https://www.youtube.com/watch?v=4d5CwrkW-k8
Saturday, May 23, 2020
A dream in their songs Trailer
A dream in their songs:
Synopsis: The dream of these singers of Odisha has always been the strength of people’s struggle of saving their own lives and resources. They themselves compose the songs, sing the same and encourage people to dream. For the last few years, they have been in front of all resistance struggles in the eastern part of India. This film is based on life and dream of few composers-cum-singers of Odisha/India.
Direction and production: Deba Ranjan
Duration: 28 minutes
Email: theconflict2010@gmail.com
Friday, May 15, 2020
Wednesday, April 22, 2020
କରୋନା ସମୟରେ ସାମ୍ପ୍ରଦାୟିକ ଭୂତାଣୁର ସଂକ୍ରମଣ
କରୋନା
ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା
ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ
ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି
ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ
ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା:
ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ
ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ
ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର ନୁହନ୍ତି) ଚିହ୍ନିତ କରିବା ଓ
ମୁଖ୍ୟଧାରର ଅଧିକାଂଶ ଟିଭି ମିଡିଆ ଏହାକୁ ପୁନରାବୃତ୍ତି କରିବା ଏହି ସନ୍ଦେହକୁ ନିଶ୍ଚିତ ଭାବରେ
ବଳିଷ୍ଠ କରିଦେଉଛି ଯେ ଯାହା କରାଯାଉଛି ତାହା କେବଳ ଏକ ସାମ୍ପ୍ରଦାୟିକ ପରିବେଶ ପାଇଁ ନୁହେଁ ତ?
ବିଦେଶରୁ ଆସିଥିବା ଏହି ଭାଇରସକୁ କେବେ
ଏନଆରଆଇ ଲିଙ୍କ ଅଥବା ପାସପୋର୍ଟ ଲିଙ୍କ ଭାବରେ ଆଖ୍ଯିତ କରାଯାଇନାହିଁ (ବା ସେଭଳି କରିବା ଉଚିତ
ମଧ୍ୟ ନୁହେଁ) ଯଦିଓ ଏହା ପ୍ରାୟତଃ ସେହି ଧନିକ ବର୍ଗ ହିଁ ଏ ଦେଶକୁ ଆଣିଛନ୍ତି । କିନ୍ତୁ ମିଡିଆ
ତବଲିଗ ଜମାତ ଘଟଣା ପରଠାରୁ ହଠାତ ମୁସଲମାନଙ୍କୁ ଲକ୍ଷ୍ୟ କରିବା ଆରମ୍ଭ କରିଦେଲେ । ଗଣମାଧ୍ୟମର
ଭୂମିକାକୁ ସମୀକ୍ଷା କରିବା ସମୟରେ ଉଦାହରଣ ଭାବରେ ଉତ୍ତର ଭାରତର ବହୁଳ ପ୍ରସାରିତ ‘ଦୈନିକ ଜାଗରଣ’ ଖବରକାଗଜକୁ ନିଆଯାଇପାରେ ।
‘ଦୈନିକ
ଜାଗରଣ’ର ଦିଲ୍ଲୀ ସଂସ୍କରଣରେ ପନ୍ଦର ଦିନ ମଧ୍ୟରେ (ମାର୍ଚ୍ଚ 28 ରୁ
ଏପ୍ରିଲ 11) ତବଲିଗ ଜମାତ ସମ୍ପର୍କିତ ଖବରର ଏକ ସମୀକ୍ଷା ଦିଲ୍ଲୀର ଶୋଏବ ଡାନିଏଲ କରିଥିଲେ ।
ସେହି ପନ୍ଦର ଦିନର ‘ଦୈନିକ
ଜାଗରଣ’ରେ 171ଟି ଷ୍ଟୋରି, ଆଠଟି ସମ୍ପାଦକୀୟ, ପାଞ୍ଚଟି କାର୍ଟୁନ ଓ ଗୋଟିଏ ସଂପୂର୍ଣ୍ଣ ପୃଷ୍ଠାର ଲେଖା ପ୍ରକାଶ ପାଇଥିଲା । ଏ
ସମସ୍ତ ଲେଖାର ଭାଷା ଥିଲା ଅତ୍ୟନ୍ତ ସମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ । ‘ଦୈନିକ ଜାଗରଣ’ ଖବରକାଗଜ ହିନ୍ଦୀ ଭାଷୀ ଅଞ୍ଚଳରେ ସର୍ବାଧିକ ପାଠକ ଥିବା
ଦାବି କରେ । ଏହି ସମୀକ୍ଷା ଦି ପ୍ରିଣ୍ଟ ଓ କାଉଣ୍ଟର କରେଣ୍ଟସରେ ପ୍ରକାଶିତ ହୋଇଥିଲେ ମଧ୍ୟ
ପ୍ରେସ କାଉନସିଲ ଓ ଇଣ୍ଡିଆ, ସଂଖ୍ୟାନ୍ୟୁନ କମିଶନ, ମାନବିକ ଅଧିକାର କମିଶନ ଓ ଦିଲ୍ଲୀ ପୁଲିସ ଏହି ଖବରକାଗଜକୁ ‘ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ’ ଅଭିଯୋଗରେ କୌଣସି
ପଦକ୍ଷେପ ନେଇନାହାନ୍ତି ।
କିନ୍ତୁ ସରକାରଙ୍କ ଦ୍ଵାରା ସାମ୍ପ୍ରଦାୟିକ ଭାବନାର ପ୍ରଚାର କରାଯାଉଥିବାକୁ ବିରୋଧ କରିବା ହେତୁ
ଉତ୍ତର ପ୍ରଦେଶ ସରକାର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରିବା ଓ ଅନେକଙ୍କୁ ନୋଟିସ କରିବା ଆରମ୍ଭ
କରିଛନ୍ତି ତାହା ପୁଣି ଏହି ଲକ ଡାଉନର ସମୟରେ ।
ଓଡିଶାର ପ୍ରକାଶିତ ଖବରକାଗଜ ଓ କେତେକ ଟିଭି
ଚ୍ଯାନେଲ “ନିଜାମୁଦ୍ଦିନ ଲିଙ୍କ” ସମ୍ବନ୍ଧରେ ସେହି ସମ୍ପ୍ରଦାୟିକ ଭାବନା ଉଦ୍ରେକକାରୀ ଭାଷା ଏଭଳି
ବ୍ୟବହାର କରୁଥିଲେ ଯଦି କେହି ତାହାର ମଧ୍ୟ ସମୀକ୍ଷା କରିଥାନ୍ତା ତେବେ ସେହି ସମାନ ତଥ୍ୟ ହୁଏତ
ପାଇଥାନ୍ତା ।
କେନ୍ଦ୍ର ସରକାରଙ୍କ ନିୟମିତ “ନିଜାମୁଦ୍ଦିନ
ଲିଙ୍କ”ର ଠାବ ଓ ଗଣମାଧ୍ୟମର ଭାଷା ସାଧାରଣ ଜନମାନସକୁ ମଧ୍ୟ ପ୍ରଭାବିତ କରିଦେଲା । ବିଜେପିର
କେତେକ ଏମଏଲଏ ଏହାକୁ ‘କରୋନା ଜେହାଦୀ’ କହିବା ସତ୍ବେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବିରୋଧ କରାଯାଇନଥିଲା । (ଏବେ
ମହାରାଷ୍ଟ୍ର ଓ ଗୁଜୁରାଟରେ ସଂକ୍ରମଣଙ୍କ ସଂଖ୍ୟା ବଢିବା ପରେ ଏହାକୁ କଣ କହିବେ?) ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁସଲମାନ ବ୍ୟକ୍ତିଙ୍କୁ ଲୋକେ ସନ୍ଦେହ
କଲେ, ଆବଶ୍ୟକୀୟ ପଦାର୍ଥ ସେମାନଙ୍କ ହାତରୁ ନେବା ଲାଗି ମନା କରିଦେଲେ
ଓ କେଉଁଠି କେଉଁଠି ଆକ୍ରମଣ ମଧ୍ୟ କରିଦେଲେ ।
ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ଓ ‘ବହୁଳ ପ୍ରସାରିତ’ ଗଣମାଧ୍ୟମ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା
ଉଦ୍ରେକକାରୀ ସମ୍ବନ୍ଧଟିଏ ବହୁ ସମୟରେ ଦେଖିବାକୁ ମିଳିଥାଏ । ଏହା ଭାରତୀୟ ଗଣତାନ୍ତ୍ରିକ ସମାଜ
ଲାଗି ଆଦୌ ଶୁଭ ସୂଚନା ନୁହେଁ । ନା ତବଲିଗ ଜମାତ ସମୁଦାୟ ମୁସଲମାନଙ୍କ ପ୍ରତିନିଧିତ୍ଵ କରୁଛି
ନା ଯାହା ଜମାତରେ ହେଲା ତାହା ପଛରେ ସାଧାରଣ ମୁସଲମାନ ବ୍ଯକ୍ତିର କୌଣସି ଭୂମିକା ରହିଛି । ଜମାତର ନିଷ୍ପତ୍ତି ପଛରେ ଏହାର କର୍ମକର୍ତ୍ତା ଯେମିତି
ଦାୟୀ ସେହିପରିମାଣରେ ଦିଲ୍ଲୀ ରାଜ୍ୟସରକାର ଓ କେନ୍ଦ୍ର ସରକାର ମଧ୍ୟ ଦାୟୀ।
କରୋନା ଦ୍ଵାରା ସବୁଠାରୁ ଅଧିକ ଆକ୍ରାନ୍ତ ଚୀନ ଓ ଇରାନର
ସୀମା ସହିତ ଜଡିତ ଥିବା ହେତୁ ଉଭୟ ବଙ୍ଗଳାଦେଶ ଓ ପାକିସ୍ତାନ ଅଧିକ ସଂବେଦନଶୀଳ ଦେଶ । ଉଭୟ ଦେଶ
ଆଜି ସଂପୂର୍ଣ୍ଣ ଲକ ଡାଉନ ସ୍ଥିତିରେ । ଆଜି ଭାରତୀୟ ମିଡିଆ ଯେଉଁ ତବଲିଗ ଜମାତକୁ ଦୋଷୀ କରୁଛି
ସେହି ଜମାତ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡରର ସ୍ଥାନ ନେଇଛି । ଏହି ଜମାତ କରାଚିରେ
ମାର୍ଚ୍ଚ ମାସରେ ଏକ ବିରାଟ ସମ୍ମିଳନୀ କରିଥିଲେ ଓ ଏହି କରାଚି ଅନ୍ତର୍ଗତ ପଞ୍ଜାବ ପ୍ରଦେଶରେ
ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଦେଖାଯାଉଛନ୍ତି । ଏବେ ବଙ୍ଗଳାଦେଶରେ କରୋନା
ଆକ୍ରାନ୍ତଙ୍କ ସଂଖ୍ୟା ସାରା ଏସିଆରେ ସର୍ବାଧିକ ଗତିରେ ବଢୁଛି । ଭାରତୀୟ ମିଡିଆରେ ସେସମ୍ପର୍କରେ କେବେ କେଉଁଠି ଆଲୋଚନା
ହେଉନାହିଁ । କିନ୍ତୁ ଆପଣଙ୍କ ମନେଥିବା ଭାରତୀୟ ହିନ୍ଦୀ ଓ ଇଂରାଜୀ ଟିଭି ଚ୍ୟାନେଲେ କେଉଁଭଳି
ପାକିସ୍ତାନର କେଉଁ ପ୍ରାନ୍ତର ଛୋଟ ଘଟଣାଟିକୁ ବି ଏକ ମୁସଲମାନ ବିରୋଧୀ ରଙ୍ଗ ଦେଇ ପ୍ରତିଦିନ
ଘଣ୍ଟାଘଣ୍ଟା ସମୟ ପ୍ରସାରିତ କରୁଥିଲେ ।
ଗଲା
ଏପ୍ରିଲ 12 ତାରିଖରେ ପ୍ରକାଶିତ ବିଶ୍ଵ ବ୍ୟାପୀ କରୋନା ବିପକ୍ଷରେ ସୁରକ୍ଷିତ ପ୍ରଥମ ଚାଳିଶଟି ଦେଶମାନଙ୍କ
ତାଲିକାରେ ଭାରତ ନା ପାକିସ୍ତାନ ନା ଶ୍ରୀଲଙ୍କା ନା
ବଙ୍ଗଳାଦେଶ କେହିନାହାନ୍ତି । (ଯଦିଓ
ଜର୍ମାନୀ ଓ ଏସିଆ ଦେଶ ମଧ୍ୟରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ୟୁନିଟେଡ ଆରବ ଓ ଥାଇଲ୍ୟାଣ୍ଡ ଭଳି ଦେଶ
ଅଛନ୍ତି।) ଏହା ଆମର ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ବା ପବ୍ଲିକ ହେଲ୍ଥ ସିଷ୍ଟମର ଦୁର୍ବଳତାକୁ ଦର୍ଶାଉଛି ।
କରୋନା
ଆତଙ୍କ ସତେରେ ମୁସଲମାନ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଏହି ଦେଶରେ କରାଯାଇଛି କି ନାହିଁ ସେ
ସମ୍ପର୍କରେ ଭବିଷ୍ୟତ କହିବ କିନ୍ତୁ ଏହି ସମୟରେ ସାମ୍ପ୍ରଦାୟିକ ବାତାବରଣ ତିଆରି କରିବାକୁ ଯେତେ
ଦୃଢ ଭାବରେ ନିନ୍ଦା କଲେ ବି କମ ପଡିବ । ଆଜି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଉପଯୁକ୍ତ ଉପକରଣର ଅଭାବ, ଅସୁରକ୍ଷିତ ଭବିଷ୍ୟତ ସତ୍ବେ ଏ
ଦେଶର ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ (ଡାକ୍ତରଙ୍କ ଠାରୁ ଆଶକର୍ମୀଙ୍କ ପର୍ଯ୍ୟନ୍ତ) ଯେଉଁ
ମାନବିକତା ନେଇ ଆମର ସମଗ୍ର ସମାଜକୁ ବଞ୍ଚାଇବାରେ ଲାଗିଛନ୍ତି ତାହାକୁ ପ୍ରଶଂସା ନକରି ରହିହେବନି
। ସେହି ମାନବିକତା ଓ ସାମାଜିକ ଭାବନା ବ୍ଯକ୍ତିର ଶୈଶବାରୁ ଆସିଥାଏ ଓ ସେଥିଲାଗି ସେମାନଙ୍କ
ପିତାମାତା ଓ ସମାଜ ନିଶ୍ଚେ ପ୍ରଶଂସିତ ହେବା ଉଚିତ । କୌଣସି ବ୍ଯକ୍ତିର ନେତୃତ୍ଵ ନୁହେଁ ବରଂ
ସେହି ସଂବେଦନଶୀଳ ସମାଜ କିପରି ବଞ୍ଚିରହିବ ଦେଶବାସୀ ବରଂ ସେ ଦିଗରେ ସଚେତନ ହେବା ଜରୁରୀ ।
ଦେବ ରଞ୍ଜନ
ବିପତ୍ତିର ଅନ୍ତରାଳେ ଏକି ଅହଂକାର
ଆମ ଦୃଷ୍ଟିର
ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର
ମାନବିକତା । କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ ।
ପ୍ଲେଗ ଯେବେ ଇଉରୋପ
ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର
ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ ଜାହାଜର କ୍ଯାପଟେନ ନିଜର ଜିନିଷ କେବଳ ଜାହାଜରୁ ଓହ୍ଲାଇ
ଦେଇଥିଲେ ଓ ସେହିଥିରେ ଥିବା ସଂକ୍ରମିତ ମୂଷା ଇଉରୋପର ଅଧା ଜନସଂଖ୍ୟାକୁ ନଷ୍ଟ କରିଦେଇଥିଲା ।
ଶାସକ କ୍ଵଚିତ ନିଜର ଭୁଲ ସ୍ଵୀକାର କରିଥା’ନ୍ତି । କେବଳ ବିତିଯାଇଥିବା
ଦିନର କଥା ନୁହେଁ, ଆମେରିକା ଅଥବା ଇଉରୋପରେ ଅଟକି ଥିବା ଧନୀ
ରାଜନୈତିକ ପ୍ରଭାବଶାଳୀ ବର୍ଗ ଆସନ୍ତା କାଲି ଯେବେ ରାଜ୍ୟର ରାଜଧାନୀମାନଙ୍କୁ ଫେରିବେ ସେତେବେଳେ
ପୁଣି ସ୍ଥିତି କଣ ହେବ ? ବ୍ୟକ୍ତିଗତ ସମ୍ବନ୍ଧ ଆଗରେ ଆଜିର ଦେଶପ୍ରେମ
ଫିକା ପଡିଯିବନି ତ? ଜାତୀୟ ସ୍ତରର ପ୍ରତିଶତ ହାରରେ ଓଡିଶା ଆଜି କମ
ଦେଖାଯାଉଥାଇପାରେ ମାତ୍ର ଏହା ସ୍ଥିର ନୁହେଁ ।
ବିଶ୍ଵରେ କ୍ଵଚିତ ଦେଶ
ଅଛନ୍ତି ଯେଉଁମାନେ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି । ହୁଏତ ଇଟାଲୀ ଓ ସ୍ପେନକୁ ବାଦ
ଦେଲେ ଇଉରୋପର ଅନ୍ୟ କୌଣସି ଦେଶ ସଂପୂର୍ଣ୍ଣ ଲକ ଡାଉନ କରିନାହାନ୍ତି । ଦକ୍ଷିଣ କୋରିଆ ଲକ ଡାଉନ
ବଦଳରେ କେବଳ ଅଧିକ ସଂଖ୍ଯାରେ ଟେଷ୍ଟିଙ୍ଗକୁ ଆପଣାଇନଥିଲେ ସଫଳତା ପାଇନଥାନ୍ତା କି ଉତ୍ତର କୋରିଆ
ନିଜର ଚୀନ ସୀମାକୁ ସିଲ କରିନଥିଲେ ଓ ସମସ୍ତ ଦେଶଫେରନ୍ତାଙ୍କୁ ସଙ୍ଗରୋଧ ଗୃହକୁ ନେଇଯାଇନଥିଲେ
ଏଥିରେ ସଫଳତା ପାଇନଥାନ୍ତେ । ଭାରତ ମାତ୍ର ଚାରିଘଣ୍ଟାରେ ଲକ ଡାଉନ ଘୋଷଣା କରି 33
ଲକ୍ଷ ବର୍ଗ କିଲୋମିଟରର ଏକ ଦେଶକୁ “ଦେଶର ହିତ ଲାଗି” ଏକ ଅଦୃଶ୍ୟ ଜେଲରେ
ପରିଣତ କରିଦେଲା ଓ ସଂପୂର୍ଣ୍ଣ ଦେଶକୁ ଆଇନ ଶୃଙ୍ଖଳାରେ ବ୍ଯାହତ ହେବା ଆଶଙ୍କରେ ପୁଲିସବାହିନୀ
ହାତକୁ ଟେକିଦିଆଗଲା । ଏ ସବୁ କେବଳ ଏକ ଯୁଦ୍ଧ ଲଢିବା ଲାଗି କରିଦିଆଗଲା ।
ସବୁ ରାଜ୍ୟ ଭଳି
ଓଡିଶାରେ ମଧ୍ୟ ପ୍ରଶାସକମାନେ (ହୁଏତ ଦିଲ୍ଲୀ ଓ କେରଳ କିଛିତ ବ୍ୟତିକ୍ରମ) କାରୋନା ବିରୋଧୀ
ଯୁଦ୍ଧର ମଙ୍ଗ ଧରିନେଲେ । ହୁଏତ ଆଜି ସାମୟିକ ଭାବରେ ଆମେ ଏହାର ସଂକ୍ରମଣକୁ ରୋକିପାରିଛୁ ଓ
ଏହାର ଶ୍ରେୟ ତ ସେମାନଙ୍କୁ ନିଶ୍ଚିତ ଯିବ । କିନ୍ତୁ ସେମାନେ କ୍ଵଚିତ ମଣିଷକୁ ଦେଖଥା’ନ୍ତି । ସେମାନେ କାଗଜ ଓ ଅକ୍ଷର ଉପରେ ଗୁରୁତ୍ଵ ଦେଉଥିବା ଏକ ବର୍ଗ ଯେଉଁମାନେ ପୁଲିସର
ଲାଠି ଓ ଗୁଳିକୁ ମଧ୍ୟ ନିଜ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ନେଇଥାନ୍ତି । ସେମାନଙ୍କ ପାଇଁ ରାଜ୍ୟବାସୀ
କେବଳ ପରିସଙ୍ଖ୍ୟାନ ମାତ୍ର । କାରୋନାର
ସଂକ୍ରମଣକୁ ରୋକିବା ଏକ ଆହ୍ଵାନ ସତ । ଏହା ସହିତ ସମାଜର ଦୁର୍ବଳ, ଅତି ଦୁର୍ବଳ ବର୍ଗ ଏପରିକି ସ୍ଵାଧୀନ ଅର୍ଥନୀତି ବର୍ଗ (ସରକାରୀ ଚାକିରିଆ ନୁହନ୍ତି)
ମଧ୍ୟ ଯେ କେଉଁଭଳି ଅସୁବିଧାରେ ନରହନ୍ତି ତାହାକୁ ମଣିଷଭାବରେ ଅନୁଭବ କରିବା ଓ ସେଥିଲାଗି
ବ୍ୟବସ୍ଥାଗତ ସଂଶୋଧନ ତୁରନ୍ତ କରିବା ସମାନ ସମୟରେ ଜରୁରୀ ଥିଲା ।
ଲକ ଡାଉନ ଯେଉଁ ଦୟନୀୟ
ସ୍ଥିତି ତିଆରି କଲା ତାହାର କାରଣ ମଧ୍ୟ ସେହି ପ୍ରଶାସକମାନେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ।
ଏ ସମସ୍ତ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ଵହୀନ କରିଦେବା ସମାଜର
ସମସ୍ଯାକୁ ଆହୁରି ବଢାଇଦେଇଛି । ଆମେ ଦେଖିବାରେ ଲକ ଡାଉନର ବେଶ କିଛି ସପ୍ତାହ ପରେ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ
ରାଜ୍ୟ ସରକାରଙ୍କୁ କିଛି ଲେଖିବା ପରେ ହୁଏତ କିଛି ଉଦ୍ୟମ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଛି
ଯେମିତିକି ଛୋଟ ବ୍ୟବସାୟୀଙ୍କ ଲାଗି ଯାନବାହନ ବ୍ୟବହାରରେ କୋହଳ, ମନନେରଗାରେ କାର୍ଯ୍ୟ ଆରମ୍ଭ, ଚାଷ କାମ
ଓ ମାଛ ଧରିବାକୁ ଅନୁମତି ଦେବା, ଜଙ୍ଗଲ ଜାତ ଦ୍ରବ୍ଯ ଲାଗି ଆଦିବାସୀଙ୍କ
ସୁବିଧା ଲାଗି ବହୁତ ବିଳମ୍ଭରେ ପଦକ୍ଷେପ ନେବା ଇତ୍ୟାଦି ।
ବିଭିନ୍ନ ସହରରେ ଦୋକାନ
ସବୁ ବନ୍ଦ ହେବା ହେତୁ ଛୋଟ ବ୍ୟବସାୟୀଙ୍କ ଅବସ୍ଥା, ଖଣି
ଠାରୁ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ ସବୁଠି
କାର୍ଯ୍ୟରତ ଠିକା ଶ୍ରମିକ, ବିଭିନ୍ନ ପ୍ରାଇଭେଟ ଅନୁଷ୍ଠାନ
ଓ ପ୍ରାଇଭେଟ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ, ଆଉଟ
ସୋର୍ସିଙ୍ଗ କର୍ମଚାରୀ, ପରିବା ଓ ଫଳ ଚାଷୀଙ୍କ ଜିନିଷର ବଜାର ସୃଷ୍ଟି, ଗାଡି ଚାଳକଙ୍କ ଇତ୍ଯାଦିଙ୍କ ସମସ୍ଯା ସମ୍ପର୍କରେ ଏବେ ବି ସରକାର ନୀରବ ।
ଏଭଳି ଦୁର୍ଦ୍ଦିନରେ
ନିର୍ବାଚିତ ପ୍ରତିନିଧିମାନଙ୍କୁ ଯେଉଁମାନଙ୍କର ଅନ୍ତତଃ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହିତ
କିଛି ସମ୍ବନ୍ଧ ରହିଛି ସଂପୂର୍ଣ୍ଣ ଅଣଦେଖା କରାଯିବା ହେତୁ,
ସରକାର ଓ ଲୋକଙ୍କ ମଧ୍ୟରେ ପ୍ରାଚୀର ଆହୁରି ବିଶାଳ ହେବାରେ ଲାଗିଛି । ସେହିଭଳି ବିଭିନ୍ନ ସାମାଜିକ
ସଂଗଠନ, ଟ୍ରେଡ ଯୁନିଅନ ଓ ବ୍ୟକ୍ତି ବିଶେଷଙ୍କ ଯେଉଁ ସମ୍ପର୍କ ଲୋକଙ୍କ ସହିତ ରହିଛି ତାହାକୁ ମୁଖ୍ୟମନ୍ତ୍ରୀ
ଓ ପ୍ରଶାସକମାନେ ଏକ ବାଧକ ଭାବରେ ଧରିନେଲେ । ତେବେ ଏତେ ସବୁ କାର୍ଯ୍ୟ କାହା ପାଇଁ ?
ଆଜି ନିର୍ବାଚିତ
ପ୍ରତିନିଧି ଓ ବିଭିନ୍ନ ଜନସଙ୍ଗଠନର ନେତୃବର୍ଗଙ୍କ ଦ୍ଵାରା ଲକ ଡାଉନ ସ୍ଥିତିରେ ବି ସରକାର ଏକ
ସମନ୍ଵୟ ରକ୍ଷା କରିପାରିଥିଲେ କ) ଏହାଦ୍ବାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଲୋକେ
ନିଜ ଏମଏଲଏ ମାଧ୍ୟମରେ ନିଜର ସୁବିଧା ଅସୁବିଧା ଗୁଡିକୁ ସରକାରଙ୍କ ଦ୍ରୁଷ୍ଟିକୁ ଆଣିପାରିଥାନ୍ତେ
। ଖ) ଟ୍ରେଡ ଯୁନିଅନ ଓ ଚାଷୀ ସଂଗଠନ ମାଧ୍ୟମରେ ଲୋକେ ସରକାରଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଶୀଘ୍ର
ଅବଗତ କରାଇପାରିଥାନ୍ତା
ଓ ଯାହା ଦୀର୍ଘ ଦିନ ପରେ ସରକାର କୋହଳ କଲେ ତାହା ହୁଏତ ଆଗରୁ କରିପାରିଥାନ୍ତେ । ଗ) ହୁଏତ
ସେହିଭଳି ଦାୟିତ୍ଵ ହେତୁ ଅଞ୍ଚଳର ବିଧାୟକ ନିଜ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଠାବ କରିବାରେ ଓ ସମସ୍ତଙ୍କୁ
ଖାଦ୍ୟ ଯୋଗାଇବାର ଦାୟିତ୍ଵ ନେଇପାରିଥାନ୍ତେ । ଘ) ଏହା ଦ୍ଵାରା ଲୋକେ ଅନୁଭବ କରିବେ ନାହିଁ ଯେ
ସେମାନେ ଏକୁଟିଆ ପଡିଗଲେ ବା ତାଙ୍କ କଥା ଶୁଣିବା ଲାଗି କେହି ନାହାନ୍ତି ।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ
ମନ୍ତବ୍ୟ ଅନୁସାରେ ଗଲା 100 ଦିନ ମଧ୍ୟରେ ସମଗ୍ର ବିଶ୍ବରେ ଏକ ବିରାଟ ପରିବର୍ତ୍ତନ ଆସିଲାଣି ।
ଏହି ବିଶ୍ୱବ୍ୟାପି ମହାମାରୀ ସମଗ୍ର ବିଶ୍ଵକୁ ବ୍ୟାପୀସାରିଲାଣି । ମାନବ ସମାଜର ଅନ୍ୟ କୌଣସି
ବର୍ଗ ଏବେ ଏଥିରୁ ମୁକ୍ତ ରହିଥିବା ଜଣାପଡୁ ନାହିଁ। ଆମ୍ଭେମାନେ ଭୁଲିଯିବାନି ଯେ ଆମର କାହାରି
ପାଖରେ ଏଭଳି ଏକ ବିପତ୍ତିକୁ ସାମ୍ନା କରିବାର ଅନୁଭୂତି ନାହିଁ । ସରକାରଙ୍କ ଅହଂକାର ସମାଜ ପାଇଁ
ଅଧିକ ବିପତ୍ତି ଆଣିନଦେଉ ।
ଦେବ
ରଞ୍ଜନ
Monday, February 3, 2020
ଆମେ ସମସ୍ତେ ଚାହୁଁ ଆଜାଦୀ
![]() |
| 'ହମ ଚାହାତେ ହେଁ ଆଜାଦୀ' ଜାନୁଆରୀ 30 ତାରିଖର ଭୁବନେଶ୍ଵର ଠାରେ ଅନୁଷ୍ଠିତ ବିରାଟ ରାଲ୍ଲୀ(photo: Deba Ranjan) |
ଏକ ସ୍ଵାଧୀନ ଦେଶରେ
ଆଜି ଆଜାଦୀର ସ୍ଲୋଗାନ ଏକ ବିଡମ୍ବନା । ଏହା
ବାସ୍ତବ, ଏହା ସତ୍ୟ ମଧ୍ୟ । ଜାନୁଆରୀ
30 ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲ୍ଲି ଏହି ‘ଆଜାଦୀ’ର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ
ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି
ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ
ଚାହୁଞ୍ଚନ୍ତି ଆଜାଦୀ ।
ସେହି
ରାଲ୍ଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ ଆଜାଦୀ ।
‘ମନୁବାଦସେ ଆଜାଦୀ’, ‘ଜାତିବାଦସେ ଆଜାଦୀ’, ‘ଭୁଖମରିସେ ଆଜାଦୀ’, ‘ବେରୋଜଗାରିସେ ଆଜାଦୀ’ ରାଲ୍ଲୀ ଭିତରେ
ଶିହରଣ ଖେଳାଇଦେଉଥିଲା । ରାଲ୍ଲୀରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ
ମୁହଁ ଲାଜରେ ପୋଡିଯାଉନାହିଁ କାହିଁକି? ଏହା କ’ଣ ସେମାନଙ୍କ ବିଫଳତା ନୁହେଁ ? କିନ୍ତ ସେଭଳି କିଛି ହେବାର
ନଥିଲା । କାରଣ ସେହିମାନେ ହିଁ ଥିଲେ ଏହି ରାଲ୍ଲୀର କାରଣ । ‘ଏନଆରସିସେ
ଆଜାଦୀ’, ‘ଏନପିଆରସେ ଆଜାଦୀ’, ‘ସିଏଏସେ ଆଜାଦୀ’ ପ୍ରତ୍ଯେକ ପଦଚାରୀ ଜୋରରେ ଚିତ୍କାର
କରୁଥିଲେ ।
ବିଗତ ଦିନରେ ଜବାହରଲାଲ ନେହେରୁ
ବିଶ୍ବବିଦ୍ୟାଳୟର ସେହି ଛାତ୍ର ଆନ୍ଦୋଳନ ମଧ୍ୟରୁ ଆସିଥିବା ଏହି ଆଜାଦୀର ସ୍ଲୋଗାନ ଦେଶର ସମସ୍ତ ଅଧିକାର
ଆଂଦୋଳନର କଣ୍ଠସ୍ଵର ପାଳଟିଯାଇଛି । “ଆମ୍ଭେ ଭାରତୀୟ”ର ଜାତୀୟତା ଭାବନା ମଧ୍ୟରେ ଛୋଟ ବଡ
ଅସ୍ମିତାର ସ୍ଥାନ ନାହିଁ । କିନ୍ତୁ ସଂଖ୍ୟା ଗରିଷ୍ଠ ‘ହିନ୍ଦୁ’ର ଅହମିକାକୁ ଆଧାର କରି ସ୍ଥାୟୀ ଭାବରେ ଏହି ଦେଶରେ ଶାସନ କରିବାର ଇଚ୍ଛା ରଖୁଥିବା
ହିନ୍ଦୁ ମୌଳବାଦୀମାନେ ଅସହିଷ୍ଣ ପଲଟିଯାଇଛନ୍ତି । ସେମାନେ JNU
ବିରୁଦ୍ଧରେ (ଓ ଅନ୍ୟ ବିଶ୍ୱବିଦ୍ୟାଳୟ ବିପକ୍ଷରେ ମଧ୍ୟ) ଯୁଦ୍ଧମ ଦେହି ଡାକରା
ଦେଇଛନ୍ତି ।
ଏହି ହେତୁ ଆଜି JNU
ଓ ଏହାର ବାହାରେ ସମାନତାର ଆହ୍ଵାନ ବନାମ ଜାତିବାଦ ଓ ଲିଙ୍ଗଭେଦ କାଏମ ରଖିବାକୁ
ଚାହୁଁଥିବା ବିଚାର ମଧ୍ୟରେ ଲଢେଇ ଦେଖୁଛୁ । ଏହି ବିଚାରର ଲଢେଇ କ୍ରମଶଃ ଶାସକଦଳ ଦ୍ଵାରା ଆକ୍ରମଣ
ଓ ରାଷ୍ଟ୍ରହିଂସାରେ କେବେଠୁ ପରିଣତ ହୋଇସାରିଲାଣି । ଆମ ମଧ୍ୟରୁ ବେଶ କିଛି ଅଛନ୍ତି
ଯେଉଁମାନଙ୍କୁ ଏହି ସମାନତାର ଆହ୍ଵାନ ବେଶ ଖଟା ଲାଗୁଛି । ସେମାନେ ଗଣତନ୍ତ୍ରକୁ ଭୁଲିଯାଇ
ହିନ୍ଦୁ ମୌଳବାଦୀଙ୍କ କ୍ୟାମ୍ପରେ ପହଞ୍ଚିଯାଉଛନ୍ତି । ଏହି ବର୍ଗର ଶାସକ ଓ ତାଙ୍କ ସମର୍ଥକଙ୍କ
ଲାଗି ମୂଳ ସମସ୍ଯା ହେଲା ଧାର୍ମିକ ଅସହିଷ୍ଣତା, ହେତୁବାଦୀଙ୍କ ଦ୍ଵାରା
ଦିଆଯାଉଥିବା ବୈଜ୍ଞାନିକ ବିଚାରର ପ୍ରସାର, ଦଳିତ ସଂଗଠନ ଦ୍ଵାରା ଦାବି
ରହିଥିବା ସରଙ୍ଖ୍ୟଣ ବ୍ୟବସ୍ଥାର ସ୍ଥାୟିତ୍ଵ ଓ କମ୍ୟୁନିଷ୍ଟଶକ୍ତିଙ୍କ ଦ୍ଵାରା ଦିଆଯାଉଥିବା ଆର୍ଥିକ
ସମାନତାର ଆହ୍ଵାନ ।
ଦେଶ ଅଧିକ ଧନିକ ବର୍ଗ ତିଆରି କରିପାରିଥିବା
ଓ ଆମେରିକାର ଶାସକଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରୁଥିବାକୁ ନେଇ ଆଜିର ଶାସକବର୍ଗ ବେଶ
ଗର୍ବ କରୁଛନ୍ତି । ସେମାନେ ପୁଷ୍ଟିହୀନତା ହେତୁ ହେଉ ଅଥବା ବେକାରୀ ହେତୁ ହେଉ ଶିଶୁ ମୃତ୍ୟୁବରଣ
କରୁଥିବା ଅଥବା ଯୁବକ ଆତ୍ମହତ୍ୟା କରୁଥିବା ଆଜି ଆଉ ଲଜ୍ଜାର ବିଷୟ ହେଉନାହିଁ । ଆଜିର ଶାସକମାନେ
ନିଜର ଭୋଟବ୍ୟାଙ୍କ କିଏ ତାହାକୁ ସ୍ଥିର କରିଦେବା ପରେ ସେମାନଙ୍କ ପାଇଁ ବାକି ସମସ୍ତେ “ସରକାରବିରୋଧୀ”, “ଦେଶଦ୍ରୋହୀ” , “ଅବାଞ୍ଛିତ” ଅଥବା “ଅଣଭାରତୀୟ”।
ଏହା ଉଲ୍ଲେଖନୀୟ ଯେ ରାଲ୍ଲିରେ ମୁସଲମାନ
ସଂପ୍ରଦାୟର ଯୋଗଦାନ ଅଧିକ ଥିଲା । ଦେଶର
ସମ୍ବିଧାନର ବିରୋଧରେ ଯାଇ ବିଜେପି ନାଗରିକତା ତାଲିକାରେ ପ୍ରଥମ କରି ଧର୍ମକୁ ଏକ ବିଷୟ କରିବା ଓ
ସେଥିରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାଦଦେବା ହେତୁ ଏଭଳି ପ୍ରତିବାଦ ରାଲ୍ଲୀର ବେଶ ଆବଶ୍ୟକତା
ଥିଲା । ସେହି ମୁସଲମାନ ଯୁବକ ଓ ପୌଢଙ୍କ ମଧ୍ୟରେ ଭୟ ଥିଲା ନରେନ୍ଦ୍ର ମୋଦୀ – ଅମିତ ଶାହା
ସେମାନଙ୍କୁ ତାଙ୍କ ନିଜ ଦେଶରୁ ବହିସ୍କାର କରିଦେବେ, ଭୋଟର
ତାଲିକାରେ ନାମ କାଟିଦେବେ, ସେମାନଙ୍କୁ ହୁଏତ ଦେଶରୁ ତଡିଦେବେ । ଅଟୋ ଚାଳକ, ଦୋକାନୀ, ଦରଜୀ, ଫେରିବାଲା, ଡ୍ରାଇଭର, ଖୁଚୁରା ବେପାରୀ,
ଛାତ୍ର ସମସ୍ତେ ଏଥିରେ ସାମିଲ ଥିଲେ । ଏକ ସ୍ଥିର ଆୟ ଅଥବା ସୁରକ୍ଷିତ ଭବିଷ୍ୟତ ସେମାନଙ୍କ ଦାବି
ନଥିଲା । ବରଂ ଯାହା ବି ଟିକେ ଅଛି ସେତକ ଚାଲିନଯାଉ ତାହା ଥିଲା ସେମାନଙ୍କ ଲାଗି ଭୟ । ନିଜର
ନାଗରିକତାକୁ ହରାଇବାର ଭୟ ରାଲ୍ଲିରେ ତ ବେଶ ଜଣାପଢୁଥିଲା ।
ବ୍ୟସ୍ତ ବିବ୍ରତ ମନ, ମୁହଁରେ କ୍ରୋଧ, ଚାଲିରେ ଗମ୍ଭୀରତା ଥିବା ପଦଚାରୀଙ୍କ
ମଧ୍ୟରେ, “ଗାନ୍ଧିନେ ଭଗାୟା ଥା ଗୋରୋଙ୍କୋ ହମ ଭଗାଏଙ୍ଗେ ଚୋରୋଙ୍କ”, “ମୋଦୀ – ସାହା ଦେଶ ଛୋଡ” ସ୍ଲୋଗାନ ସମଗ୍ର ରାଲ୍ଲୀର ମନୋଭାବକୁ ବୁଝାଉଥିଲା । ରାଲ୍ଲୀ
ପରବର୍ତ୍ତୀ ଭାଷଣରେ ନେତାଙ୍କ ଭିତରେ “ହିନ୍ଦୁ
ମୁସଲମାନ ଭାଇ ଭାଇ”, “କୋରାନ ହମକୋ ହିନ୍ଦୁ ମୁସଲମାନ ଏକ କଟୋରି ମେଂ
ପାନି ପିନା ଶିଖାୟା” ମୋତେ ସ୍କୁଲ ଜୀବନରେ ବାରମ୍ବାର ଘୋଷିଥିବା ଇକବାଲଙ୍କ ଦ୍ଵାରା ଲିଖିତ ‘ସାରେ ଜାହାଁ ସେ ଆଛା’ର କବିତାର ପଂକ୍ତି “ମଝବ ନେହିଂ
ଶିଖାତା ଆପସମେ ବୈର ରଖନା” ମନେପଡୁଥିଲା । ପଚାଶ ଦଶକର ସେହି ‘ସର୍ବଧର୍ମ
ସମଭାବ’ ଓ ଧର୍ମନିରପେକ୍ଷତାକୁ ପୁଣି ଦୋହରାଯାଉଥିଲା । ଆମେ କ’ଣ ଏହା ଦ୍ଵାରା ପଛକୁ ଫେରୁଛେ ? ପୁଣି ପଚାଶ ଦଶକର ସେହି
ବିଭାଜନ ଜନିତ ଘା’ ଏବେ ସତେଜ ହେବାକୁ ଯାଉନାହିଁ ତ ?
ସରକାର ଯେବେ
ଜାତୀୟ ଜନସଂଖ୍ୟା ପଞ୍ଜିକା କରିବା ଆରମ୍ଭ କରିବେ ସେତେବେଳେ କେବଳ ମୁସଲମାନ ନୁହନ୍ତି, ରାଜ୍ୟର ବସ୍ତିବାସିନ୍ଦା, ଭୂମିହୀନ ଦଳିତ ଓ ଆଦିବାସୀ ବର୍ଗ, କିନ୍ନର, ଅନାଥ ଛୁଆମାନେ, ବେଶ
ସଂଖ୍ୟକ ବିବାହିତା ମହିଳା ଓ ଅନେକ ଅନେକ ସେହି ‘ସନ୍ଦିଗ୍ଧ ନାଗରିକ’ (Doubtful Citizen) ତାଲିକାରେ ଆସିଯିବେ । (Citizenship
(Registration of Citizens and Issue of National Identity Cards) Rules, 2003, Section 4(4)) କିନ୍ତୁ ଦୁଃଖର କଥା ଯେ ରାଲ୍ଲିରେ
ସେମାନଙ୍କ ସଂଖ୍ୟା ବେଶ କମ ଥିଲା । ହୁଏତ ଏହା ସାଙ୍ଗଠନିକ ଦୁର୍ବଳତା । ସେମାନଙ୍କ ପାଖରେ ହୁଏତ
ଏହି ବାର୍ତ୍ତାଟି ଠିକରେ ପହଞ୍ଚିପାରି ନାହିଁ । ପୁଣି ସନ୍ଦିଗ୍ଧ ତାଲିକାରେ କମ୍ୟୁନିଷ୍ଟମାନେ
ବାଦ ଯିବେ ନାହିଁ ଓ ସେମାନେ ଥିଲେ ଏହି ରାଲ୍ଲିର ମୁଖ୍ୟ ଆୟୋଜକ ।
ସରକାର ହୁଏତ କହୁଥାଇପାରନ୍ତି, “ସିଏଏ ନାଗରିକତା ଲେନେ କେ ଲିୟେ ନେହିଂ ଦେନେକେ ଲିୟେ।“ କିନ୍ତୁ କାହାକୁ? କାହିଁକି ଏ ସମ୍ବିଧାନ ବିରୋଧୀ ପଦକ୍ଷେପ? କାହିଁକି ସିଏଏ
ସହିତ ଏକ କାଳୀନ ଏନଆରସି ଓ ଏନପିଆର ଲାଗୁହେଉଛି? ଆସାମର ବିଗତ ଦିନର
ଘଟଣାବଳୀ ଆମକୁ କ’ଣ ସୂଚନା ଦେଉଛି? ହାଏ! ଏ
ଦେଶର ଶାସକଙ୍କ ପାଖକୁ ଯାଇ ସେତିକି ପଚାରିବାର ସୁଯୋଗ ରହିଥାନ୍ତା କି?
ଅନେକ ଅନେକ ଦୂରରୁ ଥାଇ ସାମାନ୍ଯ ପଚାରିବା ମଧ୍ୟ ଏ ଦେଶରେ ‘ଦେଶଦ୍ରୋହ’ ଅପରାଧ!
ମୋ ପାଇଁ ଏଭଳି ଜନ ସମାଗମ ଓ ଏଭଳି ଏକ ରାଲ୍ଲିରେ
ଯୋଗଦାନ ଥିଲା ପ୍ରଥମ । ମୁଁ ସେହି ମୁସଲମାନ ଯୁବକଙ୍କ ପାଦରେ ପାଦ ମିଶାଇ ଚାଲୁତ ଥିଲି, ବହୁତ କଥା ପଚାରୁ ଥିଲି କିନ୍ତୁ ଅନୁଭବ କରୁଥିଲି ଯେ ମୁଁ ଏହି ପଦଚାରୀଙ୍କ ସହିତ ଏକ
ନିର୍ଦ୍ଦିଷ୍ଟ ସୀମାରେଖା ପରେ ଅନ୍ୟ କିଛି ଆଲୋଚନା କରିପାରିବି ନାହିଁ । ସେମାନେ ବାରମ୍ବାର ‘ମଝବ’ର କଥା କହୁଥିଲେ ଓ ମୁଁ ଜଣେ ନାସ୍ତିକ ତଥା
ଗଣତନ୍ତ୍ରବାଦୀ ଭାବରେ ଧର୍ମର ଅନୁଷ୍ଠାନପଣ, ଅବୈଜ୍ଞାନିକ ଚିନ୍ତାଧାରା
ଓ ଅଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଆଲୋଚନା କରିପାରୁନଥିଲି । କିଛି ସମୟ ପାଇଁ ଲାଗିଲା
ମୁଁ ହୁଏତ ସେହି ତିଳକଧାରୀଙ୍କ ମଧ୍ୟରେ ଅଛି ଓ ଏହି ରାଲ୍ଲି ପାକିସ୍ତାନ ଅଥବା ବଙ୍ଗଳାଦେଶର
କୌଣସି ପ୍ରଦେଶରେ ଚାଲିଛି । ଆମ ଭିତରେ ବିଶ୍ଵମାନବବାଦର ସ୍ଵପ୍ନ ଧିରେ ଧିରେ ମରିଯାଉଛି ।
ସତେରେ ଆମର ଶାସକମାନେ ଆମକୁ ଶିଖାଉଥିବା
ଜାତୀୟତା ହେଲା ଆମର ପଡୋଶୀ ଦେଶକୁ ଅଧିକରୁ ଅଧିକ ଘୃଣା କରିବା ଓ ପଡୋଶୀ ଦେଶର ସମସ୍ତ ଆଚରଣକୁ
ନିଜେ କପି କରିବା । ଅଦ୍ଭୁତ ଏ ଜାତୀୟତା । ଆମକୁ ସତେରେ ଏଥିରୁ ଆଜାଦୀ ଜରୁରୀ ।
ଦେବ ରଞ୍ଜନ
Thursday, January 30, 2020
“ଆମ୍ଭେ ଭାରତୀୟ” ଅଜି ପଚାରୁଛୁ / “We the People” are asking
ଆଜି କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ
ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ
କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ
ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କ’ଣ କୁହାଯିବ ଗଣତନ୍ତ୍ର?
ଦୀର୍ଘ
ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ । ସମସ୍ତେ ନିଜ ନିଜ ଅଧିକାର ପାଇଁ
କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ
ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କୁ ଆମେ ଏକାଠି
କରିଦେଇପାରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ସେହି ସମସ୍ତ ବର୍ଗ ସହିତ ମହିଳା ଓ ଛାତ୍ରଛାତ୍ରୀମାନେ
ମଧ୍ୟ ବହୁ ସଂଖ୍ଯାରେ ଯୋଗ ଦେଇଚାଲିଛନ୍ତି ।
ଏହି
ଆନ୍ଦୋଳନ ମଧ୍ୟରେ ଯେବେ “ଆମେ ଭାରତୀୟ” ସ୍ଲୋଗାନ ଆସୁଛି ସେତେବେଳେ ସମଗ୍ର ଭାରତୀୟଙ୍କ ସମସ୍ଯା
ଆମ ସମସ୍ତଙ୍କ ସମସ୍ଯା ତାହା ହିଁ ଏହା ପରର ସ୍ଲୋଗାନ ହେବ । କେବଳ ଯେ ଅଳ୍ପ ସଂଖ୍ୟକର ସମର୍ଥନରେ
ଏହି ସ୍ଲୋଗାନ “ଆମେ ଭାରତୀୟ” ଉଠୁଛି ତାହା ନୁହେଁ ଆଗାମୀ ଦିନରେ ଏହା ନିଶ୍ଚିତ ସମସ୍ତ ପ୍ରକାରର
ସରକାରୀ ଦମନ ଓ ସ୍ଵାର୍ଥପରତା ତଥା ଏକଛତ୍ରବାଦୀ ନିଷ୍ପତ୍ତି ବିପକ୍ଷରେ ଉଠିବ ।
ଭାରତୀୟ
ସମ୍ବିଧାନର ମୁଖବନ୍ଧ କେବଳ ‘ଧର୍ମନିରପେକ୍ଷତା’ର କଥା କହୁନାହିଁ । ଏହା ମଧ୍ୟ ‘ସମାଜବାଦ’ ଓ ‘ଗଣତନ୍ତ୍ର’ର କଥା କହୁଛି । ଆଜି
ଏହି ଧର୍ମନିରପେକ୍ଷତାକୁ ଉଠାଇ ଦେବାର ଉଦ୍ୟମ କରିବା ହେତୁ ଦେଶଭିତରେ ପ୍ରତିବାଦ ଦେଖାଦେଇଛି ।
ଏହାପରେ
“ଆମେ ଭାରତୀୟମାନେ” ତ ପଚାରିବୁ ଯେ ଦେଶରେ ବିଗତ ଦିନମାନଙ୍କରେ ହୋଇଥିବା ସମସ୍ତ ଦଙ୍ଗାରେ
ଲିପ୍ତ ସେହି ଅପରାଧୀମାନଙ୍କୁ ତୁମେ ସୁରକ୍ଷା କେମିତି ଦେଉଛ? ସେମାନେ ଜେଲରେ ରହିବା ବଦଳରେ ଆଜି କେଉଁଭଳି
ନିର୍ଭୟରେ ବୁଲୁଛନ୍ତି ଓ ତୁମ ପାର୍ଟିର ପ୍ରମୁଖ କର୍ମୀ ସାଜିଛନ୍ତି ?
ଏହା
ପରେ “ଆମେ ଭାରତୀୟ” ସମାଜବାଦର ସଜ୍ଞା ନେଇ ନିଶ୍ଚୟ ପ୍ରଶ୍ନ କରିବୁ । କେମିତି ଦେଶରେ ଦରଦାମ ବୃଦ୍ଧି, ବେକାରୀ ଓ ପୁଷ୍ଟିହୀନତା
କାହିଁକି ବଢୁଛି ? ଚାଷୀ ଠାରୁ ଶିକ୍ଷିତ ବେକାର ଯୁବାବର୍ଗ ଆତ୍ମହତ୍ୟା
କରୁଥିଲା ବେଳେ ମୁକେଶ ଆମ୍ବାନୀ ଓ ଆଦାନିଙ୍କ ସମ୍ପତ୍ତି ବଢିବାରେ କେମିତି ଲାଗିଛି ?
ସରକାର
ଲୋକଙ୍କୁ କାମ ଓ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅସମର୍ଥ ହେଉଛି । କିନ୍ତୁ ସାଧାରଣଲୋକଙ୍କ ଜୀବନ
ରେଖା ସାଜିଥିବା ରେଳ ବିଭାଗ ହେଉ ଅଥବା ଜାତୀୟତାର ଓ ଦେଶର ସୁରକ୍ଷା ଲାଗି ଗଠିବା ପ୍ରତିରକ୍ଷା
ବିଭାଗକୁ ସେହି ସବୁ ମୁଷ୍ଟିମେୟ କମ୍ପାନୀମାନଙ୍କୁ ବିକ୍ରିକରିଦେବାରେ (ନୂଆ ପ୍ରାଇଭେଟ ଟ୍ରେନ
ପ୍ରଚାଳନ ଓ ଯୁଦ୍ଧଅସ୍ତ୍ର ନିର୍ମାଣ ଲାଗି) ଲାଗିଛନ୍ତି ?
“ଆମ୍ଭେ ଭାରତୀୟ”, We The People, ଏହା ପରେ ସରକାରଙ୍କୁ ନିଶ୍ଚେ ତ ଏ ସବୁର ଉତ୍ତର
ମାଗିବୁ ।
Wednesday, January 8, 2020
ଲେଖକଙ୍କ
‘ସାମ୍ପ୍ରଦାୟିକ’ ଭାବନା (?)
ଦେବ
ରଞ୍ଜନ
ନୂଆ ବର୍ଷ ସର୍ବଦା ନୂଆ ଚିନ୍ତା ନୂଆ ଭାବନା ନୂଆ ଦିଗ
ଦେଉ ଏକଥା ନୂଆ ବର୍ଷର ଅଭିବାଦନ ସମୟରେ ଆମେ ପ୍ରକାଶ କରିଥାଉ । କିନ୍ତୁ ମଣିଷ ଏହି ନୂଆ
ଭାବନାର ଇଚ୍ଛାରେ ସେତିକି ତଳକୁ ଖସି ନଯାଉ ଯେଉଁଠୁ ତାକୁ ଉଠାଇବାର ରାସ୍ତା ବି ବନ୍ଦ ହୋଇଯାଇଥିବ।
ନୂଆ ବର୍ଷର ପ୍ରଥମ ଦିନରେ “ରାଷ୍ଟ୍ର ଓ ନାଗରିକ” ଶୀର୍ଷକ ଲେଖାଟି ମାଧ୍ୟମରେ ସ୍ତମ୍ବକାର ହର
ପ୍ରସାଦ ଦାଶ ଯେଉଁ ସାମ୍ପ୍ରଦାୟିକ ବିଭାଜନର ମଞ୍ଜି ବୁଣିଛନ୍ତି ତାହା ‘ସମ୍ବାଦ’ରେ ପ୍ରକାଶ ପାଇବା ଏକ ଆଶ୍ଚର୍ଯ୍ୟର ବିଷୟ । ଇଏ ତ
ସେହି ମାଟି ଯେଉଁଠି ଦିନେ ସନ୍ଥ କବିର ପ୍ରଚାର କରିଥିଲେ, “ଏକୈ ପବନ ଏକ ହୀ ପାନୀ, ଏକ ଜ୍ଯୋତି ସଂସାରା /
ଏକ ହୀ ଖାକ ଘଡେ ସବ ଭାଡେ, ଏକ ହି ସିରଜନହାର ।“ (ସମସ୍ତେ ଏକା ପାଣି ପବନରେ ବଞ୍ଚିଛନ୍ତି । ସମସ୍ତେ ଏକା ମାଟିରେ ଗଢା। ସମସ୍ତଙ୍କ
ଦେହରେ ଗୋଟିଏ ପ୍ରକାରର ଅସ୍ଥି ଓ ମଜ୍ଜା ରହିଛି । ଭାରତର ଧର୍ମନିରପେକ୍ଷତା ଏହି ମହାନ
ସନ୍ଥଙ୍କ ବାଣୀ ଉପରେ ଠିଆ ହୋଇଛି । ଏହାକୁ କେମିତି ଭୁଲିଯିବା ? ଅଥଚ କେନ୍ଦ୍ର ସରକାର
ଏହା ମୂଳଦୁଆକୁ ଭାଙ୍ଗିବାରେ କ୍ରମାଗତ ଭାବରେ ଯେଉଁ ଉଦ୍ୟମ କରିଚାଲିଛନ୍ତି ତାହାର ଅନ୍ୟ ଏକ
ଉଦ୍ୟମ ହେଲା ନାଗରିକ ସଂଶୋଧନ ନିୟମ, 2019 ଯାହାକୁ ଲେଖକ ଜାଣିକରି
ମଧ୍ୟ ଅଣଦେଖା କରିଛନ୍ତି । ହରପ୍ରସାଦ ଦାଶ ମହୋଦୟ ଯେଉଁ
ଯୁକ୍ତି କରିଛନ୍ତି, “ଦକ୍ଷିଣ ଏସିଆର ବିଶାଳତମ
ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତ ଚିନ୍ତିତ ତାର ପଡୋଶୀ ଭାବରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ ଭଳି ଧର୍ମୀୟ ରାଷ୍ଟ୍ରମାନଙ୍କରେ କ୍ଷୟ ହୋଇଚାଲିଥିବା
ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ...ଯାହାହେତୁ ଅମାନବୀୟ
ସ୍ଥିତି ଉତ୍ପନ୍ନ।“ ଏହି ସମାନ କଥା ଯୁକ୍ତି କରାଯାଇଛି ବିଜେପି ଦ୍ଵାରା ପ୍ରକାଶିତ ସିଏଏ
ସମ୍ବନ୍ଧିତ “କମଲ ସନ୍ଦେଶ” ପ୍ରଚାର ପତ୍ରରେ । ଏଥିରେ
ଉଲ୍ଲେଖ କରାଯାଇଛି ମୁସଲମାନ ଧର୍ମୀ
ସଂଖ୍ୟାଗରିଷ୍ଠ ଦେଶରେ ହିନ୍ଦୁ ଲୋକଙ୍କୁ “ଧର୍ମପରିବର୍ତ୍ତନ,
ବଳତ୍କାର, ନରସଂହାର କରାଯାଉଛି ଓ (ସେମାନଙ୍କ)ସମ୍ପତ୍ତି ଛଡ଼ାଯାଉଛି।” ଅଥଚ ଏହି ସମାନ ବ୍ୟବହାର ଧର୍ମ ନାମରେ
ଭାରତରେ ସଂଖ୍ୟା ଗରିଷ୍ଠ ହିନ୍ଦୁ(ତ୍ଵ) ସଂପ୍ରଦାୟ ଦ୍ଵାରା ଦଳିତ, ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କୁ (କନ୍ଧମାଳ ହିଂସା 2008 ଯାହାର ଉଦାହରଣ) କରାଯାଉଛି । କିନ୍ତୁ ଭାରତ ନିଜକୁ ବିଦେଶରେ ଥିବା ଅଣମୁସଲମାନ
ସଂପ୍ରଦାୟର ସୁରକ୍ଷା ସ୍ଥାନ ଭାବରେ କେବେଠାରୁ ଘୋଷଣା କରିଛି ? ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ମୁସଲମାନଙ୍କୁ କାହିଁକି ବାଦ ଦିଆଯାଉଛି ?
ବିଜେପି
ଏହାର ପ୍ରଚାର ପତ୍ରରେ ଯୁକ୍ତି କରିଛି, ‘ଏହି ତିନି ଦେଶ ଯେହେତୁ
ମୁସଲମାନ ବହୁଳ ତେଣୁ ମୁସଲମାନଙ୍କୁ ଏ ସବୁ ଦେଶରେ ଅତ୍ୟାଚାର କରାଯାଉନାହିଁ ।‘ ଏହି ସମାନ କଥା ଦାଶ ମହୋଦୟ ମଧ୍ୟ କହିଛନ୍ତି । କିନ୍ତୁ ଉଭୟ ବିଜେପି ଓ ହରପ୍ରସାଦ ଦଶ
ମହୋଦୟ କାହିଁକି ଉଲ୍ଲେଖ କରୁନାହାନ୍ତି ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମାକୁ ‘ଆମେ ଭାରତୀୟମାନେ ଏଠାରେ ନିଷ୍ପତ୍ତି ନେଉଛୁ କି ଭାରତକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ,
ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିବୁ ଓ ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବୁ।“ ଏହି
ଘୋଷଣାନାମା ଆଧାରରେ ସୁପ୍ରିମ କୋର୍ଟ କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ କେସରେ ରାୟ (1973
ମସିହାରେ) ଦେଇଥିଲେ ଯେ ଭାରତୀୟ ସମ୍ବିଧାନର ମୂଳ ଘୋଷଣାନାମା ହେଲା ଧର୍ମନିରପେକ୍ଷତା ଓ
ଗଣତନ୍ତ୍ର । ଏହାକୁ କାଏମ ରଖି ସମ୍ବିଧାନର ଅନ୍ୟ ସମସ୍ତ ଧାରାର ସଂଶୋଧନ ପାର୍ଲାମେଣ୍ଟରେ
କରାଯାଇପାରେ କିନ୍ତୁ ଏହାର ମୂଳ ଚରିତ୍ରକୁ (‘basic structure of constitution’) କଦାପି ବଦଳାଯାଇନପାରେ । ଅଥଚ ମୋଦୀ ସରକାର ସମ୍ବିଧାନର ମୂଳ ଘୋଷଣାନାମା ତଥା
ସୁପ୍ରିମ କୋର୍ଟ ରାୟର ବିରୁଦ୍ଧରେ ଯାଇ ନାଗରିକ ସଂଶୋଧନ ଆଇନ 2019 ପାସ କରିଛନ୍ତି ଯାହା ଧର୍ମ
ଆଧାରରେ ନାଗରିକର ବିଭାଜନ କରୁଛି । ଏହି ହେତୁ ଆଜି ଲୋକେ ସ୍ଲୋଗାନ ଦେଉଛନ୍ତି “ତୁମେ ସାତ
ଘଣ୍ଟାରେ ମୋର ସତୁରୀ ବର୍ଷର ଜୀବନର ଫଇସଲା କରିବା ମୋତେ ମଞ୍ଜୁର ନାହିଁ” ଓ ସେମାନେ
ରାସ୍ତାକୁ ଆସିଛନ୍ତି ।
ଭାରତୀୟ ଉପମହାଦେଶର ସମସ୍ତ ସାତଟି ଦେଶରେ ହିନ୍ଦୁ, ବୌଦ୍ଧ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ,
ପାର୍ସି ଓ ଆଦିବାସୀ ଅଳ୍ପ ବହୁତ ଅଛନ୍ତି ଓ କୌଣସି ଏକ ଧର୍ମକୁ ବାଦ ଦେଇ ଏହି
ଉପମହାଦେଶର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ କଳ୍ପନା କରାଯାଇନପାରେ । ଦେଶ ଦେଶ ମଧ୍ୟରେ
ବିଭାଜନର ସୀମାରେଖା ଏହି 60 ରୁ 70 ବର୍ଷ
ମଧ୍ୟରେ ତିଆରି ହେଲା । ହିନ୍ଦୁ ମହାସଭା ଦ୍ଵାରା ପରିକଳ୍ପିତ ଅଖଣ୍ଡ
ଭାରତରେ ରହିଛ ଏହି ତିନି ଦେଶ (ବଙ୍ଗଳାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ) ଯାହାକୁ ଲେଖକ ଯୁକ୍ତି
କରିଛନ୍ତି, “ଏକଦା ଅବିଭକ୍ତ ଭାରତୀୟ ସଭ୍ୟତାର ଅଂଶ।“ ହେଲେ ଏହି
ଉପମହାଦେଶର ଇତିହାସ ତ କାହିଁ କେତେ ବର୍ଷର ? ଶ୍ରୀଲଙ୍କାକୁ ବାଦ ଦେଇ
ରାମାୟଣର କଳ୍ପନା କରିହେବ କି? ବର୍ମାକୁ ବାଦ ଦେଇ ଉତ୍କଳର ନୌବାଣିଜ୍ୟ
ସମ୍ପର୍କରେ କିଛି ଲେଖାଯାଇପାରିବ? ଏହି ଉପମହାଦେଶର ସଂସ୍କୃତି ତିଆରି
ହୋଇଛି ବହୁ ମହାନ ସନ୍ଥମାନଙ୍କ ଦ୍ଵାରା । ଭାରତ
ଉପମହାଦେଶରେ କବୀର, ମହିମା ଅଲେଖ, ନାରାୟଣ ଗୁରୁ, ଫୁଲେ, ମହମ୍ମଦ
ଇକବାଲ, ଫଏଜ, ଆମ୍ବେଦକର ତଥା ଗାନ୍ଧୀ ଏହି
ମାନବିକତାର କଥା କହିଛନ୍ତି ଓ ସେହି କଥା ଭିତରୁ ସମ୍ବିଧାନର ନୀତି ନିର୍ଦ୍ଦେଶନାମା ବା Directive Principles ଆସିଛି । ଲେଖକ ମହୋଦୟ କେମିତି ଏତେ କ୍ଷୁଦ୍ର
ଦୃଷ୍ଟିଭଙ୍ଗୀରେ ସଂପୂର୍ଣ୍ଣ ବିଷୟଟିକୁ ଦେଖିବାକୁ ଚେଷ୍ଟା କଲେ? ଆଜିର
ଶାସକ ମହାନ ହୋଇଯାଇଥାନ୍ତେ ଯଦି ଉକ୍ତ ତିନି ଦେଶର ମୁସଲମାନଙ୍କ ସମେତ ପଡୋଶୀ ଦେଶ ଶ୍ରୀଲଙ୍କାର
ତାମିଲ ହିନ୍ଦୁ ଓ ଖ୍ରୀଷ୍ଟିୟାନମାନଙ୍କୁ ସିଂହଳୀ ବୌଦ୍ଧମାନେ, ବର୍ମାର
ରୋହିଙ୍ଗିଆମାନଙ୍କୁ ବୌଦ୍ଧଧର୍ମାବଲମ୍ବୀମାନେ ଓ ତିବ୍ବତର ବୌଦ୍ଧ ଧର୍ମାବଲମ୍ବିମାନଙ୍କୁ ସେଠାର
କମ୍ୟୁନିଷ୍ଟ ସରକାର ଯେଉଁଭଳି ଅତ୍ୟାଚାର କରୁଛନ୍ତି ତାହାକୁ ମାନବିକ ଅଧିକାର ପ୍ରସଙ୍ଗ
କରିପାରିଥାନ୍ତେ ଓ ନାଗରିକତା ପ୍ରଦାନ କରିଥାନ୍ତେ । ଶ୍ରୀଲଙ୍କାରୁ ଆସିଥିବା ହିନ୍ଦୁ/ବୌଦ୍ଧ
ଅଥବା ତିବ୍ବତରୁ ଆସିଥିବା ବୌଦ୍ଧ ଓ ଏବେ ଉପରୋକ୍ତ ତିନିଦେଶରୁ ଆସିଥିବା ହିନ୍ଦୁ/ବୌଦ୍ଧମାନଙ୍କ
ମଧ୍ୟରେ ପାର୍ଥକ୍ଯ କଣ ? ଏତିକି ଯେ ସେମାନେ କେହି ମୁସଲମାନ
ସଂଖ୍ୟାଗରିଷ୍ଠ ଦେଶରୁ ଆସିନାହାନ୍ତି ଓ ସରକାରଙ୍କୁ “ମାନବିକ ଅଧିକାର” ନାମରେ ଏକ
ସାମ୍ପ୍ରଦାୟିକ ଖେଳ ଖେଳିବାର ଅଛି । ମାନବିକ
ଅଧିକାର ଏପରି ଏକ ସଂକୀର୍ଣ୍ଣ ପ୍ରସଙ୍ଗ ନୁହେଁ ଯେ କିଛି ଲୋକଙ୍କ ପାଇଁ ଦ୍ଵାରା ଖୋଲା ରହିବା
ବେଳେ ଅନ୍ୟମାନଙ୍କ ଲାଗି ଏହା ବନ୍ଦ ରହିଯିବ ।
ଆଜି ଯେଉଁ ବିରୋଧ ଦେଶ ସାରା ଚାଲିଛି ଏହା
କେବଳ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ନୁହେଁ । ଗୃହମନ୍ତ୍ରୀ ବାରମ୍ବାର କହିଛନ୍ତି, “ପ୍ରଥମରେ ସିଏଏ ଓ ଏହା ପରେ ଏନଆରସି (ଜାତୀୟ ନାଗରିକ ପଞ୍ଜିକା)।“ ଆସାମରେ ଏନଆରସିରେ ଯେଉଁ 19 ଲକ୍ଷ ଲୋକ
ବାଦ ପଡିଲେ ସେମାନଙ୍କ ମଧ୍ୟରୁ 14 ଲକ୍ଷ ହେଉଛନ୍ତି ବଙ୍ଗାଳୀ ହିନ୍ଦୁ । ବର୍ତମାନର ସିଏଏ
ମାଧ୍ୟମରେ ସେମାନଙ୍କୁ ଭାରତୀୟ ନାଗରିକର ଅଧିକାର ଦେବା ଲାଗି ଉଦ୍ୟମ କରାଯିବ । କିନ୍ତୁ ବାକି
ଯେଉଁ 5 ଲକ୍ଷ ମୁସଲମାନ ସେହି ତାଲିକାରୁ ବାଦ ପଡିଲେ ସେମାନେ କୁଆଡେ ଯିବେ ? ଲେଖକ ଯେବେ ପଡୋଶୀ ଦେଶର ହିନ୍ଦୁ ଓ ଅନ୍ୟ ଅଳ୍ପସଙ୍ଖ୍ୟକଙ୍କୁ ମାନବୀୟ ଆଧାରାରେ
ଦେଖିବା ଲାଗି ଅପିଲ କରୁଛନ୍ତି ସେତେବେଳେ ସେ ଏହି 5 ଲକ୍ଷ ମୁସଲମାନଙ୍କୁ କେଉଁଭଳି
ଭୁଲିଯାଉଛନ୍ତି ? ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆସାମରେ ଏହି ବାଦ
ପଡିଥିବା ତାଲିକା ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲଲି ଅହମ୍ମଦଙ୍କ
(1974-77) ପରିବାର ଓ କାର୍ଗିଲ ଯୁଦ୍ଧରେ ଭାଗନେଇଥିବା ମହମ୍ମଦ ସନା ଉଲ୍ଲହଙ୍କ ପରିବାର ମଧ୍ୟ
ଅଛନ୍ତି । ଏହି ବାଦ ପଡିଥିବା ଲୋକଙ୍କ ଲାଗି ଆସୁଛି ଅଟକ କେନ୍ଦ୍ର ବା Detention
Center । କେନ୍ଦ୍ର
ସରାକରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭଳି “ଯଥେଷ୍ଟ
ସଂଖ୍ଯାର” ଅଟକ କେନ୍ଦ୍ର ସ୍ଥାନୀୟ ଜେଲ ନିକଟରେ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
(ଗୃହମନ୍ତ୍ରଣାଳୟ ଚିଠି ତାରିଖ ସେପ୍ଟେମ୍ବର 07, 2018 )
ଏହା କେବଳ ବେଆଇନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ‘ସନ୍ଦେହଜନକ ନାଗରିକ’ଙ୍କ ଲାଗି ଉଦ୍ଦିଷ୍ଟ । ଏହି ‘ସନ୍ଦେହଜନକ ନାଗରିକ’ଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ
ଜାତୀୟ ଜନସଂଖ୍ୟା ପଞ୍ଜିକା ନା ଏନପିଆର । ଗୃହ ମନ୍ତ୍ରୀ କହିସାରିଛନ୍ତି, “ପ୍ରଥମେ ଏନପିଆର ଓ ଏହା ପରେ ଏନସିଆର”। ସିଟିଜେନଶୀପ ରୁଲ୍ସ 2003ର ଧାରା 3(4) ରେ
ଏନପିଆର ସମ୍ପର୍କରେ ଉଲ୍ଲେଖ ରହିଛି ଓ ଏହାର ରୁଲ୍ସ 4(4)ରେ ‘ସନ୍ଦେହଜନକ
ନାଗରିକ’ ସମ୍ପର୍କରେ ଉଲ୍ଲେଖ ରହିଛି । କିନ୍ତୁ ‘ସନ୍ଦେହଜନକ ନାଗରିକ’ର କୌଣସି ସଜ୍ଞା ତିଆରି ହୋଇନଥିବା ହେତୁ
ଏହା କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କ ଲାଗି ଉଦ୍ଦିଷ୍ଟ ତା ନୁହେଁ ଏହା ସମସ୍ତ ‘ସନ୍ଦେହଜନକ ନାଗରିକ’ଙ୍କ ଲାଗି ଉଦ୍ଦିଷ୍ଟ । ହୁଏତ ଯିଏ ବି
ବିଜେପିକୁ ବିରୋଧ କରୁଛି ସେ ମଧ୍ୟ ‘ସନ୍ଦେହଜନକ ନାଗରିକ’ ହୋଇଯିବ ।
ଉର୍ଦ୍ଦୁ କବି ଗୁଲାଜରଙ୍କ ଏକ କବିତାର ଅର୍ଥ
ହେଲା, “ବ୍ରିଟିଶର ଗୁଲାମ ସମୟରେ ଆମେ ହିନ୍ଦୁସ୍ତାନୀ ଥିଲୁ। ଭାରତର ସ୍ଵାଧୀନତା ପରେ ଆମକୁ
ହିନ୍ଦୁ ମୁସଲମାନ ଭାବରେ ବାଣ୍ଟିଦିଆଗଲା । (ଗୁଲାମ ଥେ ତୋ ହମ ସବ ହିନ୍ଦୁସ୍ତାନୀ ଥେ / ଆଜଦୀ
ନେ ହମେଂ ହିନ୍ଦୁ ମୁସଲମାନ ବନାଦିଆ ) ଆଜିର ଶାସକବର୍ଗ ଏହାକୁ ଯଥାର୍ଥ କରୁଛନ୍ତି । ପ୍ରଧାନମନ୍ତ୍ରୀ
କହିଲେ, “ପୋଷାକରୁ ଜଣାପଡୁଛି ସିଏଏକୁ କେଉଁମାନେ ବିରୋଧ କରୁଛନ୍ତି।“
ଏହି ସାଂଘାତିକ ମନ୍ତବ୍ୟ ସତ ମଧ୍ୟ । କାରଣ କ୍ରମାଗତ ଭାବରେ ମୁସଲମାନ ସଂପ୍ରଦାୟକୁ ଭିଡାହିଂସା, ଇଉଏପିଏ, ତିନି ତଲାକରେ ପୁରୁଷଙ୍କୁ ଅପରାଧୀ
କରାଇବା(ହିନ୍ଦୁ ସ୍ଵାମୀ ଛାଡପତ୍ର ଦେଲେ କିନ୍ତୁ ଅପରାଧୀ ନୁହେଁ),
ଅଯୋଧ୍ୟାର ଉପାସନା ସ୍ଥଳ ପରିବର୍ତ୍ତନ କରିଦେବା (ଜଗନ୍ନାଥ ମନ୍ଦିରକୁ ସାଖିଗୋପାଳ ନେଇଗଲେ
ଗ୍ରହଣୀୟ ହେବ କି) ଓ କାଶ୍ମୀରର ରାଜ୍ୟପାହ୍ୟା ମଧ୍ୟ ହଟାଇଦେବା ଇତ୍ୟାଦି ଘଟଣା ମୁସଲମାନଙ୍କୁ
କ୍ରମାଗତ ଭାବରେ ଅସୁରକ୍ଷିତ କରୁଛି । କେବଳ ବୈଜ୍ଞାନିକ କାହିଁକି ଅଥବା ଅଧ୍ୟାପକ ବା
ଛାତ୍ରଛାତ୍ରୀ ଅତି ଅପତ୍ୟାଶିତ ଭାବରେ TechAgainstFascism, ନାମରେ Google, Uber,
Salesforce, Amazon, Facebook, Accenture, Microsoft, Tata Consultancy Services,
HCL, and Wipro ଇତ୍ୟାଦିରେ
କାମ କରୁଥିବା ଭାରତୀୟ କର୍ମଚାରୀମାନେ ମଧ୍ୟ ଏହି ବିରୋଧରେ ସାମିଲ ହୋଇଛନ୍ତି । ବରଂ
ଲେଖକ ଜଣେ ମାନବବାଦୀ ଭାବରେ ବରଂ ଦୁଃଖ ପ୍ରକାଶ କରିବା ଉଚିତ ଆଉଟସୋର୍ସିଙ୍ଗ ବ୍ୟବସ୍ଥାରେ ଆମରି
ଯୁବାବର୍ଗ ଯେଉଁଭଳି ଶୋଷଣର ଶିକାର ହେଉଛନ୍ତି, ଶ୍ରମ
ଆଇନ କୋହଳ ଶ୍ରମିକର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି, ସରକାର ସେହି
ଏସଇଜେଡ଼ ବ୍ୟବସ୍ଥାକୁ ଲାଗୁ କରୁଛନ୍ତି, ଏବେ ଉଚ୍ଚ ଶିକ୍ଷାରେ ସରକାରୀ
ବଜେଟରେ ଖର୍ଚ୍ଚ କମାଇଦେଲେ,
କଂଗ୍ରେସ ଭଳି ସରକାର ଶିକ୍ଷାର ଘରୋଇକରଣ , ସ୍ୱାସ୍ଥ୍ୟର
ଘରୋଇକରଣ ଓ ସରକାରୀ ଉଦ୍ଯୋଗ ବିକ୍ରି, ଶ୍ରମ ଆଇନର ଉଛେଦ ଇତ୍ୟାଦି କରିଚାଲିଛନ୍ତି ଏହା ସରକାରଙ୍କ ଲାଗି
କାହିଁକି ଦେଶଦ୍ରୋହ ନୁହେଁ ? ଦେଶର ସମ୍ବିଧାନର ମୂଳ ଭିତ୍ତିଭୂମିର
ସୁରକ୍ଷା ଲାଗି ଆନ୍ଦୋଳନ କରିବା ‘ଦେଶଦ୍ରୋହ’
କେମିତି ? ଗରିବ ମୁସଲମାନମାନଙ୍କୁ ଭିଡହିଂସା ଦ୍ଵାରା ଲକ୍ଷ୍ୟ ରଖିବା ଓ ଅନୁପ୍ରବେଶକାରୀଙ୍କ
ମଧ୍ୟରେ ଥିବା ମୁସଲମାନଙ୍କୁ ଅଟକକେନ୍ଦ୍ରକୁ ପଠାଇବା କ’ଣ ଦେଶପ୍ରେମ ? ଏହା କରିବା ଦ୍ଵାରା ବରଂ ଲେଖକଙ୍କ ନିରପେକ୍ଷତା ଅଧିକ ପ୍ରମାଣିତ ହେବ ।
Mobile: 9437762271
Subscribe to:
Posts (Atom)







