Wednesday, July 3, 2024

‘ଦେଶଦ୍ରୋହୀ’ ଅରୁନ୍ଧତୀ ?

 



            “କିଛି ଅସୁବିଧା ନାହିଁ / ତୁମେ ଲେଖିପାର / ମଣିଷର ଜୀବନ ଯନ୍ତ୍ରଣାର କଥା / ବର୍ଣ୍ଣନା କରିପାର / ତା’ର ଦୁଃଖ, ଦୈନ୍ୟ, ଦାରିଦ୍ର୍ୟ / ଅସହାୟତା ଆଗରେ ଢାଳି ଦେଇପାର ଦି’ଟୋପା ଲୁହ / କିଛି ଅସୁବିଧା ନାହିଁ / ଏସବୁ ତ କବିର ସମ୍ବେଦନା ଗୀତ ।“

            “କିନ୍ତୁ ଯେଉଁ ମୁହୂର୍ତ୍ତରେ / ତୁମେ ଆରମ୍ଭ କରିବ ପ୍ରତିବାଦ / କିମ୍ବା ଡାକରା ଦେବ ଏକ ବିଦ୍ରୋହର / ସବୁକିଛି ଯେପରି ଭୁଲ ହୋଇଯିବ...”

            “ଶେଷରେ ତୁମର କବିତା / ଘୋଷିତ ହେବ ଏକ ବିପଜ୍ଜନକ ଉଚ୍ଚାରଣ / ଓ ତୁମେ ନିଜେ ହୋଇଯିବ / ତଥାକଥିତ ବେଶଦ୍ରୋହର କାରଣ ।“ ( ଆଶୁତୋଷ ପରିଡ଼ାଙ୍କ କବିତା ଅପ୍ରସ୍ତୁତ ମୃତ୍ୟୁର କିଛି ଧାଡ଼ି)

            ଲେଖକ ଅଥବା ଲେଖିକାର ସୀମା କିଏ ସ୍ଥିର କରିବ? ତାନିଜର ବିବେକ ? ନା ସରକାରଙ୍କ ଆକ୍ରୋଶ?

            ଦିଲ୍ଲୀର ରାଜ୍ୟପାଳ ଆକ୍ରୋଶମୂଳକ ଭାବନା ନେଇ ଜୁନ ୧୪, ୨୦୨୪ରେ ଅରୁନ୍ଧତୀ ରାୟ ଓ ପ୍ରଫେସର ଶୌକତ ହୁସେନଙ୍କ ବିରୁଦ୍ଧରେ “ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଛନ୍ତି । ଉଭୟ ଏବେ ଗିରଫ ହେଲେ କି ନାହିଁ ତାହା କୋର୍ଟର ପରିସର ହୋଇଛି। ଏହା ବହୁତ ବଡ ଖବର। ଲେଖକୀୟ ସ୍ଵାଧୀନତାକୁ ନଷ୍ଟ କରିବା ଓ ସମାଜକୁ ନିଜ ନିର୍ଦ୍ଦିଷ୍ଟ ରାସ୍ତାରେ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଏହା ଅତି ନିନ୍ଦନୀୟ ଉଦ୍ୟମ।

            ଏପରିକି ଅରୁନ୍ଧତୀ ରାୟଙ୍କୁ ମିଳୁଥିବା ପେନ ପିଣ୍ଟର ପୁରସ୍କାର ଠାରୁ ବଡ଼ ଖବର ହେଉଛି ଯେ ଜାତିସଂଘର ମାନବିକ ଅଧିକାର କାଉନସିଲ ଲେଖିକାଙ୍କ ଉପରୁ ଦେଶଦ୍ରୋହ ଅଭିଯୋଗ ପ୍ରତ୍ୟାହାର କରିବା ଲାଗି ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା। ପୁରସ୍କାର ଲେଖିକାଙ୍କୁ ଉସ୍ଛାହିତ କରିପାରେମାତ୍ର ଜାତିସଂଘ କାଉନସିଲର ବାର୍ତ୍ତା ୧୪୦ କୋଟି ଦେଶବାସୀଙ୍କ ଏହି ଦେଶର ମାନବିକ ଅଧିକାରର ସୁରକ୍ଷା ଓ ବାକ ସ୍ଵାଧୀନତାର ସ୍ଥିତିକୁ ଦର୍ଶାଇଦେଉଛି। ବିଶ୍ଵରେ ୧୮୦ ଦେଶ ମଧ୍ୟରୁ ପ୍ରେସ ସ୍ଵାଧୀନତା ବା ବାକ ସ୍ଵାଧୀନତା ତାଲିକାରେ ଭାରତ ଯେଉଁଠି ବିଜେପି ଶାସନକୁ ଆସିବା ବର୍ଷ, ୨୦୧୪ ମସିହାରେ, ୧୪୦ ତମ ସ୍ଥାନରେ ରହିଥିଲା ୨୦୨୪ ମସିହା ବେଳକୁ ତାହା ଖସି ଆସି ୧୬୧ ତମ ସ୍ଥାନରେ ପହଞ୍ଚିଛି। ଅରୁନ୍ଧତୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ଯ ଏହାର ଉଦାହରଣ।

            ଲେଖକ ସମାଜକୁ ଭଲପାଉଥିବା କାରଣରୁ ଲେଖେ। ସମାଜ ଯେଉଁଠି ତିଳ ତିଳ ହୋଇ ମରୁଥାଏ ସେଠାରେ ଲେଖକ ନିଜେ କଦାପି ଏକ ଜୀବନ୍ତ ଶବ ହୋଇ ପଡିରହେ ନାହିଁ କି ସେଠାରୁ ମୁହଁ ବୁଲାଇ ଏକ ସ୍ଵାର୍ଥୀ ମଣିଷ ହୋଇଯାଇପାରେ ନାହିଁ। ସେ ନିଶ୍ଚୟ ନିଶାଣ କରେ ସମାଜକୁ ମାରିଦେଉଥିବା ଶକ୍ତିମାନଙ୍କୁ। ସେହି ନିଶାଣ ମଧ୍ୟରେ ଆସିଥାନ୍ତି ସରକାର ଓ ତାଙ୍କର ସମସ୍ତ ଅନୁଷ୍ଠାନ।

            ୨୦୧୦ ମସିହାରେ ଦିଲ୍ଲୀରେ କାଶ୍ମୀର ସଂକ୍ରାନ୍ତ ଆୟୋଜିତ ଏକ ମିଟିଂରେ “କାଶ୍ମୀରର ଆଜାଦି ସପକ୍ଷରେ” ଦେଇଥିବା ଭାଷଣର ଅଭିଯୋଗ ଆଧାରରେ ୨୦୨୩ ମସିହାରେ ପ୍ରଥମେ “ରାଜଦ୍ରୋହ” ଓ ପରେ “ଦେଶଦ୍ରୋହ” ମାମଲା ରୁଜୁ ବାକ ସ୍ଵାଧୀନତାକୁ ତାଲା ପକାଇ ରଖିବା ଭଳି କଥା ନୁହେଁ କି?

            କାଶ୍ମୀର ଅଞ୍ଚଳ ବୁଲିଆସିବା ପରେ ଅରୁନ୍ଧତୀ ଲେଖିଛନ୍ତି, “ଆଜକୁ ପ୍ରାୟ ୨୦ ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ୭୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି। ହଜାର ହଜାର ନିର୍ଯାତିତ, ଆଉ କେତେ ହଜାର ନିଖୋଜହଜାର ହଜାର ସ୍ତ୍ରୀ ବିଧବା ହୋଇଛନ୍ତି, ଆଉ କେତେକ ଧର୍ଷିତା। ଇରାକ ଦଖଲ ସମୟରେ ୧,୬୫,୦୦୦ ଜଣ ଆମେରିକୀୟ ସୈନିକ ମୁତୟନ ହୋଇଥିଲେ। ପାଞ୍ଚ ଲକ୍ଷ ଭାରତୀୟ ସୈନ୍ୟ କାଶ୍ମୀର ଉପତ୍ୟକାର ଗଳିକନ୍ଦି, ପାହାଡ ଝରଣା, ଜନବସତି ଶୂନ୍ୟସ୍ଥାନ ସବୁଠି ମୁତୟନ।...ନିଜକୁ ଗଣତାନ୍ତ୍ରିକ ବୋଲି ଦାବି କରୁଥିବା ଏକ ସରକାର (କଂଗ୍ରେସ ନେତୃତ୍ଵାଧୀନ ୟୁପିଏ) ସାମରିକ ଦଖଲର ଯଥାର୍ଥତା ସାବ୍ୟସ୍ତ କରୁଛି ଓ ଏହାକୁ ହିଁ କହୁଛି ବିଜୟ।“ ୨୦୦୯ ମସିହାରେ ଅରୁନ୍ଧତୀ ନିଜର ଲେଖା “ଡେମୋକ୍ରାସିଜ ଫେଲିଙ୍ଗ ଲାଇଟ” (ଗଣତନ୍ତ୍ରର ଲିଭିଆସୁଥିବା ଔଜଲ୍ୟ) ରେ କାଶ୍ମୀରର ସ୍ଥିତି ସମ୍ପର୍କରେ ଉପରୋକ୍ତ ଲେଖା ଲେଖୁଛନ୍ତି। କିନ୍ତୁ ସେ ସମୟରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର ଲେଖିକାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇନଥିଲେ।

            ବିଜେପି ସରକାର ଭିନ୍ନମତ ପ୍ରତି ତୁଳନାତ୍ମକ ଭାବରେ ଅଧିକ ଅସହିଷ୍ଣୁ। ତାଙ୍କର ହିନ୍ଦୁରାଷ୍ଟ୍ର ଗଠନର ଜଲଦିବାଜି ରହିଛି। ଏହା ସହିତ ସଂବେଦନଶୀଳ ସମାଜ ଗଠନ ଅପେକ୍ଷା ଏକ ଦୃଢ ରାଷ୍ଟ୍ର ଗଠନ ଦକ୍ଷିଣପନ୍ଥୀ ବିଚାରର ଲକ୍ଷ୍ୟ। ଜାମ୍ମର ସୁଶୀଲ ପଣ୍ଡିତଙ୍କ ଅଭିଯୋଗ (ଏଫଆଇଆର) ଉପରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସେହି ୨୦୧୦ ମସିହାର ମିଟିଂ ଲାଗି ୨୦୨୩ ମସିହାରେ ଲେଖିକା ଓ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ରାଜଦ୍ରୋହ ବା ସେଡିସନ ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମ କୋର୍ଟ ଏହାର ବର୍ଷକ ପୂର୍ବରୁ, ୨୦୨୨ ମସିହାରେ, ‘ରାଜଦ୍ରୋହ ମାମଲା ଉପରେ ରୋକ ଲଗାଇଥିବା କାରଣରୁ ଏ ସଙ୍କ୍ରାନ୍ତରେ ପୁଲିସ ତତ୍ପର ନଥିଲା।

            ଅନ୍ୟ ତିନି ଜଣ ରାଜଦ୍ରୋହ ବା ସେଡିସନ ଅଭିଯୁକ୍ତ ହେଲେ ହୁରିୟାତ ନେତା ଏସଏଆର ଗିଲାନୀ, ଯାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସଏଦ ଗିଲାନୀ ଓ ପ୍ରଫେସର ଶୌକତ ହୁସେନ। ଇତି ମଧ୍ୟରେ ଏସଏଆର ଗିଲାନୀ ଓ ପ୍ରଫେସର ସଏଦ ଗିଲାନୀ ମୃତ୍ୟୁବରଣ କରିସାରିଛନ୍ତି। ରାଜଦ୍ରୋହ ମାମଲାରେ ବିଫଳ ହେବା ପରେ ଦିଲ୍ଲୀ ରାଜ୍ୟପାଳ “ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଲେ।  

             “ଭାରତର ଗଣତନ୍ତ୍ରକୁ ଆଜି ଅତି ଯୋଜନାବଦ୍ଧ ଭାବରେ ଖଣ୍ଡ ଖଣ୍ଡ କରିଦିଆଯାଇଛି। ଗଣତନ୍ତ୍ର କେବଳ ପରମ୍ପରା ନାମରେ କିଛିଟା ବଞ୍ଚିରହିଛିଅର୍ଥ, ତଥ୍ୟ, ସୁରକ୍ଷା, ମିଡିଆ, ଇଲେକ୍ସନ ପରିଚାଳନା, ସୁରକ୍ଷା ସଂସ୍ଥା ସବୁକୁ ସରକାର ନିଜ କର୍ତ୍ତୁତ୍ଵକୁ ନେବା ପରେ ଏବେ ଭାରତ ଏକ “ନିର୍ବାଚନ ସ୍ଵେଚ୍ଛାଚାରୀ” ଦେଶ ଭାବରେ ବଞ୍ଚିରହିଛି।“ (ଆପ୍ରୋଚିଙ୍ଗ ଗ୍ରୀଡଲକ/ ଅରୁନ୍ଧତୀ ରାୟ/ ୨୦୨୩) ଲେଖିକା ନିଜେ ମୋଦୀଙ୍କ ଏହି ବିଘଟିତ ଗଣତନ୍ତ୍ର ଓ ସ୍ଵେଚ୍ଛାଚାରୀ ଶାସନର ଶିକାର ହୋଇଛନ୍ତି।

            ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୋଟିଏପଟରେ ଏହି କଥା ଦୋହରାଉଛନ୍ତି, “କାଶ୍ମୀରରେ ଏବେ ସାଧାରଣ ସ୍ଥିତି ରହିଛି ଓ ସାଧାରଣ ଅବସ୍ଥା ଫେରିଆସିଛି।“ ଅନ୍ୟପଟରେ, କାଶ୍ମୀର ସଂକ୍ରାନ୍ତରେ ଲେଖାକୀୟ ଅଭିବ୍ୟକ୍ତିରେ ରୋକ ଲଗାଇବା ଲାଗି ଦିଲ୍ଲୀ ରାଜ୍ୟପାଳ “ଦେଶଦ୍ରୋହ”ରେ ମାମଲା ରୁଜୁ କରୁଛନ୍ତି। ଏହା ଲେଖିକାଙ୍କୁ କାଶ୍ମୀର ସମେତ ଅନ୍ୟ ସମସ୍ତ ପ୍ରସଙ୍ଗରେ ମୁହଁ ବନ୍ଦ ରଖିବାର ଧମକ 

            ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିରେ ଅର୍ଥାତ ଅଗଷ୍ଟ ୦୮, ୨୦୧୯ରେ ଉକ୍ତ ୟୁଏପିଏ (୧୯୬୭) ର ବିରାଟ ସଂଶୋଧନ ହୋଇଥିଲା। ଉକ୍ତ ସଂଶୋଧନ ଅନୁସାରେ, ଏଣିକି କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଥବା ନିଜର ବକ୍ତବ୍ୟ ବା କାର୍ଯ୍ୟ ଦ୍ଵାରା ଏହାକୁ ବଢାଉଥିବା ଅଭିଯୋଗରେ କୌଣସି ବ୍ୟକ୍ତିକୁ ମଧ୍ୟ କେନ୍ଦ୍ର ସରକାର ଆତଙ୍କବାଦୀ ଘୋଷଣା କରିପାରିବେ“ ଏଥିଲାଗି ସେ କୌଣସି ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇଥିବା ଜରୁରୀ ନୁହେଁ। ଭୀମାକୋରେଗାଓଁ ଘଟଣାରେ ଦେଶର ପ୍ରମୁଖ ୧୬ ଜଣ ମାନବିକ ଅଧିକାର କର୍ମୀ ମିଥ୍ୟା ଆରୋପରେ ୪ ରୁ ୬ ବର୍ଷ ହେଲା ଜେଲରେ ଅଛନ୍ତି। ସେଥିରୁ କେତେଜଣ ଜାମିନରେ ଏବେ ଆସିଛନ୍ତି। କିନ୍ତୁ ବିଚାର ଦୀର୍ଘ ଦିନ ପରେ ବି ଆରମ୍ଭ ହୋଇନାହିଁ।

            ଦମନ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ ଏହା ଏକ ରାଜନୈତିକ ବିଚାର ମଧ୍ୟ। ପୂର୍ବର କଂଗ୍ରେସ ସରକାର ଆଦିବାସୀ ଅଞ୍ଚଳରେ ବିଭିନ୍ନ କମ୍ପାନୀର ପ୍ରକଳ୍ପର ପଥ ସୁଗମ ଲାଗି ଅଧିକ ସଂଖ୍ୟକ ଆଦିବାସୀ ଓ ସେହି ଆଂଦୋଳନର ଦୃଢ ସମର୍ଥକଙ୍କୁ “ଦେଶଦ୍ରୋହ” ଆଖ୍ୟା ଦେଇ ଗିରଫ କରୁଥିଲେ। ସେମାନଙ୍କ ଜମି ଜଙ୍ଗଲ ଓ ସଂସ୍କୃତିର ସୁରକ୍ଷା ଲାଗି ଉଦ୍ୟମକୁ ଦେଶର “ସାର୍ବଭୌମତ୍ଵ”, “ଅଖଣ୍ଡତା”, “ଆର୍ଥିକ ପ୍ରଗତିରେ ବାଧା” ଓ “ସର୍ବସାଧାରଣ ଶୃଙ୍ଖଳା”ରେ ବାଧା ଆଣୁଥିବା କୁହାଯାଉଥିଲା।

            ୨୦୧୪ ମସିହାରେ ବିଜେପି ସରକାର ଆସିଲା। ନିଜର “ହିନ୍ଦୁରାଷ୍ଟ୍ର ଗଠନ”ର ଆଭିମୁଖ୍ଯ ଲାଗି ଧାର୍ମିକ ଅଳ୍ପସଂଖ୍ୟକ ବିଶେଷକରି ମୁସଲମାନ ସଂଗଠନ, ବ୍ୟକ୍ତିବିଶେଷ ଓ ସେମାନଙ୍କ ଦାବିକୁ ସମର୍ଥନ ଜଣାଉଥିବା ବ୍ୟକ୍ତି “ଦେଶଦ୍ରୋହ” ରେ ଅଧିକ ସଂଖ୍ଯାରେ ଆରୋପିତ ହେଲେ। “କାଶ୍ମୀର”, “ଗୋମାଂସ” ଓ ଲଭ ଜିହାଦ” ଇତ୍ୟାଦି ଏହି ଅଭିଯୋଗର ଅଂଶ। କହିବାକୁ ଗଲେ ଆଦିବାସୀଙ୍କ ସହିତ ଧାର୍ମିକ ଅଳ୍ପ ସଂଖ୍ୟକ ଓ ଦଳିତ ବର୍ଗ ଯୋଡ଼ିହୋଇଗଲେ।

            ୨୦୧୪ରୁ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା “ଦେଶଦ୍ରୋହ” ଆରୋପୀଙ୍କ ସଂଖ୍ୟା ହେଲା ୧୦,୫୫୨। ସେହି ସମୟ ମଧ୍ୟରେ ଦୋଷୀ ପ୍ରମାଣିତ ହୋଇଥିବା ବ୍ୟକ୍ତି ହେଲେ ମାତ୍ର ୨୫୩ ଜଣ ଅର୍ଥାତ ୨.୪ ପ୍ରତିଶତ। କିନ୍ତୁ “ଦେଶଦ୍ରୋହ” ଅଭିଯୋଗରେ ଛନ୍ଦି ହୋଇ ଦଶନ୍ଧି ଦଶନ୍ଧି ଜେଲ ଭିତରେ ସଢୁଥିବା ଗୋଷ୍ଠୀ ହେଲେ ଦେଶର ସଂଖ୍ୟାଲଘୁ ମୁସଲମାନ, ଦଳିତ, ଆଦିବାସୀ, ସାମାଜିକ କର୍ମୀ, ରାଜନୈତିକ କର୍ମୀ , ସାମ୍ବାଦିକ, ଅଧ୍ୟାପକ, ମାନବିକ ଅଧିକାର କର୍ମୀ ଓ ଛାତ୍ରଛାତ୍ରୀ। (ପିୟୁସିଏଲ ରିପୋର୍ଟ, ୨୦୨୨) ଭୀମାକୋରେଗାଓଁ ପରେ ଏବେ ଲେଖିକା ଅରୁନ୍ଧତୀ ଓ ପ୍ରଫେସର ସୌକତଙ୍କ ବିରୁଦ୍ଧରେ “ଦେଶଦ୍ରୋହ” ମାମଲା ରୁଜୁ ହୋଇଛି।

            ଯାହା ବିଭିନ୍ନ ସରକାରୀ ଉତ୍ସବରେ କୁହାଯାଇଥାଏ ଯେ ସାହିତ୍ଯ ହିଁ ସମାଜର ସମ୍ପଦ, ସାହିତ୍ଯ ହିଁ ସମାଜର ପ୍ରତିବିମ୍ବ ଓ ସାହିତ୍ୟିକ ହିଁ ସମାଜର ପଥପ୍ରଦର୍ଶକ ତାହା ସେତିକି ବାଟ ପର୍ଯ୍ୟନ୍ତ ଯେତେବାଟ ପର୍ଯ୍ୟନ୍ତ ସାହିତ୍ଯ ପ୍ରତିବାଦର ରାସ୍ତା ନନେଇଛି। ଯେଉଁ ମୁହୂର୍ତ୍ତରେ ସାହିତ୍ଯ ପ୍ରତିବାଦଧର୍ମୀ ହୁଏ ସେତେବେଳେ ସେ ସାହିତ୍ୟିକ ଦେଶଦ୍ରୋହୀର ଆଖ୍ୟା ପାଇଥାଏ।    ସମାଜ ନିକଟରେ ଶାସକକୁ ଉତ୍ତରଦାୟିତ୍ଵହୀନ କରିବା ଲାଗି ଦେଶଦ୍ରୋହ ର ଅଭିଯୋଗ ସରକାରଙ୍କ ଏକ ବଡ଼ ଆୟୁଧ। ଅରୁନ୍ଧତୀ ଏହାର ସଦ୍ୟତମ ଶିକାର। ସରକାର ନିଜକୁ ନିରଙ୍କୁଶ କରିବା ଲାଗି ନିଜର ଚେଷ୍ଟା ଜାରିରଖିଛନ୍ତି।

ମୋବାଇଲ: ୯୪୩୭୭୬୨୨୭୨

Thursday, June 27, 2024

ଜୁଲିଆନ ଆସେଞ୍ଜଙ୍କ ଦୃଢତା




ଦେବ ରଞ୍ଜନ

ଆସେଞ୍ଜ ଜଣେ ବ୍ୟକ୍ତି ନୁହେଁ ଏକ ବିଚାର ଓ ସେହି ବିଚାର ସହିତ ବିଶ୍ଵର ବିଭିନ୍ନ ପ୍ରାନ୍ତର ଗଣତନ୍ତ୍ର ପ୍ରେମୀ ଯୋଡିହୋଇଥିଲେଗଣତନ୍ତ୍ରର ସୁରକ୍ଷା ବ୍ଯକ୍ତିର ବାକ ସ୍ଵାଧୀନତା ଉପରେ ନିର୍ଭରଶୀଳଗଣତନ୍ତ୍ରରେ ନିର୍ବାଚିତ ନେତାମାନେ ଯେ ଲୋକଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତୁ ସେଥିଲାଗି ସେ ନିଜର ଉଦ୍ୟମ ଜାରି ରଖିଥିଲେ।

ଆସେଞ୍ଜଙ୍କ ନିଜର ଯୁଦ୍ଧ ବିରୋଧୀ ମନୋଭାବ ଓ ବାକ ସ୍ଵାଧୀନତା ପ୍ରତି ପ୍ରତିବଦ୍ଧତା ଆମକୁ ଆସେଞ୍ଜଙ୍କ କାର୍ଯ୍ୟ ପ୍ରତି ଆକୃଷ୍ଟ କରିଥିଲା। 

ଆସେଞ୍ଜଙ୍କ ଇଣ୍ଟରନେଟ ଆକ୍ଟିଭିଜିମ ପ୍ରତି ଯୁବ ସମୁଦାୟ ଆକୃଷ୍ଟ ହୋଇଥିଲେ ଓ ସେମାନେ ରାଷ୍ଟ୍ରମୁଖ୍ୟଙ୍କ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବାକୁ “ଇଣ୍ଟରନେଟ ହ୍ୟାକର” ପାଲଟି ଯାଇଥିଲେ। ଏହା ଅତ୍ୟଧିକ ଦୁଃସାହସିକ କାର୍ଯ୍ୟ। କିନ୍ତୁ ଆସେଞ୍ଜ ସେମାନଙ୍କ ଆଦର୍ଶ ହୋଇଯାଇଥିଲେ। ଆମେରିକାର ଏଡୱାର୍ଡ ସ୍ନୋଡେନ ତ ଏହା ପରବର୍ତ୍ତୀ ପିଢି ଯିଏ ଆମେରିକୀୟ ଯୁଦ୍ଧ ଷଡଯନ୍ତ୍ରକୁ ବିରୋଧ କରି ଅନେକ ତଥ୍ୟ ସାମ୍ନାକୁ ଆଣିଥିଲେ। ଆଜି ସେ ନିଜର ସୁରକ୍ଷା ଲାଗି ରୁଷିଆରେ ଆଶ୍ରିତ। ଆମେରିକା ସରକାର ତାଙ୍କୁ ନିଜ ଦେଶକୁ ଫେରାଇନେବା ଆବଶ୍ୟକ।    

ୱିକିଲିକ୍ସରେ ତଥ୍ୟ ପ୍ରଚାର କରିବା କାରଣରୁ ଆସେଞ୍ଜଙ୍କ ବିଚାର ଆମେରିକାର “ଗୁପ୍ତଚର ଆଇନ” ଅନୁସାରେ ଇଂଲଣ୍ଡ କୋର୍ଟରେ ଚାଲିଥିଲାଆମେରିକା ସରକାର ପ୍ରତ୍ୟର୍ପଣ ଲାଗି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରୁଥିଲେ। ପ୍ରକାଶିତ ତଥ୍ୟ କୌଣସି ବ୍ୟକ୍ତିଗତ ନଥିଲା, କୌଣସି ଦେଶର ନିଜସ୍ଵ ବ୍ୟାପାର ନଥିଲା, ତଥ୍ୟ କେବଳ ଏକ ଶକ୍ତିଶାଳୀ ଦେଶ ଓ ଦେଶ ସମୂହର ଅନ୍ୟ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ସମ୍ବନ୍ଧିତ ଥିଲା।   

ଅନ୍ୟପଟରେ, ଆସେଞ୍ଜଙ୍କ ମୁକ୍ତି ଲାଗି ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଜନସାଧାରଣଙ୍କ ଦ୍ଵାରା ଅନେକ ବିକ୍ଷୋଭ ହୋଇଛି। ଅନେକ ପିଟିସନରେ ଲୋକେ ଦସ୍ତଖତ କରିଛନ୍ତି ଯେଉଁଥିରେ ଏହି ଲେଖକ ଅନ୍ଯତମ।

ଅନ୍ୟଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ, ଯୁଦ୍ଧଖୋର ମନୋବୃତ୍ତି, ଯୁଦ୍ଧ ଅସ୍ତ୍ରର ବେପାର ତଥା କୌଣସି ସାମ୍ବାଦିକ ଅଥବା ଲେଖକ/ଲେଖିକାଙ୍କ ବାକ ସ୍ଵାଧୀନତାକୁ ବନ୍ଦ କରିବା ଲାଗି କୌଣସି ବି ଉଦ୍ୟମକୁ ବିରୋଧ କରିବା ଏହି ସମସ୍ତ ବିକ୍ଷୋଭ ଓ ପ୍ରତିବାଦର ଉଦ୍ଦେଶ୍ୟ ଥିଲା।

ଅତୀତରେ, ଏଭଳି ବିଶ୍ୱବ୍ୟାପି ଜନ ସମର୍ଥନ ଆଫ୍ରିକୀୟ ରାଷ୍ଟ୍ର ନିକାରାଗୁଆର ପରିବେଶବିତ ତଥା ଓକିଲ କେନ-ସାରୋ ବିବାଙ୍କ କ୍ଷେତ୍ରରେ ଦେଖାଯାଇଥିଲା।

ଆମେରିକୀୟ ତୈଳ କମ୍ପାନୀ ନିକାରାଗୁଆରେ ଚଳାଇଥିବା ଦମନ ଓ ଲୁଟକୁ କେନ ସାରୋ ନିଜର ଆଦିବାସୀ ଗୋଷ୍ଠୀଙ୍କୁ ନେଇ ବିକ୍ଷୋଭ ଆରମ୍ଭ କରିଥିଲେ। ତାଙ୍କୁ ଗିରଫ କରିବା ପରେ ତାଙ୍କର ଫାଶୀ ଦଣ୍ଡାଦେଶ ବିରୁଦ୍ଧରେ ବିଶ୍ଵବ୍ୟାପୀ ବିକ୍ଷୋଭ ଦେଖାଯାଇଥିଲା। ଦୁଃଖର କଥା ଥିଲା ଯେ ତାହାକୁ ଭୃକ୍ଷେପ ନକରି ନିକାରାଗୁଆର ସ୍ଵେଚ୍ଛାଚାରୀ ମିଲିଟାରୀ ସରକାର କେନଙ୍କୁ ୧୯୯୫ ରେ ଫାଶୀଦଣ୍ଡ ଦେଇଥିଲେ।

ଆସେଞ୍ଜଙ୍କ ସ୍ଥିତି କେନ ଶାରୋଙ୍କ ଭଳି ହେବ ନାହିଁ ତ? ଏହା ଅନେକ ଲୋକଙ୍କୁ ବ୍ୟସ୍ତ କରୁଥିଲା। ତାଙ୍କୁ ଗିରଫ କରିବା ଇଂଲଣ୍ଡ ପୁଲିସ ଉଦ୍ୟମ କରିବା କାରଣରୁ ଆସେଞ୍ଜ ଲଣ୍ଡନ ସ୍ଥିତ ଇକ୍ଵେଡର ଦୂତାବାସରେ ରାଜନୈତିକ ଆଶ୍ରୟ ନେଇ ସାତ ବର୍ଷ ଓ ପରେ ଇଂଲଣ୍ଡ ପୁଲିସ ଦ୍ଵାରା ଗିରଫ ହୋଇ ଲଣ୍ଡନରେ ଏକ ଜେଲର ଛୋଟ କୋଠରୀରେ ପୁଣି ଦୀର୍ଘ ପାଞ୍ଚ ବର୍ଷ କଟାଇଥିଲେ।

ଆସେଞ୍ଜଙ୍କ ପରିଚୟ ଓ କାର୍ଯ୍ୟ ସମ୍ବନ୍ଧରେ କହିବାକୁ ଗଲେ, ଅଷ୍ଟ୍ରେଲିୟ ଆସେଞ୍ଜ ନିଜର ୱେବ ପତ୍ରିକା ୱିକିଲିକ୍ସ କୁ ୨୦୦୬ ମସିହାରେ ଆରମ୍ଭ କରିଥିଲେ। ୱିକିଲିକ୍ସର କାର୍ଯ୍ୟ ଥିଲା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ନିଜର ଦେଶବାସୀଙ୍କୁ ଲୁଚାଇ କରୁଥିବା କାର୍ଯ୍ୟକୁ ସମସ୍ତଙ୍କ ଦ୍ରୁଷ୍ଟିକୁ ଆଣିବା।

ଆସେଞ୍ଜଙ୍କ ନିକଟକୁ ତଥ୍ୟ ପଠାଇଥିବା ବ୍ୟକ୍ତି ହେଲେ ଚେଲସିଆ ମ୍ୟାନିଙ୍ଗ। ଚେଲସିଆ ମ୍ୟାନିଙ୍ଗ ଯିଏ ଆମେରିକା ସରକାରଙ୍କ ଦ୍ଵାରା ସୁରକ୍ଷା ଅଫିସର ଭାବରେ ନିଯୁକ୍ତ ଥିଲେ ସେ ଜଣେ ଦକ୍ଷ କମ୍ପ୍ୟୁଟର ହ୍ୟାକର ଭାବରେ ଇରାକ ଓ ଆଫଗାନିସ୍ତାନର ଯୁଦ୍ଧ ସମ୍ବନ୍ଧିତ ତଥ୍ୟ ଇଣ୍ଟରନେଟ ମାଧ୍ୟମରେ ସରକାରୀ ୱେବସାଇଟରୁ ହ୍ୟାକ କରିଥିଲେ। ସେ ୭ ଲକ୍ଷ ପୃଷ୍ଠାର କାଗଜ ଡାଉନଲୋଡ କରି ୨୦୦୯ ମସିହାରେ ୱିକିଲିକ୍ସକୁ ଦେଇଥିଲେ ଯାହା ପରେ ୱିକିଲିକ୍ସରେ ପ୍ରକାଶିତ ହୋଇ ବିଶ୍ବରେ ଚହଳ ପକାଇଥିଲା।   

ଇରାକରେ ସେ ସମୟ ବେଳକୁ ସଦ୍ଦାମ ହୁସେନଙ୍କୁ ଆମେରିକୀୟ ସୈନ୍ୟବାହିନୀ ଦ୍ଵାରା ହତ୍ୟା ହୋଇସାରିଥିଲା, ଗଣତନ୍ତ୍ର ଓ ନିର୍ବାଚନ ନାମରେ ଆମେରିକୀୟ ପସନ୍ଦର ସରକାର ଇରାକରେ ପ୍ରତିଷ୍ଠିତ ହୋଇଥିଲା ଓ ଆମେରିକାର ନୂତନ ରାଷ୍ଟ୍ରପତି ବାରାକ ଓବାମା ଇରାକରୁ ସୈନ୍ୟ ପ୍ରତ୍ୟାହାରର ପ୍ରତିଶୃତି ଦେଇ ନିର୍ବାଚନ (୨୦୦୯ ) ଜିତି ସାରିଥିଲେ।

ୱିକିଲିକ୍ସ ଏହି ସମୟରେ ସେହି ହ୍ୟାକ ହୋଇଥିବା ତଥ୍ୟ ଓ ଭିଡିଓ ମଧ୍ୟରୁ ଏକ ଭିଡିଓ ସମସ୍ତଙ୍କ ଦ୍ରୁଷ୍ଟିକୁ ଆଣୁଛି ଯେଉଁଥିରେ ଇରାକ ରାଜଧାନୀ ବାଗଦାଦ ସହରରେ କିଛି “ମିଲିଟାଣ୍ଟ” ରାସ୍ତାର ଏକ ପାର୍ଶ୍ଵରେ କିଛି ଆଲୋଚନା କରୁଛନ୍ତି ଯାହାଙ୍କ ଉପରେ ଆମେରିକୀୟ ସୈନ୍ୟବାହିନୀ ଏରିଆଲ ବୋମାମାଡ କରି ସେମାନଙ୍କୁ ମାରିଦେଉଛିଏଥିରେ ବେଶ କେତେକ ସାଧାରଣ ଲୋକ ଓ ଦୁଇ ଜଣ ସାମ୍ବାଦିକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଆମେରିକାର ଏଭଳି ବର୍ବର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ ବିଶ୍ଵର ଅନେକ ପ୍ରାନ୍ତରେ ହୋଇଥିଲା।

ସଦ୍ଦାମ ହୁସେନଙ୍କ ପତନ ଓ ତତ୍ପରବର୍ତ୍ତୀ ଜନ ପ୍ରତିକ୍ରିୟାକୁ ଦମନ କରିବା ଲାଗି ଅନେକ ଇରାକୀ ଜନତାଙ୍କର ଆମେରିକୀୟ ସୈନ୍ୟଙ୍କ ଦ୍ଵାରା ହତ୍ୟା କରାଯାଇଥିଲା। ଏହି ସଂଖ୍ୟା ଛଅଷଠି ହଜାର। ଏହାକୁ ଆମେରିକା ସରକାର ସ୍ଵୀକାର କରିବା ଲାଗି ପ୍ରସ୍ତୁତ ନଥିଲେମାତ୍ର ୱିକିଲିକ୍ସ ସରଜାରୀ ତଥ୍ୟକୁ ଲିକ କରି ଉପରୋକ୍ତ ତଥ୍ୟ ସତ୍ୟ ଦର୍ଶାଇଥିଲା।

ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତି ବିରୁଦ୍ଧରେ ଜନଅସନ୍ତୋଷ ମଧ୍ୟ ବଢିବାରେ ଲାଗିଥିଲା।  ଆସେଞ୍ଜଙ୍କ ଭାଷାରେ “ଏହି ଯୁଦ୍ଧ କେବଳ ଯୁଦ୍ଧ ନୁହେଁ ବରଂ ଆମେରିକୀୟ ଲୋକଙ୍କ ଟାକ୍ସ ଅର୍ଥକୁ ଆଫଗାନିସ୍ତାନର ଯୁଦ୍ଧର ରାସ୍ତାରେ ଖର୍ଚ୍ଚ ଦର୍ଶାଇ ପୁଣି ଆମେରିକାର ଧନୀଙ୍କ ପକେଟକୁ (ମନି ଲଣ୍ଡରିଙ୍ଗ) ନେବା ଉଦ୍ଦେଶ୍ୟ।“

ଅନ୍ୟ ଦେଶର ଆଭ୍ଯନ୍ତରୀଣ ବିଷୟରେ ହସ୍ତକ୍ଷେପ ଜାତିସଂଘର ଘୋଷଣାନାମାର ବିରୁଦ୍ଧାଚରଣ କରୁଛି। ଏହା ସତ୍ବେ ଆମେରିକା ସରକାର ଏଭଳି ଉଲ୍ଲଂଘନ ବାରମ୍ବାର କରିଛନ୍ତି। କେବଳ ଆଫଗାନିସ୍ତାନ ଅଥବା ଇରାକ ନୁହେଁ ନିକାରାଗୁଆ, ଲିବିଆ, ମେକ୍ସିକୋ, ପାନାମା ଭଳି ଅନେକ ଦେଶର ସରକାରଙ୍କୁ ଆମେରିକା ସରକାର ହୁଏତ ମାରିଦେଇଥିଲେ ଅଥବା ଗିରଫ କରିଥିଲେ ନଚେତ ସେହି ସମସ୍ତ ଦେଶରେ ଶାସକ କିଏ ହେବ, ସେମାନଙ୍କ ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିଲେ। ଏ ମଧ୍ୟରୁ ବେଶ କିଛି ତଥ୍ୟ ୱିକିଲିକ୍ସରେ ପ୍ରକାଶିତ ହୋଇଥିଲା।

ୱିକିଲିକ୍ସ ହିଁ ତଥ୍ୟ ଦେଇଥିଲା ଯେ ଆମେରିକା ସରକାର ଗୁଏତମାଳା ଠାରେ ହିଟଲରଙ୍କ ଗ୍ଯାସ ଚ୍ୟାମ୍ବର ଭଳି ଏକ କଂଷ୍ଟ୍ରେସନ କ୍ୟାମ୍ପ ଆରମ୍ଭ କରିଛନ୍ତି। ଏହା ମୁଖ୍ଯତଃ ମେକ୍ସିକୋ ପଟରୁ ଚାଲିଆସୁଥିବା ବାସିନ୍ଦାଙ୍କୁ ଦଣ୍ଡ ସ୍ୱରୂପ ସେଠାରେ ରଖାଯାଉଛି।

ମୋର ମନେଅଛି ଭାରତରେ ଦି ହିନ୍ଦୁ ଇଂରାଜୀ ଖବରକାଗଜ ସହିତ ୱିକିଲିକ୍ସର ଚୁକ୍ତି ହୋଇଥିବା କାରଣରୁ ସେମାନେ ସେହି ଗୁପ୍ତ ତଥ୍ୟକୁ ପ୍ରକାଶ କରୁଥିଲେ। ଦି ହିନ୍ଦୁ ପ୍ରଥମେ ପ୍ରତିଦିନ ଓ ପରେ ଦୁଇ ରୁ ତିନି ଦିନ ବ୍ଯବଧାନରେ ଓ ପରେ ପରେ କୌଣସି ସୂଚନା ନଦେଇ ଅଧିକ ଦିନ ବ୍ଯବଧାନରେ ସେହି ଡକ୍ୟୁମେଣ୍ଟକୁ ପ୍ରକାଶ କରୁଥିଲେ। ଭାରତର ଅନେକ ଖବରକାଗଜ, ଓଡିଆ ଖବରକାଗଜ ମଧ୍ୟ, ତାହାର ଅନୁବାଦ ନିଜର ପୃଷ୍ଠାରେ ତାହାକୁ ପ୍ରକାଶ କରୁଥିଲେ।

ଏହାଥିଲା ମିଡିଆର ଦାୟିତ୍ଵ।  ୱିକିଲିକ୍ସ - ଦି ହିନ୍ଦୁ ସୂତ୍ରରୁ ପ୍ରଥମେ ଜଣାପଡିଥିଲା ଯେ ଭାରତ ସରକାର “ଆଧାର” (UID) ନାମକ ଏକ ପରିଚୟ ପତ୍ର ପ୍ରସ୍ତୁତ କରିବା ଲାଗି ମନସ୍ଥ କରିଛନ୍ତି। ଏହା ୨୦୦୯ ମସିହାର କଥା। ଭାରତୀୟଙ୍କ ଲାଗି ଉଦ୍ଦିଷ୍ଟ ପରିଚୟ ପତ୍ର ସମ୍ପର୍କରେ ଆମେରିକୀୟ ପ୍ରଶାସନ ଅବଗତ ହେବା ଅଥଚ ଭାରତୀୟମାନେ ନହେବା – ମିଡିଆର ଏହି ପ୍ରଶ୍ନ ଭାରତ ସରକାରଙ୍କୁ ଅପ୍ରସ୍ତୁତ କରିଦେଇଥିଲା। କେନ୍ଦ୍ର ସରକାର ଆକ୍ରୋଶମୂଳକ ମନୋବୃତ୍ତିକୁ ଦି ହିନ୍ଦୁ ଖବରକାଗଜ ବେଶ କିଛି ବର୍ଷ ସାମ୍ନା କରିଥିଲା।

ଆମେରିକା ସରକାର “ଗୁପ୍ତଚର ଆଇନ” ବଳରେ ଚେଲସିଆ ମ୍ୟାନିଙ୍ଗଙ୍କୁ ୨୦୧୦ ମସିହାରେ ଗିରଫ କରିଥିଲେ ଓ ସେ ଗିରଫର ନଅ ବର୍ଷ ପରେ ରାଷ୍ଟ୍ରପତି ଓବାମାଙ୍କ ସମୟରେ ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ଆସେଞ୍ଜଙ୍କ ବିଚାର ଦୀର୍ଘ ବର୍ଷ ଚାଲିଥିଲା। ଜଣେ ସାମ୍ବାଦିକ ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବା, ବାକ ସ୍ଵାଧୀନତାର ସୁରକ୍ଷା ଦିଗରେ କାମ କରିବା ଗଣତାନ୍ତ୍ରିକ ଦେଶ ଆମେରିକାର ପ୍ରଶାସନ ଲାଗି ଅସହ୍ୟ ହେଉଥିଲାଏହାକୁ କିନ୍ତୁ ସାଧାରଣ ଆମେରିକୀୟମାନେ ଅଧିକ ବିରୋଧ କରିଛନ୍ତି। ଅନେକ ଯୁଦ୍ଧ-ବିରୋଧୀ ଫୋରମ ଆସେଞ୍ଜଙ୍କ ସହିତ ଠିଆ ହୋଇଥିଲେ।

ଆସେଞ୍ଜଙ୍କ ମୁକ୍ତି ଲାଗି ଭାରତ ସରକାର ଯେ ବିଶ୍ଵର ସର୍ବବୃହତ ଗଣତନ୍ତ୍ର ବୋଲି ଦାବି କରିଥାନ୍ତି ସେ କେବେ ଉଦ୍ୟମ କରିନାହାନ୍ତି। ଯେଉଁଠି ଦେଶର ଲେଖକ/ଲେଖିକା ନିଜର ଲେଖା ଅଥବା ବକ୍ତବ୍ୟ ପାଇଁ ସରକାରଙ୍କ ଦ୍ଵାରା ଦେଶଦ୍ରୋହୀ ଘୋଷିତ ହୋଇଥାନ୍ତି ସେଠାରୁ ସେଭଳି ଉଦ୍ୟମ ଯେ କରାଯିବ ତାହା ଆଶା କରାଯାଇନପାରେ।

ଆସେଞ୍ଜଙ୍କ ନିଜ ଦେଶ ଅଷ୍ଟ୍ରେଲିଆ ତରଫରୁ ମଧ୍ୟ କୌଣସି ଉଦ୍ୟମ ହୋଇନାହିଁ। ଆସେଞ୍ଜଙ୍କ କାର୍ଯ୍ୟକୁ ମଧ୍ୟ କୌଣସି ରାଷ୍ଟ୍ର ପ୍ରମୁଖ ପ୍ରଶଂସା କରିବାର ଉଦାହରଣ ନାହିଁ। କାହିଁକି? ପଡୋଶୀ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଓ ଯୁଦ୍ଧ ଅସ୍ତ୍ର ବଜାରରେ ସାମିଲ ରହିବା କଣ ରାଷ୍ଟ୍ରମୁଖ୍ୟଙ୍କ ଅନ୍ଯତମ ଭୂମିକା?  

ଆମେରିକା ରାଷ୍ଟ୍ରପତି ବାଇଡେନ ଆସେଞ୍ଜଙ୍କ ସହିତ ଦୁଇ ପାଖିଆ ଚୁକ୍ତି କରିଥିଲେ। ଏଥିରେ ଆସେଞ୍ଜ ନିଜର ଦୋଷ ସ୍ଵୀକାର କରିଥିଲେ ଓ ଆଇନ ଅନୁସାରେ ପାଞ୍ଚ ବର୍ଷ ଜେଲ କାଟି ସାରିଥିବା କାରଣରୁ ସେ ମୁକ୍ତ ହୋଇ ନିଜ ଦେଶ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। 

ଅନ୍ୟ ଦେଶର ଆଭ୍ଯନ୍ତରୀଣ ବିଷୟରେ ହସ୍ତକ୍ଷେପ କରିବା ଓ ଯୁଦ୍ଧ ଚଳାଇ ରଖିବା ଲାଗି ଯେଉଁମାନେ ଦୋଷୀ ସେମାନେ କିନ୍ତୁ ଆନ୍ତର୍ଜାତିକ କୋର୍ଟରେ କେବେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସେମାନଙ୍କର କେବେ ବିଚାର ମଧ୍ୟ ହୋଇନାହିଁ। ଅଥଚ ଏହି ତଥ୍ୟକୁ ଲୋକଙ୍କ ସାମନାକୁ ଆଣିବା କାରଣରୁ ଆସେଞ୍ଜ ଦୋଷୀ ସାବ୍ୟସ୍ତ ହେଲେ। ଯାହାଙ୍କୁ ଦିନେ ବି ଜେଲରେ ରଖିବା ସମଗ୍ର ମାନବବାଦ ପ୍ରତି ଦୋଷାବହ କାର୍ଯ୍ୟ ତାଙ୍କୁ ପାଞ୍ଚ ବର୍ଷ ବିଶ୍ଵର ବିକଶିତ ଦେଶମାନେ ରଖିଥିଲେ। 

କେବଳ ନିନ୍ଦା ଏଥିଲାଗି ଯଥେଷ୍ଟ ନୁହେଁ। ବିକଶିତ ଦେଶମାନେ ନିଜର ଧ୍ଵଂସକାରୀ ଆଭିମୁଖ୍ୟରେ ଯେପତି ପରିବର୍ତ୍ତନ ଆଣିବେ ସେଥିଲାଗି ଅନେକ ସଂଘର୍ଷର ଆବଶ୍ୟକତା ରହିଛି।  

 

ଯୋଗାଯୋଗ: debasar11@yahoo.co.in

 


Wednesday, March 27, 2024

ଜେଲ ଓ ଜୁମ୍ଳାର ଗ୍ୟାରେଣ୍ଟି

 


        ଭାରତୀୟ ଗଣତନ୍ତ୍ରରେ ଗଣ ସର୍ବଦା ତନ୍ତ୍ରର ଊର୍ଦ୍ଧ୍ଵରେ ରହିବା କଥା ଅର୍ଥାତ ଦେଶର ନାଗରିକ ସରକାରଙ୍କ ଉର୍ଦ୍ଧ୍ଵରେ ରହିବା କଥା। ଏହାକୁ ସ୍ଵୀକାର କରିବା ଶାସକର ବିନମ୍ରତା। ଏହି ବିନମ୍ରତା ଯଦି ନାହିଁ ତେବେ ଶାସକ ଅଗଣତାନ୍ତ୍ରିକ ଓ ସ୍ଵେଚ୍ଛାଚାରୀ ହେବା ନିଶ୍ଚିତ। ପୂର୍ବରୁ ପ୍ରତ୍ୟେକ ଶାସକ ଲୋକଙ୍କ ଶକ୍ତିକୁ ଭାଙ୍ଗିବାରେ କାମ କରିଛନ୍ତି ।

ସେଥିଲାଗି ସେମାନେ ସାଧାରଣ ଲୋକଙ୍କୁ ଦଣ୍ଡ ଦେବା, ହତ୍ୟା କରିବା, ଘର ଭାଙ୍ଗିଦେବା, ମାନସିକ ଅତ୍ୟାଚାର କରିବାର ଅନେକ ଆଇନ ପ୍ରଣୟନ କରିଛନ୍ତି। ସାଧାରଣ ଲୋକେ ଅତ୍ୟାଚାରୀ ଶାସକକୁ ଶାସନରୁ ତୁରନ୍ତ ହଟାଇବାର ଅଧିକାର ଯେପରି ପାଇବେ ସେଥିଲାଗି କୌଣସି ଦଳ ବା ଶାସନରେ ଥିବା ବ୍ୟକ୍ତି କେବେ ଚିନ୍ତା ମଧ୍ୟ କରିନାହାନ୍ତି।

ତେଣୁ ଦେଶର ଗଣତନ୍ତ୍ର ସଂପୂର୍ଣ୍ଣ ଶାସକର ତନ୍ତ୍ର ଓ ଲୋକେ ସେମାନଙ୍କ ଗୁଲାମରେ ପରିଣତ ହେଉଛନ୍ତି। ଏହି ପ୍ରକ୍ରିୟା ଗଲା ବେଶ କିଛି ବର୍ଷ ହେଲା ଜୋରରେ ଚାଲିଛି। ଏହାର କାରଣ ହେଲା ଶାସକର ତୀବ୍ର ଅହଂକାର।

ହୁଏତ ଆକାଉଣ୍ଟକୁ ପନ୍ଦର ଲକ୍ଷ ଟଙ୍କା ଆସିବା ଜୁମ୍ଳା ଥିଲା ଯାହା ଗୃହମନ୍ତ୍ରୀ ଅମିତ ଶାହା ସ୍ଵୀକାର କରିଥିଲେ। କିନ୍ତୁ ଧାରା 370ର ସଂଶୋଧନ, ନାଗରିକ ସଂଶୋଧନ ଆଇନ ପ୍ରଣୟନ, ସମାନ ନାଗରିକ ସଂହିତା, ବିମୁଦ୍ରାକରଣ, ରାମ ମନ୍ଦିର ନିର୍ମାଣ, ନୂଆ ୟୁଏପିଏ ଆଇନ ଇତ୍ୟାଦି ଆଦୌ ଜୁମ୍ଳା ନଥିଲା।

ନିଜକୁ ସୁହାଇବା ଭଳି ନିଷ୍ପତ୍ତି ହେଲା ଦଳୀୟ ମାନିଫେଷ୍ଟୋ ଓ ଲୋକଙ୍କ ହିତ ଲାଗି କରିଥିବା ଘୋଷଣା ହେଲା ଜୁମ୍ଳା”। ଗଣ ଓ ତନ୍ତ୍ର ମଧ୍ୟରେ ଦୂରତା ଆଜି ଚନ୍ଦ୍ର ଓ ପୃଥିବୀର ଦୂରତା ହୋଇଯାଇଛି। ତେଣୁ କେଉଁଟି ଜୁମ୍ଳା ଓ କେଉଁଟି ନିଶ୍ଚିତ ସେ ପ୍ରଶ୍ନ କରିବା ମଧ୍ୟ ଅପରାଧ।         

            ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ହେବାକୁ ହେଲେ ପ୍ରଥମେ ନିଜ ଦଳ ନିର୍ବାଚନରେ ଲଢିବା ଲାଗି ଟିକଟ ଦେବା ଆବଶ୍ୟକ, ପୁଣି ଲୋକେ ସାଂସଦ ଭାବରେ ନିର୍ବାଚିତ କରିବା (ପ୍ରଧାନମନ୍ତ୍ରୀ ହେବାର ଅଥବା ଛଅ ମାସ ମଧ୍ୟରେ ନିର୍ବାଚିତ କରିବା) ଓ ପୁଣି ନିର୍ବାଚିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ବାଛିବା ହେଲା ଏଠାର ବ୍ୟବସ୍ଥା। କିନ୍ତୁ ଜଣେ ଶାସକ ଯଦି ନିର୍ବାଚନ ପୂର୍ବରୁ ନିଜର ପିତୃଦତ୍ତ ସାଙ୍ଗିଆରେ ଦେଶବାସୀଙ୍କୁ ଗ୍ୟାରେଣ୍ଟି ଦିଏ ତେବେ ଏହା ନିଶ୍ଚିତ ଯେ ଦଳ ମଧ୍ୟରେ କୌଣସି ଗଣତନ୍ତ୍ର ନାହିଁ । 

ଏହାକୁ ଦଳର ସଦସ୍ୟମାନେ ଗ୍ରହଣ କରିନେଇପାରିଥାନ୍ତି। କିନ୍ତୁ ଦେଶବାସୀଙ୍କୁ ଏମାନେ ଭାବନ୍ତି କିଛି ହାଡ ମାଂସର ମଣିଷ ଯାହାଙ୍କୁ ନିର୍ବାଚନ ଆସିଲେ ନିଜ ଲାଗି ଆବଶ୍ୟକ ଓ ପୁଣି ନିର୍ବାଚନ ସରିଗଲେ ଦେଶ ଲାଗି ବୋଝ

କୋଭିଡରେ ମରିଯାଇଥିବା ପରିବାରର ସଦସ୍ୟ, ଦାଦନ ଯାଇଥିବା ଶ୍ରମିକର ସ୍ତ୍ରୀ ଓ ପିଲା, ବୁଲଡ୍ରୋଜର ଲଗାଇ ଭାଙ୍ଗିଦେଇଥିବା ଘରର ମାଲିକ, ଆକ୍ରମଣ କରିଥିବା ମୁସଲମାନ ଯୁବକର ପତ୍ନୀ, ବିନା କାରଣରେ ଆକ୍ରମଣର ଶିକାର ହେଉଥିବା ଖ୍ରୀଷ୍ଟିୟାନ ପରିବାର, ଦିନକୁ ଷୋହଳ ଘଣ୍ଟା ପରିଶ୍ରମ କରୁଥିବା ଗିଗ ଶ୍ରମିକ, ଠିକା ଶ୍ରମିକ, ଆତ୍ମହତ୍ୟା କରୁଥିବା ଚାଷୀ ଓ ବେକାରୀ ଯୁବକ, ରାସ୍ତା କଡର ଦୋକାନ ବାରମ୍ବାର ଭାଙ୍ଗିଦେଉଥିବା ଦୋକାନୀର ପରିବାରକୁ ଆଜି ଏମାନେ କଣ ଗ୍ୟାରେଣ୍ଟି ଦେଉଛନ୍ତି? ଭାରତରେ ଗଲା କିଛି ବର୍ଷ ଯାହା ଚାଲିଛି ଆଗାମୀ ଦିନରେ ଦ୍ରୁତ ଗତିରେ ତାହା ଚଳିବାର ଗ୍ୟାରେଣ୍ଟି ଆଜିକାଲି ଟିଭି ଓ ଗଣମାଧ୍ୟମରେ ଦିଆଯାଉଛି।             

            ଦେଶରେ ଗଲା କିଛି ବର୍ଷ ହେଲା ଅନେକ ମନ୍ଦିର ତିଆରି ହୋଇଛି। ସରକାରୀ ସହଯୋଗ ପାଇ ମନ୍ଦିର ଗୁଡିକ ଅଧିକ ସୁନ୍ଦର ଦେଖାଯାଉଛି, ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢୁଛି, ସରକାରଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢୁଛି ଓ ଏହା ସହିତ ସମାନ୍ତରାଳ ଭାବରେ ଦେଶରେ ଧର୍ଷଣ, ହତ୍ୟା, ହିଂସା, ଡକାୟତି ଓ ସରକାରୀ ଦୁର୍ନୀତି ମଧ୍ୟ ବଢୁଛି। ମନ୍ଦିରକୁ ଯାଉଥିବା ଭକ୍ତଙ୍କ ସଂଖ୍ୟା ବଢିବା ସହିତ ସେହି ଭକ୍ତମାନଙ୍କ ମଧ୍ୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ହିଂସା, ଦ୍ଵେଷ, ଅତ୍ୟାଚାରୀଙ୍କ ସଂଖ୍ୟା ବଢୁଥିବା ହେତୁ (ନଚେତ ଏତେ ସଂଖ୍ୟକ ଲୋକ ଆସିବେ କେଉଁଠୁ) ଲୋକେ ହୁଏତ  କେବେ ଠାରୁ ଭଗବାନ ସତରେ ଅଛନ୍ତି କି ନାହାନ୍ତି ଏହାକୁ ନେଇ ପ୍ରଶ୍ନ କରିଥାନ୍ତେ।

ଲୋକେ ଭାବିଥାନ୍ତେ ଯେ ଭଗବାନ ବି ପ୍ରଭାବହୀନ ନିଷ୍କ୍ରିୟ ହୋଇଗଲେଣି। କିନ୍ତୁ ସେଭଳି ହେଉନାହିଁ। ଦେଶରେ ନୂତନ ଭଗବାନଙ୍କ ଆବିର୍ଭାବ ହେବା କଥା ମିଡିଆରେ ପ୍ରଚାର ହେଉଛି। ବାକି ପ୍ରମୁଖ ରାଜନୈତିକ ଦଳ “ଧର୍ମନିରପେକ୍ଷତା” କୁ ଭୁଲିଗଲେଣି। ଏହି କାରଣରୁ ଲୋକଙ୍କର ସରକାରୀ ଦଳ ପ୍ରତି ଆନୁଗତ୍ୟ ବଢୁଛି।

ଏହି ଗ୍ୟାରେଣ୍ଟି ହେତୁ ଲୋକେ ବିଜ୍ଞାନକୁ ଭୁଲ କହୁଛନ୍ତି, ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ କରୁଛନ୍ତି, ପ୍ରକୃତ ଇତିହାସକୁ ଭୁଲିଯାଇ ନୂଆ ଇତିହାସକୁ ବିଶ୍ଵାସ କରୁଛନ୍ତି, ସରକାରଙ୍କୁ ନିଜର ପ୍ରଭୁ ମନେକରୁଛନ୍ତି ଓ ନିଜ ଲୋକଙ୍କୁ ଦେଶଦ୍ରୋହୀ କହି ଉଭୟ ଉଭୟ ବାକ୍ୟ ଓ ଅସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି।

ଅବୈଜ୍ଞାନିକ ଚିନ୍ତାଧାରା ସମାଜରେ ପ୍ରଚାର କରିବା ଅସମ୍ବିଧାନିକ। କିନ୍ତୁ ସମ୍ବିଧାନର ମୂଳ ଘୋଷଣାନାମାକୁ ବଦଳାଇ ନୂତନ ଘୋଷଣାନାମା ଲେଖିବାର ପ୍ରୟାସ ଚାଲିଛି। ସେଥିଲାଗି ଦେଶରେ ପରିବେଶ ସୃଷ୍ଟି କରାଯାଉଛି।  ଏବେ ହିନ୍ଦୁଧର୍ମର ନୂଆ ପୁରାଣ ଲେଖା ହେଉଛି।

            ମୋଦୀ ଗ୍ୟାରେଣ୍ଟିର ଅନ୍ୟ ଏକ ରୂପ ହେଲା ନିଜ ବିଚାରକୁ ସୁହାଇବା ବ୍ୟକ୍ତିଙ୍କୁ ଦେଶପ୍ରେମୀଓ ଅସହମତି ରଖୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀବାଛିବା। 

ଦେଶର ଦଙ୍ଗାକାରୀଙ୍କୁ ଭାରତରତ୍ନ ଉପାଧୀ ଦେବା ଓ ଅଲମ୍ପିକ ବିଜେତାଙ୍କୁ ପୁଲିସ ଲଗାଇ ଆକ୍ରମଣ କରିବା, ଜଷ୍ଟିସ ଲୋୟାଙ୍କ ହତ୍ୟାକାରୀ ସମ୍ପର୍କରେ କୌଣସି ଅନୁସନ୍ଧାନ ନକରିବା କିନ୍ତୁ ଦିଲ୍ଲୀ ଦଙ୍ଗାର ମିଥ୍ୟା ଆରୋପରେ ସାମାଜିକ କର୍ମୀଙ୍କୁ ଜେଲରେ ରଖିବା, ଭୀମାକୋରେଗାଓଁ କେସରେ ପ୍ରକୃତ ଦଙ୍ଗାକାରୀଙ୍କୁ ବାଦ ଦେବା କିନ୍ତୁ ଘଟଣା ଦିନ ଆଦୌ ଉପସ୍ଥିତ ନଥିବା ମାନବିକ ଅଧିକାର କର୍ମୀଙ୍କୁ ଗିରଫ କରିବା, ଗାଈ ମାଂସ ମିଳିବାର ମିଥ୍ୟା ପ୍ରଚାର କରି ଅଳ୍ପ ସଂଖ୍ୟକଙ୍କୁ ହତ୍ୟା କରିବା କିନ୍ତୁ  ଗୁଜୁରାଟ ଦଙ୍ଗାରେ ନ୍ୟାୟାଳୟ ଦ୍ଵାରା ଦୋଷୀ ସାବ୍ୟସ୍ତ ହତ୍ୟାକାରୀ ଓ ଧର୍ଷଣକାରୀଙ୍କୁ ଜେଲରୁ ମୁକ୍ତ ଦେବା ଭଳି ଦେଶଦ୍ରୋହୀଦେଶପ୍ରେମୀଙ୍କ ଅନେକ ଉଦାହରଣ ରହିଛି। ଆର୍ଟିକିଲ ୧୪

 ମିଡିଆ ଗୃପ ଦ୍ଵାରା ପ୍ରସ୍ତୁତ ତାଲିକା ଅନୁସାରେ, ୨୦୧୧ ରୁ ୨୦୨୧ ମସିହା ମଧ୍ୟରେ ୧୩୦୦୦ ଭାରତୀୟଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି   ସେଥି ମଧ୍ୟରୁ ୬୫% ମାମଲା ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରରେ ଆସିବା ପରଠାରୁ ରୁଜୁ ହୋଇଛି

ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ସାମ୍ବାଦିକ, ଲେଖକ ଓ ବିରୋଧୀ ରାଜନୈତିକ ଦଳର ସଦସ୍ୟ ରାଜଦ୍ରୋହ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ୫୦ ରୁ ୨୦୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଛି ଓ ୧୦,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାମିନ ଲାଗି ଖର୍ଚ୍ଚ କରିବାକୁ ପଡିଛି

ଆଇପିସିର ଧାରା ୧୨୪ (କ) ବଦଳରେ ନୂତନ ନ୍ୟାୟ ସଂହିତାର ଧାରା ୧୫୨ରେ ତାହା ଠାରୁ ଅଧିକ କଠୋର ପ୍ରସ୍ତାବ ଉଲ୍ଲେଖ କରି ଗଣମାଧ୍ୟାମରେ ରାଜଦ୍ରୋହ ଧାରା ବାଦ ପଡିଛି କହିବା ଆଶ୍ଚର୍ଯ୍ୟ କରୁଛି। 

ରାଜନୈତିକ ଯୁମ୍ଳାବାଜୀ ଓ ବିରୁଦ୍ଧରେ ପ୍ରତିବାଦ ତୀବ୍ର କରିବା ଆବଶ୍ୟକ। ଏହାଦ୍ୱାରା ଅନ୍ତତଃ ଗଣତନ୍ତ୍ର ବଞ୍ଚିପାରିବ । 


 

ଦେବ ରଞ୍ଜନ (9437762272 / debasar11@yahoo.co.in)

(ସମଦୃଷ୍ଟିପତ୍ରିକାର ୧୬ – ୨୯ ଫେବୃଆରୀ – ମାର୍ଚ୍ଚ ୧ – ୧୬ ସଂଖ୍ୟାରେ ପ୍ରକାଶିତ)