ଦେବ ରଞ୍ଜନ
Friday, August 16, 2024
ଅପାରଗତାକୁ ଲୁଚାଇବା ଲାଗି ଆକ୍ରମଣ
Thursday, July 25, 2024
ଧାର୍ମିକ କଟ୍ଟରବାଦରୁ ମୁକ୍ତିର ରାସ୍ତା
“ମୋର ବାପା ହିନ୍ଦୁ। ମୁଁ ମୁସଲମାନ ଘରେ ବୋହୁ
ହୋଇଆସିଛି। ଏଠି ଲୋକ ମରିଗଲେ ମାଟିରେ ପୋତିଦିଅନ୍ତି (ଦଫନ),
ସେଠାରେ ପୋଡି ଦିଅନ୍ତି। ମୁଁ ଯେମିତି ଏଠି ବୋହୁ ହୋଇଆସିଛି , ସେମିତି
ମୋର ଦୁଇ ନଣନ୍ଦ ମୋର ଦୁଇ ବଡ ଭାଇଙ୍କୁ ବାହା ହୋଇଯାଇଛନ୍ତି। ମୋର ବାହା ଘର ମୁସଲମାନ ରୀତିରେ
(ନିକାହ) ହୋଇଛି ଓ ନଣନ୍ଦଙ୍କ ବାହାଘର ହିନ୍ଦୁରୀତି (ଅଗ୍ନି ଚାରିପାଖରେ ‘ଫେରା’ ଲଗାଇବା) ଅନୁସାରେ ହୋଇଛି। ମୁଁ ବାପ ଘରକୁ ଗଲେ କିଛି
ବାରଣ ନାହିଁ କି ମୋର ନଣନ୍ଦ ଏଠିକି ଆସିଲେ କିଛି ବାରଣ ନାହିଁ।“ ହଥାନଖେଡା ଗାଁର ୨୫/୨୬ ବର୍ଷର
ମହିଳା ଜଣକ ଅନର୍ଗଳ କହିଚାଲିଥିଲେ।
ଆପଣ ଏତିକି ପଢି
ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆମେ ମଧ୍ୟ ତାଜୁବ ହୋଇଯାଇଥିଲୁ। ଆମେ କେବଳ ଆମର କ୍ୟାମେରାରେ
ତାହାଙ୍କ କଥାକୁ ରେକର୍ଡ କରିଚାଲିଥିଲୁ।
ଆମେ ତିନି ବନ୍ଧୁ
ରାଜସ୍ଥାନର ଆଜମୀର ନିକଟସ୍ଥ ବ୍ୟାୱାର ଜିଲ୍ଲାର କିଛି ଅଞ୍ଚଳରେ ଏକ ବୃତ୍ତଚିତ୍ର ନିର୍ମାଣ ଲାଗି
ପହଞ୍ଚିଥିଲୁ। ଏହା ୨୦୧୩- ୧୪ର କଥା। ଆମେ ଶର୍ଶରୀ, ମକରେରା, ବୁଧୱାର ଇତ୍ୟାଦି ଗାଁକୁ ନିଜର କ୍ଷେତ୍ର କରିଥାଉ।
ଜଣେ ବୟସ୍କ
ମହିଳାଙ୍କୁ ଏଥର ଭେଟିଥିଲୁ ଯାହାଙ୍କ ବୟସ ୫୦ରୁ ୫୫ ବର୍ଷ ହେବ। ସେ ନିଜର ଆଖୁ ବାଡିରେ ପୁରା
ପରିବାର ସହିତ କାମରେ ଲାଗିଥିଲେ। “ମୁଁ ମୁସଲମାନ ଧର୍ମ ପାଳେ । ମୋର ସାନ ଭଉଣୀ ହିନ୍ଦୁ ଧର୍ମ
ପାଳେ। ଆମେ ଗୋଟିଏ ମା’ର ଦୁଇ ଝିଅ। ମୋର ବାପା ହିନ୍ଦୁ।
ମୋତେ କାଠାତ ପରିବାରରେ ବାହା କରାଇଦେଲେ। ମୋର ଭଉଣୀ ମେରାତ ପରିବାରରେ ବାହା ହେଲା। ଏବେ ବି ଆମର
ଯିବା ଆସିବା ଚାଲିଛି।“
ଆମେ ଏକ ବିଚିତ୍ର
ସତ୍ୟର ନିକଟବର୍ତ୍ତୀ ହେଉଥିଲୁ।
“ଇସଲାମର ତିନି ମୁଖ୍ୟ
ବ୍ୟବସ୍ଥା ଯଥା ସୁନତ, ‘ହଲାଲ’ (ଜିଅନ୍ତା ଜୀବଙ୍କୁ ମାରି ଖାଇବା କୌଣସି ମୃତ ପ୍ରାଣୀଙ୍କୁ ନଖାଇବା) ଓ ମରିଲେ ଦଫନ ଆମେ
ପାଳିଥାଉ। ଇସଲାମର ଅନ୍ୟ ଦୁଇ ବ୍ୟବସ୍ଥା ନମାଜ ପଢିବା ଓ ହଜ ଯାତ୍ରା (ମକ୍କାକୁ ଯିବା) ଆମେ କରିନଥାଉ।
ଆମର ପୂର୍ବଜ ସମୟର ସମସ୍ତ ଦେବାଦେବୀଙ୍କୁ ଆମେ ପୂଜା କରିଥାଉ। ଆମ ପାହାଡରେ ରାମସାହାବ ପୀରଙ୍କ
ଦର୍ଘା ଅଛି। ସେଠାରେ ହିନ୍ଦୁ, ମୁସଲମାନ,
ମୋଗଲ, ବାଉଲ, ପଠାନ, ଚୌହ୍ୱାନ ସମସ୍ତେ ଯାଉ। ବତୀ, ନଡିଆ, କପଡା ସମସ୍ତେ ଦର୍ଘାରେ ପୀରଙ୍କୁ ଦିଅନ୍ତି।“ ଚୀତା –ମେରାତ –କାଠାତ ସମାଜର ମୁଖ୍ୟଙ୍କ
ଏହି ସାକ୍ଷାତକାର ଆମକୁ ସେହି ସତ୍ୟକୁ ଖୋଲିବାରେ କିଛିଟା ସାହାଯ୍ୟ କରୁଥିଲା। ଗାଁର ପୀରଙ୍କ
ପୀଠରେ 786 ଓ ଓଁ ଉଭୟ ଲିଖିତ ହୋଇଛି।
ଦେଶ ମଧ୍ୟରେ ପୀଢି
ପୀଢି ଧରି ରହିଆସିଥିବା ହିନ୍ଦୁ-ମୁସଲମାନ ସଦଭାବନାପୂର୍ଣ୍ଣ ଧର୍ମର (syncretism) ବୁଝାମଣାକୁ ନେଇ ଏକ ବୃତ୍ତଚିତ୍ର ନିର୍ମାଣ ଲାଗି ବ୍ୟାୱାର ଅଞ୍ଚଳ ପହଞ୍ଚିଥାଉ। ଆମକୁ
କେବଳ ଯୋଗୀନ୍ଦର ସିକନ୍ଦଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ (Sacred Spaces) ଏହି ଗୋଷ୍ଠୀ ସମ୍ପର୍କରେ ଅଳ୍ପ କିଛି ତଥ୍ୟ ଦେଇଥିଲା।
ସେଠାରେ ପହଞ୍ଚି ଆମେ
ଜାଣିଲୁ ଯେ ହିନ୍ଦୁ-ମୁସଲମାନ ମିଳିତ ଧର୍ମ ବ୍ୟବସ୍ଥା ରାଜସ୍ଥାନର ପାଞ୍ଚ ଜିଲ୍ଲାରେ (ଆଜମେର, ପାଲି, ଭିଲୱାଡା, ବ୍ୟାୱାର ଓ
ରାଜସମନ୍ଦ) ଶହ ଶହ ବର୍ଷ ହେଲା ପାଳିତ ହୋଇଆସୁଛି। ଚୀତା, ମେରାତ ଓ କାଠାତ
ଏକ ଏକ ସାଙ୍ଗିଆ ଓ ସେମାନେ ସମସ୍ତେ ସେହି ପରିଚୟରେ ପରସ୍ପରକୁ ପରିଚିତ କରୁଛନ୍ତି। ବାହାରର
କେହି ପଚାରିଲେ ଯେ ଆପଣ ହିନ୍ଦୁ କି ମୁସଲମାନ ସେମାନେ ଦ୍ଵନ୍ଦରେ ରହୁଛନ୍ତି। ଏହି ସଂପ୍ରଦାୟର
ସଂଖ୍ୟା ଅନ୍ଯୁନ ୧୦ ଲକ୍ଷ। ଯଦିଓ
ଦେଶର ଆନୁଷ୍ଠାନିକ ଧର୍ମର ଜନସଂଖ୍ୟା ତୁଳନାରେ ଏହି ସଂଖ୍ୟା ଅନେକ ଗୌଣ କିନ୍ତୁ ସେମାନେ ବି ଯେ
ପୀଢି ପୀଢି ଧରି ଏଭଳି ବ୍ୟବସ୍ଥାରେ ରହିଆସିଛନ୍ତି ଏ କଥା କ’ଣ ସମସ୍ତଙ୍କ
ଲାଗି ଚିନ୍ତା କରିବାର ବିଷୟ ନୁହେଁ?
ଆଜକୁ ୭୦୦ ବର୍ଷ
ପୂର୍ବେ ଚୀତା, ମେରାତ ଓ କଠାତଙ୍କ ପୂର୍ବଜ ହର ରାଜ, ବୋଧହୁଏ ଜଣେ ଅତି ସମ୍ମାନିତ ବ୍ୟକ୍ତିତ୍ବ,, ସ୍ଵେଚ୍ଛାରେ
ଆଜମିର ସ୍ଥିତ ହଜରତ ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କ ଠାରୁ ପୀର ଧର୍ମ ଗ୍ରହଣ କରିଥିଲେ। ଆଜି ବି
ଏହି ଗୋଷ୍ଠୀରେ ସେ ପୀର ହରରାଜ ଭାବରେ ପୂଜିତ ହେଉଛନ୍ତି । ଆଶାପୂରା ମାତା ଦେବୀଙ୍କୁ ସମସ୍ତେ
ନିଜର କୁଳ ଦେବୀ ଭାବରେ ପୂଜା କରିଥା’ନ୍ତି। ସମସ୍ତଙ୍କ ଘର ଭିତରେ ପୀର
ବାବାଙ୍କ ଦରଘାର ଫୋଟୋ ବି ଅଛି ଓ ଗଣେଶ, ଲକ୍ଷ୍ମୀ ଓ ଅନ୍ୟ
ଦେବାଦେବୀଙ୍କ ଫଟୋ ମଧ୍ୟ ଅଛି। ପୁଅର
ବାପା ଯଦି ଫେରାରେ ବାହାହୋଇଥିଲେ ତେବେ ପୁଅ ନିକାହ ରୀତିରେ ଝିଅ ଆଣିଥିବାର ଅଦ୍ଭୁତ ଉଦାହରଣ
ଆମକୁ ମିଳିଛି ।
ମାତ୍ର ମିଳିତ ଧର୍ମର
ଏହି ଭୂଖଣ୍ଡରେ ଗଲା କିଛି ବର୍ଷ ହେଲା ଏକ ସୁନାମୀ ଆସିପହଞ୍ଚିଛି। ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମ
ମଧ୍ୟରେ ରହିଥିବା କଟ୍ଟରବାଦୀଙ୍କ ଟଣା ଓଟରାରେ
ଚୀତା, ମେରାତ ଓ କାଠାତଙ୍କ ମଧ୍ୟରେ ରହିଥିବା ନମନୀୟ
ରଶିଟି ଛିଣ୍ଡିବାରେ ଲାଗିଛି।
ଏହା ସତ କଥା ଯେ ଉଭୟ
ହିନ୍ଦୁ ଓ ମୁସଲମାନ ଧର୍ମର ଆଚରଣ ଏହି ପରିବାରଙ୍କ ମଧ୍ୟରେ ରହିଛି। ହୋଲି, ଦୀପାବଳି ବି ଅତି ଆଗ୍ରହ ସହକାରେ ସମସ୍ତେ ପାଳିଥା’ନ୍ତି। କିନ୍ତୁ
ନା ହିନ୍ଦୁ କଟ୍ଟରବାଦୀ ନା ମୁସଲମାନ କଟ୍ଟରବାଦୀ କାହାରିକୁ ଏହି ଖୋଲାପଣ ପସନ୍ଦ ହେଲା ନାହିଁ।
ଉଭୟ ଆଜି ପହଞ୍ଚିଯାଇଛନ୍ତି ରାଜସ୍ଥାନର ଏହି ଚାରି ଜିଲ୍ଲାର ଗାଁମାନଙ୍କରେ।
ବିଶ୍ଵହିନ୍ଦୁ ପରିଷଦର
ଏକ ବିରାଟ ଅଫିସ ବ୍ୟାୱାର ଠାରେ ଅବସ୍ଥିତ। ଅଫିସ କ୍ୟାମ୍ପସ ମଧ୍ୟରେ ମାତା ଆଶାପୂରା ଦେବୀଙ୍କର
ଏକ ବିରାଟ ମୂର୍ତ୍ତି ନିୟମିତ ପୂଜା ପାଉଛି। ବେଶ ସ୍ଵାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କୁ
ପରଷାଯାଇଥାଏ। ଅଫିସ ଭିତରେ ଘୋଡା ପୀଠିରେ ବସି ନିଜର ତରବାରୀ ଉତ୍ତୋଳନ କରିଥିବା ଜଣେ ରାଜାଙ୍କ
ଫୋଟୋ ରହିଛି ଯାହା ପୃଥ୍ବୀରାଜ ଚୌହାନଙ୍କର ବୋଲି ସୂଚୀତ କରାଇଦିଆଯାଉଛି।
ହିନ୍ଦୁ
କଟ୍ଟରବାଦୀଙ୍କ ମତ ହେଲା ଯେ ଏହି କାଠାତ ବଂଶ “ହିନ୍ଦୁ ଶେଷ
ରାଜା ପୃଥ୍ବୀରାଜ ଚୌହାନଙ୍କ ବଂଶଜ। ତେଣୁ ଏମାନେ ସମସ୍ତେ ହିନ୍ଦୁ। ତାଙ୍କ ପୂର୍ବଜ ରାସ୍ତା
ହୁଡି ଦେଇ ଇସଲାମ ଧର୍ମ ନେଇଗଲେ। ଏବେ ତ ସମସ୍ତେ ସ୍ଵାଧୀନ। ତେଣୁ ମୂଳ ଧର୍ମକୁ ଫେରିଆସିବା
ଜରୁରୀ।“ ଏଥିଲାଗି ସେମାନେ ଘରୱାପସୀ, ଶୁଦ୍ଧିକରଣ, ତ୍ରିଶୂଳ ଦୀକ୍ଷା କାର୍ଯ୍ୟକ୍ରମ ସାଙ୍ଗକୁ ଆଶାପୂରା ଦେବୀଙ୍କ ମନ୍ଦିର ଗାଁ ଗାଁରେ
ତୋଳାଇବାରେ ଲାଗିଛନ୍ତି।
ଆମ ସହିତ ଜଣେ
ସ୍ଥାନୀୟ ଯୁବକ ରହିଥିଲେ ଯେ କି ଆମର ଗାଇଡ ମଧ୍ୟ ଥିଲେ। ସେ ନିଜର ଅନୁଭୂତିରୁ କହୁଥିଲେ ଯେ
ତାଙ୍କର ଦୂର ସମ୍ପର୍କୀୟ ମାଉସୀ ମୁସଲମାନ ପରିବାରରେ ‘ନିକାହ’ କରି ବାହା ହୋଇଥିଲେ । କିନ୍ତୁ ତାଙ୍କ ପୁଅ ହିନ୍ଦୁ କଟ୍ଟରବାଦୀଙ୍କ ସହିତ
ଯୋଡିହୋଇଗଲେ। ମାଉସୀ ମରିବା ସମୟରେ ତାଙ୍କ ପୁଅ ଅଡିବସିଲେ ଯେ ତାଙ୍କ ମା’ର ଅନ୍ତିମ ସଂସ୍କାର ହିନ୍ଦୁ ରୀତି ଅନୁସାରେ କାଠରେ ଜାଳି କରିବେ। ମାତ୍ର ଗାଁର ଅନ୍ୟ
ଲୋକେ ତଥା ନିକଟସ୍ଥ ମୌଲବୀ ଏହାକୁ ବିରୋଧ କଲେ। ଘଟଣା ପୁଲିସ ଥାନା ପର୍ଯ୍ୟନ୍ତ ଗଲା ଓ ବେଶ
କିଛି ଦିନ ମାଉସୀଙ୍କ ମୃତ ଶରୀର ଘରେ ପଡିରହିଥିଲା।
ବେଶ କିଛି ଗାଁକୁ ନେଇ
ଗୋଟିଏ ଗୋଟିଏ ମସଜିଦ ତିଆରି ହୋଇଛି। ତାହାକୁ ଲାଗି ମଦରସା ରହିଛି। ଏଥିରେ କାଠାତ, ମୋଗଲ, ବାଉଲ, ପଠାନ ବଂଶଜ ପୁଅ
ପିଲାମାନେ ଉଚ୍ଚ ସ୍ଵରରେ ନମାଜ ମନେରଖିବାରେ ଲାଗିଛନ୍ତି। ମୌଲବୀଙ୍କର ଦୃଢ ମତ ହେଲା, “ନା ଜଣେ ହେଲେ ହିନ୍ଦୁକୁ ଧର୍ମାନ୍ତରୀକରଣ କରାଯାଇଛି ନା ମୁସଲମାନଙ୍କୁ। ଆମେ କେବଳ କାଠାତଙ୍କୁ
ଏତିକି କହୁଛୁ ଯେ ଆଲ୍ଲାଙ୍କୁ ଟିକିଏ ଭୟ କର। ଯଦି
ତୁମେ ଇସଲାମର ତିନୋଟି କଥା ମାନୁଚ୍ଛ ତେବେ ପ୍ରତିଦିନ ନମାଜ ପଢିବା ଆରମ୍ଭ କରିଦିଅ। କାଲି
ଯେତେବେଳେ ମରିଗଲେ ଆଲ୍ଲାଙ୍କ ପାଖକୁ ଯିବ ସେତେବେଳେ ଏହାର ଉତ୍ତର ଦେବାକୁ ହେବ।“
ତାଙ୍କର କ୍ଷୋଭ ଯେ
ସରକାରୀ ଜମିରେ ମସଜିଦ ତିଆରି କଲେ ବିକ୍ଷୋଭ ହୋଇଯାଉଛି ଅଥଚ ଛକର ମଝିରେ ଭାରତ ମାତା ମନ୍ଦିର
ତୋଳାଇଦିଆଯାଉଛି। ଏଥିରେ କାହାର ବିରୋଧ ନାହିଁ !
ମୌଲବୀ ସ୍ଵୀକାର
କରୁଛନ୍ତି ଯେ ତାଙ୍କ ପିତା ହିନ୍ଦୁ ରୀତିରେ ଥିଲେ । ସେ କିନ୍ତୁ ଇସଲାମ ରୀତିକୁ ଆପଣାଇଲେ। ସେ
ନିଜେ ଆଜମୀରର ମଦରସାରେ ଶିକ୍ଷା ସମାପ୍ତି କରିଛନ୍ତି। ନିଜେ ଗାଁର ମଦରସାରେ ଉର୍ଦ୍ଦୁ ଓ ଆରବୀ
ଭାଷାର ଶିକ୍ଷା ଦେଉଛନ୍ତି। ତାଙ୍କର ନିଜ ମାମୁଁ ଗଲା କାର୍ଗିଲ ଯୁଦ୍ଧରେ ଜୀବନ ଦେଲେ। ଏ ଅଞ୍ଚଳର
ଅନେକ ଯବାନ ୧୯୬୫ ମସିହାର ଚୀନ ଯୁଦ୍ଧ, ବଙ୍ଗଳାଦେଶ ଯୁଦ୍ଧ ଓ
କାର୍ଗିଲ ଯୁଦ୍ଧରେ ଜୀବନ ଦେଇଛନ୍ତି। ସେଥିମଧ୍ୟରୁ ଅନେକଙ୍କ ଫୋଟୋ ଆମେ ‘ରାଜସ୍ଥାନ ଚୀତା, ମେରାତ କଠାତ ମହାସଭା’ ଅଫିସରେ ଦେଖିବାକୁ ପାଇଲୁ।
ଭାରତର ଅନେକ ସ୍ଥାନରେ
ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥା (syncretism) ପ୍ରଚଳିତ। ହରିୟାନାର
ମେୱାତ ଅଞ୍ଚଳର ମେଅସ, ପଞ୍ଜାବର ଗୁପ୍ତି ମୋମିନ, ହରିୟାନାର ମୂଲା, ଗୁଜୁରାଟର ଇମାସାହି ଇତ୍ୟାଦି କାଠାତଙ୍କ
ଭଳି ଧର୍ମ ପରମ୍ପରା ଦିଗରେ ବେଶ ନମନୀୟ। ସେମାନଙ୍କ ମଧ୍ୟରେ ଉଭୟ ଧର୍ମର ଆଚରଣ ରହିଆସିଛି।
କିନ୍ତୁ ଆନୁଷ୍ଠାନିକ ଧର୍ମବିଶ୍ଵାସୀମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି।
ଧର୍ମର ସୁରକ୍ଷା କାହା
ଲାଗି ଓ କଣ ପାଇଁ? ଚୀତା, ମେହେରାତ, କାଠାତ ସଂପ୍ରଦାୟ ଯଦି ୭୦୦ ବର୍ଷ ନିଜର ଧର୍ମକୁ ବଞ୍ଚାଇ ରଖିଆସିଲେ ବିନା କୌଣସି
ଧର୍ମଗ୍ରନ୍ଥ, ପୂଜକ, ଧର୍ମପୀଠ ଓ
ଧର୍ମାନୁଷ୍ଠାନର ସହାୟତାରେ ତେବେ ଆଗକୁ ସମସ୍ଯା କାହିଁକି ଉତ୍ପନ୍ନ କରାଯାଉଛି ?
ବ୍ୟାୱାର ସହରର ଏକ ଦୈନିକ
ଖବରକାଗଜର ସମ୍ପାଦକ କହିଲେ, “ଏମାନେ ଧର୍ମ କହିଲେ ତୀଳକ, ଟୋପି, ଦାଢି, ଚୁଟି ଓ ଲୁଙ୍ଗି
ଇତ୍ୟାଦିରେ ବାଣ୍ଟିଦେଇଛନ୍ତି। ଏହା
କ’ଣ ଧର୍ମ?” ସେହି ସମ୍ପାଦକ ହିଁ ସୂଚନା ଦେଲେ ଯେ ବ୍ୟାୱାର
ସହରର ମୁଖ୍ୟ ବଜାର ଉପରେ ‘ଭାରତମାତା ମନ୍ଦିର’ କେହି ମଧ୍ୟରାତ୍ରିରେ ହଠାତ ତିଆରି କରିଦେଇଗଲା। ଏହା ଯୋଜନାବଦ୍ଧ ଥିଲା। ଏହାକୁ
ପ୍ରଶାସନ ଭାଙ୍ଗିଲା ନାହିଁ। ଆଜି ଯଦି ସେହି ରାସ୍ତା ଦେଇ ମୁସଲମାନ କି ହିନ୍ଦୁଙ୍କର କୌଣସି
ଯାତ୍ରା ଯାଉଛି ତେବେ ଶହ ଶହ ପୁଲିସ ପ୍ରଥମେ ସେହି ଛୋଟ ମନ୍ଦିରର ସୁରକ୍ଷାରେ ରହୁଛନ୍ତି।
ଉଦ୍ଦେଶ୍ଯମୂଳକ ଭାବରେ ବା ଦୁର୍ଘଟଣା ବଶତଃ ଯଦି କେହି ସେହି ଭିଡ ଭିତରେ ଏହି ମନ୍ଦିରର ସାମାନ୍ଯ
କ୍ଷତି କରିଦିଏ ତେବେ ସହରରେ ଦଙ୍ଗା ଲାଗିଯିବ।
ପୂର୍ବରୁ ଦୁଇ ଥର
ସାମ୍ପ୍ରଦାୟିକ ହିଂସା ବ୍ୟାୱାର ଭଳି ଛୋଟ ସହରରେ ହୋଇସାରିଛି।
ରାଜସ୍ଥାନର ଏହି ଚାରିଜିଲ୍ଲା
ସଂପୂର୍ଣ୍ଣ ପାହାଡି ଅଞ୍ଚଳ। ଏଠାରେ ଚାଷ ଜମି ବହୁତ କମ। ଏଠାରେ ସିଲିକା ଓ ଫେଲ୍ଡସ୍ପର ଖଣି
ଅନେକ ଅଛି। ଏହି ଦ୍ରବ୍ଯ ଗ୍ଳାସ ଓ ମୋଜାଇକ କଟିଂରେ ବ୍ୟବହାର ହୁଏ। ଖଣିମାନଙ୍କରେ ସ୍ଥାନୀୟ
ଯୁବକ ଅସଂଗଠିତ କ୍ଷେତ୍ରରେ କମ ମଜୁରୀରେ କାମ କରୁଛନ୍ତି । ଖଣିଗୁଡିକ କିନ୍ତୁ
ମହାରାଷ୍ଟ୍ର ଓ ଗୁଜୁରାଟର ବ୍ୟବସାୟୀଙ୍କ ହାତରେ ରହିଛି। ଏହି ସବୁ ଖଣିର ଜଣେ ମାଲିକଙ୍କୁ ମଧ୍ୟ
ଆମେ ଭେଟିଲୁ ଯିଏ ସ୍ଥାନୀୟ ହିନ୍ଦୁ ସଂଗଠନର ମୁଖ୍ୟ ମଧ୍ୟ। ଅଥଚ ନା ହିନ୍ଦୁ କଟ୍ଟରବାଦୀ ସଂସ୍ଥା
ନା ଇସଲାମ କଟ୍ଟରବାଦୀ ସଂସ୍ଥା ବ୍ୟାୱାର – ଅଜମୀର ଅଞ୍ଚଳର ସ୍ଥାନୀୟ ଯୁବକଙ୍କ ରୋଜଗାର ଓ
ସ୍ଥାନୀୟ ଅର୍ଥନୀତିର ବିକାଶ କ୍ଷେତ୍ରରେ କୌଣସି ଉଦ୍ୟମ କରୁନାହାନ୍ତି।
ଏବେ କିନ୍ତୁ କାମର
ଅଭାବ କାରଣରୁ ଚୀତା, ମେରାତ, କାଠାତ ପରିବାରର ଯୁବକମାନେ ଗୁଜୁରାଟ ଓ ମହାରାଷ୍ଟ୍ରକୁ କାମ ଖୋଜିବାରେ
ଚାଲିଯାଉଛନ୍ତି । ମୁଖ୍ଯତଃ ଅହମଦାବାଦ ଓ ମୁମ୍ବାଇର ହୋଟେଲ ଓ ସିକ୍ଯୁରିଟି ଏଜେନ୍ସିରେ ଏହି
ଯୁବକମାନେ ନିଯୁକ୍ତି ପାଉଥିବା କଥା ଖଣି ମାଲିକ ଜଣକ ସୂଚନା ଦେଲେ।
ଆମର ବୃତ୍ତଚିତ୍ରରେ
ଆମେ ଏହି ସମସ୍ତ ବିଷୟକୁ ଉଥ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ଏବେ ବି କିନ୍ତୁ ଫିଲ୍ମର
କାର୍ଯ୍ୟ ବିଭିନ୍ନ କାରଣରୁ ସରିପାରିନାହିଁ। ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା
ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥାକୁ ଖୋଜିବା, ଏହାକୁ
ଯୋଡିବା ଓ ସେମାନେ କଟ୍ଟାରବାଦୀଙ୍କ ଯୋଜନା ମଧ୍ୟରେ କେଉଁଭଳି ଫସିଯାଉଛନ୍ତି ତାହାକୁ ଦର୍ଶାଇବା ଏହି
ଫିଲ୍ମର ଉଦ୍ଦେଶ୍ୟ ଥିଲା। ସତେରେ ଆମେ ଅଧିକ କଳ୍ପନାଭିଳାଷୀ ହୋଇଯାଇଥିଲୁ। ଆମ ହାତରେ ସେଥିଲାଗି
ଆବଶ୍ଯକୀୟ ଅର୍ଥ କିନ୍ତୁ ନଥିଲା।
ଚୀତା, ମେରାତ, କଠାତ ସମାଜର ଅଧ୍ୟକ୍ଷ ଏହି କଟ୍ଟରବାଦୀଙ୍କ
ସମ୍ପର୍କରେ ନିଜର ଏକ ଅନୁଭୂତି ଆମ ସହିତ ବାଣ୍ଟିଥିଲେ। ତାଙ୍କର ବର୍ଣ୍ଣନା ଅନୁସାରେ, କିଛି ବର୍ଷ ପୂର୍ବେ ଥରେ ପୀରଙ୍କ ପୂଜା ସମୟରେ କିଛି ହିନ୍ଦୁ କଟ୍ଟରବାଦୀ ଲୋକ ଆସି
କହିଲେ ଯେ ଏଠାରେ ଗଣେଶ ମୂର୍ତ୍ତି ରଖିଦିଅ । ସେମାନେ ରଖିବା ପରେ ଉକ୍ତ ସଂଗଠନର ଲୋକେ ଏହାର ଫୋଟୋ
ନେଇଗଲେ ଓ ଖବରକାଗଜରେ ପ୍ରକାଶ କଲେ ଯେ ଖେରଖେଡି ଗାଁ ହିନ୍ଦୁ ହୋଇଗଲା। ଏହାକୁ ପଢି ମୌଲବୀମାନେ
ଆସିଗଲେ ଓ ପଚାରିଲେ ଯେ ସମସ୍ତେ ହିନ୍ଦୁ କେମିତି ହୋଇଗଲେ। ଉଭୟ ପଟର କଟ୍ଟରବାଦୀଙ୍କ ଉପସ୍ଥିତି
ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଯଦି ବିଭାଜନ ସମୟରେ ଆମ ସମାଜ ଏ ଦେଶ ଛାଡି ଯାଇନଥିଲା
ତେବେ ଆଜି କାହିଁକି ସମସ୍ତେ ଚାପ ସୃଷ୍ଟି କରୁଛନ୍ତି? ଏହାପରେ ପୁରା
ଗାଁ ନିଷ୍ପତ୍ତି ନେଲା ଯେ ଏହି ଉଭୟ କଟ୍ଟରବାଦୀ ସଂସ୍ଥାର ଲୋକଙ୍କୁ ନା କେହି ଡାକିବେ ନା
ସେମାନଙ୍କ ଡାକରାରେ କେହି ତାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ।
ବୋଧହୁଏ ଆଜି ଲାଗି
ଏହା ହିଁ ସମାଧାନର ରାସ୍ତା।
Sunday, July 21, 2024
ଉର୍ଦ୍ଦୁ ପାଇଁ ଦୁଇ ଧାଡ଼ି
ଏହା କଣ ସତ୍ୟ ଯେ ଉର୍ଦ୍ଦୁ ଭାଷା କେବଳ ମୁସଲମାନ ଧର୍ମାବଲମ୍ବୀମାନେ ବ୍ୟବହାର କରିଥାନ୍ତି? ତାହାହେଲେ ଆମେ ଏହା ମଧ୍ୟ ବିଶ୍ଵାସ କରିବା କି ଯେ ଇଂରାଜୀ ଭାଷା ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କର? ସଂସ୍କୃତ ଭାଷା ହିନ୍ଦୁ ଧର୍ମର? କିନ୍ତୁ ଏ ମଧ୍ୟରୁ କୌଣସି ଟି ସତ୍ୟ ନୁହେଁ। ଉର୍ଦ୍ଦୁ ଭାଷାର ଅନେକ ଶାୟରୀ ରହିଛି ଯାହା ଧର୍ମରୂପୀ ଅନୁଷ୍ଠାନକୁ ପ୍ରଶ୍ନ କରୁଛି। ସେ ମଧ୍ୟରୁ ମିର୍ଜା ଗାଲିବଙ୍କ (୧୭୯୭ – ୧୮୬୯) ପ୍ରସିଦ୍ଧ ଶାୟରୀ, “ଶରାବ ପିନେ ଦେ ମସଜିଦ ମେଂ ବୈଠ କର ୟା ଓଃ ଜଗା ବତା ଜାହାଁ ଖୁଦା ନେହିଂ” (ଏଭଳି କେଉଁ ଜାଗା ଅଛି ଯେଉଁଠି ଭଗବାନ ନାହାନ୍ତି) ଅନ୍ଯତମ।
ଆଜି
ଉର୍ଦ୍ଦୁ ଭାଷାକୁ ମୁସଲମାନ ଧର୍ମ ସହିତ ଯୋଡି ଦେଶବ୍ୟାପୀ ନ୍ୟୁନମାନସିକତା ସୃଷ୍ଟି କରାଯାଉଛି।
ଏହା ଆମକୁ ଭାଷାକୁ ନେଇ ଚାଲିଥିବା ରାଜନୀତିର ଏକ ପକ୍ଷଧର କରିଦେଇଛି। ଉର୍ଦ୍ଦୁ ପ୍ରତି ଏଭଳି ମନୋଭାବ ଆମମାନଙ୍କ ମନରେ ସ୍ଵାଭାବିକ
ଇଚ୍ଛା ଜାଗ୍ରତ କରୁଛି ଯେ କୌଣସି ଭାଷାକୁ ନେଇ ଏଭଳି ଘୃଣା ଭାବ ସୃଷ୍ଟି କରିବାର କାରଣ କ’ଣ, ତାହା ଜାଣିବା।
କେନ୍ଦ୍ର ସରକାର ଗଲା ବର୍ଷ
ନାସିନାଲ କାଉନସିଲ ଫର ପ୍ରମୋଶନ ଅଫ ଉର୍ଦ୍ଦୁ ଲାଙ୍ଗୁଏଜ (ଶିକ୍ଷା ମନ୍ତ୍ରଣାଳୟ ଅଧୀନ) କୁ
ମିଳୁଥିବା ଅର୍ଥ ପରିମାଣକୁ କୌଣସି କାରଣ ନଦର୍ଶାଇ କମାଇଦେଇଛନ୍ତି। ଯଦିଓ ଉର୍ଦ୍ଦୁ ଭାଷୀ ଲୋକ
ଅଧିକ ଉତ୍ତର ପ୍ରଦେଶରେ ଅଛନ୍ତି କିନ୍ତୁ ଏଠାର ସରକାର ଉର୍ଦ୍ଦୁ ମିଡିୟମ ସ୍କୁଲ ଖୋଲିବା ଲାଗି
ଅନୁମତି ଦେଉନାହାନ୍ତି। କେବଳ ସରକାରୀ ଆକ୍ରୋଶ ନୁହେଁ ସାଧାରଣରେ ଭାବନା ମଧ୍ୟ ସୃଷ୍ଟି ହୋଇଛି
ଯେ ଉର୍ଦ୍ଦୁ ଏକ ବିଦେଶୀ ଭାଷା ଓ ଏହା କେବଳ ମୁସଲମାନ ଧର୍ମୀଙ୍କ ଭାଷା। ଓଡିଶାରେ ବୁଦ୍ଧିଜୀବୀ
ଏ ସମ୍ପର୍କରେ ଆଲୋଚନା କରିବାକୁ ମଧ୍ୟ ଚାହାନ୍ତି ନାହିଁ।, କାହିଁକି?
ମୁସଲମାନ ବହୁଳ ଦେଶ କେବଳ ଏସିଆ ମହାଦେଶରେ ହେଉଛି ଇରାନ, ଇରାକ, ତୁର୍କୀ, ବଙ୍ଗଳାଦେଶ, ଇଣ୍ଡୋନେସିଆ, ସାଉଦି ଆରବ ଓ ପାକିସ୍ତାନ
ଇତ୍ୟାଦି ଦେଶ। ଏ ମଧ୍ୟରୁ ପାକିସ୍ତାନକୁ ଛାଡିଦେଲେ ବାକି କୌଣସି ବି ଦେଶର
ସରକାରୀ ଭାଷା ଉର୍ଦ୍ଦୁ ନୁହେଁ। ଇରାନ ଓ ଇରାକର ଭାଷା ପର୍ସିଆନ ହେଲେ ଇଣ୍ଡୋନେସିଆର ଭାଷା
ବାହାସ। ଉର୍ଦ୍ଦୁକୁ ନିଜର ସରକାରୀ ଭାଷା ନକରିବା ଲାଗି ପୂର୍ବ ପାକିସ୍ତାନ ୧୯୭୧ ମସିହାରେ ପଶ୍ଚିମ
ପାକିସ୍ତାନ ଠାରୁ ଅଲଗା ହୋଇ ଏକ ସ୍ଵାଧୀନ ଦେଶ ଭାବରେ ମାନ୍ୟତା ପାଇଛି ଯାହାର ନାମ ବଙ୍ଗଳାଦେଶ। ଏହାର ସରକାରୀ ଭାଷା ବଙ୍ଗାଳୀ। ଠିକ ପଶ୍ଚିମ ବଙ୍ଗ ଭଳି। ତେବେ ଭାଷାକୁ ଧର୍ମ ସହିତ
ଯୋଡିବାର ଆବଶ୍ୟକତା କଣ?
ଭାଷା କେବେ କୌଣସି ଧର୍ମର ହୋଇରହିନାହିଁ।
ଭାଷା ସର୍ବଦା ସେହି ଅଞ୍ଚଳ ସହିତ ପରିଚିତ ଯେମିତି ଓଡିଶାର ଓଡିଆ, ଗୁଜୁରାଟର ଗୁଜୁରାଟି, ପଞ୍ଜାବର ପଞ୍ଜାବୀ ଓ ଆନ୍ଧ୍ର
ପ୍ରଦେଶର ତେଲେଗୁ ଇତ୍ୟାଦି । ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଇତ୍ୟାଦି
ରାଜ୍ୟରେ ବସତି ସ୍ଥାପନ କରୁଥିବା ମୁସଲମାନଙ୍କ ଭାଷା ଉର୍ଦ୍ଦୁ ନୁହେଁ। ସେମାନଙ୍କ ପ୍ରାଦେଶିକ
ଭାଷା ହିଁ ସେମାନଙ୍କ ମାତୃଭାଷା।
ଯେବେ ଯୋଗାଯୋଗର ଆବଶ୍ୟକତା
ହୋଇଛି ସେତେବେଳେ ଭାଷା ସୃଷ୍ଟି ହୋଇଛି। କୌଣସି ଅଞ୍ଚଳରେ ଭାଷା ତିଆରି ହୁଏ ସେହି ଅଞ୍ଚଳର ଅନେକ
ଲୋକଙ୍କ ଉଦ୍ୟମରେ। ଆଦିବାସୀ ଅଞ୍ଚଳର କୌଣସି ବି ସାପ୍ତାହିକୀ ହାଟକୁ ଗଲେ ହାଟ
ମଧ୍ୟରେ ମିଶ୍ରିତ ଭାଷା ଆପଣ ପାଇବେ। ଦକ୍ଷିଣ ଓଡିଶାର ହାଟ ମଧ୍ୟରେ ଆପଣ ସ୍ଥାନୀୟ ଆଦିବାସୀ
(କନ୍ଧ ଅଥବା ସଉରା ବା ବଣ୍ଡା ଇତ୍ୟାଦି ଅଞ୍ଚଳର ସେମାନଙ୍କ ଭାଷା) ସହିତ ଓଡିଆ ଓ ହିନ୍ଦୀ
ମିଶ୍ରିତ ଭାଷା ପାଇବେ।
ପର୍ସିୟାନ ଭାଷାଭାଷୀ
ବ୍ୟବସାୟୀମାନେ ଭାରତକୁ ବ୍ୟବସାୟ କରିବା ଲାଗି ଆସୁଥିଲେ। ପର୍ସିୟାନ ଭାଷାରେ ରହିଥିବା
ବ୍ଯାକରଣଗତ ଜଟିଳତା ଉତ୍ତର ଭାରତୀୟ ଜନସାଧାରଣଙ୍କୁ ସୁହାଇଲା ନାହିଁ। ହୋଇପାରେ ଏହା ଉର୍ଦ୍ଦୁ
ଭାଷାର ଜନ୍ମର କାରଣ। ଉର୍ଦ୍ଦୁ ବିଶେଷଜ୍ଞମାନଙ୍କ ମତରେ ଆଜକୁ ଆଠ ଶହ ବର୍ଷ ତଳେ ଉର୍ଦ୍ଦୁ ଭାଷାର
ସୃଷ୍ଟି, ତାହା ପୁଣି ଉତ୍ତର ଭାରତରେ। ତେଣୁ ତ
ଉର୍ଦ୍ଦୁ ଭାଷାର ମୂଳନାମ ହିନ୍ଦୁୱି କାରଣ ହିନ୍ଦୁସ୍ତାନରୁ ସୃଷ୍ଟି। କେହି କେହି ଏହାକୁ ରେଖତା ମଧ୍ୟ କହିଥାନ୍ତି। ରେଖତାର ଅର୍ଥ କୌଣସି ଦୁଇଟି ବା ଅଧିକ ବିଷୟର
ସମଷ୍ଟିରୁ ତୃତୀୟ ଜିନିଷ ଉତ୍ପନ୍ନ ହେବା। ହିନ୍ଦୀ, ପାର୍ସୀ ଓ ଆରବୀ ଭାଷାର
ସମଷ୍ଟିରେ ଉର୍ଦ୍ଦୁ ଭାଷାର ସୃଷ୍ଟି। ସେଥିଲାଗି ଉର୍ଦ୍ଦୁକୁ କେହି କେହି ଉରଦ୍ଦୋଂ (ଉର୍ଦ୍ଦୁର
ବହୁବଚନ) ମଧ୍ୟ କହିଥାନ୍ତି। ଉର୍ଦ୍ଦୁ ବିଶେଷକରି ଲକ୍ଷ୍ନୌ ଉର୍ଦ୍ଦୁ ଓ ହାଇଦ୍ରାବାଦୀ ଉର୍ଦ୍ଦୁ
ଭାବରେ ବିଭକ୍ତ। (କୋଷଳୀ ଓଡିଆ ଓ ଉପକୂଳ ଓଡିଆ ଭଳି)
ଉର୍ଦ୍ଦୁ ଓ ହିନ୍ଦୀ ଭାଷାର
ଉତ୍ପତ୍ତି ସମାନ ସ୍ଥାନ କାରଣରୁ ଅନେକ ଉର୍ଦ୍ଦୁ ଶବ୍ଦ ହିନ୍ଦୀ ଭାଷା ମଧ୍ୟରେ ସ୍ଥାନିତ। ଫରକ
ହେଲା ଯେ କୌଣସି ହିନ୍ଦୀ ବା ଉର୍ଦ୍ଦୁ ବାକ୍ୟକୁ ଡାହାଣରୁ ବାମକୁ ଲେଖିଲେ ଲାଗିବ ଉର୍ଦ୍ଦୁ ଓ
ବାମରୁ ଡାହାଣକୁ ଲେଖିଲେ ଲାଗିବ ହିନ୍ଦୀ। ଯେହେତୁ ଉର୍ଦ୍ଦୁ ଠିକ ପର୍ସିୟାନ ଭାଷା ଭଳି ଡାହାଣରୁ
ବାମ ଲେଖାଯାଏ ତେଣୁ ଅନେକ ପର୍ସିୟାନ ଶବ୍ଦ ଉର୍ଦ୍ଦୁ ଭାଷାକୁ ଚାଲିଆସିଛି। ମାତ୍ର ଏହାର ଅନେକ
ସାମଞ୍ଜସ୍ଯ ହିନ୍ଦୀ ଭାଷା ସହିତ ରହିଛି। ହିନ୍ଦୀ ଠାରୁ ଉର୍ଦ୍ଦୁକୁ ଅଲଗା କରିବାର ଅର୍ଥ
ପ୍ରେମଚାନ୍ଦଙ୍କ ଉପନ୍ୟାସ ଅଥବା ମଣ୍ଟୋଙ୍କ ଗଳ୍ପର ଅସ୍ତିତ୍ଵ ନରହିବା ଭଳି କଥା। ଏପରିକି ଅନେକ
ହିନ୍ଦୀ ଫିଲ୍ମର ଗୀତ ଓ ଡାଇଲାଗକୁ ଲିଭାଇଦେବା ସହିତ ଏହା ସମାନ। ଉର୍ଦ୍ଦୁ ଭାଷାକୁ ବାଦ ଦେଲେ
ପ୍ରେମଚାନ୍ଦ, ମଣ୍ଟୋ, କିଷାନ ଚନ୍ଦ୍ର ଇତ୍ୟାଦିଙ୍କ ସାହିତ୍ୟକୃତୀର କୌଣସି ମାନ୍ୟତା ରହିବ ନାହିଁ।
ହିନ୍ଦୀ ଫିଲ୍ମ ତ ନିଜର କଳା
ହରାଇବ ଯଦି ଉର୍ଦ୍ଦୁକୁ ବାଦ ଦେଇ କେବଳ ହିନ୍ଦୀ ଉପରେ ଏହାର ଡାଇଲାଗ ଓ ଗୀତ ଲେଖାଯାଏ।
ଗୁଲଜାରଙ୍କ କବିତା, “ମେରା କୁଛ ସାମାନ ତୁହ୍ମାରେ ପାଶ ପଡ଼ା ହେ” (ଫିଲ୍ମ:
ଇଜାଜତ), “ତୁମ ଆଗୟେ ହୋ ନୂର (ଆଲୋକ) ଆ ଗୟା ହେ” (ଫିଲ୍ମ: ଆନ୍ଧି) କେବଳ ଏକ ଉଦାହରଣ। ଡନ ଫିଲ୍ମରେ ଅମିତାଭ ବଚନଙ୍କ ଡାଇଲାଗ, “ଏକ ବାତ ସମଝ ଲୋ ଡନ କୋ
ପକଡ଼ନା ମୁଷ୍କିଲ ହି ନହି, ନମୁକିନ ହେ”ରୁ ଉର୍ଦ୍ଦୁ ଶବ୍ଦ ‘ସମଝ’, ‘ମୁଷ୍କିଲ’, ‘ନମୁକିନ’ କୁ ବାଦ ଦେଇଦିଆଯାଉ। ଏହାପରେ
ଏହି ଡାଇଲାଗର ଅସ୍ତିତ୍ଵ କ’ଣ ବା ରହିବ? ଏଠାରେ ହିନ୍ଦୀ ବ୍ଯବସାୟିକ ଫିଲ୍ମର ତରଫଦାରୀ କରିବା ଏହି
ଲେଖକର ଉଦ୍ଦେଶ୍ୟ ନୁହେଁ। ବରଂ ଓଡିଆ ପାଠକ ମଧ୍ୟରେ ଉର୍ଦ୍ଦୁକୁ ନେଇ ରହିଥିବା ଗଲତଫେମୀକୁ ଦୁର
କରିବା ଏହି ଲେଖକର ଉଦ୍ଦେଶ୍ୟ। ଏମିତି ତ ପିଲା ସମୟରୁ
ମୁଁ ଶୈଳେନ୍ଦ୍ରଙ୍କ ରଚିତ ହିନ୍ଦୀ
ଫିଲ୍ମ ଗୀତ “ଖୋୟା ଖୋୟା ଚାନ୍ଦ”, “ସଜନରେ ଝୁଟ ମତ ବୋଲୋ”, “ଦୁନିଆ ବନାନେ ବାଲେ” ଗୀତକୁ
ଗୁଣଗୁଣେଇ ନିଜକୁ ଆମୋଦିତ କରିଆସିଛି।
ପୃଥିବୀର କୌଣସି ଭାଷା
ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦକୁ ନନେଇ ତିଆରି ହୋଇନାହିଁ। ଭାରତ ଭୂଖଣ୍ଡରେ ପ୍ରାଚୀନ ଭାଷା
କହିଲେ ତାମିଲ, ପାଲି ଓ ସଂସ୍କୃତ। ଏହିଥିରୁ
ଆଜିର ଓଡିଆ, ବଙ୍ଗଳା, ତେଲେଗୁ, ପଞ୍ଜାବୀ, ମରାଠୀ ଇତ୍ୟାଦି ଭାଷା ସୃଷ୍ଟି ହୋଇଛି। (ପ୍ରଫେସର ଗଣେଶ ଡେଭିଙ୍କ ଦ୍ଵାରା ଲିଖିତ ପୁସ୍ତକ ଦି’ କ୍ରାଇସିସ ୱିଦିନ’ରୁ) ସଂସ୍କୃତ ଭାଷାବିତମାନେ ସଂସ୍କୃତର ବ୍ଯାକରଣକୁ ଶୁଦ୍ଧତାକୁ
ଜାବୁଡି ଧରିରଖିବା କାରଣରୁ ଏହା ଗ୍ରାମୀଣ ଭାଷା ହୋଇପାରିଲା ନାହିଁ ଓ ଏହା ହିନ୍ଦୀ ଭାଷାକୁ
ଜନ୍ମ ଦେଲା। ସେହିଭଳି ପର୍ସିଆନ ଭାଷାବିତମାନେ ହିନ୍ଦୁସ୍ତାନ ମଧ୍ୟରେ ଏହାର ବ୍ଯାକରଣ ଓ
ଶୁଦ୍ଧତାକୁ ପ୍ରାଥମିକତା ଦେବା କାରଣରୁ ଉର୍ଦ୍ଦୁ ଭାଷାର ସୃଷ୍ଟି। ଉର୍ଦ୍ଦୁ ଓ ହିନ୍ଦୀ ଭାଷାର
ବ୍ଯାକରଣ ସମାନ। ଉର୍ଦ୍ଦୁ ପାର୍ସି ଲିପିକୁ ନେଇଛି ଓ ହିନ୍ଦୀ ଭାଷା ଦେବନାଗରୀ ଲିପିକୁ ନେଇଛି। କିନ୍ତୁ
ଭାରତରେ ଉର୍ଦ୍ଦୁ ଭାଷା ଶିଖୁଥିବା ଅଣ-ମୁସଲମାନ ବ୍ୟକ୍ତି ପ୍ରାୟତଃ ଦେବନଗରୀ ଲିପିରେ ହିଁ
ଉର୍ଦ୍ଦୁ ପଢିବା ଲାଗି ଅଧିକ ପସନ୍ଦ କରିଥାନ୍ତି। ମୁଁ ତାହା ହିଁ କରୁଛି।
ମୋର ଉର୍ଦ୍ଦୁ ଶିଖିବା ଭିତରେ
ଅନେକ ଓଡିଆ ଶବ୍ଦ ପାଇଲି ଯାହା ଉର୍ଦ୍ଦୁ ସହିତ ସାମଞ୍ଜସ୍ଯ ରଖୁଛି। ମାମୁଁ, ଦାଦା (ଜେଜେ ବାପା), ଶଶର (ଶ୍ଵଶୁର), ମା, ପାନି (ପାଣି), ପସନ୍ଦ, ହିସାବ ଓ ଜମା (ଯୋଗ କରିବା
ବା ମିଶାଇବା) ଇତ୍ୟାଦି ଅନେକ ଶବ୍ଦ ଏଭଳି ରହିଛି। ଓଡିଶାର ବିଚାରାଳୟ ବା କୋର୍ଟର ଅନେକ ଶବ୍ଦ
ଉର୍ଦ୍ଦୁ ଅଥବା ପାର୍ସି ଭାଷାରୁ ଆସିଛି। ହିନ୍ଦୀ ଭାଷାରେ ତ ଏହାର ସଂଖ୍ୟା ଅନେକ ଅଧିକ। କୌଣସି
ଭାଷା କେବେ ଶତ ପ୍ରତିଶତ ସ୍ଵତନ୍ତ୍ର ହୋଇନପାରେ। ଏହା ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦ ନେଇ ନିଜର
ଅବିଧାନକୁ ସମୃଦ୍ଧ କରିଥାଏ।
୨୦୧୯ ମସିହାର ନିର୍ବାଚନର ଠିକ
ଠିକ ପରେ ବିଜେପି ସରକାର ନାଗରିକ ସଂଶୋଧନ ଆଇନ ଆଣିଥିଲେ। ଏହାର ପ୍ରତିବାଦରେ ଫଏଜ ଅହମ୍ମଦ
ଫଏଜଙ୍କ କବିତା (ନଜମ) ଆମ ଦେଶର କୋଣ ଅନୁକୋଣରେ ଶୁଣିବାକୁ ମିଳିଲା। “ହମ ଦେଖେଙ୍ଗେ” ର ସେହି
କିଛି ନଗ୍ମେ “ଲାଜିମ ହେ କେ ହମ ଭି ଦେଖେଙ୍ଗେ, ୱ ଦିନ ଜିସକା ବାଦା ହେ” (ଏହା ନିଶ୍ଚିତ ଯେ ଆମେ ସେହି ଦିନ
ଦେଖିବୁ ଯେଉଁ ଦିନ ଦେଖିବା ଲାଗି ଆମେ ଶପଥ କରିଛୁ) ସିଏଏ-ଏନଆରସି ବିରୋଧୀ ଆନ୍ଦୋଳନକୁ ଅନେକ ବଳ
ଯୋଗାଇଥିଲା। ଫଏଜ ଏହି ନଜମ ୧୯୭୯ ମସିହାରେ ପାକିସ୍ତାନର ଜିଆ ଉଲ ହକର ଅତ୍ୟାଚାରୀ ଶାସନର
ବିରୋଧରେ ଲେଖିଥିଲେ। କିନ୍ତୁ ଭାରତରେ ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନର ବିପ୍ଳବୀ ଗୀତ
ହୋଇଥିଲା। ଭାରତରେ ଦଶରୁ ଅଧିକ ପ୍ରାଦେଶିକ ଭାଷାରେ ଏହା ଅନୁବାଦିତ ହୋଇଛି।
ଉର୍ଦ୍ଦୁର ବ୍ୟବହାର ହିନ୍ଦୀ ଫିଲ୍ମ, ହିନ୍ଦୀ ସାହିତ୍ଯ ଅଥବା
ପ୍ରଦେଶିକ ସାହିତ୍ଯରେ ଏହାକୁ ଅଧିକ ବଜାରୀକରଣ କରିବା ଲାଗି ଅନୁମତି ଜାରି ରହିଛି। ଅଥଚ
ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଉର୍ଦ୍ଦୁ ଭାଷାଭାଷୀ, ବିଶେଷକରି, ମୁସଲମାନଙ୍କ ବିରୁଦ୍ଧରେ
ଘୃଣା ସୃଷ୍ଟି ଲାଗି ଉଦ୍ୟମ କରାଯିବାର କାରଣ ହେଲା ଯେ ସେମାନେ ଉର୍ଦ୍ଦୁ କହୁଛନ୍ତି । ଏହା ସମାଜରେ ସାମ୍ପ୍ରଦାୟିକ ଭାବନାକୁ ବଳିଷ୍ଠ କରିବାର ପ୍ରଚେଷ୍ଟା। ଉର୍ଦ୍ଦୁଭାଷୀଙ୍କୁ
ଧର୍ମ ନାମରେ ନ୍ୟୁନ କରିବା ସୁସ୍ଥ ମାନସିକତାର ପରିଚୟ ନୁହେଁ। ଉର୍ଦ୍ଦୁ ଭାଷା ବା କୌଣସି ବି
ଭାଷାର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ।
ଦୂଷ୍ୟନ୍ତ କୁମାରଙ୍କ ପ୍ରସିଦ୍ଧ
ସାୟେରୀର ଦୁଇ ଧାଡିରେ ଲେଖା ସମାପ୍ତ କରୁଛି। “ମେରେ ସୀନେ ମେଂ ନହିଁ ତୋ ତେରେ ସୀନେ ମେଂ ସହୀ / ହୋ କାହିଁ ଭି ଆଗ ଲେକିନ ଆଗ
ଜଲନୀ ଚାହିଏ।“ (ମୋ ଚ୍ଛାତି ରେ ନହେଲ ନାଇଁ ତୋ ଛାତିରେ ହେଉ ପଛେ / ସେ
ଯେଉଁଠି ବି ନିଆଁ ହେଉନା କାହିଁକି କିନ୍ତୁ ନିଆଁ ଜଳିବା ଆବଶ୍ୟକ।) ମଣିଷକୁ ନିଜର
ଶଙ୍କିର୍ଣ୍ଣତାରୁ ଉର୍ଦ୍ଧ୍ଵକୁ ଏକ ସାମ୍ୟ ଓ ନ୍ୟାୟପୂର୍ଣ୍ଣ ସମାଜର ଭାବନା ଆଡକୁ ନିଜକୁ
ନେଇଯିବାକୁ ହେବ।
ମୋବାଇଲ: ଦେବ ରଞ୍ଜନ ୯୪୩୭୭୬୨୨୭୨
Wednesday, July 3, 2024
‘ଦେଶଦ୍ରୋହୀ’ ଅରୁନ୍ଧତୀ ?
“କିନ୍ତୁ
ଯେଉଁ ମୁହୂର୍ତ୍ତରେ / ତୁମେ ଆରମ୍ଭ କରିବ ପ୍ରତିବାଦ / କିମ୍ବା ଡାକରା ଦେବ ଏକ ବିଦ୍ରୋହର / ସବୁକିଛି
ଯେପରି ଭୁଲ ହୋଇଯିବ...”
“ଶେଷରେ
ତୁମର କବିତା / ଘୋଷିତ ହେବ ଏକ ବିପଜ୍ଜନକ ଉଚ୍ଚାରଣ / ଓ ତୁମେ ନିଜେ ହୋଇଯିବ / ତଥାକଥିତ
ବେଶଦ୍ରୋହର କାରଣ ।“ ( ଆଶୁତୋଷ ପରିଡ଼ାଙ୍କ କବିତା ‘ଅପ୍ରସ୍ତୁତ ମୃତ୍ୟୁ’ର କିଛି ଧାଡ଼ି)
ଲେଖକ ଅଥବା ଲେଖିକାର ସୀମା କିଏ ସ୍ଥିର କରିବ? ତା’ ନିଜର ବିବେକ ? ନା ସରକାରଙ୍କ ଆକ୍ରୋଶ?
ଦିଲ୍ଲୀର
ରାଜ୍ୟପାଳ ଆକ୍ରୋଶମୂଳକ ଭାବନା ନେଇ ଜୁନ ୧୪, ୨୦୨୪ରେ ଅରୁନ୍ଧତୀ ରାୟ ଓ ପ୍ରଫେସର ଶୌକତ ହୁସେନଙ୍କ ବିରୁଦ୍ଧରେ
“ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଛନ୍ତି । ଉଭୟ ଏବେ ଗିରଫ ହେଲେ କି ନାହିଁ
ତାହା କୋର୍ଟର ପରିସର ହୋଇଛି। ଏହା ବହୁତ ବଡ ଖବର। ଲେଖକୀୟ ସ୍ଵାଧୀନତାକୁ ନଷ୍ଟ କରିବା ଓ ସମାଜକୁ
ନିଜ ନିର୍ଦ୍ଦିଷ୍ଟ ରାସ୍ତାରେ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଏହା ଅତି ନିନ୍ଦନୀୟ ଉଦ୍ୟମ।
ଏପରିକି
ଅରୁନ୍ଧତୀ ରାୟଙ୍କୁ ମିଳୁଥିବା ପେନ ପିଣ୍ଟର ପୁରସ୍କାର ଠାରୁ ବଡ଼ ଖବର ହେଉଛି ଯେ ଜାତିସଂଘର
ମାନବିକ ଅଧିକାର କାଉନସିଲ ଲେଖିକାଙ୍କ ଉପରୁ ‘ଦେଶଦ୍ରୋହ’ ଅଭିଯୋଗ ପ୍ରତ୍ୟାହାର କରିବା ଲାଗି ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା। ପୁରସ୍କାର
ଲେଖିକାଙ୍କୁ ଉସ୍ଛାହିତ କରିପାରେ। ମାତ୍ର ଜାତିସଂଘ କାଉନସିଲର ବାର୍ତ୍ତା ୧୪୦ କୋଟି ଦେଶବାସୀଙ୍କ ଏହି ଦେଶର
ମାନବିକ ଅଧିକାରର ସୁରକ୍ଷା ଓ ବାକ ସ୍ଵାଧୀନତାର ସ୍ଥିତିକୁ ଦର୍ଶାଇଦେଉଛି। ବିଶ୍ଵରେ ୧୮୦ ଦେଶ
ମଧ୍ୟରୁ ପ୍ରେସ ସ୍ଵାଧୀନତା ବା ବାକ ସ୍ଵାଧୀନତା ତାଲିକାରେ ଭାରତ ଯେଉଁଠି ବିଜେପି ଶାସନକୁ
ଆସିବା ବର୍ଷ, ୨୦୧୪ ମସିହାରେ, ୧୪୦ ତମ ସ୍ଥାନରେ ରହିଥିଲା ୨୦୨୪ ମସିହା
ବେଳକୁ ତାହା ଖସି ଆସି ୧୬୧ ତମ ସ୍ଥାନରେ ପହଞ୍ଚିଛି। ଅରୁନ୍ଧତୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ଯ
ଏହାର ଉଦାହରଣ।
ଲେଖକ
ସମାଜକୁ ଭଲପାଉଥିବା କାରଣରୁ ଲେଖେ। ସମାଜ ଯେଉଁଠି ତିଳ ତିଳ ହୋଇ ମରୁଥାଏ ସେଠାରେ ଲେଖକ ନିଜେ
କଦାପି ଏକ ଜୀବନ୍ତ ଶବ ହୋଇ ପଡିରହେ ନାହିଁ କି ସେଠାରୁ ମୁହଁ ବୁଲାଇ ଏକ ସ୍ଵାର୍ଥୀ ମଣିଷ ହୋଇଯାଇପାରେ
ନାହିଁ। ସେ ନିଶ୍ଚୟ ନିଶାଣ କରେ ସମାଜକୁ ମାରିଦେଉଥିବା ଶକ୍ତିମାନଙ୍କୁ। ସେହି ନିଶାଣ ମଧ୍ୟରେ ଆସିଥାନ୍ତି
ସରକାର ଓ ତାଙ୍କର ସମସ୍ତ ଅନୁଷ୍ଠାନ।
୨୦୧୦
ମସିହାରେ ଦିଲ୍ଲୀରେ କାଶ୍ମୀର ସଂକ୍ରାନ୍ତ ଆୟୋଜିତ ଏକ ମିଟିଂରେ “କାଶ୍ମୀରର ଆଜାଦି ସପକ୍ଷରେ” ଦେଇଥିବା
ଭାଷଣର ଅଭିଯୋଗ ଆଧାରରେ ୨୦୨୩ ମସିହାରେ ପ୍ରଥମେ “ରାଜଦ୍ରୋହ” ଓ ପରେ “ଦେଶଦ୍ରୋହ” ମାମଲା ରୁଜୁ ବାକ
ସ୍ଵାଧୀନତାକୁ ତାଲା ପକାଇ ରଖିବା ଭଳି କଥା ନୁହେଁ କି?
କାଶ୍ମୀର
ଅଞ୍ଚଳ ବୁଲିଆସିବା ପରେ ଅରୁନ୍ଧତୀ ଲେଖିଛନ୍ତି, “ଆଜକୁ ପ୍ରାୟ ୨୦ ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଯୁଦ୍ଧ ଚାଲିଛି।
ଯୁଦ୍ଧରେ ୭୦ ହଜାର ଲୋକ ପ୍ରାଣ ହରାଇସାରିଛନ୍ତି। ହଜାର ହଜାର ନିର୍ଯାତିତ, ଆଉ କେତେ ହଜାର ‘ନିଖୋଜ’। ହଜାର ହଜାର ସ୍ତ୍ରୀ ବିଧବା ହୋଇଛନ୍ତି, ଆଉ କେତେକ ଧର୍ଷିତା। ଇରାକ ଦଖଲ ସମୟରେ
୧,୬୫,୦୦୦ ଜଣ ଆମେରିକୀୟ ସୈନିକ ମୁତୟନ ହୋଇଥିଲେ। ପାଞ୍ଚ ଲକ୍ଷ ଭାରତୀୟ ସୈନ୍ୟ କାଶ୍ମୀର ଉପତ୍ୟକାର ଗଳିକନ୍ଦି, ପାହାଡ ଝରଣା, ଜନବସତି ଶୂନ୍ୟସ୍ଥାନ ସବୁଠି ମୁତୟନ।...ନିଜକୁ
ଗଣତାନ୍ତ୍ରିକ ବୋଲି ଦାବି କରୁଥିବା ଏକ ସରକାର (କଂଗ୍ରେସ ନେତୃତ୍ଵାଧୀନ ୟୁପିଏ) ସାମରିକ ଦଖଲର ଯଥାର୍ଥତା
ସାବ୍ୟସ୍ତ କରୁଛି ଓ ଏହାକୁ ହିଁ କହୁଛି ବିଜୟ।“ ୨୦୦୯ ମସିହାରେ ଅରୁନ୍ଧତୀ ନିଜର ଲେଖା
“ଡେମୋକ୍ରାସିଜ ଫେଲିଙ୍ଗ ଲାଇଟ” (ଗଣତନ୍ତ୍ରର ଲିଭିଆସୁଥିବା ଔଜଲ୍ୟ) ରେ କାଶ୍ମୀରର ସ୍ଥିତି
ସମ୍ପର୍କରେ ଉପରୋକ୍ତ ଲେଖା ଲେଖୁଛନ୍ତି। କିନ୍ତୁ ସେ ସମୟରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ
ସରକାର ଲେଖିକାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇନଥିଲେ।
ବିଜେପି
ସରକାର ଭିନ୍ନମତ ପ୍ରତି ତୁଳନାତ୍ମକ ଭାବରେ ଅଧିକ ଅସହିଷ୍ଣୁ। ତାଙ୍କର ହିନ୍ଦୁରାଷ୍ଟ୍ର ଗଠନର
ଜଲଦିବାଜି ରହିଛି। ଏହା ସହିତ ସଂବେଦନଶୀଳ ସମାଜ ଗଠନ ଅପେକ୍ଷା ଏକ ଦୃଢ ରାଷ୍ଟ୍ର ଗଠନ
ଦକ୍ଷିଣପନ୍ଥୀ ବିଚାରର ଲକ୍ଷ୍ୟ। ଜାମ୍ମର ସୁଶୀଲ ପଣ୍ଡିତଙ୍କ ଅଭିଯୋଗ (ଏଫଆଇଆର) ଉପରେ ଦିଲ୍ଲୀର ଲେଫ୍ଟନାଣ୍ଟ
ଗଭର୍ଣ୍ଣର ସେହି ୨୦୧୦ ମସିହାର ମିଟିଂ ଲାଗି ୨୦୨୩ ମସିହାରେ ଲେଖିକା ଓ ଅନ୍ୟ ତିନି ଜଣଙ୍କ
ବିରୁଦ୍ଧରେ ‘ରାଜଦ୍ରୋହ’ ବା ସେଡିସନ ମାମଲା ରୁଜୁ କରିବା ଲାଗି
ଅନୁମତି ଦେଇଥିଲେ। ମାତ୍ର ସୁପ୍ରିମ କୋର୍ଟ ଏହାର ବର୍ଷକ ପୂର୍ବରୁ, ୨୦୨୨ ମସିହାରେ, ‘ରାଜଦ୍ରୋହ’ ମାମଲା ଉପରେ ରୋକ ଲଗାଇଥିବା କାରଣରୁ ଏ
ସଙ୍କ୍ରାନ୍ତରେ ପୁଲିସ ତତ୍ପର ନଥିଲା।
ଅନ୍ୟ
ତିନି ଜଣ ‘ରାଜଦ୍ରୋହ’ ବା ସେଡିସନ ଅଭିଯୁକ୍ତ ହେଲେ ହୁରିୟାତ
ନେତା ଏସଏଆର ଗିଲାନୀ, ଯାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସଏଦ ଗିଲାନୀ ଓ ପ୍ରଫେସର
ଶୌକତ ହୁସେନ। ଇତି ମଧ୍ୟରେ ଏସଏଆର ଗିଲାନୀ ଓ ପ୍ରଫେସର ସଏଦ ଗିଲାନୀ ମୃତ୍ୟୁବରଣ
କରିସାରିଛନ୍ତି। ‘ରାଜଦ୍ରୋହ’ ମାମଲାରେ ବିଫଳ ହେବା ପରେ ଦିଲ୍ଲୀ ରାଜ୍ୟପାଳ
“ଦେଶଦ୍ରୋହ” ମାମଲା ରୁଜୁ କରିବା ଲାଗି ଅନୁମତି ଦେଲେ।
“ଭାରତର ଗଣତନ୍ତ୍ରକୁ ଆଜି ଅତି ଯୋଜନାବଦ୍ଧ ଭାବରେ ଖଣ୍ଡ
ଖଣ୍ଡ କରିଦିଆଯାଇଛି। ଗଣତନ୍ତ୍ର କେବଳ ପରମ୍ପରା ନାମରେ କିଛିଟା ବଞ୍ଚିରହିଛି। ଅର୍ଥ, ତଥ୍ୟ, ସୁରକ୍ଷା, ମିଡିଆ, ଇଲେକ୍ସନ ପରିଚାଳନା, ସୁରକ୍ଷା ସଂସ୍ଥା ସବୁକୁ ସରକାର ନିଜ କର୍ତ୍ତୁତ୍ଵକୁ ନେବା ପରେ ଏବେ ଭାରତ ଏକ “ନିର୍ବାଚନ
ସ୍ଵେଚ୍ଛାଚାରୀ” ଦେଶ ଭାବରେ ବଞ୍ଚିରହିଛି।“ (ଆପ୍ରୋଚିଙ୍ଗ ଗ୍ରୀଡଲକ/ ଅରୁନ୍ଧତୀ ରାୟ/ ୨୦୨୩) ଲେଖିକା
ନିଜେ ମୋଦୀଙ୍କ ଏହି ବିଘଟିତ ଗଣତନ୍ତ୍ର ଓ ସ୍ଵେଚ୍ଛାଚାରୀ ଶାସନର ଶିକାର ହୋଇଛନ୍ତି।
ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୋଟିଏପଟରେ ଏହି କଥା ଦୋହରାଉଛନ୍ତି, “କାଶ୍ମୀରରେ ଏବେ ସାଧାରଣ ସ୍ଥିତି ରହିଛି ଓ ସାଧାରଣ ଅବସ୍ଥା
ଫେରିଆସିଛି।“ ଅନ୍ୟପଟରେ, କାଶ୍ମୀର ସଂକ୍ରାନ୍ତରେ ଲେଖାକୀୟ ଅଭିବ୍ୟକ୍ତିରେ ରୋକ ଲଗାଇବା
ଲାଗି ଦିଲ୍ଲୀ ରାଜ୍ୟପାଳ “ଦେଶଦ୍ରୋହ”ରେ ମାମଲା ରୁଜୁ କରୁଛନ୍ତି। ଏହା ଲେଖିକାଙ୍କୁ କାଶ୍ମୀର
ସମେତ ଅନ୍ୟ ସମସ୍ତ ପ୍ରସଙ୍ଗରେ ମୁହଁ ବନ୍ଦ ରଖିବାର ଧମକ।
ନରେନ୍ଦ୍ର
ମୋଦିଙ୍କ ଦ୍ଵିତୀୟ ପାଳିରେ ଅର୍ଥାତ ଅଗଷ୍ଟ ୦୮, ୨୦୧୯ରେ ଉକ୍ତ ୟୁଏପିଏ (୧୯୬୭) ର ବିରାଟ
ସଂଶୋଧନ ହୋଇଥିଲା। ଉକ୍ତ ସଂଶୋଧନ ଅନୁସାରେ, ଏଣିକି କେନ୍ଦ୍ର ସରକାର “ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଥବା ନିଜର ବକ୍ତବ୍ୟ
ବା କାର୍ଯ୍ୟ ଦ୍ଵାରା ଏହାକୁ ବଢାଉଥିବା ଅଭିଯୋଗରେ କୌଣସି ବ୍ୟକ୍ତିକୁ ମଧ୍ୟ କେନ୍ଦ୍ର ସରକାର ‘ଆତଙ୍କବାଦୀ’ ଘୋଷଣା କରିପାରିବେ।“ ଏଥିଲାଗି ସେ କୌଣସି ‘ଆତଙ୍କବାଦୀ ସଂଗଠନ’ର ସଦସ୍ୟ ହୋଇଥିବା ଜରୁରୀ ନୁହେଁ। ଭୀମାକୋରେଗାଓଁ ଘଟଣାରେ ଦେଶର ପ୍ରମୁଖ ୧୬ ଜଣ ମାନବିକ ଅଧିକାର
କର୍ମୀ ମିଥ୍ୟା ଆରୋପରେ ୪ ରୁ ୬ ବର୍ଷ ହେଲା ଜେଲରେ ଅଛନ୍ତି। ସେଥିରୁ କେତେଜଣ ଜାମିନରେ ଏବେ ଆସିଛନ୍ତି।
କିନ୍ତୁ ବିଚାର ଦୀର୍ଘ ଦିନ ପରେ ବି ଆରମ୍ଭ ହୋଇନାହିଁ।
ଦମନ କେବଳ
ସରକାରୀ କାର୍ଯ୍ୟକ୍ରମ ନୁହେଁ ଏହା ଏକ ରାଜନୈତିକ ବିଚାର ମଧ୍ୟ। ପୂର୍ବର କଂଗ୍ରେସ ସରକାର
ଆଦିବାସୀ ଅଞ୍ଚଳରେ ବିଭିନ୍ନ କମ୍ପାନୀର ପ୍ରକଳ୍ପର ପଥ ସୁଗମ ଲାଗି ଅଧିକ ସଂଖ୍ୟକ ଆଦିବାସୀ ଓ ସେହି
ଆଂଦୋଳନର ଦୃଢ ସମର୍ଥକଙ୍କୁ “ଦେଶଦ୍ରୋହ” ଆଖ୍ୟା ଦେଇ ଗିରଫ କରୁଥିଲେ। ସେମାନଙ୍କ ଜମି ଜଙ୍ଗଲ ଓ
ସଂସ୍କୃତିର ସୁରକ୍ଷା ଲାଗି ଉଦ୍ୟମକୁ ଦେଶର “ସାର୍ବଭୌମତ୍ଵ”, “ଅଖଣ୍ଡତା”, “ଆର୍ଥିକ ପ୍ରଗତିରେ ବାଧା” ଓ “ସର୍ବସାଧାରଣ
ଶୃଙ୍ଖଳା”ରେ ବାଧା ଆଣୁଥିବା କୁହାଯାଉଥିଲା।
୨୦୧୪ ମସିହାରେ
ବିଜେପି ସରକାର ଆସିଲା। ନିଜର “ହିନ୍ଦୁରାଷ୍ଟ୍ର ଗଠନ”ର ଆଭିମୁଖ୍ଯ ଲାଗି ଧାର୍ମିକ ଅଳ୍ପସଂଖ୍ୟକ
ବିଶେଷକରି ମୁସଲମାନ ସଂଗଠନ, ବ୍ୟକ୍ତିବିଶେଷ ଓ ସେମାନଙ୍କ ଦାବିକୁ ସମର୍ଥନ
ଜଣାଉଥିବା ବ୍ୟକ୍ତି “ଦେଶଦ୍ରୋହ” ରେ ଅଧିକ ସଂଖ୍ଯାରେ ଆରୋପିତ ହେଲେ। “କାଶ୍ମୀର”, “ଗୋମାଂସ” ଓ “ଲଭ ଜିହାଦ” ଇତ୍ୟାଦି ଏହି ଅଭିଯୋଗର ଅଂଶ। କହିବାକୁ
ଗଲେ ଆଦିବାସୀଙ୍କ ସହିତ ଧାର୍ମିକ ଅଳ୍ପ ସଂଖ୍ୟକ ଓ ଦଳିତ ବର୍ଗ ଯୋଡ଼ିହୋଇଗଲେ।
୨୦୧୪ରୁ
୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା “ଦେଶଦ୍ରୋହ” ଆରୋପୀଙ୍କ ସଂଖ୍ୟା ହେଲା ୧୦,୫୫୨। ସେହି ସମୟ ମଧ୍ୟରେ ଦୋଷୀ ପ୍ରମାଣିତ ହୋଇଥିବା ବ୍ୟକ୍ତି ହେଲେ
ମାତ୍ର ୨୫୩ ଜଣ ଅର୍ଥାତ ୨.୪ ପ୍ରତିଶତ। କିନ୍ତୁ “ଦେଶଦ୍ରୋହ” ଅଭିଯୋଗରେ ଛନ୍ଦି ହୋଇ ଦଶନ୍ଧି
ଦଶନ୍ଧି ଜେଲ ଭିତରେ ସଢୁଥିବା ଗୋଷ୍ଠୀ ହେଲେ ଦେଶର ସଂଖ୍ୟାଲଘୁ ମୁସଲମାନ, ଦଳିତ, ଆଦିବାସୀ, ସାମାଜିକ କର୍ମୀ, ରାଜନୈତିକ କର୍ମୀ , ସାମ୍ବାଦିକ,
ଅଧ୍ୟାପକ, ମାନବିକ ଅଧିକାର କର୍ମୀ ଓ ଛାତ୍ରଛାତ୍ରୀ। (ପିୟୁସିଏଲ
ରିପୋର୍ଟ, ୨୦୨୨) ଭୀମାକୋରେଗାଓଁ ପରେ ଏବେ ଲେଖିକା ଅରୁନ୍ଧତୀ ଓ ପ୍ରଫେସର
ସୌକତଙ୍କ ବିରୁଦ୍ଧରେ “ଦେଶଦ୍ରୋହ” ମାମଲା ରୁଜୁ ହୋଇଛି।
ଯାହା ବିଭିନ୍ନ ସରକାରୀ ଉତ୍ସବରେ କୁହାଯାଇଥାଏ ଯେ ସାହିତ୍ଯ
ହିଁ ସମାଜର ସମ୍ପଦ, ସାହିତ୍ଯ ହିଁ ସମାଜର ପ୍ରତିବିମ୍ବ ଓ ସାହିତ୍ୟିକ ହିଁ ସମାଜର
ପଥପ୍ରଦର୍ଶକ ତାହା ସେତିକି ବାଟ ପର୍ଯ୍ୟନ୍ତ ଯେତେବାଟ ପର୍ଯ୍ୟନ୍ତ ସାହିତ୍ଯ ପ୍ରତିବାଦର ରାସ୍ତା
ନନେଇଛି। ଯେଉଁ ମୁହୂର୍ତ୍ତରେ ସାହିତ୍ଯ ପ୍ରତିବାଦଧର୍ମୀ ହୁଏ ସେତେବେଳେ ସେ ସାହିତ୍ୟିକ
ଦେଶଦ୍ରୋହୀର ଆଖ୍ୟା ପାଇଥାଏ। ସମାଜ ନିକଟରେ
ଶାସକକୁ ଉତ୍ତରଦାୟିତ୍ଵହୀନ କରିବା ଲାଗି ‘ଦେଶଦ୍ରୋହ’ ର ଅଭିଯୋଗ ସରକାରଙ୍କ ଏକ ବଡ଼ ଆୟୁଧ। ଅରୁନ୍ଧତୀ ଏହାର ସଦ୍ୟତମ ଶିକାର। ସରକାର ନିଜକୁ
ନିରଙ୍କୁଶ କରିବା ଲାଗି ନିଜର ଚେଷ୍ଟା ଜାରିରଖିଛନ୍ତି।
ମୋବାଇଲ: ୯୪୩୭୭୬୨୨୭୨


