Sunday, September 29, 2019

ଓଡିଆ ବର୍ଣ୍ଣବୋଧ ପୋଡାଯିବା ଏକ ସଂବେଦନଶୀଳ ପ୍ରସଙ୍ଗ


ଓଡିଆ ବର୍ଣ୍ଣବୋଧ ପୋଡାଯିବା ଘଟଣା ସତେରେ କେତେ ଦୁଃଖଦ କି କେତେ ସୁଖକର ତାହା ଜାଣିବା ପାଇଁ ମୁଁ ଅନୁରୋଧ କରିବି ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ପଢିବେ ହୁଏତ ତାପରେ ଆପଣ ଟେକାଟିଏ ପକାଇପାରନ୍ତି
ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ’, ଓଡିଆ ମାଧ୍ୟମରେ ପଢିଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀପାଇଁ ମୂଳ ପୁସ୍ତିକା ଏହା ସହିତ ଆପଣ ଅନ୍ୟାନ ଭାବପ୍ରବଣ ପୂର୍ଣ୍ଣ ଶବ୍ଦକୁ ଯୋଡି ପାରନ୍ତି ଏହା ମୋ କ୍ଷେତ୍ରରେ ମଧ୍ୟ ଘଟିଛି
କିନ୍ତୁ ମୁଁ ଯେବେ ପଶ୍ଚିମ ଓଡିଶାର କୌଣସି ବି ଆଲୋଚନାରେ ବସିଛି ପ୍ରାୟତଃ ଅଣଆନୁଷ୍ଠାନିକ, ସବୁଠି ଆଲୋଚନା ଆରମ୍ଭ ହୁଏ ଅଥବା ସମାପ୍ତି ହୁଏ ଏହି ବର୍ଣ୍ଣବୋଧ ନିକଟରେ ଏଥିରେ ବର୍ଣ୍ଣିତ ପୋଖରୀ ଅଥବା ସରୋବରକୁ ପଶ୍ଚିମ ଓଡିଶାରେ ବନ୍ଧ କୁହାଯାଏ ଏହିପରି ଅନେକ ଶବ୍ଦ ଅଛି ଯାହା ଦୁଇ ଭୌଗଳିକ ସୀମାରେ ଥିବା ଶବ୍ଦର ଅର୍ଥ ଭିନ୍ନ ହୋଇଥାଏ ପଶ୍ଚିମ ଓଡିଶାରେ ଳର ପ୍ରଚଳନ ନାହିଁ ଯାହା ଉପକୂଳ ଓଡିଶାରେ ରହିଛି ନାବା ନାହିଁ ଶବ୍ଦ ଆମର ପଛରେ ଆସିଲେ ସେଠାରେ ଆଗରେ ଆସେ
ଦୁଃଖର କଥା ଯେ ପଶ୍ଚିମ ଓଡିଶାର ବେଶ କିଛି ଛାତ୍ର ଛାତ୍ରୀ ଅଧିକ ସଂଖ୍ୟାରେ ଏହି ଓଡିଆ ଭାଷାରେ ଫେଲ ହୋଇଥାନ୍ତି ସେମାନେ ଏହାକୁ ତେଣୁ ଏକ ଉପକୂଳିୟ ଷଡଯନ୍ତ୍ର ବୋଲି ମନେକରନ୍ତି ସେମାନେ ଭାବନ୍ତି ଯେ ପଶ୍ଚିମ ଓଡିଶାରେ ଉପକୂଳ ଓଡିଶାର ଶବ୍ଦକୁ ଲଦିବାକୁ ଦିଆଯାଇଛି କାରଣ ଗଣିତ, ବିଜ୍ଞାନ, ଇଂରାଜୀରେ ଭଲ କରିଥିବା ଛାତ୍ର/ଛାତ୍ରୀ ପୁଣି ଓଡିଆ ଫେଲ ହେବା କଦାପି ଅସମର୍ଥତା ନୁହେଁ, ସେମାନେ ସେକଥା ଭାବନ୍ତି ସତ ମଧ୍ୟ
 ଏହି ସମସ୍ୟା ଦକ୍ଷିଣ ଓଡିଶାରେ ଅଧିକ ଦକ୍ଷିଣ ଓଡିଶାର ଅନେକ ଆଦିବାସୀ ଭାଷା ସହିତ ଉପକୂଳିୟ ଓଡିଆ ଭାଷା ବର୍ଣ୍ଣବୋଧ ସହିତ କୌଣସି ସମ୍ବନ୍ଧ ନାହିଁ ତାଙ୍କ ପାଇଁ ଓଡିଆ ଆମକୁ ଇଂରାଜୀ ଭାଷା ଶିଖିବା ପରି
ତେଣୁ ଦକ୍ଷିଣ ଓଡିଶାର ଆହୁରି ଅଧିକ ଛାତ୍ର ଛାତ୍ରୀ ଓଡିଆ ଭାଷାରେ ଫେଲ ହେବା ମୋର ନିଜସ୍ଵ ଅନୁଭୂତି ରହିଛି
ଉଦାହରଣ ଦେଉଛି କାଶୀପୁରର ଝୋଡିଆ ଭାଷାରେ ପାଣିକୁ ହାଣିକହିଥାନ୍ତି ପାଣି ଭଳି ଜୀବନ ରଖିବା ଶବ୍ଦ ବଦଳରେ ଭୁଲରେ ବି ଝୋଡିଆ ପିଲାଟିଏ ଯଦି ହାଣି ଲେଖିଦେଇଥାଏ ତେବେ କେବଳ ଏକ ମାର୍କ ଊଣାହବ ତାହା ନୁହେଁ ଶିକ୍ଷକ ପୁରା ଖାତାରେ ବି ଶୁନ ଦେଇପାରେ ଏହା କାହିଁକି ନହେଉଥିବ ?
ଯେମିତି ଆପଣ ଜାଣି ନାହାନ୍ତି ଗୁସାଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ କ୍ରୋଧ କିନ୍ତୁ କାଶ୍ମିରୀ ଭାଷାରେ ଗୁସଶବ୍ଦର ଅର୍ଥ ଗୁହ ଅଥବା ଝାଡା ଥରେ କିଛି କାଶ୍ମିରୀ ଯୁବକଙ୍କୁ ଗିରଫ କରିଆଣିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଗୁସଯିବା ପାଇଁ କହିବାପରେ ଯବାନ ତାହାକୁ ଗୁସାହେଉଛି ବୋଲି ବୁଝିଲା ଏହାପରସ୍ଥିତି କଣ ହୋଇଥିବ?
ଆମେ କେହି ପ୍ରତିବାଦ କରୁନାହୁଁ ଯେ କାଶୀପୁରର 50,000 ଝୋଡିଆ ଆଦିବାସୀଙ୍କୁ ରାଜ୍ୟ ସରକାର କାହିଁକି ଆଦିବାସୀ ତାଲିକାରୁ ବାଦ ଦେଇ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିଦେଲେ କାରଣ ଆମେ ସେମାନଙ୍କୁ ଓଡିଆ ବୋଲି ଗଣୁନାହିଁ
ସେମିତି ସ୍ଥିତି ହେଉ ପଶ୍ଚିମ ଓଡିଶା ଦକ୍ଷିଣ ଓଡିଶାର ଛାତ୍ର ଛାତ୍ରୀଙ୍କ ସହିତ ସେମାନଙ୍କ ଭବିଷ୍ୟତ ସହିତ ଆମର ଶିକ୍ଷକମାନେ ବେଶ ଖେଳ ଖେଳିପାରନ୍ତି ପଶ୍ଚିମ ଓଡିଶାରେ ପ୍ରଚାଳନ ନଥିବା ହେତୁ ଫଳକୁ ଫଲ, କଳକୁ କଲ କହିଥାନ୍ତି ଏହି ହେତୁ ଶିକ୍ଷକ ମାର୍କ ଊଣା କରିବା ସ୍ଵାଭାବିକ
କାରଣ ଆମର ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କ ଦାୟିତ୍ଵବାନ କର୍ମଚାରୀ ହେତୁ ସରକାରୀ ନିର୍ଦ୍ଦେଶକୁ ମାନିଥାନ୍ତି ଏହି ଭାଷାଗତ ଅସୁବିଧାକୁ ଓଡିଆ ଶିକ୍ଷକମାନେ କେବେ ଜାଣିବାକୁ ଚେଷ୍ଟା କରିନଥାନ୍ତି ଓଡିଶା ସରକାର ମଧ୍ୟ ନିଜ ଆଡୁ ଏକ ନିର୍ଦ୍ଦେଶନାମା ଦେବା ଯେ ଏପରି ଅଞ୍ଚଳରେ ପରୀକ୍ଷକମାନେ ସଂବେଦନଶୀଳ ହେବେ ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେବେ ତାହା ମଧ୍ୟ ହୋଇପାରିନାହିଁ କାରଣ ଆମର ପ୍ରାଶସକ ସଚୀବମାନେ ଅଷ୍ଟାଦଶ ଶତାବ୍ଦୀର ବ୍ରାହ୍ମଣଭଳି ଅତ୍ୟନ୍ତ ରୁଢିବାଦୀ, ନିଷ୍ଠୁର ପରମ୍ପରାଯୁକ୍ତ ଆମର ନିର୍ବାଚିତ ମନ୍ତ୍ରୀମାନେ ଅତ୍ୟନ୍ତ ପରାଙ୍ଗପୁଷ୍ଟ, ରାଜନୈତିକ ଇଚ୍ଛାଶକ୍ତି ଶୂନ୍ୟ କେବଳ କାଠ ପିତୁଳା ତେଣୁ ଏହି ସମସ୍ୟା କେବେ ସମାଧାନ ହୋଇପାରି ନାହିଁ
ଏପରିକି ଭାଷା ଆନ୍ଦୋଳନରେ ସମ୍ପୃକ୍ତ ନେତୃବର୍ଗ ହୁଅନ୍ତୁ ଅଥବା ଉପକୂଳର ଲେଖକ, କବି ଓଡିଆ ଅସ୍ମିତାକୁ ନେଇ ସ୍ତମ୍ବ ଲେଖୁଥିବା ବିଶେଷ ନାଗରିକମାନେ ଏପରି ଅସୁବିଧା ସମ୍ପର୍କରେ ହୁଏତ ଅବଗତ ନୁହନ୍ତି ନଚେତ ନିଜର ସୁବିଧା ସ୍ଥିତି ହେତୁ ନା ଆଲୋଚନା କରିଛନ୍ତି ନା କେବେ ସରକାରଙ୍କ ଉପରେ ଚାପ ପକାଇବାଲାଗି ଚେଷ୍ଟା କରିଛନ୍ତି ସେମାନେ କେବେ ସମ୍ବେଦନ ହୋଇ ଏହାକୁ ବିଚାରକୁ ମଧ୍ୟ ନେଇନାହାନ୍ତି
ଏହି ହେତୁ ଆକ୍ରମଣର ବିମ୍ବ ହେଲା ବର୍ଣ୍ଣବୋଧ ଏହାର ଉପରେ ବିରକ୍ତି କୋଶଳ ଅଞ୍ଚଳରେ ବଢିବା ସ୍ଵାଭାବିକ
ବର୍ଣ୍ଣବୋଧକୁ ପୋଡିବା କଦାପି ପ୍ରତିକ୍ରିୟା ପ୍ରକାଶ କରିବାର ରାସ୍ତା ନୁହେଁ ଅନ୍ୟର ଯେ ଏଥିପ୍ରତି ଭାବନା ରହିଛି ତାହାକୁ ଆଘାତ ଦେବା ଯେ ଅନୁଚିତ କଥାକୁ କିନ୍ତୁ ପୋଡିବା କାର୍ଯ୍ୟକରିଥିବା ବ୍ୟକ୍ତିମାନେ ବୁଝିନାହାନ୍ତି ବା ଆଘାତ ଦେବାଲାଗି ଜାଣିକରିକରିଛନ୍ତି ଯଦି ଜାଣିକରି କରିଛନ୍ତି ତେବେ ଅପରାଧ କହିବିନି କହିବି ଏହା ଏକ ମାନସିକ ବିକୃତି ଏହାକୁ ଭୁଲିଯିବା ପାଇଁ ଅନୁରୋଧ କରିବି
ଯଦି ମୁଁ ଅପରାଧୀ କୁହେ ତେବେ ମୁଁ କହିବି ଯେ ଏହି ପୋଡିବା ଏହି ମାଧ୍ୟମରେ ଅନ୍ୟକୁ ଆଘାତ ଦେବାର ପ୍ରକ୍ରିୟା ଏହି ଦେଶରେ ଦକ୍ଷିଣପନ୍ଥୀମାନେ ଆରମ୍ଭ କରିଥିଲେ ସେମାନେ ଏହିଭଳି ସଙ୍ଖ୍ୟାଲଘୁଙ୍କ ଧର୍ମଗ୍ରନ୍ଥ କୋରାନ ବାଇବେଲ ପୋଡି ସଂଖ୍ୟାଲଘୁଙ୍କୁ ଆଘାତ ଦେଇଛନ୍ତି ଏହିଭଳି ପ୍ରତିବାଦ କରିବାର ରାସ୍ତା କେବେ ବାମପନ୍ଥୀ ବିଚାରରେ ନାହିଁ
ଦକ୍ଷିଣପନ୍ଥୀଙ୍କ ଏଭଳି କାର୍ଯ୍ୟକୁ କିନ୍ତୁ ଅପରାଧଭୁକ୍ତ ହୋଇଥିଲେ ମଧ୍ୟ କେବେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବାର ଉଦାହରଣ ନାହିଁ କନ୍ଧମାଳ ହିଂସାରେ ଆମେ ଅନେକ ଉଦାହରଣ ପାଇଲେ ଯେଉଁଠି ଖ୍ରୀଷ୍ଟିୟାନ ଲୋକେ ଭାବନାତ୍ମକ ଭାବରେ ବର୍ଣ୍ଣନା କଲେ, ‘ସେମାନେ ଆମ ବାଇବେଲ ପୋଡିଦେଲେ, ଯୀଶୁଙ୍କ ଫଟୋକୁ ଚିରିଦେଲେ ଇତ୍ୟାଦି କିନ୍ତୁ କେହି ଦଣ୍ଡିତ ହେଲେ ନାହିଁ
ବର୍ଣ୍ଣବୋଧ ପୋଡିବାକୁ ଅପରାଧ ଭୁକ୍ତ କରିବା ଭାଷାକ୍ଷେତ୍ରରେ ବୋଝ ଭାବୁଥିବା ଅନେକ ପଶ୍ଚିମ ଓଡିଶାର ସାଥୀଙ୍କୁ ପୁଣି ସନ୍ଦେହୀ ସମ୍ଭାବ୍ୟ ଅପରାଧୀ ତାଲିକା ଭୁକ୍ତ କରିଦେବା ସେମାନଙ୍କ ସ୍ଥିତିକୁ ବୁଝିବାର ରାସ୍ତାକୁ ବନ୍ଦ କରିଦେବା ସହିତ ସମାନ ହେବ
ଭାରତୀୟ ଆଇନ ବ୍ୟବସ୍ଥା ସମସ୍ତଙ୍କ ସମାନ ନହୋଇ ବରଂ ସଂଖ୍ୟାଗରିଷ୍ଠ ପାଇଁ ଭିନ୍ନ ଦୁର୍ବଳଙ୍କ ପାଇଁ ଭିନ୍ନ ହୋଇଆସିଛି
କ୍ଷେତ୍ରରେ ଉପକୂଳ ଅଞ୍ଚଳର ଲେଖକ/ଲେଖିକା, କବି ସ୍ତମ୍ବକରମାନଙ୍କର  ନୈତିକ ଦାୟିତ୍ଵ ହେଉଛି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଓଡିଆ ଭାଷକୋଷକୁ ଆହୁରି ବ୍ୟାପକ କରିବା ଯାହାଦ୍ୱାରା ଉପରୋକ୍ତ ପ୍ରତିକ୍ରିୟା ପୁଣି ଆଗ୍ରହ ପ୍ରେମରେ ବଦଳିପାରିବ ସେମାନେ ପୁଣି ଓଡିଆ ଅସ୍ମିତା ସହିତ ସାମିଲ ହୋଇଯିବେ ଓଡିଆ ଭାଷା ଅନେକ ପାଠକ ପାଠିକା ଏହାଦ୍ବାରା ପାଇପାରିବ
ମୁଁ ମୁଖ୍ଯତଃ ଓଡିଆ ଭାଷାରେ ସ୍ତମ୍ବ ଲେଖେ, ଗଳ୍ପ ଲେଖେ ଉପକୂଳିୟ ଓଡିଆରେ ସ୍ଵପ୍ନ ଦେଖେ ଏବେ ଆପଣ ଚିନ୍ତା କରନ୍ତୁ ମୋ ସହିତ ଆପଣ ଯିବେ ନା ମୋତେ ଆଘାତ ଦେବେ
ଦେବ ରଞ୍ଜନ
debasar11@yahoo.co.in, cell: 9437762272




Tuesday, September 10, 2019

ସରକାର ନିଆଁ ଲଗେଇ ଦେଇ ଦମକଳ ଡାକୁଛନ୍ତି


ରାଜ୍ୟରେ ଏହି ନୂଆ ମୋଟରଜାନ ଆଇନ ଜନିତ ଆତଙ୍କର ମୂଳ କାରଣ ହେଲେ ମୁଖ୍ୟମନ୍ତ୍ରୀ ନିଜେ ବିଜେପିରେ ଅନ୍ଧ ଭକ୍ତଙ୍କ ଭଳି ଶାସକ ବିଜୁ ଜନତା ଦଳର ସଦସ୍ୟମାନେ ମଧ୍ୟ ଅନ୍ଧ ଭକ୍ତ ହୋଇଗଲେଣି ଏହାର ସପକ୍ଷରେ ଯୁକ୍ତି କରୁଛନ୍ତି ଯେତେବେଳେ ଅନ୍ୟ ବହୁ ରାଜ୍ୟ ଉକ୍ତ ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି (ମଧ୍ୟ ପ୍ରଦେଶ ଓ ପଶ୍ଚିମ ବଙ୍ଗ ଇତ୍ୟାଦି ) ସେତେବେଳେ ଓଡିଶା ସରକାର ଏହାକୁ ପୂର୍ଣ୍ଣାଙ୍ଗ ଭାବରେ ମାନିନେବା କଣ ଆବଶ୍ୟକ ଥିଲା କି? ସରକାର ପ୍ରକୃତରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଭୁଲିଯାଇଛନ୍ତି କାରଣ ସେ ଗଲା ନିର୍ବାଚନରେ 217 କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଛନ୍ତି । ଲୋକଙ୍କ ସ୍ଥିତିକୁ ଆଦୌ ବୁଝିନଥିବା ସରକାର ଲୋକଙ୍କ ପ୍ରତିବାଦ ପରେ ତିନି ମାସର ସମୟ ଦେଇଛନ୍ତି । କିନ୍ତୁ ଏହାର ସଂଶୋଧନ ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଲେ ନାହିଁ ।  ଏହା ଘରେ ନିଆଁ ଲଗେଇ ଦେଇ ପୁଣି ଦମକଳ ଡାକି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିବା ଭଳି କଥା ।

          ନୂଆ ମୋଟରଜାନ ଆଇନ ବିରୁଦ୍ଧରେ ଲୋକଙ୍କ ପ୍ରତିକ୍ରିୟାକୁ ଦମନ କରିବାକୁ ଯାଇ ଗଲା 7 ତାରିଖ ଦିନ (ସେପ୍ଟେମ୍ବର) ଭୁବନେଶ୍ବରର ରାଜମହଲ ଛକରେ ପୁଲିସର ଲାଠିଚାର୍ଜ ହୋଇଥିଲା । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସରକାରଙ୍କୁ ଭୟ କର ଚୁପ ରୁହ ନିତୀର ଅଂଶବିଶେଷ ପୁଲିସ ଏଭଳି ଏକ ବାହିନୀ ଏହା ସଦା ସର୍ବଦା ନିଜକୁ ହିଁ ସରକାର ଭାବିନିଏ ପୁଲିସ କେବଳ ସରକାରୀ ନିର୍ଦ୍ଦେଶକୁ ମାନିବା ଲାଗି ନିଯୁକ୍ତ ହୋଇଛନ୍ତି ସେମାନେ ଆଇନ ତିଆରି କରିନାହାନ୍ତି ଲୋକଙ୍କ ସହିତ ଆଲୋଚନା କରିବା ସରକାରୀ ଗାଡିଗୁଡ଼ିକର ଯେ ଉପଯୁକ୍ତ କାଗଜ ନାହିଁ ଏକଥାକୁ ସ୍ଵୀକାର କରିଯିବାରେ ଅସୁବିଧା କେଉଁଠି ଥିଲା ? ଏହା ଗଣତନ୍ତ୍ରର ଦେଶ ନା ଏହା ପଟ୍ଟନାୟକ ବଂଶ କି ମୋଦୀ ବଂଶର ଶାସନର ସମୟ ?

           କାହିଁକି ରାସ୍ତାରେ ଖାଲ ଅଛି, କାହିଁକି ପାଣି ଜମିଛି, ନଦୀରୁ ବାଲି ଉଠାଉଥିବା କି ଖଣିରୁ ମାଲ ବୋହୁଥିବା ଟ୍ରକକୁ ଛୋଟ ରାସ୍ତାରେ ଗଡିବାର ଅନୁମତି ଦେବା କେତେ ଉଚିତ, ରାତିରେ ଯାଉଥିବା ଦୂରଗାମୀ ବସର ବେଗ କେତେ ରହିବା ଉଚିତ, ଲୋକଙ୍କୁ ନେଇ ଯାଉଥିବା ବସର ଚାଳକ ସତେରେ ଯଥେଷ୍ଟ ବିଶ୍ରାମ ନେଇଛି ସେ କଥାକୁ ଲୋକେ ପଚାରିବା ଲାଗି କୌଣସି ବ୍ୟବସ୍ଥା ନାହିଁ କି ସରକାର ସେଥିଲାଗି ଉତ୍ତରଦାୟୀ ନୁହଁନ୍ତି    ରାସ୍ତାରେ ଲୋକ ମଲେ ବିଭାଗୀୟ ଇନକ୍ଵାରି ଓ କିଛି କ୍ଷତିପୂରଣ ପରେ ସବୁ ଶେଷ ହୋଇଯାଏ

          ନୂତନ ମୋଟରଜାନ ଆଇନ 2019 ଅନୁସାରେ ଜଣେ ଲୁନା ଚାଳକ ନିଜ ଲୁନାର ପ୍ରଦ୍ଯୁଷଣ ଚେକିଙ୍ଗ ସାର୍ଟିଫିକେଟ ନଥିଲେ 10,000 ଟଙ୍କା ଜୋରିମାନା ଦେଉଛି । ରାଜ୍ୟରେ 4000 କୋଟି ଟଙ୍କାର ଷ୍ଟିଲ ପ୍ଳାଣ୍ଟ ଦ୍ଵାରା ଶିଳ୍ପ ପ୍ରଦ୍ଯୁଷଣ ହେଲେ 10,000 ଟଙ୍କା ଜୋରିମାନା ଦେଉଛି କୌଣସି ଷ୍ଟିଲ ପ୍ଳାଣ୍ଟ ଯେତିକି ବାୟୁ ପ୍ରଦ୍ୟୁଷଣ କରୁଛି ଜଣେ ଲୁନା ଚାଳକ ସେତିକି କରୁଛି କି? କିନ୍ତୁ ସରକାରଙ୍କ ନୂତନ ଆଇନ ଅନୁସାରେ ଉଭୟ ସମାନ ।  (See section 39 of THE AIR (PREVENTION AND CONTROL OF POLLUTION) ACT, 1981) ଆମ୍ଭେମାନେ ଦାବି କରିବା ସତ୍ବେ ପ୍ରଦ୍ଯୁଷଣ କରୁଥିବା କୌଣସି କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ଏହାର ଧାରା 40ରେ ଉଲ୍ଲେଖ ରହିଲା ଯେ ପ୍ରଦ୍ଯୁଶଣ ପାଇଁ କମ୍ପାନୀର ମାଲିକ ଦାୟୀ ନୁହନ୍ତି । କିନ୍ତୁ ଗାଡି ଯଦି ନିୟମର ଅନୁସାରେ କାଗଜ ନଦେଖାଇଲା ତେବେ ଏହାର ଚାଳକ ଓ ମାଲିକ ଉଭୟ ଦାୟୀ । ଓଡିଶା ରାଜ୍ୟ ପ୍ରଦ୍ଯୁଷଣ ଉପଶମ ବୋର୍ଡର ତଥ୍ୟ ଅନୁସାରେ 1980 ମସିହା ଠାରୁ ଆଜି ପର୍ଯ୍ୟନ୍ତ କୌଣସି କମ୍ପାନୀ ଜଳ ପ୍ରଦ୍ଯୁଷଣ ହେଉ ଅଥବା ବାୟୁ ପ୍ରଦ୍ଯୁଷଣ ଲାଗି ଦଣ୍ଡିତ ହୋଇନାହାନ୍ତି ଆମେ ଜାଣିଛୁ ବ୍ରାହ୍ମଣୀ ସବୁଠାରୁ ଅଧିକ ଦୂଷିତ ନଦୀ ତାଳଚେର, ସୁକିନ୍ଦା ଓ ଅନୁଗୁଳ ସହର  ସବୁଠାରୁ ଅଧିକ ଅସ୍ଵାସ୍ଥ୍ୟକର ସ୍ଥାନ ରାଜ୍ୟ ସରକାର ନିଜର କମ୍ପାନୀମାନଙ୍କୁ ଖୋଲା ଛାଡିଦେଲା ବେଳେ ସାଧାରଣ ଗାଡ଼ି ଚାଳକ ସରକାରଙ୍କ ଦୃଷ୍ଟିରେ ବଡ ଦୋଷୀ ।  ଓଡିଶା ଏବେ ନୂତନ ଆଇନ ଅନୁସାରେ ସବୁଠୁ ଅଧିକ ଜୋରିମାନା ଆଦାଯ କରିଥିବା ରାଜ୍ୟ ।

          ସରକାର, ଚାହେଁ କେନ୍ଦ୍ର ହେଉ ଅଥବା ରାଜ୍ୟ, ଏହି ସମାନ ନିତୀ ଆଦିବାସୀ ଅଞ୍ଚଳରେ ହେଉ କି କାଶ୍ମୀର ଅଞ୍ଚଳରେ, କୃଷକ ହେଉ କି ଦଳିତ ଅଥବା ଅଳ୍ପ ସଂଖ୍ୟକ, ସମସ୍ତଙ୍କ ବିରୁଦ୍ଧରେ ସେହି ସମାନ ନିତୀ ଆପଣାଉଛନ୍ତି । ରାସ୍ତାରେ ଦୁର୍ଘଟଣା ହେଲେ ଚାଳକ କେବଳ ଦାୟୀ ତେଣୁ ସେ ଅପରାଧୀ । ଆଦିବାସୀ ଅଞ୍ଚଳରେ ଯଦି ଜଙ୍ଗଲ କଟୁଛି କି ଖଣି ଲୁଟ ହେଉଛି କି ସ୍କୁଲ ଓ ସ୍ୱାସ୍ଥ୍ୟ ସୁବିଧା ମିଳୁନି ତେବେ ଏଥିପାଇଁ ଆଦିବାସୀ ଦାୟୀ ତେଣୁ ସେ ମାଓବାଦୀ । କାଶ୍ମୀରର ଲୋକେ ଯଦି ସ୍ୱାୟତତ୍ତାର ଅଧିକାର ପାଇଁ ଦାବି କଲେ ତେବେ ସେମାନେ ଦେଶଦ୍ରୋହୀ
          କେନ୍ଦ୍ର ସରକାରଙ୍କ ଏହି ନୂତନ ଆଇନର ସଜ୍ଞା ଅନୁସାରେ ରାସ୍ତାରେ ଘଟୁଥିବା ସମସ୍ତ ଦୁର୍ଘଟଣା ପାଇଁ ଗାଡ଼ି ଚାଳକ ହିଁ କେବଳ ଦାୟୀ ଯେମିତି ଆଦିବାସୀ ଅଞ୍ଚଳରେ ହେଉଥିବା ସମସ୍ତ ଅବ୍ୟବସ୍ଥା ଲାଗି ଆଦିବାସୀ ହିଁ ଦାୟୀ । ଆମେ ଆମର ଗଣତାନ୍ତ୍ରିକ ଚେତନାକୁ ସରକାରୀ ବିଜ୍ଞାପନ, ମିଡିଆ ଅଭିଯାନ ଓ ଶାସକ ଦଳର କାର୍ଯ୍ୟକ୍ରମ ମଧ୍ୟରେ ଏଭଳି ହରାଇସାରିଲୁଣି ଯେ ସରକାର ଯାହାକୁ ସାଧାରଣ ଅପରାଧି କିମ୍ବା ଦେଶଦ୍ରୋହୀ କହିଲେ ଆମେ ତାହାକୁ ମଧ୍ୟ ଅପରାଧୀ ଅଥବା ଦେଶଦ୍ରୋହୀ କହିଦେଉଛୁ । ସରକାର ଭାବୁଛନ୍ତି ଯେ ଦମନ ଦ୍ଵାରା ଶାନ୍ତି ଓ ଶୃଙ୍ଖଳା ଆସିପାରିବ । ତେଣୁ ଗାଡ଼ି ଚାଳକକୁ ଅଧିକ ଦଣ୍ଡ ଦେବା ଦ୍ଵାରା ଦୁର୍ଘଟଣା ରୋକାଯାଇପାରିବ, ଏକଥା ସରକାର ଭାବୁଛନ୍ତି । ଯଦି ସେହି ଯୁକ୍ତି ଠିକ ତେବେ ଭାରତର ପ୍ରତ୍ଯେକ ସହର ଓ ନଦୀ ଆଜି ଯେଉଁ ଭଳି ଦୂଷିତ ସେହି ହେତୁ ସମସ୍ତ ବୃହତ ଶିଳ୍ପ ଓ ଖଣି କମ୍ପାନୀମାନଙ୍କୁ କୋଟି କୋଟି ଟଙ୍କାର ଜୋରିମାନା କରାଯାଇପାରିଲେ ନଦୀମାନେ ସ୍ବଚ୍ଛରେ ଅନ୍ତତଃ ପ୍ରବାହିତ ହୋଇପାରନ୍ତେ, ଜଙ୍ଗଲ ଗୁଡିକ ଆପେ ତିଆରି ହୋଇପାରନ୍ତା ଓ ବର୍ଷା ମଧ୍ୟ ଠିକରେ ହୁଅନ୍ତା ?  କିନ୍ତୁ ତାହା ହେଉ ନାହିଁ । ସରକାର ନିର୍ଦ୍ଦିଷ୍ଟ ବର୍ଗ ଉପରେ ଦମନ କର ଓ ଶାସନ କର” ନିତୀ ଆପଣାଇବା ଦ୍ଵାରା ସମାଜରେ କୌଣସି ପରିବର୍ତ୍ତନ ହେବ ନାହିଁ ଏହାଦ୍ବାରା ହୁଏତ ପ୍ରକୃତ ସମସ୍ୟାକୁ ଟାଳିଦେବାରେ ସରକାର ଆଉ କିଛି ସମୟ ପାଇଥାନ୍ତି

ଦେବ ରଞ୍ଜନ



କନ୍ଧମାଳ ହିଂସାକୁ ଦଶ ବର୍ଷ
(ଗଲା ଜୁନ ମାସରେ ମୁଁ କନ୍ଧମାଳ ଯାଇଥିଲି ଦଶ ବର୍ଷ ତଳେ ବିଭିନ୍ନ ତଥ୍ୟାନୁସନ୍ଧାନ ଦଳରେ ତଥା ମୋର ବୃତ୍ତଚିତ୍ର ନିର୍ମାଣ ସମୟରେ ସାକ୍ଷାତ କରିଥିବା ସେହି ବ୍ୟକ୍ତିମାନଙ୍କୁ ପୁଣି ଭେଟିବା ଥିଲା ମୋର ଉଦ୍ଦେଶ୍ୟ ସେହି କ୍ରମର ଏହା ପ୍ରଥମ ଲେଖା )
            ଆମ ସମାଜରେ ଯେଉଁଠି ଧର୍ମାନ୍ଧମାନେ ନିଜର ସଂଖ୍ୟା ଗରିଷ୍ଠତା ସତ୍ଵେ ନିଜକୁ “ବିପନ୍ନ” ମନେ କରି ନିଜର କ୍ଷୋଭକୁ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତିରେ ମୁକ୍ତ ଭାବରେ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି ସେଠାର ସମାଜ ସାମ୍ପ୍ରଦାୟିକ ଶକ୍ତି ଦ୍ଵାରା ଯେ ପ୍ରଭାବିତ ସେଥିରେ ସନ୍ଦେହ ନାହିଁ ଏହି ଧର୍ମାନ୍ଧଙ୍କ ଉପସ୍ଥିତି ଆମ ସମୟରେ ବଢୁଥିବା ଅସହିଷ୍ଣୁତା ଓ ଅକାରଣ ବିପନ୍ନବୋଧ ଆମ ସମାଜର ମାନବିକତା ଓ ସତ୍ୟାସତ୍ୟ ଖୋଜିବାର ମାନସିକତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି କନ୍ଧମାଳ ହିଂସାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ପରିବାର ଗୁଡିକ ସତେରେ ପୁଣି ନିଜ ଗ୍ରାମକୁ ଫେରି ପାରିଲେ କି ନାହିଁ, ସେମାନଙ୍କ ପୀଢି ପୀଢିର ସଞ୍ଚୟଟିକକୁ ଧର୍ମାନ୍ଧ ହିନ୍ଦୁମାନେ ନଷ୍ଟ କରିଦେବା ପରେ ସେମାନେ ବଞ୍ଚିଛନ୍ତି କେମିତି, ସେମାନଙ୍କ ନିକଟ ସମ୍ପର୍କୀୟ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଏ ଦେଶର ଆଇନ ଦ୍ଵାରା ଦଣ୍ଡିତ ହେଲା କି ନାହିଁ ଇତ୍ୟାଦି ପ୍ରଶ୍ନ ଯଦି ସମାଜକୁ କବଳିତ କରୁନାହିଁ ତେବେ ଜଣେ ସାଧାରଣ ନାଗରିକ ଭାବରେ ଆମ ସମସ୍ତଙ୍କ ମାନବିକ ଅଧିକାର ସେହି ଧର୍ମାନ୍ଧଙ୍କ ହେତୁ ଯେ ବିପନ୍ନ ଏଥିରେ କୌଣସି ଶଙ୍କା ନାହିଁ  
            କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନିକଟସ୍ଥ ଜଳେଶପେଟା ଆଶ୍ରମ ପରିସର ମଧ୍ୟରେ  ମାଓବାଦୀ ସଂଗଠନର ବେଶ କିଛି ସଦସ୍ୟ ଲକ୍ଷ୍ମଣାନନ୍ଦଙ୍କୁ 23 ଅଗଷ୍ଟ 2008ରେ ହତ୍ୟା କରିଥିଲେ ଏହାର ଠିକ ପରଦିନ ବିଶ୍ଵ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡିଆ ତୁରନ୍ତ ଜିଲ୍ଲାରେ ପହଞ୍ଚି ନିଜ ନେତୃତ୍ବରେ ଲକ୍ଷ୍ମଣାନନ୍ଦଙ୍କ ମୃତ ଶରୀରକୁ ନେଇ ଶବ ଶୋଭାଯାତ୍ରା ଆରମ୍ଭ କରିଥିଲେ ତାହାର ପରିଣାମରେ ହତ୍ୟାର ପରଦିନ ଅର୍ଥାତ 24 ତାରିଖ ସନ୍ଧ୍ୟାରୁ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଯାଇଥିଲା ଯାହା ଅନୁମାନ କରାଯାଏ ଯେ ସେ ଏହି ହିଂସାକୁ ପ୍ରୋଶ୍ଛାହିତ କରିଥିଲେ ଓ ତାଙ୍କ ପଛରେ ସରକାରୀ କଳର ସହଯୋଗ ରହିଥିଲା ସେ ସମୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ବିଭିନ୍ନ ମନ୍ତ୍ରୀ ନିଜର ବୟାନରେ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିୟାନଙ୍କ କାର୍ଯ୍ୟ ଉଲ୍ଲେଖ କରିବା ଓ ଏ ସମସ୍ତ ହିଂସା ଘଟଣା ଘଟୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରିବା ଜିଲ୍ଲାରେ ଖ୍ରୀଷ୍ଟିୟାନ ବିରୋଧୀ ହିଂସାକୁ ଦୀର୍ଘ ସ୍ଥାୟୀ କରିଦେଇଥିଲା କନ୍ଧମାଳ ହିଂସାର 10 ବର୍ଷ ମଧ୍ୟରେ ନା କେବେ ପ୍ରବୀଣ ତୋଗାଡିଆଙ୍କ ଏହି ସମ୍ବିଧାନ ବିରୋଧୀ ଭୂମିକା ତଥା ବିଜେପି ମନ୍ତ୍ରୀମାନଙ୍କ ଅପରିଣାମଦର୍ଶୀ ବୟାନ ସମ୍ପର୍କରେ କେଉଁ ବିଚାର ବିଭାଗୀୟ କମିଶନରେ ପ୍ରଶ୍ନ କରାଯାଇ ପାରିଲା ନା କୌଣସି ଫାଷ୍ଟଟ୍ରାକ କୋର୍ଟରେ ଏହା ପୂର୍ଣ୍ଣ ବିଚାର ହୋଇପାରିଲା ଏହି ନହୋଇପାରିବା ଦେଶର ଧର୍ମନୀରପେକ୍ଷତା ପ୍ରତି ଉପହାସ  

            ଜି ଉଦୟଗିରୀ ବ୍ଲକ ଅନ୍ତର୍ଗତ ଟିଆଙ୍ଗିଆ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ମୃତ ବ୍ୟକ୍ତିମାନଙ୍କ ନାମଥିବା ସ୍ତମ୍ବଟି ସାହାସର ସହିତ ଅନେକ କିଛି ବଖାଣି ଦେଉଛି ଏହା ସତ୍ୟ ଯେ ଟିଆଙ୍ଗିଆ ପଞ୍ଚାୟତର ପରୀକ୍ଷିତ ନାୟକ, ବିକ୍ରମ ନାୟକ ଓ ଫାଦର ବେର୍ନ୍ନାଡୋ ଦିଗାଲଙ୍କ ସମେତ ସାତ ଜଣଙ୍କୁ ହତ୍ୟା କରାଯାଇଥିଲା ହତ୍ୟାର 10 ବର୍ଷ ପରେ ପରୀକ୍ଷିତଙ୍କ ବଡ ଭାଇ ସୁରେଶ ନାୟକଙ୍କ କୋହ ଭରା ବକ୍ତବ୍ୟ ସମସ୍ତ ଘଟଣାକୁ ପୁଣି ଯେମିତି ସତେଜ କରିଦେଉଥିଲା “ମୋର ଭାଇକୁ ହାଣିଲା ପରେ ସେମାନେ ମୋତେ ଖୋଜୁଥିଲେ ମୁଁ ଥାନାରେ ସୂଚନା ଦେଇ ଠିକ ଫେରୁଥାଏ 20 ରୁ 30 ଜଣ ଆମରି ଗାଁ ଲୋକେ ମୋତେ ଘେରିଗଲେ ମୁଁ କିଛି କହିବା ପୂର୍ବରୁ ମୋ ମୁଣ୍ଡରେ ଗୋଟେ ଚୋଟ ପକାଇଦେଲେ ଏହା ପରେ ମୁଁ ଦଉଡିବାକୁ ଲାଗିଲି ମୋ ପରିବାର କୁଆଡେ ଗଲେ ମୁଁ କିଛି ଜାଣିନି 3 ଦିନ ପରେ ମୁଁ ସେମାନଙ୍କୁ ଗଜପତି ଜିଲ୍ଲାରେ ପାଇଲି ମୋ ଭାଇର ହତ୍ୟାକାରୀମାନେ ଏବେ ବି ଘର ସାମ୍ନାରେ ବୁଲୁଥିଲା ବେଳେ ଆମକୁ ଯେ କେମିତି ଲାଗୁଥିବ ସେକଥା ଆପଣ ଅନୁମାନ କରନ୍ତୁ?” ଏବେ ସେ ନିଜେ କନ୍ଧମାଳରୁ ଉଠିଯାଇ ବାହାରେ ବ୍ୟବସାୟ କରି ଚାଲୁଛନ୍ତିମୁଁ ବିକ୍ରମର ମାଙ୍କୁ ଖୋଜିଲି 10 ବର୍ଷ ତଳେ ମୋର ବୃତ୍ତଚିତ୍ରରେ ବିବାଦ : କାହାର କ୍ଷତି କାହାର ଲାଭ (କନ୍ଧମାଳ ଓ କାଶୀପୁରର ସ୍ଥିତିକୁ ନେଇ ନିର୍ମିତ) ସେ ନିଜ ପୁଅର ହତ୍ୟା ବିଷୟରେ ବର୍ଣ୍ଣନା କରିଥିଲେ ଏବେ ସେ ଗାଁରେ ନରହି ନିଜ ବଡ ପୁଅ ପାଖରେ ବାହାରେ ରହୁଛନ୍ତି  

            ସରକାରୀ ତଥ୍ୟକୁ ଉଦୃତ କରି ପିୟୁସିଲ ନିଜର ରିପୋର୍ଟରେ କୁହେ ଯେ କନ୍ଧମାଳ ହିଂସାରେ 38 ମୃତ, 3 ନିଖୋଜ, 415 ଗାଁ ପ୍ରଭାବିତ, 3262 ଘର ନଷ୍ଟ , 195 ଚର୍ଚ୍ଚ ଓ ପ୍ରାଥନା ଗୃହ ଭଙ୍ଗାରୁଜା, 25122 ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ (କନ୍ଧମାଳ ହିଂସାରେ ପ୍ରକାଶିତ ତଥ୍ୟ)ସୁପ୍ରିମ କୋର୍ଟ ଓକିଲ ବୃନ୍ଦା ଗ୍ରୋଭରଙ୍କ ଦ୍ଵାରା ଲିଖିତ ପୁସ୍ତକ ଅନୁସାରେ 600 ଗ୍ରାମ କ୍ଷତିଗ୍ରସ୍ତ, 5600 ଗୃହ ନଷ୍ଟ, ପ୍ରାୟେ 56000 ଲୋକ ଗୃହ ଶୂନ୍ୟ ଓ ପ୍ରାୟେ 2000 ଖ୍ରୀଷ୍ଟିୟାନ ଧର୍ମୀଙ୍କୁ ଜବରଦସ୍ତି ଧର୍ମାନ୍ତିକରଣ କରାଯାଇଛି(Kandhamal Introspection of Initiative for Justice 2007 – 2015). କନ୍ଧମାଳ ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ 3232ଟି ଅଭିଯୋଗ 11,000 ଦଙ୍ଗାକାରୀଙ୍କ ବିରୁଦ୍ଧରେ ଦାଏର ହୋଇଥିଲେ ମଧ୍ୟ 827ଟି କେସକୁ ପୁଲିସ ପଞ୍ଜୀକୃତ କରିଥିଲା ସେ ମଧ୍ୟରୁ ଆବଶ୍ୟକୀୟ ପ୍ରମାଣ ଅଭାବ ଦର୍ଶାଇ 315ଟି କେସର ଫାଇନାଲ ରିପୋର୍ଟ ଦେଇ ପୁଲିସ କେସକୁ ବନ୍ଦ କରିଦେଇଥିଲା 2017 ମସିହା ଶେଷ ବେଳକୁ 362 କେସର ବିଚାର ହୋଇ ସେଥିରୁ ମାତ୍ର 78 ଟି କେସରେ ସଜ୍ଜା ଶୁଣା ଯାଇଥିଲା ପାଖାପାଖି 30ଟି ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲେ ମଧ୍ୟ 2017 ମସିହା ଶେଷ ବେଳକୁ ମାତ୍ର ଦୁଇଟି କେସରେ ସଜ୍ଜା ଶୁଣା ଯାଇଥିଲା ସେଥି ମଧ୍ୟରୁ ଟିଆଙ୍ଗିଆର ପରୀକ୍ଷିତ ନାୟକଙ୍କ ହତ୍ୟା ଅପରାଧରେ ବିଜେପି ଏମଏଲଏ ମନୋଜ ପ୍ରଧାନ (2009 ମସିହା ନିର୍ବାଚନରେ ସେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଜେପି ଟିକେଟରେ ଜି ଉଦୟଗିରୀ ଆସନରୁ ଏମଏଲଏ ଭାବରେ ନିର୍ବାଚିତ ହୋଇଥିଲେ) ଅଭିଯୁକ୍ତ ଥିଲେ ହିଂସାକାଣ୍ଡ ଆରମ୍ଭ ହୋଇଯିବା ଦେଖି ପରୀକ୍ଷିତ ନିଜ ସାଇକେଲରେ ନିଜ ଦୁଇ ଝିଅ (ସେ ସମୟରେ 6 ବର୍ଷ ଓ 3 ବର୍ଷ) ଓ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଚାଲିଯାଉଥିବା ସମୟରେ ମନୋଜ ନାୟକ ଓ ବେଶ କିଛି ଲୋକ ତାଙ୍କୁ ଘେରି ଯାଇ ହତ୍ୟା କରିଥିଲେକୋର୍ଟରେ ସ୍ତ୍ରୀ ଓ ନାବାଳିକା ଝିଅ ସାହାସର ସହିତ ନିଜ ବାପାଙ୍କୁ ଯେଉଁ ଭଳି ସେମାନଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା ତାହାର ସଂପୂର୍ଣ୍ଣ ବର୍ଣ୍ଣନା କରିବା ସତ୍ବେ ମନୋଜ ପ୍ରଧାନଙ୍କୁ ହତ୍ୟା ମକଦ୍ଦମାରେ ଅଭିଯୁକ୍ତ ନକରି କେବଳ ମିଳିତ ଭାବରେ ଏକା ଉଦ୍ଦେଶ୍ୟ ନେଇ ଆକ୍ରମଣ କରିଥିବା ଅପରାଧରେ (ଧାରା 34/ଆଇପିସି) ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ 7 ବର୍ଷ ଜେଲ ଶୁଣାଇଲେ ମନୋଜ ଏବେ ହାଇକୋର୍ଟରୁ ଜାମିନ ପାଇ ନିଜ ଗ୍ରାମରେ ଅଛନ୍ତି ପୁଲିସ ବନ୍ଦ କରିଦେଇଥିବା 315 କେସକୁ ପୁଣି ଥରେ ତଦନ୍ତ କରି ବିଚାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ମାନ୍ୟବର ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ଅଗଷ୍ଟ 2016ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟଙ୍କ ଯୁକ୍ତି ଥିଲା ଏ ଦେଶରେ ସଂଖ୍ୟାଧିକଙ୍କ ଭଳି ସଙ୍ଖ୍ଯାନ୍ୟୁନମାନେ ମଧ୍ୟ ନାଗରିକ ଓ ସେମାନଙ୍କର ନ୍ୟାୟ ପାଇବାର ହକ ରହିଛି ହେଲେ ସେହି 315 କେସର ବିଚାର ପୁଣି ଆରମ୍ଭ ହୋଇପାରିନଥିବା ବା ସେ ଦିଗରେ କୌଣସି ଅଗ୍ରଗତି ହୋଇନଥିବା ଫୁଲବାଣୀ କୋର୍ଟର ଓକିଲ ନିଜ ନାମ ନନେଇ କୁହନ୍ତି  
            ଏ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟେ ଗୃହ ତିଆରି ହୋଇଯାଇଥିବା କଥା ସୂଚନା ମିଳେସରକାର ଏ ଦିଗରେ ଆଂଶିକ ଭାଙ୍ଗି ଥିବା ଗୃହକୁ 20,000 ଟଙ୍କା ଓ ସଂପୂର୍ଣ୍ଣ ଭାଙ୍ଗିଥିବା ଗୃହକୁ 50,000 ଟଙ୍କା ଦେଇଥିଲେ ମୃତକଙ୍କ ପରିବାର ସଦସ୍ୟଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସରକାର ଘୋଷଣା କରିଥିଲେଏଥିରେ ସୁପ୍ରିମ କୋର୍ଟ ପୁଣି ହସ୍ତକ୍ଷେପ କରି କ୍ଷତିପୂରଣ ରାଶି ଭାଙ୍ଗିଥିବା ଗୃହର ମାଲିକଙ୍କୁ ଦୁଇ ଗୁଣା ବୃଦ୍ଧି କରାଇବା ସହିତ ମୃତକଙ୍କ ପରିବାରକୁ ଅଧିକ 3 ଲକ୍ଷ ଟଙ୍କା ଓ ଆଘାତ ପାଇଥିବା ଲୋକଙ୍କୁ 10,000 ରୁ 30,000 ଟଙ୍କା ସହାୟତା ରାଶି ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ଏବେ ବି ବେଶ କିଛି ଲୋକ ଜିଲ୍ଲା ବାହାରେ ରହିଯାଇଛନ୍ତି  ସେହିପରି ନିଜ ଜିଲ୍ଲାରେ ନିଜେ ଶରଣାର୍ଥୀର ଜୀବନ ବିତାଉଛନ୍ତି ବେଟିକୋଲା, କିଲାକିଆ ଓ ଝିମାଙ୍ଗିଆ ଗ୍ରାମର 72 ପରିବାର ସମସ୍ତେ ଜି ଉଦୟଗିରୀ ନିକଟସ୍ଥ ଶାନ୍ତି ନଗର ନାମରେ ସରକାରୀ ଜାଗାରେ ନୂତନ କଲୋନୀ ପ୍ରତିଷ୍ଠା କରି ରହିଛନ୍ତି
            ଜାତିସଂଘର ସଜ୍ଞା ଅନୁସାରେ କୌଣସି ବ୍ୟକ୍ତି ଯଦି ଦେଶ ମଧ୍ୟରେ ବିଭିନ୍ନ କାରଣ ଯଥା ସଶସ୍ତ୍ର ଯୁଦ୍ଧ, କ୍ରମାଗତ ହିଂସାକାଣ୍ଡ, କ୍ରମାଗତ ମାନବିକ ଅଧିକାର ଉଲ୍ଲଂଘନ ଅଥବା ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ବାସସ୍ଥାନ ଛାଡି ଦେଇଥାଏ ଓ ଭୟ ହେତୁ ଫେରି ପାରୁନଥାଏ ସେହି ବ୍ୟକ୍ତିର ସେହି ସ୍ଥିତିକୁ ଆଭ୍ଯନ୍ତରୀଣ ବିସ୍ଥାପନ କୁହାଯିବ ସେମାନେ ଆନ୍ତର୍ଜାତିକ ନୀୟମ ଅନୁସାରେ ଓ ସେହି ଦେଶର ନିୟମ ଅନୁସାରେ ସମସ୍ତ ଅଧିକାର (ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଇତ୍ୟାଦି) ପାଇପାରିବେ ଓ ପ୍ରଶାସନର ସହଯୋଗରେ ନିଜର ପୂର୍ବ ସ୍ଥାନକୁ ଫେରିଆସିପାରିବେ ହେଲେ ଶାନ୍ତିନଗରର ବାସିନ୍ଦା ସୁନିଲ ମଲ୍ଲିକଙ୍କ ମତ ହେଲା ଯେ ସେମାନେ ବାଟିକୋଲା 2008 ମସିହାରେ ଛାଡିଲା ପରେ ବିଭିନ୍ନ କ୍ୟାମ୍ପରେ ରହି ପୁଣି ବିସ୍ଥାପିତ କଲୋନୀକୁ ଆସିଛନ୍ତି  ସେମାନେ ପରେ ଯାଇ ନିଜ ନିଜ ଗ୍ରାମରେ ଚାଷ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ହିନ୍ଦୁ ପରିବାର ଲୋକେ ନିଜ ଗାଈ ଗୋରୁ ସେଥିରେ ଚରାଇଦେଲେସୁନିଲ ନିଜେ ଜଣେ ଆଦିବାସୀ ଓ ସେ ଦେଇଥିବା ଏଫଆଇଆରକୁ ପୋଲିସ “ତଥ୍ୟ ଅଭାବ” ଦର୍ଶାଇ ବନ୍ଦ କରିଦେଇଛି ତାଙ୍କ କହିବା ହେଲା ଯେ ଲକ୍ଷ୍ମଣାନନ୍ଦ ବଞ୍ଚିଥିଲା ବେଳେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସର୍ବଦା ବିବାଦ ଚାଲିଥିଲା ବହୁ ବାର ହିନ୍ଦୁ ଲୋକେ ଆମକୁ ଓ ଆମର ପାଷ୍ଟର ଙ୍କୁ ଆକ୍ରମଣ କରିଛନ୍ତି ଏବେ ଗାଁକୁ ଆଉ ଫେରି ନପାରି ଜମିଥିବା ଶାନ୍ତି ନଗରର ବହୁ ଲୋକ ଦୀନ ମଜୁରୀଆ ପାଲଟିଛନ୍ତି  ଅନ୍ୟ ଲୋକର ଚାଷଜମିରେ ଓ ସରକାରୀ କାମରେ ମୂଳ ଲାଗି ନିଜ ପରିବାର ଚଳଉଛନ୍ତିସମ୍ବିଧାନର ଉଲ୍ଲେଖିତ ଧର୍ମନିରପେଖତାକୁ ବଜାୟ ରଖିବାକୁ ହେଲେ ଆମର ନାଗରିକ ସମାଜ ଏ ସମସ୍ତ ଦିଗରେ ଚିନ୍ତା କରିବା ଆବଶ୍ୟକସଂଖ୍ୟା ଲଘୁ ଲୋକେ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉ, ଭାରତ ଭଳି ଏକ ଧ୍ରମନିରପେକ୍ଷ ରାଷ୍ଟ୍ରରେ ସରକାର ସୁରକ୍ଷା ଦେଇନପାରିବା ସରକାରଙ୍କ ଏହା ବିଫଳତା ସାମ୍ପ୍ରଦାୟିକ ହିଂସାରେ କ୍ଷତିଗ୍ରସ୍ତ ସମସ୍ତ ସଦସ୍ୟ ଯେପରି ସାମାଜିକ ସୁରକ୍ଷା ଯୋଜନାରେ ପ୍ରାଥମିକତା ପାଇବେ ସେଥିଲାଗି ସରକାରଙ୍କ ନିକଟରେ ଦାବୀ କରାଯିବା ଜରୁରୀ  
-          ଦେବ ରଞ୍ଜନ