ଦେବ
ରଞ୍ଜନ
ଜଣେ ଲେଖକର ମୃତ୍ୟୁ ଦୁଇ ଥର ହୋଇଥାଏ। ପ୍ରଥମ
ମୃତ୍ୟୁ ଯାହା ସ୍ଵାଭାବିକ। କିନ୍ତୁ ଦ୍ଵିତୀୟ
ମୃତ୍ୟୁ ହୁଏ ଯେତେବେଳେ ତାହାର ଲେଖା ବା ସୃଷ୍ଟିକୁ ନେଇ କୌଣସି ଚର୍ଚ୍ଚା ସମାଜରେ ହୁଏ ନାହିଁ ।
ଏହା ହିଁ ଆଜି ହୋଇଛି ଲେଖକ ରବୀନ୍ଦ୍ର ପ୍ରସାଦ ପଣ୍ଡାଙ୍କ କ୍ଷେତ୍ରରେ।
ରବୀନ୍ଦ୍ର
ପଣ୍ଡାଙ୍କ ମୃତ୍ୟୁ ଏହି ନିକଟରେ ହୋଇଗଲା। ଆମର ସାହିତ୍ଯ ସମାଜରେ ଅନ୍ତତଃ ତାଙ୍କର ମୃତ୍ୟୁ
ସମୟରେ ତାଙ୍କର କୃତୀକୁ ନେଇ କୌଣସି ଆଲୋଚନା ନାହିଁ। ଅଥଚ ଦିନ ଥିଲା ଯେତେବେଳେ ତାଙ୍କ ଦ୍ଵାରା
ଲିଖିତ ‘ବାଟ ହୁଡି ବାଟ ଖୋଜି’ ପୁସ୍ତକ ଓଡିଆ ପାଠକ ମହଲରେ ବେଶ ଆଦୃତ ଥିଲା। ମହାବାତ୍ୟା ପୂର୍ବରୁ ପ୍ରକାଶ ପାଇଥାଏ ସେହି ପୁସ୍ତକ। ପରେ ସେହି ପୁସ୍ତକ ମୁଁ
ଅନେକଙ୍କ ବହି ଆଲମୀରାରେ ଦେଖିଛି।
ଆଜି
ଯେଉଁ ଓଡିଆ ଅସ୍ମିତାକୁ ନେଇ ଆଲୋଚନା ହେଉଛି କହିବାକୁ ଗଲେ ତାହାର ଭିତ୍ତିଭୂମି ତିଆରି ଥିଲେ
ରବୀନ୍ଦ୍ର ପଣ୍ଡା ସେହି ପୁସ୍ତକ ମାଧ୍ୟମରେ। ଅବଶ୍ୟ ସେ ସ୍ବାଭିମାନୀ ଆତ୍ମନିର୍ଭରଶୀଳ ଓଡିଆ
ଅସ୍ମିତାର କଥା ସେଥିରେ ସେ କହିଛନ୍ତି। ଇତିହାସକୁ ଆଦୌ ମହିମାନ୍ଵିତ କରି ସେ ଦେଖିନାହାନ୍ତି।
ଖାରବେଳଙ୍କ ଠାରୁ ଚୈତନ୍ୟଙ୍କ ଆଗମନ ପର୍ଯ୍ୟନ୍ତ ସାଧାରଣ ଓଡିଆ ବୁଦ୍ଧିଜୀବୀର ରଜା ଓ ଧର୍ମଯାଜକଙ୍କ
ପ୍ରତି ରହିଥିବା ଆନୁଗତ୍ୟକୁ ସେ ବାରମ୍ବାର ଭର୍ତ୍ସନା କରିଛନ୍ତି ସେହି ପୁସ୍ତକରେ।
ନିଜର ଲେଖା ଲାଗି ଜେଲ ଯିବା ଓଡିଆ ସାହିତ୍ଯରେ
ବିରଳ। ରବୀନ୍ଦ୍ର ପଣ୍ଡା କିନ୍ତୁ ଗିରଫ ହୋଇ ଜେଲ ଯାଇଥିଲେ ୨୦୦୮ ମସିହାରେ। ଶରତ ମହାନ୍ତି
ଯେଉଁଭଳି ପୃଥିବୀର ବିଭିନ୍ନ ସଭ୍ୟତାକୁ ନେଇ ସ୍ଵତନ୍ତ୍ର ଅଥଚ ବିସ୍ତୃତ ପୁସ୍ତକ ରଚନା କରିଥିଲେ
ସେହିଭଳି ରବୀନ୍ଦ୍ର ପଣ୍ଡା ବିଶ୍ଵର ପ୍ରତି ଧର୍ମକୁ ନେଇ ସେ କେଉଁଭଳି ତାହାକୁ ଦେଖୁଛନ୍ତି ସେ
ସମ୍ପର୍କରେ ବିସ୍ତୃତ ପୁସ୍ତକ ଲେଖୁଥିଲେ। ଏଥିରେ ସଂସ୍କାର ଆଣିବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେ
ମଧ୍ୟରୁ ହୁଏତ ସେ ବୌଦ୍ଧଧର୍ମ ଓ ଖ୍ରୀଷ୍ଟଧର୍ମ ଉପରେ ଲେଖିସାରିବା ପରେ ପୁଣି ଇସଲାମ ଧର୍ମ ଉପରେ
ବିସ୍ତୃତ ପୁସ୍ତକ ଲେଖିଥିଲେ। ସମସ୍ଯା ହୋଇଗଲା ଯେ ସେ ଅନ୍ୟ ଧର୍ମର ମୁଖ୍ୟଙ୍କ ଭଳି ହଜରତ
ମହମ୍ମଦଙ୍କ ଫୋଟୋ ସେ ସେହି ପୁସ୍ତକର କଭର ପୃଷ୍ଠାରେ ରଖିଥିଲେ। ଏହା କ’ଣ ଏତେବଡ ଅପରାଧ ଥିଲା? ‘
ଇସଲାମରେ
ମୂର୍ତ୍ତି ପୂଜାକୁ ବାରଣ କରାଯାଇଛି। ମହମ୍ମଦଙ୍କ ଫୋଟୋ କୌଣସି ମସଜିଦ ବା ମୁସଲମାନଙ୍କ ଘରେ
ଦେଖିବାକୁ ମିଳେନାହିଁ। କିନ୍ତୁ ରବୀନ୍ଦ୍ର ପଣ୍ଡାଙ୍କ ଭଳି ଜଣେ ନାସ୍ତିକ କ୍ଷେତ୍ରରେ ତାହା ବି
କଣ ପ୍ରଯୁଜ୍ୟ? ହେଲେ ସେ ସମୟର ଇସଲାମ
ଧର୍ମାବଲମ୍ବୀ କେତେକ ମୌଳବାଦୀଙ୍କ ଅଭିଯୋଗ କ୍ରମେ ଓଡିଶା ପୋଲିସ ରବୀନ୍ଦ୍ର ପଣ୍ଡାଙ୍କୁ ତାଙ୍କର
କଲିକତା ଘରୁ ଗିରଫ କରି ଚୌଦ୍ବାର ଜେଲକୁ ନେଇ ଆସିଥିଲା। ଗିରଫ ସମୟରେ ତାଙ୍କର ବୟସ ଥିଲା
ବାସ୍ତରୀ ବର୍ଷ।
ଜେଲରୁ
ଜାମିନରେ ଫେରିବା ପରେ ସେ ଲେଖିଥିଲେ, “ଚୌଦ୍ବାର ଜେଲରେ
ପାଞ୍ଚରାତି” ପୁସ୍ତକ। ସେଥିରେ ସେ ଏହି ପ୍ରଶ୍ନ ମଧ୍ୟ କରିଥିଲେ ଯାହାର ଉତ୍ତର କେହି ଦେଇନଥିଲେ। ସେ ଲେଖିଛନ୍ତି, “କଟକର ଲାଲବାଗ
ଥାନାରେ ପ୍ରଥମ ଏତଲା ପରେ ପୁଣି ଏତଲା ପଡି ଚାଲିଲା ଅନେକ ସ୍ଥାନରେ। କିନ୍ତୁ ଲେଖକ ଯେବେ ଗିରଫ
ହୋଇଗଲା ସବୁ ଥଣ୍ଡା ପଡିଗଲା। ତାହାହେଲେ ମୁସଲମାନଙ୍କ ଭଲ ପାଇଁ କେହି ଲେଖିବେ ନାହିଁ କି ପାଟି
ଫିଟାଇବେ ନାହିଁ? ମୁସଲମାନ ଆମପାଇଁ
ହୋଇରହିଥିବେ ଚିରକାଳ ଅସ୍ପୃଶ୍ୟ? କିନ୍ତୁ ବହି ତ ଲେଖା
ଯାଇଥିଲା ଚରିତ ବର୍ଣ୍ଣନା ପାଇଁ ନୁହେଁ ଏକେଶ୍ଵରବାଦର ସମୀକ୍ଷା ଲାଗି।“ (ପୃଷ୍ଠା ୧୩)
ସେ
ସମୟରେ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରି ଆମେ ପ୍ରତିବାଦ ଲେଖା ଖବରକାଗଜରେ
ଲେଖିଥିଲୁ। ମୋର ପ୍ରତିବାଦ ଲେଖାକୁ ‘ଅନୁପମ ଭାରତ’ ଖବରକାଗଜ ଛାପିଥିଲା। ମୁଁ ନିଶ୍ଚିତ ଥିଲି ଯେ
ଯେଉଁମାନେ କହୁଥିଲେ ଯେ ରବୀନ୍ଦ୍ର ପଣ୍ଡାଙ୍କ ନିଷ୍ପତ୍ତି ତାଙ୍କର ଧର୍ମ ବିଶ୍ଵାସ ପ୍ରତି ଆଘାତ
ଦେଲା ସେମାନେ କେହି ସେହି ପୁସ୍ତକ ପଢିନଥିଲେ। ଆଜି ବି ସେହି ପୁସ୍ତକ ଉପଲବ୍ଧ ନୁହେଁ। ବ୍ୟାଜପ୍ତ
ଡରରେ ସମସ୍ତ ପୁସ୍ତକକୁ ପ୍ରକାଶକ ନଷ୍ଟ କରିଦେଇଥିଲେ। ଏହାପରେ ସେହି ସିରିଜ ପୁସ୍ତକ ପ୍ରକାଶ
ପାଇବା ବନ୍ଦ ହୋଇଗଲା। ସମଗ୍ର ଓଡିଆ ପାଠକଙ୍କ ଲାଗି ତାହା ବଡ କ୍ଷତି ମଧ୍ୟ ଥିଲା।
ଆମେ
ଯାହା ବି ଆଜି ବିଭିନ୍ନ ଧର୍ମ ସଙ୍କ୍ରାନ୍ତରେ ଜାଣୁଛୁ ତାହା ସେହି ଧର୍ମର ବିଶ୍ଵାସୀଙ୍କ
ଦ୍ଵାରା। ଯେମିତି ଜଗନ୍ନାଥ ମନ୍ଦିର ଉପରେ ଅନେକ ସହସ୍ର ପୁସ୍ତକ ଓଡିଆ ଭାଷାରେ ରଚନା ହୋଇଛି।
ହେଲେ ସେଥିରେ ଭାବପ୍ରବଣତା ଅଧିକ ରହିଥିବା କାରଣରୁ ମନ୍ଦିରର ସଂପୂର୍ଣ୍ଣ ଇତିହାସ ସମ୍ପର୍କରେ
ଆଜି ବି ଏକ ନିର୍ଭରଯୋଗ୍ୟ ଓଡିଆ ପୁସ୍ତକ ମିଳିପାରିନାହିଁ। ସେହିଭଳି ଅନୁଷ୍ଠାନିକ ଧର୍ମ କ୍ଷେତ୍ରରେ ମଧ୍ୟ ହୋଇଛି।
ତାଙ୍କର
ଲେଖା ଶୈଳୀ କଥନ ଶୈଳୀ ସଦୃଶ, ବେଶ ସ୍ଵତନ୍ତ୍ର।
ତାଙ୍କର ବହି ପଢିଲା ବେଳେ ଲାଗିବ ଯେମିତି ସେ ପାଖରେ ବସିଛନ୍ତି ଓ ପୃଥିବୀର କୌଣସି ଏକ ଜଟିଳ
ଦର୍ଶନ ସମ୍ପର୍କରେ ଅତି ସରଳ ମଜାଳିଆ ଉଦାହରଣ ଦେଇ ତୁମ ସାମ୍ନାରେ ସେ କହୁଛନ୍ତି। ଏହା ବିଶେଷ
ଭାବରେ ଅନୁଭୂତ ହୁଏ ଉଭୟ ‘ବାଟ ହୁଡି ବାଟ ଖୋଜି’ ଓ ‘ମଧ୍ୟବିତ୍ତ
ଆତ୍ମବିଚାର’ ପୁସ୍ତକରେ। ତାଙ୍କର
ଅତି ଭାବଗମ୍ଭୀର ପୁସ୍ତକ ହେଉଛି ‘ନିୟତି ସହିତ ଅଭିସାର’। ଉଦାହରଣ ଭାବରେ
ଦେଖିଲେ ଏଥିରେ ସେ ଶିକ୍ଷାକୁ ଗୁରୁତ୍ଵ ଦେଇ ଲେଖୁଛନ୍ତି, “ପରିବାର ଭଳି, ଶ୍ରେଣୀଗୃହ ସିଭିଲ
ସୋସାଇଟିର ପ୍ରାଥମିକ ପ୍ରତିଷ୍ଠାନ ମନେହେବା ସ୍ଵାଭାବିକ ଯେ ଚେତନା ଆସେ ଶିକ୍ଷାରୁ, ଏବଂ ଚେତନାରୁ ଆସେ ପରିବର୍ତ୍ତନ ଘଟାଇବା
ସଂକଳ୍ପ,ଜୀବନଦର୍ଶନ ତିଆରି କରିବାକୁ ସାଜସରଞ୍ଜାମ।“
(ପୃଷ୍ଠା ୬୩୪)
ରବୀନ୍ଦ୍ର
ପଣ୍ଡାଙ୍କ ଜନ୍ମ ୧୯୩୭ ମସିହାରେ ଭଦ୍ରକ ଜିଲ୍ଲାରେ। ସେ ଭଦ୍ରକ ହାଇସ୍କୁଲ ଓ ରେଭେନ୍ସା କଲେଜରେ
ପଢିବା ପରେ ଭାରତ ସରକାରଙ୍କ ପ୍ରଶାସକ ଥିଲେ। ସେ ନିଜର ସରକାରୀ କାର୍ଯ୍ୟ ସମ୍ବନ୍ଧରେ ଲେଖନ୍ତି, “ଜୀବିକାର ତାଡନାରେ ଯେଉଁ ବୃତ୍ତି ଧରିଲି, ସେଥିରେ ପେଟ ପୁରିଲା ସିନା , ମାନ ରହିଲା ନାହିଁ। ଅବଜ୍ଞା ଓ ଲାଞ୍ଛନାର
ଖାଲଢିପ ପାର ହେବାକୁ ଚେଷ୍ଟା କରୁ କରୁ ଯୌବନ କେତେବେଳେ ବ୍ୟର୍ଥ ହୋଇଗଲା ଜାଣିପାରିଲି ନାହିଁ।“
(ବାଟ ହୁଡି ବାଟ ଖୋଜିର ଶେଷ ପୃଷ୍ଠା)
ମୋ
ମଧ୍ୟରେ ସେହି ପ୍ରଶ୍ନ ଅନେକ କାଳ ରହିଥିଲା ଯେ ଏହି ଭଳି ବ୍ୟକ୍ତି ଯେ ଅନ୍ୟର ଦୁର୍ବଳତାକୁ
ଦେଖାଇପାରୁଛି ସେ କେଉଁଭଳି ଭାରତ ସରକାରଙ୍କ ପ୍ରଶାସକ ଭୂମିକାରେ ଚାକିରିର ଶେଷ ପର୍ଯ୍ୟନ୍ତ
ରହିପାରିଲା? ମୋର ଏହି ପ୍ରଶ୍ନ
କବି ରାଜେନ୍ଦ୍ର ପଣ୍ଡାଙ୍କ ପ୍ରତି ମଧ୍ୟ ରହିଥିଲା। ଉଭୟ ଅନେକ ଦ୍ରୁଷ୍ଟିରୁ ସଂବେଦନଶୀଳ।
ସେମାନଙ୍କ, ବିଚାରରେ ସ୍ପଷ୍ଟତା ରହିଛି, ହିପୋକ୍ରାସି କମ, ସ୍ଵୀକାରୋକ୍ତି ଅଧିକ। ଉଭୟ ଆଜି ଦିବଙ୍ଗତ।
ଦୀର୍ଘ
ଦିନ ହେଲା ମୁଁ ଖୋଜୁଥିଲି ଯେ ରବୀନ୍ଦ୍ର ପଣ୍ଡା ଓଡିଆ ଖବରକାଗଜମାନଙ୍କରେ ଏବେ କାହିଁକି ଦ୍ରୁଶ୍ଯ
ହେଉନାହାନ୍ତି। ତାଙ୍କର ଲେଖା ଶୈଳୀ ବି ମୋତେ ଭଲଲାଗିଥିବା ହେତୁ ମୁଁ ଖୋଜୁଥାଏ। ଏବେ ତାଙ୍କର
ମୃତ୍ୟୁ ଖବର ପାଇ ମୋର ଜଣେ ପ୍ରିୟ ଲେଖକଙ୍କୁ ହରାଇଲି ବୋଲି ଜାଣିଲି।
ତାଙ୍କର ମୃତ୍ୟୁ ଦ୍ଵାରା ଓଡିଆ ସାହିତ୍ୟରେ କଥିତ
ଢାଞ୍ଚାରେ କ୍ଷମତାକୁ ସର୍ବଦା ଭର୍ତ୍ସନା କରୁଥିବା ଓ ସତ୍ୟକୁ ଉନ୍ମୋଚିତ କରୁଥିବା ଲେଖାଶୈଳୀର ମୃତ୍ୟୁ
ହୋଇଗଲା ବୋଲି ମୁଁ ମନେ କରୁଛି।
ମୋବାଇଲ : ୯୪୩୭୭୬୨୨୭୨
No comments:
Post a Comment