗ୍ରହଣୀୟତା ପାଇବ କେମିତି? ସାହିତ୍ଯ ପ୍ରତିବାଦର ପକ୍ଷ ନେବାକୁ ବାଧ୍ୟ। ନହେଲେ ତାହା କେବଳ ସରକାରୀ ପ୍ରଚାର ହେବକିନ୍ତୁ ପ୍ରତିବାଦ ବି ରହିବ ଓ ସରକାରୀ ସହଯୋଗ, ସମର୍ଥନ, ପ୍ରଶଂସା, ପୁରସ୍କାର ରହିବ, ଏକାସାଥିରେ ଏହା ହୋଇନପାରେ। କଦାପି ହେବ ନାହିଁ। 

ସାହିତ୍ୟ ଯଦି ସମାଜ ସହିତ ରହିବ ତେବେ ଏହା ପ୍ରତିବାଦୀ ହେବ, ଯଦି ନରହିବ ତେବେ ସୌଖୀନ ସାହିତ୍ଯ ହେବ। ଏହା ନୁହେଁ ଯେ ସାହିତ୍ଯ ଉପରୁ ଥାଇ ସମାଜର ଦିଶା ନିର୍ଣ୍ଣୟ କରିବ। ତାହା କରିବା ଏକଛତ୍ରବାଦୀ ଶାସକର କାର୍ଯ୍ୟ। ସମାଜ ସହିତ ସାହିତ୍ଯ ଜଡିତ ହୋଇରହିବ।   

           ଆଜି ଅମଲାତନ୍ତ୍ର ଓ ରାଜନେତା ଏହି ସମାଜରେ ଅପ୍ରଶ୍ନମାନ ଚରିତ୍ର। ତାହାଙ୍କୁ ପ୍ରଶ୍ନ କରିବା ମନା ସେମାନେ ନୈତିକତା ଉପରେ ଅନେକ ଭାଷଣ ସାହିତ୍ଯ ସଭାରେ ଦିଅନ୍ତି। 

ସାହିତ୍ଯର ଏକ ବଡ ବିଡମ୍ବନା ଯେ ଏହା ଚାଷୀ ଆତ୍ମହତ୍ୟା ଠାରୁ ନାରୀ ଧର୍ଷଣ ପର୍ଯ୍ୟନ୍ତ ଏ ସବୁକୁ ନାପସନ୍ଦ କରିଛି। କବିତା ଲେଖିଛି, ଗଳ୍ପ ଲେଖଛି, ଉପନ୍ୟାସ ଲେଖିଛିପୁଣି ସେହି ସାହିତ୍ୟିକ ଅମଲାତନ୍ତ୍ର ଓ ରାଜନେତାଙ୍କ ସହିତ ହସିଛି, ବସିଛି, ନିଜକୁ ଅଧିକ ପରିଚିତ କରାଇଛିକିନ୍ତୁ, ସଭା ସମିତିରେ ସେମାନଙ୍କୁ ପାଇ (ଲୋକଙ୍କ ସାମ୍ନାରେ) ସିଧା ପ୍ରଶ୍ନ କରୁନାହିଁ। ତେଣୁ ସାହିତ୍ୟିକ ସୁରକ୍ଷିତ ଅଛି ଓ ଲୋକେ ଅସୁରକ୍ଷିତ ଅଛନ୍ତି।  

          ସାହିତ୍ୟର ଦକ୍ଷତା ଅଛି ପାଠକ ଭିତରେ ଅସୁମାରୀ ପ୍ରଶ୍ନ ଓ ଦୃଢ ପ୍ରତିବାଦ ସୃଷ୍ଟି କରିପାରନ୍ତା। କିନ୍ତୁ ସାହିତ୍ୟିକ ସେ ସୁଯୋଗ ଛାଡିଦେଇଛି।  

ଏଠାରେ ଶିଳ୍ପପତି ତ ଚକଲେଟ ଦେଇ ଭାତହାଣ୍ଡି ଲୁଟୁଛନ୍ତି। ସେମାନେ ସାହିତ୍ଯକୁ ନିଜର ଝୋଲାମୁଣିରେ ରଖିବାକୁ ଉଦ୍ୟମ କରିଛନ୍ତିଏହାସତ୍ବେ  ଶିଳ୍ପପତିଙ୍କୁ ନେଇ ସାହିତ୍ୟିକ ସାହିତ୍ଯର ଉନ୍ନତି ଲାଗି ସ୍ଵପ୍ନ ଦେଖିଛି, ଅର୍ଥ ନେଇଛି, ବଡ ହୋଟେଲରେ ଆପ୍ୟାୟିତ ହୋଇଛି, ପୁରସ୍କୃତ ହୋଇଛି, ହସିଛି, ସେଲଫି ନେଇଛି, ଫେସବୁକରେ ପୋଷ୍ଟ କରିଛିଲୋଭୀ ସାହିତ୍ୟିକଙ୍କୁ ସାହିତ୍ୟରେ ତିରସ୍କାର କରାଯାଇପାରିନାହିଁ। ତେଣୁ ସମାଜର ଭରସା ସାହିତ୍ଯ ଓ ସାହିତ୍ୟିକ ଉପରେ ଆସୁନାହିଁ।

          ଆଜି ବି ମୁସଲମାନ ମହିଳାର ସାମାଜିକ ଓ ମାନସିକ ସ୍ଥିତି ସମ୍ପର୍କରେ ସାହିତ୍ୟ ନାହିଁ। ରାଜନୈତିକ ନେତାମାନେ ବହୁତ ଆଗରେ। ସେମାନେ ତିନି ତଲାକର କଥା କହି ଭୋଟ ଜିତିଥିବାର ଦାବି କରିଛନ୍ତିକିନ୍ତୁ ସାହିତ୍ଯରେ ଏବେ ବି ସେମାନେ ନିରୁଦ୍ଦିଷ୍ଟ। 

ଦଳିତ ମହିଳାଙ୍କ ଉପରେ ଆକ୍ରମଣ ବଢୁଥିବା ବେଳେ ସେଭଳି ମହିଳାଙ୍କ ବକ୍ତବ୍ୟ କେବେ ସାହିତ୍ୟରେ ଦେଖାଯାଉନି ଯଦିଓ ଦଳିତଙ୍କୁ ନେଇ ରାଜନୀତି ଉଚ୍ଚ ଜାତିର ନେତାଙ୍କ ଦ୍ଵାରା କିଛି କମ ହେଉନାହିଁ। 

ସମସ୍ତ ଜନ ଆନ୍ଦୋଳନରେ ନାରୀମାନେ ପ୍ରମୁଖ। ସେମାନେ ସରକାରଙ୍କ ପୁଲିସ ଶକ୍ତିର ସାମ୍ନା କରି ନିଜର ଭିଟାମାଟିର ସୁରକ୍ଷା କରୁଛନ୍ତି। ସେମାନେ ନିଜେ ନିଜେ ପ୍ରତିବାଦର ସାହିତ୍ଯ ସୃଷ୍ଟି କରିବା ଲାଗି ସକ୍ଷମ। କିନ୍ତୁ ସାହିତ୍ଯ ଭିତରକୁ ସେମାନଙ୍କୁ ଆସିବାରେ ବାରଣ ରହିଛି। (ମୂର୍ଖଙ୍କର କି ସ୍ଥାନ ଶିକ୍ଷିତଙ୍କ ଭିତରେ)       

ଆଜି ଜଗନ୍ନାଥ ସଂସ୍କୃତି ଓଡିଆ ସାହିତ୍ଯକୁ କବଜା କରିନେଇଛି। କିନ୍ତୁ ସାହିତ୍ୟିକ ଜଗନ୍ନାଥଙ୍କ ସେବକଙ୍କ ପରିବାରକୁ ଝୁଙ୍କିକରି ଦେଖିନାହିଁ ସେହି ପରିବାରର ମହିଳାଙ୍କ ଦେହରେ ଦିନର ସୂର୍ଯ୍ୟ ମଧ୍ୟ ପଡେ ନାହିଁ, କାହିଁକି? ସେବକମାନଙ୍କ ମଧ୍ୟରେ ପୁରୁଷତନ୍ତ୍ରିକ ବିଚାରକୁ ନେଲେ ପୁଳା ପୁଳା ଚରିତ୍ର ବାହାରିବେ। କେବେ ମୁଁ ଦେଖିନାହିଁ ତାହାକୁ କେବେ ପ୍ରଶ୍ନ କରିବା।  

          ସାହିତ୍ଯ ଏକ ଭଲ ଦୁଆର ପାଲଟିଯାଇଛି ଉଚ୍ଚ ଜାତି ଓ ସ୍ବଚ୍ଛଳ ବର୍ଗର ହାତରେ ସାହିତ୍ଯ ରହିଯାଇଛି। ଏହା ମଧ୍ୟକୁ ଏକ ନିର୍ଦ୍ଦିଷ୍ଟ ବିଚାରକୁ ପ୍ରବେଶ କରିବାର ଅନୁମତି ମିଳୁଛି। 

ଯେମିତି ଗାଁର ମନୋଲୋଭା ଚିତ୍ରକୁ ନେଇ ଅନେକ ସାହିତ୍ୟ ରହିଛି, ଅଥଚ, ସେହି ଗାଁ ମଧ୍ୟରେ ରହିଥିବା ଦଳିତ ପରିବାର ଉପରେ ହୋଇଥିବା ନିନ୍ଦନୀୟ ବ୍ୟବହାର ପ୍ରସଙ୍ଗରେ ସେଥିରେ ଉଲ୍ଲେଖ ରହୁନାହିଁ। ଉଲ୍ଲେଖ ରହିଲେ ଗାଁକୁ ନେଇ କବିତା ଅସୁନ୍ଦର ହେବ? 

ନଦୀକୁ ନେଇ ଅନେକ ରଚନା ରହିଛି। କିନ୍ତୁ ନଦୀ ଯେ ଆଜି ଆବର୍ଜନା ବୋହୁଥିବା ନାଳ ପାଲଟି ଯାଇଛି, ନଦୀର ପାଣି ଯେ ଅପହରଣ ହେଉଛି ସେ ସମ୍ପର୍କରେ ପ୍ରତିବାଦ ସେହି ପ୍ରକାରର ସାହିତ୍ଯରେ ନାହିଁ। 

ପାହାଡକୁ ନେଇ ବର୍ଣ୍ଣନା ରହିଛି, ଅଥଚ, ପାହାଡର କଡରେ ରହିଥିବା ଗାଁ ଉପରେ ଜଙ୍ଗଲ ବିଭାଗର ଅତ୍ୟାଚାରର କାହାଣୀ ହେଉ ଅଥବା ଖଣି କମ୍ପାନୀଙ୍କ ଦ୍ଵାରା ଲୁଚିଯାଉଥିବା ପାହାଡର ବିସ୍ତୃତ ବର୍ଣ୍ଣନା ସାହିତ୍ଯରେ ମିଳୁନାହିଁ।  ଅନେକ କାରଣ ଲାଗି ଆଜି ସଂପୂର୍ଣ୍ଣ ସମାଜ ନା ସାହିତ୍ଯ  ଭିତରେ ରହିପାରୁଛି ନା ସାହିତ୍ଯ ମଧ୍ୟରେ ସଂପୂର୍ଣ୍ଣ ସମାଜର ଚିତ୍ର ଆସିପାରୁଛି।

          ସାହିତ୍ୟ ଠାରୁ ଫିଲ୍ମ ଅନେକ ଆଗରେ ରହିଛି। ହିରୋ ଫିଲ୍ମରେ ଝିଅକୁ ଅପହରଣ କରୁଛି। ପୁଲିସର ଦବଙ୍ଗଗିରି ଚାଲୁଅଛି। ଏନକାଉଣ୍ଟର ଓ ହତ୍ୟା ହେଉଛି। ତାହାକୁ ସେନ୍ସର ସାର୍ଟିଫିକେଟ ମିଳୁଛି। ଫିଲ୍ମ ହିଟ ହେଉଛିଭଲ ବ୍ୟବସାୟ କରୁଛି। ଦେଖୁଥିବା ଲୋକ ରୀଲର ଜୀବନକୁ ରିୟଲ ଜୀବନରେ ଉତ୍ତାରିବାର ସ୍ଵପ୍ନ ଦେଖୁଛି। ଫିଲ୍ମ ହିରୋଙ୍କ ଭଳି ସେଲେବ୍ରିଟି ହେବାକୁ ଚାହୁଁଛି। ଫିଲ୍ମକୁ କପି କରୁଛି। ପୁଣି ଆଇନର ଜାଲରେ ଫସିଯାଉଛି। ସାହିତ୍ଯ କେବେ ବି ଏହାକୁ ପ୍ରଶ୍ନ କରୁନାହିଁ ଯେ କଳା କଦାପି ବ୍ୟବସାୟ ନୁହେଁ। ବ୍ୟବସାୟ ଲାଗି ସମାଜକୁ ନଷ୍ଟ କରି ଦିଆନଯାଉ।

          ଓଡିଆ ସାହିତ୍ଯ ଏବେ ବି ପ୍ରେମର ଚାରିପାଖରେ ଘୁରୁଛି। ବିରହକୁ ଖୋଜୁଛି, ଭାବୁଛି ଓ ସେହିଥିରେ ସଫଳ ହେବାର ସ୍ଵପ୍ନ ଦେଖୁଛି। ହିନ୍ଦୀ ଫିଲ୍ମରେ ରୋମାଣ୍ଟିକ ଫିଲ୍ମର ନିର୍ମାଣ ନସରିବା ପରି ଓଡିଆ ସାହିତ୍ୟରେ ରୋମାଣ୍ଟିସିଜିମର ଯୁଗ ସରିବାର ନାହିଁ। 

ହିନ୍ଦୀ ଫିଲ୍ମ ଗୀତ “ତୁମକୋ ଦେଖା ତୋ ଏସା ଲଗା” ଭଳି “ଏ ଦେହ କେବଳ ଜାଣେ ଦୁଆରୁ ଦୁଆରୁ ବୁଲି ବୁଲି ଭିକ ମାଗିବାକୁ / ସନ୍ଧ୍ୟା ବେଳେ ପବନର ବାସ୍ନା ପରି ତୁମର ନଗ୍ନତା ବିଛୁରିତ ହେଲା ବେଳେ ସନ୍ତୁଷ୍ଟ ହେବାକୁ।“ ଅନେକ ରଚନା ହିନ୍ଦୀ ଫିଲ୍ମର ତାଳେ ତାଳେ ଓଡିଆ ସାହିତ୍ୟରେ ରହିଛି। ଅନୁକରଣ କରୁନାହିଁ କିନ୍ତୁ ପ୍ରଭାବିତ ହେଉଛି।           

          ସମାଜ କହିଲେ କେବଳ ଆମ ଚାରିପାଖର କିଛି ବର୍ଗର ସମାଜ ନୁହେଁ। ବର୍ଗ ଜାତି ଲିଙ୍ଗ ଓ ଧର୍ମର ଉର୍ଦ୍ଧ୍ଵରେ ସମସ୍ତ ମଣିଷର ସମାଜ। ଏହାଙ୍କୁ କ୍ଷମତାଶାଳୀ ବର୍ଗ ବିଭିନ୍ନ ଭାବରେ ବିଭାଜିତ କରିଛନ୍ତି। ସାହିତ୍ଯ ହିଁ ଏକ ମାଧ୍ୟମ ଯାହା ସେହି ବିଭାଜନକୁ ଦୂର କରି ସମସ୍ତଙ୍କ ଭିତରେ ମାନବିକତା ଆଣିପାରିବ। ଏହା ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିପାରିବ, ଭବିଷ୍ୟତ ସମାଜ ଗଠନର ବାର୍ତ୍ତା ଦେଇପାରିବ। ସାହିତ୍ଯ ସ୍ଵତଃସ୍ଫୁର୍ତ୍ତ ଓ ସ୍ବାଭାବିକତାର ବିଶ୍ଵାସୀ। ଏହାକୁ ବିରୋଧ କରୁଥିବା ବ୍ୟବସ୍ଥାକୁ ସେ ବିରୋଧ କରିବ ହିଁ କରିବ। ସାହିତ୍ଯକୁ ତାହାର ସ୍ଥାନ ସମାଜ ମଧ୍ୟରେ ସୃଷ୍ଟି କରିବା ହିଁ ସାହିତ୍ଯ ଲାଗି ବଡ ଆହ୍ଵାନ। ଏ ଆହ୍ଵାନ ଆମକୁ ସ୍ଵୀକାର କରିବାକୁ ହେବ।

 


                             



Friday, November 7, 2025

ତିନୋଟି ପୁସ୍ତକରେ ହୀରାକୁଦ ବିସ୍ଥାପନ

 “ଚାଲରେ ଚାଲରେ ଚାଲ/ ହୀରାକୁଦକେ ବନ୍ଦ କରମା ଚାଲ”



ଦେବ ରଞ୍ଜନ

                କେବେ ହୁଏତ ନଦୀ ମଣିଷକୁ ଦେଇଥିଲା ଠିକଣା, ବସେଇଥିଲା ଘର। ନଦୀ ମଣିଷକୁ କେବେ ହୁଏତ ଶିଖାଇଥିଲା ଚାଷ, ଦଳଗତ ଜୀବନ ଭିତରେ ଆଣିଥିଲା ସଭ୍ୟତା, ବସାଇଥିଲା ସହର। ଏବେ ନଦୀ ଦେଉଛି ମୃତ୍ୟୁର ଯନ୍ତ୍ରଣା। ଆଧୁନିକ ସଭ୍ୟତାରେ ନଦୀ ପୁଣି ସେହି ମଣିଷକୁ କରିଦେଉଛି ଠିକଣା ବିହୀନ ଯାଯାବର। ଏ କେଉଁ ବନ୍ୟା କି ପ୍ରଦୂଷଣର କଥା ନୁହେଁ। ତାହା ସାମୟିକ। ଏହା ନଦୀବନ୍ଧ ଯୋଜନାର କଥା ଯାହା ମଣିଷକୁ କରୁଛି ସଂପୂର୍ଣ୍ଣ ବାସହୀନ, ବିସ୍ଥାପନ। ଦେଶର ଗଣତନ୍ତ୍ର ଓ ନିୟମିତ ନିର୍ବାଚନ ଏବେ ବି କୌଣସି ନ୍ୟାୟ ଦେଇପାରିନାହିଁ ଲକ୍ଷ ଲକ୍ଷ ବିସ୍ଥାପିତଙ୍କୁ।

                ଦୀର୍ଘ ବର୍ଷ ପରେ ଓଡିଆ ସାହିତ୍ଯରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ଦୁର୍ଦ୍ଦଶାକୁ ନେଇ ତିନୋଟି ପୁସ୍ତକ ଅଳ୍ପ ବର୍ଷର ବ୍ଯବଧାନ ମଧ୍ୟରେ ପ୍ରକାଶ ପାଇଛି। ଏହା ପୂର୍ବରୁ କେବଳ ଖବରକାଗଜର ଛୋଟ ଛୋଟ ସମ୍ବାଦ ଓ କାଁ ଭାଁ ସମ୍ପାଦକୀୟ ଲେଖା ମାଧ୍ୟମରେ ହୀରାକୁଦ ବିସ୍ଥାପିତଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜାଣିହେଉଥିଲା। ତାହା ଆଦୌ ଯଥେଷ୍ଟ ନଥିଲା। ମିତ୍ରଭାନୁ କ୍ଷମାରୀଙ୍କ “ବୁଡି ଅଞ୍ଚଳର ଦୁର୍ଦ୍ଦଶା” ଓ ଶ୍ରଦ୍ଧାକର ସୁପକାର ତଥା ଭାରତ ଚନ୍ଦ୍ର ନାୟକଙ୍କ ଆତ୍ମଜୀବନୀ ବର୍ତ୍ତମାନ ପୀଢି ଲାଗି କିଛି ତଥ୍ୟ ଦେଉଥିଲା। କିନ୍ତୁ କୁମାର ହସନଙ୍କ  ଉପନ୍ୟାସ “ବୁଡି ଅଞ୍ଚଳ”, ଅନୀତା ଅଗ୍ନିହୋତ୍ରୀଙ୍କ ଉପନ୍ୟାସ “ମହାନଦୀ” (ଅନୁବାଦ: କ୍ଷୀରୋଦ ପରିଡା) ଓ ନିଗମାନନ୍ଦ ଷଡଙ୍ଗୀ – ରଞ୍ଜନା ପାଢୀଙ୍କ ଗାଁ ଛାଡ଼ିବୁ ନାହିଁ” ପ୍ରବନ୍ଧ ସଙ୍କଳନ ଜାଣିବାର ଆଗ୍ରହକୁ ପୂରଣ କରୁଛି।

 

ଜାତୀୟ ବିକାଶର ସ୍ଵପ୍ନ

 

                ନିଗମାନନ୍ଦ ଷଡଙ୍ଗୀ – ରଞ୍ଜନା ପାଢୀଙ୍କ ଗାଁ ଛାଡ଼ିବୁ ନାହିଁ” ପ୍ରବନ୍ଧ ସଙ୍କଳନରେ ଜାତୀୟ ବିକାଶର ସ୍ଵପ୍ନ ନେଇ କାର୍ଯ୍ୟ କରୁଥିବା ଅଥବା ଲୋକଙ୍କ ବିରୋଧ ହେତୁ ବନ୍ଦ ରହିଥିବା ଦଶଟି ପ୍ରକଳ୍ପ ଓ ଲୋକଙ୍କ ପ୍ରତିବାଦର ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଛି। ସେଗୁଡିକ ହେଲା ହୀରାକୁଦ, ରେଙ୍ଗାଲି ବନ୍ଧ ଯୋଜନା, ଗନ୍ଧମାର୍ଦ୍ଧନ ବକ୍ସାଇଟ ଖଣି ପ୍ରସ୍ତାବ, ଗୋପାଳପୁରରେ ଟାଟା କମ୍ପାନୀ ପ୍ରକଳ୍ପ ପ୍ରସ୍ତାବ, ଚିଲିକାରେ ଟାଟା କମ୍ପାନୀର ଚିଙ୍ଗୁଡି ଚାଷ ପ୍ରସ୍ତାବ, କାଶୀପୁରରେ ଆଦିତ୍ଯ ବିରଳା, ନିୟମଗିରିରେ ବେଦାନ୍ତ, କଳିଙ୍ଗ ନଗରରେ ଟାଟା ଓ ଢିଙ୍କିଆରେ ପୋସ୍କୋ କମ୍ପାନୀର ପ୍ରସ୍ତାବ ବିରୁଦ୍ଧରେ ଲୋକଙ୍କ ପ୍ରତିବାଦ ଓ ରାଷ୍ଟ୍ର ଦମନ ସମ୍ପକରେ ବର୍ଣ୍ଣନା ରହିଛି। ଏହି ସଂକଳନ ମଧ୍ୟରେ ହୀରାକୁଦ ବନ୍ଧ ନିର୍ମାଣ ଓ ଲୋକଙ୍କ ପ୍ରତିବାଦ ଏହାର ପ୍ରଥମ ପ୍ରବନ୍ଧ।

                ପୁସ୍ତକରେ ପ୍ରକାଶିତ ତଥ୍ୟ ଅନୁସାରେ, ଓଡିଶାରେ ହୀରାକୁଦ ବନ୍ଧ ନିର୍ମାଣ ପ୍ରକଳ୍ପର ପ୍ରସ୍ତାବ ଅଧିକ ଚର୍ଚ୍ଚାକୁ ଆସିଥିଲା ୧୯୩୭ ମସିହାର ଉପକୂଳରେ ବନ୍ୟାର ଠିକ ପରେ। ବିଶ୍ଵଯୁଦ୍ଧ ପରେ ପରେ ବନ୍ଧ ନିର୍ମାଣ କାମ ଲାଗି ବ୍ରିଟିଶ ସରକାର ଭିତ୍ତି ସ୍ଥାପନ କରିଥିଲେ। ଭାରତ ସ୍ଵାଧୀନ ହେବା ପରେ ପୁଣି ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ନେହେରୁ ଏହାର ଭିତ୍ତି ସ୍ଥାପନ କଲେ। ଜାତୀୟ ବିକାଶ ଲାଗି ଡ୍ୟାମ ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥିବା କଂଗ୍ରେସର ପ୍ରମୁଖ ସଦସ୍ୟମାନେ ମନେକରୁଥିଲେ।

                ମହାତ୍ମା ଗାନ୍ଧୀଙ୍କୁ ସମ୍ବଲପୁର ଅଞ୍ଚଳରୁ ନେତୃସ୍ଥାନୀୟ ବ୍ୟକ୍ତି ତିନି ଥର ଭେଟିଛନ୍ତି ଓ ତାଙ୍କୁ ଡ୍ୟାମକୁ ବିରୋଧ କରିବା ଲାଗି ଅନୁରୋଧ କରିଛନ୍ତି। ଡ୍ୟାମ ପରିକଳ୍ପନାକୁ ଯେ ବନ୍ଦ କରାଯିବ ସେଭଳି କୌଣସି ପ୍ରତିଶୃତି ଗାନ୍ଧୀଜୀ ଦେଇନାହାନ୍ତି। 

                ଇଞ୍ଜିନିୟର ଅଯୋଧ୍ୟାନଥ ଖୋସଲା ଆମେରିକାର ଟେନସି ଭ୍ୟାଲି ଅଥରିଟିରୁ ପାଇଥିବା ଅନୁଭୂତି ଆଧାରରେ ଯୁକ୍ତି କରିଥିଲେ, “ମୁଁ ଅନୁଭବ କରେ ଯେ ମହାନଦୀର ବହୁମୂଖୀ ବନ୍ଧ ଯୋଜନା ପାଇଁ ସ୍ଥାନ ଅନୁସନ୍ଧାନ ଅବିଳମ୍ବେ ହେବା ଉଚିତ। ଏଥିରେ ହିଁ ରହିଛି ଜନସାଧାରଣଙ୍କ ବିକାଶର ପ୍ରତିଶୃତି।“ ଡ୍ୟାମର ଉଦଘାଟନ ଓ ଲୋକାର୍ପଣ ସମୟରେ ନେହେରୁ “ଏହାକୁ ଆଧୁନିକ ଭାରତର ମନ୍ଦିର” ଆଖ୍ୟା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହାତାବ ଇତ୍ୟାଦି ଡ୍ୟାମ ସପକ୍ଷରେ ମନ୍ତବ୍ୟ ଦେଇ କହିଥିଲେ ଯେ ହୀରାକୁଦ ଡ୍ୟାମର ପରିସମାପ୍ତିରେ ରହିଛି ଓଡିଶାର ଆଧୁନିକ ବିକାଶର ଆରମ୍ଭ।

                ନଭେମ୍ବର ୧୨, ୧୯୪୬ରେ ସମ୍ବଲପୁର ଓ ଅନ୍ଯାନ୍ଯ ଅଞ୍ଚଳରେ ଜାତୀୟ ନେତୃବୃନ୍ଦ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ଡ୍ୟାମ ପ୍ରକଳ୍ପର ପ୍ରତିବାଦରେ ଦୁଇ ଲକ୍ଷ ଲୋକ ଏକ ବିରାଟ ରାଲିରେ ଆସି କଲେକ୍ଟର ଅଫିସରେ ଦାବିପତ୍ର ଦେଇଥିଲେ। ସମସ୍ତଙ୍କ ମୁହଁରେ ଥିଲା, “ଚାଲରେ ଚାଲରେ ଚାଲ/ ହୀରାକୁଦକେ ଚାଲ/ ସରକାର ଯେନ ବନ୍ଧା ବାନ୍ଧୁଛେ/ ବନ୍ଦ କରମା ଚାଲ।“

                ଲୋକଙ୍କ ବିରୋଧର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡିନଥିଲା। ସରକାର ଆଖିବୁଜି ବନ୍ଧ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଅକଥନୀୟ ଦମନ ଓ ଅତ୍ୟାଚାର ଆରମ୍ଭ କରିଦେଲେ। ପୂର୍ବରୁ ବିରୋଧ କରିଥିବା ସ୍ଥାନୀୟ ନେତୃବୃନ୍ଦ ମଧ୍ୟରୁ ବେଶ କେତେକ ନେତା ଅଚାନକ ପ୍ରକଳ୍ପ ସପକ୍ଷରେ କହିବା ଆରମ୍ଭ କରିଦେଲେ। ଲୋକେ ସେମାନଙ୍କ ଦ୍ଵାରା ପ୍ରତାରିତ ହୋଇ ଆନ୍ଦୋଳନ ଛାଡିଦେଲେ। ଡ୍ୟାମ କାମ ଦ୍ରୁତ ଗତିରେ ଚାଲିଲା।  ଏଥିରେ ଓଡିଶା ଓ ମଧ୍ୟପ୍ରଦେଶର (ପରେ ଛତିଶଗଡ) ତିନି ଶହରୁ ଉର୍ଦ୍ଧ୍ଵ ଗାଁ ଜଳମଗ୍ନ ହୋଇଥିଲା।    

 

ବିସ୍ଥାପିତଙ୍କ ଦୁର୍ଦ୍ଦଶା

 

                ଇଲେକ୍ଟ୍ରିକ ଲାଇଟ, ଫ୍ୟାନ ଓ ପ୍ଲଗର ସୁଇଚ ଟିପିଲା ମାତ୍ରେ ଆମକୁ ମିଳୁଥିବା ସୁବିଧାମାନଙ୍କରେ ବିସ୍ଥାପିତଙ୍କ ଉଜୁଡା ଜୀବନ ନିହିତ ଅଛି। ମାର ଛୁଆକୁ ବଢାଇବା ପଛରେ ରହିଥିବା ବଳିଦାନ ଠାରୁ ମଧ୍ୟ ଏହା ଯଥେଷ୍ଟ ଅଧିକଡ୍ୟାମ ପଛରେ ବିସ୍ଥାପିତ ମଣିଷର ନା ଥାଏ ଇଚ୍ଛା ନା ସମର୍ଥନ। ମନ୍ଦିରର ଠାକୁରାଣୀଙ୍କ ଲାଗି ପଶୁ ବଳି ଭଳି ନେହେରୁଙ୍କ ଆଧୁନିକ ମନ୍ଦିର ସ୍ଥାପନ ଲାଗି ସେମାନଙ୍କୁ ବଳି ଦିଆଯାଇଛି। ଆଶ୍ଚର୍ଯ୍ୟ ଯେ ସ୍ଵାଧୀନତାର ପ୍ରଥମ ଦଶକରେ ବି ଲୋକଙ୍କ ସହମତି ଲାଗି ନିର୍ବାଚିତ ଶାସକମାନେ କେମିତି ସାମାନ୍ୟ ଧୈର୍ଯ୍ୟ ଦେଖାଇଲେନାହିଁ!

                ବିଭିନ୍ନ ବୃହତ ପ୍ରକଳ୍ପ ହେତୁ ହେଉଥିବା ବିସ୍ଥାପିତ ମଣିଷ ନିଜର ଇଚ୍ଛା ବିରୁଦ୍ଧରେ ସେହି ସବୁ ଜିନିଷ ଓ ସମ୍ପର୍କକୁ ହରାଇଥାଏ ଯାହା ବିସ୍ଥାପିତ ହୋଇନଥିବା ମଣିଷ ନିଜର ସମ୍ପତ୍ତି ଭାବି ଗର୍ବ କରିଥାଏ। କୁମାର ହସନ ନିଜର ଅଙ୍ଗେ ନିଭା କଥାକୁ ନେଇ ସୃଷ୍ଟି କରିଥିବା “ବୁଡି ଅଞ୍ଚଳ” ପୁସ୍ତକରେ ବର୍ଣ୍ଣନା କରୁଛନ୍ତି ଅନ୍ତତଃ ଏକ ଲକ୍ଷ ଲୋକ ଏହି ବିରାଟ ଡ୍ୟାମ ହେତୁ ହରାଇଥିଲେ ନିଜର ପୀଢି ପୀଢିର ଘରବାଡି, ଜମି ଜଙ୍ଗଲ, ଧାନ ଚାଉଳ, ମୁଗ ବିରି, ବାସନ କୁସନ, ଗାଈ ବଳଦ, ଛେଳି ମେଣ୍ଢା, ଶାବଳ କୁରାଢୀ, ମାମୁଁ ମାଇଁ, ମାଉସୀ ମଉସା, ଅଜା ଆଈ, ପିଉସୀ ପିଉସା, ଜେଜେ ବାପା ଜେଜେ ମା’, ଗାଁ ପୋଖରୀ, ଗାଁ ମନ୍ଦିର, ଗାଁ ମଶାଣୀ, ଗାଁ ସ୍କୁଲ, ଆମ୍ବ ତୋଟା, ନୂଆଖାଇ, ପୁଷ ପରବ ଓ ଶୀତଳଷଷ୍ଠୀ ଆହୁରି କେତେ କ 

                ୧୯୫୧ ମସିହାରେ ଗାଁ ମାନଙ୍କରେ ଓଡିଶା ସରକାର ୧୪୪ ଧାରା ଜାରି କରିଦେଲେ। ଜଳମଗ୍ନ ହେବାକୁ ଥିବା ଗାଁମାନଙ୍କରେ ମିଲିଟାରୀ ବାହିନୀ ଫ୍ଲାଗ ମାର୍ଚ୍ଚ କରିବାକୁ ଲାଗିଲେ। କିଛି ଦିନ ଆଗରୁ ବିରୋଧ କରୁଥିବା ମୁଖିଆ ଲୋକେ ଗିରଫ ହୋଇସାରିଥିଲେ। ଦେଶ ସ୍ଵାଧୀନତା ପାଇବା ପାଞ୍ଚ ବର୍ଷ ବି ହୋଇନଥିଲା। ଗାଁ ନାଛାଡିଲେ ଗୁଳି କରିଦିଆଯିବ ବୋଲି ଶୂନ୍ୟକୁ ବନ୍ଧୁକ ଉଠାଇ ବ୍ଲ୍ଯାଂକ ଫାୟାରିଙ୍ଗ କଲେ। ଭୟରେ ଲୋକେ ଗାଁ ଛାଡି ଧାଇଁବା ଆରମ୍ଭ କଲେ। ଦୁଆନ ମୁଣ୍ଡାର ଗୌଣ୍ଟିଆ ଭାତ ହାଣ୍ଡି ଧରି କାନ୍ଦି କାନ୍ଦି ଗାଁ ଛାଡି କୁଆଡେ ପଳାଇଲା ଯେ ତାପରେ ଆଉ ତାକୁ କେହି ଦେଖିନାହାନ୍ତି।

                “ସୁଖବାସୀ, ଧୋବା, ଭଣ୍ଡାରୀ, କମାର, ଗଣ୍ଡା, ଝାକର, ଚୌକିଦାର, ଗଉଡ, ପୂଜାରୀ, ପୁରୋହିତମାନେ ଯେଉଁମାନେ ଗାଁ ଲୋକଙ୍କୁ ସେବା କରି ଚାଲୁଥିଲେ, ବର୍ତ୍ତନିୟା ଥିଲେ, ଯେଉଁମାନଙ୍କ ଜମିବାଡି ବୋଲି କିଛି ନଥିଲା, ସେମାନେ ତ ଶୂନ୍ୟରେ ଉଡିଗଲେ। ସରକାର ଯେଉଁମାନଙ୍କୁ ଲରିରେ ଜବରଦସ୍ତି ବୋହି ଆଣିଥିଲା ସେଥିରେ ବୁଡି ଅଞ୍ଚଳର ସୀମା ବାହାରେ ଘୋର ଜଙ୍ଗଲ ଭିତରେ କେଉଁ ଅପନ୍ତରା ପାହାଡ, ପଡିଆ କି କେଉଁ ଗାଁ ପାଖରେ ଆବର୍ଜନା ଭଳି ଅଜାଡି ଦେଇ ଆଉ କେଉଁ ଗାଁକୁ ଉଜାଡିବା ଲାଗି ଲରିଟି ଛୁଟି ଯାଇଥିଲା“ (ବୁଡି ଅଞ୍ଚଳ’)  

 

ନେତାଙ୍କ ଜାତୀୟ ବିକାଶର ସ୍ଵପ୍ନ

 

                ଅନୀତା ଅଗ୍ନିହୋତ୍ରୀଙ୍କ ଉପନ୍ୟାସ “ମହାନଦୀ” ର ହିମିରାଣୀ ଓ ମାଳତୀ ଦୁଇ ସାଙ୍ଗ ବସିଥିଲେ ମହୁଲ-ସହୀ। ଏକାଠି ମହାନଦୀକୁ ଯାଇ ଗାଧୋଇବା, ଖେଳିବା ସବୁ କିଛି। ନିଜର ଯୌବନ ବୟସରେ ବିବାହ କରିଛନ୍ତି ଓ ମା ବି ହୋଇଛନ୍ତି। ଏହାପରେ ହୀରାକୁଦ ତୋଫାନ ମାଡି ଆସିଛି ମାନେଶ୍ବର ଗାଁକୁ। ହିମିରାଣୀର ବାପା କେବଳ ଜମି ହରାଉଥିବା ହେତୁ ରହିଯାଇଛନ୍ତି ଜଳଭଣ୍ଡାର ନିକଟରେ। କିନ୍ତୁ ମାଳତିର ଶାଶୁଘର ଉଭୟ ଘର ଓ ଜମି ହରାଇବା ହେତୁ ଏମିତି ଏକ ଲରିରେ ସେମାନଙ୍କୁ ଛାଡି ଦିଆଯାଇଛି ଜଳଭଣ୍ଡାର ଠାରୁ ଅନେକ ଦୂର ସମ୍ବଲପୁର – ଢେଙ୍କାନାଳ ଜିଲ୍ଲା ସୀମା ବଲଣ୍ଡାର ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ମାଳଭୂମିରେ। ନଦୀ କୂଳିଆ ଲୋକ ପାହାଡ ଭିତରେ ବଞ୍ଚିବ କେମିତି ଦେଶର ନେତାମାନେ କେବେ ଚିନ୍ତାମଧ୍ୟ କଲେ ନାହିଁ। ହିମାରାଣୀର ପୁଅ କୁବେର ନିଜ ମା କୁ ସାନ୍ତ୍ଵନା ଦେବା ଲାଗି ବିସ୍ଥାପନର ଦୀର୍ଘ ପଚାଶ ବର୍ଷ ପରେ ଖୋଜି ଖୋଜି ଆସି ପହଞ୍ଚିଛି ନିଜ ମାର ମହୁଲ-ସହୀ ମାଳତୀଙ୍କ ପାଖରେବଲଣ୍ଡାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛି, “ସ୍ଵାଧୀନ ଭାରତର ପ୍ରଥମ ନଦୀବନ୍ଧ ପ୍ରକଳ୍ପର ବାସଚ୍ୟୁତ ଲୋକମାନଙ୍କୁ। ପଚାଶ ବର୍ଷ ପରେ ବି ସେମାନେ ନୂଆ ବଲଣ୍ଡାକୁ କହୁଥିଲେ କ୍ୟାମ୍ପ। ଏତେ ବର୍ଷ ଅତିକ୍ରାନ୍ତ ହେବା ପରେ ବି ବଦଳିଯାଇ ନାହିଁ କ୍ୟାମ୍ପ ଚରିତ୍ର।“

                “ଜଳଭଣ୍ଡାରର ଚାରିପାଖର ଲୋକଙ୍କୁ ବୁହା ହେବାର ଗୋଟିଏ ଦିନ କଥା। ସକାଳର ସୂର୍ଯ୍ୟ ଉଇଁଲା। ଚଢେଇମାନେ ପ୍ରତିଦିନ ଭଳି ସେଦିନ ବି ନିଜର ବସାରେ ଅଣ୍ଡା ଓ ଛୋଟ ଛୋଟ ଛୁଆମାନଙ୍କୁ ଛାଡି ଚାଲିଗଲେ ଖାଦ୍ୟ ସନ୍ଧାନରେ। ଡ୍ୟାମରେ ପାଣି ଛଡ଼ାଯାଇଛି ଠିକ ସକାଳ ହେବା ପରେ। ସଞ୍ଜ ବେଳକୁ ଯେତେବେଳେ ଚଢେଇମାନେ ଫେରିଆସୁଛନ୍ତି ସେତେବେଳେକୁ ହୀରାକୁଦ ପରିଣତ ହୋଇଯାଇଛି ଏକ ଅଗାଢ ଜଳସାଗରରେ। ଏଥର ପକ୍ଷୀମାନଙ୍କର ଆର୍ତ୍ତ ବିଳାପ ଶୁଭୁଛି ଚାରିଆଡେ। ସେମାନେ ଖୋଜୁଛନ୍ତି ସେହି ଗଛ ମାନଙ୍କୁ ଯେଉଁଠି ସେମାନେ ଛାଡିଯାଇଥିଲେ ନିଜ ଛୁଆ ଓ ଅଣ୍ଡାକୁ। କିଏ ବା କହିବ ସେମାନଙ୍କୁ ଯେ ନେତାଙ୍କ ଜାତୀୟ ବିକାଶର ସ୍ଵପ୍ନ ସେମାନଙ୍କ ଛୁଆମାନଙ୍କୁ ବୁଡାଇଦେଇଥିଲା।“ (ମହାନଦୀ’)  

                ନିଜ ଗାଁ ମାଟି, ଘର ଦ୍ଵାରା କ୍ଷେତ ଖଳା ହରାଇବା ପରେ ବିସ୍ଥାପିତଙ୍କୁ ମିଳିଥିଲା କ୍ଷତିପୂରଣ ନାମରେ ଅଳ୍ପ କେଇଟଙ୍କା। ତାହାପୁଣି ଅଧେ ଲୋକଙ୍କୁ ମିଳିଲା ବାକି ଲକ୍ଷେ ଲୋକଙ୍କୁ ମିଳିଲା ନାହିଁ। ନାହିଁ ନଥିବା ନିର୍ଯାତନା, ହତାଶ, ଅସନ୍ତୋଷ, କ୍ଷୋଭ, କ୍ରୋଧଗ୍ନି ଭିତରେ କିଏ ଆତ୍ମହତ୍ୟା କରିଛନ୍ତି ତ ପୁଣି କେହି ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ୧୯୫୦ର ମଧ୍ୟ ଭାଗରେ ନିର୍ଯାତନା ଦେଉଥିବା ଦୁଇ ଜଣ ତହସିଲଦାରଙ୍କୁ ଲୋକେ ହତ୍ୟା କରିଦେଇଥିଲେ। (ବୁଡି ଅଞ୍ଚଳ/ କୁମାର ହସନ/ ପୃଷ୍ଠା ୨୫)

                ଜାତୀୟ ବିକାଶ ଲାଗି କଂଗ୍ରେସ ନେତାଗଣ ଡ୍ୟାମକୁ ଏକ ଜରୁରୀ ପଦକ୍ଷେପ ବୋଲି ମନେକରୁଥିଲେ। ଏହି ପ୍ରକାରର ବିକାଶ ପଦ୍ଧତି ଆମେରିକା ତିରିଶ ଦଶକରେ ନିଜ ଦେଶରେ ଆରମ୍ଭ କରିଥିଲା ଓ ଏହା ହିଁ ଏକ ମାତ୍ର ରାସ୍ତା ବୋଲି ଭାରତର ନେତାମାନେ ଅନୁଭବ କରିଥିଲେ। ଏବେ ଡ୍ୟାମର କୂଳେ କୂଳେ ଅନେକ ବଡ ବଡ କମ୍ପାନୀ ଉଭୟ ରାଜ୍ୟରେ ରହି ଜଳଭଣ୍ଡାରକୁ ପ୍ରାୟ ଶୁଷ୍କ କରିଦେଲେଣି। ଏଥିରେ ନା ଚାଷୀ ନା ବିସ୍ଥାପିତ କେହି ସୁବିଧା ପାଉଛନ୍ତି। ଆମେରିକୀୟ ପୁଞ୍ଜିବାଦର ଏହା ହିଁ ଦୂରଗାମୀ ଲକ୍ଷ ଥିଲା ଯାହାକୁ ଆମ ନେତୃବୃନ୍ଦ କଳ୍ପନା କରିପାରିନଥିଲେ। ଡ୍ୟାମର ବିଷମ ପ୍ରଭାବ ଆଜି ବି ଅନୁଭୂତ ହୁଏ। ବୃହତ ଡ୍ୟାମ ଆମ ସମାଜ ଲାଗି ଏକ ଭୂମିକମ୍ପ ଠାରୁ ଯେ ଅଧିକ ଧ୍ଵଂସକାରୀ ତାହାର ପ୍ରମାଣ ଉପରୋକ୍ତ ତିନି ପୁସ୍ତକ।