Wednesday, August 8, 2018

କନ୍ଧମାଳ ହିଂସାକୁ ଦଶ ବର୍ଷ


କନ୍ଧମାଳ ହିଂସାକୁ ଦଶ ବର୍ଷ
(ଗଲା ଜୁନ ମାସରେ ମୁଁ କନ୍ଧମାଳ ଯାଇଥିଲି ଦଶ ବର୍ଷ ତଳେ ବିଭିନ୍ନ ତଥ୍ୟାନୁସନ୍ଧାନ ଦଳରେ ତଥା ମୋର ବୃତ୍ତଚିତ୍ର ନିର୍ମାଣ ସମୟରେ ସାକ୍ଷାତ କରିଥିବା ସେହି ବ୍ୟକ୍ତିମାନଙ୍କୁ ପୁଣି ଭେଟିବା ଥିଲା ମୋର ଉଦ୍ଦେଶ୍ୟ ସେହି କ୍ରମର ଏହା ପ୍ରଥମ ଲେଖା )
            ଆମ ସମାଜରେ ଯେଉଁଠି ଧର୍ମାନ୍ଧମାନେ ନିଜର ସଂଖ୍ୟା ଗରିଷ୍ଠତା ସତ୍ଵେ ନିଜକୁ “ବିପନ୍ନ” ମନେ କରି ନିଜର କ୍ଷୋଭକୁ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତିରେ ମୁକ୍ତ ଭାବରେ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି ସେଠାର ସମାଜ ସାମ୍ପ୍ରଦାୟିକ ଶକ୍ତି ଦ୍ଵାରା ଯେ ପ୍ରଭାବିତ ସେଥିରେ ସନ୍ଦେହ ନାହିଁ ଏହି ଧର୍ମାନ୍ଧଙ୍କ ଉପସ୍ଥିତି ଆମ ସମୟରେ ବଢୁଥିବା ଅସହିଷ୍ଣୁତା ଓ ଅକାରଣ ବିପନ୍ନବୋଧ ଆମ ସମାଜର ମାନବିକତା ଓ ସତ୍ୟାସତ୍ୟ ଖୋଜିବାର ମାନସିକତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି କନ୍ଧମାଳ ହିଂସାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ପରିବାର ଗୁଡିକ ସତେରେ ପୁଣି ନିଜ ଗ୍ରାମକୁ ଫେରି ପାରିଲେ କି ନାହିଁ, ସେମାନଙ୍କ ପୀଢି ପୀଢିର ସଞ୍ଚୟଟିକକୁ ଧର୍ମାନ୍ଧ ହିନ୍ଦୁମାନେ ନଷ୍ଟ କରିଦେବା ପରେ ସେମାନେ ବଞ୍ଚିଛନ୍ତି କେମିତି, ସେମାନଙ୍କ ନିକଟ ସମ୍ପର୍କୀୟ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଏ ଦେଶର ଆଇନ ଦ୍ଵାରା ଦଣ୍ଡିତ ହେଲା କି ନାହିଁ ଇତ୍ୟାଦି ପ୍ରଶ୍ନ ଯଦି ସମାଜକୁ କବଳିତ କରୁନାହିଁ ତେବେ ଜଣେ ସାଧାରଣ ନାଗରିକ ଭାବରେ ଆମ ସମସ୍ତଙ୍କ ମାନବିକ ଅଧିକାର ସେହି ଧର୍ମାନ୍ଧଙ୍କ ହେତୁ ଯେ ବିପନ୍ନ ଏଥିରେ କୌଣସି ଶଙ୍କା ନାହିଁ  
            କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନିକଟସ୍ଥ ଜଳେଶପେଟା ଆଶ୍ରମ ପରିସର ମଧ୍ୟରେ  ମାଓବାଦୀ ସଂଗଠନର ବେଶ କିଛି ସଦସ୍ୟ ଲକ୍ଷ୍ମଣାନନ୍ଦଙ୍କୁ 23 ଅଗଷ୍ଟ 2008ରେ ହତ୍ୟା କରିଥିଲେ ଏହାର ଠିକ ପରଦିନ ବିଶ୍ଵ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡିଆ ତୁରନ୍ତ ଜିଲ୍ଲାରେ ପହଞ୍ଚି ନିଜ ନେତୃତ୍ବରେ ଲକ୍ଷ୍ମଣାନନ୍ଦଙ୍କ ମୃତ ଶରୀରକୁ ନେଇ ଶବ ଶୋଭାଯାତ୍ରା ଆରମ୍ଭ କରିଥିଲେ ତାହାର ପରିଣାମରେ ହତ୍ୟାର ପରଦିନ ଅର୍ଥାତ 24 ତାରିଖ ସନ୍ଧ୍ୟାରୁ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଯାଇଥିଲା ଯାହା ଅନୁମାନ କରାଯାଏ ଯେ ସେ ଏହି ହିଂସାକୁ ପ୍ରୋଶ୍ଛାହିତ କରିଥିଲେ ଓ ତାଙ୍କ ପଛରେ ସରକାରୀ କଳର ସହଯୋଗ ରହିଥିଲା ସେ ସମୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ବିଭିନ୍ନ ମନ୍ତ୍ରୀ ନିଜର ବୟାନରେ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିୟାନଙ୍କ କାର୍ଯ୍ୟ ଉଲ୍ଲେଖ କରିବା ଓ ଏ ସମସ୍ତ ହିଂସା ଘଟଣା ଘଟୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିବା ଜିଲ୍ଲାରେ ଖ୍ରୀଷ୍ଟିୟାନ ବିରୋଧୀ ହିଂସାକୁ ଦୀର୍ଘ ସ୍ଥାୟୀ କରିଦେଇଥିଲା କନ୍ଧମାଳ ହିଂସାର 10 ବର୍ଷ ମଧ୍ୟରେ ନା କେବେ ପ୍ରବୀଣ ତୋଗାଡିଆଙ୍କ ଏହି ସମ୍ବିଧାନ ବିରୋଧୀ ଭୂମିକା ତଥା ବିଜେପି ମନ୍ତ୍ରୀମାନଙ୍କ ଅପରିଣାମଦର୍ଶୀ ବୟାନ ସମ୍ପର୍କରେ କେଉଁ ବିଚାର ବିଭାଗୀୟ କମିଶନରେ ପ୍ରଶ୍ନ କରାଯାଇ ପାରିଲା ନା କୌଣସି ଫାଷ୍ଟଟ୍ରାକ କୋର୍ଟରେ ଏହା ପୂର୍ଣ୍ଣ ବିଚାର ହୋଇପାରିଲା ଏହି ନହୋଇପାରିବା ଦେଶର ଧର୍ମନୀରପେକ୍ଷତା ପ୍ରତି ଉପହାସ  


            ଜି ଉଦୟଗିରୀ ବ୍ଲକ ଅନ୍ତର୍ଗତ ଟିଆଙ୍ଗିଆ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ମୃତ ବ୍ୟକ୍ତିମାନଙ୍କ ନାମଥିବା ସ୍ତମ୍ବଟି ସାହାସର ସହିତ ଅନେକ କିଛି ବଖାଣି ଦେଉଛି ଏହା ସତ୍ୟ ଯେ ଟିଆଙ୍ଗିଆ ପଞ୍ଚାୟତର ପରୀକ୍ଷିତ ନାୟକ, ବିକ୍ରମ ନାୟକ ଓ ଫାଦର ବେର୍ନ୍ନାଡୋ ଦିଗାଲଙ୍କ ସମେତ ସାତ ଜଣଙ୍କୁ ହତ୍ୟା କରାଯାଇଥିଲା ହତ୍ୟାର 10 ବର୍ଷ ପରେ ପରୀକ୍ଷିତଙ୍କ ବଡ ଭାଇ ସୁରେଶ ନାୟକଙ୍କ କୋହ ଭରା ବକ୍ତବ୍ୟ ସମସ୍ତ ଘଟଣାକୁ ପୁଣି ଯେମିତି ସତେଜ କରିଦେଉଥିଲା “ମୋର ଭାଇକୁ ହାଣିଲା ପରେ ସେମାନେ ମୋତେ ଖୋଜୁଥିଲେ ମୁଁ ଥାନାରେ ସୂଚନା ଦେଇ ଠିକ ଫେରୁଥାଏ 20 ରୁ 30 ଜଣ ଆମରି ଗାଁ ଲୋକେ ମୋତେ ଘେରିଗଲେ ମୁଁ କିଛି କହିବା ପୂର୍ବରୁ ମୋ ମୁଣ୍ଡରେ ଗୋଟେ ଚୋଟ ପକାଇଦେଲେ ଏହା ପରେ ମୁଁ ଦଉଡିବାକୁ ଲାଗିଲି ମୋ ପରିବାର କୁଆଡେ ଗଲେ ମୁଁ କିଛି ଜାଣିନି 3 ଦିନ ପରେ ମୁଁ ସେମାନଙ୍କୁ ଗଜପତି ଜିଲ୍ଲାରେ ପାଇଲି ମୋ ଭାଇର ହତ୍ୟାକାରୀମାନେ ଏବେ ବି ଘର ସାମ୍ନାରେ ବୁଲୁଥିଲା ବେଳେ ଆମକୁ ଯେ କେମିତି ଲାଗୁଥିବ ସେକଥା ଆପଣ ଅନୁମାନ କରନ୍ତୁ?” ଏବେ ସେ ନିଜେ କନ୍ଧମାଳରୁ ଉଠିଯାଇ ବାହାରେ ବ୍ୟବସାୟ କରି ଚାଲୁଛନ୍ତିମୁଁ ବିକ୍ରମର ମାଙ୍କୁ ଖୋଜିଲି 10 ବର୍ଷ ତଳେ ମୋର ବୃତ୍ତଚିତ୍ରରେ ବିବାଦ : କାହାର କ୍ଷତି କାହାର ଲାଭ (କନ୍ଧମାଳ ଓ କାଶୀପୁରର ସ୍ଥିତିକୁ ନେଇ ନିର୍ମିତ) ସେ ନିଜ ପୁଅର ହତ୍ୟା ବିଷୟରେ ବର୍ଣ୍ଣନା କରିଥିଲେ ଏବେ ସେ ଗାଁରେ ନରହି ନିଜ ବଡ ପୁଅ ପାଖରେ ବାହାରେ ରହୁଛନ୍ତି  
            ସରକାରୀ ତଥ୍ୟକୁ ଉଦୃତ କରି ପିୟୁସିଲ ନିଜର ରିପୋର୍ଟରେ କୁହେ ଯେ କନ୍ଧମାଳ ହିଂସାରେ 38 ମୃତ, 3 ନିଖୋଜ, 415 ଗାଁ ପ୍ରଭାବିତ, 3262 ଘର ନଷ୍ଟ , 195 ଚର୍ଚ୍ଚ ଓ ପ୍ରାଥନା ଗୃହ ଭଙ୍ଗାରୁଜା, 25122 ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ (କନ୍ଧମାଳ ହିଂସାରେ ପ୍ରକାଶିତ ତଥ୍ୟ)ସୁପ୍ରିମ କୋର୍ଟ ଓକିଲ ବୃନ୍ଦା ଗ୍ରୋଭରଙ୍କ ଦ୍ଵାରା ଲିଖିତ ପୁସ୍ତକ ଅନୁସାରେ 600 ଗ୍ରାମ କ୍ଷତିଗ୍ରସ୍ତ, 5600 ଗୃହ ନଷ୍ଟ, ପ୍ରାୟେ 56000 ଲୋକ ଗୃହ ଶୂନ୍ୟ ଓ ପ୍ରାୟେ 2000 ଖ୍ରୀଷ୍ଟିୟାନ ଧର୍ମୀଙ୍କୁ ଜବରଦସ୍ତି ଧର୍ମାନ୍ତିକରଣ କରାଯାଇଛି(Kandhamal Introspection of Initiative for Justice 2007 – 2015). କନ୍ଧମାଳ ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ 3232ଟି ଅଭିଯୋଗ 11,000 ଦଙ୍ଗାକାରୀଙ୍କ ବିରୁଦ୍ଧରେ ଦାଏର ହୋଇଥିଲେ ମଧ୍ୟ 827ଟି କେସକୁ ପୁଲିସ ପଞ୍ଜୀକୃତ କରିଥିଲା ସେ ମଧ୍ୟରୁ ଆବଶ୍ୟକୀୟ ପ୍ରମାଣ ଅଭାବ ଦର୍ଶାଇ 315ଟି କେସର ଫାଇନାଲ ରିପୋର୍ଟ ଦେଇ ପୁଲିସ କେସକୁ ବନ୍ଦ କରିଦେଇଥିଲା 2017 ମସିହା ଶେଷ ବେଳକୁ 362 କେସର ବିଚାର ହୋଇ ସେଥିରୁ ମାତ୍ର 78 ଟି କେସରେ ସଜ୍ଜା ଶୁଣା ଯାଇଥିଲା ପାଖାପାଖି 30ଟି ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲେ ମଧ୍ୟ 2017 ମସିହା ଶେଷ ବେଳକୁ ମାତ୍ର ଦୁଇଟି କେସରେ ସଜ୍ଜା ଶୁଣା ଯାଇଥିଲା ସେଥି ମଧ୍ୟରୁ ଟିଆଙ୍ଗିଆର ପରୀକ୍ଷିତ ନାୟକଙ୍କ ହତ୍ୟା ଅପରାଧରେ ବିଜେପି ଏମଏଲଏ ମନୋଜ ପ୍ରଧାନ (2009 ମସିହା ନିର୍ବାଚନରେ ସେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଜେପି ଟିକେଟରେ ଜି ଉଦୟଗିରୀ ଆସନରୁ ଏମଏଲଏ ଭାବରେ ନିର୍ବାଚିତ ହୋଇଥିଲେ) ଅଭିଯୁକ୍ତ ଥିଲେ ହିଂସାକାଣ୍ଡ ଆରମ୍ଭ ହୋଇଯିବା ଦେଖି ପରୀକ୍ଷିତ ନିଜ ସାଇକେଲରେ ନିଜ ଦୁଇ ଝିଅ (ସେ ସମୟରେ 6 ବର୍ଷ ଓ 3 ବର୍ଷ) ଓ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଚାଲିଯାଉଥିବା ସମୟରେ ମନୋଜ ନାୟକ ଓ ବେଶ କିଛି ଲୋକ ତାଙ୍କୁ ଘେରି ଯାଇ ହତ୍ୟା କରିଥିଲେକୋର୍ଟରେ ସ୍ତ୍ରୀ ଓ ନାବାଳିକା ଝିଅ ସାହାସର ସହିତ ନିଜ ବାପାଙ୍କୁ ଯେଉଁ ଭଳି ସେମାନଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା ତାହାର ସଂପୂର୍ଣ୍ଣ ବର୍ଣ୍ଣନା କରିବା ସତ୍ବେ ମନୋଜ ପ୍ରଧାନଙ୍କୁ ହତ୍ୟା ମକଦ୍ଦମାରେ ଅଭିଯୁକ୍ତ ନକରି କେବଳ ମିଳିତ ଭାବରେ ଏକା ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିବା ଅପରାଧରେ (ଧାରା 34/ଆଇପିସି) ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ 7 ବର୍ଷ ଜେଲ ଶୁଣାଇଲେ ମନୋଜ ଏବେ ହାଇକୋର୍ଟରୁ ଜାମିନ ପାଇ ନିଜ ଗ୍ରାମରେ ଅଛନ୍ତି ପୁଲିସ ବନ୍ଦ କରିଦେଇଥିବା 315 କେସକୁ ପୁଣି ଥରେ ତଦନ୍ତ କରି ବିଚାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ମାନ୍ୟବର ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ଅଗଷ୍ଟ 2016ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟଙ୍କ ଯୁକ୍ତି ଥିଲା ଏ ଦେଶରେ ସଂଖ୍ୟାଧିକଙ୍କ ଭଳି ସଙ୍ଖ୍ଯାନ୍ୟୁନମାନେ ମଧ୍ୟ ନାଗରିକ ଓ ସେମାନଙ୍କର ନ୍ୟାୟ ପାଇବାର ହକ ରହିଛି ହେଲେ ସେହି 315 କେସର ବିଚାର ପୁଣି ଆରମ୍ଭ ହୋଇପାରିନଥିବା ବା ସେ ଦିଗରେ କୌଣସି ଅଗ୍ରଗତି ହୋଇନଥିବା ଫୁଲବାଣୀ କୋର୍ଟର ଓକିଲ ନିଜ ନାମ ନନେଇ କୁହନ୍ତି  

            ଏ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟେ ଗୃହ ତିଆରି ହୋଇଯାଇଥିବା କଥା ସୂଚନା ମିଳେସରକାର ଏ ଦିଗରେ ଆଂଶିକ ଭାଙ୍ଗି ଥିବା ଗୃହକୁ 20,000 ଟଙ୍କା ଓ ସଂପୂର୍ଣ୍ଣ ଭାଙ୍ଗିଥିବା ଗୃହକୁ 50,000 ଟଙ୍କା ଦେଇଥିଲେ ମୃତକଙ୍କ ପରିବାର ସଦସ୍ୟଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସରକାର ଘୋଷଣା କରିଥିଲେଏଥିରେ ସୁପ୍ରିମ କୋର୍ଟ ପୁଣି ହସ୍ତକ୍ଷେପ କରି କ୍ଷତିପୂରଣ ରାଶି ଭାଙ୍ଗିଥିବା ଗୃହର ମାଲିକଙ୍କୁ ଦୁଇ ଗୁଣା ବୃଦ୍ଧି କରାଇବା ସହିତ ମୃତକଙ୍କ ପରିବାରକୁ ଅଧିକ 3 ଲକ୍ଷ ଟଙ୍କା ଓ ଆଘାତ ପାଇଥିବା ଲୋକଙ୍କୁ 10,000 ରୁ 30,000 ଟଙ୍କା ସହାୟତା ରାଶି ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ଏବେ ବି ବେଶ କିଛି ଲୋକ ଜିଲ୍ଲା ବାହାରେ ରହିଯାଇଛନ୍ତି  ସେହିପରି ନିଜ ଜିଲ୍ଲାରେ ନିଜେ ଶରଣାର୍ଥୀର ଜୀବନ ବିତାଉଛନ୍ତି ବେଟିକୋଲା, କିଲାକିଆ ଓ ଝିମାଙ୍ଗିଆ ଗ୍ରାମର 72 ପରିବାର ସମସ୍ତେ ଜି ଉଦୟଗିରୀ ନିକଟସ୍ଥ ଶାନ୍ତି ନଗର ନାମରେ ସରକାରୀ ଜାଗାରେ ନୂତନ କଲୋନୀ ପ୍ରତିଷ୍ଠା କରି ରହିଛନ୍ତି

            ଜାତିସଂଘର ସଜ୍ଞା ଅନୁସାରେ କୌଣସି ବ୍ୟକ୍ତି ଯଦି ଦେଶ ମଧ୍ୟରେ ବିଭିନ୍ନ କାରଣ ଯଥା ସଶସ୍ତ୍ର ଯୁଦ୍ଧ, କ୍ରମାଗତ ହିଂସାକାଣ୍ଡ, କ୍ରମାଗତ ମାନବିକ ଅଧିକାର ଉଲ୍ଲଂଘନ ଅଥବା ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ବାସସ୍ଥାନ ଛାଡି ଦେଇଥାଏ ଓ ଭୟ ହେତୁ ଫେରି ପାରୁନଥାଏ ସେହି ବ୍ୟକ୍ତିର ସେହି ସ୍ଥିତିକୁ ଆଭ୍ଯନ୍ତରୀଣ ବିସ୍ଥାପନ କୁହାଯିବ ସେମାନେ ଆନ୍ତର୍ଜାତିକ ନୀୟମ ଅନୁସାରେ ଓ ସେହି ଦେଶର ନିୟମ ଅନୁସାରେ ସମସ୍ତ ଅଧିକାର (ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଇତ୍ୟାଦି) ପାଇପାରିବେ ଓ ପ୍ରଶାସନର ସହଯୋଗରେ ନିଜର ପୂର୍ବ ସ୍ଥାନକୁ ଫେରିଆସିପାରିବେ ହେଲେ ଶାନ୍ତିନଗରର ବାସିନ୍ଦା ସୁନିଲ ମଲ୍ଲିକଙ୍କ ମତ ହେଲା ଯେ ସେମାନେ ବାଟିକୋଲା 2008 ମସିହାରେ ଛାଡିଲା ପରେ ବିଭିନ୍ନ କ୍ୟାମ୍ପରେ ରହି ପୁଣି ବିସ୍ଥାପିତ କଲୋନୀକୁ ଆସିଛନ୍ତି  ସେମାନେ ପରେ ଯାଇ ନିଜ ନିଜ ଗ୍ରାମରେ ଚାଷ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ହିନ୍ଦୁ ପରିବାର ଲୋକେ ନିଜ ଗାଈ ଗୋରୁ ସେଥିରେ ଚରାଇଦେଲେସୁନିଲ ନିଜେ ଜଣେ ଆଦିବାସୀ ଓ ସେ ଦେଇଥିବା ଏଫଆଇଆରକୁ ପୋଲିସ “ତଥ୍ୟ ଅଭାବ” ଦର୍ଶାଇ ବନ୍ଦ କରିଦେଇଛି ତାଙ୍କ କହିବା ହେଲା ଯେ ଲକ୍ଷ୍ମଣାନନ୍ଦ ବଞ୍ଚିଥିଲା ବେଳେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସର୍ବଦା ବିବାଦ ଚାଲିଥିଲା ବହୁ ବାର ହିନ୍ଦୁ ଲୋକେ ଆମକୁ ଓ ଆମର ପାଷ୍ଟର ଙ୍କୁ ଆକ୍ରମଣ କରିଛନ୍ତି ଏବେ ଗାଁକୁ ଆଉ ଫେରି ନପାରି ଜମିଥିବା ଶାନ୍ତି ନଗରର ବହୁ ଲୋକ ଦୀନ ମଜୁରୀଆ ପାଲଟିଛନ୍ତି  ଅନ୍ୟ ଲୋକର ଚାଷଜମିରେ ଓ ସରକାରୀ କାମରେ ମୂଳ ଲାଗି ନିଜ ପରିବାର ଚଳଉଛନ୍ତିସମ୍ବିଧାନର ଉଲ୍ଲେଖିତ ଧର୍ମନିରପେଖତାକୁ ବଜାୟ ରଖିବାକୁ ହେଲେ ଆମର ନାଗରିକ ସମାଜ ଏ ସମସ୍ତ ଦିଗରେ ଚିନ୍ତା କରିବା ଆବଶ୍ୟକସଂଖ୍ୟା ଲଘୁ ଲୋକେ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉ, ଭାରତ ଭଳି ଏକ ଧ୍ରମନିରପେକ୍ଷ ରାଷ୍ଟ୍ରରେ ସରକାର ସୁରକ୍ଷା ଦେଇନପାରିବା ସରକାରଙ୍କ ଏହା ବିଫଳତା ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ସମସ୍ତ ସଦସ୍ୟ ଯେପରି ସାମାଜିକ ସୁରକ୍ଷା ଯୋଜନାରେ ପ୍ରାଥମିକତା ପାଇବେ ସେଥିଲାଗି ସରକାରଙ୍କ ନିକଟରେ ଦାବୀ କରାଯିବା ଜରୁରୀ  

-          ଦେବ ରଞ୍ଜନ    





Sunday, July 8, 2018

“ଆଧାର” ଓ ଆମର ମାନବିକ ଅଧିକାର ?


ଆଧାର” ଓ ଆମର ମାନବିକ ଅଧିକାର ?
                                                                                                            ଦେବ ରଞ୍ଜନ
            ମୁଁ ମୋର ସାଥିମାନଙ୍କ ଭିତରେ ଶେଷତମ ବ୍ୟକ୍ତି ଯିଏ ଆଜି ପର୍ଯ୍ୟନ୍ତ ନିଜର ଆଧାର କାର୍ଡ କରିନାହିଁ ମୁଁ ଆଉ କାହାରିକୁ ଆଧାର” କାର୍ଡ ନଥିବା ଦେଖୁନାହିଁ ଆଧାର” ସରକାରଙ୍କ Unique Identification  ବ୍ୟବସ୍ଥା ବା ବହୁ ଦେଶରେ ଚାଲିଥିବା National Identification Number ବ୍ୟବସ୍ଥାର ଅଂଶବିଶେଷ ତେବେ ମୋର ଏକ ସନ୍ଦେହ ଯାହା ଆଜି ପର୍ଯ୍ୟନ୍ତ ମୋତେ ଆଧାର” କେନ୍ଦ୍ରକୁ ନେବାରେ ବିରୋଧ କରୁଥିଲା ତାହା କ୍ରମଶଃ ସତ୍ୟ ହେଉଛି ଆଜି ଆଧାର ନମ୍ବର ସହିତ ଡେବିଟ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାନ କାର୍ଡ, ମୋବାଇଲ ସିମ କାର୍ଡ, ବିମାନ ଯାତ୍ରା ଇତ୍ୟାଦି ଯୋଡି ହେବା ଦ୍ଵାରା (ରେଳ ଟିକେଟ ଯୋଡିବାର ପ୍ରସ୍ତାବ ରହିଛି ) ଆମ ଦୈନନ୍ଦିନ କାର୍ଯ୍ୟର ସମସ୍ତ ବିବରଣୀ, ଉଭୟ ଆର୍ଥିକ ଓ ସାମାଜିକ କାର୍ଯ୍ୟବଳୀ, ସେହି ଆଧାର ନମ୍ବର ସଂଯୁକ୍ତ ଏକାଉଣ୍ଟରେ ଲିପିବଦ୍ଧ ହୋଇରହିଲା ଭାରତର କେଉଁ କେଉଁ ସହର ରେଳରେ ଅଥବା ବିମାନରେ ଯାଇଥିଲେ, କେଉଁଠି ରହିଥିଲେ, କାହା କାହା ସହିତ କଣ କଣ ମୋବାଇଲରେ କଥା ହୋଇଥିଲେ, ଇଣ୍ଟରେଟରେ କଣ ପଢିଥିଲେ ଓ କଣ ଡାଉନଲୋଡ କରିଥିଲେ, ନିଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥରେ କଣ କଣ କିଣିଛେ, କେତେ ଥର ଚାକିରି ବଦଳାଇଲେଣି, ଏପରିକି  ଘରକୁ କେତେ ବୋତଲ ଫିନାଇଲ ଅଥବା ପିଲାଙ୍କ ନାପକିନ ଆଣିଛେ (କ୍ୟାସଲେସ ହେତୁ) ଏ ସମସ୍ତ ହିସାବ ସେହି ଆଧାର ଆକାଉଣ୍ଟରେ ଲିପିବଦ୍ଧ ହୋଇରହିଲା ଏହାକୁ ଭାରତର ନିର୍ବାଚିତ କୌଣସି ଦଳୀୟ ସରକାର ତଥା କୌଣସି ବହୁରାଷ୍ଟ୍ରୀୟ କମ୍ପାନୀ କେବେବି କେଉଁଭଳି ବି ବ୍ୟବହାର କରିପାରେ ଯାହା ଏବେଠାରୁ ଅନୁମାନ କରିବା ମଧ୍ୟ କଷ୍ଟ ଆଧାର”  ଏପରି ଏକ ସିସିଟିଭି କ୍ୟାମେରା ଯାହାର ଆଖି ଓ କାନ ମଧ୍ୟ ରହିଛି ଓ ଏହା ସର୍ବଦା ଆମର ପିଛା କରୁଛି ଏହା ନାଗରିକର ସ୍ଵାଧୀନ ଭାବରେ ନିଜର କାର୍ଯ୍ୟ କରିବାର ଅଧିକାରକୁ କ୍ଷୁଣ୍ଣ କରୁଛି ଏବେ ସମସ୍ତଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତିମ ରାଏକୁ ଅପେକ୍ଷା କରିବାକୁ ପଡୁଛି
            ଆଜି ଏପରି କୌଣସି ସରକାରୀ ବ୍ୟବସ୍ଥା ନାହିଁ ଯାହା ସହିତ ଆଧାର” ସମ୍ପୃକ୍ତ ହୋଇ ରହି ନାହିଁ ପ୍ରଥମେ ଏଲପିଜି ଗ୍ୟାସ ଓ ପିଡ଼ିଏସ ବ୍ୟବସ୍ଥା ସହିତ ସମ୍ପୃକ୍ତ କରାଗଲା ସେତେବେଳେ ମଧ୍ୟ ଏହାକୁ ଦୁର୍ନିତୀ ବିରୁଦ୍ଧରେ ଯୁଦ୍ଧ ବୋଲି କୁହାଗଲା ମାତ୍ର ଛତିଶଗଡ, ତାମିଲନାଡୁ ଓ ବିହାର ସରକାର ପିଡ଼ିଏସ ଯୋଗାଣରେ କଡାକଡି ନୀୟମ କରିବା ଓ ମୋବାଇଲ ଫୋନରେ ପାସୱାର୍ଡ ସହିତ ପିଡ଼ିଏସ ଉଠାଣ ସଂଯୋଗ କରିଏହି ଦୁର୍ନିତୀକୁ କମାଇଦେବାରେ ସମର୍ଥ ହେବା ହେତୁ ଆଧାର” ସପକ୍ଷରେ ଯୁକ୍ତି ଫିକା ପଡିଆସୁଥିଲା ପରେ ଏହାକୁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ରର ଡୁପ୍ଳିକେଟ ରୋକିବାରେ ସମର୍ଥ ହେବ ବୋଲି ଆଧାର” କାର୍ଡର ଦାୟିତ୍ଵରେ ଥିବା ନନ୍ଦନ ନିଲେକାନି କହିବା ଆରମ୍ଭ କଲେ ଏ ଦେଶର  ସମସ୍ତ ଜନସାଧାରଣଙ୍କୁ ଏହାଦ୍ଵାରା ସମ୍ଭାବ୍ୟ ଅପରାଧୀ (କେହି ବି ମିଛ ଲାଇସେନ୍ସ କରିପାରେ ଯୁକ୍ତିରେ ଓ ଏହିହେତୁ ଆମ ଲୋକ ତ ଠିକ ନାହାନ୍ତି ବୋଲି ଅଧିକାଂଶ ସମୟରେ ଆମର ଲୋକେ ଯୁକ୍ତି କରିଥାନ୍ତି) ତାଲିକାରେ ରଖିଦେଇ ଦେଶବାସୀଙ୍କ ନିଜସ୍ଵ ଟିକସ ଅର୍ଥରେ ଆଧାର” କାର୍ଡ ପ୍ରସ୍ତୁତିରେ ଲାଗିଛନ୍ତି ସରକାର କେବେ କିନ୍ତୁ ବାରମ୍ବାର ଯୌନ ନିର୍ଯାତନା ଅଥବା ଜାତିଗତ ହିଂସାରେ ଲିପ୍ତ ଥିବା ଅଥବା ଅନ୍ୟ କୌଣସି ଦୋଷାବହ କାର୍ଯ୍ୟ କରୁଥିବା ବ୍ୟକ୍ତି ଠାରୁ ସମାଜକୁ ମୁକ୍ତ ରଖିବା ପାଇଁ ଏତେ ବେଶୀ ତତ୍ପର ହୋଇନାହାନ୍ତି ଯାହା ସେ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ରର ଡୁପ୍ଳିକେଟ ରୋକିବା ଦିଗରେ ତତ୍ପର ହେଉଛନ୍ତି
            “ଆଧାର” କାର୍ଯ୍ୟକ୍ରମ ପ୍ରତି ସନ୍ଦେହ ଦୃଢ ହେଲା ଯେତେବେଳେ ନୂତନ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ଲାଗିଲେ “ଆଧାର” ଏପରି ଏକ କାର୍ଯ୍ୟକ୍ରମ ଯାହାକୁ   କଂଗ୍ରେସ ଯେତିକି ଗୁରୁତ୍ଵ ଦେଇଥିଲା ନିର୍ବାଚନ ପରେ ବିଜେପି ଦଳ ସମାନ ଗୁରୁତ୍ଵ ଦେଇ ଆପଣାଇଛନ୍ତି ହୋଇଥାଇପାରେ ଯେ ଏହା କଂଗ୍ରେସର ମନମୋହନ ସିଂହ ସରକାରଙ୍କ ସମୟରେ 2009 ମସିହାରେ ଆରମ୍ଭ ହୋଇଥିଲା ସେତେବେଳେ ଇନଫୋସିସର ନିର୍ଦେଶକ ପଦବୀରେ ଥିବା ନନ୍ଦନ ନିଲେକାନିଙ୍କୁ ବିନା ପାର୍ଲାମେଣ୍ଟ ସଦସ୍ୟ ହୋଇ ମଧ୍ୟ କେବଳ “ଆଧାର” କାର୍ଯ୍ୟକ୍ରମ ଚଳାଇରଖିବା ପାଇଁ କ୍ୟାବିନେଟ ମନ୍ତ୍ରୀର ମର୍ଯ୍ୟାଦା ଓ ସୁବିଧା ଦିଆଯାଇଥିଲା ସେତେବେଳେ କିନ୍ତୁ ବିଜେପି ଦଳର ଆଭିମୁଖ୍ୟ ସମ୍ପୂର୍ଣ ବିପରୀତ ଥିଲା କଂଗ୍ରେସ ସରକାରଙ୍କ ଦ୍ଵାରା 2013 ମସିହାରେ “ଆଧାର” ପ୍ରସ୍ତୁତି ପାଇଁ ଦିଆଯାଇଥିବା 2620 କୋଟି ଟଙ୍କାରେ ସମ୍ଭବତଃ ଦୁର୍ନିତୀର ଆଭାଷ ପାଇଥିବା ହେତୁ ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ “ଆଧାର” ବିପକ୍ଷରେ ଭାଷଣ ଦେଇ କହିଥିଲେ, “ ଗୁଜୁରାଟ ଏପରି ଏକ ସୀମାବର୍ତୀ ରାଜ୍ୟ ଯେଉଁଠି ପଡୋଶୀ ଦେଶର ଲୋକ ଆଧାର କାର୍ଡ ମାଧ୍ୟମରେ ରାଜ୍ୟର ନାଗରିକଙ୍କ ସମସ୍ତ ସୁବିଧା ହଡପ କରିବେ ..... ଆଧାର କାର୍ଡ ରୂପୀ ଗମ୍ଭୀର ସଙ୍କଟକୁ ପ୍ରଧାନ ମନ୍ତ୍ରୀ (ମନୋହନ ସିଂହ)  ଅଣଦେଖା କରୁଛନ୍ତି 2014 ମସିହାରେ ନରେନ୍ଦ୍ର ମୋଦୀ, ଅରୁଣ ଜେଟଲି ଓ ଅନନ୍ତ କୁମାର “ଆଧାର” ବିପକ୍ଷରେ ପ୍ରଚାର  କରିଥିଲେ ବିଜେପିର ପ୍ରତିବାଦ ପରେ ଯେଉଁ ପାର୍ଲାମେଣ୍ଟାରୀ ଦଳ ତିଆରି ହୋଇଥିଲା ତାହାର ଅଧ୍ୟକ୍ଷ ଥିଲେ ଆଜିର ବାଚସ୍ପତି ସୁମିତ୍ରା ମହାଜନ । ରାଜନାଥ ସିଂହ 2014 ମସିହାର ନିର୍ବାଚନ ସମୟରେ ବିଜେପି କ୍ଷମତାକୁ ଆସିଲେ “ଆଧାର” ବ୍ୟବସ୍ଥା ବନ୍ଦ କରିବାର କଥା କହିଥିଲେ ଅଥଚ କ୍ଷମତାକୁ ଆସିବା ପରେ ବିଜେପି ଦଳ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲା କ୍ଷମତାକୁ ଆସିବାପରେ କଣ ହେଲା ଯେ ସେମାନେ ବଦଳି ଗଲେ? ଏବେ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନାର ମୁଖ୍ୟ ଡିଜିଟାଲ ପରମର୍ଶଦାତା ଭାବରେ ପୁଣି ସେହି ନନ୍ଦନ ନିଲେକାନୀଙ୍କୁ ନିଯୁକ୍ତ କରାଯାଇଛି । ସେ ବର୍ତମାନ ବିମୁଦ୍ରାକରଣ ପରବର୍ତ୍ତୀ କ୍ୟାସଲେସ ଅର୍ଥବ୍ୟବସ୍ଥାକୁ ତଦାରଖ କରୁଛନ୍ତି ତେଣୁ “ଆଧାର” କ୍ଷେତ୍ରରେ ଉଭୟ କଂଗ୍ରେସ  ଓ ବିଜେପିର ରଙ୍ଗ ସମାନ ହୋଇଯିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ ବରଂ ଏହା ପଛରେ ଥିବା ଉଦ୍ଦେଶ୍ୟ ପ୍ରତି ଆମର ସନ୍ଦେହକୁ ବଳିଷ୍ଠ କରୁଛି
             ଆଧାର” କାର୍ଡର ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ନାଗରିକର ଆଙ୍ଗୁଠି ଟିପର ଚିହ୍ନ ଓ ଆଖିପତାର ଫୋଟୋ ନିଆଯିବ ଭାରତର ଆଇଡେଣ୍ଟିଫିକେସନ ଅଫ ପ୍ରିଜନର ଆକ୍ଟ, 1920 ଯାହା ସ୍ଵାଧୀନ ଭାରତରେ ମଧ୍ୟ ଲାଗୁ ହେଉଛି ଏହି ଆଇନ ଅନୁସାରେ ପ୍ରାତ୍ୟେକ କଏଦୀର ଆଙ୍ଗୁଠି ଛାପ, ପାଦ ଛାପ ଓ ମୁହଁର ଫଟୋ ନିଆଯିବା ନିଶ୍ଚିତ କରେ ଏବେ ସରକାର ଏହି ବ୍ୟବସ୍ଥାକୁ ଜେଲର ବାହାରେ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଲାଗୁକରିଦେଲେ ।  ବିଭିନ୍ନ ଗବେଷଣାତ୍ମକ ପ୍ରବନ୍ଧ କୁହେ ଯେ ବୟସ ବଢିବା ସହିତ ଆଙ୍ଗୁଠିର ଛାପ ଓ ଆଖିପତାର ଆକାର ବଦଳି ଥାଏ ସେଏପରିକି ଅତ୍ୟଧିକ ଶାରିରୀକ ପରିଶ୍ରମ କରୁଥିବା ଲୋକର ଟିପଚିହ୍ନ ଶୀଘ୍ର ବଦଳିଥାଏ ଯେହେତୁ ଆଧାର” ନୂଆ ନୂଆ ଲାଗୁହୋଇଛି ତେଣୁ ଏହା ଦୁଇଟି ବ୍ୟକ୍ତିର ସମାନ ଚିହ୍ନ ହେବା ଭଳି ଅସୁବିଧା ହୋଇନାହିଁ ମାତ୍ର ଭବିଷ୍ୟତରେ ଏହା ସମାନ ହେଲେ ସରକାର ପୁଣି କଣ ବ୍ୟବସ୍ଥା କରିବେ ? ସତେରେ କଣ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମ ଆମସ୍ତଙ୍କ ଡ଼ିଏନଏ ଟେଷ୍ଟ କରି ତାହାର ରିପୋର୍ଟ ସହିତ ଆଧାର”କୁ ସମ୍ପୃକ୍ତ କରିବେ?
            ତେବେ ଆଧାର”କୁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ରରେ ନୂତନ ସରକାର ଆଧାର ଆଇନ 2016 ପାସ କରିଛନ୍ତି ଯାହା ଏହାର ପ୍ରଚଳ ସମୟରେ ଆଲୋଚିତ ହୋଇନଥିଲା ଏହାପରେ ସରକାର ନିଜେ ଦେଉଥିବା ସମସ୍ତ ସବସିଡ ଓ ସହଯୋଗ ରାଶି ସହିତ ଆଧାରକୁ ସଂଯୋଗ କରିଦେଲେ ସରକାରଙ୍କ କଲ୍ୟାଣମୂଳକ ଯୋଜନା ଓ ଛତ୍ରବୃତ୍ତି ଇତ୍ୟାଦି ଯେ ନାଗରିକର ଅଧିକାରର ପ୍ରସଙ୍ଗ ଓ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହାକୁ ପାଇବ ତାହାକୁ ସରକାର ଅସ୍ଵୀକାର କରି ତାହାକୁ ଏହାଦ୍ଵାରା ସର୍ତ୍ତମୂଳକ କରିଦେଲେ ଏବେବି ଏହା ବିବାଦୀୟ ହୋଇରହିଛି ଯେ ଆଧାର ନିୟମ ଯାହା ଅର୍ଥ ନିୟମ, 2016 ଭାବରେ ଜଣାଶୁଣା ତାହା ପଛରେ ସତେରେ କଣ ସାମ୍ବିଧାନିକ ସ୍ଵିକୃତି ଅଛି କି ? ବର୍ତ୍ତମାନର ବିଜେପି ସରକାର ସମ୍ବିଧାନର ଧାରା 110କୁ ବ୍ୟାଖ୍ୟା କରି ସେହି ବଳରେ ଉକ୍ତ ଅର୍ଥ ଆଇନ ପାସ କରିଛନ୍ତି । ଏପରି କରିବାର ଉଦ୍ଦେଶ୍ୟ ହେଲା ଧାରା 110 ଅନୁସାରେ ଏ ସମ୍ବନ୍ଧିତ ବିଲ ରାଜ୍ୟସଭାରେ ପାସ ହେବା ଜରୁରୀ ହେଲା ନାହିଁ । କେବଳ ଲୋକସଭାରେ ପାସ ହୋଇ ଆଇନରେ ପରିଣତ ହୋଇଗଲା ପୁଣି ଧାରା 110 ଅନୁସାରେ ଲୋକସଭାର ବାଚସ୍ପତ୍ତିଙ୍କର ଭେଟୋ ପ୍ରୟୋଗର କ୍ଷମତା ରହିଛି । ବିଜେପି ସରକାର ଜାଣନ୍ତି ଯେ ରାଜ୍ୟସଭାରେ ତାଙ୍କର ବହୁମତ ଏବେବି ନାହିଁ । ବିରୋଧୀ ଦଳ ଯୁକ୍ତି କରନ୍ତି ଯେ ସମ୍ବିଧାନର ଧାରା 110 କେବଳ ଆର୍ଥିକ ଦେଣନେଣ, ଟିକସ ସମ୍ବନ୍ଧିତ ଥିବା ବେଳେ ଆଧାର କେବଳ ଡାଟା ଷ୍ଟୋରେଜ ସମ୍ପର୍କିତ ବ୍ୟବସ୍ଥା । ଆଧାର ନମ୍ବରକୁ କେବଳ ଆର୍ଥିକ ଦେଣନେଣ ନୁହେଁ ବରଂ ଏକ ପରିଚୟ ପାତ୍ର ଭାବରେ ବ୍ୟବହାର କରାଯାଉଛି । ସେଇଥିପାଇଁ ତ ଏହାକୁ ରେଳଯାତ୍ରା, ମୋବାଇଲ ସିମ ବ୍ୟବହାର  ଓ ଡ୍ରାଇବିଙ୍ଗ ଲାଇସେନ୍ସ ପାଇଁ ବ୍ୟବହାର କରାଜୁଛି । ତେଣୁ ଏହା ସମ୍ବିଧାନର ଧାରା 110 ପର୍ଜୟାଭୁକ୍ତ ନୁହେଁ ବୋଲି ବିରୋଧୀ ଦଳ ଯୁକ୍ତି କରିଥାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ସୁପ୍ରିମ କୋର୍ଟରେ ଦାୟର କରିଥିବା ଏ ସମ୍ବନ୍ଧିତ କେସର ଏବେ ବି ଶୁଣାଣି ଚାଲିଛି । ଏହା ସହିତ ଆଧାର ବିପକ୍ଷରେ ଆଉଏକ ଯୁକ୍ତି ହେଲା ଯେ ଆଧାର ଆଇନ 2016ରେ (ଧାରା 28 ଓ 29) ପ୍ରତିଶ୍ରୁତି ଦିଆଯାଉଛି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗ ହେଉ ଅଥବା କୋର୍ଟର ଅର୍ଡର ହେଊ କୌଣସି ବି ପରିସ୍ଥିତିରେ କାହାରିକୁ ବି “ଆଧାର” ତଥ୍ୟ ଦିଆଯିବ ନାହିଁ ଯଦି ତାହା ହୋଇଥାଏ ତେବେ ରିଲାଏନ୍ସ, ଆଇଡିଆ , ଟାଟା ଦୋକୋମୋ ଇତ୍ୟାଦି ମୋବାଇଲ କମ୍ପାନୀ ହେଉ ଅଥବା ଏଚଏସବିସି, ଆଇସିଆଇସିଆଇ ଭଳି  ପ୍ରାଇଭେଟ ବ୍ୟାଙ୍କ ଇତ୍ୟାଦି ପ୍ରତ୍ୟେକ ନିଜ ଗ୍ରାହକର “ଆଧାର” ନମ୍ବର ନେଇ ଏହାର ସତ୍ୟାସତ୍ୟ କିପରି ପରଖୁଛନ୍ତି ?
            ଆଜି ଆଧାର” କାର୍ଡରେ ରହୁଥିବା ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ତିନି ଆମେରିକୀୟ କମ୍ପାନୀ ମଙ୍ଗୋଡ଼ିବି, ଏର୍ନେଷ୍ଟ ଆଣ୍ଡ ୟଙ୍ଗ ଓ ଆକସେଞ୍ଚର କମ୍ପାନୀର ଡାଟା ବ୍ୟାଙ୍କର ସାହାଯ୍ୟ ନିଆଯାଇଛି ନାଗରିକର ଏହି ସମସ୍ତ ତଥ୍ୟ (ନିଜସ୍ଵ ବ୍ୟାଙ୍କ ଆକାଉଣ୍ଟ ଠାରୁ ମୋବାଇଲ ଓ ଇନ୍ଟାରନେଟ ବ୍ୟବହାର ପର୍ଯ୍ୟନ୍ତ) ଏହାକୁ କେବଳ ଏହି ତିନି କମ୍ପାନୀ ଓ ଭାରତ ସରକାର ଦେଖିପାରିବେ ଭାରତ ସରକାରଙ୍କର ପ୍ରତ୍ୟେକ ନାଗରିକାକୁ “ଆଧାର” ଅନ୍ତର୍ଭୁକ୍ତ କରିବା ପଛରେ ହୁଏତ ଏହି ବ୍ୟବସ୍ଥା ମୁଖ୍ୟ କାରଣ ହୋଇଥାଇପାରେ ନନ୍ଦନ ନିଲେକାନୀ ଇନଫୋସିସ ଛାଡି ଆଧାର”ର ଦାୟିତ୍ଵ ନେବା ସମୟରେ ଡାଟା ଷ୍ଟୋରେଜ ପାଇଁ ପ୍ରଥମ ଚୁକ୍ତି ସିଏ ଆମେରିକୀୟ କମ୍ପାନୀ ଆକସେଞ୍ଚର ସହିତ କରିଥିଲେ 2009 ମସିହାରେ ପ୍ରଥମେ 10 କୋଟି ଲୋକଙ୍କ ଆଧାର ନମ୍ବର ତିଆରି କରିବା ପାଇଁ ଚୁକ୍ତି ହୋଇଥିଲା ପରେ 20 କୋଟି ଓ ତଦୁର୍ଦ୍ଧ ହେବା ହେତୁ 2013 ମସିହାରେ ଆଉ ଦୁଇଟି ଆମେରିକୀୟ କମ୍ପାନୀ ଅର୍ଥାତ ସର୍ବମୋଟ ତିନୋଟି କମ୍ପାନୀ ସହିତ ଡାଟା ଷ୍ଟୋରେଜ ପାଇଁ ଚୁକ୍ତି କରାଯାଇଥିଲା ସେର ଚୁକ୍ତି ହୋଇଥିବା ଦ୍ଵିତୀୟ କମ୍ପାନୀ ହେଲା ମୋଙ୍ଗୋଡ଼ିବି କମ୍ପାନୀ ଯାହାକୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଅସ୍ତ୍ର କାରାବାର ପାଇଁ ଅର୍ଥ ଦେଇଥିବା କଥା ଇକୋନୋମିକ୍ ଟାଇମସ (http://economictimes.indiatimes.com/news/politics-and-nation/mongodb-startup-hired-by-aadhaar-got-funds-from-cia-vc-arm/articleshow/26755706.cms)ରେ ପ୍ରକାଶିତ ହୋଇଥିଲା ସେହିପରି ତୃତୀୟ କମ୍ପାନୀ ଏର୍ନେଷ୍ଟ ଆଣ୍ଡ ୟଙ୍ଗ ହେଉଛି ଆର୍ଥର ଆଣ୍ଡରସନ କମ୍ପାନୀର ନୂତନ ନାମ ଏହି ଆର୍ଥର ଆଣ୍ଡରସନ କମ୍ପାନୀ ହିଁ ଆମେରିକୀୟ କମ୍ପାନୀ ଏନରନର 2001 ମସିହାରେ ଘଟିତ ସମସ୍ତ ପୁଞ୍ଜିବାଜାରର ଧୋକା ବାଜୀ ପଛରେ ମୁଖ୍ୟ ପରାମର୍ଶଦାତା ଥିଲା ଏ ସମସ୍ତ ତଥ୍ୟ ଆଜି ଇନ୍ଟରନେଟରେ ମିଳୁଛି ଓ ଯେ କେହି ଏହାକୁ ପରୀକ୍ଷା କରିପାରେ ତେବେ ଏହିପରି ତିନି ଅବିଶ୍ଵାସୀ କମ୍ପାନୀ ହାତରେ ଭାରତୀୟ ଆଧାର” ତଥ୍ୟ ରହିବାକୁ ବହୁ ମହଲରେ ଅବିଶ୍ଵାସ ସୃଷ୍ଟି କରିଛି
            ଏବେ ନୂତନ ସରକାର ଆଧାର” ତଥ୍ୟସୁରକ୍ଷା ପାଇଁ ଏବେ ଆମେରିକା ସରକାରଙ୍କ ସହିତ ଫାକଟା ଚୁକ୍ତିରେ (Fair and Accurate Credit Transactions Act) ସାମିଲ ହୋଇଛନ୍ତି (ସମ୍ବାଦ 13/04/2017) । ଏହି ଫାକଟା ଚୁକ୍ତି ଆମେରିକା ସରକାର 2003 ମସିହାରେ ପାସ କରିଥିଲେ ଯାହାଦ୍ୱାରା କୌଣସି ନାଗରିକର ଅର୍ଥ ଦେଣନେଣ ସମ୍ବନ୍ଧିତ ତଥ୍ୟର ଚୋରୀ, ଅପବ୍ୟବହାର ଇତ୍ୟାଦି ହୋଇପାରିବ ନାହିଁ ଅର୍ଥାତ ତଥ୍ୟର ସୁରକ୍ଷା ସେଠାର ସରକାରଙ୍କ ଦାୟିତ୍ଵ ତେବେ ଭାରତ ସରକାର ଏହି ଫାକଟା ଚୁକ୍ତିରେ ସାମିଲ ହେବା ଦ୍ଵାରା ଆମେ ସମସ୍ତେ ଏବେ କାର୍ଯ୍ୟତଃ ଆମେରିକାର ନାଗରିକ । ଏହା ଏକ ବିତର୍କର ବିଷୟ ଯାହା ସମ୍ବନ୍ଧରେ ଅନ୍ୟତ୍ର ଆଲୋଚନା କରାଯାଇପାରେ ହେଲେ ଏକଥା ସତ୍ୟ ଯେ ଏବେ ନିଜର ଆଧାର” ତଥ୍ୟର ସୁରକ୍ଷା ପାଇଁ ବିଜେପି ସରକାର ଆମେରିକା ସରକାରଙ୍କ ଉପରେ ନିର୍ଭରଶୀଳ ଏଠାରେଏହା କହିବା କଠିନ ଯେ 2009 ମସିହା ପରଠାରୁ ଯାହା ହୋଇଚାଲିଛି ବା ଆଜି ଯାହା ଆମେ ଦେଖୁଛେ ତାହା ଯୋଜନା ବଦ୍ଧ ଭାବରେ କାରାଗଲା ନା କ୍ରମଶଃ ହୋଇଗଲା ମାତ୍ର ଯଦି ଏହା ଯୋଜନା ବଦ୍ଧ ଭାବରେ କରାଯାଇଥାଏ ତେବେ ଏଥିରୁ ଏକଥା ସ୍ପଷ୍ଟ ହେଉଛି ଯେ ଆମେରିକୀୟ କମ୍ପାନୀମାନେ ନିଜର ପୁଞ୍ଜି ବିନିଯୋଗ ଭାରତରେ କରିବା ପୂର୍ବରୁ ଏଠାର ପ୍ରତ୍ୟେକ ନାଗରିକକୁ ନିଜ ହାତମୁଠାରେ ରଖିବା ପାଇଁ ଚାହିଁଲେ ଓ ଆଧାର” ଏହାର ଏକ ମାଧ୍ୟମ ହୋଇରହିଲା କାରଣ ସେମାନେ ଦେଶର ନେତୃବର୍ଗକୁ ମଧ୍ୟ ବିଶ୍ଵାସକୁ ନେଲେ ନାହିଁ  
            ଏବେ ଆଧାରା ଆଇନ, 2016 ଏ କଥାର ଭରସା ଦେଉଛି ଯେ କୌଣସି ବି ପରିସ୍ଥିତିରେ ଆଧାର” ତଥ୍ୟ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ଦିଆଯିବ ନାହିଁ ଆଧାରା ଆଇନ, 2016ର ଧାରା 29 ଆମକୁ ବିଶ୍ଵାସ ଦିଏ ଯେ ବ୍ୟକ୍ତିର ଆଧାର ନମ୍ବର କଦାପି ଅନ୍ୟ କୌଣସି ପାଇଁ ବ୍ୟବହାର ହେବ ନାହିଁ ଓ ଅନ୍ୟ କାହାରିକୁ ଦିଆଯିବ ନାହିଁ । ଏହି ଆଇନକୁ ସାମାନ୍ୟ ପରିବର୍ତ୍ତନ କରି ସରକାର ଏକ ସଂଶୋଧନ ଯଦି ଆଣିଲେ ଯେ ଯେତେବେଳେ ଚାହିଁବେ ସେ କାହାର ବି ଆଧାର” ତଥ୍ୟ ଓ ଏହା ସହିତ ସଞ୍ଜୋଜିତ ହୋଇଥିବା ସମସ୍ତ ବ୍ୟବସ୍ଥାକୁ ବ୍ୟାଜାପ୍ତ କରିପାରିବେ ତେବେ? ଆଜି ପ୍ରତ୍ୟେକ କ୍ଷେତ୍ରରେ “ଦେଶଦ୍ରୋହ” ର ଅଭିଯୋଗ ଲାଗୁଛି । ସେନାବାହିନୀ ଯବାନ ଭଲ ଖାଦ୍ୟପାଇଁ କହିଲେ, ଛାତ୍ରମାନେ ବିଶ୍ଵବିଦ୍ୟାଳୟର ଫିସ ବଢିବାକୁ ପ୍ରତିବାଦ କଲେ, ଛାତ୍ର ଓ ଛାତ୍ରୀମାନେ କୁଳପତି ନିଯୁକ୍ତିକୁ ବିରୋଧ କଲେ, ଚାଷୀ ଆତ୍ମହତ୍ୟାର ପ୍ରତିବାଦ କଲେ,  ଆଣବିକ ଶକ୍ତି ବ୍ୟବହାରର ପ୍ରତିବାଦ କଲେ, ଆଦିବାସୀର ଅଧିକାର ପ୍ରସଙ୍ଗରେ କହିଲେ, ସଂଖ୍ୟାନ୍ୟୁନ ସଂପ୍ରଦାୟର ଅଧିକାର କଥା କହିଲେ ଓ ଦଙ୍ଗାକୁ ବିରୋଧ କଲେ, ଗାଈ ପ୍ରସଙ୍ଗରେ କହିଲେ କି ଦଳିତର ଅଧିକାର କଥା କହିଲେ, ଯୁଦ୍ଧକୁ ବିରୋଧ କଲେ କିମ୍ବା ସରକାରଙ୍କ ନୀତିକୁ ସମାଲୋଚନା କଲେ ସବୁଠି “ଦେଶଦ୍ରୋହ” ଦଫା ଲାଗୁଛି । ଶ୍ରମିକ ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ, ଆଦିବାସୀର ଅଧିକାର ଓ ପରିବେଶ ସୁରକ୍ଷା ଆନ୍ଦୋଳନ ଇତ୍ୟାଦି ଯାହା ସିଧା ସିଧା ପୁଞ୍ଜିବିନିଯୋଗକୁ ପ୍ରଭାବିତ କରିଥାଏ ତାହାକୁ ତ କେବେଠାରୁ ସରକାର ଓ କମ୍ପାନୀମାନେ ନିଜର ଆକ୍ରମଣର ଲକ୍ଷ କରିସାରିଛନ୍ତି ।
            ବିଡମ୍ବନା ଯେ ଭାରତୀୟ ବିଚାର ବ୍ୟବସ୍ଥା ମଧ୍ୟରେ ଅଭିଯୋଗକାରୀ ଅପେକ୍ଷା ଯାହା ବିପକ୍ଷରେ ଅଭିଯୋଗ ହୋଇଛି ସେହି ବ୍ୟକ୍ତି ହିଁ ପ୍ରମାଣିତ କରିବା ଯେ ସେ ନିର୍ଦ୍ଦୋଷ । ଆଜିର କୋର୍ଟ ପ୍ରକ୍ରିୟାରେ ତାହା ହେବା ପାଇଁ ତିନି ରୁ ଚାରିବର୍ଷ ତା ଠାରୁ ଅଧିକ ସମୟ ଲାଗିଯିବତେବେ ସେହି ସମୟ ପର୍ଯ୍ୟନ୍ତ ଯଦି “ଦେଶଦ୍ରୋହ” ଅପରାଧ ଥିବା ବ୍ୟକ୍ତିର ଆଧାର” ତଥ୍ୟ ବ୍ୟାଜାପ୍ତ ହୁଏ ଓ କୋର୍ଟ ନିର୍ଦୋଷ ଘୋଷଣା କରିବା ପର୍ଯ୍ୟନ୍ତ ତାହା ବଳବତ୍ତର ରହେ (କାରଣ ଏହି ସବୁ ଅଭିଯୋଗ ମିଥ୍ୟା ତଥ୍ୟ ଆଧାରିତ ହୋଇଥିବା ହେତୁ ଉପର କୋର୍ଟରେ ବେଶୀ ସମୟ ଚାଲିପାରେନାହିଁ ତେବେ ଆଜିର ନାଗରିକ ଆସନ୍ତା କାଲି ସରକାରଙ୍କ କୌଣସି ଅଗଣତାନ୍ତ୍ରିକ ଭୂମିକାର ପ୍ରତିବାଦ ଲମ୍ବା ସମୟ କରିପାରିବ ତ ? ଏହା ପରେ ଆମ ସମାଜର ସ୍ଥିତି କଣ ହେବ ? ଦୁଃଖର କଥା ଯେ ଯେଉଁଭଳି ପ୍ରତିବାଦ ଏହା ବିପକ୍ଷରେ ହେବା ଜରୁରୀ ଥିଲା ତାହା ହୋଇପାରିଲାନାହିଁ ଦୁର୍ନିତୀର ବାହାନାରେ ସରକାର ଏହାକୁ କାର୍ଯ୍ୟକାରୀ କରିନେଲେ ଏହି ଜାତୀୟ ପରିଚୟ ପତ୍ର ଯାହା ଭାରତରେ ଆଧାର” ନାମରେ ଖ୍ୟାତ ତାହା ଆଜି ବିଭିନ୍ନ ନାମରେ ପାକିସ୍ତାନ, ଶ୍ରୀଲଙ୍କା, ଚୀନ, ଆମେରିକା, କାନାଡା, ଆର୍ଜେଣ୍ଟିନା ଇତ୍ୟାଦି ଦେଶରେ ଏହାର ନାଗରିକଙ୍କୁ ସରକାର ପିଛା କରିବା ପାଇଁ ଲାଗୁକରିଛନ୍ତି ଏହା ଦ୍ଵାରା କଣ ଏହି ସମସ୍ତ ଦେଶରେ ଦୁର୍ନିତୀ ହେଉ ନାହିଁ ? ଆଜି ଆମ ସମସ୍ତଙ୍କୁ ସୁପ୍ରିମକୋର୍ଟର ରାୟକୁ ଅପେକ୍ଷା କରିବାକୁ ପଡୁଛି ।
ମୁଁ ଆଜି ବି ନିଜର ଆଧାରନମ୍ବର ସୃଷ୍ଟି ନକରି ସେହି ରାୟକୁ ବାଧ୍ୟ ହୋଇ ଅପେକ୍ଷା କରିଛି ।