Thursday, June 27, 2024

ଜୁଲିଆନ ଆସେଞ୍ଜଙ୍କ ଦୃଢତା




ଦେବ ରଞ୍ଜନ

ଆସେଞ୍ଜ ଜଣେ ବ୍ୟକ୍ତି ନୁହେଁ ଏକ ବିଚାର ଓ ସେହି ବିଚାର ସହିତ ବିଶ୍ଵର ବିଭିନ୍ନ ପ୍ରାନ୍ତର ଗଣତନ୍ତ୍ର ପ୍ରେମୀ ଯୋଡିହୋଇଥିଲେଗଣତନ୍ତ୍ରର ସୁରକ୍ଷା ବ୍ଯକ୍ତିର ବାକ ସ୍ଵାଧୀନତା ଉପରେ ନିର୍ଭରଶୀଳଗଣତନ୍ତ୍ରରେ ନିର୍ବାଚିତ ନେତାମାନେ ଯେ ଲୋକଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତୁ ସେଥିଲାଗି ସେ ନିଜର ଉଦ୍ୟମ ଜାରି ରଖିଥିଲେ।

ଆସେଞ୍ଜଙ୍କ ନିଜର ଯୁଦ୍ଧ ବିରୋଧୀ ମନୋଭାବ ଓ ବାକ ସ୍ଵାଧୀନତା ପ୍ରତି ପ୍ରତିବଦ୍ଧତା ଆମକୁ ଆସେଞ୍ଜଙ୍କ କାର୍ଯ୍ୟ ପ୍ରତି ଆକୃଷ୍ଟ କରିଥିଲା। 

ଆସେଞ୍ଜଙ୍କ ଇଣ୍ଟରନେଟ ଆକ୍ଟିଭିଜିମ ପ୍ରତି ଯୁବ ସମୁଦାୟ ଆକୃଷ୍ଟ ହୋଇଥିଲେ ଓ ସେମାନେ ରାଷ୍ଟ୍ରମୁଖ୍ୟଙ୍କ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବାକୁ “ଇଣ୍ଟରନେଟ ହ୍ୟାକର” ପାଲଟି ଯାଇଥିଲେ। ଏହା ଅତ୍ୟଧିକ ଦୁଃସାହସିକ କାର୍ଯ୍ୟ। କିନ୍ତୁ ଆସେଞ୍ଜ ସେମାନଙ୍କ ଆଦର୍ଶ ହୋଇଯାଇଥିଲେ। ଆମେରିକାର ଏଡୱାର୍ଡ ସ୍ନୋଡେନ ତ ଏହା ପରବର୍ତ୍ତୀ ପିଢି ଯିଏ ଆମେରିକୀୟ ଯୁଦ୍ଧ ଷଡଯନ୍ତ୍ରକୁ ବିରୋଧ କରି ଅନେକ ତଥ୍ୟ ସାମ୍ନାକୁ ଆଣିଥିଲେ। ଆଜି ସେ ନିଜର ସୁରକ୍ଷା ଲାଗି ରୁଷିଆରେ ଆଶ୍ରିତ। ଆମେରିକା ସରକାର ତାଙ୍କୁ ନିଜ ଦେଶକୁ ଫେରାଇନେବା ଆବଶ୍ୟକ।    

ୱିକିଲିକ୍ସରେ ତଥ୍ୟ ପ୍ରଚାର କରିବା କାରଣରୁ ଆସେଞ୍ଜଙ୍କ ବିଚାର ଆମେରିକାର “ଗୁପ୍ତଚର ଆଇନ” ଅନୁସାରେ ଇଂଲଣ୍ଡ କୋର୍ଟରେ ଚାଲିଥିଲାଆମେରିକା ସରକାର ପ୍ରତ୍ୟର୍ପଣ ଲାଗି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରୁଥିଲେ। ପ୍ରକାଶିତ ତଥ୍ୟ କୌଣସି ବ୍ୟକ୍ତିଗତ ନଥିଲା, କୌଣସି ଦେଶର ନିଜସ୍ଵ ବ୍ୟାପାର ନଥିଲା, ତଥ୍ୟ କେବଳ ଏକ ଶକ୍ତିଶାଳୀ ଦେଶ ଓ ଦେଶ ସମୂହର ଅନ୍ୟ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ସମ୍ବନ୍ଧିତ ଥିଲା।   

ଅନ୍ୟପଟରେ, ଆସେଞ୍ଜଙ୍କ ମୁକ୍ତି ଲାଗି ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଜନସାଧାରଣଙ୍କ ଦ୍ଵାରା ଅନେକ ବିକ୍ଷୋଭ ହୋଇଛି। ଅନେକ ପିଟିସନରେ ଲୋକେ ଦସ୍ତଖତ କରିଛନ୍ତି ଯେଉଁଥିରେ ଏହି ଲେଖକ ଅନ୍ଯତମ।

ଅନ୍ୟଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ, ଯୁଦ୍ଧଖୋର ମନୋବୃତ୍ତି, ଯୁଦ୍ଧ ଅସ୍ତ୍ରର ବେପାର ତଥା କୌଣସି ସାମ୍ବାଦିକ ଅଥବା ଲେଖକ/ଲେଖିକାଙ୍କ ବାକ ସ୍ଵାଧୀନତାକୁ ବନ୍ଦ କରିବା ଲାଗି କୌଣସି ବି ଉଦ୍ୟମକୁ ବିରୋଧ କରିବା ଏହି ସମସ୍ତ ବିକ୍ଷୋଭ ଓ ପ୍ରତିବାଦର ଉଦ୍ଦେଶ୍ୟ ଥିଲା।

ଅତୀତରେ, ଏଭଳି ବିଶ୍ୱବ୍ୟାପି ଜନ ସମର୍ଥନ ଆଫ୍ରିକୀୟ ରାଷ୍ଟ୍ର ନିକାରାଗୁଆର ପରିବେଶବିତ ତଥା ଓକିଲ କେନ-ସାରୋ ବିବାଙ୍କ କ୍ଷେତ୍ରରେ ଦେଖାଯାଇଥିଲା।

ଆମେରିକୀୟ ତୈଳ କମ୍ପାନୀ ନିକାରାଗୁଆରେ ଚଳାଇଥିବା ଦମନ ଓ ଲୁଟକୁ କେନ ସାରୋ ନିଜର ଆଦିବାସୀ ଗୋଷ୍ଠୀଙ୍କୁ ନେଇ ବିକ୍ଷୋଭ ଆରମ୍ଭ କରିଥିଲେ। ତାଙ୍କୁ ଗିରଫ କରିବା ପରେ ତାଙ୍କର ଫାଶୀ ଦଣ୍ଡାଦେଶ ବିରୁଦ୍ଧରେ ବିଶ୍ଵବ୍ୟାପୀ ବିକ୍ଷୋଭ ଦେଖାଯାଇଥିଲା। ଦୁଃଖର କଥା ଥିଲା ଯେ ତାହାକୁ ଭୃକ୍ଷେପ ନକରି ନିକାରାଗୁଆର ସ୍ଵେଚ୍ଛାଚାରୀ ମିଲିଟାରୀ ସରକାର କେନଙ୍କୁ ୧୯୯୫ ରେ ଫାଶୀଦଣ୍ଡ ଦେଇଥିଲେ।

ଆସେଞ୍ଜଙ୍କ ସ୍ଥିତି କେନ ଶାରୋଙ୍କ ଭଳି ହେବ ନାହିଁ ତ? ଏହା ଅନେକ ଲୋକଙ୍କୁ ବ୍ୟସ୍ତ କରୁଥିଲା। ତାଙ୍କୁ ଗିରଫ କରିବା ଇଂଲଣ୍ଡ ପୁଲିସ ଉଦ୍ୟମ କରିବା କାରଣରୁ ଆସେଞ୍ଜ ଲଣ୍ଡନ ସ୍ଥିତ ଇକ୍ଵେଡର ଦୂତାବାସରେ ରାଜନୈତିକ ଆଶ୍ରୟ ନେଇ ସାତ ବର୍ଷ ଓ ପରେ ଇଂଲଣ୍ଡ ପୁଲିସ ଦ୍ଵାରା ଗିରଫ ହୋଇ ଲଣ୍ଡନରେ ଏକ ଜେଲର ଛୋଟ କୋଠରୀରେ ପୁଣି ଦୀର୍ଘ ପାଞ୍ଚ ବର୍ଷ କଟାଇଥିଲେ।

ଆସେଞ୍ଜଙ୍କ ପରିଚୟ ଓ କାର୍ଯ୍ୟ ସମ୍ବନ୍ଧରେ କହିବାକୁ ଗଲେ, ଅଷ୍ଟ୍ରେଲିୟ ଆସେଞ୍ଜ ନିଜର ୱେବ ପତ୍ରିକା ୱିକିଲିକ୍ସ କୁ ୨୦୦୬ ମସିହାରେ ଆରମ୍ଭ କରିଥିଲେ। ୱିକିଲିକ୍ସର କାର୍ଯ୍ୟ ଥିଲା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ନିଜର ଦେଶବାସୀଙ୍କୁ ଲୁଚାଇ କରୁଥିବା କାର୍ଯ୍ୟକୁ ସମସ୍ତଙ୍କ ଦ୍ରୁଷ୍ଟିକୁ ଆଣିବା।

ଆସେଞ୍ଜଙ୍କ ନିକଟକୁ ତଥ୍ୟ ପଠାଇଥିବା ବ୍ୟକ୍ତି ହେଲେ ଚେଲସିଆ ମ୍ୟାନିଙ୍ଗ। ଚେଲସିଆ ମ୍ୟାନିଙ୍ଗ ଯିଏ ଆମେରିକା ସରକାରଙ୍କ ଦ୍ଵାରା ସୁରକ୍ଷା ଅଫିସର ଭାବରେ ନିଯୁକ୍ତ ଥିଲେ ସେ ଜଣେ ଦକ୍ଷ କମ୍ପ୍ୟୁଟର ହ୍ୟାକର ଭାବରେ ଇରାକ ଓ ଆଫଗାନିସ୍ତାନର ଯୁଦ୍ଧ ସମ୍ବନ୍ଧିତ ତଥ୍ୟ ଇଣ୍ଟରନେଟ ମାଧ୍ୟମରେ ସରକାରୀ ୱେବସାଇଟରୁ ହ୍ୟାକ କରିଥିଲେ। ସେ ୭ ଲକ୍ଷ ପୃଷ୍ଠାର କାଗଜ ଡାଉନଲୋଡ କରି ୨୦୦୯ ମସିହାରେ ୱିକିଲିକ୍ସକୁ ଦେଇଥିଲେ ଯାହା ପରେ ୱିକିଲିକ୍ସରେ ପ୍ରକାଶିତ ହୋଇ ବିଶ୍ବରେ ଚହଳ ପକାଇଥିଲା।   

ଇରାକରେ ସେ ସମୟ ବେଳକୁ ସଦ୍ଦାମ ହୁସେନଙ୍କୁ ଆମେରିକୀୟ ସୈନ୍ୟବାହିନୀ ଦ୍ଵାରା ହତ୍ୟା ହୋଇସାରିଥିଲା, ଗଣତନ୍ତ୍ର ଓ ନିର୍ବାଚନ ନାମରେ ଆମେରିକୀୟ ପସନ୍ଦର ସରକାର ଇରାକରେ ପ୍ରତିଷ୍ଠିତ ହୋଇଥିଲା ଓ ଆମେରିକାର ନୂତନ ରାଷ୍ଟ୍ରପତି ବାରାକ ଓବାମା ଇରାକରୁ ସୈନ୍ୟ ପ୍ରତ୍ୟାହାରର ପ୍ରତିଶୃତି ଦେଇ ନିର୍ବାଚନ (୨୦୦୯ ) ଜିତି ସାରିଥିଲେ।

ୱିକିଲିକ୍ସ ଏହି ସମୟରେ ସେହି ହ୍ୟାକ ହୋଇଥିବା ତଥ୍ୟ ଓ ଭିଡିଓ ମଧ୍ୟରୁ ଏକ ଭିଡିଓ ସମସ୍ତଙ୍କ ଦ୍ରୁଷ୍ଟିକୁ ଆଣୁଛି ଯେଉଁଥିରେ ଇରାକ ରାଜଧାନୀ ବାଗଦାଦ ସହରରେ କିଛି “ମିଲିଟାଣ୍ଟ” ରାସ୍ତାର ଏକ ପାର୍ଶ୍ଵରେ କିଛି ଆଲୋଚନା କରୁଛନ୍ତି ଯାହାଙ୍କ ଉପରେ ଆମେରିକୀୟ ସୈନ୍ୟବାହିନୀ ଏରିଆଲ ବୋମାମାଡ କରି ସେମାନଙ୍କୁ ମାରିଦେଉଛିଏଥିରେ ବେଶ କେତେକ ସାଧାରଣ ଲୋକ ଓ ଦୁଇ ଜଣ ସାମ୍ବାଦିକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଆମେରିକାର ଏଭଳି ବର୍ବର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ ବିଶ୍ଵର ଅନେକ ପ୍ରାନ୍ତରେ ହୋଇଥିଲା।

ସଦ୍ଦାମ ହୁସେନଙ୍କ ପତନ ଓ ତତ୍ପରବର୍ତ୍ତୀ ଜନ ପ୍ରତିକ୍ରିୟାକୁ ଦମନ କରିବା ଲାଗି ଅନେକ ଇରାକୀ ଜନତାଙ୍କର ଆମେରିକୀୟ ସୈନ୍ୟଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ଏହି ସଂଖ୍ୟା ଛଅଷଠି ହଜାର। ଏହାକୁ ଆମେରିକା ସରକାର ସ୍ଵୀକାର କରିବା ଲାଗି ପ୍ରସ୍ତୁତ ନଥିଲେମାତ୍ର ୱିକିଲିକ୍ସ ସରଜାରୀ ତଥ୍ୟକୁ ଲିକ କରି ଉପରୋକ୍ତ ତଥ୍ୟ ସତ୍ୟ ଦର୍ଶାଇଥିଲା।

ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ବିରୁଦ୍ଧରେ ଜନଅସନ୍ତୋଷ ମଧ୍ୟ ବଢିବାରେ ଲାଗିଥିଲା।  ଆସେଞ୍ଜଙ୍କ ଭାଷାରେ “ଏହି ଯୁଦ୍ଧ କେବଳ ଯୁଦ୍ଧ ନୁହେଁ ବରଂ ଆମେରିକୀୟ ଲୋକଙ୍କ ଟାକ୍ସ ଅର୍ଥକୁ ଆଫଗାନିସ୍ତାନର ଯୁଦ୍ଧର ରାସ୍ତାରେ ଖର୍ଚ୍ଚ ଦର୍ଶାଇ ପୁଣି ଆମେରିକାର ଧନୀଙ୍କ ପକେଟକୁ (ମନି ଲଣ୍ଡରିଙ୍ଗ) ନେବା ଉଦ୍ଦେଶ୍ୟ।“

ଅନ୍ୟ ଦେଶର ଆଭ୍ଯନ୍ତରୀଣ ବିଷୟରେ ହସ୍ତକ୍ଷେପ ଜାତିସଂଘର ଘୋଷଣାନାମାର ବିରୁଦ୍ଧାଚରଣ କରୁଛି। ଏହା ସତ୍ବେ ଆମେରିକା ସରକାର ଏଭଳି ଉଲ୍ଲଂଘନ ବାରମ୍ବାର କରିଛନ୍ତି। କେବଳ ଆଫଗାନିସ୍ତାନ ଅଥବା ଇରାକ ନୁହେଁ ନିକାରାଗୁଆ, ଲିବିଆ, ମେକ୍ସିକୋ, ପାନାମା ଭଳି ଅନେକ ଦେଶର ସରକାରଙ୍କୁ ଆମେରିକା ସରକାର ହୁଏତ ମାରିଦେଇଥିଲେ ଅଥବା ଗିରଫ କରିଥିଲେ ନଚେତ ସେହି ସମସ୍ତ ଦେଶରେ ଶାସକ କିଏ ହେବ, ସେମାନଙ୍କ ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିଲେ। ଏ ମଧ୍ୟରୁ ବେଶ କିଛି ତଥ୍ୟ ୱିକିଲିକ୍ସରେ ପ୍ରକାଶିତ ହୋଇଥିଲା।

ୱିକିଲିକ୍ସ ହିଁ ତଥ୍ୟ ଦେଇଥିଲା ଯେ ଆମେରିକା ସରକାର ଗୁଏତମାଳା ଠାରେ ହିଟଲରଙ୍କ ଗ୍ଯାସ ଚ୍ୟାମ୍ବର ଭଳି ଏକ କଂଷ୍ଟ୍ରେସନ କ୍ୟାମ୍ପ ଆରମ୍ଭ କରିଛନ୍ତି। ଏହା ମୁଖ୍ଯତଃ ମେକ୍ସିକୋ ପଟରୁ ଚାଲିଆସୁଥିବା ବାସିନ୍ଦାଙ୍କୁ ଦଣ୍ଡ ସ୍ୱରୂପ ସେଠାରେ ରଖାଯାଉଛି।

ମୋର ମନେଅଛି ଭାରତରେ ଦି ହିନ୍ଦୁ ଇଂରାଜୀ ଖବରକାଗଜ ସହିତ ୱିକିଲିକ୍ସର ଚୁକ୍ତି ହୋଇଥିବା କାରଣରୁ ସେମାନେ ସେହି ଗୁପ୍ତ ତଥ୍ୟକୁ ପ୍ରକାଶ କରୁଥିଲେ। ଦି ହିନ୍ଦୁ ପ୍ରଥମେ ପ୍ରତିଦିନ ଓ ପରେ ଦୁଇ ରୁ ତିନି ଦିନ ବ୍ଯବଧାନରେ ଓ ପରେ ପରେ କୌଣସି ସୂଚନା ନଦେଇ ଅଧିକ ଦିନ ବ୍ଯବଧାନରେ ସେହି ଡକ୍ୟୁମେଣ୍ଟକୁ ପ୍ରକାଶ କରୁଥିଲେ। ଭାରତର ଅନେକ ଖବରକାଗଜ, ଓଡିଆ ଖବରକାଗଜ ମଧ୍ୟ, ତାହାର ଅନୁବାଦ ନିଜର ପୃଷ୍ଠାରେ ତାହାକୁ ପ୍ରକାଶ କରୁଥିଲେ।

ଏହାଥିଲା ମିଡିଆର ଦାୟିତ୍ଵ।  ୱିକିଲିକ୍ସ - ଦି ହିନ୍ଦୁ ସୂତ୍ରରୁ ପ୍ରଥମେ ଜଣାପଡିଥିଲା ଯେ ଭାରତ ସରକାର “ଆଧାର” (UID) ନାମକ ଏକ ପରିଚୟ ପତ୍ର ପ୍ରସ୍ତୁତ କରିବା ଲାଗି ମନସ୍ଥ କରିଛନ୍ତି। ଏହା ୨୦୦୯ ମସିହାର କଥା। ଭାରତୀୟଙ୍କ ଲାଗି ଉଦ୍ଦିଷ୍ଟ ପରିଚୟ ପତ୍ର ସମ୍ପର୍କରେ ଆମେରିକୀୟ ପ୍ରଶାସନ ଅବଗତ ହେବା ଅଥଚ ଭାରତୀୟମାନେ ନହେବା – ମିଡିଆର ଏହି ପ୍ରଶ୍ନ ଭାରତ ସରକାରଙ୍କୁ ଅପ୍ରସ୍ତୁତ କରିଦେଇଥିଲା। କେନ୍ଦ୍ର ସରକାର ଆକ୍ରୋଶମୂଳକ ମନୋବୃତ୍ତିକୁ ଦି ହିନ୍ଦୁ ଖବରକାଗଜ ବେଶ କିଛି ବର୍ଷ ସାମ୍ନା କରିଥିଲା।

ଆମେରିକା ସରକାର “ଗୁପ୍ତଚର ଆଇନ” ବଳରେ ଚେଲସିଆ ମ୍ୟାନିଙ୍ଗଙ୍କୁ ୨୦୧୦ ମସିହାରେ ଗିରଫ କରିଥିଲେ ଓ ସେ ଗିରଫର ନଅ ବର୍ଷ ପରେ ରାଷ୍ଟ୍ରପତି ଓବାମାଙ୍କ ସମୟରେ ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ଆସେଞ୍ଜଙ୍କ ବିଚାର ଦୀର୍ଘ ବର୍ଷ ଚାଲିଥିଲା। ଜଣେ ସାମ୍ବାଦିକ ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବା, ବାକ ସ୍ଵାଧୀନତାର ସୁରକ୍ଷା ଦିଗରେ କାମ କରିବା ଗଣତାନ୍ତ୍ରିକ ଦେଶ ଆମେରିକାର ପ୍ରଶାସନ ଲାଗି ଅସହ୍ୟ ହେଉଥିଲାଏହାକୁ କିନ୍ତୁ ସାଧାରଣ ଆମେରିକୀୟମାନେ ଅଧିକ ବିରୋଧ କରିଛନ୍ତି। ଅନେକ ଯୁଦ୍ଧ-ବିରୋଧୀ ଫୋରମ ଆସେଞ୍ଜଙ୍କ ସହିତ ଠିଆ ହୋଇଥିଲେ।

ଆସେଞ୍ଜଙ୍କ ମୁକ୍ତି ଲାଗି ଭାରତ ସରକାର ଯେ ବିଶ୍ଵର ସର୍ବବୃହତ ଗଣତନ୍ତ୍ର ବୋଲି ଦାବି କରିଥାନ୍ତି ସେ କେବେ ଉଦ୍ୟମ କରିନାହାନ୍ତି। ଯେଉଁଠି ଦେଶର ଲେଖକ/ଲେଖିକା ନିଜର ଲେଖା ଅଥବା ବକ୍ତବ୍ୟ ପାଇଁ ସରକାରଙ୍କ ଦ୍ଵାରା ଦେଶଦ୍ରୋହୀ ଘୋଷିତ ହୋଇଥାନ୍ତି ସେଠାରୁ ସେଭଳି ଉଦ୍ୟମ ଯେ କରାଯିବ ତାହା ଆଶା କରାଯାଇନପାରେ।

ଆସେଞ୍ଜଙ୍କ ନିଜ ଦେଶ ଅଷ୍ଟ୍ରେଲିଆ ତରଫରୁ ମଧ୍ୟ କୌଣସି ଉଦ୍ୟମ ହୋଇନାହିଁ। ଆସେଞ୍ଜଙ୍କ କାର୍ଯ୍ୟକୁ ମଧ୍ୟ କୌଣସି ରାଷ୍ଟ୍ର ପ୍ରମୁଖ ପ୍ରଶଂସା କରିବାର ଉଦାହରଣ ନାହିଁ। କାହିଁକି? ପଡୋଶୀ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଓ ଯୁଦ୍ଧ ଅସ୍ତ୍ର ବଜାରରେ ସାମିଲ ରହିବା କଣ ରାଷ୍ଟ୍ରମୁଖ୍ୟଙ୍କ ଅନ୍ଯତମ ଭୂମିକା?  

ଆମେରିକା ରାଷ୍ଟ୍ରପତି ବାଇଡେନ ଆସେଞ୍ଜଙ୍କ ସହିତ ଦୁଇ ପାଖିଆ ଚୁକ୍ତି କରିଥିଲେ। ଏଥିରେ ଆସେଞ୍ଜ ନିଜର ଦୋଷ ସ୍ଵୀକାର କରିଥିଲେ ଓ ଆଇନ ଅନୁସାରେ ପାଞ୍ଚ ବର୍ଷ ଜେଲ କାଟି ସାରିଥିବା କାରଣରୁ ସେ ମୁକ୍ତ ହୋଇ ନିଜ ଦେଶ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। 

ଅନ୍ୟ ଦେଶର ଆଭ୍ଯନ୍ତରୀଣ ବିଷୟରେ ହସ୍ତକ୍ଷେପ କରିବା ଓ ଯୁଦ୍ଧ ଚଳାଇ ରଖିବା ଲାଗି ଯେଉଁମାନେ ଦୋଷୀ ସେମାନେ କିନ୍ତୁ ଆନ୍ତର୍ଜାତିକ କୋର୍ଟରେ କେବେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସେମାନଙ୍କର କେବେ ବିଚାର ମଧ୍ୟ ହୋଇନାହିଁ। ଅଥଚ ଏହି ତଥ୍ୟକୁ ଲୋକଙ୍କ ସାମନାକୁ ଆଣିବା କାରଣରୁ ଆସେଞ୍ଜ ଦୋଷୀ ସାବ୍ୟସ୍ତ ହେଲେ। ଯାହାଙ୍କୁ ଦିନେ ବି ଜେଲରେ ରଖିବା ସମଗ୍ର ମାନବବାଦ ପ୍ରତି ଦୋଷାବହ କାର୍ଯ୍ୟ ତାଙ୍କୁ ପାଞ୍ଚ ବର୍ଷ ବିଶ୍ଵର ବିକଶିତ ଦେଶମାନେ ରଖିଥିଲେ। 

କେବଳ ନିନ୍ଦା ଏଥିଲାଗି ଯଥେଷ୍ଟ ନୁହେଁ। ବିକଶିତ ଦେଶମାନେ ନିଜର ଧ୍ଵଂସକାରୀ ଆଭିମୁଖ୍ୟରେ ଯେପତି ପରିବର୍ତ୍ତନ ଆଣିବେ ସେଥିଲାଗି ଅନେକ ସଂଘର୍ଷର ଆବଶ୍ୟକତା ରହିଛି।  

 

ଯୋଗାଯୋଗ: debasar11@yahoo.co.in

 


Wednesday, March 27, 2024

ଜେଲ ଓ ଜୁମ୍ଳାର ଗ୍ୟାରେଣ୍ଟି

 


        ଭାରତୀୟ ଗଣତନ୍ତ୍ରରେ ଗଣ ସର୍ବଦା ତନ୍ତ୍ରର ଊର୍ଦ୍ଧ୍ଵରେ ରହିବା କଥା ଅର୍ଥାତ ଦେଶର ନାଗରିକ ସରକାରଙ୍କ ଉର୍ଦ୍ଧ୍ଵରେ ରହିବା କଥା। ଏହାକୁ ସ୍ଵୀକାର କରିବା ଶାସକର ବିନମ୍ରତା। ଏହି ବିନମ୍ରତା ଯଦି ନାହିଁ ତେବେ ଶାସକ ଅଗଣତାନ୍ତ୍ରିକ ଓ ସ୍ଵେଚ୍ଛାଚାରୀ ହେବା ନିଶ୍ଚିତ। ପୂର୍ବରୁ ପ୍ରତ୍ୟେକ ଶାସକ ଲୋକଙ୍କ ଶକ୍ତିକୁ ଭାଙ୍ଗିବାରେ କାମ କରିଛନ୍ତି ।

ସେଥିଲାଗି ସେମାନେ ସାଧାରଣ ଲୋକଙ୍କୁ ଦଣ୍ଡ ଦେବା, ହତ୍ୟା କରିବା, ଘର ଭାଙ୍ଗିଦେବା, ମାନସିକ ଅତ୍ୟାଚାର କରିବାର ଅନେକ ଆଇନ ପ୍ରଣୟନ କରିଛନ୍ତି। ସାଧାରଣ ଲୋକେ ଅତ୍ୟାଚାରୀ ଶାସକକୁ ଶାସନରୁ ତୁରନ୍ତ ହଟାଇବାର ଅଧିକାର ଯେପରି ପାଇବେ ସେଥିଲାଗି କୌଣସି ଦଳ ବା ଶାସନରେ ଥିବା ବ୍ୟକ୍ତି କେବେ ଚିନ୍ତା ମଧ୍ୟ କରିନାହାନ୍ତି।

ତେଣୁ ଦେଶର ଗଣତନ୍ତ୍ର ସଂପୂର୍ଣ୍ଣ ଶାସକର ତନ୍ତ୍ର ଓ ଲୋକେ ସେମାନଙ୍କ ଗୁଲାମରେ ପରିଣତ ହେଉଛନ୍ତି। ଏହି ପ୍ରକ୍ରିୟା ଗଲା ବେଶ କିଛି ବର୍ଷ ହେଲା ଜୋରରେ ଚାଲିଛି। ଏହାର କାରଣ ହେଲା ଶାସକର ତୀବ୍ର ଅହଂକାର।

ହୁଏତ ଆକାଉଣ୍ଟକୁ ପନ୍ଦର ଲକ୍ଷ ଟଙ୍କା ଆସିବା ଜୁମ୍ଳା ଥିଲା ଯାହା ଗୃହମନ୍ତ୍ରୀ ଅମିତ ଶାହା ସ୍ଵୀକାର କରିଥିଲେ। କିନ୍ତୁ ଧାରା 370ର ସଂଶୋଧନ, ନାଗରିକ ସଂଶୋଧନ ଆଇନ ପ୍ରଣୟନ, ସମାନ ନାଗରିକ ସଂହିତା, ବିମୁଦ୍ରାକରଣ, ରାମ ମନ୍ଦିର ନିର୍ମାଣ, ନୂଆ ୟୁଏପିଏ ଆଇନ ଇତ୍ୟାଦି ଆଦୌ ଜୁମ୍ଳା ନଥିଲା।

ନିଜକୁ ସୁହାଇବା ଭଳି ନିଷ୍ପତ୍ତି ହେଲା ଦଳୀୟ ମାନିଫେଷ୍ଟୋ ଓ ଲୋକଙ୍କ ହିତ ଲାଗି କରିଥିବା ଘୋଷଣା ହେଲା ଜୁମ୍ଳା”। ଗଣ ଓ ତନ୍ତ୍ର ମଧ୍ୟରେ ଦୂରତା ଆଜି ଚନ୍ଦ୍ର ଓ ପୃଥିବୀର ଦୂରତା ହୋଇଯାଇଛି। ତେଣୁ କେଉଁଟି ଜୁମ୍ଳା ଓ କେଉଁଟି ନିଶ୍ଚିତ ସେ ପ୍ରଶ୍ନ କରିବା ମଧ୍ୟ ଅପରାଧ।         

            ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ହେବାକୁ ହେଲେ ପ୍ରଥମେ ନିଜ ଦଳ ନିର୍ବାଚନରେ ଲଢିବା ଲାଗି ଟିକଟ ଦେବା ଆବଶ୍ୟକ, ପୁଣି ଲୋକେ ସାଂସଦ ଭାବରେ ନିର୍ବାଚିତ କରିବା (ପ୍ରଧାନମନ୍ତ୍ରୀ ହେବାର ଅଥବା ଛଅ ମାସ ମଧ୍ୟରେ ନିର୍ବାଚିତ କରିବା) ଓ ପୁଣି ନିର୍ବାଚିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ବାଛିବା ହେଲା ଏଠାର ବ୍ୟବସ୍ଥା। କିନ୍ତୁ ଜଣେ ଶାସକ ଯଦି ନିର୍ବାଚନ ପୂର୍ବରୁ ନିଜର ପିତୃଦତ୍ତ ସାଙ୍ଗିଆରେ ଦେଶବାସୀଙ୍କୁ ଗ୍ୟାରେଣ୍ଟି ଦିଏ ତେବେ ଏହା ନିଶ୍ଚିତ ଯେ ଦଳ ମଧ୍ୟରେ କୌଣସି ଗଣତନ୍ତ୍ର ନାହିଁ । 

ଏହାକୁ ଦଳର ସଦସ୍ୟମାନେ ଗ୍ରହଣ କରିନେଇପାରିଥାନ୍ତି। କିନ୍ତୁ ଦେଶବାସୀଙ୍କୁ ଏମାନେ ଭାବନ୍ତି କିଛି ହାଡ ମାଂସର ମଣିଷ ଯାହାଙ୍କୁ ନିର୍ବାଚନ ଆସିଲେ ନିଜ ଲାଗି ଆବଶ୍ୟକ ଓ ପୁଣି ନିର୍ବାଚନ ସରିଗଲେ ଦେଶ ଲାଗି ବୋଝ

କୋଭିଡରେ ମରିଯାଇଥିବା ପରିବାରର ସଦସ୍ୟ, ଦାଦନ ଯାଇଥିବା ଶ୍ରମିକର ସ୍ତ୍ରୀ ଓ ପିଲା, ବୁଲଡ୍ରୋଜର ଲଗାଇ ଭାଙ୍ଗିଦେଇଥିବା ଘରର ମାଲିକ, ଆକ୍ରମଣ କରିଥିବା ମୁସଲମାନ ଯୁବକର ପତ୍ନୀ, ବିନା କାରଣରେ ଆକ୍ରମଣର ଶିକାର ହେଉଥିବା ଖ୍ରୀଷ୍ଟିୟାନ ପରିବାର, ଦିନକୁ ଷୋହଳ ଘଣ୍ଟା ପରିଶ୍ରମ କରୁଥିବା ଗିଗ ଶ୍ରମିକ, ଠିକା ଶ୍ରମିକ, ଆତ୍ମହତ୍ୟା କରୁଥିବା ଚାଷୀ ଓ ବେକାରୀ ଯୁବକ, ରାସ୍ତା କଡର ଦୋକାନ ବାରମ୍ବାର ଭାଙ୍ଗିଦେଉଥିବା ଦୋକାନୀର ପରିବାରକୁ ଆଜି ଏମାନେ କଣ ଗ୍ୟାରେଣ୍ଟି ଦେଉଛନ୍ତି? ଭାରତରେ ଗଲା କିଛି ବର୍ଷ ଯାହା ଚାଲିଛି ଆଗାମୀ ଦିନରେ ଦ୍ରୁତ ଗତିରେ ତାହା ଚଳିବାର ଗ୍ୟାରେଣ୍ଟି ଆଜିକାଲି ଟିଭି ଓ ଗଣମାଧ୍ୟମରେ ଦିଆଯାଉଛି।             

            ଦେଶରେ ଗଲା କିଛି ବର୍ଷ ହେଲା ଅନେକ ମନ୍ଦିର ତିଆରି ହୋଇଛି। ସରକାରୀ ସହଯୋଗ ପାଇ ମନ୍ଦିର ଗୁଡିକ ଅଧିକ ସୁନ୍ଦର ଦେଖାଯାଉଛି, ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢୁଛି, ସରକାରଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢୁଛି ଓ ଏହା ସହିତ ସମାନ୍ତରାଳ ଭାବରେ ଦେଶରେ ଧର୍ଷଣ, ହତ୍ୟା, ହିଂସା, ଡକାୟତି ଓ ସରକାରୀ ଦୁର୍ନୀତି ମଧ୍ୟ ବଢୁଛି। ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢିବା ସହିତ ସେହି ଭକ୍ତମାନଙ୍କ ମଧ୍ୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ହିଂସା, ଦ୍ଵେଷ, ଅତ୍ୟାଚାରୀଙ୍କ ସଂଖ୍ୟା ବଢୁଥିବା ହେତୁ (ନଚେତ ଏତେ ସଂଖ୍ୟକ ଲୋକ ଆସିବେ କେଉଁଠୁ) ଲୋକେ ହୁଏତ  କେବେ ଠାରୁ ଭଗବାନ ସତରେ ଅଛନ୍ତି କି ନାହାନ୍ତି ଏହାକୁ ନେଇ ପ୍ରଶ୍ନ କରିଥାନ୍ତେ।

ଲୋକେ ଭାବିଥାନ୍ତେ ଯେ ଭଗବାନ ବି ପ୍ରଭାବହୀନ ନିଷ୍କ୍ରିୟ ହୋଇଗଲେଣି। କିନ୍ତୁ ସେଭଳି ହେଉନାହିଁ। ଦେଶରେ ନୂତନ ଭଗବାନଙ୍କ ଆବିର୍ଭାବ ହେବା କଥା ମିଡିଆରେ ପ୍ରଚାର ହେଉଛି। ବାକି ପ୍ରମୁଖ ରାଜନୈତିକ ଦଳ “ଧର୍ମନିରପେକ୍ଷତା” କୁ ଭୁଲିଗଲେଣି। ଏହି କାରଣରୁ ଲୋକଙ୍କର ସରକାରୀ ଦଳ ପ୍ରତି ଆନୁଗତ୍ୟ ବଢୁଛି।

ଏହି ଗ୍ୟାରେଣ୍ଟି ହେତୁ ଲୋକେ ବିଜ୍ଞାନକୁ ଭୁଲ କହୁଛନ୍ତି, ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ କରୁଛନ୍ତି, ପ୍ରକୃତ ଇତିହାସକୁ ଭୁଲିଯାଇ ନୂଆ ଇତିହାସକୁ ବିଶ୍ଵାସ କରୁଛନ୍ତି, ସରକାରଙ୍କୁ ନିଜର ପ୍ରଭୁ ମନେକରୁଛନ୍ତି ଓ ନିଜ ଲୋକଙ୍କୁ ଦେଶଦ୍ରୋହୀ କହି ଉଭୟ ଉଭୟ ବାକ୍ୟ ଓ ଅସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି।

ଅବୈଜ୍ଞାନିକ ଚିନ୍ତାଧାରା ସମାଜରେ ପ୍ରଚାର କରିବା ଅସମ୍ବିଧାନିକ। କିନ୍ତୁ ସମ୍ବିଧାନର ମୂଳ ଘୋଷଣାନାମାକୁ ବଦଳାଇ ନୂତନ ଘୋଷଣାନାମା ଲେଖିବାର ପ୍ରୟାସ ଚାଲିଛି। ସେଥିଲାଗି ଦେଶରେ ପରିବେଶ ସୃଷ୍ଟି କରାଯାଉଛି।  ଏବେ ହିନ୍ଦୁଧର୍ମର ନୂଆ ପୁରାଣ ଲେଖା ହେଉଛି।

            ମୋଦୀ ଗ୍ୟାରେଣ୍ଟିର ଅନ୍ୟ ଏକ ରୂପ ହେଲା ନିଜ ବିଚାରକୁ ସୁହାଇବା ବ୍ୟକ୍ତିଙ୍କୁ ଦେଶପ୍ରେମୀଓ ଅସହମତି ରଖୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀବାଛିବା। 

ଦେଶର ଦଙ୍ଗାକାରୀଙ୍କୁ ଭାରତରତ୍ନ ଉପାଧୀ ଦେବା ଓ ଅଲମ୍ପିକ ବିଜେତାଙ୍କୁ ପୁଲିସ ଲଗାଇ ଆକ୍ରମଣ କରିବା, ଜଷ୍ଟିସ ଲୋୟାଙ୍କ ହତ୍ୟାକାରୀ ସମ୍ପର୍କରେ କୌଣସି ଅନୁସନ୍ଧାନ ନକରିବା କିନ୍ତୁ ଦିଲ୍ଲୀ ଦଙ୍ଗାର ମିଥ୍ୟା ଆରୋପରେ ସାମାଜିକ କର୍ମୀଙ୍କୁ ଜେଲରେ ରଖିବା, ଭୀମାକୋରେଗାଓଁ କେସରେ ପ୍ରକୃତ ଦଙ୍ଗାକାରୀଙ୍କୁ ବାଦ ଦେବା କିନ୍ତୁ ଘଟଣା ଦିନ ଆଦୌ ଉପସ୍ଥିତ ନଥିବା ମାନବିକ ଅଧିକାର କର୍ମୀଙ୍କୁ ଗିରଫ କରିବା, ଗାଈ ମାଂସ ମିଳିବାର ମିଥ୍ୟା ପ୍ରଚାର କରି ଅଳ୍ପ ସଂଖ୍ୟକଙ୍କୁ ହତ୍ୟା କରିବା କିନ୍ତୁ  ଗୁଜୁରାଟ ଦଙ୍ଗାରେ ନ୍ୟାୟାଳୟ ଦ୍ଵାରା ଦୋଷୀ ସାବ୍ୟସ୍ତ ହତ୍ୟାକାରୀ ଓ ଧର୍ଷଣକାରୀଙ୍କୁ ଜେଲରୁ ମୁକ୍ତ ଦେବା ଭଳି ଦେଶଦ୍ରୋହୀଦେଶପ୍ରେମୀଙ୍କ ଅନେକ ଉଦାହରଣ ରହିଛି। ଆର୍ଟିକିଲ ୧୪

 ମିଡିଆ ଗୃପ ଦ୍ଵାରା ପ୍ରସ୍ତୁତ ତାଲିକା ଅନୁସାରେ, ୨୦୧୧ ରୁ ୨୦୨୧ ମସିହା ମଧ୍ୟରେ ୧୩୦୦୦ ଭାରତୀୟଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି   ସେଥି ମଧ୍ୟରୁ ୬୫% ମାମଲା ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରରେ ଆସିବା ପରଠାରୁ ରୁଜୁ ହୋଇଛି

ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ସାମ୍ବାଦିକ, ଲେଖକ ଓ ବିରୋଧୀ ରାଜନୈତିକ ଦଳର ସଦସ୍ୟ ରାଜଦ୍ରୋହ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ୫୦ ରୁ ୨୦୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଛି ଓ ୧୦,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାମିନ ଲାଗି ଖର୍ଚ୍ଚ କରିବାକୁ ପଡିଛି

ଆଇପିସିର ଧାରା ୧୨୪ (କ) ବଦଳରେ ନୂତନ ନ୍ୟାୟ ସଂହିତାର ଧାରା ୧୫୨ରେ ତାହା ଠାରୁ ଅଧିକ କଠୋର ପ୍ରସ୍ତାବ ଉଲ୍ଲେଖ କରି ଗଣମାଧ୍ୟାମରେ ରାଜଦ୍ରୋହ ଧାରା ବାଦ ପଡିଛି କହିବା ଆଶ୍ଚର୍ଯ୍ୟ କରୁଛି। 

ରାଜନୈତିକ ଯୁମ୍ଳାବାଜୀ ଓ ବିରୁଦ୍ଧରେ ପ୍ରତିବାଦ ତୀବ୍ର କରିବା ଆବଶ୍ୟକ। ଏହାଦ୍ୱାରା ଅନ୍ତତଃ ଗଣତନ୍ତ୍ର ବଞ୍ଚିପାରିବ । 


 

ଦେବ ରଞ୍ଜନ (9437762272 / debasar11@yahoo.co.in)

(ସମଦୃଷ୍ଟିପତ୍ରିକାର ୧୬ – ୨୯ ଫେବୃଆରୀ – ମାର୍ଚ୍ଚ ୧ – ୧୬ ସଂଖ୍ୟାରେ ପ୍ରକାଶିତ)

Tuesday, August 31, 2021

ସିଂହକୁ ନିଜର ଇତିହାସ ଲେଖକ ସୃଷ୍ଟି କରିବା ଜରୁରୀ


ଆଫ୍ରିକୀୟ ଦେଶ ନାଇଜେରିଆର ପ୍ରସିଦ୍ଧ ଔପନ୍ଯାସିକ ଚିନୁଆ ଆଚେବେ (Chinua Achebe)ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅଛି ଯେ କୌଣସି ଗୋଷ୍ଠୀର ବୃଦ୍ଧ ଲୋକଟିଏ ଯେବେ ମରିଯାଏ ସେତେବେଳେ ତା ସହିତ ଏକ ବିରାଟ ଲାଇବ୍ରେରୀ ମଧ୍ୟ ଜଳିଯାଏ ।

ମୋର ଅନ୍ତରଙ୍ଗ ବନ୍ଧୁ ଶ୍ରୀମନ୍ତ ମହାନ୍ତି ନିଜର ଫେସବୁକ ପୋଷ୍ଟରେ  (30/07/2021) ଲେଖିଛନ୍ତି ଯେ ଆଜିର ଯୁବ ପୀଢି ସବୁ ବିଷୟରେ ରେଡିମେଡ ସଲ୍ଯୁସନ ଚହୁଁଛନ୍ତି । ଚିନୁଆ ଆଚେବେ ଆଜିର ପୀଢିର ହୋଇଥିଲେ ତାଙ୍କୁ ବୃଦ୍ଧ ଲୋକମାନେ କଦାପି ଲାଇବ୍ରେରୀ ଭଳି ଲାଗିନଥାନ୍ତେ । ବରଂ ତାଙ୍କୁ Google, Wikipedia ବା Youtube ଭଳି internet media ଏକ ଏକ ଲାଇବ୍ରେରୀ ଭଳି ଲାଗିଥାନ୍ତେ । ନୁହେଁ କି?

ନିକଟରେ ମୋର ଜଣେ ସମ୍ପର୍କୀୟା ଇଂରାଜୀ ବିଭାଗର ଛାତ୍ରୀଙ୍କୁ ଆତ୍ମଜୀବନୀ ବା autobiographyକୁ ସାହିତ୍ୟର ଏକ ବିଭାଗ କରାଯାଇଛି କି ବୋଲି ପଚାରିଥିଲି । ଯେମିତି କବିତା, କ୍ଷୁଦ୍ରଗଳ୍ପ, ଉପନ୍ୟାସର critical study ହେଉଛି ସେହିଭଳି ଆତ୍ମଜୀବନୀ ମାନଙ୍କର ହେବା ଉଚିତ ଯଦି ଏହାକୁ ସାହିତ୍ଯ କୁହାଯାଉଛି । କିନ୍ତୁ ସେ ମୋତେ wikipediaରୁ autobiography link ପଠାଇଦେଇ ନୀରବ ରହିଗଲେ । ସେତକ ମୋ ଭଳି ଏକ computer ଶିକ୍ଷିତ ବ୍ୟକ୍ତି କ'ଣ ପାଇନଥାନ୍ତା? 

ଏହି ନୂଆ ବିଷୟଟି ଉପରେ ଆମେ ଦୁଇ ଜଣ କିଛି ଗବେଷଣା କରିବାର ସୁଯୋଗ ମଧ୍ୟ ଆଉ ରହିଲା ନାହିଁ।

ବନ୍ଧୁ ଶ୍ରୀମନ୍ତ ଆମର ଶିକ୍ଷା ବ୍ୟବସ୍ଥାକୁ ଦୋଷ ଦେଇ ଲେଖିଛନ୍ତି ଯେ ଏହା ତରୁଣ ତରୁଣୀଙ୍କ ମଧ୍ୟରେ ଜିଜ୍ଞାସା, ସୃଜନଶୀଳତା ଓ ପ୍ରଶ୍ନ କରିବାର ପ୍ରବଣତାକୁ ଧ୍ଵଂସ କରିଦେଉଛି । ଏହା ସହିତ ସେ ଛାଡିଦେଲେ ଯେ ଇତିହାସକୁ ମନେପକାଇବା ଓ ଇତିହାସକୁ ଲିପିବଦ୍ଧ କରିବାର ପ୍ରବଣତାକୁ ଜାଣି ଜାଣି ଲୋପ କରିଦିଆଯାଉଛି । ଯେମିତି କଥା ଅଛି ଯେ ନା ରହେଗୀ ବଂଶୀ ନା ବାଜେଗୀ ବାଁସୁରୀ ।   

ବନ୍ଧୁ ଅଜିତ କୁମାର ଭୋଇ କଳାହାଣ୍ଡିର ଗୁଡହାଣ୍ଡି ସଭ୍ୟତାକୁ ଗବେଷକମାନେ ଭୁଲ ଉପସ୍ଥାପନ କରୁଥିବା ଦେଖି ସେ ବ୍ୟସ୍ତହୋଇ ଏକ ଅତି ମହତ ବାକ୍ୟଟିଏ ଲେଖିଛନ୍ତି ଯେ ଯଦି କୌଣସି ସମୁଦାୟକୁ ନଷ୍ଟ କରିବାର ଅଛି ତେବେ ତାହାର ଇତିହାସକୁ ପ୍ରଥମେ ନଷ୍ଟ କରିଦିଅ ।

ଏଠି ମୁଁ କଳାହାଣ୍ଡି ବଦଳରେ କନ୍ଧମାଳର ଉଦାହରଣ ଦେଉଛି । ଗଲା ୩୦ ଅଗଷ୍ଟରେ ଜନ୍ମାଷ୍ଟମୀରେ ପ୍ରାୟ ସମସ୍ତ ଓଡିଆ ଖବରକାଗଜ ଲକ୍ଷ୍ମଣନନ୍ଦଙ୍କ ଶ୍ରାଦ୍ଧଦିବସ ପାଳିତ ହେବା ଖବର ଦେଇଛନ୍ତି । କୌଣସି ଖବରକାଗଜ ଅଗଷ୍ଟ ୨୫ (ଦଙ୍ଗା ଆରମ୍ଭ ଦିନ) ବା ଅଗଷ୍ଟ ୩୦ ଦିନ କନ୍ଧମାଳ ଧାର୍ମିକ ହିଂସା ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି । ସତେରେ କେତେ ଚାଲାକିରେ ଏତେ ବଡ ଘଟଣାକୁ ଯେମିତି ମିଛ କରିଦିଆଗଲା!

ବନ୍ଧୁ ଶ୍ରୀମନ୍ତ ଜାଣିଥିବା ତରୁଣ ଓ ତରୁଣୀମାନଙ୍କ ୨୦୦୮ ମସିହାରେ ବୟସ ହୁଏତ ୭/୮ ବର୍ଷ ହେବ । ଆଜି ୨୦/୨୨ ବର୍ଷ ବୟସରେ ସେ ଏହି କଥା ଜାଣିଲେ ଯେ ଲକ୍ଷ୍ମଣାନନ୍ଦ କନ୍ଧମାଳର ଏକ ବିରାଟ ସମୁଦାୟ ଠାରୁ ବି ଅଧିକ ଶକ୍ତିଶାଳୀ କେହି ଜଣେ ଥିଲେ ଯାହାଙ୍କର ହତ୍ୟା ହୋଇଥିଲା । ଲକ୍ଷ୍ମଣାନନ୍ଦଙ୍କ ପ୍ରତି ଯୁବପୀଢିକୁ ଆକର୍ଷିତ କରିବା ଲାଗି ତ ଖବରକାଗଜମାନେ ଦଙ୍ଗା ଭଳି ଏକ ସାମାଜିକ ଓ ସାମ୍ବିଧାନିକ ଅପରାଧକୁ ମଧ୍ୟ ଲୁଚାଇଦେଲେ?

୨୦୦୮ ମସିହାର ଅଗଷ୍ଟ ୨୫ ତାରିଖରେ ଏହି ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇ (ତାହାର ପୂର୍ବ ଦିନ ଜନ୍ମାଷ୍ଟମୀ ଥିଲା ଯେଉଁଦିନ ଲକ୍ଷ୍ମଣନନ୍ଦଙ୍କ ହତ୍ୟା ହୋଇଥିଲା) ଦୁଇ ମାସ ପର୍ଯ୍ୟନ୍ତ ଚାଲିଥିଲା । ଓଡିଶା ସରକାରଙ୍କ ତଥ୍ୟ ଅନୁସାରେ ଏହି ଦଙ୍ଗାରେ ସମୁଦାୟ ୩୮ ଜଣଙ୍କର ମୃତ୍ୟୁ ହୋଇଛି, ୪୧୫ ଗାଁ କ୍ଷତିଗ୍ରସ୍ତ ହୋଇଛି, ୩୨୨୬ ଗୃହ ଧ୍ଵଂସ କରାଯାଇଛି, ୧୯୫ ଚର୍ଚ୍ଚ ଭାଙ୍ଗିଦିଆଯାଇଛି, ୨୫୧୧୨ ଜଣ ରିଲିଫ କ୍ୟାମ୍ପକୁ ଆସିଛନ୍ତି । ଜିଲ୍ଲା ଛାଡି ବାହାର ରାଜ୍ୟକୁ ଯାଇଥିବା ଦଳିତ ଓ ଆଦିବାସୀ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଏକ ଲକ୍ଷରୁ କମ ନୁହେଁ ।  ସେମାନଙ୍କ ଭିତରୁ ଅନେକ ଆଜି ବି ଜିଲ୍ଲାକୁ ଫେରିନାହାନ୍ତି ।

ଏହି କ୍ଷତିଗ୍ରସ୍ତ ଦଳିତ ଓ ଆଦିବାସୀ ସମୁଦାୟ ଆଜିର ଖବରକାଗଜରେ ଏକ ସୂଚନା ଭାବରେ ସ୍ଥାନିତ ହେଲେ କି? ଅଥଚ ଏହି ଖବରକାଗଜମାନେ ଓଡିଶାର ସ୍ଵର, ଓଡିଆ ସ୍ଵାଭିମାନ, ଆମ ଓଡିଶା ଇତ୍ୟାଦି ଦାବି କରିଥାନ୍ତି ।

 ଏହି ଗଣମାଧ୍ୟମ ଲାଗି ସ୍ଵାମୀ ଲକ୍ଷ୍ମଣାନନ୍ଦ କନ୍ଧମାଳର ଲକ୍ଷ ଲକ୍ଷ ଦଳିତ ଓ ଆଦିବାସୀଙ୍କ ଠାରୁ ବି ବହୁତ ଅଧିକ ଶକ୍ତିଶାଳୀ ନୁହନ୍ତି କି?

 ଏ ସମ୍ପର୍କରେ ଅନ୍ୟ ଏକ ଉଦାହରଣ ଦେଉଛି ।  

 ଗଲା ୧ ଅଗଷ୍ଟ ୨୦୨୧ରେ ଦିଲ୍ଲୀ ଠାରେ ଏକ ୯ ବର୍ଷର ଆଦିବାସୀ ବାଳିକାକୁ ଧର୍ଷଣ କରି ହତ୍ୟା କରାଗଲା ଓ ନୀରବରେ ପୋଡିଦିଆଗଲା ମଧ୍ୟ । ଏହା ପ୍ରତିବାଦ ଜାତୀୟ ସ୍ତରରେ ହୋଇପାରିଲା । ମୁଁ ଏ ସମ୍ପର୍କରେ ଓଡିଆ ଖବରକାଗଜରେ କଣ ପ୍ରକାଶିତ ହୋଇଛି  ଜାଣିବାଲାଗି ଚେଷ୍ଟା କଲି । ଚାରି ପ୍ରମୁଖ ଖବରକାଗଜରେ  ଏ ଭଳି ଏକ ଦୁଃଖଦ ଘଟଣାର କୌଣସି ସୂଚନା ନଥିଲା ।

କିନ୍ତୁ ସୁଶାନ୍ତ ସିଂହ, ଆଦିତ୍ଯ ଦାସ ଓ ସୌମ୍ଯରଞ୍ଜନ ମହାପାତ୍ରଙ୍କ ଆତ୍ମହତ୍ୟାର କାରଣ ଖୋଜିବା ଲାଗି ଖବରକାଗଜମାନେ ଯେଉଁ “ମିଡିଆ ଟ୍ରାୟଲ” ଆରମ୍ଭ କରିଥିଲେ ତାହା ସେହି ଆରମ୍ଭ ଦିନ ଠାରୁ ଆଉ ପାଦେ ଆଗକୁ ଯାଇଛି କି?

ଏହି ଗଣମାଧ୍ୟମର ଏହି ବିଶେଷ ଭୂମିକାକୁ ନେଇ ଅନେକ ସମୟରେ ବନ୍ଧୁ କେଦାର ବିଭିନ୍ନ ଭାବରେ ନିଜର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି । ସେ ବେଶ ଗବେଷଣାତ୍ମକ ଢଙ୍ଗରେ ନିଜର କଥା କୁହନ୍ତି । ସେ କହୁଛନ୍ତି କଲେଜୀୟାମ ମାଧ୍ୟମରେ ଛଅ ବର୍ଷ ପରେ ୨୦୨୭ ମସିହାରେ ମାତ୍ର ୩୬ ଦିନ ଲାଗି ଆମେ ସୁପ୍ରିମ କୋର୍ଟର ଜଣେ ମହିଳା ମୁଖ୍ୟ ବିଚାରପତି ପାଇବା । କିନ୍ତୁ ତାହାକୁ ଗଣମାଧ୍ୟମ ଯେଉଁଭଳି ପ୍ରକାଶ କରୁଛି ଯେମିତି ଏହି ନିକଟରେ ସେ ଅଧିଷ୍ଠିତ ହେବେ । 

ରାଗ କେଦାର ଭିଡିଓ ରିପୋର୍ଟରେ ସେ  ପ୍ରଶ୍ନ କରୁଛନ୍ତି ଯେ  କେନ୍ଦ୍ର ସରକାର ଆକିଲ କୁରେଶୀଙ୍କୁ ଜାଣି ଜାଣି ଅଣଦେଖା କାହିଁକି କଲେ ? ଏହା ପୂର୍ବରୁ ବରିଷ୍ଠ ଓକିଲ ଅମିତେଶ ବାନାର୍ଜୀଙ୍କୁ ହାଇକୋର୍ଟ ବିଚାରପତି ଭାବରେ ନିଯୁକ୍ତି ନଦେବାକୁ ଗଣମାଧ୍ୟମ ପ୍ରଶ୍ନ କରୁନାହିଁ । ଏହିକଥା କେଦାର କହୁଛନ୍ତି ।  

ଏକ ସାକ୍ଷାତକାରରେ ପରଞ୍ଜୋୟ ଗୂହା ଠାକୁର କହୁଥିଲେ ଆମ ଦେଶର ଗଣମାଧ୍ୟମ ଗଣତନ୍ତ୍ରର ପ୍ରଥମ ସ୍ତମ୍ବ ହୋଇଗଲାଣି । ସରକାର ଓ ଗଣମାଧ୍ୟମ ମଧ୍ୟରେ ପାର୍ଥକ୍ଯ ବାରି ହେଉନାହିଁ ।

ସେ ଯାହା ହେଉ  ବନ୍ଧୁ ଶ୍ରୀମନ୍ତ, ଅଜିତ, କେଦାର, ମୁଁ ଓ ଅନେକ ଆମ୍ଭେମାନେ ସତ୍ୟକୁ ବିଭିନ୍ନ ଭାବରେ ଆପଣମାନଙ୍କ ସାମ୍ନାରେ ଆଣିବାକୁ ଚେଷ୍ଟା କରୁଛୁ । 

ଯେତେଦିନ ପର୍ଯ୍ୟନ୍ତ ସିଂହ ନିଜ ଭିତରୁ ନିଜର ଇତିହାସ ଲେଖକଟିଏ ସୃଷ୍ଟି କରିନପାରିଛି ସେତେ ଦିନ ପର୍ଯ୍ୟନ୍ତ ଶିକାରୀର ଶିକାର ହିଁ ଇତିହାସରେ ପ୍ରଶଂସିତ ହେବ । (ଚିନୁଆ ଆଚେବେ) ଆମର ଉଦ୍ୟମ ଆମର ନିଜ ଇତିହାସବିତଟିଏ ସୃଷ୍ଟି କରିବା ଓ ନିଜର ଲୋକମାଧ୍ୟମ ସୃଷ୍ଟି କରିବା । 

ଲେଖୁ ଲେଖୁ କିଛି ବନ୍ଧୁଙ୍କ ନାମ ନେଇ ଲେଖିଦେଲି । ସକାରାତ୍ମକ ଦ୍ରୁଷ୍ଟିରେ ନେବାକୁ ଅନୁରୋଧ ।

 

 

 

Tuesday, September 29, 2020

ସାକ୍ଷାତକାର : ପି ସାଇନାଥ ବିଷୟ : କୃଷି ବିଲ

 

ସାକ୍ଷାତକାର :  ପି ସାଇନାଥ,

ବିଷୟ : କୃଷି ବିଲ

(ବିଜେପି ସରକାରଙ୍କ ନୂତନ କୃଷିବିଲ (ରାଷ୍ଟ୍ରପତ୍ତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି) ସମ୍ପର୍କରେ ପି ସାଇନାଥଙ୍କ ସହିତ ଇଣ୍ଡିଆ ଟୁଡେର ରାଜାଦୀପ ସରଦେସାଇଙ୍କର ଏକ ସାକ୍ଷାତକର ପ୍ରସାରିତ ହୋଇଥିଲା । ଏହାର ତୁରନ୍ତ ଓଡିଆ ଅନୁବାଦ କରିଦେଇଛି । ଓଡିଆ ଅନୁବାଦକୁ ପ୍ରକାଶ କରିବା ଲାଗି ଉଭୟ ରାଜାଦୀପ ସରଦେସାଇ ଓ ପି ସାଇନାଥ ନିଜର ଅନୁମତି ଦେଇସାରିଛନ୍ତି । ଆଶା କରୁଛି ଏହା ଦ୍ଵାରା ବିଲର ପରିଣାମ ସମ୍ପର୍କରେ କିଛି ନୂତନ କଥା ଆପଣମାନେ ଜାଣିପାରିବେ । )

ମୁଖ୍ୟ ଅଂଶ

·         ଏହାର କାରଣ ହେଲା ନିର୍ବାଚିତ ସରକାରମାନେ ବାରମ୍ବାର ଏହାକୁ କ୍ଷତି ପୂର୍ଣ୍ଣ କରିବା ଲାଗି ଉଦ୍ୟମ କରିଚାଲିଛନ୍ତି ।

·         କର୍ପୋରେଟ ସେକ୍ଟର କଦାପି ମଦର ଟେରେସା ନୁହେଁ । ଏହା କଦାପି ଗରିବ ଲୋକଙ୍କ ଉପକାର କିଛି କରିବ ନାହିଁ ।

·         କୃଷି କ୍ଷେତ୍ରକୁ କୃଷକଙ୍କ ହାତରୁ ନେଇ କମ୍ପାନୀମାନଙ୍କ ହାତକୁ ଦେଇଦିଆଯିବ । ଏହା ଆଉ ଲୁଚାଛାପା ଭାବରେ ହେଉ ନାହିଁ ।

ରାଜଦୀପ: କୃଷିବିଲକୁ ନେଇ ଦୁଇ ପ୍ରକାରର ମତ ଆସୁଛି । କେତେକ ଏହାକୁ ବିରୋଧ କରୁଥିଲା ବେଳେ ଅନ୍ୟ କେତେକ ଏହାକୁ ସମର୍ଥନ କରୁଛନ୍ତି । ଏହାର ମଧ୍ୟମ ମାର୍ଗ କ? ଆପଣ ଏହି ବିଲକୁ ନେଇ କଣ ମତ ରଖୁଛନ୍ତି ?

ସାଇନାଥ: ମୁଁ ଭାବୁଛି ଏହାର କୌଣସି ମଧ୍ୟମ ମାର୍ଗ ନାହିଁ । ବରଂ ଏହାକୁ ବିରାଟ ପ୍ରେକ୍ଷାପଟରେ ଦେଖିବାର ଅଛି ।  ଏହି ତିନ ବିଲ କଦାପି ହଠାତ ଆସିନାହିଁ । ଏହାକୁ ଆମେ ୧୯୯୧ର ଆର୍ଥିକ ସଂସ୍କାରର ଯେଉଁ ପ୍ରକ୍ରିୟା ଚାଲିଥିଲା ତାହାର ଏକ ଅଂଶ ଭାବରେ ଦେଖିପାରିବା । ଏ ଭଳି ସମୟରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ (ଏମଏସପି) ନେଇ ବିତର୍କ ମଧ୍ୟ ଉଠାଉଛନ୍ତି । ଏବେ ଦେଖିବା ଯେ ଏହି ସରକାର ପ୍ରକୃତରେ ଏମଏସପି ଉପରେ କଣ କହୁଛନ୍ତି । ପ୍ରଥମରେ, ୨୦୧୪ ମସିହା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ନେତୃତ୍ଵାଧୀନ ବିଜେପି ଏନଡ଼ିଏ ସରକାର ଲୋକଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ ସେମାନେ ସ୍ବାମୀନାଥନ କମିଶନ ରିପୋର୍ଟର ପ୍ରସ୍ତାବକୁ କ୍ଷମତାକୁ ଆସିବାର ମାତ୍ର 12 ମାସ ମଧ୍ୟରେ ପୂରଣ କରିବେ । ଏହି କମିଶନର ପ୍ରସ୍ତାବ ଅନୁସାରେ କୃଷକର କ୍ଵିଣ୍ଟାଲ ପିଛା ସମୁଦାୟ ଉତ୍ପାଦନ ଖର୍ଚ୍ଚ ସହିତ ଖର୍ଚ୍ଚର 50ପ୍ରତିଶତ ଅଧିକ ରାଶି ମିଶାଇ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ । ବିଜେପିର ଏଭଳି ପ୍ରତିଶୃତି ହେତୁ କୋଟି କୋଟି ଚାଷୀ ଏହି ଦଳକୁ ଭୋଟ ଦେଇଥିଲେ । କ୍ଷମତାକୁ ଆସିବାର ୧୨ ମାସ ମଧ୍ୟରେ ସେମାନେ ସୁପ୍ରିମ କୋର୍ଟଙ୍କୁ ଏକ ଆଫିଡେବିଟ ମାଧ୍ୟମରେ ଜଣାଇଲେ ଯେ ସ୍ବାମୀନାଥନ କମିଶନ ରିପୋର୍ଟର ପ୍ରସ୍ତାବକୁ ମାନିବା କଦାପି ସମ୍ଭବ ନୁହେଁ କାରଣ ଏହା ଖାଦ୍ଯ ବଜାରରେ ସମସ୍ଯା ସୃଷ୍ଟି କରିବ ଓ ଏହା ସେମାନଙ୍କ ଏଜେଣ୍ଡାରେ ନଥିଲା

ପ୍ରଶ୍ନ: କୃଷି ଉତ୍ପାଦନର ବଜାର ବ୍ୟବସ୍ଥା ବହୁତଟା ସରକାରୀ ସଂସ୍ଥା ଅଧୀନରେ ରହିବା ଓ ମଣ୍ଡିଗୁଡିକର ଏକ ଚାଟିଆ ଅଧିକାର ରହୁଥିବା ହେତୁ ଏଜେଣ୍ଟ ମାନେ ଲାଭବାନ ହେଉଥିଲା ବେଳେ ଚାଷୀମାନେ କୌଣସି ସୁବିଧା ପାଉନଥିଲେ । ଏବେ କୁହାଯାଉଛି ଯେ କମ୍ପାନୀମାନେ ଏହାପରେ ପୁଞ୍ଜି ଖଟାଇବେ ଓ ଚାଷୀକୁ ସ୍ଵାଧୀନତା ମିଳିବ । ଏଥିରେ ଅସୁବିଧା କଣ? ପୁଣି ଏଭଳି ପ୍ରତିବାଦ କେବେଳ ପଞ୍ଜାବ ଓ ହରିୟାନାରେ ଦେଖାଯାଉଛି ଓ ଦେଶର ଅନ୍ୟ ଭାଗରେ କିଛି ପ୍ରତିବାଦ ନାହିଁ କାହିଁକି?

ଉତ୍ତର: ମୁଁ ଏଥିରେ ସହମତ ନୁହେଁ । ଏହି ପ୍ରକାରର ଯୁକ୍ତି ପଛରେ ଏକ ମସ୍ତବଡ ଭୁଲ ରହିଛି । କୃଷି ଉତ୍ପାଦନ ଦ୍ରବ୍ଯର ଏକ ବିରାଟ ଭାଗ ବିନା ମଣ୍ଡିରେ ବିକ୍ରିବଟା ହୁଏ ପୁଣି ଦେଶର ବହୁତ ବଡ ଭାଗ ଚାଷୀ ଏଜେଣ୍ଟ ମାଧ୍ୟମରେ ନିଜର ଦ୍ରବ୍ଯ ବିକ୍ରି କରିଥାନ୍ତି । ପ୍ରକୃତ ମଣ୍ଡିକୁ ଆସୁଥିବା ଚାଷୀଙ୍କ ସଂଖ୍ୟା ବହୁତ କମ । ଏଭଳି ଏକ ମିଥ୍ୟା ତଥ୍ୟ ପ୍ରସାର କର ନାହିଁ ଯେ ସବୁ ଚାଷୀ ମଣ୍ଡିର ଅଧୀନରେ ଥିଲେ ଓ ସରକାର ନୂଆ ବିଲ ଦ୍ଵାରା ଚାଷୀକୁ ମଣ୍ଡି ମୁକ୍ତ କରିବା ପରେ ସେମାନେ ଏଥର ସ୍ଵାଧୀନ ହୋଇଗଲେ । ଏହି ଭଳି ଉଦାହରଣ ମହାରାଷ୍ଟ୍ରରେ ପ୍ରଥମେ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ମଣ୍ଡି ମୁକ୍ତ କରିବା ପରେ ବି କୌଣସି କମ୍ପାନୀ ପୁଞ୍ଜି ଖଟାଇବା ଲାଗି ଆସିଲେ ନାହିଁ । ଏହା ସତ ଯେ ପଞ୍ଜାବ ଓ ହରିୟାନାରେ ଏହାକୁ ନେଇ ଅଧିକ ପ୍ରତିବାଦ ହେଉଛି । ମାତ୍ର ଏହା ନୁହେଁ ଯେ ଦେଶର ଅନ୍ୟ ଭାଗର ଚାଷୀ ମଣ୍ଡିବ୍ୟବସ୍ଥା ଚାହୁଁନାହାନ୍ତି । ତେଣୁ ଏହା ଏକ ଭ୍ରାନ୍ତ ଧାରଣା ଯେ ସମସ୍ତ କୃଷି ଜାତ ଦ୍ରବ୍ଯ ଏବେ ମଣ୍ଡିମୁକ୍ତ ହୋଇଗଲା ଓ ଏହା ପରେ ଚାଷୀ ପୁରା ସ୍ଵାଧୀନ ହୋଇଗଲେ ।

ପ୍ରଶ୍ନ: କିନ୍ତୁ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଏମପିଏସ ବ୍ୟବସ୍ଥା ଉଠାଇ ଦିଆଯିବନାହିଁ । ଏମଏସପି ରହିବ ଓ ଚାଷୀ ଯଦି ତାହା ଠାରୁ ଅଧିକ ଦର ପାଇଲା ତେବେ ସେ ପ୍ରାଇଭେଟ କମ୍ପାନୀ ପାଖକୁ ନିଜ ଦ୍ରବ୍ଯକୁ ବିକିବା ପାଇଁ ଯିବ ତେଣୁ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଏବେ ପ୍ରାଇଭେଟ କମ୍ପାନୀମାନେ ନିଜର ଶୀତଳ ଭଣ୍ଡାର ତିଆରି କରିବେ । ସେମାନଙ୍କର ଚାଷୀ ସହିତ ସିଧା ସମ୍ପର୍କ କୃଷି ବ୍ୟବସାୟରେ ଉନ୍ନତି ଆଣିବ ନାହିଁ କି?

ଉତ୍ତର : ପ୍ରଥମରେ, ଏପିଏମସିର (APMC) କୌଣସି ଏକଚାଟିଆ ଅଧିକାର ନାହିଁ । ଦ୍ବିତୀୟରେ, ଏପରି ଢୋଙ୍ଗ କରନାହିଁ ଯେ ତୁମେ ସରକାରୀ ଅନୁଷ୍ଠାନକୁ ଭାଙ୍ଗିଦେଲ । ଏହି ନୂତନ ବିଲ ମାଧ୍ୟମରେ ତୁମେ ପ୍ରକୃତରେ ବେସରକାରୀ କ୍ଷୁଦ୍ର ବ୍ୟବସାୟୀଙ୍କ ବ୍ୟବସ୍ଥାକୁ ଭାଙ୍ଗି ଦେଇ ବୃହତ କମ୍ପାନୀମାନଙ୍କୁ ବ୍ୟବସାୟ କରିବା ପାଇଁ ଡାକିଲ । ଯେତେବେଳେ ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ଯେ କୃଷି ବିଲ ବିପକ୍ଷରେ ମିଥ୍ୟା ପ୍ରଚାର କରାଯାଉଛି ସେତେବେଳେ ମୁଁ କହିବି ତାଙ୍କରି ମନ୍ତିମଣ୍ଡଳର ଜଣେ ମନ୍ତ୍ରୀ (ପଞ୍ଜାବର) ନିକଟରେ ଇସ୍ତଫା ଦେଲେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟର ସତ୍ୟତାକୁ ଓ ନିଷ୍ଠାକୁ ଯଦି ଆମେ ପରଖିବା ତେବେ ଦେଖିବା ଯେ ସେ ୨୦୧୪   ମସିହା ପୂର୍ବରୁ କଣ କହିଥିଲେ ଓ ପରେ ସେ କିପରି ସ୍ବାମୀନାଥନ କମିଶନ ରିପୋର୍ଟକୁ ପୁରା ଅସମ୍ଭବ ବୋଲି କହିଦେଲେ ।

            ଯେତେବେଳେ ପ୍ରଧାନମତ୍ରୀ କହୁଛନ୍ତି ଯେ ଏମଏସପି ବ୍ୟବସ୍ଥା ରହିବ ସେତେବେଲେ ସେ କିନ୍ତୁ କୃଷକର ସମୁଦାୟ ଖର୍ଚ୍ଚ ସହିତ 50 ପ୍ରତିଶତ ଅର୍ଥ ମିଶାଇ ଏମଏସପି ସ୍ଥିର କରିବା କଥା କହୁନାହାନ୍ତି । ଅରୁଣ ଜେଟଲି ଜୀବିତ ଥିଲା ବେଳେ କେନ୍ଦ୍ର ସରକାର କୃଷକର ପ୍ରକୃତ ଖର୍ଚ୍ଚକୁ ଯେଉଁଭଳି ହିସାବ କରିଥିଲେ ତାହା ସ୍ଵାମିନାଥନ କମିଶନଙ୍କ ପ୍ରସ୍ତାବ ଠାରୁ ମଧ୍ୟ ସଂପୂର୍ଣ୍ଣ ଭିନ୍ନ ଓ କମିଶନଙ୍କ ପ୍ରସ୍ତାବ ଅନୁସାରେ କ୍ଵିଣ୍ଟାଲ ପିଛା ଦର ଠାରୁ ବହୁତ କମ ଥିଲା । ତୁମେ ଯେବେ କହୁଛ ଯେ କୃଷକ ଏହା ଦ୍ଵାରା ମୁକ୍ତ ହୋଇଗଲେ, ତେବେ ବୁଝିବାର କଥା ଯେ କନ୍ୟାକୁମାରୀର (ତାମିଲନାଡୁ) କୃଷକ ମନେକରାଯାଉ ନିଜ ବଳଦ ଗାଡିରେ ବସି ମଧ୍ୟ ପ୍ରଦେଶରେ ଯେହେତୁ ଉଚିତ ମୂଲ୍ୟ ମିଳୁଛି (2000 କିମି ଦୂରରେ) ତେଣୁ ସେଠାରେ ଯାଇ ପହଞ୍ଚି ଯାଇପାରିବ କି ?          ଗୁଜୁରାଟରେ ଗଲା ବର୍ଷ ଆଖୁ ଓ ତୁଳା ପଡି ରହିବା ପରେ କିଛି ମାସ ପରେ ସରକାରୀ ସ୍ତରରେ ଅଧିକ ଦରରେ ତାହାକୁ କିଣିବା ଆରମ୍ଭ ହେଲା ଫଳରେ ଚାଷୀ ଅଧିକ ଦର ପାଇଲେ। ଏବର୍ଷ ଚାଷୀ ଆଖୁ ଓ ତୁଳାକୁ ଅଧିକ ଜମିରେ କରିଛନ୍ତି । ଅତି କମ ଜମିରେ ଖାଦ୍ଯ ଦ୍ରବ୍ଯର ଚାଷ ଚାଷୀ କରିଛନ୍ତି ଏଥର ପରିବା ଚାଷ ଲାଗି ରାଜ୍ୟ ସରକାର କିଛି ସହଯୋଗ କଲେ କି ? କେନ୍ଦ୍ର ସରକାର ଯେବେ କହୁଛନ୍ତି ଆଗାମୀ ଦୁଇ ବର୍ଷ ମଧ୍ୟରେ, ୨୦୨୨ ସୁଦ୍ଧା, କୃଷକର ଆୟ  ଦ୍ଵିଗୁଣା ହୋଇଯିବ, ତେବେ ୨୦୨୦ ମସିହାର ଶେଷ ଆଡରେ ଗଲା ଦୁଇ ମାସ ମଧ୍ୟରେ କୃଷକର ଆୟରେ ମିଶାଇଲା ଭଳି କିଛି ସରକାରୀ ସହଯୋଗ ସରକାର କଲେ କି? ସରକାର ଏବେ ପିଏମ କିଷାନ ଫଣ୍ଡର କିସ୍ତି ଦେଉଛନ୍ତି ତାହା କରୋନା ପୂର୍ବରୁ ହୋଇଥିବା ଘୋଷଣାର ଅଂଶ । ତେଣୁ ସରକାର କଣ କୃଷି ଶ୍ରମିକ ଓ ଚାଷୀଙ୍କୁ ସହଯୋଗ କଲେ କି? ହଠାତ ଏହି କୃଷକ ବିଲ ଆଣିବା ଓ କୃଷିକ୍ଷେତ୍ରରେ ଏହା ଦ୍ଵାରା ବିପ୍ଲବ ଆସିବା ଭଳି କଥା କହିବା ଉଚିତ ନୁହେଁ ।

ପ୍ରଶ୍ନ: ତୁମର ସମସ୍ଯା କେଉଁଠି ବିଲର ଉଦ୍ଦେଶ୍ୟକୁ ନେଇ ନା ବିଲରେ ଯାହା ଅଛି ତାହାକୁ ନେଇ? ତୁମର ମୁଖ୍ୟ ବିରୋଧ କେଉଁଠି ?

ଉତ୍ତର: ମୋର ଅନୁରୋଧ ଯେ ଗଲା ୨୫ ବର୍ଷ ହେଲା ଯେଉଁ ଭଳି କୃଷି କ୍ଷେତ୍ରକୁ କର୍ପୋରେଟମାନଙ୍କୁ ଟେକିଦେବାର ପ୍ରୟାସ କରାଯାଉଛି ତାହାକୁ ଅଣଦେଖା କରାନଯାଉ । ୨୦୧୩ ମସିହାରେ କଂଗ୍ରେସ ନେତୃତ୍ଵାଧୀନ ଇଉପିଏ ସରକାର ମିଲିୟନ୍ସ ଫାର୍ମର୍ଷ ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ସରକାର କମ୍ପାନୀମାନଙ୍କୁ 3500 କୋଟି ଟଙ୍କାର ଗ୍ରାଣ୍ଟ ଦେଇଥିଲେ । ସେତେବେଳେ କୃଷକଙ୍କୁ ବିଭିନ୍ନ କମ୍ପାନୀର କୃଷକ ଭାବରେ ଅର୍ଥାତ ଏହି ଭଳି ଆଇଟିସି କୃଷକ, ଟାଟା କୃଷକ ଓ ଅମ୍ବନୀ କୃଷକ ଭାବରେ ଭାଗଭାଗ କରିଦିଆଗଲା । ଇଉପିଏ ସରକାରଙ୍କ ପ୍ରସ୍ତାବ କୌଣସି କାମ ଦେଲାନିତେଣୁ ଏ ପ୍ରକାର ଉଦ୍ଦେଶ୍ୟ ଯାହା ହୋଇଥାଉନା କାହିଁକି ମାତ୍ର ଏହାର ଫଳାଫଳ ସର୍ବଦା ଗଣ୍ଡଗୋଳିଆ । ଏ ପ୍ରକାରର ଫଳାଫଳ ସେମାନେ ହୁଏତ ଆଶା କରିନଥିବେ । ମାତ୍ର ଶେଷ ପରିଣାମ ଯାହା ହେଉ ନା କାହିଁକି ସରକାରମାନଙ୍କର ଲଗାତର ଚେଷ୍ଟା ଚାଲିଛି କିପରି କୃଷି କ୍ଷେତ୍ରକୁ କୃଷକଙ୍କ ହାତରୁ ନେଇ କମ୍ପାନୀମାନଙ୍କ ହାତକୁ ଦେଇଦିଆଯିବ । ଏହା ଆଉ ଲୁଚାଛାପା ଭାବରେ ହେଉ ନାହିଁ । କଂଗ୍ରେସ ଓ ଇଉପିଏ ଏହାକୁ ମିଲ୍ଲେନିୟମ ପ୍ରୋଗ୍ରାମ ମାଧ୍ୟମରେ କରିବାକୁ ଯାଉଥିଲେ । ଇଉପିଏ ପାଖରେ ସେତିକି ଶକ୍ତି ନଥିଲା ଏନଡ଼ିଏ ପାଖରେ ଏବେ ସେତିକି ଶକ୍ତି ଅଛି । ଏତିକି ପାର୍ଥକ୍ଯ ।

ପ୍ରଶ୍ନ: ଆପଣ ଜାଣନ୍ତି ଯେ କ୍ଷୁଦ୍ର ଚାଷୀଙ୍କ ଲାଗି ଚାଷ ଆଦୌ ଲାଭଜନକ ହେଉନଥିଲା । ତେଣୁ ସରକାର ହୁଏତ ଏହାକୁ ଲାଭଜନକ କରିବା ଲାଗି ଚେଷ୍ଟା କରୁଥାଇପାରନ୍ତି ଯଦି ଅତୀତରେ ହୋଇନାହିଁ ତେବେ ବର୍ତ୍ତମାନ ଚେଷ୍ଟା କରାଯାଇପାରେ ? କଣ୍ଟ୍ରାକ୍ଟ ଫାର୍ମିଙ୍ଗ ହୁଏତ ସେଭଳି ଦିଗରେ ଏକ ଉତ୍ତମ ପଦକ୍ଷେପ । ଏହି ବିଲ ହୁଏତ ତାହାକୁ ଆଗକୁ ନେଇପାରେ । ହୁଏତ କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଅଧିକରୁ ଅଧିକ ହୋଇପାରେ ?

ଉତ୍ତର: ମୁକ୍ତ ବଜାରକୁ ନେଇ ଥିବା ସମସ୍ତ ଦାର୍ଶନିକ ଓ ରାଜନୈତିକ ଅବଧାରଣା ଯେ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅଯଥା  ତାହା ଗଲା ଛଅ ମାସର ଲକଡାଉନ ଦର୍ଶାଇସାରିଛି । ଆମେ ଏବେ ବି ସେହି ୧୯୯୧ ମସିହାର ଆର୍ଥିକ ସଂସ୍କାରର ଦର୍ଶନକୁ ମନେପକାଉଛୁ ଯେ ମୁକ୍ତ ବଜାରର ଅର୍ଥ ହେଲା ସ୍ଵାଧୀନତା, ଯେମିତି କି ସରକାରୀ ସମର୍ଥନରେ ଦାସପ୍ରଥା ଚାଲିଥିଲା ଓ ଆମେ ସ୍ଵାଧୀନ ହୋଇଗଲୁ । ଏ କଥା ଆମେ ଧ୍ୟାନରେ ଆଣିବା ଆବଶ୍ୟକ ଯେ ବିଶ୍ଵର ସବୁଠାରୁ ଶିଳ୍ପରେ ବିକାଶ ଲାଭ କରିଥିବା ଧନୀ ଦେଶ ଆମେରିକା ଓ ଇଉରୋପ ୟୁନିୟନ କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ସବସିଡ ଦେଇଥାନ୍ତି, ଯାହା କି ଅନ୍ଯାନ୍ଯ କ୍ଷେତ୍ରରେ ଦିଆଯାଉଥିବା ସବସିଡ ଠାରୁ ମଧ୍ୟ ଯଥେଷ୍ଟ ଅଧିକ ।

            ଦ୍ବିତୀୟରେ, ଏହା ପୂର୍ବରୁ ପ୍ରବାସୀ ଶ୍ରମିକ ଗାଁକୁ ଫେରୁଥିବା ସମୟରେ ସରକାରଙ୍କ ବ୍ୟବହାରକୁ ନେଇ ଆମେ କ୍ଷୁବ୍ଧ ଥିଲେ । ସେତେବେଳେ ବି ମୁଁ କହିଥିଲେ ଯେ ସେମାନେ କାହିଁକି ଗାଁ ଛାଡିଲେ ତାହାକୁ କେବେ କାହିଁକି ପ୍ରଶ୍ନ କରୁନାହେଁ ? ମଣିଷ ତିଆରି କୃଷି ସଙ୍କଟ ହେତୁ ସେମାନେ ଗାଁ ଛାଡିବାକୁ ବାଧ୍ୟ ହେଲେ ଯାହା କୋଟି କୋଟି ଲୋକଙ୍କ ଜୀବିକାକୁ ମଧ୍ୟ ନଷ୍ଟ କରିଦେଲା । ଆମେ କେବେ ପ୍ରଶ୍ନ କରିନାହୁଁ ଯେ କାହିଁକି ୧୯୯୧ରୁ ୨୦୧୧ ମସିହା ମଧ୍ୟରେ କୃଷି ଜନଗଣନା ଅନୁସାରେ ପ୍ରକୃତ ଚାଷୀର (ଯିଏ ବର୍ଷରେ ଅତି କମରେ ଛଅ ମାସ କୃଷିକ୍ଷେତ୍ରରେ ଜଡିତ ରହିଥାଏ ) ସଂଖ୍ୟା ୧. ୫ କୋଟି କମିବା ପଛରେ କାରଣ କ? ୨୦୧୧ ରୁ ୨୦୨୦ ମସିହା ମଧ୍ୟରେ ଏହି ସଂଖ୍ୟା କେତେରେ ପହଞ୍ଚିଛି ତାହା ଆମକୁ ଜଣା ନାହିଁ । ଆଜି କୃଷି ଲାଭଜନକ ହେଉ ନାହିଁ ଏହାର କାରଣ ହେଲା ନିର୍ବାଚିତ ସରକାରମାନେ ବାରମ୍ବାର ଏହାକୁ କ୍ଷତି ପୂର୍ଣ୍ଣ କରିବା ଲାଗି ଉଦ୍ୟମ କରିଚାଲିଛନ୍ତି ।

ପ୍ରଶ୍ନ : ତେବେ ଏହାର ସମାଧାନର ରାସ୍ତା କ, ଯାହାଦ୍ୱାରା କୃଷକ ପାଇଁ କୃଷି ଲାଭଜନକ ହେବ?

ଉତ୍ତର : ଆମେ ଏ ବିଷୟରେ ଅନେକ ବାର ଆଲୋଚନା କରିଛେ । ତେବେ ଆଜି ଆଉ ଦୁଇଟି ପ୍ରସ୍ତାବ ଏହା ସହିତ ମୁଁ ଯୋଡୁଛି । ପ୍ରଥମ ହେଲା ଏହି ମହାମାରୀ ସମୟରେ କୃଷକମାନଙ୍କ ଲାଗି ଆର୍ଥିକ ଅନୁଦାନ ଜରୁରୀ, ବିଶେଷ କରି କୃଷି ଶ୍ରମିକ, ନାମକୁ ମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀପ୍ରତିମାସରେ ୭୦୦୦ ଟଙ୍କା ଏହି ମହାମାରୀର ପ୍ରକୋପ ନଯିବା ପର୍ଯ୍ୟନ୍ତ ଦାବି କରିଥିଲୁ ଓ ଆଜି ବି ଜଣାଉଛୁବିଶ୍ଵରେ ଇଂଲଣ୍ଡ ସମେତ ଅନେକ ରାଷ୍ଟ୍ର କୃଷକଙ୍କୁ ନିଜ ନିୟମିତ ଆୟର 80% ଅର୍ଥ ଅନୁଦାନ ଆକାରରେ ଭରଣା କରିଛନ୍ତି । ବିଶ୍ଵ ଶ୍ରମ ସଂଗଠନର କହିବା ଅନୁସାରେ ବିଶ୍ଵର ଶ୍ରମିକମାନେ ନିଜ ଆୟର ୬୦% ଆୟ ଲକଡାଉନ ସମୟରେ ହରାଇଛନ୍ତି ଏହା ଗରିବ ଦେଶରେ ଓ ବିଶେଷକରି ଗ୍ରାମାଞ୍ଚଳରେ ବହୁତ ଅଧିକ ହେବ ଦ୍ବିତୀୟରେ, କୃଷିରେ ଅର୍ଥକାରୀ ଫସଲରୁ ଦୂରେଇ ଚାଷୀ ଯେପରି ଖାଦ୍ଯ ଉତ୍ପାଦନ ଆଡକୁ ଯିବା ଲାଗି ଚାହିଁବେ ସେଥିଲାଗି ସରକାରୀ ସହାୟତା ଜରୁରୀତୃତୀୟରେ, ଯଦି ଏହି ସରକାର ସତେରେ ଏତେ ଶ୍ରମିକ ଓ ଚାଷୀ ପାଇଁ ବ୍ୟସ୍ତ ତେବେ କେଉଁଭଳି ସେମାନେ ଖାଦ୍ଯ ନିଗମରେ ନିୟୁତ ନିୟୁତ ଟନ ଖାଦ୍ଯ ଶସ୍ଯ ମହଜୁଦ କରିରଖିଛନ୍ତି ? ଏବେ ସରକାର ମାସକୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ ବଣ୍ଟନ କରୁଛନ୍ତି । ଶାରୀରିକ ପରିଶ୍ରମ କରୁଥିବା ମଣିଷର ଆବଶ୍ୟକତା ଅନୁସାରେ ତାହା କେତେ କମ ତାହା ସେହି ଲୋକ ଜାଣିଛି । ସେପଟେ ଖାଦ୍ଯ ନିଗମରେ ସରକାର ନିୟୁତ ନିୟୁତ ଟନ ଖାଦ୍ଯଶସ୍ଯ କାହିଁକି ରଖିଛନ୍ତି ? ତାହା କେବଳ ରପ୍ତାନୀ ପାଇଁ ରଖିଛନ୍ତି !

            ଏହି କୋଭିଡ ସମୟ ମଧ୍ୟରେ କ୍ଯାବିନେଟ ମନ୍ତ୍ରୀମଣ୍ଡଳ ଏହି ବିଲ ପୂର୍ବରୁ କୃଷି ସମ୍ବନ୍ଧରେ ଏକ ମାତ୍ର ଅତି ବଢିଆ ନିଷ୍ପତ୍ତି ନେଇଥିଲେ । ଯେତେବେଳେ ଲୋକ ଖାଦ୍ଯ ଅଭାବରୁ ମରୁଥିଲେ ସେତେବେଳେ କ୍ୟାବିନେଟ ଚାଉଳରେ ଥିବା ଇଥାନଲରୁ ସାନିଟାଇଜର ପ୍ରସ୍ତୁତି ଲାଗି ଟନ ଟନ ଚାଉଳ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ୨୦୦୨ ମସିହାରେ ବାଜପେଯୀ ସରକାରଙ୍କ  ସମୟରେ ୬୩ ମିଲିୟନ ଟନ ଖାଦ୍ଯଶସ୍ଯ ଯେତେବେଳେ ନଷ୍ଟ ହେବାକୁ ଯାଉଥିଲା ସେତେବେଳେ କ୍ରେନ କ୍ରେନ ଖାଦ୍ଯ ବିଦେଶକୁ ଗାଈ ଗୋରୁଙ୍କ ଖାଦ୍ଯ ଲାଗି ଯଥେଷ୍ଟ କମ ମୂଲ୍ୟରେ ରପ୍ତାନି କରାଯାଇଥିଲା । ଏଠାରେ ସେତେବେଳେ ଖାଦ୍ଯ ଶସ୍ଯର ସଙ୍କଟ ଚାଲିଥାଏ । ସମୁଦାୟ କୃଷକଙ୍କ ମଧ୍ୟରୁ ୭୦ % ଭାଗ କୃଷକ ନିଜର ଆବଶ୍ୟକ ଥିବା ଖାଦ୍ଯ ଶସ୍ଯ ସେହି ମୁକ୍ତ ବଜାରରୁ କିଣିଥାନ୍ତି । ବଜାରରେ ଏବେ ଖାଦ୍ଯ ଶସ୍ଯର ଅଧିକ ଦର ଉଭୟ ପେଟ ଓ ପିଠିକୁ ଆଘାତ ଦେଉଛି ସରକାର କାହିଁକି ସେଠାରେ କିଛି କରୁନାହାନ୍ତି ?

ପ୍ରଶ୍ନ : ତେବେ ବର୍ତ୍ତମାନର ସ୍ଥିତିକୁ କାଏମ ରଖିବା କଣ ସମାଧାନର ରାସ୍ତା ?

ଉତ୍ତର: କୋଭିଡ 19 ଏକ ଭଲ ଉଦାହରଣ, ଯାହା ଆମକୁ ଆମ ଅର୍ଥନୀତିର ହାତ। ଗୋଡ, ରକ୍ତ ମାଂସ,  ବୃକକ ଇତ୍ୟାଦି ସମଗ୍ର ଶରୀରକୁ ଗୋଟି ଗୋଟି କରି ଟେବୁଲ ଉପରେ ରଖିଦେଇଛି । ଏହା ପରେ କଣ ଆମେ ବର୍ତ୍ତମାନର ସ୍ଥିତିକୁ କାଏମ ରଖିବା ସପକ୍ଷରେ ଥିବା ଯୁକ୍ତିକୁ ସମର୍ଥନ କରିବା? ଆମେ ଏହାର ପରିବର୍ତ୍ତନ ଚାହୁଁଛୁ । ଆୟରଲାଣ୍ଡ ଓ ସ୍ପେନ ଭଳି ପୁଞ୍ଜିବାଦ ରାଷ୍ଟ୍ର ଲକଡାଉନର ପ୍ରଥମ ସପ୍ତାହରେ ନିଜ ନିଜ ଦେଶର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସରକାରଙ୍କ ଅଧିନକୁ ନେଇଗଲେ । ଆମେ କଣ କଲୁ? ଦିଲ୍ଲୀ ସରକାର ପ୍ରାଇଭେଟ ହସ୍ପିଟାଲମାନଙ୍କୁ ୫୦ % ବେଡ ଭିକ୍ଷା ମାଗିଲେ । ମହାରାଷ୍ଟ୍ର ସରକାର ୮୦% ବେଡ ଭିକ୍ଷା ମାଗିଲେ । କର୍ପୋରେଟ ସେକ୍ଟର କଦାପି ମଦର ଟେରେସା ନୁହେଁ । ଏହା କଦାପି ଗରିବ ଲୋକଙ୍କ ଉପକାର ପାଇଁ କିଛି କରିବ ନାହିଁ । ସରକାର ସ୍ୱାସ୍ଥ୍ୟକ୍ଷେତ୍ରକୁ କମ୍ପାନୀମାନଙ୍କୁ ଦେଇସାରିଛନ୍ତି ଓ କଣ ଯେ କ୍ଷତି ହେଉଛି ତାହା ଦେଖୁଛେ । ଏବେ ସରକାର କୃଷିକୁ ପୂରାପୂରି କମ୍ପାନୀମାନଙ୍କୁ ଦେଇ ଦେବାକୁ ବସିଛନ୍ତି ଆଜି ଆମେ ଜାଣିଛେ ଯେ ଗ୍ରାମାଞ୍ଚଳର କୃଷକ ରୁଣଗ୍ରସ୍ତ ହେବାର ପ୍ରଥମ କାରଣ ହେଲା ନିଜର ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇ ନପାରିବା । ଏବେ କୃଷି କ୍ଷେତ୍ରରେ ତାହା ହିଁ ହେବାକୁ ଯାଉଛି । ଏହି ହେତୁ ଯେଉଁ ସର୍ବନାଶ ହେବାକୁ ଯାଉଛି ତାହାକୁ କଳନା କରିବା ମଧ୍ୟ କଷ୍ଟ । ଚାଷୀ ସଂଗଠନମାନେ କଣ ଦାବି କରୁଛନ୍ତି ତାହାକୁ ସରକାର ଶୁଣନ୍ତୁ ଓ ଜାଣନ୍ତୁ ।

     ଅନୁବାଦକ : ଦେବ ରଞ୍ଜନ

Contact: debasar11@yahoo.co.in