Wednesday, April 22, 2026

ବିବିଧତାରେ ଏକତାରୁ ଏକରୂପ



ଦେବ ରଞ୍ଜନ

        ଭାରତୀୟ ଜାତୀୟତାର ପ୍ରମୁଖ ସ୍ଲୋଗାନ ଥିଲା ବିବିଧତାରେ ଏକତାଅର୍ଥାତ ଭାରତୀୟ ସମାଜରେ ଅନେକ ପ୍ରକାରର ସଂସ୍କୃତି, ଧାର୍ମିକ ବିଶ୍ଵାସ ଓ ପରମ୍ପରା ରହିଥିଲେ ମଧ୍ୟ ଭାରତୀୟ ଜାତୀୟତା ପ୍ରସଙ୍ଗରେ ସମସ୍ତେ ଏକାଠି ହେବାର ଆହ୍ଵାନ ଦିଆଯାଉଥିଲା। ମିଲେ ସୁର ମେରା ତୁମ୍ହାରାର ସ୍ଵପ୍ନ ଥିଲା।

        ଏଥିରେ ପ୍ରତ୍ଯେକ ଧାରା ବା ସ୍ଵରର ପ୍ରାଧାନ୍ଯ ଥିଲା ନହେଲେ ସୁର ବନେ ହମାରା ଅସମ୍ଭବ ହେବ ବୋଲି କୁହାଯାଉଥିଲା। ସମ୍ବିଧାନରେ ପ୍ରସ୍ତାବ ରହିଲା ଯେ ସେହି ସମସ୍ତ ଧାରାର ସୁରକ୍ଷା କରିବା ହେଲା ନିର୍ବାଚିତ ସରକାରଙ୍କ ଦାୟିତ୍ଵ। ଏହାକୁ ସରକାରଙ୍କ ଦ୍ଵାରା ପାଳନ କରାଯାଉନଥିଲା। ପାଳନ କରିବା ଲାଗି ବିଭିନ୍ନ ରାଜନୈତିକ ଧାରା ସରକାରଙ୍କୁ ବାଧ୍ୟ କରୁଥିଲେ।

        ନବେ ଦଶକରେ ଭାରତୀୟ ସାମାଜିକ ଅର୍ଥନୈତିକ ଓ ରାଜନୀତି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଲା। ଏହି ଦଶକର ଆରମ୍ଭରେ ଆର୍ଥିକ ସଂସ୍କାର ନାମରେ ଦେଶର ଅର୍ଥନୀତିର କର୍ପୋରେଟକରଣ, ହିନ୍ଦୁ ଜାତୀୟତା ନାମରେ ରାମ ମନ୍ଦିର ଲାଗି ଆଡବାଣୀଙ୍କ ରଥଯାତ୍ରା, ମଣ୍ଡଳ କମିଶନର ସ୍ଥାପନ ଓ ଟଙ୍କିକିଆ ଚାଉଳର ଆରମ୍ଭ (ଏନଟି ରାମରାଓ ଙ୍କ ଦ୍ଵାରା) ଏକାସାଥିରେ ହୋଇଥିଲା।

        ଏହା ହିନ୍ଦୁ ଜାତୀୟତାବାଦକୁ ବଳିଷ୍ଠ କରିବା ଲାଗି ଉପଯୁକ୍ତ ସୁଯୋଗ ଆଣିଲା। କର୍ପୋରେଟକରଣ ହେତୁ ଗୋଟିଏ ପଟରେ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଦୁର୍ବଳ ହେବା ବେଳେ ହିନ୍ଦୁ ଜାତୀୟତାବାଦର ପ୍ରତୀକ ଭାବରେ “ଜୟ ଶ୍ରୀରାମ” ଧ୍ୱନି ସେମାନଙ୍କ କ୍ଷୋଭକୁ ଭିନ୍ନ ଆଡକୁ ନେଲା। ଦେଶର ବିବିଧତା ବିରୁଦ୍ଧରେ ହିନ୍ଦୁ ଜାତୀୟତାବାଦକୁ ସରକାରୀ ଉଦ୍ୟମରେ କ୍ରମଶଃ ବଳିଷ୍ଠ କରାଗଲା।

ବିବିଧତାର ମେଳଣ

        ଦୀର୍ଘ ବର୍ଷର ବ୍ଯବଧାନରେ ପୁରୀ ଜିଲ୍ଲା ହରିରାଜପୁରରେ ଅନୁଷ୍ଠିତ ପଞ୍ଚୁଦୋଳ ଦେଖିବାର ସୁଯୋଗ ମିଳିଥିଲା। ଏହି ପଞ୍ଚୁଦୋଳ ମେଳଣ ପୁରୀ ଜିଲ୍ଲାର ଏକ ଗଣପର୍ବ ଭାବରେ ବେଶ କିଛି ଶହ ବର୍ଷ ହେଲା ବିଭିନ୍ନ ସ୍ଥାନରେ ପାଳନ ହୋଇଆସୁଛି। ଜଟଣୀ ନିକଟସ୍ଥ ହରିରାଜପୁରର ସୋମନାଥ ଦେବଙ୍କ ମନ୍ଦିର ସାମ୍ନାରେ ରହିଥିବା ବିରାଟ ପଡିଆରେ ଅନ୍ଯୁନ ୮୦ ପାଖାପାଖି ବିଭିନ୍ନ ଗ୍ରାମର ଠାକୁର ଓ ଠାକୁରାଣୀମାନେ ଚୈତ୍ର ଶୁକ୍ଲ ପକ୍ଷ ପଞ୍ଚମ ଦିନରେ ଏକାଠି ହୋଇଥାନ୍ତି। ସେମାନଙ୍କୁ ବିଭିନ୍ନ ଗ୍ରାମର ଗ୍ରାମବାସୀ ବିମାନରେ ସେହି ସ୍ଥାନକୁ ଆଣିଥାନ୍ତି ଓ ପୁଣି ପାଞ୍ଚ ଦିନ ପରେ ନିଜ ନିଜ ଗ୍ରାମକୁ ନେଇଯାଇଥାନ୍ତି।

        ଦୀର୍ଘ ପଇଁଚାଳିଶ ବର୍ଷ ତଳେ ଏହାକୁ ପ୍ରଥମେ ଦେଖିବାର ସୁଯୋଗ ମିଳିଥିଲା। ମୋତେ ବିମାନ ଗୁଡିକ ସେ ସମୟରେ ବେଶ ବଡ ଲାଗୁଥିଲା । କାରଣ ସେତେବେଳେ ମୁଁ ପିଲା ଥିଲି। ସେ ସମୟରେ ମୁଁ ଦେଖିଥିଲି ଯେ ବିମାନ ମଧ୍ୟରେ ଗ୍ରାମ ଠାକୁର ବା ଠାକୁରାଣୀ ମାନଙ୍କୁ ସେମାନଙ୍କ ପିଣ୍ଡି ଉପରେ ଧାଡି ହୋଇ ବସାଇଦିଆଯାଇଥାଏ। ଦିନ ସାରା ବିଭିନ୍ନ ଗ୍ରାମରୁ ଆସିଥିବା ଲୋକେ ନିଜେ ନିଜେ ଅବିର ବା ଫଗୁ, ଫୁଲ, ଆମ୍ବ, ଗୁଡ, ଚଣା ଓ ଦୀପ ପ୍ରତି ପିଣ୍ଡିରେ ଦେଇ ଚାଲିଥାନ୍ତି। ଏଥିଲାଗି କୌଣସି ବ୍ରାହ୍ମଣର ଆବଶ୍ୟକତା ନାହିଁ। ୧୦ ରୁ ୧୫ ଗ୍ରାମର ଗ୍ରାମବାସୀ ଏକାଠି ଭୋଜି କରନ୍ତି। ଅନ୍ୟ ଗାଁ ବା ଦୂର ବନ୍ଧୁମାନଙ୍କ ମିଳନ ସମୟ ଥିଲା ସେହି ପଞ୍ଚୁଦୋଳ ପଡିଆ। ଗାଁ ଗାଁ ମଧ୍ୟରେ ମନୋମାଳିନ୍ୟ ଦୂର କରିବାରେ ତାହା ବହୁତ ସହାୟକ ହେଉଥିଲା। ଅନେକ ବିବାହ ପ୍ରସ୍ତାବ ଏହିଠାରେ ପଡୁଥିଲା । 

        ହରିରାଜପୁର ପଞ୍ଚୁଦୋଳ ଆରମ୍ଭ ହେବା ପଛରେ ଏକ କାହାଣୀ ମଧ୍ୟ ଅଛି। ଦିବ୍ୟସିଂହ ଚମୂପତି ଲେଖୁଛନ୍ତି,

                “ହରିରାଜପୁର ଗ୍ରାମର ବାବାଜୀ ଗୋବର୍ଦ୍ଧନ ଦାଶ ଓ ଗ୍ରାମର ବିତ୍ତଶାଳୀ ନିତେଇ ସାହୁ ନୂଆ ରଥଯାତ୍ରା ପୁରୀରେ ଦେଖି ଗ୍ରାମକୁ ଫେରିବା ସମୟରେ ସୋମନାଥ ଦେବଙ୍କ ମେଳଣ କରିବା ପାଇଁ ସ୍ଥିର କଲେ। ସେମାନେ ଛୋଟ ଆଟିକା କିଣି ଗ୍ରାମର ସମସ୍ତଙ୍କ ଘରେ ଦେଲେ ଓ ରୋଷେଇ ପୂର୍ବରୁ ସେହି ଆଟିକାରେ ମୁଠାଏ ଲେଖାଏଁ ଚାଉଳ ପକାଇବାକୁ ଅନୁରୋଧ କଲେ। ପ୍ରତି ସପ୍ତାହରେ ସେହି ଚାଉଳକୁ ସଂଗ୍ରହ କରି ପ୍ରଥମେ ପାଞ୍ଚଟି ବିଗ୍ରହକୁ ନେଇ ପଞ୍ଚୁଦୋଳ ଯାତ୍ରା ୧୬୩୭ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା“ (‘ରଥିପୂର କଟକ: ଏକ ଐତିହାସିକ ଅଧ୍ୟୟନ’, ଲେଖକ : ଦିବ୍ୟସିଂହ ଚମୂପତି)  

        ଲେଖକ କିନ୍ତୁ ଗୋବର୍ଦ୍ଧନ ଦାଶ ଓ ନିତେଇ ସାହୁଙ୍କ ଧାର୍ମିକ ବିଶ୍ବାସ ଓ ପଞ୍ଚୁଦୋଳ ଆରମ୍ଭ କରିବା ପଛରେ ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି। ଏହାର ଉତ୍ତର ଜାଣିବା ଲାଗି ଜଣେ ବନ୍ଧୁଙ୍କ ସହାୟତାରେ ମୁଁ ପହଞ୍ଚିଥିଲି ଜଟଣୀ ନିବାସୀ ଶିକ୍ଷକ ନେତା ତଥା ଲେଖକ ତ୍ରିଲୋଚନ ମହାପାତ୍ରଙ୍କ ନିକଟରେ। ତାଙ୍କ କହିବା ଅନୁସାରେ ବିଭିନ୍ନ ରାଜା ଓ ଜମିଦାରଙ୍କ ଦ୍ଵାରା ନିକଟବର୍ତ୍ତୀ ଗ୍ରାମମାନଙ୍କରେ ଅନେକ ମନ୍ଦିର ତିଆରି ହୋଇଥିଲାସେହିମାନେ ପୁଣି ବିଭିନ୍ନ ଜାତିର ଲୋକ ଯଥା ମାଳି, ଧୋବା, ବାରିକ ଗୁଡିଆ ଓ ବ୍ରାହ୍ମଣ ଆଦିର ଲୋକଙ୍କୁ ଜମି ଦେଇ ମନ୍ଦିରର ବିଭିନ୍ନ କାର୍ଯ୍ୟରେ ନିଯୋଜିତ କରିଥିଲେ। ମନ୍ଦିର ମାଧ୍ୟମରେ ଜାତିପ୍ରଥାକୁ ଆନୁଷ୍ଠାନିକ ରୂପ ଦିଆଯାଇଥିଲା। ସେଥିରେ ଅଛୁଆଁ ବର୍ଗକୁ ସାମିଲ ନକରି ସେମାନଙ୍କୁ ସମାଜ ଠାରୁ ଦୂରକୁ ପଠାଇ ଦିଆଯାଉଛି। ହେଲେ ପଞ୍ଚୁଦୋଳ ମେଳଣ ସମୟରେ ଜାତିପ୍ରଥାରେ ଚିହ୍ନ ରହି ନାହିଁ। ସେ ପିଲାବେଳୁ ଦେଖିଆସୁଛନ୍ତି ଯେ ରାଧାକୃଷ୍ଣ, ହରପାର୍ବତୀ ଓ ଅନେକ ଗ୍ରାମଦେବୀ ଏହି ମେଳଣରେ ସାମିଲ ହୋଇଥାନ୍ତି।

ଜାତିବାଦ ବିରୁଦ୍ଧରେ ଧାର୍ମିକ ପ୍ରତିବାଦ

        ପ୍ରାୟତଃ ଶ୍ରୀ ଚୈତନ୍ୟଙ୍କ ପୁରୀ ଆସିବା ପରେ (ଖ୍ରୀଷ୍ଟାବ୍ଦ ୧୫୧୦) ଉପକୂଳ ଅଞ୍ଚଳରେ ବୈଷ୍ଣବ ପରମ୍ପରା ପ୍ରସାରିତ ହୋଇଥିଲା। ଏହା ପୂର୍ବରୁ ବ୍ରାହ୍ମଣ ଓ ରାଜା ଜମିଦାରଙ୍କ ଆଧିପତ୍ୟ ଧର୍ମ ମଧ୍ୟରେ ଥିଲା। କିନ୍ତୁ ବୈଷ୍ଣବ ପରମ୍ପରା ପ୍ରସାରିତ ହେବା ପରେ ଅନେକ ଗ୍ରାମରେ ରାଧାକୃଷ୍ଣ ମନ୍ଦିର ତିଆରି ହୋଇଛି। ସେ ସମୟକୁ ବୌଦ୍ଧ ଧର୍ମ ଉପକୂଳ ଅଞ୍ଚଳରେ ବିଲୁପ୍ତ ହେବାକୁ ବସିଥିଲା। ଚୈତନ୍ୟଙ୍କ ଆସିବା ପରେ ଭଗବାନଙ୍କୁ କେବଳ ପୁରୁଷ ଭାବରେ ନଦେଖି ପ୍ରକୃତି ଓ ପୁରୁଷ ଉଭୟଙ୍କୁ ପୂଜା କରିବାର ପରମ୍ପରା ଗ୍ରହଣୀୟ ହେଲା।

        ରାଧାକୃଷ୍ଣ, ହରପାର୍ବତୀ, ସୀତାରାମ ଭାବେ ଭଗବାନ ପରିଚିତ ହେଲେ। ଉଭୟ ନାରୀ ଓ ପୁରୁଷର ପ୍ରାଧାନ୍ୟ ରହିଲା। ଭୀମଭୋଇ ମଧ୍ୟ ଲେଖୁଛନ୍ତି, “ମାଈ ଅଣ୍ଡିରା ଦୁଇ ଅଙ୍ଗେ ଅଛ/ଆପେ ଚତୁର ଉଦାର ହୋଇଛ ହେ” (ଭଜନମାଳା) ଶାକ୍ତ, ଶୈବ,ଓ ବିଷ୍ଣୁ ଧାରାର ବିଶ୍ଵାସୀଙ୍କୁ ଏକାଠି କରିବା ଲାଗି ବିଭିନ୍ନ ଉଦ୍ୟମ ଯଦି ସେହି ସମୟରେ ହେଉଥିବ ତେବେ ପଞ୍ଚୁଦୋଳ ସେ ଦିଗରେ ଏକ ଉଦ୍ୟମ ହୋଇଥାଇପାରେ। ପୁରୀ ଜିଲ୍ଲାର ବଳଗାଁ, ଚାଁଦପୁର ଇତ୍ୟାଦି ଗ୍ରାମରେ ଦୋଳ ମେଳଣ ଏହି ସମୟରେ ଆରମ୍ଭ ହୋଇଛି।

        ହରିରାଜପୁର ମେଳଣ ଆରମ୍ଭ ହେଉଛି ଚୈତନ୍ୟଙ୍କ ଦେହାନ୍ତର ଠିକ ଶହେ ବର୍ଷ ପରେ। ତେଣୁ ଜାତିପ୍ରଥାର ବିଲୋପ କରିବା, ଧର୍ମକୁ ଅଣଅନୁଷ୍ଠାନିକ ରୂପରେ ଦେଖିବା ଓ ସମସ୍ତଙ୍କ ମଧ୍ୟରେ ଭାଇଚାରା ଆଣିବା ଲାଗି ପଞ୍ଚୁଦୋଳର ପରିକଳ୍ପନା ହୋଇଥାଇପାରେ। ସେ ସମୟକୁ ଉଭୟ ମୁସଲମାନ ଓ ଖ୍ରୀଷ୍ଟିୟାନମାନେ ମଧ୍ୟ ଆମ ସମାଜକୁ ଆସିଯାଇଛନ୍ତି। ଦଳିତ ବର୍ଗକୁ ଗାଁ ମଧ୍ୟରେ ଅଛୁଆଁ କରି ରଖାହୋଇଛି।  ଅଥଚ ବିମାନରେ ଠାକୁରଙ୍କ ମୂର୍ତ୍ତିକୁ ସମସ୍ତଙ୍କୁ ଛୁଇଁବାର ସୁଯୋଗ ଦେବା ସେ ସମୟ ଲାଗି ବହୁତ ବଡ ନିଷ୍ପତ୍ତି।

        ଶ୍ରୀଯୁକ୍ତ ମହାପାତ୍ରଙ୍କ କହିବା ହେଲା ଯେ କ୍ରମଶଃ ପଞ୍ଚୁଦୋଳ ଏକ କୃଷି ବଜାରରେ ପରିଣତ ହୋଇଛି। ଏଠାରେ ବହୁତ ବଳଦମାନଙ୍କ କିଣାବିକା ହେଉଥିଲା। କୃଷି ଉପକରଣ, ଗ୍ରାମୀଣ ଘରୋଇ ଉପକରଣ ଦୀର୍ଘ ମାସେ କାଳ ଉପଲବ୍ଧ ହେଉଥିବା ହେତୁ ଲୋକେ ପ୍ରତିବର୍ଷ ଏହି ସମୟକୁ ଅପେକ୍ଷା ମଧ୍ୟ କରୁଥିଲେ। ସେ ସ୍ଵୀକାର କରୁଛନ୍ତି ଯେ ଗଲା କିଛି ବର୍ଷ ମଧ୍ୟରେ ବେଶ କିଛି ପରିବର୍ତ୍ତନ ଆସିଛି।

ଏକରୂପତାର ଛାୟା

        ଏବେ ପଞ୍ଚୁଦୋଳରେ ମୁଁ ଦେଖିଲି ଯେ ବଳଦ କିଣା ବିକା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହା ପଛରେ ରହିଛି ରାଜନୈତିକ ବିବାଦ। ମେଳାରେ ଅନେକ କମ୍ପାନୀ ନିଜର ଅସ୍ଥାୟୀ ଶୋରୁମ ଖୋଲିଛନ୍ତି। ମେଳଣର ମଝିରେ ଏକ ବଡ ପେଣ୍ଡାଲ ତିଆରି ହୋଇଛି। ଏଥିରେ ଭଜନ କାର୍ଯ୍ୟକ୍ରମ ଚାଲିବା ସହିତ ଅତି ଉଚ୍ଚ ସ୍ଵରରେ ଜୟ ଶ୍ରୀରାମ ଧ୍ୱନି ଅତ୍ୟଧିକ ଭାବରେ ଶୁଣିବାକୁ ମିଳୁଛି।

        ପରିଚାଳନା କମିଟିରେ ରାଜନୈତିକ ଦଳର ବ୍ୟକ୍ତି ମଧ୍ୟ ଧୀରେ ଧୀରେ ସ୍ଥାନ ପାଇବା କଥା ମହାପାତ୍ର ବାବୁ କହୁଥିଲେଏକ ନିର୍ଦ୍ଦିଷ୍ଟ ରଙ୍ଗର ପତାକା ବିଶେଷ ଭାବରେ ଉଡୁଥିବା ଦେଖିବାକୁ ମିଳୁଛି। ଏହି କ୍ରିୟା ଯଦି ଚାଲେ ତେବେ ମୋର ଅନୁମାନ ଆଗାମୀ ଦିନରେ ସବୁ ଜାତି ଓ ଧର୍ମର ଲୋକଙ୍କୁ ଯେଉଁ ପ୍ରବେଶ କରିବାର ସୁଯୋଗ ଓ ବିଗ୍ରହକୁ ଛୁଇଁବାର ସୁଯୋଗ ମିଳୁଥିଲା ତାହା ବେଶୀ ଦିନ ମିଳିବ ନାହିଁ। ପୁଣି ବ୍ରାହ୍ମଣଙ୍କ ହାତକୁ ଏହା ଚାଲିଯିବ ଯାହା ପୁରୀର ରଥଯାତ୍ରାରେ ହୋଇଛି। ରଥ ଉପରେ ତିନି ମୂର୍ତ୍ତିଙ୍କୁ ଛୁଇଁବାର କେତେ ଶହ ବର୍ଷର ପରମ୍ପରାକୁ ଶଙ୍କାରାଚାର୍ଯ୍ୟ ଓ କୋର୍ଟଙ୍କ ନିର୍ଦ୍ଦେଶ ଆଳରେ ବହୁତ ଚାଲାକିରେ ୨୦୧୪ ମସିହାରୁ ବନ୍ଦ କରିଦିଆଯାଇଛି।

        ଗଲା କିଛି ବର୍ଷ ହେଲା ସରକାରୀ ଦଳ ସହାୟତାରେ ସମଗ୍ର ଦେଶରେ ଯେଉଁଭଳି ଏକ ପ୍ରକାରର ରାମନବମୀ ପାଳିତ ହେଉଛି – ସମାନ ରଙ୍ଗର ପତାକା, ସମାନ ମୂର୍ତ୍ତି, ସମାନ ରାମ ଓ ହନୁମାନଙ୍କ ଚେହେରା ସମାନ ପ୍ରକାର ବାଇକ ରାଲି ଓ ପ୍ରୋଶେସନ – ସେଥିରୁ ଏହି ଧାରଣା ଆସୁଛି ଯେ ଏହା ହିଁ ଆଗାମୀ ଦିନରେ  ଏକମାତ୍ର ପରମ୍ପରା ହୋଇ ରହିବ।

        ସମଗ୍ର ଦେଶରେ ରାମଙ୍କ ଉଗ୍ର - କ୍ଷତ୍ରିୟ - ଯୋଦ୍ଧା - ପୁରୁଷ ଚେହେରାକୁ ହିନ୍ଦୁ ଜାତୀୟତାବାଦର ଚେହେରା କରାଯାଉଛି। ପ୍ରକୃତରେ ଏହା ଏକ ପ୍ରକାରର ମାନସିକ ଖେଳ। ହିନ୍ଦୁତ୍ଵ ନିଜକୁ ଯୁକ୍ତି ଯୁକ୍ତ କରିବା ଲାଗି ଅନେକ ପ୍ରକାରର ଭାବପ୍ରବଣାତ୍ମକ କାହାଣୀ ସୃଷ୍ଟି କରୁଛି। କିନ୍ତୁ ତାହା ନିଶ୍ଚିତ ଭାବରେ ହିନ୍ଦୁତ୍ଵ ଏକଛତ୍ରବାଦର ପ୍ରତୀକ

        ଦେଶରେ ଆଜି ବିବିଧତାକୁ ଆମର ଦୁର୍ବଳତା ବୋଲି ପ୍ରଚାର ହେଉଛି। ଅନେକ ସ୍ଵର ମିଶି ସୁନ୍ଦର ରାଗ ତିଆରି ହେଉଥିଲା। ଏବେ ଗୋଟିଏ ପ୍ରକାର ସ୍ଵର ଶୁଣିବା ଲାଗି ବାଧ୍ୟ କରାଯାଉଛି। ଦେଶରେ ଏହି ପ୍ରକ୍ରିୟା ଦୀର୍ଘ କାଳ ଚାଲିଲେ ଶହ ଶହ ବର୍ଷ ହେଲା ଚାଲିଆସିଥିବା ପଞ୍ଚୁଦୋଳ ଭଳି ଅନେକ ଜାତିପ୍ରଥା ବିରୋଧୀ ବିବିଧ ପରମ୍ପରା ତାହାର ଗୁରୁତ୍ଵ ହ୍ରାସ କରିବ  ଓ ସେହି ସ୍ଥାନରେ ଉଗ୍ର ଜାତିବାଦ ପୁଣି ଫେରିଆସିବ

        ଦେଶରେ ଏହି ପ୍ରକ୍ରିୟା ଅବଶ୍ୟ ଆରମ୍ଭ ହୋଇସରିଲାଣି ଓ ଆମେ ଅଧିକ ଖରାପ ସମୟ ଆଡକୁ ଯାଇସାରିଲେଣି

ମୋବାଇଲ : 9437762272 

No comments:

Post a Comment