“ଚାଲରେ ଚାଲରେ ଚାଲ/ ହୀରାକୁଦକେ ବନ୍ଦ କରମା ଚାଲ”
ଦେବ ରଞ୍ଜନ
କେବେ
ହୁଏତ ନଦୀ ମଣିଷକୁ ଦେଇଥିଲା ଠିକଣା,
ବସେଇଥିଲା ଘର। ନଦୀ ମଣିଷକୁ କେବେ ହୁଏତ ଶିଖାଇଥିଲା ଚାଷ, ଦଳଗତ ଜୀବନ
ଭିତରେ ଆଣିଥିଲା ସଭ୍ୟତା, ବସାଇଥିଲା ସହର। ଏବେ ନଦୀ ଦେଉଛି ମୃତ୍ୟୁର
ଯନ୍ତ୍ରଣା। ଆଧୁନିକ ସଭ୍ୟତାରେ ନଦୀ ପୁଣି ସେହି ମଣିଷକୁ କରିଦେଉଛି ଠିକଣା ବିହୀନ ଯାଯାବର। ଏ
କେଉଁ ବନ୍ୟା କି ପ୍ରଦୂଷଣର କଥା ନୁହେଁ। ତାହା ସାମୟିକ। ଏହା ନଦୀବନ୍ଧ ଯୋଜନାର କଥା ଯାହା
ମଣିଷକୁ କରୁଛି ସଂପୂର୍ଣ୍ଣ ବାସହୀନ, ବିସ୍ଥାପନ। ଦେଶର ଗଣତନ୍ତ୍ର ଓ ନିୟମିତ
ନିର୍ବାଚନ ଏବେ ବି କୌଣସି ନ୍ୟାୟ ଦେଇପାରିନାହିଁ ଲକ୍ଷ ଲକ୍ଷ ବିସ୍ଥାପିତଙ୍କୁ।
ଦୀର୍ଘ ବର୍ଷ ପରେ ଓଡିଆ ସାହିତ୍ଯରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ଦୁର୍ଦ୍ଦଶାକୁ ନେଇ ତିନୋଟି ପୁସ୍ତକ ଅଳ୍ପ ବର୍ଷର ବ୍ଯବଧାନ ମଧ୍ୟରେ ପ୍ରକାଶ ପାଇଛି। ଏହା ପୂର୍ବରୁ କେବଳ ଖବରକାଗଜର ଛୋଟ ଛୋଟ ସମ୍ବାଦ ଓ କାଁ ଭାଁ ସମ୍ପାଦକୀୟ ଲେଖା ମାଧ୍ୟମରେ ହୀରାକୁଦ ବିସ୍ଥାପିତଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଜାଣିହେଉଥିଲା। ତାହା ଆଦୌ ଯଥେଷ୍ଟ ନଥିଲା। ମିତ୍ରଭାନୁ କ୍ଷମାରୀଙ୍କ “ବୁଡି ଅଞ୍ଚଳର ଦୁର୍ଦ୍ଦଶା” ଓ ଶ୍ରଦ୍ଧାକର ସୁପକାର ତଥା ଭାରତ ଚନ୍ଦ୍ର ନାୟକଙ୍କ ଆତ୍ମଜୀବନୀ ବର୍ତ୍ତମାନ ପୀଢି ଲାଗି କିଛି ତଥ୍ୟ ଦେଉଥିଲା। କିନ୍ତୁ କୁମାର ହସନଙ୍କ ଉପନ୍ୟାସ “ବୁଡି ଅଞ୍ଚଳ”, ଅନୀତା ଅଗ୍ନିହୋତ୍ରୀଙ୍କ ଉପନ୍ୟାସ “ମହାନଦୀ” (ଅନୁବାଦ: କ୍ଷୀରୋଦ ପରିଡା) ଓ ନିଗମାନନ୍ଦ ଷଡଙ୍ଗୀ – ରଞ୍ଜନା ପାଢୀଙ୍କ “ଗାଁ ଛାଡ଼ିବୁ ନାହିଁ” ପ୍ରବନ୍ଧ ସଙ୍କଳନ ଜାଣିବାର ଆଗ୍ରହକୁ ପୂରଣ କରୁଛି।
ଜାତୀୟ ବିକାଶର ସ୍ଵପ୍ନ
ନିଗମାନନ୍ଦ
ଷଡଙ୍ଗୀ – ରଞ୍ଜନା ପାଢୀଙ୍କ “ଗାଁ
ଛାଡ଼ିବୁ ନାହିଁ” ପ୍ରବନ୍ଧ ସଙ୍କଳନରେ ଜାତୀୟ ବିକାଶର ସ୍ଵପ୍ନ ନେଇ କାର୍ଯ୍ୟ କରୁଥିବା ଅଥବା
ଲୋକଙ୍କ ବିରୋଧ ହେତୁ ବନ୍ଦ ରହିଥିବା ଦଶଟି ପ୍ରକଳ୍ପ ଓ ଲୋକଙ୍କ ପ୍ରତିବାଦର ଗବେଷଣାତ୍ମକ
ପ୍ରବନ୍ଧ ପ୍ରକାଶ ପାଇଛି। ସେଗୁଡିକ ହେଲା ହୀରାକୁଦ, ରେଙ୍ଗାଲି ବନ୍ଧ
ଯୋଜନା, ଗନ୍ଧମାର୍ଦ୍ଧନ ବକ୍ସାଇଟ ଖଣି ପ୍ରସ୍ତାବ, ଗୋପାଳପୁରରେ ଟାଟା କମ୍ପାନୀ ପ୍ରକଳ୍ପ ପ୍ରସ୍ତାବ,
ଚିଲିକାରେ ଟାଟା କମ୍ପାନୀର ଚିଙ୍ଗୁଡି ଚାଷ ପ୍ରସ୍ତାବ, କାଶୀପୁରରେ
ଆଦିତ୍ଯ ବିରଳା, ନିୟମଗିରିରେ ବେଦାନ୍ତ,
କଳିଙ୍ଗ ନଗରରେ ଟାଟା ଓ ଢିଙ୍କିଆରେ ପୋସ୍କୋ କମ୍ପାନୀର ପ୍ରସ୍ତାବ ବିରୁଦ୍ଧରେ ଲୋକଙ୍କ ପ୍ରତିବାଦ
ଓ ରାଷ୍ଟ୍ର ଦମନ ସମ୍ପକରେ ବର୍ଣ୍ଣନା ରହିଛି। ଏହି ସଂକଳନ ମଧ୍ୟରେ ହୀରାକୁଦ ବନ୍ଧ ନିର୍ମାଣ ଓ
ଲୋକଙ୍କ ପ୍ରତିବାଦ ଏହାର ପ୍ରଥମ ପ୍ରବନ୍ଧ।
ପୁସ୍ତକରେ
ପ୍ରକାଶିତ ତଥ୍ୟ ଅନୁସାରେ,
ଓଡିଶାରେ ହୀରାକୁଦ ବନ୍ଧ ନିର୍ମାଣ ପ୍ରକଳ୍ପର ପ୍ରସ୍ତାବ ଅଧିକ ଚର୍ଚ୍ଚାକୁ ଆସିଥିଲା ୧୯୩୭
ମସିହାର ଉପକୂଳରେ ବନ୍ୟାର ଠିକ ପରେ। ବିଶ୍ଵଯୁଦ୍ଧ ପରେ ପରେ ବନ୍ଧ ନିର୍ମାଣ କାମ ଲାଗି ବ୍ରିଟିଶ
ସରକାର ଭିତ୍ତି ସ୍ଥାପନ କରିଥିଲେ। ଭାରତ ସ୍ଵାଧୀନ ହେବା ପରେ ପୁଣି ଥରେ ତତ୍କାଳୀନ
ପ୍ରଧାନମନ୍ତ୍ରୀ ଜବାହାର ନେହେରୁ ଏହାର ଭିତ୍ତି ସ୍ଥାପନ କଲେ। ଜାତୀୟ ବିକାଶ ଲାଗି ଡ୍ୟାମ ଏକ
ଅପରିହାର୍ଯ୍ୟ ଅଙ୍ଗ ବୋଲି ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥିବା କଂଗ୍ରେସର ପ୍ରମୁଖ ସଦସ୍ୟମାନେ
ମନେକରୁଥିଲେ।
ମହାତ୍ମା
ଗାନ୍ଧୀଙ୍କୁ ସମ୍ବଲପୁର ଅଞ୍ଚଳରୁ ନେତୃସ୍ଥାନୀୟ ବ୍ୟକ୍ତି ତିନି ଥର ଭେଟିଛନ୍ତି ଓ ତାଙ୍କୁ
ଡ୍ୟାମକୁ ବିରୋଧ କରିବା ଲାଗି ଅନୁରୋଧ କରିଛନ୍ତି। ଡ୍ୟାମ ପରିକଳ୍ପନାକୁ ଯେ ବନ୍ଦ କରାଯିବ
ସେଭଳି କୌଣସି ପ୍ରତିଶୃତି ଗାନ୍ଧୀଜୀ ଦେଇନାହାନ୍ତି।
ଇଞ୍ଜିନିୟର
ଅଯୋଧ୍ୟାନଥ ଖୋସଲା ଆମେରିକାର ଟେନସି ଭ୍ୟାଲି ଅଥରିଟିରୁ ପାଇଥିବା ଅନୁଭୂତି ଆଧାରରେ ଯୁକ୍ତି
କରିଥିଲେ, “ମୁଁ ଅନୁଭବ କରେ ଯେ ମହାନଦୀର ବହୁମୂଖୀ ବନ୍ଧ
ଯୋଜନା ପାଇଁ ସ୍ଥାନ ଅନୁସନ୍ଧାନ ଅବିଳମ୍ବେ ହେବା ଉଚିତ। ଏଥିରେ ହିଁ ରହିଛି ଜନସାଧାରଣଙ୍କ
ବିକାଶର ପ୍ରତିଶୃତି।“ ଡ୍ୟାମର ଉଦଘାଟନ ଓ ଲୋକାର୍ପଣ ସମୟରେ ନେହେରୁ “ଏହାକୁ ଆଧୁନିକ ଭାରତର ମନ୍ଦିର”
ଆଖ୍ୟା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ,
ହରେକୃଷ୍ଣ ମହାତାବ ଇତ୍ୟାଦି ଡ୍ୟାମ ସପକ୍ଷରେ ମନ୍ତବ୍ୟ ଦେଇ କହିଥିଲେ ଯେ ହୀରାକୁଦ ଡ୍ୟାମର
ପରିସମାପ୍ତିରେ ରହିଛି ଓଡିଶାର ଆଧୁନିକ ବିକାଶର ଆରମ୍ଭ।
ନଭେମ୍ବର
୧୨, ୧୯୪୬ରେ ସମ୍ବଲପୁର ଓ ଅନ୍ଯାନ୍ଯ ଅଞ୍ଚଳରେ ଜାତୀୟ
ନେତୃବୃନ୍ଦ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ଡ୍ୟାମ ପ୍ରକଳ୍ପର ପ୍ରତିବାଦରେ ଦୁଇ ଲକ୍ଷ ଲୋକ ଏକ
ବିରାଟ ରାଲିରେ ଆସି କଲେକ୍ଟର ଅଫିସରେ ଦାବିପତ୍ର ଦେଇଥିଲେ। ସମସ୍ତଙ୍କ ମୁହଁରେ ଥିଲା, “ଚାଲରେ ଚାଲରେ ଚାଲ/ ହୀରାକୁଦକେ ଚାଲ/ ସରକାର ଯେନ ବନ୍ଧା ବାନ୍ଧୁଛେ/ ବନ୍ଦ କରମା
ଚାଲ।“
ଲୋକଙ୍କ ବିରୋଧର କୌଣସି ପ୍ରଭାବ ରାଜ୍ୟ
ସରକାରଙ୍କ ଉପରେ ପଡିନଥିଲା। ସରକାର ଆଖିବୁଜି ବନ୍ଧ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ଅକଥନୀୟ
ଦମନ ଓ ଅତ୍ୟାଚାର ଆରମ୍ଭ କରିଦେଲେ। ପୂର୍ବରୁ ବିରୋଧ କରିଥିବା ସ୍ଥାନୀୟ ନେତୃବୃନ୍ଦ ମଧ୍ୟରୁ
ବେଶ କେତେକ ନେତା ଅଚାନକ ପ୍ରକଳ୍ପ ସପକ୍ଷରେ କହିବା ଆରମ୍ଭ କରିଦେଲେ। ଲୋକେ ସେମାନଙ୍କ ଦ୍ଵାରା
ପ୍ରତାରିତ ହୋଇ ଆନ୍ଦୋଳନ ଛାଡିଦେଲେ। ଡ୍ୟାମ କାମ ଦ୍ରୁତ ଗତିରେ ଚାଲିଲା। ଏଥିରେ ଓଡିଶା ଓ ମଧ୍ୟପ୍ରଦେଶର (ପରେ ଛତିଶଗଡ) ତିନି
ଶହରୁ ଉର୍ଦ୍ଧ୍ଵ ଗାଁ ଜଳମଗ୍ନ ହୋଇଥିଲା।
ବିସ୍ଥାପିତଙ୍କ ଦୁର୍ଦ୍ଦଶା
ଇଲେକ୍ଟ୍ରିକ
ଲାଇଟ, ଫ୍ୟାନ ଓ ପ୍ଲଗର ସୁଇଚ ଟିପିଲା ମାତ୍ରେ ଆମକୁ
ମିଳୁଥିବା ସୁବିଧାମାନଙ୍କରେ ବିସ୍ଥାପିତଙ୍କ ଉଜୁଡା ଜୀବନ ନିହିତ ଅଛି। ମା’ର ଛୁଆକୁ ବଢାଇବା ପଛରେ ରହିଥିବା ବଳିଦାନ ଠାରୁ ମଧ୍ୟ ଏହା ଯଥେଷ୍ଟ ଅଧିକ। ଡ୍ୟାମ
ପଛରେ ବିସ୍ଥାପିତ ମଣିଷର ନା ଥାଏ ଇଚ୍ଛା ନା ସମର୍ଥନ। ମନ୍ଦିରର ଠାକୁରାଣୀଙ୍କ ଲାଗି ପଶୁ ବଳି
ଭଳି ନେହେରୁଙ୍କ ଆଧୁନିକ ମନ୍ଦିର ସ୍ଥାପନ ଲାଗି ସେମାନଙ୍କୁ ବଳି ଦିଆଯାଇଛି। ଆଶ୍ଚର୍ଯ୍ୟ ଯେ
ସ୍ଵାଧୀନତାର ପ୍ରଥମ ଦଶକରେ ବି ଲୋକଙ୍କ ସହମତି ଲାଗି ନିର୍ବାଚିତ ଶାସକମାନେ କେମିତି ସାମାନ୍ୟ
ଧୈର୍ଯ୍ୟ ଦେଖାଇଲେନାହିଁ!
ବିଭିନ୍ନ
ବୃହତ ପ୍ରକଳ୍ପ ହେତୁ ହେଉଥିବା ବିସ୍ଥାପିତ ମଣିଷ ନିଜର ଇଚ୍ଛା ବିରୁଦ୍ଧରେ ସେହି ସବୁ ଜିନିଷ ଓ
ସମ୍ପର୍କକୁ ହରାଇଥାଏ ଯାହା ବିସ୍ଥାପିତ ହୋଇନଥିବା ମଣିଷ ନିଜର ସମ୍ପତ୍ତି ଭାବି ଗର୍ବ କରିଥାଏ।
କୁମାର ହସନ ନିଜର ଅଙ୍ଗେ ନିଭା କଥାକୁ ନେଇ ସୃଷ୍ଟି କରିଥିବା “ବୁଡି ଅଞ୍ଚଳ” ପୁସ୍ତକରେ
ବର୍ଣ୍ଣନା କରୁଛନ୍ତି ଅନ୍ତତଃ ଏକ ଲକ୍ଷ ଲୋକ ଏହି ବିରାଟ ଡ୍ୟାମ ହେତୁ ହରାଇଥିଲେ ନିଜର ପୀଢି
ପୀଢିର ଘରବାଡି, ଜମି ଜଙ୍ଗଲ, ଧାନ ଚାଉଳ, ମୁଗ ବିରି, ବାସନ
କୁସନ, ଗାଈ ବଳଦ, ଛେଳି ମେଣ୍ଢା, ଶାବଳ କୁରାଢୀ, ମାମୁଁ ମାଇଁ,
ମାଉସୀ ମଉସା, ଅଜା ଆଈ, ପିଉସୀ ପିଉସା, ଜେଜେ ବାପା ଜେଜେ ମା’, ଗାଁ ପୋଖରୀ, ଗାଁ ମନ୍ଦିର, ଗାଁ ମଶାଣୀ, ଗାଁ
ସ୍କୁଲ, ଆମ୍ବ ତୋଟା, ନୂଆଖାଇ, ପୁଷ ପରବ ଓ ଶୀତଳଷଷ୍ଠୀ ଆହୁରି କେତେ କ’ଣ।
୧୯୫୧
ମସିହାରେ ଗାଁ ମାନଙ୍କରେ ଓଡିଶା ସରକାର ୧୪୪ ଧାରା ଜାରି କରିଦେଲେ। ଜଳମଗ୍ନ ହେବାକୁ ଥିବା
ଗାଁମାନଙ୍କରେ ମିଲିଟାରୀ ବାହିନୀ ଫ୍ଲାଗ ମାର୍ଚ୍ଚ କରିବାକୁ ଲାଗିଲେ। କିଛି ଦିନ ଆଗରୁ ବିରୋଧ
କରୁଥିବା ମୁଖିଆ ଲୋକେ ଗିରଫ ହୋଇସାରିଥିଲେ। ଦେଶ ସ୍ଵାଧୀନତା ପାଇବା ପାଞ୍ଚ ବର୍ଷ ବି ହୋଇନଥିଲା।
ଗାଁ ନାଛାଡିଲେ ଗୁଳି କରିଦିଆଯିବ ବୋଲି ଶୂନ୍ୟକୁ ବନ୍ଧୁକ ଉଠାଇ ବ୍ଲ୍ଯାଂକ ଫାୟାରିଙ୍ଗ କଲେ।
ଭୟରେ ଲୋକେ ଗାଁ ଛାଡି ଧାଇଁବା ଆରମ୍ଭ କଲେ। ଦୁଆନ ମୁଣ୍ଡାର ଗୌଣ୍ଟିଆ ଭାତ ହାଣ୍ଡି ଧରି କାନ୍ଦି
କାନ୍ଦି ଗାଁ ଛାଡି କୁଆଡେ ପଳାଇଲା ଯେ ତାପରେ ଆଉ ତାକୁ କେହି ଦେଖିନାହାନ୍ତି।
“ସୁଖବାସୀ, ଧୋବା, ଭଣ୍ଡାରୀ, କମାର, ଗଣ୍ଡା, ଝାକର, ଚୌକିଦାର, ଗଉଡ, ପୂଜାରୀ, ପୁରୋହିତମାନେ ଯେଉଁମାନେ ଗାଁ ଲୋକଙ୍କୁ ସେବା କରି ଚାଲୁଥିଲେ, ବର୍ତ୍ତନିୟା ଥିଲେ, ଯେଉଁମାନଙ୍କ ଜମିବାଡି ବୋଲି କିଛି
ନଥିଲା, ସେମାନେ ତ ଶୂନ୍ୟରେ ଉଡିଗଲେ। ସରକାର ଯେଉଁମାନଙ୍କୁ ଲରିରେ
ଜବରଦସ୍ତି ବୋହି ଆଣିଥିଲା ସେଥିରେ ବୁଡି ଅଞ୍ଚଳର ସୀମା ବାହାରେ ଘୋର ଜଙ୍ଗଲ ଭିତରେ କେଉଁ
ଅପନ୍ତରା ପାହାଡ, ପଡିଆ କି କେଉଁ ଗାଁ ପାଖରେ ଆବର୍ଜନା ଭଳି ଅଜାଡି
ଦେଇ ଆଉ କେଉଁ ଗାଁକୁ ଉଜାଡିବା ଲାଗି ଲରିଟି ଛୁଟି ଯାଇଥିଲା।“ (‘ବୁଡି ଅଞ୍ଚଳ’)
ନେତାଙ୍କ ଜାତୀୟ ବିକାଶର ସ୍ଵପ୍ନ
ଅନୀତା
ଅଗ୍ନିହୋତ୍ରୀଙ୍କ ଉପନ୍ୟାସ “ମହାନଦୀ” ର ହିମିରାଣୀ ଓ ମାଳତୀ ଦୁଇ ସାଙ୍ଗ ବସିଥିଲେ ମହୁଲ-ସହୀ।
ଏକାଠି ମହାନଦୀକୁ ଯାଇ ଗାଧୋଇବା,
ଖେଳିବା ସବୁ କିଛି। ନିଜର ଯୌବନ ବୟସରେ ବିବାହ କରିଛନ୍ତି ଓ ମା’ ବି
ହୋଇଛନ୍ତି। ଏହାପରେ ହୀରାକୁଦ ତୋଫାନ ମାଡି ଆସିଛି ମାନେଶ୍ବର ଗାଁକୁ। ହିମିରାଣୀର ବାପା କେବଳ
ଜମି ହରାଉଥିବା ହେତୁ ରହିଯାଇଛନ୍ତି ଜଳଭଣ୍ଡାର ନିକଟରେ। କିନ୍ତୁ ମାଳତିର ଶାଶୁଘର ଉଭୟ ଘର ଓ
ଜମି ହରାଇବା ହେତୁ ଏମିତି ଏକ ଲରିରେ ସେମାନଙ୍କୁ ଛାଡି ଦିଆଯାଇଛି ଜଳଭଣ୍ଡାର ଠାରୁ ଅନେକ ଦୂର
ସମ୍ବଲପୁର – ଢେଙ୍କାନାଳ ଜିଲ୍ଲା ସୀମା ବଲଣ୍ଡାର ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ମାଳଭୂମିରେ। ନଦୀ
କୂଳିଆ ଲୋକ ପାହାଡ ଭିତରେ ବଞ୍ଚିବ କେମିତି ଦେଶର ନେତାମାନେ କେବେ ଚିନ୍ତାମଧ୍ୟ କଲେ ନାହିଁ। ହିମାରାଣୀର
ପୁଅ କୁବେର ନିଜ ମା’ କୁ ସାନ୍ତ୍ଵନା ଦେବା ଲାଗି ବିସ୍ଥାପନର ଦୀର୍ଘ
ପଚାଶ ବର୍ଷ ପରେ ଖୋଜି ଖୋଜି ଆସି ପହଞ୍ଚିଛି ନିଜ ମା’ର ମହୁଲ-ସହୀ
ମାଳତୀଙ୍କ ପାଖରେ। ବଲଣ୍ଡାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛି, “ସ୍ଵାଧୀନ ଭାରତର ପ୍ରଥମ ନଦୀବନ୍ଧ ପ୍ରକଳ୍ପର
ବାସଚ୍ୟୁତ ଲୋକମାନଙ୍କୁ। ପଚାଶ ବର୍ଷ ପରେ ବି ସେମାନେ ନୂଆ ବଲଣ୍ଡାକୁ କହୁଥିଲେ କ୍ୟାମ୍ପ। ଏତେ
ବର୍ଷ ଅତିକ୍ରାନ୍ତ ହେବା ପରେ ବି ବଦଳିଯାଇ ନାହିଁ କ୍ୟାମ୍ପ ଚରିତ୍ର।“
“ଜଳଭଣ୍ଡାରର
ଚାରିପାଖର ଲୋକଙ୍କୁ ବୁହା ହେବାର ଗୋଟିଏ ଦିନ କଥା। ସକାଳର ସୂର୍ଯ୍ୟ ଉଇଁଲା। ଚଢେଇମାନେ
ପ୍ରତିଦିନ ଭଳି ସେଦିନ ବି ନିଜର ବସାରେ ଅଣ୍ଡା ଓ ଛୋଟ ଛୋଟ ଛୁଆମାନଙ୍କୁ ଛାଡି ଚାଲିଗଲେ ଖାଦ୍ୟ
ସନ୍ଧାନରେ। ଡ୍ୟାମରେ ପାଣି ଛଡ଼ାଯାଇଛି ଠିକ ସକାଳ ହେବା ପରେ। ସଞ୍ଜ ବେଳକୁ ଯେତେବେଳେ ଚଢେଇମାନେ
ଫେରିଆସୁଛନ୍ତି ସେତେବେଳେକୁ ହୀରାକୁଦ ପରିଣତ ହୋଇଯାଇଛି ଏକ ଅଗାଢ ଜଳସାଗରରେ। ଏଥର
ପକ୍ଷୀମାନଙ୍କର ଆର୍ତ୍ତ ବିଳାପ ଶୁଭୁଛି ଚାରିଆଡେ। ସେମାନେ ଖୋଜୁଛନ୍ତି ସେହି ଗଛ ମାନଙ୍କୁ
ଯେଉଁଠି ସେମାନେ ଛାଡିଯାଇଥିଲେ ନିଜ ଛୁଆ ଓ ଅଣ୍ଡାକୁ। କିଏ ବା କହିବ ସେମାନଙ୍କୁ ଯେ ନେତାଙ୍କ ଜାତୀୟ
ବିକାଶର ସ୍ଵପ୍ନ ସେମାନଙ୍କ ଛୁଆମାନଙ୍କୁ ବୁଡାଇଦେଇଥିଲା।“ (‘ମହାନଦୀ’)
ନିଜ
ଗାଁ ମାଟି, ଘର ଦ୍ଵାରା କ୍ଷେତ ଖଳା ହରାଇବା ପରେ
ବିସ୍ଥାପିତଙ୍କୁ ମିଳିଥିଲା କ୍ଷତିପୂରଣ ନାମରେ ଅଳ୍ପ କେଇଟଙ୍କା। ତାହାପୁଣି ଅଧେ ଲୋକଙ୍କୁ ମିଳିଲା
ବାକି ଲକ୍ଷେ ଲୋକଙ୍କୁ ମିଳିଲା ନାହିଁ। ନାହିଁ ନଥିବା ନିର୍ଯାତନା,
ହତାଶ, ଅସନ୍ତୋଷ, କ୍ଷୋଭ, କ୍ରୋଧଗ୍ନି ଭିତରେ କିଏ ଆତ୍ମହତ୍ୟା କରିଛନ୍ତି ତ ପୁଣି କେହି ସରକାରୀ କର୍ମଚାରୀଙ୍କୁ
ଆକ୍ରମଣ କରିଛନ୍ତି। ୧୯୫୦ର ମଧ୍ୟ ଭାଗରେ ନିର୍ଯାତନା ଦେଉଥିବା ଦୁଇ ଜଣ ତହସିଲଦାରଙ୍କୁ ଲୋକେ
ହତ୍ୟା କରିଦେଇଥିଲେ। (ବୁଡି ଅଞ୍ଚଳ/ କୁମାର ହସନ/ ପୃଷ୍ଠା ୨୫)
ଜାତୀୟ
ବିକାଶ ଲାଗି କଂଗ୍ରେସ ନେତାଗଣ ଡ୍ୟାମକୁ ଏକ ଜରୁରୀ ପଦକ୍ଷେପ ବୋଲି ମନେକରୁଥିଲେ। ଏହି ପ୍ରକାରର
ବିକାଶ ପଦ୍ଧତି ଆମେରିକା ତିରିଶ ଦଶକରେ ନିଜ ଦେଶରେ ଆରମ୍ଭ କରିଥିଲା ଓ ଏହା ହିଁ ଏକ ମାତ୍ର
ରାସ୍ତା ବୋଲି ଭାରତର ନେତାମାନେ ଅନୁଭବ କରିଥିଲେ। ଏବେ ଡ୍ୟାମର କୂଳେ କୂଳେ ଅନେକ ବଡ ବଡ
କମ୍ପାନୀ ଉଭୟ ରାଜ୍ୟରେ ରହି ଜଳଭଣ୍ଡାରକୁ ପ୍ରାୟ ଶୁଷ୍କ କରିଦେଲେଣି। ଏଥିରେ ନା ଚାଷୀ ନା
ବିସ୍ଥାପିତ କେହି ସୁବିଧା ପାଉଛନ୍ତି। ଆମେରିକୀୟ ପୁଞ୍ଜିବାଦର ଏହା ହିଁ ଦୂରଗାମୀ ଲକ୍ଷ ଥିଲା
ଯାହାକୁ ଆମ ନେତୃବୃନ୍ଦ କଳ୍ପନା କରିପାରିନଥିଲେ। ଡ୍ୟାମର ବିଷମ ପ୍ରଭାବ ଆଜି ବି ଅନୁଭୂତ ହୁଏ। ବୃହତ
ଡ୍ୟାମ ଆମ ସମାଜ ଲାଗି ଏକ ଭୂମିକମ୍ପ ଠାରୁ ଯେ ଅଧିକ ଧ୍ଵଂସକାରୀ ତାହାର ପ୍ରମାଣ ଉପରୋକ୍ତ ତିନି
ପୁସ୍ତକ।

No comments:
Post a Comment