Saturday, September 20, 2025

କିଏ କହୁଛି ଜାତିଭେଦ ଚାଲିଗଲାଣି

 


ଦେବ ରଞ୍ଜନ

              ଆଜି କାଲି ଯୁକ୍ତି କରାଯାଉଛି ଯେ ଜାତିଭେଦ ଚାଲିଗଲାଣି। ସତରେ ରାଜ୍ୟରେ ଯଦି ଜାତିଭେଦ ଚାଲିଯାଇଥାନ୍ତା ତେବେ ମନ୍ଦିର ପ୍ରବେଶ କାରଣରୁ କାହାରିକୁ ଜୀବନ ଦେବାକୁ ପଡିନଥାନ୍ତା। କେହି ହୁଏତ କହିପାରନ୍ତି ଯେ ମଣିଷକୁ  ଇଶ୍ଵର ତିଆରି କରିଛନ୍ତି। ବାସ୍ତବ ହେଲା ଯେ ମଣିଷ ତିଆରି କରିଛି ଈଶ୍ଵରଙ୍କୁ। ଇଶ୍ଵରଙ୍କ ଉପରେ କିଛି ଜାତିର ସ୍ଵତନ୍ତ୍ର ଅଧିକାର ରହିଛି। ସେଥିଲାଗି ହିଁ ପୁରୀ ଜିଲ୍ଲାର ବୋଲଗଡ ଅଞ୍ଚଳର ବୃଦ୍ଧଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା କାରଣରୁ ଜୀବନ ଦେବାକୁ ପଡିଲା। ଏଭଳି ଘୃଣା ଓ କ୍ରୋଧଜନିତ କାଣ୍ଡ କେବଳ ପୁରୀ ଜିଲ୍ଲାରେ ନୁହେଁ ଓଡିଶାର ଅନେକ ପ୍ରାନ୍ତରେ ଘଟୁଛି। ଏହାପରେ କୁହାଯାଇ ନପାରେ ଯେ ଏ ରାଜ୍ୟରୁ ଜାତିଭେଦ ଚାଲିଯାଇଛି  

 

              ଜାତିଭେଦ ଭୋଗୁଥିବା ମଣିଷ ଜାଣିଛି ଉଚ୍ଚ ଜାତିର ଘୃଣା ଓ ଅସମ୍ମାନପୂର୍ଣ୍ଣ ବାର୍ତ୍ତାଳାପ କେତେ ଯନ୍ତ୍ରଣାଦାୟକ। ଉଚ୍ଚ ଜାତିର ମଣିଷ ପୀଢି ପୀଢିର ଅଧିକାର ଭାବି ଜାତିଭେଦର ଘଟଣାଟିଏ ଘଟାଇଦିଏ। ସେ ଅତି ସହଜରେ ତାହା କରିଦିଏ କାରଣ ସେ ନୃଶଂସ ଓ ଅମଣିଷ ପାଲଟି ଯାଇଥାଏ। କିନ୍ତୁ ଏହାକୁ ଭୋଗିଥିବା ମଣିଷ ସାରା ଜୀବନ ସେହି ଘଟଣାକୁ ମନେରଖେ। ସେହି ଯନ୍ତ୍ରଣାକୁ ନିଜ ଭିତରେ ଚାପି ରଖିଥାଏ। ସେ ନିଜ ଭିତରେ ପିଲାଦିନୁ ଘୋଷେଇ ଦିଏ ଯେ ସେ “ଅଛୁଆଁ” ଜାତିର। କିଏ ହୁଏତ ପ୍ରତିବାଦ କରେ ତ ପୁଣି କିଏ ପ୍ରତିବାଦର ପରିଣାମକୁ ଭାବି ଚୁପ ରହେ। ଏହା ନୁହେଁ ଯେ ସେ ଅଛୁଆଁ ପ୍ରଥାକୁ ମାନିନିଏ। ଏହି ଭେଦଭାବ ଓ ଯନ୍ତ୍ରଣା ସହସ୍ର ବର୍ଷର। ଏହାପରେ କୁହାଯିବ ନାହିଁ ଆମ ସାମାଜରେ ସମସ୍ତେ ସମାନ।

 

              କେହି ହୁଏତ ଯୁକ୍ତି କରିପାରନ୍ତି ଯେ ଜାତିଭେଦ କେବଳ ଗ୍ରାମାଞ୍ଚଳରେ ଅଛି ସହରରେ ନାହିଁ। କିଛି ଦିନ ତଳେ ଏକ ମିଟିଂରେ ମହିଳା ଜଣକ କୋହ ଭରା ସ୍ଵରରେ ଭୁବନେଶ୍ବରରେ ଘର ମିଳିବାରେ ହୋଇଥିବା ଅସୁବିଧା ସମ୍ପର୍କରେ କହୁଥିଲେ। ଚାକିରିଆ ସେନିଜର ଦୁଇ ସାନ ଭାଇଙ୍କୁ ନେଇ ସହରରେ ରହିବା ଲାଗି ଘର ଖୋଜୁଥିଲେ। ତାଙ୍କର ନାମରୁ ତାଙ୍କର ଜାତି ଜାଣିପାରି ଗୃହ ମାଲିକ ତୁରନ୍ତ ଭଡା ଦୁଇ ଗୁଣ ଶୁଣାଇଦେଲେ। ଯଦି ବି ସେ ଅଭିଯୋଗ କରିବେ ତେବେ ବି ତାହାର କୌଣସି ଅନୁସନ୍ଧାନ ହେବ ନାହିଁ।    

              ଜାତିଭେଦର ଅନେକ ଘଟଣା ଓଡିଶାର ବିଭିନ୍ନ ପ୍ରାନ୍ତରେ ଘଟୁଛି। ପଶ୍ଚିମ ଓଡିଶାରେ ଦଳିତ ବର୍ଗ ଉପରେ ହେଉଥିବା ଭେଦଭାବର ଉଦାହରଣ ଦେଉଛି। ଗାଁର ହୋଟେଲବାଲା “ଅଛୁଆଁ” ମଣିଷଙ୍କୁ ପତ୍ରରେ ସିଙ୍ଗଡା କି ବରା ଦେବା ସମୟରେ ଉପରୁ ଫିଙ୍ଗିକରି ଦେଉଛନ୍ତି। ଏହା ମୁଁ ଭୀମଭୋଇଙ୍କ ଆଶ୍ରମ ସନ୍ନିକଟ ଗ୍ରାମମାନଙ୍କରେ ରହୁଥିବା ଦଳିତ ପରିବାରମାନଙ୍କ ଠାରୁ ଶୁଣିଛି। ସେହିଠାରେ ଉପସ୍ଥିତ ଅନ୍ୟ ମଣିଷମାନେ ଏହାର ପ୍ରତିବାଦ କରୁନାହାନ୍ତି।

 

       ଦଳିତ ପରିବାରମାନେ ଜାତିଭେଦର ପ୍ରତିବାଦ କରୁଛନ୍ତି। କିନ୍ତୁ ସେମାନେ ସଂଖ୍ଯାରେ କମ। ପୁଲିସର ସହଯୋଗ ଉଚ୍ଚ ଜାତି ପ୍ରତି ରହୁଥିବା କାରଣରୁ ସେମାନେ ଏହାକୁ ମାନି ନେଇଛନ୍ତି। ଦଳିତ ଯୁବକଙ୍କର ବି ଇଚ୍ଛା ଯେ ଭଲ ରୋଜଗାର ଲାଗି ସେମାନେ ବି ହୋଟେଲ ଖୋଲନ୍ତେ। କିନ୍ତୁ ସେମାନେ ନିଶ୍ଚିତ ଯେ ସେମାନଙ୍କ ହୋଟେଲକୁ କେହି ଖାଇବାକୁ ଆସିବେ ନାହିଁ। ଏହା ଜାତିଗତ ଘୃଣା ନୁହେଁ ତ ଆଉ କଣ?

 

              ଦକ୍ଷିଣ ଓଡିଶାରେ ଜାତିଭେଦ ବେଶ ସ୍ପଷ୍ଟ। ଗ୍ରାମାଞ୍ଚଳରେ ଦଳିତ ପରିବାରର ସଦସ୍ୟ କାହାର ଘରକୁ ଉଠିଗଲେ ଏଠାରେ ସେ ଫେରିଆସିବା ପରେ ସେହି ଘରକୁ ଧୋଇଦିଆଯାଉଛି। ଦଳିତ ପିଲାଟି ଧରିଥିବା ଗଛର ଡାଳ କି ବାଉଁଶ କଣିଟିଏ ବୟସ୍କା ମହିଳାଙ୍କ ଦେହରେ ବାଜିଗଲେ ସେ ଗାଳି ଦେଇ ଦେଇ ଗାଁର ପୋଖରୀରେ ଯାଇ ଗାଧୋଇଥାନ୍ତି। ପିଲାଟି କଦାପି ଭୁଲିପାରିବ କି ଏହି ବ୍ୟଥାକୁ? 

 

              ପୁରୀ ଜିଲ୍ଲାର ଜାତିଭେଦ କିଛି କମ ନାହିଁ। ଗାଁରେ ବାହାଘର ହେଉଛି। କେଉଁଠି ବରଯାତ୍ରୀର ଗୋଡ ଧୋଇବା ହେଉ କି ଲାଇଟ ଧରି ଚାଲିବା ହେଉ ଏହି କାମ କରିବା ଲାଗି ଏଠି ଦଳିତ ଜାତିକୁ ଜାତି ଅନୁସାରେ ବାଧ୍ୟ କରାଯାଉଛି। ଗାଁରେ କାହା ଘରର ଲୋକେ ମରିଯାଇଥିଲେ ସେହି ଘର ଲୁଗା ଉଠାଇବା ଲାଗି “ଅଛୁଆଁ” ଜାତିକୁ ଧମକ ଦେଇ ଡାକ ପଡୁଛି। ଏଠାରେ ବୟସର ତାରତମ୍ୟକୁ ନଦେଖି ଦଶ ବର୍ଷର ଉଚ୍ଚ ଜାତିର ବାଳକଟିଏ ଷାଠିଏ ବର୍ଷର ବୃଦ୍ଧ ବା ବୃଦ୍ଧା ବ୍ୟକ୍ତିଙ୍କୁ ନାମ ଧରି ଡାକୁଛିପାରମ୍ପରିକ କାର୍ଯ୍ୟରେ ଯୋଗଦେବାର ହୁକୁମନାମାଟି ସେ ଶୁଣାଇଦେଉଛି

 

              ମନେକରାଯାଉ ଯେ ଆପଣ ସେହି ବୃଦ୍ଧ ବା ବୃଦ୍ଧାଙ୍କ ପରିବାରର ହୋଇଥିବେତେବେ ଆପଣଙ୍କ ଭିତରେ କଣ ଚାଲୁଥିବ! ଏ ସବୁକୁ ବିରୋଧ କଲେ ଆପଣଙ୍କ ଘର ଜାଳିଦେବା ପର୍ଯ୍ୟନ୍ତ କଥା ଯେଉଁଠି ଯାଉଛି ସେହି ଗାଁକୁ ଆପଣ ନିଜର ଗାଁ ବୋଲି କହି ଗର୍ବ କରିପାରିବେ ନା ପ୍ରତି ମୁହୂର୍ତ୍ତରେ ଗାଁ ଛାଡିଦେଇ ସହରକୁ କାମ ଖୋଜିବାରେ ଚାଲିଯିବେ?

 

              କାହାର ଜନ୍ମକୁ ନେଇ ସମାଜରେ ବାଛ ବିଚାର କରିବା କେବଳ ଆଇନ ଦ୍ରୁଷ୍ଟିରେ ଯେ ଅପରାଧ ତାହା ନୁହେଁ ଏହା ସାମାଜିକ ଅପରାଧ ମଧ୍ୟ। ବାଲ୍ୟ ବିବାହ, ସତୀଦାହ, ବଳିପ୍ରଥା, କାଳସୀ ଲାଗିବା ଇତ୍ୟାଦି ପ୍ରଥା ଆଇନ ଦୃଷ୍ଟିରୁ ଅପରାଧ। ଏହାକୁ ସାମାଜିକ ଅପରାଧ ବୋଲି ଲୋକେ ଭାବିବା ହେତୁ ଆଜି ଏହା ଲୋପ ପାଇଯାଇଛି। ଯଦି ବି କେହି ଏହାକୁ ଅନୁସରଣ କରୁଛି ତେବେ ବି ସେ ଜାଣିଛି ଯେ ସେ ଆଇନ ବିରୁଦ୍ଧରେ କାର୍ଯ୍ୟ କରୁଛି। ତେଣୁ ସେ ଲୁଚିବାକୁ ଚେଷ୍ଟା କରେ।

 

              କୌଣସି ମଣିଷକୁ ତାହାର ଜାତି ପାଇଁ “ଅଛୁଆଁ” ମନେକରିବା ଆଇନ ଦ୍ରୁଷ୍ଟିରେ ଅପରାଧ। କିନ୍ତୁ ସାମାଜ ଏହାକୁ ଏବେ ବି ଅପରାଧ ବୋଲି ଗ୍ରହଣ କରିନାହିଁ। ଏହି ହେତୁ ଜାତି ଭେଦଭାବ କରୁଥିବା ଅପରାଧୀ ଏଠାରେ ଛାତି ଫୁଲାଇ ଚାଲୁଅଛି। ଯଦି ଅସମ୍ମାନିତ ମଣିଷ ପ୍ରତିବାଦ କରୁଛି ତେବେ ଅପରାଧୀ ଚାହିଁଲେ ଆଉ ପାଞ୍ଚ ଜଣଙ୍କୁ ନେଇ ଦଳିତ ବର୍ଗ ଉପରେ ଆକ୍ରମଣ ମଧ୍ୟ କରିଦେଉଛି। ଏହାକୁ ପୋଲିସ, ପ୍ରଶାସନ ଓ ରାଜନୈତିକ ଦଳ ପରୋକ୍ଷ ସମର୍ଥନ ମଧ୍ୟ ଜଣାଉଛି।

 

              ଜାତି ବିହୀନ ଆୟୋଜିତ ବିବାହ ବା ଆରେଞ୍ଜଡ ମାରେଜ କେଉଁଠାରେ ହେଉଥିବା ଜାଣିଛନ୍ତି କି? ସମ୍ବିଧାନର ଧାରା ୧୫ ଅନୁସାରେ କାହାରି କୁ ନିଜ ଜନ୍ମ ଅନୁସାରେ ଭେଦଭାବ କରିବା ଅପରାଧ। ସେଥିଲାଗି ସ୍ଵତନ୍ତ୍ର ଆଇନ ମଧ୍ୟ ରହିଛି। ଏହା ସତ୍ବେ ମଧ୍ୟସ୍ଥି ମାଧ୍ୟମରେ ନିଜ ଜାତି ମଧ୍ୟରେ ବିଭାହ ଖୋଜାଯାଇଥାଏ। ସେଭଳି ବିବାହ କାର୍ଯ୍ୟକ୍ରମରେ ସାମ୍ବିଧାନିକ ଅନୁଷ୍ଠାନର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ଠାରୁ ପ୍ରଗତିଶୀଳ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିନା ଦ୍ଵିଧାରେ ଯୋଗ ଦେଇଥାନ୍ତି। କ୍ଵଚିତ ଏହାର ପ୍ରତିବାଦ କରିଥାନ୍ତି।

 

              ଉପକୂଳ ଜିଲ୍ଲାମାନଙ୍କରେ ଆମେ ଦେଖିବା, କୌଣସି ଏକ ହିନ୍ଦୁ ପର୍ବପର୍ବାଣିର ଦିନ (ସମସ୍ତ ଗାଁ ନୁହେଁ) ଗାଁ ମନ୍ଦିର ବାହାରେ ଝିଅଟିଏ ପୂଜା ଥାଳି ଧରି ଠିଆ ହୋଇଥିବ। ଧୀରେ ଧୀରେ ଏପରି ଠିଆ ହୋଇଥିବା ମଳିମାନଙ୍କ ସଂଖ୍ୟା ବଢୁଥିବ। ସେମାନେ ଅପେକ୍ଷା କରିଥିବେ ଯେ ବ୍ରାହ୍ମଣ କେତେବେଳେ ଫୁରସତ ହେଲେ ବାହାରକୁ ଆସି ସେମାନଙ୍କ ଠାରୁ, ଛୁଇଁ କରି ନୁହେଁ ବରଂ ଚଟାଣ ଉପରେ ଥୁଆ ହୋଇଥିବା ପୂଜାଥାଳିକୁ ନେବ। ପୁଣି କେତେ ସମୟ ବିତିଯିବ। ପୁଣି ବ୍ରାହ୍ମଣ ଜଣକ ପୂଜାଥାଳିକୁ ଫେରାଇବା ସହିତ ତଳେ ଥୁଆ ହୋଇଥିବା ଦକ୍ଷିଣାକୁ ଉଠାଇ ନେବ। ଯଦି ବ୍ରାହ୍ମଣ ପୂଜକ ସାମାନ୍ଯ ବିବେକୀ ତେବେ ଏହା ଶୀଘ୍ର ହୁଏ ନଚେତ ଦୀର୍ଘ ସମୟ ଧରି ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡେ। ଭାବନ୍ତୁ, ଏହା କେତେ ପରିମାଣର ଅପମାନ ହୋଇନପାରେ! ଏହାପରେ ସେହି ଯୁବତୀ ପ୍ରତି ଗାଁର ଉଚ୍ଚଜାତିର ଯୁବକମାନଙ୍କ ବ୍ୟବହାର କଣ ହେଉନଥିବ! ଏହି ଦ୍ରୁଶ୍ଯ ଦେଖୁଥିବା ସେହି ଗାଁର କେତେଜଣ ବ୍ୟକ୍ତି ଏହାର ପ୍ରତିବାଦରେ ମନ୍ଦିର ଯିବା ବନ୍ଦ କରିଦେଇଛନ୍ତି?

 

              ଭଗବାନ ମଣିଷ ତିଆରି କରିଥିବା ବାଣୀଟି ଅସତ୍ୟଏଠି ମଣିଷ ହିଁ ତିଆରି କରିଛି ଭଗବାନଙ୍କୁମଣିଷ ମୂର୍ତ୍ତି ଗଢୁଛି ସେ ମନ୍ଦିର ତିଆରି କରୁଛି। ତେଣୁ ପୀଢି ପୀଢି ଧରି କିଛି ମଣିଷଙ୍କର ଇଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ଅଧିକାର ରହିଛି। ଆଜିକାଲି ଦଳିତ ସାହିରେ ମଧ୍ୟ ଅନେକ ମନ୍ଦିର ତିଆରି ହୋଇଗଲାଣି। ଉଚ୍ଚ ଜାତିର ମନ୍ଦିର ବାହାରେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ। ପ୍ରତିବାଦର ରାସ୍ତା ବଦଳୁଛିକିନ୍ତୁ ସେଠାରେ ପୂଜା କରୁଥିବା ମଣିଷ ଟି ନିଶ୍ଚିତ ବ୍ରାହ୍ମଣ। ମନ୍ଦିର ଏଭଳି ଧାର୍ମିକ ଅନୁଷ୍ଠାନ ଯାହା ସର୍ବଦା ଜାତିବାଦକୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଆସିଛି।

 

              ଗାଁର ଦଳିତ ଯୁବକ କି ଯୁବତୀ ଆଜି କାଲି ସହରରେ ଅଧ୍ୟାପକ/ ଅଧ୍ୟାପିକା, ବ୍ଯାଙ୍କ କର୍ମଚାରୀ, ପୋଲିସ ଇତ୍ୟାଦି ବିଭାଗରେ ମଧ୍ୟ ନିଯୁକ୍ତ ଅଛନ୍ତି। ସେମାନଙ୍କ ସ୍ଥାୟୀ ଠିକଣାରେ ଆସୁଥିବା ରେଜିଷ୍ଟ୍ରି ପୋଷ୍ଟକୁ ଗାଁର ଉଚ୍ଚ ଜାତିର ପୋଷ୍ଟ ମାଷ୍ଟର ବେଶ କିଛି ଦିନ ବିଳମ୍ବରେ ଉପରିଭାଗ ଖୋଲା ହୋଇଥିବାର ଚିଠିଟିଏ ଘରର ବୁଢା ବାପା କି ମାଙ୍କୁ ଧରାଇଦେଉଛି। ଦଳିତ ବସ୍ତିକୁ ଅନଲାଇନ କୋରିୟର ନେଇ ଯାଇଥିବା ଯୁବକକୁ ଗାଁ ଛକରେ ପଚରା ଯାଉଛି ଯେ ପ୍ଯାକେଟରେ କଣ ଥିଲା। ଏହା ପଛରେ ରହିଛି ଦଳିତ ବର୍ଗର ଉତ୍ଥାନ ପ୍ରତି ଅସହିଷ୍ଣୁତା। ଏହି ଅସହିଷ୍ଣୁତା ପୁଣି ଯୁକ୍ତିତର୍କ, ଆକ୍ରମଣ ଓ ହିଂସାକାଣ୍ଡର ମଧ୍ୟ ରୂପ ନେଉଛି।

 

              ଏହାପରେ ଦଳିତ ଶିକ୍ଷିତ ଚାକିରିରେ ଯୋଗ ଦେଇଥିବା ଯୁବକ/ଯୁବତୀର ପରିବାର ପ୍ରତି ପୁଣି ଆରମ୍ଭ ହେଉଛି ଭିନ୍ନ ପ୍ରକାରର ମାନସିକ ଅତ୍ୟାଚାରଯୁବକର ବିବାହରେ ବରଯାତ୍ରୀକୁ ଗାଁ ଦାଣ୍ଡରେ ବାଜା କି ବାଣ ଫୁଟାଇ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯିବ। ଘରକୁ ଆସୁଥିବା କୁଣିଆଙ୍କୁ ଜାତି ପଚାରି ଅସମ୍ମାନିତ କରାଯିବ। ନୂଆ ମଟର ସାଇକେଲକୁ ରାସ୍ତାରେ ଯିବା ଲାଗି ପ୍ରତିବନ୍ଧକ ସୃଷ୍ଟି କରାଯିବ। ବାହାଘରକୁ ଆସିଥିବା ଝିଅର ସାଙ୍ଗମାନଙ୍କୁ ଟାହିଟାପରା କରାଯିବ। ଇତ୍ୟାଦି।

 

              ଏଭଳି ବ୍ୟବହାର କମ ଅସମ୍ମାନଜନକ ନୁହେଁ। ଉଚ୍ଚ ଜାତିର ବ୍ଯକ୍ତିର ପରିବାର ପ୍ରତି ଯଦି ସେହିଭଳି କୁବ୍ୟବହାର କେହି କରେ ତେବେ ସେମାନେ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ତାହା କେତେ କଷ୍ଟଦାୟକ। ଦଳିତ ଶିକ୍ଷିତ ଯୁବକ ଯୁବତୀ ଯଦି ପ୍ରତିବାଦ କରିନପାରୁଛନ୍ତି ତେବେ ଏହା ପଛରେ ରହିଛି ପୀଢି ପୀଢିର ଅତ୍ୟାଚାର ଓ ଆକ୍ରମଣ ଭୟର ଅନେକ ଉଦାହରଣ। ଏହାର ସହଜ ରାସ୍ତା ହେଉଛି ଯେ ଶିକ୍ଷିତ ଦଳିତ ଯୁବକ ଯୁବତୀ ନିଜର ଗାଁ ସହିତ କ୍ଵଚିତ ସମ୍ବନ୍ଧ ରଖୁଛନ୍ତିଗାଁକୁ ନେଇ କବିତା ଲେଖୁଥିବା କବି କ୍ଵଚିତ ଏହି ଦ୍ରୁଶ୍ଯକୁ ନିଜ କବିତାରେ ସ୍ଥାନିତ କରିଥାନ୍ତି। ତାହାଙ୍କ ଲାଗି ଗାଁର ମନ୍ଦିର, ରାସ୍ତା, ପୋଖରୀ, ପାହାଡ ଅତି ସୁନ୍ଦର ଦେଖାଯାଏ। ତାଙ୍କ କବିତାରେ ଜାତି ଭେଦଭାବ ଲୁଚିଯାଏ।

 

              ଏହି ଘୃଣ୍ୟ ଜାତିଭେଦ ବିରୁଦ୍ଧରେ ଓଡିଶାରେ କିଛି ଉଦ୍ୟମ ଗଲା ଶତାବ୍ଦୀମାନଙ୍କରେ ହୋଇଛି। ବଳରାମ ଦାଶ, ସରୋଳ ଦାସ ବା ସାରଳା ଦାସ, ଭୀମଭୋଇ ଇତ୍ୟାଦି ଜାତିଭେଦକୁ ଦୂର କରିବା ଲାଗି ଉଦ୍ୟମ କରିଥିଲେ। ଭୀମଭୋଇ ନିଜର ଭକ୍ତମାନଙ୍କୁ ଜାତିଭେଦ ତ୍ୟାଗ କରିବା, ମନ୍ଦିର ନଯିବା, ତୀର୍ଥ ନଯିବା ଲାଗି ପ୍ରବର୍ତ୍ତାଉଥିଲେ।  ସ୍ଵାଧୀନତା ସଂଗ୍ରାମ କାଳରେ ଗାନ୍ଧୀବାଦୀ ସଂଗଠନମାନେ ଜାତି ଓ ଯୌତୁକ ବିହୀନ ବିବାହ, ନିଶା ନିବାରଣ, ଭୁଦାନ ଓ ସାହୁକାର ରୁଣ ପ୍ରତ୍ୟାଖ୍ୟାନ ଆନ୍ଦୋଳନ ମାଧ୍ୟମରେ ଜାତିଭେଦକୁ ଦୂର କରିବା ଦିଗରେ ଉଦ୍ୟମ କରୁଥିଲେ।

 

              ପରେ ପଚାଶ ଦଶକରୁ ବିଭିନ୍ନ କମ୍ୟୁନିଷ୍ଟ ସଂଗଠନମାନେ “ଲଙ୍ଗଳ ଯାହାର ଜମି ତାହାର” ସ୍ଲୋଗାନ ଦେଇ ଦଳିତ ଭୂମିହୀନଙ୍କୁ ଜମି ଦେବା ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ସାହୁକାରର ଜମି ହଡପ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର କରିଛନ୍ତି। ସେମାନଙ୍କ ଉଦ୍ୟମ ହେତୁ ଦେଶରେ ଜମିଦାରୀ ପ୍ରଥା ଓ ଗଡଜାତ ରାଜାମାନଙ୍କ ପ୍ରାଦୁର୍ଭାବରେ ବିରାମ ଆସିପାରିଲା। ଉଭୟ ସର୍ବୋଦାୟୀ ଓ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ନିଜର ଉଦ୍ୟମ ଏବେ ବି ଜାରି ରଖିଛନ୍ତି।

 

              କିନ୍ତୁ ଗଲା କିଛି ବର୍ଷ ହେଲା ଦକ୍ଷିଣପନ୍ଥୀ ବିଚାର ଓଡିଶାରେ ପ୍ରାଧାନ୍ଯ ବିସ୍ତାର କରିବା ପରେ ଦଳିତଙ୍କ ଉପରେ ଆକ୍ରମଣ ପୁଣି ବଢିବାରେ ଲାଗିଛି। ଗୋମାଂସ ଭକ୍ଷଣ, ମନ୍ଦିର ପ୍ରବେଶ, ଦଳିତ ଯୁବକ ଉଚ୍ଚ ଜାତିର ଝିଅ ବାହା ହେବା ଏପରିକି ଧର୍ମାନ୍ତରୀକରଣ ଅଭିଯୋଗରେ ଦଳିତ ବର୍ଗ ଉପରେ ଆକ୍ରମଣ ବଢୁଛି। ଧର୍ମର ସରାଂକ୍ଷଣ  ନାମରେ ଉକ୍ତ ସଂଗଠନମାନେ ଯୁବକଙ୍କ ହାତରେ ଖଣ୍ଡା, ତଲବାର, ଲାଠି ଧରାଇ ଜାତିହିଂସାର ବାତାବରଣ ପୁଣିଥରେ ସୃଷ୍ଟି କରିବାରେ ଲାଗିଛନ୍ତି। 

 

              ଖୁସିର କଥା ଯେ ଆଜି ଓଡିଶାରେ ଆମ୍ବେଦକରବାଦୀମାନେ କିଛି ଦଶନ୍ଧି ହେଲା ଜାତିଭେଦ ବିରୁଦ୍ଧରେ ସଂଗଠିତ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦକ୍ଷିଣପନ୍ଥୀ ବିଚାରକୁ ସେମାନେ ବିରୋଧ କରୁଛନ୍ତି। ଉଚ୍ଚ ଜାତି ଦ୍ଵାରା ଦଳିତ ବର୍ଗ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଧାରଣା, ରାସ୍ତାରୋକ ଓ ବିକ୍ଷୋଭ ମାଧ୍ୟମରେ ସେମାନେ କରୁଛନ୍ତି। ଦୋଷୀକୁ ଦଣ୍ଡ ଦେବା, ଏସସି ଓ ଏସଟି ଅତ୍ୟାଚାର ନିରୋଧ ଆଇନକୁ ଲାଗୁ କରିବା, ସରକାରୀ ଶିକ୍ଷା ଅନୁଷ୍ଠାନରେ ଉନ୍ନତି ଆଣିବା, କୁସଂସ୍କାରକୁ ବିରୋଧ କରିବା, ଜମିହୀନଙ୍କୁ ଜମି ଦେବା ଇତ୍ୟାଦି ଦାବି ସରକାରଙ୍କ ସାମ୍ନାରେ ସେମାନେ ରଖୁଛନ୍ତି। ଏବେ ସେମାନେ ଓଡିଶାର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହେବାରେ ଲାଗିଛନ୍ତି। ଏହାର ନେତୃତ୍ଵ ଦଳିତ ବର୍ଗ ନେଉଛନ୍ତି। ହୁଏତ ସେମାନେ ସଫଳ ହେବେ। ହୁଏତ ସେମାନଙ୍କ ନେତୃତ୍ବରେ ସମାଜରୁ ସଂପୂର୍ଣ୍ଣ ଭାବରେ ଜାତିଭେଦ ଲୋପ ପାଇଯିବ 

 

             

 

 

Sunday, September 14, 2025

ନେପାଳରେ ଲୋକଙ୍କ ପ୍ରତିବାଦର ଧାରା ଓ ଶାସକଙ୍କ ବଶୀଭୂତ କରିବାର କୌଶଳ

  ଦେବ ରଞ୍ଜନ

ଏପରିକି ୧୯୫୦ ମସିହାରେ ମହାରାଜା ରାଣାଙ୍କ ବିରୁଦ୍ଧରେ ପ୍ରତିବାଦ ହେଉ ବା ୧୯୯୦ ଦଶକରେ ରାଜା ମହେନ୍ଦ୍ର ବିରୋଧରେ ପ୍ରତିବାଦ ଓ ୨୦୦୮ ମସିହାରେ ସଂପୂର୍ଣ୍ଣ ରାଜପରିବାରକୁ କ୍ଷମତାଚ୍ୟୁତ କରିବାର ବିଦ୍ରୋହ ପଛରେ ଆର୍ଥିକ ଅସମାନତା ମୁଖ୍ୟ କାରଣ ରହିଆସିଛି। ପ୍ରତିଥର ଏହାକୁ ରାଜନୈତିକ କ୍ଷମତା ହସ୍ତାନ୍ତର ମଧ୍ୟରେ ସୀମିତ କରିଦିଆଯାଇଛି। 


            ସେପ୍ଟେମ୍ବର ୦୯ ତାରିଖରେ ନେପାଳରେ ଅନେକ କିଛି ଘଟଣା ଘଟିଗଲା। ସଂସଦ ଭବନକୁ ଜାଳିଦିଆଗଲା, ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଛାରଖାର କରିଦିଆଗଲା, ସୁପ୍ରିମ କୋର୍ଟର ବିଲିଡିଙ୍ଗ ମଧ୍ୟ ବାଦ ଗଲାନାହିଁ। ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଥିବା ଭିଡିଓ ଦେଖିଲେ ବୁଝିହେଉଛି ଯେ ଶାସକଙ୍କ ଉପରେ ଲୋକଙ୍କ କ୍ରୋଧ କିଛି କମନଥିଲା। ଅର୍ଥମନ୍ତ୍ରୀଙ୍କୁ ନଦୀ ମଧ୍ୟରେ ଗୋଡାଇ ଗୋଡାଇ ପିଟିବା, ପ୍ରଧାନମନ୍ତ୍ରୀଙ୍କୁ ଲୋକେ ଘେରି ରହିବା କାରଣରୁ ଉଦ୍ଧାର କରିବା ଲାଗି ହେଲିକପ୍ଟର ପହଞ୍ଚିବା ଇତ୍ୟାଦି ଲୋକଙ୍କ ଆକ୍ରୋଶକୁ କିଛି ପରିମାଣରେ ବର୍ଣ୍ଣନା କରୁଛି।

            କୌଣସି ଠାରେ କିନ୍ତୁ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସାମାନ୍ଯ ହୋର୍ଡିଙ୍ଗଙ୍କୁ ମଧ୍ୟ କ୍ଷତି ଘଟାଇବାର ଖବର ମିଳୁନାହିଁ। ବିଶ୍ଵବ୍ୟାଙ୍କ, ଆଇଏମଏଫ ଭଳି ସଂଗଠନ ବିରୁଦ୍ଧରେ ଶବ୍ଦଟିଏ ମଧ୍ୟ ରହୁନାହିଁ। ଯେଉଁ ତଥ୍ୟ ଆମକୁ ମିଳୁଛି ତାହା ସମ୍ପାଦିତ ତଥ୍ୟ ନୁହେଁ ତ? ନେପାଳରେ ପୁଞ୍ଜି ଓ ରୁଣ ଖଟାଇଥିବା ଏଜେନ୍ସିମାନେ ପୁଣି ଏହି ପ୍ରତିକ୍ରିୟାକୁ ନିଜ ଆଡକୁ ନେଇଯାଉନାହାନ୍ତି ତ? ଏବେ ନୁହେଁ ନେପାଳରେ ଏଭଳି ପ୍ରତିବାଦର ଲମ୍ବା ଇତିହାସ ରହିଛି। ଦୀର୍ଘ ଦିନର ପ୍ରତିବାଦ ଓ ପ୍ରତିକ୍ରିୟାର କାରଣକୁ ଖୋଜିବା ଏହି ଲେଖାର ଉଦ୍ଦେଶ୍ୟ। ଏହି ଲେଖା ଅଳ୍ପ କେତେକ ପୁସ୍ତକ ଓ ଇଣ୍ଟରନେଟରେ ମିଳୁଥିବା ତଥ୍ୟ ଉପରେ ପର୍ଯ୍ୟବେଶିତ। ନେପାଳ ସମ୍ବନ୍ଧରେ ମୋର କୌଣସି ସିଧାସଳଖ ଅନୁଭୂତି ନାହିଁ। 

 

୧. ଡିଜିଟାଲ ସର୍ଭିସ ଟାକ୍ସ ଓ ଆଇଏମଏଫର ନିୟନ୍ତ୍ରଣ:

            ୨୦୨୨ ମସିହାରେ ନେପାଳ ସରକାର ବିଶ୍ଵ ଅର୍ଥ ସଂସ୍ଥା ବା ଆଇଏମଏଫର ପ୍ରରୋଚନାରେ ଡିଜିଟାଲ ସର୍ଭିସ ଟାକ୍ସ ଲାଗୁ କରିଥିଲେ। କୁହାଯାଉଛି ଯେ ଦେଶ ମଧ୍ୟରେ ଆୟର ମାତ୍ରା ବଢାଇବା ଲାଗି ସେଭଳି କରିବା ଲାଗି ଆଇଏମଏଫ ଦ୍ଵାରା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ଅଧିକ ଯେ ନିୟନ୍ତ୍ରିତ ତାହା ସ୍ପଷ୍ଟ ଜଣାପଡୁଛି। 

            ଉକ୍ତ ଟାକ୍ସ ଅନୁସାରେ ସମସ୍ତ ଅଣ-ନେପାଳୀ ଡିଜିଟାଲ ପ୍ରୋଭାଇଡ଼ର ଯଦି ସେମାନଙ୍କ ଆର୍ଥିକ ଦେଣନେଣ ୩୦ ଲକ୍ଷ ନେପାଳୀ ଟଙ୍କାରୁ ଅଧିକ ହୁଏ ତେବେ ସମୁଦାୟ ଦେଣନେଣ ଉପରେ ୨ ପ୍ରତିଶତ  ଡିଜିଟାଲ ସର୍ଭିସ ଟାକ୍ସ ଦେବାକୁ ବାଧ୍ୟ। ଏହା ପରୋକ୍ଷ ଭାବରେ ଦେଉଥିବା ଭାଟ, ଅବକାରୀ ଓ କଷ୍ଟମ ଟିକସ ଠାରୁ ଭିନ୍ନ।

            ଏହାକୁ କିନ୍ତୁ ଗୁଗୁଲ, ଫେସବୁକ, ନେଟଫ୍ଲିକ୍ସ, ଗୁଗୁଲ ଡ୍ରାଇଭ, ଡ୍ରପବକ୍ସ, ମାଇକ୍ରୋସଫ୍ଟ, ଜୁମ ଓ ବିଭିନ୍ନ ଇ-କମର୍ଷ (ଫୋନ ପେ ଇତ୍ୟାଦି) କମ୍ପାନୀ ଆବଶ୍ୟକ ପଞ୍ଜୀକରଣ କରିବାକୁ ମନା କରି ନୀରବ ପ୍ରତିବାଦ କରିଥିଲେ। କିନ୍ତୁ ସରକାର ଧୀରେ ଧୀରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ଲକ କରିବା ଆରମ୍ଭ କରିଦେଲେ।

            ହୁଏତ ଏହା ଯୁବ ବର୍ଗ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କଲା। ଦେଶ ବାହାରୁ ନିୟମିତ ପଠାଯାଉଥିବା ଅର୍ଥ ନେପାଳର ପରିବାରମାନଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଏତଦବ୍ୟତୀତ, ଯୁବାବର୍ଗ ନିଜର ମତ ବ୍ୟକ୍ତ କରିବାର ସ୍ଵାଧୀନତା ହରାଇଲା। କିନ୍ତୁ ବିଦେଶରୁ ସେମାନଙ୍କ ପରିବାରର ଲୋକେ ପଠାଉଥିବା ଅର୍ଥ ଉପରେ ଉପରେ ନେପାଳର ପରିବାରମାନେ ଯେ ନିର୍ଭରଶୀଳ ଏହି ସତ୍ୟ ମଧ୍ୟ ଏଥିରେ ଉନ୍ମୋଚିତ ହେଉଛି।  

 

୨. ବିଦେଶୀ ରୁଣ ବୋଝ:              

            ୧୯୫୧ ମସିହାରେ ପ୍ରଥମେ ଆମେରିକା ସରକାର ପଏଣ୍ଟ ଫୋର ପ୍ରୋଗ୍ରାମ ଅନୁସାରେ ବିଦେଶୀ ସହାୟତା ଭାବରେ ୨୦୦୦ ଆମେରିକା ଡଲାର ନେପାଳକୁ ଦେଇଥିଲେ। ଆମେରିକା ସରକାରଙ୍କ ପଏଣ୍ଟ ଫୋର ପ୍ରୋଗ୍ରାମର ଉଦ୍ଦେଶ୍ୟ ଥିଲା ବିଶ୍ବରେ କମ୍ୟୁନିଷ୍ଟ ବିଚାର ଯେପରି ବିଭିନ୍ନ ଦେଶରେ ଚେର ସୃଷ୍ଟିନକରେ ତାହାକୁ ପ୍ରତିହତ କରିବା, ଆମେରିକାର ବିଭିନ୍ନ କମ୍ପାନୀମାନଙ୍କୁ କାର୍ଯ୍ୟ କରିବା ଲାଗି କ୍ଷେତ୍ର ସୃଷ୍ଟି କରିବା, ବିଶ୍ଵ ଅର୍ଥନୀତିକୁ ଦ୍ଵିରୀୟ ବିଶ୍ଵଯୁଦ୍ଧ ପରେ ନିୟନ୍ତ୍ରିତ କରିବା ଓ  ତଥାକଥିତ ଶାନ୍ତି ପ୍ରତିଷ୍ଠା କରିବା।

            ନେପାଳ କେବେ ବ୍ରିଟିଶ ସରକାରଙ୍କ ସିଧାସଳଖ ଉପନିବେଶ ନଥିଲା। କିନ୍ତୁ ମହାରାଜା ରଣାଙ୍କ ବିରୁଦ୍ଧରେ ୧୯୫୦ ଦଶକରେ ପ୍ରଥମ ଆନ୍ଦୋଳନ ହିଂସାତ୍ମକ ରାସ୍ତାରେ ଆରମ୍ଭ ହୋଇଥିଲା। ଏହାର ନେତୃତ୍ଵ ନେପାଳୀ କଂଗ୍ରେସ ନେଉଥାଏ। ସେ ସମୟରେ ଭାରତରେ ମଧ୍ୟ କମ୍ୟୁନିଷ୍ଟ ଦଳର ପ୍ରଭାବ ହେତୁ କଂଗ୍ରେସ ସରକାର ଜମିଦାରୀ ଉଚ୍ଛେଦ ଓ ଜମିର ସମବଣ୍ଟନ ବ୍ୟବସ୍ଥା ଲାଗି ଆଇନ ପ୍ରଣୟନ କରୁଥାନ୍ତି। ଏହାର ପ୍ରଭାବ ନେପାଳ ଉପରେ ପଡିଥିବ। ହେଲେ ଏହି ଜନ ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ଉଭୟ ରାଜା ଓ ନେପାଳୀ କଂଗ୍ରେସର ମିଳିତ ସରକାର ନେପାଳରେ ପ୍ରତିଷ୍ଠିତ ହେଲା। ଏଥିରେ ରାଜା ଶାସନର ଉଚ୍ଛେଦ, ଜମିର ସମବଣ୍ଟନକୁ ବାଦ ଦେଇଦିଆଗଲା। କିନ୍ତୁ ବିଦେଶୀ ଅନୁଦାନ ନେବା ଆରମ୍ଭ ହୋଇଥିଲା।  

            ଏହି ଆର୍ଥିକ ସହଯୋଗ ୧୯୬୧ ବେଳକୁ ବିଦେଶୀ ରୁଣରେ ପରିଣତ ହେଲା। ରାଜା ମହେନ୍ଦ୍ର ନୂତନ ସମ୍ବିଧାନ ପ୍ରଣୟନ କଲେ। ଦଳ ବ୍ୟବସ୍ଥାକୁ ବାଦ ଦେଇ ପଞ୍ଚାୟତମାନଙ୍କୁ ଶକ୍ତିଶାଳୀ କଲେ ଓ ନିଜ ହାତରେ ସମସ୍ତ କ୍ଷମତା ରଖିଲେ। ପଚାଶ ଦଶକର ନେପାଳର ଆନ୍ଦୋଳନ ବ୍ୟର୍ଥ ହୋଇଗଲା, ରଜା ପୁଣି ଶକ୍ତିଶାଳୀ ହେଲେ। ସେହି ସମୟରେ ନେପାଳର ବିକାଶ ଲାଗି ଆମେରିକା ଠାରୁ ରୁଣ କରିବା ଆରମ୍ଭ କରିଥିଲେ। ଯଦି ଦେଶରେ କେବେ ରାଜାଙ୍କୁ ଉତ୍ଖାତ କରିବା ଲାଗି ଉଦ୍ୟମ ହୁଏ ତେବେ ଆମେରିକାର ସମର୍ଥନ ଯେ ଭଳି ମିଳିପାରିବ ଏହା ତାଙ୍କର ଉଦ୍ଦେଶ୍ୟ ରହିଥାଇପାରେ। ହେଲେ ସମଗ୍ର ନେପାଳ ପାଇଁ ତାହା ଥିଲା ନତମସ୍ତକର ଆଉ ଏକ ଅଧ୍ୟାୟ। ଏହାପରେ ସହଯୋଗ ବା ଏଡ ଠାରୁ ରୁଣ ରାଶି କ୍ରମାଗତ ଭାବରେ ବଢିବାରେ ଲାଗିଲା।

            ୧୯୬୧ ମସିହାରେ ରୁଣ ପରିମାଣ ବହୁତ କମ ଥିବ। ସେହି ଦିନ ଠାରୁ ଆଜି କୁ ଦେଖିଲେ, ୨୦୨୪- ୨୫ର ବଜେଟ ଅନୁସାରେ, ସମୁଦାୟ ବଜେଟରୁ ପ୍ରାୟ ୩୬୭ ବିଲିଅନ ନେପାଳୀ ଟଙ୍କା କେବଳ ସୁଧ ଓ ରୁଣ ଶୁଝିବାରେ ଯାଉଛି। ନେପାଳର ୨୦୨୪-୨୫ ବର୍ଷର ବଜେଟ ହେଲା ୧୮୬୦ ବିଲିଅନ ନେପାଳୀ ଟଙ୍କା। ପୁରୁଣା ରୁଣ ସୁଝିବା ଲାଗି ଗଲା ବର୍ଷ ୨୬୭ ବିଲିଅନ ବିଦେଶୀ ରୁଣ କରାଯାଇଛି। ଗଲା ବର୍ଷ ବିଦେଶୀ ସହାୟତା ମାତ୍ର ୫୨ ବିଲିଅନ ନେପାଳି ଟଙ୍କା ଆସିଛି। ଅର୍ଥାତ ବିଦେଶୀ ସହାୟତା ଠାରୁ ବିଦେଶୀ ରୁଣ ଅଧିକ ହୋଇଯାଇଛି।

            ଆଇଏମଏଫ ଦ୍ଵାରା ନେପାଳର ଅର୍ଥନୀତି ପରିଚାଳିତ ହେବାର ଅନ୍ଯତମ ଉଦାହରଣ ହେଉଛି, ୨୦୨୪ ମସିହାରେ, ନେପାଳ ଜିଡ଼ିପିର ୪୪ ପ୍ରତିଶତ ହେଉଛି ପବ୍ଲିକ ରୁଣ। ଏବେ ନେପାଳ ଉପରେ ସମୁଦାୟ ୨.୫୨୩ ଟ୍ରିଲିୟନ ଡଲାର ରୁଣବୋଝ ରହିଛି। ସେ ମଧ୍ୟରୁ ୫୧% ହେଉଛି ବିଦେଶୀ ଦେଶମାନଙ୍କ ଠାରୁ ଆସିଥିବା ରୁଣ। ଏବେ ବିଦେଶୀ ରୁଣ ସୁଝିବା ଲାଗି ନେପାଳ ସରକାରଙ୍କୁ ନୂଆ ରୁଣ କରିବାକୁ ପଡୁଛି।

            ସରକାରଙ୍କ ବଜେଟର ବଡ ଭାଗ ବିଦେଶୀ ରୁଣ ଶୁଝିବାରେ ଯାଉଛି। ଡଲାର ଅନୁସାରେ ନେପାଳି ଟଙ୍କାର ମୂଲ୍ୟ ହ୍ରାସ ହେବା ଦ୍ଵାରା (ଯାହା ଆଜି ଭାରତରେ ହୋଇଛି) ଯେତିକି ରୁଣ ଆସିଥିଲା ତାହା ଠାରୁ ଅନେକ ଅଧିକ ରୁଣ ଶୁଝିବାକୁ ହେଉଛି। କ୍ରମାଗତ ଭାବରେ ଲୋକଙ୍କ ଲାଗି ଆବଶ୍ୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ଦିଗରେ ଆବଶ୍ଯକୀୟ ଖର୍ଚ୍ଚ ନହେବା କାରଣରୁ ଲୋକଙ୍କ ଅସନ୍ତୋଷ ବଢିବା ସ୍ଵାଭାବିକ। ଅନ୍ୟପଟରେ ମନ୍ତ୍ରୀ ଓ ଅମଲାତନ୍ତ୍ର ଲାଗି ଦରମା ଦେବାରେ ବଜେଟର ମୁଖ୍ୟ ଭାଗ ଖର୍ଚ୍ଚ ହୋଇଛି। ଏହା କୋଭିଡ ପରେ ଅଧିକ ଦେଖାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କ ବିଦ୍ରୋହ ବା କେମିତି ଦେଖାନଯିବ?

 

୩. ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ଅର୍ଥନୀତି:

            ନେପାଳର ସମୁଦାୟ ଜନସଂଖ୍ୟା ମାତ୍ର ୩ କୋଟି। ସେ ମଧ୍ୟରୁ ବିଦେଶରେ ଯାଇ କାମ କରିବା ଲାଗି ଗଲା ବର୍ଷ ୮୩୯୨୬୬ ଟି ଶ୍ରମ କାର୍ଡ ସରକାରଙ୍କ ତରଫରୁ ବଣ୍ଟାଯାଇଛି। ସରକାର କେବଳ ଅନୁମତି ପତ୍ର ବାଣ୍ଟିବା ଏଜେନ୍ସିରେ ପରିଣତ ହୋଇଗଲେ। ଏହା ବ୍ଯତୀତ ଅନେକ ଯୁବକ ଯୁବତୀ ବିନା କାର୍ଡରେ ଭାରତ ଓ ଚୀନରେ କାମ କରୁଛନ୍ତି। ଏପରିକି ରୁଷିଆ – ୟୁକ୍ରେନ ଯୁଦ୍ଧରେ ଭଡାଟିଆ ସୈନ୍ୟବାହିନୀ ଭାବରେ ସେମାନେ ରୁଷିଆ ଦ୍ଵାରା ନିଯୁକ୍ତ ହୋଇଛନ୍ତି। ସେମାନଙ୍କର ଯୁଦ୍ଧରେ ମୃତ୍ୟୁ ହେଉଥିବା ଖବର ପ୍ରକାଶିତ ହୋଇଛି।

            ନେପାଳର ଅର୍ଥନୀତି ବିଦେଶରେ କାମ କରୁଥିବା ନେପାଳୀ ଯୁବାବର୍ଗ ଠାରୁ ଆସୁଥିବା ଅର୍ଥ ଉପରେ ଅଧିକ ନିର୍ଭରଶୀଳ। ଗଲା ବର୍ଷ ସମୁଦାୟ ଜିଡ଼ିପିର ୩୩ ପ୍ରତିଶତ ଅର୍ଥ ଏହି ଭଳି ବିଦେଶରୁ ଆସିଛି। କୌଣସି ଏକ ଅର୍ଥନୀତି ଯଦି ବିଦେଶର ଏହି ଭଳି ଆସୁଥିବା ଅର୍ଥ ଓ ବିଦେଶୀ ରୁଣ ଉପରେ ନିର୍ଭର କରେ ତେବେ ତାହାର ଭବିଷ୍ୟତ କଦାପି ଭଲ ହୋଇନଥାଏ।

 

୪. ଆର୍ଥିକ ଅସମାନତା:

            ବିନୋଦ ଚୌଧୁରୀଙ୍କ ଚୌଧୁରୀ ଗୃପ ଫୋର୍ବସ ପତ୍ରିକା ଦ୍ଵାରା ପ୍ରସ୍ତୁତ ବିଶ୍ଵ ବିଲିୟୋନାୟାର ତାଲିକାରେ ୨୦୧୩ ମସିହାରେ ନେପାଳର ପ୍ରଥମ ବିଲିୟୋନାୟାର ବା ଅତି ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଉଛନ୍ତି। ଏବେ ବିନୋଦ ଚୌଧୁରୀଙ୍କ ସମୁଦାୟ ସମ୍ପତ୍ତି ୨୦୦ କୋଟି ଡଲାରରେ ପହଞ୍ଚୁଛି। ସେ ୧୯ ଟି ଦେଶରେ ସିମେଣ୍ଟ ଓ ହୋଟେଲ ଠାରୁ ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବ୍ୟବସାୟକୁ ବଢାଇଚାଲିଛନ୍ତି। ଅଥଚ ସରକାରୀ ଭାବରେ ୨୦ ପ୍ରତିଶତ ଯୁବକ ବେକାର ଅଛନ୍ତି । ଏଭଳି ଅର୍ଥନୈତିକ ବୈଷମ୍ୟ ଗୋଟିଏ ଦିନରେ ସମ୍ଭବ ହୋଇନଥାଏ।

            ବିଡମ୍ବନା ହେଲା ଯେ ୨୦୧୩ ମସିହାରେ ଏହା ପୂର୍ବରୁ ଲୋକଙ୍କ ସଂଗଠିତ ପ୍ରତିବାଦ ଅର୍ଥନୀତିକୁ ନେଇ ହୋଇଥିଲା। ଏହାର ପଛରେ ରାଜନୈତିକ କାରଣ ରହିଛି ବୋଲି କୁହାଗଲା। ଏହିହେତୁ ୨୦୧୫ ମସିହାରେ ସମ୍ବିଧାନ ସଂଶୋଧନ କରଯାଇଥିଲା। ନୂତନ ସଂଶୋଧନରେ ନେପାଳରେ ରାଜ୍ୟ ବ୍ୟବସ୍ଥା ବା ଫେଡେରାଲ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଗଲା। ବହୁ ଦଳୀୟ ବ୍ୟବସ୍ଥା ଲାଗୁ ହେଲା। ନାଗରିକର ମୌଳିକ ଅଧିକାର ପରିସରକୁ ବ୍ୟାପକ କରାଗଲା। ନ୍ୟାୟ ବ୍ୟବସ୍ଥାକୁ ଅଧିକ ସ୍ଵାଧୀନତା ଦିଆଗଲା। କିନ୍ତୁ ଆର୍ଥିକ ଅସମାନତାକୁ ଦୂର କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ରହିନଥିଲା।

            ଏପରିକି ୧୯୫୦ ମସିହାରେ ମହାରାଜା ରାଣାଙ୍କ ବିରୁଦ୍ଧରେ ପ୍ରତିବାଦ ହେଉ ବା ୧୯୯୦ ଦଶକରେ ରାଜା ମହେନ୍ଦ୍ର ବିରୋଧରେ ପ୍ରତିବାଦ ଓ ୨୦୦୮ ମସିହାରେ ସଂପୂର୍ଣ୍ଣ ରାଜପରିବାରକୁ କ୍ଷମତାଚ୍ୟୁତ କରିବାର ବିଦ୍ରୋହ ପଛରେ ଆର୍ଥିକ ଅସମାନତା ମୁଖ୍ୟ କାରଣ ରହିଆସିଛି। ପ୍ରତିଥର ଏହାକୁ ରାଜନୈତିକ କ୍ଷମତା ହସ୍ତାନ୍ତର ମଧ୍ୟରେ ସୀମିତ କରିଦିଆଯାଇଛି। 

            ଆଜି ନେପାଳରେ ୨୦ ପ୍ରତିଶତ ଯୁବକ ରୋଜଗାର ବିହୀନ ବୋଲି ସରକାରୀ ତଥ୍ୟ ଅନୁସାରେ ସ୍ଵୀକାର କରାଯାଉଛି। ଅଥଚ ଏହି ସମୟ ମଧ୍ୟରେ କୋଟିପତିଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଦେଶରେ ଗରିବୀ ଓ ସ୍ଥାନାନ୍ତର ବଢିବା ସହିତ ଅଳ୍ପ ଲୋକଙ୍କ ହାତରେ ସମ୍ପତ୍ତି ଠୁଳ ହେବାରେ ଲାଗିଛି। ଦେଶର ଅର୍ଥନୀତିରେ କୌଣସି ପରିବର୍ତ୍ତନ ସମ୍ପର୍କରେ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ। ଏହାର କାରଣ ବିଦେଶୀ ରୁଣ ସହିତ ଅନେକ ବିଦେଶୀ କମ୍ପାନୀଙ୍କ ପୁଞ୍ଜି ନିବେଶ ମଧ୍ୟ ରହିଛି ଯାହାକୁ ପବ୍ଲିକ ବିତର୍କ ମଧ୍ୟକୁ ଅଣାଯାଉନାହିଁ।

 

୫. ଖଣି କମ୍ପାନୀଙ୍କୁ କୋହଳ:      

            ଚୌଧୁରୀ ଗୃପ ଅଫ କମ୍ପାନୀ ସହିତ ଭାରତର ଅଦାନୀ, ଆଦିତ୍ଯ ବିରଳା କମ୍ପାନୀ ନେପାଳର ସିମେଣ୍ଟ, ହାଇଡ୍ରୋ ପାୱାର (୪୦,୦୦୦ ମେଗା ୱାଟ) ଇତ୍ୟାଦି କ୍ଷେତ୍ରରେ ପୁଞ୍ଜି ଲଗାଣ ରହିଛି। ନେପାଳର ୧୭ ଟି ମିନେରାଲରେ ୧୫୬ ଟି କମ୍ପାନୀ ନେପାଳରେ ଖଣି ଖୋଲିବାର ଲିଜି ପାଇଛନ୍ତି। ସେମାନେ କପର, ଡୋଲୋମାଇଟ, ମାର୍ବଲ, ରେଡ ଅକ୍ସାଇଡ ଓ କ୍ଵାର୍ଜ ଇତ୍ୟାଦିରେ ନିଯୁକ୍ତ। ଖଣି କମ୍ପାନୀଙ୍କ ଠାରୁ ଆସୁଥିବା ରେଭେନ୍ୟୁ ଏତେ କମ ରଖାଯାଇଛି ଯେ ଏହା ସ୍ଵତନ୍ତ୍ର ଭାବରେ ନେପାଳର ବଜେଟରେ ଦର୍ଶାଉନାହିଁ। ଏହା ବଡ ଷଡଯନ୍ତ୍ର ଯାହା ସମ୍ପର୍କରେ ସମସ୍ତେ ସଂପୂର୍ଣ୍ଣ ନୀରବ। ସବୁଠାରୁ ପୁରୁଣା ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିଲିଭରର ବହୁତ ବଡ ପୁଞ୍ଜି ନେପାଳରେ ରହିଛି। ସେମାନେ ଅନେକ କ୍ଷେତ୍ରରେ ପ୍ରାୟ ୬୦ ଦଶକରୁ ସକ୍ରିୟ। ବିରାଟ ପୁଞ୍ଜି ଅର୍ଥନୀତି ଦ୍ଵାରା ଯେ ନେପାଳର ସ୍ଥିତି ଅନେକଟା ଶୋଚନୀୟ ସେ ସମ୍ପର୍କରେ ଜାଣି ଜାଣି ଆଲୋଚନାକୁ ବନ୍ଦ କରାଯାଉଛି।

 

୬. ଶ୍ରୀଲଙ୍କାରୁ ଶିକ୍ଷା ନପାଇବା:

             ୨୦୧୦ ମସିହାରୁ ୨୦୨୦ମସିହା ମଧ୍ୟରେ ଶ୍ରୀଲଙ୍କାର ରୁଣ ଭାର ଦୁଇଗୁଣ ହୋଇଥିଲା୨୦୧୯ ମସିହାରେ ଜିଡିପିର  ବୈଦେଶିକ  ରୁଣ ଶତକଡା ୪୨ ଭାଗ ଥିବା ବେଳେ ୨୦୨୧ ରେ ଏହା ୧୧୯ ଶତକଡାକୁ ବୃଦ୍ଧି ଘଟିଥିଲା  ୨୦୨୨ରେ ଶ୍ରୀଲଙ୍କାରେ ଯେଉଁ ଗନବିପ୍ଳବ ଦେଖାଗଲା ତାହାକୁ କିନ୍ତୁ ରାଷ୍ଟ୍ରପତି ଗୋଟାବାୟାଙ୍କ ପାଗଳାମି ବିରୁଦ୍ଧରେ ପ୍ରତିବାଦ କହି ସୀମିତ କରିଦିଆଯାଇଥିଲା। ନେପାଳର ଅର୍ଥନୀତିରେ ବିଦେଶୀ ସହଯୋଗ, ବିଦେଶୀ ରୁଣ ଓ ପରୋକ୍ଷ ଟିକସ ବ୍ୟବସ୍ଥା ଉପରେ ଅଧିକ ନିର୍ଭର।

            ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ଵାରା ପ୍ରକୃତିକ ସମ୍ପଦ ଉପରେ କର୍ତ୍ତୁତ୍ଵ ବଢିବାରେ ଲାଗିଛିବିଗତ ଦିନମାନଙ୍କରେ ଯେଉଁ ଦଳମାନେ ଏହି ଅର୍ଥନୀତିକୁ ପରିଚାଳିତ କରିଆସୁଥିଲେ (ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ – ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ) ଆଜି ସେମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଅଥଚ ଆଜି ନେପାଳରେ ଚାଲିଥିବା ଦୃଢ ପ୍ରତିବାଦ ସମୟରେ ଅର୍ଥନୈତିକ ପ୍ରସଙ୍ଗରେ କୌଣସି ଆଲୋଚନା ହେଉନାହିଁ। ନେପାଳୀ କଂଗ୍ରେସ ଠାରୁ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ – ମାଓଇସ୍ଟ ସେଣ୍ଟର ପର୍ଯ୍ୟନ୍ତ ପୁଣି ସେମାନେ ନିର୍ବାଚନରେ ଭାଗ ନେବେ ଓ ସେହିମାନଙ୍କୁ ପୁଣି ସୁରକ୍ଷା ଦେବେ ଯେଉଁମାନଙ୍କ ଲାଗି ନେପାଳରେ ସେମାନଙ୍କୁ ଆକ୍ରମଣ କରାଗଲା। ଦେଶୀୟ ଆତ୍ମନିର୍ଭରଶୀଳ ଅର୍ଥବ୍ୟବସ୍ଥା ଆଡକୁ ନେବା ଲାଗି ରାଜନୈତିକ ଦଳ ମଧ୍ୟରେ ଆଲୋଚନା ନାହିଁ।

 

୭. ଭାରତରେ ପ୍ରତିବାଦର ସମ୍ଭାବନା:  

            ଭାରତରେ ଜାଣି ଜାଣି ସର୍ବନିମ୍ନ ମଜୁରୀକୁ ଅତି କମ ରଖାଯାଇଛି ଯେପରି ଶ୍ରମିକ ଅନ୍ତତଃ କେବଳ ମୁଠେ ଖାଇ ଓ ଢୋକେ ପିଇ ଜୀବନ ବିକଳରେ ପୁଣି ପ୍ଳାଣ୍ଟ ସାମ୍ନାରେ କାମ ଲାଗି ଠିଆ ହେବ। ଏଠାରେ କୃଷି ଜାତ ଦ୍ରବ୍ୟର ମୂଲ୍ୟ ଜାଣି ଜାଣି କମ ରଖାଯାଇଛି କାଳେ ଶ୍ରମିକ ଅଧିକ ମଜୁରୀ ଦାବି କରିବ। ଏଠାରେ ଟମାଟ କିଲୋ ଦୁଇ ଟଙ୍କା ଓ ଆଳୁ ଦଶ ଟଙ୍କାରେ ବିକ୍ରି ହୁଏ କିନ୍ତୁ ଆମେରିକୀୟ ୟୁନିଲିଭରର ଟମାଟ ସସ ୫୦୦ ଗ୍ରାମକୁ ଏକ ଶହ ଟଙ୍କା ଓ ଆମେରିକୀୟ ଲେୟଜ କମ୍ପାନୀର ପଟୋଟ ଚିପ୍ସ ୬୭ ଗ୍ରାମ ପ୍ଯାକେଟକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ପେପ୍ସିର ପାଣି ଲିଟର ୨୦ ଟଙ୍କା ଓ ତିନି ମାସର ଅକ୍ଲାନ୍ତ ପରିଶ୍ରମ ତଥା ପ୍ରକୃତିକ ଦୁର୍ବିପାକରୁ ବଞ୍ଚାଇପାରିଥିବା ଧାନ କିଲୋ ଅତି ବେଶୀରେ ୧୫ ଟଙ୍କା। ଭାରତରେ ଏହାର ଅର୍ଥନୀତିକୁ ଜାଣି ଜାଣି ଶ୍ରମିକ ଓ କୃଷକ ଠାରୁ ଅନେକ ଦିନରୁ ଛଡାଇ ନିଆଯାଇଛି। ତେଣୁ ଭାରତରେ ଲୋକଙ୍କ ପ୍ରତିବାଦ କେବେ ଆର୍ଡିନାନ୍ସ ବିରୁଦ୍ଧରେ ଆଦିବାସୀଙ୍କ ଆନ୍ଦୋଳନ, ତିନି କୃଷି ନୀତି ବିରୁଦ୍ଧରେ କୃଷକ ଆନ୍ଦୋଳନ ଓ ଏନଆରସି ବିରୁଦ୍ଧରେ ଧର୍ମନିରପେକ୍ଷ ଆନ୍ଦୋଳନ ମୁଣ୍ଡ ଟେକୁଛି। କିନ୍ତୁ କିଛି ଦିନ ନୀରବ ରହିବା ପରେ ପୁଣି ଭିନ୍ନ ରାସ୍ତାରେ ସେହି ସବୁ ନୀତିକୁ ସରକାର ଲାଗୁ କରୁଥିବା ଦେଖାଯାଉଛି। ସରକାର ଲୋକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଏଭଳି ଅଣଦେଖା କରୁଥିବା ହେତୁ ଭାରତରେ କେବେ ହୁଏତ ଆକ୍ରୋଶ ଦେଖାଯାଇପାରେ।  

           

ଶେଷରେ:

            ସଂଗଠିତ ପ୍ରତିବାଦ ଓ ପ୍ରତିରୋଧ ମଣିଷର ସହଜାତ ପ୍ରବୃତ୍ତିନିଜ ଉପରେ ହେଉଥିବା ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ପ୍ରତିବାଦ ସେ କରିବ ହିଁ କରିବସେଥିରୁ ବର୍ତ୍ତିବା ଲାଗି କ୍ଷମତାଶାଳୀ ବର୍ଗ ନିଜକୁ ସଜାଡିବା ଅପେକ୍ଷା ଲୋକଙ୍କୁ ବିଭାଜିତ କରିଥାନ୍ତି ତଥାପି ପୃଥିବୀର କୌଣସି ନା କୌଣସି କୋଣରେ ଏହାର ପ୍ରତିବାଦରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥାଏ। କିନ୍ତୁ ଏହାକୁ ବ୍ୟାପକ କରିବା ପୂର୍ବରୁ ପୁଞ୍ଜିବିନିଯୋଗ କରିଥିବା ଶକ୍ତି ଏହାକୁ ବଶୀଭୂତ କରିନେଉଛନ୍ତି। ଏହା ନେପାଳରେ ଦେଖାଯାଉଛି ଓ ଏହା ଶ୍ରୀଲଙ୍କାରେ ମଧ୍ୟ ଦେଖାଗଲା। ନେପାଳ ସନ୍ଦର୍ଭରେ ଭାରତରେ ହେଉଥିବା ଆଲୋଚନା ସ୍ପଷ୍ଟ କରୁଛି ଯେ ଲୋକଙ୍କ ମଧ୍ୟରେ ରହିଥିବା କ୍ଷୋଭ, ଯନ୍ତ୍ରଣା, ଠକି ଯାଇଥିବାର ଅନୁଭବ, ଅତ୍ୟଧିକ ଅର୍ଥନୈତିକ ବୈଷମ୍ୟ, ସାମ୍ବିଧାନିକ ଅଧିକାର ବିହୀନ ଅସୁରକ୍ଷିତ ଜୀବନ ସେମାନଙ୍କୁ ଏଭଳି ଆଲୋଚନାରୁ କିଛି ଆଶା ଦେଉଛି। ଭାରତରେ ହିନ୍ଦୁ ମୌଳବାଦୀମାନେ ପୁରପଲ୍ଲୀ ଠାରୁ ଟିଭି ହାଉସ ପର୍ଯ୍ୟନ୍ତ ସବୁଠାରେ ଏଭଳି ଭାବରେ ଲୋକଙ୍କ ମଧ୍ୟରେ ବିଭାଜନ ରାଜନୀତିର ବିଷ ବୁଣିବାରେ ଲାଗିଛନ୍ତି ଯେ ସେମାନଙ୍କ ଠାରୁ ବର୍ତ୍ତିବା ଓ ଆର୍ଥିକ ପ୍ରସଙ୍ଗରେ ଲୋକଙ୍କ ପ୍ରତିବାଦ ସଂଗଠିତ ହେବ ବୋଲି ଆଶା କରିବା କଠିନ ଯଦି ସେମାନଙ୍କ ଠାରୁ ଏହି ସାମାଜକୁ ମୁକ୍ତ କରାନଯାଏ।  ତେଣୁ ନେପାଳର ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ଜରୁରୀ।  



ଲେଖା ଠିକ ଲାଗିଲେ ଅନ୍ୟମାନଙ୍କୁ ପଠାଇବେ, ବିଭିନ୍ନ ଗୃପରେ ଦେବେ ଓ ଅନ୍ୟତ୍ର ଛାପିପରିବେ ମଧ୍ୟ।  

ପ୍ରତି ପାଲେଷ୍ଟନୀଙ୍କ ଦେହରୁ ରକ୍ତ ଝରୁଛି

  

ଦେବ ରଞ୍ଜନ


* ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି।

 ** ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ।

 ***୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ନୂତନ ଇସ୍ରାଏଲ ରାଷ୍ଟ୍ର ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

**** ଇସ୍ରାଏଲର ହୟଫା ବନ୍ଦରକୁ ଆଡନୀ କିଣିବା ପରେ ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡର ଯୋଜନାରେ କମ୍ପାନୀ ଏବେ ପ୍ରମୁଖ ଭୂମିକା ନେଉଛି।

 

       କୌଣସି ଏକ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଏହାର ମୂଳନିବାସୀଙ୍କୁ ଦେଶାନ୍ତର କରାଇବା କୌଣସି ସଭ୍ୟତାର ଲକ୍ଷଣ ନୁହେଁ। ଏହା ଆଦୌ ଗଣତନ୍ତ୍ରର ମଧ୍ୟ ଲକ୍ଷଣ ନୁହେଁ। ପାଲେଷ୍ଟାଇନ ଭୂଖଣ୍ଡରେ ଆଜି ଚାଲିଥିବା ଗଣହତ୍ୟା ଓ ଦମନଲୀଳା ପଛରେ ରହିଛି ଏହି ଭୂଖଣ୍ଡକୁ ଅକ୍ତିଆର କରିବାର ଉଦ୍ଦେଶ୍ୟ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ରହିଛି ଆମେରିକା ଓ ୟୁରୋପର ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସମର୍ଥନ। ଗଣତନ୍ତ୍ର କଣ କେବଳ ନିଜ ଦେଶ ମଧ୍ୟରେ ନିର୍ବାଚନ ଭିତରେ ସୀମିତଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସାର୍ବଭୌମତ୍ଵକୁ ଧ୍ଵଂସ କରିବା କେଉଁ ଗଣତନ୍ତ୍ରର ଲକ୍ଷଣ ହୋଇପାରେ?

              ଅକ୍ଟୋବର ୦୭୨୦୨୩ରେ ହମାସ ଦ୍ଵାରା ଇସ୍ରାଏଲ ଉପରେ ଆକ୍ରମଣ ବର୍ବରତାପୂର୍ଣ୍ଣ ଥିଲା। ଏଥିରେ ୧୩୦୦ ଇସ୍ରାଏଲି ନିହତ ହୋଇଥିଲେ। କେତେକ ଇସ୍ରାଏଲିଙ୍କୁ ପଣ୍ୟବନ୍ଦୀ କରିନିଆଯାଇଥିଲା। ସେ ମଧ୍ୟରୁ ବେଶ କେତେଜଣଙ୍କୁ ଛାଡି ଦିଆଗଲାଣି। ଏବେ ବି କେତେକ ଇସ୍ରାଏଲବାସୀ ପଣ୍ୟବନ୍ଦୀ ଭାବରେ ହମାସ ଅଧୀନରେ ରହିଛନ୍ତି।

              ହମାସର ଏହିଭଳି ଆକ୍ରମଣ ଯେମିତି ଉଗ୍ରବାଦୀ ସଂଗଠନର କାର୍ଯ୍ୟ ସେହିଭଳି ଇସ୍ରାଏଲି ସରକାରୀ ସେନାବାହିନୀ ଦ୍ଵାରା ଚାଲିଥିବା ଗଣହତ୍ୟାକୁ ଇସ୍ରାଏଲି ଉଗ୍ରବାଦ କୁହାଯିବ। ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। କେହି କେହି ଏହାକୁ ୬ ଲକ୍ଷ ମଧ୍ୟ କହୁଛନ୍ତି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୧ ହଜାର ଲୋକ ଆହତ ହୋଇଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି। ଏହା କେବଳ ଗଲା ଦୁଇ ବର୍ଷର ସଂଖ୍ୟା।

             

ଇହୂଦୀଙ୍କ ସ୍ଥାନାନ୍ତର

               

              ଆଜି ଯେଉଁମାନଙ୍କୁ ଇହୁଦୀ କୁହାଯାଉଛି ସେମାନେ ୟୁରୋପରେ ଜୀଉ ଓ ଏସିଆରେ ବିଶେଷ କରି ହିନ୍ଦୀଉର୍ଦ୍ଦୁ ଓ ଆରବିକ ଭାଷାରେ ଇହୁଦୀ ଭାବରେ ପରିଚିତ। ଆଜକୁ ଦୁଇ ହଜାର ବର୍ଷ ତଳେ ପାଲେଷ୍ଟାଇନ ଅଞ୍ଚଳରେ ଏହି ଇହୁଦୀଙ୍କ ବେଶ ଅଧିକ ଥିଲା। ବାଇବେଲର ନିୟୁ ଟେଷ୍ଟାମେଣ୍ଟର କାହାଣୀ ଅନୁସାରେ ଯୀଶୁଙ୍କୁ ଶୂଳୀରେ ଚଢାଇବା ପଛରେ ଇହୁଦୀଙ୍କ ହାତ ଥିଲା ବୋଲି କାହାଣୀ ରହିଛି। ଏହାକୁ ମୌଳବାଦୀ ଖ୍ରୀଷ୍ଟିୟାନମାନେ ବିଶ୍ଵାସ କରୁଥିଲେ। ଆଜିକୁ ଦୁଇ ହଜାର ବର୍ଷ ତଳେ ଜେରୁଜେଲମ ଅଞ୍ଚଳରେ ଇହୁଦୀଙ୍କର ଗଣହତ୍ୟା ଏହି କାରଣରୁ ହୋଇଥିଲାଅନେକ ଇହୁଦୀ ସେହି ସମୟରେ ପୂର୍ବ ୟୁରୋପର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ। ଏକ ବଡ ସଂଖ୍ଯାରେ ଇହୁଦୀ ଆଜିର ରୁଷିଆ ଅଞ୍ଚଳକୁ ଯାଇଥିଲେ। ଏହା ଏକ ଶହରୁ ଦୁଇ ଶହ ଶତାବ୍ଦୀ ସମୟର କଥା।

              ଇହୁଦୀମାନେ ଏହାପରେ ବିକ୍ଷିପ୍ତ ଭାବରେ ୟୁରୋପ ଓ ଏସିଆର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନଥିଲେ କି ଇସଲାମ ଧର୍ମକୁ ମାନୁନଥିଲେ। ରୁଷିଆରେ ଦ୍ଵିତୀୟ ଜାରଙ୍କ ହତ୍ୟା (୧୮୮୧) ପରେ ଇହୂଦୀଙ୍କୁ ହତ୍ୟା କରିବା ପୁଣି ଥରେ ଆରମ୍ଭ ହୋଇଥିଲା  ଇହୁଦୀମାନେ ପୁଣି ରୁଷିଆ ଛାଡି ବିଶ୍ଵର ଅନ୍ୟ ପ୍ରାନ୍ତକୁ ଯିବାରେ ଲାଗିଲେ। ସେଥିରୁ କେତେକ ପାଲେଷ୍ଟାଇନ ଆସିଥିଲେ। ଏହିଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନ ଇହୁଦୀଙ୍କୁ ଏକାଠି କରିବା ଆରମ୍ଭ କରିଥିଲା। ହିଟଲରଙ୍କ ଗଣହତ୍ୟା ଏହାକୁ ଆହୁରି ମଜଭୁତ କରିଥିଲା। ଦୁଇ ହଜାର ବର୍ଷ ତଳେ ଛାଡି ଯାଇଥିବା ଅଞ୍ଚଳକୁ ଇହୁଦୀମାନେ ପୁଣି ଥରେ ଅକ୍ତିଆର କରିବାର ସ୍ଵପ୍ନ ଏହିଭଳି ଦେଖିବା ଓ ପାଲେଷ୍ଟାଇନ ଅଞ୍ଚଳକୁ କବଜା କରିବା ଲାଗି ଯୁଦ୍ଧର ତାଣ୍ଡବଲୀଳା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ?

 

ନାଜୀ ଆକ୍ରମଣ ଓ ଇହୁଦୀ ଗଣହତ୍ୟା

 

              ଜର୍ମାନୀରେ ୧୯୨୦ ଦଶକରେପ୍ରଥମ ବିଶ୍ଵଯୁଦ୍ଧ ପରେହିଟଲରଙ୍କ ନାଜି ପାର୍ଟିର ଗଠନ ହୋଇଥିଲା। ସେ ସମୟର ଅର୍ଥନୈତିକ ସଙ୍କଟ ବା ଗ୍ରେଟ ଡିପ୍ରେସନ ହେତୁ ସମଗ୍ର ୟୁରୋପରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ହିଟଲର ପ୍ରଚାର କରିଥିଲେ ଯେ ନାଜୀମାନଙ୍କ ଅଧିକାରକୁ ଇହୁଦୀ ବା ଜୀଉମାନେ ଛଡାଇ ନେଉଛନ୍ତି ଏହିଥିରୁ ଦେଶବ୍ୟାପୀ ଇହୁଦୀମାନଙ୍କର ବିରୁଦ୍ଧରେ ଘୃଣା ମାନସିକତା ତିଆରି ହୋଇଥିଲା ଏହାଦ୍ବାରା ହିଟଲରଙ୍କ ନାଜି ପାର୍ଟିର ବିଜୟ ୧୯୩୩ ମସିହାରେ ସମ୍ଭବ ହୋଇପାରିଲା। ଭାରତରେ ଦକ୍ଷିଣପନ୍ଥୀ ଦଳମାନଙ୍କର ଆଦର୍ଶ ହେଉଛି ହିଟଲରଙ୍କ ନାଜି ପାର୍ଟି। ଧର୍ମ ନାମରେ ଘୃଣାର ପ୍ରଚାର ସେମାନେ ହିଟଲରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ହିଟଲର ସେମାନଙ୍କ ଆଦର୍ଶ।  

              ସେ ଯାହାହେଉଇହୁଦୀ ବିରୋଧୀ ଘୃଣା ମାନସିକତା ନାଜି ସମୟରେ ପୂର୍ବ ୟୁରୋପରେ ସମ୍ପ୍ରସାରିତ ହୋଇଥିଲା। ପାଖାପାଖି ୬୦ ଲକ୍ଷ ଇହୂଦୀଙ୍କୁ ନାଜି ପାର୍ଟି ଦ୍ଵାରା ହତ୍ୟା କରାଯାଇଥିଲା। ଏହାକୁ ଇତିହାସରେ ହୋଲୋକଷ୍ଟ (ସଂପୂର୍ଣ୍ଣ ନିଶ୍ଚିହ୍ନ) କୁହାଯାଉଛି। ତାହା ଥିଲା ବିଶ୍ଵ ଇତିହାସର ସବୁଠାରୁ ଦୀର୍ଘ ଓ ସଂଖ୍ୟା ଦ୍ରୁଷ୍ଟିରୁ ସର୍ବାଧିକ ଗଣହତ୍ୟା। ଏହି ଗଣହତ୍ୟା ଜର୍ମାନୀପୋଲାଣ୍ଡ ଓ ରୁଷିଆରେ ଚାଲିଥିଲା। ବିଶ୍ଵବାସୀଙ୍କୁ ଏହା ସ୍ତମ୍ବିଭୂତ କରିଥିଲା।

       ଇହୁଦୀମାନଙ୍କ ଗଣହତ୍ୟା ଚାଲିଥିବା ସମୟ ଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ (୧୯୩୯ – ୧୯୪୫) । ଏହି ସମୟ ମଧ୍ୟ ଥିଲା ଏସୀୟ ମହାଦେଶରେ ଉପନିବେଶବାଦର ସମୟ। ପାଲେଷ୍ଟାଇନ ଅଞ୍ଚଳ ଇଂଲଣ୍ଡର ଉପନିବେଶ ଥିଲା ଓ ଏହାର ପଡୋଶୀ ଦେଶ ଲେବାନନସିରିଆ ଇତ୍ୟାଦି ଫ୍ରାନ୍ସର ଉପନିବେଶ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡ ସରକାର ଜାହାଜରେ ୟୁରୋପରୁ ଅନେକ ଇହୁଦୀଙ୍କୁ ଆଣି ପାଲେଷ୍ଟାଇନ ଅଞ୍ଚଳରେ ଛାଡିଥିଲା। ଧନୀ ଇହୁଦୀମାନେ କିନ୍ତୁ ଆମେରିକା ଚାଲିଯାଇଥିଲେ। ସେ ସମୟରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନକୁ ସାକାର କରିବା ଲାଗି ଇହୁଦୀମାନେ ତତ୍ପର ହୋଇଉଠିଥିଲେ। ହୁଏତ ନାଜୀ ହଲୋକଷ୍ଟ ଇତିହାସରେ ହୋଇନଥିଲେ ପାଲେଷ୍ଟାଇନ ବିବାଦ ଉଠିନଥାନ୍ତା। ପ୍ରବାସୀ ଇହୁଦୀମାନେ ଏହାପରେ ପାଲେଷ୍ଟାଇନ ଭୂଖଣ୍ଡରେ ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଥିଲେ।           

 

ପାଲେଷ୍ଟାଇନ ପ୍ରତି ଧୋକ୍କାବାଜୀ

 

              ୧୯୩୦ ଦଶକରେ ପାଲେଷ୍ଟାଇନ ଭୂଖଣ୍ଡରେ ବସବାସ କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ମୁସଲମାନ ଥିଲେ। ସେମାନଙ୍କ ଭାଷା ଥିଲା ଆରବିକ ଓ ବୃତ୍ତି ଥିଲା କୃଷି ଓ ବ୍ୟବସାୟ। ସେହି ସମୟରେ ମାତ୍ର ଏକ ପ୍ରତିଶତ ଇହୁଦୀ ଥିଲେ। ସେମାନଙ୍କ ଧର୍ମ ଥିଲା ଜୁଡାଇଜିମ। ଭାଷା ଥିଲା ହିବୃ। ବାକି ଖ୍ରୀଷ୍ଟିୟାନ ଥିଲେ। ସେତେବେଳେ ଇସ୍ରାଏଲ ରାଷ୍ଟ୍ର ଗଠନ ହୋଇନଥିଲା। ପାଲେଷ୍ଟାଇନ କହିଲେ ତେଲ ଆଭିଭଗାଜାୱେଷ୍ଟ ବ୍ଯାଙ୍କଜେରୁଜେଲମ ଓ ରାମଲ୍ଲାଃ ଇତ୍ୟାଦି ଅଞ୍ଚଳକୁ ବୁଝାଉଥିଲା।

              ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ୧୯୪୮ ବେଳକୁ ସମୁଦାୟ ଇହୁଦୀଙ୍କ ସଂଖ୍ୟା ୧୯୩୦ରେ ଯେଉଁଠି ଏକ ପ୍ରତିଶତ ଥିଲା ତାହା ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଯାଇଥିଲା। ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ପ୍ରବେଶକୁ ସମଗ୍ର ଆରବ ଦେଶମାନେ ପ୍ରତିବାଦ କରିଥିଲେ। କିନ୍ତୁ ନୂତନ ଗଠିତ ଜାତିସଂଘ ଏହାକୁ ଅସ୍ଵୀକାର କରିଥିଲା। ୧୯୪୮ ମସିହାରେ ଜାତିସଂଘ ତରଫରୁ ଅତି ତରବାରିଆ ଭାବରେ ନୁତନ ଇସ୍ରାଏଲ ରାଷ୍ଟ୍ରକୁ ସ୍ଵାଧୀନ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଇଥିଲା। ସେହି ବର୍ଷ ଜାତିସଂଘ ତରଫରୁ ପାଲେଷ୍ଟାଇନ ବିଭାଜନ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଦିଆଯାଇଥିଲା।

              ଇହୂଦୀଙ୍କୁ ଯେପରି ଆନ୍ତର୍ଜାତିକ ସମର୍ଥନ ମିଳିପାରିବ ସେଥିଲାଗି  ସମଗ୍ର ପାଲେଷ୍ଟାଇନକୁ ଦୁଇ ଭାଗରେଇହୁଦୀ ରାଷ୍ଟ୍ର ଓ ଆରବିକ ରାଷ୍ଟ୍ରବିଭାଜନ କରି ନୂତନ ମ୍ୟାପ ୧୯୪୮ ରେ ପ୍ରସ୍ତୁତ ହୋଇଥିଲା। ଅଥଚ ଆଜି ବି ମୂଳ ପାଲେଷ୍ଟାଇନକୁ ସଂପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ଜାତିସଂଘ ତରଫରୁ ଦିଆଯାଉନାହିଁ।

              ୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ଏଥିରେ ସମୁଦାୟ ଇହୁଦୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତ ଥିଲା। କିନ୍ତୁ ୧୯୪୮ ମସିହାର ବିଭାଜନ ପରେ ପାଲେଷ୍ଟାଇନର ଭୂଭାଗ ୨୭୦୦୦ ବର୍ଗ କିଲୋମିଟରରୁ ଖସି ଆସି ୧୫୦୦୦ ବର୍ଗ କିଲୋମିଟରରେ ପହଞ୍ଚିଥିଲା। ବାକି ୧୨୦୦୦ ବର୍ଗ କିଲୋମିଟରରେ ଇସ୍ରାଏଲ ରାଷ୍ଟ୍ର ତିଆରି ହୋଇଥିଲା। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନର ଅନେକ ଭାଗକୁ ଇସ୍ରାଏଲ ଅକ୍ତିଆର କରିସାରିଲାଣି। ଏବେ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ଇସ୍ରାଏଲ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

              ଇସ୍ରାଏଲ ଏବେ ଗାଜାକୁ ସଂପୂର୍ଣ୍ଣ ଅଧିକାର କରିବା ଜାରି ରଖିଛି। ପୂର୍ବରୁ ଜେରୁଜେଲମ ଅକ୍ତିଆର କରିସାରିଥିଲା। ଏବେ ୱେଷ୍ଟ ବ୍ଯାଙ୍କ ଅଞ୍ଚଳରେ ରହିଥିବା ପାଲେଷ୍ଟାଇନଙ୍କୁ ପଡୋଶୀ ଲେବାନନ ଓ ଶିରିଆ ଅଞ୍ଚଳକୁ ଚାଲିଯିବା ଲାଗି ବାଧ୍ୟ କରାଯାଉଛି। ଇହୁଦୀଙ୍କ ପ୍ରତି ନାଜିଙ୍କର ବ୍ୟବହାର ଯାହା ରହିଥିଲା ତାହାର ପୁନରାବୃତ୍ତି ଇହୁଦୀଙ୍କ ଦ୍ଵାରା ପାଲେଷ୍ଟାଇନବାସୀଙ୍କ  ଉପରେ କରାଯାଉଛି।

 

ପାଲେଷ୍ଟନୀଙ୍କ ବିରୋଧ

 

              ଜାତିସଂଘର ବିଭାଜନ ମ୍ୟାପକୁ ପାଲେଷ୍ଟାଇନବାସୀ ସେ ସମୟରେ ବି ବିରୋଧ କରିଥିଲେ , ଆଜି ବି କରୁଛନ୍ତି। ଏହି ବିରୋଧ ମଧ୍ୟରୁ ଷାଠିଏ ଦଶକରେ ‘ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ’ ବା ପିଏଲଓ ସୃଷ୍ଟି ହୋଇଥିଲା। ପାଲେଷ୍ଟାଇନ ଭୂମିରୁ ଇସ୍ରାଏଲିମାନଙ୍କୁ ସଂପୂର୍ଣ୍ଣ ବହିଷ୍କାର କରିବାର ସ୍ଲୋଗାନ ଷାଠିଏ ଦଶକରେ ପିଏଲଓ ଦ୍ଵାରା ଦିଆଯାଇଥିଲା। ୧୯୬୭ ମସିହା ପରଠାରୁ ପିଏଲଓର ପ୍ରତିବାଦଯୁଦ୍ଧ ଓ ଆକ୍ରମଣ ତଥା ଇସ୍ରାଏଲ ସରକାରଙ୍କ ସେନାବାହିନୀ ଦ୍ଵାରା ଦମନ ଚାଲିଆସିଛି।  

              କିଛି ବର୍ଷ ଲାଗି ଆମେରିକା ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ସମୟରେ (୧୯୯୩) ପିଏଲଓ ଓ ଇସ୍ରାଏଲ ଶାନ୍ତି ଚୁକ୍ତି କରାଯାଇଥିଲା। ଇସ୍ରାଏଲକୁ କିଛି ଭୂଖଣ୍ଡ ଦେବା ଲାଗି ପାଲେଷ୍ଟାଇନର ପିଏଲଓ କର୍ମକର୍ତ୍ତା ରାଜିହୋଇଥିଲେ। କିନ୍ତୁ ଏହା ସମସ୍ତ ପାଲେଷ୍ଟାଇନବାସୀଙ୍କୁ ଗ୍ରହଣ ହୋଇନଥିଲା। ପାଲେଷ୍ଟାଇନବାସୀଙ୍କୁ ପିଏଲଓ ଧୋକକା ଦେଇଛି ବୋଲି ଅଭିଯୋଗ ଆଣି ନବେ ଦଶକରେ ହମାସ ପାର୍ଟି ପାଲେଷ୍ଟାଇନରେ ସକ୍ରିୟ ହେବାରେ ଲାଗିଲା। ସେମାନେ ଇସ୍ରାଏଲକୁ ଇଞ୍ଚେ ବି ଜମି ଦେବେ ନାହିଁ ବୋଲି ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିରେ କ୍ରମଶଃ ପିଏଲଓ ଦୁର୍ବଳ ହେବାରେ ଲାଗିଲା ଓ ହାମାସର ଉତ୍ଥାନ ହେବାରେ ଲାଗିଥିଲା।  

              ୨୦୦୬ ମସିହାରେ ପାଲେଷ୍ଟାଇନ ବିଧାନସଭା କାଉନସିଲ ନିର୍ବାଚନରେ ପିଏଲଓ ସମର୍ଥିତ ଫତାହ ପାର୍ଟିକୁ ପରାସ୍ତ କରି ହମାସ କ୍ଷମତାକୁ ଆସିଥିଲା। ଗାଜା ଅଞ୍ଚଳରୁ ହମାସ ଅଧିକ ସିଟ ଦଖଲ କରିଥିଲା। ହମାସ ନିଜର ଇସ୍ରାଏଲି ବିରୋଧୀ ଉଗ୍ରମତ ପାଇଁ ପ୍ରସିଦ୍ଧ ହମାସ ଦ୍ଵାରା ନିର୍ବାଚନରେ ଜିତିବା ଇସ୍ରାଏଲ ସରକାରଙ୍କ ଲାଗି ଚିନ୍ତାର ବିଷୟ ଥିଲା। ସେହିଦିନ ଠାରୁ ଇସ୍ରାଏଲ ସରକାର ଗାଜାର ଆଭ୍ଯନ୍ତରୀଣ ବ୍ୟାପାରରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ। ଆଦୌ ହମାସକୁ କାର୍ଯ୍ୟ କରିବାର ସୁଯୋଗ ଦେଲେ ନାହିଁ। ହମାସର ଅନେକ ନିଷ୍ପତ୍ତି (କୃଷିବ୍ୟବସାୟ ଓ ସୁରକ୍ଷା ସମ୍ବନ୍ଧିତ)କୁ ଇସ୍ରାଏଲ ବିରୋଧ କରିଆସିଛି।

              ହମାସକୁ ଗାଜାରୁ ବହିଷ୍କାର କରିବା ଲାଗି ୨୦୧୪ ରେ ଇସ୍ରାଏଲ ସରକାରଙ୍କ ନିର୍ଦ୍ଦେଶରେ ଏହାର ସେନା ସମଗ୍ର ଗାଜାକୁ ଘେରାଓ କରିରଖିଥିଲା। ଏହାର ବାସିନ୍ଦାଙ୍କୁ ୱେଷ୍ଟବ୍ଯାଙ୍କ ଓ ଜେରୁଜେଲମ ଯିବାକୁ ବାରଣ କରାଯାଉଥିଲା। ଏହି ଅଞ୍ଚଳକୁ ଦୀର୍ଘ ଦିନ ପାଣିଔଷଦ ଓ ଖାଦ୍ଯ ବନ୍ଦ କରିଦେଇଥିଲା। ଏହି ଅମାନବିକ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଲାଗି ହମାସ ପାଲେଷ୍ଟାଇନ ଯୁବକମାନଙ୍କୁ ଏକାଠି କରିବାରେ ଲାଗିଥିଲା। ହମାସ ଭଳି ଏକ ରାଜନୈତିକ ଦଳ ପରେ ଏକ ଅସ୍ତ୍ରଧାରୀ ସଂଗଠନରେ ପରିଣତ ହୋଇଥିଲା। ଇସ୍ରାଏଲ ସରକାରଙ୍କ ଅମାନବୀୟ ଅବରୋଧ ଓ ପାଲେଷ୍ଟାଇନର ସାର୍ବଭୌମତ୍ଵ ଉପରେ ବାରମ୍ବାର ହସ୍ତକ୍ଷେପର ପ୍ରତିବାଦରେ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଅଞ୍ଚଳରେ ଅତର୍କିତ ଆକ୍ରମଣ ହମାସ ଦ୍ଵାରା ହୋଇଥିଲା।

              ହୁଏତ ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ସେମାନଙ୍କ ପ୍ରତି ସମଗ୍ର ବିଶ୍ବରେ ସହାନୁଭୁତି ପ୍ରକାଶ ପାଇଥିଲା। ମାତ୍ର ଚାଳିଶ କି ପଚାଶ ବର୍ଷ ମଧ୍ୟରେ ଇହୁଦୀମାନେ ସମ୍ପୂର୍ଣ ଭାବରେ ନିଜର ଇତିହାସକୁ ଭୁଲିଗଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ଆମେରିକାୟୁରୋପର କିଛି ଦେଶ ରହିଛନ୍ତି। ସେମାନେ ଇସଲାମକୁ ଘୃଣା କରନ୍ତି। ଇସ୍ରାଏଲ ପ୍ରତି ଭାରତ ସରକାରଙ୍କ ସମର୍ଥନର ଏହା ମଧ୍ୟ କାରଣ। ଏତଦବ୍ଯତୀତଇସ୍ରାଏଲରେ ଆଦାନୀ କମ୍ପାନୀର ପୁଞ୍ଜିନିବେଶ ବିଶେଷକରି ହାଇଫା ବନ୍ଦରର ଟେଣ୍ଡର ଅକ୍ତିଆର କରିବା ପରେ ଏହାକୁ ସୁରକ୍ଷା ଦେବା ଅନ୍ଯତମ କାରଣ। ଇସ୍ରାଏଲର ହାଇଫା ବନ୍ଦରକୁ ଆଦାନୀ କମ୍ପାନୀ ୩୬ ପ୍ରତିଶତ ଅଧିକ ମୂଲ୍ୟରେ (ଇସ୍ରାଏଲ ସରକାର ଯେତିକି ଆଶା କରିଥିଲେ ତାହାଠାରୁ ଅଧିକ) ଟେଣ୍ଡର ନେବା ପଛରେ ହୁଏତ ବିରାଟ ବ୍ଯବସାୟିକ ସ୍ଵାର୍ଥ ରହିଛି।

 

ପାଲେଷ୍ଟାଇନ ଭୂଖଣ୍ଡରେ ଇସ୍ରାଏଲର ଦମନଲୀଳା

        

              ବିଗତ ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନାର ଡ୍ରୋନ ଓ ମିସାଇଲ ଆକ୍ରମଣ ହେତୁ ୭୦ ପ୍ରତିଶତ କୋଠାଘର ଭାଙ୍ଗି ଚୁରମାର ହୋଇଯାଇଛି। ଏବେ ଆକ୍ରମଣ ହସ୍ପିଟାଲସ୍କୁଲଆମ୍ବୁଲାନ୍ସ ଓ ଶରଣାର୍ଥୀ ଶିବିର ଉପରେ ହେଉଛି। ଗଲା କିଛି ଦିନ ତଳେ ଏକ ଡ୍ରୋନ ଆକ୍ରମଣରେ ତିନି ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲା। ସେମାନଙ୍କ ଭୁଲ ଥିଲା ଯେ ସେମାନେ ଦୁନିଆକୁ ଇସ୍ରାଏଲି ସେନାର ନରସଂହାର ସମ୍ପର୍କରେ ଜଣାଉଥିଲେ। ସମଗ୍ର ପାଲେଷ୍ଟାଇନ ଭୂଖଣ୍ଡରୁ ପାଲେଷ୍ଟାଇନମାନଙ୍କୁ ବିତାଡିତ କରି ବିଦେଶ ରାଷ୍ଟ୍ରକୁ ପଠାଇଦେବା ଲାଗି ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ର ଉଦ୍ୟମ ଜାରି ରଖିଛନ୍ତି।

              ଆଜିର ଦିନରେ ଗାଜାକୁ ଘେରାବନ୍ଦୀ କରିବା ହେତୁ ୫ ଲକ୍ଷ ଶିଶୁ ମୃତ୍ୟୁର ନିକଟବର୍ତ୍ତୀ୧୧ ଲକ୍ଷ ଲୋକ ଦିନକୁ ଥରେ ବି ଖାଦ୍ଯ ପାଉନାହାନ୍ତି। ଗାଜାକୁ ସଂଯୋଗ କରୁଥିବା ରାସ୍ତା ଓ ପାଣିକୁ ବନ୍ଦ କରିଦିଆଯାଇଛି। ଏବେ ବହୁ କଷ୍ଟରେ ଯେତିକି ଟ୍ରକ ପହଞ୍ଚିପାରୁଛି ସେଥିରୁ ଖାଦ୍ୟ ନେବା ଲାଗି ଦଳାଚକଟା ସୃଷ୍ଟି ହୋଇଯାଉଛି। ପିଲାମାନେ ଟ୍ରକର ଡାଲାକୁ ଚାଟି ନିଜର ଖାଦ୍ଯ ଅଭାବ ମେଣ୍ଟାଇବାର ଚେଷ୍ଟା କରୁଛନ୍ତି

              ଜଣେ ପ୍ରତ୍ଯକ୍ଷଦର୍ଶୀ ସ୍ଥିତିକୁ ବର୍ଣ୍ଣନା କରି ଲେଖିଛନ୍ତି“ଟ୍ରକ ଗୋଟେ ଚାଲିଗଲାସେଟା ଖାଲି ଥିଲା । ଟ୍ରକ ଡାଲାରେ ପଡ଼ିଥିଲା ପତଳା ଅଟା ଗୁଣ୍ତର ଏକ ଆସ୍ତରଣ ଖାଲି ଗୁଣ୍ତ । ସେମାନେ ଥିଲେ ପଞ୍ଝାଏ ପିଲା । ସେମାନେ ଧାଇଁଲେ ଓ ଟ୍ରକ ଉପରକୁ ଚଢ଼ିଗଲେ ଟ୍ରକ ଡାଲାରେ ପିଲାମାନେ ଆଣ୍ଠେଇ ପଡ଼ିଲେସତେ ଯେମିତି କେଉଁ ବଳିବେଦୀ ସାମନାରେ ଏବଂ ରାମ୍ପିବା ଆରମ୍ଭ କରିଦେଲେ । ଜଣକ ପାଖରେ ଥିଲା ଖଣ୍ତେ ଭଙ୍ଗା ଢାଙ୍କୁଣୀ ଆଉ ଜଣକ ପାଖରେ ଖଣ୍ତେ କାର୍ଡ଼ବୋର୍ଡ଼  କିନ୍ତୁ ବାକିତକବାକିତକ ନିଜ ହାତରେ ରାମ୍ପିଲେ କିଏ ବା ଜିଭରେ ସେମାନେ ଚାଟି ଚାଲିଲେ“ (ଗାଜାରେ ଶୁକ୍ରବାର’ କବିତାକବି: ଡ. ଏଜ୍ଜିଦୀନ)

 

ଇସ୍ରାଏଲ – ଆଡନୀ – ବିଜେପି ସମ୍ବନ୍ଧ:

            ପାଲେଷ୍ଟାଇନ ସଙ୍କ୍ରାନ୍ତରେ ଭାରତ ସରକାର ଅନେକ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲକୁ ବିରୋଧ କରୁନଥିଲେ ମଧ୍ୟ ପାଲେଷ୍ଟାଇନର ସ୍ଵତନ୍ତ୍ର ରାଷ୍ଟ୍ରର ଦାବିକୁ ଯଥାର୍ଥ କହିଆସୁଥିଲା। ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାର ଇସ୍ରାଏଲକୁ ସଂପୂର୍ଣ୍ଣ ସମର୍ଥନ ଦେବା ଆରମ୍ଭ କରିଦେଲେ। କିଛି ବର୍ଷ କାଳ ମୋତେ ଲାଗୁଥିଲା ଯେ ଏହା ଇସଲାମକୁ ଘୃଣା କରିବା ବା ଇସଲାମଫୋବିଆ କାରଣରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି। ବିଜେପିର ଇସଲାମକୁ ଘୃଣା କରିବା ଆମେରିକାର ଟ୍ରମ୍ଫ ଓ ଇସ୍ରାଏଲର ନେତ୍ଯାନ୍ୟୁହଙ୍କ ଦ୍ଵାରା କରାଯାଉଥିବା ଘୃଣା ଭଳି ସମାନ। ଦୀର୍ଘ ବର୍ଷ ପରେ ସ୍ପଷ୍ଟ ହେଉଛୁ ଯେ ଏହା ବ୍ଯବସାୟିକ ମଧ୍ୟ। ଭାରତର ପ୍ରମୁଖ କମ୍ପାନୀ ଅଦାନୀ ଗୃପ ଇସ୍ରାଏଲର ହୟଫା ବନ୍ଦର ଇସ୍ରାଏଲି କମ୍ପାନୀ ଗୋଡୋଟ ସହିତ ମିଳିତ ଉଦ୍ଯୋଗରେ କିଣିଛି ଯେଉଁଥିରେ ଆଡନୀର ୭୦ ପ୍ରତିଶତ ସେୟାର ରହିଛି। (https://www.adaniports.com/newsroom/media-releases/adani-and-gadot-win-tender-to-privatise-israels-haifa-port) ବ୍ଯବସାୟିକ ସ୍ଵାର୍ଥ କେବଳ ଏତିକିରେ ସୀମିତ ନୁହେଁ। ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡରର ଯୋଜନା (India – Middle East – Europe Corridor) ଆଡନୀର ମୁନ୍ଦ୍ରା (ଗୁଜୁରାଟ) ବନ୍ଦରରୁ ଆରମ୍ଭ ହୋଇ ଇସ୍ରାଏଲର ହୟଫା ବନ୍ଦର ସହିତ ଗ୍ରୀସର ଏକ ବନ୍ଦରକୁ ଛୁଉଁଛି। (https://www.nationalheraldindia.com/international/it-is-official-economic-corridor-with-adani-as-major-player-on-the-table-for-modi-trump-talk ) ନିଜର ବ୍ଯବସାୟିକ ସ୍ଵାର୍ଥର ସୁରକ୍ଷା ଲାଗି କୌଣସି ଗଣହତ୍ୟାକୁ ସମର୍ଥନ କରିବା ନିଜେ ଗଣହତ୍ୟାରେ ସାମିଲ ହେବା ସହିତ ସମାନ। ଇସ୍ରାଏଲର ଡ୍ରୋନ ଓ ଯୁଦ୍ଧାସ୍ତ୍ର (ଟ୍ରେନିଂ ମଧ୍ୟ) ଆଜି ମଧ୍ୟ ଭାରତରେ ଆଦିବାସୀଙ୍କୁ ଦମନ କରିବା ଲାଗି ଭାରତ ସରକାର ବ୍ୟବହାର କରୁଛନ୍ତି। ଏହା କି ପ୍ରକାରର ଜାତୀୟତା? ଏବେ ସେହି ସମସ୍ତ ଅଞ୍ଚଳରେ ହଜାର ହଜାର ଗଛ କାଟିଦିଆଯାଉଛି। ସେହି ସମସ୍ତ ଜଙ୍ଗଲ ଜମିକୁ ଆଡନୀ କମ୍ପାନୀକୁ ଦିଆଯିବା ଲାଗି ସ୍ଥିର ହୋଇଛି। ମହାରାଷ୍ଟ୍ରର ଗଡଚିରୋଲି ଅଞ୍ଚଳରେ ଆଡନୀର ପ୍ରବେଶରୁ ଏହା ସ୍ପଷ୍ଟ ହୋଇଛି। ଇସ୍ରାଏଲ – ଆଡନୀ – ବିଜେପି – ଟ୍ରମ୍ଫ ଏକ ଅଦ୍ଭୁତ ଯୋଗସୂତ୍ରରେ ଯୋଡି ହୋଇଯାଇଛନ୍ତି। ଭାରତର ଅନେକ ଭୂଖଣ୍ଡକୁ ଏବେ ଏକର ପିଛା ମାତ୍ର ଏକ ଟଙ୍କା ବିନିମୟରେ ଆଡନୀକୁ ଦିଆଯାଉଛି।           

              ପାଲେଷ୍ଟାଇନ ଉପରେ ଚାଲିଥିବା ଦମନଲୀଳା ଅତି ଘୃଣ୍ୟ ଓ ଅମାନବୀୟ ସ୍ତରକୁ ପହଞ୍ଚିସାରିଛି। ଲକ୍ଷ ଲକ୍ଷ ଶିଶୁଙ୍କୁ ଭୋକିଲା ଛାଡିବା, ଘର ଗୁଡିକୁ ବୋମାରେ ଧ୍ଵଂସ କରିଦେବା, ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ବାସସ୍ଥାନ ଛାଡି ଯିବା ଲାଗି ବାଧ୍ୟ କରିବା ଇତ୍ୟାଦି ଘଟଣା କଦାପି ସଭ୍ୟ ମଣିଷର ଚିନ୍ତାଧାରା ନୁହେଁ। ସମଗ୍ର ବିଶ୍ଵବାସୀ ଆଜି ଏହାର ନିନ୍ଦା ଆନ୍ତରିକତାର ସହିତ କରିବା ଜରୁରୀ। ନଚେତ ବିଶ୍ଵ ପୁଣି ଏକ ହଲୋକଷ୍ଟର ସାମ୍ନା କରିବ।

 

 ଲେଖା ଠିକ ଲାଗିଲେ ଅନ୍ୟମାନଙ୍କୁ ପଠାଇବେ, ବିଭିନ୍ନ ଗୃପରେ ଦେବେ ଓ ଅନ୍ୟତ୍ର ଛାପିପାରିବେ 

 

 

 

 

·       

 


Friday, September 12, 2025

ଚନ୍ଦ୍ରଗ୍ରହଣ ଓ ପାକତ୍ୟାଗ ମିଥ

 


ଦେବ ରଞ୍ଜନ


ଧର୍ମ ବ୍ୟକ୍ତିର ନିଜସ୍ଵ ବିଶ୍ଵାସ। ଏହା ଗୋଷ୍ଠୀଗତ ବିଶ୍ଵାସ ନୁହେଁ ଅର୍ଥାତ କୌଣସି ଏକ ଅଞ୍ଚଳର ସମସ୍ତ ମଣିଷ ସେହି ସମାନ ଧର୍ମ ଓ ଆଚରଣକୁ ଯେ ବିଶ୍ଵାସ କରିବେ ତାହା ନୁହେଁ। ହେଲେ ଏହାକୁ ଆମ ସମାଜର ବେଶ କେତେକ ଲୋକ ସ୍ଵୀକାର କରିବା ଲାଗି ରାଜି ନୁହନ୍ତି। ଏହାର ସତ୍ୟତାକୁ ପ୍ରଶ୍ନ କରାଗଲେ ସେମାନେ ଆକ୍ରାମକ ହୋଇଉଠୁଛନ୍ତି। ସେମାନେ ଭୟ କରୁଛନ୍ତି । ସେମାନେ ଚାହାଁନ୍ତି ଯେ ସମାଜରେ ଅଧିକ ଲୋକ ଏହାକୁ ପ୍ରଶ୍ନ ନକରନ୍ତୁ। 


ହଁ, ମୁଁ ଚନ୍ଦ୍ର ଗ୍ରହଣ ସଙ୍କ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରତିକ୍ରିୟା ସମ୍ପର୍କରେ ଏଠାରେ ଉତ୍ଥାପନ କରୁଛି। ଚନ୍ଦ୍ରଗ୍ରହଣ ସମ୍ପର୍କରେ ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କ ପ୍ରତି ହିନ୍ଦୁ ରୁଢିବାଦୀଙ୍କ ପ୍ରତିକ୍ରିୟା ସମସ୍ତ ଶୋଭନୀୟତାକୁ ଅତିକ୍ରମ କରୁଛି। କାହିଁକି ଏତେ ଘୃଣା? କାହିଁକି ଏ ଅହଂକାର? ଯଦି ତର୍କ ତୁମ ସପକ୍ଷରେ ଅଛି ତେବେ ତାହାର ଠୋସ ଯୁକ୍ତି ଉପସ୍ଥାପନ କର। ନିଶ୍ଚିତ ତାହାକୁ ଗ୍ରହଣ କରାଯିବ। 


ଚନ୍ଦ୍ର ପୃଷ୍ଠରେ ମଣିଷ:

 ଚନ୍ଦ୍ରରେ ମଣିଷ ଯେବେ ପହଞ୍ଚିଲା (ଆମେରିକାର ନେଲ ଆର୍ମଷ୍ଟ୍ରଙ୍ଗ, ୧୯୬୯ ମସିହାରେ) ସେବେଠାରୁ ଏହା ଆଉ “ମହାପୁରୁ” ହୋଇରହିଲା କି? ସେହି ବ୍ୟକ୍ତି ଏ ଭିତରେ ମରିବା ( ଆର୍ମଷ୍ଟ୍ରଙ୍ଗଙ୍କ ମୃତ୍ୟୁ ୨୦୧୨ ମସିହାରେ) ୧୩ ବର୍ଷ ହୋଇଗଲାଣି। ନା ସେ ନର୍କକୁ ଗଲେ ନା ତାଙ୍କ ଦେଶ ଆମେରିକାର କିଛି କ୍ଷତି ହେଲା? ୨୦୨୩ ମସିହାରେ ମେସିନ ଚାଳିତ ଯାନ ପଠାଇ ଚନ୍ଦ୍ରଙ୍କ ଫୋଟୋ ଭାରତ ଆଣିଲା। ଏହା ବିଜେପିର ଶାସନ ସମୟରେ ହୋଇଛି। ଏହାପରେ ଆମେ ବିଶ୍ଵାସ କରିବା କି ଯେ ଚନ୍ଦ୍ର ଗ୍ରହଣ ସମୟରେ ରାହୁ ଓ କେତୁ ଚନ୍ଦ୍ରକୁ ଗ୍ରାସ କରିଥାନ୍ତି? 


ରାହୁ ଓ କେତୁ କଳ୍ପିତ ଗ୍ରହ: 

ହିନ୍ଦୁ ଧର୍ମଗ୍ରନ୍ଥର ମତ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଦୁଇ ଅଭିଶପ୍ତ ଗ୍ରହ ରାହୁ ଓ କେତୁଙ୍କ ଚାଲାକିକୁ ଚନ୍ଦ୍ର ପ୍ରକଟିତ କରିଦେଇଥିବା ହେତୁ (ଅମୃତ ନପାଇବା କାରଣରୁ) ସେହି ରାଗରେ ସେମାନେ କିଛି ସମୟ ଲାଗି ଚନ୍ଦ୍ରଙ୍କୁ ଗ୍ରାସ କରନ୍ତି। ମାତ୍ର ବାସ୍ତବରେ ରାହୁ ଓ କେତୁ ବୋଲି କୌଣସି ଗ୍ରହ ବା ମହାଜାଗତିକ ବସ୍ତୁ ମହାକାଶରେ ନାହାନ୍ତି। ଏହା ଭାରତୀୟ ଜ୍ୟୋତିର୍ବିଜ୍ଞାନରେ କଲ୍ପିତ ନବଗ୍ରହ ମଧ୍ୟରୁ ଦୁଇ କାଳ୍ପନିକ ଗ୍ରହ। ସେହି ନବଗ୍ରହ ହେଲା ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର, ମଙ୍ଗଳ, ବୁଧ, ଶୁକ୍ର, ବୃହଷ୍ପତ୍ତି, ଶନି, ରାହୁ ଓ କେତୁ। ଏହା ବେଦାଙ୍ଗ ଜ୍ଯୋତିଷରେ ଉଲ୍ଲେଖ ରହିଛି। କିନ୍ତୁ ଭାରତରେ ଆର୍ଯ୍ୟଭଟ୍ଟ ଆସିବା ପରେ (ଚତୁର୍ଥ ଶତାବ୍ଦୀ) ଏ ସମ୍ପର୍କରେ ଆଲୋଚନା ନାହିଁ। ଆଧୁନିକ ଜ୍ୟୋତିର୍ବିଜ୍ଞାନ ଟେଲିସ୍କୋପ ଉପରେ ନିର୍ଭର କରି ତଥ୍ୟ ପ୍ରକାଶ କରୁଛି ଯେ ସୂର୍ଯ୍ୟଙ୍କ ଚାରିପାଖରେ ଆଠଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି।  ଏ ଭିତରେ କେଉଁଠି ବି ରାହୁ ଓ କେତୁ ଦେଖାଯାଉନାହାନ୍ତି। 


ଚନ୍ଦ୍ର ଗ୍ରହଣର କାରଣ: 

ଆମେ ପାଠ୍ୟ ପୁସ୍ତକରେ ଭୁଲ ପଢିଥିଲେ ଯେ ଚନ୍ଦ୍ର ପୃଥିବୀ ଚାରିପାଖରେ ସଂପୂର୍ଣ୍ଣ ଗୋଲାକାର ପଥରେ ଓ ସମାନ ପୃଷ୍ଠରେ ପ୍ରଦକ୍ଷିଣ କରିଥାଏ। ଯଦି ତାହା ହୋଇଥାନ୍ତା ତେବେ ପ୍ରତି ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇଥାନ୍ତା। କେପଲରଙ୍କ ମତ ଅନୁସାରେ, ଚନ୍ଦ୍ର ପୃଥିବୀ ଚାରିପାଖରେ ଘୂରୁଥିବା ପଥ ସାମାନ୍ଯ ଚେପଟା। କେତେବେଳେ ଏହା ପୃଥିବୀର ନିକଟ ହୁଏ ତ ପୁଣି କେତେବେଳେ ଦୂର। ପୃଥିବୀର ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବା ପଥ ଓ ଚନ୍ଦ୍ର ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ପଥ ମଧ୍ୟରେ ୫ ଡିଗ୍ରୀର କୋଣ ରହିଛି। ତେଣୁ ସବୁ ପୂର୍ଣମୀରେ ଚନ୍ଦ୍ରଗ୍ରହଣ ହୋଇନଥାଏ। 


କ୍ଵଚିତ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରର ମଝିରେ ପୃଥିବୀ ଆସିବା ଦ୍ଵାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ। ତେଣୁ ପୃଥିବୀର ଏକ ଭାଗ ଚନ୍ଦ୍ର ଗ୍ରହଣ ଦେଖିପାରୁଥିଲେ ଅନ୍ୟ ଭାଗ ବା ସୂର୍ଯ୍ୟଙ୍କ ପଟକୁ ରହୁଥିବା ଭାଗ ଚନ୍ଦ୍ରଗ୍ରହଣ ଦେଖିପାରନ୍ତି ନାହିଁ। ଏସିଆ ମହାଦେଶରେ ଦେଖାଯାଉଥିବା ଚନ୍ଦ୍ର ଗ୍ରହଣ ଆମେରିକାବାସୀଙ୍କୁ ଦେଖାଯିବ ନାହିଁ। କେବେ ଏହା ଆଂଶିକ ଚନ୍ଦ୍ର ଗ୍ରହଣ ହୁଏ ତ କେବେ ପୂର୍ଣ୍ଣ ଗ୍ରହଣ। ଏହାର ପଥ ୫ ଡିଗ୍ରୀ କୋଣ କରୁଥିବା ହେତୁ ଏପରି ହୋଇଥାଏ। 


ଜୀବାଣୁ ଓ ରୋଗର ଭୟ : 

ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ହାରାହାରି ଦୂରତା ୩,୮୪,୦୦୦ କିଲୋମିଟର। ଏହା କେବେ ଅଧିକ ହୁଏ ତ ପୁଣି କେବେ ନିକଟ। ଜୀବାଣୁମାନେ ଏତେ ଦୂରତା ଅତିକ୍ରମ କରି ଆସିବା ସହଜ କି? ପୁଣି ଯେଉଁ ଚନ୍ଦ୍ରରେ ଜୀବନ ନାହିଁ ବୋଲି ବୈଜ୍ଞାନିକମାନେ ଦେଖିଲେ ସେଠାରେ ଜୀବାଣୁମାନେ ବଞ୍ଚିବେ କେମିତି? ପାକତ୍ୟାଗ ଏକ ମିଥ୍ୟା ଅବଧାରଣା ଯାହାର ବାସ୍ତବ ତଥ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

 

ହିନ୍ଦୁ ଧର୍ମଗ୍ରନ୍ଥରେ ପାକତ୍ୟାଗ :

 ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ଯ ନଖାଇବା ଲାଗି ଅନେକ ହିନ୍ଦୁ ଧର୍ମ ଗ୍ରନ୍ଥରେ ପ୍ରକାଶିତ ବୋଲି ଜଣେ ମଣିଷ ମୋ ସହିତ ଯୁକ୍ତି କରିଥିଲେ। ସେ ଏ ସମ୍ପର୍କରେ ଠୋସ କିଛି କହିତ ପାରିଲେ ନାହିଁ କିନ୍ତୁ ଏହା ମୋତେ ଅନୁସନ୍ଧାନ ପାଇଁ ବାଧ୍ୟ କରିଥିଲା। ଚନ୍ଦ୍ର ଗ୍ରହଣ ସମ୍ପର୍କରେ ବେଦ ଓ ଉପନିଷେଦରେ ଉଲ୍ଲେଖ ରହିଛି, କିନ୍ତୁ, ଏ ସମୟରେ ଯେ ପାକତ୍ୟାଗ କରାଯିବ ବା ଏହା ଅଶୁଭ ସମୟ ସେ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଅର୍ଥାତ ସେମାନେ ଏହାକୁ ବିଶ୍ଵାସ କରିନାହାନ୍ତି।


ମହାଭାରତରେ ଜୟଦ୍ରଥ ବଧ ଉକ୍ତ ଚନ୍ଦ୍ର ଗ୍ରହଣ ସମୟରେ ହୋଇଥିବା ଦର୍ଶାଯାଇଛି କିନ୍ତୁ ଏଥିରେ ପାକତ୍ୟାଗ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଭଗବତ ଗୀତାରେ ମଧ୍ୟ ନୁହେଁ। ଅଠର ପୁରାଣ ପ୍ରସ୍ତୁତ ହୋଇଛି କିନ୍ତୁ ସେଥିରୁ କେବଳ ଗରୁଡ ପୁରାଣ ବ୍ଯତୀତ ଅନ୍ୟ କୌଣସି ପୁରାଣରେ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏପରିକି ପୁରୁଷୋତ୍ତମ ପୁରୀରେ ଲିଖିତ ବ୍ରହ୍ମପୁରାଣରେ ମଧ୍ୟ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏହା ଜାଣିବା ଆବଶ୍ୟକ ଯେ ପୁରାଣର ଲିଖନ ଅନେକ ଆଞ୍ଚଳିକ। 


ଗରୁଡ ପୁରାଣରେ ଉଲ୍ଲଖିତ: 

ହିନ୍ଦୁ ଧର୍ମଗ୍ରନ୍ଥର ପୁରାଣ ଲିଖନର ସମୟ ଅଲଗା ଅଲଗା ଓ ଭୌଗଳିକ ସ୍ଥାନ ମଧ୍ୟ ଅଲଗା। ପୁରାଣ ଲିଖନ ପଞ୍ଚମ ଶତାବ୍ଦୀରେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇ ଅଷ୍ଟାଦଶ ଶତାବ୍ଦୀରେ ଶେଷ ହେଲା। ଗରୁଡ ପୁରାଣ ନବମ ରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ବିହାରର ମିଥିଳା ଅଞ୍ଚଳରେ ଲିଖିତ ହୋଇଛି। ଗରୁଡ ପୁରାଣରେ ମଣିଷର ଜନ୍ମ ଓ ମୃତ୍ୟୁ ସମୟରେ ବ୍ରାହ୍ମଣ ଦ୍ଵାରା ବିଭିନ୍ନ କ୍ରିୟାକର୍ମ କରାଯିବାର ଯେଉଁ ବର୍ଣ୍ଣନା ରହିଛି ଓ ପିତୃପକ୍ଷର କଥା ଉଲ୍ଲେଖ ରହିଛି ସେଠାରେ ପାକତ୍ୟାଗର କଥା ରହିଛି।  


ଗରୁଡ ପୁରାଣରେ ମହାପାତକ:

 ଚନ୍ଦ୍ର ଗ୍ରହଣ ସମୟରେ ବ୍ରାହ୍ମଣକୁ ଗୋଦାନ କଲେ ଅନେକ ପୂଣ୍ୟ ହୁଏ ଓ ନକଲେ ନର୍କପ୍ରାପ୍ତି ହୁଏ ବୋଲି ଗରୁଡ ପୁରାଣରେ ରହିଛି। ଏହା ଅନ୍ଯତମ ମହାପାତକ। ଅଠର ପୁରାଣରେ ଶହେ ପ୍ରକାରର ନର୍କ ଯନ୍ତ୍ରଣା ଓ ସେଥିରୁ ମୁକ୍ତି ଲାଗି ବ୍ରାହ୍ମଣକୁ ଚବିଶ ପ୍ରକାରର ଦାନର କଥା ରହିଛି। ଆମ ସମାଜ ଏହା ଚିନ୍ତା କରିବା ଆବଶ୍ୟକ ଯେ ପୁରାଣର ବର୍ଣ୍ଣନାକୁ ଗର୍ବର ସହିତ ପାଳନ କରିବା ଦ୍ଵାରା ପୁଣି ସେହି ଅନ୍ଧଗଳି ମଧ୍ୟକୁ ସମଗ୍ର ସମାଜକୁ ଠେଲି ଦିଆଯାଉନାହିଁ ତ ଯେଉଁଠି ନାରୀ, ବୟସ୍କ, ଶିଶୁ, ଦଳିତ ଓ ତୃତୀୟ ଲିଙ୍ଗର ମଣିଷ ସବୁଠାରୁ ଅସୁରକ୍ଷିତ? ଆମେ ଜାତିପ୍ରଥା ନାମରେ ଅଧିକ ଘୃଣା ଓ ହିଂସା ଠାରୁ ଏ ସମାଜକୁ ରକ୍ଷା କରିବା କି ପୁରାଣ ନାମରେ ଅନେକ ଅବୈଜ୍ଞାନିକ ଓ ଅମାନବୀୟ ଚିନ୍ତାଧାରାକୁ ପ୍ରଶ୍ରୟ ଦେବା? 

  

ରୋଗ ଉପାଖ୍ୟାନ:

 ଆଜି ପର୍ଯ୍ୟନ୍ତ ଏଭଳି କୌଣସି ବେମାରର କାରଣ କୁହାଯାଇନାହିଁ ଯେ ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ହେତୁ ହୋଇଛି। ଆଜିପର୍ଯ୍ୟନ୍ତ ମେଡିକାଲ ବିଜ୍ଞାନ ସେଭଳି କୌଣସି ରୋଗ ବା ରୋଗୀ ପାଇନାହିଁ। ଯଦି ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ଦ୍ଵାରା ରୋଗ ହେଉଥାନ୍ତା ତେବେ ଦେଶର ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ମୁସଲମାନ, ୩ ପ୍ରତିଶତ ଖ୍ରୀଷ୍ଟିୟାନ, ୨ ପ୍ରତିଶତ ଶିଖ, ୨ ପ୍ରତିଶତ ବୌଦ୍ଧ ଓ ଜୈନ ଅର୍ଥାତ  ୩୦ ପ୍ରତିଶତ ଲୋକ ଏହାଦ୍ବାରା ବେମାର ହୋଇଥାନ୍ତେ । ନା ଆଦିବାସୀ ନା ଅଣହିନ୍ଦୁ କୌଣସି ଧର୍ମଗ୍ରନ୍ଥରେ ପାକତ୍ୟାଗ ସମ୍ପର୍କରେ ସାମାନ୍ଯ କୌଣସି ସୂଚନା ବା ଧାର୍ମିକ ନିର୍ଦ୍ଦେଶ ରହିଛି।

 

ପୁରାଣର ସୁରକ୍ଷାକର୍ତ୍ତାଙ୍କୁ ପ୍ରଶ୍ନ:

 ଆଜି ଅନ୍ଧବିଶ୍ଵାସୀମାନେ ଗରୁଡ ପୁରାଣର କଥା ଅନୁସାରେ ପାକତ୍ୟାଗକୁ ସମଗ୍ର ସମାଜ ଉପରେ ଲଦିଦେବା ଲାଗି ହିଂସ୍ରକ ହୋଇଉଠିଛନ୍ତି। ପୁରାଣ ଅନୁସାରେ ବ୍ରାହ୍ମଣ କୃଷି କର୍ମ କରିପାରିବ। ବେଦରେ ମନ୍ଦିରରେ ଯେ ଭଗବାନ ରୁହନ୍ତି ତାହାର କୌଣସି ଉଲ୍ଲେଖ ନାହିଁ। ଏହାସତ୍ବେ ମନ୍ଦିରରେ ବ୍ରାହ୍ମଣଙ୍କ ଲାଗି ଶହେ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି?  ଯେ କେହି ପୂଜକ‌ ହୋଇପାରିବ। ସନାତନ ଧର୍ମ ନାମରେ ଏତେ ମନ୍ଦିର କାହିଁକି ନିର୍ମାଣ କରାଯାଉଛି?


 ଏହା କେବଳ ଯୁକ୍ତି ଲାଗି ଲେଖୁଛି। ଗଣତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ କରାଯିବା ଆବଶ୍ୟକ। ସମ୍ବିଧାନର ଧାରା ୧୫ ରେ ସମସ୍ତ ପ୍ରକାରର ଉଚ୍ଚ ନିଚ୍ଚ ବ୍ୟବହାରକୁ ବିରୋଧ କରାଯିବା ଓ ଧାରା ୧୯ ରେ ବାକ ସ୍ଵାଧୀନତାର ଅଧିକାର ଉଲ୍ଲେଖ ରହିଥିଲେ  ବି କୌଣସି ସରକାର ଏହାକୁ ସମ୍ମାନ ଦେଇ କାର୍ଯ୍ୟ କରୁନାହାନ୍ତି। ସେ ଦିଗରେ ଆମେ ଆମର ସ୍ଵରକୁ ଦୃଢ କରିବା ଜରୁରୀ ।  


 ରାଜନୈତିକ ହିଂସା: 

ଆଜି ପାକତ୍ୟାଗ ଲାଗି ବାଧ୍ୟ କରାଯିବା ଏକ ରାଜନୈତିକ କାର୍ଯ୍ୟ ହୋଇଯାଇଛି। ପାକତ୍ୟାଗ ଏକ ଅନ୍ଧବିଶ୍ଵାସ। ଏହା କହୁଥିବା ବ୍ୟକ୍ତି ପ୍ରତି ଅପଶବ୍ଦ ବ୍ୟବହାର କରାଯାଉଛି, ଆକ୍ରମଣ ମଧ୍ୟ କରାଯାଉଛି। ଏଭଳି କରିବା ଆଇନତଃ ଅପରାଧ। ବିଡମ୍ବନା ଯେ ହିନ୍ଦୁ ଧର୍ମ ନାମରେ ରାଜନୀତି କରୁଥିବା ବ୍ୟକ୍ତି ଏହି ଅନ୍ଧବିଶ୍ଵାସ ମଧ୍ୟରୁ ଜନ୍ମିତ ସଂଗଠନ ମଧ୍ୟରୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ବୈଜ୍ଞାନିକ ଚିନ୍ତାଧାରା ନାହିଁ। ସେଥିଲାଗି ଧର୍ମ ଗ୍ରନ୍ଥକୁ ପ୍ରଶ୍ନ କରିବା ସେମାନଙ୍କୁ ଅସହ୍ୟ ହେଉଛି। ସେମାନେ କେତେବେଳେ ସରକାରୀ ଶକ୍ତିକୁ ନିଜ ଲାଗି ପ୍ରୟୋଗ କରୁଛନ୍ତି ତ ପୁଣି ଅର୍ଥ ବଳରେ ଏକ ଯୁବ ବାହିନୀ ତିଆରି କରି ଧର୍ମ ନାମରେ ଆକ୍ରମଣକୁ ପ୍ରଶ୍ରୟ ଦେଉଛନ୍ତି। ସେମାନେ ଧର୍ମ ନାମରେ ଆଇନକୁ ହାତକୁ ନେଉଛନ୍ତି।  


ଚନ୍ଦ୍ର ଗ୍ରହଣ କ୍ଷେତ୍ରରେ ଆମେ ହିନ୍ଦୁ ମୌଳବାଦୀ ରାଜନୈତିକ ଦଳ ମଧ୍ୟରେ ଯାହା ଦେଖୁଛେ ଅନ୍ୟ ପର୍ବ ପର୍ବାଣିରେ ଖ୍ରୀଷ୍ଟିୟାନ ଓ ମୁସଲମାନ ମୌଳବାଦୀଙ୍କ ବ୍ୟବହାର ସମାନ ଦେଖୁଛେ। ଏହା କଦାପି ଆମକୁ ସମାଜବାଦ ଓ ବୈଜ୍ଞାନିକ ମନୋଭାବ ଆଡକୁ ନେଇଯିବ ନାହିଁ। ଏହା ଗଣତନ୍ତ୍ରକୁ ଧ୍ଵଂସ କରିବା ଲାଗି ଉଦ୍ଦିଷ୍ଟ। ଧାର୍ମିକ ଅନ୍ଧବିଶ୍ଵାସ ମୁକ୍ତ ସମାଜ ପାଇଁ ଆମର ଉଦ୍ୟମ ଜାରି ରହୁ।    



ଲେଖା ଠିକ ଲାଗିଲେ ଅନ୍ୟମାନଙ୍କୁ ପଠାଇବେ, ବିଭିନ୍ନ ଗୃପରେ ଦେବେ ଓ ଅନ୍ୟତ୍ର ଛାପିପରିବେ ମଧ୍ୟ। 

Tuesday, August 26, 2025

ହୀରାକୁଦ ଜଳଭଣ୍ଡାର ପ୍ରତି ନୂଆ ବିପଦ

 



ଦେବ ରଞ୍ଜନ

                         ପଚାଶ ଦଶକରେ ମହାନଦୀ ଉପରେ ନିର୍ମିତ ଏସିଆର ବୃହତ ଜଳଭଣ୍ଡାର ହୀରାକୁଦ ପ୍ରତି କିଛି ବର୍ଷ ହେଲା ନୂଆ ବିପଦ ଆସି ଠିଆ ହୋଇଛି। ହୀରାକୁଦ ଜଳଭଣ୍ଡାରର ମାଟି ଓ ପାଣିରେ ଅତ୍ୟଧିକ ମାତ୍ରାରେ ସୀସା ( ଲିଡ), କ୍ରୋମିୟମ, ତମ୍ବା (କପର) ଓ ଦସ୍ତା (ଜିଙ୍କ) ଆଦି ଧାତବ୍ୟ ଦ୍ରବ୍ଯ ରହିଥିବା ୨୦୨୩ ମସିହାରେ ପ୍ରକାଶିତ ପ୍ରବନ୍ଧ ଦାବି କରୁଛି।

                        ତାମିଲନାଡୁର କୋଏମ୍ବାଟୁରର ସଲିମଅଲି ସେଣ୍ଟର ଫର ଅର୍ନିଥୋଲୋଜି ଏଣ୍ଡ ନ୍ଯାଚୁରାଲ ହିଷ୍ଟ୍ରି, ଭୁବନେଶ୍ବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ରାସୟନିକ ବିଭାଗ ଓ ମେଘାଳୟ ସ୍ଥିତ ପରିବେଶ ବିଶ୍ୱବିଦ୍ୟାଳୟର ବାୟୋଲୋଜି ବିଭାଗ ଇତ୍ୟାଦି ସଂସ୍ଥାର ମିଳିତ ଉଦ୍ୟମରେ ଜଳଭଣ୍ଡାରର ପାଣି ଓ ମାଟିକୁ ନେଇ ଯେଉଁ ପରୀକ୍ଷା କରାଯାଇଥିଲା ତାହାର ଫଳାଫଳ ହିଁ ଉପରୋକ୍ତ ତଥ୍ୟକୁ ଦର୍ଶାଉଛି। (୧) ଏ ଭିତରେ ଉକ୍ତ ପ୍ରବନ୍ଧ ପ୍ରକାଶ ପାଇବା ବର୍ଷକରୁ ଅଧିକ ହୋଇଯାଇଥିଲେ ମଧ୍ୟ ଏହାକୁ ନେଇ ମିଡିଆରେ ନା କୌଣସି ଚର୍ଚ୍ଚା ହେଉଛି ନା ସରକାରୀ ସ୍ତରରେ ଏହାକୁ ନେଇ ସେଭଳି କିଛି ବ୍ୟସ୍ତତା ପ୍ରକାଶ ପାଉଛି।  

                        ସରକାର କଣ ଧରିନେଇଛନ୍ତି ଯେ ଉକ୍ତ ପ୍ରବନ୍ଧରେ ପ୍ରକାଶିତ ତଥ୍ୟ ସତ୍ୟ ଆଧାରିତ ନୁହେଁ? ନା ଏହି ବିଶାଳ ଜଳଭଣ୍ଡାରର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସରକାରୀ ଶକ୍ତିର ବାହାରେ? କିଏ କହିବ ହୁଏତ ନେହେରୁଙ୍କ “ଆଧୁନିକ ମନ୍ଦିର” ହୀରାକୁଦ ଜଳଭଣ୍ଡାର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟଗତ ବିପଦ ସୃଷ୍ଟି କରିବ?

                        ଏହା ଜାଣିବା କଥା ଯେ ସୀସା, କ୍ରୋମିୟମ, ତମ୍ବା ଓ ଦସ୍ତା ଭଳି ଖଣିଜ ଦ୍ରବ୍ଯ ପ୍ରାକୃତିକ ଝରଣା ବା ନଦୀ ମାଧ୍ୟମରେ ଜଳଭଣ୍ଡାର ମଧ୍ୟକୁ ଆସିନଥାଏ। ଏକ ଲକ୍ଷ ପଚାଶ ହଜାର ଏକର ଅଞ୍ଚଳ ଉପରେ ପ୍ରସ୍ତୁତ ହିରାକୁଦ ଜଳଭଣ୍ଡାର ଚାରିପାଖରେ ରହିଥିବା କମ୍ପାନୀମାନଙ୍କ ନିଜସ୍ଵ ଥର୍ମାଲ ପାୱାର (କୋଇଲାରୁ ଉତ୍ପାଦନ)ର ଆବର୍ଜନା ଓ ଆଲୁମିନିୟମ କମ୍ପାନୀର ଆବର୍ଜନା ଧାତୁ ଡ୍ରସ ହେତୁ ପାଣି ଓ ମାଟିରେ ଉକ୍ତ ଧାତବ ଦ୍ରବ୍ଯ ସଞ୍ଚିତ ହେଉଥିବା ଲାବରେଟରୀ ପରୀକ୍ଷାରୁ ଜଣାପଡୁଛି।

                        ଜଳଭଣ୍ଡାର ନିକଟସ୍ଥ କୃଷି ଜମିରେ କ୍ରୋମିୟମ ଧାତବ ଦ୍ରବ୍ଯର ପ୍ରଭାବ ସ୍ତର (ଥ୍ରେସହୋଲ୍ଡ ଭାଲ୍ଯୁ ଫର ଏଗ୍ରୀକଳ୍ଚରାଲ ସଏଲ ବା ଟିଭିଏଏସ) ନିରାପଦ ସ୍ତର ଠାରୁ ଯଥେଷ୍ଟ ଉପରେ ରହିଛି। ସୀସାର ଟିଭିଏଏସ ସ୍ତର ପ୍ରାୟତଃ ନିରାପଦ ସୀମାକୁ ଛୁଇଁ ସାରିଛି। କୃଷି ଜମିରେ ସୀସାର ଉପସ୍ଥିତି ସର୍ବାଧିକ ୬୦ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିବା କଥା। ହୀରାକୁଦ ମାଟିରେ ସୀସାର ସ୍ତର ବିଭିନ୍ନ ସ୍ଥାନରେ ୪୩.୭୨ ରୁ ୬୦.୩ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିଛି। ଏହା କ୍ରମଶଃ ବଢୁଥିବା ମଧ୍ୟ ଉକ୍ତ ନିବନ୍ଧ ଦର୍ଶାଉଛି।

                        ହୀରାକୁଦ ଜଳଭଣ୍ଡାରରେ ଖଣିଜ ଦ୍ରବ୍ଯର ମାତ୍ରା ବଢୁଥିବାକୁ ନେଇ ୨୦୧୨ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗ ତରଫରୁ ଏକ ପରୀକ୍ଷା କରାଯାଇ ପ୍ରବନ୍ଧ ପ୍ରକାଶ କରାଯାଇଥିଲା। (୨) ଏଥିରେ କିନ୍ତୁ ଦର୍ଶାଯାଇଥିଲା ଯେ କ୍ରୋମିୟମ ସ୍ତର ୪୧.୫୯ ମିଉ ଗ୍ରାମ ପର ଗ୍ରାମ, ସୀସା ବା ଲିଡ ମାତ୍ରା ୩୨.୦୮ ମିଉ ଗ୍ରାମ ପର ଗ୍ରାମ ରହିଛି। ସେହିଭଳି ଜିଙ୍କ, ଆଇରନ, ତମ୍ବାର ମାତ୍ରା ନିରାପଦ ସ୍ତର ଠାରୁ ନିମ୍ନରେ ରହିଥିବା ଦର୍ଶାଯାଇଥିଲା। ଉକ୍ତ ପ୍ରବନ୍ଧରେ ଜଳଭଣ୍ଡାରରେ ଯଦିଓ ଧାତବ ଦ୍ରବ୍ୟର ମାତ୍ରା ବଢୁଛି ତଥାପି ଏହା ନିରାପଦ ସ୍ତରର ଉର୍ଦ୍ଧ୍ଵକୁ ଯାଇନାହିଁ ବୋଲି ଯୁକ୍ତି କରାଯାଇଥିଲା। ଏହି ଗବେଷଣା କିନ୍ତୁ ହିଣ୍ଡାଲକୋର ଆର୍ଥିକ ସହଯୋଗରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ଵାରା ହୋଇଥିଲା।

                        ସେ ସମୟରେ ମୃତ ଜୀବମାନଙ୍କ ମାଂସ ଓ ହାଡକୁ ନେଇ ମଧ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ଯେଉଁ ପରିମାଣର ଧାତବ ଦ୍ରବ୍ଯ ମିଳୁଛି ତାହା ଆଗାମୀ ଦିନରେ ବିପଦ ସୃଷ୍ଟିକରିବ ବୋଲି ଚେତାଇ ଦିଆଯାଇଥିଲା। ଏ ଭିତରେ ଆହୁରି ୧୨ ବର୍ଷ ହୋଇଗଲାଣି।ଏବେ ୨୦୨୩ ମସିହାରେ ପ୍ରକାଶିତ ନିବନ୍ଧକୁ ଯଦି ବିଚାରକୁ ନିଆଯିବ ତେବେ ଜଳଭଣ୍ଡାର ତଳର ମାଟି କେତେକ ସ୍ଥାନରେ ଅତ୍ୟଧିକ ଦୂଷିତ ହୋଇସାରିଛି।  ଏହାର ପାଣି ମଧ୍ୟ କ୍ରମଶଃ ଦୂଷିତ ହେବାରେ ଲାଗିଛି।

                        ଏପରିକି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ନିରାପଦ ସ୍ତର ନିରୂପଣ କରିଛି ତାହା ଠାରୁ ଯଥେଷ୍ଟ ଅଧିକ ସ୍ତରର ଧାତବ ଦ୍ରବ୍ଯ (WCTMRC) ହୀରାକୁଦ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ହୀରାକୁଦ ପାଖାପାଖି କୃଷି ଜମି ମଧ୍ୟ କ୍ରମଶଃ ବିଷାକ୍ତ ହେଉଛି। ଜଳସେଚିତ ହେଉଥିବା ଜମିରେ ସୀସା, ତମ୍ବା ଓ କ୍ରୋମିୟମ ଧାତୁ ମିଳିଥିବା ଉକ୍ତ ଗବେଷଣାତ୍ମକ ନିବନ୍ଧ ଯୁକ୍ତି କରୁଛି। ଏହାର କାରଣ ଦ୍ରୁତ ଶିଳ୍ପାୟନ, ସହରୀକରଣ ଓ ବିକାଶମୂଳକ କାର୍ଯ୍ୟ ରହିଛି ବୋଲି ନିବନ୍ଧ ଦର୍ଶାଉଛି। ଏହା କ୍ୟାନସର ସୃଷ୍ଟିକାରକ ଦ୍ରବ୍ଯ ବା କାର୍ସିନୋଜେନିକ ଉତ୍ପାଦକ ପଦାର୍ଥ।

                        ପଶ୍ଚିମ ଓଡିଶାରେ ବରଗଡ ଜିଲ୍ଲା ଓ ନିକଟବର୍ତ୍ତୀ ଅଞ୍ଚଳ ମୁଖ୍ଯତଃ ହୀରାକୁଦ ଜଳଭଣ୍ଡାର ଦ୍ଵାରା ଜଳସେଚିତ ହୋଇଥାଏ। କିନ୍ତୁ ଆଜିର ସମୟରେ ବରଗଡ ଜିଲ୍ଲା ଅନ୍ୟ ଏକ ସଂବେଦନଶୀଳ ପ୍ରସଙ୍ଗରେ ଓଡିଶାରେ ଜଣାଶୁଣା। ଏଠାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯିବା କାରଣରୁ ବରଗଡକୁ କ୍ୟାନସରର ରାଜଧାନୀ ବୋଲି କେହି କେହି କହିବା ଆରମ୍ଭ କରିଛନ୍ତି।

                        ୧୯୫୯ ମସିହାରୁ ୨୦୦୦ ମସିହା ମଧ୍ୟରେ ଦେଶର ଅନେକ ବୃହତ ଆଲୁମିନିୟମ ଓ ଷ୍ଟିଲ କମ୍ପାନୀଙ୍କୁ ପ୍ଳାଣ୍ଟ ଓ କୋଇଲା ତାପଜ କେନ୍ଦ୍ର ହୀରାକୁଦ ଜଳଭଣ୍ଡାର ଚାରିପାର୍ଶ୍ଵରେ ତିଆରି କରିବା ଲାଗି ସରକାର ଅନୁମତି ଦେଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲା ହିଣ୍ଡାଲକୋ ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ବେଦାନ୍ତ  ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ଆଦିତ୍ଯ ବିରଳା ଆଲୁମିନିୟମ ପ୍ଳାଣ୍ଟ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଭୂଷଣ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଇତ୍ୟାଦି। ସମସ୍ତ ପ୍ଳାଣ୍ଟ ଓ ତାପଜ କେନ୍ଦ୍ର ଆଜି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳୁଛି।

                        ଜଳଭଣ୍ଡାରରୁ ପାଣି ଚାଷୀଙ୍କୁ ଦିଆନଯାଇ କ୍ରମଶଃ କମ୍ପାନୀମାନଙ୍କୁ ଦିଆଯିବା କାରଣରୁ ୨୦୦୫ ମସିହା ପରଠାରୁ ପଶ୍ଚିମ ଓଡିଶାର କୃଷକ ସଂଗଠନମାନେ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଆସୁଛନ୍ତି। କିନ୍ତୁ ବାରମ୍ବାର ସେମାନଙ୍କୁ ସରକାର ମିଛ ପରେ ମିଛ କହିଚାଲିଛନ୍ତି। ଆଜି ପରିଣାମ ହେଉଛି ଯେ ଜଳଭଣ୍ଡାରର ଜଳ ଓ ମାଟି ଧାତବ ଦ୍ରବ୍ଯ ମିଶ୍ରିତ ହେବାରେ ଲାଗିଛି।

                        ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ହଜାର ହଜାର ମତ୍ସଜୀବୀ ଅଭିଯୋଗ କରିଆସୁଛନ୍ତି ଯେ ଜଳଭଣ୍ଡାରରେ ମାଛଙ୍କ ସଂଖ୍ୟା କମିବାରେ ଲାଗିଛି। କେତେକ ମାଛର ବଂଶ ସଂପୂର୍ଣ୍ଣ ଲୋପ ପାଇଗଲାଣି। ଏହାର କାରଣ ଦୂଷିତ ଜଳ ବୋଲି ମିଡିଆରେ ପ୍ରକାଶିତ ମଧ୍ୟ ହୋଇଛିତଥାପି ଏ ସମ୍ପର୍କରେ ସରକାରୀ ଅନୁସନ୍ଧାନ ହେଉନାହିଁ। ସେଭଳି ଅନୁସନ୍ଧାନ ନକରିବା ଲାଗି କିଛି ଚାପ କାମ କରୁଛି?

                        ଦିନେ ସମୟ ଥିଲା ଯେତେବେଳେ ଗଣତନ୍ତ୍ର ପଦ୍ଧତିରେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୂଆଁଇ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରୁଥିଲେ। ଆର୍ଥିକ ସଂସ୍କାର ପରବର୍ତ୍ତୀ ଭାରତରେ ପ୍ରାଇଭେଟ କମ୍ପାନୀମାନେ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଦାବି ଅପେକ୍ଷା କମ୍ପାନୀର ଆବଶ୍ୟକତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି।

                        ବୃହତ କମ୍ପାନୀଙ୍କ ଦ୍ଵାରା ହେଉଥିବା ପ୍ରଦୂଷଣ ହେତୁ ଲୋକେ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାକୁ ଅପରାଧୀକ କାର୍ଯ୍ୟ (ଠିକ ହତ୍ୟା, ଡକାୟତି ଇତ୍ୟାଦି ଅପରାଧ ଭଳି) ଭାବରେ ଏ ପର୍ଯ୍ୟନ୍ତ ଦେଶରେ ନିଆଯାଇନାହିଁ ସେଭଳି ଆଇନ ଏ ପର୍ଯ୍ୟନ୍ତ ଦେଶରେ ପ୍ରଣୟନ ନହେବା ସରକାରୀ ଦଳ ଉପରେ କମ୍ପାନୀମାନଙ୍କ ପ୍ରଭାବକୁ ଦର୍ଶାଉଛି।

                        ହୀରାକୁଦ ଜଳଭଣ୍ଡାର ଜଳ, ମାଟି, କୃଷିଜମିର ମାଟି, ମୃତ ଜୀବଜନ୍ତୁଙ୍କ ହାଡର ଉପଯୁକ୍ତ ପରୀକ୍ଷା ସରକାରୀ ସ୍ତରରେ କରାଯିବା ଆବଶ୍ୟକ। ସାମାଜିକ ସଂଗଠନ ଦ୍ଵାରା ସମସ୍ତ ପ୍ଳାଣ୍ଟର ଚବିଶ ଘଣ୍ଟିଆ ସର୍ଭେକ୍ଷଣର ବ୍ୟବସ୍ଥା କରାଯିବା ଜରୁରୀ। ସୁସ୍ଥ ଜୀବନ ବଞ୍ଚିବା ପାଇଁ ସ୍ଥାନୀୟ ସଂଗଠନମାନଙ୍କର ପ୍ରତିବାଦର ସ୍ଵର ଦୃଢ ହେବା ଆବଶ୍ୟକ।      

ସହାୟକ ଲେଖା:

୧. Assessment of environmental and carcinogenic health hazards from heavy metal contamination in sediments of wetlands୨. Metals in environmental segments at Hirakud of Odisha, India

Mobile: 9437762272