Monday, February 3, 2020

ଆମେ ସମସ୍ତେ ଚାହୁଁ ଆଜାଦୀ

'ହମ ଚାହାତେ ହେଁ ଆଜାଦୀ' ଜାନୁଆରୀ 30 ତାରିଖର ଭୁବନେଶ୍ଵର ଠାରେ ଅନୁଷ୍ଠିତ ବିରାଟ ରାଲ୍ଲୀ(photo: Deba Ranjan) 



          ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ ଏକ ବିଡମ୍ବନା ଏହା ବାସ୍ତବ, ଏହା ସତ୍ୟ ମଧ୍ୟ ଜାନୁଆରୀ 30 ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲ୍ଲି ଏହି ଆଜାଦୀର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ ଚାହୁଞ୍ଚନ୍ତି ଆଜାଦୀସେହି ରାଲ୍ଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ ଆଜାଦୀ ।
            ମନୁବାଦସେ ଆଜାଦୀ’, ଜାତିବାଦସେ ଆଜାଦୀ’, ଭୁଖମରିସେ ଆଜାଦୀ’, ବେରୋଜଗାରିସେ ଆଜାଦୀ ରାଲ୍ଲୀ ଭିତରେ ଶିହରଣ ଖେଳାଇଦେଉଥିଲା । ରାଲ୍ଲୀରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ ମୁହଁ ଲାଜରେ ପୋଡିଯାଉନାହିଁ କାହିଁକି? ଏହା କଣ ସେମାନଙ୍କ ବିଫଳତା ନୁହେଁ ? କିନ୍ତ ସେଭଳି କିଛି ହେବାର ନଥିଲା । କାରଣ ସେହିମାନେ ହିଁ ଥିଲେ ଏହି ରାଲ୍ଲୀର କାରଣ । ଏନଆରସିସେ ଆଜାଦୀ’, ଏନପିଆରସେ ଆଜାଦୀ’, ‘ସିଏଏସେ ଆଜାଦୀ ପ୍ରତ୍ଯେକ ପଦଚାରୀ ଜୋରରେ ଚିତ୍କାର କରୁଥିଲେ ।
            ବିଗତ ଦିନରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ସେହି ଛାତ୍ର ଆନ୍ଦୋଳନ ମଧ୍ୟରୁ ଆସିଥିବା ଏହି ଆଜାଦୀର ସ୍ଲୋଗାନ ଦେଶର ସମସ୍ତ ଅଧିକାର ଆଂଦୋଳନର କଣ୍ଠସ୍ଵର ପାଳଟିଯାଇଛି । “ଆମ୍ଭେ ଭାରତୀୟ”ର ଜାତୀୟତା ଭାବନା ମଧ୍ୟରେ ଛୋଟ ବଡ ଅସ୍ମିତାର ସ୍ଥାନ ନାହିଁ । କିନ୍ତୁ ସଂଖ୍ୟା ଗରିଷ୍ଠ ହିନ୍ଦୁର ଅହମିକାକୁ ଆଧାର କରି ସ୍ଥାୟୀ ଭାବରେ ଏହି ଦେଶରେ ଶାସନ କରିବାର ଇଚ୍ଛା ରଖୁଥିବା ହିନ୍ଦୁ ମୌଳବାଦୀମାନେ ଅସହିଷ୍ଣ ପଲଟିଯାଇଛନ୍ତି ସେମାନେ JNU ବିରୁଦ୍ଧରେ (ଓ ଅନ୍ୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ମଧ୍ୟ) ଯୁଦ୍ଧମ ଦେହି ଡାକରା ଦେଇଛନ୍ତି । 


            ଏହି ହେତୁ ଆଜି JNU ଓ ଏହାର ବାହାରେ ସମାନତାର ଆହ୍ଵାନ ବନାମ ଜାତିବାଦ ଓ ଲିଙ୍ଗଭେଦ କାଏମ ରଖିବାକୁ ଚାହୁଁଥିବା ବିଚାର ମଧ୍ୟରେ ଲଢେଇ ଦେଖୁଛୁ । ଏହି ବିଚାରର ଲଢେଇ କ୍ରମଶଃ ଶାସକଦଳ ଦ୍ଵାରା ଆକ୍ରମଣ ଓ ରାଷ୍ଟ୍ରହିଂସାରେ କେବେଠୁ ପରିଣତ ହୋଇସାରିଲାଣି । ଆମ ମଧ୍ୟରୁ ବେଶ କିଛି ଅଛନ୍ତି ଯେଉଁମାନଙ୍କୁ ଏହି ସମାନତାର ଆହ୍ଵାନ ବେଶ ଖଟା ଲାଗୁଛି । ସେମାନେ ଗଣତନ୍ତ୍ରକୁ ଭୁଲିଯାଇ ହିନ୍ଦୁ ମୌଳବାଦୀଙ୍କ କ୍ୟାମ୍ପରେ ପହଞ୍ଚିଯାଉଛନ୍ତି । ଏହି ବର୍ଗର ଶାସକ ଓ ତାଙ୍କ ସମର୍ଥକଙ୍କ ଲାଗି ମୂଳ ସମସ୍ଯା ହେଲା ଧାର୍ମିକ ଅସହିଷ୍ଣତା, ହେତୁବାଦୀଙ୍କ ଦ୍ଵାରା ଦିଆଯାଉଥିବା ବୈଜ୍ଞାନିକ ବିଚାରର ପ୍ରସାର, ଦଳିତ ସଂଗଠନ ଦ୍ଵାରା ଦାବି ରହିଥିବା ସରଙ୍ଖ୍ୟଣ ବ୍ୟବସ୍ଥାର ସ୍ଥାୟିତ୍ଵ ଓ କମ୍ୟୁନିଷ୍ଟଶକ୍ତିଙ୍କ ଦ୍ଵାରା ଦିଆଯାଉଥିବା ଆର୍ଥିକ ସମାନତାର ଆହ୍ଵାନ ।
            ଦେଶ ଅଧିକ ଧନିକ ବର୍ଗ ତିଆରି କରିପାରିଥିବା ଓ ଆମେରିକାର ଶାସକଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରୁଥିବାକୁ ନେଇ ଆଜିର ଶାସକବର୍ଗ ବେଶ ଗର୍ବ କରୁଛନ୍ତି । ସେମାନେ ପୁଷ୍ଟିହୀନତା ହେତୁ ହେଉ ଅଥବା ବେକାରୀ ହେତୁ ହେଉ ଶିଶୁ ମୃତ୍ୟୁବରଣ କରୁଥିବା ଅଥବା ଯୁବକ ଆତ୍ମହତ୍ୟା କରୁଥିବା ଆଜି ଆଉ ଲଜ୍ଜାର ବିଷୟ ହେଉନାହିଁ । ଆଜିର ଶାସକମାନେ ନିଜର ଭୋଟବ୍ୟାଙ୍କ କିଏ ତାହାକୁ ସ୍ଥିର କରିଦେବା ପରେ ସେମାନଙ୍କ ପାଇଁ ବାକି ସମସ୍ତେ ସରକାରବିରୋଧୀ”, ଦେଶଦ୍ରୋହୀ” , “ଅବାଞ୍ଛିତ” ଅଥବା “ଅଣଭାରତୀୟ”। 
            ଏହା ଉଲ୍ଲେଖନୀୟ ଯେ ରାଲ୍ଲିରେ ମୁସଲମାନ ସଂପ୍ରଦାୟର ଯୋଗଦାନ ଅଧିକ ଥିଲା ଦେଶର ସମ୍ବିଧାନର ବିରୋଧରେ ଯାଇ ବିଜେପି ନାଗରିକତା ତାଲିକାରେ ପ୍ରଥମ କରି ଧର୍ମକୁ ଏକ ବିଷୟ କରିବା ଓ ସେଥିରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାଦଦେବା ହେତୁ ଏଭଳି ପ୍ରତିବାଦ ରାଲ୍ଲୀର ବେଶ ଆବଶ୍ୟକତା ଥିଲା । ସେହି ମୁସଲମାନ ଯୁବକ ଓ ପୌଢଙ୍କ ମଧ୍ୟରେ ଭୟ ଥିଲା ନରେନ୍ଦ୍ର ମୋଦୀ – ଅମିତ ଶାହା ସେମାନଙ୍କୁ ତାଙ୍କ ନିଜ ଦେଶରୁ ବହିସ୍କାର କରିଦେବେ, ଭୋଟର ତାଲିକାରେ ନାମ କାଟିଦେବେ, ସେମାନଙ୍କୁ ହୁଏତ ଦେଶରୁ ତଡିଦେବେ ଅଟୋ ଚାଳକ, ଦୋକାନୀ, ଦରଜୀ, ଫେରିବାଲା, ଡ୍ରାଇଭର, ଖୁଚୁରା ବେପାରୀ, ଛାତ୍ର ସମସ୍ତେ ଏଥିରେ ସାମିଲ ଥିଲେ । ଏକ ସ୍ଥିର ଆୟ ଅଥବା ସୁରକ୍ଷିତ ଭବିଷ୍ୟତ ସେମାନଙ୍କ ଦାବି ନଥିଲା । ବରଂ ଯାହା ବି ଟିକେ ଅଛି ସେତକ ଚାଲିନଯାଉ ତାହା ଥିଲା ସେମାନଙ୍କ ଲାଗି ଭୟ । ନିଜର ନାଗରିକତାକୁ ହରାଇବାର ଭୟ ରାଲ୍ଲିରେ ତ ବେଶ ଜଣାପଢୁଥିଲା ।


            ବ୍ୟସ୍ତ ବିବ୍ରତ ମନ, ମୁହଁରେ କ୍ରୋଧ, ଚାଲିରେ ଗମ୍ଭୀରତା ଥିବା ପଦଚାରୀଙ୍କ ମଧ୍ୟରେ, “ଗାନ୍ଧିନେ ଭଗାୟା ଥା ଗୋରୋଙ୍କୋ ହମ ଭଗାଏଙ୍ଗେ ଚୋରୋଙ୍କ”, “ମୋଦୀ – ସାହା ଦେଶ ଛୋଡ” ସ୍ଲୋଗାନ ସମଗ୍ର ରାଲ୍ଲୀର ମନୋଭାବକୁ ବୁଝାଉଥିଲା । ରାଲ୍ଲୀ ପରବର୍ତ୍ତୀ  ଭାଷଣରେ ନେତାଙ୍କ ଭିତରେ “ହିନ୍ଦୁ ମୁସଲମାନ ଭାଇ ଭାଇ”, “କୋରାନ ହମକୋ ହିନ୍ଦୁ ମୁସଲମାନ ଏକ କଟୋରି ମେଂ ପାନି ପିନା ଶିଖାୟା” ମୋତେ ସ୍କୁଲ ଜୀବନରେ ବାରମ୍ବାର ଘୋଷିଥିବା ଇକବାଲଙ୍କ ଦ୍ଵାରା ଲିଖିତ ସାରେ ଜାହାଁ ସେ ଆଛାର କବିତାର ପଂକ୍ତି “ମଝବ ନେହିଂ ଶିଖାତା ଆପସମେ ବୈର ରଖନା” ମନେପଡୁଥିଲା ପଚାଶ ଦଶକର ସେହି ସର୍ବଧର୍ମ ସମଭାବ ଓ ଧର୍ମନିରପେକ୍ଷତାକୁ ପୁଣି ଦୋହରାଯାଉଥିଲା । ଆମେ କଣ ଏହା ଦ୍ଵାରା ପଛକୁ ଫେରୁଛେ ? ପୁଣି ପଚାଶ ଦଶକର ସେହି ବିଭାଜନ ଜନିତ ଘା ଏବେ ସତେଜ ହେବାକୁ ଯାଉନାହିଁ ତ ?
             ସରକାର ଯେବେ  ଜାତୀୟ ଜନସଂଖ୍ୟା ପଞ୍ଜିକା କରିବା ଆରମ୍ଭ କରିବେ ସେତେବେଳେ କେବଳ ମୁସଲମାନ ନୁହନ୍ତି, ରାଜ୍ୟର ବସ୍ତିବାସିନ୍ଦା, ଭୂମିହୀନ ଦଳିତ ଓ ଆଦିବାସୀ ବର୍ଗ, କିନ୍ନର, ଅନାଥ ଛୁଆମାନେ, ବେଶ ସଂଖ୍ୟକ ବିବାହିତା ମହିଳା ଓ ଅନେକ ଅନେକ ସେହି ସନ୍ଦିଗ୍ଧ ନାଗରିକ (Doubtful Citizen) ତାଲିକାରେ ଆସିଯିବେ ।  (Citizenship (Registration of Citizens and Issue of National Identity Cards) Rules, 2003, Section 4(4)) କିନ୍ତୁ ଦୁଃଖର କଥା ଯେ ରାଲ୍ଲିରେ ସେମାନଙ୍କ ସଂଖ୍ୟା ବେଶ କମ ଥିଲା । ହୁଏତ ଏହା ସାଙ୍ଗଠନିକ ଦୁର୍ବଳତା । ସେମାନଙ୍କ ପାଖରେ ହୁଏତ ଏହି ବାର୍ତ୍ତାଟି ଠିକରେ ପହଞ୍ଚିପାରି ନାହିଁ । ପୁଣି ସନ୍ଦିଗ୍ଧ ତାଲିକାରେ କମ୍ୟୁନିଷ୍ଟମାନେ ବାଦ ଯିବେ ନାହିଁ ଓ ସେମାନେ ଥିଲେ ଏହି ରାଲ୍ଲିର ମୁଖ୍ୟ ଆୟୋଜକ ।
            ସରକାର ହୁଏତ କହୁଥାଇପାରନ୍ତି, “ସିଏଏ ନାଗରିକତା ଲେନେ କେ ଲିୟେ ନେହିଂ ଦେନେକେ ଲିୟେ।“ କିନ୍ତୁ କାହାକୁ? କାହିଁକି ଏ ସମ୍ବିଧାନ ବିରୋଧୀ ପଦକ୍ଷେପ? କାହିଁକି ସିଏଏ ସହିତ ଏକ କାଳୀନ ଏନଆରସି ଓ ଏନପିଆର ଲାଗୁହେଉଛି? ଆସାମର ବିଗତ ଦିନର ଘଟଣାବଳୀ ଆମକୁ କଣ ସୂଚନା ଦେଉଛି? ହାଏ! ଏ ଦେଶର ଶାସକଙ୍କ ପାଖକୁ ଯାଇ ସେତିକି ପଚାରିବାର ସୁଯୋଗ ରହିଥାନ୍ତା କି? ଅନେକ ଅନେକ ଦୂରରୁ ଥାଇ ସାମାନ୍ଯ ପଚାରିବା ମଧ୍ୟ ଏ ଦେଶରେ ଦେଶଦ୍ରୋହ ଅପରାଧ!   


            ମୋ ପାଇଁ ଏଭଳି ଜନ ସମାଗମ ଓ ଏଭଳି ଏକ ରାଲ୍ଲିରେ ଯୋଗଦାନ ଥିଲା ପ୍ରଥମ । ମୁଁ ସେହି ମୁସଲମାନ ଯୁବକଙ୍କ ପାଦରେ ପାଦ ମିଶାଇ ଚାଲୁତ ଥିଲି, ବହୁତ କଥା ପଚାରୁ ଥିଲି କିନ୍ତୁ ଅନୁଭବ କରୁଥିଲି ଯେ ମୁଁ ଏହି ପଦଚାରୀଙ୍କ ସହିତ ଏକ ନିର୍ଦ୍ଦିଷ୍ଟ ସୀମାରେଖା ପରେ ଅନ୍ୟ କିଛି ଆଲୋଚନା କରିପାରିବି ନାହିଁ । ସେମାନେ ବାରମ୍ବାର ମଝବର କଥା କହୁଥିଲେ ଓ ମୁଁ ଜଣେ ନାସ୍ତିକ ତଥା ଗଣତନ୍ତ୍ରବାଦୀ ଭାବରେ ଧର୍ମର ଅନୁଷ୍ଠାନପଣ, ଅବୈଜ୍ଞାନିକ ଚିନ୍ତାଧାରା ଓ ଅଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଆଲୋଚନା କରିପାରୁନଥିଲି କିଛି ସମୟ ପାଇଁ ଲାଗିଲା ମୁଁ ହୁଏତ ସେହି ତିଳକଧାରୀଙ୍କ ମଧ୍ୟରେ ଅଛି ଓ ଏହି ରାଲ୍ଲି ପାକିସ୍ତାନ ଅଥବା ବଙ୍ଗଳାଦେଶର କୌଣସି ପ୍ରଦେଶରେ ଚାଲିଛି । ଆମ ଭିତରେ ବିଶ୍ଵମାନବବାଦର ସ୍ଵପ୍ନ ଧିରେ ଧିରେ ମରିଯାଉଛି ।
            ସତେରେ ଆମର ଶାସକମାନେ ଆମକୁ ଶିଖାଉଥିବା ଜାତୀୟତା ହେଲା ଆମର ପଡୋଶୀ ଦେଶକୁ ଅଧିକରୁ ଅଧିକ ଘୃଣା କରିବା ଓ ପଡୋଶୀ ଦେଶର ସମସ୍ତ ଆଚରଣକୁ ନିଜେ କପି କରିବା । ଅଦ୍ଭୁତ ଏ ଜାତୀୟତା । ଆମକୁ ସତେରେ ଏଥିରୁ ଆଜାଦୀ ଜରୁରୀ ।
ଦେବ ରଞ୍ଜନ

Thursday, January 30, 2020

“ଆମ୍ଭେ ଭାରତୀୟ” ଅଜି ପଚାରୁଛୁ / “We the People” are asking




ଆଜି  କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କଣ କୁହାଯିବ ଗଣତନ୍ତ୍ର?
ଦୀର୍ଘ ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ ସମସ୍ତେ ନିଜ ନିଜ ଅଧିକାର ପାଇଁ କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କୁ ଆମେ ଏକାଠି କରିଦେଇପାରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ସେହି ସମସ୍ତ ବର୍ଗ ସହିତ ମହିଳା ଓ ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ସଂଖ୍ଯାରେ  ଯୋଗ ଦେଇଚାଲିଛନ୍ତି ।
ଏହି ଆନ୍ଦୋଳନ ମଧ୍ୟରେ ଯେବେ “ଆମେ ଭାରତୀୟ” ସ୍ଲୋଗାନ ଆସୁଛି ସେତେବେଳେ ସମଗ୍ର ଭାରତୀୟଙ୍କ ସମସ୍ଯା ଆମ ସମସ୍ତଙ୍କ ସମସ୍ଯା ତାହା ହିଁ ଏହା ପରର ସ୍ଲୋଗାନ ହେବ । କେବଳ ଯେ ଅଳ୍ପ ସଂଖ୍ୟକର ସମର୍ଥନରେ ଏହି ସ୍ଲୋଗାନ “ଆମେ ଭାରତୀୟ” ଉଠୁଛି ତାହା ନୁହେଁ ଆଗାମୀ ଦିନରେ ଏହା ନିଶ୍ଚିତ ସମସ୍ତ ପ୍ରକାରର ସରକାରୀ ଦମନ ଓ ସ୍ଵାର୍ଥପରତା ତଥା ଏକଛତ୍ରବାଦୀ ନିଷ୍ପତ୍ତି ବିପକ୍ଷରେ ଉଠିବ ।



ଭାରତୀୟ ସମ୍ବିଧାନର ମୁଖବନ୍ଧ କେବଳ  ଧର୍ମନିରପେକ୍ଷତାର କଥା କହୁନାହିଁ । ଏହା ମଧ୍ୟ ସମାଜବାଦଗଣତନ୍ତ୍ରର କଥା କହୁଛି । ଆଜି ଏହି ଧର୍ମନିରପେକ୍ଷତାକୁ ଉଠାଇ ଦେବାର ଉଦ୍ୟମ କରିବା ହେତୁ ଦେଶଭିତରେ ପ୍ରତିବାଦ ଦେଖାଦେଇଛି ।
ଏହାପରେ “ଆମେ ଭାରତୀୟମାନେ” ତ ପଚାରିବୁ ଯେ ଦେଶରେ ବିଗତ ଦିନମାନଙ୍କରେ ହୋଇଥିବା ସମସ୍ତ ଦଙ୍ଗାରେ ଲିପ୍ତ ସେହି ଅପରାଧୀମାନଙ୍କୁ ତୁମେ ସୁରକ୍ଷା କେମିତି ଦେଉଛ? ସେମାନେ ଜେଲରେ ରହିବା ବଦଳରେ ଆଜି କେଉଁଭଳି ନିର୍ଭୟରେ ବୁଲୁଛନ୍ତି ଓ ତୁମ ପାର୍ଟିର ପ୍ରମୁଖ କର୍ମୀ ସାଜିଛନ୍ତି ?
ଏହା ପରେ “ଆମେ ଭାରତୀୟ” ସମାଜବାଦର ସଜ୍ଞା ନେଇ ନିଶ୍ଚୟ ପ୍ରଶ୍ନ କରିବୁ କେମିତି ଦେଶରେ ଦରଦାମ ବୃଦ୍ଧି, ବେକାରୀ ଓ ପୁଷ୍ଟିହୀନତା କାହିଁକି ବଢୁଛି ? ଚାଷୀ ଠାରୁ ଶିକ୍ଷିତ ବେକାର ଯୁବାବର୍ଗ ଆତ୍ମହତ୍ୟା କରୁଥିଲା ବେଳେ ମୁକେଶ ଆମ୍ବାନୀ ଓ ଆଦାନିଙ୍କ ସମ୍ପତ୍ତି ବଢିବାରେ କେମିତି ଲାଗିଛି ?
ସରକାର ଲୋକଙ୍କୁ କାମ ଓ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅସମର୍ଥ ହେଉଛି କିନ୍ତୁ ସାଧାରଣଲୋକଙ୍କ ଜୀବନ ରେଖା ସାଜିଥିବା ରେଳ ବିଭାଗ ହେଉ ଅଥବା ଜାତୀୟତାର ଓ ଦେଶର ସୁରକ୍ଷା ଲାଗି ଗଠିବା ପ୍ରତିରକ୍ଷା ବିଭାଗକୁ ସେହି ସବୁ ମୁଷ୍ଟିମେୟ କମ୍ପାନୀମାନଙ୍କୁ ବିକ୍ରିକରିଦେବାରେ (ନୂଆ ପ୍ରାଇଭେଟ ଟ୍ରେନ ପ୍ରଚାଳନ ଓ ଯୁଦ୍ଧଅସ୍ତ୍ର ନିର୍ମାଣ ଲାଗି) ଲାଗିଛନ୍ତି ?
 “ଆମ୍ଭେ ଭାରତୀୟ”, We The People, ଏହା ପରେ ସରକାରଙ୍କୁ ନିଶ୍ଚେ ତ ଏ ସବୁର ଉତ୍ତର ମାଗିବୁ 

Wednesday, January 8, 2020


ଲେଖକଙ୍କ ସାମ୍ପ୍ରଦାୟିକ ଭାବନା (?)
ଦେବ ରଞ୍ଜନ


             ନୂଆ ବର୍ଷ ସର୍ବଦା ନୂଆ ଚିନ୍ତା ନୂଆ ଭାବନା ନୂଆ ଦିଗ ଦେଉ ଏକଥା ନୂଆ ବର୍ଷର ଅଭିବାଦନ ସମୟରେ ଆମେ ପ୍ରକାଶ କରିଥାଉକିନ୍ତୁ ମଣିଷ ଏହି ନୂଆ ଭାବନାର ଇଚ୍ଛାରେ ସେତିକି ତଳକୁ ଖସି ନଯାଉ ଯେଉଁଠୁ ତାକୁ ଉଠାଇବାର ରାସ୍ତା ବି ବନ୍ଦ ହୋଇଯାଇଥିବ। ନୂଆ ବର୍ଷର ପ୍ରଥମ ଦିନରେ “ରାଷ୍ଟ୍ର ଓ ନାଗରିକ” ଶୀର୍ଷକ ଲେଖାଟି ମାଧ୍ୟମରେ ସ୍ତମ୍ବକାର ହର ପ୍ରସାଦ ଦାଶ ଯେଉଁ ସାମ୍ପ୍ରଦାୟିକ ବିଭାଜନର ମଞ୍ଜି ବୁଣିଛନ୍ତି ତାହା ସମ୍ବାଦରେ ପ୍ରକାଶ ପାଇବା ଏକ ଆଶ୍ଚର୍ଯ୍ୟର ବିଷୟ । ଇଏ ତ ସେହି ମାଟି ଯେଉଁଠି ଦିନେ ସନ୍ଥ କବିର ପ୍ରଚାର କରିଥିଲେ,ଏକୈ ପବନ ଏକ ହୀ ପାନୀ, ଏକ ଜ୍ଯୋତି ସଂସାରା / ଏକ ହୀ ଖାକ ଘଡେ ସବ ଭାଡେ, ଏକ ହି ସିରଜନହାର ।“ (ସମସ୍ତେ ଏକା ପାଣି ପବନରେ ବଞ୍ଚିଛନ୍ତି । ସମସ୍ତେ ଏକା ମାଟିରେ ଗଢା। ସମସ୍ତଙ୍କ ଦେହରେ ଗୋଟିଏ ପ୍ରକାରର ଅସ୍ଥି ଓ ମଜ୍ଜା ରହିଛିଭାରତର ଧର୍ମନିରପେକ୍ଷତା ଏହି ମହାନ ସନ୍ଥଙ୍କ ବାଣୀ ଉପରେ ଠିଆ ହୋଇଛି । ଏହାକୁ କେମିତି ଭୁଲିଯିବା ? ଅଥଚ କେନ୍ଦ୍ର ସରକାର ଏହା ମୂଳଦୁଆକୁ ଭାଙ୍ଗିବାରେ କ୍ରମାଗତ ଭାବରେ ଯେଉଁ ଉଦ୍ୟମ କରିଚାଲିଛନ୍ତି ତାହାର ଅନ୍ୟ ଏକ ଉଦ୍ୟମ ହେଲା ନାଗରିକ ସଂଶୋଧନ ନିୟମ, 2019 ଯାହାକୁ ଲେଖକ ଜାଣିକରି ମଧ୍ୟ ଅଣଦେଖା କରିଛନ୍ତି । ହରପ୍ରସାଦ ଦାଶ ମହୋଦୟ ଯେଉଁ ଯୁକ୍ତି କରିଛନ୍ତି, “ଦକ୍ଷିଣ ଏସିଆର ବିଶାଳତମ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତ ଚିନ୍ତିତ ତାର ପଡୋଶୀ ଭାବରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ଭଳି ଧର୍ମୀୟ ରାଷ୍ଟ୍ରମାନଙ୍କରେ କ୍ଷୟ ହୋଇଚାଲିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ...ଯାହାହେତୁ ଅମାନବୀୟ ସ୍ଥିତି ଉତ୍ପନ୍ନ।“ ଏହି ସମାନ କଥା ଯୁକ୍ତି କରାଯାଇଛି ବିଜେପି ଦ୍ଵାରା ପ୍ରକାଶିତ ସିଏଏ ସମ୍ବନ୍ଧିତ “କମଲ ସନ୍ଦେଶ” ପ୍ରଚାର ପତ୍ରରେ ଏଥିରେ ଉଲ୍ଲେଖ କରାଯାଇଛି  ମୁସଲମାନ ଧର୍ମୀ ସଂଖ୍ୟାଗରିଷ୍ଠ ଦେଶରେ ହିନ୍ଦୁ ଲୋକଙ୍କୁ “ଧର୍ମପରିବର୍ତ୍ତନ, ବଳତ୍କାର, ନରସଂହାର କରାଯାଉଛି ଓ (ସେମାନଙ୍କ)ସମ୍ପତ୍ତି ଛଡ଼ାଯାଉଛି” ଅଥଚ ଏହି ସମାନ ବ୍ୟବହାର ଧର୍ମ ନାମରେ ଭାରତରେ ସଂଖ୍ୟା ଗରିଷ୍ଠ ହିନ୍ଦୁ(ତ୍ଵ) ସଂପ୍ରଦାୟ ଦ୍ଵାରା ଦଳିତ, ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କୁ (କନ୍ଧମାଳ ହିଂସା 2008 ଯାହାର ଉଦାହରଣ)  କରାଯାଉଛି । କିନ୍ତୁ ଭାରତ ନିଜକୁ ବିଦେଶରେ ଥିବା ଅଣମୁସଲମାନ ସଂପ୍ରଦାୟର ସୁରକ୍ଷା ସ୍ଥାନ ଭାବରେ କେବେଠାରୁ ଘୋଷଣା କରିଛି ? ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ମୁସଲମାନଙ୍କୁ କାହିଁକି ବାଦ ଦିଆଯାଉଛି ?
            ବିଜେପି ଏହାର ପ୍ରଚାର ପତ୍ରରେ ଯୁକ୍ତି କରିଛି,  ଏହି ତିନି ଦେଶ ଯେହେତୁ ମୁସଲମାନ ବହୁଳ ତେଣୁ ମୁସଲମାନଙ୍କୁ ଏ ସବୁ ଦେଶରେ ଅତ୍ୟାଚାର କରାଯାଉନାହିଁ । ଏହି ସମାନ କଥା ଦାଶ ମହୋଦୟ ମଧ୍ୟ କହିଛନ୍ତି । କିନ୍ତୁ ଉଭୟ ବିଜେପି ଓ ହରପ୍ରସାଦ ଦଶ ମହୋଦୟ କାହିଁକି ଉଲ୍ଲେଖ କରୁନାହାନ୍ତି ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମାକୁ ଆମେ ଭାରତୀୟମାନେ ଏଠାରେ ନିଷ୍ପତ୍ତି ନେଉଛୁ କି ଭାରତକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିବୁ ଓ ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବୁ।“ ଏହି ଘୋଷଣାନାମା ଆଧାରରେ ସୁପ୍ରିମ କୋର୍ଟ କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ କେସରେ ରାୟ (1973 ମସିହାରେ) ଦେଇଥିଲେ ଯେ ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମା ହେଲା ଧର୍ମନିରପେକ୍ଷତା ଓ ଗଣତନ୍ତ୍ର । ଏହାକୁ କାଏମ ରଖି ସମ୍ବିଧାନର ଅନ୍ୟ ସମସ୍ତ ଧାରାର ସଂଶୋଧନ ପାର୍ଲାମେଣ୍ଟରେ କରାଯାଇପାରେ କିନ୍ତୁ ଏହାର ମୂଳ ଚରିତ୍ରକୁ (‘basic structure of constitution’) କଦାପି ବଦଳାଯାଇନପାରେ  ଅଥଚ ମୋଦୀ ସରକାର ସମ୍ବିଧାନର ମୂଳ ଘୋଷଣାନାମା ତଥା ସୁପ୍ରିମ କୋର୍ଟ ରାୟର ବିରୁଦ୍ଧରେ ଯାଇ ନାଗରିକ ସଂଶୋଧନ ଆଇନ 2019 ପାସ କରିଛନ୍ତି ଯାହା ଧର୍ମ ଆଧାରରେ ନାଗରିକର ବିଭାଜନ କରୁଛି । ଏହି ହେତୁ ଆଜି ଲୋକେ ସ୍ଲୋଗାନ ଦେଉଛନ୍ତି “ତୁମେ ସାତ ଘଣ୍ଟାରେ ମୋର ସତୁରୀ ବର୍ଷର ଜୀବନର ଫଇସଲା କରିବା ମୋତେ ମଞ୍ଜୁର ନାହିଁ” ଓ ସେମାନେ ରାସ୍ତାକୁ  ଆସିଛନ୍ତି ।


            ଭାରତୀୟ ଉପମହାଦେଶର ସମସ୍ତ ସାତଟି ଦେଶରେ ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ, ପାର୍ସି ଓ ଆଦିବାସୀ ଅଳ୍ପ ବହୁତ ଅଛନ୍ତି ଓ କୌଣସି ଏକ ଧର୍ମକୁ ବାଦ ଦେଇ ଏହି ଉପମହାଦେଶର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ କଳ୍ପନା କରାଯାଇନପାରେ । ଦେଶ ଦେଶ ମଧ୍ୟରେ ବିଭାଜନର ସୀମାରେଖା ଏହି 60 ରୁ 70 ବର୍ଷ ମଧ୍ୟରେ ତିଆରି ହେଲାହିନ୍ଦୁ ମହାସଭା ଦ୍ଵାରା ପରିକଳ୍ପିତ ଅଖଣ୍ଡ ଭାରତରେ ରହିଛ ଏହି ତିନି ଦେଶ (ବଙ୍ଗଳାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ) ଯାହାକୁ ଲେଖକ ଯୁକ୍ତି କରିଛନ୍ତି, “ଏକଦା ଅବିଭକ୍ତ ଭାରତୀୟ ସଭ୍ୟତାର ଅଂଶ।“ ହେଲେ ଏହି ଉପମହାଦେଶର ଇତିହାସ ତ କାହିଁ କେତେ ବର୍ଷର ? ଶ୍ରୀଲଙ୍କାକୁ ବାଦ ଦେଇ ରାମାୟଣର କଳ୍ପନା କରିହେବ କି? ବର୍ମାକୁ ବାଦ ଦେଇ ଉତ୍କଳର ନୌବାଣିଜ୍ୟ ସମ୍ପର୍କରେ କିଛି ଲେଖାଯାଇପାରିବ? ଏହି ଉପମହାଦେଶର ସଂସ୍କୃତି ତିଆରି ହୋଇଛି ବହୁ ମହାନ ସନ୍ଥମାନଙ୍କ ଦ୍ଵାରା । ଭାରତ ଉପମହାଦେଶରେ କବୀର, ମହିମା ଅଲେଖ, ନାରାୟଣ ଗୁରୁ, ଫୁଲେ, ମହମ୍ମଦ ଇକବାଲ, ଫଏଜ, ଆମ୍ବେଦକର ତଥା ଗାନ୍ଧୀ ଏହି ମାନବିକତାର କଥା କହିଛନ୍ତି ଓ ସେହି କଥା ଭିତରୁ ସମ୍ବିଧାନର ନୀତି ନିର୍ଦ୍ଦେଶନାମା ବା Directive Principles ଆସିଛି । ଲେଖକ ମହୋଦୟ କେମିତି ଏତେ କ୍ଷୁଦ୍ର ଦୃଷ୍ଟିଭଙ୍ଗୀରେ ସଂପୂର୍ଣ୍ଣ ବିଷୟଟିକୁ ଦେଖିବାକୁ ଚେଷ୍ଟା କଲେ? ଆଜିର ଶାସକ ମହାନ ହୋଇଯାଇଥାନ୍ତେ ଯଦି ଉକ୍ତ ତିନି ଦେଶର ମୁସଲମାନଙ୍କ ସମେତ ପଡୋଶୀ ଦେଶ ଶ୍ରୀଲଙ୍କାର ତାମିଲ ହିନ୍ଦୁ ଓ ଖ୍ରୀଷ୍ଟିୟାନମାନଙ୍କୁ ସିଂହଳୀ ବୌଦ୍ଧମାନେ, ବର୍ମାର ରୋହିଙ୍ଗିଆମାନଙ୍କୁ ବୌଦ୍ଧଧର୍ମାବଲମ୍ବୀମାନେ ଓ ତିବ୍ବତର ବୌଦ୍ଧ ଧର୍ମାବଲମ୍ବିମାନଙ୍କୁ ସେଠାର କମ୍ୟୁନିଷ୍ଟ ସରକାର ଯେଉଁଭଳି ଅତ୍ୟାଚାର କରୁଛନ୍ତି ତାହାକୁ ମାନବିକ ଅଧିକାର ପ୍ରସଙ୍ଗ କରିପାରିଥାନ୍ତେ ଓ ନାଗରିକତା ପ୍ରଦାନ କରିଥାନ୍ତେ । ଶ୍ରୀଲଙ୍କାରୁ ଆସିଥିବା ହିନ୍ଦୁ/ବୌଦ୍ଧ ଅଥବା ତିବ୍ବତରୁ ଆସିଥିବା ବୌଦ୍ଧ ଓ ଏବେ ଉପରୋକ୍ତ ତିନିଦେଶରୁ ଆସିଥିବା ହିନ୍ଦୁ/ବୌଦ୍ଧମାନଙ୍କ ମଧ୍ୟରେ ପାର୍ଥକ୍ଯ କଣ ? ଏତିକି ଯେ ସେମାନେ କେହି ମୁସଲମାନ ସଂଖ୍ୟାଗରିଷ୍ଠ ଦେଶରୁ ଆସିନାହାନ୍ତି ଓ ସରକାରଙ୍କୁ “ମାନବିକ ଅଧିକାର” ନାମରେ ଏକ ସାମ୍ପ୍ରଦାୟିକ ଖେଳ ଖେଳିବାର ଅଛି ମାନବିକ ଅଧିକାର ଏପରି ଏକ ସଂକୀର୍ଣ୍ଣ ପ୍ରସଙ୍ଗ ନୁହେଁ ଯେ କିଛି ଲୋକଙ୍କ ପାଇଁ ଦ୍ଵାରା ଖୋଲା ରହିବା ବେଳେ ଅନ୍ୟମାନଙ୍କ ଲାଗି ଏହା ବନ୍ଦ ରହିଯିବ ।
            ଆଜି ଯେଉଁ ବିରୋଧ ଦେଶ ସାରା ଚାଲିଛି ଏହା କେବଳ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ନୁହେଁ । ଗୃହମନ୍ତ୍ରୀ ବାରମ୍ବାର କହିଛନ୍ତି, “ପ୍ରଥମରେ ସିଏଏ ଓ ଏହା ପରେ ଏନଆରସି (ଜାତୀୟ ନାଗରିକ ପଞ୍ଜିକା)“ ଆସାମରେ ଏନଆରସିରେ ଯେଉଁ 19 ଲକ୍ଷ ଲୋକ ବାଦ ପଡିଲେ ସେମାନଙ୍କ ମଧ୍ୟରୁ 14 ଲକ୍ଷ ହେଉଛନ୍ତି ବଙ୍ଗାଳୀ ହିନ୍ଦୁ । ବର୍ତମାନର ସିଏଏ ମାଧ୍ୟମରେ ସେମାନଙ୍କୁ ଭାରତୀୟ ନାଗରିକର ଅଧିକାର ଦେବା ଲାଗି ଉଦ୍ୟମ କରାଯିବ । କିନ୍ତୁ ବାକି ଯେଉଁ 5 ଲକ୍ଷ ମୁସଲମାନ ସେହି ତାଲିକାରୁ ବାଦ ପଡିଲେ ସେମାନେ କୁଆଡେ ଯିବେ ? ଲେଖକ ଯେବେ ପଡୋଶୀ ଦେଶର ହିନ୍ଦୁ ଓ ଅନ୍ୟ ଅଳ୍ପସଙ୍ଖ୍ୟକଙ୍କୁ ମାନବୀୟ ଆଧାରାରେ ଦେଖିବା ଲାଗି ଅପିଲ କରୁଛନ୍ତି ସେତେବେଳେ ସେ ଏହି 5 ଲକ୍ଷ ମୁସଲମାନଙ୍କୁ କେଉଁଭଳି ଭୁଲିଯାଉଛନ୍ତି ? ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆସାମରେ ଏହି ବାଦ ପଡିଥିବା ତାଲିକା ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲଲି ଅହମ୍ମଦଙ୍କ (1974-77) ପରିବାର ଓ କାର୍ଗିଲ ଯୁଦ୍ଧରେ ଭାଗନେଇଥିବା ମହମ୍ମଦ ସନା ଉଲ୍ଲହଙ୍କ ପରିବାର ମଧ୍ୟ ଅଛନ୍ତି । ଏହି ବାଦ ପଡିଥିବା ଲୋକଙ୍କ ଲାଗି ଆସୁଛି ଅଟକ କେନ୍ଦ୍ର ବା Detention Centerକେନ୍ଦ୍ର ସରାକରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭଳି “ଯଥେଷ୍ଟ ସଂଖ୍ଯାର” ଅଟକ କେନ୍ଦ୍ର ସ୍ଥାନୀୟ ଜେଲ ନିକଟରେ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଗୃହମନ୍ତ୍ରଣାଳୟ ଚିଠି ତାରିଖ ସେପ୍ଟେମ୍ବର 07, 2018 ) ଏହା କେବଳ ବେଆଇନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ସନ୍ଦେହଜନକ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ । ଏହି ସନ୍ଦେହଜନକ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ ଜାତୀୟ ଜନସଂଖ୍ୟା ପଞ୍ଜିକା ନା ଏନପିଆର । ଗୃହ ମନ୍ତ୍ରୀ କହିସାରିଛନ୍ତି, “ପ୍ରଥମେ ଏନପିଆର ଓ ଏହା ପରେ ଏନସିଆର”। ସିଟିଜେନଶୀପ ରୁଲ୍ସ 2003ର ଧାରା 3(4) ରେ ଏନପିଆର ସମ୍ପର୍କରେ ଉଲ୍ଲେଖ ରହିଛି ଓ ଏହାର ରୁଲ୍ସ 4(4)ରେ ସନ୍ଦେହଜନକ ନାଗରିକ ସମ୍ପର୍କରେ ଉଲ୍ଲେଖ ରହିଛିକିନ୍ତୁ ସନ୍ଦେହଜନକ ନାଗରିକର କୌଣସି ସଜ୍ଞା ତିଆରି ହୋଇନଥିବା ହେତୁ ଏହା କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ସନ୍ଦେହଜନକ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ । ହୁଏତ ଯିଏ ବି ବିଜେପିକୁ ବିରୋଧ କରୁଛି ସେ ମଧ୍ୟ ସନ୍ଦେହଜନକ ନାଗରିକ ହୋଇଯିବ ।
           


ଉର୍ଦ୍ଦୁ କବି ଗୁଲାଜରଙ୍କ ଏକ କବିତାର ଅର୍ଥ ହେଲା, “ବ୍ରିଟିଶର ଗୁଲାମ ସମୟରେ ଆମେ ହିନ୍ଦୁସ୍ତାନୀ ଥିଲୁ। ଭାରତର ସ୍ଵାଧୀନତା ପରେ ଆମକୁ ହିନ୍ଦୁ ମୁସଲମାନ ଭାବରେ ବାଣ୍ଟିଦିଆଗଲା । (ଗୁଲାମ ଥେ ତୋ ହମ ସବ ହିନ୍ଦୁସ୍ତାନୀ ଥେ / ଆଜଦୀ ନେ ହମେଂ ହିନ୍ଦୁ ମୁସଲମାନ ବନାଦିଆ ) ଆଜିର ଶାସକବର୍ଗ ଏହାକୁ ଯଥାର୍ଥ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଲେ, “ପୋଷାକରୁ ଜଣାପଡୁଛି ସିଏଏକୁ କେଉଁମାନେ ବିରୋଧ କରୁଛନ୍ତି।“ ଏହି ସାଂଘାତିକ ମନ୍ତବ୍ୟ ସତ ମଧ୍ୟ । କାରଣ କ୍ରମାଗତ ଭାବରେ ମୁସଲମାନ ସଂପ୍ରଦାୟକୁ ଭିଡାହିଂସା, ଇଉଏପିଏ, ତିନି ତଲାକରେ ପୁରୁଷଙ୍କୁ ଅପରାଧୀ କରାଇବା(ହିନ୍ଦୁ ସ୍ଵାମୀ ଛାଡପତ୍ର ଦେଲେ କିନ୍ତୁ ଅପରାଧୀ ନୁହେଁ), ଅଯୋଧ୍ୟାର ଉପାସନା ସ୍ଥଳ ପରିବର୍ତ୍ତନ କରିଦେବା (ଜଗନ୍ନାଥ ମନ୍ଦିରକୁ ସାଖିଗୋପାଳ ନେଇଗଲେ ଗ୍ରହଣୀୟ ହେବ କି) ଓ କାଶ୍ମୀରର ରାଜ୍ୟପାହ୍ୟା ମଧ୍ୟ ହଟାଇଦେବା ଇତ୍ୟାଦି ଘଟଣା ମୁସଲମାନଙ୍କୁ କ୍ରମାଗତ ଭାବରେ ଅସୁରକ୍ଷିତ କରୁଛି । କେବଳ ବୈଜ୍ଞାନିକ କାହିଁକି ଅଥବା ଅଧ୍ୟାପକ ବା ଛାତ୍ରଛାତ୍ରୀ ଅତି ଅପତ୍ୟାଶିତ ଭାବରେ TechAgainstFascism, ନାମରେ Google, Uber, Salesforce, Amazon, Facebook, Accenture, Microsoft, Tata Consultancy Services, HCL, and Wipro ଇତ୍ୟାଦିରେ କାମ କରୁଥିବା ଭାରତୀୟ କର୍ମଚାରୀମାନେ ମଧ୍ୟ ଏହି ବିରୋଧରେ ସାମିଲ ହୋଇଛନ୍ତି । ବରଂ ଲେଖକ ଜଣେ ମାନବବାଦୀ ଭାବରେ ବରଂ ଦୁଃଖ ପ୍ରକାଶ କରିବା ଉଚିତ ଆଉଟସୋର୍ସିଙ୍ଗ ବ୍ୟବସ୍ଥାରେ ଆମରି ଯୁବାବର୍ଗ ଯେଉଁଭଳି ଶୋଷଣର ଶିକାର ହେଉଛନ୍ତି, ଶ୍ରମ ଆଇନ କୋହଳ ଶ୍ରମିକର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି, ସରକାର ସେହି ଏସଇଜେଡ଼ ବ୍ୟବସ୍ଥାକୁ ଲାଗୁ କରୁଛନ୍ତି, ଏବେ ଉଚ୍ଚ ଶିକ୍ଷାରେ ସରକାରୀ ବଜେଟରେ ଖର୍ଚ୍ଚ କମାଇଦେଲେ,  କଂଗ୍ରେସ ଭଳି ସରକାର ଶିକ୍ଷାର ଘରୋଇକରଣ , ସ୍ୱାସ୍ଥ୍ୟର ଘରୋଇକରଣ ଓ ସରକାରୀ ଉଦ୍ଯୋଗ ବିକ୍ରି, ଶ୍ରମ ଆଇନର ଉଛେଦ  ଇତ୍ୟାଦି କରିଚାଲିଛନ୍ତି ଏହା ସରକାରଙ୍କ ଲାଗି କାହିଁକି ଦେଶଦ୍ରୋହ ନୁହେଁ ? ଦେଶର ସମ୍ବିଧାନର ମୂଳ ଭିତ୍ତିଭୂମିର ସୁରକ୍ଷା ଲାଗି ଆନ୍ଦୋଳନ କରିବା ଦେଶଦ୍ରୋହ କେମିତି ?  ଗରିବ ମୁସଲମାନମାନଙ୍କୁ ଭିଡହିଂସା ଦ୍ଵାରା ଲକ୍ଷ୍ୟ ରଖିବା ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଥିବା ମୁସଲମାନଙ୍କୁ ଅଟକକେନ୍ଦ୍ରକୁ ପଠାଇବା କଣ ଦେଶପ୍ରେମ ? ଏହା କରିବା ଦ୍ଵାରା ବରଂ ଲେଖକଙ୍କ ନିରପେକ୍ଷତା ଅଧିକ ପ୍ରମାଣିତ ହେବ ।
Mobile: 9437762271

Friday, December 20, 2019

ପୁଣି ଜିନ୍ଦଲ ?



ଆଜି କାହିଁକି ଓଡିଶାରେ ପ୍ରତି ଦୁଇବର୍ଷରେ ଥରେ ନିଶ୍ଚିତ ରୂପେ ମରୁଡି ହେଉଛି ? କାହିଁକି ବର୍ଷକରେ ତିନି ଥର ବାତ୍ୟା ହେଉଛି ? କାହିଁକି ବର୍ଷା ଠିକରେ ହେଉନାହିଁ ଯେଉଁଥି ଲାଗି ଆମ ଜମିରେ ଧାନ ସବୁ ଶୀଘ୍ର ପାଚିଯାଉଛି ? କାହିଁକି ଆମ୍ବ କି ନଡିଆ ଗଛରେ ସମୟ ଅନୁସାରେ ଫଳ ଧରୁନାହିଁ ? ଏମିତି ଅନେକ ପ୍ରଶ୍ନ ଆମର ଚାରିପାଖର ଜଳବାୟୁକୁ ନେଇଆସୁଛି । ଆଜି ଓଡିଶାର 19ଟି ନଦୀ ପ୍ରଦ୍ଯୁଷଣ ହୋଇସାରିଥିବା ହେତୁ ନା ମାଛ ରହୁଛନ୍ତି ନା ନଦୀଜଳ ଚାଷ ଜମିରେ ମାଡିପାରୁଛି । ଏହା ପରେ ବି ଆଜି ଯଦି ଅଧିକ ଜଙ୍ଗଲ କାଟି ପୂର୍ବଭଳି ଡ୍ୟାମ, କାରଖାନା, ବନ୍ଦର ସବୁ କରାଯାଏ ତେବେ ସେଥିରୁ ନିର୍ଗତ ଧୂଆଁ ଓ ମଇଳା ହେତୁ ଆମର ପରିବେଶ ସୁଧୁରିବ ନା ଆହୁରି କ୍ଷତି ହେବ ? ଏହାପରେ ବର୍ଷକୁ ଥରେ ବାତ୍ୟା ହେବ ନା ଚାରିଥର ହେବ ? ଏହାପରେ ପ୍ରତି ବର୍ଷ ରାଜ୍ୟରେ ମରୁଡି ହେବ ନାହିଁ ତ?

            ଢିଙ୍କିଆ ଚାରିଦେଶରୁ ପୋସ୍କୋ ହଟିଗଲା ପରେ ଏବେ ଜିନ୍ଦଲ ନାମକ ଆଉ ଏକ ବିପତ୍ତି ମାଡିଆସିଛି । ଯେଉଁଠି ପୋସ୍କୋ ହେତୁ ଏକ ଲକ୍ଷ ସତୁରୀ ହଜାର ଗଛ କାଟିଦିଆଯାଇଥିଲା ସେହି ଜାଗାରେ ପୁଣିଥରେ ଜଙ୍ଗଲ କରିବା ବଦଳରେ ସରକାର ଜିନ୍ଦଲ ମାଧ୍ୟମରେ ଅଧିକ ଧୂଆଁ ଛାଡୁଥିବା ଷ୍ଟିଲ ପ୍ଳାଣ୍ଟ, ସିମେଣ୍ଟ ପ୍ଳାଣ୍ଟ, କୋଇଲା ପାୱାର ପ୍ଳାଣ୍ଟ ଓ ବନ୍ଦର କରିବାକୁ ଯାଉଛନ୍ତି । ଆଇନ ଅନୁସାରେ କମ୍ପାନୀକୁ ପରିବେଶ ଅନୁମତି ମିଳିବା ଆଗରୁ ଜନଶୁଣାଣୀ ଜରୁରୀ ।

ଜନଶୁଣାଣୀ କ?

ପରିବେଶ ମନ୍ତ୍ରଣାଳୟ ଆଇନ 2006 ଅନୁସାରେ ପ୍ରତ୍ଯେକ ବୃହତ୍ତ ପ୍ରକଳ୍ପ (ଯଥା ଖଣି, କାରଖାନା ଓ ବନ୍ଦର ଇତ୍ୟାଦି) ଲାଗି ପ୍ରକଳ୍ପ ଅଞ୍ଚଳରେ ଜନଶୁଣାଣୀ ଜରୁରୀ । ଏହା ପୂର୍ବରୁ ଲୋକେ ପ୍ରକଳ୍ପ ସମ୍ପର୍କରେ ସମସ୍ତ ତଥ୍ୟ ନିଜ ମାତୃଭାଷାରେ ଜାଣିଲା ପରେ ସେହିଦିନ ନିଜର ମନ୍ତବ୍ୟ ଦେବେ ଓ କମ୍ପାନୀ ସେହିସବୁ ମତକୁ ନେଇ ପୁଣିଥରେ ପରିବେଶ ପ୍ରଭାବଜନିତ ରିପୋର୍ଟ ତିଆରି କରିବା କଥା । କିନ୍ତୁ କ୍ରମଶଃ ଜନଶୁଣାଣୀ ଏକ ଫାର୍ଶରେ ପରିଣତ ହୋଇଗଲାଣି । ଏଥିରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ଜନଶୁଣାଣୀ ସଫଳ ହୋଇଗଲା ବୋଲି କଲେକ୍ଟର ବିବୃତ୍ତି ଦେବାପରେ ତୁରନ୍ତ ପରିବେଶ ଅନୁମତି କମ୍ପାନୀକୁ ମିଳିଯାଉଛି । ମଝିରେ ମଝିରେ ପରିବେଶ ବୋର୍ଡ କମ୍ପାନୀ ଠିକରେ କାମ କରୁଛି କି ନାହିଁ ତାହା ଦେଖିବା କଥା । କିନ୍ତୁ ସେମାନେ ଲାଞ୍ଚ ନେଇ ନିଜ କାମ କରୁନାହାନ୍ତି ଏହି ହେତୁ ଆଜି ରାଜ୍ୟର 19ଟି ନଦୀ ପ୍ରଦ୍ଯୁଷିତ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡକୁ ତାଗିଦ କରିସାରିଛନ୍ତି । ଏହି ହେତୁ ପାରାଦ୍ଵୀପ ଆଜି ସବୁଠାରୁ ଅଧିକ ପ୍ରଦ୍ଯୁଷିତ ଅଞ୍ଚଳ ଭାବରେ ଜଣାଶୁଣା । ଏହା ପରେ ଆମେ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡର ସାଧୁତା ଉପରେ ସନ୍ଦେହ ଆସୁନାହିଁ କି? ଆମେ ବୋର୍ଡ ଉପରେ ଭରସା କରିପାରିବା ତ? ଏହି ଭରସା ନକରିପରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା (ଆଦାନୀ ପାୱାର ପ୍ଳାଣ୍ଟ ଲାଗି), ସମ୍ବଲପୁର ଜିଲ୍ଲାର କୁଚିଣ୍ଡା (ଡ୍ୟାମ) ଓ ରାୟଗଡାର ବାସଙ୍ଗମାଳୀ (ଆଲୁମିନା ପ୍ଳାଣ୍ଟ) ଅଞ୍ଚଳର ଲୋକେ ଜନଶୁଣାଣୀ କରେଇନଦେବା ହେତୁ ସେହିସବୁ ଅଞ୍ଚଳରେ ପ୍ରକଳ୍ପ ବନ୍ଦହୋଇଗଲା ।

ଜିନ୍ଦଲ କାହିଁକି ତଥ୍ୟ ଦେଉନାହିଁ

କ) ଆଇନ ଅନୁସାରେ ଜନଶୁଣାଣୀ ପୂର୍ବରୁ ପ୍ରକଳ୍ପ ସମ୍ବନ୍ଧରେ ସଂପୂର୍ଣ୍ଣ ରିପୋର୍ଟ ଓ ଏହାର ପରିବେଶ ଉପରେ କଣ ପ୍ରଭାବ ପଡିବ ସେ ସମ୍ପର୍କରେ ଅଞ୍ଚଳରେ ଓଡିଆ ଭାଷାରେ ପୁସ୍ତିକା ଘରେ ଘରେ ପହଞ୍ଚିବା କଥା । ଏଭଳି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଜୀବନ ଓ ମୃତ୍ୟୁର କଥା ହୋଇଥିବା ହେତୁ ସେମାନେ ସବୁ କଥା ଜାଣି ଜନଶୁଣାଣୀକୁ ଯିବା କଥା । କିନ୍ତୁ ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଜିନ୍ଦଲ କମ୍ପାନୀ ପ୍ରକଳ୍ପ ସମ୍ବନ୍ଧରେ ତଥ୍ୟ ଦେଉନାହାନ୍ତି, କାହିଁକି ?

ଖ) ଆମେ ଖବରକାଗଜରୁ ଜାଣୁଛୁ ଯେ ଜିନ୍ଦଲ କମ୍ପାନୀ ଢିଙ୍କିଆ ଚାରିଦେଶରେ ଏକ 13.2 ମିଲିୟନ ଟନର ଷ୍ଟିଲ କାରଖାନା କରିବ ଯାହା କି ପୋସ୍କୋ ଠାରୁ ମଧ୍ୟ ବଡ । ଏଥିଲାଗି 900 ମେଗାୱାଟର ଏକ କୋଇଲା ଶକ୍ତି ଉତ୍ପାଦନ ପ୍ଳାଣ୍ଟ ମଧ୍ୟ ବସିବ । ଏହା ଏକ ଜଣାଶୁଣା କଥା ଯେ ସାରା ଭାରତରେ ସବୁଠାରୁ ଅଧିକ ବାୟୁ ପ୍ରଦ୍ଯୁଷଣ କାରଖାନା ଭାବରେ କୋଇଲା ପ୍ଳାଣ୍ଟ ନିଆଯାଏ । ଏବେ ପାରାଦ୍ଵୀପ ସବୁଠାରୁ ଅଧିକ ପ୍ରଦ୍ଯୁଷିତ ଅଞ୍ଚଳ ଭାବରେ ଗଣାଯାଉଛି । ଏହା ପାଖରେ କୋଇଲା ପ୍ଳାଣ୍ଟ ହେଲେ କୁଜଙ୍ଗରୁ ପାରାଦ୍ଵୀପ ମଧ୍ୟରେ ଥିବା ହଜାର ହଜାର ଲୋକ ରହିପାରିବେ ତ ?

ଗ) ପୋସ୍କୋ ଥିବା ସମୟରେ ବହୁ ବିଶେଷଜ୍ଞ ମତ ଦେଇଥିଲେ ଯେ ଜଟାଧାର ନଦୀରେ ଯଦି ବନ୍ଦର ହୁଏ ତେବେ ଏହାର ଉପର ମୁଣ୍ଡରେ ବନ୍ୟା ହେବା ହେତୁ ଜଗତସିଙ୍ଗପୁର ଜିଲ୍ଲାର ଅନେକ ଗାଁର ଚାଷଜମି ଜଳମଗ୍ନ ରହିବ। ସେହିଭଳି ଦୁଇଟି ବନ୍ଦର ହେତୁ ବାଲିଚର ମାଡିଯାଇ ଲୁଣା ଜଙ୍ଗଲ ନଷ୍ଟ ହେବ ଓ ଅଞ୍ଚଳ ଅଧିକ ବାତ୍ୟାପ୍ରବଣ ହୋଇଯିବ । ପାରାଦ୍ଵୀପ ନିକଟରେ ଅନ୍ୟ ଏକ ବନ୍ଦର ଜଟାଧାର ନଦୀର ଉପର ମୁଣ୍ଡରେ ବନ୍ୟା ତ ସୃଷ୍ଟି କରିବ, ନୋଳିଆସାହିର 250 ପରିବାରଙ୍କୁ ମଧ୍ୟ ଉଦବାସ୍ତୁ କରିଦେବ । ସରକାର ଏହା ଉପରେ ଧ୍ୟାନ ନଦେଇ ଜିନ୍ଦଲକୁ ପୁଣି ବନ୍ଦର ନିର୍ମାଣ ଲାଗି ଅନୁମତି ଦେବା କେତେ ଦୂର ଯୁକ୍ତିଯୁକ୍ତ ?

ଘ) ଢିଙ୍କିଆ ଚାରିଦେଶରେ ପୂର୍ବରୁ ହରିଣଙ୍କ ଆତଯାତ ଥିଲେ ମଧ୍ୟ ଏବେ ଦେଖାଯାଉନଥିଲା । କିନ୍ତୁ ପୋସ୍କୋ ଗହଳି କମିଯିବା ପରେ ଏବେ ଅଞ୍ଚଳରେ ପୁଣି ହରିଣ ଓ ଅନ୍ୟ ଜୀବଜନ୍ତୁ ଦେଖାଗଲେଣି ।
ଚ) ଆଜି କାର୍ବନ ଡାଇକ୍ସାଇଡର ପରିମାଣ ଆମର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ ବଢାଇଦେଉଥିବା ହେତୁ ଆମର ଦିନରେ ଅଧିକ ଗରମ ହେବାରେ ଲାଗିଛି । ଏହି ହେତୁ ବରଫ ଅଧିକ ତରଳି ସମୁଦ୍ର ପାଣି ବାଢୁଛି ଓ ଗାଁ ମଧ୍ୟକୁ ପଶିଯାଉଛି । ଏହି ହେତୁ ସାତଭାୟା ଆଜି ସମୁଦ୍ରରେ ପଶିଗଲା । ପଶ୍ଚିମ ବଙ୍ଗ, ଝାଡଖଣ୍ଡ ଓ ଓଡିଶାରେ ସବୁଠାରୁ ଅଧିକ ଷ୍ଟିଲ ପ୍ଳାଣ୍ଟ ରହିଛି ଓ ସରକାରୀ ତଥ୍ୟ ଅନୁସାରେ ଷ୍ଟିଲ କାରଖାନା ହେତୁ ଏହି ସବୁ ରାଜ୍ୟରେ ଦିନର ଉତ୍ତାପ ଅଧିକ ବେଗରେ ବଢୁଛି । ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଓ ଲୁହାଖଣି ହେତୁ ଓଡିଶାରେ ସୁନ୍ଦରଗଡ ଜିଲ୍ଲାର ସବୁଠାରୁ ଅଧିକ କାର୍ବନ ଡାଇଆକ୍ସାଇଡ ବାୟୁମଣ୍ଡଳକୁ ଯାଉଛି ଓ ଏଠାର ତାପମାତ୍ରା ଗଲା କୋଡିଏ ବର୍ଷ ମଧ୍ୟରେ ଅଧିକ ବଢିଛି ।

ସରକାର କଣ କରିବା ଆବଶ୍ୟକ

କ) ଜଙ୍ଗଲ ଅଧିକାର ଆଇନ, 2006ର ଧାରା 4 (5)  ଅନୁସାରେ ଜଙ୍ଗଲ ଜମିରୁ କୌଣସି ଆଦିବାସୀ ଅଥବା ଅଣଆଦିବାସୀକୁ ହଟାଇଦିଆଯାଇପାରିବ ନାହିଁ । ଇଡକୋ ଦ୍ଵାରା ଅଧିକୃତ ସ୍ଥାନୀୟ 2958 ଏକର ଜଙ୍ଗଲ ଜମିରେ ସ୍ଥାନୀୟ ଲୋକେ ପାନ ବରଜ କରିଥିବା କଥା ସରକାର ସ୍ଵୀକାର କରିଛନ୍ତି । ବେଶ କିଛି ଜମିରେ ଥିବା ଜଙ୍ଗଲକୁ ମଧ୍ୟ ସେତେବେଳେ କାଟିଦିଆଯାଇଥିଲା । ଏଥିରେ ଗାଁର ଓ ଗ୍ରାମବାସୀଙ୍କର ପ୍ରାଥମିକ ଅଧିକାର ରହୁଛି । ସରକାର ଏହାକୁ ଅଣଦେଖା କରି ଉକ୍ତ ଜମିକୁ ଲ୍ୟାଣ୍ଡ ବ୍ଯାଙ୍କକୁ ହସ୍ତାନ୍ତର କରିବା ଅସମ୍ବିଧାନିକ । ସେହି ସବୁ ଜଙ୍ଗଲ ଜମିର ପଟ୍ଟା ଏହାର ପ୍ରକୃତ ମାଲିକକୁ ଦିଆଯାଉ ।

ଖ) ପୋସ୍କୋ ପାଇଁ ଅଧିକୃତ ନିଜସ୍ଵ ଜମିକୁ ପାଞ୍ଚ ବର୍ଷ ହେଲା ପ୍ରକଳ୍ପ ଲାଗି ବ୍ୟବହାର ନହେବା ହେତୁ ଜମି ଅଧିଗ୍ରହଣ ଆଇନ 2013 ଅନୁସାରେ ମୂଳ ଜମି ମାଲିକକୁ ଫେରାଇ ଦେବା ବଦଳରେ ଲ୍ୟାଣ୍ଡ ବ୍ଯାଙ୍କକୁ ହସ୍ତାନ୍ତର କରିବା ମୂଳ ଆଇନ ଓ ସୁପ୍ରିମ କୋର୍ଟଙ୍କ ଶିଙ୍ଗୁର ରାୟର ବିରୁଦ୍ଧାଚରଣ କରୁଛି । ଏ ସମ୍ପର୍କରେ ଗଲା 6/12/2017 ତାରିଖରେ ଗୋବିନ୍ଦପୁର ପଲ୍ଲୀସଭାରେ ସମସ୍ତ ସଦସ୍ୟ ରାଜ୍ୟସରାକରଙ୍କୁ ନିଜର ଦାବିକୁ ଅବଗତ କରାଇଛନ୍ତି । ସରକାର ଆଇନକୁ ସମ୍ମାନ ଦେଇ ସେହି ସବୁ ଜମିକୁ ମୂଳ ମାଲିକକୁ ଫେରାଇଦିଅନ୍ତୁ ।

ଗ) ପରିବେଶର ଉନ୍ନତି ଲାଗି ସରକାର ଅଧିକ ଜଙ୍ଗଲ ଏହି ଅଞ୍ଚଳରେ ତିଆରି କରନ୍ତୁ  

ଘ) ନିଜର ପୋସ୍କୋ ବିରୋଧୀ ସ୍ଵର ହେତୁ କମ୍ପାନୀ, ରାଜ୍ୟ ସରକାର ଓ ପୋସ୍କୋ ସମର୍ଥକଙ୍କ ଦ୍ଵାରା ଅନେକ କେସ ଅଞ୍ଚଳବାସୀଙ୍କ ଉପରେ ଲଦିଦିଆଯାଇଛି । ଏବେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଖର୍ଚ୍ଚରେ ବାରମ୍ବାର କୋର୍ଟର ଦ୍ଵାରସ୍ଥ ହୋଇଆସୁଛନ୍ତି । ଏହାକୁ କଣ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଶାନ୍ତିପୂର୍ଣ୍ଣ ବିକାଶ କୁହାଯିବ ? ସେହି ସବୁ କେସ ପ୍ରତ୍ୟାହାର କରାଯିବ ଜରୁରୀ ।



ନାଗରିକ ଅଧିକାରର ହରଣ ?


ନାଗରିକ ଅଧିକାରର ହରଣ ?
ସିଏଏ + ଏନଆରସି + ଏନପିଆର
ସାରା ଦେଶରେ ସିଏଏ ଓ ଏନଆରସିକୁ ନେଇ ବିରୋଧ ବ୍ୟାପକ ରୂପନେଉଛି । କିନ୍ତୁ ଓଡିଶାରେ ଏହାର ବିପକ୍ଷରେ ପ୍ରତିକ୍ରିୟା ଅତି ଗୌଣ । ଏହି ଧାରଣାମାନଙ୍କରେ ସ୍ଵତଃସ୍ଫୁର୍ତ୍ତତା କମ ରହିବା ଓଡିଶାରେ ମାନବିକ ଅଧିକାର ଆନ୍ଦୋଳନର ଦୁର୍ବଳତାକୁ ଦର୍ଶାଉଛି କି?  ବାମପନ୍ଥୀ ଆନ୍ଦୋଳନ ମଧ୍ୟ ?
ଏହା କଣ ସତ କଥା ଯେ ଓଡିଶାର ଖବରକାଗଜମାନେ ସରକାରୀ ଗଣମାଧ୍ୟମ ହୋଇଯାଇଛନ୍ତି ? ଏବେ ବି ସିଏଏ ଓ ଏନଆରସିର ପ୍ରଭାବ ସମ୍ପର୍କରେ ସେମାନେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଭରସା କରୁଛନ୍ତି ?
ବାରମ୍ବାର ଗୃହମନ୍ତ୍ରୀ କହିସାରିଛନ୍ତି ଯେ ଆଗ ସିଏବି (ଏବେ ଆଇନ ହୋଇଗଲାଣି ) ଆସିବ ଓ ପରେ ଦେଶ ବ୍ୟାପୀ ଏନଆରସି କରାଯିବ । ଏହାର ଯଥାର୍ଥାତା କଣ ?
ନୂତନ ନାଗରିକ ଆଇନ ଆଜି ପର୍ଯ୍ୟନ୍ତ ଚାଲିଆସିଥିବା ପାସପୋର୍ଟ ଆଇନ 1920 ଓ ଫରେନର୍ସ ଆକ୍ଟ 1946ରେ ବାଦ ପଡିଥିବା “ବିଦେଶୀ ନାଗରିକଙ୍କୁ” ଗଲା 2015 ଓ 2016 ମସିହାରେ ନୋଟିଫିକେସନରେ ସେମାନଙ୍କୁ ନାଗରିକତା ପ୍ରଦାନ ଲାଗି ଅନୁମତି ଦେଇଥିଲେ । ତେଣୁ ବର୍ତ୍ତମାନ ଏହି ନୂତନ ନାଗରିକ ଆଇନ 2019 କଣ ଆବଶ୍ୟକତା ଥିଲା ?
ପୁଣି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ସେଠାର ସଂଖ୍ୟାଲଘୁ ଯେ ଧାର୍ମିକ ହିଂସାର ଶିକାର ହୋଇ ଭାରତ ଆସିଛନ୍ତି ସେକଥା ସରକାର ଜାଣିବେ କେମିତି ? ପଡୋଶୀ ଦେଶର ସହିତ ଏହାର ଅନୁସନ୍ଧାନ ଲାଗି କୌଣସି ବୁଝାମଣା ତ ହୋଇନାହିଁ ?

ନାଗରିକ ବିଲ ସମ୍ପର୍କିତ ଆଲୋଚନା ସମୟରେ ପାର୍ଲାମେଣ୍ଟରେ ଗୃହମନ୍ତ୍ରୀ ଦୁଇଟି କଥାକୁ ସ୍ଵୀକାର କରୁଛନ୍ତି
ପ୍ରଥମରେ, ସରକାରଙ୍କ ପାଖରେ ପ୍ରକୃତରେ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ 2014 ମସିହା ମଧ୍ୟରେ କେତେ ଲୋକ ଆସିଛନ୍ତି ସେ ତଥ୍ୟ ନାହିଁ ସରକାର ଏମିତି ଦିନେ ବିମୁଦ୍ରାକରଣ କ୍ଷେତ୍ରରେ ଭୁଲ କରିଥିଲେ । ସରକାର ଜାଣିନଥିଲେ ଯେ ପ୍ରକୃତରେ କେତେ ଜଲନୋଟ ଦେଶରେ ରହିଥିଲା । ଅଥଚ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଲେ । କେତେ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ
ଦ୍ଵିତୀୟରେ ସରକାର ଏହା ସ୍ଵୀକାର କରୁଛନ୍ତି ଯେ ଦେଶର ସମସ୍ତ ଲୋକଙ୍କୁ ନିଜକୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ ଭାରତୀୟ । ତେବେ ଯାଇ ଅନୁପ୍ରବେଶକାରୀଙ୍କୁ ଧରାଯାଇପାରିବ ବୋଲି ସରକାର ଯୁକ୍ତି କରିଛନ୍ତି ।
କିନ୍ତୁ କିଏ ଅନୁପ୍ରବେଶକାରୀ ତାହା ସରକାର ନଜାଣି ସମସ୍ତ ନାଗରିକର ନାଗରିକତ୍ଵକୁ ଛଡାଇ ନେବାର ପ୍ରାୟାସ କରିବା ହିଁ ଏନଆରସି । ଏହି ହେତୁ ଏନଆରସି ସରକାରଙ୍କ ପାଇଁ ଜରୁରୀ ।

ଏହା ସହିତ ଆମେ ଭୁଲିଯିବାନି କବୀରଙ୍କ ସେହି ଦୋହେ ଯାହାର ସମ୍ବିଧାନ ସହିତ ସିଧା ସମ୍ପର୍କ ରହିଛି ।
ଏକୈ ପବନ ଏକ ହୀ ପାନୀ, ଏକ ଜ୍ଯୋତି            ସଂସାରା
ଏକ ହୀ ଖାକ ଘଡେ ସବ ଭାଡେ, ଏକ ହି ସିରଜନହାର ।
(ସମସ୍ତେ ଏକା ପାଣି ପବନରେ ବଞ୍ଚିଛନ୍ତି । ସମସ୍ତେ ଏକା ମାଟିରେ ଗଢା। ସମସ୍ତଙ୍କ ଦେହରେ ଗୋଟିଏ ପ୍ରକାରର ଅସ୍ଥି ଓ ମଜ୍ଜା ରହିଛି )
Article 14 of India Constitution. : The State shall not deny to any person equality before the law or the equal protection of the laws within the territory of India."
କବିର, ନାନକ, ସୁର ଦାଶ ଓ ଭକ୍ତି ଆନ୍ଦୋଳନର ଅନେକ ସନ୍ଥଙ୍କ ପ୍ରଭାବ ଭାରତୀୟ ସମ୍ବିଧାନରେ ପଡିଛି । ଭାରତୀୟତା ସେହି ପ୍ରଭାବ ମଧ୍ୟରୁ ତିଆରି ହୋଇଛି । ଆମେ ହୁଏତ ଚେଷ୍ଟା କରିଥିଲେ ରବୀନ୍ଦ୍ର ନାଥ ଠାକୁରଙ୍କ ବିଶ୍ଵ ମାନବତା ଆଡକୁ ଯାଇପାରିଥାନ୍ତେ । କିନ୍ତୁ ଶାସକଙ୍କ ଶଙ୍କିର୍ଣ୍ଣତା ଆମକୁ ବିଭାଜିତ କରୁଛି । ଆଜି ଗୋଲୱାଲେକରଙ୍କ ଶିଷ୍ୟମାନେ ବିଭାଜନରେ ଲାଗିଛନ୍ତି ।  

ଏବେ ନାଗରିକ ସଂଶୋଧନ ଆଇନ ବଳରେ ସରକାର କାହାକୁ ନାଗରିକର ଅଧିକାର ପ୍ରଦାନ କରିବେ ତାହା ସରକାର ସ୍ଥିର କରିବେ । ନାଗରିକତ୍ଵ କଦାପି ଏକ ଦୟା ନୁହେଁ ଏକ ଅଧିକାର । ଭାରତୀୟ ସମ୍ବିଧାନ ଠାରୁ ଜାତିସଂଘ ପର୍ଯ୍ୟନ୍ତ ଏହାକୁ ସ୍ଵୀକାର କରାଯାଇଛି ଯେ ଦେଶର ସୀମା ମଧ୍ୟରେ ଜନ୍ମ ହୋଇଥିବା ମଣିଷ ସେହି ଦେଶର ନାଗରିକ । କିନ୍ତୁ ଏହାକୁ ମଧ୍ୟ ଏବେ ସରକାର ଅସ୍ଵୀକାର କରୁଛନ୍ତି।
ନାଗରିକ ସଂଶୋଧନ ଆଇନ, 2019 ବା ସିଏଏ ଲାଗୁ କରିବା ଲାଗି ଏନଆରସି ଜରୁରୀ । ଗୋଟେକୁ ଛାଡି ଅନ୍ୟକୁ ଆପଣାଇବା ସମ୍ଭବ ନୁହେଁ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଯେ ସିଏଏ ଗ୍ରହଣୀୟ ଅଥଚ ଏନଆରସି ନୁହେଁ, ଏହା ଅସମ୍ଭବ । ମୁଖ୍ୟମନ୍ତ୍ରୀ ଆମକୁ ମିଛ କହୁଛନ୍ତି ।    
ଦେଶସାର ଏନଆରସି କରାଗଲେ ଗୋଟେ ଦିନ କେନ୍ଦ୍ରସରକାର ହଠାତ ଘୋଷଣା କରିବେ ଯେ ଦେଶର ସମସ୍ତ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଭାରତୀୟ ହେବାର ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହାର ଅର୍ଥ ସେହି ଦିନ ପର୍ଯ୍ୟନ୍ତ 130 କୋଟି ଭାରତୀୟ ପ୍ରକୃତରେ ରାଷ୍ଟ୍ରହୀନ ହୋଇଯିବେ । ସେମାନେ ଭାରତରେ ଜନ୍ମ ହେବା ଯଥେଷ୍ଟ ହେବ ନାହିଁ ଯାହାକୁ ଡୋମିସାଇଲ କୁହାଯାଏ ।
ଏହା ଆସାମରେ ହୋଇସାରିଛି
Indian Citizenship Act, 2003 says, "14A. Issue of national identity cards.-(1) The Central Government may compulsorily register every citizen of India and issue national identity card to him. (2) The Central Government may maintain a National Register of Indian Citizens and for that purpose establish a National Registration Authority.
ଏହା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପାସ ହୋଇଥିଲା ।
 ଯେତେବେଳେ ଯାଏଁ ସମସ୍ତ ଲୋକ, ଚାହେଁ ହିନ୍ଦୁ ଅଥବା ମୁସଲମାନ, ନିଜକୁ ଭାରତୀୟ ହେବାର ପ୍ରମାଣ ଦେଇପାରି ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ସରକାରୀ କାମରେ ଭାଗ ନେଇପାରିବେ ନାହିଁ । ପ୍ରଥମରେ ସେମାନଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ ଏହି ଦେଶର ନାଗରକ ।
ଏହି ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା ଲାଗି ଏନପିଆର ବା ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ହେଲା ।
ସରକାରୀ ୱେବସାଇଟ My Identity My prideରେ କୁହାଯାଉଛି ଯେ The creation of National Population Registrar (NPR) is the first step towards the preparation of NRIC (National Registration of Indian Citizen) ବା ସର୍ବଭାରତୀୟ ଏନଆରସି।
ଏହି ଏନପିଆର ଲାଗି ଏକକାଳୀନ ସମସ୍ତ ପରିଚୟ ପତ୍ର ଯଥା ଡ଼ିଏଲ, ଭୋଟର କାର୍ଡ, ଆଧାର, ବ୍ଯାଙ୍କ ପାସବୁକ ଇତ୍ୟାଦିରେ ବ୍ଯକ୍ତିର ନାମ, ପିତାଙ୍କ ନାମ ଓ ଗାଁର ନାମ ସମାନ ରହିଥିବା ଜରୁରୀ ଓ ସେ ସବୁଥିରେ ବନାନ ମଧ୍ୟ ସମାନ ରହିଥିବା ଜରୁରୀଦେଶରେ କେତେ ଲୋକ ଏଭଳି ଥିବେ ଯେଉଁମାନେ ସମସ୍ତ ପରିଚୟ ପତ୍ରରେ ନିଜର ନାମ, ବାପାଙ୍କ ନାମ ଓ ଗାଁର ନାମ ଠିକ ଲେଖିଥିବେ ?
ଏହାପରେ ସମଗ୍ର ଦେଶବାସୀ ଲାଗି ପଡିବେ ଭାରତୀୟ ହେବାର ପ୍ରମାଣପତ୍ର ଯୋଗାଡ କରିବାରେ । ଏଥିପାଇଁ ବହୁତ ଏଜନ୍ସି ଖୋଲିଯିବ ଓ ଲୋକେ ଖର୍ଚ୍ଚାନ୍ତ ହେବେ । ଲୋକେ ସରକାରଙ୍କ ଏଭଳି ଅଯଥା ଉଦ୍ୟମ ପ୍ରତି ବିରକ୍ତି ପ୍ରକାଶ ନକରି ମୁସଲମାନ ବିରୁଦ୍ଧରେ ବିଶୋଦଗାର କରିବେ । ସରକାର ଏହା ଚାହାନ୍ତି ।
ଏହି ଭାରତ ଭୂଖଣ୍ଡରେ ଥିବା ସାତଟି ଦେଶରେ ଥିବା ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ, ପାର୍ସି ଓ ଆଦିବାସୀଙ୍କ ମଧ୍ୟରୁ କାହାରିକି ବାଦ ଦେଇ ଏହି ଭୂଖଣ୍ଡର ଭବିଷ୍ୟତ କଳ୍ପନା କରାଯାଇନପାରେ ।
 
କିନ୍ତୁ ଏନପିଆରରେ ନିଜର ପରିଚୟ ପତ୍ର ଯଥେଷ୍ଟ ନୁହେଁ । ବ୍ୟକ୍ତିକୁ ଡ଼ିଏଲ, ଆଧାର ଇତ୍ୟାଦି ପରେ ପ୍ରମାଣ ଦେବାକୁ ହେବ ଯେ ସେ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ବାପା କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ଓ ଘରର ତିନି ପୀଢିର ଲୋକଙ୍କ ଜନ୍ମ ତାରିଖ କଣ ଥିଲା । ଏହାକୁ ଏନପିଆର ରେ କୁହାଯାଉଛି ଲିଗାଲ ଡକ୍ୟୁମେଣ୍ଟ ।
ଏହି ଲିଗାଲ ଡକ୍ୟୁମେଣ୍ଟ ସବୁ ଦେବା ପାଇଁ ଜାତୀୟ ଜନସଂଖ୍ୟା ପଞ୍ଜିକା ବା ଏନପିଆର ପ୍ରକ୍ରିୟା ଆସିଛିଏନପିଆର ଏକ ଗୃହ ମନ୍ତ୍ରଣାଲୟ କାର୍ଯ୍ୟକ୍ରମ ଯେଉଁଠି 130 କୋଟି ଲୋକଙ୍କ ସମସ୍ତ ତଥ୍ୟ (ଭୋଟର କାର୍ଡ ନମ୍ବର, ଡ଼ିଏଲ ନମ୍ବର, ଆଧାର ନମ୍ବର, ପିତା ଓ ମାତା, ଜନ୍ମ ତାରିଖ ଓ ସ୍ଥାନ ଇତ୍ୟାଦି ) ସଂଗ୍ରହ କରାଯିବ ଏ ସମସ୍ତ ତଥ୍ୟ ସରକାର ନିଜ ୱେବସାଇଟରେ ମହଜୁଦ ରଖିବେ ।
ଯିଏ ନିଜର ଜନ୍ମ ସ୍ଥାନ ପ୍ରମାଣ କରିନପାରିଲା ତେବେ ଏନପିଆର ଅନୁସାରେ ସେ Doubtful Citizen ବା ସନ୍ଦେହୀ ନାଗରିକ ତାଲିକାରେ ରହିବେ । ଏହା ପରେ ସେ ସରକାରୀ ଅନୁଷ୍ଠାନକୁ ଯାଇ ପ୍ରମାଣିତ କରିବେ ସେ ସନ୍ଦେହୀ ନାଗରିକ ନୁହନ୍ତି ।
ଏଥିଲାଗି ନିଜର  ପଡୋଶୀ ବା ରାଜ୍ୟର କେହି ବି ଯଦି ଅଭିଯୋଗ କରେ ଯେ ସେହି ବ୍ୟକ୍ତିର ଜନ୍ମ ସ୍ଥାନ ସନ୍ଦେହଜନକ ତେବେ ଆପଣଙ୍କୁ ବିଦେଶୀ ନାଗରିକ କୋର୍ଟରେ (Foreigners’ Tribunal)  ଦିନ ଦିନ ଧରି ଧାଡିରେ ଠିଆ ହୋଇ ବିଚାରର ସାମ୍ନା କରିବାକୁ ହେବ ଓ ପ୍ରମାଣିତ କରିବାକୁ ହେବ ଯେ ଆପଣ ଏହି ଦେଶର ନାଗରିକ ।
ଏହି ହେତୁ ସିଏଏ, ଏନଆରସି ଓ ଏନପିଆର ପରସ୍ପର ଜଡିତ ।
 ଏବେ ନାଗରିକ ହେବାର ଅଧିକାର କିଏ ହରାଇବ?
ପ୍ରଥମରେ ପ୍ରମାଣପତ୍ର ରେ ଅମେଳ ରହିଲେ ତାଲିକାରୁ ବାଦ ଦିଆଯିବ ।
ଦ୍ବିତୀୟରେ ଯେଉଁମାନେ ନିଜର ଜନ୍ମିତ ଗାଁରେ ନିଜର କିଛି ଜମି ନିଜର ନାମ ବା ବାପାଙ୍କ ନାମରେ ରଖିଥିବେ ଓ ସେମାନଙ୍କ ପ୍ରକୃତ ନାମର ବନାନ ସମାନ ଥିବା ତେବେ କୋର୍ଟରେ ତଥ୍ୟ ଦାଖଲ କରିବା ପରେ ସେମାନେ ତାଲିକାରେ ରହିବେ ନଚେତ ପଞ୍ଜିକାରୁ ବାଦ ପଡିବେ।
ତୃତୀୟରେ ଯେଉଁମାନେ କୌଣସି ବୃହତ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ହୋଇଛନ୍ତି (ଡ୍ୟାମ, ଖଣି ଓ କମ୍ପାନୀ ଦ୍ଵାରା) ଅଥବା ଗାଁ ଛାଡିଦେଇ ସହର ବସ୍ତିରେ ଅନେକ ପୀଢି ହେଲା ରହିଯାଇଛନ୍ତି ସେମାନେ ନିଜର ଜମି ପଟ୍ଟା କେଉଁଠାରୁ ପାଇବେ ଯେ ପ୍ରମାଣ କରିବେ ସେମାନେ ଭାରତୀୟ ?
ମାଲକାନଗିରିରେ ବାଲିମେଲା ଓ ଚିତ୍ରକୋଣ୍ଡା ଡ୍ୟାମ ଏପରିକି ସମ୍ବଲପୁର ହୀରାକୁଦ ବିସ୍ଥାପିତ ଯେଉଁମାନଙ୍କ ହାତରେ ଏବେବି କୌଣସି ପଟ୍ଟା ନାହିଁ ସେମାନେ ଯେ ବିଦେଶୀ ନପାଲଟିଯିବେ କିଏ କହିବ?
ଏପରିକି ନିଜ ମୂଳ ଗାଁ ଛାଡିଦେଇ ଚାଷବାସ ଲାଗି ଦୁଇ ପୀଢି ତିନି ପୀଢି ହେଲା ଆସି ରହିଥିବା ଗ୍ରାମବାସୀ ତାଙ୍କ ମୂଳ ଗାଁ ସହିତ ବା କି ସମ୍ପର୍କ ଥିବ ଯେ ସେଠାରୁ ସେମାନେ ନିଜ ଜନ୍ମ ପରିଚୟ ପାତ୍ର ଆଣିବେ ?
ଏହା କହିବା ମୁସ୍କିଲ ମାଲକାନଗିରି ବଙ୍ଗାଳୀ ପରିବାର ଓ କେନ୍ଦ୍ରାପଡାର ବଙ୍ଗାଳୀ ପରିବାରଙ୍କ ଭବିଷ୍ୟତ କଣ ହେବ ?
ଚତୁର୍ଥରେ ଦେଶରେ ଅନେକ ଭୂମିହୀନ ପରିବାର ଗ୍ରାମାଞ୍ଚଳରେ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ । ବହୁ ଆଦିବାସୀ ନିଜର ପୁରୁଣା ପୀଢିର ପଟ୍ଟାକୁ ଧରି ଏବେବି ଚାଷ କରି ଜୀବନ ବିତାଉଛନ୍ତି ସେମାନେ ହୁଏତ ଏନପିଆର ଓ ଏନଆରସିରେ ବାଦ ପଡିବେ । ନଚେତ ସେମାନଙ୍କୁ ନିଜ ଅର୍ଥ ଖର୍ଚ୍ଚ କରି ଲିଗାଲ ଡକ୍ୟୁମେଣ୍ଟ ତିଆରି କରିବାକୁ ହେବ ।
ପଞ୍ଚମରେ ରେ ପଡୋଶୀ ଦେଶରୁ ଚାଲିଆସିଥିବା ହିନ୍ଦୁ ଅଥବା ଅଣ-ମୁସଲମାନ ପରିବାର ଯେଉଁମାନଙ୍କ ଛୁଆ ଏହି ଦେଶରେ ଜନ୍ମ ହୋଇଛନ୍ତି ସେମାନେ ମଧ୍ୟ କେଉଁପରି ନିଜ ମୂଳ ଦେଶର ପ୍ରମାଣପତ୍ର ଯୋଗାଡ କରିବେ ?
ଏହା ସହିତ ହୁଏତ ଅଳ୍ପ କେତେକ ମୁସଲମାନ ବାଦ ପଡିବେ ।
ଆସାମରେ ତାଲିକାରୁ ବାଦ ପାଡିଥିବା ସମୁଦାୟ 19 ଲକ୍ଷ ଲୋକଙ୍କ ମଧ୍ୟରୁ 13 ଲକ୍ଷ ହିନ୍ଦୁ ବଙ୍ଗାଳୀ । ସେଥିରେ ପୁଣି 1, 50,000 କେବଳ ହିନ୍ଦୁ ବିବାହିତା ମହିଳା ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ବିହାର ଓ ପଶ୍ଚିମ ବଙ୍ଗରୁ ବିବାହ ପରେ ଆସିଯାଇଛନ୍ତି କିନ୍ତୁ ନିଜର ଜନ୍ମସ୍ଥାନର ପ୍ରମାଣ ପତ୍ର ଦେଇପାରିନାହାନ୍ତି ।
ଏହି ଭଳି କିଛି ଅଳ୍ପ ସଂଖ୍ୟକ ମୁସଲମାନଙ୍କ ବ୍ଯତୀତ ଅନେକ ଦଳିତ, ଆଦିବାସୀ, ବସ୍ତି ବାସିନ୍ଦା ଓ ଛାତ୍ର ମଧ୍ୟ ଉଭୟ ଏନପିଆର ଓ ଏନଆରସିରୁ ବାଦ ପଡ଼ିପାରନ୍ତି ।
ଯଦି ବି ଅନୁପ୍ରେବେଶକାରୀ ଚିହ୍ନଟ ହେଲେ ତେବେ ସେମାନେ ଯିବେ କୁଆଡେ ?
ପୁଣି ଏକ ଦେଶରେ ଯେତେବେଳେ ନାଗରିକ ସୁରକ୍ଷିତ ରହିବା ସେତେବେଳେ ସେ କଳା, ସାହିତ୍ଯ, ଖେଳ, ଅଭିନୟ, ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଗୁଣର ବିକାଶ ଘଟାଇପାରିବ । ସମାଜ ଓ ରାଷ୍ଟ୍ରର ଦାୟିତ୍ଵ ବ୍ୟକ୍ତିକୁ ସେ ଚାହୁଁଥିବା ସୁରକ୍ଷା ତାକୁ ଦେବା । କିନ୍ତୁ ହାଏ , ଏ କଣ ହେଉଛି ?
ଆସାମରେ 50,000 ସରକାରୀ କର୍ମଚାରୀ ରାତି ଦିନ ତିନି ବର୍ଷ କାଳ ଲାଗି ଯେଉଁ ଏନଆରସି ଲାଗୁ କଲେ ଓ ସରକାରୀ ଭାବରେ 1400 କୋଟି ଟଙ୍କା କିନ୍ତୁ ଅଣସରକାରୀ ଭାବରେ 4000 କୋଟି ଟଙ୍କା ଖର୍ଚ୍ଚ କଲା ସେଥିରେ 930 ଜଣ ଅନୁପ୍ରବେଶକାରୀଙ୍କୁ ବର୍ତ୍ତମାନ ରାଜ୍ୟ ସରକାର କ୍ୟାମ୍ପରେ ରଖିଛନ୍ତି। ତାହା ମଧ୍ୟ ଆମେ ଅମାନବୀୟ କହିବୁ। ସେମାନେ ମୁସଲମାନ ହୋଇଥିବା ହେତୁ ହିଁ ଆଜି କ୍ୟାମ୍ପରେ ଅଛନ୍ତି । ଏତେ ବର୍ଷ ପରେ ସେମାନେ ଯିବେ କୁଆଡେ?
ଆସାମରେ ଯେଉଁ 19 ଲକ୍ଷ ଲୋକ ପଞ୍ଜିକାରୁ ବାଦ ପଡିଲେ ସେଥିରେ 13 ଲକ୍ଷ ଲୋକ ହିନ୍ଦୁ ଜାଣିବା ପରେ ଏବେ ସରକାର ଆସାମରେ ଏନଆରସିକୁ ବାଦ ଦେଇ ସାରା ଭାରତରେ ଏନଆରସି ଲାଗୁହେବା କଥା କହୁଛନ୍ତି । ଆସାମରେ ଯଦି ଏହା ଏକ ସମସ୍ଯା ଥିଲା ତେବେ ଏନଆରସି ପରେ ତାହା ସରିଗଲା । ପୁଣି ସାରା ଦେଶକୁ ଏଥିପାଇଁ ଜାଳିବା କଣ ଦରକାର ? ତେବେ ଏନଆରସି ବ୍ୟଥୀତ ମଧ୍ୟ ଆସମରେ ସମସ୍ୟାର ସମାଧାନ ହୋଇଥାନ୍ତା । କିନ୍ତୁ ସେ ଦିଗରେ ଧ୍ୟାନ ଦିଆଗଲା ନାହିଁ ।
ସାରା ଦେଶରେ ପ୍ରଥମେ ଏନପିଆର ଓ ପରେ ଏନଆରସି କରାଗଲେ କୁହାଯାଉଛି ଏଥିଲାଗି 130 କୋଟି ଲୋକ ନିଜ ପକେଟରୁ ପ୍ରାୟ 4 ଲକ୍ଷ କୋଟି ଟଙ୍କା କେବଳ କାଗଜ ପତ୍ର ଲାଗି ଠିକ କରିବା ଲାଗି ଖର୍ଚ୍ଚ କରିବ? ତାପରେ ସେମାନେ ପାଇବେ କଣ?
ଧର୍ମ ଧର୍ମ ମଧ୍ୟରେ ବିବାଦ ଓ ଗୃହଯୁଦ୍ଧ ? ଏକ ସାମ୍ପ୍ରଦାୟିକ ସରକାର ସ୍ଥାୟି ପାଲଟିଯିବା ?
ମୁଁ ଜଣେ ଏହି ଦେଶର ନାଗରିକ । ଯଦି ମୋର ନାଗରିକ ହେବା ମୋ ଲାଗି ଭୟ ହୁଏ ତେବେ ସରକାର ତ ମହାନ ହୋଇଯିବେ ? ମୁଁ ତ ମନେକରିବି ଯେ ସରକାର ତାଙ୍କ ନିଜ ଦେଶରେ ଅନ୍ତତଃ ମୋତେ ସ୍ଥାନ ଦେଲେ ରହିବାକୁ !  
ଏହା ପରେ ଗଣତନ୍ତ୍ର ରହିବ ନା ତାହା ରାଜତନ୍ତ୍ରରେ ପରିଣତ ହୋଇଯିବ? ଆମେ ଏହା ପରେ ନିଜର ମଜୁରୀ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ସରକାରଙ୍କ ଠାରୁ ଦାବି କରିପାରିବ ତ?
ଏହା କଦାପି କେବଳ ମୁସଲମାନ ପ୍ରସଙ୍ଗ ନୁହେଁ । ଏହା ଆମ ସମସ୍ତଙ୍କ ପ୍ରସଙ୍ଗ ।
****
ଦେବ ରଞ୍ଜନ
debasar11@yahoo.co.in