Saturday, September 7, 2024

‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’




        ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ସାରୋଳ ନୁହଁନ୍ତି ସାରୋଳଦାସ ଓ ତାଙ୍କ ଦ୍ଵାରା ଲିଖିତ କାବ୍ଯଗ୍ରନ୍ଥ ମହାଭାରତମଧ୍ୟ ନୁହେଁ, ତାହା ମହାଭାରଥ

କେମିତି?

      ଭାରତୀୟ ଜନଜୀବନରେ ମହାଭାରତର ଚରିତ୍ରମାନଙ୍କୁ ଆଜି ବି ଆମର ଲେଖକ, କବି, ରାଜନୈତିକ ନେତା ଓ ପ୍ରବଚକ ଜୀବନ୍ତ କରିରଖିଛନ୍ତି। ସେମାନେ ଉଦାହରଣ ଛଳରେ ଏହି ମହାଭାରତର ଚରିତ୍ରମାନଙ୍କୁ ଦର୍ଶାଇ ଆଜିର ପରିସ୍ଥିତିକୁ ବର୍ଣ୍ଣନା କରିବାରେ ଅଧିକ ସହଜ ମନେକରୁଛନ୍ତି ଯେମିତି ମହାଭାରତର ଚରିତ୍ରମାନେ ଆଜି ବି ଆମ ଚାରିପାଖରେ  ବୁଲୁଛନ୍ତି। କେହି କେହି ଆଜି ବି ବିଶ୍ଵାସ କରନ୍ତି ଯେ ସଂପୂର୍ଣ୍ଣ ମହାଭାରତ ଯେମିତି ତାଙ୍କ ଅଞ୍ଚଳରେ ଘଟିଥିଲା। ସତରେ କେତେ ପ୍ରଭାବଶାଳୀ ଏହି ଗ୍ରନ୍ଥ !

      ଐତିହାସିକଙ୍କ ମତରେ ଏହି କାବ୍ଯଗ୍ରନ୍ଥର ରଚନା କାଳ ବୁଦ୍ଧଙ୍କ ଆବିର୍ଭାବ ପରେ। କେହି ଏହାକୁ ଖ୍ରୀଷ୍ଟପୂର୍ବ ପାଞ୍ଚ ଶହ କହୁଛନ୍ତି ତ କେହି ଏହାକୁ ତିନିଶହ କହୁଛନ୍ତି । ସଂସ୍କୃତ ମହାଭାରତ (ଅନ୍ୟ ନାମ ଜୟକାବ୍ୟ) ମାତ୍ର ୮୦୦୦ ଶ୍ଳୋକ ମଧ୍ୟରେ ତାଳପତ୍ର ପୋଥିରେ ଲେଖାଯାଇଥିଲା। ଏହାର ଆଦିପର୍ବରେ ସମଗ୍ର ମହାଭାରତ ରହିଛି। ପାକଳ ତାଳପତ୍ରକୁ ଶୁଖାଇ ପାଗ କରି ତାହା ଉପରେ ସଂସ୍କୃତ ଭାଷାରେ ଏହି ଗ୍ରନ୍ଥ ଲିଖିତ।  

      ଶୁଖିଲା ଲିପିବଦ୍ଧ ତାଳପତ୍ରକୁ ମଝିରେ ମଝିରେ ହଳଦୀ ପାଣିରେ ପୋଛି ଶୁଖାଇ ଯତ୍ନ ସେମାନେ ନେଉଥିଲେ। ତେଣୁ ମହାଭାରତ ହେଉ ଅଥବା କୌଣସି ପୋଥିର ସଂରକ୍ଷଣ ସମୟ ଶହେ ବା ଦେଢ ଶହ ବର୍ଷରୁ ଅଧିକ ନଥିଲା। ତେଣୁ ମହାଭାରତର ବାରମ୍ବାର ନକଲ ହେବାଭିତରେ ଅନେକ ବ୍ଯାସ ସୃଷ୍ଟି ହୋଇଛନ୍ତି ଯେଉଁମାନେ ନିଜର ଢଙ୍ଗରେ ଏହାର ଚରିତ୍ର ଓ କାହାଣୀକୁ ବଦଳାଇଚାଲିଛନ୍ତି। ଏହାକୁ ସେମାନେ ଅଠରଟି ଅଧ୍ୟାୟ କରିଛନ୍ତି।

        ମୂଳ ସଂସ୍କୃତ ମହାଭାରତ ୧୮୩୮ ଖ୍ରୀଷ୍ଟାବ୍ଦରେ ଛପା ହେବା ବେଳକୁ ଏହାର ଶ୍ଳୋକ ସଂଖ୍ୟା ୮୦୦୦ ରୁ ଯାଇ ଏକ ଲକ୍ଷରେ ପହଞ୍ଚିସାରିଥିଲା। ତେଣୁ ଶୁଦ୍ଧ ସଂସ୍କୃତ ମହାଭାରତ ବା ମହାଭାରତର କ୍ରିଟିକାଲ ଏଡିସନର ପ୍ରସ୍ତୁତିର ଦାୟିତ୍ଵ ୧୯୧୯ ମସିହାରେ ପୁନେର ଭଣ୍ଡାରକର ଇନଷ୍ଟିଚ୍ୟୁଟ ଅଫ ଓରିଏଣ୍ଟାଲ ଷ୍ଟଡ଼ିଜ ଉପରେ ପଡିଥିଲା। ୧୯୬୯ ମସିହାରେ ଏହା ଯେବେ ପ୍ରକାଶିତ ହେଉଛି ସେତେବେଳେ ଶୁଦ୍ଧ ସଂସ୍କୃତ ମହାଭାରତର ଶ୍ଳୋକ ସଂଖ୍ୟା ପହଞ୍ଚିଛି ଚଉସ୍ତରୀ ହଜାର ଆଠ ଶହରେ । ଅର୍ଥାତ ପ୍ରାୟ ଛବିଶ ହଜାର ଶ୍ଳୋକକୁ ଇନଷ୍ଟିଚ୍ୟୁଟ ବାଦ ଦେଇଛି। 

       ଏହା ପୂର୍ବରୁ କିନ୍ତୁ ସଂସ୍କୃତ ମହାଭାରତର ପୋଥିରୂପ ଭାରତ ମହାଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଛି। ଏହାର ଅନୁବାଦ ବିଭିନ୍ନ ଭାଷାରେ ଜ୍ଞାନୀମାନଙ୍କ ଦ୍ଵାରା ହୋଇଛି। ତେଲୁଗୁ ଭାଷାରେ ଏହାର ପ୍ରଥମ ଅନୁବାଦ ହୋଇଛି। ବାରଶହ ଓ ତେରଶହ ଶତାବ୍ଦୀକୁ ଆସିଲା ବେଳକୁ କନ୍ନଡ଼, ତାମିଲ, ଗୁଜୁରାଟି, ବଙ୍ଗାଳୀ ଓ ମରାଠୀ ଇତ୍ୟାଦି ଭାଷାରେ କେହି କେହି ଏହାର ଅନୁବାଦ କରିସାରିଲେଣି। ସଂସ୍କୃତ ମହାଭାରତର ଆଞ୍ଚଳିକ ଭାଷାରେ ଅନୁବାଦ କରିବା ମଧ୍ୟରେ କେବଳ ଏହାର କେତେକ ଚରିତ୍ରମାନଙ୍କ ପ୍ରାଧାନ୍ଯକୁ କେଉଁଠି ଅଧିକ ତ କେଉଁଠି ଗୌଣ କେହି କେହି କରିଛନ୍ତି।

    ନିଜ ଅଞ୍ଚଳର ଇତିହାସ, ସାମାଜିକ ଜୀବନ, ପର୍ବପର୍ବାଣି, ଦେବାଦେବୀଙ୍କ ଉପସ୍ଥିତି, ରାଜା ଶାସନ ଓ ଅର୍ଥନୀତିକୁ ନେଇ ମହାଭାରତର ଅନୁସୃଜନ କୌଣସି ଭାରତୀୟ ଭାଷାରେ ହୋଇନଥିଲା॥ ଏହା ପ୍ରଥମେ ସାରୋଳଦାସ ଓଡିଆ ମହାଭାରଥରେ କରିଛନ୍ତି। ଏହା କମ ଦୁଃସାହସ କାମ ନଥିଲା। କିଛି କମ ସୃଜନାତ୍ମକ ନୁହେଁ। ସେ ନିଜର ଗ୍ରନ୍ଥର ନାମକରଣ କେଉଁଠାରେ ବି ମହାଭାରତ ଉଲ୍ଲେଖ କରିନାହାନ୍ତି ବରଂ ସମସ୍ତ ସ୍ଥାନରେ ମହାଭାରଥ ଉଲ୍ଲେଖ କରିଛନ୍ତି। (ଗୌରାଙ୍ଗ ଦାଶ)

     ମୂଳ ସଂସ୍କୃତ ମହାଭାରତର ଯେଉଁ ଅନୁସୃଜନ ସାରୋଳଦାସଙ୍କ ଦ୍ଵାରା ହୋଇଛି ତାହାକୁ ଫକିର ମୋହନ ସେନାପତି ଆଦୌ ପସନ୍ଦ କରିନାହାନ୍ତି। ସେ ଉଭୟ ସଂସ୍କୃତ ମହାଭାରତକୁ ପଢିଛନ୍ତି । ଏହା ସହିତ ସାରୋଳଦାସଙ୍କ ଓଡିଆ ମହାଭାରଥକୁ ମଧ୍ୟ। ସେ ଏହି ଅନୁସୃଜନ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି, “ମୂଳଗ୍ରନ୍ଥ (ବ୍ଯାସ ମହାଭାରତ) ସହିତ ଏହି ଗ୍ରନ୍ଥ ଏତେ ପୃଥକ, ଆଖ୍ୟାୟିକାମାନେ ଏତେ ଅଂସଲଗ୍ନ ଓ ବିଶୃଙ୍ଖଳ ଏବଂ ଗ୍ରାମ୍ୟ ଭାଷାରେ ପରିପୂର୍ଣ୍ଣ ଯେ, ଏହାକୁ ମହାଭାରତ(ଥ) ବୋଇଲେ ମୂଳ ଭାରତକୁ ନିତାନ୍ତ ଅବମାନନା କରିବାକୁ ହୁଏ। ମୂଳ ଗ୍ରନ୍ଥରେ ଯେଉଁ ବିଷୟକ ଧର୍ମ ଓ ନୀତି ବିଷୟକ ମହାମୂଲ୍ୟ ଉପଦେଶମାନ ଅଛି, ଉତ୍କଳ ଭାରତରେ ତାହାର ଗନ୍ଧ ମାତ୍ର ନାହିଁ ବୋଇଲେ ଅତ୍ଯୁକ୍ତି ହେବ ନାହିଁ।“ (ଉସ୍ଛ: ବାଲେଶ୍ଵର ସମ୍ବାଦବାହିକା, ତା: ୨୪/୧୧/୧୮୮୫) କିନ୍ତୁ ଫକିର ମୋହନଙ୍କ ଏ ବିରକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସାରୋଳଦାସଙ୍କ ମହାଭାରଥ ଆଦୌ ବ୍ଯାସ ମହାଭାରତ ନୁହେଁ।

         ଓଡିଆ ମହାଭାରତ ଯାହାକୁ ସାରଳାଙ୍କ ନାମରେ ନାମିତ କରାଯାଇଛି ତାହା ପ୍ରଥମେ ଗୌରୀଶଙ୍କର ରାୟଙ୍କ ଦ୍ଵାରା ୧୮୯୮ ମସିହାରେ ଛପାଯାଉଛି। ଏହା ପୂର୍ବରୁ ଓଡିଆ ମହାଭାରତ କେବଳ ତାଳପତ୍ର ପୋଥିରେ ଥିଲା। ଗୌରିଶଙ୍କରଙ୍କ ପରେ ୧୯୧୭ରେ ମନମୋହନ ପୁସ୍ତକାଳୟ, ୧୯୨୭ରେ ରାଧାରମଣ ପୁସ୍ତକାଳୟ ଏବଂ ଧର୍ମଗ୍ରନ୍ଥ ଷ୍ଟୋର ଶାରଳା ଦାସଙ୍କ ନାମରେ (ଛପା ବର୍ଷ ଉଲ୍ଲେଖ ନାହିଁ) ମହାଭାରତ  ଛାପିଛନ୍ତି। (ଅସିତ ମହାନ୍ତି)  ମୁଁ ଏହାପରେ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତର କିଛି ଅଂଶ ପଢିଲି।

     କିନ୍ତୁ ପୋଥିରୁ ଛପାହୋଇ ବାହାରିଥିବା ଓଡିଆ ମହାଭାରତ ଯେ ପ୍ରକୃତ ମହାଭାରତ ନୁହେଁ ଏହା ଯେ ଅପମିଶ୍ରଣ ଏହି କଥା ମୁଁ ପ୍ରଥମେ ଔପନ୍ଯାସିକ ଗୋପୀନାଥ ମହାନ୍ତିଙ୍କ ପୁସ୍ତକ “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ ପଢିବା ଭିତରେ ମୁଁ ଜାଣିପାରିଲିଏହି ସାରୋଳଦାସଙ୍କୁ ପରବର୍ତ୍ତୀ ସମୟରେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ନାମିତ କରାଯାଇଛି।

     ଗୋପୀନାଥ ମହାନ୍ତିଙ୍କ ହାତରେ ପୁରୀ ଜିଲ୍ଲା ବଲଙ୍ଗା ଅଞ୍ଚଳର ଜଣେ ପୋଥିପ୍ରେମୀଙ୍କ ପରିବାର ଠାରୁ ୧୯୫୫-୫୬ ମସିହାରେ ସାରୋଳଦାସଙ୍କ ପୋଥି ମିଳିଛି। ସେ ସେହି ପୋଥି ଧରି ଛପା ଓଡିଆ ମହାଭାରତର ତୁଳନା କରିଛନ୍ତି। ଶେଷରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ମିଳୁଥିବା ମହାଭାରତପ୍ରକୃତ ଓଡିଆ ମହାଭାରତ ନୁହେଁ। ଏହାକୁ ସେ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ଲେଖିଛନ୍ତି। ପରେ ସେହି ଲେଖାଗୁଡ଼ିକ ସଂକଳିତ ହୋଇ ପକ୍ଷୀଘର ଦ୍ଵାରା “ଗବେଷକ ଦ୍ରୁଷ୍ଟିରେ ସାରୋଳ ମହାଭାରତ ନାମରେ ୨୦୧୮ ରେ ପ୍ରକାଶ ପାଇଲା ଯାହା ମୋ ହାତରେ ଅଛି।

        ଗୋପୀନାଥ ମହାନ୍ତିଙ୍କ ପୂର୍ବରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଏକ ଲେଖା ପ୍ରକାଶ କରିଥିଲେ ଯାହା ମୁଁ ପରେ ଜାଣିଲି। ଓଡିଶା ସରକାରଙ୍କ (ସାଂସ୍କୃତିକ ବ୍ୟାପାର ବିଭାଗ) ସହଯୋଗରେ ଓଡିଆ ମହାଭାରତର ଏକ ଶୁଦ୍ଧ ସଂସ୍କରଣ ତାଙ୍କ ଉଦ୍ୟମରେ ହୋଇଥିଲା। କିନ୍ତୁ ସେ ମଧ୍ୟ ଏହାର ନାମକରଣ କରିଛନ୍ତି “ସାରଳା ମହାଭାରତ”। (ଏହାର ଡିଜିଟାଲ କପି ଓଡିଆବିଭବ ଡଟ କମରେ ଉପଲବ୍ଧ) ଏହା ମଧ୍ୟ “ତୃଟିଯୁକ୍ତ” ଓ “ଅସ୍ପଷ୍ଟ” ବୋଲି ଗୋପୀନାଥ ମହାନ୍ତି ଲେଖନ୍ତି। 

        ଯଦି ସାରୋଳଦାସ ପ୍ରକୃତ ଶାରଳା ଦାସ ନୁହନ୍ତି ତେବେ ଏହାଙ୍କ ସମୟ କାଳ କଣ? ଏହି ନୂତନ ସାରୋଳଦାସ କଣ କପିଳେନ୍ଦ୍ର ଦେବଙ୍କ ସମସାମୟିକ ନୁହନ୍ତି? ଆମେ ଯେ କପିଳେନ୍ଦ୍ରଙ୍କୁ ଓଡିଆ ଅସ୍ମିତାର ପ୍ରତୀକ କହିଲା ବେଳେ ସେ ଗଢିଥିବା ପରିବେଶ ଓ ଦେଇଥିବା ପ୍ରୋସ୍ଛାହନ ଶାରଳା ଦାସଙ୍କୁ ମହାଭାରତ ଲେଖିବା ଲାଗି ସାହାଯ୍ୟ କରିଥିବାର ଯୁକ୍ତି କରିଥାଉ?  

        ଏହି ପ୍ରଶ୍ନ ଉପରେ ପରଦା ହଟିଲା ଯେବେ ମୁଁ ଭାଷାବିତ ଡକ୍ଟର ଗୌରାଙ୍ଗ ଚରଣ ଦାଶଙ୍କ ସଂସ୍ପର୍ଶରେ ଆସିଲି। ଦିନେ ସେ ମୋତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସଭାକକ୍ଷରେ ସାରୋଳଦାସ ମହାଭାରଥର ଏକ ଉନ୍ମୋଚନ ସଭାକୁ ଡ଼ାକିଥିଲେ। ତାହା ଥିଲା ଏପ୍ରିଲ ୧୪, ୨୦୨୧ ତାରିଖ। ସାରୋଳଦାସ ମହାଭାରଥର ପ୍ରକାଶିତ ଦୁଇଖଣ୍ଡ ବହି - ଆଦିପର୍ବ ଓ କର୍ଣ୍ଣାଦିଦଶପର୍ବ (ଶେଷ ଦଶ ପର୍ବ ମିଳିତ ଭାବରେ) - କିଣି ଆଣିଥିଲି। ଏହାକୁ ସମ୍ପାଦନା କରିଛନ୍ତି ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ଭାଗ୍ୟଲିପି ମଲ୍ଲ ଓ ଫଣୀନ୍ଦ୍ର ଭୂଷଣ ନନ୍ଦ। ଏହାକୁ ସେମାନେ କ୍ରିଟିକାଲ ଏଡିସନ କହୁଛନ୍ତି।  

          ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂଗ୍ରହାଳୟ ଓ ବ୍ୟକ୍ତିଗତ ଭାବରେ ସାଇତି ରଖିଥିବା ସେହି ବ୍ୟକ୍ତିମାନଙ୍କ ଠାରୁ ପୋଥି ସଂଗ୍ରହ କରି ଏହି ସଂକଳନକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯେଉଁଠି ଗୋପୀନାଥ ମହାନ୍ତିଙ୍କ ହାତରେ ମାତ୍ର ଦୁଇଟି ଓଡିଆ ମହାଭାରତର ପୋଥି ପଡିଥିଲା ସେଠାରେ ଏମାନେ ଅଧିକ ସଂଖ୍ୟକ ପୋଥି ସଂଗ୍ରହ କରି ତାହାର ତୁଳନା କରି ସର୍ବ ପ୍ରାଚୀନ କେଉଁ ପୋଥି ହୋଇଥିବା ତାହାର ଭାଷାକୁ ଠଉରାଇ ନିଜର କ୍ରିଟିକାଲ ଏଡିସନ ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟ ଲାଗି ଅବଶ୍ୟ କେନ୍ଦ୍ର ସରକାର ଅନୁଦାନ ଯୋଗାଇଦେଇଛନ୍ତି ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟନାମକ ପ୍ରାଇଭେଟ ବିଶ୍ୱବିଦ୍ୟାଳୟ ନିଜର ଭିତ୍ତିଭୂମୀ ଯୋଗାଇଦେଇଛି।           

     ଗବେଷଣାର ଭାଷାରେ କ୍ରିଟିକାଲ ଏଡିସନର ଅର୍ଥ ହୋଇପାରେ ଶୁଦ୍ଧ ସଂସ୍କରଣ। ଆଜି କୁ ଏକ ହଜାର ବର୍ଷ ତଳେ ସାରୋଳଦାସ ନିଜେ ଯେଉଁ ପୋଥି ଲେଖିଥିଲେ ତାହାକୁ ଆଜି ମିଳିବା ଯେହେତୁ ସମ୍ଭବ ନୁହେଁ ତେଣୁ ଏହା ସଂପୂର୍ଣ୍ଣ ଶୁଦ୍ଧ କୁହାନଯାଇପାରେ ବୋଲି ସେମାନେ ସ୍ଵୀକାର ଅବଶ୍ୟ କରନ୍ତି।      

        କ୍ରମଶଃ ସ୍ପଷ୍ଟ ହେଲା ଯେ ସାରୋଳଦାସ କୌଣସି ଠାରେ ବି ମହାଭାରତ ଶବ୍ଦ ବ୍ୟବହାର କରିନାହାନ୍ତି କିମ୍ବା ନିଜର ନାମ ସେ କୌଣସି ଠାରେ ଶାରଳା ଦାସ ବା ସାରଳା ଦାସ ଲେଖିନାହାନ୍ତି। ଏହା ମଧ୍ୟ ସ୍ପଷ୍ଟ ହେଲା ଯେ ସାରୋଳଦାସ ଆଦୌ ଚତୁର୍ଦ୍ଦଶ ଶତାବ୍ଦୀର କପିଳେନ୍ଦ୍ର ଦେବଙ୍କ ସମୟର ନୁହନ୍ତି। ଏହା ସାରୋଳଦାସ ମହାଭାରଥର ଭାଷା ଓ ବର୍ଣ୍ଣନାରୁ ସ୍ପଷ୍ଟ ବୋଲି ଉଭୟ ଗୌରାଙ୍ଗ ଦାଶ ଓ ଗୋପୀନାଥ ମହାନ୍ତି ଦୃଢତାର ସହିତ ଲେଖନ୍ତି।

      ତେଣୁ ସାରୋଳଦାସ ଯେ କପିଳେନ୍ଦ୍ର ଦେବଙ୍କ ସମସାମୟିକ ଏହା ସଂପୂର୍ଣ୍ଣ ମିଥ। ଯଦି ଆମେ ଧରିବା ଯେ ଓଡିଆ ମହାଭାରଥରେ ଜାତିପ୍ରଥା ଓ ଶାସନ ବିରୁଦ୍ଧରେ ବକ୍ତବ୍ୟ ରହିଛି ତେବେ କପିଳେନ୍ଦ୍ର ଦେବ ଯେ ଏହାକୁ ପ୍ରୋସ୍ଛାହନ ଦେଇଥିବେ ଏହି ସନ୍ଦେହ ମୋ ଭିତରେ ଥିଲା। କୌଣସି ରାଜା ବା ଶାସକ କେବେ ବି ଯେ ସମାଜର ହିତ ଲାଗି କିଛି କରିନାହାନ୍ତି ଏହି ଧରାଣ ମୋର ଅଧିକ ଦୃଢ ହେଲା।

       ସାରୋଳଦାସଙ୍କ ଘର ଝଙ୍କଡ ଶାରଳା ହୋଇଥିବା ତାଙ୍କ ଲିଖିତ ମହାଭାରଥଚଣ୍ଡିପୁରାଣରୁ ପ୍ରମାଣ ମିଳୁନାହିଁ। ତେଣୁ କପିଳେନ୍ଦ୍ର ଦେବଙ୍କ ଅନେକ ପୂର୍ବରୁ ସାରୋଳଦାସ ଜନ୍ମିତ। ତାଙ୍କର ଗ୍ରାମ ସମ୍ପର୍କରେ କ୍ଵଚିତ ବର୍ଣ୍ଣନା ରହିଛି। ଅନୁମାନ ଯେ କୋଣାର୍କ ନିକଟସ୍ଥ କଣିଆଁତାଙ୍କର ଗ୍ରାମ (ଗୋପୀନାଥ ମହାନ୍ତି) ସାରଡାମଧ୍ୟ ହୋଇପାରେ। (ସାହିତ୍ଯକୋଷ) ଗ୍ରାମ ଦେବୀ ସାରୋଳ ଚଣ୍ଡୀଙ୍କ ଦାସ ବୋଲି ନିଜକୁ ବିନୀତ କରି ନିଜ ନାମ ସାରୋଳଦାସ ରଖିଥାଇପାରନ୍ତି।      

      ମୁଁ ଇତିମଧ୍ୟରେ ନୂତନ ପ୍ରକାଶିତ ସାରୋଳଦାସଙ୍କ ମହାଭାରଥର ପଦ୍ୟ ସହିତ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତ କାବ୍ୟଗ୍ରନ୍ଥର ତୁଳନା କରୁଥିଲି ଅନେକ ଅସାମଞ୍ଜସ୍ଯ ରହିଛି। କେତେକ ଉଦାହରଣ ଦେଉଛି।

୧. ସାରୋଳଦାସ ମହାଭାରଥ : ସାରୋଳଚଣ୍ଡୀ  ନାମେ ଅଟଇ ସେ ଦେବୀ / ତାହାର ପୁତ୍ର (ସେବକ) ମୁଁ ଯେ ସାରୋଳଦାସ କବି। (ସରୋଳ ଚଣ୍ଡୀ ତୁସ୍ତି ଓ କବି ପରିଚୟ/ ଆଦିପର୍ବ)

ସେହି ସମାନ ପଦକୁ ବଦଳାଇ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି :

ଶାରଳା ଚଣ୍ଡୀ ସାକ୍ଷାତେ ଅଟଇ ଭୈରବୀ / ତାହାର ପୁତ୍ର ଶାରଳା ଦାସ ମୁହିଁ କବି।

 (ଶାରଳାଙ୍କ ବନ୍ଦନା / ଆଦିପର୍ବ)

୨. ସାରୋଳଦାସ ମହାଭାରଥ : ପ୍ରସନେ ଆଗ୍ଯାଂ ମୋତେ ଦେଲେ ଶକମ୍ବରୀ / ଲାଭ ତୁ କପିଳାସ ଶ୍ରୀମହାଭାରଥ ଗ୍ରନ୍ଥକରି।

ଶାରଳା ଦାସଙ୍କ ମହାଭାରତ : ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକମ୍ବରୀ / ଲଭ ତୁ ବିଳାସ ମହାଭାରତ ବିସ୍ତାରୀ।  

୩. ସାରୋଳଦାସ ମହାଭାରଥ : ଭାରଥ ଗ୍ରଂଥ ଯହୁଂ ସେ ହୋଇଲା ମହାଭାରା  / ତହୁଂ ମହାଭାରଥ ନାମ ଦେଲେ କଶ୍ୟପ ଅଂଗିରା।

ଶାରଳା ଦାସଙ୍କ ମହାଭାରତ ଏ ସମ୍ପର୍କରେ ନୀରବ ରହିଛି।

      ନୂତନ ସାରୋଳଦାସ ମହାଭାରଥ ଏହା ପ୍ରମାଣିତ କରୁଛି ଯେ ସାରୋଳଦାସଙ୍କ ପରେ ବଳରାମ ଦାଶ, ଜଗନ୍ନାଥ ଦାଶ ଇତ୍ୟାଦିଙ୍କ ଠାରୁ ଭୀମଭୋଇଙ୍କ ପର୍ଯ୍ୟନ୍ତ ପୋଥିରେ ଲେଖୁଥିବା ପ୍ରତ୍ଯେକ କବିଙ୍କର ଏହିଭଳି ଶୁଦ୍ଧ ସଂସ୍କରଣ ଜରୁରୀ। ଯଦିଓ ପଠାଣି ସାମନ୍ତ (୧୮୭୬) ପ୍ରଥମେ ପୋଥିରେ “ସିଦ୍ଧାନ୍ତ ଦର୍ପଣ” ଲେଖିଥିଲେ କିନ୍ତୁ ତାଙ୍କରି ସମୟରେ ଏହାକୁ ପୁସ୍ତକ ଆକାରରେ ଛପା ହେବା ହେତୁ ସେ ଏହାର ପୃଫ ନିଜେ ଦେଖିପାରିଥିଲେ।

      ଏବେ ଓଡିଆ ସାହିତ୍ୟରେ ଏକ ବିରାଟ କ୍ଷେତ୍ର ସୃଷ୍ଟି ହେଲା ଯାହା ଆଗାମୀ ପୀଢିର ଗବେଷିକା/ଗବେଷକ ମାନଙ୍କୁ ବାକି ପୋଥିରେ ଲେଖିଥିବା କବିଙ୍କ କ୍ରିଟିକାଲ ଏଡିସନ ମଧ୍ୟ ସେମାନେ କରିପାରିବେ। ସେଥିପାଇଁ ଯେ ସର୍ବଦା କେନ୍ଦ୍ର ସରକାରଙ୍କ ସହଯୋଗ ରହିବ ଓ କୌଣସି ଏକ ବିଶ୍ୱବିଦ୍ୟାଳୟ ଏଥିଲାଗି ସ୍ଥାନ ଦେବ ତାହା ନୁହେଁ। ଅନାବଶ୍ୟକ ମଧ୍ୟ। ସାରୋଳଦାସଙ୍କ ବ୍ୟକ୍ତିଗତ ଆବେଗରୁ ମହାଭାରଥର ସୃଷ୍ଟି। ଆଜି ପ୍ରାଚୀନ ସାରୋଳଦାସ ମହାଭାରଥ ପ୍ରକାଶିତ ହେବା ପରେ ସେହି ଦଶମ ଓ ଏକାଦଶ ଶତାବ୍ଦୀର ଓଡିଆ ଜନଜୀବନ, ଜାତିପ୍ରଥା, ବ୍ରାହ୍ମଣର ଉପସ୍ଥିତି, ରାଜାଙ୍କ ଯୁଦ୍ଧ ଖୋର ମନୋବୃତ୍ତି ଇତ୍ୟାଦି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରୁଛି।

        ଓଡିଶାରେ ରାଜରାଜୁଡା ବ୍ରାହ୍ମଣ ଶାସନ ଓ ଜାତିପ୍ରଥା ଦଶମ ଓ ଏକାଦଶ ଶତାବ୍ଦୀରେ ପ୍ରାଥମିକ ସ୍ତରରେ ରହିଥିବା ଇତିହାସର ଗବେଷକମାନେ ଯୁକ୍ତି କରିଆସିଛନ୍ତି। ମୋର ଆଗ୍ରହ ସତରେ ଏହା କେଉଁଭଳି ଥିଲା। ଏତଦବ୍ୟତୀତ ତ୍ରିପିଟକପରେ ଜାତିପ୍ରଥା ବିରୁଦ୍ଧରେ ସାରୋଳଦାସ ମହାଭାରଥ ଏହି ଭୂଖଣ୍ଡରେ ଦ୍ଵିତୀୟ ଲିଖିତ ଗ୍ରନ୍ଥ ନୁହେଁ ତ? ଏହି ଭୂଖଣ୍ଡର ପ୍ରାଚୀନ ଗ୍ରନ୍ଥମାନଙ୍କୁ ପଢିବାର ଆଗ୍ରହ ମୋର ଏହି ଅନୁସନ୍ଧାନ ମଧ୍ୟରେ ଅଧିକ ହୋଇଛି।


ଦେବ ରଞ୍ଜନ

Email: debasar11@yahoo.co.in


Sunday, August 25, 2024

ଖବରକାଗଜ ଆମକୁ କ’ଣ କହୁଛି ଓ ନକହୁଛି

 


ଆମେ ଯେ ଏକା ସମୟରେ ଯେ ଏକ ସହସ୍ର ବର୍ଷର ସମାଜ ମଧ୍ୟରେ ବଞ୍ଚୁଛେ ଏ କଥା ପ୍ରତିଦିନ ପଢୁଥିବା ଖବରକାଗଜ ଆମକୁ ଏହା ବୁଝାଇଥାଏ। ଯେମତି ପୁଅ ଛୁଆ ଜନ୍ମ ନଦେବା କାରଣରୁ ସ୍ବାମୀର ନିଜ ସ୍ତ୍ରୀକୁ ହତ୍ୟା ତ ପୁଣି ପଢୁ ଚରିତ୍ର ସନ୍ଦେହରେ ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଇହତ୍ୟା ତ ପୁଣି ଦଳିତ ନାବାଳିକାର ଗଣଧର୍ଷଣ ଓ ହତ୍ୟା ଆମକୁ ଅତି କମରେ ଆଜକୁ ଦୁଇ ବା ତିନି ଶହ ବର୍ଷ ତଳର ପୁରୁଷ ମାନସିକତାର ସ୍ଥିତିକୁ ନେଇଯାଏ।

ଏହା ଅନୁଭବ କରୁ ଯେତେବେଳେ ପୁଣି ସେହି ଖବରକାଗଜରେ ପଢୁ ଯେ ମହିଳା ମହାକାଶଚାରୀଙ୍କ ଚନ୍ଦ୍ର ପୃଷ୍ଠ ଯିବା ଲାଗି ପ୍ରସ୍ତୁତ ତ ପୁଣି ପଢୁ ଅଲମ୍ପିକରେ ମେଡାଲ ଜିତିଛନ୍ତ ମହିଳା କୁସ୍ତି ଯୋଦ୍ଧାଦେଶ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ପାଇଛି ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଯେଉଁଠି ବ୍ୟକ୍ତି ସ୍ଵାଧୀନତା ଏକ ଶ୍ରେଷ୍ଠ ଅଧିକାର, ଯେଉଁଠି ଦେଶ ଏକ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ପାଉଛି ସେହି ଦେଶରେ ପୁରୁଣା ମାନସିକତା କାରଣରୁ ଝିଅ ଜନ୍ମ ହେବା ମାତ୍ରେ ତାକୁ ମାରିଦିଆଯାଉଛି। ଏହି ଦୁଇ ପ୍ରକାରର ଘଟଣା ମଧ୍ୟରେ ସମୟର ବ୍ଯବଧାନ କେତେ ହେବ? ଶହେ? ଦୁଇ ଶହ? ହୁଏତ ଏହାଠାରୁ ଅଧିକ।

ଏହିପରି ପ୍ରତିଦିନ ଖବରକାଗଜ ଆମକୁ ବିସଙ୍ଗତି ଆଡକୁ ନେଇଯାଇଥାଏ।

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା, ମହିଳାଙ୍କ ରାମ୍ପ ଶୋ, ବିଶ୍ବସୁନ୍ଦରୀ ପ୍ରତିଯୋଗିତା, ପାନୀୟ ଜଳ ନପାଇ ଗ୍ରାମବାସୀ ହନ୍ତସନ୍ତ, ଭାରତ ଗଲା ବର୍ଷ ଠାରୁ ଏହି ବର୍ଷ ପ୍ରତିରକ୍ଷା ବଜେଟରେ ବୃଦ୍ଧି, ଦେଶରେ ସମୁଦାୟ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ମଧ୍ୟରୁ ଅପପୁଷ୍ଟିରେ ଅଧିକ ଶିଶୁ ମୃତ, ଝାଡାବାନ୍ତିରେ ୧୫ ଆଦିବାସୀ ଛୁଆଙ୍କ ମୃତ୍ୟୁ ଓ ଦେଶର ଏକ ନମ୍ବର ବିଲିୟୋନାୟାରଙ୍କ ପୁତ୍ର ବିବାହ ଭୋଜିରେ ଦେଶର ଅଧିକାଂଶ ଫିଲ୍ମ କଳାକାର, କ୍ରିକେଟିୟର, ରାଜନୀତିଜ୍ଞ, ବିଶିଷ୍ଟ ଶିଳ୍ପପତିଙ୍କ (ବିଲିୟୋନାୟର) ଯୋଗଦାନ ସମ୍ପର୍କିତ ଖବର ଏହି ଖବରକାଗଜମାନଙ୍କରେ ବଡ ଅକ୍ଷରରେ ପ୍ରକାଶିତ ହୁଏ।

ଖବର ପଢିଲେ ଲାଗେ ଗୋଟିଏ ଖବର ସହିତ ଅନ୍ୟ ଗୋଟିଏ ଖବରର କୌଣସି ସମ୍ବନ୍ଧ ନାହିଁ। ଏହି ଖବରମାନେ ମଧ୍ୟ ନିଜ ଭିତରେ କୌଣସି ଦ୍ଵନ୍ଦ ନା ଲଜ୍ଜା ନା ବିରୋଧ ବା ବିରକ୍ତି କିଛି ଅନୁଭବ କରୁନାହାନ୍ତି। ନା ବିଲିୟୋନାୟାର ନିଜର ଦେଶରେ ଯେଉଁଠି ଅପପୁଷ୍ଟିରେ ଏତେ ଶିଶୁ ମରୁଛନ୍ତି ସେଠାରେ ୫୦୦୦ କୋଟି ଟଙ୍କାର ବ୍ୟୟରେ ବିବାହ ଆୟୋଜନ କରିବାର ଲଜ୍ଜା ପାଏ ନା ଅପପୁଷ୍ଟିରେ ମାରୁଥିବା କାରଣରୁ ନିର୍ବାଚିତ ଶାସକ ଦଳର ଜନପ୍ରତିନିଧୀ ନିଜେ ଲଜ୍ଜା ଅନୁଭବ କରନ୍ତି। କିନ୍ତୁ ଏହି ସମସ୍ତ ଘଟଣାକୁ ଆମେ ନିଜ ଭିତରେ ବିଶ୍ଳେଷଣ କଲେ ଜାଣୁ ଯେ ଖବରକାଗଜର ଏହି ଚିତ୍ର ଆମ ଦେଶର ଇତିହାସ, ଅର୍ଥନୈତିକ ସ୍ଥିତି, ସାମାଜିକ ସମ୍ବନ୍ଧ ଓ ଗଣତନ୍ତ୍ରର ବାସ୍ତବତା ସମ୍ପର୍କରେ ଧାରଣା ଦେଉଛି।   

କିନ୍ତୁ ଖବରକାଗଜ ଅନେକ ତଥ୍ୟ ମଧ୍ୟ ଲୁଚାଇଥାଏ।

ସବୁ ଦିନ ଖବରକାଗଜରେ ପ୍ରକାଶ ପାଉଛି ପୁରୁଣା ନାଳ ବା ସହରର ଡ୍ରେନ ସଫା କରିବାକୁ ଯାଇ ଶ୍ବାସ ରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ, ରୁଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା, ଦାଦନ ଖଟିବାକୁ ଯାଇ ଯୁବକ ଶବ ହୋଇଗଲେ ଓ ମୃତ ଯୁବକଙ୍କ ପରିବାର ମୃତ ଶରୀରକୁ ଫେରାଇ ଆଣିବା ଲାଗି ପ୍ରଶାସନର ଦ୍ଵାରସ୍ଥ ଇତ୍ୟାଦିସତରେ ସେହି ଘଟଣାରେ ପ୍ରଶାସନର ଦ୍ଵାରସ୍ଥ ହୋଇଥିବା ପୀଡିତ/ପୀଡ଼ିତା ପ୍ରଶାସନର ସୁବିଧା ପାଇଲେ କି? ମନ ଆମର ଜାଣିବା ଲାଗି ଆଗ୍ରହୀ ଥାଏ। କିନ୍ତୁ ସେ ତଥ୍ୟ ଆମକୁ ଖବରକାଗଜରୁ ମିଳେନାହିଁ।

ଏହା ନୁହେଁ ଯେ ଖବରକାଗଜ ତଥ୍ୟ ରଖେନାହିଁ। ରୋଚକ ଢଙ୍ଗରେ କୌଣସି ସେଲେବ୍ରିଟିଙ୍କ ବିବାହ ବିଚ୍ଛେଦର ଟିକି ନିଖି ଖବର କିନ୍ତୁ ପ୍ରତିଦିନ ପ୍ରକାଶିତ ହୁଏ ଯେମିତି ରାଜ୍ୟରେ ଆଦୌ ବିବାହ ବିଚ୍ଛେଦ ହେଉନାହିଁ। ନହେଲେ, ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏବେ ଏସିଆରେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଘୋଷିତ ହେବା ଓ ତାଙ୍କ ସାମ୍ନାରେ ଆଉ କିଏ ରହିଲେ ଗଣତନ୍ତ୍ର ଦେଶରେ ତାହାର ନିଲ୍ଲଜ ଉପସ୍ଥାପନ ଖବରକାଗଜ କରିଥାଏ।

କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଉପସ୍ଥାପନ ସମୟରେ ଯେଉଁ ରୋଚକ ସାହିତ୍ୟ ଖବର ମଧ୍ୟରେ ରହିଥାଏ କୌଣସି ଦଳିତ ନାବାଳିକା ଉପରେ ହୋଇଥିବା ଅତ୍ୟାଚାରର ଖବରରେ ଦୁଃଖଭରା ଶବ୍ଦ ନଥାଏ – ବୋଧେ ଖବରକାଗଜର ଶବ୍ଦ ଉତ୍ତେଜନାରେ ଆସିଥାଏ ଲଜ୍ଜା ଓ ମାନବିକତା ପ୍ରସଙ୍ଗରେ ନୁହେଁ।

ଖବରକାଗଜ ମଧ୍ୟରେ ଏକ ଛୋଟ ଦେଶଟିଏ ରହିଛି। ସେହି ପୃଷ୍ଠା ଭିତରେ ଦେଶର ଛୋଟ ସମାଜଟିଏ ରହିଛି। ସେହି ସମାଜରେ ଧନୀ ଗରିବ ସମସ୍ତେ ଅଛନ୍ତି। ସେହି ଭିତରେ ନେତାଙ୍କ ଭାଷଣ ଭାରତ ହେଉଛି ଗଣତନ୍ତ୍ରର ମା’’, ଆମେ ଆମ ଗଣତନ୍ତ୍ରକୁ ନେଇ ଗର୍ଭ କରିବା ଆବଶ୍ୟକ ଭଳି ଶୀର୍ଷକରେ ଖବର ପ୍ରକାଶିତ ହୁଏ। ସେହି ସମାନ ପୃଷ୍ଠାରେ ପୁଣି ପ୍ରକାଶିତ ହୋଇଥାଏ  ଛୋଟ ପିଲାମାନେ ବର୍ଷା ଦିନେ ନଦୀ ମଧ୍ୟରେ ପଶି ସ୍କୁଲକୁ ଯିବା, ରାସ୍ତା ଅଭାବରୁ ଗର୍ଭବତୀ ମହିଳା ଖଟିଆରେ ବୁହାହେବାର ଖବର। ଗର୍ବ କାହାକୁ ନେଇ ଯେ କରିବା ସେ ଉତ୍ତର କେଉଁଠାରେ ନଥାଏ।

ରାଜ୍ୟର ଦୁଇ ଲେନ ରାସ୍ତାକୁ ଚାରିଲେନ ଓ ଚାରି ଲେନ ରାସ୍ତାକୁ ଛଅ ଲେନ ହେବା ଲାଗି କେତେ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଚୁକ୍ତିପତ୍ର ସହିତ ହସ ହସ ମୁହଁ ଭରା ମନ୍ତ୍ରୀ ଓ ସଚୀବଙ୍କ ଫୋଟୋ ଦେଖିଲେ ଇଚ୍ଛା ହୁଏ ପଚାରିବାକୁ ଯେ ଗୋଟିଏ ଦେଶରେ ଯେଉଁଠି ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛି କି ପିଲାମାନେ ନଦୀରେ ପଶି ସ୍କୁଲ ଯାଉଛନ୍ତି ସେଠାରେ ଛଅ ଲେନର କି ଆବଶ୍ୟକତା ରହିଛି ଏ ପ୍ରଶ୍ନ ସାମ୍ବାଦିକ କେବେ ମନ୍ତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ପଚାରିନାହାନ୍ତି। ତେଣୁ ଖବରକାଗଜରେ ନାହିଁ।

ଖବରକାଗଜର ମାଲିକମାନେ ବେଶ କିଛି ବର୍ଷ ହେଲା  ନିଜକୁ ଏକ ବ୍ଯବସାୟିକ ସଂସ୍ଥା ଭାବରେ ଗ୍ରହଣ କରିନେଇ ପୁଞ୍ଜିଲଗାଣକୁ ଗୁରୁତ୍ଵ ଦେଇଛନ୍ତି। ତେଣୁ ସେମାନେ ନିଜ ସ୍ଵାର୍ଥର ସୁରକ୍ଷା ଲାଗି “ପ୍ରକଳ୍ପ ସପକ୍ଷବାଦୀ” ଓ “ପ୍ରକଳ୍ପ ବିରୋଧୀ” ଏହିଭଳି ଦୁଇ ଭାଗରେ ଅଞ୍ଚଳକୁ ବିଭାଜିତ କରିଛନ୍ତି। ଏହି ସପକ୍ଷବାଦୀବିରୋଧୀ ବିଭାଜନ ଖବରକାଗଜର ସୃଷ୍ଟି। ଦେଶର ବିକାଶରେ ବିସ୍ଥାପିତ ଜନତାଙ୍କର ମଧ୍ୟ ସମାନ ଅଧିକାର ରହିଛି, ଜମି ଓ ଜଙ୍ଗଲ ଉପରେ ନାଗରିକର ପୀଢି ପୀଢିର ଅଧିକାର ରହିଛି। ଏହକୁ ନିଜ ସ୍ଵାର୍ଥ ଲାଗି ସପକ୍ଷବାଦୀ ଓ ବିରୋଧୀ ଭାବରେ ଲୋକଙ୍କୁ ଦୁଇଭାଗ କେଉଁଭଳି କରାଯିବ? କୌଣସି ପ୍ରକଳ୍ପକୁ ଲୋକଙ୍କ ଦ୍ଵାରା ବିରୋଧ କରାଗଲା ଖବରକାଗଜ ତା ନିଜ ଆଡୁ ବିଚାର କରିବା ଆରମ୍ଭ କରିଦିଏ। ପ୍ରକଳ୍ପ ବିରୋଧୀ ସ୍ଵରକୁ କ୍ଵଚିତ ପ୍ରକାଶ କରେ।  

ନିଜ ଉପରେ ସରକାରୀ ଆକ୍ରମଣ ହେଲେ “ବାକ ସ୍ଵାଧୀନତାର କଣ୍ଠରୋଧ” କରୁଛି କିନ୍ତୁ ନିଜେ ଆଉ କାହାରର କଣ୍ଠରୋଧର ଭୂମିକା ନେଉଛି। ବୃହତ କମ୍ପାନୀଙ୍କ ଦ୍ଵାରା ଦିଆଯାଉଥିବା ବିଜ୍ଞାପନକୁ ଅଧିକ ଭାବରେ ହାତେଇବାକୁ ଯାଇ ବିସ୍ଥାପିତଙ୍କ ଦୁଃଖ, ଶ୍ରମିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ବସ୍ତିକୁ ବୁଲଡ୍ରୋଜର ଦେଇ ଭାଙ୍ଗିବା, ପ୍ରଦୂଷଣଜନୀତ ଯାବତୀୟ ବେମାରୀ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର  ସମସ୍ଯାର କାରଣ ଆଡକୁ ଖବରକାଗଜ ମୁହଁ ବୁଲାଇ ଦେଉଛି।

ଖବରକାଗଜ ମାଲିକମାନେ ବହୁ ପୂର୍ବରୁ ନିଜକୁ କୌଣସି ନା କୌଣସି ରାଜନୈତିକ ଦଳ ସହିତ ଜଡିତ କରିଥିଲେ।

ଆଜିକାଲି ଖବରକାଗଜର ମାଲିକମାନେ ଧର୍ମକୁ ଆଧାର କରି ସମାଜରେ ବିଭାଜନ କରିବା ଆରମ୍ଭ କରିଦେଇଛନ୍ତି। ଗୋ ଚାଳଣକାରୀଙ୍କ ଉପରେ ଆକ୍ରମଣ (ଆକ୍ରାମଣକାରୀ ନିଜେ ପୁଲିସ ସାଜି ମରଣାନ୍ତକ ଆକ୍ରମଣ କରିବାକୁ ଉପସ୍ଥିତ ପୁଲିସ କି ସାମ୍ବାଦିକ ପ୍ରଶ୍ନ କରିନଥାନ୍ତି), ଗୋମାଂସ ଫ୍ରିଜରୁ ଉଦ୍ଧାର’, ଜୟ ଶ୍ରୀରାମରେ ପ୍ରକମ୍ପିତ ମନ୍ତ୍ରୀଙ୍କ ସଭାସ୍ଥଳ’, ସଙ୍କୀର୍ତ୍ତନରେ ଝୁଲିଲେ ଭକ୍ତ’, ମନ୍ତ୍ରୀଙ୍କ ଅଫିସ ପ୍ରବେଶ ସମୟରେ ହନୁମାନ ଚାଳିଶା ପାଠ’, ଧର୍ମାନ୍ତରୀକରଣଅନୁପ୍ରବେଶ ଭଳି ପ୍ରସଙ୍ଗକୁ ଦେଶ ବିଦେଶ ପୃଷ୍ଠାରେ (କୌଣସି ସଂଖ୍ୟା ମଧ୍ୟ ନଥାଇ) ଦେବା ଆରମ୍ଭ କରିଛନ୍ତି। ସେମାନେ ଏହାକୁ ଜାଣି ଜାଣି ଜାତୀୟ ସମସ୍ଯା କରିଦେଇଛନ୍ତି।

କେଉଁ ରାଜ୍ୟର ଅନାମଧେୟ କୌଣସି (ଦଙ୍ଗାକାରୀ) ନେତାଙ୍କ ଅଳ୍ପ ସଂଖ୍ୟକ ବିରୋଧୀ ମନ୍ତବ୍ୟ ଦେଶ ବିଦେଶ ପୃଷ୍ଠାରେ ସ୍ଥାନ ପାଉଛି।

ଖବରକାଗଜ ଏକ ନୂଆ ଅବତାରରେ ଆଜି ସାମ୍ପ୍ରଦାୟିକ ବାର୍ତ୍ତା ଦେଇ ଏହାକୁ ଆଗାମୀ ଦିନର ସାମ୍ପ୍ରଦାୟିକ ହିଂସାର କର୍ତ୍ତା ହେବା ଲାଗି ପ୍ରସ୍ତୁତ କରୁଛନ୍ତି। ସଂକ୍ଷେପରେ କହିଲେ, ସେମାନେ ଦଙ୍ଗାକାରୀ ସୃଷ୍ଟି କରିବାରେ ଲାଗିପଡିଛନ୍ତି। ପ୍ରେସ କାଉନସିଲ ଓ ଅନ୍ଯାନ୍ଯ ସାମ୍ବିଧାନିକ ଅନୁଷ୍ଠାନ ଦେଶରେ ରହିଥିବା କଥା ଜଣାପଡୁନାହାନ୍ତି। ଏହି ଅନୁଷ୍ଠାନ କ୍ରିୟାଶୀଳ ହେଲେ ଖବରକାଗଜ ମାଲିକମାନେ ହୁଏତ ନିଜର ପୁଞ୍ଜିକୁ ଖଣି ବା ସଟ୍ଟା ବଜାରରେ ଲଗାଇଦେବେ ଓ କହିବେ, ବାକ ସ୍ଵାଧୀନତାର କଣ୍ଠରୋଧ ହେଲା। 

ଖବରକାଗଜ ଚତୁର୍ଥ ସ୍ତମ୍ବ ନୁହେଁ ସ୍ତମ୍ବହୀନ ପରାଙ୍ଗପୁଷ୍ଟ ଲତାଟିଏ ଆମ ସମାଜରେ ପୁଞ୍ଜି ଓ ଧର୍ମକୁ ସାହାରା କରି ବଢୁଛି। ଏଥିଲାଗି ଖବରକାଗଜ ନିଜର ଗୁରୁତ୍ଵ କ୍ରମାଗତ ହରାଉଛି।

(*ଅନେକ ଦିନରୁ ଟିଭିରୁ ଖବର ଜାଣିବାର ଅଭ୍ଯାସ ଛାଡିଦେଇଛି। କେତେକ ନିର୍ଦ୍ଦିଷ୍ଟ ୱେବ ଛାଡିଦେଲେ ବାକି ଅନେକ ମିଥ୍ୟା ଖବର ଦେଉଛନ୍ତି। ତେଣୁ ମୁଁ ନିୟମିତ ଖବରକାଗଜ ପଢେ ଓ ଏହି ଅନୁଧ୍ୟାନ ଖବରକାଗଜ ଉପରେ ପର୍ଯ୍ୟବେଶିତ।)

 ଦେବ ରଞ୍ଜନ 

 

 

 

Friday, August 16, 2024

ଅପାରଗତାକୁ ଲୁଚାଇବା ଲାଗି ଆକ୍ରମଣ

ରାଜ୍ୟ – ରାଜ୍ୟ ମଧ୍ୟରେ କୌଣସି ବିବାଦ ଉପୁଜିଲେ ଏହାର ସମାଧାନ ଲାଗି ଏବେ କୌଣସି ଅନୁଷ୍ଠାନ ନାହିଁ। ଏପରିକି କେନ୍ଦ୍ର ସରକାର ମଧ୍ୟ ମଧ୍ୟସ୍ଥିର ଭୂମିକା ନେବାର ସ୍ଥିତିରେ ନାହାନ୍ତି। ଗଣମାଧ୍ୟମ ଗୁଡିକ ଦଳୀୟ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ହେତୁ ସେମାନେ ସମାଧାନର ରାସ୍ତା ଖୋଜିବା ବଦଳରେ ଏହାକୁ ଅଧିକ ଗମ୍ଭୀର କରିଦେବାରେ ଲାଗିଛନ୍ତି। ହଁ, ଆମେ ଆଲୋଚନା କରୁଛେ ଓଡିଶାରେ ଗଲା କିଛି ସପ୍ତାହ ହେଲା ଉପୁଜିଥିବା ଆଳୁ ସମସ୍ଯା ଓ ଆଳୁକୁ ନେଇ ଉଠିଥିବା ସାମ୍ପ୍ରଦାୟିକ ଆକ୍ରମଣ ସମ୍ପର୍କରେ।   

ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ଆବଶ୍ୟକ ହେଉଥିବା ଆଳୁ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ଆଳୁ ରାଜ୍ୟ ମଧ୍ୟରେ ଉତ୍ପାଦିତ ହୋଇଥାଏ। ତେଣୁ ପଡୋଶୀ ପଶ୍ଚିମ ବଙ୍ଗ ଉପରେ ଏହା ଅତ୍ୟଧିକ ନିର୍ଭରଶୀଳ। ଏଥିରେ ଅସୁବିଧା କିଛି ନାହିଁ। ଓଡିଶାର ଚାଷୀ ତ ପୁଣି ଧାନ, ମାଣ୍ଡିଆ, ଅଳସୀ ଓ ଲେମନ ଗ୍ରାସ ଇତ୍ୟାଦି ରପ୍ତାନୀ କରୁଛନ୍ତି। ପଶ୍ଚିମ ବଙ୍ଗ ଏକ ଆଳୁ ଅଧିକ ଉତ୍ପାଦନକାରୀ ରାଜ୍ୟ, ଦେଶର ୨୦ ପ୍ରତିଶତ ଆଳୁ ଏହିଠାରୁ ଉତ୍ପାଦିତ ହୋଇଥାଏ। ତେଣୁ ପଶ୍ଚିମ ବଙ୍ଗର ଚାଷୀ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିଲେ ହିଁ ଉପଯୁକ୍ତ ମୂଲ୍ୟ ପାଇପାରିବେ।  

ଏ ବର୍ଷ ଅନିୟମିତ ବର୍ଷା କାରଣରୁ ରାଜ୍ୟରେ ଆଳୁର ହୁଏତ ନିଅଣ୍ଟ ପଡିପାରେ ତେଣୁ ପଶ୍ଚିମ ବଙ୍ଗ ସରକାର ଏହାର ରପ୍ତାନୀ ବନ୍ଦ କରିଦେଲେ। କୌଣସି ବି ରାଜ୍ୟ ସେଭଳି ନିଷ୍ପତ୍ତି ନେବା ପୂର୍ବରୁ ପଡୋଶୀ ରାଜ୍ୟ ଉପରେ ଏହାର ଯେପରି ପ୍ରଭାବ ନପଡେ ସେଥିଲାଗି ଧ୍ୟାନ ଦେବା ଆବଶ୍ୟକ। କାରଣ ଯଦି ଆସନ୍ତା କାଲି ପଶ୍ଚିମ ବଙ୍ଗରେ ଚାଉଳର ଆବଶ୍ୟକ ପଡିପାରେ ଓ ଦୁର୍ଭିକ୍ଷ ଦେଖାଦିଏ ତେବେ ଓଡିଶାରେ ରହିଥିବା ଚାଉଳକୁ ରପ୍ତାନୀ ବନ୍ଦ କରିଦିଆଯାଇପାରିବ ନାହିଁ। ସମସ୍ତ ରାଜ୍ୟ ମିଳିତ ଭାବରେ ଏକ ଦେଶର ପ୍ରତିନିଧିତ୍ଵ କରୁଛନ୍ତି ଓ ସେମାନେ ସମାନ ମାନବିକ ମୂଲ୍ଯବୋଧ ନେଇ କାର୍ଯ୍ୟରତ। ସେମାନେ ଏକ ସମ୍ବିଧାନକୁ ବିଶ୍ଵାସ ରଖୁଛନ୍ତି। କିନ୍ତୁ ଏ ବିଷୟ ଟି ଆଜି କହିବ କିଏ?

          ଭାରତୀୟ ଜନତା ପାର୍ଟି ଶାସନକୁ ଆସିବା ପରଠାରୁ ରାଜ୍ୟ – ରାଜ୍ୟ ଓ ରାଜ୍ୟ – କେନ୍ଦ୍ର ମଧ୍ୟରେ ସମସ୍ତ ପ୍ରକାରର ଆଲୋଚନା ଓ ସମସ୍ଯା ସମାଧାନର ରାସ୍ତା ବନ୍ଦ ହୋଇଯାଇଛି। ସମସ୍ତ କ୍ଷେତ୍ରରେ କେନ୍ଦ୍ର ନିଜକୁ ଅଧିକ ଶକ୍ତିଶାଳୀ କରିବା କାରଣରୁ କ୍ଷମତାର ବିକେନ୍ଦ୍ରୀକରଣର ଆଲୋଚନା ଆଉ ହେଉନାହିଁ। ରାଜ୍ୟ – ରାଜ୍ୟ ଓ ରାଜ୍ୟ – କେନ୍ଦ୍ର ମଧ୍ୟରେ ଉଠୁଥିବା ବିବାଦର ସମାଧାନ ଲାଗି ଆନ୍ତଃ-ରାଜ୍ୟ କାଉନସିଲର ମିଟିଂ ୨୦୧୭ ମସିହା ପରଠାରୁ ବସୁନାହିଁ।

            ଉକ୍ତ ଆନ୍ତଃ-ରାଜ୍ୟ କାଉନସିଲର ଗଠନ ସରକାରିଆ କମିଶନର ପ୍ରସ୍ତାବ କ୍ରମେ ୧୯୯୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି କାଉନସିଲର ଅଧ୍ୟକ୍ଷ ଭାବରେ ପ୍ରଧାନ ମନ୍ତ୍ରୀ ରହିଛନ୍ତି ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ। ଏଭଳି ମିଟିଂର ନିଜସ୍ଵ ଗୁରୁତ୍ଵ ରହିଛି। ଯଦି ଏହା ନିୟମିତ ହେଉଥାନ୍ତା ତେବେ ଓଡିଶାର ସମସ୍ଯା ଓ ପଶ୍ଚିମ ବଂଗର ସମସ୍ଯା ସମ୍ପର୍କରେ ଆଲୋଚନା ହୋଇ ସମାଧାନର ରାସ୍ତା ନିଶ୍ଚିତ ପ୍ରସ୍ତୁତ ହୋଇପାରିଥାନ୍ତା। ହୁଏତ ଆଳୁ ଚାଷୀଙ୍କୁ ହେଉଥିବା କ୍ଷତିର ପୂରଣ ଲାଗି କେନ୍ଦ୍ର ସରକାର ନିଜ ଆଡୁ ଇଂସୁରାନ୍ସ  ଅଥବା ଆଗାମୀ ଚାଷ ଲାଗି ସବସିଡ ଯୋଗାଇ ସମସ୍ୟାର ସମାଧାନ କରିପାରିଥାନ୍ତେ। ଆଜି ଏହି ଆଳୁ ସମସ୍ଯାର ସମାଧାନ ନହେବା ହେତୁ ଓଡିଶାର ଉପଭୋକ୍ତା ଓ ପଶ୍ଚିମ ବଂଗର ଚାଷୀ ସମସ୍ତେ ଅସୁବିଧାର ସାମ୍ନା କଲେ।

            ସଂପୂର୍ଣ୍ଣ ଦେଶରେ ବି ଯଦି ଡବଲ ଇଞ୍ଜିନ ବା ଟ୍ରିପଲ ଇଞ୍ଜିନର ସରକାର ହୁଏ ତେବେ ବି ରାଜ୍ୟ – ରାଜ୍ୟ ମଧ୍ୟରେ ସମସ୍ୟାର ସମାଧାନର ରାସ୍ତା କ୍ଷୀଣ ଯାହା ଆମେ ମହାନଦୀ ପ୍ରସଙ୍ଗରେ ଦେଖୁଛୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗ ଛତିଶଗଡ ସରକାରଙ୍କ ସହିତ ଆଲୋଚନା ନହୋଇପାରିବା କାରଣରୁ କେନ୍ଦ୍ର ସରକାରଙ୍କ ଜଳ ମନ୍ତ୍ରଣାଳୟ ଅଧୀନରେ ରହିଥିବା ଜଳ ଟ୍ରିବ୍ୟୁନାଲରେ ପହଞ୍ଚିଛି। ମହାନଦୀର ଜଳ ଉପରେ ଉଭୟ ଛତିଶଗଡ ଓ ଓଡିଶାର ଚାଷୀଙ୍କ ଅଧିକାର ରହିଛି। ଆଜି ଛତିଶଗଡ, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ଓଡିଶାର ବିଜେପି ଦଳ ଯଦି ପଶ୍ଚିମ ବଂଗର ତୃଣମୂଳ କଂଗ୍ରେସକୁ ସମସ୍ଯା ବଢାଉଥିବା ଲାଗି ଦାୟୀ କରୁଥାନ୍ତି ତେବେ ସେମାନେ ମହାନଦୀ ଜଳ ସମସ୍ୟାର ସମାଧାନ କାହିଁକି କରିପାରୁନାହାନ୍ତି 

       ଓଡିଶାରେ କୋରାପୁଟ ଜିଲ୍ଲାର କୁଟିଆ ଅଞ୍ଚଳର ସୀମାକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡିଶା ମଧ୍ୟରେ ବିବାଦ ଦେଖାଦେଇଥିଲା। ଏ ପ୍ରସଙ୍ଗରେ କିନ୍ତୁ କାଉନସିଲ ସ୍ତରରେ ଆଲୋଚନା ନହୋଇପାରିବା କାରଣରୁ ଓ ଉପଯୁକ୍ତ ଆଲୋଚନା ଅଭାବରୁ ବିଷୟ ସୁପ୍ରିମ କୋର୍ଟକୁ ଗଲା। ଏହାର ରାୟ କେବେ ଆସିବ ଜଣାନାହିଁ। ବିଭିନ୍ନ ରାଜ୍ୟ – ରାଜ୍ୟ ମଧ୍ୟରେ ଏହିଭଳି ବଢୁଥିବା ସମସ୍ୟାର ତାଲିକା ଲମ୍ବା।

ବିଜେପି ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଏହାକୁ ସାମ୍ପ୍ରଦାୟିକତାର ରୂପ ଦେଇଛି।

             ଆଜି ଦେଶ ୭୮ ତମ ସ୍ଵାଧୀନତା ପାଳୁଛି। ଅଥଚ ଆଜି ଓଡିଶାର ବିଭିନ୍ନ ପ୍ରାନ୍ତରୁ – ସମ୍ବଲପୁର, ବରଗଡ, ବଲାଙ୍ଗୀର, ଢେଙ୍କାନାଳ, ପୁରୀ, ଯାଜପୁର ଇତ୍ୟାଦି – ସୂଚନା ଆସୁଛି ଯେ ହିନ୍ଦୁତ୍ଵ ସଂଘର ସଦସ୍ୟମାନେ ଏବେ ପଶ୍ଚିମବଂଗର ମୁସଲମାନ ଶ୍ରମିକଙ୍କୁ ଆଧାର ଓ ପରିଚୟ ପତ୍ର ମାଗୁଛନ୍ତି। ସେମାନଙ୍କୁ ରାଜ୍ୟ ଛାଡି ଚାଲିଯିବା ଲାଗି ଧମକ ଦେଉଛନ୍ତି। କେଉଁଠି କେଉଁଠି ସେମାନଙ୍କୁ ଆକ୍ରମଣ କରିବାର ଧମକ ଦେଉଛନ୍ତି ତ କେଉଁଠି ଆକ୍ରମଣ କରିଛନ୍ତି ମଧ୍ୟ। ଫଳରେ, ବିଭିନ୍ନ ଷ୍ଟେଶନରେ ଶହ ଶହ ଶ୍ରମିକ ରାଜ୍ୟ ଛାଡି ଚାଲିଯିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ୨୦ ରୁ ୨୨ ବର୍ଷ ହେଲା ଏ ରାଜ୍ୟରେ ରହିଥିବା ଲୋକେ ବି ଅଛନ୍ତି।

            ଏବେ ସୁଗ୍ରୀବ ସେନା’, ବଜରଙ୍ଗ ଦଳ’, ହିନ୍ଦୁ ସୁରକ୍ଷା ବାହିନୀ’, ଓଡିଆ ଅସ୍ମିତା ସେନା ନାମରେ ଅନେକ ଗୃପ କାମ କରୁଛନ୍ତି। ସେମାନଙ୍କ ଦ୍ଵାରା ଆଜି ମୁସଲମାନଙ୍କ ଉପରେ ଆକ୍ରମଣ ହେଉଛି। ଆଜି ବିଭିନ୍ନ ଜିଲ୍ଲାର ଏସପି କହୁଛନ୍ତି ପରିସ୍ଥିତି ଶାନ୍ତ ଅଛି। (ସମ୍ବଲପୁରରୁ ମିଳିଥିବା ସୂଚନା ଅନୁସାରେ) କିନ୍ତୁ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ଶ୍ରମିକଙ୍କୁ କହୁଛନ୍ତି, ତୁମେ ରାଜ୍ୟ ଛାଡି ଏବେ ଚାଲିଯାଅ। ସେ ଭାବିପାରୁନାହାନ୍ତି ଯେ ପଶ୍ଚିମ ବଙ୍ଗରେ ଏହାର ପ୍ରତିକ୍ରିୟା କଣ ହେବ। ସେଠାରେ ଅନେକ ଓଡିଆ ବାସ କରୁଛନ୍ତି। ସମଗ୍ର ସରକାରୀ କଳ ଏହାର ପରିଣାମ ସମ୍ପର୍କରେ ଭାବୁନାହାନ୍ତି।

            ପଶ୍ଚିମ ବଂଗର ଶ୍ରମିକମାନେ, ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶ୍ରମିକମାନେ, ଅନ୍ୟ ରାଜ୍ୟ ଓଡିଶାରେ ନିଜେ ଆସି ପୁଲିସକୁ ଏଫଆଇଆର ଦେବା ଲାଗି ସମର୍ଥ ହେଉନାହାନ୍ତି। ସେମାନେ ଭୟ କରୁଛନ୍ତି। ପୁଲିସକୁ ଉକ୍ତ ଆକ୍ରମଣ ସମ୍ବନ୍ଧରେ ସୂଚନା ଦେବା ସତ୍ବେ ନିଜ ପଟରୁ, Suo Moto, ଏଫଆଇଆର ପୁଲିସ କରୁନାହିଁ। ଏହା ସାକ୍ଷୀଗୋପାଳ ଅଞ୍ଚଳରେ ଘଟିଛି। ଏହା ସମ୍ବଲପୁରରେ ଘଟିଛି। ପ୍ରଶାସନ ଓ ପୁଲିସକୁ ଗଣତାନ୍ତ୍ରିକ ଅଧିକାର କର୍ମୀ ସୂଚନା ଦେବା ସତ୍ବେ ଏହାର ତଦନ୍ତ ହେଉନାହିଁ, କାର୍ଯ୍ୟନୁଷ୍ଠାନ ତ ଅନେକ ଦୂରର କଥା। ପୁଲିସରେ ଏଫଆଇଆର ନହେବାର ଆଳରେ ଗଣମାଧ୍ୟମ ନୀରବ ରହୁଛି।

            ସମଗ୍ର ରାଜ୍ୟରେ ପୁଲିସ ଥାନା ଅଧିକାରୀ ଏକା ଭଳି ବ୍ୟବହାର କରିବା କାରଣରୁ ପୁଲିସ ବିଭାଗୀୟ ମୁଖ୍ୟଙ୍କ ଭୂମିକା ପ୍ରତି ସନ୍ଦେହ ଆସୁଛି। ପୁଲିସ ଏକ ଦଳୀୟ ଅନୁଷ୍ଠାନ ହୋଇଯାଇଛି। ତେଣୁ ପୁଲିସ ପୂର୍ବତନ ଡ଼ିଜିଙ୍କ ଏଭଳି ଭୂମିକା ପଛରେ ଯେ ସରକାରୀ ଦଳର ବିଶେଷକରି ଆଇନ ବିଭାଗର ଭୂମିକା ନଥିବ ନୁହେଁ। ଟିଭି ବା ଖବରକାଗଜ କିନ୍ତୁ ଏବେବି ଏ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଆସନ୍ତା କାଲି ଖ୍ରୀଷ୍ଟିୟାନ, ଏହା ପରେ ଦଳିତ, ଆଦିବାସୀଙ୍କ ଉପରେ ଆକ୍ରମଣ ସାଙ୍ଗକୁ ଭିନ୍ନ ମତ ରଖୁଥିବ କାରଣରୁ ସର୍ବୋଦାୟୀ, କମ୍ୟୁନିଷ୍ଟ ଓ ଗଣତାନ୍ତ୍ରିକ ଅଧିକାର ତଥା ପ୍ରଗତିଶୀଳ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ବଢିବ।

            ଆଜି ଆମେ ଯେଉଁଠି ପ୍ରକୃତିର ସୁରକ୍ଷା ଲାଗି ମନୋନିବେଶ କରିଥାନ୍ତେ, ଏହି ଗ୍ରହକୁ ଅଧିକ ଦିନ ବଞ୍ଚାଇବା ଲାଗି ଉଦ୍ୟମ କରିଥାନ୍ତେ ସେଠାରେ ଆମକୁ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢେଇ କରିବାକୁ ପଡୁଛି। ଆଜି ଆମ ସମାଜରେ ଯେଉଁଠି ଆତ୍ମହତ୍ୟାର ପ୍ରବଣତା ବଢୁଛି ତାହାର ବିରୁଦ୍ଧରେ, ବେକାରୀ ଓ ଦାରିଦ୍ର୍ଯ ବିରୁଦ୍ଧରେ ତଥା ଆର୍ଥିକ ଅସମାନତା ବିରୁଦ୍ଧରେ ଲଢେଇ କରିଥାନ୍ତେ ସେଠାରେ ଆମକୁ ସୀମିତ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଏକାଠି ହେବାକୁ ହେଉଛି। ଏହି ସମାଜ ନିଜେ ବଞ୍ଚିଲେ ତ ଏହାର ଭବିଷ୍ୟତ ଲାଗି ଆମେ କିଛି ଉଦ୍ୟମ କରିବା?

            ଆସନ୍ତୁ ଏ ଦିଗରେ କିଛି ଆଲୋଚନା କରିବା, ଏହାର ପ୍ରତିବାଦ କରିବା। ରାଜ୍ୟ ଓ ଦେଶକୁ ସାମ୍ପ୍ରଦାୟିକ ଶକ୍ତିର କବ୍ଜାରୁ ବଞ୍ଚାଇବା। ମାନବିକତା ଏକ ବିରାଟ ପ୍ରସଙ୍ଗ। ଏହାକୁ ଧର୍ମ, ଜାତି, ଲିଙ୍ଗ ଓ ଅଞ୍ଚଳରେ ବାଣ୍ଟିଦେବା ଓ ଲଢେଇ କରାଇବାରେ ସମ୍ପ୍ରଦାୟିକ ଶକ୍ତି ସଫଳ ହେଉଛି। ପୁଲିସ ଅଧିକାରୀଙ୍କ ଭୂମିକାକୁ ବିରୋଧ କରିବା। ବିଭିନ୍ନ ଜିଲ୍ଲାର କର୍ମୀମାନେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଦାବିପତ୍ର ତୁରନ୍ତ ଦେଇପାରିଲେ ଭଲ ହେବ। ଆସନ୍ତୁ, ଏ ଦିଗରେ ନିଜର ବିମର୍ଶ ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା

ଦେବ ରଞ୍ଜନ

Thursday, July 25, 2024

ଧାର୍ମିକ କଟ୍ଟରବାଦରୁ ମୁକ୍ତିର ରାସ୍ତା

 


 “ମୋର ବାପା ହିନ୍ଦୁ। ମୁଁ ମୁସଲମାନ ଘରେ ବୋହୁ ହୋଇଆସିଛି। ଏଠି ଲୋକ ମରିଗଲେ ମାଟିରେ ପୋତିଦିଅନ୍ତି (ଦଫନ), ସେଠାରେ ପୋଡି ଦିଅନ୍ତି। ମୁଁ ଯେମିତି ଏଠି ବୋହୁ ହୋଇଆସିଛି , ସେମିତି ମୋର ଦୁଇ ନଣନ୍ଦ ମୋର ଦୁଇ ବଡ ଭାଇଙ୍କୁ ବାହା ହୋଇଯାଇଛନ୍ତି। ମୋର ବାହା ଘର ମୁସଲମାନ ରୀତିରେ (ନିକାହ) ହୋଇଛି ଓ ନଣନ୍ଦଙ୍କ ବାହାଘର ହିନ୍ଦୁରୀତି (ଅଗ୍ନି ଚାରିପାଖରେ ଫେରା ଲଗାଇବା) ଅନୁସାରେ ହୋଇଛି। ମୁଁ ବାପ ଘରକୁ ଗଲେ କିଛି ବାରଣ ନାହିଁ କି ମୋର ନଣନ୍ଦ ଏଠିକି ଆସିଲେ କିଛି ବାରଣ ନାହିଁ।“ ହଥାନଖେଡା ଗାଁର ୨୫/୨୬ ବର୍ଷର ମହିଳା ଜଣକ ଅନର୍ଗଳ କହିଚାଲିଥିଲେ।

ଆପଣ ଏତିକି ପଢି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆମେ ମଧ୍ୟ ତାଜୁବ ହୋଇଯାଇଥିଲୁ। ଆମେ କେବଳ ଆମର କ୍ୟାମେରାରେ ତାହାଙ୍କ କଥାକୁ ରେକର୍ଡ କରିଚାଲିଥିଲୁ।

ଆମେ ତିନି ବନ୍ଧୁ ରାଜସ୍ଥାନର ଆଜମୀର ନିକଟସ୍ଥ ବ୍ୟାୱାର ଜିଲ୍ଲାର କିଛି ଅଞ୍ଚଳରେ ଏକ ବୃତ୍ତଚିତ୍ର ନିର୍ମାଣ ଲାଗି ପହଞ୍ଚିଥିଲୁ। ଏହା ୨୦୧୩- ୧୪ର କଥା। ଆମେ ଶର୍ଶରୀ, ମକରେରା, ବୁଧୱାର ଇତ୍ୟାଦି ଗାଁକୁ ନିଜର କ୍ଷେତ୍ର କରିଥାଉ।

ଜଣେ ବୟସ୍କ ମହିଳାଙ୍କୁ ଏଥର ଭେଟିଥିଲୁ ଯାହାଙ୍କ ବୟସ ୫୦ରୁ ୫୫ ବର୍ଷ ହେବ। ସେ ନିଜର ଆଖୁ ବାଡିରେ ପୁରା ପରିବାର ସହିତ କାମରେ ଲାଗିଥିଲେ। “ମୁଁ ମୁସଲମାନ ଧର୍ମ ପାଳେ ମୋର ସାନ ଭଉଣୀ ହିନ୍ଦୁ ଧର୍ମ ପାଳେ। ଆମେ ଗୋଟିଏ ମାର ଦୁଇ ଝିଅ। ମୋର ବାପା ହିନ୍ଦୁ। ମୋତେ କାଠାତ ପରିବାରରେ ବାହା କରାଇଦେଲେ। ମୋର ଭଉଣୀ ମେରାତ ପରିବାରରେ ବାହା ହେଲା। ଏବେ ବି ଆମର ଯିବା ଆସିବା ଚାଲିଛି।“

ଆମେ ଏକ ବିଚିତ୍ର ସତ୍ୟର ନିକଟବର୍ତ୍ତୀ ହେଉଥିଲୁ।

“ଇସଲାମର ତିନି ମୁଖ୍ୟ ବ୍ୟବସ୍ଥା ଯଥା ସୁନତ, ହଲାଲ (ଜିଅନ୍ତା ଜୀବଙ୍କୁ ମାରି ଖାଇବା କୌଣସି ମୃତ ପ୍ରାଣୀଙ୍କୁ ନଖାଇବା) ଓ ମରିଲେ ଦଫନ ଆମେ ପାଳିଥାଉ। ଇସଲାମର ଅନ୍ୟ ଦୁଇ ବ୍ୟବସ୍ଥା ନମାଜ ପଢିବା ଓ ହଜ ଯାତ୍ରା (ମକ୍କାକୁ ଯିବା) ଆମେ କରିନଥାଉ। ଆମର ପୂର୍ବଜ ସମୟର ସମସ୍ତ ଦେବାଦେବୀଙ୍କୁ ଆମେ ପୂଜା କରିଥାଉ। ଆମ ପାହାଡରେ ରାମସାହାବ ପୀରଙ୍କ ଦର୍ଘା ଅଛି। ସେଠାରେ ହିନ୍ଦୁ, ମୁସଲମାନ, ମୋଗଲ, ବାଉଲ, ପଠାନ, ଚୌହ୍ୱାନ ସମସ୍ତେ ଯାଉ। ବତୀ, ନଡିଆ, କପଡା ସମସ୍ତେ ଦର୍ଘାରେ ପୀରଙ୍କୁ ଦିଅନ୍ତି।“ ଚୀତା –ମେରାତ –କାଠାତ ସମାଜର ମୁଖ୍ୟଙ୍କ ଏହି ସାକ୍ଷାତକାର ଆମକୁ ସେହି ସତ୍ୟକୁ ଖୋଲିବାରେ କିଛିଟା ସାହାଯ୍ୟ କରୁଥିଲା। ଗାଁର ପୀରଙ୍କ ପୀଠରେ 786 ଓ ଓଁ ଉଭୟ ଲିଖିତ ହୋଇଛି।

ଦେଶ ମଧ୍ୟରେ ପୀଢି ପୀଢି ଧରି ରହିଆସିଥିବା ହିନ୍ଦୁ-ମୁସଲମାନ ସଦଭାବନାପୂର୍ଣ୍ଣ ଧର୍ମର (syncretism) ବୁଝାମଣାକୁ ନେଇ ଏକ ବୃତ୍ତଚିତ୍ର ନିର୍ମାଣ ଲାଗି ବ୍ୟାୱାର ଅଞ୍ଚଳ ପହଞ୍ଚିଥାଉ। ଆମକୁ କେବଳ ଯୋଗୀନ୍ଦର ସିକନ୍ଦଙ୍କ ଦ୍ଵାରା ଲିଖିତ ଏକ ପୁସ୍ତକ (Sacred Spaces) ଏହି ଗୋଷ୍ଠୀ ସମ୍ପର୍କରେ ଅଳ୍ପ କିଛି ତଥ୍ୟ ଦେଇଥିଲା।

ସେଠାରେ ପହଞ୍ଚି ଆମେ ଜାଣିଲୁ ଯେ ହିନ୍ଦୁ-ମୁସଲମାନ ମିଳିତ ଧର୍ମ ବ୍ୟବସ୍ଥା ରାଜସ୍ଥାନର ପାଞ୍ଚ ଜିଲ୍ଲାରେ (ଆଜମେର, ପାଲି, ଭିଲୱାଡା, ବ୍ୟାୱାର ଓ ରାଜସମନ୍ଦ) ଶହ ଶହ ବର୍ଷ ହେଲା ପାଳିତ ହୋଇଆସୁଛି। ଚୀତା, ମେରାତ ଓ କାଠାତ ଏକ ଏକ ସାଙ୍ଗିଆ ଓ ସେମାନେ ସମସ୍ତେ ସେହି ପରିଚୟରେ ପରସ୍ପରକୁ ପରିଚିତ କରୁଛନ୍ତି। ବାହାରର କେହି ପଚାରିଲେ ଯେ ଆପଣ ହିନ୍ଦୁ କି ମୁସଲମାନ ସେମାନେ ଦ୍ଵନ୍ଦରେ ରହୁଛନ୍ତି। ଏହି ସଂପ୍ରଦାୟର ସଂଖ୍ୟା ଅନ୍ଯୁନ ୧୦ ଲକ୍ଷଯଦିଓ ଦେଶର ଆନୁଷ୍ଠାନିକ ଧର୍ମର ଜନସଂଖ୍ୟା ତୁଳନାରେ ଏହି ସଂଖ୍ୟା ଅନେକ ଗୌଣ କିନ୍ତୁ ସେମାନେ ବି ଯେ ପୀଢି ପୀଢି ଧରି ଏଭଳି ବ୍ୟବସ୍ଥାରେ ରହିଆସିଛନ୍ତି ଏ କଥା କଣ ସମସ୍ତଙ୍କ ଲାଗି ଚିନ୍ତା କରିବାର ବିଷୟ ନୁହେଁ?

ଆଜକୁ ୭୦୦ ବର୍ଷ ପୂର୍ବେ ଚୀତା, ମେରାତ ଓ କଠାତଙ୍କ ପୂର୍ବଜ ହର ରାଜ, ବୋଧହୁଏ ଜଣେ ଅତି ସମ୍ମାନିତ ବ୍ୟକ୍ତିତ୍ବ,, ସ୍ଵେଚ୍ଛାରେ ଆଜମିର ସ୍ଥିତ ହଜରତ ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କ ଠାରୁ ପୀର ଧର୍ମ ଗ୍ରହଣ କରିଥିଲେ। ଆଜି ବି ଏହି ଗୋଷ୍ଠୀରେ ସେ ପୀର ହରରାଜ ଭାବରେ ପୂଜିତ ହେଉଛନ୍ତି । ଆଶାପୂରା ମାତା ଦେବୀଙ୍କୁ ସମସ୍ତେ ନିଜର କୁଳ ଦେବୀ ଭାବରେ ପୂଜା କରିଥାନ୍ତି। ସମସ୍ତଙ୍କ ଘର ଭିତରେ ପୀର ବାବାଙ୍କ ଦରଘାର ଫୋଟୋ ବି ଅଛି ଓ ଗଣେଶ, ଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କ ଫଟୋ ମଧ୍ୟ ଅଛିପୁଅର ବାପା ଯଦି ଫେରାରେ ବାହାହୋଇଥିଲେ ତେବେ ପୁଅ ନିକାହ ରୀତିରେ ଝିଅ ଆଣିଥିବାର ଅଦ୍ଭୁତ ଉଦାହରଣ ଆମକୁ ମିଳିଛି ।

ମାତ୍ର ମିଳିତ ଧର୍ମର ଏହି ଭୂଖଣ୍ଡରେ ଗଲା କିଛି ବର୍ଷ ହେଲା ଏକ ସୁନାମୀ ଆସିପହଞ୍ଚିଛିଉଭୟ ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ରହିଥିବା କଟ୍ଟରବାଦୀଙ୍କ ଟଣା ଓଟରାରେ  ଚୀତା, ମେରାତ ଓ କାଠାତଙ୍କ ମଧ୍ୟରେ ରହିଥିବା ନମନୀୟ ରଶିଟି ଛିଣ୍ଡିବାରେ ଲାଗିଛି।



ଏହା ସତ କଥା ଯେ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମର ଆଚରଣ ଏହି ପରିବାରଙ୍କ ମଧ୍ୟରେ ରହିଛି। ହୋଲି, ଦୀପାବଳି ବି ଅତି ଆଗ୍ରହ ସହକାରେ ସମସ୍ତେ ପାଳିଥାନ୍ତି। କିନ୍ତୁ ନା ହିନ୍ଦୁ କଟ୍ଟରବାଦୀ ନା ମୁସଲମାନ କଟ୍ଟରବାଦୀ କାହାରିକୁ ଏହି ଖୋଲାପଣ ପସନ୍ଦ ହେଲା ନାହିଁ। ଉଭୟ ଆଜି ପହଞ୍ଚିଯାଇଛନ୍ତି ରାଜସ୍ଥାନର ଏହି ଚାରି ଜିଲ୍ଲାର ଗାଁମାନଙ୍କରେ।

ବିଶ୍ଵହିନ୍ଦୁ ପରିଷଦର ଏକ ବିରାଟ ଅଫିସ ବ୍ୟାୱାର ଠାରେ ଅବସ୍ଥିତ। ଅଫିସ କ୍ୟାମ୍ପସ ମଧ୍ୟରେ ମାତା ଆଶାପୂରା ଦେବୀଙ୍କର ଏକ ବିରାଟ ମୂର୍ତ୍ତି ନିୟମିତ ପୂଜା ପାଉଛି। ବେଶ ସ୍ଵାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କୁ ପରଷାଯାଇଥାଏ। ଅଫିସ ଭିତରେ ଘୋଡା ପୀଠିରେ ବସି ନିଜର ତରବାରୀ ଉତ୍ତୋଳନ କରିଥିବା ଜଣେ ରାଜାଙ୍କ ଫୋଟୋ ରହିଛି ଯାହା ପୃଥ୍ବୀରାଜ ଚୌହାନଙ୍କର ବୋଲି ସୂଚୀତ କରାଇଦିଆଯାଉଛି

ହିନ୍ଦୁ କଟ୍ଟରବାଦୀଙ୍କ ମତ ହେଲା ଯେ ଏହି କାଠାତ ବଂଶ ହିନ୍ଦୁ ଶେଷ ରାଜା ପୃଥ୍ବୀରାଜ ଚୌହାନଙ୍କ ବଂଶଜ। ତେଣୁ ଏମାନେ ସମସ୍ତେ ହିନ୍ଦୁ। ତାଙ୍କ ପୂର୍ବଜ ରାସ୍ତା ହୁଡି ଦେଇ ଇସଲାମ ଧର୍ମ ନେଇଗଲେ। ଏବେ ତ ସମସ୍ତେ ସ୍ଵାଧୀନ। ତେଣୁ ମୂଳ ଧର୍ମକୁ ଫେରିଆସିବା ଜରୁରୀ।“ ଏଥିଲାଗି ସେମାନେ ଘରୱାପସୀ, ଶୁଦ୍ଧିକରଣ, ତ୍ରିଶୂଳ ଦୀକ୍ଷା କାର୍ଯ୍ୟକ୍ରମ ସାଙ୍ଗକୁ ଆଶାପୂରା ଦେବୀଙ୍କ ମନ୍ଦିର ଗାଁ ଗାଁରେ ତୋଳାଇବାରେ ଲାଗିଛନ୍ତି।  

ଆମ ସହିତ ଜଣେ ସ୍ଥାନୀୟ ଯୁବକ ରହିଥିଲେ ଯେ କି ଆମର ଗାଇଡ ମଧ୍ୟ ଥିଲେ। ସେ ନିଜର ଅନୁଭୂତିରୁ କହୁଥିଲେ ଯେ ତାଙ୍କର ଦୂର ସମ୍ପର୍କୀୟ ମାଉସୀ ମୁସଲମାନ ପରିବାରରେ ନିକାହ କରି ବାହା ହୋଇଥିଲେ । କିନ୍ତୁ ତାଙ୍କ ପୁଅ ହିନ୍ଦୁ କଟ୍ଟରବାଦୀଙ୍କ ସହିତ ଯୋଡିହୋଇଗଲେ। ମାଉସୀ ମରିବା ସମୟରେ ତାଙ୍କ ପୁଅ ଅଡିବସିଲେ ଯେ ତାଙ୍କ ମାର ଅନ୍ତିମ ସଂସ୍କାର ହିନ୍ଦୁ ରୀତି ଅନୁସାରେ କାଠରେ ଜାଳି କରିବେ। ମାତ୍ର ଗାଁର ଅନ୍ୟ ଲୋକେ ତଥା ନିକଟସ୍ଥ ମୌଲବୀ ଏହାକୁ ବିରୋଧ କଲେ। ଘଟଣା ପୁଲିସ ଥାନା ପର୍ଯ୍ୟନ୍ତ ଗଲା ଓ ବେଶ କିଛି ଦିନ ମାଉସୀଙ୍କ ମୃତ ଶରୀର ଘରେ ପଡିରହିଥିଲା।

ବେଶ କିଛି ଗାଁକୁ ନେଇ ଗୋଟିଏ ଗୋଟିଏ ମସଜିଦ ତିଆରି ହୋଇଛି। ତାହାକୁ ଲାଗି ମଦରସା ରହିଛି। ଏଥିରେ କାଠାତ, ମୋଗଲ, ବାଉଲ, ପଠାନ ବଂଶଜ ପୁଅ ପିଲାମାନେ ଉଚ୍ଚ ସ୍ଵରରେ ନମାଜ ମନେରଖିବାରେ ଲାଗିଛନ୍ତି। ମୌଲବୀଙ୍କର ଦୃଢ ମତ ହେଲା, “ନା ଜଣେ ହେଲେ ହିନ୍ଦୁକୁ ଧର୍ମାନ୍ତରୀକରଣ କରାଯାଇଛି ନା ମୁସଲମାନଙ୍କୁ। ଆମେ କେବଳ କାଠାତଙ୍କୁ ଏତିକି କହୁଛୁ ଯେ ଆଲ୍ଲାଙ୍କୁ ଟିକିଏ ଭୟ କର।  ଯଦି ତୁମେ ଇସଲାମର ତିନୋଟି କଥା ମାନୁଚ୍ଛ ତେବେ ପ୍ରତିଦିନ ନମାଜ ପଢିବା ଆରମ୍ଭ କରିଦିଅ। କାଲି ଯେତେବେଳେ ମରିଗଲେ ଆଲ୍ଲାଙ୍କ ପାଖକୁ ଯିବ ସେତେବେଳେ ଏହାର ଉତ୍ତର ଦେବାକୁ ହେବ।“

ତାଙ୍କର କ୍ଷୋଭ ଯେ ସରକାରୀ ଜମିରେ ମସଜିଦ ତିଆରି କଲେ ବିକ୍ଷୋଭ ହୋଇଯାଉଛି ଅଥଚ ଛକର ମଝିରେ ଭାରତ ମାତା ମନ୍ଦିର ତୋଳାଇଦିଆଯାଉଛି। ଏଥିରେ କାହାର ବିରୋଧ ନାହିଁ !

ମୌଲବୀ ସ୍ଵୀକାର କରୁଛନ୍ତି ଯେ ତାଙ୍କ ପିତା ହିନ୍ଦୁ ରୀତିରେ ଥିଲେ । ସେ କିନ୍ତୁ ଇସଲାମ ରୀତିକୁ ଆପଣାଇଲେ। ସେ ନିଜେ ଆଜମୀରର ମଦରସାରେ ଶିକ୍ଷା ସମାପ୍ତି କରିଛନ୍ତି। ନିଜେ ଗାଁର ମଦରସାରେ ଉର୍ଦ୍ଦୁ ଓ ଆରବୀ ଭାଷାର ଶିକ୍ଷା ଦେଉଛନ୍ତି। ତାଙ୍କର ନିଜ ମାମୁଁ ଗଲା କାର୍ଗିଲ ଯୁଦ୍ଧରେ ଜୀବନ ଦେଲେ। ଏ ଅଞ୍ଚଳର ଅନେକ ଯବାନ ୧୯୬୫ ମସିହାର ଚୀନ ଯୁଦ୍ଧ, ବଙ୍ଗଳାଦେଶ ଯୁଦ୍ଧ ଓ କାର୍ଗିଲ ଯୁଦ୍ଧରେ ଜୀବନ ଦେଇଛନ୍ତି। ସେଥିମଧ୍ୟରୁ ଅନେକଙ୍କ ଫୋଟୋ ଆମେ ରାଜସ୍ଥାନ ଚୀତା, ମେରାତ କଠାତ ମହାସଭା ଅଫିସରେ ଦେଖିବାକୁ ପାଇଲୁ 

ଭାରତର ଅନେକ ସ୍ଥାନରେ ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥା (syncretism) ପ୍ରଚଳିତ। ହରିୟାନାର ମେୱାତ ଅଞ୍ଚଳର ମେଅସ, ପଞ୍ଜାବର ଗୁପ୍ତି ମୋମିନ, ହରିୟାନାର ମୂଲା, ଗୁଜୁରାଟର ଇମାସାହି ଇତ୍ୟାଦି କାଠାତଙ୍କ ଭଳି ଧର୍ମ ପରମ୍ପରା ଦିଗରେ ବେଶ ନମନୀୟ। ସେମାନଙ୍କ ମଧ୍ୟରେ ଉଭୟ ଧର୍ମର ଆଚରଣ ରହିଆସିଛି। କିନ୍ତୁ ଆନୁଷ୍ଠାନିକ ଧର୍ମବିଶ୍ଵାସୀମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି।  

ଧର୍ମର ସୁରକ୍ଷା କାହା ଲାଗି ଓ କଣ ପାଇଁ? ଚୀତା, ମେହେରାତ, କାଠାତ ସଂପ୍ରଦାୟ ଯଦି ୭୦୦ ବର୍ଷ ନିଜର ଧର୍ମକୁ ବଞ୍ଚାଇ ରଖିଆସିଲେ ବିନା କୌଣସି ଧର୍ମଗ୍ରନ୍ଥ, ପୂଜକ, ଧର୍ମପୀଠ ଓ ଧର୍ମାନୁଷ୍ଠାନର ସହାୟତାରେ ତେବେ ଆଗକୁ ସମସ୍ଯା କାହିଁକି ଉତ୍ପନ୍ନ କରାଯାଉଛି ?

ବ୍ୟାୱାର ସହରର ଏକ ଦୈନିକ ଖବରକାଗଜର ସମ୍ପାଦକ କହିଲେ, “ଏମାନେ ଧର୍ମ କହିଲେ ତୀଳକ, ଟୋପି, ଦାଢି, ଚୁଟି ଓ ଲୁଙ୍ଗି ଇତ୍ୟାଦିରେ ବାଣ୍ଟିଦେଇଛନ୍ତିଏହା କଣ ଧର୍ମ?” ସେହି ସମ୍ପାଦକ ହିଁ ସୂଚନା ଦେଲେ ଯେ ବ୍ୟାୱାର ସହରର ମୁଖ୍ୟ ବଜାର ଉପରେ ଭାରତମାତା ମନ୍ଦିର କେହି ମଧ୍ୟରାତ୍ରିରେ ହଠାତ ତିଆରି କରିଦେଇଗଲା। ଏହା ଯୋଜନାବଦ୍ଧ ଥିଲା। ଏହାକୁ ପ୍ରଶାସନ ଭାଙ୍ଗିଲା ନାହିଁ। ଆଜି ଯଦି ସେହି ରାସ୍ତା ଦେଇ ମୁସଲମାନ କି ହିନ୍ଦୁଙ୍କର କୌଣସି ଯାତ୍ରା ଯାଉଛି ତେବେ ଶହ ଶହ ପୁଲିସ ପ୍ରଥମେ ସେହି ଛୋଟ ମନ୍ଦିରର ସୁରକ୍ଷାରେ ରହୁଛନ୍ତି। ଉଦ୍ଦେଶ୍ଯମୂଳକ ଭାବରେ ବା ଦୁର୍ଘଟଣା ବଶତଃ ଯଦି କେହି ସେହି ଭିଡ ଭିତରେ ଏହି ମନ୍ଦିରର ସାମାନ୍ଯ କ୍ଷତି କରିଦିଏ ତେବେ ସହରରେ ଦଙ୍ଗା ଲାଗିଯିବ।

ପୂର୍ବରୁ ଦୁଇ ଥର ସାମ୍ପ୍ରଦାୟିକ ହିଂସା ବ୍ୟାୱାର ଭଳି ଛୋଟ ସହରରେ ହୋଇସାରିଛି।

ରାଜସ୍ଥାନର ଏହି ଚାରିଜିଲ୍ଲା ସଂପୂର୍ଣ୍ଣ ପାହାଡି ଅଞ୍ଚଳ। ଏଠାରେ ଚାଷ ଜମି ବହୁତ କମ। ଏଠାରେ ସିଲିକା ଓ ଫେଲ୍ଡସ୍ପର ଖଣି ଅନେକ ଅଛି। ଏହି ଦ୍ରବ୍ଯ ଗ୍ଳାସ ଓ ମୋଜାଇକ କଟିଂରେ ବ୍ୟବହାର ହୁଏ। ଖଣିମାନଙ୍କରେ ସ୍ଥାନୀୟ ଯୁବକ ଅସଂଗଠିତ କ୍ଷେତ୍ରରେ କମ ମଜୁରୀରେ କାମ କରୁଛନ୍ତି ଖଣିଗୁଡିକ କିନ୍ତୁ ମହାରାଷ୍ଟ୍ର ଓ ଗୁଜୁରାଟର ବ୍ୟବସାୟୀଙ୍କ ହାତରେ ରହିଛି। ଏହି ସବୁ ଖଣିର ଜଣେ ମାଲିକଙ୍କୁ ମଧ୍ୟ ଆମେ ଭେଟିଲୁ ଯିଏ ସ୍ଥାନୀୟ ହିନ୍ଦୁ ସଂଗଠନର ମୁଖ୍ୟ ମଧ୍ୟ। ଅଥଚ ନା ହିନ୍ଦୁ କଟ୍ଟରବାଦୀ ସଂସ୍ଥା ନା ଇସଲାମ କଟ୍ଟରବାଦୀ ସଂସ୍ଥା ବ୍ୟାୱାର – ଅଜମୀର ଅଞ୍ଚଳର ସ୍ଥାନୀୟ ଯୁବକଙ୍କ ରୋଜଗାର ଓ ସ୍ଥାନୀୟ ଅର୍ଥନୀତିର ବିକାଶ କ୍ଷେତ୍ରରେ କୌଣସି ଉଦ୍ୟମ କରୁନାହାନ୍ତି।

ଏବେ କିନ୍ତୁ କାମର ଅଭାବ କାରଣରୁ ଚୀତା, ମେରାତ, କାଠାତ ପରିବାରର ଯୁବକମାନେ ଗୁଜୁରାଟ ଓ ମହାରାଷ୍ଟ୍ରକୁ କାମ ଖୋଜିବାରେ ଚାଲିଯାଉଛନ୍ତି । ମୁଖ୍ଯତଃ ଅହମଦାବାଦ ଓ ମୁମ୍ବାଇର ହୋଟେଲ ଓ ସିକ୍ଯୁରିଟି ଏଜେନ୍ସିରେ ଏହି ଯୁବକମାନେ ନିଯୁକ୍ତି ପାଉଥିବା କଥା ଖଣି ମାଲିକ ଜଣକ ସୂଚନା ଦେଲେ।

ଆମର ବୃତ୍ତଚିତ୍ରରେ ଆମେ ଏହି ସମସ୍ତ ବିଷୟକୁ ଉଥ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ଏବେ ବି କିନ୍ତୁ ଫିଲ୍ମର କାର୍ଯ୍ୟ ବିଭିନ୍ନ କାରଣରୁ ସରିପାରିନାହିଁ। ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ସଦଭାବନାପୂର୍ଣ୍ଣ ଧର୍ମ ବ୍ୟବସ୍ଥାକୁ ଖୋଜିବା, ଏହାକୁ ଯୋଡିବା ଓ ସେମାନେ କଟ୍ଟାରବାଦୀଙ୍କ ଯୋଜନା ମଧ୍ୟରେ କେଉଁଭଳି ଫସିଯାଉଛନ୍ତି ତାହାକୁ ଦର୍ଶାଇବା ଏହି ଫିଲ୍ମର ଉଦ୍ଦେଶ୍ୟ ଥିଲା। ସତେରେ ଆମେ ଅଧିକ କଳ୍ପନାଭିଳାଷୀ ହୋଇଯାଇଥିଲୁ। ଆମ ହାତରେ ସେଥିଲାଗି ଆବଶ୍ଯକୀୟ ଅର୍ଥ କିନ୍ତୁ ନଥିଲା।

ଚୀତା, ମେରାତ, କଠାତ ସମାଜର ଅଧ୍ୟକ୍ଷ ଏହି କଟ୍ଟରବାଦୀଙ୍କ ସମ୍ପର୍କରେ ନିଜର ଏକ ଅନୁଭୂତି ଆମ ସହିତ ବାଣ୍ଟିଥିଲେ। ତାଙ୍କର ବର୍ଣ୍ଣନା ଅନୁସାରେ, କିଛି ବର୍ଷ ପୂର୍ବେ ଥରେ ପୀରଙ୍କ ପୂଜା ସମୟରେ କିଛି ହିନ୍ଦୁ କଟ୍ଟରବାଦୀ ଲୋକ ଆସି କହିଲେ ଯେ ଏଠାରେ ଗଣେଶ ମୂର୍ତ୍ତି ରଖିଦିଅ । ସେମାନେ ରଖିବା ପରେ ଉକ୍ତ ସଂଗଠନର ଲୋକେ ଏହାର ଫୋଟୋ ନେଇଗଲେ ଓ ଖବରକାଗଜରେ ପ୍ରକାଶ କଲେ ଯେ ଖେରଖେଡି ଗାଁ ହିନ୍ଦୁ ହୋଇଗଲା। ଏହାକୁ ପଢି ମୌଲବୀମାନେ ଆସିଗଲେ ଓ ପଚାରିଲେ ଯେ ସମସ୍ତେ ହିନ୍ଦୁ କେମିତି ହୋଇଗଲେ। ଉଭୟ ପଟର କଟ୍ଟରବାଦୀଙ୍କ ଉପସ୍ଥିତି ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଯଦି ବିଭାଜନ ସମୟରେ ଆମ ସମାଜ ଏ ଦେଶ ଛାଡି ଯାଇନଥିଲା ତେବେ ଆଜି କାହିଁକି ସମସ୍ତେ ଚାପ ସୃଷ୍ଟି କରୁଛନ୍ତି? ଏହାପରେ ପୁରା ଗାଁ ନିଷ୍ପତ୍ତି ନେଲା ଯେ ଏହି ଉଭୟ କଟ୍ଟରବାଦୀ ସଂସ୍ଥାର ଲୋକଙ୍କୁ ନା କେହି ଡାକିବେ ନା ସେମାନଙ୍କ ଡାକରାରେ କେହି ତାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେ।

ବୋଧହୁଏ ଆଜି ଲାଗି ଏହା ହିଁ ସମାଧାନର ରାସ୍ତା।


ମୋବାଇଲ : ୮୪୫୬୯୩୧୪୨୩ (କେବଳ WhatsApp)

Sunday, July 21, 2024

ଉର୍ଦ୍ଦୁ ପାଇଁ ଦୁଇ ଧାଡ଼ି

         ଏହା କଣ ସତ୍ୟ ଯେ ଉର୍ଦ୍ଦୁ ଭାଷା କେବଳ ମୁସଲମାନ ଧର୍ମାବଲମ୍ବୀମାନେ ବ୍ୟବହାର କରିଥାନ୍ତି? ତାହାହେଲେ ଆମେ ଏହା ମଧ୍ୟ ବିଶ୍ଵାସ କରିବା କି ଯେ ଇଂରାଜୀ ଭାଷା ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କର? ସଂସ୍କୃତ ଭାଷା ହିନ୍ଦୁ ଧର୍ମର? କିନ୍ତୁ ଏ ମଧ୍ୟରୁ କୌଣସି ଟି ସତ୍ୟ ନୁହେଁଉର୍ଦ୍ଦୁ ଭାଷାର ଅନେକ ଶାୟରୀ ରହିଛି ଯାହା ଧର୍ମରୂପୀ ଅନୁଷ୍ଠାନକୁ ପ୍ରଶ୍ନ କରୁଛି। ସେ ମଧ୍ୟରୁ ମିର୍ଜା ଗାଲିବଙ୍କ (୧୭୯୭ – ୧୮୬୯) ପ୍ରସିଦ୍ଧ ଶାୟରୀ, “ଶରାବ ପିନେ ଦେ ମସଜିଦ ମେଂ ବୈଠ କର ୟା ଓଃ ଜଗା ବତା ଜାହାଁ ଖୁଦା ନେହିଂ” (ଏଭଳି କେଉଁ ଜାଗା ଅଛି ଯେଉଁଠି ଭଗବାନ ନାହାନ୍ତି) ଅନ୍ଯତମ।

            ଆଜି ଉର୍ଦ୍ଦୁ ଭାଷାକୁ ମୁସଲମାନ ଧର୍ମ ସହିତ ଯୋଡି ଦେଶବ୍ୟାପୀ ନ୍ୟୁନମାନସିକତା ସୃଷ୍ଟି କରାଯାଉଛି। ଏହା ଆମକୁ ଭାଷାକୁ ନେଇ ଚାଲିଥିବା ରାଜନୀତିର ଏକ ପକ୍ଷଧର କରିଦେଇଛି। ଉର୍ଦ୍ଦୁ ପ୍ରତି ଏଭଳି ମନୋଭାବ ଆମମାନଙ୍କ ମନରେ ସ୍ଵାଭାବିକ ଇଚ୍ଛା ଜାଗ୍ରତ କରୁଛି ଯେ କୌଣସି ଭାଷାକୁ ନେଇ ଏଭଳି ଘୃଣା ଭାବ ସୃଷ୍ଟି କରିବାର କାରଣ କ, ତାହା ଜାଣିବା।  

            କେନ୍ଦ୍ର ସରକାର ଗଲା ବର୍ଷ ନାସିନାଲ କାଉନସିଲ ଫର ପ୍ରମୋଶନ ଅଫ ଉର୍ଦ୍ଦୁ ଲାଙ୍ଗୁଏଜ (ଶିକ୍ଷା ମନ୍ତ୍ରଣାଳୟ ଅଧୀନ) କୁ ମିଳୁଥିବା ଅର୍ଥ ପରିମାଣକୁ କୌଣସି କାରଣ ନଦର୍ଶାଇ କମାଇଦେଇଛନ୍ତି। ଯଦିଓ ଉର୍ଦ୍ଦୁ ଭାଷୀ ଲୋକ ଅଧିକ ଉତ୍ତର ପ୍ରଦେଶରେ ଅଛନ୍ତି କିନ୍ତୁ ଏଠାର ସରକାର ଉର୍ଦ୍ଦୁ ମିଡିୟମ ସ୍କୁଲ ଖୋଲିବା ଲାଗି ଅନୁମତି ଦେଉନାହାନ୍ତି। କେବଳ ସରକାରୀ ଆକ୍ରୋଶ ନୁହେଁ ସାଧାରଣରେ ଭାବନା ମଧ୍ୟ ସୃଷ୍ଟି ହୋଇଛି ଯେ ଉର୍ଦ୍ଦୁ ଏକ ବିଦେଶୀ ଭାଷା ଓ ଏହା କେବଳ ମୁସଲମାନ ଧର୍ମୀଙ୍କ ଭାଷା। ଓଡିଶାରେ ବୁଦ୍ଧିଜୀବୀ ଏ ସମ୍ପର୍କରେ ଆଲୋଚନା କରିବାକୁ ମଧ୍ୟ ଚାହାନ୍ତି ନାହିଁ।, କାହିଁକି?

             ମୁସଲମାନ ବହୁଳ ଦେଶ କେବଳ ଏସିଆ ମହାଦେଶରେ ହେଉଛି ଇରାନ, ଇରାକ, ତୁର୍କୀ, ବଙ୍ଗଳାଦେଶ, ଇଣ୍ଡୋନେସିଆ, ସାଉଦି ଆରବ ଓ ପାକିସ୍ତାନ ଇତ୍ୟାଦି ଦେଶଏ ମଧ୍ୟରୁ ପାକିସ୍ତାନକୁ ଛାଡିଦେଲେ ବାକି କୌଣସି ବି ଦେଶର ସରକାରୀ ଭାଷା ଉର୍ଦ୍ଦୁ ନୁହେଁ। ଇରାନ ଓ ଇରାକର ଭାଷା ପର୍ସିଆନ ହେଲେ ଇଣ୍ଡୋନେସିଆର ଭାଷା ବାହାସ। ଉର୍ଦ୍ଦୁକୁ ନିଜର ସରକାରୀ ଭାଷା ନକରିବା ଲାଗି ପୂର୍ବ ପାକିସ୍ତାନ ୧୯୭୧ ମସିହାରେ ପଶ୍ଚିମ ପାକିସ୍ତାନ ଠାରୁ ଅଲଗା ହୋଇ ଏକ ସ୍ଵାଧୀନ ଦେଶ ଭାବରେ ମାନ୍ୟତା ପାଇଛି ଯାହାର ନାମ ବଙ୍ଗଳାଦେଶଏହାର ସରକାରୀ ଭାଷା ବଙ୍ଗାଳୀ। ଠିକ ପଶ୍ଚିମ ବଙ୍ଗ ଭଳି। ତେବେ ଭାଷାକୁ ଧର୍ମ ସହିତ ଯୋଡିବାର ଆବଶ୍ୟକତା କଣ?    

            ଭାଷା କେବେ କୌଣସି ଧର୍ମର ହୋଇରହିନାହିଁ। ଭାଷା ସର୍ବଦା ସେହି ଅଞ୍ଚଳ ସହିତ ପରିଚିତ ଯେମିତି ଓଡିଶାର ଓଡିଆ, ଗୁଜୁରାଟର ଗୁଜୁରାଟି, ପଞ୍ଜାବର ପଞ୍ଜାବୀ ଓ ଆନ୍ଧ୍ର ପ୍ରଦେଶର ତେଲେଗୁ ଇତ୍ୟାଦି । ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ବସତି ସ୍ଥାପନ କରୁଥିବା ମୁସଲମାନଙ୍କ ଭାଷା ଉର୍ଦ୍ଦୁ ନୁହେଁ। ସେମାନଙ୍କ ପ୍ରାଦେଶିକ ଭାଷା ହିଁ ସେମାନଙ୍କ ମାତୃଭାଷା।

            ଯେବେ ଯୋଗାଯୋଗର ଆବଶ୍ୟକତା ହୋଇଛି ସେତେବେଳେ ଭାଷା ସୃଷ୍ଟି ହୋଇଛି। କୌଣସି ଅଞ୍ଚଳରେ ଭାଷା ତିଆରି ହୁଏ ସେହି ଅଞ୍ଚଳର ଅନେକ ଲୋକଙ୍କ ଉଦ୍ୟମରେଆଦିବାସୀ ଅଞ୍ଚଳର କୌଣସି ବି ସାପ୍ତାହିକୀ ହାଟକୁ ଗଲେ ହାଟ ମଧ୍ୟରେ ମିଶ୍ରିତ ଭାଷା ଆପଣ ପାଇବେ। ଦକ୍ଷିଣ ଓଡିଶାର ହାଟ ମଧ୍ୟରେ ଆପଣ ସ୍ଥାନୀୟ ଆଦିବାସୀ (କନ୍ଧ ଅଥବା ସଉରା ବା ବଣ୍ଡା ଇତ୍ୟାଦି ଅଞ୍ଚଳର ସେମାନଙ୍କ ଭାଷା) ସହିତ ଓଡିଆ ଓ ହିନ୍ଦୀ ମିଶ୍ରିତ ଭାଷା ପାଇବେ।

            ପର୍ସିୟାନ ଭାଷାଭାଷୀ ବ୍ୟବସାୟୀମାନେ ଭାରତକୁ ବ୍ୟବସାୟ କରିବା ଲାଗି ଆସୁଥିଲେ। ପର୍ସିୟାନ ଭାଷାରେ ରହିଥିବା ବ୍ଯାକରଣଗତ ଜଟିଳତା ଉତ୍ତର ଭାରତୀୟ ଜନସାଧାରଣଙ୍କୁ ସୁହାଇଲା ନାହିଁ। ହୋଇପାରେ ଏହା ଉର୍ଦ୍ଦୁ ଭାଷାର ଜନ୍ମର କାରଣ। ଉର୍ଦ୍ଦୁ ବିଶେଷଜ୍ଞମାନଙ୍କ ମତରେ ଆଜକୁ ଆଠ ଶହ ବର୍ଷ ତଳେ ଉର୍ଦ୍ଦୁ ଭାଷାର ସୃଷ୍ଟି, ତାହା ପୁଣି ଉତ୍ତର ଭାରତରେ।  ତେଣୁ ତ ଉର୍ଦ୍ଦୁ ଭାଷାର ମୂଳନାମ ହିନ୍ଦୁୱି କାରଣ ହିନ୍ଦୁସ୍ତାନରୁ ସୃଷ୍ଟିକେହି କେହି ଏହାକୁ ରେଖତା ମଧ୍ୟ କହିଥାନ୍ତି। ରେଖତାର ଅର୍ଥ କୌଣସି ଦୁଇଟି ବା ଅଧିକ ବିଷୟର ସମଷ୍ଟିରୁ ତୃତୀୟ ଜିନିଷ ଉତ୍ପନ୍ନ ହେବା। ହିନ୍ଦୀ, ପାର୍ସୀ ଓ ଆରବୀ ଭାଷାର ସମଷ୍ଟିରେ ଉର୍ଦ୍ଦୁ ଭାଷାର ସୃଷ୍ଟି। ସେଥିଲାଗି ଉର୍ଦ୍ଦୁକୁ କେହି କେହି ଉରଦ୍ଦୋଂ (ଉର୍ଦ୍ଦୁର ବହୁବଚନ) ମଧ୍ୟ କହିଥାନ୍ତି। ଉର୍ଦ୍ଦୁ ବିଶେଷକରି ଲକ୍ଷ୍ନୌ ଉର୍ଦ୍ଦୁ ଓ ହାଇଦ୍ରାବାଦୀ ଉର୍ଦ୍ଦୁ ଭାବରେ ବିଭକ୍ତ। (କୋଷଳୀ ଓଡିଆ ଓ ଉପକୂଳ ଓଡିଆ ଭଳି)

            ଉର୍ଦ୍ଦୁ ଓ ହିନ୍ଦୀ ଭାଷାର ଉତ୍ପତ୍ତି ସମାନ ସ୍ଥାନ କାରଣରୁ ଅନେକ ଉର୍ଦ୍ଦୁ ଶବ୍ଦ ହିନ୍ଦୀ ଭାଷା ମଧ୍ୟରେ ସ୍ଥାନିତ। ଫରକ ହେଲା ଯେ କୌଣସି ହିନ୍ଦୀ ବା ଉର୍ଦ୍ଦୁ ବାକ୍ୟକୁ ଡାହାଣରୁ ବାମକୁ ଲେଖିଲେ ଲାଗିବ ଉର୍ଦ୍ଦୁ ଓ ବାମରୁ ଡାହାଣକୁ ଲେଖିଲେ ଲାଗିବ ହିନ୍ଦୀ। ଯେହେତୁ ଉର୍ଦ୍ଦୁ ଠିକ ପର୍ସିୟାନ ଭାଷା ଭଳି ଡାହାଣରୁ ବାମ ଲେଖାଯାଏ ତେଣୁ ଅନେକ ପର୍ସିୟାନ ଶବ୍ଦ ଉର୍ଦ୍ଦୁ ଭାଷାକୁ ଚାଲିଆସିଛି। ମାତ୍ର ଏହାର ଅନେକ ସାମଞ୍ଜସ୍ଯ ହିନ୍ଦୀ ଭାଷା ସହିତ ରହିଛି। ହିନ୍ଦୀ ଠାରୁ ଉର୍ଦ୍ଦୁକୁ ଅଲଗା କରିବାର ଅର୍ଥ ପ୍ରେମଚାନ୍ଦଙ୍କ ଉପନ୍ୟାସ ଅଥବା ମଣ୍ଟୋଙ୍କ ଗଳ୍ପର ଅସ୍ତିତ୍ଵ ନରହିବା ଭଳି କଥା। ଏପରିକି ଅନେକ ହିନ୍ଦୀ ଫିଲ୍ମର ଗୀତ ଓ ଡାଇଲାଗକୁ ଲିଭାଇଦେବା ସହିତ ଏହା ସମାନ। ଉର୍ଦ୍ଦୁ ଭାଷାକୁ ବାଦ ଦେଲେ ପ୍ରେମଚାନ୍ଦ, ମଣ୍ଟୋ, କିଷାନ ଚନ୍ଦ୍ର ଇତ୍ୟାଦିଙ୍କ ସାହିତ୍ୟକୃତୀର କୌଣସି ମାନ୍ୟତା ରହିବ ନାହିଁ।

            ହିନ୍ଦୀ ଫିଲ୍ମ ତ ନିଜର କଳା ହରାଇବ ଯଦି ଉର୍ଦ୍ଦୁକୁ ବାଦ ଦେଇ କେବଳ ହିନ୍ଦୀ ଉପରେ ଏହାର ଡାଇଲାଗ ଓ ଗୀତ ଲେଖାଯାଏ। ଗୁଲଜାରଙ୍କ କବିତା, “ମେରା କୁଛ ସାମାନ ତୁହ୍ମାରେ ପାଶ ପଡ଼ା ହେ” (ଫିଲ୍ମ: ଇଜାଜତ), “ତୁମ ଆଗୟେ ହୋ ନୂର (ଆଲୋକ) ଆ ଗୟା ହେ” (ଫିଲ୍ମ: ଆନ୍ଧି) କେବଳ ଏକ ଉଦାହରଣ ଡନ ଫିଲ୍ମରେ ଅମିତାଭ ବଚନଙ୍କ ଡାଇଲାଗ, “ଏକ ବାତ ସମଝ ଲୋ ଡନ କୋ ପକଡ଼ନା ମୁଷ୍କିଲ ହି ନହି, ନମୁକିନ ହେ”ରୁ ଉର୍ଦ୍ଦୁ ଶବ୍ଦ ସମଝ’, ମୁଷ୍କିଲ’, ନମୁକିନ କୁ ବାଦ ଦେଇଦିଆଯାଉ। ଏହାପରେ ଏହି ଡାଇଲାଗର ଅସ୍ତିତ୍ଵ କଣ ବା ରହିବ? ଏଠାରେ ହିନ୍ଦୀ ବ୍ଯବସାୟିକ ଫିଲ୍ମର ତରଫଦାରୀ କରିବା ଏହି ଲେଖକର ଉଦ୍ଦେଶ୍ୟ ନୁହେଁ। ବରଂ ଓଡିଆ ପାଠକ ମଧ୍ୟରେ ଉର୍ଦ୍ଦୁକୁ ନେଇ ରହିଥିବା ଗଲତଫେମୀକୁ ଦୁର କରିବା ଏହି ଲେଖକର ଉଦ୍ଦେଶ୍ୟ। ଏମିତି ତ ପିଲା ସମୟରୁ ମୁଁ ଶୈଳେନ୍ଦ୍ରଙ୍କ ରଚିତ ହିନ୍ଦୀ ଫିଲ୍ମ ଗୀତ “ଖୋୟା ଖୋୟା ଚାନ୍ଦ”, “ସଜନରେ ଝୁଟ ମତ ବୋଲୋ”, “ଦୁନିଆ ବନାନେ ବାଲେ” ଗୀତକୁ ଗୁଣଗୁଣେଇ ନିଜକୁ ଆମୋଦିତ କରିଆସିଛି

            ପୃଥିବୀର କୌଣସି ଭାଷା ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦକୁ ନନେଇ ତିଆରି ହୋଇନାହିଁ। ଭାରତ ଭୂଖଣ୍ଡରେ ପ୍ରାଚୀନ ଭାଷା କହିଲେ ତାମିଲ, ପାଲି ଓ ସଂସ୍କୃତ। ଏହିଥିରୁ ଆଜିର ଓଡିଆ, ବଙ୍ଗଳା, ତେଲେଗୁ, ପଞ୍ଜାବୀ, ମରାଠୀ ଇତ୍ୟାଦି ଭାଷା ସୃଷ୍ଟି ହୋଇଛି। (ପ୍ରଫେସର ଗଣେଶ ଡେଭିଙ୍କ  ଦ୍ଵାରା ଲିଖିତ ପୁସ୍ତକ ଦି କ୍ରାଇସିସ ୱିଦିନରୁ) ସଂସ୍କୃତ ଭାଷାବିତମାନେ ସଂସ୍କୃତର ବ୍ଯାକରଣକୁ ଶୁଦ୍ଧତାକୁ ଜାବୁଡି ଧରିରଖିବା କାରଣରୁ ଏହା ଗ୍ରାମୀଣ ଭାଷା ହୋଇପାରିଲା ନାହିଁ ଓ ଏହା ହିନ୍ଦୀ ଭାଷାକୁ ଜନ୍ମ ଦେଲା। ସେହିଭଳି ପର୍ସିଆନ ଭାଷାବିତମାନେ ହିନ୍ଦୁସ୍ତାନ ମଧ୍ୟରେ ଏହାର ବ୍ଯାକରଣ ଓ ଶୁଦ୍ଧତାକୁ ପ୍ରାଥମିକତା ଦେବା କାରଣରୁ ଉର୍ଦ୍ଦୁ ଭାଷାର ସୃଷ୍ଟି। ଉର୍ଦ୍ଦୁ ଓ ହିନ୍ଦୀ ଭାଷାର ବ୍ଯାକରଣ ସମାନ। ଉର୍ଦ୍ଦୁ ପାର୍ସି ଲିପିକୁ ନେଇଛି ଓ ହିନ୍ଦୀ ଭାଷା ଦେବନାଗରୀ ଲିପିକୁ ନେଇଛି। କିନ୍ତୁ ଭାରତରେ ଉର୍ଦ୍ଦୁ ଭାଷା ଶିଖୁଥିବା ଅଣ-ମୁସଲମାନ ବ୍ୟକ୍ତି ପ୍ରାୟତଃ ଦେବନଗରୀ ଲିପିରେ ହିଁ ଉର୍ଦ୍ଦୁ ପଢିବା ଲାଗି ଅଧିକ ପସନ୍ଦ କରିଥାନ୍ତି। ମୁଁ ତାହା ହିଁ କରୁଛି।

            ମୋର ଉର୍ଦ୍ଦୁ ଶିଖିବା ଭିତରେ ଅନେକ ଓଡିଆ ଶବ୍ଦ ପାଇଲି ଯାହା ଉର୍ଦ୍ଦୁ ସହିତ ସାମଞ୍ଜସ୍ଯ ରଖୁଛି। ମାମୁଁ, ଦାଦା (ଜେଜେ ବାପା), ଶଶର (ଶ୍ଵଶୁର), ମା, ପାନି (ପାଣି), ପସନ୍ଦ, ହିସାବ ଓ ଜମା (ଯୋଗ କରିବା ବା ମିଶାଇବା) ଇତ୍ୟାଦି ଅନେକ ଶବ୍ଦ ଏଭଳି ରହିଛି। ଓଡିଶାର ବିଚାରାଳୟ ବା କୋର୍ଟର ଅନେକ ଶବ୍ଦ ଉର୍ଦ୍ଦୁ ଅଥବା ପାର୍ସି ଭାଷାରୁ ଆସିଛି। ହିନ୍ଦୀ ଭାଷାରେ ତ ଏହାର ସଂଖ୍ୟା ଅନେକ ଅଧିକ। କୌଣସି ଭାଷା କେବେ ଶତ ପ୍ରତିଶତ ସ୍ଵତନ୍ତ୍ର ହୋଇନପାରେ। ଏହା ପାର୍ଶ୍ଵବର୍ତ୍ତୀ ଭାଷାର ଶବ୍ଦ ନେଇ ନିଜର ଅବିଧାନକୁ ସମୃଦ୍ଧ କରିଥାଏ।

            ୨୦୧୯ ମସିହାର ନିର୍ବାଚନର ଠିକ ଠିକ ପରେ ବିଜେପି ସରକାର ନାଗରିକ ସଂଶୋଧନ ଆଇନ ଆଣିଥିଲେ। ଏହାର ପ୍ରତିବାଦରେ ଫଏଜ ଅହମ୍ମଦ ଫଏଜଙ୍କ କବିତା (ନଜମ) ଆମ ଦେଶର କୋଣ ଅନୁକୋଣରେ ଶୁଣିବାକୁ ମିଳିଲା। “ହମ ଦେଖେଙ୍ଗେ” ର ସେହି କିଛି ନଗ୍ମେ “ଲାଜିମ ହେ କେ ହମ ଭି ଦେଖେଙ୍ଗେ, ୱ ଦିନ ଜିସକା ବାଦା ହେ” (ଏହା ନିଶ୍ଚିତ ଯେ ଆମେ ସେହି ଦିନ ଦେଖିବୁ ଯେଉଁ ଦିନ ଦେଖିବା ଲାଗି ଆମେ ଶପଥ କରିଛୁ) ସିଏଏ-ଏନଆରସି ବିରୋଧୀ ଆନ୍ଦୋଳନକୁ ଅନେକ ବଳ ଯୋଗାଇଥିଲା। ଫଏଜ ଏହି ନଜମ ୧୯୭୯ ମସିହାରେ ପାକିସ୍ତାନର ଜିଆ ଉଲ ହକର ଅତ୍ୟାଚାରୀ ଶାସନର ବିରୋଧରେ ଲେଖିଥିଲେ। କିନ୍ତୁ ଭାରତରେ ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନର ବିପ୍ଳବୀ ଗୀତ ହୋଇଥିଲା। ଭାରତରେ ଦଶରୁ ଅଧିକ ପ୍ରାଦେଶିକ ଭାଷାରେ ଏହା ଅନୁବାଦିତ ହୋଇଛି।

            ଉର୍ଦ୍ଦୁର ବ୍ୟବହାର ହିନ୍ଦୀ ଫିଲ୍ମ, ହିନ୍ଦୀ ସାହିତ୍ଯ ଅଥବା ପ୍ରଦେଶିକ ସାହିତ୍ଯରେ ଏହାକୁ ଅଧିକ ବଜାରୀକରଣ କରିବା ଲାଗି ଅନୁମତି ଜାରି ରହିଛି। ଅଥଚ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଉର୍ଦ୍ଦୁ ଭାଷାଭାଷୀ, ବିଶେଷକରି, ମୁସଲମାନଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟି ଲାଗି ଉଦ୍ୟମ କରାଯିବାର କାରଣ ହେଲା ଯେ ସେମାନେ ଉର୍ଦ୍ଦୁ କହୁଛନ୍ତି ଏହା ସମାଜରେ ସାମ୍ପ୍ରଦାୟିକ ଭାବନାକୁ ବଳିଷ୍ଠ କରିବାର ପ୍ରଚେଷ୍ଟା। ଉର୍ଦ୍ଦୁଭାଷୀଙ୍କୁ ଧର୍ମ ନାମରେ ନ୍ୟୁନ କରିବା ସୁସ୍ଥ ମାନସିକତାର ପରିଚୟ ନୁହେଁ। ଉର୍ଦ୍ଦୁ ଭାଷା ବା କୌଣସି ବି ଭାଷାର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ।

            ଦୂଷ୍ୟନ୍ତ କୁମାରଙ୍କ ପ୍ରସିଦ୍ଧ ସାୟେରୀର ଦୁଇ ଧାଡିରେ ଲେଖା ସମାପ୍ତ କରୁଛି। “ମେରେ ସୀନେ ମେଂ ନହିଁ ତୋ ତେରେ ସୀନେ ମେଂ ସହୀ / ହୋ କାହିଁ ଭି ଆଗ ଲେକିନ ଆଗ ଜଲନୀ ଚାହିଏ“ (ମୋ ଚ୍ଛାତି ରେ ନହେଲ ନାଇଁ ତୋ ଛାତିରେ ହେଉ ପଛେ / ସେ ଯେଉଁଠି ବି ନିଆଁ ହେଉନା କାହିଁକି କିନ୍ତୁ ନିଆଁ ଜଳିବା ଆବଶ୍ୟକ।) ମଣିଷକୁ ନିଜର ଶଙ୍କିର୍ଣ୍ଣତାରୁ ଉର୍ଦ୍ଧ୍ଵକୁ ଏକ ସାମ୍ୟ ଓ ନ୍ୟାୟପୂର୍ଣ୍ଣ ସମାଜର ଭାବନା ଆଡକୁ ନିଜକୁ ନେଇଯିବାକୁ ହେବ।

 

ମୋବାଇଲ: ଦେବ ରଞ୍ଜନ ୯୪୩୭୭୬୨୨୭୨